Unknown

 

 

 

 

 

 

 

 

 

ଗାନ୍ଧୀ ରଚନାବଳୀ ପ୍ରଥମ ଖଣ୍ଡ

(ସତ୍ୟର ପ୍ରୟୋଗ)

ମୋହନଦାସ କରମଚାନ୍ଦ ଗାନ୍ଧୀ

 

ସୂଚୀପତ୍ର

 

ପ୍ରଥମ ଭାଗ

୧.

ଜନ୍ମ

୨.

ପିଲାଦିନ

୩.

ବାଲ୍ୟ ବିବାହ

୪.

ସ୍ୱାମୀ ପଣିଆ

୫.

ଉଚ୍ଚ ବିଦ୍ୟାଳୟ

୬.

ଶୋଚନୀୟ ଘଟଣା (୧)

୭.

ଶୋଚନୀୟ ଘଟଣା (୨)

୮.

ଚୋରି ଓ ପ୍ରାୟଶ୍ଚିତ୍ତ

୯.

ପିତାଙ୍କ ମୃତ୍ୟୁ ଓ ମୋର ଲଜ୍ଜା

୧୦.

ଧର୍ମର ଆଭାସ

୧୧.

ବିଲାତ ଯାତ୍ରା

୧୨.

ଜାତିବାସନ୍ଦ

୧୩.

ଶେଷରେ ବିଲାତରେ

୧୪.

ମୋର ରୁଚି

୧୫.

ସଭ୍ୟ ବେଶରେ

୧୬.

ବଦଳାବଦଳି

୧୭.

ଖାଦ୍ୟରେ ପ୍ରୟୋଗ

୧୮.

ଲାଜ ମତେ ବଞ୍ଚେଇଲା

୧୯.

ଅସତ୍ୟରୂପୀ ବିଷ

୨୦.

ଧାର୍ମିକ ପରିଚୟ

୨୧.

ଦୁର୍ବଳର ବଳରାମ

୨୨.

ନାରାୟଣ ହେମଚନ୍ଦ୍ର

୨୩.

ବିରାଟ ପ୍ରଦର୍ଶନୀ

୨୪.

ବାରିଷ୍ଟର ତ ହେଲି—ତା ପରେ ?

୨୫.

ମୋର ଚିନ୍ତା

ଦ୍ୱିତୀୟ ଭାଗ

୧.

ରାୟଚନ୍ଦ ଭାଇ

୨.

ସଂସାର ପ୍ରବେଶ

୩.

ପହିଲି ମକଦ୍ଦମା

୪.

ପ୍ରଥମ ଧକ୍‌କା

୫.

ଦକ୍ଷିଣ ଆଫ୍ରିକା ପାଇଁ ସଜବାଜ

୬.

ନାତାଲରେ ପହଞ୍ଚିଲି

୭.

ଅଭିଜ୍ଞତାରୁ ବିଚିତ୍ରତା

୮.

ପ୍ରିଟୋରିଆ ପଥେ

୯.

ସବୁଠିଁ ଅପମାନ

୧୦.

ପ୍ରିଟୋରିଆରେ ପହିଲି ଦିନ

୧୧.

ଖ୍ରୀଷ୍ଟାନ୍‌ ସମ୍ପର୍କ

୧୨.

ଭାରତୀୟଙ୍କ ପରିଚୟ

୧୩.

କୁଲିର କପାଳ

୧୪.

ମକଦ୍ଦମାର ହାଲ

୧୫.

ଧର୍ମ ମନ୍ଥନ

୧୬.

କାଲି କଥା କିଏ କହିବ ?

୧୭.

ନାତାଲରେ ରହିଲି

୧୯.

ନାତାଲ ଭାରତୀୟ କଂଗ୍ରେସ

୨୦.

ବାଳ ସୁନ୍ଦରମ୍‌

୨୧.

ତିନି ପାଉଣ୍ଡିଆ କର

୨୨.

ଧର୍ମ ନିରୀକ୍ଷଣ

୨୩.

ଘରକରଣା

୨୪.

ଦେଶ ଆଡ଼କୁ

୨୫.

ଭାରତବର୍ଷରେ

୨୬.

ରାଜଭକ୍ତି ଓ ସେବା

୨୭.

ବମ୍ବେଇରେ ସଭା

୨୮.

ପୁନାରେ

୨୯.

ଜଲଦି ଫେରିଆସ

ତୃତୀୟ ଭାଗ

୧.

ଝଡ଼ର ପ୍ରତିଧ୍ୱନି

୨.

ଝଡ଼

୩.

ପରୀକ୍ଷା

୪.

ଶାନ୍ତି

୫.

ବାଳଶିକ୍ଷା

୬.

ସେବାଭାବ

୭.

ବ୍ରହ୍ମଚର୍ଯ୍ୟ (୧)

୮.

ବ୍ରହ୍ମଚର୍ଯ୍ୟ (୨)

୯.

ସରଳ ଜୀବନ

୧୦.

ବୋର ଯୁଦ୍ଧ

୧୧.

ସହର ସଂସ୍କାର ଦୁର୍ଭିକ୍ଷ ଚାନ୍ଦା

୧୨.

ଦେଶ ଗମନ

୧୩.

ଦେଶରେ

୧୪.

କିରାନୀ ଓ ‘ବେରା’

୧୫.

ମହା ସଭାରେ

୧୬.

ଲର୍ଡ଼ କର୍ଜନଙ୍କ ଦରବାର

୧୭.

ଗୋଖଲେଙ୍କ ସଙ୍ଗେ ମାସେ (୧)

୧୮.

ଗୋଖଲେଙ୍କ ସଙ୍ଗେ ମାସେ (୨)

୧୯.

ଗୋଖଲେଙ୍କ ସଙ୍ଗେ ମାସେ (୩)

୨୦.

କାଶୀରେ

୨୧.

ବମ୍ବେଇରେ ସ୍ଥାୟୀ ହେଲି

୨୨.

ଧର୍ମ ସଙ୍କଟ

୨୩.

ପୁଣି ଦକ୍ଷିଣ ଆଫ୍ରିକା

ଚତୁର୍ଥ ଭାଗ

୧.

ସବୁ ଶ୍ରମ ପଣ୍ଡ ହେଲା ?

୨.

ଏସିଆରୁ ସ୍ୱେଚ୍ଛାଚାରୀଗଣ

୩.

ଅପମାନ ସହିଗଲି

୪.

ତ୍ୟାଗଭାବ ବଢ଼ିଲା

୫.

ଆତ୍ମନିରୀକ୍ଷଣର ପରିଣାମ

୬.

ନିରାମିଷ ଭୋଜନ ପାଇଁ ତ୍ୟାଗ

୭.

ମାଟି ଓ ପାଣିର ପ୍ରୟୋଗ

୮.

ଗୋଟିଏ ସତର୍କବାଣୀ

୯.

କ୍ଷମତା ସହିତ ସଂଘର୍ଷ

୧୦.

ପୁଣ୍ୟସ୍ମୃତି ଓ ପ୍ରାୟଶ୍ଚିତ୍ତ

୧୧.

ଇଂରେଜଙ୍କ ସଙ୍ଗେ ଗାଢ଼ ପରିଚୟ

୧୨.

ଇଂରେଜଙ୍କ ପରିଚୟ

୧୩.

ଇଣ୍ଡିୟାନ୍‌ ଓପିନିୟନ

୧୪.

କୁଲି ବସ୍ତି

୧୫.

ମହାମାରୀ (୧)

୧୬.

ମହାମାରୀ (୨)

୧୭.

ବସ୍ତି ଭସ୍ମସାତ୍‌

୧୮.

ଖଣ୍ଡେ ବହିର କୁହୁକ

୧୯.

ଫିନିକ୍‌ସ ଆଶ୍ରମ

୨୦.

ପହିଲି ରାତି

୨୧.

ପୋଲକ ଡେଇଁ ପଡ଼ିଲେ

୨୨.

ଯାହାକୁ ରଖିବେ ଅନନ୍ତ

୨୩.

ଘରେ ପରିବର୍ତ୍ତନ ଓ ପିଲାଙ୍କ ଶିକ୍ଷା

୨୪.

ଜୁଲୁ ‘ବିଦ୍ରୋହ’

୨୫.

‘ହୃଦୟ ମନ୍ଥନ’ ଅନ୍ତର ନିରୀକ୍ଷଣ

୨୬.

ସତ୍ୟାଗ୍ରହର ଜନ୍ମ

୨୭.

ଖାଦ୍ୟପେୟର ନୂଆ ନୂଆ ପ୍ରୟୋଗ

୨୮.

କସ୍ତୁରବାଈର ସାହସ

୨୯.

ଘରୋଇ ସତ୍ୟାଗ୍ରହ

୩୦.

ଆତ୍ମସଂଯମ ପଥରେ

୩୧.

ଉପବାସ

୩୨.

ସ୍କୁଲ ମାଷ୍ଟର

୩୩.

ଅକ୍ଷର ଜ୍ଞାନ

୩୪.

ଆତ୍ମିକ ଶିକ୍ଷା

୩୫.

ଧାନ ଭିତରେ ବାଳୁଙ୍ଗା

୩୬.

ପ୍ରାୟଶ୍ଚିତ୍ତ ପାଇଁ ଉପବାସ

୩୭.

ଗୋଖଲେଙ୍କୁ ଭେଟିବା ପାଇଁ !

୩୮.

ଯୁଦ୍ଧରେ ସାହାଯ୍ୟ

୩୯.

ଆଧ୍ୟାତ୍ମିକ ସମସ୍ୟା

୪୦.

ଛୋଟିଆ ସତ୍ୟାଗ୍ରହ

୪୧.

ଗୋଖଲେଙ୍କ ଉଦାରତା

୪୨.

ରୋଗର ଚିକିତ୍ସା

୪୩.

ଗୃହାଭିମୁଖେ

୪୪.

ଓକିଲାତି ସ୍ମୃତି

୪୫.

ଚାଲାଖି

୪୬.

ମହକିଲ ସାଥୀ ପାଲଟିଲେ

୪୭.

ମହକିଲ କିପରି ରକ୍ଷା ପାଇଲା ?

ପଞ୍ଚମ ଭାଗ

୧.

ପ୍ରଥମ ଅନୁଭୂତି

୨.

ପୁନାରେ ଗୋଖଲେଙ୍କ ସଙ୍ଗେ

୩.

ଏଟା କ’ଣ ଧମକ ?

୪.

‘ଶାନ୍ତି ନିକେତନ’

୫.

ତୃତୀୟ ଶ୍ରେଣୀ ଯାତ୍ରୀଙ୍କ ଦୁଃଖ

୬.

ମୋର ଚେଷ୍ଟା

୭.

କୁମ୍ଭମେଳା

୮.

ଲଛମନ ଝୁଲା

୯.

ଆଶ୍ରମ ପ୍ରତିଷ୍ଠା

୧୦.

ପରୀକ୍ଷାରେ ପଡ଼ିଲୁ !

୧୧.

ବିଦେଶକୁ କୁଲି ନେବା ବନ୍ଦ

୧୨.

ନୀଳବଡ଼ିର କଳଙ୍କ

୧୩.

ବିହାରୀ ସରଳତା

୧୪.

ଅହିଂସା ଦେବୀଙ୍କ ଦର୍ଶନ

୧୫.

ମକଦ୍ଦମା ଉଠାଇନେଲେ

୧୬.

କାର୍ଯ୍ୟ ପ୍ରଣାଳୀ

୧୭.

ସାଥୀମାନେ

୧୮.

ଗ୍ରାମ ଭିତରକୁ ପଶିବା

୧୯.

ଭଲ ପାଖ (ଦିଗ)

୨୦.

ଶ୍ରମଜୀବୀଙ୍କ ସମ୍ପର୍କ

୨୧.

ଥରେ ଆଶ୍ରମ ଦର୍ଶନ

୨୨.

ଉପବାସ

୨୩.

ଖେଡ଼ା ସତ୍ୟାଗ୍ରହ

୨୪.

ପିଆଜ ଚୋର

୧୫.

ଖେଡ଼ା ସତ୍ୟାଗ୍ରହର ଶେଷ

୧୬.

ଐକ୍ୟ କାମନା

୨୭.

ସୈନ୍ୟ ସଂଗ୍ରହ

୨୮.

ମୃତ୍ୟୁ ଶଯ୍ୟାରେ

୨୯.

ରୋଲେଟ ଆଇନ୍‌ ଓ ମୋର ସମସ୍ୟା

୩୦.

ସେହି ଅଦ୍ଭୁତ ଦୃଶ୍ୟ

୩୧.

ସେହି ସପ୍ତାହ (୧)

୩୨.

ସେହି ସପ୍ତାହ (୨)

୩୩.

ପାହାଡ଼ ପରି ଭୁଲ

୩୪.

ନବଜୀବନ ଓ ୟଂ- ଇଣ୍ଡିଆ

୩୫.

ପଞ୍ଜାବରେ

୩୬.

ଖିଲାଫତ ବଦଳରେ ଗୋରକ୍ଷା

୩୭.

ଅମୃତସର କଂଗ୍ରେସ

୩୮.

କଂଗ୍ରେସ ଦୀକ୍ଷା

୩୯.

ଖଦିର ଜନ୍ମ

୪୦.

ମିଳିଲା

୪୧.

ଏକ ଆଲୋଚନା

୪୨.

ଅସହଯୋଗ ସ୍ରୋତ

୪୩.

ନାଗପୁରଠାରେ

୪୪.

ପୂର୍ଣ୍ଣାହୂତି

 

 

 

 

 

 

 

 

 

 

 

 

 

ସତ୍ୟର ପ୍ରୟୋଗ ବା ଆତ୍ମକଥା

(ପ୍ରଥମ ଭାଗ)

 

ଜନ୍ମ

 

ଗାନ୍ଧୀ ବଂଶ ପହିଲେ ପୁଟୁଳି ବଣିଆ ବେପାର କରୁଥିଲେ ବୋଲି ଜଣାଯାଏ । କିନ୍ତୁ ମୋ ଅଜାଙ୍କଠୁଁ ତିନି ପୁରୁଷ ହେଲା ସେମାନେ ମନ୍ତ୍ରୀ କାମ କରିଆସୁଥାନ୍ତି । ଉତ୍ତମଚାନ୍ଦ ଗାନ୍ଧୀ ଓରଫ୍ ଓତାଗାନ୍ଧୀ ଜଣେ ଟାଣୁଆ ଲୋକ ଥିଲେ ବୋଲି ମନେ ହେଉଛି । ରାଜ୍ୟରେ ଚକ୍ରାନ୍ତ ଫଳରେ ତାଙ୍କୁ ପୋରବନ୍ଦର ଛାଡ଼ିବାକୁ ପଡ଼ିଥିଲା ଏବଂ ଜୁନାଗଡ଼ ରାଜ୍ୟରେ ସେ ଆଶ୍ରୟ ନେଇଥିଲେ । ସେଠା ନବାବଙ୍କୁ ସେ ବାଁ ହାତରେ ସଲାମ କରିଥିଲେ । ୟା’ ଦେଖି ଏଭଳି ଅଭଦ୍ରତାର କାରଣ କେହି ପଚାରିବାରୁ, ସେ ଉତ୍ତର ଦେଇଥିଲେ, ‘‘ଡାହାଣ ହାତକୁ ତ ପୋରବନ୍ଦରକୁ ଦେଇ ସାରିଛି ।’’

 

ଓତା ଗାନ୍ଧୀ ଗୋଟିକ ପରେ ଗୋଟିଏ ଦୁଇଟି ବିବାହ କରିଥିଲେ । ପ୍ରଥମ ପକ୍ଷରୁ ତାଙ୍କର ଚାରୋଟି ଓ ଦ୍ୱିତୀୟ ପକ୍ଷରୁ ଦୁଇଟି ପୁଅ ହୋଇଥିଲେ । ଏ ଭାଇଯାକ ବୈମାତୃକ ଥିଲେ ବୋଲି ମୋର ପିଲାଦିନେ କେବେ ଧାରଣା ହୋଇଥିବାର ମନେ ପଡ଼ୁନାହିଁ । ଏମାନଙ୍କ ମଧ୍ୟରେ ପଞ୍ଚମ କରମଚାନ୍ଦ ଓରଫ୍ କାବାଗାନ୍ଧୀ ଏବଂ ସବୁଠୁ ସାନ ତୁଳସୀ ଦାସ ଗାନ୍ଧୀ ଥିଲେ । ଦୁଇ ଭାଇଯାକ ଜଣକ ପରେ ଜଣେ ପୋରବନ୍ଦରର ମନ୍ତ୍ରିତ୍ୱ କରିଥିଲେ । କାବା ଗାନ୍ଧୀ ମୋର ପିତା । ପୋରବନ୍ଦରର ମନ୍ତ୍ରୀ କାମ ଛାଡ଼ିବା ପରେ ସେଠା ରାଜସ୍ଥାନିକ କୋର୍ଟର ସଭ୍ୟ ହୋଇଥିଲେ । ପରେ ରାଜକୋଟରେ ଓ କିଛିକାଳ ଓ୍ୱାଙ୍କାନେରରେ ଦେୱାନ ହୋଇଥିଲେ । ମୃତ୍ୟୁ ସମୟକୁ ରାଜକୋଟ ଦରବାରର ପେନ୍‌ସନ୍ ପାଉଥିଲେ । କାବା ଗାନ୍ଧୀ ମଧ୍ୟ ଗୋଟିକ ପରେ ଗୋଟିଏ ଚାରିଟି ବିବାହ କରିଥିଲେ । ପ୍ରଥମ ଦୁଇ ପକ୍ଷରୁ ଦୁଇଝିଅ ଓ ଶେଷ ସ୍ତ୍ରୀ ପୁତୁଳିବାଈଙ୍କଠାରୁ ଗୋଟିଏ ଝିଅ ଓ ତିନି ପୁଅ ହୋଇଥିଲେ । ସେମାନଙ୍କ ଭିତରେ ମୁଁ ସବୁଠାରୁ ସାନ ।

 

ପିତା କୁଟୁମ୍ବପ୍ରେମୀ, ସତ୍ୟପ୍ରିୟ, ସାହସୀ, ଉଦାର, କିନ୍ତୁ କ୍ରୋଧୀ ଥିଲେ । କେତେକ ପରିମାଣରେ ବିଷୟ ଭୋଗରେ ଆସକ୍ତ ମଧ୍ୟ ଥିଲେ । ତାଙ୍କର ଶେଷ ବିବାହ ଚାଳିଶବର୍ଷ ବୟସ ପରେ ହୋଇଥିଲା । ସେ ଲାଞ୍ଚ ପାଖ ପଶୁ ନ ଥିଲେ ଏବଂ ତାଙ୍କ ହାତରୁ ଶୁଦ୍ଧ ନ୍ୟାୟ ମିଳୁଥିଲା ବୋଲି ଆମ କୁଟୁମ୍ବରେ ତଥା ବାହାରେ ଡାକ ଅଛି । ସେ ରାଜ୍ୟର ବଡ଼ ବିଶ୍ୱାସୀ ଓ ରାଜଭକ୍ତ ଥିଲେ । ଥରେ ଜଣେ ଉପର ସାହେବ ରାଜକୋଟର ଠାକୁର ସାହେବଙ୍କୁ ଅପମାନ କରିଥିଲା । କାବାଗାନ୍ଧୀ ତା’ର ପ୍ରତିବାଦ କରିଥିଲେ । ସାହେବ ରାଗିଯାଇ କାବା ଗାନ୍ଧୀଙ୍କୁ ମାଫି ମାଗିବାକୁ ହୁକୁମ ଦେଇଥିଲେ । ସେ ମାଫି ମାଗିବାକୁ ନାହିଁ କରିଥିବା ଯୋଗୁଁ କେତେ ଘଣ୍ଟା ହାଜତରେ ମଧ୍ୟ ରହିଥିଲେ । ତଥାପି ସେ ଦବି ନ ଥିଲେ । ଫଳରେ ସାହେବ ତାଙ୍କୁ ଛାଡ଼ି ଦେବାକୁ ହୁକୁମ ଦେଇଥିଲେ ।

 

ସମ୍ପତ୍ତି କରିବାର ଲୋଭ ବାପାଙ୍କର କେବେ ନ ଥିଲା । ସେଥିପାଇଁ ଆମ ଭାଇମାନଙ୍କ ଲାଗି ସେ ଖୁବ୍ କମ୍ ସମ୍ପତ୍ତି ରଖି ଯାଇଥିଲେ । ପିତାଙ୍କର ଶିକ୍ଷା ଦୀକ୍ଷା କେବଳ ଅନୁଭବରୁ ଯାହା ଥିଲା । ଆଜି ଆମେ ଯାହାକୁ ଗୁଜୁରାତୀ ପଞ୍ଚମ ଭାଗର ଜ୍ଞାନ କହୁ, ସେତିକି ଶିକ୍ଷା ସେ ପାଇଥିଲେ-। ଇତିହାସ ଭୂଗୋଳର ଶିକ୍ଷା ଆଦୌ ମିଳି ନ ଥିଲା । ତଥାପି ତାଙ୍କର ବ୍ୟାବହାରିକ ଜ୍ଞାନ ଏଡ଼େ ଉଚ୍ଚ ଦରର ଥିଲା ଯେ, ସୂକ୍ଷ୍ମରୁ ସୂକ୍ଷ୍ମ ପ୍ରଶ୍ନର ସମାଧାନ କିମ୍ବା ହଜାର ହଜାର ଲୋକଙ୍କ ପାଖରୁ କାମ ଆଦାୟ କରିବା ତାଙ୍କ ପକ୍ଷରେ ଆଦୌ କଠିନ ନ ଥିଲା । ଧର୍ମ ଶିକ୍ଷା ନ ଥିଲା କହିଲେ ଚଳେ-। ତଥାପି ମନ୍ଦିର ପ୍ରଭୃତିକୁ ଯାଇ ପୁରାଣ, ହରିକଥା ଇତ୍ୟାଦି ଶୁଣି ଅସଂଖ୍ୟ ହିନ୍ଦୁଙ୍କୁ ଯେଉଁ ଧର୍ମଜ୍ଞାନ ମିଳେ, ସେତକ ସେ ହାସଲ କରିଥିଲେ । ଜୀବନର ଶେଷବର୍ଷ ଆମ କୁଟୁମ୍ବର ଜଣେ ବିଦ୍ୱାନ ବ୍ରାହ୍ମଣ ବନ୍ଧୁଙ୍କ ପରାମର୍ଶରେ ସେ ଗୀତାପାଠ ଆରମ୍ଭ କରିଥିଲେ ଏବଂ ପ୍ରତିଦିନ ପୂଜାବେଳେ ଅଳ୍ପ ବହୁତ କେତେକ ଶ୍ଲୋକ ଉଚ୍ଚସ୍ୱରରେ ପଢ଼ୁଥିଲେ ।

 

ମୋର ମା ଏକ ସାଧ୍ୱୀ ସ୍ତ୍ରୀ ଥିଲା ବୋଲି ମୋ ମନରେ ଏକ ଛାପ ରହିଯାଇଛି । ସେ ବଡ଼ ଧର୍ମପରାୟଣା ଥିଲା । ପୂଜାପାଠ ନ କରି କେବେ ଖାଉ ନଥିଲା । ସବୁଦିନ ମନ୍ଦିରକୁ ଯାଏ । ମୋର ଜ୍ଞାନ ହେଲା ଦିନଠୁଁ କେବେ ସେ ଚତୁଃମାସ୍ୟା ବ୍ରତ ନ କରିଛି ଏମିତି ମୋର ମନେ ହେଉନାହିଁ । କଠିନରୁ କଠିନ ବ୍ରତ ଉପବାସ ସେ ଆନନ୍ଦରେ ଓ ନିର୍ବିଘ୍ନରେ ପାଳୁଥିଲା । ବେମାର ପଡ଼ିଲେ ସୁଦ୍ଧା ବ୍ରତ କେବେ ଛାଡ଼ୁ ନ ଥିଲା । ଥରେ ମନେ ପଡ଼ୁଛି, ଚାନ୍ଦ୍ରୟଣ ବ୍ରତ ସେ କରିଥାଏ, ବେମାର ପଡ଼ିଗଲା; ତଥାପି ସେ ବ୍ରତ ଛାଡ଼ିଲା ନାହିଁ । ଚତୁର୍ମାସ୍ୟାରେ ବକତିକିଆ ଉପବାସ କରିବା ତା’ର ସାଧାରଣ କଥା ଥାଏ । ସେଥିରେ ସନ୍ତୋଷ ନ ହେବାରୁ ଥରେ ଚତୁର୍ମାସ୍ୟାରେ ଦିନେ ଛାଡ଼ି ଦିନେ ପାରଣା କରିଥିଲା । ୨୩ଟା ଉପବାସ ଲାଗ ଲାଗ କରିବା ତା’ ପାଇଁ ଅତି ତୁଚ୍ଛ କଥା ଥିଲା । ଥରେ ଚତୁର୍ମାସ୍ୟାରେ ଏମିତି ବ୍ରତ କଲା, ସେ ସୂର୍ଯ୍ୟଙ୍କୁ ଦେଖିଲେ ଯାଇ ଖାଇବ । ଏ ଚାରିମାସ । ଆମେ ପିଲାଯାକ କେତେବେଳେ ସୂର୍ଯ୍ୟ ଦେଖାଯିବେ ଓ ମା ଖାଇବ ସେଥିପାଇଁ ଆକାଶକୁ ଅନେଇ ବସିଥାଉଁ । ଚତୁର୍ମାସ୍ୟାରେ ସୂର୍ଯ୍ୟ ଦର୍ଶନ ଅନେକ ଦିନ କ୍ୱଚିତ ହୋଇଥାଏ, ଏ କଥା ସମସ୍ତେ ଜାଣନ୍ତି । ଏମିତି ଦିନ ମନେ ପଡ଼ୁଛି, ଯେବେ ଆମେ ସୂର୍ଯ୍ୟଙ୍କୁ ଦେଖି ‘‘ମା ମା, ସୂର୍ଯ୍ୟ ଦେଖା ଗଲେଣି’’, କହିବାରୁ ମା ଧଡ଼ପଡ଼ ହୋଇ ଆସୁ ଆସୁ ସୂର୍ଯ୍ୟ ପୁଣି ଲୁଚିଯାନ୍ତି । ‘‘କାହିଁ ନାହିଁ, ଆଜି କପାଳରେ ଖାଇବା ହେବ ନାହିଁ’’ କହି ସେ ଯାଇ ଆପଣା କାମଧନ୍ଦାରେ ଛନ୍ଦି ହୋଇଯାଏ ।

 

ମା’ ବ୍ୟବହାରକୁଶଳୀ ଥିଲା । ରାଜଦରବାରରେ ଅନେକ କଥା ଜାଣୁଥିଲା । ରାଣୀଙ୍କ ଉଆସରେ ତାହାର ବୁଦ୍ଧିର ଠିକ୍ କଳନା ହୋଇଥାଏ । ମୁଁ କେବେ କେବେ ପିଲାଦିନେ ମା ସାଙ୍ଗରେ ଦରବାର ଗଡ଼କୁ ଯାଇଥାଏ । ମା ଓ ରାଣୀମାତାଙ୍କ ଭିତରେ କଥାବାର୍ତ୍ତାର କେତେକ କଥା ଏବେ ସୁଦ୍ଧା ମୋ ମନେ ଅଛି ।

 

ଏଭଳି ମା, ବାପଙ୍କଠାରୁ ମୁଁ ସମ୍ବତ ୧୯୨୫ ଭାଦ୍ର କୃଷ୍ଣପକ୍ଷ ଦ୍ୱାଦଶୀରେ ଅର୍ଥାତ୍ ସନ ୧୮୬୯ ଅକ୍ଟୋବର ୨ ତାରିଖ ପୋରବନ୍ଦର ଅର୍ଥାତ ସୁଦାମାପୁରୀରେ ଜନ୍ମ ହୋଇଥିଲି । ପିଲାଦିନ ପୋର ବନ୍ଦରରେ କଟିଥିଲା । ମୋତେ ଗୋଟିଏ ଚାଟଶାଳୀକୁ ପଠାଇଥିଲେ, ଏତିକି ମୋର ମନେ ଅଛି । ବହୁତ କଷ୍ଟରେ କେଇକ ପଣିକିଆ ଶିଖିଥିଲି । ମୁଁ ସେତେବେଳେ ପିଲାଙ୍କ ସାଙ୍ଗରେ ଶିକ୍ଷକଙ୍କୁ ଗାଳିଦେବାଟା କେବଳ ଶିଖିଥିଲି ବୋଲି ମନେ ପଡ଼ୁଛି । ଆଉ କିଛି ମନେ ନାହିଁ । ମୁଁ ସେଥିରୁ ଅନୁମାନ କରୁଛି ଯେ, ମୋର ବୁଦ୍ଧି ମାନ୍ଦା ଥିଲା ଏବଂ ଆମେ ପିଲାଏ ଯେ ଗୀତ ପଦକ ବୋଲୁଥିଲୁଁ ସେଥିରେ ଯେଉଁ କଞ୍ଚା ପାମ୍ପଡ଼ କଥା ଅଛି, ମୋର ମନେ ରଖିବା ଶକ୍ତି ମଧ୍ୟ ସେହି କଞ୍ଚା ପାମ୍ପଡ଼ ଭଳି ଥିଲା । ସେ ଗୀତ ପଦକର ଧାଡ଼ି ଦୁଇଟି ମୋର ଏଠି ଦେଇଦେବା ଉଚିତ ।

 

ଏକରେ ଏକ ପାମ୍ପଡ଼ ମେକ୍

ପାମ୍ପଡ଼ କଚୋ—ମାରୋ—

 

ଶେଷ ଧାଡ଼ିରେ ଯେ ପ୍ରଥମ ଖାଲି ଜାଗାଟି ଅଛି ସେଠି ଶିକ୍ଷକଙ୍କର ନାମ ଥାଏ । ମାତ୍ର ମୁଁ ଏଠି ତାଙ୍କ ନାମ ପ୍ରକାଶ କରି ତାଙ୍କୁ ଅମର କରିବାକୁ ଚାହେଁ ନାହିଁ । ଦ୍ୱିତୀୟ ଖାଲି ଜାଗାରେ ଆଉ ପଦେ ଗାଳି ଥାଏ, ତାହା ମଧ୍ୟ ଏଠାରେ ଦେବାର ଆବଶ୍ୟକତା ନାହିଁ ।

 

ପିଲାଦିନ

 

ପୋରବନ୍ଦରରୁ ବାପା ରାଜସ୍ଥାନିକ କୋର୍ଟରେ ସଭ୍ୟ ହୋଇ ରାଜକୋଟ ଗଲେ । ସେତେବେଳେ ମୋର ବୟସ ସାତ ବର୍ଷ ଖଣ୍ଡେ ହୋଇଥିବ । ରାଜକୋଟର ଗାଉଁଲୀ ଚାଟଶାଳୀକୁ ମୋତେ ପଠାଗଲା । ସେଠାରେ ପଢ଼ିବା ବେଳର ସବୁକଥା ମୋର ମନେ ଅଛି । ଶିକ୍ଷକଙ୍କର ନାମ ଧାମ ମଧ୍ୟ ମନେଅଛି । ପୋରବନ୍ଦର ଭଳି ସେଠା ପଢ଼ାପଢ଼ି ସମ୍ବନ୍ଧରେ ଜାଣିବା ଭଳି କିଛି ନାହିଁ । ସେତେବେଳେ ମତେ ସାଧାରଣ ବୁଦ୍ଧିର ଛାତ୍ରଙ୍କ ଭିତରେ ଗଣୁଥିବେ ତ ମୋର ପରମ ଭାଗ୍ୟ ହୋଇଥିବ । ଗାଉଁଲୀ ଚାଟଶାଳୀରୁ ସହରର ଏକ ପଡ଼ା ପାଠଶାଳାକୁ ଓ ସେଠୁଁ ହାଇସ୍କୁଲକୁ ଯାଇଥିଲି । ଏ ଯାଏ ପହଞ୍ଚିବାକୁ ମୋର ବାର ବର୍ଷ ପୂରି ଯାଇଥିଲା । ସେ ଭିତରେ ମୁଁ କେବେ ଶିକ୍ଷକଙ୍କୁ ଠକିଛି ବୋଲି ମୋର ମନେ ନାହିଁ କିମ୍ବା କୌଣସି ସାଙ୍ଗ କରିଥିବାର ମନେ ନାହିଁ । ମୁଁ ବଡ଼ ଲାଜକୁଳା ପିଲା ଥିଲି । ପାଠଶାଳାରେ ମୁଁ ଆପଣା କାମ ନେଇ ଥାଏ । ଘଣ୍ଟା ବାଜିଲାବେଳକୁ ପହଞ୍ଚେ ଏବଂ ପାଠଶାଳା ଛୁଟି ହେଲେ ଘରକୁ ପଳାଏ । ‘‘ପଳାଏ’’ ଶବ୍ଦ ଜାଣିଶୁଣି ଲେଖୁଛି । କାରଣ କାହାରି ସଙ୍ଗେ କଥାବାର୍ତ୍ତା କରିବାକୁ ମୋତେ ଭଲ ଲାଗୁ ନ ଥିଲା । କିଏ କାଳେ ମୋତେ ଥଟ୍ଟା କରି ଦେବ, ଏହି ଡର ମଧ୍ୟ ଥାଏ ।

 

ହାଇସ୍କୁଲରେ ପ୍ରଥମ ବର୍ଷର ପରୀକ୍ଷା ବେଳର ଏକ ଘଟଣା କହିବାଯୋଗ୍ୟ ଅଟେ । ଶିକ୍ଷା ବିଭାଗର ଇନିସପେକ୍‌ଟର ଜାଇଲସ ସାହେବ ପାଠଶାଳା ଦେଖିବାକୁ ଆସିଥାନ୍ତି । ପ୍ରଥମ ମାନର ପିଲାଙ୍କୁ ପାଞ୍ଚୋଟି ଶବ୍ଦ ଲେଖିବାକୁ ଦେଇଥାନ୍ତି । ସେଥିରୁ ଗୋଟିଏ ଶବ୍ଦ ଥାଏ କେଟ୍‌ଲ । ତାର ବନାନ୍ ମୁଁ ଭୁଲ ଲେଖିଥାଏ । ଶିକ୍ଷକ ତାଙ୍କ ଯୋତା ଅଗରେ ମତେ କେଞ୍ଚିଦେଇ ଚେତାଇ ଦେଉଥାନ୍ତି । କିନ୍ତୁ ମୁଁ କାହିଁକି ସାବଧାନ ହେବି ? ସାମନା ପିଲାର କଳାପଟା ଦେଖି ଠିକ୍ କରି ଲେଖିବାକୁ ଯେ ଶିକ୍ଷକ ଇସାରା କରୁଛନ୍ତି, ସେକଥା ମୁଁ କଳ୍ପନା କରିପାରି ନ ଥିଲି । ଆମେ ଜଣେ ଜଣଙ୍କଠାରୁ ନକଲ କରିବୁ ନାହିଁ, ଚୋରି କରିବୁ ନାହିଁ, ଶିକ୍ଷକ ଏୟା ଦେଖନ୍ତି ବୋଲି ମୁଁ ଜାଣିଥିଲି । ଅନେକ ପିଲାଙ୍କର ପାଞ୍ଚୋଟିଯାକ ଶବ୍ଦ ଠିକ୍ ହୋଇଥିଲା । ମୁହିଁ କେବଳ ନିର୍ବୁଦ୍ଧିଆ ସାବ୍ୟସ୍ତ ହେଲି-। ମୋର ‘ବେକୁବି’ ମତେ ଶିକ୍ଷକ ପଛରେ ବୁଝାଇଥିଲେ । କିନ୍ତୁ ତାଙ୍କର ବୁଝାଇବାର କୌଣସି ପ୍ରଭାବ ମୋ ମନ ଉପରେ ପଡ଼ି ନ ଥିଲା । ଅନ୍ୟ ପିଲାଠୁଁ ଚୋରି କରିବା କେବେହେଁ ମୋ ଦିହାତି ହୋଇନାହିଁ ।

 

ଏହା ସତ୍ତ୍ୱେ ଶିକ୍ଷକଙ୍କ ପ୍ରତି ମୋର ସମ୍ମାନ କଦାପି କମି ନ ଥିଲା । ମୁରବୀଙ୍କ ଦୋଷ ନ ଦେଖିବା ମୋର ସ୍ୱଭାବ ଥିଲା । ଏ ଶିକ୍ଷକଙ୍କର ଅନ୍ୟାନ୍ୟ ଦୋଷ ମଧ୍ୟ ମୁଁ ପରେ ଜାଣି ପାରିଥିଲି । ତଥାପି ତାଙ୍କ ପ୍ରତି ମୋର ସମ୍ମାନ ଠିକ୍ ସେମିତି ରହିଥିଲା । ବଡ଼ବଡ଼ିଆଙ୍କ ଆଜ୍ଞା ପାଳିବି, ଏତକ ମୁଁ ବୁଝିଥିଲି । ଯିଏ ଯାହା କହିବେ, କରିବି; ମାତ୍ର ସେ ଯାହା କରିବେ, ତାର ଭଲମନ୍ଦ ଆମେ ବାରିବା ନାହିଁ ।

 

ଏହି ସମୟରେ ଆଉ ଦୁଇଟି ଘଟଣା ଘଟିଥିଲା । ତାହା ମୋର ସବୁବେଳେ ମନେ ଅଛି-। ସାଧାରଣତଃ ପାଠବହି ଛଡ଼ା ଅନ୍ୟ ବହି ପଢ଼ିବା ସଉକ ମୋର ନ ଥାଏ । ପାଠ ପଢ଼ିଯିବା ଉଚିତ, ଗାଳି ଖାଇବାର ନୁହେଁ, ଶିକ୍ଷକଙ୍କୁ ଠକିବାର ନୁହେଁ । ସେଥିପାଇଁ ପାଠ ବହି ପଢ଼ୁଥିଲି । କିନ୍ତୁ ମନ ଅଳସ ଧରୁଥିଲା । ସେଥିଯୋଗୁଁ ପାଠ ବହୁତ ଥର କଞ୍ଚା ରହିଯାଏ । ଏଥିରେ ଆଉ ଅନ୍ୟ ବହି ପଢ଼ିବାକୁ ମନହେବ କୁଆଡ଼ୁ ? ମାତ୍ର ବାପା ଖଣ୍ଡେ ବହି କିଣିଥିଲେ, ତା ଉପରେ ମୋର ନଜର ପଡ଼ିଲା । ତାହାର ନାମ ‘‘ଶ୍ରବଣ ପିତୃଭକ୍ତି ନାଟକ’’ । ତାକୁ ପଢ଼ିବାକୁ ମନ ହେଲା । ମୁଁ ତାକୁ ଭାରି ସରାଗରେ ପଢ଼ିଥିଲି । ଏହି ସମୟରେ କାଚରେ ଛବି ଦେଖାଇବାବାଲା ମଧ୍ୟ ଘରକୁ ଆସନ୍ତି-। ଶ୍ରବଣ ଆପଣା ବାପ ମାଙ୍କୁ କେମିତି ଭାବରେ ବସେଇ ବୁଲେଇ ନିଏ, ସେ ଦୃଶ୍ୟ ମୁଁ ସେ ଛବିରେ ଦେଖିଥିଲି । ଦୁଇଟି ଯାକର ବଡ଼ ଗଭୀର ଛାପା ମୋ ଉପରେ ପଡ଼ିଥିଲା । ମୁଁ କେମିତି ଶ୍ରବଣ ପରି ହେବି ମୋ ମନ ଖାଲି ସେୟା ହେଉଥାଏ । ଶ୍ରବଣ ମଲାବେଳେ ତାର ମା ବାପାଙ୍କର ବିଳାପ ମୋର ଏବେ ସୁଦ୍ଧା ମନେଅଛି । ସେ ଲଳିତ ଛନ୍ଦକୁ ତ ମୁଁ ବାଜାରେ ବଜାଉଥିଲି । ବାଜା ଶିଖିବାର ସଉକ ହେବାରୁ ବାପା ଗୋଟିଏ ବାଜା ଦେଇଥିଲେ ।

 

ସେହି ସମୟରେ ଗୋଟିଏ ନାଟ ଦଳ ଆସିଥାନ୍ତି । ତାଙ୍କର ନାଟକ ଦେଖିବାକୁ ମତେ ଅନୁମତି ମିଳିଥିଲା । ହରିଶ୍ଚନ୍ଦ୍ର ଆଖ୍ୟାନ ହେଉଥାଏ । ଏ ନାଟକ ବାରମ୍ବାର ଦେଖି ଦେଖି ମୋର କେବେ ବିରକ୍ତି ଆସି ନଥିଲା । ପୁଣି ଦେଖିବାକୁ ମନ ହେଉଥାଏ । ଏମିତି ବାରମ୍ବାର ଏତେ ଦେଖିବାକୁ ଯିବାକୁ କିଏ ବା ଦେବ ? କିନ୍ତୁ ଏ ନାଟକ କଥା ମୋ ମନରେ ସବୁବେଳେ ନାଚି ଉଠୁଥାଏ । ହରିଶ୍ଚନ୍ଦ୍ରଙ୍କୁ ସ୍ୱପ୍ନ ଦେଖେ । ‘‘ହରିଶ୍ଚନ୍ଦ୍ରଙ୍କ ଭଳି ସମସ୍ତେ କାହିଁକି ସତ୍ୟବାଦୀ ନ ହେବେ-?’’ ମୋ ମନରେ ଏୟାରଟି ହେଉଥାଏ । ହରିଶ୍ଚନ୍ଦ୍ରଙ୍କ ଉପରେ ପଡ଼ିଥିବା ବିପତ୍ତି ସହିବା ଓ ସତ୍ୟ ପାଳିବା, ଏହାହିଁ ଠିକ୍ ସତ୍ୟ । ନାଟକରେ ହରିଶ୍ଚନ୍ଦ୍ରଙ୍କ ଉପରେ ଯେ ସବୁ ବିପଦ ପଡ଼ିଥିଲା ବୋଲି ଲେଖା ହୋଇଛି-ସେ ସବୁ ସତ୍ୟ ବୋଲି ମୁଁ ମାନି ନେଇଥିଲି । ହରିଶ୍ଚନ୍ଦ୍ରଙ୍କ ଦୁଃଖ ଦେଖି ତାଙ୍କ କଥା ମନେ ପକେଇ ମୁଁ ଖୁବ୍ କାନ୍ଦିଛି । ଆଜି ହୁଏତ ମୋର ବୁଦ୍ଧି ବୁଝିଛି ଯେ, ହରିଶ୍ଚନ୍ଦ୍ର କୌଣସି ଐତିହାସିକ ବ୍ୟକ୍ତି ନୁହନ୍ତି । ତଥାପି ମୋ ମନରେ ଆଜି ମଧ୍ୟ ଶ୍ରବଣ ଓ ହରିଶ୍ଚନ୍ଦ୍ର ଜୀବିତ ଅଛନ୍ତି । ମୁଁ ଆଜି ଯଦି ସେ ନାଟକ ପଢ଼ିବି, ମୋ ଆଖିରୁ ଲୁହ ବୋହିବ ବୋଲି ମୋର ବିଶ୍ୱାସ ।

 

ବାଲ୍ୟ ବିବାହ

 

ଏ ଅଧ୍ୟାୟ ମତେ ଲେଖିବାକୁ ନ ପଡ଼ୁ ବୋଲି ମୋର ଇଚ୍ଛା ହେଉଛି । ଏ ଜୀବନରେ କିନ୍ତୁ ଏମିତି କେତେ କଥା ଲେଖି ଲାଜ ଅପମାନ ସହିବାକୁ ପଡ଼ିବ । ସତ୍ୟର ପୂଜକ ବୋଲି ମୁଁ ଯେତେବେଳେ ଦାବି କରୁଛି ସେତେବେଳେ ଅନ୍ୟ ଚାରା ନାହିଁ ।

 

ତେର ବର୍ଷ ବୟସରେ ମୋର ବିବାହ ହୋଇଥିଲା । ଏ କଥା କହିବାକୁ ମୋ ମନରେ ଯନ୍ତ୍ରଣା ହେଉଛି । ଆଜି ବାର ତେର ବର୍ଷ ପିଲାଙ୍କ ଉପରେ ମୋର ନଜର ପଡ଼ିଗଲେ, ମୋ ବିବାହ କଥା ମନେ ପଡ଼ିଗଲେ ମୋର ଆପଣା ପ୍ରତି ଦୟା ହୁଏ ଏବଂ ପିଲାଗୁଡ଼ିକ ମୋ ଅବସ୍ଥାରୁ ରକ୍ଷା ପାଇଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ମନ ହେଉଥାଏ । ତେରବର୍ଷ ବେଳେ ମୋ ବିବାହ ସପକ୍ଷରେ ଗୋଟିଏ ହେଲେ ନୈତିକ ଯୁକ୍ତି ମତେ ଦିଶୁନାହିଁ ।

 

ପାଠକ ଜାଣି ରଖନ୍ତୁ ଯେ, ମୁଁ ନିର୍ବନ୍ଧ କଥା ଲେଖୁନାହିଁ । କାଠିଆଓ୍ୱାଡ଼୍‌ରେ ବିବାହ ଅର୍ଥ ଲଗ୍ନ, ନିର୍ବନ୍ଧ ବା ‘ସଗାଇ’ ନୁହେଁ । ସଗାଇ ଅର୍ଥ ଦୁଇ ପିଲାଙ୍କୁ ବାହା କରେଇବା ପାଇଁ ଦୁହିଁଙ୍କ ବାପ ମାଙ୍କ ଭିତରେ ହୋଇଥିବା ଚୁକ୍ତି । ଏ ସଗାଇ ଭାଙ୍ଗି ଯାଇପାରେ । ସଗାଇ ପରେ ବର ମରିଗଲେ କନ୍ୟା ବିଧବା ହୁଏ ନାହିଁ । ସଗାଇରେ ବର କନ୍ୟାଙ୍କର କୌଣସି ସମ୍ବନ୍ଧ ନ ଥାଏ । ଏମିତିକି ସେ ଦୁହେଁ ସେ ଖବର ସୁଦ୍ଧା ପାଇ ନ ଥାନ୍ତି । ମୋରି ତ ଗୋଟିକ ପରେ ଗୋଟିଏ ତିନିଥର ସଗାଇ ହୋଇଥିଲା । ତିନୋଟି ଯାକ ସଗାଇ କେଉଁଠି ହୋଇଥିଲା ତାହା ମତେ ଆଦୌ ଜଣା ନାହିଁ । ଦୁଇଟି କନ୍ୟା ଗୋଟିକ ପରେ ଗୋଟିଏ ମରି ଯାଇଥିବାର ମତେ କହିଥାନ୍ତି । ସେଥିରୁ ମୁଁ ଜାଣିଲି ଯେ ମୋର ତିନୋଟି ସଗାଇ ହୋଇଥିଲା । ତୃତୀୟ ସଗାଇଟି ସାତବର୍ଷ ବେଳେ ହୋଇଥିବାର ଟିକିଏ ମନେ ପଡ଼ୁଛି । ମାତ୍ର ସେ ଖବର ମତେ କେହି କହିଥିବାର ମୋର ସ୍ମରଣ ନାହିଁ । ବିବାହରେ ବର କନ୍ୟାଙ୍କର ଲୋଡ଼ା ହୁଏ । ସେଥିରେ ବିଧିବିଧାନ ଅଛି ଏବଂ ଏହିଭଳି ବିବାହ କଥା ଲେଖୁଛି । ମୋର ବିବାହର ସବୁକଥା ମୋର ମନେ ଅଛି ।

 

ପାଠକେ ଜାଣନ୍ତି, ଆମେ ତିନି ଭାଇ ଥିଲୁଁ । ସବୁଠୁଁ ବଡ଼ ଭାଇ ବାହା ହୋଇ ସାରିଥିଲେ । ମଝିଆ ଭାଇ ମୋଠୁଁ ଦି’ ତିନି ବର୍ଷ ବଡ଼ ଥିଲେ । ମଝିଆଁ ଭାଇର, ମୋର, ଦାଦାଙ୍କ ସାନ ପୁଅ ଯେ ମୋଠାରୁ ବର୍ଷେ ଖଣ୍ଡେ ବଡ଼ ଥିଲା, ତାଙ୍କର ଓ ମୋର ଏ ତିନି ଜଣଙ୍କର ତିନୋଟି ବିବାହ ଏକା ସଙ୍ଗେ କରିଦେବାପାଇଁ ମୁରବୀମାନେ ସ୍ଥିର କରିଥିଲେ । ଏଥିରେ ଆମର ଭଲ ମନ୍ଦ କଥା କିଛି ବିଚାର ହୋଇ ନ ଥାଏ । ଆମର ଇଚ୍ଛା, ଅନିଚ୍ଛା କଥା ଧରା ହୁଏ ନାହିଁ । କେବଳ ବଡ଼ ବଡ଼ିଆଙ୍କ ସୁବିଧା ଅସୁବିଧା କଥା ଓ ଖର୍ଚ୍ଚ କଥା ପଡ଼ିଥାଏ । ହିନ୍ଦୁ ସମାଜରେ ବିବାହ ଭଳି ଆଉ କୌଣସି ବିଷୟ ନାହିଁ । ବର କନ୍ୟାଙ୍କର ମା, ବାପ ବାହାଘର ପାଇଁ ବଡ଼ କଷ୍ଟପାନ୍ତି; ପଇସା ନଷ୍ଟ କରନ୍ତି ଏବଂ ସମୟ ନଷ୍ଟ କରନ୍ତି । ମାସ ମାସ ଆଗରୁ ଆୟୋଜନ ଆରମ୍ଭ ହୋଇଥାଏ । ଲୁଗାପଟା ତିଆରି ହୁଏ, ଗହଣା ଗଢ଼ା ହୁଏ, ବନ୍ଧୁ ବାନ୍ଧବଙ୍କୁ ଖୁଆଇବାର ଖର୍ଚ୍ଚ ଚିଠା ହୁଏ । ଖୁଆଇବା ପ୍ରକାରରେ ଜିଦାଜିଦ୍ ଲାଗେ । ସ୍ତ୍ରୀ ଲୋକମାନେ ଗଳା ଥାଉ ନ ଥାଉ ଗୀତ ଗାଇ ତଣ୍ଟି ପକାନ୍ତି, ବେମାର ମଧ୍ୟ ପଡ଼ନ୍ତି । ସାଇ ପଡ଼ିଶାଙ୍କ ଶାନ୍ତି ଭଙ୍ଗ ମଧ୍ୟ କରନ୍ତି । ପଡ଼ିଶା ବିଚାରା, ତାର ପୁଣି ସେମିତି ବେଳ ଦିନେ ଆସିବ, ସେଇ ଡରରେ ଏସବୁ ଗୋଳମାଳ, ଅଇଁଠା ସଙ୍ଖୁଡ଼ି ପ୍ରଭୃତି ଅସନା ସବୁ ଚୁପଚାପ ସହିଯାଏ ।

 

ଏସବୁ ଝଂଝଟ ତିନିଥର କରିବା ବଦଳରେ ଥରେ ହେଲେ କେତେ ସୁବିଧା ? ଖର୍ଚ୍ଚ ମଧ୍ୟ କମ୍ ହେବ, ବାହାଘର ମଧ୍ୟ ଖୁବ୍ ଜମିବ । କାରଣ ତିନୋଟି ବାହାଘର ଏକ ସଙ୍ଗରେ ହେଉଥିବାରୁ, ଟଙ୍କା ପଇସା ବେପରୁଆ ଖର୍ଚ୍ଚ କରିହୁଏ । ଏଣେ ବାପା ଓ ଦାଦି ଉଭୟେ ବୁଢ଼ା ହୋଇ ଆସିଥିଲେ । ଆମେ ପୁଣି ତାଙ୍କର କେଡ଼ପୋଛା ପିଲା, ତେଣୁ ଆମ ବାହାଘରେ ଖୁବ୍ ଭାର ବେଭାର, ଦେଣନେଣର ମନୋବୃତ୍ତି ତାଙ୍କର ହେବା ସ୍ୱାଭାବିକ ଥିଲା । ଏସବୁ ବିଚାରରୁ ତିନୋଟି ଯାକ ବିବାହ ଏକାଠି କରିବା ସ୍ଥିର ହୋଇଥିଲା ଏବଂ ମୁଁ ଯେମିତି କହିଲି—ସେଥିପାଇଁ ଆୟୋଜନ ଓ ସାମଗ୍ରୀ ସଂଗ୍ରହ କେତେ ମାସ ଧରି ହୋଇଥିଲା ।

 

ଆମେ ତିନିହେଁ କେବଳ ଏ ଆୟୋଜନରୁ ଜାଣିଲୁ ଯେ, ବିବାହ ହେବ । ସେତେବେଳେ ଭଲଭଲ ଲୁଗା ପିନ୍ଧିବି, ବାଜା ବାଜିବ, ବରଯାତ୍ରୀ ପଟୁଆର କରି ଯିବେ, ଭୁରି ଭୋଜନ ମିଳିବ, ଗୋଟିଏ ଲେଖାଏ ଝିଅ ଖେଳସାଥୀ ମିଳିବେ, ଏହିଭଳି ଅଭିଳାଷ ଛଡ଼ା ମନରେ ଆଉ କିଛି ଥିଲା ବୋଲି ମୋର ସ୍ମରଣ ହେଉନାହିଁ । ଇନ୍ଦ୍ରିୟଲାଳସା ତା ପଛେ ଆସିଲା । ତାହା କେମିତି ହେଲା, ମୁଁ ବର୍ଣ୍ଣନା କରିପାରେ; ମାତ୍ର ପାଠକମାନେ ତାହା ଜାଣିବାକୁ ଇଚ୍ଛା ନ କରନ୍ତୁ । ମୋର ଲଜ୍ଜାର ସେତକ କାହାଣୀ ମୁଁ ଘୋଡ଼େଇ ରଖି ଦେଉଛି । ଯେତକ ଜାଣିବା ଯୋଗ୍ୟ ଅଛି ତାହାପରେ ଜଣାଇବି । ମୋ ଦୃଷ୍ଟି ଆଗରେ ଯେ ମଧ୍ୟବିନ୍ଦୁ ମୁଁ ରଖିଛି, ତାହା ସହିତ ସେତକ ବିଶଦ ବିବରଣର କିଛି ସମ୍ବନ୍ଧ ଅଛି ।

 

ଆମ ଦୁଇ ଭାଇଙ୍କୁ ରାଜକୋଟରୁ ପୋରବନ୍ଦର ନେଇ ଯାଇଥିଲେ । ସେଠାରେ ‘‘ଦିପୀଠି’’ (ହଳଦୀ ଭଳି ହଳଦିଆ ଗୁଣ୍ଡ) ଲଗାଇବା ଇତ୍ୟାଦି ବହୁତ ବିଧି ହୋଇଥିଲା । ସେ ସବୁ ଘଟଣା ବଡ଼ ମନୋହର, ତଥାପି ସେ ସବୁ ମୁଁ ଛାଡ଼ି ଦେଉଛି ।

 

ବାପା ଦେଓ୍ୱାନ ହେଲେ ମଧ୍ୟ ଚାକର ଥିଲେ । ପୁଣି ସେ ରାଜାଙ୍କର ପ୍ରିୟ ଥିଲେ । ଅତଏବ ବେଶୀ ପରାଧୀନ । ଠାକୁର ସାହେବ ଶେଷ ଘଡ଼ି ଯାଏ ତାଙ୍କୁ ଛାଡ଼ୁ ନ ଥିଲେ । ଶେଷରେ ଯେବେ ଛାଡ଼ିଲେ, ଖାସ ଏକ ଡାକ ସଓ୍ୱାରୀର ବ୍ୟବସ୍ଥା କରିଦେଲେ ଏବଂ ଦୁଇଦିନ ଆଗରୁ ପଠାଇଥିଲେ । କିନ୍ତୁ— ! କିନ୍ତୁ ଭାଗ୍ୟରେ ଆନ କଥା ଲେଖା ଥିଲା । ରାଜକୋଟରୁ ପୋରବନ୍ଦର ଷାଠିଏ କୋଶ । ଗାଡ଼ିରେ ପାଞ୍ଚ ଦିନର ବାଟ । ବାପା ତିନି ଦିନରେ ଆସିଥିଲେ । ଶେଷ ଡାକ ବଦଳି ପରେ ଟଙ୍ଗା ଓଲଟି ପଡ଼ିଥିଲା । ବାପାଙ୍କୁ ଶକ୍ତ ଆଘାତ ଲାଗିଥିଲା । ହାତରେ ପଟୀ, ପିଠିରେ ପଟୀ । ବାହାଘରେ ତାଙ୍କର ଓ ମୋର ଅଧେ ସୁଖ ଚାଲି ଯାଇଥିଲା; କିନ୍ତୁ ବିବାହ ହୋଇଯାଇଥିଲା । ଲେଖା ହୋଇଥିବା ବେଳ କେବେ ବଦଳିପାରେ ? ମୁଁ ତ ବିବାହର ବାଳସୁଲଭ ଆନନ୍ଦରେ ବାପାଙ୍କର ଦୁଃଖ କଷ୍ଟ ଭୁଲି ଯାଇଥିଲି ।

 

ପିତୃଭକ୍ତ ଥିଲି ସତ, ଏଣେ ବିଷୟ ଭକ୍ତ ତ ଥିଲି ? ଏଠି ବିଷୟ କେବଳ ମୁଁ ଏକ ଇନ୍ଦ୍ରିୟର ବିଷୟ କଥା କହୁନାହିଁ, କିନ୍ତୁ ପ୍ରତ୍ୟେକ ଭୋଗବାସନା କଥା କହୁଛି । ମା ବାପାଙ୍କ ଭକ୍ତି ଆଗରେ ସବୁ ସୁଖ ତ୍ୟାଗ କରିବା ଉଚିତ, ସେତକ ଜ୍ଞାନ ମୋର ନ ଥାଏ । ତଥାପି ଏ ଭୋଗ ବାସନାର ଦଣ୍ଡ ସେତେବେଳେ ଭୋଗି ନ ଥିଲି ବୋଲି ହୁଏତ ପରେ ଜୀବନରେ ଏମିତି ଏକ ଘଟଣା ଭୁଲରେ ଘଟିଗଲା, ଯାହା ଆଜିଯାଏ ମୋ ମନରେ ଖୁଞ୍ଚି ହେଉଛି । ନିଷ୍କୁଳାନନ୍ଦଙ୍କ ସେହି ଭଜନ—‘‘ତ୍ୟାଗ ନଟକେରେ ବୈରାଗ୍ୟ ବିନା—କରୀଏ କୋଟି ଉପାୟ ଜୀ’’ [ଟକେ-ତିଷ୍ଠି-ରହେ, ବୈରାଗ୍ୟ-ଅନାଶକ୍ତି] ମୁଁ ଯେତେବେଳେ ଶୁଣୁଛି ବା ଗାଉଛି, ସେତେବେଳେ ମୋର ସେହି ଅନ୍ୟାୟ ଓ କଟୁ ଘଟଣା କଥା ମନେ ପଡ଼ୁଛି ଏବଂ ମତେ ଲାଜ ମାଡ଼ୁଛି ।

 

ବାପା ତ ଧପ ଧପି କରି ମୁହଁ ଖୁସି ରଖିଥିଲେ । ଦେହକୁ କଷ୍ଟ ହେଉଥିଲେ ସୁଦ୍ଧା ସେ ବିବାହର ପୂରାପୂରି ସବୁ କାମ କରିଥିଲେ । ବାପା କେଉଁ କେଉଁ ଘଟଣାରେ କେଉଁ କେଉଁ ଜାଗାରେ ବସିଥିଲେ, ସେ ସବୁ ଯେମିତି ସେମିତି ମୋ ଆଖି ଆଗରେ ଆଜିଯାଏ ନାଚୁଛି । ବାଲ୍ୟବିବାହ କଥା ବିଚାରି ମୁଁ ବାପାଙ୍କର ସମାଲୋଚନା ଆଜି କରୁଛି, ସେତେବେଳେ କଣ ମୁଁ କରିପାରିଥାନ୍ତି ? ସେତେବେଳେ ମତେ ସବୁ ଠିକ୍, ସବୁ ଭଲ ଲାଗୁଥିଲା । ବାହା ହେବାର ସୌକ ଥିଲା ଏବଂ ବାପା କରେଇ ଦେଉଛନ୍ତି ବୋଲି ତାହା ଏକଦମ୍ ଠିକ୍ ବୋଲି ଲାଗୁଥିଲା । ସେଥିଯୋଗୁଁ ସେ ସମୟର ସ୍ମୃତି ତେଜ ଅଛି ।

 

ବେଦୀରେ ବସିଲୁ ପ୍ରଦକ୍ଷିଣ କରି ବୁଲିଲୁ, ‘‘କଂସାର’’ (ଏକପ୍ରକାର ମିଠାଇ) ଖୁଆଇଲୁ [ଗୁଡ଼ବଣ୍ଟା ଭଳି ପ୍ରଥା] ଏବଂ ସେହିଠାରୁ ବରକନ୍ୟା ଏକାଠି ରହିଲୁ । ଓଃ, ସେ ପହିଲି ରାତି ! ଦୁଇଟି ନିର୍ଦ୍ଦୋଷ ବାଳକ ବାଳିକା ଅଜଣା ସଂସାରରେ ଡେଇଁ ପଡ଼ିଥିଲୁ । ପହିଲି ରାତିରେ କିପରି ଆଚରଣ କରିବାକୁ ହେବ, ମୋର ଭାଉଜ ମୋତେ ଶିଖାଇଥାନ୍ତି । ମୋର ସ୍ତ୍ରୀକୁ କିଏ ଶିଖାଇ ଥିଲା କି ନାହିଁ, ମୁଁ ପଚାରି ବୁଝିଛି କି ନାହିଁ, ମୋର ମନେ ହେଉ ନାହିଁ । ଆଜିଯାଏ ପଚାରି ବୁଝିବାର ବାକି ଥିଲା ପରି ଲାଗୁଛି । କିନ୍ତୁ ପଚାରିବାର ଇଚ୍ଛା ମଧ୍ୟ ତିଳେ ହେଉନାହିଁ । ପାଠକ ଏତିକି ଜାଣି ରଖନ୍ତୁ ଯେ, ଆମ ଭିତରେ ପରସ୍ପର ପ୍ରତି ଡର ଥିଲା ବୋଲି ମନେ ପଡ଼ୁଛି । ପରସ୍ପର ଲାଜ ତ ନିଶ୍ଚୟ କରୁଥିଲୁ । କଥା କେମିତି କହିବି, କ’ଣ କହିବି, ଏସବୁ ମୁଁ କୁଆଡ଼ୁ ଜାଣନ୍ତି ? ଯାହା ଶିଖେଇଥିଲେ ସେଥିରୁ ବା କି ସାହାଯ୍ୟ ମିଳନ୍ତା ? କିନ୍ତୁ କେହି ଶିଖାଇବା ଦରକାର ପଡ଼େ କି ? ଯେଉଁଠି ସଂସ୍କାର ବଳବାନ, ସେଠି ଶିକ୍ଷାସବୁ ମିଛ ହୋଇଥାଏ । ଧୀରେ ଧୀରେ ପରସ୍ପର ପରିଚୟ ହେଲା, କଥାବାର୍ତ୍ତା ହେଲା । ଆମେ ଦୁହେଁ ସମାନ ବୟସର ଥିଲୁ । ମୁଁ ତ ସ୍ୱାମୀ ପଣିଆ ଆରମ୍ଭ କରିଦେଇଥିଲି ।

 

ସ୍ୱାମୀ ପଣିଆ

 

ବାହାଘର ହେଲେ ସେ ସମୟରେ ଆମ ଅଞ୍ଚଳରେ ନାନା ବିଷୟରେ ଛୋଟ ଛୋଟ ବହି ବିକା ହୋଇଥାଏ । ପଇସିକିଆ ବା ପାହୁଲିକିଆ ବହି ମୋର ଠିକ୍ ମନେ ନାହିଁ । ସେଥିରେ ଦମ୍ପତି ପ୍ରେମ, ଅଳ୍ପଖର୍ଚ୍ଚ କରିବା, ବାଲ୍ୟ ବିବାହ ପ୍ରଭୃତି ବିଷୟ ଚର୍ଚ୍ଚା ହୋଇଥାଏ ।

 

ଏମିତିକିଆ କେତେ ବହି ମୋ ହାତରେ ପଡ଼େ ଏବଂ ସେ ସବୁ ମୁଁ ପଢ଼ିପକାଏଁ । ମୋର ଅଭ୍ୟାସ, ଯାହା ପଢ଼େ ତାହା ପସନ୍ଦ ନ ହେଲେ ଭୁଲି ଯାଏ ଏବଂ ଯାହା ମନକୁ ପାଏ ତାକୁ କାମରେ ଲଗାଏ । ସେଥିରେ ପଢ଼ିଲି ଏକପତ୍ନୀବ୍ରତ ପାଳିବା ସ୍ୱାମୀର କର୍ତ୍ତବ୍ୟ । ଏହା ମୋ ମନକୁ ପାଇଥିଲା । ସତ୍ୟପ୍ରୀତି ତ ମୋର ଥିଲା—ସେଥିପାଇଁ ସ୍ତ୍ରୀକୁ ଠକାଇ ହୁଅନ୍ତା ନାହିଁ । ତେଣୁ ଅନ୍ୟ ସ୍ତ୍ରୀ ସଙ୍ଗେ ସମ୍ବନ୍ଧ ରଖିବାର ନୁହେଁ—ଏହା ମଧ୍ୟ ବୁଝିଗଲି । ଅଳ୍ପ ବୟସରେ ଏକପତ୍ନୀବ୍ରତ ଭାଙ୍ଗିବାର ସମ୍ଭାବନା ବହୁତ କମ୍‌ଥାଏ ।

 

କିନ୍ତୁ ଏ ସଦ୍‌ବିଚାରର ଏକ ମନ୍ଦ ଫଳ ହେଲା, ମୋର ଯଦି ଏକପତ୍ନୀବ୍ରତ ପାଳିବା ଉଚିତ, ତେବେ ସ୍ତ୍ରୀର ଏକ ପତିବ୍ରତ ପାଳିବା ଉଚିତ । ଏହି ବିଚାର ଫଳରେ ମୁଁ ଏକ ସନ୍ଦେହୀ ସ୍ୱାମୀ ହୋଇପଡ଼ିଲି । ‘‘ପାଳିବା ଉଚିତ’’ କଥାରୁ ‘‘ପାଳନ କରାଇବା ଉଚିତ’’ ଏ ବିଚାର ମନରେ ଉଠିଲା ଏବଂ ସ୍ତ୍ରୀକୁ ଯଦି ଏହା ପାଳିବାକୁ ବାଧ୍ୟ କରିବି, ତେବେ ତ ମୋର ପହରା ଦେବା ଉଚିତ । ସ୍ତ୍ରୀର ପାତିବ୍ରତ୍ୟ ସମ୍ବନ୍ଧରେ କୌଣସି ସନ୍ଦେହ କରିବାର କିଛି କାରଣ ନ ଥିଲା । କିନ୍ତୁ ସନ୍ଦେହ କ’ଣ କାରଣକୁ ଅନେଇ ବସେ ? ମୋ ସ୍ତ୍ରୀ କୁଆଡ଼େ ଯାଇଛି ତାହା ମୋର ଜାଣିବା ଉଚିତ, ପୁଣି ମୋ ବିନା ଅନୁମତିରେ କୁଆଡ଼େ ଯାଇ ପାରିବ ନାହିଁ । ଏ ବିଷୟ ଆମ ଭିତରେ ବଡ଼ ଏକ ଶୋଚନୀୟ କଳିର କାରଣ ହୋଇ ପଡ଼ିଲା । ବିନା ଅନୁମତିରେ ଯିବ ନାହିଁ ଏହାତ ଏକ ପ୍ରକାର ଜେଲଦଣ୍ଡ । କିନ୍ତୁ କସ୍ତୁର ବାଈ ଏଭଳି କଟକଣା ସହିଯିବା ଲୋକ ନ ଥିଲା । ମନ ହେଲା ତ, ମତେ ନ ପଚାରି ନିଶ୍ଚୟ ଚାଲିଯାଏ । ମୁଁ ଯେତିକି ଦବେ, ସେ ସେତିକି ବେଶୀ ଅମାନିଆ ହୁଏ ଏବଂ ମୁଁ ମଧ୍ୟ ତାକୁ ବେଶୀ ବେଶୀ ଚିଡ଼ାଏ । ଏମିତି ଆମ ଦୁଇ ବାଳକ ବାଳିକାଙ୍କ ଭିତରେ କଥା ବନ୍ଦଟା ସାଧାରଣ ଘଟଣା ହୋଇପଡ଼େ । କସ୍ତୁର ବାଈ ଯେ ଅମାନିଆ ହୋଇପଡ଼େ, ସେଥିପାଇଁ ମୁଁ ତାକୁ ଦୋଷ ଦେଉନାହିଁ । ଯେ ବାଳିକାର ମନରେ ପାପ ନାହିଁ, ତାକୁ ଠାକୁର ଦର୍ଶନରେ ବା କାହାରିକୁ ଦେଖିବାକୁ ଯିବାରେ ବାଧା ଦେବାଟା ସେ କେମିତି ସହିବ ? ମୁଁ ତା ଉପରେ ହୁକୁମ ଚଳେଇବି ତ, ସେ କାହିଁକି ମୋ ଉପରେ ନ ଚଳେଇବ: —ଏସବୁ ସିନା ମୁଁ ଏବେ ବୁଝୁଛି । ସେତେବେଳେ ତ ସ୍ୱାମୀ ଭଳି ମୋର କର୍ତ୍ତୃତ୍ୱ ବଜାଏ ରଖିବା ମୋର କାମ ଥିଲା ।

 

କିନ୍ତୁ ତାହା ବୋଲି ପାଠକେ ଯେମିତି ମନେ ନ କରନ୍ତି ଯେ, ଆମ ଘର ସଂସାରରେ ଟିକିଏ ହେଲେ ମଧୁରତା ନ ଥିଲା । ମୋର ଏ ଆଣ୍ଡୁଆମି ମୂଳରେ ମୋର ପ୍ରେମ ଥାଏ, ମୋର ସ୍ତ୍ରୀକୁ ଆଦର୍ଶ ସ୍ତ୍ରୀ କରି ଚଢ଼ିବାର ଇଚ୍ଛା ଥାଏ । ମୁଁ ପବିତ୍ର ରହିବି, ସେ ପବିତ୍ର ରହିବ, ମୁଁ ଶିଖିବି ସେ ଶିଖିବ ମୁଁ ପଢ଼ିବି ସେ ପଢ଼ିବ ଏବଂ ଏମିତି ଆମେ ଦୁହେଁ ଜଣେ ଜଣଙ୍କ ସଙ୍ଗେ ଓତଃପ୍ରୋତ ମିଶି ରହିବୁଁ । ଏହାହିଁ ମୋର ଚିନ୍ତା ଥିଲା ।

 

କସ୍ତୁରବାଈର ଏଭଳି ଚିନ୍ତା ଥିବାର ମୋତେ ଜଣା ନ ଥିଲା । ସେ ନିରକ୍ଷରା ଥିଲା । ସେ ସ୍ୱଭାବରେ ସିଧା, ସ୍ୱାଧୀନ, ପରିଶ୍ରମୀ ଏବଂ ମୋ ସଙ୍ଗେ ବହୁତ କମ୍ କଥା କହୁଥିଲା । ଆପଣାର ଅଜ୍ଞାତରେ ତା’ର ଅସନ୍ତୋଷ ନ ଥାଏ । ମୁଁ ପଢ଼ୁଛି ଏବଂ ସେ ନିଜେ ପଢ଼ିଲେ ଭଲ ହେବ । ତାହାର ଏଭଳି ଇଚ୍ଛା ଥିବାର ମୁଁ ମୋର ପିଲାଦିନେ କେବେ ଜାଣି ନାହିଁ । ମୋର ବିଷୟ-ସୁଖ ଏକ ସ୍ତ୍ରୀ ଉପରେ ଆଶ୍ରୟ କରି ରହୁଥିଲା ଏବଂ ମୁଁ ତା ମନରେ ସେ ସୁଖର ପ୍ରତିଧ୍ୱନି ଆଶା କରୁଥିଲି । ଯେଉଁଠାରେ ପ୍ରେମ ଗୋଟିଏ ପକ୍ଷରୁ ମଧ୍ୟ ଥାଏ, ସେଠାରେ ପୂରାପୂରି ଦୁଃଖ କେବେ ହୋଇ ନ ଥାଏ ।

 

ମୋର କହିଦେବା ଉଚିତ ଯେ, ମୁଁ ମୋ ସ୍ତ୍ରୀ ପ୍ରତି କାମାସକ୍ତ ଥିଲି । ବିଦ୍ୟାଳୟରେ ବସି ତା’ର ଚିନ୍ତା କରେ, କେମିତି ରାତି ହେବ ଏବଂ କେମିତି ଆମେ ଏକାଠି ହେବା । ଏହି ବିଚାର ମନକୁ ଘେରି ରହିଥାଏ । ବିଚ୍ଛେଦ ଅସହ୍ୟ ହେଉଥାଏ । ମୋର ନାନାପ୍ରକାର ବାଜେ ନିରର୍ଥକ କଥାବାର୍ତ୍ତାରେ ମୁଁ କସ୍ତୁରବାଈକୁ ଚିଆଇଁ ରଖେ । ଏଭଳି କାମ ଶକ୍ତି ସଙ୍ଗେ ସଙ୍ଗେ ମୋର କର୍ତ୍ତବ୍ୟପରାୟଣତା ଯଦି ନ ଥାନ୍ତା ତେବେ ମୁଁ ବେମାର ପଡ଼ି ମରି ଯାଇଥାନ୍ତି, କିମ୍ବା ଯଦି ବଞ୍ଚି ରହିଥାନ୍ତି ତେବେ ବୃଥା ବେକାର ଜୀଇଁ ରହିଥାନ୍ତି । ସକାଳ ହେଲେ ନିତ୍ୟକର୍ମ ସବୁ କରିବାକୁ ହେବ ଏବଂ କାହାରିକୁ ତ ଠକାଇ ପାରିବି ନାହିଁ—ମୋର ଏହିଭଳି ବିଚାର ଯୋଗୁଁ ବହୁତ ସଙ୍କଟରୁ ରକ୍ଷା ପାଇଛି ।

 

ମୁଁ କହିଗଲି କସ୍ତୁର ବାଈ ନିରକ୍ଷରା ଥିଲା । ତାକୁ ପଢ଼େଇବାକୁ ମୋର ପ୍ରବଳ ଇଚ୍ଛା ଥାଏ । କିନ୍ତୁ ମୋ କାମ ପ୍ରବୃତ୍ତି ମୋତେ ପଢ଼େଇ ଦେଲା କେଉଁଠି ? ଏକେ ତ ମୋର ଠେଲାଠେଲି, ଜୋରଜବରଦସ୍ତି ଉପରେ ପଢ଼ାଇବା ନିର୍ଭର କରୁଥିଲା । ତାହା ମଧ୍ୟ ରାତିରେ ଏକୁଟିଆ ବେଳେ ହୋଇପାରେ । ମୁରବୀମାନଙ୍କ ଆଖି ଆଗରେ ବୋହୂର ପାଠ ପଢ଼ିବାର ନୁହେଁ । ପୁଣି କଥାବର୍ତ୍ତା କେମିତି ହେବ ? କାଥିଆଓ୍ୟାଡ଼ରେ ଲାଜ କରିବାର ଜଙ୍ଗଲି ଓ ଅର୍ଥହୀନ ପ୍ରଥା ସେତେବେଳେ ଥିଲା । ଆଜି ମଧ୍ୟ ଅନେକ ଅଞ୍ଚଳରେ ରହିଛି । ଅତଏବ ପଢ଼େଇବାର ସୁବିଧା ମତେ ଆଦୌ ମିଳୁ ନ ଥିଲା । ତେଣୁ ଯୌବନରେ ପଢ଼େଇବାପାଇଁ ଯେତେ କିଛି ଉଦ୍ୟମ କଲି, ସେ ସବୁ ପ୍ରାୟ ନିଷ୍ଫଳ ହେଲା—ଏତକ ମତେ ମାନିବାକୁ ପଡ଼ୁଛି । ମୋର କାମନିଦ୍ରା ତୁଟିଗଲା ବେଳକୁ ମୁଁ ସାଧାରଣ କର୍ମକ୍ଷେତ୍ରକୁ ଡେଇଁ ସାରିଥିଲି । ଫଳରେ ସେତେବେଳକୁ ମଧ୍ୟ ପଢ଼େଇବାରେ ବେଶୀ ସମୟ ଦେଲାଭଳି ଅବସ୍ଥା ମୋର ଆଉ ନ ଥିଲା । ଶିକ୍ଷକ ଦ୍ୱାରା ପଢ଼େଇବା ଉଦ୍ୟମ ବ୍ୟର୍ଥ ହୋଇଥିଲା । ଏହାର ପରିଣାମ ସ୍ୱରୂପ ଆଜି କସ୍ତୁରବାଇ କେବଳ କଷ୍ଟେ ମଷ୍ଟେ ଚିଠି ଲେଖିପାରେ ଏବଂ ସାମାନ୍ୟ ଗୁଜୁରାତୀ ବୁଝିପାରେ—ଏହି ଅବସ୍ଥାରେ ସେ ଅଛି । ଯଦି ମୋର ପ୍ରେମ କାମାସକ୍ତି ଦ୍ୱାରା କଳୁଷିତ ନ ହୋଇଥାନ୍ତା, ତେବେ ଆଜି ସେ ଜଣେ ବିଦୁଷୀ ସ୍ତ୍ରୀ ହୋଇଥାନ୍ତା ବୋଲି ମୋର ବିଶ୍ୱାସ । ପଢ଼ିବାରେ ତା’ର ଯାହା ଆଳସ୍ୟ ଥିଲା, ସେତକ ମୁଁ ଜିତି ଯାଇଥାନ୍ତି । ମୁଁ ଜାଣେ ଶୁଦ୍ଧ ପ୍ରେମ ପକ୍ଷରେ କିଛି ଅସମ୍ଭବ ନୁହଁ ।

 

ମୁଁ ଆପଣା ସ୍ତ୍ରୀ ପ୍ରତି କାମାସକ୍ତ ହୋଇ ସୁଦ୍ଧା ମନ୍ଦ ପରିଣାମରୁ କିପରି ରକ୍ଷା ପାଇ ଯାଇଥିଲି, ତା’ର ଗୋଟିଏ କାରଣ କହି ସାରିଛି । ଆଉ ଗୋଟିଏ କାରଣ ଉଲ୍ଲେଖଯୋଗ୍ୟ । ଶହ ଶହ ଅଭିଜ୍ଞତାରୁ ମୁଁ ଏ ସାର କାଢ଼ିଛି ଯେ, ଯାହାର ନିଷ୍ଠା ସତ୍ ଥିବ ତାକୁ ପ୍ରଭୁ ରକ୍ଷା କରିନେବେ । ହିନ୍ଦୁ ସମାଜରେ ବାଲ୍ୟ ବିବାହଭଳି ସର୍ବନାଶୀ ପ୍ରଥା ଅଛି, ତା’ ସଙ୍ଗେ ସଙ୍ଗେ ସେଥିରୁ ଟିକେ ରକ୍ଷା ପାଇବାପାଇଁ ଅନ୍ୟ ପ୍ରଥା ମଧ୍ୟ ଅଛି । ମା ବାପମାନେ ଅଳ୍ପ ବୟସର ସ୍ୱାମୀ ସ୍ତ୍ରୀଙ୍କୁ ବେଶୀ ସମୟ ଏକାଠି ରହିବାକୁ ଦିଅନ୍ତି ନାହିଁ । ବାଳିକା ସ୍ତ୍ରୀର ଅଧେରୁ ବେଶୀ ସମୟ ତା’ର ବାପଘରେ କଟେ । ଆମର ମଧ୍ୟ ସେୟା ଘଟିଥିଲା । ଏପରିକି ୧୨ ରୁ ୧୫ ବୟସ ଭିତରେ ଆମକୁ ଥର ଥର କରି ମିଶି ତିନି ବର୍ଷରୁ ବେଶୀ ସମୟ ଏକାଠି ରହିବା ସମ୍ଭବ ହୋଇ ନଥିଲା । ଛ’ ସାତ ମାସ ରହିଥିବ କି ନାହିଁ ମା ବାପଙ୍କର ଚିଟୋଉ ଆସିବ । ସେତେବେଳେ ଏ ଡାକରା ବଡ଼ କଷ୍ଟ ଲାଗେ ସତ; ମାତ୍ର ସେଥିପାଇଁ ଆମେ ଦୁଇଜଣ ଆଜି ବଞ୍ଚି ରହିଛୁଁ । ପରେ ଅଠର ବର୍ଷ ବୟସରେ ମୁଁ ବିଲାତ ଗଲି ଏବଂ ସେଥିଯୋଗୁଁ ଏକ ସୁନ୍ଦର ଅଥଚ ଦୀର୍ଘକାଳ ବ୍ୟାପୀ ବିଚ୍ଛେଦ ଘଟିଗଲା । ବିଲାତରୁ ଫେରି ସାଙ୍ଗ ହୋଇ ଛ’ମାସ ଖଣ୍ଡେ ରହିଥିବୁ, କାରଣ ମୋର ରାଜକୋଟ ଓ ବମ୍ବେଇ ଭିତରେ ବାରମ୍ୱାର ଯା’ଆସ କରିବାକୁ ପଡ଼ିଥିଲା । ତାହା ପରେ ପରେ ଦକ୍ଷିଣ ଆଫ୍ରିକାରୁ ଡାକରା ଆସିଲା । ଇତିମଧ୍ୟରେ ମୁଁ ପୂରାପୂରି ସାବଧାନ ହୋଇ ଯାଇଥିଲି ।

 

ଉଚ୍ଚ ବିଦ୍ୟାଳୟ

 

ଆଗରୁ ଲେଖିଛି ବାହା ହେବା ବେଳେ ମୁଁ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପଢ଼ୁଥିଲି, ସେତେବେଳେ ଆମେ ତିନି ଭାଇ ଏକା ସ୍କୁଲରେ ପଢ଼ୁଥିଲୁ । ଜ୍ୟେଷ୍ଠଭାଇ ଉପର ଶ୍ରେଣୀରେ ପଢ଼ୁଥିଲେ ଏବଂ ଯେ ଭାଇ ମୋ ସଙ୍ଗେ ଏକାବେଳେ ବାହା ହେଲେ, ସେ ମୋଠୁ ଗୋଟିଏ ଶ୍ରେଣୀ ଉପରେ ପଢ଼ୁଥିଲେ । ବିବାହ ଫଳରେ ଆମ ଦି’ ଭାଇଙ୍କର ବର୍ଷଟିଏ ଲେଖାଁ ବୃଥା ନଷ୍ଟ ହେଲା । ମୋ ଭାଇଙ୍କ ପାଇଁ ତ ପରିଣାମ ଅଧିକ ବିଷମ ହୋଇଗଲା । ବିବାହ ପରେ ସେ ଆଉ ପାଠଶାଳାରେ ରହିପାରି ନ ଥିଲେ । ଏଭଳି ଅନିଷ୍ଟକର ଫଳ କେତେ ଯୁବକଙ୍କର ଭାଗ୍ୟରେ ଘଟିଥିବ, ତାହା ଭଗବାନ ଜାଣନ୍ତି ! ପାଠପଢ଼ା ଓ ବିବାହ ହିନ୍ଦୁ ସମାଜରେ ଏକା ସାଙ୍ଗେ ହୋଇଥାଏ ।

 

ମୋର ପାଠପଢ଼ା ଚାଲୁ ରହିଥିଲା । ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ମୁଁ ନିର୍ବୁଦ୍ଧିଆ ପିଲା ବୋଲି ଗଣା ହେଉ ନ ଥିଲି । ମୋ ପ୍ରତି ଶିକ୍ଷକଙ୍କର ସବୁବେଳେ ଯଥେଷ୍ଟ ସ୍ନେହ ଥାଏ । ପ୍ରତିବର୍ଷ ଛାତ୍ରର ପାଠପଢ଼ା ଓ ଆଚରଣ ସମ୍ବନ୍ଧରେ ବାପ ମାଙ୍କୁ ପ୍ରମାଣପତ୍ର ପଠା ହୋଇଥାଏ । ସେଥିରେ କେବେହେଲେ ମୋର ଆଚରଣ ବା ପାଠପଢ଼ା ଖରାପ ହୋଇଥିବାର ସମାଲୋଚନା ହୋଇ ନାହିଁ-। ଦ୍ୱିତୀୟ ଶ୍ରେଣୀ ପରେ ପୁରସ୍କାର ମଧ୍ୟ ପାଇଥିଲି ଏବଂ ପଞ୍ଚମ ଓ ଷଷ୍ଠ ଶ୍ରେଣୀରେ ଯଥାକ୍ରମେ ମାସକୁ ଚାରିଟଙ୍କା ଓ ଦଶଟଙ୍କା ବୃତ୍ତି ମଧ୍ୟ ପାଇଥିଲି । ଏ ଛାତ୍ରବୃତ୍ତି ପାଇବାରେ ମୋର ବିଦ୍ୟା ବୁଦ୍ଧିଠାରୁ ମୋର ଭାଗ୍ୟର ବରାଦ ବେଶୀ ଥିଲା । ଏ ବୃତ୍ତି ସବୁ ପିଲାଙ୍କପାଇଁ ନ ଥିଲା । କେବଳ ଯେଉଁମାନେ ‘ସୋରଠ’ ବିଭାଗର ଥିବେ ତାଙ୍କର ଭିତରେ ଯେ ପ୍ରଥମ ସ୍ଥାନ ପାଇବ ତାହାରି ପାଇଁ ଥିଲା । ଚାଳିଶ ପଚାଶ ଜଣ ଛାତ୍ରଙ୍କର ଗୋଟିଏ ଶ୍ରେଣୀରେ ସେତେବେଳେ ‘ସୋରଠ’ ବିଭାଗର ଛାତ୍ର କେତେଜଣ ବା ଥିବେ ।

 

ମୋର ଏତକ ମନେ ଅଛି ଯେ, ଆପଣାର ବିଦ୍ୟାବୁଦ୍ଧି ବିଷୟରେ କୌଣସି ଅହଂକାର ମୋ ମନରେ କେବେ ସ୍ଥାନ ପାଇ ନାହିଁ । ପୁରସ୍କାର ବା ବୃତ୍ତି ମିଳିବାରେ ମତେ ଆଶ୍ଚର୍ଯ୍ୟ ଲାଗିଥିଲା । କିନ୍ତୁ ମୋର ଚରିତ୍ର ପ୍ରତି ମୋର ବିଶେଷ ଦୃଷ୍ଟି ଥାଏ । ସେଥିରେ ଟିକିଏ ଦୋଷ ଦେଖାଗଲେ ମତେ କାନ୍ଦମାଡ଼େ । ଶିକ୍ଷକଙ୍କଠାରୁ ଗାଳି ଖାଇଲେ, ମୋର ସେଥିରେ ପ୍ରକୃତରେ ଦୋଷ ଥାଉ ବା ଶିକ୍ଷକଙ୍କ ଭୁଲ ଧାରଣା ହୋଇଥାଉ, ମୋର ଅସହ୍ୟ ହୋଇ ପଡ଼ିଥାଏ । ମୋର ମନେ ପଡ଼ୁଛି, ଥରେ ମତେ ମାଡ଼ ଖାଇବାକୁ ପଡ଼ିଥିଲା । ମାଡ଼ ମୋତେ କାଟି ନ ଥିଲା, କିନ୍ତୁ ମତେ ଯେ ଦୋଷୀ ବିଚାରିଥିଲେ, ସେଇଥିରେ ହିଁ ମୋର ଭାରି ମନ କଷ୍ଟ ହୋଇଥିଲା । ଏହା ପ୍ରଥମ ବା ଦ୍ୱିତୀୟ ଶ୍ରେଣୀର ଘଟଣା । ଅନ୍ୟ ଏକ ଘଟଣା ସପ୍ତମ ଶ୍ରେଣୀରେ ଘଟିଥିଲା । ସେତେବେଳେ ଦୋରାବଜୀ ଏନଲଜୀ ଗୀମୀ ପ୍ରଧାନ ଶିକ୍ଷକ ଥିଲେ । ସେ ଛାତ୍ରପ୍ରିୟ ଥିଲେ । କାରଣ, ସେ ନିୟମ ଠିକ୍ ବଜାଏ ରଖନ୍ତି, ଠିକ୍ ପ୍ରଣାଳୀରେ କାମ କରନ୍ତି ଓ କାମ ଆଦାୟ କରନ୍ତି ଏବଂ ପାଠ ମଧ୍ୟ ଭଲ ପଢ଼ାନ୍ତି । ସେ ଉପର ଶ୍ରେଣୀ ପିଲାଙ୍କ ପାଇଁ ଖେଳ କସରତ, ବାଧ୍ୟତାମୂଳକ କରି ଦେଇଥିଲେ । ମତେ ସେ ସବୁ ସୁଖ ଲାଗେ ନାହିଁ । ବାଧ୍ୟ ହେବା କଥା ଉଠିବା ବହୁ ପୂର୍ବରୁ ମୁଁ କେବେହେଁ କସରତ ବା ପେଣ୍ଡୁ ଖେଳରେ ଯୋଗ ଦେଉ ନ ଥିଲି । ଯୋଗ ନ ଦେବାର ଏକ କାରଣ ମୋର ଲାଜକୁଳା ପ୍ରକୃତି ଥିଲା ।

 

ଏତେବେଳେ ମୁଁ ଦେଖୁଛି ଯେ, ମୋର ସେତେବେଳକାର ଏ ଅଶ୍ରଦ୍ଧା ଭୁଲ ଥିଲା । ସେତେବେଳେ ମୋର ଏ ଭୁଲ ଧାରଣା ଥିଲା ଯେ, ଶିକ୍ଷା ସଙ୍ଗେ କସରତର କୌଣସି ସମ୍ପର୍କ ନାହିଁ-। ପରେ ମୁଁ ବୁଝି ପାରିଥିଲି ଯେ, ବ୍ୟାୟାମ ଅର୍ଥାତ୍ ଶାରୀରିକ ଶିକ୍ଷାର ସ୍ଥାନ ମାନସିକ ଶିକ୍ଷାର ସ୍ଥାନ ସଙ୍ଗେ ସମାନ ହେବା ଉଚିତ ।

 

ତଥାପି, କସରତ ନ କରି ମୋର କିଛି କ୍ଷତି ହୋଇନାହିଁ । ଏହା ମଧ୍ୟ ମୋର ଜଣାଇଦେବା ଉଚିତ । କାରଣ, ଖୋଲା ପବନରେ ରହିବା ଓ ବୁଲିବାର ଉପଦେଶ ମୁଁ ବହିରେ ପଢ଼ିଥାଏ ଏବଂ ମୋ ମନକୁ ପାଇଥାଏ । ସେଥିପାଇଁ ହାଇସ୍କୁଲର ଉପର ଶ୍ରେଣୀରେ ବୁଲିବାର ଅଭ୍ୟାସ କରି ନେଇଥିଲି । ଶେଷ ପର୍ଯ୍ୟନ୍ତ ତାହା ବଜାଏ ରହିଥିଲା । ବାଟ ଚାଲିବା ମଧ୍ୟ ଏକ ପ୍ରକାର କସରତ ଓ ସେଥିଯେଗୁଁ ମୋର ଦେହ ଯଥାର୍ଥରେ ଟାଣ ହୋଇ ଯାଇଥିଲା ।

 

କସରତ ଭଲ ନ ଲାଗିବାର ଆଉ ଏକ କାରଣ ଥାଏ । ବାପାଙ୍କ ସେବା କରିବାପାଇଁ ମୋର ଏକ ଝୁଙ୍କ ଥାଏ । ପାଠଶାଳା ବନ୍ଦ ହେବା ସଙ୍ଗେ ସଙ୍ଗେ ଘରେ ପହଞ୍ଚି ବାପାଙ୍କ ସେବାରେ ଲାଗିଯାଏ । ଯେତେବେଳେ କସରତ ପାଇଁ ବାଧ୍ୟ କରାଗଲା, ସେତେବେଳେ ଏ ସେବାରେ ବାଧା ପଡ଼ିଲା । ବାପାଙ୍କ ସେବା କରିବା ପାଇଁ କସରତରୁ ଛୁଟି ମିଳିବାକୁ ପାର୍ଥନା କଲି । କିନ୍ତୁ ଗୀମୀ ସାହେବ କଣ ଛୁଟି ଦିଅନ୍ତେ ? ଦିନେ ଶନିବାର ସକାଳୁଆ ପାଠଶାଳା ହେଉଥାଏ । ସନ୍ଧ୍ୟା ଚାରିଟା ବେଳକୁ କସରତ ପାଇଁ ଯିବାକୁ ପଡ଼େ । ମୋ ପାଖରେ ତ ଘଣ୍ଟା ନ ଥିଲା । ଆକାଶରେ ମେଘ ଥାଏ । ସେଥିଯୋଗୁଁ ବେଳ କିଛି ଜଣା ପଡ଼ିଲା ନାହିଁ । ମେଘ ଯୋଗୁଁ ମୁଁ ଠକି ଗଲି, କସରତ ପାଇଁ ପହଞ୍ଚିଲା ବେଳକୁ ବହୁତ ପିଲା ଫେରି ଆସୁଥାନ୍ତି । ତହିଁ ଆରଦିନ ଗୀମୀ ସାହେବ ହାଜିରା ନେବାରୁ ମୋର ଗରହାଜିରୀ ଜଣାଗଲା । ମତେ ତାହାର କାରଣ ପଚାରିଲେ । ଯାହା କାରଣ ମୁଁ କହିଦେଲି, ସେ ତାହା ସତ ମଣିଲେ ନାହିଁ । ମତେ ଅଣାଏ ବା ଦୁଇଅଣା ଜୋରିମାନା ହେଲା । ମୁଁ ମିଛୁଆ ହେଲି । ମୋର ଦାରୁଣ ଦୁଃଖ ହେଲା । ‘ମୁଁ ମିଛୁଆ ନୁହେଁ’—ଏହା କେମିତି ପ୍ରମାଣ କରିବି-? କିଛି ବାଟ ନ ଥିଲା । ମନେ ମନେ ତୁନି ତାନି ହୋଇ ରହିଲି ! କାନ୍ଦିଲି । ବୁଝିଲି ଯେ ସତ କହିବା ଓ ସତ କରିବାରେ ଲୋକର ଅସାବଧାନ ହେବା ଉଚିତ ନୁହେଁ । ଏଭଳି ଅସାବଧାନ ହେବା ମୋର ପାଠପଢ଼ା ସମୟରେ ତାହା ପ୍ରଥମ ଓ ତାହା ଶେଷ ଥିଲା । ଶେଷରେ ଏ ଜୋରିମାନା ମାଫ କରେଇ ନେଇଥିଲି ବୋଲି ମୋର ଟିକିଏ ଟିକିଏ ସ୍ମରଣ ହେଉଛି ।

 

କସରତରୁ ଛୁଟି ମିଳିଥିଲା । ସ୍କୁଲ ସରିବାପରେ ବାପାଙ୍କ ସେବା ପାଇଁ ସେ ମୋତେ ଲୋଡ଼ନ୍ତି ବୋଲି ବାପାଙ୍କଠାରୁ ଚିଠି ନେବାରୁ ଛାଡ଼ ପାଇଥିଲି । କସରତ ବଦଳରେ ବାଟ ଚାଲିବା ଅଭ୍ୟାସ ଯୋଗୁଁ କସରତ ନ କରିବା ଭୁଲର କୌଣସି ମନ୍ଦ ଫଳ ମୋତେ ଭୋଗିବାକୁ ପଡ଼ି ନାହିଁ । କିନ୍ତୁ ଆଉ ଗୋଟିଏ ଭୁଲର ଦଣ୍ଡ ଆଜି ସୁଦ୍ଧା ଭୋଗୁଛି । ପାଠ ପଢ଼ାରେ ଭଲ ଅକ୍ଷର ଲେଖିବା ଦରକାର ନାହିଁ, ଏଭଳି ଏକ ଭ୍ରମ ମୋର କେଉଁଠୁ ଜନ୍ମିଲା ମୁଁ ଜାଣି ନାହିଁ । କିନ୍ତୁ ଏ ଧାରଣା ଏକଦମ୍ ବିଲାତ ଯିବାଯାଏ ମୋ ମନରେ ଥିଲା । ପରେ ଏବଂ ବିଶେଷ କରି ଦକ୍ଷିଣ ଆଫ୍ରିକାରେ ଓକିଲଙ୍କର ଓ ସେଠାରେ ଜନ୍ମିଥିବା ତଥା ପାଠ ପଢ଼ିଥିବା ଯୁବକଙ୍କର ମୁକ୍ତାପରି ଅକ୍ଷର ଦେଖିଲାରୁ, ମତେ ଲାଜ ମାଡ଼ିଲା ଓ ଅନୁତାପ ହେଲା । ମୁଁ ଦେଖିଲି ଯେ ଖରାପ ଅକ୍ଷର ଅଧା ପାଠର ଚିହ୍ନ ବୋଲି ଧରାଯିବା ଉଚିତ । ମୋର ଅକ୍ଷରକୁ ସୁଧାରିବାକୁ ମୁଁ ପରେ ବହୁତ ଯତ୍ନ କଲି, କିନ୍ତୁ ବୁଢ଼ା ଶୁଆ କଟର କଟରରେ ଲାଭ କଣ ? ବାଳକାଳେ ଯାହାର ଅବହେଳା କରିଛି ତାକୁ ଆଜି ସୁଦ୍ଧା ପୂରା କରିପାରି ନାହିଁ । ପ୍ରତ୍ୟେକ ଯୁବକ ଯୁବତୀ ମୋର କଥାରୁ ଚେତି ଯାନ୍ତୁ ଏବଂ ଜାଣି ରଖନ୍ତୁ ଯେ, ଭଲ ଅକ୍ଷର ବିଦ୍ୟା ଶିକ୍ଷାର ଏକ ଆବଶ୍ୟକ ଅଙ୍ଗ । ଭଲ ଅକ୍ଷର ଲେଖି ଶିଖିବା ପାଇଁ ଚିତ୍ରକଳା ଜାଣିବା ଲୋଡ଼ା । ମୋର ତ ଏଭଳି ମତ ଯେ, ପିଲାଙ୍କର ପ୍ରଥମେ ଚିତ୍ରବିଦ୍ୟା ଶିଖିବା ଉଚିତ । ଯେମିତି ପଶୁ ପକ୍ଷୀ ଦେଖି ପିଲା ତାଙ୍କୁ ମନେ ରଖି ସହଜରେ ଚିହ୍ନିପାରେ, ସେମିତି ସେ ଅକ୍ଷର ଚିହ୍ନେ ଏବଂ ଚିତ୍ର କରିବା ଶିଖିଲା ପରେ ଯାଇ ଅକ୍ଷର ଲେଖି ଶିଖିଲେ ତାହାର ଅକ୍ଷର ଛପା ଭଳି ହେବ ।

 

ଏହି ପାଠପଢ଼ା ସମୟର ଆଉ ଦୁଇଟି ସ୍ମୃତି ଉଲ୍ଲେଖଯୋଗ୍ୟ । ବିବାହ ପାଇଁ ମୋର ଯେ ବର୍ଷଟି ବୃଥାରେ ଗଲା, ତାକୁ ପୂରେଇ ନେବା ପାଇଁ ଦ୍ୱିତୀୟ ଶ୍ରେଣୀର ଶିକ୍ଷକ ଏକ ପ୍ରସ୍ତାବ କରିଥିଲେ । ପରିଶ୍ରମୀ ଛାତ୍ରଙ୍କୁ ଏମିତି କରିବା ପାଇଁ ଅନୁମତି ମିଳିଥାଏ । ଏହା ଫଳରେ ମୁଁ ତୃତୀୟ ଶେଣୀରେ ଛ’ମାସ ରହିଲି ଏବଂ ଗ୍ରୀଷ୍ମ ଛୁଟି ପୂର୍ବ ପରୀକ୍ଷାରେ ମତେ ଚତୁର୍ଥ ଶ୍ରେଣୀକୁ ପଠେଇ ଦେଇଥିଲେ । ଏହିଠାରୁ କେତେକ ବିଷୟ ଇଂରାଜୀ ଜରିଆରେ ଶିକ୍ଷା ଦିଆ ହୋଇଥାଏ । ମୁଁ କିଛି ବୁଝିପାରେ ନାହିଁ । ଜ୍ୟାମିତି ମଧ୍ୟ ଚତୁର୍ଥ ଶ୍ରେଣୀରେ ଆରମ୍ଭ ହୋଇଥାଏ । ସେଥିରେ ଏକେ ତ ପଛରେ ପଡ଼ିଥାଏ ତାହା ଉପରେ ଆଦୌ ବୁଝିପାରୁ ନଥାଏ । ଜ୍ୟାମିତି ଶିକ୍ଷକ ତ ବୁଝେଇବାରେ ଠିକ୍ ଥିଲେ । କିନ୍ତୁ ମୋ ମୁଣ୍ଡରେ କିଛି ପଶୁ ନ ଥିଲା । ଅନେକ ସମୟରେ ହତାଶ ହୋଇ ଯାଉଥିଲି । ବେଳେବେଳେ ଏମିତି ମନେହୁଏ ଯେ, ଦୁଇଟା ଶ୍ରେଣୀ ଏକା ବର୍ଷରେ ସାରିବାର ଆଶା ଛାଡ଼ି ପୁଣି ତୃତୀୟ ମାନକୁ ଫେରିଯିବି । କିନ୍ତୁ ଏତକ କଲେ ମୋର ମାନ ଯିବ ଏବଂ ଯେଉଁ ଶିକ୍ଷକମାନେ ମୋର ଅଧ୍ୟବସାୟ ଉପରେ ନିର୍ଭର କରି ମତେ ଉଠେଇ ଦେଇଥାନ୍ତି, ତାଙ୍କର ମାନ ମଧ୍ୟ ଯିବ । ଏହି ଭୟରେ ପୁଣି ତଳକୁ ଯିବା ବିଚାର ବନ୍ଦ କଲି ।

 

ଚେଷ୍ଟା କରି ଯେତେବେଳେ ଇଉକ୍ଳିଡ଼୍‌ଙ୍କର ଜ୍ୟାମିତିର ତେରକ ପ୍ରମେୟ ପଢ଼ିଲି, ସେତେବେଳେ ହଠାତ୍ ମନକୁ ଆସିଲା ଯେ, ଜ୍ୟାମିତି ଏକ ସହଜରୁ ବଳି ସହଜ ବିଷୟ । ଯେଉଁଥିରେ ବୁଦ୍ଧିର କେବଳ ସିଧା ଓ ସରଳ ପ୍ରୟୋଗ କରିବାକୁ ପଡ଼େ, ସେଥିରେ ପୁଣି କଠିଣ କଣ ? ତାହା ପରଠାରୁ ସବୁବେଳେ ଜ୍ୟାମିତି ମତେ ସହଜ ଓ ସରସ ବିଷୟ ଜଣା ପଡ଼ିଛି ।

 

ଜ୍ୟାମିତିଠାରୁ ସଂସ୍କୃତରେ ମତେ ଅଧିକ ଅଡ଼ୁଆ ପଡ଼ିଥିଲା । ଜ୍ୟାମିତିରେ ଘୋଷିବାର କିଛି ନ ଥାଏ, ମାତ୍ର ସଂସ୍କୃତରେ ତ ମୋ ବିଚାରରେ ସବୁ ଘୋଷା ପାଠ । ଏ ବିଷୟଟି ମଧ୍ୟ ଚତୁର୍ଥ ଶ୍ରେଣୀରେ ଆରମ୍ଭ ହେଲା । ଷଷ୍ଠ ଶ୍ରେଣୀରେ ମୁଁ ହାରିଲି । ସଂସ୍କୃତ ଶିକ୍ଷକ ବଡ଼ କଡ଼ା ଲୋକ ଥିଲେ । ଛାତ୍ରମାନଙ୍କୁ ବେଶୀ ଶିଖାଇ ଦେବାର ଲୋଭ ତାଙ୍କର ଥାଏ । ସଂସ୍କୃତ ଶ୍ରେଣୀ ଓ ଫାରସୀ ଶ୍ରେଣୀ ଭିତରେ ଏକ ପ୍ରକାର ଟଣା ଓଟରା ଲାଗିଥାଏ । ଫାରସୀ ମୌଲବୀ ବଡ଼ ନରମ ଲୋକ ଥିଲେ । ପିଲାଏ ଆପଣା ଭିତରେ କଥାବାର୍ତ୍ତା ହୁଅନ୍ତି ଯେ, ଫାରସୀ ବଡ଼ ସହଜ ଏବଂ ଫାରସୀ ଶିକ୍ଷକ ବଡ଼ ଭଲ ମଣିଷ । ଛାତ୍ର ଯେମିତି କରନ୍ତି ସେଥିରେ ସେ ଚଳେଇ ନିଅନ୍ତି । ମୁଁ ମଧ୍ୟ ସହଜ ବୋଲି ଶୁଣି ଲୋଭେଇଲି ଏବଂ ଦିନେ ଯାଇ ଫାରସୀ ଶ୍ରେଣୀରେ ବସିଲି । ସଂସ୍କୃତ ଶିକ୍ଷକଙ୍କର ମନ ଦୁଃଖ ହେଲା । ସେ ମୋତେ ଡକେଇ କହିଲେ—‘‘ତୁ କାହା ପୁଅ ତାହା ବୁଝ । ତୋର ଧର୍ମର ଭାଷା ତୁ ଶିଖିବୁ ନାହିଁ ? ତୋର ଯାହା ଅଡ଼ୁଆ ହେଉଛି ମତେ କହ । ମୁଁ ତ ସବୁ ଛାତ୍ରଙ୍କୁ ସରସ ସଂସ୍କୃତ ଶିଖାଇବାକୁ ଇଚ୍ଛା କରୁଛି । ଆଗକୁ ଗଲେ ତ ସେଥିରେ ଖାଲି ବାଟି ରସ ପିଇଯିବା କଥା ଅଛି । ସେଥିରେ ତୋର ହାରିଯିବା ଉଚିତ ନୁହେଁ । ତୁ ପୁଣି ମୋ ଶ୍ରେଣୀରେ ଆ ବସ ।’’

 

ମତେ ଲାଜ ମାଡ଼ିଲା । ଶିକ୍ଷକଙ୍କ ସ୍ନେହ ଏଡ଼ି ପାରି ନ ଥିଲି । ଆଜି ମୋର ଆତ୍ମା କୃଷ୍ଣ ଶଙ୍କର ଶିକ୍ଷକଙ୍କ ଉପକାର ମାନୁଛି । କାରଣ ସେତିକିବେଳେ ମୁଁ ଯେତକ ସଂସ୍କୃତ ଶିଖିଥିଲି, ସେତକ ନ ଶିଖିଥିଲେ ଆଜି ସଂସ୍କୃତ ଶାସ୍ତ୍ରରୁ ଯେତକ ରସ ନେଇ ପାରୁଛି ସେତକ ମୋ ଦ୍ୱାରା ହେଉ ନ ଥାନ୍ତା । ବରଂ ମୁଁ ସଂସ୍କୃତ ବେଶି ଶିଖି ପାରି ନାହିଁ ବୋଲି ପସ୍ତାଉଛି । କାରଣ, ମୁଁ ପରେ ବୁଝୁଛି ଯେ କୌଣସି ହିନ୍ଦୁ ବାଳକ ସଂସ୍କୃତରେ ସରସ ଜ୍ଞାନ ବିନା ରହିବା ଉଚିତ ନୁହଁ ।

 

ଏତକ ମୋର ମତ ଯେ ଭାରତର ଉଚ୍ଚ ଶିକ୍ଷାରେ ମୋର ମାତୃଭାଷା ଛଡ଼ା ରାଷ୍ଟ୍ରଭାଷା ହିନ୍ଦୀ, ସଂସ୍କୃତ, ଫାରସୀ, ଆରବୀ ଏବଂ ଇଂରାଜୀର ସ୍ଥାନ ରହିବା ଉଚିତ । ଏତେଗୁଡ଼ିଏ ଭାଷା ଦେଖି କେହି ଡରିଯିବା ଉଚିତ ନୁହଁ । ଭାଷା ଯଦି ଠିକ୍ ନିୟମରେ ଶିକ୍ଷା ଦିଆଯାଏ ଏବଂ ସବୁ ବିଷୟ ଇଂରାଜୀ ମାରଫତରେ ଶିଖିବା ଓ ବିଚାରିବା ବୋଝ ଆପଣା ଉପରେ ନଥାଏ; ତେବେ ଉପରଲିଖିତ ସବୁ ଭାଷା ଶିଖିବାରେ କଷ୍ଟ ହେବ ନାହିଁ ବରଂ ସେଥିରୁ ବହୁତ ରସ ମିଳିବ । ପୁଣି ଯେ ଗୋଟିଏ ଭାଷାକୁ ଶାସ୍ତ୍ରମତେ ଶିଖିବ ତାକୁ ଅନ୍ୟ ଭାଷାର ଜ୍ଞାନ ସୁଲଭ ହେବ । ପ୍ରକୃତରେ ଦେଖିଲେ ହିନ୍ଦୀ, ଗୁଜରାତୀ, ସଂସ୍କୃତ ଗୋଟିଏ ଭାଷାରେ ଗଣା ହେବ । ସେମିତି ଫାରସୀ ଓ ଆରବୀ ଗୋଟିଏ ଭାଷାରେ ଗଣା ହେବେ । ଫାରସୀ ସଂସ୍କୃତର ନିକଟ ଏବଂ ଆରବୀ ହିବ୍ରୁର ନିକଟ, ତଥାପି ଉଭୟ ମୁସଲମାନ ଧର୍ମର ପ୍ରଚାର ପରେ ପ୍ରସାର ଲାଭ କରିଥିବାରୁ ଉଭୟଙ୍କ ଭିତରେ ନିକଟ ସମ୍ବନ୍ଧ ଅଛି । ମୁଁ ଉର୍ଦ୍ଦୁକୁ ଅଲଗା ଗୋଟିଏ ଭାଷା ଗଣେ ନାହିଁ । କାରଣ, ତା’ର ବ୍ୟାକରଣ ହିନ୍ଦୀ ସଙ୍ଗେ ଏକା । ତା’ର ଶବ୍ଦ ତ ଜାଣିବାକୁ ହେଲେ ଫାରସୀ ଆରବୀ ଶିଖିବାକୁ ପଡ଼େ । ସେମିତି ଟିକିଏ ଉପରକୁ ଗୁଜରାତୀ ହିନ୍ଦୀ, ବଙ୍ଗଳା, ମରାଠୀ ଜାଣିବା ପାଇଁ ସଂସ୍କୃତ ଜାଣିବା ଆବଶ୍ୟକ ହୋଇଥାଏ ।

 

ଶୋଚନୀୟ ଘଟଣା

 

ମୁଁ କହିଯାଇଛି ଯେ, ଉଚ୍ଚ ବିଦ୍ୟାଳୟରେ ମୋର ଖୁବ୍ ଅଳ୍ପ ଅନ୍ତରଙ୍ଗ ବନ୍ଧୁ ଥିଲେ । ଯାହାକୁ ଏଭଳି ମିତ୍ର କୁହାଯାଇ ପାରେ, ସେମିତି ମାତ୍ର ଦୁଇଜଣ ବନ୍ଧୁ ଭିନ୍ନ ଭିନ୍ନ ସମୟରେ ହୋଇଥିଲେ । ଏତିକି ମୁଁ କହିପାରେ । ଜଣଙ୍କ ସଙ୍ଗେ ଏ ସମ୍ବନ୍ଧ ବେଶି ଦିନ ତିଷ୍ଠି ନ ଥିଲା; ଯଦ୍ୟପି ମୁଁ ସେ ବନ୍ଧୁଙ୍କୁ ଛାଡ଼ି ନ ଥିଲି, ଅନ୍ୟ ବନ୍ଧୁଟିର ସାଙ୍ଗ ହେବାରୁ ପ୍ରଥମ ଜଣକ ମତେ ଛାଡ଼ି ଯାଇଥିଲା-। ଏ ଦ୍ୱିତୀୟ ବନ୍ଧୁତ୍ୱ ମୋର ଜୀବନର ଏକ ଦୁଃଖର ଅଧ୍ୟାୟ । ବହୁକାଳ ଯାବତ୍ ଏ ବନ୍ଧୁତ୍ୱ ରହିଥିଲା । ସେ ସାଙ୍ଗ କରିବାରେ ମୋର ସଂସ୍କାର ଦୃଷ୍ଟିଥିଲା । ସେ ସାଙ୍ଗରେ ପ୍ରଥମ ବନ୍ଧୁତ୍ୱ ମୋର ମଝିଆଁ ଭାଇଙ୍କ ସଙ୍ଗେ ଥିଲା । ସେ ମୋ ଭାଇଙ୍କ ଶ୍ରେଣୀରେ ପଢ଼ୁଥିଲା । ତା’ଠାରେ କେତେକ ଦୋଷ ମୁଁ ଦେଖି ପାରିଥିଲି; କିନ୍ତୁ ମୁଁ ତାକୁ ବିଶ୍ୱାସୀ ବୋଲି ଧରି ନେଇଥିଲି । ମୋର ମା, ବଡ଼ଭାଇ ଓ ମୋର ସ୍ତ୍ରୀ ତିନିଙ୍କୁ ଏ ସାଙ୍ଗ ଖରାପ ଲାଗୁଥିଲା । ମୁଁ ତ ଅହଂକାରୀ ସ୍ୱାମୀ, ମୁଁ ମୋର ସ୍ତ୍ରୀର ସତର୍କବାଣୀ କୁଆଡ଼ୁ ଶୁଣନ୍ତି ? ମା’ର କଥା ଅମାନ୍ୟ କରିବାର ନୁହେଁ । ବଡ଼ ଭାଇଙ୍କ କଥା ଶୁଣୁଥାଏ । କିନ୍ତୁ ତାଙ୍କୁ ମୁଁ ୟା କହି ଶାନ୍ତ କରୁଥାଏ । ‘‘ତା’ର (ବନ୍ଧୁର) ଯେଉଁ ଦୋଷ ତୁମେ ଦେଖାଉଛ, ତାହା ତ ମତେ ଜଣା । ତା’ର ଗୁଣ କିନ୍ତୁ ତୁମେ ଜାଣନାହିଁ । ସେ ମୋତେ ଖରାପ ବାଟେ ନେଇଯିବ ନାହିଁ । କାରଣ, ତା ସଙ୍ଗେ ମୋର ସମ୍ବନ୍ଧ କେବଳ ତାକୁ ବାଟକୁ ଆଣିବା ଉଦ୍ଦେଶ୍ୟରେ ମୁଁ କରିଛି । ସେ ଯଦି ସୁଧୁରିଯିବ, ତେବେ ସେ ବଡ଼ ସରସ ମଣିଷ ହୋଇଯିବ ବୋଲି ମୋର ବିଶ୍ୱାସ । ମୋର ବିନତି, ତୁମେମାନେ ମୋ ସମ୍ବନ୍ଧରେ ନିଶ୍ଚିନ୍ତ ରୁହ ।’’ ମୋର ଏ କଥାରେ ସେମାନଙ୍କର ସନ୍ତୋଷ ହେଲା ବୋଲି ମୁଁ କହିପାରିବି ନାହିଁ; ମାତ୍ର ସେମାନେ ମୋ ଉପରେ ବିଶ୍ୱାସ ରଖି ମୋତେ ମୋ ବାଟେ ଯିବାକୁ ଦେଇଥିଲେ । ମୋର ଏ ଅନୁମାନ ଠିକ୍ ନ ଥିଲା ବୋଲି ପରେ ମୁଁ ଦେଖି ପାରିଥିଲି । ସଂସ୍କାର କରିବା ପାଇଁ ସୁଦ୍ଧା ମଣିଷ ଅତି ଗହୀଡ଼ା ପାଣିକି ପଶିବା ଉଚିତ ନୁହେଁ । ଯାହାକୁ ସୁଧାରିବାର କଥା, ତାହା ସଙ୍ଗେ ମିତ୍ରତା ହୁଏ ନାହିଁ । ମିତ୍ରତାରେ ଅଦ୍ୱୈତ ଭାବନା ଥାଏ । ଏଭଳି ମିତ୍ରତା ଦୁନିଆରେ କ୍ୱଚିତ୍ ଦେଖାଯାଏ । ସମାନ ଗୁଣର ଲୋକଙ୍କ ଭିତରେ ମିତ୍ରତା ଶୋଭାପାଏ ଏବଂ ତିଷ୍ଠି ରହେ । ଅତଏବ ମିତ୍ରତାରେ ସୁଧାରିବାର ପ୍ରସଙ୍ଗ ବହୁତ କମ୍ ଥାଏ । ମୋ ମତରେ ଘନିଷ୍ଠ ବନ୍ଧୁତା ଅନିଷ୍ଟକାରକ । କାରଣ, ମଣିଷ ଦୋଷକୁ ଝଟ୍ ଧରି ପକାଏ । ଗୁଣ ଶିଖିବା ପାଇଁ ଉଦ୍ୟମ ଲୋଡ଼ା ହୋଇଥାଏ । ଯାହାର ଆତ୍ମାରେ ଇଶ୍ୱରଙ୍କ ବନ୍ଧୁତ୍ୱ ଆବଶ୍ୟକ, ତା’ର ଏକାକୀ ରହିବା ଉଚିତ କିମ୍ବା ସମସ୍ତ ଦୁନିଆ ସଙ୍ଗେ ମୈତ୍ରୀ କରିବା ଉଚିତ । ମୋର ଏ ମତ ଠିକ୍ ହେଉ ବା ଭୁଲ ହେଉ, ମୋର ଘନିଷ୍ଠ ବନ୍ଧୁତା କରିବା ଉଦ୍ୟମ ନିଷ୍ଫଳ ପ୍ରମାଣିତ ହୋଇଥିଲା ।

 

ଯେତେବେଳେ ମୁଁ ଏ ମିତ୍ରର ସାଙ୍ଗ ହୋଇଥିଲି, ସେତେବେଳେ ରାଜକୋଟରେ ଏକ ‘ସଂସ୍କାରଦଳ’ ତେଜି ଉଠିଥାନ୍ତି । ଅନେକ ହିନ୍ଦୁ ଶିକ୍ଷକ ଲୁଚି ଲୁଚି ମଦ ମାଂସ ଖାଇବା ଚଳେଇଥାନ୍ତି, ଏ ଖବର ମୁଁ ସେହି ବନ୍ଧୁଠାରୁ ଶୁଣିଥିଲି । ରାଜକୋଟର ଅନ୍ୟ କେତେକ ଜଣାଶୁଣା ଗୃହସ୍ଥଙ୍କ ନାଁ ମଧ୍ୟ ସେ କହୁଥିଲା । ଉଚ୍ଚ ବିଦ୍ୟାଳୟରେ କେତେକ ଛାତ୍ରଙ୍କ ନାମ ମଧ୍ୟ ମୋ କାନରେ ଆସି ପଡ଼ିଲା । ମୁଁ ବିସ୍ମିତ ହେଲି, ଦୁଃଖିତ ମଧ୍ୟ ହେଲି । ମୁଁ କାରଣ ପଚାରିବାରୁ, ମୋତେ ଏହି ଯୁକ୍ତି ବାଢ଼ିଲା, ‘‘ଆମେ ମାଂସ ଖାଉନାହୁଁ ବୋଲି ଆମେ ନିକମା ଜାତି ହୋଇ ଯାଉଛୁଁ । ଇଂରେଜ ଆମ ଉପରେ ଶାସନ ଚଳାଉଛନ୍ତି, ତା’ର କାରଣ ସେମାନେ ମାଂସ ଖାନ୍ତି । ମୁଁ କେମିତି ଟାଣ ଓ କେମିତି ଦୌଡ଼ିପାରେ, ତାହା ତ ତମକୁ ଜଣା । ଏହାର କାରଣ ମଧ୍ୟ ମୋର ମାଂସାହାର ଅଟେ । ମାଂସାହାରୀର ବଥା ଘା ହୁଏନାହିଁ, ହେଲେ ମଧ୍ୟ ଝଟ୍ ଶୁଖଯାଏ । ଆମର ଶିକ୍ଷକମାନେ ମାଂସ ଖାଉଛନ୍ତି । ଏତେ ଜଣାଶୁଣା ଲୋକେ ଖାଉଛନ୍ତି, ଏମାନେ କଣ ନ ବୁଝି ନ ସୁଝି ଖାଉଛନ୍ତି ? ତମର ମଧ୍ୟ ଖାଇବା ଉଚିତ । ଖାଇକରି ଦେଖ । ଦେଖିବ ତମ ଦେହରେ କେମିତି ବଳ ହେବ ।’’

 

ଏହା ଗୋଟିଏ ଦିନର ଯୁକ୍ତି ନ ଥିଲା । ଏହିଭଳି ଯୁକ୍ତି ଅନେକ ଥର ଅନେକ ଘଟଣାରେ ସଜାସଜି ହୋଇ ବଢ଼ା ହେଉଥିଲା । ମୋ ମଝିଆଁ ଭାଇ ତ ବାଟ ହୁଡ଼ି ପଙ୍କରେ ପଡ଼ିସାରିଥିଲା । ସେ ତ ଏହି ଯୁକ୍ତିରେ ରାଜି ହୋଇ ଯାଇଥିଲା, ମୋର ଭାଇ, ବା ମୋର ବନ୍ଧୁଙ୍କ ତୁଳନାରେ ମୁଁ ତ ନିତାନ୍ତ ସୁକୁମାରିଆ ଥିଲି । ତାଙ୍କ ଅଙ୍ଗ ସବୁ ତ ବେଶ୍ ପେଶୀଯୁକ୍ତ । ତାଙ୍କ ଦେହରେ ବଳ ମଧ୍ୟ ମୋଠୁ ବହୁତ ବେଶୀ ଥିଲା । ସେମାନେ ସାହାସୀ ମଧ୍ୟ ଥିଲେ । ଏ ବନ୍ଧୁର ପରାକ୍ରମ ଦେଖି ମୁଁ ମୁଗ୍‌ଧ ହେଉଥିଲି । ଯେତେଦୂର ଖୁସି ସେ ସେତେଦୂର ଦୌଡ଼ିପାରୁଥିଲା । ଡେଇଁବା, କୁଦିବା ମଧ୍ୟ ଖୁବ୍ ସୁନ୍ଦର ଥିଲା । ଲମ୍ବରେ ଓ ଉଚ୍ଚରେ ଖୁବ୍ କୁଦି ପାରୁଥିଲା । ମାଡ଼ ସହିବା ଶକ୍ତି ମଧ୍ୟ ସେମାନଙ୍କର ଥିଲା । ତାଙ୍କର ବଳ ସେ ମୋତେ ବାରମ୍ବାର ଦେଖାଉଥିଲେ । ନିଜଠାରେ ଯେଉଁ ଶକ୍ତି ନାହିଁ ଅପରଠାରେ ତାହା ଦେଖିଲେ ମଣିଷ ଆଶ୍ଚର୍ଯ୍ୟ ଓ ଚକିତ ହୋଇଥାଏ-। ଦୌଡ଼ିବା ଡେଇଁବା ଶକ୍ତି ତ ମୋଠାରେ ନଥିଲା କହିଲେ ଚଳେ । ମୁଁ ଯଦି ଏ ବନ୍ଧୁଭଳି ବଳୁଆ ହୁଅନ୍ତି, କେଡ଼େ ଭଲ ହୁଅନ୍ତା ।

 

ମାତ୍ର ମୁଁ ଭାରି ଡରକୁଳା ଥିଲି । ଚୋର, ଭୂତ, ସାପ ପ୍ରଭୃତି ଜନ୍ତୁ ଜୁନ୍ତା ଡରରେ ମୁଁ ବୁଡ଼ି ରହିଥିଲି । ଏ ଡର ମଧ୍ୟ ମୋ ମନକୁ ଭାରି ବାଧୁଥାଏ । ରାତିରେ କେଉଁଠାକୁ ଯିବାକୁ ଏକୁଟିଆ ସାହସ ହୁଏନାହିଁ । ଅନ୍ଧାରରେ ତ କୁଆଡ଼େ ଯାଏ ନାହିଁ । ଆଲୁଅ ନ ଜାଳି ଶୋଇବା ତ ଏକପ୍ରକାର ଅସମ୍ଭବ ଥିଲା । ୟାଡ଼ୁ କାଳେ ଭୂତ ଆସିବ ସିଆଡ଼ୁ ଚୋର, ଆଉ କେଉଁଠି ଜନ୍ତୁଜୁନ୍ତା । ଅତଏବ ଆଲୁଅ ଏକାନ୍ତ ଆବଶ୍ୟକ ହେଉଥିଲା । ଏତେବେଳକୁ ମୋ ସ୍ତ୍ରୀ ବି କେତେକ ପରିମାଣରେ ଯୁଆନ ମାଇପିଟିଏ ହୋଇଥାଏ । ସେ ମୋ ପାଖରେ ଶୋଇଥାଏ । କିନ୍ତୁ ମୋ ଡରର କଥା ତାକୁ କିମିତି କହନ୍ତି ? ସେ ଯେ ମୋଠାରୁ ସାହସୀ ସେତକ ମୁଁ ବୁଝିସାରିଥିଲି; କିନ୍ତୁ ମୋତେ ଲାଜ ମାଡ଼ୁଥିଲା । ତାର ଜନ୍ତୁଜନ୍ତା ଡର କେବେ ନ ଥିଲା । ଅନ୍ଧାରରେ ଏକୁଟିଆ ଚାଲିଯାଏ । କିନ୍ତୁ ମୋର ଏ ଦୁର୍ବଳତା ମୋର ପ୍ରଥମ ବନ୍ଧୁଙ୍କୁ ଜଣାଥିଲା । ସେ ମୋତେ କହେ ଯେ, ଜୀଅନ୍ତା ସାପକୁ ସେ ହାତରେ ଧରି ପକାଏ । ଚୋରକୁ ଡରେ ନାହିଁ, ଭୂତକୁ ମାନେ ନାହିଁ । ଏ ସବୁ ମାଂସଖିଆର ପ୍ରତାପ ବୋଲି ସେ ମୋ ମନରେ ପୂରେଇଥିଲା ।

 

ଏହି ସମୟରେ ନର୍ମଦ କବିଙ୍କର ଗୁଜରାତୀ ଗୀତ ପଦେ ପାଠଶାଳାରେ ବୋଲାହେଉଥାଏ—ତାର ମର୍ମ ଏୟା ‘‘ଇଂରେଜ ରାଜ୍ୟ କରୁଛନ୍ତି ଦେଶୀଙ୍କୁ ଦବେଇ ରଖିଛନ୍ତି । ଭାଇ, ଦୁହିଁଙ୍କ ବପୁକୁ ଦେଖ । ଦେଖ ଇଂରେଜ ଲୋକେ ପୂରା ପାଞ୍ଚହାତ ମର୍ଦ୍ଦ ।’’

 

ଏ ସବୁର ପୂରା ପ୍ରଭାବ ମୋ ମନ ଉପରେ ପଡ଼ିଥିଲା । ମୁଁ ତରଳି ଯାଇଥିଲି । ମାଂସାହାର ଭଲ କଥା, ଖାଇଲେ ମୁଁ ବଳୁଆ ଓ ନିର୍ଭୀକ ହେବି; ସମସ୍ତେ ଦେଶବାସୀ ଯଦି ମାଂସ ଖାଇବେ ଇଂରେଜଙ୍କୁ ହରେଇପାରିବେ—ଏହା ମୁଁ ମାନିଗଲି ।

 

ମାଂସାହାର କରିବାର ଦିନସ୍ଥିର ହେଲା । ଏତେ ପ୍ରତିଜ୍ଞା, ଏତେ ଆରମ୍ଭ ଏହାର ଅର୍ଥ ପାଠକେ ବୁଝିପାରୁ ନ ଥିବେ । ଗାନ୍ଧୀକୁଟୁମ୍ବ ବୈଷ୍ଣବ ସମ୍ପ୍ରଦାୟର ଲୋକ ଥିଲେ । ମା ବାପ ଅତି ନିଷ୍ଠାପର ଥିଲେ । ପ୍ରତ୍ୟହ ମନ୍ଦିରକୁ ଯାଆନ୍ତି । କେତୋଟି ମନ୍ଦିର ତ ଗାନ୍ଧୀ କୁଟୁମ୍ବଙ୍କର ବୋଲି କୁହା ହେଉଥାଏ । ପୁଣି ଗୁଜରାତରେ ଜୈନ ସମ୍ପ୍ରଦାୟ ଭାରି ପ୍ରବଳ । ତାଙ୍କର ପ୍ରଭାବ ସବୁ କ୍ଷେତ୍ରରେ ସବୁ କାମରେ ଦେଖାପଡ଼େ । ସେଥିପାଇଁ ଗୁଜରାତରେ ଏବଂ ଶ୍ରାବକ ତଥା ବୈଷ୍ଣବମାନଙ୍କ ଭିତରେ ମାଂସାହାର ପ୍ରତି ଯେଉଁ ବିରୋଧ ଓ ଘୃଣାଭାବ ଦେଖାଯାଇଥାଏ, ତାହା ଭାରତରେ ତଥା ସମସ୍ତ ଜଗତରେ ଅନ୍ୟତ୍ର କେଉଁଠି ଦେଖାଯାଏ ନାହିଁ । ମୋର ସଂସ୍କାର ଏୟା ।

 

ମୁଁ ତ ବାପା ମା’ଙ୍କର ପରମଭକ୍ତ, ମୋର ମାଂସ ଖିଆ କଥା ଶୁଣିଲେ ଯେ ତାଙ୍କର ହଠାତ୍ ଅକାଳ ମୃତ୍ୟୁ ଘଟିବ, ମୋର ଏ ବିଶ୍ୱାସ ଥାଏ । ଜାଣତରେ ବା ଅଜାଣତରେ ମୁଁ ସତ୍ୟର ସେବକ ମଧ୍ୟ ଥିଲି । ମାଂସାହାର ପାଇଁ ବାପ ମାଙ୍କୁ ଠକିବାକୁ ହେବ, ଏତକ ଜ୍ଞାନ ମୋର ସେତେବେଳେ ଥିଲା କି ନାହିଁ ମୁଁ କହିପାରୁନାହିଁ ।

 

ଏହିଭଳି ଅବସ୍ଥାରେ ମୋର ମାଂସ ଖାଇବା ସଂକଳ୍ପ ମୋ ପକ୍ଷରେ ବଡ଼ ଗମ୍ଭୀର ଓ ଭୟଙ୍କର ବିଷୟ ହୋଇପଡ଼ିଥିଲା ।

 

କିନ୍ତୁ ମୋର ତ ସଂସ୍କାର କରିବାର କଥା । ମାଂସହାରର ସୌକ ମୋର ଆଦୌ ନ ଥିଲା । ମାଂସର ସ୍ୱାଦ ଅଛି, ଏଭଳି ଧାରଣାରେ ମୁଁ ମାଂସ ଖାଇବା ଆରମ୍ଭ କରି ନ ଥିଲି । ମୋର ତ ବଳୁଆ ନିର୍ଭୀକ ହେବାର ଉଦ୍ଦେଶ୍ୟ ଥାଏ ଏବଂ ଅନ୍ୟକୁ ମଧ୍ୟ ସେୟା ହେବାପାଇଁ ଡାକଦେଇ, ତା’ର ଫଳରେ ଇଂରେଜଙ୍କୁ ହରେଇ ହିନ୍ଦୁସ୍ଥାନକୁ ସ୍ୱାଧୀନ କରିବାର ଉଦ୍ଦେଶ୍ୟ ମଧ୍ୟ ଥାଏ । ସେତେବେଳକୁ ସ୍ୱରାଜ ଶବ୍ଦ ମୁଁ ଶୁଣି ନଥିଲି । ସଂସ୍କାର ମୋହରେ ମୁଁ ବୁଦ୍ଧି ହରେଇଥିଲି ।

 

ଶୋଚନୀୟ ଘଟଣା

 

ଧୈର୍ଯ୍ୟ ଦିନ ଆସିଗଲା । ମୋର ଅବସ୍ଥାର ଠିକ୍ ଠିକ୍ ବର୍ଣ୍ଣନା କରିବା ମୋ ପକ୍ଷରେ ମୁସ୍କିଲ କଥା । ଗୋଟାଏ ଆଡ଼ୁ ସଂସ୍କାର ପାଇଁ ଉତ୍ସାହ ଓ ଜୀବନରେ ଏ ଗୁରୁତର ପରିବର୍ତ୍ତନ କରିବାରେ ଏକ ନୂତନତ୍ୱ ଏବଂ ଅନ୍ୟ ଏକ ଆଡ଼ୁ ଚୋର ଭଳି ଲୁଚେଇ ଲୁଚେଇ କାର୍ଯ୍ୟ କରିବାରେ ଲଜ୍ଜା—ଏ ଦୁହିଁଙ୍କ ଭିତରେ କେଉଁଟି ପ୍ରଧାନ ଥିଲା, ତାହା ମୋର ଠିକ୍ ସ୍ମରଣ ନାହିଁ ।

 

ଆମେ ନଈ ଆଡ଼େ ନିର୍ଜ୍ଜନ ସ୍ଥାନଟିଏ ଖୋଜି ବାହାରିଲୁ । ଦୂରକୁ ଯାଇ କେହି ଦେଖି ପାରିବ ନାହିଁ ଏମିତି ଆଢ଼ୁଆଳ କୋଣଟିଏ ପାଇଲୁ ଏବଂ ସେଠାରେ କେବେ ଦେଖି ନଥିବା ମାଂସକୁ ମୁଁ ଦେଖିଥିଲି । ସାଙ୍ଗରେ ରୋଟିବାଲା ଘରୁ ଆଣିଥିବା ପାଉଁରୁଟି ମଧ୍ୟ ଥିଲା । ଦୁଇଟିରୁ କୌଣସିଟି ମୋତେ ରୁଚି ନ ଥିଲା । ମାଂସ ତ ଚମପରି ଲାଗିଲା । ଖାଇବା ଅସମ୍ଭବ ହୋଇ ପଡ଼ିଥିଲା । ମୋତେ ବାନ୍ତି ମାଡ଼ିଲା । ଖାଇବା ବନ୍ଦ ହେଲା ।

 

ମୋର ସେ ରାତିଟି ବହୁ ଦୁଶ୍ଚିନ୍ତାରେ କଟିଲା । ନିଦ ଆସିଲା ନାହିଁ । ସ୍ୱପ୍ନରେ ଲାଗେ ସତେ ଯେମିତି ଦେହ ଭିତରେ ଛେଳିଟି ଜୀଇଉଠି କାନ୍ଦୁଛି । ମୁଁ ଚମକି ଉଠେ, ଅନୁତାପ ଆସେ । ପୁଣି ବିଚାରେ, ମୋର ମାଂସାହାରରେ ତ ମୁକ୍ତି, ସାହସ ଛାଡ଼ିବି ନାହିଁ । ତେଣେ ବନ୍ଧୁଟି ହଟିଯିବା ଲୋକ ନ ଥିଲା । ସେ ଏଣିକି ମାଂସକୁ ନୂଆ ନୂଆ ପ୍ରକାରରେ ରାନ୍ଧି ତାକୁ ସଜେଇ ସଜେଇ ରୂପକୁ ତା’ର ଘୋଡ଼େଇ ପକେଇବାକୁ ଚେଷ୍ଟା କରୁଥାଏ । ନଈ ପାଖକୁ ଯିବା ପରିବର୍ତ୍ତରେ କୌଣସି ବଚୁର୍ଚି (ରୋଷେୟା) ସଙ୍ଗେ ଯୋଗାଡ଼ କରି ଲୁଚେଇ ଲୁଚେଇ ଏକ ସରକାରୀ ଡାକବଙ୍ଗଳାକୁ ଯିବାର ବ୍ୟବସ୍ଥା ହୋଇଗଲା । ସେଠି ମେଜ କୁର୍ଚା ପ୍ରଭୃତି ଜିନିଷର ପ୍ରଲୋଭନରେ ମୋତେ ପକାଇଥିଲେ ଏବଂ ତାର ପ୍ରଭାବ ମୋଠି ପଡ଼ିଥିଲା । ରୁଟି ପ୍ରତି ଘୃଣା କମି ଯାଇଥିଲା, ଛେଳି ପ୍ରତି ମାୟା ଛାଡ଼ି ଯାଇଥିଲା ଏବଂ ମାଂସ କହିଲେ ଠିକ୍ ହେବନାହିଁ—ମାଂସଓ୍ୱାଲା ଚିଜ ତୁଣ୍ଡରେ ଗଳିଲା । ଏମିତି ବର୍ଷଟିଏ ଯାଇଥିବ ଏବଂ ତା ମଧ୍ୟରେ ପାଞ୍ଚ ଛଅଥର ମାତ୍ର ମାଂସ ଖାଇବା ହୋଇଥିବ । କାରଣ ଡାକ ବଙ୍ଗଳା ତ ସବୁବେଳେ ମିଳେ ନାହିଁ । ସବୁବେଳେ ମାଂସରେ ସୁଆଦିଆ ଭଲ ଜିନିଷ ତିଆରି ହୋଇପାରେ ନାହିଁ । ପୁଣି ଏ ସବୁ ପାଇଁ ପଇସା ଲୋଡ଼ା । ମୋ ପାଖରେ ତ କାଣି କଉଡ଼ି ନ ଥାଏ, ଫଳରେ ମୋଠୁ କିଛି ସାହାଯ୍ୟ ମିଳେ ନାହିଁ । ସେ କୁଆଡ଼ୁ ପଇସା ଆଣେ, ତାହା ମତେ ଆଜି ସୁଦ୍ଧା ଖବର ନାହିଁ । ତାହାର ଉଦ୍ଦେଶ୍ୟ ଥିଲା ମତେ କୌଣସି ରକମ ମାଂସାହାରୀ କରି କଳୁଷିତ କରିଦେବା । ସେଥିପାଇଁ ସେ ନିଜେ ପଇସା ଯୋଗାଡ଼ କରୁଥିଲା । କିନ୍ତୁ ତାହା ପାଖରେ ତ ଅସରନ୍ତି ଭଣ୍ଡାର ନ ଥିଲା । ଅତଏବ ଏଭଳି ଖିଆପିଆ ଅଳ୍ପ ହୋଇ ପାରୁଥିଲା ।

 

ଏଣେ ଏ ସବୁ ଯେତିକି ବେଶୀ ବେଶୀ ଖାଇଲି, ତେଣେ ଘରେ ଖାଇବା ରୁଚିଲା ନାହିଁ-। ମା ଖାଇବାକୁ ଡାକିଲେ ମୁଁ ମିଛ ବାହାନା କରେ, ‘‘ଆଜି ଭୋକ ନାହିଁ, ହଜମ ହୋଇ ନାହିଁ-।’’ ଏମିତି ପ୍ରତିଥର କହିଲାବେଳେ ମେତେ ଭାରି ବାଧେ । ଏତେ ମିଛ, ତା’ ପୁଣି ମା ଆଗରେ । ପୁଣି ବାପ ମା ଯେମିତି ଜାଣିବେ ଯେ ପୁଅ ମାଂସ ଖାଉଛି, ତାଙ୍କ ମୁଣ୍ଡରେ ବଜ୍ର ପଡ଼ିଯିବ—ଏ ସବୁ ଚିନ୍ତା ମୋ ମନକୁ କୋରି ଖାଇ ଯାଇଥିଲା । ସେଥିଯୋଗୁଁ ମୁଁ ସଂକଳ୍ପ କଲି, ‘‘ମାଂସ ଖାଇବାର ଆବଶ୍ୟକତା ଅଛି, ତାର ପ୍ରଚାର କରି ଭାରତରେ ସଂସ୍କାର କରିବି । କିନ୍ତୁ ବାପାଙ୍କୁ ମା’ଙ୍କୁ ଠକେଇ ମିଛ କହିବି, ଏହା ମାଂସ ଖାଇବା ଠାରୁ ଖରାପ ଅଟେ । ସେଥିପାଇଁ ବାପା ମା’ଙ୍କର ଜୀବଦ୍ଦଶାରେ ମାଂସ ଖାଇବି ନାହିଁ । ତାଙ୍କ ମୃତ୍ୟୁ ପରେ ସ୍ୱାଧୀନ ହେଲେ ଖୋଲାଖୋଲି ମାଂସ ଖାଇବି ଏବଂ ସେ ବେଳ ନ ଆସିବା ଯାଏ ମାଂସ ଖାଇବା ଛାଡ଼ି ଦେବି ।’’ ମୋର ଏ ସଂକଳ୍ପ ବନ୍ଧୁଙ୍କୁ ଜଣାଇ ଦେଲି ଏବଂ ସେହିଦିନଠାରୁ ଯେ ମାଂସ ଛାଡ଼ିଛି ତ ଛାଡ଼ିଛି । ବାପା ମା କେବେ ଜାଣି ପାରି ନାହାନ୍ତି ଯେ ପୁଅ ମାଂସ ଖାଇସାରିଛି ।

 

ପିତାମାତାଙ୍କୁ ଠକାଇବି ନାହିଁ ଏହି ଭଳି ବୁଦ୍ଧିରେ ମାଂସାହାର ଛାଡ଼ିଲି, ମାତ୍ର ସେ ବନ୍ଧୁଙ୍କୁ କେବେ ଛାଡ଼ିଲି ନାହିଁ । ମୁଁ ସଂସ୍କାର କରିବାକୁ ବାହାରି ବାଟହୁଡ଼ି ପଙ୍କରେ ପଡ଼ିଲି; ତଥାପି ମୋର ଜ୍ଞାନ ହୋଇ ନଥାଏ ।

 

ସେହି ବନ୍ଧୁତ୍ୱରୁ ମୁଁ ବ୍ୟଭିଚାରରେ ମଧ୍ୟ ପଡ଼ିଲି । ଥରେ ଏହି ବନ୍ଧୁ ମତେ ବେଶ୍ୟା ସାହିକୁ ନେଇଗଲେ । ସେଠି ମତେ ଶିଖେଇ ଶାଖେଇ ଏକ ବେଶ୍ୟା ଘରକୁ ପଠେଇ ଦେଲେ । ମତେ ସେଠି ପଇସା କଉଡ଼ି କିଛି ଦେବାକୁ ପଡ଼ି ନ ଥିଲା । ଦେଣ ନେଣ କାମ ସରିଲା । ମୋର କେବଳ ରହସ୍ୟାଳାପ କରିବାର ଥିଲା । ମୁଁ ଘର ଭିତରେ ପଶି ଅଟକରେ ପଡ଼ିଲି ସତ, ମାତ୍ର ଈଶ୍ୱର ଯାହାକୁ ରକ୍ଷା କରିବାକୁ ଇଚ୍ଛା କରୁଥିବେ, ସେ ନିଜେ ପାପରେ ପଡ଼ିବାକୁ ଇଚ୍ଛା କରୁଥିଲେ ସୁଦ୍ଧା, ପବିତ୍ର ରହିପାରିବ । ମୁଁ କୋଠରୀ ଭିତରେ ଅନ୍ଧପରି ହୋଇଗଲି । ମୋ ପାଟିରୁ କଥା ସ୍ଫୁରିଲା ନାହିଁ । ଲାଜରେ କାଠ ହୋଇ ସେ ସ୍ତ୍ରୀ ପାଖରେ ଖଟରେ ବସିଲି ସତ; ମାତ୍ର କିଛି କହିପାରି ନଥିଲି । ସ୍ତ୍ରୀଲୋକଟି ରାଗିଯାଇ ମତେ ଦି ଚାରୋଟି ଧକ୍‌କା ଦେଇ ବାହାର କରିଦେଇଥିଲା ।

 

ସେତେବେଳେ ମୋର ମଣିଷପଣିଆ ପ୍ରତି ଧିକ୍‌କାର ଆସିଥିଲା ବୋଲି ମନେ ହେଉଛି ଏବଂ ପୃଥିବୀ ଫାଟି ଦ୍ୱିଧା ହେଉ ଓ ମୁଁ ସେଥିରେ ପଶିଯାଏ—ଏମିତି ଇଚ୍ଛା ହେଉଥାଏ । କିନ୍ତୁ ମତେ ଏମିତି ଉଦ୍ଧାରି ନେବାପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି । ଏଭଳି ଘଟଣା ମୋ ଜୀବନରେ ଆଉ ଚାରୋଟି ଘଟିଛି । ସେଥିରେ ଅଧିକାଂଶ ସ୍ଥଳରେ ମୋର କୌଣସି ଚେଷ୍ଟାବିନା ଦୈବ ସଂଯୋଗରୁ ମୁଁ ରକ୍ଷା ପାଇଥିବାର ମନେ କରୁଛି । ବିଶୁଦ୍ଧ ଦୃଷ୍ଟିରେ ଦେଖିଲେ ତ ମୋର ଏ ଘଟଣାରେ ପତନ ହୋଇଛି ବୋଲି ଧରାଯିବ । ମୁଁ ଇନ୍ଦ୍ରିୟଭୋଗ ଇଚ୍ଛା କଲି; ଅତଏବ ତାହା ମୁଁ କରିସାରିଲି । ତଥାପି ଲୌକିକ ଦୃଷ୍ଟିରେ ଇଚ୍ଛା କରି ମଧ୍ୟ ପ୍ରତ୍ୟକ୍ଷ କର୍ମରୁ ଯେ ରକ୍ଷାପାଏ, ଆମେ ତାକୁ ବଞ୍ଚିଗଲା ବୋଲି କହିଥାଉଁ ଏବଂ ମୁଁ ଏ ଘଟଣାରେ ଏହି ପ୍ରକାରେ ଏତିକି ପରିମାଣରେ ରକ୍ଷା ପାଇଛି ବୋଲି ଧରାଯିବ । ପୁଣି ଏମିତି କେତେ କାର୍ଯ୍ୟ ଅଛି ଯାହାକୁ କରିବାରୁ ରକ୍ଷା ପାଏ, ତାହା ସେ ବ୍ୟକ୍ତି ଓ ତା’ର ସମ୍ପର୍କରେ ଆସିଥିବା ଲୋକଙ୍କ ପାଇଁ ମଧ୍ୟ ଲାଭଜନକ ହୋଇଥାଏ ଏବଂ ଯେଉଁଠାରେ ବିଚାର ଶୁଦ୍ଧ ଥାଏ, ସେଠାରେ ସେ କାର୍ଯ୍ୟରୁ ରକ୍ଷା ପାଇବା ଈଶ୍ୱରଙ୍କର ଅନୁଗ୍ରହ ବୋଲି ମନେ କରେ । ମଣିଷ ପାପ କରିବ ନାହିଁ ବୋଲି ଚେଷ୍ଟା କରି ମଧ୍ୟ ପାପରେ ପଡ଼ିଯାଏ । ଏହା ଯେମିତି ଆମର ଅନୁଭବ, ସେମିତି ମଧ୍ୟ ଯେ ପାପରେ ପଡ଼ିବାକୁ ଇଚ୍ଛା କରୁଥାଏ ସେ ମଧ୍ୟ ଅନେକ ଦୈବୀ ସଂଯୋଗରୁ ବଞ୍ଚିଯାଏ, ଏହା ମଧ୍ୟ ଏକ ଅନୁଭବସିଦ୍ଧ ତଥା । ଏଥିରେ ମଣିଷର ଆପଣା ଉଦ୍ୟମ, ପୁରୁଷାର୍ଥ କେତେ, ଦୈବୀ ବା କେତେ କିମ୍ବା କେଉଁ ନିୟମ ଅନୁସାରେ ମଣିଷ ଶେଷରେ ପଡ଼ିଯାଏ ବା ବଞ୍ଚିଯାଏ, ଏ ପ୍ରଶ୍ନ ଗୂଢ଼ ପ୍ରଶ୍ନ । ତାହାର ସମାଧାନ ଆଜିଯାଏ ହୋଇନାହିଁ ଏବଂ ଶେଷରେ ସମାଧାନ ହେବ କି ନାହିଁ ଏହା ମଧ୍ୟ କହିବା କଠିନ ।

 

କିନ୍ତୁ ଆମେ ଆଗକୁ ଚାଲିବା । ସେହି ବନ୍ଧୁର ସଙ୍ଗ ଅନିଷ୍ଟକାରକ ଥିଲା ବୋଲି ମୋର ଏ ପର୍ଯ୍ୟନ୍ତ ଜ୍ଞାନ ହୋଇ ନ ଥାଏ, ସେତକ ହେବା ପୂର୍ବରୁ ମୋର ଅନ୍ୟ କେତେକ କଟୁ ଅନୁଭବ ପାଇବାର ବାକି ଥିଲା । ଯେଉଁସବୁ ଦୋଷ ତାହାଠାରେ ନାହିଁ ବୋଲି କଳ୍ପନା କରୁଥିଲି ସେ ସବୁ ଦୋଷ ତାଠାରେ ପ୍ରତ୍ୟକ୍ଷ ଦେଖିବାରୁ ମୁଁ ସବୁ କଥା ବୁଝି ପାରିଥିଲି; କିନ୍ତୁ ମୁଁ ସମୟ ଅନୁସାରେ ମୋର ସବୁ ଅଭିଜ୍ଞତା ଲେଖିଯାଉଛି, ସେଥିଯୋଗୁ ସେ ସବୁ କଥା ପରେ ଆସିବ ।

 

ଏହି ସମୟର ଆଉ ଗୋଟିଏ ବିଷୟ ଅଛି, ତାହା କହିବାକୁ ପଡ଼ିବ । ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କେତେକ ମତଭେଦ ଓ ଘରକଳି ସୃଷ୍ଟିହୋଇଥିଲା । ତା’ର କାରଣ ମଧ୍ୟ ଏହି ବନ୍ଧୁସଙ୍ଗ ଥିଲା । ମୁଁ ଆଗରୁ କହିଯାଇଛି ଯେ ମୁଁ ଏକ ସ୍ନେହୀ ତଥା ସନ୍ଦେହୀ ସ୍ୱାମୀ ଥିଲି । ଏ ବନ୍ଧୁତା ମୋର ସନ୍ଦେହକୁ ବଢ଼ାଉଥିଲା । କାରଣ, ମିତ୍ରର ସତ୍ୟବାଦୀତା ଉପରେ ମୋର କେବେ ଅବିଶ୍ୱାସ ନ ଥାଏ । ବନ୍ଧୁର କଥାରେ ପଡ଼ି ମୁଁ ମୋର ଧର୍ମପତ୍ନୀକୁ କେତେ ଦୁଃଖ ଦେଇଛି । ସେତକ ହିଂସା ପାଇଁ ମୁଁ କଦାପି ନିଜକୁ କ୍ଷମା କରିନାହିଁ । ଏଭଳି ଦୁଃଖ ହିନ୍ଦୁ ସ୍ତ୍ରୀକୁ ସହିବାକୁ ପଡ଼େ ଏବଂ ସେଥିଯୋଗୁ ତ ମୁଁ ସବୁଦିନେ ନାରୀକୁ ମୂର୍ତ୍ତିମତୀ ସହନଶୀଳତା ରୂପରେ ଦେଖିଆସିଛି । ଚାକର ଉପରେ ମିଛ ସନ୍ଦେହ ହେଲେ ଚାକର ଚାକିରି ଛାଡ଼େ, ପୁତ୍ର ଉପରେ ଏମିତି ହେଲେ ସେ ବାପଘର ଛାଡ଼ି ଯାଏ । ବନ୍ଧୁ ବନ୍ଧୁ ଭିତରେ ସନ୍ଦେହ ଜନ୍ମିଲେ ବନ୍ଧୁତା ଭାଙ୍ଗିଯାଏ । ସ୍ତ୍ରୀ ସ୍ୱାମୀ ଉପରେ ସନ୍ଦେହ କଲେ ସେ ସବୁ ମନେ ମନେ ମାରି ତୁନି ରହେ । କିନ୍ତୁ ପତି ଯେବେ ପତ୍ନୀ ଉପରେ ସନ୍ଦେହ କରେ, ତେବେ ତ ବିଚାରୀ ସ୍ତ୍ରୀର ଦୁର୍ଭାଗ୍ୟ ଘଟେ । ସେ ଯିବ କୁଆଡ଼େ ? ତଥାକଥିତ ଉଚ୍ଚବର୍ଣ୍ଣ ହିନ୍ଦୁ ସ୍ତ୍ରୀ ଅଦାଲତକୁ ଯାଇ ବିବାହ ବନ୍ଧନକୁ ଛିଣ୍ଡେଇ ପାରେ ନାହିଁ, ଏଭଳି ଏକ ପକ୍ଷପାତୀ ନ୍ୟାୟ ତାହା ପାଇଁ ରହିଛି । ଏଭଳି ନ୍ୟାୟରେ ଦିଆଯାଇଥିବା ଦୁଃଖ କଦାପି ଭୁଲିଯିବା ସମ୍ଭବ ନୁହେଁ । ମୋର ଯେତେବେଳେ ଅହିଂସାର ସୂକ୍ଷ୍ମ ଜ୍ଞାନ ହେଲା, ସେତେବେଳେ ଯାଇ ମୋର ଏ ସନ୍ଦେହ ସମ୍ପୂର୍ଣ୍ଣ ଦୂର ହେଲା । ଅର୍ଥାତ୍‌ ମୁଁ ଯେତେବେଳେ ବ୍ରହ୍ମଚର୍ଯ୍ୟର ମହିମା ଉପଲବ୍‌ଧି କରିଥିଲି, ସେତେବେଳେ ବୁଝିପାରିଥିଲି ଯେ ସ୍ତ୍ରୀ ସ୍ୱାମୀର ଦାସୀ ନୁହେଁ; କିନ୍ତୁ ତା’ର ସହଧର୍ମିଣୀ, ସହଚାରିଣୀ । ଉଭୟ ପରସ୍ପର ସୁଖ ଦୁଃଖର ସମାନ ଭାଗିଦାର ଅଟନ୍ତି ଏବଂ ଭଲ ମନ୍ଦ ଅଚରିବାରେ ସ୍ୱାମୀର ଯେମିତି ସ୍ୱାଧିନତା ଅଛି ସ୍ତ୍ରୀର ମଧ୍ୟ ସେତିକି ସ୍ୱାଧିନତା ଅଛି । ମୋର ସନ୍ଦେହ କରିବା ବେଳର କଥା ମୁଁ ଯେବେ ମନେ ପକାଉଛି, ସେତେବେଳେ ମୋର ମୂର୍ଖପଣିଆ ଓ କାମାନ୍ଧ ନିର୍ଦ୍ଦୟତା ପ୍ରତି ମୋର କ୍ରୋଧ ହେଉଛି । ସେ ବନ୍ଧୁତ୍ୱରେ ମୋର ମୋହ ପାଇଁ ଦୟା ମଧ୍ୟ ହେଉଛି ।

 

ଚୋରୀ ଓ ପ୍ରାୟଶ୍ଚିତ୍ତ

 

ମାଂସ ଖାଇବା ସମୟରେ ଓ ତା’ର ପୂର୍ବରୁ କେତୋଟି କଳଙ୍କର ବର୍ଣ୍ଣନା କରିବା ପର୍ଯ୍ୟନ୍ତ ବାକି ଅଛି । ସେଗୁଡ଼ିକ ବିବାହ ପୂର୍ବରୁ କିମ୍ବା ଠିକ୍‌ ତାର ପରର ଘଟଣା । ମୋର ଏକ ସାଥୀ ସାଙ୍ଗରେ ବିଡ଼ି ଟାଣିବାର ସଉକ ହେଲା । ଆମ ପାଖରେ ପଇସା ନ ଥାଏ । ବିଡ଼ି ପିଇବାରେ କିଛି ଲାଭ ଅଛି କିମ୍ବା ତା’ର ଗନ୍ଧରେ ମଜା ଅଛି ବୋଲି ଆମ ଦୁହିଁଙ୍କ ଭିତରୁ ଜଣକୁ ହେଲେ ଲାଗୁ ନ ଥିଲା; କିନ୍ତୁ କେବଳ ଧୂଆଁ ବାହାର କରିବାରେ କିଛି ଆନନ୍ଦ ଥିଲାପରି ଲାଗୁଥିଲା-। ମୋ ଦାଦିଙ୍କର ବିଡ଼ି ପିଇବାର ଅଭ୍ୟାସ ଥାଏ । ତାଙ୍କୁ ଓ ଅନ୍ୟମାନଙ୍କୁ ଧୂଆଁ ବାହାର କରିବାର ଦେଖି ଆମର ବିଡ଼ି ଟାଣିବାର ଇଚ୍ଛା ହେଲା । ପଇସା ତ ଅଣ୍ଟାରେ ନ ଥାଏ । ସେଥିପାଇଁ ଦାଦି ବିଡ଼ିଖାଇ ଯେ ମୁଣ୍ଡ ସବୁ ପକେଇ ଦେଉଥିଲେ, ତାକୁ ଚୋରି କରିବାକୁ ଆରମ୍ଭ କଲୁ-

 

ମାତ୍ର ମୁଣ୍ଡି ସବୁବେଳେ ମିଳିବ ବା କେଉଁଠୁ ? ସେଥିରୁ ଧୂଆଁ ମଧ୍ୟ ବେଶି ବାହାରେ ନାହିଁ । ତହୁଁ ଚାକର ପାଖରେ ଯେ ଦି’ ଚାରିଟା ଅଧଲା ଥାଏ, ମଧ୍ୟେ ମଧ୍ୟେ ସେଥିରୁ ଗୋଟାଏ ଦି’ଟା ଚୋରି କରିବା ଅଭ୍ୟାସ କଲୁ । ସେଥିରେ ବିଡ଼ି କିଣୁ; କିନ୍ତୁ ବିଡ଼ିକୁ ରଖିବୁ କେଉଁଠାରେ ? ଏ ପ୍ରଶ୍ନ ଉଠିଲା । ମୁରବୀଙ୍କ ଆଗରେ ତ ବିଡ଼ି ପିଇହେବ ନାହଁ, ଏହା ଜଣାଶୁଣା । ତେଣୁ ଦି’ଚାରିଟା ଅଧଲା ଚୋରେଇ କେତେ ସପ୍ତାହ ଚଳେଇ ଦେଲୁ । ମଝିରେ ଶୁଣିଲୁ, ଗୋଟିଏ ଜାତି ଗଛ ଅଛି । ତା’ର ନାମ ଭୁଲି ଯାଇଛି । ତାର ଡାଙ୍ଗ ବିଡ଼ି ଭଳି ଜଳେ ଏବଂ ତାକୁ ଟାଣି ହେବ । ଆମକୁ ତାହା ମିଳିଯିବାରୁ କିଛିକାଳ ତାକୁ ଟାଣିଲୁ ।

 

କିନ୍ତୁ ଆମର ମନ ମାନିଲା ନାହିଁ । ଆମର ପରାଧୀନତା ମନକୁ ଭାରି ବାଧିଲା । ମୁରବୀଙ୍କର ବିନା ଅନୁମତିରେ କିଛି ହେବ ନାହିଁ, ଏ ଦୁଃଖ ବଳେଇଲା । ଆମେ ବିରକ୍ତ ହୋଇଗଲୁ ଓ ଆତ୍ମହତ୍ୟା କରିବା ସ୍ଥିର କଲୁ । ମାତ୍ର ଆତ୍ମହତ୍ୟା କରିବ କେମିତି ? ବିଷ କିଏ ଦେବ ? ଆମେ ଶୁଣିଲୁ ଧୁତୁରା ମଞ୍ଜି ଖାଇଲେ ମରିଯାନ୍ତି । ଆମେ ପଡ଼ିଆ ଜଙ୍ଗଲରୁ ତାହା ସଂଗ୍ରହ କରି ଆଣିଲୁ । ସଂଧ୍ୟା ସମୟ ଠିକ୍‌ କଲୁ । କେଦାରଜୀଙ୍କର ମନ୍ଦିରରେ ଘିଅ ଦୀପ ଚଢ଼େଇଲୁ, ଦର୍ଶନ କଲୁ ଏବଂ ଏକ ନିର୍ଜନ ଜାଗାକୁ ଗଲୁ । କିନ୍ତୁ ବିଷ ଖାଇବାକୁ ସାହସ ହେଲା ନାହିଁ । ଶୀଘ୍ର ମୃତ୍ୟୁ ନ ହେବ ତ ମରି ଲାଭ କଣ ? ପରାଧୀନତା କାହିଁକି ନ ଭୋଗୀ ମୁକ୍ତ ହେବୁ । ତଥାପି ଦୁଇ ଚାରୋଟି ମଞ୍ଜି ଖାଇଲୁ । ଆଉ ବେଶି ଖାଇବାକୁ ସାହସ ହେଲା ନାହିଁ । ଉଭୟ ମରଣକୁ ଡରିଲୁ ଓ ରାମଜୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ଶାନ୍ତ ହେଲୁ । ଆତ୍ମହତ୍ୟା ବିଷୟ ଭୁଲି ଯିବାପାଇଁ ପ୍ରସ୍ତାବ ମଧ୍ୟ କଲୁ ।

 

ମୁଁ ବୁଝିଛି ଯେ, ଆତ୍ମହତ୍ୟା କରିବା କଥା ବିଚାର ବଡ଼ ସହଜ ମାତ୍ର ଆତ୍ମହତ୍ୟା କରିବା ସହଜ ନୁହେଁ । ଏଥିପାଇଁ ଯେତେବେଳେ କେହି ଆତ୍ମହତ୍ୟା କରିବାକୁ ଧମକାଏ, ତା’ର ପ୍ରଭାବ ମୋ ଉପରେ ବହୁତ କମ୍‌ ହୋଇଥାଏ । ବରଂ ଆଦୌ ହୁଏ ନାହିଁ ବୋଲି କହିଲେ ଚଳିବ ।

 

ଏ ଆତ୍ମହତ୍ୟା ବିଚାରର ଗୋଟିଏ ପରିଣାମ ଏୟା ହେଲା ଯେ, ଆମେ ଦୁହେଁ ଅଇଁଠା ବିଡ଼ି ଚୋରି କରି ଟାଣିବା କଥା, ଚାକରର ଅଧଲା ଚୋରି କରିବା ବା ସେଥିରେ ବିଡ଼ି ନେଇ ପିଇବା, ଏ ଅଭ୍ୟାସକୁ ମୁଁ ଜଙ୍ଗଲି, କଦର୍ଯ୍ୟ ଓ ହାନିକାରକ ବୋଲି ସର୍ବଦା ମନେ କରିଥାଏ । ଦୁନିଆରେ ବିଡ଼ି ସୌକ କେମିତି ଏଡ଼େ ଜବରଦସ୍ତ ହୋଇ ମାଡ଼ିବସିଛି, ତା’ ବୁଝିବାର ଶକ୍ତି ମୋର ନାହିଁ । ରେଳ ଡବାରେ ଯେଉଁଠି ବିଡ଼ି ଟାଣୁଥାନ୍ତି, ସେଠି ମୋର ବସିବା କଠିନ ହୋଇଥାଏ ଏବଂ ସେ ଧୂଆଁରେ ମୁଁ ରୁନ୍ଧି ହୋଇଯାଏ ।

 

ବିଡ଼ି ମୁଣ୍ଡି ଚୋବେଇବା ବା ସେଥିପାଇଁ ଚାକରର ଅଧଲା ଚୋରଇବାଠାରୁ ବଳି ଗୋଟିଏ ବଡ଼ ଚୋରି କରିଥିଲି ଏବଂ ତାକୁ ମୁଁ ବଡ଼ ଗୁରୁତର ମନେ କରୁଛି । ବିଡ଼ି ଖାଇବା ଦୋଷ ହେଲାବେଳେ ବୟସ ବାର ତେର ବର୍ଷ କିମ୍ବା ତା ଠାରୁ କମ୍‌ଥିଲା । ଅନ୍ୟ ଚୋରିବେଳେ ବୟସ ପନ୍ଦରବର୍ଷ ହୋଇଥିଲା । ସେଥର ମୋର ମାଂସାହାରୀ ଭାଇର ସୁନା ଅନନ୍ତରୁ ଖଣ୍ଡେ ସୁନା ଚୋରି କରିଥିଲୁ । ତାଙ୍କର ଅଳ୍ପ କିଛି ଅର୍ଥାତ୍‌ ପଚିଶଟଙ୍କା ଭଳି କରଜ ଥିଲା । ଏହାକୁ କିମିତି ଶୁଝିବା, ଦୁଇଭାଇ ବିଚାର କରୁଥାଉ । ମୋ ଭାଇ ହାତରେ ନିଦା ସୁନାର ଅନନ୍ତ ଥିଲା । ସେଥିରୁ ତୋଳାଏ ସୁନା କାଟିନେବା କଠିଣ ନ ଥିଲା ।

 

ଅନନ୍ତ କଟା ହେଲା । କରଜ ଶୁଝାଗଲା । କିନ୍ତୁ ଏହା ଅସହ୍ୟ ହୋଇ ପଡ଼ିଲା । ଏଣିକି ଆଉ ଚୋରୀ ନ କରିବାକୁ ସଂକଳ୍ପ କଲି, ବାପାଙ୍କ ପାଖରେ ଦୋଷୀ ସ୍ୱୀକାର କରିବା ଉଚିତ ବୋଲି ମୋର ମନେ ହେଲା । ସେଠି କଥା ତ ପଇଟିବ ନାହିଁ । ବାବା ଯେ ମୋତେ ମାରିବେ, ସେ ଭୟ ନ ଥାଏ । କେବେ ସେ ଆମ ଭାଇଙ୍କ ଭିତରୁ କାହାକୁ ଏମିତି ଶାସ୍ତି ଦେଇଥିବାର ମୋର ମନେ ନାହିଁ । ମାତ୍ର ସେ ଦୁଃଖିତ ହୁଅନ୍ତେ, ହୁଏତ ମୁଣ୍ଡକୁଟି ହୁଅନ୍ତେ । ଏ ବିପଦ ଥିଲେ ମଧ୍ୟ ଦୋଷ ସ୍ୱୀକାର କରିବା ଉଚିତ ଏବଂ ତାହାଛଡ଼ା ଶୁଦ୍ଧି ହେବ ନାହିଁ ବୋଲି ମୁଁ ବୁଝିଥିଲି ।

 

ଶେଷରେ ଚିଠି ଲେଖି ଦୋଷ ମାନିବି ଓ କ୍ଷମାମାଗିବି ବୋଲି ସ୍ଥିର କଲି । ମୁଁ ଚିଠି ଲେଖି ହାତେ ହାତେ ବଢ଼େଇ ଦେଲି । ଚିଠିରେ ସବୁ ଦୋଷ ସ୍ୱୀକାର କରି ଶାସ୍ତି ମାଗିଥିଲି । ସେ ଯେପରି ନିଜ ଉପରକୁ ଦୋଷ ଟାଣି ନ ନିଅନ୍ତି, ସେଥିପାଇଁ ଅତି ପ୍ରେମପୂର୍ବକ ନେହୁରା ହୋଇଥିଲି ଏବଂ ଭବିଷ୍ୟତରେ ପୁଣି ଏ ଭଳି ଦୋଷ କରିବି ନାହିଁ ବୋଲି ପ୍ରତିଜ୍ଞା କରିଥିଲି । ମୁଁ ଥରିଥରି ଚିଠି ଖଣ୍ଡିକ ବାପାଙ୍କ ହାତରେ ଦେଇଥିଲି । ମୁଁ ତାଙ୍କର ତକ୍ତପୋଷ ପାଖରେ ବସିପଡ଼ିଲି । ସେତେବେଳେ ସେ ଭଗନ୍ଦରରେ କଷ୍ଟ ପାଉଥିଲେ ଓ ସେଥିପାଇଁ ଖଟରେ ପଡ଼ିଥିଲେ । ମାତ୍ର ଖଟ ପରିବର୍ତ୍ତନରେ କାଠ ତକ୍ତା ବ୍ୟବହାର କରୁଥିଲେ ।

 

ସେ ଚିଠି ପଢ଼ିଲେ । ତାଙ୍କ ଆଖିରୁ ମୁକ୍ତା ବିନ୍ଦୁଝରି ପଡ଼ିଥିଲା । ଚିଠି ତିନ୍ତିଗଲା । ସେ କେତେକ୍ଷଣ ଆଖି ବୁଜି ଚିଠିଖଣ୍ଡ ଚିରି ପକେଇଲେ ଏବଂ ଚିଠି ପଢ଼ିବାକୁ ସେ ଉଠି ବସିଥିଲେ, ପୁଣି ଶୋଇ ପଡ଼ିଲେ ।

 

ବାପାଙ୍କର ଦୁଃଖ ବୁଝିପାରି ମୁଁ ମଧ୍ୟ କାନ୍ଦିଲି । ମୁଁ ଚିତ୍ରକର ହୋଇଥିଲେ ସେ ଚିତ୍ର ଆଜି ପୂରାପୂରି ଆଙ୍କିପାରନ୍ତି । ସେ ସବୁ ଦୃଶ୍ୟ ଆଜିଯାଏ ମଧ୍ୟ ମୋ ଆଖି ଆଗରେ ଭାସୁଛି ।

 

ଏ ମୁକ୍ତ ବିନ୍ଦୁର ପ୍ରେମବାଣ ମୋତେ ବିଦ୍ଧ କଲା । ମୁଁ ଶୁଦ୍ଧ ହେଲି । ଏ ପ୍ରେମ ଯେ ଅନୁଭବ କରିଥିବ, ସେ ଜାଣିଥିବ । ‘‘ଏ ଅମୋଘ ଅସ୍ତ୍ର ଯାହାଠି ବାଜିଥିବ ସେ ବୁଝିଥିବ, ଧନ ଭଗବତଙ୍କ ଲିଖିତ ଏକ ଗୁଜରାତି ଭଜନର ପ୍ରଥମ ଧାଡ଼ି ରାମବାଣ ବ୍ୟାଖ୍ୟା—ହେୟ ଛେ ଜାଣେ-।’’

 

ମୋ ପାଇଁ ଏ ଘଟଣା ଅହିଂସାର ଏକ ପଦାର୍ଥ ପାଠ ଥିଲା । ସେତେବେଳେ ସେଥିରେ ତ ମୁଁ ପିତୃପ୍ରେମ ଛଡ଼ା ଅନ୍ୟ କିଛି ଦେଖିପାରି ନ ଥିଲି । କିନ୍ତୁ ଆଜି ମୁଁ ତାକୁ ଶୁଦ୍ଧ ଅହିଂସା ବୋଲି ଚିହ୍ନି ପାରୁଛି । ଏ ଭଳି ଅହିଂସା ଯେତେବେଳେ ବ୍ୟାପକ ରୂପ ଧରେ, ସେତେବେଳେ ତା’ ସ୍ପର୍ଶରୁ କିଏ ଅଲିପ୍ତ ରହିପାରେ ? ଏପରି ବ୍ୟାପକ ଅହିଂସାର ବଳକୁ କଳିବା ଅସମ୍ଭବ ।

 

ଏଭଳି ଶାନ୍ତ ଧୀର ସ୍ଥିର ଭାବରେ କ୍ଷମା ଦେବା ବାପାଙ୍କର ପ୍ରକୃତିବିରୁଦ୍ଧ ଥିଲା । ସେ ରାଗନ୍ତି, କଟୁ କଥା ଶୁଣାନ୍ତି, କେତେବେଳେ ମୁଣ୍ଡକୋଡ଼ି ହୁଅନ୍ତି, ମୋର ଏଭଳି ଧାରଣା ଥିଲା । କିନ୍ତୁ ସେ ଯେଭଳି ଅସୀମ ଶାନ୍ତି ଦେଖାଇଲେ, ତାହାର କାରଣ ଥିଲା ମୋର ଦୋଷର ନିଷ୍କପଟ ସ୍ୱୀକାର । ଏହା ମୋର ମତ ଯେ ମଣିଷ ସେହିଭଳି ଅଧିକାର ଥିବା ଲୋକ ଆଗରେ ସ୍ୱେଚ୍ଛାରେ, ନିଜର ଦୋଷକୁ ନିଷ୍କପଟ ଭାବରେ ଏବଂ ପୁଣି କେବେ କରିବି ନାହିଁ ବୋଲି ପ୍ରତିଜ୍ଞା କରି ସ୍ୱୀକାର କରେ ସେହି ସୁବଠୁଁ ଶୁଦ୍ଧ ପ୍ରାୟଶ୍ଚିତ୍ତ କଲା ବୋଲି କୁହାଯିବ । ମୁଁ ବୁଝି ପାରିଛି ଯେ, ମୋର ପ୍ରତିଜ୍ଞା ଯୋଗୁଁ ବାପା ମୋ ସମ୍ବନ୍ଧରେ ନିଶ୍ଚିତ ହୋଇଥିଲେ ଏବଂ ମୋ ପ୍ରତି ତାଙ୍କର ପ୍ରବଳ ସ୍ନେହ ଆହୁରି ବଢ଼ି ଯାଇଥିଲା ।

 

Unknown

ପିତାଙ୍କ ମୃତ୍ୟୁ ଓ ମୋର ଲଜ୍ଜା

 

ଏତେବେଳକୁ ମୋର ବୟସ ଷୋଳବର୍ଷ । ଆମେ ଆଗରୁ ଦେଖିଯାଇଛୁ ଯେ ବାପା ଭଗନ୍ଦର ବେମାରୀରେ ସେତେବେଳକୁ ଶଯ୍ୟାଶାୟୀ ହୋଇଥିଲେ । ତାଙ୍କର ସେବାରେ ମା, ଘରର ଜଣେ ପୁରୁଣା ଚାକର ଓ ମୁଁ ଏ ତିନି ଜଣ ଅଧିକ ସମୟରେ ଲାଗି ରହୁଥିଲୁ । ମୋ କାମ ନର୍ସର କାମ ଥିଲା । ତାଙ୍କର ଘା ଧୁଏ, ସେଥିରେ ଔଷଧ ପକାଏ, ମଲମ ଳଗାଇବାର ଥିଲେ ଲଗାଏ, ତାଙ୍କୁ ଔଷଧ ଖୁଆଏ ଏବଂ ଯେତେବେଳେ ଔଷଧ ତିଆରି କରିବାର ଥାଏ ତାହା ତିଆରି କରେ—ମୋର ବିଶେଷ କାମ ଏୟା ଥିଲା । ରାତିରେ ସବୁବେଳେ ଗୋଡ଼ ଘଷିଦିଏ ଏବଂ ଯେତେବେଳେ ସେ ଛୁଟି ଦିଅନ୍ତି କିମ୍ବା ତାଙ୍କୁ ନିଦ ଲାଗିଯାଏ, ସେତେବେଳେ ମୁଁ ଶୋଇବାକୁ ଯାଏ–ଏହି ନିୟମ ପଡ଼ିଯାଇଥିଲା । ମତେ ଏ ସେବା ଅତି ପ୍ରିୟ ଲାଗୁଥିଲା । ସେଥିରେ ମୁଁ କେବେ ଗଫଲତି କରିଥିବାର ମୋର ମନେ ନାହିଁ । ଏ ସମୟରେ ମୁଁ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲି ଏବଂ ଖାଇବା ପିଇବାରେ ଯାହା ସମୟ ଯାଏ, ତାହାପରେ ସବୁ ସମୟରେ ବିଦ୍ୟାଳୟରେ କିମ୍ବା ବାପାଙ୍କ ସେବାରେ କଟାଉଥିଲି । ବାପାଙ୍କର ଆଜ୍ଞା ପାଇଲେ ଏବଂ ତାଙ୍କର ଦେହ ଟିକିଏ ଆରାମ ଥିଲେ, ମୁଁ ସନ୍ଧ୍ୟାରେ ବୁଲିବାକୁ ଯାଉଥିଲି ।

 

ଏହିବର୍ଷ ମୋର ସ୍ତ୍ରୀ ଗର୍ଭବତୀ ହୋଇଥିଲା । ଏଥିରେ ମୋର ଦୋହରି ଲଜ୍ଜାର କାରଣ ଥିବାର ମୁଁ ଆଜି ବୁଝି ପାରୁଛି । ଗୋଟିଏ ହେଉଛି ଯେ, ପାଠ ପଢ଼ିବା ସମୟ ହେଲେ ସୁଦ୍ଧା ମୁଁ ସଂଯମ ପାଳିପାରି ନ ଥିଲି । ଦ୍ୱିତୀୟ କାରଣ—ମୁଁ ପାଠଶାଳାରେ ପଢ଼ିବାଟାକୁ ନିଜର କର୍ତ୍ତବ୍ୟ ବିଚାରୁଥିଲି ଏବଂ ବାପ ମା’ଙ୍କ ସେବାଟାକୁ ତାହାଠାରୁ ବଳି ବଡ଼ କର୍ତ୍ତବ୍ୟ ମଣୁଥିଲି । ଏପରିକି ପିଲାକାଳୁ ଶ୍ରବଣ ମୋର ଆଦର୍ଶ ହୋଇ ରହିଥିଲା । ଏହା ସତ୍ତ୍ୱେ କାମବାସନା ମୋ ଉପରେ ଚଢ଼ାଉ କରି ପାରିଥିଲା । ମୋତେ ତାହା ଏତେଦୂର ଘାରୁଥିଲା ଯେ, ପ୍ରତି ରାତିରେ ବାପାଙ୍କ ଗୋଡ଼ ଘଷିଦେବାବେଳେ ସୁଦ୍ଧା ମୋ ମନ ଆମ ଶୋଇବା ଘର ଆଡ଼କୁ ଦୌଡ଼ୁଥାଏ ଏବଂ ତା ମଧ୍ୟ ଏପରି ଅବସ୍ଥାରେ ଯେତେବେଳେ ସ୍ତ୍ରୀର ସହବାସ ଧର୍ମଶାସ୍ତ୍ରରେ, ବୈଦ୍ୟଶାସ୍ତ୍ର ଏବଂ ବ୍ୟବହାର ବୁଦ୍ଧିରେ ମଧ୍ୟ କରିବା ଉଚିତ ନ ଥିଲା । ଯେମିତି ମତେ ସେବାରୁ ଛୁଟି ମିଳେ, ସେମିତି ମୁଁ ଖୁସି ହୋଇଯାଏ ଏବଂ ବାପାଙ୍କର ଗୋଡ଼ତଳେ ମୁଣ୍ଡ ଲଗାଇ ସିଧା ଆମ ଶୋଇବା ଘରକୁ ଚାଲିଯାଏ ।

 

ବାପାଙ୍କର ବେମାରୀ ବଢ଼ିବାକୁ ଲାଗିଥିଲା । ବୈଦ୍ୟମାନେ ତାଙ୍କର ଲେପ ଦେଇ ଦେଖିଥିଲେ, ହାକିମମାନେ ମଲମ ପଟି ଦେଇ ପରଖ କରିଥିଲେ, ସାଧାରଣ ଭଣ୍ଡାରୀ ପ୍ରଭୃତିଙ୍କର ଟୁଣୁଟୁଣୁକା ମଧ୍ୟ ଚଳେଇଥିଲୁ । ଇଂରେଜ ଡାକ୍ତର ମଧ୍ୟ ନିଜର ବୁଦ୍ଧି ଖଟାଇଥିଲେ । ଇଂରେଜ ଡାକ୍ତର ସୂଚନା ଦେଇଥିଲେ ଯେ, ଅସ୍ତ୍ରକଲେ ଯାଇ କିଛି ପ୍ରତିକାର ହେବ । ମଝିରେ ଆମ କୁଟୁମ୍ବର ମିତ୍ର ପୁରୁଣା ବୈଦ୍ୟ ଆସିଗଲେ ଏବଂ ବାପାଙ୍କର ଏଭଳି ଶେଷ ଅବସ୍ଥାରେ ଅସ୍ତ୍ର କରିବା କଥାଟାକୁ ସେ ପସନ୍ଦ କରି ନ ଥିଲେ । ଅନେକପ୍ରକାର ବୋତଲ ଔଷଧ ଦିଆଗଲା । ମାତ୍ର ଅସ୍ତ୍ର ପ୍ରୟୋଗ ହୋଇ ନ ଥିଲା । ବୈଦ୍ୟରାଜ ଜଣେ ହୁସିୟାର ବିଖ୍ୟାତ କବିରାଜ ଥିଲେ । ମୋର ମନେହୁଏ ଯେ, ଅସ୍ତ୍ର କରିବାପାଇଁ ଅନୁମତି ଦେଇଥିଲେ ଘା ଶୁଖିବାରେ କୌଣସି ଅଡ଼ୁଆ ହୋଇ ନଥାନ୍ତା । କିନ୍ତୁ କାଳ ପୂରି ଆସୁଥିଲା । ସେତେବେଳେ ଆଉ ଠିକ୍‌ ବାଟ କେଉଁଠୁ ଧରିହେବ ? ବାପା ବମ୍ବେଇରୁ ଅସ୍ତ୍ରକ୍ରିୟା ନ କରି ଏବଂ ସେଥିପାଇଁ କିଣା ହୋଇଥିବା ସବୁ ଚିଜ ସାଙ୍ଗରେ ଧରି ଫେରିଥିଲେ । ସେ ଜୀବନରେ ସବୁ ଆଶା ଛାଡ଼ି ସାରିଥିଲେ । ଦୁର୍ବଳତା ଲାଗିଲା ଏବଂ ସବୁ କାମ ବିଛଣାରେ ଶୋଇ ଶୋଇ କରିବା ଅବସ୍ଥା ପହଞ୍ଚିଗଲା । କିନ୍ତୁ ବିଶେଷ ପର୍ଯ୍ୟନ୍ତ ତାହା କରିବାକୁ ଆପତ୍ତି କରୁଥିଲେ ଏବଂ ଉଠାଉଠି କରିବାକୁ ଆଗ୍ରହ କରୁଥିଲେ । ବୈଷ୍ଣବଧର୍ମର ଏହା ଏକ କଠିନ ବିଧି । ଏହାର ଶୁଦ୍ଧି ଅତି ଆବଶ୍ୟକ । କିନ୍ତୁ ପାଶ୍ଚାତ୍ୟ ଚିକିତ୍ସା ଶାସ୍ତ୍ର କହୁଛି ଯେ ମଳତ୍ୟାଗ ଓ ସ୍ନାନ ଇତ୍ୟାଦି ସବୁ କାମ ବିଛଣାରେ ପଡ଼ି ଖୁବ୍‍ ସଫା ସୁତୁରା ଭାବରେ କରାଯାଇ ପାରିବ, ଅଥଚ ରୋଗୀକୁ ଉଠାଉଠି କଷ୍ଟ ସହିବାକୁ ପଡ଼ିବ ନାହିଁ; ଯେତେବେଳେ ଦେଖିବ ରୋଗୀର ବିଛଣା ପରିଷ୍କାର ପରିଚ୍ଛନ୍ନ ଥିବ, ଏହିଭଳି ଶୁଚି ସ୍ୱଚ୍ଛତାକୁ ମୁଁ ବୈଷ୍ଣବ ଧର୍ମ ବୋଲି ଜାଣେ । ମାତ୍ର ଏତେବେଳେ ବାପାଙ୍କର ବିଛଣାରୁ ଉଠି ସ୍ନାନ ଆଦି କରିବାର ଆଗ୍ରହ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ମନେ ମନେ ତାଙ୍କର ସ୍ତୁତି କରିଥିଲି ।

 

ଅନ୍ତିମକାଳର ଘୋର ରାତ୍ରି ପାଖେଇ ଆସିଲା । ଏତେବେଳେ ମୋର ଦାଦି ରାଜକୋଟରେ ଥିଲେ । ମୋର କେତେକ ମନେ ପଡ଼ୁଛି ଯେ, ବାପାଙ୍କ ରୋଗ ବଢ଼ୁଥିବା ଖବର ପାଇ ସେ ସେଠାକୁ ଆସିଥିଲେ । ଦୁଇ ଭାଇଙ୍କ ଭିତରେ ଗଭୀର ପ୍ରୀତି ଥିଲା । ଦାଦି ଦିନଯାକ ବାପାଙ୍କ ବିଛଣା ପାଖରେ ବସି ରହୁଥିଲେ ଏବଂ ସମସ୍ତଙ୍କୁ ଶୋଇବାକୁ ପଠେଇ ଦେଇ ନିଜେ ବାପାଙ୍କ ବିଛଣା ପାଖରେ ଶୋଉଥିଲେ । ଏମିତି ତ କିଛି ହୋଇ ନ ଥାଏ ଯେ ସେହି ରାତି ଶେଷରାତି ହେବ । ଭୟ ତ ସବୁବେଳେ ଥାଏ, ରାତିରେ ସାଢ଼େ ଦଶ ବା ଏଗାର ବାଜିଥିବ ମୁଁ ଗୋଡ଼ ଚିପି ଦେଉଥିଲି । ଦାଦି ମତେ କହିଲେ, ‘‘ତୁ ଯା, ଏବେ ମୁଁ ବସିବି ।’’ ମୁଁ ରାଜି ହୋଇ ସିଧା ଶୋଇବା ଘରକୁ ଗଲି । ସ୍ତ୍ରୀ ବିଚାରୀ ଘୋର ନିଦରେ ଶୋଇଥିଲା । କିନ୍ତୁ ମୁଁ ତାକୁ ଶୁଆଇ ଦିଅନ୍ତି କେମିତି ? ତାକୁ ଉଠାଇଲି । ପାଞ୍ଚ ସାତ ମିନିଟ୍‌ ଯାଇଛି କି ନାହିଁ, ସେତିକିରେ ଯେଉଁ ଚାକର କଥା ଆଗରୁ କହିଛି, ସେ କବାଟରେ ବାଡ଼େଇଲା । ମୋର ଛାନିଆଁ ପଶିଗଲା । ମୁଁ ଚମକି ପଡ଼ିଲି, ‘ଉଠ’ ବାପା ବେଶୀ ବେମାର ହେଲେଣି,’’ ଚାକରଟି କହିଥିଲା । ସେ ତ ବେଶୀ ବେମାର ଥିଲେ, ମୋତେ ଜଣାଥିଲା; ଅତଏବ ‘ବେଶୀ ବେମାର’ ର ବିଶେଷ ଅର୍ଥ ମୁଁ ବୁଝିଗଲି । ବିଛଣାରୁ ଏକଦମ ଡେଇଁ ପଡ଼ିଲି । ‘‘କ’ଣ ହୋଇଛି ଠିକ୍‌ କରି କହ ?’’ ‘‘ବାପା ଚାଲିଗଲେ’’, ଜବାବ ମିଳିଲା ।

 

ଏବେ ମୁଁ ପଛରେ ଅନୁତାପ କରି କ’ଣ ହେବ ? ମତେ ଭାରି ଲାଜ ମାଡ଼ିଲା; ଦାରୁଣ କଷ୍ଟ ହେଲା । ବାପାଙ୍କ ଘରକୁ ଦୌଡ଼ିଗଲି । ମୁଁ ବୁଝିଲି ଯେ, ମୁଁ କାମାନ୍ଧ ହୋଇ ନ ଥିଲେ, ଶେଷ ମୁହୂର୍ତ୍ତରେ ମୋ କପାଳରେ ବାପାଙ୍କର ବିଚ୍ଛେଦ ଘଟି ନ ଥାନ୍ତା ଏବଂ ମୁଁ ବାପାଙ୍କ ଅନ୍ତିମ ସମୟରେ ଗୋଡ଼ ଚିପି ଦେଉଥାନ୍ତି । ଏବେ ତ ଦାଦିଙ୍କ ମୁହଁରୁ ସବୁ ଶୁଣିଲି, ‘‘ବାପା ଆମକୁ ଛାଡ଼ି ଚାଲିଗଲେ-।’’ ଆପଣାର ବଡ଼ଭାଇଙ୍କର ପରମଭକ୍ତ ଦାଦି ଶେଷ ସେବା କରିବାର ସମ୍ମାନ ପାଇଗଲେ । ବାପା ନିଜର ମରଣ ଆଗରୁ ଜାଣି ପାରିଥିଲେ । ସେ ଠାରି କରି ଲେଖିବା ସାମଗ୍ରୀ ମଗେଇଥିଲେ । କାଗଜରେ ଲେଖି ଦେଲେ, ‘‘ପ୍ରସ୍ତୁତ ହୁଅ ।’’ ଏତିକି ଲେଖିସାରି ନିଜ ହାତରେ ଯେଉଁ ଡେଉଁରିଆ ବନ୍ଧା ଥିଲା, ତାକୁ ଛିଣ୍ଡେଇ ପକେଇଲେ । ସୁନା କଣ୍ଠି ଥିଲା, ତାକୁ ମଧ୍ୟ ଛିଣ୍ଡେଇ ପକେଇଲେ । କ୍ଷଣକରେ ଆତ୍ମା ଉଡ଼ିଗଲା ।

 

ମୁଁ ଆଗରୁ ଯେଉଁ ଲଜ୍ଜାର ଇଙ୍ଗିତ କରିଛି ତାହା ଏହି—ସେବା ସମୟରେ ମଧ୍ୟ କାମେଚ୍ଛା । ମୁଁ ଏ ଘୋର କଳଙ୍କ ଆଜିଯାଏ ପୋଛି ପାରିନାହିଁ; ଭୁଲି ପାରିନାହିଁ । ମୁଁ ସବୁଦିନେ ବିଶ୍ୱାସ କରେ ଯେ, ପିତା ମାତାଙ୍କ ପ୍ରତି ମୋର ଭକ୍ତି ଯଦ୍ୟପି ଅସୀମ ଥିଲା, ସେଥିପାଇଁ ମୁଁ ସବୁ ଛାଡ଼ି ପାରିଥାନ୍ତି । ମାତ୍ର ସେବା ସମୟରେ ସୁଦ୍ଧା ମୋ ମନ କାମ ପ୍ରବୃତ୍ତିକୁ ଛାଡ଼ି ପାରିଲା ନାହିଁ, ଏହା ସେ ସେବାରେ ଅକ୍ଷମଣୀୟ ଦୋଷ ରହିଗଲା । ସେଥିପାଇଁ ମୁଁ ଏକ ପତ୍ନୀବ୍ରତ ପାଳୁଥିଲେ ମଧ୍ୟ ଆପଣାକୁ କାମାନ୍ଧ ମନେ କରିଥାଏ । ଏଥିରୁ ମୁକ୍ତ ହେବାକୁ ମତେ ଅନେକ ସମୟ ଲାଗିଗଲା; ମାତ୍ର ତା’ ପୂର୍ବରୁ ଅନେକ ଧର୍ମ ସଙ୍କଟରେ ମତେ ପଡ଼ିବାକୁ ହୋଇଥିଲା ।

 

ମୋର ଏ ଦୋହରୀ ଲଜ୍ଜାର କାହାଣୀ ପୂରା କରିବା ପୂର୍ବରୁ ଏତକ ମଧ୍ୟ କହି ରଖେ ଯେ, ମୋ ସ୍ତ୍ରୀର ଯେ ପିଲାଟି ହେଲା, ସେ ଦୁଇ ଚାରିଦିନ ରହି ଚାଲିଗଲା । ଆଉ ଅନ୍ୟଥା ବା କ’ଣ ହୋଇଥାନ୍ତା ? ଯେଉଁ ମା ବାପାଙ୍କର ବା ଯେଉଁ ବାଳଦମ୍ପତିଙ୍କର ସତର୍କ ହେବାର କଥା, ଏ ଉଦାହରଣରୁ ସେମାନେ ଚେତନ୍ତୁ ।

 

ଧର୍ମର ଆଭାସ

 

ଛଅ ସାତ ବର୍ଷରୁ ଆରମ୍ଭ କରି ଏବେ ଷୋହଳ ବର୍ଷଯାଏ ପାଠ ପଢ଼ିଲି; କିନ୍ତୁ ବିଦ୍ୟାଳୟରେ କେଉଁଠି ଧର୍ମଶିକ୍ଷା ପାଇ ନ ଥିଲି । ଯାହା ଶିକ୍ଷକଙ୍କ ପାଖରୁ ସହଜରେ ମିଳିବା ଉଚିତ, ତାହା ମିଳିଲା ନାହିଁ ବୋଲି କୁହାଯାଇପାରେ । ତଥାପି ବାୟୁମଣ୍ଡଳରୁ କିଛି ନା କିଛି ସଂଗ୍ରହ କରିଥିଲି । ଏଠାରେ ଧର୍ମର ଉଦାର ଅର୍ଥ କରିବା ଉଚିତ । ଧର୍ମ ଅର୍ଥାତ୍‌, ଆତ୍ମଭାବନା, ଆତ୍ମଜ୍ଞାନ ।

 

ମୋର ଜନ୍ମ ବୈଷ୍ଣବ ସଂପ୍ରଦାୟରେ । ସେଥିପାଇଁ ବିଷ୍ଣୁ ମନ୍ଦିରକୁ ଅନେକ ସମୟରେ ଯିବାକୁ ପଡ଼ିଥାଏ । କିନ୍ତୁ ସେ ବିଷୟରେ ଶ୍ରଦ୍ଧା ଜନ୍ମି ନ ଥିଲା । ବିଷ୍ଣୁ ମନ୍ଦିରର ବିଭବ ମତେ ରୁଚିଲା ନାହିଁ । ମନ୍ଦିରରେ ପ୍ରଚଳିତ ଅନୀତି କଥା ଶୁଣି ସେ ବିଷୟରେ ମୋ ମନ ଉଦାସ ହୋଇଗଲା । ସେଥିରୁ ମତେ କିଛି ମିଳି ନ ଥିଲା ।

 

କିନ୍ତୁ ଯାହା ମୁଁ ମନ୍ଦିରରୁ ପାଇ ନ ଥିଲି, ତାହା ମୋ ଧାଈ ପାଖରୁ ପାଇଥିଲି । ସେ ଆମ କୁଟୁମ୍ବର ଜଣେ ପୁରୁଣା ଚାକର । ତାହାର ସ୍ନେହ ମୋର ଆଜି ମଧ୍ୟ ମନେ ଅଛି । ମୁଁ ଆଗରୁ କହିଛି ଯେ, ମୋର ଭୂତ ପ୍ରେତ ଡର ଥିଲା । ତା’ର ଔଷଧ ‘‘ରାମ ନାମ’’ ବୋଲି ରମ୍ଭା ମୋତେ ବୁଝେଇଥିଲା । ମୋର ତ ରାମନାମଠାରୁ ରମ୍ଭା ଉପରେ ବେଶୀ ଶ୍ରଦ୍ଧା ଥାଏ । ସେଥିଯୋଗୁଁ ପିଲା ବୟସରେ ମୁଁ ଭୂତ ପ୍ରେତ ଭୟରୁ ରକ୍ଷା ପାଇବା ପାଇଁ ରାମ ନାମ ଜପିବାକୁ ଆରମ୍ଭ କରିଥିଲି । ତାହା ବେଶିଦିନ ତିଷ୍ଠି ନ ଥିଲା । ମନ୍ତ୍ର ଯେ ମଞ୍ଜି ପିଲାଦିନେ ପୋତା ହୋଇଥିଲା, ତାହା ବୃଥା ଯାଇ ନ ଥିଲା; ରାମ ନାମ ଆଜି ମୋ ପାଇଁ ଅମୋଘ ବଳ ହୋଇଛି, ତା’ର କାରଣ ସେହି ରମ୍ଭା ବାଈ ପୋତିଥିବା ମଞ୍ଜିରେ ଅଛି ବୋଲି ମୋର ମତ ।

 

ଏହି ସମୟରେ ମୋର ଏକ ଦାଦିଙ୍କ ପୁଅ ରାମାୟଣଭକ୍ତ ଥିଲେ । ତାଙ୍କଦ୍ୱାରା ଆମ ଦୁଇ ଭାଇଙ୍କୁ ରାମରକ୍ଷା ପାଠ ଶିଖାଇବାର ବ୍ୟବସ୍ଥା ହେଲା । ଆମେ ତାହା ମୁଖସ୍ଥ କରି ସକାଳ ଗାଧୁଆ ପରେ ସୁବଦିନେ ପଢ଼ିବାର ନିୟମ କରିଥିଲୁ । ପୋରବନ୍ଦରରେ ଥିବାତକ ଏହା ଚାଲିଥିଲା-। ରାଜକୋଟର ବାୟୁମଣ୍ଡଳରେ ସେ ସବୁ ଉଭେଇଗଲା । ଏ କାମ ପ୍ରତି ମୋର ବିଶେଷ ଶ୍ରଦ୍ଧା ନ ଥିଲା । ବଡ଼ ଭାଇଙ୍କ ପ୍ରତି ସମ୍ମାନ ଥିଲା ବୋଲି ଏବଂ ରାମରକ୍ଷା ଶୁଦ୍ଧ ଉଚ୍ଚାରଣ କରି ପଢ଼ି ପାରୁଛୁ, ଏ ଅହଂକାର ଯୋଗୁଁ ସେ ପଢ଼ା ଚାଲିଥିଲା ।

 

କିନ୍ତୁ ମୋ ମନ ଉପରେ ଗଭୀର ଛାପ ପକେଇଥିଲା, ଏହି ରାମାୟଣ ପରାୟଣ । ବାପାଙ୍କ ବେମାରୀର କେତେକ ସମୟ ପୋରବନ୍ଦରରେ କଟିଥିଲା । ଏହିଠାରେ ସେ ରୋଜ ରାତିରେ ରାମଜୀ ମନ୍ଦିରରେ ରାମାୟଣ ଶୁଣୁଥିଲେ । ରାମାୟଣ ପଢ଼ୁଥିଲେ ବୀଲେଶ୍ୱରର ଲାଧା ମହାରାଜ ବୋଲି ରାମଚନ୍ଦ୍ରଙ୍କର ଜଣେ ପରମ ଭକ୍ତ । ତାଙ୍କ ସମ୍ବନ୍ଧରେ ପ୍ରବାଦ ଯେ, ତାଙ୍କ ଦେହରେ କୁଷ୍ଠ ବାହାରି ପଡ଼ିଥିଲା; ସେ ତାର ଔଷଧ ଚିକିତ୍ସା ନ କରି ବାଲେଶ୍ୱରର ମହାଦେବଙ୍କ ଉପରୁ ଯେଉଁ ବେଲପତ୍ର କାଢ଼ି ପକାଇ ଦିଆଯାଏ ତାକୁ ହିଁ କୁଷ୍ଠ ଜାଗାରେ ବାନ୍ଧିଥିଲେ ଓ କେବଳ ରାମନାମ ଜପିଥିଲେ । ଶେଷରେ ତାଙ୍କର କୋଢ଼ ସମୂଳେ ଯାଇଥିଲା । ଏ କଥା ସତ ହେଉ ନ ହେଉ, ଆମେ ଶୁଣିବା ଲୋକେ ସତ ମାନୁଥିଲୁ । ଏତକ କିନ୍ତୁ ସତ ଯେ ଲାଧା ମହାରାଜା ସ୍ୱର ଭାରି ମଧୁର ଥିଲା । ସେ ରାମାୟଣର ଦୋହା ଓ ଚୌପାଇ (ତୁଳସୀ ରାମାୟଣର ଭିନ୍ନ ଭିନ୍ନ ଛନ୍ଦର ନାମ) ଗାଉଥିଲେ ଓ ବୁଝାଉଥିଲେ । ନିଜେ ତାର ରସରେ ଲୀନ ହୋଇ ଯାଉଥିଲେ ଏବଂ ଶ୍ରୋତାମାନଙ୍କୁ ତନ୍ମୟ କରି ଦେଉଥିଲେ । ମୋର ବୟସ ସେତେବେଳକୁ ତେର ବର୍ଷ; କିନ୍ତୁ ତାଙ୍କ ପଢ଼ାରେ ମୋତେ ଖୁବ୍‌ ରସ ମିଳୁଥିଲା ବୋଲି ମୋର ମନେ ଅଛି । ପରେ ରାମାୟଣରେ ମୋର ଯେ ଅସୀମ ପ୍ରୀତି ଜନ୍ମିଲା, ଏ ରାୟାୟଣ ଶୁଣା ତାର ମୂଳଦୁଆ ଥିଲା । ଆଜି ମୁଁ ତୁଳସୀ ରାମାୟଣକୁ ଭକ୍ତି ଗ୍ରନ୍ଥମାନଙ୍କ ଭିତରେ ସର୍ବୋତ୍ତମ ବୋଲି ମଣିଥାଏ ।

 

କେତେ ମାସ ପରେ ଆମେ ରାଜକୋଟ ଆସିଥିଲୁ । ସେଠି ଆଉ ରାମାୟଣ ପାଠ ହୋଇ ନ ଥିଲା । ଏକାଦଶୀ ଦିନ ନିଶ୍ଚୟ ଭାଗବତ ପାଠ ହୋଇଥାଏ । ସେଠି ମୁଁ କେତେବେଳେ କିମିତି ବସେ; କିନ୍ତୁ ଭଟ୍ଟଜୀ (ଯେ ପଢ଼ୁଥିଲେ) ରସ ଜନ୍ମେଇ ପାରୁ ନ ଥିଲେ । ଆଜି ମୁଁ ଦେଖିପାରୁଛି ଯେ, ଭାଗବତ ଏମିତି ଏକ ଗ୍ରନ୍ଥ, ଯାହାକୁ ପଢ଼ିଲେ ଧର୍ମରସ ଉତ୍ପନ୍ନ ହେବ । ମୁଁ ତ ଗୁଜୁରାତିରେ ଭାଗବତକୁ ବଡ଼ ଆନନ୍ଦରେ ପଢ଼ିଛି । କିନ୍ତୁ ମୋର ଏକୋଇଶ ଦିନିଆ ଉପବାସ ଭିତରେ (ଦିଲ୍ଲୀଠାରେ) ଭାରତଭୂଷଣ ପଣ୍ଡିତ ମଦନ ମୋହନ ମାଲବ୍ୟଜୀଙ୍କର ସୁମୁଖରୁ ମୂଳ ସଂସ୍କୃତର କେତେକ ଅଂଶ ଶୁଣିଲାପରେ ମୋର ଏ ବିଶ୍ୱାସ ହୋଇଛି ଯେ ପିଲାଦିନେ ଯଦି ଏହିଭଳି ଜଣେ ଭାଗବତ ଭକ୍ତଙ୍କର ମୁହଁରୁ ଶୁଣିଥାନ୍ତି, ତେବେ ତା ଉପରେ ଗଭୀର ପ୍ରୀତି ପିଲା ଦିନରୁ ଜମି ଯାଇଥାନ୍ତା । ସେ ବୟସରେ ଭଲମନ୍ଦ ସଂସ୍କାର ଯାହା ଜନ୍ମିଥାଏ, ବହୁତ ଗଭୀରକୁ ଚେର ମାଡ଼ି ଯାଇଥାଏ, ଏହା ମୋର ଅନୁଭବ ଏବଂ ସେଥିଯୋଗୁ ପିଲାଦିନେ କେତେକ ଉତ୍ତମ ଗ୍ରନ୍ଥ ମତେ ଶୁଣିବାର ସୁଯୋଗ ହୋଇନାହିଁ ବୋଲି ସବୁଦିନେ ମୋ ମନରେ ଦୁଃଖ ରହିଯାଇଛି ।

 

ରାଜକୋଟରେ ସବୁ ସମ୍ପ୍ରଦାୟ ପ୍ରତି ସମାନ ଭାବ ରଖିବାର ଶିକ୍ଷା ମତେ ସହଜରେ ମିଳିଥିଲା । ହିନ୍ଦୁ ଧର୍ମର ପ୍ରତ୍ୟେକ ସମ୍ପ୍ରଦାୟ ପ୍ରତି ଆଦର କରିବା ଶିଖିଥିଲି; କାରଣ ବାପ ମା ବିଷ୍ଣୁ ମନ୍ଦିରକୁ ଯାନ୍ତି, ଶିବାଳୟକୁ ମଧ୍ୟ ଯାନ୍ତି ଏବଂ ରାମଜୀଙ୍କ ମନ୍ଦିରକୁ ମଧ୍ୟ ଯାନ୍ତି । ଏବଂ ଆମ ଭାଇାମନଙ୍କୁ ସାଙ୍ଗରେ ନେଇ ଯାନ୍ତି ବା ସେଠାକୁ ପଠାଇଥାନ୍ତି ।

 

ଏହା ଛଡ଼ା ବାପାଙ୍କ ପାଖକୁ ଜୈନ ଧର୍ମାଚାର୍ଯ୍ୟମାନଙ୍କ ଭିତରୁ କେହି କେହି ସବୁଦିନେ ଆସିଥାନ୍ତି । ବାପା ତାଙ୍କୁ ଭିକ୍ଷା ଦିଅନ୍ତି । ସେମାନେ ବାପାଙ୍କ ସଙ୍ଗେ ଧର୍ମ ଓ ସାଧାରଣ ଆଚାର ବ୍ୟବହାର ସମ୍ବନ୍ଧରେ କଥାବାର୍ତ୍ତା କରିଥାନ୍ତି । ବାପାଙ୍କର ମୁସଲମାନ ଓ ପାରସୀ ବନ୍ଧୁମାନେ ମଧ୍ୟ ଆପଣା ଧର୍ମର କଥା କହନ୍ତି । ଏବଂ ବାପା ତାଙ୍କ କଥା ସମ୍ମାନର ସହିତ ଓ ଅନେକ ସମୟରେ ଆନନ୍ଦର ସହିତ ଶୁଣନ୍ତି । ଏହିସବୁ କଥାବାର୍ତ୍ତା ବେଳେ ମୁଁ ‘ନର୍ସ’ ହୋଇଥିବାରୁ ଅନେକ ସମୟରେ ଉପସ୍ଥିତ ଥାଏ । ଏ ସମସ୍ତ ବାତାବରଣର ମୋ ଉପରେ ଏଭଳି ପ୍ରଭାବ ପଡ଼ିଥିଲା ଯେ ମୋଠାରେ ସବୁ ଧର୍ମପ୍ରତି ସମାନ ଭାବ ଜାତ ହୋଇଥିଲା ।

 

କେବଳ ଖ୍ରୀଷ୍ଟାନ ଧର୍ମ ଏଥିର ଅପବାଦ ସ୍ୱରୂପ ଥିବାରୁ ତାହା ପ୍ରତି କେତେକ ଅଶ୍ରଦ୍ଧା ଥିଲା । ସେହି ସମୟରେ ଆମ ଉଚ୍ଚ ବିଦ୍ୟାଳୟର କୋଣରେ ଜଣେ ଖ୍ରୀଷ୍ଟାନ ବକ୍ତୃତା ଦେଉଥିଲେ-। ସେ ହିନ୍ଦୁ ଦେବଦେବୀ ଓ ହିନ୍ଦୁ ଧର୍ମୀମାନଙ୍କର ନିନ୍ଦା କରୁଥିଲେ । ଏହା ମୋତେ ଅସହ୍ୟ ଲାଗୁଥିଲା । ମୁଁ ଥରେ ଅଧେ ବକ୍ତୃତା ଶୁଣିବାକୁ ଠିଆ ହୋଇଥିଲି; କିନ୍ତୁ ଆଉ ସେଠି ଶୁଣିବାକୁ ମନ ହୋଇ ନ ଥିଲା । ଏହି ସମୟରେ ଜଣେ ଜଣାଶୁଣା ହିନ୍ଦୁ ଖ୍ରୀଷ୍ଟାନ ହେବାର ଶୁଣିଲି-। ଜନରବ ଉଠିଲା ଯେ, ସେ ଖ୍ରୀଷ୍ଟାନ ଧର୍ମରେ ପ୍ରବେଶ କଲାବେଳେ ତାକୁ ଗୋରୁ ମାଂସ ଖୁଆଇଥିଲେ ଓ ମଦ ପିଆଇଥିଲେ । ତାର ପୋଷାକ ମଧ୍ୟ ବଦଳାଇବାକୁ ପଡ଼ିଥିଲା ଏବଂ ସେ ଭାଇ ଖ୍ରୀଷ୍ଟାନ ହେବା ପରେ ପାଇଜାମା ଓ ସାହେବୀ ଟୋପି ପିନ୍ଧିବାକୁ ଲାଗିଥିଲା । ଏହି ଘଟଣାରୁ ମୋ ମନରେ ଅରୁଚି ଜନ୍ମି ଯାଇଥିଲା, ଯେ ଧର୍ମ ପାଇଁ ଗୋମାଂସ ଖାଇବାକୁ ପଡ଼େ ଓ ମଦ ପିଇବାକୁ ପଡ଼େ ଏବଂ ପୋଷକ ବଦଳେଇବାକୁ ପଡ଼େ, ସେ ପୁଣି ଧର୍ମ କେମିତି ଚଳେଇବ ? ମୁଁ ମନେ ମନେ ଏହି ଯୁକ୍ତି କରିଥିଲି । ପୁଣି ସେ ଭାଇ ଖ୍ରୀଷ୍ଟାନ ହୋଇ ଆପଣାର ପୂର୍ବ ପୁରୁଷମାନଙ୍କର ଧର୍ମ ପ୍ରଥା ତଥା ଦେଶର ନିନ୍ଦା କରିବାକୁ ଆରମ୍ଭ କରିବାର ଶୁଣିଥିଲି । ଏ ସବୁ କଥାରୁ ମୋ ମନରେ ଖ୍ରୀଷ୍ଟଧର୍ମ ପ୍ରତି ଅଶ୍ରଦ୍ଧା ଜନ୍ମିଥିଲା ।

 

ଏମିତି ଯଦ୍ୟପି ଅନ୍ୟ ଧର୍ମ ପ୍ରତି ସମଭାବ ଆସିଥିଲା ତଥାପି ମୋ ମନରେ ଈଶ୍ୱରଙ୍କ ପ୍ରତି କୌଣସି ଆସ୍ଥା ହୋଇଥିଲା ବୋଲି କହିହେବ ନାହିଁ । ଏହି ସମୟରେ ବାପାଙ୍କ ସଂଗୃହୀତ ବହି ଭିତରୁ ଖଣ୍ଡେ ମନୁସ୍ତୁତି ଅନୁବାଦ ମୋ ହାତରେ ପଡ଼ିଥିଲା । ସେଥିରୁ ଜଗତରେ ଉତ୍ପତ୍ତି ପ୍ରଭୃତି ବିଷୟ ପଢ଼ିଥିଲି । ସେଥିରେ ମୋର ଶ୍ରଦ୍ଧା ଜମି ନ ଥିଲା; ବରଂ ଓଲଟି କେତେକ ପରିମାଣରେ ନାସ୍ତିକତା ଜନ୍ମିଗଲା । ମୋର ଦ୍ୱିତୀୟ ଦାଦିଙ୍କ ପୁଅ ଯେ ଆଜି ଜୀବିତ, ତାଙ୍କର ବୁଦ୍ଧି ଉପରେ ମୋର ଭାରି ବିଶ୍ୱାସ ଥାଏ । ମୁଁ ତାଙ୍କ ଆଗରେ ମୋ ମନର ସବୁ ସନ୍ଦେହ ଘେନି ପହଞ୍ଚିଲି-। କିନ୍ତୁ ସେ ତାର ସମାଧାନ କରି ପାରିଲେ ନାହିଁ । ସେ ମତେ ଜବାବ ଦେଲେ, ‘‘ବୟସ ହେଲେ ତୁ ଏସବୁ ପ୍ରଶ୍ନର ସମାଧାନ ନିଜେ ନିଜେ କରି ପାରିବୁ । ଏ ସବୁ ପ୍ରଶ୍ନ ପିଲାଙ୍କର କରିବା ଉଚିତ ନୁହେଁ ।’’ ମୁଁ ତୁନୀ ପଡ଼ିଲି । ମନରେ ଶାନ୍ତି ହେଲା ନାହିଁ । ମନୁସ୍ତୁତିର ଖାଦ୍ୟାଖାଦ୍ୟ ଅଧ୍ୟାୟ ଓ ଅନ୍ୟ ଅଧ୍ୟାୟରେ ମୁଁ ପ୍ରଚଳିତ ପ୍ରଥାର ବିରୁଦ୍ଧ କଥା ଦେଖିଲି । ସନ୍ଦେହର ଜବାବ ମଧ୍ୟ ପ୍ରାୟ ଉପର ଭଳି ମିଳିଥିଲା । ‘ଦିନେ କେବେ ବୁଦ୍ଧି ଫିଟିବ, ବହୁତ ପଢ଼ିବି ତ ବୁଝିବି’—ଏମିତି ବିଚାର ମନକୁ ସାନ୍ତ୍ୱନା ଦେଲି । ସେତେବେଳେ ମନୁସ୍ତୁତି ପଢ଼ି ମୁଁ ଅହିଂସା ଶିଖି ନ ଥିଲି । ମାଂସାହାର ବିଷୟ ସେଥିରେ ଥିଲା । ମନୁସ୍ତୁତିରୁ ତାହାର ସମର୍ଥନ ମିଳିଥିଲା । ସର୍ପାଦି ଓ ଛାରପୋକ ପ୍ରଭୃତି ମାରିବା ନୀତି-ଯୁକ୍ତ ଏହା ମଧ୍ୟ ଅନୁମାନ ହୋଇଥିଲା । ସେତେବେଳେ ଧର୍ମ ବିଚାରି ଛାରପୋକ ପ୍ରଭୃତି ମାରୁଥିଲି ବୋଲି ମନେ ଅଛି ।

 

କିନ୍ତୁ ଗୋଟିଏ ବିଷୟରେ ମୂଳଦୁଆ ତ ପଡ଼ି ଯାଇଥିଲା—ଯଥା, ଏ ଦୁନିଆ ନୀତି ଉପରେ ତିଷ୍ଠି ରହିଛି । ନୀତି ମାତ୍ରର ସମାବେଶ ସତ୍ୟରେ ହୋଇଛି । ମୁଁ ସତ୍ୟର ଅନୁସନ୍ଧାନ ତ କରୁଥିଲି । ଦିନକୁ ଦିନ ସତ୍ୟର ମହିମା ମୋ ଦୃଷ୍ଟିରେ ବଢ଼ୁଥିଲା । ସତ୍ୟର ବ୍ୟାଖ୍ୟା କ୍ରମେ ବ୍ୟାପକ ହେଉଥିଲା ଏବଂ ଆଜି ମଧ୍ୟ ତାହା ଅଧିକ ବ୍ୟାପକ ହେଉଛି ।

 

ପୁଣି ଗୋଟିଏ ନୀତି ଷଟ୍‌ପଦୀ ମୋର ମନରେ ଲାଗି ଯାଇଥିଲା । ଅପକାର ବଦଳରେ ଅପକାର କରିବାର ନୁହଁ, ମାତ୍ର ଉପକାର ହେବା ଉଚିତ, ଏତକ ଜୀବନର ସୂତ୍ର ହୋଇଗଲା । ସେ ନୀତି କ୍ରମେ ମୋ ଉପରେ ଅଧିକାର ବିସ୍ତାର କରିବାକୁ ଆରମ୍ଭ କରିଥିଲା । ଅପକାରୀର ମଙ୍ଗଳ ପାଞ୍ଚିବା ଓ କରିବା ଏଥି ପ୍ରତି ମୋର ଅନୁରାଗ ବଢ଼ିଥିଲା । ସେ ବିଷୟରେ ଅସଂଖ୍ୟ ପ୍ରୟୋଗ କରିଥିଲି ।

 

ସେ ଚମତ୍‌କାର ଷଟ୍‌ପଦୀର ମର୍ମ ଏୟା—

 

ତମକୁ ପାଣି ପିଇବାକୁ ଯେ ଦିଏ, ତାକୁ ଭଲ ଭୋଜନ ଦିଅ ।

 

ଯେ ତମକୁ ମୁଣ୍ଡ ନୁଆଏଁ, ତାକୁ ଶତ ଦଣ୍ଡବତ କର ।

 

ତମକୁ ଘାସର ଦାମ ଦେଲେ, ତମେ ସୁନା ମୋହରର କାମ କରିଦିଅ ।

 

ତମର ପ୍ରାଣରକ୍ଷା କଲେ, ତମେ ତା’ ଦୁଃଖରେ ମର ।

 

ହିତ କଲେ ତା’ର ଦଶଗୁଣ କାୟମନୋବାକ୍ୟରେ କର ।

 

ଅହିତକାରୀର ଯେ ହିତ କରେ, ସେହି ଦୁନିଆରେ ବଞ୍ଚି ରହେ ।

 

ବିଲାତ ଯାତ୍ରା

 

ସନ ୧୮୮୭ ସାଲରେ ମାଟ୍ରିକୁଲେସନ (ପ୍ରବେଶିକା) ପରୀକ୍ଷାରେ ପାଶ୍‌ କଲି । ଦେଶର ତଥା ଗାନ୍ଧୀ କୁଟୁମ୍ବର ଦରିଦ୍ରତା ଏମିତି ଥିଲା ଯେ, ପରୀକ୍ଷା ଦେବାପାଇଁ ବା ବମ୍ବେ ବା ଅହମଦ୍‌ବାଦ ଭିତରୁ ଗୋଟିଏ କେନ୍ଦ୍ର ବାଛିବାର ହେଲେ ସେତେବେଳେ କାଠିଆଓ୍ୟାଡ଼ର ଲୋକେ ନିଜକୁ ଶସ୍ତା ଯୋଗୁ ଅହମଦବାଦକୁ ବାଛୁଥିଲେ । ମୋର ସେୟା ଘଟିଥିଲା । ରାଜକୋଟରୁ ଅହମଦାବାଦ ଏ ମୋର ପହିଲି ଏକୁଟିଆ ଯାତ୍ରା ।

 

ପାଶ୍‌ ହେବା ପରେ କଲେଜରେ ଉପରକୁ ପଢ଼ିବାପାଇଁ ମୁରବୀମାନଙ୍କର ଇଚ୍ଛା ଥିଲା; ମାତ୍ର କଲେଜ ବମ୍ବେଇଠାରେ ଏବଂ ଭାଓ୍ୱାନଗରରେ ଥିଲା । ଭାଓ୍ୱାନଗରରେ ଖର୍ଚ୍ଚ କମ । ସେଥିପାଇଁ ସେଠା ଶ୍ୟାମଳ ଦାସ କଲେଜକୁ ଯିବାର ସ୍ଥିର ହେଲା । ସେଠି ମତେ ଭଲ ଲାଗିଲା ନାହିଁ । ସବୁ କଷ୍ଟ ଲାଗିଲା । ଅଧ୍ୟାପକମାନଙ୍କ ବକ୍ତୃତା ନା ବୁଝିଲି, ନା ସେଥିରୁ ଆନନ୍ଦ ପାଇଲି । ଏ ଦୋଷ ଅଧ୍ୟାପକଙ୍କର ନ ଥିଲା, ମୋର ମୂଳଦୁଆ କଚ୍ଚା ଯୋଗୁଁ ଏହା ଘଟିଥିଲା । ସେତେବେଳେର ଶ୍ୟାମଳ ଦାସ କଲେଜର ଅଧ୍ୟାପକମାନେ ସୁବଠୁଁ ବଢ଼ିଆ ଶିକ୍ଷକଙ୍କ ଭିତରେ ଗଣା ହେଉଥିଲେ । ପ୍ରଥମ ଟର୍ମ (ବର୍ଷକର କେତେ ମାସରେ ଗୋଟିଏ ଟର୍ମ ହୋଇଥାଏ) ଶେଷ କରି ଘରକୁ ନେଉଟିଲି ।

 

ଆମ କୁଟୁମ୍ବର ପୁରୁଣା ବନ୍ଧୁ ଓ ପରାମର୍ଶଦାତା, ଜଣେ ପଣ୍ଡିତ, ବ୍ୟବହାରକୁଶଳ ବ୍ରାହ୍ମଣ ମାଓ୍ୱଜୀ ଦତ୍ତ୍ୱେ ଥିଲେ । ସେ ବାପାଙ୍କର ସ୍ୱର୍ଗବାସ ପରେ ମଧ୍ୟ ଆମ କୁଟୁମ୍ବ ସଙ୍ଗେ ସମ୍ବନ୍ଧ ବଜାୟ ରଖିଥିଲେ । ସେ ମଧ୍ୟ ଛୁଟିରେ ଘରକୁ ଆସିଥାନ୍ତି । ମା ବଡ଼ ଭାଇଙ୍କ ସଙ୍ଗେ କଥାବାର୍ତ୍ତା କରୁ କରୁ ମୋ ପଢ଼ାପଢ଼ି ସମ୍ବନ୍ଧରେ ପଚରାପଚରି କଲେ । ମୁଁ ଶ୍ୟାମଳ ଦାସ କଲେଜରେ ପଢ଼ୁଛି ଶୁଣି ସେ କହିଥିଲେ, ଯୁଗ ବଦଳିଗଲାଣି । ତମ ଭାଇଙ୍କ ଭିତରୁ କେହି କାବା ଗାନ୍ଧୀଙ୍କର ଦେଓ୍ୱାନୀଗାଦୀ ରକ୍ଷା କରିବାକୁ ଚାହିଁବ ତ, ତାହା ପଢ଼ାଶୁଣା ଛଡ଼ା ମିଳିବ ନାହିଁ । ଏ ଟୋକା ଆଜିଯାଏ ପଢ଼ୁଛି, ଅତଏବ ଗଦୀ ପାଇବା ଦାୟିତ୍ୱ ତା’ ଉପରେ ପକେଇ ଦେବା ଉଚିତ । ବି.ଏ. ଯାଏ ଯିବାକୁ ତ ତାକୁ ଏବେ ଚାରି ପାଞ୍ଚ ବର୍ଷ ଲାଗିଯିବ । ସେତେ ବର୍ଷ ଦେଇ ସୁଦ୍ଧା ପଚାଶ ଷାଠିଏ ଟଙ୍କାର ଖଣ୍ଡିଏ ଚାକିରି ମିଳିବ; କିନ୍ତୁ ଦେଓ୍ୱାନ ପଦ ମିଳିବ ନାହିଁ । ପୁଣି ବି.ଏ. ପରେ ଯଦି ମୋ ପୁଅ ଭଳି ୟାକୁ ଓକିଲ କରିବ, ତେବେ ଆଉ ଅଧିକା ଦି ବର୍ଷ ଯିବ ଏବଂ ସେତେବେଳକୁ ଅନେକ ଓକିଲ ଦେବାନ ପଦ ପାଇଁ ଗଣ୍ଡା ଗଣ୍ଡା ମିଳୁଥିବେ । ଅତଏବ ତମର ତାକୁ ବିଲାତ ପଠେଇ ଦେବା ଉଚିତ । କେବଳ ରାମ (ମାଓ୍ୱଜୀ ଦତ୍ତ୍ୱେଙ୍କ ପୁଅ) କହେ ଯେ ସେଠା ପାଠ ସହଜ । ତିନିବର୍ଷ ପଢ଼ି ଫେରିବ-। ଖରଚ ମଧ୍ୟ ଚାରି ପାଞ୍ଚ ହଜାରରୁ ଅଧିକ ଲାଗିବ ନାହିଁ । ଦେଖୁ ନା ସେ ନୂଆ ବାରିଷ୍ଟରଟି ଆସିଛି, ସେ କେମିତି ଜାକଜକମରେ ଅଛି ! ସେ ଦେବାନୀ କାମ ଖୋଜିବ ତ, ତାକୁ ତୁରନ୍ତ ମିଳିଯିବ । ମୋର ମତ ତୁମେ ମୋହନ ଦାସଙ୍କୁ ଏହି ବର୍ଷ ବିଲାତ ପଠାଅ । ମୋ ପୁଅ କେବଳ ରାମର ବିଲାତରେ ଅନେକ ବନ୍ଧୁ ଅଛନ୍ତି । ତାଙ୍କ ପାଖକୁ ସେ ସୁପାରିଶ କରି ଲେଖିଦେବ ଏବଂ ସେଥିପାଇଁ ସେଠାରେ କୌଣସି ଅସୁବିଧା ହେବ ନାହିଁ ।

 

ଜୋଶୀଜୀ (ମାଓ୍ୱାଜୀ ଦତ୍ତ୍ୱେଙ୍କୁ ଏହି ନାଁରେ ଆମେ ଡାକୁଥିଲୁ) ଆପଣାର ପରାମର୍ଶ ଗ୍ରହଣ କରିବା ସମ୍ବନ୍ଧରେ ସନ୍ଦେହ ରହିବ ନାହିଁ ବୋଲି ମୋ ଆଡ଼କୁ ଅନେଇ ପଚାରୁଥିଲେ ।

 

‘‘କେମିତି, ତତେ ବିଲାତ ଯିବା ଭଲ ଲାଗିବ, ନା ଏଠି ପାଠ ପଢ଼ିବୁ ?’’ ମୁଁ ତ ଖୋଜି ହେଉଥିଲି, ବୈଦ୍ୟ ବି ସେୟା ବତେଇଲେ ! ମୁଁ ତ କଲେଜରେ କଷ୍ଟ ଦେଖି ଡରି ଯାଇଥିଲି । ମୁଁ କହିଲି, ‘‘ମତେ ବିଲାତ ପଠାଇବେ ତ ବଡ଼ ଭଲ ହେବ । କଲେଜରେ ଝଟ୍‌ ଝଟ୍‌ ପାଶ୍‌ ହେଲା ପରି ତ ଲାଗୁ ନାହିଁ । କିନ୍ତୁ ମତେ ଡାକ୍ତରୀ ବିଦ୍ୟା ଶିଖିବାକୁ ପଠେଇବେ ନାହିଁ ?’’

 

ମୋ ଭାଇ ମଝିରେ କହିଲେ, ‘‘ବାପାଙ୍କୁ ତାହା ଭଲ ଲାଗୁ ନ ଥିଲା । ସେହି ବିଷୟରେ ଥରେ କହୁଥିଲେ ଯେ ଆମେ ବୈଷ୍ଣବ, ହାଡ଼ ମାଂସ ଘଣ୍ଟାଘଣ୍ଟି କାମ କରିବାର ନୁହଁ । ବାପାଙ୍କ ବିଚାର ତାକୁ ଓକିଲ କରିବାର ଥିଲା ।’’

 

ଜୋଶୀଜୀ ଝଟ୍‌ ମଝିରେ କହି ଉଠିଲେ, ‘‘ଗାନ୍ଧୀଙ୍କ ଭଳି ଡାକ୍ତରୀ ବ୍ୟବସାୟ ପ୍ରତି ମୋର ଅରୁଚି ନାହିଁ, ଆମ ଶାସ୍ତ୍ର ତ ଏହାକୁ ନିନ୍ଦା କରେ ନାହିଁ । କିନ୍ତୁ ସେ ଡାକ୍ତରୀ ହୋଇ ଦେଓ୍ୱାନ ହୋଇ ପାରିବ ନାହିଁ । ମୋ ମତରେ ତା ପାଇଁ ଦେଓ୍ୱାନ ପଦ ବା ତାଠାରୁ କିଛି ବଡ଼ କାମ ହେବା ଉଚିତ । ତେବେ ଯାଇ ସେ ତମଭଳି ବହୁକୁଟୁମ୍ବଙ୍କୁ ସମ୍ଭାଳି ପାରିବ । ଦିନକୁ ଦିନ ସମୟ ବଦଳୁଛି ଏବଂ କଠିଣ ହେଉଛି, ଅତଏବ ବାରିଷ୍ଟର ହେବା ଠିକ୍‌ ହେବ ।’’

 

ମା ଆଡ଼କୁ ଅନେଇ କହିଲେ, ‘‘ଆଜି ମୁଁ ଯାଉଛି ମୋର କଥା ବିଚାର କରି ଦେଖିବ । ପରେ ଯେତେବେଳେ ଆସିବି, ଯେମିତି ଶୁଣିବି ବିଲାତ ଯିବାପାଇଁ ଆୟୋଜନ ସରିଛି । କୌଣସି ଅସୁବିଧା ହେବ ତ ମତେ ଜଣେଇବ ।’’

 

ଜୋଶୀଜୀ ଗଲେ । ମୁଁ ତ ଆକାଶକୁସୁମ ତୋଳିବାରେ ଲାଗିଗଲି । ବଡ଼ ଭାଇ ଚିନ୍ତାରେ ପଡ଼ିଗଲେ, ଖର୍ଚ୍ଚ ବିଷୟରେ କ’ଣ କରିବେ ? ପୁଣି ମୋ ଭଳି ନବଯୁବକକୁ ଏତେ ଦୂର କେମିତି ଛାଡ଼ିଦେବେ ।

 

ମାକୁ ଏ ସବୁ ଭଲ ଲାଗୁ ନ ଥିଲା । ମୋ ବିଚ୍ଛେଦଟା ତାକୁ ସୁଖ ଲାଗୁ ନ ଥିଲା । କିନ୍ତୁ ସେ ପ୍ରଥମେ କହିଥିଲା, ‘‘ଆମ କୁଟୁମ୍ବର କର୍ତ୍ତା ତ କକା ଅଛନ୍ତି । ଅତଏବ ପହିଲେ ତାଙ୍କ ପରାମର୍ଶ ନେବାକୁ ପଡ଼ିବ । ସେ ଅନୁମତି ଦେଲେ, ତେଣିକି ଆମେ ବିଚାର କରିବା ।’’

 

ବଡ଼ ଭାଇ ଅନ୍ୟ ଏକ ବିଚାର ସୂଚାଇଥିଲେ, ‘‘ପୋରବନ୍ଦର ରାଜ୍ୟ ଉପରେ ଆମର ଅଧିକାର ଅଛି । ଲେଲୀ ସାହେବ ସେଠାକାର ୟାଡ଼୍‌ମିନିଷ୍ଟ୍ରେଟର୍ ଅଛନ୍ତି । ଆମ କୁଟୁମ୍ବ ସମ୍ବନ୍ଧରେ ତାଙ୍କର ଭଲ ଧାରଣା ଅଛି । କକେଇଙ୍କ ଉପରେ ତାଙ୍କର ବିଶେଷ ସ୍ନେହ ଅଛି । ସେ ହୁଏତ ରାଜ୍ୟ ତରଫରୁ ତୋତେ ଅଳ୍ପ ବହୁତ ସାହାଯ୍ୟ କରିପାରନ୍ତି ।’’

 

ମତେ ଏହା ବିଶେଷ ପସନ୍ଦ ହେଲା । ମୁଁ ପୋରବନ୍ଦର ଯିବାକୁ ସଜବାଜ ହେଲି । ସେତେବେଳେ ରେଳ ନ ଥିଲା, ଗାଡ଼ି-ବାଟ ଥିଲା । ପାଞ୍ଚ ଦିନର ବାଟ । ମୁଁ ସ୍ୱଭାବତଃ ଡରୁଆ ଥିଲି ବୋଲି କହି ଯାଇଛି । ମାତ୍ର ଏତେବେଳେ ସେ ଡର କୁଆଡ଼େ ଉଭେଇ ଗଲା । ବିଲାତ ଯିବାର ଇଚ୍ଛା ମୋ ଉପରେ ସଓ୍ୱାର ହୋଇଥାଏ । ମୁଁ ଧୋରାଜ ଯାଏ ଗାଡ଼ି କଲି । ଦିନେ ଜଲଦି ପହୁଞ୍ଚିବି ବୋଲି ଧୋରାଜରୁ ଓଟ କଲି । ଓଟ ଚଢ଼ିବାରେ ମୋର ଏ ପ୍ରଥମ ଅଭିଜ୍ଞତା ।

 

ପୋରବନ୍ଦରରେ ପହଞ୍ଚିଲି । ଦାଦିଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ ହେଲି । ସବୁ କଥା ଶୁଣାଇଲି । ସେ ସବୁ ବିଚାର ଜବାବ ଦେଲେ ।

 

‘‘ବିଲାତ ଯିବାଟାକୁ ଆମ ଧର୍ମ ଗ୍ରହଣ କରିବ କି ନାହିଁ ମୁଁ ଜାଣେ ନାହିଁ । ସବୁ କଥା ଶୁଣି ମୋ ମନରେ ସନ୍ଦେହ ହେଉଛି । ଦେଖ, ବଡ଼ ବଡ଼ ବାରିଷ୍ଟରଙ୍କ ସଙ୍ଗେ ମୋର ଦେଖା ସାକ୍ଷାତ ହୋଇଥାଏ । ମୁଁ ତ ତାଙ୍କ ଚାଳିଚଳଣ ଓ ସାହେବୀ ଚାଲିଚଳଣ ଭିତରେ ପ୍ରଭେଦ ଦେଖିପାରେ ନାହିଁ । ତାଙ୍କର ଖାଇବା ପିଇବାରେ କିଛି ବାଧା ନ ଥାଏ । ମୁହଁରୁ ତ ସିଗାର (ବଡ଼ ପିଙ୍କା) ବାହାରେ ନାହିଁ । କିନ୍ତୁ ମୁଁ ତୋର ସାହସରେ ବାଧା ଦେବାକୁ ଚାହେଁନା । ମୁଁ ଅଳ୍ପଦିନେ ତୀର୍ଥଯାତ୍ରାରେ ଯିବି । ଆଉ ମୋର ମଧ୍ୟ ଅଳ୍ପ ବର୍ଷ ବଞ୍ଚିବାର କଥା । ମୋ କଥା ସରିଲା ବେଳକୁ ମୁଁ ତତେ କେମିତି ଦରିୟା ପାରି ହେଇ ବିଲାତ ଯିବାକୁ ଅନୁମତି ଦେବି ? କିନ୍ତୁ ମୁଁ ମଝିରେ ବିଘ୍ନ ହେବି ନାହିଁ । ଅସଲ ଅନୁମତି ତ ତୋର ମା’ଙ୍କର । ସେ ଯଦି ଅନୁମତି ଦେବେ, ତେବେ ତୁ ଆନନ୍ଦରେ ଯା । ମୁଁ ତୋତେ ଅଟକାଇବି ନାହିଁ, ଏତିକି କହିଦେଲି । ତେବେ ମୋର ଆର୍ଶୀବାଦ ତ ଅଛି ।’’

 

ମୁଁ କହିଲି, ‘‘ଏଥିରୁ ବେଶି କିଛି ମୁଁ ତୁମଠୁ ଆଶା କରି ନ ଥିଲି । ଏବେ ତ ମୋ ମାକୁ ମତେ ରାଜି କରାଇବାକୁ ପଡ଼ିବ । କିନ୍ତୁ ଲେଲୀ ସାହେବଙ୍କୁ ଖଣ୍ଡେ ସୁପାରିଶ ପତ୍ର ଦେବେ କି ?’’

 

ଦାଦି କହିଲେ ‘ଏହା ମୋ ଦ୍ୱାରା କେମିତି ହେବ ? ସାହେବ ଭଲ ଲୋକ, ତୁ ଚିଠି ଲେଖିବୁ । କୁଟୁମ୍ବର ପରିଚୟ ଦେବୁ । ସେ ନିଶ୍ଚୟ ଦେଖା କରିବାକୁ ସମୟ ଦେବେ ଏବଂ ତାଙ୍କ ମନ ହେବ ତ ତତେ ସାହାଯ୍ୟ ମଧ୍ୟ କରି ପାରନ୍ତି ।’’

 

ମୋର ଧାରଣା ନାହିଁ ଦାଦି କାହିଁକି ସାହେବଙ୍କୁ ସୁପାରିଶ କଲେ ନାହିଁ । ମୋର ଖାଲି ଟିକିଏ ଆଭାସ ମନରେ ହେଉଛି ଯେ, ବିଲାତ ଯିବା ଧର୍ମବିରୁଦ୍ଧ କାମ, ସେଥିରେ ସେ ଏତେ ସିଧା ସାହାଯ୍ୟ କରିବାକୁ ସଙ୍କୋଚ ଅନୁଭବ କରିଥିଲେ ।

 

ମୁଁ ଲେଲୀ ସାହେବଙ୍କୁ ଚିଠି ଲେଖିଲି । ସେ ତାଙ୍କର ରହିବା ବଙ୍ଗଳାକୁ ମୋତେ ଡକାଇ ପଠାଇଥିଲେ । ଏ ବଙ୍ଗଳାର ପାହାଚ ଉପରେ ଚଢ଼ୁ ଚଢ଼ୁ ସାହେବଙ୍କ ସଙ୍ଗେ ମୋର ଦେଖା ହେଲା ଏବଂ ‘‘ତୁ ବି.ଏ.ପାସ କର, ପରେ ମୋ ସଙ୍ଗେ ଦେଖାକରିବୁ, ଆମେ କିଛି ସାହାଯ୍ୟ ଦେଇପାରିବୁ ନାହିଁ ।’’ ଏହା କହି ସାହେବ ଉପରକୁ ଉଠିଗଲେ । ମୁଁ ତ ବହୁତ ପ୍ରସ୍ତୁତ ହୋଇ, କେତେ କଥା ଘୋଷି ଯାଇଥିଲି । ତଳକୁ ନଇଁ ଦି’ ହାତରେ ସଲାମ କରିଥିଲି । କିନ୍ତୁ ମୋର ସବୁ ଶ୍ରମ ପଣ୍ଡ ହେଲା ।

 

ମୋର ନଜର ସ୍ତ୍ରୀର ଗହଣା ଉପରେ ପଡ଼ିଥିଲା । ବଡ଼ଭାଇଙ୍କ ଉପରେ ମୋର ଅପାର ଶ୍ରଦ୍ଧା ଥାଏ । ତାଙ୍କର ଉଦାରତାର ସୀମା ନ ଥିଲା । ତାଙ୍କର ସ୍ନେହ ବାପାଙ୍କୁ ସ୍ନେହ ଭଳି ଥିଲା । ତେଣୁ ତାଙ୍କଠାରେ ମଧ୍ୟ ଆଶା ବାନ୍ଧିଲି ।

 

ମୁଁ ପୋରବନ୍ଦରରୁ ବିଦାୟ ହେଲି । ରାଜକୋଟ ଆସି ସବୁକଥା ଶୁଣେଇଲି । ଜୋଶୀଜୀଙ୍କ ସଙ୍ଗେ ପରାମର୍ଶ କଲି । କରଜ କରି ମତେ ପଠେଇ ଦେବାକୁ ସେ ପରାମର୍ଶ ଦେଲେ-। ମୁଁ ମୋର ସ୍ତ୍ରୀ ଗହଣାତକ ସାରିଦେବାକୁ ସୂଚନା ଦେଇଥିଲି । ସେଥିରୁ କିନ୍ତୁ ଦୁଇ ତିନିହଜାରରୁ ବେଶି ଟଙ୍କା ବାହାରନ୍ତା ନାହିଁ । ଭାଇ ଯେମିତି ଭଲ ହେବ, ସେ ବାଟେ ଟଙ୍କା ପୂରା କରିବାର ଦାୟିତ୍ୱ ମୁଣ୍ଡାଇଥିଲେ ।

 

ମା କେମିତି ବୁଝିଲା ? ସେ ତ ବହୁତ ଅନୁସନ୍ଧାନ ଆରମ୍ଭ କରି ଦେଇଥିଲା । କେହି କହିଲା, ଟୋକା ବୟସରେ ବିଲାତ ଗଲେ ଦୁଶ୍ଚରିତ୍ର ହୋଇଯାନ୍ତି । କେହି କହିଲା, ମାଂସ ଖାଇ ଶିଖନ୍ତି, କିଏ କହିଲା ମଦ ବିନା ଚଳେ ନାହିଁ । ବୋଉ ମତେ ଏ ସବୁ ଶୁଣାଗଲା । ମୁଁ କହିଲି, ‘‘କିନ୍ତୁ ତୁ କ’ଣ ମତେ ବିଶ୍ୱାସ କରୁ ନାହୁଁ ? ମୁଁ ତତେ ଠକିବି ନାହିଁ । ଶପଥ କରି କହୁଛି ଯେ, ମୁଁ ଏ ତିନୋଟିର ପାଖ ପଶିବି ନାହିଁ । ଏମିତି ବିପଦ ଥିଲେ ଜୋଶୀଜୀ ଯିବାକୁ କହନ୍ତେ କେମିତି ?’’

 

ବୋଉ କହିଲା, ‘‘ମୋର ତ ତୋଠାରେ ବିଶ୍ୱାସ ଅଛି । କିନ୍ତୁ ଦୂର ଦେଶରେ କ’ଣ ହେବ-? ମୋତେ ତ ବୁଦ୍ଧି ଦିଶୁ ନାହିଁ । ମୁଁ ବେଚାରଜୀ ସ୍ୱାମୀଙ୍କୁ ପଚାରିବି । ବେଚାରଜୀ ସ୍ୱାମୀ ମୋଢ଼ ବଣିଆରୁ (ଗୁଜୁରାତର ଏକ ପ୍ରକାର ବଣିଆ) ଜୈନ ସନ୍ନ୍ୟାସୀ ହୋଇଥିଲେ । ଜୋଶୀଜୀଙ୍କ ଭଳି ଆମର ପରାମର୍ଶଦାତା ଥିଲେ । ସେ ସାହାଯ୍ୟ କରିଥିଲେ । ସେ କହିଲେ, ‘‘ମୁଁ ସେ ଟୋକାଠାରୁ ଏ ତିନୋଟି ବିଷୟରେ ପ୍ରତିଜ୍ଞା କରେଇ ନେବି । ତା’ପରେ ତା ଯିବାରେ ଆଉ ବାଧା ନାହିଁ ।’’ ସେ ପ୍ରତିଜ୍ଞା କରାଇ ନେଲେ ଏବଂ ମୁଁ ମଦ, ମାଂସ ଓ ସ୍ତ୍ରୀ ସହବାସଠୁ ଦୂରରେ ରହିବାକୁ ପ୍ରତିଜ୍ଞା କଲି । ମା ଯିବାକୁ ଅନୁମତି ଦେଲା ।

 

ଆମ ଉଚ୍ଚ ବିଦ୍ୟାଳୟରେ ମେଲାଣି ସଭା ହେଲା । ରାଜକୋଟର ଜଣେ ଯୁବକ ବିଲାତ ଯାଉଛି ସମସ୍ତେ ଆଶ୍ଚର୍ଯ୍ୟ ମଣିଥିଲେ । ସଭାରେ ଜବାବ ଦେବାପାଇଁ ମୁଁ କିଛି ଲେଖି ନେଇଥାଏ । ସେତକ କିନ୍ତୁ ଭାଗ୍ୟକ୍ରମେ ପଢ଼ିପାରିଲି । ସେତେବେଳେ ମୁଣ୍ଡ ବୁଲାଇଲା, ଦେହ ଥରିଥିଲା ଏତିକି ମନେଅଛି ।

 

ମୁରବୀମାନଙ୍କଠାରୁ ଆର୍ଶୀବାଦ ନେଇ ବମ୍ବେଇ ଯିବାକୁ ବାହାରିଲି । ମୋର ବମ୍ବେଇ ଯାତ୍ରା ପ୍ରଥମ, ବଡ଼ଭାଇ ସାଙ୍ଗରେ ଆସିଲେ ।

 

କିନ୍ତୁ ସବୁ ଭଲ କାମରେ ଶହ ଶହ ବିଘ୍ନ ଆସଥାଏ । ବମ୍ବେଇ ପାଳି ଝଟ୍‌ ସରି ନ ଥିଲା–ନାନା ବାଧାବିଘ୍ନ ଉପୁଜିଲା ।

 

ଜାତିବାସନ୍ଦ

 

ମା’ର ଅନୁମତି ଓ ଆର୍ଶୀବାଦ ଘେନି ଅଳ୍ପ କେଇ ମାସର ପୁଅ ସ୍ତ୍ରୀଠାରୁ ବିଦାୟ ନେଇ ମୁଁ ମହା ଉତ୍ସାହରେ ବମ୍ବେଇରେ ପହଞ୍ଚିଥିଲି । ପହଞ୍ଚିଲି ତ ସତ, ମାତ୍ର ସେଠି ବନ୍ଧୁମାନେ ଭାଇଙ୍କୁ କହିଲେ ଯେ ଜୁନ ଜୁଲାଇ ମାସରେ ଭାରତ ମହାସାଗରରେ ତୋଫାନ ଉଠେ ଏବଂ ମୋର ଏ ପ୍ରଥମ ସମୁଦ୍ରଯାତ୍ରା ଥିବାରୁ ମତେ ଦିଓ୍ୱାଲି ବାଦ ନଭେମ୍ବର ମାସରେ ପଠାଇବା ଉଚିତ । ପୁଣି ତୋଫାନରେ ଗୋଟିଏ ଜାହାଜ ବୁଡ଼ିଯିବାର ସମ୍ବାଦ ମଧ୍ୟ କିଏ ଦେଲା । ଏଥିଯୋଗୁଁ ବଡ଼ଭାଇ ବଡ଼ ଚିନ୍ତାରେ ପଡ଼ିଗଲେ । ଏତେ ବିପଦ ମୁଣ୍ଡେଇ ମତେ ସଙ୍ଗେ ସଙ୍ଗେ ପଠାଇଦେବାକୁ ମନା କଲେ । ମୋତେ ବମ୍ବେଇରେ ଜଣେ ବନ୍ଧୁଙ୍କ ଘରେ ଛାଡ଼ି ନିଜ ଚାକିରିରେ ଯୋଗଦେବାପାଇଁ ରାଜକୋଟ ଫେରିଗଲେ । ଜଣେ ଭିଣୋଇଙ୍କ ପାଖକୁ ଟଙ୍କା ପଠାଇଥାନ୍ତି ଏବଂ ମୋତେ ସାହାଯ୍ୟ କରିବାପାଇଁ କେତେକ ବନ୍ଧୁଙ୍କୁ ଲେଖାଲେଖି କରୁଥାନ୍ତି ।

 

ବମ୍ବେଇରେ ମୋର ଦିନ ସରୁ ନ ଥାଏ । ମୁଁ ବିଲାତର ସ୍ୱପ୍ନ ଦେଖୁଥାଏ । ଇତ୍ୟବସରରେ ଆମ ଜାତିରେ ଚହଳ ପଡ଼ିଗଲା । ଜାତିଭାଇ ଡକେଇ ପଠେଇଲେ । ମୋଢ଼ ବଣିଆ କେହି ଆଜିଯାଏ ବିଲାତ ଯାଇ ନ ଥିଲେ, ମୁଁ ଯାଉଛି, ସେଥିପାଇଁ ମୋର ଉପସ୍ଥିତି ଲୋଡ଼ା-। ଜାତିଭାଇଙ୍କ କୋଠାରେ ହାଜର ହେବା ପାଇଁ ମୋ ଉପରେ ହୁକୁମ ଆସିଲା । ମୁଁ ଗଲି । ମୁଁ ଜାଣେ ନାହିଁ, କୁଆଡ଼ୁ ଆପଣା ମନକୁ ମୋର ସାହସ ଆସିଗଲା । ସେଠାରେ ହାଜର ହେବାକୁ ମତେ ସଙ୍କୋଚ ହୋଇ ନ ଥିଲା ବା ଭୟ ଲାଗି ନ ଥିଲା । ଜାତି ବେହେରାଙ୍କ ସଙ୍ଗେ ଦୂର ସମ୍ପର୍କ ମଧ୍ୟ ଥିଲା । ବାପାଙ୍କ ସଙ୍ଗେ ତାଙ୍କର ଭଲ ସମ୍ପର୍କ ଥିଲା । ସେ ମୋତେ କହିଥିଲେ—

 

‘‘ଜାତି ଭାଇଙ୍କର ମତ, ତୁ ଯେ ବିଲାତ ଯିବାର ବିଚାର କରିଛୁ, ତାହା ଠିକ୍‌ ନୁହେଁ । ଆମ ଧର୍ମରେ ଦରିଆ ପାରି ହେବାକୁ ମନା ଅଛି । ପୁଣି ବିଲାତରେ ଧର୍ମ ରଖି ହେବ ନାହିଁ ବୋଲି ମୁଁ ଶୁଣିଛି । ସେଠାରେ ସାହେବଙ୍କ ସଙ୍ଗେ ଖାଇବା ପିଇବାକୁ ପଡ଼େ ।’’ ମୁଁ ଜବାବ ଦେଲି, ‘‘ମତେ ତ ଲାଗୁଛି ବିଲାତ ଯିବା ଆଦୌ ଅଧର୍ମ ନୁହେଁ । ମୁଁ ସେଠାକୁ ଯାଇ ପାଠ ପଢ଼ିବି । ପୁଣି ଯେ ସବୁ ବିଷୟରେ ଆପଣଙ୍କର ଭୟ, ସେ ସବୁଠୁ ଦୂରରେ ରହିବା ପାଇଁ ମୁଁ ମା’ଙ୍କ ପାଖରେ ଶପଥ କରିଛି, ଅତଏବ ମୁଁ ସେ ସବୁଠୁଁ ଦୂରରେ ରହିପାରିବି ।’’

 

ଶେଠ(ବେହେରା) କହିଲେ, ‘‘କିନ୍ତୁ ମୁଁ ତତେ କହୁଛି ଯେ, ସେଠି ଧର୍ମକୁ ରଖି ହେବ ନାହିଁ । ତୁ ଜାଣୁ ତୋର ପିତାଙ୍କ ସାଙ୍ଗରେ ମୋର କିପରି ସମ୍ବନ୍ଧ ଥିଲା । ସେଥିପାଇଁ ମୋ କଥା ତୋର ମାନିବା ଉଚିତ ।’’

 

ମୁଁ ଜବାବ ଦେଲି ଯେ, ‘‘ଆପଣଙ୍କ ସାଙ୍ଗରେ ସମ୍ବନ୍ଧ ମତେ ଜଣାଅଛି । ଆପଣ ମୋର ମୁରବୀ ସମାନ । କିନ୍ତୁ ଏ ବିଷୟରେ ମୁଁ ନାଚାର । ମୋର ବିଲାତ ଯିବା ସଂକଳ୍ପ ମୁଁ ବଦଳେଇ ପାରିବି ନାହିଁ । ମୋର ବାପାଙ୍କ ବନ୍ଧୁ ଓ ପରାମର୍ଶଦାତା ଯେ ପଣ୍ଡିତ ବ୍ରାହ୍ମଣ ଅଛନ୍ତି, ତାଙ୍କର ମତ ଯେ ମୋର ବିଲାତ ଯିବାରେ କିଛି ଦୋଷ ନାହିଁ । ମୋର ମା ଓ ଭାଇଙ୍କର ଅନୁମତି ମଧ୍ୟ ମତେ ମିଳିଛି ।’’

 

‘‘କିନ୍ତୁ ତୁ କ’ଣ ଜାତିର ହୁକୁମ ମାନିବୁ ନାହିଁ ?’’

 

‘‘ମୁଁ ନାଚାର ଅଟେ । ମୋର ମତ ଏ ସମ୍ବନ୍ଧରେ ଜାତିଭାଇ ହସ୍ତକ୍ଷେପ କରିବା ଉଚିତ ନୁହେଁ ।’’

 

ଏ ଉତ୍ତର ପାଇ ଶେଠଙ୍କର ରାଗ ହେଲା । ମତେ ଦି’ ଚାରି କଥା ଶୁଣାଇଲେ । ମୁଁ ଧୀର ସ୍ଥିର ହୋଇ ବସି ରହିଥାଏ । ଶେଠ ହୁକୁମ କଲେ—

 

‘‘ଏ ଟୋକାକୁ ଆଜିଠୁ ଜାତି ବାସନ୍ଦ ବୋଲି ମନେ କରାଯିବ । ଯେ କେହି ତାକୁ ସାହାଯ୍ୟ ଦେବେ ବା ବଳେଇ ଦେବାକୁ ଯିବେ, ଜାତି ତାଙ୍କଠୁ କୈଫିୟତ ନେବ ଏବଂ ତାଙ୍କୁ ପାଞ୍ଚ ସୁକା ଜୋରିମାନା ହେବ ।’’

 

ଏ ନିଷ୍ପତ୍ତିର କୌଣସି ମାତ୍ର ପ୍ରଭାବ ମେ ଉପରେ ପଡ଼ି ନ ଥିଲା । ମୁଁ ଶେଠଙ୍କଠାରୁ ବିଦାୟ ହେଲି । ଏ ପ୍ରସ୍ତାବର ପ୍ରଭାବ ମୋ ଭାଇଙ୍କ ଉପରେ କ’ଣ ହେବ ତାହା ହିଁ ବିଚାରିବାର ଥିଲା । ସେ ଡରିଯିବେ ତ ? ଭାଗ୍ୟକୁ ସେ ଦୃଢ଼ ରହିଥିଲେ ଏବଂ ମତେ ଲେଖିଥିଲେ ଯେ, ଜାତିଭାଇଙ୍କ ନିଷ୍ପତ୍ତି ସତ୍ତ୍ୱେ ସେ ମୋତେ ବିଲାତ ଯିବାରେ ଅଟକାଇବେ ନାହିଁ ।

 

ଏ ଘଟଣା ପରେ ମୁଁ ବେଶୀ ଅଧୀର ହୋଇ ପଡ଼ିଥିଲି । ଭାଇଙ୍କ ଉପରେ ଯଦି ଚାପ ଦିଆଯାଏ ? ଯଦି କୌଣସି ନୂଆ ବିଘ୍ନ ଆସେ ? ଏହି ଚିନ୍ତାରେ ମୁଁ ଦିନ କଟାଉଛି, ଏହି ସମୟରେ ଖବର ପାଇଲି ଯେ, ଚାରି ତାରିଖ ସେପ୍ଟେମ୍ବରରେ ଏକ ଜାହଜ ଛାଡ଼ୁଛି ଓ ସେଥିରେ ଜୁନାଗଡ଼ର ଜଣେ ଓକିଲ ବାରିଷ୍ଟର ହେବାକୁ ବିଲାତ ଯାଉଛନ୍ତି । ଯେଉଁ ବନ୍ଧୁଙ୍କୁ ମୋର ବଡ଼ଭାଇ ମୋ କଥା ସୁପାରିଶ କରି ଲେଖିଥଲେ, ତାଙ୍କ ସଙ୍ଗେ ମୁଁ ଦେଖା କଲି । ସେ ମଧ୍ୟ ଏ ସୁଯୋଗ ଛାଡ଼ି ନ ଦେବାପାଇଁ ପରାମର୍ଶ ଦେଇଥିଲେ । ସମୟ ବହୁତ କମ୍‌ ଥାଏ । ଭାଇଙ୍କୁ ତାର କଲି ଓ ଅନୁମତି ମାଗିଲି । ସେ ଆଜ୍ଞା ଦେଲେ । ମୁଁ ଭିଣେଇଙ୍କୁ ଟଙ୍କା ମାଗିଲି । ସେ ଜାତି ଭାଇଙ୍କର ହୁକୁମ କଥା କହିଲେ । ଜାତି ବାସନ୍ଦ ହେବା କଥାଟା ତାଙ୍କୁ ପସନ୍ଦ ହେଲା ନାହିଁ । ଆମ କୁଟୁମ୍ବର ଜଣେ ବନ୍ଧୁଙ୍କୁ ପାଖରେ ପହଞ୍ଚିଲି । ଜାହାଜଭଡ଼ା ପ୍ରଭୃତି ପାଇଁ ଆବଶ୍ୟକ ଖର୍ଚ୍ଚ ମତେ ଦେଇ ଭାଇଙ୍କ ପାଖରୁ ଅସୁଲ କରି ନେବାକୁ ଅନୁରୋଧ କଲି । ଏ ବନ୍ଧୁ ସେଥିରେ ରାଜି ହେଲେ ବରଂ ମୋତେ ସାହସ ଦେଇଥିଲେ । ମୁଁ ତାଙ୍କୁ କୃତଜ୍ଞତା ଜଣାଇ ଟଙ୍କା ନେଲି ଓ ଟିକେଟ କଟେଇଲି ।

 

ବିଲାତ ଯାତ୍ରା ପାଇଁ ଅନେକ ଜିନିଷ ତିଆରି କରିବାର ଥିଲା । ଆଉ ଏକ ଅନୁଭବୀ ବନ୍ଧୁ ଦ୍ୱାରା ଏସବୁ ଜିନିଷ ତିଆରି କରେଇ ନେଲି । ମତେ ସବୁ ବିଚିତ୍ର ଲାଗୁଥାଏ । କେତେକ ଭଲ ଲାଗିଲା, କେତେକ ଲାଗିଲା ନାହିଁ । ଯେଉଁ ନେକଟାଇ(ବେକଫିତା) ମୁଁ ପରେ ବଡ଼ ସୌକରେ ପିନ୍ଧିଲି, ତାହା ଆଦୌ ସେତେବେଳେ ଭଲ ଲାଗୁ ନ ଥିଲା । ଛୋଟିଆ ଜାକେଟ୍‌(ଉଏଷ୍ଟ କୋଟ) ଲଙ୍ଗଳା ପୋଷାକ ପରି ଜଣା ପଡ଼ିଲା । କିନ୍ତୁ ବିଲାତ ଯିବାର ପ୍ରବଳ ଇଚ୍ଛା ଆଗରେ ଏସବୁ ଅସୁବିଧା କିଛି ମାତ୍ର ନ ଥିଲା ।

 

କିନ୍ତୁ ଖାଇବା ଚିଜ ଠିକ୍‌ କରି ସାଙ୍ଗରେ ବାନ୍ଧିଥିଲି ।

 

ସେ ଜୁନାଗଡ଼ ଓକିଲଙ୍କ ନାଁ ତ୍ରମ୍ବକରାୟ ମଜୁମଦାର । ତାଙ୍କର କୋଠରୀରେ ମୋ ପାଇଁ ଗୋଟିଏ ଜାଗା ମୋର ବନ୍ଧୁମାନେ କରେଇ ଦେଇଥିଲେ । ମୋ ପାଇଁ ତାଙ୍କୁ ସୁପାରିଶ ମଧ୍ୟ କରିଥିଲେ । ସେ ତ ପୁରୁଣା ବୟସ୍କ ଅନୁଭବୀ ଗୃହସ୍ଥ । ମୁଁ ତ ଦୁନିଆରେ କୌଣସି ଅନୁଭବ ନ ଥିବା ଅଠର ବର୍ଷର ଯୁବକ । ମଜୁମଦାର ମହାଶୟ ମୋ ବିଷୟରେ ଚିନ୍ତା ନ କରିବାକୁ ମୋର ବନ୍ଧୁମାନଙ୍କୁ କହିଲେ ।

 

ଏହିପରି ୧୮୮୮ ସାଲ ସେପ୍ଟେମ୍ବର ୪ ତାରିଖ ଦିନ ମୁଁ ବମ୍ବେଇ ବନ୍ଦର ଛାଡ଼ି ଯାଇଥିଲି ।

 

ଶେଷରେ ବିଲାତରେ

 

ଜାହାଜରେ ସମୁଦ୍ରଯାତ୍ରା ମତେ ଆଦୌ ବାଧି ନ ଥିଲା ସତ, ମାତ୍ର ଦିନ ଯେତିକି ଯାଉଥାଏ, ମୁଁ ସେତିକି ଅସ୍ଥିର ହେଉଥାଏ । ‘ଷ୍ଟୁଅର୍ଡ’ (ଯାତ୍ରୀଙ୍କ ରହିବା ଖାଇବା ଯେ ବୁଝେ) ସଙ୍ଗେ କଥା କହିବା ଲାଜ ମାଡ଼େ । ଇଂରାଜୀରେ କଥାବାର୍ତ୍ତା କରିବାର ଅଭ୍ୟାସ ମୋର ନ ଥାଏ । ଏକା ମଜୁମଦାରଙ୍କ ଛଡ଼ା ଆଉ ସବୁ ଯାତ୍ରୀ ଇଂରେଜ ଥାଆନ୍ତି । ତାଙ୍କ ସଙ୍ଗରେ ଇଂରାଜୀ କଥା କହିବାକୁ ମୋତେ ପଇଟୁ ନ ଥାଏ । ସେମାନେ ମୋ ସଙ୍ଗେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ ମଧ୍ୟ ମୁଁ ବୁଝିପାରୁ ନାହିଁ ବା ବୁଝିଲେ ମଧ୍ୟ ଜବାବ କେମିତି ଦେବି ତାହା ଦିଶେ ନାହିଁ । ପ୍ରତି ବାକ୍ୟ କହିବା ଆଗରୁ ମନରେ ସଜାଡ଼ି ନେବାକୁ ପଡ଼େ । କଣ୍ଟା ଚାମଚରେ ଖାଇ ଆସେ ନାହିଁ ଏବଂ କେଉଁ ଜିନିଷଟା ମାଂସରେ ତିଆରି ନୁହେଁ ତାହା ପଚାରିବାକୁ ସାହସ ହୁଏ ନାହିଁ । ସେଥିପାଇଁ ମୁଁ କେବେହେଲେ ଖାଇବା ଟେବୁଲ ଉପରକୁ ଖାଇବାକୁ ଯାଇ ନାହିଁ । କୋଠରୀରେ ଖାଏ, ସାଙ୍ଗରେ ଯେ ସବୁ ମିଠାଇ ପ୍ରଭୃତି ନେଇଥିଲି, ସେଇଥିରେ ମୁଁ ମୋର ଚଳି ଯାଉଥାଏ । କିନ୍ତୁ ମଜୁମଦାରଙ୍କର ଟିକିଏ ହେଲେ ସଙ୍କୋଚ ନ ଥାଏ । ସେ ସମସ୍ତଙ୍କ ସଙ୍ଗେ ମିଳାମିଶା କରନ୍ତି । ଡେକ ଉପରେ ଯାଇ ଅବାଧରେ ବୁଲାଚଲା କରନ୍ତି । ମୁଁ ତ ଦିନଯାକ କୋଠରୀରେ ରହେ, କ୍ୱଚିତ୍‌ କେତେବେଳେ ଡେକ୍‌ ଉପରେ ମଣିଷ କମ୍‌ ଥିଲେ ଟିକିଏ ଯାଇ ସେଠି ବସିପଡ଼େ । ସମସ୍ତଙ୍କ ସଙ୍ଗେ ମିଳାମିଶା ଓ ଅବାଧରେ କଥାବାର୍ତ୍ତା କରିବାକୁ ମଜୁମଦାର ମତେ ବୁଝାଉଥାନ୍ତି । ମତେ କହନ୍ତି ଓକିଲ ବାରିଷ୍ଟର ମୁହଁ ଫିଟା ହେବା ଦରକାର । ସେ ନିଜ ଓକିଲାତିର ଅନୁଭବ ଶୁଣାନ୍ତି । ଇଂରାଜୀ ଆମର ଭାଷା ନୁହେଁ, ସେଥିରେ ଭୁଲ ତ ହେବ ନିଶ୍ଚୟ । ତଥାପି କହିବାର ଅଭ୍ୟାସ ରଖିବା ଉଚିତ, ଇତ୍ୟାଦି ବିଷୟ ସେ କହନ୍ତି କିନ୍ତୁ ମୁଁ ମୋର ଭୀରୁତା ଛାଡ଼ିପାରୁ ନ ଥାଏ ।

 

ଥରେ ଜଣେ ଇଂରେଜ ଭଦ୍ରଲୋକ ମୋ ପ୍ରତି ଦୟା ବହି ମୋ ସଙ୍ଗେ କଥାବାର୍ତ୍ତା ଆରମ୍ଭ କଲେ । ମୁଁ କିଏ, କ’ଣ ଖାଉଛି, କାହିଁକି କାହାରି ସାଙ୍ଗରେ କଥାବାର୍ତ୍ତା କରୁ ନାହିଁ ଇତ୍ୟାଦି ପ୍ରଶ୍ନ ପଚାରିଥିଲେ । ଖାନା ଖାଇବା ଟେବୁଲକୁ ଯିବାକୁ ମତେ ଅନୁରୋଧ କଲେ । ମୋର ମାଂସ ନ ଖାଇବା ବିଷୟ ଶୁଣି ହସିଲେ, ପୁଣି ମୋ ପ୍ରତି ଦୟା ଦେଖାଇ କହିଲେ, ‘‘ଏବେ ପୋର୍ଟସେଡ଼୍‌ ପହଞ୍ଚିବା ପର୍ଯ୍ୟନ୍ତ କାମ ଠିକ୍‌ ଚଳୁଚି, କିନ୍ତୁ ବିସ୍କୋ ଉପସାଗରରେ ପହଞ୍ଚିଲେ ତୁମର ବିଚାର ବଦଳାଇବ । ଇଂଲଣ୍ଡରେ ଏତେ ଥଣ୍ଡା ପଡ଼େ ଯେ, ମାଂସ ବିନା ସେଠି ଚଳିହେବ ନାହିଁ ।’’

 

ମୁଁ କହିଲି, ‘‘ମୁଁ ଶୁଣିଛି ଯେ, ସେଠାରେ ଲୋକେ ମାଂସ ନ ଖାଇ ବି ରହି ପାରନ୍ତି ।’’

 

ସେ କହିଲେ, ‘‘ଜାଣିଥା—ଏ ସବୁ ବାଜେ କଥା । ମୋର ପରିଚିତଙ୍କ ମଧ୍ୟରୁ ମୁଁ କାହାକୁ ଜାଣେ ନାହିଁ ଯେ କି ମାଂସ ନ ଖାନ୍ତି । ଦେଖ, ମୁଁ ମଦ ଖାଉଛି, ତମକୁ ତା ଖାଇବାକୁ ତ କେବେ କହୁନାହିଁ, ମାତ୍ର ମାଂସ ଖାଇବା ଏକାନ୍ତ ଉଚିତ ବୋଲି ମତେ ଲାଗୁଛି ।’’

 

ମୁଁ କହିଲି, ‘‘ତୁମର ଏ ପରାମର୍ଶ ପାଇ ମୁଁ କୃତଜ୍ଞତା ସ୍ୱୀକାର କରୁଛି । ମାତ୍ର ସେ ସବୁ ନ ଖାଇବାକୁ ମୁଁ ମୋର ମା’ଙ୍କ ପାଖରେ ଶପଥ ଗ୍ରହଣ କରିଛି, ସେଥିଯୋଗୁଁ ସେ ସବୁ ମୋ ଦ୍ୱାରା ହେବ ନାହିଁ । ଯଦି ସେ ସବୁ ନ ଖାଇଲେ ନିତାନ୍ତ ଚଳିବ ନାହିଁ, ତେବେ ମୁଁ ଭାରତବର୍ଷକୁ ଫେରିଯିବି ପଛେ, କିନ୍ତୁ ମାଂସ କେବେ ଖାଇବି ନାହିଁ ।

 

ବିସ୍କୋ ଉପସାଗର ଆସିଗଲା । କିନ୍ତୁ ସେଠି ମୋତେ ମଦ ବା ମାଂସର ଆବଶ୍ୟକତା କିଛି ଜଣା ପଡ଼ିଲା ନାହିଁ । ମାଂସ ନ ଖାଇବାର ସାର୍ଟିଫିକେଟ (ପ୍ରମାଣପତ୍ର) ସଂଗ୍ରହ କରି ରଖିବାକୁ ମତେ କେହି ପରାମର୍ଶ ଦେଲେ । ସେଥିପାଇଁ ଏ ଇଂରେଜ ବନ୍ଧୁଙ୍କୁ ଖଣ୍ଡେ ପ୍ରମାଣପତ୍ର ମାଗିଥିଲି, ସେ ଖୁସିରେ ଲେଖି ଦେଇଦେଲେ । ସେ ଖଣ୍ଡିକ ମୁଁ କେତେ କାଳ ଧନ ସମ୍ପତ୍ତି ଭଳି ଯତ୍ନରେ ରଖିଥାଏ । ପରେ ମୁଁ ଶୁଣିଲି ଯେ, ମାଂସ ଖାଉଥିଲେ ମଧ୍ୟ ନ ଖାଇବାର ପ୍ରମାଣପତ୍ର ମିଳିଯାଏ, ସେଥିପାଇଁ ତାହା ଉପରୁ ମୋର ମୋହ ତୁଟିଗଲା । ଯଦି ମୋ କଥା ଉପରେ ବିଶ୍ୱାସ ନ ହୁଏ, ତେବେ ସେ ସମ୍ବନ୍ଧରେ ପ୍ରମାଣପତ୍ର ଦେଖେଇ ମୋର କି ଲାଭ ପାଇବାର ଅଛି ?

 

ଯାହାହେଉ ଦୁଃଖେସୁଖେ ଯାତ୍ରା ପୂରା କରି ଆମେସବୁ ସାଉଧେମ୍ପଟନ୍‌ ବନ୍ଦରରେ ଆସିପହଞ୍ଚିଲୁ । ସେ ଦିନ ଶନିବାର ହୋଇଥାଏ । ମୁଁ ଜାହାଜ ଉପରେ କଳା ପୋଷାକ ପିନ୍ଧିଥାଏ । ବନ୍ଧୁମାନେ ମୋ ପାଇଁ ଏକ ଧଳା ଫ୍ଲନେଲର କୋଟ ପାଇଜାମା ତିଆରି କରି ଦେଇଥାନ୍ତି । ବିଲାତରେ ଓହ୍ଲାଇବା ବେଳେ ତାକୁ ପିନ୍ଧିବି ବୋଲି ବିଚାରିଥିଲି । କାରଣ ମୁଁ ଜାଣେ ଧଳା ପୋଷାକ ବେଶୀ ମାନେ । ମୁଁ ଏହି ଧଳା ଫ୍ଲନେଲ ପୋଷାକ ପିନ୍ଧି ଓହ୍ଲାଇଲି । ଏ ସେପ୍ଟେମ୍ବର ମାସ ଶେଷ ଆଡ଼ର କଥା । ମୁଁ ଦେଖିଲି, ଏଭଳି ପୋଷାକ ମୁଁ ଏକା ପିନ୍ଧିଛି । ମୋର ଟ୍ରଙ୍କ, ପେଟରା ଓ ତା’ର ଚାବି ଗୁଡ଼ିକ ଗ୍ରୀଣ୍ଡଲେ କମ୍ପାନୀର ଗୁମାସ୍ତା ନେଇ ଯାଇଥାଏ । ସମସ୍ତେ ସେୟା କଲେ ଦେଖି, ମୋର ମଧ୍ୟ କରିବା ଉଚିତ ବିଚାରି ମୁଁ ମୋର ଚାବି ଗୁଡ଼ିକ ମଧ୍ୟ ଦେଇ ଚାଲି ଆସିଥିଲି ।

 

ମୋ ପାଖରେ ଚାରିଜଣଙ୍କୁ ଦେବାପାଇଁ ସୁପାରିଶ ଚିଠି ଚାରି ଖଣ୍ଡି ଥିଲା । ୧—ଡାକ୍ତର ପ୍ରାଣ ଜୀବନ ମେହେତା, ୨—ଦଳପତି ରାମ ଶୁକ୍ଳ, ୩—ପ୍ରିନ୍ସ ରଣଜିତ୍‌ ସିଂହଜୀ ୪—ଦାଦା ଭାଇ ନାରୋଜୀ । ମୁଁ ସାଉଧେମ୍ପଟନଠାରେ ଡାକ୍ତର ମେହେତାଙ୍କୁ ତାର କରିଥିଲି । ଜାହାଜରେ ଜଣେ ପରାମର୍ଶ ଦେଇଥିଲେ ଯେ, ଭିକ୍‌ଟୋରିଆ ହୋଟେଲରେ ରହିବା ଭଲ । ସେଥିପାଇଁ ମଜୁମଦାର ଓ ମୁଁ ସେହି ହୋଟେଲକୁ ଗଲୁ । ମୁଁ ତ ମୋ ଧଳା ପୋଷାକ ଯୋଗେ ଲାଜରେ ସଢ଼ି ଯାଉଥାଏ, ପୁଣି ହୋଟେଲରେ ପହଞ୍ଚି ଖବର ପାଇଲୁ ଯେ, ତା’ ପରଦିନ ରବିବାର ଥିବାରୁ, ଗ୍ରୀଣ୍ଡଲେ କମ୍ପାନୀର ଜିନିଷପତ୍ର ସୋମବାର ପୂର୍ବରୁ ଆସିପାରିବ ନାହିଁ । ଏଥିରେ ବଡ଼ ମୁଁ ଛଟପଟ ହେଲି ।

 

ସାତଟା, ଆଠଟା ବେଳେ ଡାକ୍ତର ମେହେତା ଆସିଲେ । ସେ ସ୍ନେହମିଶା ଥଟ୍ଟା ନକଲ କଲେ । ମୁଁ ଅଜାଣତରେ ଦେଖିବାପାଇଁ ତାଙ୍କ ରେଶମୀ ରୁମବାଲା ଟୋପିଟି ହାତରେ ଉଠାଇ ଧରି ତା ଉପରେ ଓଲଟା ହାତ ବୁଲେଇ ଦେଲି । ସେଥିରେ ଟୋପିର ରୁମଯାକ ଠିଆ ହୋଇଗଲା । ଡାକ୍ତର ମେହେତା ଦେଖିଲେ । ତୁରନ୍ତ ମତେ ରୋକି ଦେଲେ । କିନ୍ତୁ ଦୋଷ ତ ହୋଇ ସାରିଲାଣି । ପୁଣି ପରେ ହେବ ନାହିଁ, ତାଙ୍କର ମନା କରିବାର ଫଳ ଏତିକି ହେଲା ।

 

ଇଉରୋପରେ ଚାଲିଚଳନର ମୋର ପ୍ରଥମ ଶିକ୍ଷା ଏହିଠାରୁ ଆରମ୍ଭ ହେଲା । ଡାକ୍ତର ମେହେତା ହସୁଥାନ୍ତି ଓ ଅନେକ କଥା ବୁଝାଉଥାନ୍ତି । କାହାରି ଜିନିଷରେ ହାତ ଦେବ ନାହିଁ । ଦେଖାହେଲେ ପରିଚିତ ଲୋକଙ୍କୁ ଭାରତବର୍ଷରେ ଯେ ସବୁ ପ୍ରଶ୍ନ ପଚରା ହୋଇଥାଏ, ଏଠାରେ ସେ ସବୁ ପ୍ରଶ୍ନ ପଚାରିବ ନାହିଁ, ଭାରତରେ ସାହେବଙ୍କୁ କଥାବାର୍ତ୍ତା କଲାବେଳେ ‘ସାର୍‌’ କହିବାର ଏକ କଥା ପ୍ରଥା ପଡ଼ିଯାଇଛି; ଏହା କହିବା ଏଠି ଦରକାର ନାହିଁ । ‘ସାର୍‌’ କେବଳ ଚାକର ତା ମାଲିକ ବା ନିଜର ଉପରିସ୍ଥ କର୍ମଚାରୀଙ୍କୁ କହିବ । ପୁଣି ସେ ହୋଟେଲରେ ରହିବା ଖର୍ଚ୍ଚର କଥା ମଧ୍ୟ ପକେଇଲେ ଏବଂ କୌଣସି ଘରୋଇ ଲୋକର କୁଟୁମ୍ବରେ ରହିବା ଦରକାର ପଡ଼ିବ ବୋଲି ସେ ସୂଚାଇଥିଲେ । ଏ ବିଷୟରେ ଅଧିକ ବିଚାର ସୋମବାର ଦିନ କରିବାର ସ୍ଥିର ହେଲା । ଆଉ କେତେକ ଉପଦେଶ ଦେଇ ଡାକ୍ତର ମେହେତା ବିଦାୟ ନେଇଗଲେ ।

 

ହୋଟେଲ ଆମ ଦୁହିଁକି ମାଡ଼ି ମାଡ଼ି ପଡ଼ିଲା ଭଳି ଲାଗିଲା । ହୋଟେଲ ମଧ୍ୟ ମହଙ୍ଗା । ଆମ ଜାହାଜରେ ମାଲ୍‌ଟଠାରୁ ଜଣେ ସିନ୍ଧୀ ଯାତ୍ରୀ ଚଢ଼ିଥିଲେ । ତାଙ୍କ ସଙ୍ଗେ ମଜୁମଦାର ସାଙ୍ଗ ହୋଇ ଯାଇଥିଲେ । ଏ ସିନ୍ଧୀ ଯାତ୍ରୀଟି ବିଲାତରେ ପୁରୁଣା ଥିଲେ । ସେ ଆମ ପାଇଁ ଦୁଇଟି ବଖରା ଘର ଠିକ୍‌ କରିଦେବାର ଦାୟିତ୍ୱ ନେଲେ । ଆମେ ରାଜି ହେଲୁ । ସୋମବାର ଦିନ ଜିନିଷପତ୍ର ମିଳିଲା । ସେ ଦିନ ଯାଏ ହୋଟେଲ ପାଉଣା ଛିଣ୍ଡାଇ ଦେଇ ସେ ସିନ୍ଧୀ ଭାଇ ଠିକ୍‌ କରିଥିବା ବସାକୁ ଗଲୁ । ମୋର ମନେ ଅଛି, ହୋଟେଲ ପାଉଣା ମୋ ଭାଗରେ ତିନି ପାଉଣ୍ଡ (ପଇଁଚାଳିଶ ଟଙ୍କା) ଯାଏ ପଡ଼ିଥିଲା । ମୁଁ ତ ତାହା ଦେଖି ଆବା କାବା ହୋଇଗଲି । ତିନି ପାଉଣ୍ଡ ଦେଇ ସୁଦ୍ଧା ଉପାସ ରହିଲି । ହୋଟେଲର ଖିଆ ମତେ ରୁଚୁ ନ ଥାଏ । ଗୋଟିଏ ଜିନିଷ ନିଏ ତାହା ମତେ ଭଲ ଲାଗିଲା ନାହିଁ ତ ଅନ୍ୟ ଗୋଟିଏ ବରାଦ କରେ କିନ୍ତୁ ପଇସା ତ ଦୁଇଟିଯାକ ପାଇଁ ଦେବାକୁ ହୁଏ । ସେଯାଏ ବମ୍ବେଇରୁ ଯାହା ଜଳଖିଆପତ୍ର ଆଣିଥିଲି ତା’ର ଉପରେ ମୁଁ ଚଳୁଥାଏ, କହିଲେ ଠିକ୍‌ ହେବ ।

 

ନୂଆ ବସା ହେଲା ସତ; ମାତ୍ର ସେ ବସାଘରେ ମତେ ଛଟପଟ ଲାଗୁଥାଏ । ଘରକଥା ମନେ ପଡ଼ିଲା । ମୋର ସ୍ନେହ ମୂର୍ତ୍ତିମନ୍ତ ହେଲା । ରାତି ହେଲେ କାନ୍ଦିବା ଆରମ୍ଭ ହୁଏ । ଘରର ନାନା କଥା ମନେ ପଡ଼ି ନିଦ ଆଉ କୁଆଡ଼ୁ ହୁଅନ୍ତା ? ଏ ଦୁଃଖର କଥା କାହାରି ଆଗରେ କୁହେ ନାହିଁ । କହି ବା ଲାଭ କଣ ? ମୁଁ ନିଜେ ଜାଣି ନ ଥିଲି ଯେ କି ଔଷଧରେ ମତେ ଆଶ୍ୱାସନା ମିଳିବ-। ଏଠା ଲୋକେ ବିଚିତ୍ର, ଏ ସ୍ଥାନ ବିଚିତ୍ର, ଏ ଘର ମଧ୍ୟ ବିଚିତ୍ର । ଘରେ ରହିବାର ଢଙ୍ଗଢଙ୍ଗ ମଧ୍ୟ ସେହିଭଳି । କଣ କହିବି, କଣ କରିବି ଏସବୁ ଏଠା ଚାଲିଚଲଣରେ ବିରୁଦ୍ଧ ହେବ କି ନାହିଁ—ମୋର ଏ ଚିନ୍ତା ସବୁବେଳେ ଥାଏ । ୟା ସାଙ୍ଗକୁ ମୋର ଖିଆପିଆର ନିୟମ ଏଣେ ବ୍ରହ୍ମହତ୍ୟା ତେଣେ ଗୋହତ୍ୟା ଭଳି ଅବସ୍ଥାରେ ପଡ଼ିଯାଇଥାଏ । ବିଲାତ ଭଲ ଲାଗିଲା ନାହିଁ । ଅଥଚ ଦେଶକୁ ଫେରିଯିବାର ଇଚ୍ଛା ନାହିଁ । ବିଲାତ ଆସିଛି ତ କୌଣସି ପ୍ରକାରେ ତିନୋଟି ବର୍ଷ କଟେଇ ଯିବାର କଥା ।

 

ମୋର ରୁଚି

 

ଡାକ୍ତର ମେହେତା ସୋମବାର ଦିନ ମୋତେ ଭିକଟୋରିଆ ହୋଟେଲରେ ଖୋଜିଲେ-। ସେଠାରୁ ମୋର ନୂଆ ଠିକଣା ପାଇ ନୂଆ ବସାରେ ପହଞ୍ଚିଗଲେ । ମୋର ମୂର୍ଖାମିରୁ ଜାହାଜରେ ମୋଠାରେ ଯାଦୁ ହୋଇ ହୋଇଥାଏ, ଜାହାଜରେ ଲୁଣାପାଣିରେ ଗୋଧୋଇବାକୁ ପଡ଼େ । ସେଥିରେ ସାବୁନ ମିଳାଏ ନାହିଁ । ମୁଁ ତ ସାବୁନ ଲଗାଇବାଟାକୁ ସଭ୍ୟତା ମଣି ଲଗାଇଲି–ଫଳରେ ମୋ ଦେହ ସଫା ନ ହୋଇ ବରଂ ଚିକିଟା ହେଲା । ଏଥିରୁ ଯାଦୁ ହେଲା । ଡାକ୍ତରଙ୍କୁ ଦେଖାଇଲି । ସେ ମତେ ଏସେଟିକ୍‌ ଏସିଡ଼ ନାମରେ ଏକ ପୋଡ଼ିଦେବା ଔଷଧ ଦେଇଗଲେ । ଏ ଔଷଧ ମତେ କନ୍ଦେଇ ଦେଇଥିଲା । ଡାକ୍ତର ମେହେତା ମୋ କୋଠରୀ ଇତ୍ୟାଦି ବୁଲି ଦେଖିଲେ ଏବଂ ମୁଣ୍ଡ ହଲେଇ କହିଲେ–‘‘ଏ ଜାଗା ଚଳିବ ନାହିଁ । ଏ ଦେଶକୁ ଆସି ପଢ଼ିବାଠାରୁ ଏ ଦେଶର ଅଭିଜ୍ଞତା ହାସଲ କରିବା ବେଶୀ ଦରକାର । ଅତଏବ କୌଣସି କୁଟୁମ୍ବରେ ରହିବା ଜରୁରୀ ଅଟେ-। କିନ୍ତୁ ବର୍ତ୍ତମାନ କେତେକ କଥା ଶିଖିବା ଉଦ୍ଦେଶ୍ୟରେ ଅମୁକଙ୍କ ଘରେ ମୁଁ ରହିବାକୁ ସ୍ଥିର କରିଛି । ସେଠାକୁ ମୁଁ ତୁମକୁ ନେଇଯିବି ।’’

 

ଏ ପ୍ରସ୍ତାବକୁ ସ୍ୱୀକାର କରି କୃତଜ୍ଞ ହେଲି । ସେ ବନ୍ଧୁଙ୍କ ଘରକୁ ଗଲି । ମୋର ଯତ୍ନ ନେବାରେ ତାଙ୍କର କିଛି କମି ନ ଥିଲା । ମୋତେ ନିଜ କୁଟୁମ୍ବର ଭାଇ ଭଳି ରଖିଲେ । ଇଂରେଜୀ ଚାଳିଚଳନ ଶିଖାଇଲେ ଏବଂ ଇଂରେଜୀରେ କେତେକ କଥା କହିବାର ଅଭ୍ୟାସ ମଧ୍ୟ ସେହି କରେଇ ଦେଇଥିଲେ ବୋଲି କହିପାରେ ।

 

ମୋର ଖାଇବା ପ୍ରଶ୍ନ ଭାରି ବଡ଼ ହୋଇ ଉଠିଥିଲା । ବିନା ଲୁଣ ବା ମସଲାରେ ତରକାରୀ ରୁଚୁ ନ ଥିଲା । ଘରଣୀ ବିଚାରୀ ମୋପାଇଁ କଣ ରାନ୍ଧନ୍ତେ ? ବଡ଼ିସକାଳୁ ଓଟମିଲ୍‌ର(ଏକପ୍ରକାର ଯବଜାତୀୟ ଶସ୍ୟ) ଜାଉ ହୋଇଥାଏ । ସେଥିରୁ ପେଟ ଭରି କିଛି ଖାଇଦିଏ । କିନ୍ତୁ ଦିପହର ଓ ସଞ୍ଜକୁ ସବୁଦିନେ ଭୋକିଲା ରହେ । ବନ୍ଧୁ ପ୍ରତିଦିନ ମତେ ମାଂସ ଖାଇବାକୁ ବୁଝାନ୍ତି । ମୁଁ ପ୍ରତିଜ୍ଞାର ବାଧା ଦେଖାଇ ମୌନ ରହେ । ତାଙ୍କ ଯୁକ୍ତି ଭିତରେ ମୁଁ ପଶିପାରେ ନାହିଁ । ଦିପହରେ କେବଳ ରୁଟି, ତାନ୍ଦଳଜୀ ଶାଗର ଭଜା ଓ ମୁବୋରେ କାମକରେ । ପୁଣି ସଞ୍ଜକୁ ସେହି ଖାଦ୍ୟ । ମୁଁ ଦେଖେ ସମସ୍ତେ ଦୁଇ ତିନି ଖଣ୍ଡ ରୁଟି ନିଅନ୍ତି । ବେଶୀ ମାଗିବାକୁ ମତେ ଲାଜ ମାଡ଼େ । ମୋର ତ ପେଟପୂରା ଖାଇବାର ଅଭ୍ୟାସ ଥିଲା । ଅଗ୍ନି ତେଜ ଥାଏ ଏବଂ ବେଶୀ ଖାଦ୍ୟ ଲୋଡ଼େ । ଦି ପହର ବା ସଞ୍ଜକୁ ଦୁଧ ତ ମିଳେ ନାହିଁ । ମୋର ଏ ଅବସ୍ଥା ଦେଖି ବନ୍ଧୁ ଟିକିଏ ଚିଡ଼ିଯାଇ କହଲେ, ‘‘ତୁ ଯଦି ମୋର ସହୋଦର ଭାଇ ହୋଇଥାନ୍ତୁ, ତେବେ ମୁଁ ନିଶ୍ଚୟ ତତେ ଫେରି ପଠାଇ ଦିଅନ୍ତି । ନୀରକ୍ଷରା ମା ଏଠା ହାଲ କିଛି ଜାଣେନାହିଁ । ତା ଆଗରେ ପ୍ରତିଜ୍ଞାର ମୂଲ୍ୟ କଣ ? ଏହାକୁ ପ୍ରତିଜ୍ଞା କହିବାର ନୁହେଁ । ମୁଁ ତତେ କହୁଛି ଏଠା ଆଇନ ପ୍ରଥା ପ୍ରତିଜ୍ଞା ମାନେ ନାହିଁ । ଏଭଳି ପ୍ରତିଜ୍ଞାକୁ ମାନି ରହିବାକୁ ଭ୍ରମ ବୋଲି ଧରାଯିବ ଏବଂ ଏଭଳି ଭ୍ରମକୁ ଧରିବସିବୁ ତ ଏ ଦେଶରୁ କିଛି ଶିଖି ଯାଇ ପାରିବୁ ନାହିଁ । ତୁ ତ କହୁଛୁ ଯେ ମାଂସ ଖାଇଛୁ ତତେ ତାହା ରୁଚୁଥିଲା ମଧ୍ୟ । ଯେଉଁଠି ଖାଇବାର ଆବଶ୍ୟକତା ନ ଥିଲା ସେଠି ଖାଇଛୁ । ଅଥଚ ଯେଉଁଠି ଖାଇବାର ଖାସ ଜରୁରୀ ସେଠି ଛାଡ଼ୁଛୁ । ଏହା କେମିତି ଆଶ୍ଚର୍ଯ୍ୟ କଥା ।’’

 

ମୋର ସେହି ଏକା ନ ଛଡ଼ା ଆଉ କିଛି ନ ଥାଏ ।

 

ଏମିତି ଯୁକ୍ତି ରୋଜ ଚାଲେ । ଛତ୍ରିଶ ରୋଗର ଔଷଧ ଏକ ‘‘ନା’’ ପଦକ ମୋ ପାଖରେ ଥାଏ । ମାତ୍ର ମୋତେ ଯେତିକି ବୁଝାନ୍ତି ମୋର ଟାଣ ସେତିକି ବଢ଼େ । ପ୍ରତ୍ୟେହ ଭଗବାନଙ୍କ ଆଶ୍ରୟ ମାଗେ ଏବଂ ତାହା ମତେ ମିଳେ । ଈଶ୍ୱର କିଏ ତାହା ମୁଁ ଜାଣି ନ ଥିଲି । କିନ୍ତୁ ସେହି ରମ୍ଭା ଯେତକ ଶ୍ରଦ୍ଧା ଓ ବିଶ୍ୱାସ ଦେଇଯାଇଥିଲା ତାହା ହିଁ କାମ କରୁଥାଏ ।

 

ଦିନେ ବନ୍ଧୁ ମୋ ଆଗରେ ବେନ୍ଥମଙ୍କର ବହି ପଢ଼ିବାକୁ ଆରମ୍ଭ କଲେ । ‘‘ଆବଶ୍ୟକବାଦ’’ ବିଷୟରେ ପଢ଼ୁଥାନ୍ତି । ମୁଁ ଟିକିଏ ବଣା ହେଉଥାଏ । ଭାଷା ଖୁବ୍ ଉଚ୍ଚ ଧରଣର, ମୁଁ କଷ୍ଟରେ ବୁଝୁଥାଏ । ସେଥିପାଇଁ ସେ ତାର ଟୀକା କରୁଥାନ୍ତି । ମୁଁ ଉତ୍ତର ଦେଲି—

 

‘‘ମୋର ଇଚ୍ଛା ମତେ କ୍ଷମା କର । ମୁଁ ଏତେ ସୂକ୍ଷ୍ମ କଥା ବୁଝିପାରୁ ନାହିଁ, ମାଂସ ଖାଇବା ଉଚିତ । ଏହା ମୁଁ ମାନୁଛି । କିନ୍ତୁ ମୁଁ ମୋର ପ୍ରତିଜ୍ଞାର ବନ୍ଧନକୁ ଭାଙ୍ଗି ପାରିବି ନାହିଁ । ଏ ସମ୍ବନ୍ଧରେ ମୁଁ ଯୁକ୍ତି କରି ପାରିବି ନାହିଁ । ଯୁକ୍ତିରେ ମୁଁ ତୁମକୁ ଜିତି ପାରିବି ନାହିଁ ବୋଲି ମୋର ବିଶ୍ୱାସ । କିନ୍ତୁ ମତେ ମୂର୍ଖ ବା ଜିଦଖୋର ଜାଣି ଛାଡ଼ିଦଅ । ତମର ସ୍ନେହ ମୁଁ ବୁଝୁଛି, ତମର ଉଦ୍ଦେଶ୍ୟ ମୁଁ ବୁଝୁଛି । ମୁଁ ତମକୁ ମୋର ପରମ ଶୁଭାକାଂକ୍ଷୀ ବୋଲି ମାନୁଛି । ସେଥିପାଇଁ ତମର କଷ୍ଟ ହେଉଛି । ତମେ ଏତେ ଚେଷ୍ଟା କରୁଛ ଏହା ମଧ୍ୟ ମୁଁ ଦେଖୁଛି, କିନ୍ତୁ ମୁଁ ନାଚାର । ପ୍ରତିଜ୍ଞା ଭାଙ୍ଗି ହେବ ନାହିଁ ।’’

 

ବନ୍ଧୁ ଅନେଇ ରହିଲେ । ସେ ବହି ବୁଜି ଦେଲେ । ‘‘ହଉ ଏବେ ମୁଁ ଆଉ ଯୁକ୍ତି କରିବି ନାହିଁ ।’’ ଏତିକି କହି ଚୁପ୍ ହେଲେ । ମୁଁ ଖୁସି ହେଲି । ଏହାପରେ ସେ ଯୁକ୍ତିତର୍କ ଛାଡ଼ି ଦେଇଥିଲେ-

 

କିନ୍ତୁ ମୋ ସମ୍ବନ୍ଧରେ ତାଙ୍କର ଚିନ୍ତା ସରି ନ ଥିଲା । ସେ ଧୂଆଁ ଟାଣନ୍ତି, ମଦ ବି ପିଅନ୍ତି-। ସେଥିରୁ ଗୋଟିକ ପାଇଁ ବି ସେ ମତେ କେବେ ବଳେଇ ନାହାନ୍ତି । ବରଂ ଓଲଟା ସେ ସବୁ ନ କରିବାକୁ କହିଥାନ୍ତି । କିନ୍ତୁ ମାଂସାହାର ବିନା ମୁଁ ଦୁର୍ବଳ ହୋଇ ପଡ଼ୁଛି ଏବଂ ଇଂଲଣ୍ଡରେ ଭଲରେ ରହିପାରିବି ନାହିଁ ବୋଲି ତାଙ୍କର ଏକ ଭାବନା ପଡ଼ିଥିଲା ।

 

ଏମିତି ମୁଁ ମାସଟିଏ ନୂଆ ଶିଖାଳିଭଳି ଉମେଦୁଆରି କରିଥିଲି । ବନ୍ଧୁଙ୍କର ଘର ରିଚମଣ୍ଡରେ, ସେଥିପାଇଁ ସପ୍ତାହରେ ଥରେ ଅଧେ ଲଣ୍ଡନକୁ ଯିବାକୁ ପଡ଼ୁଥାଏ । ଏଣିକି ମତେ ଗୋଟିଏ କୁଟୁମ୍ବରେ ରହିବାର ପ୍ରସ୍ତାବ ଡାକ୍ତର ମେହେତା ଓ ଭାଇ ଦଳପତରାମ ଶୁକ୍ଳ କରିଥିଲେ । ଭାଇ ଶୁକ୍ଳ ଉଏଷ୍ଟ୍ କେନସିଂଟନରେ ଗୋଟିଏ ଆଙ୍ଗ୍ଲୋ ଇଣ୍ଡିଆନ (ଭାରତରେ ଜନ୍ମ ସାହେବ) ଙ୍କ ଘର ଖୋଜି ମତେ ଏଠାରେ ରଖାଇଦେଲେ । ସେଠାରେ ଗୃହକର୍ତ୍ତ୍ରା ଜଣେ ବିଧବା । ତାଙ୍କୁ ମୋର ମାଂସ ଛାଡ଼ିବା କଥା ଶୁଣାଇ ଦେଇଥିଲେ । ବୁଢ଼ୀ ମୋର ତତ୍ତ୍ୱ ନେବାକୁ ରାଜି ହେଲେ । ମିଠେଇ ପ୍ରଭୃତି ଖାଦ୍ୟ ମଗେଇଥିଲି, ତାହା ସେ ପର୍ଯ୍ୟନ୍ତ ଆସି ନ ଥାଏ । ସବୁ ପାଣିଚିଆ ସ୍ୱାଦହୀନ ଲାଗେ-। ବୁଢ଼ୀ ସବୁବେଳେ ପଚାରେ; କିନ୍ତୁ ସେ କରିବ କଣ ? ମୁଁ ମଧ୍ୟ ଲାଜ କରୁଥାଏ । ବୁଢ଼ୀର ଦୁଇଝିଅ । ସେମାନେ ଆଗ୍ରହରେ କିଛି ବେଶୀ ବେଶୀ ରୁଟି ଦିଅନ୍ତି । କିନ୍ତୁ ସେ ବିଚାରି କଣ ଜାଣନ୍ତି ଯେ ତାଙ୍କର ସବୁ ରୁଟିତକ ମୁଁ ଖାଇଗଲେ ସୁଦ୍ଧା ମୋର ପେଟ ପୁରନ୍ତା ନାହିଁ ?

 

କିନ୍ତୁ ଏଣିକି ମୋର ପକ୍ଷୀ ଲାଗିଗଲା । ଏ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇ ନ ଥାଏ-। କଷ୍ଟରେ ଖବର କାଗଜ ପଢ଼ୁଥାଏ । ଏତକ ଭାଇ ଶୁକ୍ଳଙ୍କ ପ୍ରତାପରୁ ହୋଇଥାଏ । ଭାରତରେ ମୁଁ କେବେ ଖବର କାଗଜ ପଢ଼ୁ ନ ଥିଲି । କିନ୍ତୁ ସବୁବେଳେ ପଢ଼ିବାର ଅଭ୍ୟାସରୁ ପଢ଼ିବାର ସୌକ ମଧ୍ୟ ଜନ୍ମିଗଲା । ‘‘ଡେଲି ନିଉଜ’’ ‘ଡେଲି ଟେଲିଗ୍ରାଫ୍’ ଏବଂ ‘ପଲ୍ ମଲ୍ ଗେଜେଟ୍’ ଏ ସବୁ ଖବର କାଗଜ ଉପରେ ଆଖି ବୁଲେଇଯାଏ । କିନ୍ତୁ ପହିଲେ ପହିଲେ ସେଥିରେ ମୋଟେ ଘଣ୍ଟାଏ ଖଣ୍ଡେ ସମୟ ଯାଉଥାଏ ।

 

ତା ପରେ ମୁଁ ଚଲାବୁଲା କରିବାକୁ ଆରମ୍ଭ କରେ । ଅନ୍ନାହାର ଯୋଗାଉଥିବା ଭୋଜନାଳୟ ମୋର ଖୋଜିବାର ଥାଏ । ଗୃହକର୍ତ୍ତ୍ରୀ ବୁଢ଼ୀ ମଧ୍ୟ କହିଥାଏ ଯେ ଲଣ୍ଡନ ସହର ତଳିରେ ଏଭଳି ଭୋଜନଗୃହ ନିଶ୍ଚୟ ଅଛି । ମୁଁ ପ୍ରତ୍ୟହ ଦଶ ବାର ମାଇଲ ଚାଲେ । କୌଣସି କୌଣସି ଗରିବାନା ଭୋଜନାଳୟକୁ ଯାଇ ପେଟ ପୂରାଇ ରୋଟି ଖାଇଯାଏ, ମାତ୍ର ତୃପ୍ତି ହୁଏ ନାହିଁ-। ଏମିତି ବୁଲୁ ବୁଲୁ ଦିନେ ମୁଁ ଫାରିଡ଼ନ୍ ରାସ୍ତାରେ ପହଞ୍ଚିଲି ଏବଂ ଭେଜିଟରିୟାନ୍ ରେସ୍ତୋଁରା (ଅନ୍ନହାରୀ ହୋଟେଲ) ଏହି ନାଁଟି ପଢ଼ିଲି । ପିଲାଏ ମନରେ ଜିନିଷଟି ପାଇଲେ ଯେମିତି ଖୁସି ହୋଇଥାନ୍ତି ମୁଁ ସେମିତି ଆନନ୍ଦିତ ହୋଇଗଲି । ଖୁସିରେ ଭିତରକୁ ପଶି ଯାଉ ଯାଉ, ଆଗ ଦୁଆର ମୁହଁରେ କାଚ ଝରକାରେ ବିକ୍ରୀ ପାଇଁ କେତେକ ବହି ଦେଖିଲି । ମୁଁ ସେଥିରୁ ସୋଲ୍‌ଟଙ୍କର ‘‘ଅନ୍ନାହାରର ସମର୍ଥନ’’ ନାମକ ଖଣ୍ଡିଏ ବହି ଦେଖିଲି । ଏକ ଶିଲିଂ ଦେଇ କିଣିଲି; ତାହା ପରେ ଖାଇ ବସିଲି । ବିଲାତକୁ ଆସିବା ପରେ ପେଟ ପୂରେଇ ଭୋଜନ ଏଇ ପ୍ରଥମ ମିଳିଥିଲା । ଈଶ୍ୱର ମୋର କ୍ଷୁଧା ଦୂର କରିଥିଲେ ।

 

ସେଲ୍‌ଟଙ୍କ ବହି ଖଣ୍ଡି ପଢ଼ିଥିଲି । ମୋ ଉପରେ ସେ ବହିର ଭଲ ପ୍ରଭାବ ପଡ଼ିଥଲା । ଏ ବହି ପଢ଼ିବା ପରଠୁଁ ମୁଁ ବିଚାର ପୂର୍ବକ ଅନ୍ନାହାରକୁ ସମର୍ଥନ କଲି । ମା’ ପାଖରେ କରିଥିବା ପ୍ରତିଜ୍ଞା ମତେ ଏବେ ବିଶେଷ ଆନନ୍ଦଦାୟକ ଲାଗିଥିଲା । ଆଜିଯାଏ ମୁଁ ମାନୁଥିଲି ଯେ ସମସ୍ତେ ମାଂସ ଖାଇଲେ ଭଲ ହେବ । ପ୍ରଥମେ କେବଳ ସତ୍ୟ ଖାତିରିରେ ଏବଂ ପରେ ଶପଥ ରକ୍ଷା ଯୋଗୁଁ ମୁଁ ମାଂସ ଛାଡ଼ିଥିଲି । କିନ୍ତୁ ଭବିଷ୍ୟତରେ ଏଥିରୁ ମୁକ୍ତହୋଇ ଖୋଲାଖୋଲି ମାଂସ ଖାଇ ଅନ୍ୟ ମାନଙ୍କୁ ମୋ ଦଳକୁ ଆଣିବାର ପ୍ରବଳ ଇଚ୍ଛା ମନରେ ଥିଲା । ଆଜି କିନ୍ତୁ ପ୍ରକୃତରେ ଅନ୍ନାହାରୀ ହୋଇ ଅନ୍ୟଙ୍କୁ ସେମିତି କରିବା ପାଇଁ ପ୍ରଚାର କରିବାକୁ ମଧ୍ୟ ନିଜର କର୍ତ୍ତବ୍ୟ ମନେ ହେଲା ।

 

ସଭ୍ୟ ବେଶରେ

 

ଅନ୍ନାହାର ପ୍ରତି ମୋର ଶ୍ରଦ୍ଧା ଦିନକୁଦିନ କ୍ରମେ ବଢ଼ିବାକୁ ଲାଗିଲା । ସୋଲ୍‌ଟଙ୍କ ବହି ପଢ଼ିବା ଫଳରେ ଆହାର ସମ୍ବନ୍ଧରେ ବେଶି ପଢ଼ିବା ପାଇଁ ଏକ ବଳବତୀ ଇଚ୍ଛା ମୋ ମନରେ ଜନ୍ମିଲା । ମୁଁ ଯେତେ ପାରିଲି ବହି କିଣି ପଢ଼ିଲି । ତନ୍ମଧ୍ୟରେ ହାଓ୍ୱଡ଼୍ ଉଇଲିୟମସ୍‌ଙ୍କ ‘‘ଆହାର ନୀତି’’ ନାମକ ବହିରେ ଭିନ୍ନ ଭିନ୍ନ ଯୁଗର ଜ୍ଞାନୀ, ଅବତାର, ପୈଗମ୍ବର ମାନଙ୍କର ଆହାର ଏବଂ ଆହାର ସମ୍ବନ୍ଧରେ ସେମାନଙ୍କର ମତାମତ ବର୍ଣ୍ଣନା କରାଯାଇଅଛି । ଯୀଶୁ, ପାଇଥାଗୋରସ୍ କେବଳ ନିରାମୀଷାଶୀ ଅନ୍ନାହାରୀ ବୋଲି ଲେଖକ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ଡାକ୍ତର ମିସ୍ ଆନା କିଙ୍ଗସ୍ ଫୋର୍ଡ଼ଙ୍କର ‘‘ଉତ୍ତମ ଆହାରର ଢଙ୍ଗ’’ ନାମରେ ବହି ଆକର୍ଷକ ହୋଇଥିଲା । ପୁଣି ଡାକ୍ତର ଏଲିନ୍‌ସନ୍‌ଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲେଖା ଗୁଡ଼ିକ ମଧ୍ୟ ଯଥାର୍ଥ ସହାୟକ ହୋଇଥିଲା । ଔଷଧ ବଦଳରେ କେବଳ ଖାଦ୍ୟର ଅଦଳ ବଦଳ କରି ରୋଗୀକୁ ଭଲ କରିବା ନୀତିକୁ ସେ ସମର୍ଥନ କରିଛନ୍ତି । ଡାକ୍ତର ଏଲିନ୍‌ସନ୍‌ନିଜେ ଅନ୍ନାହାରୀ ଥିଲେ ଏବଂ ରୋଗୀପାଇଁ କେବଳ ଅନ୍ନାହାର ପଥ୍ୟର ବ୍ୟବସ୍ଥା କରୁଥିଲେ । ଏ ସବୁ ବହି ପଢ଼ିବାର ଫଳ ଏୟା ହେଲା ଯେ, ମୋ ଜୀବନରେ ଆହାର ସମ୍ବନ୍ଧରେ ନାନା ପ୍ରୟୋଗ ଓ ପରୀକ୍ଷା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କଲା-। ମୁଁ ଏସବୁ ପରୀକ୍ଷାକୁ ପହିଲେ ସ୍ୱାସ୍ଥ୍ୟ ଦୃଷ୍ଟିରୁ କରୁଥିଲି । ମାତ୍ର ପରେ ଧର୍ମ ଦୃଷ୍ଟିହିଁ ପ୍ରଧାନ ହେଲା-

 

ଇତ୍ୟବସରରେ ମୋର ସେ ବନ୍ଧୁଙ୍କର ଚିନ୍ତା ଦୂର ହୋଇ ନ ଥାଏ । ସେ ଅତି ସ୍ନେହରେ ବିଶ୍ୱାସ କରୁଥିଲେ ଯେ, ମୁଁ ମାଂସ ନ ଖାଇଲେ ଦୂର୍ବଳ ହୋଇଯିବି; ସେତିକି ନୁହଁ ମୁଁ ଏକ ବୋକା ହୋଇଯିବି; କାରଣ ମୁଁ ମାଂସ ନ ଖାଇଲେ ଇଂରାଜୀ ସମାଜରେ ମିଳାମିଶା କରି ପାରିବି ନାହିଁ । ମୁଁ ଯେ ନିରାମିଷ ଖାଦ୍ୟ ସମ୍ବନ୍ଧରେ ବହି ପଢ଼ୁଛି ସେ ଖବର ମଧ୍ୟ ସେ ଶୁଣିଥାନ୍ତି । ତାଙ୍କର ଆଶଙ୍କା ହେଲା ଯେ, ଏ ପଢ଼ାପଢ଼ି ଦ୍ୱାରା ମୋର ମୁଣ୍ଡ ଖରାପ ହୋଇଯିବ; ଏହିସବୁ ପରୀକ୍ଷା କରୁ କରୁ ମୋର ଜୀବନ ବୃଥା ଯିବ, ମୋର ଯାହା କରିବାର କଥା ମୁଁ ଭୁଲିଯିବି ଏବଂ କେବଳ ଏକ ପୋଥି ପଣ୍ଡିତ ହୋଇଯିବି, ସେଥିପାଇଁ ସେ ମତେ ବାଟକୁ ଆଣିବାକୁ ଏକ ଶେଷ ଚେଷ୍ଟା କରିଥିଲେ । ଦିନେ ନାଟକ ଦେଖିଯିବାକୁ ମତେ ନିମନ୍ତ୍ରଣ କଲେ । ସେଠାକୁ ଯିବା ପୂର୍ବରୁ ତାଙ୍କ ସଙ୍ଗେ ମୋର ‘ହୋବର୍ଣ୍ଣ’ ଭୋଜନାଳୟରେ ଖାଇବାର ବ୍ୟବସ୍ଥା ହୋଇଥାଏ । ମୋ ଆଖିକୁ ଏ ଭୋଜନାଳୟ ଏକ ରାଜପ୍ରସାଦ ଭଳି ଦିଶୁଥାଏ । ଭିକେ‌ଟୋରିଆ ହୋଟେଲ ଛାଡ଼ିବା ପରେ ଏଭଳି ଘରେ ପଶିବା ମୋର ଏ ପ୍ରଥମ । ଭିକଟୋରିଆ ହୋଟେଲର ଅଭିଜ୍ଞତା ତ କୌଣସି କାମର ନଥିଲା, କାରଣ ସେତେବେଳକୁ ମୁଁ ଅଜ୍ଞାନ ଥିଲି ବୋଲି ଧରାଯାଇ ପାରେ । ଶହ ଶହ ଲୋକଙ୍କ ମଧ୍ୟରେ ଆମେ ଦୁଇଜଣ ବନ୍ଧୁ ଗୋଟିଏ ଟେବୁଲ ଆବୁରି ନେଲୁ । ବନ୍ଧୁ ପ୍ରଥମ ପରସା ବରାଦ କଲେ । ସେ ଥର ‘ସୁପ’ ଆସିଲା । ମୁଁ ଟିକିଏ ଚିନ୍ତାରେ ପଡ଼ିଲି । ବନ୍ଧୁଙ୍କୁ କ’ଣ ପଚାରିବି । ପରସିବା ଲୋକଙ୍କୁ ପାଖକୁ ଡାକିଲି । ବନ୍ଧୁ ବୁଝିଗଲେ । ଚିଡ଼ିକରି ମୋତେ ପଚାରିଲେ, ‘‘କ’ଣ ହୋଇଛି ?’’

 

ମୁଁ ଥିର କରି ସଙ୍କୋଚ ସହିତ କହିଲି, ‘ମୋର ପଚାରିବାର, ଏଥିରେ ମାଂସ ଅଛି କି ନାହିଁ । ’

 

‘‘ଏଭଳି ଜଙ୍ଗଲୀ ପଣିଆ ଭୋଜନାଳୟରେ ଚଳିବ ନାହିଁ । ଏବେ ସୁଦ୍ଧା ଯଦି ତୋର ବକ୍ ବକ୍ କରିବାର ଅଛି, ତେବେ ତୁ ବାହାରକୁ ଯା, କୌଣସି ଛୋଟିଆ ଭୋଜନାଳୟରେ ଖାଇ ନେବୁ ଏବଂ ବାହାରେ ମୋ ପାଇଁ ଅପେକ୍ଷା କରିଥିବୁ ।’’

 

ମୁଁ ଏଥିରେ ଖୁସି ହୋଇ ଉଠିଗଲି ଏବଂ ଅନ୍ୟ ଜାଗାରେ ଖୋଜିଲି । ପାଖରେ ଏକ ନିରାମିଷ ଭୋଜନ ଗୃହ ଥିଲା, ମାତ୍ର ସେ ସବୁ ବନ୍ଦ ହୋଇ ଯାଇଥିଲା । ଏବେ କଣ କରିବି ମୋତେ ବୁଦ୍ଧି ଦିଶିଲା ନାହିଁ । ମୁଁ ଉପାସ ରହିଲି, ଆମେ ନାଟକ ଦେଖିଗଲୁ । ଉପର ଘଟଣା ସମ୍ପର୍କରେ ବନ୍ଧୁ ପଦେ ହେଲେ କିଛି କହି ନ ଥିଲେ । ମୋର କହିବାର ବା କ’ଣ ଥିଲା ?

 

କିନ୍ତୁ ଆମ ଭିତରେ ଏ ଶେଷ ମିତ୍ର-ଯୁଦ୍ଧ ହୋଇଗଲା । ଆମର ସମ୍ପର୍କ ତୁଟିଲା ନାହିଁ, କିମ୍ବା କଟୁ ମଧ୍ୟ ହେଲାନାହିଁ । ମୁଁ ତାଙ୍କର ସମସ୍ତ ଉଦ୍ୟମ ପଛରେ ସ୍ନେହ ଦେଖି ପାରୁଥାଏ ଏବଂ ସେଥିପାଇଁ ତାଙ୍କ ଓ ମୋ ଭିତରେ ଆଚାର ବିଚାରରେ ପାର୍ଥକ୍ୟ ଥିଲେ ସୁଦ୍ଧା, ତାଙ୍କ ପ୍ରତି ମୋର ଆଦର ବଢ଼ିଲା ।

 

କିନ୍ତୁ ମୋ ପାଇଁ ତାଙ୍କ ଚିନ୍ତା ଦୂର କରିବା ଉଚିତ ବୋଲି ମନେ କଲି । ମୁଁ ସ୍ଥିର କଲି ଯେ; ମୁଁ ଆଉ ଜଙ୍ଗଲି ହୋଇ ରହିବି ନାହିଁ । ସଭ୍ୟ ହେବା ଶିଖିବି ଏବଂ ଅନ୍ୟ ପ୍ରକାରେ ସମାଜରେ ମିଶିବାର ଯୋଗ୍ୟ ହୋଇ ମୋର ଅନ୍ନାହାରର ବିଚିତ୍ରତାକୁ ଘୋଡ଼େଇ ପକେଇବି ।

 

ସଭ୍ୟତା ଶିଖିବା ମୋର ଶକ୍ତିର ବାହାର ଏବଂ ଏକ ଉପରଠାଉରିଆ କୌଶଳ । କିନ୍ତୁ ମୁଁ ସେହି ବାଟକୁ ଧଇଲି ।

 

ମୁଁ ବମ୍ବେଇରେ ବିଲାତି ଢଙ୍ଗରେ ଯେଉଁ ପୋଷାକ କଟେଇଥିଲି, ତାହା ଭଲ ଇଂରାଜୀ ସମାଜରେ ଚଳିବ ନାହିଁ ବୋଲି ଆଉଥରେ ଆର୍ମୀ ଓ ନେଭି ଷ୍ଟୋରରେ ପୋଷାକ ତିଆରି କରେଇଲି । ଊଣେଇଶ ଶିଲିଂ ଦେଇ ଏକ ‘ଚିମନି ଟୋପି’ ମୁଣ୍ଡରେ ଲଗେଇଲି । ସେତେବେଳେ ଏ ଦାମକୁ ବହୁତ ବେଶି ବୋଲି ବିଚାରୁଥିଲେ । ଏତିକିରେ ତୃପ୍ତି ହେଲା ନାହିଁ । ବଣ୍ଡଷ୍ଟ୍ରିଟରେ ସୌଖିନ ଲୋକଙ୍କର ପୋଷାକ ସିଲେଇ ହୁଏ । ସେଠାରେ ଦଶ ପାଉଣ୍ଡ (ଦେଢ଼ଶହ ଟଙ୍କା) ଆହୂତି ଦେଇ ଏକ ସାର୍ଟ ପିନ୍ଧା ପୋଷାକ କରେଇଲି । ବଡ଼ଭାଇ ତ ଏକ ଭୋଳା ବାଦଶାହା ମିଜାଜର ଲୋକ; ତାଙ୍କଠାରୁ ବି ପକେଟରେ ଲଟକାଇବା ନିଦା ସୁନାର ଡବଲ ଘଣ୍ଟା ଚେନ୍ ଗୋଟାଏ ମଗାଇ ପଠେଇଲି । ତାହା ମଧ୍ୟ ମିଳିଗଲା । ବନ୍ଧା ହୋଇ ମିଳୁଥିବା ବେକଫିତା (ଟାଇ) ନାଇବାଟା ଶିଷ୍ଟାଚାରରେ ଗଣାଯାଏ ନାହିଁ, ସେଥିପାଇଁ ହାତରେ ସେ ଟାଇ ଫିତା ବାନ୍ଧିବାର କଳା ଶିଖିନେଲେ । ଗାଁରେ ଖିଅର ହେବା ଦିନ ଆଇନାରେ ଦେଖିବାକୁ ମିଳେ । ମାତ୍ର ଏଠି ତ ବଡ଼ ଆରସି ଆଗରେ ଠିଆହୋଇ ଟାଇ ଠିକ୍ ଠିକ୍ ବାନ୍ଧିବାରେ ଓ ବାଳରେ ପାତିଆ ପକେଇ ସୁନ୍ଥା ସିଧା କରିବାରେ ପ୍ରତ୍ୟହ ଦଶ ମିନିଟ୍ ନଷ୍ଟ ହୋଇଯାଏ । ବାଳ ନରମ ନୁହଁ, ସେଥିପାଇଁ ତାକୁ ଠିକ୍ ଦାବି ରଖିବା ପାଇଁ ବ୍ରୁସ (ଝାଡ଼ୁନୁହଁ) ସଙ୍ଗେ ରୋଜ ଲଢ଼େଇ ହୋଇଥାଏ । ଏବଂ ଟୋପି ପିନ୍ଧିବା ବେଳେ ବା କାଢ଼ିଲା ବେଳେ ହାତ ତା’ର ଆପଣା ମନକୁ ସୁନ୍ଥା ସମ୍ଭାଳିବାକୁ ମୁଣ୍ଡକୁ ଉଠିଯାଏ । ଅନ୍ୟ ସମୟରେ ପୁଣି ସମାଜରେ ବସିଥିବା ବେଳେ ସୁନ୍ଥା ଉପରକୁ ହାତ ନେଇ ବାଳକୁ ଜବତରେ ରଖିବା ପାଇଁ ଅନ୍ୟ ପ୍ରକାର ‘ସଭ୍ୟ’ କାମ ଚାଲିଥାଏ ।

 

କିନ୍ତୁ ଏତିକି ସଜବାଜ ଯଥେଷ୍ଟ ହେଲା ନାହିଁ । ଖାଲି ସଭ୍ୟ ପୋଷାକରେ କିଛି ସଭ୍ୟ ହୋଇଯିବ ? ସଭ୍ୟତାର ଅନ୍ୟ କେତେକ ବାହ୍ୟ ଗୁଣ ମଧ୍ୟ ଜାଣିଯିବା ଦରକାର ଏବଂ ତାକୁ ଶିଖିବା ମଧ୍ୟ ଦରକାର । ସଭ୍ୟ ମଣିଷର ନାଚି ଜାଣିବା ଉଚିତ । ତାର ଠିକ୍ ଠିକ୍ ଫରାସୀ ଭାଷା ଜାଣିବା ଆବଶ୍ୟକ । କାରଣ ତାହା ଇଂଲଣ୍ଡର ପଡ଼ୋଶୀ ଫ୍ରାନ୍‌ସ ଦେଶର ଭାଷା ଏବଂ ସମସ୍ତ ଇଉରୋପର ରାଷ୍ଟ୍ରଭାଷା ମଧ୍ୟ ଅଟେ । ମୋର ମଧ୍ୟ ଇଉରୋପ ବୁଲିବାର ଇଚ୍ଛା ଥାଏ । ପୁଣି ସଭ୍ୟ ଲୋକର ଓଜସ୍ୱିନୀ ବକ୍ତୃତା ଦେଇ ପାରୁଥିବା ଦରକାର । ମୁଁ ନାଚ ଶିଖିବା ସ୍ଥିର କଲି । ଗୋଟିଏ ଶିକ୍ଷା ଶ୍ରେଣୀରେ ନାଁ ଲେଖେଇଲି । ଗୋଟିଏ କିସ୍ତି ପାଇଁ ତିନି ପାଉଣ୍ଡ (ପଞ୍ଚଚାଳିଶ) ଟଙ୍କା ଦାଖଲ କଲି । ତିନି ସପ୍ତାହରେ ଛ’ଥର ଯାଏ ଶିଖିବାକୁ ଗଲି । ସେଠି ପିଆନ (ବଡ଼ ହାରମୋନିୟମ୍ ଜାତୀୟ) ବାଜେ, ମାତ୍ର ବାଜା କଣ କହେ ବୁଝାଯାଏ ନାହିଁ । ଏକ, ଦୁଇ, ତିନି, ଚାଲେ, କିନ୍ତୁ ତାହା ଭିତରେ ମାତ୍ରା ସେ ବାଜା ବଜାଏ ତାହା କିଛି ବୁଝା ଗଲା ନାହିଁ । ତା ପରେ-? ଏବେତ ବାବାଜୀଙ୍କ ବିଲେଇ ରଖିବା ଭଳି କଥା ହେଲା । ମୂଷା ପାଇଁ ବିଲେଇ, ବିଲେଇ ପାଇଁ ଗାଈ, ଏମିତି ବାବାଜୀଙ୍କର ପରିବାର ବଢ଼ିଗଲା । ସେମିତି ମୋର ଲୋଭର ପରିବାର ମଧ୍ୟ ବଢ଼ିଲେ । ବେହେଲା ବଜେଇ ଶିଖିବି, ତାହାଦ୍ୱାରା ସ୍ୱର ଓ ତାଳର ଜ୍ଞାନ ହେବ । ବେହେଲା କିଣିବାକୁ ପୁଣି ପଞ୍ଚଚାଳିଶ ଟଙ୍କା ପାଣିରେ ପଡ଼ିଲା । ତାକୁ ଶିଖିବା ପାଇଁ କିଛି ଦକ୍ଷିଣା ଦିଆଗଲା । ବକ୍ତୃତା ଦେଇ ଶିଖିବା ପାଇଁ ତୃତୀୟ ଶିକ୍ଷକଙ୍କ ଘର ଖୋଜି ବାହାର କଲି । ସେଠି ମଧ୍ୟ ଗୋଟିଏ ସୁନା ମୋହର ସଲାମୀ ଦେଲି । ବେଲ୍ ସାହେବଙ୍କର ‘ଷ୍ଟାଣ୍ଡାର୍ଡ଼ ଇଲୋକ୍ୟୁସନିଷ୍ଟ (ଭଲ ବକ୍ତା) ନାମକ ବହି ଖଣ୍ଡି କିଣିଲି, ପିଟ୍ (ବିଲାତର ଜଣେ ବିଖ୍ୟାତ ବକ୍ତା) ଙ୍କ ବକ୍ତୃତା ଆଗ ପଢ଼ିବାକୁ ଆରମ୍ଭ କଲି ।

 

ଏହି ବେଲ୍ ସାହେବ କାନ ପାଖରେ ଘଣ୍ଟା ପିଟିଥିଲେ । ମୋ ନିଦ ଭାଙ୍ଗି ଯାଇଥିଲା ।

 

ମତେ କ’ଣ ଇଂଲଣ୍ଡରେ ଜୀବନ କଟେଇବାକୁ ହେବ ? ଭଲ ବକ୍ତୃତା କଣ ଶିଖିଲେ କ’ଣ କରିବି ? ନାଚ ନାଚିଲେ ସଭ୍ୟ କେମିତି ହେବି ? ବେହେଲା ଶିଖିବା ତ ଗାଁରେ ହୋଇ ପାରିବ । ମୁଁ ତ ଛାତ୍ର ହୋଇ ଆସିଛି, ମୋର ବିଦ୍ୟାଧନ ବଢ଼େଇବା ଉଚିତ । ଆପଣାର ବ୍ୟବସାୟ ପାଇଁ ତିଆରି ହେବା ଦରକାର । ମୋର ଭଲ ଆଚରଣରେ ସଭ୍ୟ ବୋଲେଇବି ତ ଭଲ ନଚେତ୍ ମୋର ଏ ଲୋଭ ଛାଡ଼ି ଦେବା ଉଚିତ ।

 

ଏହି ବିଚାର ସ୍ରୋତରେ ମୁଁ ଉପରୋକ୍ତ ମନ୍ତବ୍ୟ ଲେଖି ଏକ ଚିଠି ବକ୍ତୃତା ଶିକ୍ଷକଙ୍କ ପାଖକୁ ପଠାଇ ଦେଇଥିଲି । ମୁଁ ତାଙ୍କ ପାଖରେ ମାତ୍ର ଦିଓଟି ବା ତିନୋଟି ପାଠ ପଢ଼ିଥିଲି । ନାଚ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସେମିତି ଏକ ଚିଠି ଦେଲି । ବେହେଲା ଶିକ୍ଷୟିତ୍ରୀଙ୍କ ପାଖକୁ ବେହେଲାଟି ନିଜେ ନେଇ ଯାଇଥିଲି । ଯାହା ମିଳିବ ସେତିକି ଦାମରେ ତାକୁ ବିକି ଦେବା ପାଇଁ ଅନୁମତି ଦେଇ ଆସିଲି । ତାଙ୍କ ସଙ୍ଗେ ଜଣେ ବନ୍ଧୁଭଳି ସମ୍ପର୍କ ହୋଇ ଯାଇଥିଲା । ସେଥିପାଇଁ ତାଙ୍କ ଆଗରେ ମୋର ମୋହ ତୁଟିବା କଥା ଶୁଣାଇଥିଲି । ନାଚ ପ୍ରଭୃତି ଜଞ୍ଜାଳରୁ ମୋର ମୁକ୍ତ ହେବାଟାକୁ ସେ ପସନ୍ଦ କରିଥିଲେ ।

 

ସଭ୍ୟ ହେବାର ମୋର ଏ ପାଗଳାମି ତିନିମାସ ଖଣ୍ଡେ ଚାଲିଥିବ । ମାତ୍ର ପୋଷାକର ଫିଟ୍‌ଫାଟ୍ ବର୍ଷେଯାଏ ରହିଥାଏ । ଯାହାହେଉ ଏଣିକି ମୁଁ ଛାତ୍ର ହୋଇ ରହିଲି ।

 

ବଦଳାବଦଳି

 

କେହି ଯେମିତି ମନେ ନ କରନ୍ତି ଯେ, ମୋର ଖାମଖିଆଲିରୁ ମୁଁ ନାଚ ପ୍ରଭୃତି ପ୍ରୟୋଗ କରୁଥିଲି । ପାଠକେ ଦେଖିଥିବେ ଯେ ତା’ ପଛରେ ଗୋଟାଏ ବିଚାର ଥିଲା । ମୋହ ଘୋଟିଥିବାବେଳେ ମଧ୍ୟ ମୁଁ କେତେକ ଦିଗରେ ସାବଧାନ ଥାଏ । ପାହୁଲାଟିଏ ପର୍ଯ୍ୟନ୍ତ ଖର୍ଚ୍ଚର ହିସାବ ରଖୁଥାଏ । ଖର୍ଚ୍ଚର ଅନୁମାନ (ବଜେଟ) କରିଥାଏ । ପ୍ରତି ମାସରେ ପନ୍ଦର ପାଉଣ୍ଡରୁ ବେଶି ଖର୍ଚ୍ଚ କରିବି ନାହିଁ ବୋଲି ସ୍ଥିର କରିଥାଏ । ମଟରରେ ଯା ଆସ ଖର୍ଚ୍ଚ, ଡାକଖର୍ଚ୍ଚ ଏସବୁ ମଧ୍ୟ ସବୁଦିନେ ହିସାବରେ ଚଢ଼ାଏ ଏବଂ ଶୋଇବା ଆଗରୁ ପ୍ରତି ରାତିରେ ଜମା ଖର୍ଚ୍ଚ ମିଳେଇନିଏ । ଏ ଅଭ୍ୟାସ ଶେଷଯାଏ ବଜାଏ ରହିଲା ଏବଂ ମୁଁ ଜାଣିପାରୁଛି ସେଥିଯୋଗୁହିଁ ମୋର ସାଧାରଣ ଜୀବନରେ ମୋ ହାତଦେଇ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସେଥିରେ ମୁଁ ଯଥାର୍ଥ ମିତବ୍ୟୟୀ ହୋଇପାରିଛି ଏବଂ ଯେତେ ଆନ୍ଦୋଳନ ମୋ ଦ୍ୱାରା ପରିଚାଳିତ ହୋଇଛି ସେଥିରେ ମୁଁ କେବେ କରଜ କରିନାହିଁ, ବରଂ ପ୍ରତ୍ୟେକର ଶେଷରେ କିଛି ନା କିଛି ତହବିଲ ବଳକା ରହିଛି । ପ୍ରତ୍ୟେକ ନବଯୁବକଙ୍କୁ ଅଳ୍ପ ଟଙ୍କା ମିଳୁ ପଛକେ ସେ ନିଜର ପାଣ୍ଠିର ହିସାବ ଯତ୍ନରେ ରଖିବେ ତ, ମତେ ଓ ଲୋକଙ୍କୁ ଯେମିତି ପରେ ଲାଭ ମିଳିଛି, ତାଙ୍କୁ ମଧ୍ୟ ସେହିଭଳି ଲାଭ ମିଳିବ ।

 

ମୋର ଚାଲିଚଳଣ ଉପରେ ମୋର ଅକତିଆର ଥାଏ, ସେଥିପାଇଁ ମୋର କେତେକ ଖର୍ଚ୍ଚ କରିବା ଉଚିତ ତାହା ମୁଁ ଦେଖିପାରେ । ଏବେ ମୁଁ ଖର୍ଚ୍ଚ ଅଧେ କରି ଦେବାକୁ ସ୍ଥିର କଲି । ହିସାବରୁ ଦେଖିଲି ଯେ ମୋର ଗାଡ଼ିଭଡ଼ା ବାବଦରେ ବହୁତ ଖର୍ଚ୍ଚ ପଡ଼ି ଯାଉଛି । ପୁଣି ଗୋଟିଏ ପରିବାର ସଙ୍ଗେ ରହିଲେ ସପ୍ତାହକୁ ସପ୍ତାହ ଏକ ନିର୍ଦ୍ଦିଷ୍ଟ ପରିମାଣ ଖର୍ଚ୍ଚ ଦେବାକୁ ପଡ଼େ । ସେଠା ଶିଷ୍ଟାଚାର ଅନୁସାରେ ସେ ପରିବାରର ଲୋକଙ୍କୁ ମଧ୍ୟେ ମଧ୍ୟେ ବାହାରେ ଖୁଆଇବାକୁ ନେଇଯିବାକୁ ପଡ଼େ, ପୁଣି ତାଙ୍କ ସଙ୍ଗେ ବାହାର ନିମନ୍ତ୍ରଣରେ କେଉଁଠାକୁ ଯିବାକୁ ହେଲେ, ମତେ ସବୁ ଗାଡ଼ିଭଡ଼ା ଦେବାକୁ ପଡ଼େ । ସେ ଯଦି କୁମାରୀ ହୋଇଥିବେ ତେବେ ତ ତାଙ୍କୁ କୌଣସି ରକମ ଖର୍ଚ୍ଚ କରେଇ ଦେବାର ନୁହଁ । ଉପରନ୍ତୁ ବାହାରକୁ ଯାଇଛି, ଘରକୁ ଫେରି ପାରିଲି ନାହିଁ, ବାହାରେ ଖାଇବା ପାଇଁ ଖର୍ଚ୍ଚ ହାତରୁ କରିଥିଲେ ମଧ୍ୟ ଘରେ ଖାଇବା ଖର୍ଚ୍ଚ ଦେବାକୁ ପଡ଼େ । ଏପରି ଅବସ୍ଥାରେ କେଉଁଠି କେଉଁଠି ଖର୍ଚ୍ଚ କମେଇ ପାରିବି, ତାହା ଜାଣିପାରିଲି । ମୋର ଲାଜକୁଳା ସ୍ୱଭାବ ଯୋଗୁଁ କେତେକ ଖର୍ଚ୍ଚ କରିବାକୁ ପଡ଼େ ତାହା ମଧ୍ୟ ବଞ୍ଚିଯିବ ବୋଲି ବୁଝି ପାରିଥିଲି ।

 

ଆଜିଯାଏ ଗୋଟିଏ ପରିବାରରେ ରହୁଥିଲି । ଏବେ ଆପଣାର ବସାଟିଏ ଭଡ଼ା ନେଇ ରହିବା ସ୍ଥିର କଲି । କାମର ସୁବିଧା ଅନୁସାରେ ଏବଂ ଅଭିଜ୍ଞତା ଲାଭ କରିବା ଆଶାରେ ଭିନ୍ନ ଭିନ୍ନ ପଡ଼ାରେ ବସା ବଦଳାଇବା ସ୍ଥିର କରିନେଲି । ବସା ଏମିତି ଜାଗାରେ ଠିକ୍ କରୁଥିଲି ଯେମିତିକି ମୋ କାମ ଜାଗାକୁ ଚାଲିଯିବାକୁ ଅଧଘଣ୍ଟାଏ ଖଣ୍ଡେ ଲାଗିବ । ଆଉ ଗାଡ଼ିଭଡ଼ା ବଞ୍ଚିଯିବ । ଏହା ଆଗରୁ, କୁଆଡ଼େ ଗଲେ ଗାଡ଼ିଭଡ଼ା ପଡ଼ୁଥିଲା । ପୁଣି ବୁଲିବାପାଇଁ ସ୍ୱତନ୍ତ୍ର ସମୟ ଠିକ୍ କରିବାକୁ ପଡ଼ୁଥିଲା । ଏବେ କାମକୁ ଯିବା ସଙ୍ଗେ ସଙ୍ଗେ ବୁଲିବା ହେବ ଏପରି ବ୍ୟବସ୍ଥା ହୋଇଗଲା । ଏହି ବ୍ୟବସ୍ଥା ଫଳରେ ସବୁଦିନେ ମୁଁ ଆଠ ଦଶ ମାଇଲ ବାଟ ଚାଲି ବୁଲି ଆସୁଥିଲି । ବିଶେଷ କରି ଏହି ବୁଲିବା ଅଭ୍ୟାସ ଯୋଗୁଁ ମୁଁ ବିଲାତରେ କ୍ୱଚିତ ବେମାର ପଡ଼ିଥିବି । ଦେହ କସି ହୋଇ ଯାଇଥିଲା-। ସେହି ପରିବାର ଛାଡ଼ି ଦୁଇବଖରା ଘର ଭଡ଼ା ନେଲି । ଗୋଟିଏ ଶୋଇବାଘର, ଗୋଟିଏ ବସାଉଠାଘର । ଏହା ହେଲା ଦ୍ୱିତୀୟ ପରିବର୍ତ୍ତନ, ଏବେ ସୁଦ୍ଧା ତୃତୀୟ ପରିବର୍ତ୍ତନ ପରେ ହେବାର ଅଛି ।

 

ଏମିତି ଅଧେ ଖର୍ଚ୍ଚ କମିଲା । କିନ୍ତୁ ସମୟର କ’ଣ ହେବ ? ବାରିଷ୍ଟର ପରୀକ୍ଷା ପାଇଁ ଯେ ବେଶୀ ପଢ଼ିବାକୁ ହୁଏନାହିଁ ଏହା ମୁଁ ଜାଣିଥିଲି । ସେଥିଯୋଗୁଁ ମୋର ଶାନ୍ତି ଥିଲା । ମୋର କଳା ଇଂରାଜୀ ଜ୍ଞାନ ମୋତେ ଦୁଃଖ ଦେଉଥିଲା । ଲେଲୀ ସାହେବଙ୍କ କଥା—‘‘ତୁ ବି.ଏ. ପାସ୍ ହେବ ପରେ ଆସିବୁ ।’’ —ମୋ ମନରେ ସବୁବେଳେ ଖୁଞ୍ଚି ହେଉଥାଏ । ବାରିଷ୍ଟର ହେବା ଛଡ଼ା ଆଉ କିଛି ପଢ଼ିବା ଉଚିତ । ଅକ୍‌ସଫୋର୍ଡ଼ କେମ୍ବ୍ରିଜରୁ ଖବର ମଗେଇଲି । କେତେକ ବନ୍ଧୁଙ୍କ ସଙ୍ଗେ ଦେଖା ହେଲା । ସେଠାକୁ ଗଲେ ଖର୍ଚ୍ଚ ବହୁତ ଲାଗିବ ଓ ପଢ଼ା ସମୟ ମଧ୍ୟ ଦୀର୍ଘ । ମୋ ଦିହାତି ତିନି ବର୍ଷରୁ ଅଧିକ ରହିବାର ନୁହେଁ । ଜଣେ ବନ୍ଧୁ କହିଲେ, ‘‘ତୋର ଯଦି କୌଣସି କଠିନ ପରୀକ୍ଷା ଦେବାର ଇଚ୍ଛା ତେବେ ଲଣ୍ଡନରେ ମାଟ୍ରିକ୍ୟୁଲେସନ ପାସ କର । ସେଥିରେ ମେହେନତ୍ ଯଥେଷ୍ଟ ହେବ ଏବଂ ଜ୍ଞାନ ମଧ୍ୟ ସାମାନ୍ୟ ବଢ଼ିବ । ଖର୍ଚ୍ଚ ତ ଆଦୌ ବଢ଼ିବ ନାହିଁ । ଏ ସୂଚନା ମୋ ମନକୁ ପାଇଲା । ପରୀକ୍ଷାର ବିଷୟ ଦେଖି ଚଡ଼କି ଗଲି । ଲେଟିନ ଏବଂ ଆଉ ଗୋଟିଏ ଭାଷା ନେବାକୁ ବାଧ୍ୟ, ଲେଟିନ କେମିତି ହେବ ? ମାତ୍ର ବନ୍ଧୁ ପଚାରିଲେ, ‘‘ଓକିଲଙ୍କର ଲେଟିନ ବହୁତ କାମରେ ଆସିବ । ଲେଟିନ ଜାଣିବା ଲୋକଙ୍କୁ ଆଇନ ବହି ସହଜ ହୁଏ । ବରଂ ‘‘ରୋମାନ୍‌ଲ’’ରେ ପରୀକ୍ଷାରେ ଗୋଟିଏ ପ୍ରଶ୍ନ ତ କେବଳ ଲେଟିନ୍ ଭାଷାରେ ଆସେ ଏବଂ ଲେଟିନ୍ ଜାଣିବା ଫଳରେ ଇଂରେଜ ଭାଷା ମଧ୍ୟ ଆୟତ୍ତକୁ ଆସେ । ଏ ସବୁ ଯୁକ୍ତି କାଫିଲା । କଠିଣ ହେଉ ନ ହେଉ ‘ଲେଟିନ୍’ ତ ଶିଖିବି, ଫ୍ରେଞ୍ଚ (ଫରାସୀ) ଭାଷାକୁ ପୂରା କରିବି । ଅତଏବ ଦ୍ୱିତୀୟ ଭାଷା ଫ୍ରେଞ୍ଚ ନେବା ସ୍ଥିର ହେଲା । ଗୋଟିଏ ଘରୋଇ ମାଟ୍ରିକ୍ୟୁଲେସନ୍ ଶ୍ରେଣୀ ଥାଏ । ସେଥିରେ ନା ଲେଖାଇଲି । ପରୀକ୍ଷା ପ୍ରତି ଛ’ମାସରେ ହୁଏ । ଟାଣିଟୁଣି ପାଞ୍ଚମାସ ସମୟ ଆଉ ଥାଏ । ଏତକ କାମ ମୋ ଶକ୍ତିର ବାହାର ଥିଲା । ଫଳରେ ସଭ୍ୟହେବା ବଦଳରେ ମୁଁ ପରିଶ୍ରମୀ ଛାତ୍ର ହୋଇଗଲି-। ସମୟ ନିର୍ଘଣ୍ଟ ତିଆରି କଲି । ଗୋଟାଏ ମିନିଟ୍ ବି ଛାଡ଼ିଲି ନାହିଁ । କିନ୍ତୁ ମୋର ବୁଦ୍ଧି ଓ ସ୍ମରଣ ଶକ୍ତି ଏମିତି ନ ଥିଲା ଯେ, ମୁଁ ଅନ୍ୟାନ୍ୟ ବିଷୟ ଉପରାନ୍ତ ଲେଟିନ୍ ଓ ଫ୍ରେଞ୍ଚରେ ପାରିଯିବି । ପରୀକ୍ଷାରେ ବସିଲି । ଲେଟିନରେ ଉତୁରି ପାରିଲି ନାହିଁ । ମନ ଦୁଃଖ ହେଲା, କିନ୍ତୁ ହଟିଲି ନାହିଁ । ଲେଟିନରେ ମନ ଲାଗି ଯାଇଥାଏ । ଫ୍ରେଞ୍ଚ୍‌ ତ ବହୁତ ଭଲ ହେଉଥିଲା । ବିଜ୍ଞାନରେ ନୂଆ ବିଷୟ ନେବା ସ୍ଥିର କଲି । ରସାୟନ ଶାସ୍ତ୍ରରେ ମନ ଲାଗିବା ଉଚିତ ବୋଲି ଏବେ ଦେଖୁଛି, ମାତ୍ର ସେଠି ପ୍ରୟୋଗ ଅଭାବରୁ ମତେ ଆରେଇଲା ନାହିଁ । ଆମ ଦେଶରେ ଏ ବିଷୟ ଶିଖିବାକୁ ହୁଅନ୍ତା । ସେଥିପାଇଁ ଲଣ୍ଡନ ମେଟ୍ରିକ ପାଇଁ ପ୍ରଥମଥର ଏହାକୁ ବାଛିଲି । ଏଥର ଆଲୋକ ଓ ଉତ୍ତାପ ନେଲି-। ସମସ୍ତେ ଏହାକୁ ସହଜ ମନେ କରୁଥିଲେ । ମତେ ମଧ୍ୟ ସହଜ ଲାଗିଲା ।

 

ପୁଣି ପରୀକ୍ଷା ଦେବାପାଇଁ ତିଆରି ହେବା ସଙ୍ଗେ ସଙ୍ଗେ ଚାଲିଚଳନରେ ସାଦାସିଧାପଣିଆ ପୂରେଇବାକୁ ଚେଷ୍ଟା କଲି । ମତେ ସ୍ପଷ୍ଟ ଜଣାପଡ଼ିଲା ଯେ, ଆମ ଘରର ଦାରିଦ୍ର୍ୟ ଦୃଷ୍ଟିରେ ମୋର ଏଠା ଜୀବନ ସାଧାସିଧା ନ ଥିଲା । ଭାଇଙ୍କର ଅଭାବ, ନିଅଣ୍ଟ ଓ ତାଙ୍କର ଉଦାରତା କଥା ବିଚାର କଲେ ମୁଁ ଘାବରା ହୋଇ ଯାଉଥାଏ । ଯେଉଁମାନେ ମାସକୁ ଆଠରୁ ପନ୍ଦର ପାଉଣ୍ଡ ଲେଖାଏଁ ଖର୍ଚ୍ଚ କରୁଥିଲେ, ସେମାନେ ସବୁ ଛାତ୍ରବୃତ୍ତି ପାଉଥିଲେ । କିନ୍ତୁ ମୋଠୁଁ ଅଧିକ ସାଦାସିଧା ଭାବରେ ରହୁଥିବା ଲୋକଙ୍କୁ ମୁଁ ଦେଖିଲି । ମୋ ସମ୍ପର୍କରେ ଆସିଥିବା ଗରିବ ଛାତ୍ରଙ୍କର ଉଦାହରଣ ଠିକ୍ ଥିଲା । ଜଣେ ତ ଲଣ୍ଡନର ଗରିବ ପଡ଼ାରେ ସପ୍ତାହକୁ ପାଞ୍ଚ ସୁକା ଦେଇ ଗୋଟିଏ ବଖରାରେ ରହୁଥିଲେ ଏବଂ ‘ଲୋକର୍ଟ’ଙ୍କର ଶସ୍ତା କୋକୋ ଦୋକାନରୁ ଦୁଇ ଅଣାର କୋକୋ ଓ ରୁଟି ଖାଇ ଚଳେଇ ନେଉଥିଲେ । ତାଙ୍କ ସଙ୍ଗେ ଟକ୍‌କର ଦେବାପାଇଁ ମୋର ଶକ୍ତି ନ ଥିଲା । କିନ୍ତୁ ମୁଁ ଦୁଇଟି ବଖରା ପରିବର୍ତ୍ତରେ ଗୋଟିକରେ ରହିପାରିବି ଓ ଅଧେ ରୋଷେଇ ହାତରେ କରିନେବି ବୋଲି ମନେ ହେଲା । ଦୁଇଟି ବଖରା ଛାଡ଼ି ଦେଲି ଓ ସପ୍ତାହକୁ ଆଠ ସିଲିଂ ପାଞ୍ଚଟଙ୍କାରେ ଗୋଟିଏ କୋଠରୀ ନେଲି । ଗୋଟିଏ ଚୂଲା କିଣିଲି ଏବଂ ସକାଳ ଓଳି ହାତେ ହାତେ ରୋଷେଇ କରିବା ଆରମ୍ଭ କରିଦେଲି । ରୋଷେଇରେ ପ୍ରାୟ କୋଡ଼ିଏ ମିନିଟ ଲାଗୁଥିଲା । ଓଟ୍‌ମିଲର ଜାଉ ଓ କୋକୋ ପାଇଁ ପାଣି ଫୁଟେଇବାକୁ କେତେ ବା ସମୟ ଲାଗନ୍ତା ? ଦିପହରେ ବାହାରେ ଖାଇନିଏ ଏବଂ ସନ୍ଧ୍ୟାରେ ପୁଣି କୋକୋ କରି ରୁଟି ସଙ୍ଗେ ଖାଇଦିଏ । ଏମିତି ମୁଁ ବାର ଅଣା ଚୌଦ ଅଣାରେ ଦିନକର ଖୋରାକୀ ଯୋଗାଡ଼ କରିନେବା ଶିଖି ଯାଇଥିଲି । ଏତେବେଳେ ମୋର ସମୟର ଅଧିକରୁ ଅଧିକ ଭାଗ ପାଠ ପଢ଼ାରେ କଟୁଥିଲା । ଜୀବନ ସାଦାସିଧା ହେବାରୁ ସମୟ ବହୁତ ବଞ୍ଚିଗଲା ।

 

ଦ୍ୱିତୀୟ ଥର ପରୀକ୍ଷା ଦେଇ ଉତୁରି ଗଲି ।

 

ପାଠକେ କିନ୍ତୁ ଯେମିତି ମନେ ନ କରନ୍ତି ଯେ, ସାଦାସିଧା ଚଳିବାରୁ ମୋର ଜୀବନ ନୀରସ ହୋଇଯାଇଥିଲା । ଓଲଟି ଏସବୁ ବଦଳା ବଦଳି ଯୋଗୁ ମୋର ଭିତର ଓ ବାହାରର ଅବସ୍ଥାରେ ସାମଞ୍ଜସ୍ୟ ଆସିଗଲା । ପାରିବାରିକ ଅବସ୍ଥା ସଙ୍ଗେ ମୋର ଚାଲିଚଳନ ଖାପ ଖାଇଲା-। ଜୀବନ ବେଶୀ ସାରଯୁକ୍ତ ବୋଲି ମନେ ହେଲା ଏବଂ ମୋର ପ୍ରାଣରେ ଆନନ୍ଦର ସୀମା ରହିଲା ନାହିଁ ।

 

ଖାଦ୍ୟରେ ପ୍ରୟୋଗ

 

ଜୀବନରେ ମୁଁ ଯେତିକି ଗହୀଡ଼କୁ ପଶିଲି, ଆପଣାର ଭିତର ଓ ବାହାରର ଆଚରଣରେ ଅଦଳ ବଦଳ କରିବାର ଆବଶ୍ୟକତା ମତେ ସେତିକି ଜଣାପଡ଼ିଲା । ମୋର ଚାଲିଚଳନ ଓ ଖର୍ଚ୍ଚରେ ଯେତେଶୀଘ୍ର ପରିବର୍ତ୍ତନ ହୋଇଗଲା; ସେତିକି ବେଗରେ ବା ତାଠୁଁ ଅଧିକ ବେଗରେ ମୋ ଖାଦ୍ୟ ବଦଳାଇବାକୁ ମୁଁ ଆରମ୍ଭ କରିଦେଲି । ଅନ୍ନାହାର ଭୋଜନ ସମ୍ବନ୍ଧରେ ଇଂରାଜୀ ପୁସ୍ତକମାନଙ୍କରେ ଦେଖିଲି ଯେ, ଲେଖକମାନେ ବହୁତ ସୂକ୍ଷ୍ମ ବିଚାର କରିଛନ୍ତି । ସେମାନେ ଅନ୍ନାହାର ବିଷୟକୁ ଧର୍ମ, ବିଜ୍ଞାନ, ସ୍ୱାସ୍ଥ୍ୟ ତଥା ବ୍ୟବହାର ଦୃଷ୍ଟିରୁ ଆଲୋଚନା କରିଛନ୍ତି । ଧର୍ମ ବା ନୀତି ଦୃଷ୍ଟିରୁ ସେମାନଙ୍କର ମତ ଯେ, ମଣିଷ ପଶୁପକ୍ଷୀଙ୍କ ରାଜ୍ୟ ଉପରେ ସେ ଅଧିକାର ପାଇଛି, ତାହା ପଶୁପକ୍ଷୀଙ୍କୁ ମାରି ଖାଇବା ପାଇଁ ନୁହେଁ, ବରଂ ତାଙ୍କୁ ରକ୍ଷା କରିବା ପାଇଁ ଅଧିକାର ପାଇଛି; କିମ୍ବା ମଣିଷ ଯେମିତି ପରସ୍ପରର କାମରେ ଆସନ୍ତି; କିନ୍ତୁ ପରସ୍ପରକୁ ଖାନ୍ତି ନାହିଁ, ସେମିତି ପଶୁପକ୍ଷୀ ମଣିଷର କାମରେ ଆସିବେ ବୋଲି ସର୍ଜନା ହୋଇଛନ୍ତି । ମଣିଷର ଖାଦ୍ୟ ପାଇଁ ହୋଇ ନାହାନ୍ତି । ବରଂ ଲେଖକମାନେ ଦେଖେଇଛନ୍ତି ଯେ, ଖାଇବାଟା ଭୋଗ ପାଇଁ ଲୋଡ଼ା ନୁହେଁ, ବରଂ ବଞ୍ଚି ରହିବା ପାଇଁ ଆବଶ୍ୟକ । ଏହି ବିଚାରରେ କେତେକ ଲେଖକ ଖାଦ୍ୟରେ କେବଳ ମାଂସ ନୁହେଁ, ଉପରନ୍ତୁ ଅଣ୍ଡା ଓ ଦୁଧକୁ ମଧ୍ୟ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି ଓ ନିଜେ ଛାଡ଼ିଛନ୍ତି । ବିଜ୍ଞାନ ଦୃଷ୍ଟିରୁ ମଣିଷର ଦେହ ଗଠନକୁ ଦେଖି କେତେକ ଲେଖକ ଏଭଳି ଅନୁମାନ କରୁଛନ୍ତି ଯେ, ମଣିଷର ରାନ୍ଧିବା ଦରକାର ନାହିଁ । ସେ କେବଳ ଗଛର ପାକଲା ଫଳ ଖାଇବା ପାଇଁ ସୃଷ୍ଟି ହୋଇଛି । ଦୁଧ ପିଇବ ତ କେବଳ ମା’ର ଦୁଧ ପିଇବ । ଦାନ୍ତ ଉଠିଲେ ଚୋବାଇବା ଭଳି ଖାଦ୍ୟ ଖାଇବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେମାନେ ମସଲାମସଲି ଛାଡ଼ିବା ସୂଚାଇଛନ୍ତି । ପୁଣି ବ୍ୟବହାର ଓ ଖର୍ଚ୍ଚ ଦୃଷ୍ଟିରୁ ତାଙ୍କର ମତ ଯେ କମ୍‌ରୁ କମ୍ ଖର୍ଚ୍ଚ କରିବା ପାଇଁ, ଅନ୍ନାହାରହିଁ ଠିକ୍ ଖାଦ୍ୟ । ଏ ଚାରୋଟି ଦୃଷ୍ଟିର ପ୍ରଭାବ ମୋ ଉପରେ ପଡ଼ିଥିଲା ଏବଂ ଅନ୍ନାହାର ଭୋଜନାଳୟମାନଙ୍କରେ ଏହି ଚାରି ଦୃଷ୍ଟିର ଲୋକଙ୍କ ସଙ୍ଗେ ଦେଖା ସାକ୍ଷାତ ହେଉଥିଲା । ବିଲାତରେ ସେମାନଙ୍କର ଏକ ସମିତି ଥାଏ ଏବଂ ଖଣ୍ଡେ ସାପ୍ତାହିକ କାଗଜ ମଧ୍ୟ ବାହାରୁଥାଏ । ମୁଁ ସେ ସପ୍ତାହିକର ଗ୍ରାହକ ହେଲି ଓ ସେ ସମିତିର ସଭ୍ୟ ହେଲି । ଅଳ୍ପ ଦିନ ମଧ୍ୟରେ ସେମାନେ ମତେ ତାଙ୍କ କାର୍ଯ୍ୟକାରୀ ସମିତିରେ ନେଇଥିଲେ ଏବଂ ସେଥିରେ ଅନ୍ନାହାର ଆନ୍ଦୋଳନର ଯେଉଁମାନେ ଖୁଣ୍ଟ ଭଳି ଥିଲେ, ସେମାନଙ୍କ ସଙ୍ଗେ ମୋର ପରିଚୟ ହୋଇଥିଲା । ମୁଁ ନାନା ପ୍ରକାର ପ୍ରୟୋଗରେ ଲାଗି ଯାଇଥିଲି ।

 

ଘରୁ ମିଠେଇ, ମସଲା ପ୍ରଭୃତି ଅଣାଉଥିଲି । ସେ ସବୁ ବନ୍ଦ କରି ଦେଲି ଏବଂ ମୁଁ ଏକ ଭିନ୍ନ ଦିଗରେ ଗତିକଲି । ସେଠୁଁ ମସଲା ପ୍ରତି ମୋର ସୌକ କମି ଯାଇଥିଲା ଏବଂ ରିଚମଣ୍ଡରେ ରହିବା ସମୟରେ ଯେଉଁ ତରକାରୀ ବିନା ମସଲାରେ ପାଣିଚିଆ ଲାଗୁଥିଲା, ତାହା କେବଳ ବାମ୍ଫରେ ସିଝେଇ ଦେଇ ବେଶ୍ ସୁଆଦିଆ ଲାଗିଲା । ଏହିଭଲି ଅନେକ ଅଭିଜ୍ଞତାରୁ ମୁଁ ଶିଖିଲି ଯେ, ସ୍ୱାଦର ପ୍ରକୃତ ସ୍ଥାନ ଜିଭ ତଳେ ନୁହେଁ, ମାତ୍ର ମନ ଅଟେ ।

 

ଖର୍ଚ୍ଚ ଦୃଷ୍ଟିତ ମୋ ଆଗରେ ଥାଏ । ସେତେବେଳେ ଗୋଟିଏ ମତରେ ଏମିତି ଦଳେ ଲୋକ ଥିଲେ, ଯେଉଁମାନେ ଚାହା କଫିକୁ କ୍ଷତିକାରକ ବିଚାରୁଥିଲେ ଏବଂ କୋକୋର ସମର୍ଥନ କରୁଥିଲେ । ଯାହା କେବଳ ଦେହ ରକ୍ଷା ପାଇଁ ଆବଶ୍ୟକ, ସେହିଭଳି ଜିନିଷ ଖାଇବା ଉଚିତ ବୋଲି ମୁଁ ବୁଝିଥିଲି । ସେଥିଯୋଗୁଁ ଚା, କଫିକୁ ମୁଖ୍ୟ ଭାବରେ ଛାଡ଼ିଥିଲି ଏବଂ କୋକୋକୁ ରଖିଥିଲି ।

 

ଭୋଜନାଳୟରେ ଦିଓଟି ବିଭାଗ ଥାଏ । ଗୋଟିଏ ବିଭାଗରେ ଯେତେ ପ୍ରକାର ଖାଇବ ସେହି ଅନୁସାରେ ପଇସା ଦେବ । ଏଥିରେ ଥରକରେ ଏକ ସିଲିଂ ଦୁଇ ସିଲିଂ ଖର୍ଚ୍ଚ ମଧ୍ୟ ହୋଇଯାଏ । ସେଠାକୁ ଭଲ ଅବସ୍ଥାର ଲୋକ ଯାଆନ୍ତି । ଅନ୍ୟ ଏକ ବିଭାଗରେ ଛ’ଅଣାରେ ତିନୋଟି ପ୍ରକାର ଏବଂ ରୁଟି ଖଣ୍ଡେ ମିଳେ । ମୁଁ ଯେତେବେଳେ ଖୁବ୍ କସିକାସି ହୋଇ ଚଳିବାକୁ ଆରମ୍ଭ କଲି, ସେତେବେଳେ ଅଧିକାଂଶ ଏହି ଛଅଣିଆ ବିଭାଗକୁ ଯାଉଥିଲି ।

 

ଏସବୁ ପରୀକ୍ଷା ତଳେ ଅନେକ ଉପପ୍ରୟୋଗ ଥିଲା । ବେଳାଏ ଯଦି ‘ଷ୍ଟାର୍ଚ୍ଚ’ ବା ଶ୍ୱେତସାର ବାଲା ଖାଦ୍ୟକୁ ଛାଡ଼େ, ତେବେ ବେଳାଏ କେବଳ ରୁଟି ଓ ଫଳରେ ଚଳେଇ ନିଏ ଆଉ ବେଳାଏ ଦୁଧ, ଅଣ୍ଡା ଓ ଛେନା ଖାଏ ।

 

ଏହି ଶେଷ ପ୍ରୟୋଗ କଥା ଉଲ୍ଲେଖଯୋଗ୍ୟ । ତାହା ଦିନ ପନ୍ଦରଟା ମଧ୍ୟ ଚାଲି ନ ଥିଲା । ‘ଷ୍ଟାର୍ଚ୍ଚ’ ନ ଥିବା ଖାଦ୍ୟ ଖାଇବା ପକ୍ଷରେ ଯେଉଁମାନେ ସେମାନେ ଅଣ୍ଡାର ଖୁବ୍ ପ୍ରଶଂସା କରନ୍ତି ଏବଂ ଅଣ୍ଡା ମାଂସ ନୁହେଁ ବୋଲି ପ୍ରମାଣ ଦେଇଥାନ୍ତି । ଅଣ୍ଡା ଖାଇଲେ ଜୀବିତ ପ୍ରାଣୀର ଦୁଃଖ ହୁଏ ନାହିଁ, ଏହା ସତ । ମୁଁ ମଧ୍ୟ ଏ ଯୁକ୍ତିରେ ପଡ଼ି ମା’ର ପ୍ରତିଜ୍ଞା ସତ୍ତ୍ୱେ ଅଣ୍ଡା ଖାଇଥିଲି । ମାତ୍ର ମୋର ଏ ମୋହ କ୍ଷଣିକ ଥିଲା । ପ୍ରତିଜ୍ଞାର ନୂଆ ଅର୍ଥ କରିବାରେ ମୋର ଅଧିକାର ନ ଥିଲା-

 

ପ୍ରତିଜ୍ଞା ଯେ କରେଇଛି, ତାରି ଅର୍ଥହିଁ ଠିକ୍ । ମାଂସ ଖାଇବୁ ନାହିଁ ବୋଲି ପ୍ରତିଜ୍ଞା କରେଇବ ଲୋକ ମୋ ମା’ର ମନରେ ଅଣ୍ଡା କଥା ଅଲଗା ନ ଥିଲା । ଏହା ମୁଁ ଜାଣିଥିଲି । ସେଥିଯୋଗୁଁ ପ୍ରତିଜ୍ଞାର ଗୂଢ଼ ରହସ୍ୟର ଜ୍ଞାନ ହୋଇଥିଲା । ମୁଁ ଅଣ୍ଡା ଛାଡ଼ିଥିଲି ଏବଂ ସେ ପ୍ରାୟେ ସେତିକିରେ ରହିଲା ।

 

ଏ ରହସ୍ୟ ବଡ଼ ସୂକ୍ଷ୍ମ ଏବଂ ମନରେ ରଖିବା ଯୋଗ୍ୟ । ମୁଁ ବିଲାତରେ ମାଂସର ତିନି ପ୍ରକାର ବ୍ୟାଖ୍ୟା ପଢ଼ିଥିଲି । ଗୋଟିଏ ମାଂସ ଅର୍ଥାତ୍ ପଶୁପକ୍ଷୀଙ୍କର ମାଂସ । ଅତଏବ ସେଭଳି ଅର୍ଥ କରୁଥିବା ଲୋକେ ମାଂସ ଛାଡ଼ନ୍ତି, କିନ୍ତୁ ମାଛ ଖାନ୍ତି । ଅଣ୍ଡା ତ ନିଶ୍ଚୟ ଖାନ୍ତି । ଦ୍ୱିତୀୟରେ, ଆଉ ଏକ ଅର୍ଥ ଏମିତି କରାଯାଏ ଯେ ଯାହାକୁ ସାଧାରଣ ମଣିଷ ପ୍ରାଣୀ ବୋଲି ଜାଣେ, ତାର ମାଂସ ଛାଡ଼ିବାକୁ ହେବ । ଏ ଅର୍ଥରେ ମାଛ ଛାଡ଼ିବାକୁ ହେବ କିନ୍ତୁ ଅଣ୍ଡା ଖାଇ ହେବ । ତୃତୀୟ ପକ୍ଷରେ ସାଧାରଣ ଜୀବ ମାତ୍ରେ ଓ ତାଙ୍କଠାରୁ ଉତ୍ପନ୍ନ ସବୁ ପ୍ରକାର ଦ୍ରବ୍ୟ । ଏ ବ୍ୟାଖ୍ୟା ଅନୁସାରେ ଅଣ୍ଡା ଓ ଦୁଧ ମଧ୍ୟ ଛାଡ଼ିବାକୁ ବାଧ୍ୟ । ଏଥିରୁ ପ୍ରଥମ ବ୍ୟାଖ୍ୟାକୁ ମାନିବି ତ ମାଛ ମଧ୍ୟ ଖାଇପାରନ୍ତି । କିନ୍ତୁ ମୁଁ ବୁଝିଗଲି ଯେ, ମୋ’ପାଇଁ ମୋ ମା’ର ଅର୍ଥକୁ ହିଁ ଠିକ୍ ମାନିବାର କଥା । ଅତଏବ ତା ଆଗରେ ଯେ ପ୍ରତିଜ୍ଞା କରିଛି, ତାକୁ ପାଳିବାର କଥା ତ, ମୁଁ ଅଣ୍ଡା ଖାଇ ପାରିବି ନାହିଁ-। ଏହି ବିଚାରରେ ମୁଁ ଅଣ୍ଡା ଖାଇବା ଛାଡ଼ିଥିଲି । ଏଥିଯୋଗୁଁ ମୁଁ ଟିକିଏ ଅଡ଼ୁଆରେ ପଡ଼ିଯାଇଥିଲି । କାରଣ ତନ୍ନ ତନ୍ନ କରି ଅନୁସନ୍ଧାନ କରିବାରୁ ଜଣାଗଲା ଯେ, ନିରାମିଷ ଭୋଜନାଳୟମାନେ ସମସ୍ତେ ବହୁତ ଜିନିଷରେ ଅଣ୍ଡା ମିଶେଇଥାନ୍ତି । ତାହା ଏତେ ଦୂର ଯେ, ମୁଁ ଅଧିକ ପରିଚିତ ଥିବାରୁ ମତେ ମଧ୍ୟ ପରଷିବା ଲୋକଙ୍କଠାରୁ ପଚାରି ବୁଝିବାକୁ ପଡ଼ୁଥିଲା । କାରଣ ଅନେକ ‘ଫୁଡ଼ିଂ’ ରେ ଓ ଅନେକ ‘କେକ୍’ (ବିଲାତି ପିଠା ପାୟସ୍) ରେ ଅଣ୍ଡା ଥାଏ । ଏହା ଫଳରେ ମୁଁ ଜଞ୍ଜାଳରୁ ମୁକ୍ତ ହେଲି । କାରଣ ମୁଁ ଏଣିକି ଅଳ୍ପ କେତୋଟି ପୂରା ସାଦାସିଧା ଜିନିଷ ଖାଇ ପାରନ୍ତି । ଅନ୍ୟ ଆଡ଼ୁ ଟିକିଏ ବାଧା ପହଞ୍ଚିଥିଲା କାରଣ ଜିଭକୁ ସ୍ୱାଦୁ ଲାଗୁଥିବା ଅନେକ ଜିନିଷକୁ ଛାଡ଼ିବାକୁ ପଡ଼ିଲା । କିନ୍ତୁ ଏ କଷ୍ଟ କ୍ଷଣିକ ହୋଇଥିଲା । ଜିଭର ସ୍ୱାଦଠାରୁ ପ୍ରତିଜ୍ଞା ପାଳନର ସ୍ୱଚ୍ଛ, ସ୍ୱକ୍ଷ୍ମ ଓ ସ୍ଥାୟୀ ସ୍ୱାଦ ମତେ ଢେର ବେଶୀ ପ୍ରିୟ ଲାଗିଲା ।

 

କିନ୍ତୁ ଅସଲ ପରୀକ୍ଷା ବେଳ ତ ବାକି ଥିଲା ଏବଂ ତାହା ଅନ୍ୟ ପ୍ରତିଜ୍ଞା ବିଷୟରେ ଥିଲା-। ‘ଯାହାକୁ ରଖିବେ ଅନନ୍ତ ତା’ର କି କରିପାରେ ବଳବନ୍ତ ?’’

 

ଏ ଅଧ୍ୟାୟ ଲେଖି ସାରିବା ପୂର୍ବରୁ ପ୍ରତିଜ୍ଞା ସମ୍ବନ୍ଧରେ କେତେକେ ବିଷୟ ଜଣାଇ ଦେବା ଜରୁରୀ ମନେ କରେ । ମୋର ପ୍ରତିଜ୍ଞା ମୋ ମା ଆଗରେ କରିଥିବା ଏକ ଚୁକ୍ତି, ଏକ ଏକରାର ଅଟେ । ଦୁନିଆରେ ଅଧିକାଂଶ କଳି କେବଳ ଚୁକ୍ତିର ଅର୍ଥରୁ ଆରମ୍ଭ ହୋଇଥାଏ । ଯେଡ଼େ ସ୍ପଷ୍ଟ ଭାଷାରେ ଚୁକ୍ତିକୁ ଲେଖାଯାଉ ପଛେ ଏମିତି ଓସ୍ତାତ୍ ଅଛନ୍ତି ଯେ ‘କ’ କୁ ‘ବ’ କରି ଦେଇ ବସନ୍ତି । ଏଥିରେ, ସଭ୍ୟ ଅସଭ୍ୟ ଭେଦ କିଛି ରହେ ନାହିଁ । ସ୍ୱାର୍ଥ ସମସ୍ତଙ୍କୁ ଅନ୍ଧ କରିଥାଏ । ରାଜାଠାରୁ ରଙ୍କିଯାଏ ସମସ୍ତେ ନିଜର ସୁବିଧା ପାଇ ଚୁକ୍ତିର ମନଇଚ୍ଛା ଅର୍ଥ କରି ଦୁନିଆକୁ, ଆପଣାକୁ ଓ ପ୍ରଭୁଙ୍କୁ ଠକେଇଥାନ୍ତି । ପକ୍ଷମାନେ ଏମିତି ଯେଉଁ ଶବ୍ଦ ବା ବାକ୍ୟକୁ ନିଜର କାମରେ ଆସିବା ଭଳି ଭିନ୍ନ ଭିନ୍ନ ଅର୍ଥ କରିପାରନ୍ତି, ସେ ଶବ୍ଦ ବା ବାକ୍ୟକୁ ନ୍ୟାୟଶାସ୍ତ୍ର ‘ଦ୍ୱିଅର୍ଥକ ମଧ୍ୟମ ପଦ, କହିଥାଏ । ସୁବର୍ଣ୍ଣ ମାର୍ଗ ହେଉଛି, ଆମ କଥାର ଯେଉଁ ଅର୍ଥକୁ ବିରୁଦ୍ଧ ପକ୍ଷ ମାନିନିଏ ସେହି ଅର୍ଥଟା ଠିକ୍ ଧରିବା । ଆମ ମନରେ ଯାହା ଥିବ ତାହା ମିଛ, ତାହା ଅପୂର୍ଣ୍ଣ । ଆଉ ଗୋଟିଏ ସୁବର୍ଣ୍ଣ ମାର୍ଗ ହେଉଛି’ ଯେଉଁଠାରେ ଦୁଇଟି ଅର୍ଥ ସମ୍ଭବ ସେଠାରେ ଦୁର୍ବଳପକ୍ଷ ଯେଉଁ ଅର୍ଥ କରିବ ସେହି ଅର୍ଥକୁ ଠିକ୍ ମାନିନେବା ଉଚିତ । ଏଇ ଦୁଇ ସୁବର୍ଣ୍ଣ ମାର୍ଗକୁ ଛାଡ଼ୁଥିବାରୁ ଅଧିକାଂଶ ସ୍ଥଳରେ କଳ କଜିଆ ହେଉଛି ଏବଂ ଅଧର୍ମ ଅନ୍ୟାୟ ଚଳୁଛି ଏ ସମସ୍ତର ମୂଳ ଅସତ୍ୟ ଅଟେ ଯେ ସତ୍ୟର ବାଟରେ ଚାଲିଛି, ତାକୁ ସବୁର୍ଣ୍ଣ ମାର୍ଗ ସହଜରେ ମିଳିଯାଏ । ତାକୁ ଶାସ୍ତ୍ର ଖୋଜିବାକୁ ପଡ଼େ ନାହିଁ । ମା’ ‘ମାଂସ’ ଶବ୍ଦରେ ଯେଉଁ ଅର୍ଥ ବୁଝୁଥିଲା ଏବଂ ମୁଁ ସେତେବେଳେ ଯାହା ବୁଝିଥିଲି, ତାହାହିଁ ମୋ ପାଇଁ ଠିକ୍ ଅର୍ଥ ! ଯାହା ମୁଁ ବେଶୀ ଅଭିଜ୍ଞତାରୁ ବା ମୋର ପାଣ୍ଡିତ୍ୟ ମୋହରେ ଯେଉଁ ନୂଆ ଅର୍ଥ ଶିଖି ବୁଝିଲି ତାହା ଠିକ୍ ନୁହେଁ ।

 

ଆଜି ଯାଏ ମୋର ସମସ୍ତ ପ୍ରୟୋଗ ଏବଂ ପରୀକ୍ଷା ଆର୍ଥିକ ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ କରୁଥିଲି-। ବିଲାତରେ ଥିବା ସମୟରେ, ସେ ସବୁ ଧାର୍ମିକ ଆକାର ନେଇ ନ ଥିଲା । ଧର୍ମ ଦୃଷ୍ଟିରେ ମୋର କଠିଣ ପ୍ରୟୋଗମାନ ମୁଁ ଦକ୍ଷିଣ ଆଫ୍ରିକାରେ କରିଥିଲି । ସେ ସବୁ ଏହା ପରେ ଆଲୋଚନା କରିବି-। କିନ୍ତୁ ସେ ସବୁର ମଞ୍ଜି ବିଲାତରେ ପୋତା ହୋଇଥିଲା ବୋଲି କହିପାରେ ।

 

ଯେ ଯେଉଁ ଧର୍ମରେ ଜନ୍ମ ହୋଇଥାଏ, ସେ ଲୋକର ଆଗ୍ରହଠାରୁ ଯେ ନୂଆ ଧର୍ମ ଗ୍ରହଣ କରେ ତା’ର ଧର୍ମ ପ୍ରଚାର ଆଗ୍ରହ ଢେର ବେଶୀ । ଅନ୍ନାହାର ଏକେ ତ ବିଲାତରେ ନୂଆଧର୍ମ ଥିଲା । ମୋ ପାଇଁ ମଧ୍ୟ ତାହା ସେୟା ଥିଲା, କାରଣ ମୁଁ ମୋ ବୁଦ୍ଧିରେ ମାଂସାହାର ସପକ୍ଷରେ ଥିଲାବେଳେ ବିଲାତ ଯାଇଥିଲି । ମୁଁ ବିଲାତରେ ଯାଇ ଅନ୍ନାହାର ନୀତିକୁ ଜ୍ଞାନପୂର୍ବକ ସ୍ୱୀକାର କରିଥିଲି । ଅତଏବ ମୋ ପକ୍ଷରେ ଏହି ନୂଆ ଧର୍ମ ଗ୍ରହଣ କଲା ଭଳି ହୋଇଥିଲା । ନୂଆଧର୍ମ ପ୍ରଚାରରେ ଆଗ୍ରହ ମୋର ଜନ୍ମିଥିଲା । ସେଥିପାଇଁ ସହରର ଯେଉଁ ପଡ଼ାରେ ମୁଁ ରହୁଥିଲି, ସେ ପଡ଼ାରେ ଏକ ନିରାମିଷ ସମିତି ଗଢ଼ିବାକୁ ବିଚାରିଲି । ଏ ପଡ଼ା ଓ୍ୱେଟ ଓ୍ୱାଟର ପଡ଼ା ଥିଲା । ସେହି ପଡ଼ାରେ ଏଡ଼୍‌ଓ୍ୱିନ୍ ଆର୍ନେଲ ସାହେବ ରହୁଥିଲେ । ମୁଁ ତାଙ୍କୁ ଉପସଭାପତି ହେବାପାଇଁ ଅନୁରୋଧ କଲି । ଡାକ୍ତର ଓଲ୍‌ଡ଼ଫିଲ୍‌ଡ଼ ସଭାପତି ହେଲେ । ମୁଁ ସମ୍ପାଦକ ହେଲି । କିଛିଦିନ ଏ ସମିତି ଚଳିଲା । କିନ୍ତୁ କେତେ ମାସ ପରେ ତା’ର ଅସ୍ତ ହୋଇଗଲା । କାରଣ ମୋର ନିୟମ ଅନୁସାରେ ମୁଁ ସେ ପଡ଼ା ଛାଡ଼ି ଅନ୍ୟତ୍ର ଚାଲିଗଲି, କିନ୍ତୁ ଏ ଅଳ୍ପ ସମୟ ମଧ୍ୟରେ ଅନୁଷ୍ଠାନ ଗଢ଼ିବା ଓ ଚଳେଇବା ସମ୍ବନ୍ଧରେ ମୋର କେତେକ ଅଭିଜ୍ଞତା ଜନ୍ମି ଯାଇଥିଲା ।

 

ଲାଜ ମତେ ବଞ୍ଚେଇଲା

 

ଅନ୍ନାହାରୀ ମଣ୍ଡଳରେ କାର୍ଯ୍ୟ ନିର୍ବାହିକା ସମିତିକୁ ମୁଁ ବଛା ହେଲି ସତ ଏବଂ ସେଥିରେ ସବୁଥର ହାଜର ହେଉଥାଏ, ମାତ୍ର ସେଠି କଥା କହିବାକୁ ଜିଭ ଲେଉଟେ ନାହିଁ । ମତେ ଡାକ୍ତର ଓଲ୍‌ଡ଼ ଫିଲ୍‌ଡ଼ କହନ୍ତି, ‘‘ତୁ ତ ମୋ ସାଙ୍ଗରେ ଠିକ୍ କଥାବାର୍ତ୍ତା କରୁଛୁ, କିନ୍ତୁ ସମିତିର ବୈଠକରେ ତୁ ପାଟି ଫିଟାଉ ନାହୁଁ କାହିଁକି ? ତୁ ତ ଅଣ୍ଡିରା ମାଛି ଭଳି ହେଉଛୁ ।’’ ଏହାକୁ ମୁଁ ଥଟ୍ଟା ବୁଝୁଥିଲି । ମହୁମାଛିମାନେ ସବୁବେଳେ ପରିଶ୍ରମ କରୁଥାଆନ୍ତି କିନ୍ତୁ ଅଣ୍ଡିରା ମାଛି ଖାଏ, ପିଏ କିଛି କାମ କରେ ନାହିଁ । ସମିତିରେ ଅନ୍ୟ ସମସ୍ତେ ନିଜ ନିଜର ମତାମତ ପ୍ରକାଶ କରନ୍ତି, ମୁଁ ଘୁଙ୍ଗା ଭଳି ବସି ରହେ କାହିଁକି ? ମୋର କହିବାକୁ ଯେ ମନ ନଥାଏ, ତାହା ନୁହଁ; କିନ୍ତୁ କହିବି କ’ଣ ? ସବୁ ସଭ୍ୟମାନେ ମୋଠାରୁ ବେଶୀ ଜାଣି ଥିଲା ପରି ମତେ ଲାଗେ । ପୁଣି କୌଣସି ବିଷୟରେ କହିଲା ଭଳି ଲାଗିଲା ତ ମୁଁ କହିବାକୁ ସାହସ ବାନ୍ଧୁ ବାନ୍ଧୁ ଅନ୍ୟ ବିଷୟ ପଡ଼ିଯାଏ ।

 

ଏମିତି ଅନେକ ଦିନ ଚାଲିଲା । ଏହି ସମୟରେ ଏମିତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠିଲା ପଡ଼ିଲା, ଯେଉଁଥିରେ ଆଲୋଚନା ନ କରିବାଟା ଅନ୍ୟାୟ କାର୍ଯ୍ୟରେ ପ୍ରଶୟ ଦେଲା ଭଳି ଜଣା ପଡ଼ୁଥିଲା । ମୂକ ହୋଇ କେବଳ ମତଟି ଦେଇ ନିଶ୍ଚିନ୍ତ ରହିବାଟା ମୋରେ କାପୁରୁଷତା ପରି ବୋଧ ହେଲା । ମଣ୍ଡଳର ସଭାପତି ଥିଲେ ‘ଟେମସ୍ ଆଇରନ୍‌ଓ୍ୱାର୍କସ୍‌’ କାରଖାନାର ମାଲିକ ମି. ହିଲସ୍ । ସେ କଡ଼ା ନୀତିବାଲା ଥିଲେ । ତାଙ୍କର ପଇସା ଉପରେ ସମିତି ତିଷ୍ଠି ରହିଥିଲା ବୋଲି କହିଲେ ଚଳେ । ସମିତିରେ ଡାକ୍ତର ଏଲିନ୍‌ସନ୍‌ ମଧ୍ୟ ଥିଲେ । ଏହି ସମୟରେ ସନ୍ତାନ ଉତ୍ପତ୍ତି ଉପରେ କୃତ୍ରିମ ଉପାୟରେ ଆୟତ୍ତ ରଖିବା ବିଷୟରେ ଏକ ଆନ୍ଦୋଳନ ଚାଲିଥାଏ । ଡାକ୍ତର ଏଲିନ୍‌ସନ୍ ସେ ସବୁ ଉପାୟର ସମର୍ଥକ ଥିଲେ ଏବଂ ମୂଲିଆ ମଜୁରିଆଙ୍କ ଭିତରେ ତା’ର ପ୍ରଚାର କରୁଥିଲେ । ମି.ହିଲସ୍‌ଙ୍କୁ ଏ ବିଷୟ ନୀତି-ବିରୁଦ୍ଧ ଲାଗୁଥିଲା । ତାଙ୍କ ମତରେ ଏ ଅନ୍ନାହାରୀ ସମିତି କେବଳ ଖାଦ୍ୟ ସଂସ୍କାର ପାଇଁ ହୋଇ ନ ଥିଲା, ବରଂ ଏହା ଏକ ନୀତିବର୍ଦ୍ଧକ ସମିତି ଥିଲା । ସେଥିପାଇଁ ଡାକ୍ତର ଏଲିନ୍‌ସନ୍ ପରି ସେ ସମାଜର ହାନୀକାରକ କାମରେ ସମର୍ଥନ କରୁଛନ୍ତି, ସେ ଭଳି ଲୋକେ ଏ ସମିତିର ସଭ୍ୟ ହେବା ଉଚିତ୍ ନୁହେଁ, ଏହା ହିଲସ୍ ସାହେବଙ୍କ ମତ ଥିଲା । ସେ କାରଣରୁ ଡାକ୍ତର ଏଲିନ୍‌ସନ୍‌ଙ୍କୁ ସମିତିରୁ ବାହାର କରିଦେବା ପାଇଁ ଏକ ଦରଖାସ୍ତ ଆସିଥାଏ । ଏ ଆଲୋଚନାରେ ମତେ ଆନନ୍ଦ ମିଳୁଥାଏ । ଡାକ୍ତର ଏଲିନ୍‌ସନ୍‌ଙ୍କର କୃତ୍ରିମ ଉପାୟ ସପକ୍ଷରେ ମତ ମତେ ବଡ଼ ଭୟଙ୍କର ଲାଗିଲା । ତାହା ବିରୋଧରେ ହିଲ୍‌ସଙ୍କ ମତ ମତେ ବେଶ୍‌ ଶୁଦ୍ଧ ନୀତି ଜଣା ପଡ଼ିଲା । ତାଙ୍କ ପ୍ରତି ମୋର ଖୁବ୍‌ ସମ୍ମାନ ଥିଲା । ତାଙ୍କର ଉଦାରତା ପ୍ରତି ଆଦର ଥିଲା । କିନ୍ତୁ ଏକ ଅନ୍ନାହାରୀବର୍ଦ୍ଧକ ସମିତିରୁ ଶୁଦ୍ଧ ନୀତି ନ ମାନୁ ଥିବା ଲୋକଙ୍କୁ ତାଙ୍କର ସେହି ମତ ଯୋଗୁଁ ବାହାର କରି ଦେବାଟା ମଧ୍ୟ ମୋତେ ଘୋର ଅନ୍ୟାୟ ବୋଲି ଲାଗୁଥିଲା । ଅନ୍ନାହାର ସମିତିର ସ୍ତ୍ରୀ ପୁରୁଷଙ୍କ ସମ୍ବନ୍ଧରେ ହିଲ୍‌ସ ସାହେବଙ୍କର ମତ ତାଙ୍କର ବ୍ୟକ୍ତିଗତ ମତ ଥିଲା ବୋଲି ମୋର ଧାରଣା । ତାହା ସଙ୍ଗେ ସମିତିର ନିଷ୍ପତ୍ତି ବା ସିଦ୍ଧାନ୍ତର କୌଣସି ସମ୍ବନ୍ଧ ରହିବା ଉଚିତ ନୁହେଁ । ସମିତିର ଉଦ୍ଦେଶ୍ୟ କେବଳ ଅନ୍ନାହାର ପ୍ରଚାର କରିବା; ଅନ୍ୟ ନୀତିର ପ୍ରଚାର ତାହାର ଉଦ୍ଦେଶ୍ୟ ନୁହେଁ । ସେଥିପାଇଁ ଅନ୍ୟ ନୀତିର ଅନାଦର କରୁଥିବା ଲୋକଙ୍କୁ ନିଆଯାଇ ପାରିବ ମୋର ମତଥାଏ ।

 

ସମିତିରେ କେତେଜଣ ମଧ୍ୟ ମୋ ସଙ୍ଗେ ଏକମତ ଥିଲେ । କିନ୍ତୁ ମୋର ଆପଣାର ବିଚାର ପ୍ରକାଶ କରିବାକୁ ଆଗ୍ରହ ଜନ୍ମିଥାଏ । କେମିତି ତାହା ଜଣାଇବି, ଏହା ଏକ ବଡ଼ ପ୍ରଶ୍ନ ହୋଇପଡ଼ିଲା । କହିବାକୁ ତ ମୋର ସାହସ ହେଉ ନ ଥାଏ । ତେଣୁ ମୋର ବିଚାରକୁ ଲେଖି କରି ସଭାପତିଙ୍କୁ ପଠାଇ ଦେବା ସ୍ଥିର କଲି । ଲେଖାକୁ ସଭାରେ ପଢ଼ି ଦେବାର ସାହସ ମଧ୍ୟ ହୋଇ ନ ଥିଲା ବୋଲି ମୋର ମନେ ଅଛି । ମୁଁ ଲେଖା ନେଇଗଲି । ସଭାପତି ତାହା ଅନ୍ୟ ସଭ୍ୟଙ୍କ ଦ୍ୱାରା ପଢ଼େଇ ନେଲେ । ଡାକ୍ତର ଏଲିନ୍‌ସନ୍‌ଙ୍କ ବନ୍ଧୁ ହାରିଗଲେ ଏବଂ ଏହି ପ୍ରକାରେ ପ୍ରଥମ ଲଢ଼େଇରେ ମୁଁ ହାରିବା ପକ୍ଷରେ ରହିଲି । କିନ୍ତୁ ସେ ପକ୍ଷ ସତ୍ୟର ପକ୍ଷ ଥିଲା ବୋଲି ବିଶ୍ୱାସ ଥିବାରୁ ମୋ ମନରେ ପୂରା ସନ୍ତୋଷ ଥାଏ । ମୋର ଟିକିଏ ମନେ ପଡ଼ୁଛି, ମୁଁ ଏହା ପରେ ପରେ ସେ ସମିତିରୁ ଇସ୍ତଫା ଦେଇଦେଲି । ବିଲାତରେ ମୋର ଏ ଲାଜକୁଳା ସ୍ୱଭାବ ଶେଷ ପର୍ଯ୍ୟନ୍ତ ଥିଲା । କାହାର ସଙ୍ଗେ ଦେଖା କରିବାକୁ ଗଲେ ସେଠି ଯଦି ପାଞ୍ଚ ସାତ ଜଣ ଏକାଠି ହୋଇଯାନ୍ତି, ତେବେ ମୁଁ ଘୁଙ୍ଗା ହୋଇଯାଏ ।

 

ମୁଁ ଥରେ ଓ୍ୱେଣ୍ଟନର୍ ଯାଇଥିଲି । ସେଠାରେ ମଜୁମଦାର ମଧ୍ୟ ଥିଲେ । ସେଠାରେ ଏକ ଅନ୍ନାହାରୀ ଘର ଥିଲା; ସେଠି ଦୁହେଁ ରହିଲୁ । ‘‘ଏଥିକ୍‌ସ ଅଫ ଡାଏଟ୍’’ (ଖାଦ୍ୟର ଭଲ ମନ୍ଦ ବିଚାର) ର ଲେଖକ ଏହି ବନ୍ଦରରେ ରହନ୍ତି । ଆମେ ତାଙ୍କ ସଙ୍ଗେ ଦେଖା କଲୁ । ସେହିଠାରେ ଅନ୍ନାହାର ପ୍ରଚାର ଏକ ସଭା ହେଲା । ସେଠାରେ ଆମ ଦୁହିଁଙ୍କୁ କହିବା ପାଇଁ ନିମନ୍ତ୍ରଣ ଆସିଥିଲା-। ଦୁହେଁ ସ୍ୱୀକାର କରିଥିଲୁ । ମୁଁ ତ ଜାଣିଥିଲି ଯେ ଲେଖା ପ୍ରବନ୍ଧ ପଢ଼ିବାରେ ଦୋଷ ନାହିଁ । ନିଜର ଚିନ୍ତାର କ୍ରମ ଠିକ୍ ରଖିବା ପାଇଁ ଓ ସଂକ୍ଷେପରେ କହିବା ପାଇଁ ଅନେକ ଲେଖି ପଢ଼ାନ୍ତି । ମୋର ବକ୍ତୃତା ମୁଁ ଲେଖି ପକେଇଥିଲି । କହିବାକୁ ସାହସ ହେଲା ନାହିଁ । ମୁଁ ପଢ଼ିବାକୁ ଠିଆ ହେଲି; ମାତ୍ର ପଢ଼ି ପାରିଲି ନାହିଁ । ଆଖିକୁ ଦିଶିଲା ନାହିଁ । ହାତ ଗୋଡ଼ ଥରିଲା । ମୋର ବକ୍ତୃତା ଫୁଲସ୍କେପର ପ୍ରାୟ ଫାଳେ ଲେଖା ଥିଲା । ତାକୁ ମଜୁମଦାର ପଢ଼ି ଶୁଣେଇ ଥିଲେ । ମଜୁମଦାରଙ୍କ ନିଜ ବକ୍ତୃତା ତ ସରସ ହୋଇଥିଲା ଶୁଣିବା ଲୋକେ କରତାଳି ଶବ୍ଦ ଦ୍ୱାରା ସତେ ଯେପରି ତାଙ୍କ କଥାଗୁଡ଼ାକ ସ୍ୱାଗତ କରି ନେଇ ଯାଉଥିଲେ । ମୁଁ ଲଜ୍ଜ୍ୟା ଅନୁଭବ କଲି ଏବଂ ମୋର କହିବାର ଅକ୍ଷମତା ମୋ ମନରେ ଭାରି ଦୁଃଖ ହେଲା ।

 

ମୋର ବିଲାତ ଛାଡ଼ିବା ବେଳେ ସର୍ବ ସାଧାରଣରେ କହିବାପାଇଁ ଶେଷ ଚେଷ୍ଟା କରିବାକୁ ପଡ଼ିଥିଲା । ବିଲାତ ଛାଡ଼ିବା ପୂର୍ବରୁ ଅନ୍ନାହାରୀ ବନ୍ଧୁଙ୍କୁ ହୋବର୍ଣ୍ଣ ଭୋଜନ ଗୃହରେ ଖାଇବାକୁ ନିମନ୍ତ୍ରଣ କରିଥିଲୁ । ମୋର ମନରେ ଯେ, ନିରାମିଷ ଭୋଜନାଳୟରେ ଅନ୍ନାହାରୀ ତ ଏମିତି ମିଳେ; କିନ୍ତୁ ଯେଉଁଠି ମାଂସହାର ହୋଇଥାଏ, ସେଠାରେ ଅନ୍ନାହାରର ବନ୍ଦୋବସ୍ତ ହୋଇ ପାରିଲେ ଭଲ ହେବ । ଏହି ବିଚାରରେ ସେଠାରେ ବ୍ୟବସ୍ଥାପକଙ୍କ ସଙ୍ଗେ ଖାସ ବନ୍ଦୋବସ୍ତ କରି ସେଠାରେ ଖୁଆଇବାର ବନ୍ଦୋବସ୍ତ କରିଥିଲି । ଏ ନୂଆ ପ୍ରୟୋଗ ଅନ୍ନାହାରୀ ବନ୍ଧୁଙ୍କୁ ମନକୁ ପାଇଥିଲା, ମାତ୍ର ମୁଁ ହାସ୍ୟାସ୍ପଦ ହୋଇଥିଲି । ଯେତେ ଭୋଜୀ ହୁଏ ସବୁ ମୌଜ ପାଇଁ ହୋଇଥାଏ-। କିନ୍ତୁ ପଶ୍ଚିମରେ ଭୋଜି ଦେବାଟାକୁ ଗୋଟିଏ କଳା ଭଳି ଚର୍ଚ୍ଚା କରିଥାନ୍ତି । ଖାଇଲା ବେଳେ ବିଶେଷ ସଜାସଜି ବିଶେଷ ଯାକଯମକ, ବାଜା, ବକ୍ତୃତା ହୁଏ । ଏ ଛୋଟିଆ ଭୋଜିରେ ମଧ୍ୟ ସେ ସବୁ ଆଡ଼ମ୍ବର ହୋଇଥିଲା । ମୋର ବକ୍ତୃତା ଦେବାର ସମୟ ଆସିଲା । ମୁଁ ଠିଆ ହେଲି-। ଅନେକ ଭାବିଚିନ୍ତି କହିବାକୁ ତିଆର ହୋଇ ଯାଇଥିଲି କେତେକ ବାକ୍ୟ ରଚନା କରି ରଖିଥିଲି । କିନ୍ତୁ ପହିଲି ବାକ୍ୟରେ ଆଗକୁ ଡେଇଁପାରିଲି ନାହିଁ । ଏଡ଼ିସନ୍ ଇଂଲଣ୍ଡରେ ବିଖ୍ୟାତ ଲେଖକଙ୍କ ବିଷୟ ପଢ଼ୁ ପଢ଼ୁ ତାଙ୍କର ଲାଜକୁଳା ସ୍ୱଭାବ କଥା ପଢ଼ିଥିଲି । ସାଧାରଣ ସଭାରେ ତାଙ୍କର ପ୍ରଥମ ବକ୍ତୃତା ସମ୍ବନ୍ଧରେ ଏୟା ପ୍ରବାଦ ରହିଛି ଯେ, ସେ ତିନିଥର ‘ମୁଁ ମନେ କରୁଛି’, ‘ମୁଁ ମନେ କରୁଛି,’ ‘ମୁଁ ମନେ କରୁଛି’, କହି ଆଉ ଆଗକୁ ଯାଇ ପାରିଲେ ନାହିଁ । ଯେଉଁ ଇଂରେଜୀ ଶବ୍ଦର ଅର୍ଥ ‘ମନେ କରୁଛି’ ତା’ର ଆଉ ଏକ ଅର୍ଥ ‘ଗର୍ଭ ଧାରଣ କରୁଛି’ ବୋଲି ହୁଏ । ଯେମିତି ଏଡ଼ିସନ୍ ଆଉ କହି ପାରିଲେ ନାହିଁ, ସାଧାରଣ ସଭା ଭିତରୁ ଜଣେ ଥଟ୍ଟଲି ସଭ୍ୟ କହି ଉଠିଲେ ଯେ, ଏ ଗୃହସ୍ଥ ତିନିଥର ଗର୍ଭଧାରଣ କଲେ, କିନ୍ତୁ କିଛି ଉତ୍ପନ୍ନ କଲେ ନାହିଁ । ଏ କାହାଣୀକୁ ଭାବି ରଖିଥିଲି ଏବଂ ଛୋଟିଆ ଥଟ୍ଟଲି ବକ୍ତୃତାଟିଏ ଦେବି ବୋଲି ବିଚାରିଥିଲି । ତେଣୁ ମୋର ବକ୍ତୃତା ମୁଁ ଏ କାହାଣୀରୁ ଆରମ୍ଭ କଲି ସିନା; କିନ୍ତୁ ସେହିଠାରେ ରହିଗଲି । ଯାହା ବିଚାରିଥିଲି ସବୁ ପାଶୋରି ପକାଇଲି ଏବଂ ମୁଁ ଥଟ୍ଟଲି ବକ୍ତୃତା କରିବି କ’ଣ ନିଜେ ଥଟ୍ଟା ନକଲ ପାତ୍ର ହୋଇଗଲି । ‘‘ସଜ୍ଜନ ବୃନ୍ଦ, ଆପଣମାନେ ମୋର ଆମନ୍ତ୍ରଣ ରକ୍ଷା କରିଛନ୍ତି, ସେଥିପାଇଁ ଆପଣମାନଙ୍କ ପାଖରେ କୃତଜ୍ଞ-।’’ ଏୟା କହି ମୁଁ ବସିପଡ଼ିଲି ।

 

ମୋର ଏ ଲାଜ ଯାଇ ଦକ୍ଷିଣ ଆଫ୍ରିକାରେ ଛାଡ଼ିଲା । ପୂରାପୂରି ଛାଡ଼ିଛି ବୋଲି ଏବେ ସୁଦ୍ଧା କହିପାରିବି ନାହିଁ । ବକ୍ତୃତା ଦେବାକୁ ଭାବିଥାଏ । ନୂଆ ସମାଜରେ କହିବାକୁ ସଙ୍କୋଚ ଲାଗେ । ବକ୍ତୃତା ଦେବାରୁ ଖସି ଯାଇପାରେ ତ ନିଶ୍ଚୟ ଖସି ପଳାଏ । ସଭାରେ ବସିଛି ବୋଲି କିଛି କହିବି ବା କହିବାର ଇଚ୍ଛା ଥାଏ, ଏହା ମଧ୍ୟ ଆଜି ସୁଦ୍ଧା ନାହିଁ ।

 

କିନ୍ତୁ ମୋର ଲାଜକୁଳା ସ୍ୱଭାବରୁ ମୋର ଅପମାନ ବା ଲୋକସାନ କେବେ ହୋଇ ନାହିଁ, ବରଂ ଲାଭ ହୋଇଛି ବୋଲି ମୁଁ ଏବେ ଦେଖି ପାରୁଛି । କହିବାରେ ସଙ୍କୋଚ ମତେ ପ୍ରଥମେ ଦୁଃଖଦାୟକ ହେଉଥିଲା, ମାତ୍ର ଏବେ ତାହା ସୁଖକର ହୋଇଛି । ବଡ଼ ଲାଭ ଏୟା ହୋଇଛି ଯେ, ମୁଁ ଶବ୍ଦ ବ୍ୟବହାର ଜଗିରଖି କରିଛି, ମିତବ୍ୟୟୀ ହୋଇଛି ଏବଂ ମୋର ଚିନ୍ତା ଉପରେ ଆୟତ୍ତ ରଖିବାର ଅଭ୍ୟାସ ହୋଇଯାଇଛି । ମୁଁ ଆପଣାକୁ ଏତିକି ପ୍ରଶଂସାପତ୍ର ଦେଇପାରେ ଯେ ମୋ ତୁଣ୍ଡ ବା କଲମରୁ ବିନା ଭାବିଚିନ୍ତି ବା ବିନା ମାପି ତଉଲି କୌଣସି ଶବ୍ଦ ପ୍ରାୟ କେବେ ବାହାରେ ନାହିଁ । ମୋର ବକ୍ତୃତା ବା ଲେଖାର କୌଣସି ଅଂଶ ପାଇଁ ମୋର କେବେ ଲଜ୍ଜ୍ୟା ବା ଅନୁତାପ ହୋଇଥିବାର ମନେ ନାହିଁ—ମୁଁ ଅନେକ ଭୟରୁ ରକ୍ଷା ପାଇଛି । ମୋର ବହୁତ ସମୟ ମଧ୍ୟ ବଞ୍ଚି ଯାଇଛି, ସେତକ ଉପରି ଲାଭ ।

 

ଅଭିଜ୍ଞତା ମଧ୍ୟ ଏତିକି ଶିଖେଇଛି ଯେ, ସତ୍ୟଉପାସକର ମୌନ ଆଚରିବା ଉଚିତ । ଜାଣତରେ ବା ଅଜାଣତରେ ମଧ୍ୟ ମନୁଷ୍ୟ ଅନେକ ସମୟରେ ସତ୍ୟକୁ ବଢ଼େଇ କରି କହିଥାଏ, କିମ୍ବା ଯାହା କହିବା ଉଚିତ, ତାକୁ ଲୁଚାଇଥାଏ ବା ବୁଲେଇ ବାଲେଇ କହିଥାଏ । ଏସବୁ ବିପଦରୁ ରକ୍ଷା ପାଇବା ପାଇଁ ମଧ୍ୟ ଅଳ୍ପଭାଷୀ ହେବା ଦରକାର । ଯେ ଅଳ୍ପ କହନ୍ତି ସେ ନ ବିଚାରି କହନ୍ତି ନାହିଁ, ନିଜର ପ୍ରତ୍ୟେକ ଶବ୍ଦକୁ ତଉଲି ଥାନ୍ତି । ଅନେକ ସମୟରେ ମଣିଷ କହିବାକୁ ଉଚ୍ଛନ୍ନ ହୋଇଥାଏ । ‘ମୋର ମଧ୍ୟ କହିବାର ଅଛି’ ଏଭଳି ଚିଠି କେଉଁ ସଭାପତିଙ୍କୁ ମିଳି ନ ଥିବ ? ପରେ ତାଙ୍କୁ ସମୟ ଦେବା କଥା ପଡ଼ିଲେ, ତାଙ୍କ ପାଇଁ ସମୟ ଯଥେଷ୍ଟ ହୋଇନାହିଁ ବୋଲି ଅଧିକା ସମୟ ପାଇଁ ଅନୁନୟ ବିନୟ କରନ୍ତି ଏବଂ ଶେଷରେ ବିନାନୁମତିରେ ମଧ୍ୟ କହିଯାନ୍ତି । ଏଭଳି ଗୁଡ଼ାଏ କହିବାଦ୍ୱାରା ଦୁନିଆର ଲାଭ ହୋଇଛି ବୋଲି କ୍ୱଚିତ୍ ଦେଖା ଯାଇଥାଏ । ବରଂ ସେତକ ସମୟ ନଷ୍ଟ ହୋଇଥିବାର ସ୍ପଷ୍ଟ ଦେଖାଯାଇଛି । ଏଥିପାଇଁ ଯଦ୍ୟପି ଆରମ୍ଭରେ ମୋର ଲାଜ ମତେ ବାଧୁଥିଲା, ତଥାପି ଆଜି ତାର ସ୍ମୃତି ମତେ ଆନନ୍ଦ ଦେଉଛି । ମୋର ଲଜ୍ଜା ମତେ ବଞ୍ଚେଇଛି ତାହାରି ଫଳରେ ମୋର ବିଚାର ପୋଖତ ହୋଇଛି—ଏତକ ମୋର ଲାଭ ହୋଇଛି । ସତ୍ୟର ପୂଜାରେ ମତେ ସେଥିରୁ ସାହାଯ୍ୟ ମିଳିଛି ।

 

ଅସତ୍ୟରୂପୀ ବିଷ

 

ଚାଳିଶି ବର୍ଷ ପୂର୍ବେ ବିଲାତ ଯିବା ଭାରତୀୟ ଛାତ୍ର ସଂଖ୍ୟା ବହୁତ କମ୍ ଥିଲା । ତାଙ୍କ ଭିତରେ ଏମିତି ଏକ ପ୍ରଥା ଚଳି ଯାଇଥିଲା ଯେ, ସେମାନେ ବିବାହିତ ହୋଇଥିଲେ ସୁଦ୍ଧା ବିଲାତରେ ନିଜକୁ ଅବିବାହିତ ବୋଲି ଚଳେଇ ନେଉଥିଲେ । ସେ ଦେଶରେ ବିଦ୍ୟାଳୟ ଜୀବନ ନ ଥାଏ । ଆମ ଦେଶରେ ପ୍ରାଚୀନ କାଳରେ ଛାତ୍ରମାନେ ବ୍ରହ୍ମଚାରୀ ବୋଲି ପରିଚିତ ହେଉଥିଲେ । ଆଜିକାଲି କାଳରେ ତ ବାଲ୍ୟବିବାହର ଯୁଗ ହୋଇଗଲାଣି । ବିଲାତରେ ବାଲ୍ୟବିବାହ ଭଳି ଗୋଟାଏ କିଛି ନାହିଁ କହିଲେ ଚଳେ । ସେଥିପାଇଁ ଭାରତୀୟ ଯୁବକ ସେଠି ନିଜକୁ ବିବାହିତ ବୋଲି କହିବାକୁ ଲଜ୍ଜାବୋଧ କରିଥାନ୍ତି । ବିବାହ ଲୁଚେଇବାର ଆଉ ଏକ କାରଣ, ବିବାହ କଥାଟା ପ୍ରଘଟ ହୋଇଗଲେ ଯେଉଁ ପରିବାରରେ ଥିବେ, ସେ ପରିବାରର ବଡ଼ ବଡ଼ ଯୁବତୀ ଝିଅଙ୍କ ସଙ୍ଗେ ଆଉ ସ୍ୱାଧୀନ ଭାବରେ ଫୁର୍ତ୍ତି କରି ବୁଲି ପାରିବେ ନାହିଁ, କିମ୍ବା ତାଙ୍କ ସଙ୍ଗେ ଥଟ୍ଟା ନକଲ କରିବା ସମ୍ଭବ ହୁଏ ନାହିଁ । ଏ ଥଟ୍ଟା ନକଲ ଅଧିକାଂଶ ସ୍ଥାନରେ ନିର୍ଦ୍ଦୋଷ ଥାଏ । ମା’ ବାପ ମଧ୍ୟ ଏଭଳି ବନ୍ଧୁତ୍ୱ ପସନ୍ଦ କରିଥାନ୍ତି । ଯୁବକ ଓ ଯୁବତୀମାନଙ୍କ ଭିତରେ ଏଭଳି ମିଳାମିଶା ସେଠାରେ ଆବଶ୍ୟକ ବିବେଚିତ ହୋଇଥାଏ । କାରଣ, ସେଠାରେ ପ୍ରତ୍ୟେକ ଯୁବକକୁ ତା’ର ସହଧର୍ମିଣୀ ଖୋଜିନେବାକୁ ପଡ଼ିଥାଏ । ଅତଏବ ଯେଉଁ ସମ୍ବନ୍ଧ ବିଲାତରେ ସ୍ୱାଭାବିକ ବୋଲି ଧରି ନିଆଯାଏ, ଯଦି ଭାରତୀୟ ନବଯୁବକ ବିଲାତ ଗଲାରୁ ସେ ଭଳି ସମ୍ବନ୍ଧ ସ୍ଥାପନ କରିବାକୁ ଆରମ୍ଭ କରନ୍ତି, ତେବେ ତାହାର ପରିଣାମ ବଡ଼ ଭୟଙ୍କର ହୋଇଥାଏ । କେତେକ ସ୍ଥଳରେ ଏଭଳି ପରିଣାମ ହୋଇଥିବାର ମତେ ଜଣାଅଛି । ତଥାପି ଏ ମୋହିନୀ ମାୟାରେ ଆମ ଯୁବକମାନେ ପଡ଼ିଥାନ୍ତି । ଇଂରେଜମାନଙ୍କ ଦୃଷ୍ଟିରେ ତାହା ନିର୍ଦ୍ଦୋଷ ଥିଲେ ମଧ୍ୟ ଆମ ପାଇଁ ତାହା ତ୍ୟାଜ୍ୟ; କିନ୍ତୁ ଲୋଭରେ ପଡ଼ି ଆମ ଲୋକେ ଅସତ୍ୟ ଆଚରଣ ପସନ୍ଦ କରିଥାନ୍ତି । ମୁଁ ମଧ୍ୟ ଏହି ଜାଲରେ ପଡ଼ିଯାଇଥିଲି । ମୁଁ ପାଞ୍ଚ ଛଅ ବର୍ଷ ହେଲା ବାହା ହୋଇ ଗୋଟିଏ ପୁଅର ବାପ ହୋଇଥିଲେ ସୁଦ୍ଧା, ନିଜକୁ ଅବିବାହିତ ବୋଲି ଚଳେଇ ଦେବାକୁ ଟିକିଏ ହେଲେ ଡରି ନ ଥିଲି । ଏଭଳି ନିଜକୁ ଚଳେଇ ଦେବାର ସ୍ୱାଦ ମଧ୍ୟ ମୁଁ ଅଳ୍ପ ଟିକିଏ ଚାଖିଛି । ମୋର ଲାଜକୁଳା ପ୍ରକୃତି ଓ ମୋର ମୌନ ମତେ ଖୁବ୍ ବଞ୍ଚେଇଛି । ମୁଁ ତ କଥା କହିପାରେ ନାହିଁ । ଆଉ କେଉଁ ଯୁବତୀ ବା ମୋ ସାଙ୍ଗରେ ଅକାରଣରେ କଥା କହିବ ? ମୋ ସଙ୍ଗରେ କୌଣସି କୌଣସି ଝିଅ କ୍ୱଚିତ୍ ବାହାରନ୍ତି ।

 

ମୁଁ ଯେତିକି ଲାଜକୁଳା ଥିଲି, ସେତିକି ଡରକୁଳା ବି ଥିଲି । ଓ୍ୱେଣ୍ଟନର୍ ଠାରେ ମୁଁ ଯେଉଁ ପରିବାରରେ ଥିଲି, ସେ ଘରର ଝିଅ ମଧ୍ୟ ଶିଷ୍ଟାଚାର ରକ୍ଷାପାଇଁ ମୋ ଭଳି ଯାତ୍ରୀକୁ ବୁଲେଇ ନେଇଯାଏ । ଭଦ୍ରତା ଖାତିରିରେ ସେହି ଗୃହକର୍ତ୍ତ୍ରୀର ଝିଅ ମତେ ନିକଟସ୍ଥ ସୁନ୍ଦର ପାହାଡ଼ ଉପରକୁ ନେଇ ଯାଉଥିଲା । ମୁଁ କିଛି ଧୀରେ ଧୀରେ ଚାଲେ ନାହିଁ; କିନ୍ତୁ ତା’ ଚାଲି ମୋଠାରୁ ତେଜ; ଅତଏବ ମତେ ତା’ ପଛେ ପଛେ ଘୋଷାଡ଼ି ହୋଇ ଗୋଡ଼େଇବାକୁ ପଡ଼ୁଥିଲା । ବାଟଯାକ ତା’ ମୁହଁରୁ କଥାର ସୁଅ ଚାଲିଥାଏ । ସେଥିପାଇଁ ମୋ ମୁହଁରୁ ମଧ୍ୟେ ମଧ୍ୟେ କେତେବେଳେ ହଁ, ନାହିଁ ଦି’ପଦ ବାହାରୁଥାଏ । ବହୁତ ବେଶୀ କହି ପକାଏ ତ ‘କେଡ଼େ ସୁନ୍ଦର’ ଏତକ ବାହାରି ପଡ଼େ । ସେ ତ ପବନରେ ଉଡ଼ି ଉଡ଼ି ଚାଲିଥାଏ; କିନ୍ତୁ ମୁଁ କେମିତି ଘରକୁ ଫେରିବି ସେହିକଥା ବିଚାରୁଥାଏ । ତଥାପି ‘‘ଏବେ ଫେରିଯିବା’’ ଏତକ କହିବାକୁ ସାହସ ହୁଏ ନାହିଁ । ଏମିତି ଯାଉ ଯାଉ ହଠାତ୍ ଆମେ ଏକ ମୁଣ୍ଡିଆର ଉପର ଧାରରେ ଆସି ଠିଆ ହୋଇଗଲୁ । କିନ୍ତୁ ଓହ୍ଲାଇବା କେମିତି ? ଉଚ୍ଚ ଗୋଇଠିବାଲା ଯୋତା ପିନ୍ଧିଥିବା ସତ୍ତ୍ୱେ ଏ କୋଡ଼ିଏ ପଚିଶ ବର୍ଷର ସ୍ତ୍ରୀ ବିଜୁଳିପରି ଉପରୁ ତଳକୁ ଓହ୍ଲେଇ ପଡ଼ିଲା । ମୁଁ ତ ସେତେବେଳେ ଲାଜରେ ପଡ଼ି ଏ ଗଡ଼ାଣିଆ ଜାଗାରୁ କେମିତି ଓହ୍ଳେଇବି ସେହିକଥା ବିଚାର କରୁଛି । ସେ ତଳେ ଠିଆ ହୋଇ ହସୁଛି, ମତେ ସାହସ ଦେଉଛି, ଉପରକୁ ଆସି ହାତଧରି ଘୋଷାଡ଼ି ନେବାକୁ କହୁଛି । ମୁଁ ଏତେ ନିକର୍ମା କେମିତି ହେଲି ! ବହୁକଷ୍ଟରେ ଗୋଡ଼ ଘୋଷାଡ଼ି ଘୋଷାଡ଼ି ଥୋଡ଼ା ବସି ବସି ଓହ୍ଲେଇଥିଲି ଏବଂ ସେ ଝିଅ ଥଟ୍ଟାରେ ‘ସା—ବା—ସ୍’ କହି ମୋର ଲାଜକୁ ଦ୍ୱିଗୁଣ କରି ଦେଇଥିଲା । ଏଭଳି ଥଟ୍ଟା କରି ମତେ ଲଜ୍ଜା ଦେବାର ଅଧିକାର ତା’ର ଥିଲା ।

 

କିନ୍ତୁ ପ୍ରତ୍ୟେକ ଜାଗାରେ ମୁଁ ଏମିତି କୁଆଡ଼ୁ ବଞ୍ଚିଯିବି ? ସେ ଅସତ୍ୟରୂପୀ ଗରଳ ଭଗବାନଙ୍କର ମୋ ଭିତରୁ କାଢ଼ି ପକେଇବାର ଥିଲା । ଯେମିତି ଓ୍ୱେଣ୍ଟନର୍ ସେମିତି ବ୍ରାଇଟନ୍ ମଧ୍ୟ ସମୁଦ୍ରକୂଳରେ ଏକ ହାଉଆ ଖାଇବା ଜାଗା । ଥରେ ମୁଁ ସେଠାକୁ ଯାଇଥାଏ । ଯେଉଁ ହୋଟେଲରେ ରହିଲି ସେଠାରେ ଏକ ସାଧାରଣ ଅବସ୍ଥାପନ୍ନ ବିଧବା ବୁଢ଼ୀ ହାଓ୍ୱା ଖାଇବାକୁ ଯାଇ ରହିଥାନ୍ତି । ଏହା ବିଲାତରେ ମୋର ପ୍ରଥମ ବର୍ଷର କଥା—ଓ୍ୱେଣ୍ଟନର ଘଟଣାର ପୂର୍ବର କଥା । ଏଠି ଖାଦ୍ୟ ତାଲିକାରେ ଭିନ୍ନ ଭିନ୍ନ ପ୍ରକାରର ନାମ ସବୁ ଫରାସୀ ଭାଷାରେ ଲେଖା ହୋଇଥାଏ । ମୁଁ ତ ବୁଝି ପାରୁ ନ ଥାଏ, ସେ ବୁଢ଼ୀ ଯେଉଁ ଟେବୁଲ ପାଖରେ ବସିଥାନ୍ତି ମୁଁ ସେଇଠି ବସିଥାଏ । ବୁଢ଼ୀ ଦେଖିଲେ ମୁଁ ଜଣେ ନୂଆ ଲୋକ, ପୁଣି ଟିକିଏ ବଣା ହେଉଛି । ତଣୁ ସେ ଆଗପରି କଥା ଆରମ୍ଭ କଲେ ।

 

‘‘ତମେ ଏଠାରେ ନୂଆ ଜଣା ପଡ଼ୁଛ ।’’ ତମେ ବଡ଼ ଅସ୍ତବ୍ୟସ୍ତ ଅଛ ? ତମେ ଏପର୍ଯ୍ୟନ୍ତ କିଛି ଖାଦ୍ୟ ବରାଦ ଦେଇ ନାହଁ ।’’

 

ମୁଁ ଖାଦ୍ୟ ତାଲିକା ପଢ଼ୁଥିଲି ଏବଂ ପରଷିବା ଲୋକଙ୍କୁ ପଚାରିବାକୁ ପ୍ରସ୍ତୁତ ହେଉଥିଲି-। ଏଣୁ ମୁଁ ମହିଳାଙ୍କୁ ଧନ୍ୟବାଦ ଜଣାଇ କହିଲି, ‘‘ମୁଁ ଏ ତାଲିକା ବୁଝିପାରୁ ନାହିଁ । ମୁଁ ମଧ୍ୟ ଅନ୍ନାହାରୀ । କେଉଁ ଜିନିଷ ନିର୍ଦ୍ଦୋଷ ତାହା ଜାଣିବା ଆବଶ୍ୟକ ।’’

 

ସେ ବୁଢ଼ୀ କହିଲେ, ‘‘ତେବେ ଦିଅ ମୁଁ ତମକୁ ସାହାଯ୍ୟ କରେ, ଆଉ ତାଲିକା ବୁଝାଇ ଦିଏ । ତମେ ଯାହା ଖାଇ ପାରିବ ସେ ଭଳି ଜିନିଷ ବତେଇ ଦେବି ।’’

 

ମୁଁ ତାଙ୍କର ସାହାଯ୍ୟ ପାଇ କୃତଜ୍ଞ ହେଲି । ସେହିଦିନୁ ଆମର ଯେ ସମ୍ବନ୍ଧ ହୋଇଗଲା ତାହା ବିଲାତରେ ଥିବା ପର୍ଯ୍ୟନ୍ତ ଏବଂ ତା’ପରେ କେତେ କାଳ ତିଷ୍ଠି ରହିଥିଲା । ସେ ତାଙ୍କର ଲଣ୍ଡନ ଠିକଣା ଦେଇଥିଲେ ଏବଂ ପ୍ରତି ରବିବାର ତାଙ୍କ ସଙ୍ଗେ ଖାଇବାକୁ ନିମନ୍ତ୍ରଣ କରିଥିଲେ । ତାଙ୍କର ସେଠି ଅନ୍ୟ କୌଣସି ଅବସର ଆସିଲେ ମତେ ଡକେଇ ପଠାଉଥିଲେ । ମୋର ଲାଜ ଛଡ଼େଇବାକୁ ସେ ଇଚ୍ଛା କରୁଥିଲେ; ଯୁବତୀ ସ୍ତ୍ରୀଙ୍କର ପରିଚୟ କରି ଦେଉଥିଲେ ଏବଂ ତାଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ମତେ ପ୍ରଲୋଭନ ଦେଖାଉଥିଲେ । ଜଣେ ରମଣୀ ତାଙ୍କର ସେଠି ରହୁଥାନ୍ତି । ତାଙ୍କ ସଙ୍ଗେ ବହୁତ କଥାବାର୍ତ୍ତା କରେଇ ଦିଅନ୍ତି । ବେଳେ ବେଳେ ଆମକୁ ଏକୁଟିଆ ମଧ୍ୟ ଛାଡ଼ି ଦିଅନ୍ତି ।

 

ପ୍ରଥମେ ମୋତେ ଏସବୁ ଭାରି ଅଡ଼ୁଆ ଲାଗୁଥାଏ । କଥା କହିବାକୁ ପଇଟେ ନାହିଁ, ଥଟ୍ଟା ନକଲି ବା କ’ଣ କରିବି ? କିନ୍ତୁ ସେ ସ୍ତ୍ରୀ ଲୋକଟି ମତେ ହୁସିଆର ହେବାକୁ ଶିଖାଉଥାଏ । ମୁଁ ମଧ୍ୟ ତିଆରି ହୋଇଯାଉଥାଏ । ପ୍ରତି ରବିବାରକୁ ଅନେଇ ବସେ । ସେ ସ୍ତ୍ରୀ ଲୋକ ସଙ୍ଗେ କଥାବାର୍ତ୍ତା କରିବା ଆରେଇ ଯାଇଥିଲା ।

 

ବୁଢ଼ୀ ମଧ୍ୟ ମତେ ପ୍ରଲୋଭନ ଦେଉଥିଲେ । ଆମର ଏ ସାଙ୍ଗ ହେବାଟା ତାଙ୍କୁ ଭଲ ଲାଗୁଥିଲା—ସେ ଆମ ଦୁହିଁଙ୍କର ମଙ୍ଗଳ ଚାହୁଁଥିଲେ ।

 

ଏବେ ମୁଁ କ’ଣ କରିବି ? ମୁଁ ବିଚାରିଥିଲି, ‘‘ମୁଁ ଯଦି ଏ ନିରୀହ ବୁଢ଼ୀଟାକୁ ମୋର ବାହା ହୋଇଥିବା ସମ୍ବାଦ ଦେଇଥାନ୍ତି, ତେବେ କେଡ଼େ ଭଲ ହୋଇଥାନ୍ତା । ତେବେ ତ ସେ କାହାର ସଙ୍ଗେ ମୋର ବିବାହ ଇଚ୍ଛା କରି ନ ଥାନ୍ତେ ! ଏବେ ମଧ୍ୟ ବେଳ ଯାଇନାହିଁ । ମୁଁ ସତ୍ୟ କହିଦେଲେ ବହୁତ ବିପଦରୁ ରକ୍ଷା ପାଇଯିବି ।’’ ଏହିଭଳି ଚିନ୍ତା କରି ମୁଁ ତାଙ୍କୁ ଖଣ୍ଡେ ଚିଠି ଲେଖିଲି । ମୋର ଯେତିକି ମନେ ଅଛି; ସେ ଚିଠିର ସାରଧର୍ମ ଏୟା ।

 

‘‘ବ୍ରାଇଟନଠାରେ ଦେଖାସାକ୍ଷାତ ହେବା ପରଠାରୁ, ତମେ ମତେ ଭାରି ସ୍ନେହ କରୁଛ । ଯେମିତି ମା ଆପଣା ପୁଅର ଯତ୍ନ ନିଏ, ତୁମେ ମଧ୍ୟ ମୋର ଯତ୍ନ ନେଇଛ । ତୁମେ ଏହା ମଧ୍ୟ ବିଚାରିଛ ଯେ, ମୋର ବିବାହ କରିବା ଉଚିତ ଏବଂ ସେଥିପାଇଁ ତମେ ମୋର ପରିଚୟ ଯୁବତୀମାନଙ୍କ ସହିତ କରେଇ ଦେଉଛ । ଏ ସବୁ କଥା ଆଉ ଆଗେଇବା ପୂର୍ବରୁ ମୁଁ ତମକୁ ଜଣାଇ ଦେବାକୁ ଚାହେଁ ଯେ, ମୁଁ ତୁମର ଏ ସ୍ନେହର ଯୋଗ୍ୟ ନୁହେଁ । ତମ ଘରକୁ ଯା ଆସ କରିବା ପୂର୍ବରୁ ମୋର ତମକୁ ଜଣାଇ ଦେବା ଉଚିତ ଥିଲା ଯେ, ମୁଁ ବିବାହିତ ଥିଲି । ଭାରତବର୍ଷର ଯେତେ ଛାତ୍ର ବିବାହିତ ଥାନ୍ତି ସେମାନେ ଏ ଦେଶରେ ତାଙ୍କର ବିବାହ ଖବରକୁ ପ୍ରକାଶ କରନ୍ତି ନାହିଁ । ଏହା ମୁଁ ଜାଣି ସାରିଛି । ସେଥିଯୋଗୁଁ ମୁଁ ମଧ୍ୟ ଏ ପଥକୁ ଅନୁସରଣ କରି ଯାଇଛି । ଏବେ ମୁଁ ଦେଖି ପାରୁଛି ଯେ, ବିବାହ ଖବର ମୋର ଆଦୌ ଲୁଚାଇବା ଉଚିତ ନ ଥିଲା । ମୋର ତ ଆହୁରି ଜଣେଇ ଦେବା ଉଚିତ ଯେ, ମୁଁ ପିଲା ବୟସରେ ବାହା ହୋଇଥିଲି ଏବଂ ମୋର ଗୋଟିଏ ପୁଅ ମଧ୍ୟ ଅଛି । ଏ ବିଷୟ ତମ ପାଖରୁ ଲୁଚେଇ ରଖିଥିବାରୁ ଏବେ ମୋ ମନରେ ବିଶେଷ ଦୁଃଖ ହେଉଛି । ମାତ୍ର ଏବେ ସତ କହି ପକେଇବାକୁ ଭଗବାନ ମତେ ସାହସ ଦେଲେ, ସେଥିରୁ ମତେ ଆନନ୍ଦ ମିଳୁଛି । ମତେ ତୁମେ କ୍ଷମା କରିବ ତ ? ସେ ଭଉଣୀଟି ସଙ୍ଗେ ତୁମେ ମୋର ପରିଚୟ କରେଇ ଦେଇଥିଲ, ତାହା ସଙ୍ଗେ ମୁଁ କୌଣସି ଅନ୍ୟାୟ ବ୍ୟବହାର କରି ନାହିଁ, ଏହା ମୁଁ କହୁଛି ବିଶ୍ୱାସ କର । ମୋ ଦ୍ୱାରା ସୀମା ଲଙ୍ଘନ ହେବାର ନୁହେଁ । ଏ କଥାରେ ମୋର ପୂରାଜ୍ଞାନ ଅଛି । ମାତ୍ର ତମର ସ୍ୱାଭାବିକ ଏହି ଇଚ୍ଛା ଯେ ମୋର କାହାରି ସଙ୍ଗେ ଏକ ସମ୍ବନ୍ଧ ସ୍ଥାପିତ ହେଉ । ଏ ଚିନ୍ତା ତମ ମନରେ ଆଉ ଯେମିତି ସ୍ଥାନ ନ ପାଏ । ସେଥିପାଇଁ ତମ ଆଗରେ ମୋର ସତକଥା ପ୍ରକାଶ କରିଦେବା ଉଚିତ । ଯଦି ଏ ଚିଠି ପାଇବା ପରେ ତମର ସେଠାକୁ ଯା ଆସ କରିବାକୁ ମତେ ଅଯୋଗ୍ୟ ମଣ, ତେବେ ମତେ ତିଳେ ହେଲେ ଖରାପ ଲାଗିବ ନାହିଁ । ତମର ସ୍ନେହମମତା ଯୋଗୁ ମୁଁ ତମର ଚିରୠଣୀ । ତୁମେ ମତେ ଯଦି ପାଖରୁ ତଡ଼ି ନ ଦିଅ, ତେବେ ମୁଁ ନିଶ୍ଚୟ ସୁଖୀ ହେବି, ଏହା ମଧ୍ୟ ଜଣେଇ ଦେବା ଉଚିତ । ତମର ସେଠାକୁ ଯା ଆସ କରିବାକୁ ଏବେ ସୁଦ୍ଧା ମତେ ଯୋଗ୍ୟ ମଣିବ ତ, ମୁଁ ତାହାକୁ ତମ ସ୍ନେହର ଏକ ପ୍ରମାଣ ବୋଲି ବିଚାରିବି ଏବଂ ତମର ସ୍ନେହର ଉପଯୁକ୍ତ ହେବା ପାଇଁ ମୁଁ ଚେଷ୍ଟା କରୁଥିବି ।’’

 

ପାଠକେ ବୁଝି ରଖନ୍ତୁ ଯେ ମୁଁ ଏ ଚିଠିକୁ ଥରକରେ ଚିଠା କରି ନ ଥିଲି । କେଜାଣି କେତେଥରରେ ମୁଁ ଚିଠା କରିଥିଲି । କିନ୍ତୁ ଏ ଚିଠିଖଣ୍ଡି ପଠାଇବା ଫଳରେ ମୋ ମୁଣ୍ଡରୁ ଗୋଟାଏ ବୋଝ ଉତୁରିଗଲା ।

 

ପ୍ରାୟ ଫେରନ୍ତା ଡାକରେ ବିଧବା ବୁଢ଼ୀଙ୍କର ଉତ୍ତର ଆସିଲା । ସେ ୟେଥିରେ ଲେଖିଥିଲେ—

 

‘‘ତମର ମନଖୋଲା ଚିଠିଖଣ୍ଡି ମିଳିଲା । ଆମେ ଦୁହେଁ ଖୁସି ହେଲୁ ଏବଂ ପଟାଏ ପଟାଏ ଖୁବ୍‌ ହସିଲୁଁ । ତମର ଯେ ଅସତ୍ୟ ତାହା ତ କ୍ଷମଣୀୟ କିନ୍ତୁ ତୁମେ ଯେ ସତ୍ୟ ଘଟଣା ଜଣାଇ ଦେଲ ତାହା ଠିକ୍‌ ହୋଇଛି । ମୋର ନିମନ୍ତ୍ରଣ ପୂର୍ବବତ୍‌ କାୟମ ରହିଛି । ଆସନ୍ତା ରବିବାର ଦିନ ତମକୁ ଅପେକ୍ଷା କରିଥିବୁ । ତମର ବାଲ୍ୟ ବିବାହ କାହାଣୀ ଶୁଣିବୁ ଏବଂ ତମକୁ ଥଟ୍ଟା କରିବାର ସୁଖ ମଧ୍ୟ ପାଇବୁଁ । ଆମର ବନ୍ଧୁତା ଯେମିତି ଥିଲା, ସେମିତି ଅଛି, ଏତିକି ବିଶ୍ୱାସ ରଖ ।’’

 

ଏମିତି ମୋଠାରେ ଯେ ଅସତ୍ୟ ପୂରି ରହିଥିବ ତାହା ମୁଁ କାଢ଼ି ପକେଇଥିଲି ଏବଂ ପରେ କେବେ ମୋର ବାହାଘର କଥା କହିବାକୁ ମତେ ଅଡ଼ୁଆ ଲାଗି ନ ଥିଲା ।

 

Unknown

ଧାର୍ମିକ ପରିଚୟ

 

ବିଲାତରେ ରହିବାର ବର୍ଷେ ଖଣ୍ଡେ ହୋଇଥାଏ, ସେତିକିବେଳେ ଦୁଇଜଣ ‘‘ଥିଓଜଫିଷ୍ଟ’’ ବନ୍ଧୁଙ୍କ ସଙ୍ଗେ ପରିଚୟ ହେଲା । ଦୁହେଁ ରକ୍ତ ସମ୍ପର୍କ ଭାଇ ଥିଲେ ଏବଂ ଅବିବାହିତ ଥିଲେ । ସେମାନେ ମୋ ପାଖରେ ଗୀତାର କଥା ପକେଇଥିଲେ । ସେମାନେ ଏଡ଼ୱିନ୍ ଆରନୋଲଡଙ୍କର ଶ୍ରୀମଦ୍‌ଭଗବତଗୀତାର ଅନୁବାଦ ପଢ଼ୁଥାନ୍ତି । କିନ୍ତୁ ଗୀତାକୁ ସଂସ୍କୃତରେ ତାଙ୍କ ସଙ୍ଗେ ଏକାଠି ପଢ଼ିବା ପାଇଁ ମତେ ଅନୁରୋଧ କରିଥିଲେ । ମତେ ଲାଜ ମାଡ଼ିଲା, କାରଣ ମୁଁ ତ ନା ସଂସ୍କୃତରେ ନା ପ୍ରାକୃତରେ, ଆଦୌ ଗୀତା ପଢ଼ି ନ ଥିଲି । ମୁଁ ତାଙ୍କୁ କହିଲି ଯେ ମୁଁ ନିଜେ ଗୀତା ପଢ଼ି ନାହିଁ, ତେବେ ତାଙ୍କ ସଙ୍ଗେ ପଢ଼ିବାକୁ ରାଜି ଅଛି । ମୋର ସଂସ୍କୃତଜ୍ଞାନ ନ ଥିଲା ଭଳି ଥାଏ । ମୁଁ ଏତିକି ଦୂର ସଂସ୍କୃତ ବୁଝିଥାଏ ଯେ ଅନୁବାଦରେ କେଉଁଠି ଓଲଟା ମାନେ ହୋଇଥିଲେ ମୁଁ ତାହା ସଂଶୋଧନ କରିପାରେ । ଏମିତି ମୁଁ ଏ ଦୁଇଭାଇଙ୍କ ସଙ୍ଗେ ଗୀତାପାଠ ଆରମ୍ଭ କରିଥିଲି-

 

ଦ୍ୱିତୀୟ ଅଧ୍ୟାୟର ଶେଷ କେତୋଟି ଶ୍ଲୋକ ଭିତରୁ ତଳ କେତୋଟି ମୋ ମନ ଉପରେ ଗଭୀର ପ୍ରଭାବ ପକେଇଥିଲା ।

 

‘‘ଧ୍ୟାୟତେ ବିଷୟାନ୍‌ ପୁଂସଃ ସଂଗସ୍ତେଷୂ ପଜାୟତେ ।

 

ସଙ୍ଗାତ୍‌ ସଞ୍ଜାୟତେ କାମଃ କାମାତ୍‌ କ୍ରୋଧୋଽଭିଜାୟତେ ।।

 

କ୍ରୋଧାତ୍‌ ଭବତି ସଂମ୍ମୋହଃ ସମ୍ମୋହାତ୍‌ ସ୍ମୃତିବିଭ୍ରମଃ ।

 

ସ୍ମୃତିଭ୍ରଂଶାତ୍‌ ବୁଦ୍ଧିନାଶୋ ବୁଦ୍ଧି ନାଶାତ୍‌ ପ୍ରଣଶ୍ୟତି ।।

 

(ଯେ ‘ବିଷୟ’ର ଚିନ୍ତା କରେ ପ୍ରଥମେ ତା’ର ସେହି ସମ୍ବନ୍ଧରେ ‘ସଙ୍ଗ’ ଜନ୍ମିଥାଏ, ସଙ୍ଗରୁ କାମନା ଜନ୍ମେ, କାମନା ରୂପରେ କ୍ରୋଧ ଆସେ, କ୍ରୋଧରୁ ସମ୍ମୋହ, ସମ୍ମୋହରୁ ସ୍ମୃତିଭ୍ରମ ଏବଂ ସ୍ମୃତିଭ୍ରମରୁ ବୁଦ୍ଧିନାଶ ଘଟେ ଏବଂ ଶେଷରେ ମଣିଷର ନାଶ ହୋଇଥାଏ ।)

 

ସେ ଶ୍ଲୋକ-ଗୁଡ଼ିକର ଧ୍ୱନି ମୋ କାନରେ ବାଜି ଉଠୁଥାଏ ।

 

ଭଗବଦ୍‌ଗୀତା ଯେ ଏକ ଅମୂଲ୍ୟ ଗ୍ରନ୍ଥ ତାହା ମତେ ସେତେବେଳେ ଜଣା ଯାଇଥିଲା, ତା ପ୍ରତି ସେ ଧାରଣା କ୍ରମେ କ୍ରମେ ବଢ଼ିଥିଲା ଏବଂ ଆଜି ତତ୍ତ୍ୱଜ୍ଞାନ ପାଇଁ ତାହାକୁ ମୁଁ ସର୍ବୋତ୍ତମ ଗ୍ରନ୍ଥ ମଣୁଛି । ମୋର ନିରାଶା ସମୟରେ ସେ ଗ୍ରନ୍ଥ ମତେ ଅମୂଲ୍ୟ ସାହାଯ୍ୟ ଦେଉଛି । ତା’ର ଇଂରାଜୀ ଅନୁବାଦ ପ୍ରାୟ ସବୁ ପଢ଼ି ଯାଇଛି । କିନ୍ତୁ ଏଡ଼୍‌ଉଇନ୍‌ ଆରନୋଲଡଙ୍କର ଅନୁବାଦ ମତେ ସବୁଠୁ ଭଲ ଜଣା ପଡ଼େ । ମୂଳଗ୍ରନ୍ଥର ଭାବ ଅକ୍ଷୁର୍ଣ୍ଣ ରଖା ଯାଇଛି । ତଥାପି ସେ ବହିଟି ତର୍ଜମାଭଳି ଲାଗେ ନାହିଁ । ସେତେବେଳେ ମୁଁ ଭଗବଦ୍‌ଗୀତା ଅଧ୍ୟୟନ କରୁଥିଲି ବୋଲି କହି ହେବ ନାହିଁ । ମୁଁ ଯେ ତାକୁ ସବୁଦିନେ ପଢ଼ିବା ଗ୍ରନ୍ଥ କଲି ତାହା କେତେକ ବର୍ଷ ପରେ ଯାଇ ହୋଇଥିଲା-

 

ଏ ଭାଇ ଦୁହେଁ ମତେ ଆରନୋଲଡଙ୍କର ବୁଦ୍ଧଚରିତ ପଢ଼ିବାକୁ ପରାମର୍ଶ ଦେଇଥିଲେ-। ସାର ଏଡ଼ଉଇନ ଆରନୋଲଡଙ୍କର କେବଳ ଗୀତାର ଅନୁବାଦ ଥିଲା ବୋଲି ସେଯାଏ ମୁଁ ଜାଣିଥିଲି । ମୁଁ ବୁଦ୍ଧ ଚରିତକୁ ଗୀତାଠାରୁ ଅଧିକ ଆନନ୍ଦରେ ପଢ଼ିଥିଲି । ବହିଖଣ୍ଡି ହାତରେ ଧରିଥିଲି ତ ସବୁ ପଢ଼ିସାରି ଛାଡ଼ିଥିଲି ।

 

ଏହି ଭାଇମାନେ ମତେ ଥରେ ‘‘ବ୍ଲେୱେଟ୍‌ସ୍କୀ ଲଜ୍’’ କୁ ନେଇ ଯାଇଥିଲେ । ସେଠାରେ ମେଡ଼େମ୍‌ ବ୍ଲେୱେଟସ୍କୀଙ୍କ ସଙ୍ଗେ ସାକ୍ଷାତ ହୋଇଥିଲା । ମିସେସ୍‌ ବେସାନ୍ତଙ୍କର ଦେଖା ମଧ୍ୟ ହୋଇଥିଲା । ସେହି ସମୟରେ ମି. ବେସାନ୍ତ ‘‘ଥିଓଜଫିକଲ ସୋସାଇଟି’’ରେ ନଗଦ ଯୋଗ ଦେଇଥାନ୍ତି ଏବଂ ସେ ବିଷୟରେ ସମ୍ବାଦ ପତ୍ରରେ ଆଲୋଚନା ଚାଲିଥାଏ । ମୁଁ ସେ ସବୁ ଖବର ଆନନ୍ଦର ସହିତ ପଢ଼ୁଥାଏ । ଏ ବନ୍ଧୁମାନେ ସୋସାଇଟିରେ ଯୋଗ ଦେବା ପାଇଁ ମତେ ପ୍ରବର୍ତ୍ତାଇ ଥିଲେ । ମୁଁ ବିନୟପୂର୍ବକ ମନା କରିଥିଲି ଏବଂ କହିଥିଲି, ‘‘ମୋର ଧର୍ମଜ୍ଞାନ ତ କିଛି ନାହିଁ । ସେଥିପାଇଁ ମୁଁ କୌଣସି ସଂପ୍ରଦାୟରେ ଯୋଗଦେବାକୁ ଚାହେଁ ନାହିଁ । ମୋର ମନେଅଛି ଯେ, ସେ ବନ୍ଧୁମାନଙ୍କ ପରାମର୍ଶ ଅନୁସାରେ ମେଡ଼େମ୍‌ ବ୍ଲୋୱେଟସ୍କୀଙ୍କର ‘କୀ ଟୁ ଥିଓସଫି’ ବହିଖଣ୍ଡି ପଢ଼ିଥିଲି । ତାହା ଫଳରେ ହିନ୍ଦୁଧର୍ମ ଶାସ୍ତ୍ରମାନ ପଢ଼ିବାକୁ ଇଚ୍ଛା ହୋଇ ଥିଲା ଏବଂ ହିନ୍ଦୁଧର୍ମ ଯେ ନାନା କୁସଂସ୍କାରରେ ପୂର୍ଣ୍ଣ ବୋଲି ପାଦ୍ରୀଙ୍କ ମୁହଁରୁ ଶୁଣିଥିଲି, ତାହା ମୋ ମନରୁ ଦୂର ହୋଇଥିଲା ।

 

ଏହି ସମୟରେ ଗୋଟିଏ ଅନ୍ନାହାରୀ ବସାଘରେ ମାଞ୍ଚେଷ୍ଟରର ଜଣେ ଭଲ ଖ୍ରୀଷ୍ଟାନ୍ ସଙ୍ଗେ ପରିଚୟ ହୋଇଥିଲା । ମୁଁ ମୋର ରାଜକୋଟର ଅଭିଜ୍ଞତା ତାଙ୍କୁ ଶୁଣାଇଥିଲି । ତାହା ଶୁଣି ତାଙ୍କର ଦୁଃଖ ହେଲା । ସେ କହିଲେ, ‘‘ମୁ ନିଜେ ନିରାମିଷାଶୀ । ମଦ ପିଏ ନାହିଁ । ବହୁତ ଖ୍ରୀଷ୍ଟାନ୍ ମାଂସ ଖାନ୍ତି, ମଦ ପିଅନ୍ତି, ଏହା ସତ୍ୟ, ମାତ୍ର ଏ ଦୁଇଟିରୁ ଗୋଟିକକୁ ମଧ୍ୟ ଖାଇବା ପାଇଁ ଧର୍ମ ବାଧ୍ୟ କରେ ନାହିଁ । ମୋର ପରାମର୍ଶ, ତମେ ବାଇବଲ୍ ପଢ଼ ।’’

 

ମୁଁ ତାଙ୍କର ଏ ଉପଦେଶ ଶୁଣିଲି । ବାଇବଲ୍ ଖଣ୍ଡେ ସେ କିଣିକରି ଦେଇଥିଲେ । ମୋର ଟିକିଏ ମନେ ପଡ଼ୁଛି ଯେ, ସେ ଭାଇ ନିଜେ ବାଇବଲ୍ ବିକୁଥିଲେ । ସେ ମତେ ଖଣ୍ଡେ ସଚିତ୍ର ଓ ଭୂମିକାସହ ବାଇବଲ୍ ବିକିଥିଲେ । ମୁଁ ତାକୁ ଆରମ୍ଭ କରିଥିଲି । କିନ୍ତୁ ମୁଁ ‘ପୁରୁଣା ବିଧାନ’ (ଓଲ୍‌ଡ଼ ଟେଷ୍ଟାମେଣ୍ଟ) ପଢ଼ି ପାରି ନ ଥିଲି । ‘‘ସୃଷ୍ଟି ଆରମ୍ଭ’’ (ଜେନେସସ୍‌) ଅଧ୍ୟାୟ ପଢ଼ିଲାକ୍ଷଣି ମତେ ନିଦ ମାଡ଼େ । ‘ପଢ଼ିଥିଲି’ ବୋଲି କେବଳ ତାହାରି ଖାତିରିରେ କୁହାଯାଇ ପାରେ । ନଚେତ୍‌ ସେଥିରୁ ରସ ପାଇ ନ ଥିଲି ବା ବୁଝିପାରି ନ ଥିଲି । ମୁଁ ଅନ୍ୟ ଅଧ୍ୟାୟଗୁଡ଼ିକ ବହୁ କଷ୍ଟରେ ପଢ଼ିଥିଲି ବୋଲି ମନେ ପଡ଼େ । ‘ନମ୍ୱରସ୍‌’ ନାମକ ଅଧ୍ୟାୟଟି ପଢ଼ି କରି ମୋର ଅଶ୍ରଦ୍ଧା ହୋଇ ଯାଇଥିଲା ।

 

କିନ୍ତୁ ମୁଁ ଯେମିତି ‘ନବ ବିଧାନ’ (ନିଉ ଟେଷ୍ଟାମେଣ୍ଟା) ପଢ଼ିଲି ସେତେବେଳେ ଭିନ୍ନ ପ୍ରଭାବ ପଡ଼ିଥିଲା । ଯୀଶୁଙ୍କର ସେହି ପାହାଡ଼ ଉପରୁ ଉପଦେଶର ବିଶେଷ ଭଲ ପ୍ରଭାବ ପଡ଼ିଥିଲା-। ତାହା ମୋର ଅନ୍ତରରେ ପ୍ରବେଶ କରିଥିଲା, ମୋର ବୁଦ୍ଧି ଗୀତା ସଙ୍ଗେ ତାକୁ ତୁଳନା କରିଥିଲା । ‘ତମର ଲୁଗା କେହି ମାଗିବ ତ ତାକୁ କୁରୁତା ମଧ୍ୟ ଦେଇ ଦିଅ’ ‘ତମର ଡାହାଣ ଗାଲରେ ଚାପୁଡ଼ାଏ ପକେଇଲେ ତୁମେ ବାଁ ଗାଲ ଦେଖାଇ ଦିଅ ।’ ଏ ସବୁ ପଢ଼ି ମୋର ଅପାର ଆନନ୍ଦ ହୋଇଥିଲା । ଶାମଳୀ ଭଟ୍ଟଙ୍କର ସେହି ନୀତି ଷଟ୍‌ପଦୀ ମନେ ପଡ଼ିଥିଲା । ମୋର ପିଲାମନ ଗୀତା, ଆରନୋଲ୍‌ଡଙ୍କର ବୁଦ୍ଧ ଚରିତ ଓ ଯୀଶୁଙ୍କ ଉପଦେଶ ସମସ୍ତଙ୍କର ଏକୀକରଣ କରିଥିଲା । ତ୍ୟାଗରେ ଧର୍ମ ଅଛି ଏ କଥା ମୋ ମନକୁ ପାଇଥିଲା ।

 

ଏହି ପଢ଼ାପଢ଼ି ମୂଳରେ ଅନ୍ୟ ଧର୍ମାଚାର୍ଯ୍ୟମାନଙ୍କ ଜୀବନୀ, ପଢ଼ିବାକୁ ମନ ହୋଇଥିଲା-। କେହି ବନ୍ଧୁ ମତେ କାର୍ଲାଇଲଙ୍କର ବିଭୂତି ଓ ବିଭୂତି ପୂଜା ବହି ଖଣ୍ଡି ପଢ଼ିବାକୁ ପରାମର୍ଶ ଦେଇଥିଲେ । ସେଥିରୁ ପୈଗମ୍ବର (ମହମ୍ମଦ ରସୁଲ) ଙ୍କର ବିଷୟ ପଢ଼ିଲି ଏବଂ ତାଙ୍କର ମାହାତ୍ମ୍ୟ ବୀରତ୍ୱ ଓ ତପସ୍ୟାରେ ଧାରଣା ହେଲା ।

 

ଏତକ ପରିଚୟରୁ ଆଉ ଆଗକୁ ବଢ଼ି ପାରିଲି ନାହିଁ । ମୋର ପରୀକ୍ଷା ପାଠ ଛଡ଼ା ଅନ୍ୟ ପଢ଼ା ପାଇଁ ମତେ ଅବସର ନ ଥାଏ । କିନ୍ତୁ ମୋର ଧର୍ମପୁସ୍ତକମାନ ପଢ଼ିବା ଉଚିତ ଏବଂ ସବୁ ମୁଖ୍ୟ ଧର୍ମମାନଙ୍କର ଯଥାର୍ଥ ପରିଚୟ କରି ନେବା ଉଚିତ ବୋଲି ମୋର ମନେ ଧାରଣା ଜନ୍ମି ଯାଇଥିଲା ।

 

ନାସ୍ତିକତା ବିଷୟରେ କିଛି ନ ଜାଣିଲେ ଚଳିବ କିପରି ? ‘‘ବ୍ରେଡ଼ ଲୋ’’ଙ୍କର ନାମ ସବୁ ଭାରତବାସୀ ଜାଣନ୍ତି । ‘‘ବ୍ରେଡ଼ ଲୋ’’ ନାସ୍ତିକ ବୋଲି ପରିଚିତ । ସେଥିପାଇଁ ତାଙ୍କ ସମ୍ବନ୍ଧରେ କିଛି ବହି ପଢ଼ିଲି । ନାମ ମୋର ମନେ ନାହିଁ । ମୋ ଉପରେ ତା’ର କୌଣସି ପ୍ରଭାବ ପଡ଼ି ନଥିଲା । ନାସ୍ତିକତା ରୂପୀ ସାହାରା ମରୁଭୂମି ମୁଁ ପାର ହୋଇ ଯାଇଥିଲି । ସେତେବେଳେ ‘‘ମି. ବେସାନ୍ତ’’ ଙ୍କ ନାଁ ଖୁବ୍‌ ଶୁଣାଯାଉଥାଏ । ସେ ନାସ୍ତିକତା ଛାଡ଼ି ଆସ୍ତିକତା ଧରିଛନ୍ତି, ଏହି ଖବର ନାସ୍ତିକତା ପ୍ରତି ମୋର ଅନାସ୍ଥା ଆଣି ଦେଇଥିଲା । ‘‘ମୁଁ ଥିଓସେଫିଷ୍ଟ କେମିତି ହେଲି ?’’ ମି. ବେସାନ୍ତଙ୍କର ଏହି ନାଁରେ ଚଟି ବହି ଖଣ୍ଡି ମୁଁ ପଢ଼ି ପକେଇଥିଲି । ‘‘ବ୍ରେଡ଼ ଲୋ’’ଙ୍କର ମୁତ୍ୟୁ ଏହି ସମୟରେ ଘଟିଥିଲା-। ୱେଙ୍କିଠାରେ ତାଙ୍କର ଅନ୍ତେଷ୍ଟିକ୍ରିୟା କରା ହୋଇଥିଲା । ମୁଁ ସେଠି ଉପସ୍ଥିତ ଥିଲି । ମୋର ମନେ ହେଉଛି କେହି ଜଣେ ହେଲେ ଭାରତୀୟ ଅନୁପସ୍ଥିତ ନ ଥିଲେ । ତାଙ୍କୁ ସମ୍ମାନ ଦେଖାଇବାକୁ କେତେକ ପାଦ୍ରୀ ମଧ୍ୟ ସେଠାକୁ ଆସିଥିଲେ । ଫେରିଲା ବେଳକୁ ଆମେ ସମସ୍ତେ ଗୋଟିଏ ଜାଗାରେ ରେଳକୁ ଅପେକ୍ଷା କରୁଥାଉ । ସେହିଠାରେ ଏହି ଦଳଙ୍କ ଭିତରେ ଜଣେ କେହି ଲଢ଼ୁଆ ନାସ୍ତିକ ବାଦୀ ଆଉ ଜଣେ ପାଦ୍ରୀଙ୍କୁ ଜେରା କରିବାକୁ ଆରମ୍ଭ କଲେ ।

 

‘‘କଣ, ମହାଶୟ ? ଈଶ୍ୱର ଅଛନ୍ତି ବୋଲି ଆପଣ କହୁଛନ୍ତି ତ ?’’ ସେ ନିରୀହ ଲୋକଟି ଧୀର ସ୍ଥିର ହୋଇ ଉତ୍ତର ଦେଇଥିଲେ ‘‘ହଁ, ମୁଁ ତାହା ଠିକ୍‌ କହୁଛି ।’’

 

ପ୍ରଥମୋକ୍ତ ଲୋକଟି ହସିଲା ଏବଂ କେମିତି ପାଦ୍ରୀଙ୍କୁ ମାତ୍‌ କରିଦେବାକୁ ହୁଏ ତାହା ଜାଣିଲା ପରି କହିଥିଲା—‘‘ହଉ, ପୃଥିବୀର ପରିଧି ୨୮,୦୦୦ ମାଇଲ ବୋଲି ମାନୁଛନ୍ତି ତ ?’’

 

‘ନିଶ୍ଚୟ ।’’

 

‘‘ତେବେ କହନ୍ତୁ ଭଲା ଈଶ୍ୱରଙ୍କ ଆକାର କେଡ଼େ ବଡ଼ ଓ ସେ କେଉଁଠି ଥା’ନ୍ତି ?’’

 

‘‘ଆମେ ବୁଝି ପାରିବା ତ ଆମ ଦୁହିଁଙ୍କର ହୃଦୟରେ ସେ ବାସ କରନ୍ତି ।’’

 

‘‘ପିଲାଙ୍କୁ ଫୁସଲେଇବେ—ପିଲାଙ୍କୁ’’ ୟା କହି ସେ ଲଢ଼ୁଆ ବୀର ଆମ ଆଡ଼କୁ ଗୋଟାଏ ଗଡ଼ ଜିତିଲା ଭଳି ଅନେଇ ଦେଲେ ।

 

ପାଦ୍ରୀ ବିଚରା ବିନୀତ ଭାବରେ ମୌନ ରହିଗଲେ ।

 

ଏହି କଥାବାର୍ତ୍ତା ଶୁଣି ନାସ୍ତିକତା ପ୍ରତି ମୋର ଅଶ୍ରଦ୍ଧା ବଢ଼ିଲା ।

 

ଦୁର୍ବଳର ବଳ ରାମ

 

ଧର୍ମ ଶାସ୍ତ୍ରର ଓ ଦୁନିଆର ବିଭିନ୍ନ ଧର୍ମର କେତେକ ଧାରଣା ମୋ ମନରେ ହୋଇଥିଲା ସତ, ମାତ୍ର ସେତିକି ଜ୍ଞାନ ମଣିଷକୁ ବଞ୍ଚାଇବା ପାଇଁ ଯଥେଷ୍ଟ ଜଣା ପଡ଼େ ନାହିଁ । ବିପଦରେ ଯେ ଜିନିଷ ମଣିଷକୁ ବଞ୍ଚାଏ, ତା’ର ଧାରଣା ନ ଥାଏ, ତା’ର ଜ୍ଞାନ ନଥାଏ । ନାସ୍ତିକ ଯେତେବେଳେ ବଞ୍ଚିଯାଏ, ସେ କହେ ମୁଁ ଅକସ୍ମାତ୍ ବଞ୍ଚିଗଲି । ଆସ୍ତିକ ଏଭଳି ଅବସ୍ଥାରେ କହେ ମତେ ଭଗବାନ ବଞ୍ଚେଇଲେ । ସେ ବଞ୍ଚିଯିବା ପରେ ଅନୁମାନ କରିଥାଏ ଯେ ଧର୍ମଶାସ୍ତ୍ର ଅଧ୍ୟୟନ, ଧର୍ମ ପାଳନ ଓ ସଂଯମ ଫଳରେ ଈଶ୍ୱର ତାହାର ହୃଦୟରେ ବିକାଶ ପାଇଥାନ୍ତି ।

 

ଏଭଳି ଅନୁମାନ କରିବାରେ ତା’ର ଅଧିକାର ମଧ୍ୟ ଅଛି । କିନ୍ତୁ ବଞ୍ଚଗଲା ବେଳେ ସେ ଜାଣିପାରେ ନାହିଁ ଯେ, ତାକୁ ଆପଣର ସଂଯମ ବଞ୍ଚେଇଲା, ନା, ଆଉ କିଏ ବଞ୍ଚେଇଲା । ଯେ ନିଜର ସଂଯମ ପାଳିବାରେ ଅହଂକାର କରିଥାଏ, ତାର ସଂଯମ ଯେ କେତେଥର ଚୂନା ହୋଇଯାଏ ତାହା କିଏ ଅନୁଭବ କରି ନ ଥିବେ ? ଶାସ୍ତ୍ରଜ୍ଞାନ ତ ସେତେବେଳେ ନିକମା ହୋଇଥାଏ ।

 

ଏହିଭଳି ବୌଦ୍ଧିକ ଧର୍ମଜ୍ଞାନର ବ୍ୟର୍ଥତାର ଅନୁଭବ ମତେ ଇଂଲଣ୍ଡରେ ମିଳିଥିଲା । ପୂର୍ବେ ଏହିପରି ଭୟରୁ ମୁଁ ରକ୍ଷା ପାଇଥିଲି । ତାର ବିଶ୍ଲେଷଣ ମୁଁ ସେତେବେଳେ କରି ପାରି ନ ଥିଲି—ମୋର ସେତେବେଳେ ବହୁତ କମ୍‌ ବୟସ ଥିଲା ।

 

କିନ୍ତୁ ଏବେ ମୋର ବୟସ କୋଡ଼ିଏ ବର୍ଷ ଗୃହସ୍ଥାଶ୍ରମର ପୂରା ଅଭିଜ୍ଞତା ମତେ ମିଳି ସାରିଥାଏ ।

 

ଖୁବ୍‌ ସମ୍ଭବତଃ ମୋର ବିଲାତ ରହଣିର ଶେଷ ବର୍ଷରେ, ଅର୍ଥାତ୍‌ ୧୮୯୦ ସାଲରେ ପୋର୍ଟସ୍ମିଥ୍‌ଠାରେ ଅନ୍ନାହାରୀମାନଙ୍କର ଏକ ସମ୍ମିଳନୀ ହୋଇଥାଏ । ସେଠାକୁ ମତେ ଓ ମୋର ଜଣେ ଭାରତୀୟ ବନ୍ଧୁଙ୍କୁ ନିମନ୍ତ୍ରଣ ମିଳିଥାଏ । ଆମେ ଦୁହେଁ ସେଠାକୁ ଗଲୁ । ସେଠାରେ ଜଣେ ସ୍ତ୍ରୀ ଲୋକଙ୍କ ଘରେ ଅତିଥି ହୋଇ ଆମ ଦୁହିଁଙ୍କର ରହିବାର ବ୍ୟବସ୍ଥା ହୋଇଥାଏ ।

 

ପୋର୍ଟସ୍ମିଥ୍‌ ଜାହାଜ ଖଲାସୀମାନଙ୍କ ବନ୍ଦର ବୋଲି ପରିଚିତ । ସେଠି ବହୁତ ଖରାପ ଚରିତ୍ର ସ୍ତ୍ରୀ ଲୋକଙ୍କର ଘର ଅଛି । ସେମାନେ ବେଶ୍ୟା ନୁହନ୍ତି କି ସେଭଳି ନିର୍ଦ୍ଧୋଷ ମଧ୍ୟ ନୁହନ୍ତି । ଏମିତି ଗୋଟିଏ ଘରେ ଆମର ରହିବା ପାଇଁ ସ୍ଥିର ହୋଇଥିଲା । ଅଭ୍ୟର୍ଥନା ସମିତି ଯେ ଜାଣି ଶୁଣି ଏମିତି ଘରଟିଏ ବାଛି ଥିଲେ, ତାହା କହିବା ମୋର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ପୋର୍ଟସ୍ମିଥ୍‌ ଭଳି ବନ୍ଦରରେ ଯେ ଅତିଥି ରହିବା ପାଇଁ ଘର ଖୋଜି ଆସିବେ, ସେ କୁଆଡ଼ୁ ଜାଣିବେ କେଉଁ ଘର ଭଲ, କେଉଁଘର ମନ୍ଦ, ତା ଜାଣିବା ମୁସ୍କିଲ ହୋଇ ପଡ଼େ ।

 

ରାତି ହେଲା । ସଭାରୁ ଆମେ ଘରକୁ ଆସିଲୁ । ଖାଇ ସାରି ତାସ ଖେଳି ବସିଲୁ । ବିଲାତରେ ପ୍ରାୟ ସବୁ ଘରେ ସାଧାରଣ ଅତିଥିମାନଙ୍କ ସଙ୍ଗେ ଗୃହିଣୀ ମଧ୍ୟ ତାସ ଖେଳି ବସନ୍ତି । ତାସ ଖେଳୁ ଖେଳୁ ନିର୍ଦ୍ଦୋଷ ଥଟ୍ଟା ନକଲ କରିଥାନ୍ତି । ଏଠାରେ ବୀଭତ୍ସ କଦର୍ଯ୍ୟ ଥଟ୍ଟା ନକଲ ଆରମ୍ଭ ହେଲା । ମୋର ସଙ୍ଗୀ ଯେ ସେଥିରେ ଧୁରନ୍ଦର ଥିଲେ; ତାହା ମତେ ଜଣା ନ ଥିଲା । ମୁଁ ମଧ୍ୟ ଲାଜ ସରମ ଛାଡ଼ି ଏ ଥଟ୍ଟା ନକଲରେ ମଜିଗଲି । କଥାରୁ କାର୍ଯ୍ୟରେ ଡେଇଁ ପଡ଼ିବାକୁ ପ୍ରସ୍ତୁତ ହେଲି । ତାସ୍‌କୁ ଗୋଟିଏ ପାଖକୁ ଆଡ଼େଇ ଦେବାକୁ ବସିଥିଲି; କିନ୍ତୁ ମୋର ଭଲ ସଙ୍ଗୀଙ୍କ ମନରେ ଭଗବାନ ବିଜେ କଲେ ସେ ପାଟି କରି ଉଠିଲେ, ‘‘ହଇରେ ହେ ! ତୋ ମୁଣ୍ଡରେ ସଇତାନ କାହିଁକି ଚଢ଼ିଲା ? ତୋର ତ ଏ କାମ ନୁହେଁ, ତୁ ଏଠୁ ପଳା ।’’

 

ମୁଁ ଲାଜରେ ସଢ଼ିଗଲି । ଚେତନା ପଶିଲା । ମନେ ମନେ ମିତ୍ରଙ୍କ ପାଖରେ କୃତଜ୍ଞ ହେଲି । ମା’ ପାଖରେ ନେଇଥିବା ଶପଥ କଥା ମନେ ପଡ଼ିଲା । ମୁଁ ପଳେଇ ଗଲି । ଥରି ଥରି ମୋ କୋଠରୀରେ ପହଞ୍ଚିଲି । ଛାତି ଧଡ଼ ଧଡ଼ ହେଉଥାଏ । ଶିକାରୀ ହାତରୁ କୌଣସି ପ୍ରକାରେ ବଞ୍ଚି ଶିକାର ପଳେଇ ଗଲେ, ତା’ର ଅବସ୍ଥା ଯେମିତି ହୁଏ ମୋର ସେମିତି ହେଉଥାଏ ।

 

ପର ସ୍ତ୍ରୀ ଦେଖି କାମ ବଶ ହେବା ଏବଂ ତାହା ସଙ୍ଗେ ଉପଭୋଗ କରିବାକୁ ଉଚ୍ଛା ହେବା ଏହା ମୋର ପ୍ରଥମ ଘଟଣା ବୋଲି ଧାରଣା । ରାତିଟି ଅନିଦ୍ରାରେ କଟିଲା । ନାନା ରକମ ଚିନ୍ତା ଆସି ମନରୁ ମାଡ଼ି ବସିଲେ । ଏ ଘର ଛାଡ଼ିବି ? ପଳେଇବି ? ମୁଁ କେଉଁଠି ଅଛି ? ମୁଁ ସାବଧାନ ନ ହେଲେ ମୋ ଅବସ୍ଥା କ’ଣ ହେବ ? ମୁଁ ଖୁବ୍‌ ସାବଧାନ ରହିବାକୁ ସ୍ଥିର କଲି । ସେ ଘର ଛାଡ଼ିଲି ନାହିଁ । କିନ୍ତୁ ଯେ କୌଣସି ମତେ ପୋର୍ଟସ୍ମିଥ୍‌ରୁ ଝଟ୍‌ ଚାଲିଯିବା ସ୍ଥିର କଲି । ସମ୍ମିଳନୀ ଦୁଇଦିନରୁ ବେଶି ଲାଗନ୍ତା ନାହିଁ । ଅତଏବ ମୋର ମନେ ପଡ଼ୁଛି, ମୁଁ ଦ୍ୱିତୀୟ ଦିନ ପୋର୍ଟସ୍ମିଥ୍‌ରୁ ଚାଲିଗଲି । ମୋର ସଙ୍ଗୀ ପୋର୍ଟସ୍ମିଥରେ ଆଉ ଦିନାକେତେ ରହିଥିଲେ ।

 

ଧର୍ମ କ’ଣ ? ଈଶ୍ୱର କ’ଣ ? ସେ ଆମ ଭିତରେ କିପରି କାମ କରୁଛନ୍ତି, ଏ ସବୁ କିଛି ମୁଁ ସେତେବେଳେ ଜାଣି ନ ଥିଲି । ଭଗବାନ ମତେ ବଞ୍ଚେଇଲେ, ଏତିକି ମୁଁ କେବଳ ସାଧାରଣ ଲୌକିକ ଢଙ୍ଗରେ ବୁଝିଥିଲି । କିନ୍ତୁ ଭିନ୍ନ ଭିନ୍ନ କ୍ଷେତ୍ରରେ ମୋର ଏହି ଅନୁଭବ ହୋଇଛି । ‘ଈଶ୍ୱର ରକ୍ଷା କଲେ’ ଏହି ବାକ୍ୟର ଅର୍ଥ ମୁଁ ଆଜି ବେଶୀ ବୁଝି ପାରୁଛି । ଏହା ମୁଁ ଜାଣି ପାରୁଛି । କିନ୍ତୁ ସଙ୍ଗେ ସଙ୍ଗେ ଏହା ମଧ୍ୟ ବୁଝୁଛି ଯେ, ଏ ବାକ୍ୟର ମୂଲ୍ୟ ଆଜି ମୁଁ ନିର୍ଣ୍ଣୟ କରି ପାରିନାହିଁ । କିନ୍ତୁ ଅନେକ ଆଧ୍ୟାତ୍ମିକ ଘଟଣାରେ, ଓକିଲାତି ପ୍ରସଙ୍ଗରେ, ଅନୁଷ୍ଠାନ ଚଳେଇବାରେ, ରାଜନୀତିରେ ମୁଁ କହି ପାରିଛି, ‘‘ଭଗବାନ ମତେ ବଞ୍ଚେଇଛନ୍ତି,’’ ଯେତେବେଳେ ସବୁ ଆଶା ଛାଡ଼ି ବସିବାକୁ ପଡ଼େ ମଣିଷ ଏକଦମ ଅସହାୟ ହୋଇପଡ଼େ ସେତେବେଳେ କୁଆଡ଼ୁ ନା କୁଆଡ଼ୁ ସାହାଯ୍ୟ ଆସି ପହଞ୍ଚିଯାଏ । ସ୍ତୁତି, ଉପାସନା, ପ୍ରାର୍ଥନା ଏ ସବୁ କୁସଂସ୍କାର ନୁହନ୍ତି । ବରଂ ଆମେ ଖାଉଛୁ, ପିଉଛୁ, ଚାଲୁଛୁ, ବସୁଛୁ ଏସବୁ ଯେମିତି ସତ୍ୟ, ତାଠୁଁ ବଳି ସେ ସବୁ ଅଧିକ ସତ୍ୟ । ଏହାହିଁ ସତ୍ୟ ଆଉ ସବୁ ମିଥ୍ୟା, ଏହା କହିବା ବାହୁଲ୍ୟ ହେବ ନାହିଁ ।

 

ଏଭଳି ଉପାସନା, ଏଭଳି ପ୍ରାର୍ଥନା କେବଳ ଶବ୍ଦର ବିଭବ ନୁହେଁ । ସେ ସବୁର ମୂଳ କଣ୍ଠରେ ନୁହେଁ, ସେ ସବୁର ମୂଳ ହୃଦୟରେ । ଅତଏବ ଆମର ହୃଦୟ ଯଦି ସେମିତି ନିର୍ମଳ ହୁଏ, ସେଠାରେ ଥିବା ସବୁ ତାର ସୁବ୍ୟବସ୍ଥିତ ଥାଏ, ସେଥିରୁ ଯେ ସ୍ୱର ବାହାରେ ତାହା ଆକାଶ ଉପରକୁ ଉଠିଥାଏ । ସେଥିପାଇଁ ଜିଭର ଲୋଡ଼ା ନାହିଁ । ଏହି ସ୍ୱାଭାବିକ ଏକ ଅଦ୍ଭୁତ ବସ୍ତୁ । କାମ ବାସନା ଭଳି ମଇଳାକୁ ଶୁଦ୍ଧ କରିବା ପାଇଁ ହୃଦୟର ପ୍ରାର୍ଥନା ଜଡ଼ିବୁଟି ଭଳି କାମ କରିଥାଏ, ଏଥିରେ ମୋର ସନ୍ଦେହ ନାହିଁ । କିନ୍ତୁ ସେ ଆଶୀର୍ବାଦ ପାଇବାପାଇଁ ଆମର ପୂରାପୂରି ନମ୍ରତା ଲୋଡ଼ା ।

 

ନାରାୟଣ ହେମଚନ୍ଦ୍ର

 

ଏହି ସମୟରେ ସ୍ୱର୍ଗୀୟ ନାରାୟଣ ହେମଚନ୍ଦ୍ର ବିଲାତ ଆସିଥିଲେ । ଲେଖକ ବୋଲି ତାଙ୍କ ନାଁ ମୁଁ ଶୁଣିଥିଲି । ‘‘ନେସନେଲ୍‌ ଇଣ୍ଡିଆନ୍‌ ଆସୋସିଏସନ୍‌’’ର ମିସ୍‌ ମାନିଂଗଙ୍କ ଘରେ ମୋର ତାଙ୍କର ଦେଖା ସାକ୍ଷାତ୍‌ ହୋଇଥିଲା । ମିସ୍‌ ମାନିଂଗ୍‌ ଜାଣିଥିଲେ ଯେ ସମସ୍ତଙ୍କ ସଙ୍ଗେ ମତେ ମିଶି ଆସୁ ନ ଥିଲା । ତାଙ୍କର ସେଠାକୁ ଯାଇ ମୁଁ ମୂକ ହୋଇ ବସି ରହୁଥିଲି । କେହି ଡାକିଲେ କଥା କହୁଥିଲି ।

 

ସେହି ମିସ୍‌ ମାନିଂଗ୍‌ ନାରାୟଣ ହେମଚନ୍ଦ୍ରଙ୍କ ସଙ୍ଗେ ମୋର ପରିଚୟ କରେଇ ଦେଇଥିଲେ । ନାରାୟଣ ହେମଚନ୍ଦ୍ରଙ୍କୁ ଇଂରାଜୀ ଆସୁ ନ ଥିଲା । ତାଙ୍କର ପୋଷାକ ବିଚିତ୍ର ଥିଲା । ବେଢଙ୍ଗର ଏକ ପାଇଜାମା ପିନ୍ଧିଥିଲେ । ଉପରେ ନୋଚା କୋଚା ହୋଇ ବେକ ପାଖରେ ମଇଳା ଥିବା ଏକ ବାଦାମୀରଙ୍ଗର କୋଟ ପିନ୍ଧିଥିଲେ । ନେକଟାଇ (ବେକଫିତା) ବା କାଲର୍‌ ନ ଥାଏ । କୋଟ୍ ପାରସୀ କୋଟ ଆକାରର, କିନ୍ତୁ ତାର ଢଙ୍ଗ କିଛି ନ ଥାଏ । ମୁଣ୍ଡରେ ଏକ ଭୁଣ୍ଡିଲଗା ଉଲବୁଣା ଟୋପି । ମୁହଁରେ ଲମ୍ବାଦାଢ଼ି । ସେ ଆକାରରେ ଧଡ଼ିଆ ଓ ଗେଡ଼ା କହିଲେ ଚଳିବ । ମୁହଁରେ ବସନ୍ତ ଦାଗ । ମୁହଁ ଗୋଲ, ନାକ ନା ମୁନିଆ ନା ଚେପ୍‌ଟା । ଦାଢ଼ି ଉପରେ ହାତ ବୁଲାଉଥାନ୍ତି ।

 

ସେଠା ଫିଟଫାଟ୍ ଲୋକଙ୍କ ଭିତରେ ନାରାୟଣ ହେମଚନ୍ଦ୍ର ବିଚିତ୍ର ଜଣା ପଡ଼ୁଥିଲେ ଏବଂ ସମସ୍ତଙ୍କଠୁ ଅଲଗା ବାରି ହୋଇ ଯାଉଥିଲେ ।

 

‘‘ମୁଁ ଆପଣଙ୍କ ନାଁ ବହୁତ ଶୁଣିଛି । ଆପଣଙ୍କର କେତେକ ଲେଖା ମଧ୍ୟ ପଢ଼ିଛି । ଆପଣ ମୋ ବସାଠିକି ଆସିବେ କି ?’’

 

ନାରାୟଣ ହେମଚନ୍ଦ୍ରଙ୍କର ସ୍ୱର କର୍କଶ ଥିଲା । ସେ ହସି ହସି ଜବାବ ଦେଇଥିଲେ ‘‘ତୁମେ କେଉଁଠାରେ ରହୁଛ ?’’

 

‘‘ଷ୍ଟୋର ଷ୍ଟ୍ରିଟରେ’’ । ‘‘ତେବେ ତ ଆମ ପଡ଼ିଶା । ମୋର ଇଂରାଜୀ ଶିଖିବାର ଅଛି । ତମେ ମତେ ଶିଖେଇବ ।’’

 

ମୁଁ ଜବାବ ଦେଲି—‘‘ଆପଣଙ୍କୁ କୌଣସି ସାହାଯ୍ୟ ଦେଇ ପାରିଲେ ମୁଁ ବିଶେଷ ସୁଖୀ ହେବି । ମୋ ଦିହାତି ଯାହା ମେହେନତ୍‌ କରିହେବ ନିଶ୍ଚୟ କରିବି । ଆପଣ କହିବେତ ମୁଁ ଆପଣଙ୍କଠାକୁ ଯିବି ।’’

 

‘‘ନାହିଁ, ନାହିଁ, ମୁଁ ତୁମ ପାଖକୁ ଆସିବି । ମୋ ପାଖରେ ପିଲାଙ୍କ ପାଠ ବହି ଅଛି, ମୁଁ ନେଇ ଆସିବି ।’’

 

ଆମର ପଢ଼ାବେଳ ସ୍ଥିର ହୋଇଗଲା । ଆମ ଭିତରେ ଭାରି ସ୍ନେହ ବନ୍ଧନ ଜମିଗଲା ।

 

ନାରାୟଣ ହେମଚନ୍ଦ୍ରଙ୍କୁ ଆଦୌ ବ୍ୟାକରଣ ଆସୁ ନ ଥିଲା । ‘‘ଘୋଡ଼ା’’ କ୍ରିୟା ପଦ ତ, ଦଉଡ଼ିବା ବିଶେଷ୍ୟ ପଦ । ଏହିପରି ମଜାର ଉଦାହରଣ ମୋର ଅନେକ ଅଛି । କିନ୍ତୁ ନାରାୟଣ ହେମଚନ୍ଦ୍ର ତ ମୋ କଥାକୁ ପିଇଗଲା ପରି ପିଇ ଯାଉଥିଲେ । ମୋର ସାମାନ୍ୟ ବ୍ୟାକରଣରେ ସେ କିଛି ମୁଗ୍‌ଧ ହୋଇ ଯାଉ ନ ଥିଲେ । ତାଙ୍କୁ ବ୍ୟାକରଣ ଆସୁ ନ ଥିଲା ବୋଲି ତାଙ୍କର ଲଜ୍ଜା ନ ଥିଲା ।

 

‘‘ମୁଁ ତମଭଳି ବିଦ୍ୟାଳୟରେ ପାଠ ପଢ଼ି ନାହିଁ । ମୋତେ ଚିନ୍ତାଧାରା ଜଣାଇବା ପାଇଁ ବ୍ୟାକରଣ ଆବଶ୍ୟକ ଜଣା ପଡ଼େ ନାହିଁ । କହିଲ, ତମକୁ ବଙ୍ଗଳା ଆସେ ? ମତେ ବଙ୍ଗଳା ଆସେ-। ମୁଁ ବଙ୍ଗ ଦେଶରେ ବୁଲିଛି । ମହର୍ଷି ଦେବେନ୍ଦ୍ରନାଥ ଠାକୁରଙ୍କ ବହିର ତର୍ଜମା ମୁଁ ଗୁଜରାତୀ ଲୋକଙ୍କୁ କରି ଦେଇଛି । ନାନା ଭାଷାରୁ ତର୍ଜମା କରି ଗୁଜରାତୀ ଲୋକଙ୍କୁ ଦେବା ମୋର କାମ । ତାହା କରିବାରେ ମୁଁ ଶବ୍ଦାର୍ଥକୁ ଧରି ବସେ ନାହିଁ । ଭାବାର୍ଥ ଦେଇପାରିଲେ ମୋର ସନ୍ତୋଷ । ମୋ ପରେ ଅନ୍ୟମାନେ ବେଶୀ ଦେଇପାରିବେ । ମୁଁ ବିନା ବ୍ୟାକରଣରେ ମରହଟ୍ଟୀ ଜାଣେ, ହିନ୍ଦୀ ଜାଣେ ଏବଂ ଏବେ ଇଂରାଜୀ ଜାଣିଯିବା ପରି ଲାଗୁଛି । ମୋର ତ ଶବ୍ଦ ଭଣ୍ଡାର ଦରକାର । ତୁମେ ଜାଣନାହିଁ ଯେ ଏକା ଇଂରାଜୀରେ ମତେ ସନ୍ତୋଷ ମିଳିଯିବ ନାହିଁ । ମତେ ଫ୍ରାନ୍‌ସ ଯିବାକୁ ହେବ ଏବଂ ଫ୍ରେଞ୍ଚ୍ ମଧ୍ୟ ଶିଖିବାକୁ ହେବ । ମୁଁ ଶୁଣିଛି ଫ୍ରେଞ୍ଚ୍ ସାହିତ୍ୟ ବଡ଼ ବିଶାଳ । ସୁବିଧା ହେବ ତ ମୁଁ ଜର୍ମାନୀ ଯିବି ଏବଂ ଜର୍ମାନ ଭାଷା ଶିଖିନେବି ।’’

 

ଏମିତି ନାରାୟଣ ହେମଚନ୍ଦ୍ରଙ୍କର ମୁହଁରୁ ସୁଅ ଚାଲେ । ଭାଷା ଜାଣିବାରେ ଓ ବୁଲିବାରେ ତାଙ୍କର ଲୋଭର ସୀମା ନ ଥାଏ ।

 

‘‘ତେବେ ଆପଣ ତ ଆମେରିକା ଯିବେ ?’’ ‘‘ନିଶ୍ଚୟ । ଏ ନୂଆ ଜଗତକୁ ନ ଦେଖି କ’ଣ ଫେରିଯିବି ?’’ ‘‘କିନ୍ତୁ ଆପଣଙ୍କ ପାଖରେ ଏତେ ଅର୍ଥ କାହିଁ ?’’ ‘‘ମୋର ଟଙ୍କା ପଇସାରେ କାମ କ’ଣ ? ମୋର କ’ଣ ତମପରି ସଜବାଜ ଲୋଡ଼ା ? ମୁଁ କେତେ ଖାଏ ବା ପିନ୍ଧେ କେତେ ? ମୋର ବହିରୁ ମତେ ମିଳେ ଏବଂ କେତେକ ବନ୍ଧୁ ଦିଅନ୍ତି । ସେତିକିରେ ଯଥେଷ୍ଟ ହୋଇଯାଏ । ମୁଁ ତ ସବୁବେଳେ ତୃତୀୟ ଶ୍ରେଣୀରେ ଯା’ଆସ କରେ । ଜାହାଜ ଡେକ୍‌(ଖୋଲା ଛାତ) ଉପରେ ତ ଆମେରିକା ଯିବି ।’’

 

ନାରାୟଣ ହେମଚନ୍ଦ୍ରଙ୍କର ସାଦାସିଧା ପଣିଆ ତାଙ୍କର ବିଶେଷତ୍ୱ ଥିଲା ଏବଂ ତାଙ୍କର ନିଷ୍କପଟତା ମଧ୍ୟ ସେହିଭଳି ଥିଲା । ଅହଂକାରର ନାମ ଗନ୍ଧ ନ ଥିଲା । କିନ୍ତୁ ନିଜର ଲେଖିବା ଶକ୍ତିକୁ ଚିହ୍ନିପାରି ସେ ତାହାରି ଉପରେ ଖୁବ୍‌ ବିଶ୍ୱାସ କରୁଥିଲେ ।

 

ଆମର ରୋଜ ଦେଖାସାକ୍ଷାତ ହୁଏ । ଆମ ଦୁହିଁଙ୍କ ବିଚାରରେ ଓ ଆଚାରରେ ମଧ୍ୟ ସାମ୍ୟ ଥାଏ । ଦୁହେଁ ନିରାମିଷାଶୀ ଥିଲୁ । ଦିପହରେ ଅନେକ ଦିନ ଏକାଠି ଖାଉ । ସେତେବେଳେ ମୋର ସେହି ସପ୍ତାହକୁ ସତର ସିଲିଂ ଖର୍ଚ୍ଚରେ ଚଳିବା ଓ ସ୍ୱୟଂପାକ କରିବାର ସମୟ ଥିଲା । କେତେବେଳେ ମୁଁ ତାଙ୍କ ବସାକୁ ଯାଏ, କେତେବେଳେ ବା ସେ ମୋ ବସାକୁ ଆସନ୍ତି । ମୁଁ ଇଂରାଜୀ ଢଙ୍ଗରେ ରୋଷେଇ କରେ । ତାଙ୍କର କିନ୍ତୁ ଦେଶୀ ଢଙ୍ଗ ଛଡ଼ା ତୃପ୍ତି ହୁଏ ନାହିଁ । ଥରେ ସେ କୋଉଠୁଁ ମୁଗ ଖୋଜି ପାଇଥିଲେ । ଦିନେ ମୋ ପାଇଁ ମୁଗ ରାନ୍ଧି ଆଣିଲେ, ମୁଁ ଖାଇଲି ବଡ଼ ସୁଆଦ ଲାଗିଲା । ପରେ ଆମର ଏମିତି ଦେବା ନେବା ବ୍ୟବହାର ବଢ଼ିଲା । ମୁଁ ମୋର ପ୍ରକାର ସବୁ କରି ତାଙ୍କୁ ଚଖାଏ ଓ ସେ ମୋତେ ତାଙ୍କ ତିଆରି ପ୍ରକାର ସବୁ ଚଖାନ୍ତି ।

 

ଏହି ସମୟରେ କାର୍ଡ଼ିନାଲ ମାନିଙ୍ଗଙ୍କ ନାଁ ସମସ୍ତଙ୍କ ମୁହଁରେ ଶୁଣା ଯାଉଥାଏ । ବନ୍ଦର କୁଲିଙ୍କର ଧର୍ମଘଟ ହେଲା । ଜୋନ ବର୍ନସ ଓ କାର୍ଡ଼ିନାଲ ମାନିଙ୍ଗଙ୍କ ଉଦ୍ୟମରେ ଏ ଧର୍ମଘଟ ଶୀଘ୍ର-ବନ୍ଦ ହୋଇଗଲା । କାର୍ଡ଼ିନାଲ ମାନିଙ୍ଗଙ୍କ ସାଦାସିଧା ଜୀବନ ସମ୍ବନ୍ଧରେ ଡିଜିରେଇଲି ଯାହା ଲେଖିଥିଲେ ତାହା ମୁଁ ନାରାୟଣ ହେମଚନ୍ଦ୍ରଙ୍କୁ ଶୁଣାଇଥିଲି ।

 

‘‘ତେବେ ତ ଏ ସାଧୁ ପୁରୁଷଙ୍କୁ ସାକ୍ଷାତ କରିବା ଉଚିତ ।’’

 

‘‘ସେ ତ ଭାରି ବଡ଼ଲୋକ । କେମିତି ଆପଣଙ୍କର ଦେଖାହେବ ?’’

 

‘‘ମୁଁ ଯେମିତି କହୁଛି ସେମିତି । ତୁମେ ମୋ ନାମରେ ଚିଠି ଲେଖ । ଲେଖକ ବୋଲି ମୋର ପରିଚୟ ଦେବ । ତାଙ୍କର ସେବାକାମର ଧନ୍ୟବାଦ ଦେବା ପାଇଁ ମୋର ଦେଖା କରିବାର କଥା ବୋଲି ଲେଖିବ । ହଁ, ଏହା ମଧ୍ୟ ଲେଖିବ ଯେ ମତେ ଇଂରାଜୀ କଥା କହି ଆସେ ନାହିଁ, ସେଥିପାଇଁ ମୋର ଦ୍ୱିଭାଷୀ ସ୍ୱରୂପ ତମକୁ ସାଙ୍ଗରେ ନେବି ।’’

 

ମୁଁ ଏହିଭଳି ଚିଠି ଲେଖିଲି । କାର୍ଡ଼ିନାଲ ମାନିଙ୍ଗଙ୍କ ଜବାବ, ଦୁଇ ତିନି ଦିନରେ ଖଣ୍ଡେ କାର୍ଡ଼ରେ ଆସିଲା । ସେ ଦେଖା କରିବାକୁ ସମୟ ଦେଲେ ।

 

ଆମେ ଦୁହେଁ ଗଲୁ । ମୁଁ ତ ଦସ୍ତୁର ମୁତାବକ ମୁଲାକତୀ ପୋଷାକ ପିନ୍ଧି ଯାଇଥାଏ । ନାରାୟଣ ହେମଚନ୍ଦ୍ର ଯେମିତି ସବୁଦିନେ ଥାନ୍ତି ସେମିତି ଥିଲେ । ସେହି କୋଟ, ସେହି ପାଇଜାମା-। ମୁଁ ଥଟ୍ଟାକଲି । ସେ ମତେ ଉଡ଼ାଇ ଦେଇ କହିଲେ । ତମେ ସଭ୍ୟଯାକ ବଡ଼ ଡରକୁଳା-। ମହାପୁରୁଷମାନେ କାହାରି ପୋଷାକକୁ ଅନାନ୍ତି ନାହିଁ । ସେମାନେ ତାଙ୍କର ହୃଦୟକୁ ଖୋଜନ୍ତି-

 

ଆମେ କାର୍ଡ଼ିନାଲଙ୍କ ଘରେ ପହଞ୍ଚିଲୁ । ଘର ତ ଏକ ରାଜପ୍ରାସାଦ । ଆମେ ଯାଇ ବସିଛୁ, ସଙ୍ଗେ ସଙ୍ଗେ ଜଣେ ଧଡ଼ିଆ ପତଳା ବୁଢ଼ା, ଡେଙ୍ଗା ଲୋକ ସେ ଘରକୁ ଆସିଲେ । ଆମ ଦୁହିଁଙ୍କ ସଙ୍ଗେ ହାତ ମିଳେଇଲେ । ନାରାୟଣ ହେମଚନ୍ଦ୍ର ସ୍ୱାଗତ କଲେ ।

 

‘‘ମୁଁ ଆପଣଙ୍କର ସମୟ ନେବି ନାହିଁ । ମୁଁ ତ ଆପଣଙ୍କ ବିଷୟ ଶୁଣିଛି । ଆପଣ ଧର୍ମଘଟରେ ଯେ କାମ କଲେ, ସେଥିପାଇଁ ଆମେ କୃତଜ୍ଞତା ଜଣାଉଛୁ । ଆପଣ ଉପକାରୀ ଲୋକ-। ଦୁନିଆର ସାଧୁ ପୁରୁଷଙ୍କୁ ଦେଖିବା ମୋର ଅଭ୍ୟାସ । ସେଥିପାଇଁ ମୁଁ ଆପଣଙ୍କୁ ଏତକ କଷ୍ଟ ଦେଲି ।’’ ଏ ବାକ୍ୟ କେତୋଟି ତର୍ଜମା କରିଦେବାକୁ ନାରାୟଣ ହେମଚନ୍ଦ୍ର ମତେ ଆଦେଶ ଦେଇଥିଲେ ।

 

‘‘ତମେ ଆସିଛ ମୁଁ ଭାରି ଖୁସି । ମୋର ଆଶା ଯେ, ତମର ଏଠାରେ ରହଣି ସୁଖକର ହେବ ଏବଂ ତୁମେ ଏଠାରେ ଲୋକଙ୍କର ପରିଚୟ କରିବ । ଈଶ୍ୱର ତମର ମଙ୍ଗଳ କରନ୍ତୁ ।’’ କାର୍ଡ଼ିନାଲ ଏୟା କହି, ଉଠି ଠିଆହେଲେ ।

 

ଦିନେ ନାରାୟଣ ହେମଚନ୍ଦ୍ର ମୋ’ଠାକୁ ଧୋତି ଜାମା ପିନ୍ଧି ଆସିଥିଲେ । ବିଚାରୀ ଘରବାଲୀ କବାଟ ଫିଟେଇ ଅନେଇଲା । ମୋ ପାଖକୁ ଆସି (ମୁଁ ତ ଘର ବଦଳଉଥାଏ ପାଠକେ ଜାଣନ୍ତି) କହିଲା, ‘‘ଗୋଟାଏ ପାଗଳ ପରି କିଏ ଜଣେ ଲୋକ ତମ ସଙ୍ଗେ ଦେଖା କରିବାକୁ ଆସିଛି ।’’ ମୁଁ ଦୁଆର ମୁହଁକୁ ଯାଇ ଦେଖେ ଯେ ନାରାୟଣ ହେମଚନ୍ଦ୍ର—ମୁଁ ଚମକି ପଡ଼ିଲି । ତାଙ୍କ ମୁହଁରେ ସେହି ରୋଜିନା ହସ ଛଡ଼ା ଆଉ କିଛି ନ ଥାଏ ।

 

‘‘କିନ୍ତୁ ପିଲାମାନେ ଆପଣଙ୍କୁ ବାଟରେ ବିରକ୍ତ କରି ନାହାନ୍ତି ତ ?’’ ପଚାରିଲି !

 

‘‘ମୋ ପଛରେ ଗୋଡ଼େଇଥିଲେ । ମୁଁ ସେଥିପ୍ରତି ଦୃଷ୍ଟି ନ ଦେବାରୁ ସେମାନେ ସେତିକିରେ ଥଣ୍ଡା ପଡ଼ିଗଲେ ।’’ ଜବାବ ପାଇଲି ।

 

ନାରାୟଣ ହେମଚନ୍ଦ୍ର ମାସ କେତେଟା ବିଲାତରେ ରହି ଫ୍ରାନ୍‌ସ ଗଲେ । ସେଠି ଫ୍ରେଞ୍ଚ୍ ଭାଷା ଶିଖି ବସିଲେ ଏବଂ ଫ୍ରେଞ୍ଚ୍ ବହି ଅନୁବାଦ କରିବାରେ ଲାଗିଗଲେ । ତାଙ୍କର ତର୍ଜମା ପରୀକ୍ଷା କଲା ଭଳି ମତେ ଆସୁଥିଲା । ସେଥିପାଇଁ ସେ ମତେ ଦେଖି ଯିବାକୁ କହିଥିଲେ । ମୁଁ ଦେଖିଲି ଯେ ତାହା ଅନୁବାଦ ନ ହୋଇ କେବଳ ଭାବାର୍ଥ ଥିଲା ।

 

ଶେଷରେ ତାଙ୍କର ଆମେରିକା ଯିବା ସଂକଳ୍ପ ପୂରା ହେଲା । ବହୁ କଷ୍ଟରେ ଡେକରେ ବା ତୃତୀୟ ଶ୍ରେଣୀର ଟିକଟ ମିଳିଲା । ଆମେରିକାରେ ସେ ଲୁଗା କୁର୍ତ୍ତା ପିନ୍ଧି ବାହାରିବାରୁ ଅସଭ୍ୟ ପୋଷାକ ପିନ୍ଧିଛି, ଏହି ଆଭିଯୋଗରେ ଧରା ହୋଇଥିଲେ । ମୋର ମନେ ପଡ଼େ ତାଙ୍କୁ ପରେ ଛାଡ଼ି ଦିଆହୋଇଥିଲା ।

 

ବିରାଟ ପ୍ରଦର୍ଶନୀ

 

ସନ ୧୮୯୦ ରେ ପ୍ୟାରିସଠାରେ ଏକ ପ୍ରଦର୍ଶନୀ ବସିଥିଲା । ମୁଁ ତାହାର ଆୟୋଜନର ଖବର ପଢ଼ୁଥାଏ । ପ୍ୟାରିସ୍‌ ଯିବାକୁ ଖୁବ୍‌ ଇଚ୍ଛାଥାଏ । ଏ ପ୍ରଦର୍ଶନୀ ଦେଖି ଗଲେ ଦୋହରି ଲାଭ ହେବ ବୋଲି ବିଚାରିଲି । ପ୍ରଦର୍ଶନୀରେ ‘ଏଫେଲଟାୱାର’ ଦେଖିବାକୁ ଭାରି ଟଣା ଓଟରା ଲାଗିଥାଏ । ଏ ଟାୱାରଟି ଗୋଟିଏ ଲୁହାର ସ୍ତମ୍ଭ । ହଜାର ଫୁଟ ଉଚ୍ଚ । ଏକ ହଜାର ଫୁଟ ଉଚ୍ଚ ଘର ଉଭା ରହି ପାରିବ ନାହିଁ—ଏମିତି ଲୋକଙ୍କର ଧାରଣା ପ୍ରଥମେ ଥିଲା । ଆଉ ସବୁ ବିଷୟ ପ୍ରଦର୍ଶନୀରେ ତ ବହୁତ ଥିଲା । ପ୍ୟାରିସରେ ଗୋଟିଏ ଅନ୍ନାହାର ଭୋଜନାଳୟର କଥା ମୁଁ ପଢ଼ିଲି । ସେହିଠାରେ ଗୋଟିଏ ବଖରା ଘର ନେଇ ଗରିବଙ୍କ ଭଳି ଯାତ୍ରୀ ହୋଇ ପ୍ୟାରିସ୍ ଗଲି । ସାତ ଦିନ ରହିଲି । ଚାଲି ବୁଲି ସବୁକଥା ବାରମ୍ବାର ଦେଖିଲି । ପ୍ୟାରୀସର ସହର ଓ ପ୍ରଦର୍ଶନୀର ବାଟ ଘାଟର ପାଞ୍ଜି ଓ ମାନଚିତ୍ର ପାଖରେ ରଖିଥାଏ । ତାହାର ଉପରେ ନିର୍ଭର କରି ବାଟ ଖୋଜି ଖୋଜି ପ୍ରଧାନ ପ୍ରଧାନ ବସ୍ତୁ ଦେଖିନେଲି ।

 

ପ୍ରଦର୍ଶନୀର ବିଶାଳତା ଓ ବିଚିତ୍ରତା ଛଡ଼ା ମୋର ଆଉ କିଛି ମନେ ନାହିଁ । ‘ଏଫେଲଟାୱାର’ ଉପରକୁ ଦୁଇ ତିନିଥର ଚଢ଼ିଥିଲି, ଏତକ ମୋର ଠିକ୍‌ ସ୍ମରଣ ଅଛି । ପ୍ରଥମ ମହଲାରେ ଖାଇବା ପିଇବାର ସୁବିଧା ମଧ୍ୟ ଥାଏ । ଏତେ ଉଚ୍ଚରେ ବସି ଆଉ କେଉଁଠାରେ ଖାଇବାକୁ ମିଳିବ କି ନାହିଁ, ସେଥିପାଇଁ ସେଠି ଖାଇବସି ସାଢ଼େ ସାତ ସିଲିଂ ଉଡ଼େଇ ଦେଲି ।

 

ପ୍ୟାରୀସର ପ୍ରାଚୀନ ବନ୍ଦର ସବୁ ମୋର ମନେ ରହିଛି—ସେ ଗୁଡ଼ିକର ସୌନ୍ଦର୍ଯ୍ୟ ଓ ଭିତର ଶାନ୍ତି ଭୁଲିବାର ବିଷୟ ନୁହେଁ । ‘‘ନେତ୍ରଦାମ’’ ର କାରିଗରୀ ଓ ଭିତରର ଚିତ୍ର କାର୍ଯ୍ୟ ମନେ ରହିଛି । ଯେଉଁମାନେ ଏଭଳି ସ୍ୱର୍ଗ ତୁଲ୍ୟ ମନ୍ଦିର ଗୁଡ଼ିକରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସେମାନଙ୍କର ଅନ୍ତରତମ ପ୍ରଦେଶରେ ନିଶ୍ଚୟ ଈଶ୍ୱର ପ୍ରେମ ଥିବ—ମତେ ଏହିପରି ଜଣା ପଡ଼ିଥିଲା ।

 

ପ୍ୟାରୀସର ଫେସନ, ପ୍ୟାରୀସର ସ୍ୱେଚ୍ଛାଚାର, ତା’ର ଭୋଗ ବିଳାସର କଥା ଠିକ୍‌ ପଢ଼ିଥିଲି । କାରଣ ତାହା ତ ପ୍ୟାରୀସର ଗଳିଗଳିରୁ ଅଲଗା ଜଣା ପଡ଼ିଯାଉଥାନ୍ତି । ମନ୍ଦିର ଭିତରେ ପଶିଲେ ବାହାରର ଅଶାନ୍ତି ପାସୋର ଯାଏ । ଲୋକଙ୍କ ଆଚରଣ ବଦଳି ଯାଏ । ଲୋକେ ସଂଭ୍ରମରେ ଚଳନ୍ତି । ସେଠି ଗୋଳମାଳ ହୁଏ ନାହିଁ । ସେଠାରେ କୁମାରୀ ମରିଅମ୍‌ଙ୍କୁ ମୂର୍ତ୍ତି ଆଗରେ ସବୁବେଳେ କେହି ନା କେହି ପ୍ରାର୍ଥନା କରୁଥିବେ, ଏସବୁ କୁସଂସ୍କାର ନୁହଁ, ମାତ୍ର ଏସବୁ ହୃଦୟର ଭାବନା, ଏ ପ୍ରଭାବ ସେଠି ଥିଲା ଏବଂ ତାହା ବୃଦ୍ଧି ପାଇଛି । କୁମାରୀଙ୍କ ମୂର୍ତ୍ତି ଆଗରେ ଆଣ୍ଠୁମାଡ଼ି ପ୍ରାର୍ଥନା କରୁଥିବା ଉପାସକମାନେ ସେ ଶଙ୍ଖ ମଲମଲ ପଥରକୁ ପୂଜୁ ନ ଥିଲେ, ମାତ୍ର ସେଥିରେ ଯେଉଁ କଳ୍ପନା, ଭାବନା ଥିଲା ତାରି ଶକ୍ତିକୁ ପୂଜୁ ଥିଲେ । ଏହିଭଳି ଏକ ପ୍ରଭାବ ମୋ ମନ ଉପରେ ପଡ଼ିଥିବାର ଏକ ଛାୟା ସ୍ମୃତି ରହି ଯାଇଛି ।

 

ଏଫିଲ ଟାୱାର ସମ୍ବନ୍ଧରେ ଦିପଦ କହିବା ଦରକାର । ଏଫିଲ ଟାୱାର ଏବେ କେଉଁ ଉଦ୍ଦେଶ୍ୟରେ ରହିଛି ମୁଁ ଜାଣେ ନାହିଁ । ପ୍ରଦର୍ଶନୀ ସରିଲା ପରେ ପ୍ରଦର୍ଶନୀର ବର୍ଣ୍ଣନା ଲେଖାରେ ବାହାରୁଥିଲା । ସେଥିରେ ତାହାର ପ୍ରଶଂସା ସଙ୍ଗେ ସଙ୍ଗେ ତାହାର ନିନ୍ଦା ମଧ୍ୟ ହେଉଥିଲା । ନିନ୍ଦା କଲା ଲୋକଙ୍କର ଅଗ୍ରଣୀ ଟୋଲଷ୍ଟୟ ଥିଲେ ବୋଲି ମୋର ମନେ ପଡ଼ୁଛି—ସେ ଲେଖିଥିଲେ ଯେ ଏଫିଲ ଟାୱାର ମଣିଷର ମୂର୍ଖ ପଣିଆର ଚିହ୍ନ, ତା’ର ଜ୍ଞାନର ପରିଣାମ ନୁହେଁ । ତାଙ୍କ ଲେଖାରେ ସେ କହିଛନ୍ତି ଯେ, ଦୁନିଆରେ ଯେତେ ନିଶା ଚାଲିଛି ତାହା ମଧ୍ୟରେ ଧୂଆଁ ପତ୍ର ନିଶା ସବୁଠାରୁ ଖରାପ ନିଶା । ଯେଉଁସବୁ କୁକର୍ମ କରିବାକୁ ସାହାସ ମଦୁଆମାନଙ୍କର ହୁଏ ନାହିଁ, ବିଡ଼ି ଖୋର ଲୋକ ସେ ସବୁ କୁକର୍ମ କରିଥାନ୍ତି । ମଦୁଆ ପାଗଳ ହୋଇଯାଏ, କିନ୍ତୁ ବିଡ଼ି ଖୋରର ବୁଦ୍ଧି ଅନ୍ଧାରୁଆ ହୋଇଯାଏ ଏବଂ ତା ଫଳରେ ସେ ଆକାଶ କୁସୁମ ତୋଳି ଥାଏ । ଏଫିଲ ଟାୱାର ଏହିଭଳି ବ୍ୟସନର ପରିଣାମ ବୋଲି ଟୋଲଷ୍ଟୟ ତାଙ୍କର ମତ ଜଣାଇଛନ୍ତି ।

 

ଏଫିଲ ଟାୱାରର କୌଣସି ସୌନ୍ଦର୍ଯ୍ୟ ନ ଥିଲା । ପ୍ରଦର୍ଶନୀର କୌଣସି ଶୋଭା ମଧ୍ୟ ବଢ଼ାଉ ନଥିଲା । ଗୋଟାଏ ନୂଆ କଥା, ଖୁବ୍‌ ବଡ଼ ଚିଜଟାଏ, ହଜାର ହଜାର ଲୋକ ଦେଖିବାକୁ ଚଢ଼ୁଥିଲେ । ଏ ଟାୱାର ସେ ପ୍ରଦର୍ଶନୀରେ ଗୋଟାଏ ଖେଳଣା ମାତ୍ର ଥିଲା ଏବଂ ଯେତେବେଳେ ଯାଏ ଆମେ ମୋହ ବଶ ଥାଉ ସେ ଯାଏ ଆମେ ପିଲା ଥାଉ । ଏତିକି ଏ ଟାୱାରରୁ ଭଲ ରକମ ସିଦ୍ଧ ହୋଇଛି । ଏତିକି ଏହାର ଉପକାର ମାନୁ ।

 

ବାରିଷ୍ଟର ତ ହେଲି—ତା ପରେ ?

 

ଯେଉଁ ବାରିଷ୍ଟର ହେବା ପାଇଁ ବିଲାତ ଆସିଲି, ସେ ଦିଗରେ ମୁଁ କ’ଣ କଲି ସେ କଥା ମୁଁ ଏତେବେଳଯାଏ ବାକି ରଖିଛି । ଏବେ ସେ ବିଷୟରେ କିଛି ଲେଖିବାର ବେଳ ଆସିଲା ।

 

ବାରିଷ୍ଟର ହେବା ପାଇଁ ଦୁଇଟି ବିଷୟ ଆବଶ୍ୟକ । ଏକ ହେଉଛି ଟର୍ମ ପୂରା କରିବା—ଅର୍ଥାତ୍‌ ନିର୍ଦ୍ଦିଷ୍ଟ ସମୟ କଟାଇବା । ବର୍ଷରେ ଚାରୋଟି ଟର୍ମ; ସେଥିରୁ ବାରଟି କଟେଇବାକୁ ହେବ । ଦ୍ୱିତୀୟ ବିଷୟ ହେଉଛି ଆଇନ ପରୀକ୍ଷା ଦେବ । ଟର୍ମ ପୂରା କରିବାର ଅର୍ଥ ଖାନା ଖାଇବା ଅର୍ଥାତ୍‌ ପ୍ରତି ଟର୍ମରେ ଚବିଶଟି ଖାନା ହୁଏ । ସେଥିରୁ ଅନ୍ତତଃ ଛ’ଟି ଖାଇବା ଦରକାର । ଖାନା ଖାଇବା ଅତଏବ ଖାଇବାକୁ ହେବ—ଏମିତି କୌଣସି ନିୟମ ନାହିଁ । କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତ ରହିବାକୁ ପଡ଼େ ଏବଂ ଖିଆପିଆ ସରିବା ଯାଏ ବସି ରହିବାକୁ ହୁଏ । ସାଧାରଣତଃ ସମସ୍ତେ ଖା’ନ୍ତି ପିଅନ୍ତି । ଖାନାରେ ବହୁତ ଭଲ ଭଲ ପ୍ରକାର ହୁଏ । ଏବଂ ପିଇବାକୁ ଅସଲ ମଦ ଆସେ । ତା’ର ଦାମ୍‌ ନିଶ୍ଚୟ ଦେବାକୁ ପଡ଼େ । ସେଥିରେ ଅଢ଼େଇରୁ ସାଢ଼େ ତିନି ସିଲିଂଯାଏ ଦେବାକୁ ପଡ଼େ—ଅର୍ଥାତ୍‌ ଦୁଇ ତିନି ଟଙ୍କା ଖର୍ଚ୍ଚ ହୁଏ । ଏ ଦାମ ସେଠି ବହୁତ କମ୍ ବିବେଚିତ ହୁଏ, କାରଣ ବାହାର ହୋଟେଲରେ ଖାଇବା ଲୋକଙ୍କୁ କେବଳ ମଦ ପାଇଁ ପ୍ରାୟ ଏତିକି ପଇସା ପଡ଼ିଯାଏ । ଖାଇବା ଖର୍ଚ୍ଚଠାରୁ ମଦ ପିଇବା ଖର୍ଚ୍ଚ ବେଶୀ ପଡ଼ିଯାଏ, ଏକଥା ଆମ ଭାରତବାସୀଙ୍କୁ ‘ଯେ’ ସଭ୍ୟ ହୋଇ ନାହିଁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିବ । ବିଳାତରେ ଏ ସମ୍ବାଦରେ ମତେ ଦାରୁଣ ଦୁଃଖ ହୋଇଥିଲା । ମଦ ପଛରେ ଏତେ ପଇସା ଉଡ଼େଇ ଦେବାକୁ ମଣିଷଙ୍କ ମନ କେମିତି ଯାଏ ମୁଁ ତ ଆଦୌ ବୁଝି ପାରି ନ ଥିଲି । ମୁଁ ପ୍ରଥମେ ପ୍ରଥମେ କିଛି ଖାଉ ନ ଥିଲି । କାରଣ ମୋର ଚଳିବା ଭଳି କେବଳ ରୁଟି, ଆଳୁ ସିଝା ଓ କୋବି ଥାଏ । ପ୍ରଥମେ ପ୍ରଥମେ ଏ ସବୁ ମତେ ରୁଚୁ ନ ଥିବାରୁ ମୁଁ ଖାଉ ନଥିଲି, ପରେ ସେଥିରୁ ସ୍ୱାଦ ପାଇଲାବେଳକୁ ଅନ୍ୟାନ୍ୟ ନାନା ପ୍ରକାର ଅନ୍ନାହାର ଜୁଟେଇ ନେବାରେ ମୋର ଶକ୍ତି ଆସି ଯାଇଥିଲା । ଛାତ୍ରଙ୍କ ପାଇଁ ଜାତିଏ ‘‘ଖାନା’’ ଆଉ ବେଞ୍ଚର (ବିଦ୍ୟାମନ୍ଦିରର ବଡ଼ ବଡ଼ିଆ) ଙ୍କର ଅନ୍ୟ ଏକ ଦାମିକା ଖାନା ହୋଇଥାଏ । ମୋ ସାଙ୍ଗରେ ଜଣେ ପାରଶୀ ଛାତ୍ର ଥିଲା-। ସେ ମଧ୍ୟ ନିରାମିଷବାଲା । ଆମେ ଦୁହେଁ ଅନ୍ନାହାରର ପ୍ରଚାର ପାଇଁ ‘‘ବେଞ୍ଚର’’ ମାନଙ୍କ ଖାନାରୁ ଅନ୍ନାହାରୀଙ୍କ ଯୋଗ୍ୟ ଜିନିଷ ମାଗି ନେଉ । ଆମର ଅନୁରୋଧ ମଞ୍ଜୁର ହୋଇଥାଏ, ଅତଏବ ଆମେ ‘‘ବେଞ୍ଚର’’ ମାନଙ୍କ ଟେବଲ ଉପରୁ ଫଳ ପ୍ରଭୃତି ବା ଅନ୍ୟ ତରକାରୀ ଯୋଗାଡ଼ କରି ଆଣୁ-

 

ମଦ ତ ମୋର ନଥାଏ । ଚାରିଜଣଙ୍କ ପାଇଁ ଏକାଠି ଦୁଇ ବୋତଲ ମଦ ମିଳେ । ଅତଏବ ମତେ ଅନେକ ଦଳକୁ ଡାକରା ଆସେ । ମୁଁ ତ ପିଏ ନାହିଁ । ଅନ୍ୟ ତିନିଜଣଙ୍କ ଭିତରେ ଦୁଇ ବୋତଲ ଉଡ଼ିଯାଏ । ପୁଣି ପ୍ରତି ଟର୍ମରେ ଗୋଟିଏ ବଡ଼ ରାତି ଗ୍ରାଣ୍ଡ ନାଇଟ୍ ଥାଏ । ସେଦିନ ‘ପୋର୍ଟ’ ‘ଶେରୀ’ ଉପରନ୍ତୁ ‘ଶାମ୍ପନ’ ମଦ ମିଳେ । ଶାମ୍ପନର ସ୍ୱାଦ ଏକ ବିଶେଷ ସ୍ୱାଦ ଧରାଯାଏ ।

 

ସେଥିପାଇଁ ସେ ରାତିକ ମୋର ଦାମ ଚଢ଼ିଯାଏ ଏବଂ ସେ ରାତିରେ ଉପସ୍ଥିତ ହେବାକୁ ମତେ ନିମନ୍ତ୍ରଣ ମିଳେ ।

 

ଏ ଖାଇବା ପିଇବାରୁ ବାରିଷ୍ଟରୀରେ କ’ଣ ଉନ୍ନତି ହୁଏ, ମୁଁ ତ ସେଠି ଦେଖି ପାରି ନଥିଲି, ପରେ ବି ବୁଝି ପାରି ନାହିଁ । ଅବଶ୍ୟ ଏମିତି ଦିନ ଥିଲା, ଯେତେବେଳେ ଏଭଳି ଖାନାରେ ବହୁତ କମ୍ ଛାତ୍ର ହେଉ ଥିଲେ ଏବଂ ଛାତ୍ର ଓ ବେଞ୍ଚରମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲା ଏବଂ ବକ୍ତୃତା ମଧ୍ୟ ହେଉ ଥିଲା । ଏଥିରୁ ତାଙ୍କ ବ୍ୟବହାରିକ ଜ୍ଞାନ ମିଳୁଥିଲା । ସମସ୍ତେ ମଧ୍ୟ ଗୋଟିଏ ପ୍ରକାର ସଂସ୍କୃତି ଶିଖୁଥିଲେ ଏବଂ ବକ୍ତୃତା ଦେବା ଶକ୍ତି ବଢ଼ୁଥିଲା । ଏସବୁ ଆମ ବେଳକୁ ଅସମ୍ଭବ ଥିଲା । ‘‘ବେଞ୍ଚର’’ ମାନେ ତ ଆଡ଼େଇ ହୋଇ ଅସ୍ପୃଶ୍ୟ ଭଳି ବସିଥାନ୍ତି । ଏ ପୁରୁଣା ପ୍ରଥାର ପଛକୁ ଆଉ କିଛି ମନେ ରହିଲା ନାହିଁ । ତଥାପି ସେ ରକ୍ଷଣଶୀଳ ମାନ୍ଦା ଇଂଲଣ୍ଡରେ ଏ ପ୍ରଥା ରହିଗଲା ।

 

ଆଇନ ପାଠ ସହଜ ଥିଲା । ବାରିଷ୍ଟରଙ୍କୁ ଥଟ୍ଟାରେ ଭୋଜନୀ ବାରିଷ୍ଟର ବୋଲି କହୁଥିଲେ । ସମସ୍ତେ ଜାଣନ୍ତି ପରୀକ୍ଷାର ମୂଲ୍ୟ ନଥିଲା ଭଳି । ମୋ ବେଳକୁ ଦୁଇଟି ପରୀକ୍ଷା ହେଉଥିଲା । ଏକ—‘‘ରୋମ ନାଲ’’ ଏବଂ ଅନ୍ୟଟି ଇଂଲଣ୍ଡର ଆଇନ ପରୀକ୍ଷା ବିଭାଗ ହୋଇ ନିଆଯାଏ, ସେଥିପାଇଁ ବହି ମଧ୍ୟ ନିର୍ଦ୍ଦିଷ୍ଟ ଥାଏ । କିନ୍ତୁ ସେ ବହି କେହି କ୍ୱଚିତ ପଢ଼ନ୍ତି । ‘‘ରୋମାନାଲ’’ ପାଇଁ ଛୋଟ ଟୀକା ଲେଖା ହୋଇଥାଏ, ତାକୁ ପନ୍ଦର ଦିନ ପଢ଼ି ଦେଇ ପାଶ କରିବା ମୁଁ ଦେଖିଛି । ‘ଇଂଲଣ୍ଡର ଆଇନ ସମ୍ବନ୍ଧରେ ମଧ୍ୟ ସେୟା । ତାଙ୍କର ସବୁ ଟୀକା ଅଛି ଯାହାକୁ ଦୁଇ ତିନି ମାସ ପଢ଼ି ଉତୁରି ଯାଇଥିବା ଛାତ୍ର ମୁଁ ଦେଖିଛି । ପରୀକ୍ଷାରେ ପ୍ରଶ୍ନ ସହଜ, ପରୀକ୍ଷକ ଉଦାର । ‘‘ରୋମାନ୍‌ଲ’’ ରେ ଶତକଡ଼ା ୯୫ ରୁ ୯୯ ପାଶ ଏବଂ ଶେଷ ପରୀକ୍ଷାରେ ଶତକଡ଼ା ୭୫ ବା ତଦୁର୍ଦ୍ଧ ପାଶ ହୋଇଥାଏ । ଅତଏବ ବିଫଳ ହେବାର ଡର ବହୁତ କମ୍‌ । ପୁଣି ପରୀକ୍ଷା ବର୍ଷକରେ ଥରେ ନୁହେଁ, ଚାରିଥର ହୁଏ । ଏତେ ସୁବିଧା ଥିବା ପରୀକ୍ଷାକୁ କାହାରିକୁ ଭାରି ଲାଗେ ନାହିଁ ।

 

କିନ୍ତୁ ମୁଁ ତାକୁ ବୋଝ ଭଳି କରି ନେଇଥିଲି । ମୋର ମନେ ହେଲା ଯେ ମତେ ମୂଳ ବହି ସବୁ ପଢ଼ିବାକୁ ହେବ । ନ ପଢ଼ିବାଟା ମତେ ଠକେଇବା ଭଳି ଲାଗିଥିଲା । ସେଥିଯୋଗୁ ମୁଁ ଅସଲ ବହି ସବୁ କିଣିବାରେ ଯଥାର୍ଥ ଖର୍ଚ୍ଚ କଲି । ‘‘ରୋମାନଲ’’ କୁ ତ ଏକଦମ ‘ଲେଟୀନ୍‌’ ମୂଳ ଭାଷାରେ ପଢ଼ିବାକୁ ସ୍ଥିର କରିଥିଲି । ବିଲାତରେ ମେଟ୍ରୁକୁଲେସନ୍‌ ପରୀକ୍ଷା ପାଇଁ ଯେ ଲେଟୀନ୍ ପଢ଼ିଥିଲି, ତାହା ଏଠାରେ କାମରେ ଆସିଲା । ଏ ପଢ଼ା ମଧ୍ୟ ବ୍ୟର୍ଥ ଗଲା ନାହିଁ । ଦକ୍ଷିଣ ଆଫ୍ରିକାରେ ରୋମାନ୍ ଡଚ୍ ଆଇନକୁ ଶାସ୍ତ୍ର ପ୍ରମାଣ ଭଳି ମାନନ୍ତି । ତାକୁ ବୁଝିବାକୁ ମତେ ଲେଟୀନରେ ଜଷ୍ଟିନିୟନ୍‌ଙ୍କ ଗ୍ରନ୍ଥ (‘ରୋମାନ୍ ଲ’ ଲେଖକଙ୍କ ନାମ) ପଢ଼ା ବିଶେଷ କାମ ଦେଇଥିଲା ।

 

‘ଇଂଲଣ୍ଡର ଆଇନ’ର ପଢ଼ାରେ ମୁଁ ନ’ଟି ମାସ ପୂରା ମେହେନତ କରିଥିଲି । ‘‘କମନ୍ ଲ’’ (ସାଧାରଣ ଆଇନ)ର ବଡ଼ ଅଥଚ ସରସ ବହି ପଢ଼ିବାରେ ଯଥେଷ୍ଟ ସମୟ ଲାଗିଥିଲା । ସ୍ମେଲ ସାହେବଙ୍କର ‘‘ଇକ୍ୱିଟୀ’’ ରେ ରସ ପାଇଲି ସତ, ମାତ୍ର ବୁଝିବାକୁ ଦମ୍‌ ଛାଡ଼ି ଯାଉଥିଲା । ହ୍ୱାଇଟ୍‌ ଓ ଟ୍ୟୁଡରଙ୍କର ସଂକଳିତ ବଡ଼ ବଡ଼ ମକଦ୍ଦମାର ସଂଗ୍ରହ ଯାହା ପଢ଼ିବାର ଥିଲା ତାହା ମୁଁ ବେଶ ଆନନ୍ଦରେ ପଢ଼ିଥିଲି ଏବଂ ସେଥିରୁ ଅନେକ ଜ୍ଞାନ ମିଳିଥିଲା । ୱିଲିୟମ୍‌ ଓ ବୱର୍ଡ଼୍‌ଜନଙ୍କର ‘‘ସ୍ଥାବର ସମ୍ପତ୍ତି’’ ବିଷୟରେ ବହି ଓ ଗୁଡ଼ୀତଙ୍କର ‘‘ବ୍ୟକ୍ତିଗତ ସମ୍ପତ୍ତି’’ ମୁଁ ବେଶ ଖୁସିରେ ପଢ଼ି ସାରିଥିଲି । ୱେଲିୟମଙ୍କର ବହି ତ ମତେ ଏକ ଉପନ୍ୟାସ ଭଳି ଲାଗିଥିଲା । ତାକୁ ପଢ଼ିବାରେ ଟିକିଏ ହେଲେ ବିରକ୍ତି ଆସି ନ ଥିଲା । ଭାରତକୁ ଫେରି ଅନ୍ୟ ଆଇନ ବହି ମଧ୍ୟରୁ ସେମିତି ଆନନ୍ଦରେ ମୁଁ ମେଇନ୍‌ଙ୍କର ‘ହିନ୍ଦୁ ଲ’ ପଢ଼ି ପାରିଥିଲି । ମାତ୍ର ଭାରତର ଆଇନ ପଢ଼ା କଥା ଏଠି କହିବି ନାହିଁ ।

 

ପରୀକ୍ଷାରେ ଉତୁରି ଗଲି । ୧୮୯୧ ଜୁନ ତା ୧୦ରିଖରେ ମୁଁ ବାରିଷ୍ଟର ପଦ ପାଇଲି-। ୧୧ ତାରିଖରେ ଇଂଲଣ୍ଡର ହାଇକୋର୍ଟରେ ଅଢ଼େଇ ସିଲିଂ ଦେଇ ମୋ ନାମ ଲେଖେଇଲି । ବାର ତାରିଖ ଦିନ ଭାରତକୁ ଫେରିଥିଲି ।

 

କିନ୍ତୁ ମୋର ନିରାଶା ଏବଂ ଭୟ ଛାଡ଼ି ନଥିଲା । ଆଇନ ତ ନିଶ୍ଚୟ ପଢ଼ିଲି । କିନ୍ତୁ ଓକିଲାତି କରି ପାରିବା ପାଇଁ ମତେ କଛି ଆସିବ ନାହିଁ ବୋଲି ଲାଗିଲା । ଏ ଦୁଃଖର ବର୍ଣ୍ଣନା ପାଇଁ ଏକ ସ୍ୱତନ୍ତ୍ର ଅଧ୍ୟାୟ ଲୋଡ଼ା ।

 

ମୋର ଚିନ୍ତା

 

ବାରିଷ୍ଟର ବୋଲାଇବା ସହଜ ଲାଗିଲା । କିନ୍ତୁ ବାରିଷ୍ଟର କରିବା ବଡ଼ କାଠିକର ପାଠ ଜଣାଗଲା । ଆଇନ ବହୁତ ପଢ଼ିଲି । କିନ୍ତୁ ଓକିଲାତି କରିବା ଶିଖି ନ ଥିଲି । ଆଇନରେ କେତେକ ଧର୍ମ ସିଦ୍ଧାନ୍ତ ପଢ଼ିଲି । ସେ ସବୁ ଭଲ ଲାଗିଲା । କିନ୍ତୁ ସେ ସବୁକୁ କେମିତି ଆପଣା ଧନ୍ଦାରେ କାମରେ ଲଗେଇବି ତାହା ବୁଝିପାରିଲି ନାହିଁ । ‘‘ତମର ସମ୍ପତ୍ତିକୁ ଏପରି ବ୍ୟବହାର କର ଯେଉଁଥିରେ କି ଅନ୍ୟ ସମ୍ପତ୍ତିର ଲୋକସାନ ନ ହୁଏ ।’’ ଏତ ଧର୍ମ ବଚନ ଅଟେ । କିନ୍ତୁ ଏହାକୁ ଓକିଲାତି କରୁ କରୁ ମହକିଲର ମକଦ୍ଦମାରେ କେମିତି ବ୍ୟବହାର କରାଯିବ ତାହା ମତେ ଜଣା ନ ଥିଲା । ଏ ସିଦ୍ଧାନ୍ତରେ ବ୍ୟବହାର ମକଦ୍ଦମା ହୁଏତ ମୁଁ ପଢ଼ି ଯାଇଥିବି, କିନ୍ତୁ ସେଥିରୁ ଏ ସିଦ୍ଧାନ୍ତକୁ ଅନ୍ୟତ୍ର କାମରେ ଲଗେଇବାର ଯୁକ୍ତି ମତେ ଦିଶି ନ ଥିଲା ।

 

ପୁଣି ଯେତେ ଆଇନ ପଢ଼ିଥିଲି ତହିଁରେ ଭାରତୀୟ ଆଇନର ନାମଗନ୍ଧ ନ ଥିଲା । ହିନ୍ଦୁ ଶାସ୍ତ୍ର, ଇସ୍ଲାମୀ କାନୁନ କେମିତି ମତେ ଜଣା ନ ଥିଲା । ଅର୍ଜୀ ଦରଖାସ୍ତ ଚିଠା କରି ଶିଖି ନ ଥିଲି । ମୁଁ ବଡ଼ ଚିନ୍ତାରେ ପଡ଼ିଗଲି । ଫିରୋଜସା ମେହେତାଙ୍କ ନାମ ଶୁଣିଥାଏ । ଅଦାଲତରେ ସେ ସିଂହପରି ଗର୍ଜନ କରନ୍ତି । ସେ ବିଲାତରେ କେମିତି କ’ଣ ଶିଖିଥିଲେ ? ତାଙ୍କଭଳି ବିଜ୍ଞ ତ ଏ ଜନ୍ମରେ ମିଳିବ ନାହିଁ, ତଥାପି ଓକିଲାତି କରି ପେଟ ପୋଷିବାରେ ମୋର ସନ୍ଦେହ ଜାତ ହେଲା ।

 

ଏସବୁ ଗୋଳମାଳିଆ ଆଇନର ପଢ଼ି ପଢ଼ି ଯାହା ଚାଲୁଥିଲା ତାହା ଚାଲିଥାଏ । ମୋର ଏ ସବୁ ଅସୁବିଧା ମୁଁ ଜଣେ ଦି’ଜଣ ବନ୍ଧୁଙ୍କୁ ମଧ୍ୟ ଜଣେଇଲି । ସେମାନେ ଦାଦା ଭାଇଙ୍କ ପରାମର୍ଶ ନେବାକୁ ସୂଚାଇଥିଲେ । ମୁଁ ଆଗରୁ ଲେଖିସାରିଛି ଯେ, ଦାଦାଭାଇଙ୍କୁ ପାଖକୁ ମୁଁ ଖଣ୍ଡେ ସୁପାରିଶ ଚିଠି ଆଣିଥିଲି । ସେ ଚିଠିକୁ କାମରେ ଲଗେଇବାରେ ମୁଁ ଡେରି କରି ଦେଇଥାଏ । ଏପରି ମହାନ୍‌ ଲୋକଙ୍କ ସଙ୍ଗେ ସାକ୍ଷାତ କରିବାକୁ ଯିବାପାଇଁ ମୋର କି ଅଧିକାର ଅଛି ? ତାଙ୍କର କେଉଁଠି ବକ୍ତୃତା ହେଲେ ମୁଁ ଶୁଣିବାକୁ ଯାଏ ଏବଂ ଗୋଟିଏ କୋଣରେ ବସି ଆଖି କାନକୁ ତୃପ୍ତ କରି ଚାଲିଆସେ । ତାଙ୍କୁ ଛାତ୍ରମାନଙ୍କ ସଂସ୍ପର୍ଶରେ ଆଣିବାକୁ ଏକ ସମିତି ଗଢ଼ିଥିଲୁ । ସେଥିରେ ମୁଁ ଉପସ୍ଥିତ ହେଉଥିଲି । ଦାଦା ଭାଇଙ୍କର ଛାତ୍ରମାନଙ୍କ ପ୍ରତି ମମତା ଦେଖି ଏବଂ ସେମିତି ଛାତ୍ରମାନଙ୍କର ତାଙ୍କ ପ୍ରତି ଆଦର ଦେଖି ମତେ ଭାରି ଖୁସି ଲାଗୁଥିଲା । ଯାହାହେଉ ଅବଶେଷରେ ତାଙ୍କୁ ସେ ସୁପାରିଶ ଚିଠି ଖଣ୍ଡକ ଦେବାକୁ ସାହସ କଲି । ତାଙ୍କ ସଙ୍ଗେ ଦେଖାହେଲା । ସେ ମତେ କହିଲେ, ତୋର ମୋ ସଙ୍ଗେ ଦେଖା କରି କିଛି ପରାମର୍ଶ ନେବାର ହେଲେ ନିଶ୍ଚୟ ଦେଖା କରିବୁ-। କିନ୍ତୁ ମୁଁ ତାଙ୍କୁ କେବେ କଷ୍ଟ ଦେଇ ନାହିଁ । ନିତାନ୍ତ ଦରକାର ନ ପଡ଼ିଲେ ତାଙ୍କ ସମୟ ନଷ୍ଟ କରିବା ମତେ ପାପ ଭଳି ଲାଗିଲା । ଅତଏବ ଉକ୍ତ ବନ୍ଧୁଙ୍କର ପରାମର୍ଶ ଅନୁସାରେ ମୋର କଷ୍ଟ ଅସୁବିଧା ଦାଦା ଭାଇଙ୍କ ଆଗରେ କହିବାର ସାହାସ ହୋଇ ନ ଥିଲା । ସେହି ବନ୍ଧୁ ବା ଅନ୍ୟ କିଏ ଜଣେ ମତେ ମି: ଫିକଟଙ୍କ ସଙ୍ଗେ ଦେଖା କରିବାକୁ କହିଥିଲେ । ମି: ଫିକଟ ରକ୍ଷଣଶୀଳ ଦଳର (କନ୍‌ଜିରବେଟିଭ୍) ସଭ୍ୟ ଥିଲେ । କିନ୍ତୁ ଭାରତୀୟମାନଙ୍କ ପ୍ରତି ତାଙ୍କର ସ୍ନେହ ନିର୍ମଳ ଓ ନିସ୍ୱାର୍ଥ ଥିଲା । ଅନେକ ଛାତ୍ର ତାଙ୍କ ପରାମର୍ଶ ନେଇଥାନ୍ତି । ସେଥିପାଇଁ ତାଙ୍କୁ ଚିଠି ଲେଖି ଦେଖା କରିବାକୁ ସମୟ ମାଗିଲି ଓ ସେ ସମୟ ଦେଇଥିଲେ । ତାଙ୍କ ସହିତ ଦେଖା ହୋଇଥିଲା । ଏ ମୁଲାକତ ମୁଁ କେବେହେଁ ପାସୋରି ପାରିବି ନାହିଁ । ସେ ବନ୍ଧୁଭଳି ମୋ ସହିତ ଦେଖା କରିଥିଲେ । ମୋର ନିରାଶ କଥା ଶୁଣି ସେ ହସି ଉଡ଼ାଇ ଦେଇଥିଲେ । ‘‘ତୁ କ’ଣ ମନେ କରିଛୁ ଫିରୋଜ ସା ମେହେତା ହେବା ଦରକାର ? ଫିରୋଜ ସା ବା ବଦରୁଦ୍ଦିନ ଜଣେ ବା ଦି’ଜଣ ହୋଇ ପାରିବେ । ତୁ ନିଶ୍ଚୟ ଜାଣି ରଖ ଯେ ସାଧାରଣ ଓକିଲ ହୋଇପାଇଁ ବେଶୀ ବିଦ୍ୟା ବୁଦ୍ଧି ଆବଶ୍ୟକ ହୁଏ ନାହିଁ-। ସାଧାରଣ ସାଧୁତା ଓ ଅଧ୍ୟବସାୟ ଥିବା ମଣିଷ ଓକିଲାତି ଧନ୍ଦା ସହଜରେ ଚଳେଇ ପାରିବ-। ସବୁ ମକଦ୍ଦମାରେ ଜଟିଳତା ନ ଥାଏ । ହଉ ତମର ସାଧାରଣ ପଢ଼ା କେଉଁଯାଏ ?’’

 

ମୁଁ ଯେମିତି ମୋର ପଢ଼ାପଢ଼ି କଥା ଶୁଣେଇଦେଲି, ସେମିତି ସେ ଟିକିଏ ନିରାଶ ହେଲା ପରି ମତେ ଲାଗିଲା । କିନ୍ତୁ ସେ ନିରାଶ କ୍ଷଣିକ ଥିଲା । ପୁଣି ସଙ୍ଗେ ସଙ୍ଗେ ତାଙ୍କର ମୁହଁରେ ହସି ଫୁଟି ଉଠିଲା, ସେ କହିଲେ—

 

ଏବେ ତୋର ଦୁଃଖ ବୁଝିଲି । ତୋର ସାଧାରଣ ପଢ଼ାପଢ଼ି ବହୁତ କମ ଅଛି । ତୋର ଦୁନିଆର ଜ୍ଞାନ ନାହିଁ । ଓକିଲର ସେତକ ନ ହେଲେ ନ ଚଳେ । ତୁ ତ ଭାରତର ଇତିହାସ ପଢ଼ି ନାହୁଁ । ଓକିଲର ମଣିଷ ପ୍ରକୃତିର ଜ୍ଞାନ ଥିବା ଦରକାର । ମୁହଁ ଦେଖି ମଣିଷ ଚିହ୍ନି ଆସୁଥିବା ଦରକାର । ପୁଣି ପ୍ରତ୍ୟେକ ଭାରତବାସୀର ଭାରତ ଇତିହାସ ଜ୍ଞାନ ଥିବା ଉଚିତ । ଏହା ସଙ୍ଗେ ଓକିଲାତିର ସମ୍ବନ୍ଧ ନାହିଁ । କିନ୍ତୁ ସେତକ ଜ୍ଞାନ ତୋର ହେବା ଉଚିତ । ମୁଁ ଦେଖୁଛି, ତୁ ‘ମଲେସନ’ର ୧୮୫୭ ମସିହା ବିଦ୍ରୋହର ବହି ଖଣ୍ଡି ପଢ଼ିନାହୁଁ । ଏହା ତୁ ଶୀଘ୍ର ପଢ଼ି ନେବୁ । ମୁଁ ତତେ ଦି’ଖଣ୍ଡ ବହିର ନାମ ଦେଉଛି । ମଣିଷ ଚିହ୍ନିବା ପାଇଁ ସେ ସବୁ ପଢ଼ିନେବା ଉଚିତ ।’’ ଏମିତି କହିସାରି ଲେୱେଟ୍‌ର ଓ ସେ ମଲା ପନିକର ‘‘ମୁଖ ସାମୁଦ୍ରିକ ବିଦ୍ୟା’’ (ଫିଜିଓନମି) ବହି ଦୁଇଟିର ନାମ ଲେଖି ଦେଇଥିଲେ ।

 

ମୁଁ ମୁରବୀ ବନ୍ଧୁଙ୍କ ପାଖରେ କୃତଜ୍ଞତା ପ୍ରକାଶ କଲି । ତାଙ୍କ ଉପସ୍ଥିତରେ ମୋର ଭୟ କ୍ଷଣକ ପାଇଁ ଚାଲି ଯାଉଥିଲା; କିନ୍ତୁ ବାହାରକୁ ଆସିବା ସଙ୍ଗେ ସଙ୍ଗେ ପୁଣି ମୋ ମନରେ ଗୋଳମାଳିଆ ଆରମ୍ଭ ହୋଇଗଲା । ଚେହେରା ଦେଖି ମଣିଷ ଚିହ୍ନିବ, ଏ ବାକ୍ୟକୁ ଘୋଷୁଥାଏ ଏବଂ ସେ ବହି ଦୁଇଖଣ୍ଡର କଥା ଭାବି ଭାବି ଘରେ ପହଞ୍ଚିଲି । ତହିଁ ଆର ଦିନ ‘‘ଲେୱେଟ୍‌ର’’ ବହିଖଣ୍ଡି କିଣିଲି । ଆରଖଣ୍ଡ ଦୋକାନରେ ମିଳିଲା ନାହିଁ । ଲେୱେଟରର ବହି ଖଣ୍ଡି ପଢ଼ିଲି, ମାତ୍ର ତାହା ସ୍ମେଲର ବହିଠାରୁ କଠିଣ ଜଣା ପଡ଼ିଲା । କିଛି ରସ ନ ଥିଲା ପରି ଲାଗିଗଲା । କିନ୍ତୁ ଲଣ୍ଡନର ବାଟ ଘାଟରେ ଚାଲୁଥିବା ସେକସ୍‌ପିଅରଙ୍କୁ ଚିହ୍ନିବା ଶକ୍ତି ହାସଲ ହୋଇ ନ ଥିଲା ।

 

ଲେଓ୍ୱେଟରରୁ ମତେ କିଛି ଜ୍ଞାନ ମିଳି ନ ଥିଲା । ମି. ଫିଟକଙ୍କର ପରାମର୍ଶ ମୋର ସିଧା ସଳଖ ବ୍ୟବହାରରେ ଆସିଲା ନାହିଁ ସତ; କିନ୍ତୁ ତାଙ୍କର ସ୍ନେହ ବିଶେଷ କାମରେ ଆସିଥିଲା । ତାଙ୍କର ହସ ହସ ଉଦାର ମୁହଁ ମନେ ରହିଗଲା । ଓକିଲାତି ପାଇଁ ଫିରୋଜସାଙ୍କର ବିଦ୍ୟାବୁଦ୍ଧି ବା ସ୍ମରଣ ଶକ୍ତି ପ୍ରଭୃତି ଲୋଡ଼ା ନାହିଁ ଏବଂ ସାଧୁତା ଓ ଅଧ୍ୟବସାୟ କାମ ଚଳେଇବ, ତାଙ୍କର ଏ ବାକ୍ୟ ଉପରେ ଶ୍ରଦ୍ଧା ରଖିଥିଲି । ଏ ଦିଓଟି ଯାକ ମୂଳଧନ ମୋ ପାଖରେ ଠିକ୍‌ ମୁତାବକ ଥିଲା । ତେଣୁ ମୋ ହୃଦୟରେ ଟିକିଏ ଆଶା ଆସିଗଲା ।

 

ମଲେସନଙ୍କର ବହିଖଣ୍ଡି ତ ମୁଁ ବିଲାତରେ ପଢ଼ି ପାରି ନ ଥିଲି; କିନ୍ତୁ ପହଲି ସୁଯୋଗରେ ତାକୁ ପଢ଼ି ପକେଇବାକୁ ସ୍ଥିର କରିନେଲି । ଏ ଅଭିଳାଷ ଦକ୍ଷିଣ ଆଫ୍ରିକାରେ ପୂର୍ଣ୍ଣ ହୋଇ ଥିଲା ।

 

ଏହିଭଳି ନିରାଶା ଭିତରେ ଟିକିଏ ଆଶାର ଆଲୋକ ରେଖା ନେଇ କମ୍ପିତ ଭାବରେ ବମ୍ବେଇ ବନ୍ଦରରେ ‘‘ଆସାମ ଜାହାଜରୁ’’ ଓହ୍ଲେଇଲି । ପାଖରେ ସମୁଦ୍ର ଲହରୀ ଜୋରଥିଲା । ସେଥିପାଇଁ ଲଞ୍ଚରେ କୂଳକୁ ଆସିଥିଲି ।

Image

 

 

 

 

 

 

 

 

 

 

 

ଦ୍ୱିତୀୟ ଭାଗ

ସତ୍ୟର ପ୍ରୟୋଗ ବା ଆତ୍ମ-କଥା

 

ରାୟଚନ୍ଦଭାଇ

 

ଶେଷ ଅଧ୍ୟାୟରେ ମୁଁ ଲେଖିଛି ଯେ, ବମ୍ବେଇ ବନ୍ଦରରେ ସମୁଦ୍ର ତେଜ ଥିଲା । ଜୁନ୍‌ ଜୁଲାଇ ମାସରେ ଭାରତ ମହାସାଗରେ ଏହା କିଛି ନୂଆ କଥା ନୁହେଁ, ଏଡ଼େନ୍‌ଠାରୁ ସମୁଦ୍ର ସେମିତି ହେଉଥିଲା । ଜାହାଜରେ ସମସ୍ତେ ବେମାର ପଡ଼ି ଯାଇଥିଲେ, ଏକା ମୁଁ ମଉଜ କରୁଥିଲି । ତୋଫାନ ଦେଖିବାକୁ ଜାହାଜର ଛାତ ଉପରକୁ ଯାଏ । ସେଠି ପାଣିଛାଟରେ ତିନ୍ତିଯାଏ । ସକାଳ ଖାଇବାବେଳେ ଯାତ୍ରୀଙ୍କ ଭିତରୁ ମୁଁ ଏକା ଖାଏ । ମୋତେ ଓଟର (ଯଅଜାତୀୟ)ର ଜାଉ ପିଆଲା କୋଡ଼ରେ ରଖି ଖାଇବାକୁ ପଡ଼େ, ନଚେତ୍‌ ଜାଉ ସବୁ ତଳେ ପଡ଼ିଯିବ, ଏମିତି ଅବସ୍ଥା ଥିଲା ।

 

ଏ ବାହାରର ଝଡ଼ ମୋର ଭିତରର ଝଡ଼ର ଚିହ୍ନ ସ୍ୱରୂପ ଥିଲା । କିନ୍ତୁ ବାହାରର ଝଡ଼ ସତ୍ତ୍ୱେ ମୁଁ ଯେମିତି ଶାନ୍ତ ଥିଲି, ଭିତରର ତୋଫାନ ସମ୍ବନ୍ଧରେ ମଧ୍ୟ ସେଇ ଅବସ୍ଥା ଥିଲା ବୋଲି ମତେ ଜଣା ପଡ଼ିଛି । ଜାତି ବାସନ୍ଦ କଥା ଥିଲା । ବ୍ୟବସାୟରେ ଚିନ୍ତା ସମ୍ୱନ୍ଧରେ ତ ଲେଖି ସାରିଛି-। ପୁଣି ମୁଁ ଟିକିଏ ସଂସ୍କାରକ ଥିବାରୁ ମନରେ ସଂସ୍କାରର କଳ୍ପନା କରିଥିଲି, ତା’ର ଚିନ୍ତା ମଧ୍ୟ ଥାଏ-। ଅନ୍ୟ ଅପ୍ରତ୍ୟାଶିତ ଚିନ୍ତା ମଧ୍ୟ ଉତ୍ପନ୍ନ ହୋଇଥିଲା ।

 

ମା’ର ଦର୍ଶନ କରିବାକୁ ମୁଁ ଅଧୀର ହୋଇ ପଡ଼ିଲି । ଆମେ ବନ୍ଦରର ଡକରେ ପହଞ୍ଚିଲାବେଳକୁ ମୋର ବଡ଼ଭାଇ ସେଠି ଉପସ୍ଥିତ ଥାନ୍ତି । ସେ ଡାକ୍ତର ମେହେତା ଓ ତାଙ୍କ ବଡ଼ଭାଇଙ୍କ ପରିଚୟ କରି ଦେଇଥାନ୍ତି । ଡାକ୍ତର ମେହେତାଙ୍କ ଇଚ୍ଛା ମୁଁ ତାଙ୍କ ପରେ ଯାଇ ରହେ ଅତଏବ ମତେ ସେଠାକୁ ନେଇଗଲେ । ଆମର ବିଲାତାରେ ଯେ ସମ୍ବନ୍ଧ ହୋଇଥିଲା, ତାହା ଦେଶରେ କାୟମ ରହି ଅଧିକ ଦୃଢ଼ ହୋଇଥିଲା; ପୁଣି କ୍ରମେ ତାହା ଦୁଇ ପରିବାର ଭିତରେ ମଧ୍ୟ ପ୍ରସରି ଥିଲା ।

 

ମା’ର ସ୍ୱର୍ଗବାସ ବିଷୟରେ ମୁଁ କିଛି ଜାଣି ନ ଥିଲି । ଘରେ ପହୁଞ୍ଚିଲା ପରେ ମତେ ସେ ଖବର ଦେଇଥିଲେ ଏବଂ ଗାଧୁଆଇ ଥିଲେ । ଏ ଖବର ମତେ ବିଲାତରେ ମିଳିପାରିଥାନ୍ତା; କିନ୍ତୁ ମନ କଷ୍ଟ କମ୍‌ କରିବା ଉଦ୍ଦେଶ୍ୟରେ ବମ୍ବେଇ ନ ପହଞ୍ଚିବାଯାଏ ଖବର ନ ଦେବାକୁ ବଡ଼ଭାଇ ସ୍ଥିର କରିଥିଲେ । ମୋର ଦୁଃଖର କାହାଣୀକୁ ଘୋଡ଼େଇ ରଖିବାକୁ ଚାହୁଁଛି । ବାପାଙ୍କ ମୃତ୍ୟୁରେ ମତେ ଯେତେ ଦୁଃଖ ଲାଗିଥିଲା ତା’ଠାରୁ ଢେର ବେଶୀ ମା’ର ମୃତ୍ୟୁ ଖବରରେ ଲାଗିଲା । ମୋ ମନରୁ ଅନେକ କଳ୍ପନା, ଜଳ୍ପନା ଉଭେଇ ଗଲା; କିନ୍ତୁ ମୋର ମନେ ଅଛି, ମୁଁ ଏ ମୁତ୍ୟୁ ସମ୍ବାଦ ଶୁଣି ଭୋ’ ଭୋ’ କରି କାନ୍ଦି ନ ଥିଲି । ଲୁହ ଉଛୁଳିଥିଲେ ତ ସବୁ ଉତୁରି ପଡ଼ିଥାନ୍ତା । ସତେ ଯେମିତି ମା’ର ମୃତ୍ୟୁ ହୋଇନାହିଁ, ସେମିତି ମୁଁ ସବୁ କାମ ଧନ୍ଦାରେ ପଶି ଯାଇଥିଲି । ଡାକ୍ତର ମେହେତା ତାଙ୍କ ଘରେ ଯେଉଁସବୁ ଚିହ୍ନା ପରଚ କରେଇ ଦେଇଥିଲେ, ସେଥିରୁ ଗୋଟିଏ ଉଲ୍ଲେଖ ନ କଲେ ନ ଚଳେ । ତାଙ୍କର ଭାଇ ରେବା ଶଙ୍କର ଜଗଜୀବନଙ୍କ ସଙ୍ଗେ ତ ଜୀବନ ସମ୍ପର୍କ ସ୍ଥାପିତ ହୋଇଥିଲା-। କିନ୍ତୁ ମୁଁ ଯାହାଙ୍କ କଥା କହିବାକୁ ଚାହେଁ ସେ ହେଉଛନ୍ତି କବି ରାୟଚନ୍ଦ ବା ରାମଚନ୍ଦ୍ର-। ସେ ଡାକ୍ତରଙ୍କ ବଡ଼ଭାଇଙ୍କ ଜୁଆଇଁ ଏବଂ ରେବାଶଙ୍କର ଜଗଜୀବନ ଦୋକାନର ଅଂଶୀଦାର ଓ ହର୍ତ୍ତାକର୍ତ୍ତା ଥିଲେ । ତାଙ୍କ ବୟସ ସେତେବେଳେ ପଚିଶ ବର୍ଷରୁ ବେଶୀ ହେବ ନାହିଁ, ତଥାପି ସେ ସଚ୍ଚରିତ୍ର ଓ ଜ୍ଞାନୀ ଥିଲେ, ଏହା ମୁଁ ପହିଲି ଦେଖା ସାକ୍ଷାତରେ ବୁଝିପାରିଥିଲି । ସେ ଜଣେ ଶତାବଧାନୀ ବୋଲି ପରିଚିତ ଥିଲେ । ଶତାବଧାନର ନମୁନା ଦେଖିବାପାଇଁ ଡା: ମହେତା ମତେ ସୂଚାଇ ଥିଲେ । ମୁଁ ମୋର ଭାଷା ଜ୍ଞାନର ଭଣ୍ଡାର ଖାଲି କରି ଦେଇଥିଲି ଏବଂ ମୋର ଶବ୍ଦଗୁଡ଼ିକୁ ଯେଉଁ କ୍ରମରେ ମୁଁ କହିଥିଲି, କବି ଠିକ୍‌ ସେହି କ୍ରମରେ କହି ଶୁଣାଇଥିଲ । ତାଙ୍କର ଏ ଶକ୍ତି ମୋ ପକ୍ଷରେ ନୂଆ ଥିଲେ ମଧ୍ୟ ମୁଁ ସେଥିରେ ମୁଗ୍‌ଧ ହୋଇ ନ ଥିଲି । ଯେଉଁ ଜିନିଷରେ ମୁଗ୍‌ଧ ହେଲି ତା’ର ପରିଚୟ ମତେ ପଛରେ ମିଳିଥିଲା । ତାହା ହେଉଛି ତାଙ୍କର ବିଶାଳ ଶାସ୍ତ୍ରଜ୍ଞାନ, ତାଙ୍କର ଶୁଦ୍ଧ ଚରିତ୍ର ଏବଂ ଭଗବଦ୍ ଦର୍ଶନ ପାଇଁ ପ୍ରବଳ ଆଗ୍ରହ । ଏହି ଆତ୍ମଦର୍ଶନ ପାଇଁ ସେ ନିଜର ଜୀବନ ବିତଉଥିଲେ, ଏହା ପରେ ଦେଖି ପାରିଥିଲି ।

 

‘‘ହସରେ ଖେଳରେ ହରିଙ୍କି ଦେଖିବି ଯେବେ

 

ଜୀବନ ମୋହର ସଫଳ ମଣିବ ତେବେ ।

 

ମୁକ୍ତାନନ୍ଦର ନାଥ ସେହି ପ୍ରଭୁ ବିହାରୀ

 

ନଚାନ୍ତି ଜୀବନ ଡୋରୀ ସଦା ସେ ମୋହରି ।’’

 

ମୁକ୍ତାନନ୍ଦଙ୍କର ଏ ଭଜନ ତାଙ୍କ ମୁହଁରେ ତ ଥାଏ, ଉପରନ୍ତୁ ତାହା ତାଙ୍କ ହୃଦୟରେ ମଧ୍ୟ ଅଙ୍କା ହୋଇଥାଏ ।

 

ନିଜେ ହଜାର ହଜାର ଟଙ୍କାର କାରବାର କରନ୍ତି, ହୀରାମୋତି ପରଖ କରନ୍ତି; ବେପାର ବଣିଜର ଅଡ଼ୁଆ ତୁଟାନ୍ତି । କିନ୍ତୁ ସେ ଏ ସବୁରେ ଜଡ଼ିତ ନୁହନ୍ତି । ତାଙ୍କର ‘‘ବିଷୟ’’—ତାଙ୍କର ପୁରୁଷାର୍ଥ ହେଉଛି ହରି-ଦର୍ଶନ । ନିଜର ଦୋକାନ ଗଦୀ ଉପରେ ଆଉ କିଛି ଥାଉ ନ ଥାଉ, କୌଣସି ନା କୌଣସି ଧର୍ମପୁସ୍ତକ ଖଣ୍ଡେ ନିଶ୍ଚୟ ଥିବ ବା ଦୈନନ୍ଦିନ ଟିପା ବହିଟି ଥିବ । ବେପାର କାମ ସରିଲାକ୍ଷଣି ଧର୍ମପୁସ୍ତକ ଖଣ୍ଡ ଫିଟାନ୍ତି ବା ସେ ଟିପାବହି ଫିଟାନ୍ତି । ତାଙ୍କର ଯେତେ ଲେଖା ସଂଗ୍ରହ କରାଯାଇଛି, ସେଥିରୁ ଅଧିକାଂଶ ଏହି ଟିପା ବହିରୁ ନିଆ ଯାଇଛି । ଯେ ଲୋକ ଟଙ୍କାର କାରବାରର କଥାବାର୍ତ୍ତା କରି ସାରି ସାଙ୍ଗେ ସାଙ୍ଗେ ଆତ୍ମଜ୍ଞାନର ଗୂଢ଼ତତ୍ତ୍ୱ ଲେଖିବାକୁ ବସିଯାଏ, ସେ ବେପାରୀ ଶ୍ରେଣୀର ନୁହେଁ, ସେ ତ ଶୁଦ୍ଧ ଜ୍ଞାନୀଙ୍କ ଭିତରେ ଗଣା ହେବ । ତାଙ୍କର ଏ ଭଳି ବ୍ୟକ୍ତିତ୍ୱର ଅନୁଭବ ମୋର ଥରେ ନୁହେଁ ଅନେକଥର ହୋଇଛି । ମୁଁ କେବେ ତାଙ୍କୁ ବିଷୟ ଜଡ଼ିତ ଅବସ୍ଥାରେ ଦେଖି ନାହିଁ । ମୋ ସାଙ୍ଗେ ତାଙ୍କର କୌଣସି ସ୍ୱାର୍ଥ ନ ଥିଲା । ମୋର ତାଙ୍କର ଖୁବ୍‌ ଘନିଷ୍ଠ ସମ୍ବନ୍ଧ ଥିଲା । ମୁଁ ତ ସେତେବେଳେ ଭିକାରୀ ବାରିଷ୍ଟର । କିନ୍ତୁ ମୁଁ ଯେମିତି ଦୋକାନରେ ପହଞ୍ଚିଯାଏ ସେମିତି ସେ ମୋ ସଙ୍ଗେ ଧର୍ମ-ଚର୍ଚ୍ଚା ଛଡ଼ା ଅନ୍ୟ କିଛି କରନ୍ତି ନାହିଁ । ସେତେବେଳେ ଯଦ୍ୟପି ମୋର ବାଟ ମୁଁ ଧରି ନ ଥିଲି, ସାଧାରଣତଃ ଧର୍ମକଥାରେ ମତେ ଆନନ୍ଦ ମିଳୁଥିଲା ବୋଲି କହିପାରିବି ନାହିଁ । ତଥାପି ରାୟଚନ୍ଦ୍ର ଭାଇଙ୍କ ଧର୍ମ ଆଲୋଚନାରେ ମୋର ଯଥେଷ୍ଟ ଆନନ୍ଦ ହେଉଥିଲା । ମୁଁ ପରେ ଅନେକ ଧର୍ମଗୁରୁଙ୍କ ସମ୍ପର୍କରେ ଆସିଛି । ପ୍ରତ୍ୟେକ ଧର୍ମର ଆଚାର୍ଯ୍ୟମାନଙ୍କ ସଙ୍ଗେ ଦେଖା ସାକ୍ଷାତ କରିବାର ଉଦ୍ୟମ କରିଛି, ମାତ୍ର ରାୟଚନ୍ଦ୍ର ଭାଇଙ୍କର ଯେଭଳି ପ୍ରଭାବ ମୋ ଉପରେ ପଡ଼ିଛି, ସେମିତି ଆଉ କାହାରି ପଡ଼ିନାହିଁ । ତାଙ୍କର ଅନେକ କଥା ଏକଦମ୍‌ ଭିତରକୁ ପଶିଯାଏ । ତାଙ୍କର ବୁଦ୍ଧି ପ୍ରତି ମୋର ସମ୍ମାନ ଥିଲା । ତାଙ୍କର ସାଧୁତା ବିଷୟରେ ମଧ୍ୟ ସେହିପରି ସମ୍ମାନ ଥିଲା ଏବଂ ମୁଁ ଜାଣିଥିଲି ଯେ, ସେ ମତେ ଜାଣିଶୁଣି ଭୁଲ ବାଟେ ନେବେ ନାହିଁ କିମ୍ବା ତାଙ୍କ ମନରେ ମଧ୍ୟ ସେକଥା ଉଠିବ ନାହିଁ, ସେଥିଯୋଗୁଁ ମୁଁ ମୋର ଆଧ୍ୟାତ୍ମିକ ସମସ୍ୟାରେ ତାଙ୍କର ଆଶ୍ରୟ ନେଉଥିଲି ।

 

ରାୟଚନ୍ଦ୍ର ଭାଇଙ୍କ ପ୍ରତି ମୋର ଏତେ ଆଦର ଥିଲେ ସୁଦ୍ଧା, ମୁଁ ତାଙ୍କୁ ମୋର ଧର୍ମଗୁରୁ ଭଳି ମୋ ହୃଦୟରେ ସ୍ଥାନ ଦେଇ ପାରି ନ ଥିଲି । ମୋର ଧର୍ମଗୁରୁ ଖୋଜିବା କାମ ଆଜି ସୁଦ୍ଧା ଚାଲିଛି ।

 

ହିନ୍ଦୁଧର୍ମ ଗୁରୁପଦକୁ ଯେ ଉଚ୍ଚସ୍ଥାନ ଦେଇଛି ତାହା ମୁଁ ମାନେ । ଗୁରୁ ବିନା ଜ୍ଞାନ ହୁଏ ନାହିଁ, ଏ କଥା ଅନେକ ପରିମାଣରେ ସତ୍ୟ । ଅକ୍ଷର ଜ୍ଞାନ ଦେଇଥିବା ଅପୂର୍ଣ୍ଣ ଗୁରୁ ଦ୍ୱାରା କାମ ଚଳିଯିବ, ମାତ୍ର ଆତ୍ମଦର୍ଶନ କରେଇବା ଅପୂର୍ଣ୍ଣ ଶିକ୍ଷକଙ୍କଦ୍ୱାରା ଚଳିବ ନାହିଁ । ଯେ ସମ୍ପୂର୍ଣ୍ଣ ଜ୍ଞାନୀ ତାଙ୍କୁହିଁ ଗୁରୁ କରିହେବ । ଗୁରୁ ଖୋଜିବାରେ ସଫଳତା ନିଶ୍ଚୟ ମିଳିଥାଏ । କାରଣ ଶିଷ୍ୟର ଯୋଗ୍ୟତା ଅନୁସାରେ ଗୁରୁ ମିଳିଥାଏ । ଅର୍ଥାତ୍‌ ଯୋଗ୍ୟ ହେବାପାଇଁ ଉଦ୍ୟମ କରିବାରେ ପ୍ରତ୍ୟେକ ସାଧକର ଅଧିକାର ଅଛି । ଏ ଉଦ୍ୟମର ଫଳାଫଳ ଭଗବାନଙ୍କ ହାତରେ ।

 

ଅତଏବ ଯଦ୍ୟପି ମୁଁ ରାୟଚନ୍ଦ୍ର ଭାଇଙ୍କୁ ମୋର ହୃଦୟର ସ୍ୱାମୀ କରିପାରି ନ ଥିଲି, ତଥାପି ସମୟ ସମୟରେ ତାଙ୍କର ଆଶ୍ରୟ କେମିତି ମତେ ମିଳିଯାଉଥିଲା, ତାହା ଏବେ ଆମେ ଦେଖି ପାରିବା । ଏଠାରେ ଏତିକି କହଲେ ଯଥେଷ୍ଟ ହେବ ଯେ, ମୋ ଜୀବନ ଉପରେ ଗଭୀର ପ୍ରଭାବ ପକେଇଥିବା ଆଧୁନିକ ମଣିଷ ତିନିଜଣ ଅଟନ୍ତି । ରାୟଚନ୍ଦ୍ର ଭାଇ ତାଙ୍କର ଜୀବନ୍ତ ସ୍ପର୍ଶଦ୍ୱାରା, ଟଲଷ୍ଟୟ ତାଙ୍କର ‘‘ସ୍ୱର୍ଗ ତମରି ହୃଦୟ ଭିତରେ ଅଛି’’ ବହିଦ୍ୱାରା ଏବଂ ରସ୍କିନ୍‌ ‘‘ଅନ୍‌ ଟୁ ଦିସ୍‌ ଲାଷ୍ଟ’’(ସର୍ବୋଦୟ) ନାମକ ପୁସ୍ତକ ଦ୍ୱାରା ମତେ ମୁଗ୍‌ଧ କରିଛନ୍ତି । ମାତ୍ର ଏ ବିଷୟ ଯେଝା ସ୍ଥାନରେ କୁହାଯିବ ।

 

ସଂସାର-ପ୍ରବେଶ

 

ବଡ଼ଭାଇ ମୋଠାରେ ବହୁତ ଆଶା ବାନ୍ଧିଥାନ୍ତି । ତାଙ୍କର ଧନ, ମାନ ଓ ଯଶର ବହୁତ ଲୋଭ ଥାଏ । ତାଙ୍କର ହୃଦୟଟା ବାଦଶାହୀ ଥିଲା । ଉଦାର ବୋଲି ସବୁ ଉଡ଼ାଇ ଦେବାଯାଏ ଚାଲିଯାନ୍ତି । ତାଙ୍କର ଏହି ଭୋଳା ପ୍ରକୃତିରୁ ବନ୍ଧୁ କରିବାରେ କୌଣସି ବାଧା ନ ଥାଏ । ଏ ବନ୍ଧୁମାନଙ୍କ ଜରିଆରେ ସେ ମୋ ପାଇଁ ମକଦ୍ଦମା ଯୋଗାଡ଼ କରାଉଥିଲେ । ସେ ତ ଧରି ନେଇଥିଲେ ଯେ, ମୁଁ ଖୁବ୍‌ ରୋଜଗାର କରିବି ଏବଂ ସେଥିପାଇଁ ଘରଖର୍ଚ୍ଚ ବେଶି ବେଶି ପଠାଉଥିଲେ । ମୋ ପାଇଁ ଓକିଲାତିର କ୍ଷେତ୍ର ପ୍ରସ୍ତୁତ କରିବାପାଇଁ ସେ କିଛି ଆଉ ବାକି ରଖି ନ ଥିଲେ ।

 

ଜାତି ସଙ୍ଗେ କଳି ସେମିତି ଚାଲିଥାଏ । ଜାତି ଭିତରେ ଦୁଇଫାଙ୍କ ହୋଇ ଯାଇଥାନ୍ତି । ଗୋଟିଏ ଦଳ ମତେ ସଙ୍ଗେ ସଙ୍ଗେ ଜାତିରେ ନେଇ ଯାଇଥିଲେ । ଅନ୍ୟ ଦଳଟି ମତେ ନ ନେବାପାଇଁ ଜିଦ୍‌ ଧରି ବସିଥିଲେ । ଜାତିରେ ନେବାପକ୍ଷଙ୍କ ସନ୍ତୋଷ ପାଇଁ ରାଜକୋଟ ନେବାପୂର୍ବରୁ ଭାଇ ମତେ ନାସୀକ ତୀର୍ଥକୁ ନେଇ ଯାଇଥିଲେ । ସେଠାରେ ଗଙ୍ଗାସ୍ନାନ କରାଇଥିଲେ ଏବଂ ରାଜକୋଟରେ ପହଞ୍ଚି ଜାତି ଭାଇଙ୍କୁ ଖୁଆଇଥିଲେ ।

 

ଏ କାମ ମୁଁ ଖୁସିରେ କରି ନ ଥିଲି । ବଡ଼ଭାଇଙ୍କର ମୋ ପ୍ରତି ଅଗାଧ ସ୍ନେହ, ତାଙ୍କ ପ୍ରତି ମୋ ଭକ୍ତି ମଧ୍ୟ ସେମିତି ଥିଲା ବୋଲି ମୋର ବିଶ୍ୱାସ । ସେଥିଯୋଗୁଁ ତାଙ୍କର ଇଚ୍ଛାକୁ ଆଜ୍ଞା ରୂପେ ମାନି ମୁଁ ଯତ୍ନବତ୍‌ ତାଙ୍କ ଇଚ୍ଛା ଅନୁସାରେ ଚଳୁଥିଲି । ଏହା ଫଳରେ ଜାତି ଗୋଳମାଳ ଟିକିଏ ଥଣ୍ଡା ପଡ଼ି ଯାଇଥିଲା ।

 

ଯେଉଁ ଦଳରୁ ମୁଁ ବାସନ୍ଦ ହୋଇ ରହିଲି ସେଥିରେ ପଶିବାପାଇଁ ମୁଁ କଦାପି ଚେଷ୍ଟା କରିାନାହିଁ କିମ୍ବା ଜାତିର କୈାଣସି ବେହେରା (ସେଠ) ପ୍ରତି ମନରେ ରୋଷ ରଖି ନାହିଁ । ତାଙ୍କ ଭିତରେ କେତେକ ମତେ ଘୃଣା ଚକ୍ଷୁରେ ଦେଖୁଥିଲେ, ତାଙ୍କ ସଙ୍ଗେ ନଇଁକରି ଚଳୁଥିଲି । ଜାତି-ବାସନ୍ଦ ନିୟମକୁ ସମ୍ପୂର୍ଣ୍ଣ ମାନୁଥିଲି । ମୋ ଶଶୁର ଘରେ ବା ମୋ ଭଉଣୀ ଘରେ ମୁଁ ପାଣି ସୁଦ୍ଧା ପିଉ ନ ଥିଲି । ସେମାନେ ଲୁଚେଇ କରି ସବୁ ଦେବାକୁ ପ୍ରସ୍ତୁତ ଥାନ୍ତି, ମାତ୍ର ଯାହା ପ୍ରକାଶ୍ୟରେ ନ କରିବେ ତାହା ଲୁଚେଇ କରି କରିବାକୁ ମୁଁ ପସନ୍ଦ କରୁ ନ ଥିଲି ।

 

ମୋର ଏଭଳି ଆଚରଣ ଫଳରେ ଏୟା ହେଲା ଯେ, ଜାତି ତରଫରୁ ମୋ ଉପରେ କୌଣସି ଉପଦ୍ରବ ହେବା ମୋର ମନେ ନାହିଁ । ଏତିକି ନୁହେଁ ବରଂ, ଯଦ୍ୟପି ମୁଁ ଆଜିଯାଏ ଜାତିର ଏକଦଳରୁ ନିୟମାନୁସାରେ ବାସନ୍ଦ ବୋଲି ଧରାଯାଉଛି, ତା’ ସତ୍ତ୍ୱେ ତାଙ୍କ ତରଫରୁ ମୁଁ ସମ୍ମାନ ଓ ଉଦାରତା ପାଇ ଆସିଛି । ସେମାନେ ମଧ୍ୟ ମୋ କାମରେ ମତେ ସାହାଯ୍ୟ କରୁଛନ୍ତି, ଅଥଚ ମୁଁ ତାଙ୍କ ଜାତିପାଇଁ କିଛି କରେ ବୋଲି ମୋଠୁଁ କିଛି ଆଶା ବି କରନ୍ତି ନାହିଁ । ଜାତିରେ ପଶିବାକୁ ମୁଁ ଯଦି ଚକ୍ରାନ୍ତ କରିଥାନ୍ତି, ଅଧିକ ଦଳ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି; ଜାତିଭାଇଙ୍କୁ ଗାଳି ଅପମାନ କରିଥାନ୍ତି, ତେବେ ସେମାନେ ନିଶ୍ଚୟ ବିରୋଧ କରିଥାନ୍ତେ । ଉପରନ୍ତୁ ମୁଁ ମଧ୍ୟ ବିଲାତରୁ ଫେରି ଅଲିପ୍ତ ଓ ଉଦାସୀନ ନ ରହି ଦଳାଦଳି ଚକ୍ରାନ୍ତ ଜାଲରେ ଆବଦ୍ଧ ହୋଇଥାନ୍ତି; ମୁଁ ମିଥ୍ୟାକୁ କେବଳ ପ୍ରଶୟ ଦେଇଥାନ୍ତି ।

 

ମୋ ସ୍ତ୍ରୀ ସହିତ ସମ୍ବନ୍ଧ ଆଜିଯାଏ ମୋ ଇଚ୍ଛା ମୁତାବକ ହୋଇ ପାରି ନ ଥିଲା । ମୋର ଦ୍ୱେଷପୂର୍ଣ୍ଣ ପ୍ରକୃତି ମୁଁ ବିଲାତ ଯାଇ ସୁଦ୍ଧା ଛାଡ଼ିପାରି ନ ଥିଲି । ପ୍ରତ୍ୟେକ କଥାରେ ଦୋଷ ଦେଖିବା ଓ ସନ୍ଦେହ କରିବା ପ୍ରକୃତି ସେମିତି କାୟମ ଥିଲା । ସେଥିପାଇଁ ମୋ ମନର କଳ୍ପନାସବୁ ବି କାମରେ ପରିଣତ କରିପାରି ନ ଥିଲି । ସ୍ତ୍ରୀର ଅକ୍ଷର ଜ୍ଞାନ ହେବା ଉଚିତ ଏବଂ ତାହା ମୁଁ ଶିଖାଇବି ବୋଲି ବିଚାରିଥିଲି; ମାତ୍ର ମୋର ବିଷୟ ଆସକ୍ତି ମତେ ଏ କାମ କରେଇ ଦେଇ ନ ଥିଲା ଏବଂ ମୋର ତ୍ରୁଟିର ରାଗ ମୋ ସ୍ତ୍ରୀ ଉପରେ ମୁଁ ଢାଳି ଦେଇଥିଲି । ଥରେ ତ ଏମିତି ହେଲା ଯେ, ମୁଁ ତାକୁ ବାପ ଘରକୁ ପଠେଇ ଦେଇଥିଲି ଏବଂ ଅତ୍ୟନ୍ତ କଷ୍ଟ ଦେବା ପରେ ପୁଣି ସାଙ୍ଗରେ ରଖିବାକୁ ରାଜି ହୋଇଥିଲି । ଏଥିରେ ଯେ ମୋର ମୂର୍ଖପଣିଆ ପ୍ରକାଶ ପାଇଥିଲା, ଏହା ମୁଁ ପରେ ବୁଝି ପାରିଥିଲି ।

 

ପିଲାଙ୍କର ଶିକ୍ଷା ବିଷୟରେ ମଧ୍ୟ ମତେ ସବୁ ସଜାଡ଼ିବାକୁ ପଡ଼ିଥିଲା । ବଡ଼ଭାଇଙ୍କ ପୁଅମାନେ ଥିଲେ । ମୁଁ ମଧ୍ୟ ଗୋଟିଏ ପୁଅ ଛାଡ଼ି ଯାଇଥିଲି, ସେ ମଧ୍ୟ ଏତେ ବେଳକୁ ଚାରିବର୍ଷର ହୋଇଥାଏ । ପିଲାମାନଙ୍କୁ କସରତ୍‌ କରାଇବି, ତାଙ୍କୁ ମଜବୁତ କରିବି ଏବଂ ମୋ ସାଙ୍ଗରେ ରଖିବି, ଏଭଳି ବିଚାର ଥାଏ, ଏଥିରେ ଭାଇଙ୍କର ସହାନୁଭୂତି ମଧ୍ୟ ପାଏ । ଏ ଦିଗରେ ମୁଁ ଅଳ୍ପ ବହୁତ ସଫଳ ମଧ୍ୟ ହୋଇଥିଲି । ପିଲାଙ୍କର ସାଙ୍ଗ ମତେ ଭାରି ଭଲ ଲାଗେ ଏବଂ ସେମାନଙ୍କ ସଙ୍ଗେ ଥଟ୍ଟା ନକଲ କରିବା ଅଭ୍ୟାସ ଆଜିଯାଏ ରହି ଯାଇଛି । ପିଲାଙ୍କ ଶିକ୍ଷକ ରୂପେ ମୁଁ ଭଲକାମ କରିପାରିବି ବୋଲି ସେହି ସମୟରୁ ମୋର ଧାରଣା ହୋଇଯାଇଛି ।

 

ଖାଦ୍ୟର ସଂସ୍କାର କରିବା ଉଚିତ—ଏହା ତ ସ୍ପଷ୍ଟ କଥା ଥିଲା । ଘରେ ତ ଚାହା, କଫି ଆସ୍ଥାନ ଜମେଇ ବସିଥିଲେ । ମୁଁ ବିଲାତରୁ ଘରକୁ ଆସିବା ପୂର୍ବରୁ ଘରେ ବିଲାତର ହାଓ୍ୱା ଟିକିଏ ଚାଲିବା ଉଚିତ ବୋଲି ବଡ଼ଭାଇ ବିଚାରିଥିଲେ ଏବଂ ସେଥିପାଇଁ ଚିନାମାଟି ବାସନ, ଚାହା ପ୍ରଭୃତି ଯେଉଁ ଚିଜ ସବୁ ଔଷଧ ଭଳି ବା ସଭ୍ୟ ଅତିଥିଙ୍କ ପାଇଁ ଥିଲା, ସେ ସବୁ ସଦାସର୍ବଦା ସମସ୍ତଙ୍କ ପାଇଁ ବ୍ୟବହାର ହେବାକୁ ଲାଗିଥିଲା । ଏହିଭଳି ହାଓ୍ୱାରେ ମୁଁ ପୁଣି ମୋର ‘‘ସଂସ୍କାର’’ ସବୁ ନେଇ ଆସିଥିଲି । ଓଟମିଲ (ଯଅଜାତୀୟ) ଜାଉ ଓ ଚା’ ଓ କଫି ବଦଳରେ କୋକୋ ଚାଲିଲା । ମାତ୍ର ନାଁକୁ ସିନା ବଦଳରେ ହେଲା, ଫଳରେ ଚା’ କଫିରେ କୋକୋ ଅଧିକା ଯୋଡ଼ା ହେଲା । ଯୋତା ଓ ମୋଜା ପଶି ତ ଘରର ନିନ୍ଦା ହୋଇଥିଲା, ମୁଁ କୋଟ ପାଇଜାମାରେ ଘରକୁ ପବିତ୍ର କରି ଦେଇଥିଲି ।

 

ଏମିତି ଖରଚ ବଢ଼ି ଚାଲିଲା । ନୂଆ ନୂଆ କଥା ବି ପଶିଲା । ଘରେ ଧଳା ହାତୀ ବନ୍ଧାହେଲା । କିନ୍ତୁ ତାକୁ ପୋଷିବୁ କେଉଁଠୁ ? ରାଜକୋଟରେ ଯେ ସଙ୍ଗେ ସଙ୍ଗେ ବ୍ୟବସାୟ ଆରମ୍ଭ ହେବ ତାହା ବିଚାରିଲେ ହସ ମାଡ଼େ । ରାଜକୋଟରେ ପାଶ୍‌ କରିଥିବା ଓକିଲଙ୍କ ଆଗେ ଠିଆ ହେବାକୁ ତ ମୋର ବିଦ୍ୟାବୁଦ୍ଧି ନ ଥିଲା । ତା’ ଉପରେ ପୁଣି ତାଙ୍କଠୁଁ ଦଶଗୁଣ ଫିସ ନେବାକୁ ମୋର ଦାବି; କେଉଁ ମୂର୍ଖ ମହକିଲ ମତେ ଓକିଲ କରିବ ? କିମ୍ବା ସେମିତି ମୂର୍ଖ ମିଳିଯିବ ତ, ତଥାପି ମୁଁ କ’ଣ ମୋର ଅଜ୍ଞାନ ସଙ୍ଗେ ଅହଂକାର ଓ ଧପ୍‌ପାବାଜୀକୁ ଯୋଡ଼ି ଦୁନିଆ ଆଗରେ ଅଧିକ ପାପରେ ପାପୀ ହେବି ? ବନ୍ଧୁ ମାନଙ୍କ ପରାମର୍ଶ ହେଲା ମୁଁ କିଛି ଦିନ ବମ୍ବେଇ ଯାଏଁ । ସେଠା ହାଇକୋର୍ଟ କାମ ଶିଖେ, ଭାରତୀୟ ଆଇନ ମଧ୍ୟ ପଢ଼େ ଏବଂ ଓକିଲାତି ମିଳିବ ତ ପାଇବାର ଚେଷ୍ଟା କରେ । ମୁଁ ବମ୍ବେଇ ଯାଇ ବସିଥିଲି ।

 

ବସାଟିଏ ନେଲି । ରୋଷେୟା ଜଣେ ରଖିଲି, ସେ ବି ମୋରି ଭଳି । ସେ ବ୍ରାହ୍ମଣ ଥିଲା-। ମୁଁ ତ ତାକୁ ଚାକର ପରି ରଖି ନ ଥିଲି । ଏ ବ୍ରାହ୍ମଣ ସ୍ନାନ କରେ; କିନ୍ତୁ ଦେହ ଧୁଏ ନାହିଁ । ଧୋତି ମଇଳା, ପଇତା ମଇଳା, ଶାସ୍ତ୍ରର ଅଭ୍ୟାସ ନାହିଁ । ଏହାଠାରୁ ଭଲ ରୋଷେୟା ବା ମିଳନ୍ତା କାହୁଁ ?

 

‘‘କି ହୋ ରବି ଶଙ୍କର (ତାଙ୍କର ନାମ ରବିଶଙ୍କର ଥିଲା) ରୋଷେଇ ତ ଆସେ ନାହିଁ, ସନ୍ଧ୍ୟା ଗାୟତ୍ରୀ ଆସେ ନା ?’’

 

‘‘କ’ଣ, କହିଲେ ଭାଇ ସାହେବ ? ସନ୍ଧ୍ୟା ତର୍ପଣ, ହଳ ଲଙ୍ଗଳ, କୋଡ଼ି କୋଦାଳ, ଷଟକରମ—ଏ ଆମେ ତ ଏଭଳି ‘‘ବ୍ରାହ୍ମଣ’’ ନୋହୁଁ । ତମର ଯେ ଚଳେଇବ ସେମିତି ଲୋକ ରଖ-। ଏଠି ନ ହେବ ତ ଚାଷବାସ ଅଛି ।’’

 

ମୁଁ ବୁଝିଗଲି । ମତେ ରବିଶଙ୍କର ଶିକ୍ଷକ ହେବାକୁ ପଡ଼ିଲା । ସମୟ ତ ବହୁତ ଥାଏ । ରବିଶଙ୍କର ଅଧା ରାନ୍ଧେ ବାକି ଅଧକ ମୁଁ ରାନ୍ଧେ । ବିଲାତରେ ଅନ୍ନାହାରୀ ରୋଷେଇର ପ୍ରୟୋଗମାନ ଏଠି ଆରମ୍ଭ କରିଥିଲି । ଗୋଟିଏ ଚୁଲା କିଣିଥିଲି । ଭିନ୍ନ ଭିନ୍ନ ପଙ୍ଗତରେ ବସି ଖାଇବା କଥା ମୁଁ ତ ମାନୁ ନ ଥିଲି; ରବି ଶଙ୍କରର ମଧ୍ୟ ‘ପଙ୍ଗତ’(ପଂକ୍ତି) ଭୋଜନ ପାଇଁ ଆଗ୍ରହ ନ ଥିଲା । ଅତଏବ ଆମର ମତ ବେଶ୍‍ ମେଳ ଖାଇଥିଲା । କିନ୍ତୁ ଏହି ଗୋଟିଏ ସର୍ତ୍ତ ବା ଗୋଟିଏ ବିପଦ କୁହ—

 

ରବି ଶଙ୍କର ମଇଳାର ସାଙ୍ଗସୁଖ ଛାଡ଼ିବାକୁ ଓ ରୋଷେଇ ସାଫ ନ ରଖିବାକୁ ହଲପ୍‌ କରିଥିଲା

 

କିନ୍ତୁ ମୋ ଦେହାତି ବମ୍ବେଇରେ ଚାରି ପାଞ୍ଚମାସଠୁଁ ଅଧିକ ନ ଥିଲା । କାରଣ, ଖର୍ଚ୍ଚ ବଢ଼ି ଚାଲିଥିଲା, ଅଥଚ ଏଣେ ଆୟ ନଦାରଦ ।

 

ଏମିତି ମୁଁ ସଂସାରରେ ପ୍ରବେଶ କଲି । ବାରିଷ୍ଟରୀ ମତେ ଖରାପ ଲାଗିବାକୁ ଆରମ୍ଭ କରିଥିଲା ।

 

ଆଡ଼ମ୍ବର ବେଶୀ, ଜ୍ଞାନ କମ୍‌ । ଦାୟିତ୍ୱର ଚିନ୍ତା ମତେ କଷ୍ଟ ଦେଇଥିଲା ।

 

ପହିଲି ମକଦ୍ଦମା

 

ବମ୍ବେଇଠାରେ ଏକ ଆଡ଼େ ଆଇନ ପଢ଼ା ଆରମ୍ଭ ହୋଇଥାଏ । ଅନ୍ୟଆଡ଼େ ଖାଦ୍ୟର ପରୀକ୍ଷା; ସେଥିରେ ମୋ ସାଙ୍ଗରେ ବୀରଚନ୍ଦ ଗାନ୍ଧୀ ଯୋଗ ଦେଇଥିଲେ । ତେଣେ ମୋ ପାଇଁ ମକଦ୍ଦମା ଖୋଜିବାରେ ଭାଇ ଲାଗି ପଡ଼ିଥିଲେ ।

 

ଆଇନ ପଢ଼ିବା କାମ ଧୀରେ ସୁସ୍ଥେ ହେଉଥିଲା । ଦେଓ୍ୱାନ କାର୍ଯ୍ୟବିଧି ଆଇନ କାହିଁକି ମତେ ରୁଚିଲା ନାହିଁ । ପ୍ରମାଣ ଆଇନଟି ଠିକ୍‌ ଚାଲିଥିଲା । ବୀରଚନ୍ଦ ଗାନ୍ଧୀ ସଲିସିଟର ହେବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ସେଥିପାଇଁ ସେ ଓକିଲଙ୍କ ବିଷୟରେ ଅନେକ କଥା ଗପୁଥାନ୍ତି–‘‘ଫିରୋଜସାହେବଙ୍କର ଶକ୍ତିର ମୂଳକାରଣ, ତାଙ୍କର ଆଇନରେ ଅଗାଧ ଜ୍ଞାନ ଅଛି । ପ୍ରମାଣ ଆଇନ ତ ତାଙ୍କର ମୁହଁରେ ଅଛି । ୩୨ଶ ଧାରା ସମ୍ବନ୍ଧରେ ପ୍ରତ୍ୟେକ କେସ୍‌ ସେ ଜାଣନ୍ତି-। ବଦରୁଦ୍ଦିନ୍‌ ତ ଏଡ଼େ ଚତୁର ଯେ, ଜଜମାନେ ସେଥିରେ ଚମକି ଯାନ୍ତି । ତାଙ୍କର ସୁଆଲ ଜବାବ କରିବା କ୍ଷମତା ବଡ଼ ଅଦ୍ଭୁତ ।’’

 

‘‘ପାଞ୍ଚସାତ ବର୍ଷ ଯାଏ ବାରିଷ୍ଟର କଚେରୀରେ ମାଟି ଚଷିବେ—ସେଥିରେ ନୂଆ କଥା କ’ଣ ? ସେଥିପାଇଁ ତ ମୁଁ ସଲିସିଟର ହେବାକୁ ମନ ବଳେଇଛି । ତିନିବର୍ଷ ପରେ ତୁମେ ଆପଣା ଖର୍ଚ୍ଚ ଚଳେଇବା ଭଳି ରୋଜଗାର କରିବ ତ, ବଡ଼ ଭଲ କଲ ବୋଲି କୁହାଯିବ ।’’ ମୁଁ ଯେତିକି ଏଭଳି କଥାସବୁ ଶୁଣୁଥାଏ ସେତିକି ଘାବରା ହେଉଥାଏ ।

 

ପ୍ରତି ମାସରେ ଖର୍ଚ୍ଚ ବଢ଼ି ବଢ଼ି ଯାଉଥାଏ । ବାହାରେ ବାରିଷ୍ଟରଙ୍କ ଢପ ବଜାଏ ରଖିବି, ଏଣେ ଘରେ ବାରିଷ୍ଟରୀ କରିବାପାଇଁ ପାଠ ପଢ଼ିବି । ମୋ ମନ ଏ ଦୁଇ କଥାର ମେଳ କରେଇ ପାରି ନ ଥିଲା । ଏଥିପାଇଁ ମୋ ପଢ଼ାପଢ଼ି ମଧ୍ୟ ବଡ଼ ବ୍ୟାକୁଳ ଚିତ୍ତରେ ଚାଲିଥାଏ । ପ୍ରମାଣ ଆଇନରେ ଟିକିଏ ଟିକିଏ ମନ ଲାଗୁଥିଲା, ମୁଁ କହିଛି । ମେଇନଙ୍କ ‘ହିନ୍ଦୁ ଆଇନ’ ଖୁବ୍‌ ଆନନ୍ଦର ସହିତ ପଢ଼ିଥିଲି । କିନ୍ତୁ ମକଦ୍ଦମା ଚଳେଇବାର ସାହାସ ଆସୁ ନ ଥାଏ । ମୋ ଦୁଃଖ କାହାକୁ କହିବି ? ଶାଶୁଘରେ ନୂଆ ବୋହୂଟି ଭଳି ମୋ ଅବସ୍ଥା ।

 

ଏହିପରି ଅବସ୍ଥାରେ ସମୀବାଈଙ୍କର ମକଦ୍ଦମା ମୋ କପାଳରେ ଜୁଟିଗଲା । କାଜି କୋଟକୁ ଯିବାକୁ ପଡ଼ନ୍ତା । ‘‘ଟାଉଟରଙ୍କୁ କମିଶନୀ’’ ଦେବାକୁ ପଡ଼ିବ ଶୁଣିଲାକ୍ଷଣି ମୁଁ ନାହିଁ କରିଦେଲି ।

 

ମାତ୍ର ଫୌଜଦାରୀ କଚେରୀର ଜଣାଶୁଣା ଅମୁକ—ମାସରେ ତିନିଚାରି ହଜାର କମାନ୍ତି, ସେ ତ କମିଶନୀ ଦିଅନ୍ତି ।

 

‘‘ମୁଁ କ’ଣ ତାଙ୍କରି ପରି ହେବି ? ମତେ ତ ମାସକୁ ତିନିଶହ ଟଙ୍କା ମିଳିଲେ ଯଥେଷ୍ଟ ହେବ । ବାପାଙ୍କୁ କ’ଣ ବେଶି ମିଳୁଥିଲା ?’’

 

‘‘କିନ୍ତୁ ସେ ଯୁଗ ଗଲାଣି । ବମ୍ବେଇର ଖର୍ଚ୍ଚ ବେଶି । ସେଥିପାଇଁ ବ୍ୟବହାର କଥା ବିଚାରିବା ଉଚିତ ।’’ ମୋର ଜବାବ ନା’ ଛଡ଼ା ଦ୍ୱିତୀୟ କଥା ନ ଥାଏ । କମିଶନୀ ଦେଇ ନ ଥିଲି; କିନ୍ତୁ ସମୀବାଈଙ୍କ ମକଦ୍ଦମା ମିଳିଥିଲା, ମକଦ୍ଦମା ସହଜ ଥିଲା, ମତେ ସଲାମୀ ଟ ୩୦୧ ମିଳିଥିଲା । ମକଦ୍ଦମା ଦିନକଠୁ ବେଶି ଲାଗି ନ ଥାନ୍ତା ।

 

ପ୍ରଥମ ଥର ପାଇଁ କାଜି କୋଟକୁ ଗଲି । ମୁଁ ପ୍ରତିବାଦୀ ତରଫରୁ ଥିଲି । ମତେ ସେଥିପାଇଁ ସାକ୍ଷୀଙ୍କୁ ଜେରା କରିବାକୁ ପଡ଼ୁଥିଲା । ମୁଁ ଛିଡ଼ା ତ ହେଲି, ମାତ୍ର ଗୋଡ଼ ଥରିଲା, ମୁଣ୍ଡ ବୁଲେଇଲା । ମତେ ଲାଗିଲା କଚେରୀଟା ତମାମ ବୁଲୁଛି । ପ୍ରଶ୍ନ ପଚାରିବା ତ ସୁଝିଲା ନାହିଁ । ହାକିମ ହସିଥିବେ, ଓକିଲମାନେ ତ ଥଟ୍ଟା କରିଥିବେ । କିନ୍ତୁ ମୋର କ’ଣ କିଛି ଦେଖିବାର ଶକ୍ତି ଥିଲା ।

 

ମୁଁ ବସି ପଡ଼ିଲି । ଟାଉଟରକୁ କହିଲି ମୋଦ୍ୱାରା ଏ ମକଦ୍ଦମା ଚଳେଇ ହେବ ନାହିଁ । ପଟେଲ ମହାଶୟଙ୍କୁ ଦିଅ । ମତେ ଦେଇଥିବା ଟଙ୍କା ଫେରେଇ ନିଅ । ପଟେଲଙ୍କୁ ସେ ଦିନକୁ ଏକାବନ ଟଙ୍କା ଦେଇ ନିଯୁକ୍ତ କରିଥିଲେ । ତାଙ୍କୁ ତ ଏ ଖେଳଘର ଥିଲା ।

 

ମୁଁ ପଳେଇଲି । ମୋର ମନେ ନାହିଁ ମହକିଲ ଜିତିଲା କି ହାରିଲା । ପୂରା ସାହସ ନ ହେବାଯାଏ ଆଉ ମକଦ୍ଦମା ନେବି ନାହିଁ ବୋଲି ସଂକଳ୍ପ କଲି ଏବଂ ଦକ୍ଷିଣ ଆଫ୍ରିକା ଯିବାଯାଏ ଆଉ କଚେରୀକି ଯାଇ ନ ଥିଲି । ଏ ସଂକଳ୍ପରେ କିଛି ମୂଲ୍ୟ ନ ଥିଲା । କାରଣ କିଏ ଏମିତି ନିକମା ଅଛି ଯେ, ଆପଣା ମକଦ୍ଦମା ହାରିବାକୁ ମତେ ଓକିଲାତି ଦେବ ? ଅତଏବ ସଂକଳ୍ପ ନ କରିଥିଲେ ସୁଦ୍ଧା, କଚେରୀକୁ କଷ୍ଟ କରି ଯିବାର ଦରକାର ନ ଥିଲା ।

 

ମାତ୍ର ଏବେ ଆଉ ଏକ ମକଦ୍ଦମା ବମ୍ବେଇଠାରେ ମିଳିଥିଲା । ଏ ମକଦ୍ଦମାରେ କେବଳ ଅର୍ଜୀଟିଏ ଚିଠା କରିବାର ଥିଲା । ଜଣେ ଗରିବ ମୁସଲମାନର ଜମି ପୋରବନ୍ଦରଠାରେ ବାଜ୍ୟାପ୍ତ ହୋଇ ଯାଇଥାଏ । ମୋର ବାପାଙ୍କ ନାଁ ସେ ଜାଣିଥିଲେ, ସେଥିପାଇଁ ତାଙ୍କ ବାରିଷ୍ଟର ପୁଅଙ୍କ ପାଖକୁ ସେ ଆସିଥିଲେ । ମକଦ୍ଦମାଟା ମତେ କମ ଜୋର ଲାଗିଥିଲା । ତଥାପି ମୁଁ ଅର୍ଜୀ ଚିଠା କରି ଦେବାକୁ ରାଜି ହୋଇଥିଲି । ଛପେଇବା ଖର୍ଚ୍ଚ ମହକିଲ ଦେବାର ଥାଏ । ମୁଁ ଅର୍ଜୀ ଚିଠା କଲି-। ବନ୍ଧୁ ମାନଙ୍କୁ ପଢ଼େଇଲି । ସେ ଅର୍ଜୀ ମଞ୍ଜୁର ହେଲା ଏବଂ ମୋ ମନରେ ଟିକିଏ ବିଶ୍ୱାସ ହେଲା ଯେ, ଅର୍ଜୀ ଚିଠା କାମରେ ମୁଁ ଯୋଗ୍ୟ ହୋଇଛି—ପ୍ରକୃତରେ ମଧ୍ୟ ଯୋଗ୍ୟ ହୋଇଥାଏ ।

 

କିନ୍ତୁ ମୋର କାମ ବଢ଼ିଥିଲା । ମୋଫତ ଅର୍ଜୀ ଲେଖିବା କାମ କଲେ, ଅର୍ଜୀ ଲେଖିବାକୁ ବହୁତ ମିଳିବ; କିନ୍ତୁ ସେଥିରେ କ’ଣ ପେଟ ପୂରିବ ?

 

ମୋର ଧାରଣା ଥିଲା ଯେ, ମୁଁ ଶିକ୍ଷକ କାମ ଭଲ କରିପାରିବି । ମୁଁ ଇଂରାଜୀ ଭଲ ପଢ଼ିଥିଲି । ଅତଏବ କୌଣସି ବିଦ୍ୟାଳୟରେ ମେଟ୍ରିକୁଲେଶନ ଶ୍ରେଣୀରେ ଇଂରାଜୀ ଶିଖାଇବାକୁ ମିଳେ ତ ପଢ଼େଇବି । ଗାତରେ କିଛି ମାଟି ହେଲେ ପଡ଼ିବ ।

 

ମୁଁ ଖବରକାଗଜରେ ଏକ ବିଜ୍ଞାପନ ପଢ଼ିଲି, ଆବଶ୍ୟକ, ଇଂରାଜୀ ଶିକ୍ଷକ । ପ୍ରତିଦିନ ଏକ ଘଣ୍ଟା, ଦରମା ଟ୭୫, ଏହା ଏକ ଜଣାଶୁଣା ହାଇସ୍କୁଲର ବିଜ୍ଞାପନ ଥିଲା । ମୁଁ ଦରଖାସ୍ତ ଦେଲି । କିନ୍ତୁ ସେଠା ଆଚାର୍ଯ୍ୟ ଯେମିତି ଶୁଣିଲେ ଯେ ମୁଁ ବି.ଏ. ନୁହେଁ ସେମିତି ସେ ଦୁଃଖର ସହିତ ମତେ ବିଦାୟ ଦେଇଥିଲେ ।

 

‘‘ମୁଁ କିନ୍ତୁ ଲଣ୍ଡନରେ ମେଟ୍ରିକୁଲେଶନ ପାଶ୍‌ କରିଛି । ଲେଟୀନ ମୋର ଅନ୍ୟ ଭାଷା ଥିଲା ।’’

 

‘‘କଥା ସତ; ମାତ୍ର ଆମର ତ ବି.ଏ. (ଗ୍ରାଜୁଏଟ) ଦରକାର ।’’

 

ମୁଁ ନାଚାର ହେଲି । ଅସହାୟ ଲାଗିଲା । ବଡ଼ଭାଇ ମଧ୍ୟ ଚିନ୍ତାରେ ପଡ଼ିଲେ । ଆମେ ଦୁହେଁ ବିଚାରିଲୁ ଯେ, ବମ୍ବେଇରେ ବେଶିଦିନ କଟେଇବା ବୃଥା । ମୋର ରାଜକୋଟ ଯିବା ସ୍ଥିର ହେଲା । ସେ ସେଠି ଛୋଟିଆ ଓକିଲଟିଏ ଥିଲେ । ମୋତେ କିଛିନା କିଛି ଅର୍ଜୀ ତ ଚିଠା କରିବାକୁ ଦେଇପାରିବେ । ପୁଣି ରାଜକୋଟରେ ଘରର ଖର୍ଚ୍ଚ ତ ହେଉଛି ଅତଏବ ବମ୍ବେ ଖର୍ଚ୍ଚ ବନ୍ଦ କରି ଦେଲେ ବହୁତ ବଞ୍ଚି ଯିବାର କଥା । ଏ ପ୍ରସ୍ତାବ ମୋ ମନକୁ ପାଇଲା । ବମ୍ବେଇ ବସା ମୋଟ ଛଅମାସ ଖଣ୍ଡକ ପରେ ଭାଙ୍ଗି ଦେଇଥିଲେ ।

 

ବମ୍ବେଇରେ ଥିଲାବେଳେ ରୋଜ ହାଇକୋର୍ଟକୁ ଯାଏ; କିନ୍ତୁ ସେଠି କିଛି ଶିଖିଲି ବୋଲି କହିପାରିବି ନାହିଁ । ଶିଖିବାଭଳି ବୁଦ୍ଧି ମୋର ନ ଥିଲା । ଅନେକ ସମୟରେ ତ ମକଦ୍ଦମା ବୁଝିପାରେ ନାହିଁ ବା ଆନନ୍ଦ ମିଳେ ନାହିଁ । ସେଠି ବସି ବସି ଢୁଳାଏ । ଘୁମେଇବା ସାଥୀ ଆଉ ମଧ୍ୟ ଜୁଟିଯାନ୍ତି, ସେଥିପାଇଁ ମତେ ଲାଜ କମ୍‌ ମାଡ଼ିଥାଏ । ଶେଷରେ ବୁଝିଲି, ହାଇକୋର୍ଟରେ ବସି ଢୁଳେଇବା ଗୋଟାଏ ଫେସନ ବୋଲି ମନେ କରିବାରେ ଦୋଷ ନାହିଁ, ତହୁଁ ଲଜ୍ଜାର କାରଣ ଆଉ ରହିଲା ନାହିଁ ।

 

ଏ ଯୁଗରେ ଯଦି ମୋ ଭଳି କେହି ବେକାର ବାରିଷ୍ଟର ବମ୍ବେରେ ଥାନ୍ତି, ତେବେ ତାଙ୍କ ପାଇଁ ଗୋଟିଏ ଛୋଟିଆ ଅଭିଜ୍ଞତା ଶୁଣାଉଛି । ମୋର ବସା ଗିରିଗାମରେ ଥିଲେ ସୁଦ୍ଧା ମୁଁ କ୍ୱଚିତ ଗାଡ଼ିଭଡ଼ା ଖର୍ଚ୍ଚ କରୁଥିଲି । ଟ୍ରାମରେ ମଧ୍ୟ ଭାଗ୍ୟକୁ କେତେବେଳେ ବସୁଥିଲି । ଗିରିଗାମଠାରୁ ଅଧିକାଂଶ ବେଳେ ନିୟମିତ ଚାଲି ଚାଲି ଯାଇଥାଏ । ସେଥିରେ ବେଶ୍ ୪୫ ମିନିଟ ଲାଗି ଯାଇଥାଏ ଏବଂ ଘରକୁ ଫେରିଲା ବେଳକୁ ତ ନିଶ୍ଚୟ ଚାଲିକରି ଆସୁଥିଲି । ଏଥିରେ ମୁଁ ପଇସା ବଞ୍ଚେଇଥିଲି ଏବଂ ବମ୍ବେଇରେ ମୋର ସାଥୀମାନେ ବେମାର ପଡ଼ିଲେ ସୁଦ୍ଧା, ମୁଁ ଦିନେ ହେଲେ ବେମାର ପଡ଼ିଥିବାର ମୋର ମନେ ପଡ଼ୁନାହିଁ । ଯେବେ ମୁଁ ରୋଜଗାର କଲି ସେତେବେଳେ ମଧ୍ୟ ଏମିତି ଅଫିସକୁ ଚାଲି ଚାଲି ଯିବା ଅଭ୍ୟାସ ଶେଷ ପର୍ଯ୍ୟନ୍ତ ବଜାଏ ରଖିଥିଲି, ତା’ର ଲାଭ ଆଜିଯାଏ ମୁଁ ଭୋଗ କରୁଛି ।

 

ପ୍ରଥମ ଧକ୍‌କା

 

ବମ୍ବେଇରୁ ନିରାଶ ହୋଇ ରାଜକୋଟ ଗଲି । ସେଠି ସ୍ୱତନ୍ତ୍ର ଅଫିସ କାର୍ଯ୍ୟାଳୟ ଖୋଲିଲି । ଗାଡ଼ି କୌଣସି ରମକ ଚାଲିଲା । ଅର୍ଜୀ ଚିଠା କରିବା କାମ ମିଳୁଥିଲା ଏବଂ ପ୍ରତି ମାସରେ ହାରାହାରି ତିନି ଶହ ଟଙ୍କା ଆୟ ହେବାକୁ ଲାଗିଲା । ଏ ଅର୍ଜୀ ଚିଠା କରିବା ଯେ ମିଳୁଥିଲା, ତାର କାରଣ ମୋର ବିଦ୍ୟା ବୁଦ୍ଧି ନ ଥିଲା । ତା’ର କାରଣ ଥିଲା ‘‘ପ୍ରଭାବ’’ । ବଡ଼ ଭାଇଙ୍କର ଅଂଶୀଦାରଙ୍କର ଓକିଲାତି ବେଶ୍‍ ଜମି ଯାଇଥାଏ । ତାଙ୍କ ପାଖକୁ ବହୁତ ବଡ଼ ବଡ଼ ଅର୍ଜୀ ନେଇ ଚିଠା କରିବାକୁ ଆସନ୍ତି । ସେଥିରୁ ସେ ଯାହାକୁ ବେଶି ବଡ଼ ବା ଜରୁରୀ ମନେ କରନ୍ତି ସେ ବଡ଼ ବାରିଷ୍ଟରଙ୍କ ପାଖକୁ ପଠାନ୍ତି । ତାଙ୍କର ଗରିବ ମହକିଲଙ୍କର ଅର୍ଜୀ ମତେ ମିଳେ ।

 

ବମ୍ବେଇରେ କମିଶନ ନ ଦେବାପାଇଁ ମୋର ଯେ ଦମ୍ଭ ଥିଲା, ଏଠି ତାହା ତୁଟି ଯାଇଥିଲା । ଦୁଇ ସ୍ଥାନର ଅବସ୍ଥାର ତାରତମ୍ୟ ମୁଁ ବୁଝି ପାରିଥିଲି ତାହା ଏୟା ଥିଲା । ବମ୍ବେଇରେ ଟାଉଟରଙ୍କୁ ପଇସା ଦେବାକୁ ହୁଏ । ଏଠାରେ ଓକିଲଙ୍କୁ ଦେବାକୁ ପଡ଼େ । ଯେମିତି ବମ୍ବେଇରେ ସେମିତି ଏଠାରେ ମଧ୍ୟ ସବୁ ବାରିଷ୍ଟର ଅମୁକ ଏତେ ଏତେ ଟଙ୍କା ଦେଉଛନ୍ତି ବୋଲି ମୋ ପାଖରେ କହିଥାନ୍ତି । ମୋ ଭାଇଙ୍କର ଯୁକ୍ତିର ଉତ୍ତର ମୁଁ ଦେଇପାରେ ନାହିଁ । ‘‘ତୁ ଦେଖୁଛୁ, ମୁଁ ଅନ୍ୟ ଏକ ଓକିଲଙ୍କର ଭାଗୀଦାର । ମୋ ପାଖକୁ ଯେତେ ମକଦ୍ଦମା ଆସେ ତାହା ଭିତରୁ ତତେ ଯେତେ ଦେଇପାରିବି, ତାହା ତ ଦେବାର କଥା । କିନ୍ତୁ ତୁ ଯଦି ତୋର ଫିସ୍‌ରୁ କିଛି ଭାଗ ମୋ ଭାଗୀଦାରକୁ ନ ଦେବୁ, ତାହେଲେ ମୋ ଅବସ୍ଥା କେମିତି ବିଷମ ହୋଇଯିବ ? ଆମେ ସାଙ୍ଗ ହୋଇ ରହିଛୁ । ଅତଏବ ତୋ ଫିସ୍‌ର ଲାଭ ତ ମତେ ମିଳୁଛି, କିନ୍ତୁ ମୋ ଅଂଶୀଦାରକୁ କଣ ମିଳିବ-? ଏବଂ ସେ ଯଦି ତତେ ନ ଦେଇ ଅନ୍ୟତ୍ର ଦେବେ ତେବେ ତ ତାଙ୍କୁ ଭାଗ ମିଳିବ । ମୁଁ ଏ ଯୁକ୍ତି ପାଖରେ ଠକି ଗଲି ଏବଂ ମତେ ଲାଗିଲା ଯେ, ଯଦି ବାରିଷ୍ଟରି କରିବି, ତେବେ ମକଦ୍ଦମାର କମିଶନ ଦେବା ଇଚ୍ଛା ଛାଡ଼ିବା ଉଚିତ । ମୁଁ ଢଳିଗଲି, ମୋ ମନକୁ ମନେଇଲି କିମ୍ବା ସ୍ପଷ୍ଟ କରି କହିବି ତ ମନକୁ ଠକିଲି । କିନ୍ତୁ ଏହାଛଡ଼ା ଅନ୍ୟ କୌଣସି ମକଦ୍ଦମାରେ କମିଶନୀ ଦେବା କଥା ମୋର ମନେ ନାହିଁ ।

 

ଯଦ୍ୟପି ମୋର ସଂସାରର ଗାଡ଼ି ଚାଲିଲା, କିନ୍ତୁ ଜୀବନର ପହିଲି ଧକ୍‌କା ଏହି ସମୟରେ ପାଇଥିଲି । ଇଂରାଜୀ ଅଫିସର ଅର୍ଥ କ’ଣ ମୋ କାନ ଶୁଣିଥିଲା । ମୁହାଁମୁହିଁ ଦେଖିବାର ସୁବିଧା ଏବେ ମିଳିଗଲା ।

 

ପୋରବନ୍ଦରର ସ୍ୱର୍ଗୀୟ ରାଣା ସାହେବ ଗାଦୀ ପାଇବା ପୂର୍ବରୁ ମୋର ଭାଇ ତାଙ୍କର ମନ୍ତ୍ରୀ ଏବଂ ପରାମର୍ଶଦାତା ଥିଲେ । ସେତିକିବେଳେ ସେ ରାଜା ସାହେବଙ୍କୁ କୁପରାମର୍ଶ ଦେଲେ ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଏ ଅଭିଯୋଗ ସେତେବେଳେକାର ପଲଟିକାଲ୍ ଏଜେଣ୍ଟଙ୍କ ପାଖରେ ପହଞ୍ଚିଲା ଏବଂ ସେ ମୋ ଭାଇଙ୍କ ସମ୍ବନ୍ଧରେ ଭୁଲ ଧାରଣା କରି ବସିଥିଲେ । ଏହି ଅଫିସରଙ୍କୁ ମୁଁ ବିଲାତରେ ଚିହ୍ନିଥିଲି । ସେଠାରେ ସେ ମୋ ସଙ୍ଗେ ଯଥାର୍ଥ ବନ୍ଧୁତା କରିଥିଲେ-। ଭାଇ ବିଚାରିଲେ ଯେ ମୁଁ ଏହି ପରିଚୟର ସୁବିଧା ନେଇ ସେ ଅଫିସରଙ୍କୁ ଦି’ପଦ କହିବି ଏବଂ ଭାଇଙ୍କ ସମ୍ବନ୍ଧରେ ତାଙ୍କ ମନରେ ଯେ ଖରାପ ପ୍ରଭାବ ପଡ଼ିଛି, ତାକୁ ଦୂର କରିବାକୁ ଚେଷ୍ଟା କରିବି-। ମତେ ଏ କଥା ଆଦୌ ପସନ୍ଦ ପଡ଼ି ନ ଥିଲା । ବିଲାତର ଏ ବାଜେ ପରିଚୟର ଲାଭ ଉଠାଇବା ମୋର ଉଚିତ ନୁହେଁ । ଯଦି ମୋ ଭାଇ ଖରାପ କାମ କରିଥିବେ, ତେବେ ସେଥିରେ ସୁପାରିଶରେ ଲାଭ କଣ ? ଏବଂ ଯଦି ନ କରିଥିବେ ତେବେ ତ ନିୟମ ମୁତାବକ ଦରଖାସ୍ତ କରିବେ କିମ୍ବା ନିଜର ନିର୍ଦ୍ଦୋଷ ପଣିଆ ଉପରେ ବିଶ୍ୱାସ କରି ନିର୍ଭୟ ହୋଇ ବସି ରହିବେ । ଏ ଯୁକ୍ତି ଭାଇଙ୍କୁ ପସନ୍ଦ ହେଲା ନାହିଁ । ସେ କହୁଥିଲେ, ‘‘ତୁ କାଠିଆଓ୍ୱାଡ଼କୁ ଜାଣୁନାହିଁ, ଏବେ ତତେ ଏଠା ଜୀବନର ପରିଚୟ ମିଳିବ । ଏଠି ଚାରିଆଡ଼େ ଯେ ଯେତେ ପ୍ରତିପତ୍ତି ଖଟେଇ ପାଇଲା ସେ ସେତିକି ଚଳିବ । ଯେତେବେଳେ ତୋ ପରି ଭାଇ ଥିବ ଏବଂ ତୋର ପରିଚିତ କର୍ମଚାରୀକୁ ସୁପାରିଶ କରିବା ସମୟ ଆସିବ, ସେତେବେଳେ ତୁ କରଛଡ଼ା ଦେଇ ରହିବୁ, ଏଇଟା ଠିକ୍‌ ନୁହେଁ ।’’

 

ମୁଁ ଭାଇଙ୍କ ମୁହଁ ଭାଙ୍ଗି ପାରିଲି ନାହିଁ । ମୋର ଇଚ୍ଛା ବିରୁଦ୍ଧରେ ଗଲି । ସେ କର୍ମଚାରୀଙ୍କ ପାଖକୁ ଯିବାରେ ମୋର କୌଣସି ଅଧିକାର ନ ଥିଲା । ସେଠାକୁ ଗଲେ ମୋର ଆତ୍ମସମ୍ମାନ ହାନି ହେବ ବୋଲି ମୋର ଧାରଣା ଥାଏ । ମୁଁ ଦେଖା କରିବାପାଇଁ ସମୟ ମାଗିଲି; ମତେ ମିଳିଲା । ମୁଁ ଯାଇ ପୁରୁଣା ପରିଚୟ କଥା ଉଠାଇଲି । କିନ୍ତୁ ମୁଁ ସଙ୍ଗେ ସଙ୍ଗେ ଦେଖିଲି ଯେ, ବିଲାତ ଓ କାଠିଆଓ୍ୱାଡ଼ରେ ଯଥେଷ୍ଟ ପାର୍ଥକ୍ୟ ଅଛି । ନିଜ ଗଦୀରେ ବସିଥିବା କର୍ମଚାରୀ ଏବଂ ଛୁଟିରେ ଘରକୁ ଯାଇଥିବା କର୍ମଚାରୀ, ଏ ଦୁହିଁଙ୍କ ମଧ୍ୟରେ ପ୍ରଭେଦ ଅଛି । କର୍ମଚାରୀ ପରିଚୟ ମାନିଲେ; ମାତ୍ର ଏ ପରିଚୟ ସଙ୍ଗେ ବେଶ୍‌ ଟିକିଏ ଗଉଁଥିଲା । ‘‘ପରିଚୟରୁ ଲାଭ ଉଠାଇବାକୁ ତୁ ଆସି ନାହୁଁ ତ ?’’ ତାଙ୍କର ଗଉଁ, ତାଙ୍କର ଆଖିରୁ ମୁଁ ଏହିପରି ଅର୍ଥ କରିଥିଲି । ସେ ବୁଝୁଥିଲେ ସୁଦ୍ଧା ମୁଁ ମୋର କଥା ପକେଇଲି । ସାହେବ ଅଧୀର ହେଲେ । କହିଲେ, ‘‘ତୋ ଭାଇ କୁଚକ୍ରୀ । ମୁଁ ତୋଠୁ ବେଶୀ କଥା ଶୁଣିବାକୁ ଚାହେଁ ନାହିଁ । ମୋର ବେଳ ନାହିଁ । ତୋ ଭାଇର ଯାହା କହିବାର ଅଛି ସେ ନିୟମ ମୁତାବକ ଲେଖି ଦରଖାସ୍ତ କରୁ ।’’ ଏତିକି ଉତ୍ତର ଯଥେଷ୍ଟ ହେବାର କଥା, ମାତ୍ର ସ୍ୱାର୍ଥର ଜ୍ଞାନ କେଉଁଠି ଥାଏ ? ମୁଁ ମୋର ଅଧ୍ୟାୟ ଯାକ ଗାଇ ବସିଲି । ସାହେବ ଉଠିଲେ, ଏବେ ମୋର ଯିବା ଉଚିତ ।

 

ମୁଁ କହିଲି, ‘‘କିନ୍ତୁ ମୋ କଥା ତକ ପୂରାପୂରି ଶୁଣ । ସାହେବ ଭାରି ଚିଡ଼ିଯାଇ ଡାକିଲେ–‘‘ଚପରାଶି, ୟାଙ୍କୁ ବାହାର କରିଦିଅ ।’’ ହଜୁର କହି ଚପରାଶି ଦଉଡ଼ି ଆସିଲା । ମୁଁ ତ ସେତେବେଳେଯାଏ କଣ ବକି ଯାଉଥାଏ । ଚପରାଶି ମତେ ଧକ୍‌କା ଦେଇ ଦୁଆର ବନ୍ଧ ଡିଆଇଁ ଦେଇଥିଲା ।

 

ସାହେବ ଗଲେ, ଚପରାଶି ଗଲେ । ମୁଁ ଚାଲିଲି, ମନରେ ଦୁଃଖ ହେଲା, ବିରକ୍ତ ହେଲି । ମୁଁ ଚିଠିଖଣ୍ଡ ଲେଖିଲି, ‘‘ତେମେ ମତେ ଅପମାନ କରିଛ । ଚପରାଶି ଦ୍ୱାରା ମୋ ଉପରେ ଆଘାତ କରିଛ । ତୁମେ ମାଫି ନ ମାଗିବ ତ ତମ ଉପରେ ଆଇନ ମୁତାବକ ମକଦ୍ଦମା କରିବି ।’’ ଏ ଚିଠି ପଠାଇ ଦେଲି କିଛି ସମୟ ପରେ ସାହେବଙ୍କ ସଓ୍ୱାର ଜବାବ ଦେଇଗଲା । ଜବାବର ଏୟା ମର୍ମ ଥିଲା—‘‘ତୁମେ ମୋ ପ୍ରତି ଅସଭ୍ୟ ବ୍ୟବହାର କଲ । ତୁମକୁ ଯିବାକୁ କହିଲେ ସୁଦ୍ଧା ତୁମେ ଉଠିଲ ନାହିଁ । ସେଥିଯୋଗୁଁ ମୁଁ ନିଶ୍ଚୟ ମୋ ଚପରାଶିକୁ ତମକୁ ବାଟ ଦେଖାଇ ଦେବାକୁ କହିଛି । ସେଥିପାଇଁ ଏବଂ ଚପରାଶିର କହିବା ସତ୍ତ୍ୱେ ତୁମେ କଚେରୀ ଛାଡ଼ିଗଲ ନାହିଁ । ତମକୁ କଚେରୀରୁ ବାହାର କରିବାପାଇଁ ଯେତିକି ବଳ ଦରକାର ସେ ପ୍ରୟୋଗ କରିଥିଲା । ଯାହା କରିବାକୁ ତମର ଇଚ୍ଛାହେବ ତମେ କରିପାର ।’’

 

ଏ ଉତ୍ତର ଖଣ୍ଡି ପକେଟରେ ପକେଇ ଲାଜରେ ବୁଡ଼ି ଘରକୁ ଆସିଲି । ଭାଇଙ୍କୁ ସବୁ କଥା କହିଲି । ସେ ଦୁଃଖିତ ହେଲେ । କିନ୍ତୁ ସେଥିରେ ମତେ ସାନ୍ତ୍ୱନା କୁଆଡ଼ୁ ମିଳିବ ? ଓକିଲ ବନ୍ଧୁଙ୍କ ସଙ୍ଗେ ପରାମର୍ଶ କଲି । ମକଦ୍ଦମା କରିବା କ’ଣ ମତେ ଆସୁଥିଲା କି ? ସେତିକି ବେଳେ ସାର ଫିରୋଜ ସା ମେହେତା ଗୋଟିଏ ମକଦ୍ଦମାରେ ରାଜକୋଟରେ ଥିଲେ । ତାଙ୍କୁ ବା ମୋ ପରି ନୂଆ ବାରିଷ୍ଟର କାହିଁକି ଦେଖା କରି ପାରିବ ? କିନ୍ତୁ ତାଙ୍କର ଓକିଲଙ୍କ ଜରିଆରେ ତାଙ୍କୁ ଏ ଚିଠିପତ୍ର ପଠାଇ ଦେଇଥିଲି ଓ ତାଙ୍କର ପରାମର୍ଶ ଲୋଡ଼ିଥିଲି । ସେ ଜବାବ ପଠାଇଥିଲେ— ଗାନ୍ଧୀଙ୍କୁ କହିବ—ଏଭଳି ଘଟଣା ତ ସବୁ ଓକିଲ ବାରିଷ୍ଟରଙ୍କ ଭାଗ୍ୟରେ ଘଟିଥିବ । ତୁ ନୂଆ ଭୂଆ ହୋଇଛୁ । ତୋର ଏବେ ସୁଦ୍ଧା ବିଲାତର ନିଶା ଅଛି । ତୁ ଇଂରାଜୀ କର୍ମଚାରୀଙ୍କୁ ଚିହ୍ନିନାହୁଁ । ଯଦି ତୁ ସୁଖରେ ରହି ଦି’ପଇସା କମେଇବାକୁ ଚାହୁଁ, ତେବେ ସେ ଚିଠିକୁ ଚିରି ପକେଇ ଦେ ଏବଂ ସେ ଅପମାନକୁ ପିଇଯା । ମକଦ୍ଦମା କଲେ ଦିକଡ଼ାରୁ କଡ଼ାଏ ବି ମିଳିବ ନାହିଁ । ଓଲଟି ତୋର ମନ ଦୁଃଖ ସାର ହେବ । ଜୀବନର ଅଭିଜ୍ଞତା ତୋର ଆହୁରି ବାକି ଅଛି ।’’ ମତେ ଏତକ ଶିକ୍ଷା ଅତି କଟୁ ବିଷ ପରି ଲାଗିଥିଲା । କିନ୍ତୁ ମୁଁ ସେ କଟୁ ବିଷକୁ ଗିଳି ସାରିଲାରୁ ଯାଇ ମତେ ନିଷ୍କୃତି ମିଳିଲା-। ମୁଁ ଅପମାନ ତ ଭୁଲି ନଥିଲି; କିନ୍ତୁ ମୁଁ ତା’ର ସଦବ୍ୟବହାର କରିଥିଲି । ‘‘ଏଭଳି ଅବସ୍ଥାରେ ଆଉ କେବେହେଁ ନାହିଁ । କାହାରି ସୁପାରିଶ କଦାପି କରିବି ନାହିଁ ।’’ ଏ ନିୟମର ଭଙ୍ଗ କେବେ କରିନାହିଁ-। ଏହି ଧକ୍‌କାରେ ମୋ ଜୀବନର ମଙ୍ଗ ବୁଲିଯାଇ ଥିଲା ।

 

ଦକ୍ଷିଣ ଆଫ୍ରିକାପାଇଁ ସଜବାଜ

 

ସେ କର୍ମଚାରୀଙ୍କ ପାଖକୁ ଯିବା ନିଶ୍ଚୟ ଅନ୍ୟାୟ ଥିଲା, କିନ୍ତୁ କର୍ମଚାରୀଙ୍କ ଅଧୀରତା, ତାଙ୍କର କ୍ରୋଧ, ତାଙ୍କର ଉଦ୍ଧତପଣିଆ ଏସବୁ ଆଗରେ ମୋର ଦୋଷ ତୁଚ୍ଛ ହୋଇଯାଇଥିଲା । ଦୋଷର ସଜ୍ଜା ଧକ୍‌କା ଦେବାର ନ ଥିଲା । ମୁଁ ତ ତାଙ୍କ ପାଖରେ ପାଞ୍ଚ ମିନିଟ ବି ବସିନାହିଁ । ମୋର କଥା ତାଙ୍କୁ ଅସହ୍ୟ ହୋଇ ପଡ଼ିଥିଲା । ସେ ତ ଭଦ୍ର ଭାବରେ ମତେ ଚାଲିଯିବାକୁ କହିପାରିଥାନ୍ତେ । କିନ୍ତୁ ତାଙ୍କର ପାହିଆର ନିଶାର ଅନ୍ତ ନ ଥିଲା । ପରେ ମୁଁ ଶୁଣିଲି ଯେ, ଏ କର୍ମଚାରୀଙ୍କର ଧୈର୍ଯ୍ୟ ବୋଲି କିଛି ନାହିଁ । ତାଙ୍କ ପାଖକୁ ଯିବା ଲୋକକୁ ଅପମାନ କରିବା ତାଙ୍କ ପାଇଁ ସାଧାରଣ କଥା । ତାଙ୍କୁ ଭଲ ଲାଗୁନାହିଁ, ଏମିତି କଥା ପଡ଼ିଲା ତ ସାହେବଙ୍କର ସଙ୍ଗେ ସଙ୍ଗେ ମୁଣ୍ଡ ବିଗିଡ଼ି ଯାଏ । ମୋର ଅନେକ କାମ ତାଙ୍କ କଚେରୀରେ ହୋଇଥାଏ । ଖୋସାମତ କରିବା ତ ମୋ ଦିହାତି ହୁଅନ୍ତା ନାହିଁ । ଏ କର୍ମଚାରୀଙ୍କୁ ଅଯଥା ଚିଡ଼େଇ ଦେବାକୁ ମଧ୍ୟ ମୁଁ ଚାହୁଁ ନ ଥିଲି । ମକଦ୍ଦମା କରିବି ବୋଲି ଧମକେଇ ମୁଁ କିଛି କରିବି ନାହିଁ ବା ତାଙ୍କୁ କିଛି ଲେଖିବି ନାହିଁ, ଏହା ମତେ ଭଲ ଲାଗି ନ ଥିଲା ।

ଇତ୍ୟବସରରେ କାଠିଆଓ୍ୱାଡ଼ ଚକ୍ରାନ୍ତର ମଧ୍ୟ ମୋର କେତେକ ଅନୁଭବ ହୋଇଥିଲା । କାଠିଆଓ୍ୱାଡ଼ ଅର୍ଥାତ ଛୋଟ ଛୋଟ ଅନେକ ଗଡ଼ଜାତର ମୂଲକ । ଏଠି ମାମଲତକାରଙ୍କ ଦଳ ବଡ଼ ଜୋର । ରାଜ୍ୟ ରାଜ୍ୟ ଭିତରେ ଚକ୍ରାନ୍ତ, ପ୍ରତିପତ୍ତି ଜମେଇବାପାଇଁ ଚକ୍ରାନ୍ତ, ରାଜାଙ୍କର ପତଳା କାନ, ରାଜା ପରବେଶ, ସାହେବଙ୍କ ଚପରାଶିକୁ ଖୋସାମତ; ଶିରସ୍ତାଦାର ଅର୍ଥାତ୍‌ ଦଢ଼ା ସାହେବ, କାରଣ ଶିରସ୍ତାଦାର ସାହେବଙ୍କ ଆଖି, ତାଙ୍କର କାନ, ତାଙ୍କର ଦୋଭାଷୀ । ଶିରସ୍ତାଦାରଙ୍କ ମତ ତ ଆଇନ । ଶିରସ୍ତାଦାରଙ୍କ ଆୟ ସାହେବଙ୍କଠୁଁ ବେଶି ବୋଲି କହନ୍ତି । ମୁଁ ଯାହା କହୁଛି ସେଥିରେ ଅତ୍ୟୁକ୍ତି ହେବା ସମ୍ଭବ । କିନ୍ତୁ ଶିରସ୍ତାଦାରଙ୍କ ଅଳ୍ପ ଦରମାକୁ ଅନେଇ ତାଙ୍କର ଖର୍ଚ୍ଚ ନିଶ୍ଚୟ ବହୁତ ବେଶି ହୋଇଥାଏ ।

ଏଭଳି ବାୟୁମଣ୍ଡଳ ମତେ ବିଷବତ୍‌ ଲାଗିଥିଲା । ମୁଁ କିପରି ଆପଣାର ସ୍ୱାଧୀନତା ବଜାଏ ରଖିବି, ମୋର ଏହି ଚିନ୍ତା ହୋଇଥିଲା ।

ମୁଁ ନିରାଶ ହେଲି, ଭାଇ ମୋର ନିରାଶା ଦେଖିପାରିଥିଲେ । କେଉଁଠି ଚାକିରି ଖଣ୍ଡେ ଦେଇ ବସି ଗଲେ, ମୁଁ ସବୁ ଚକ୍ରାନ୍ତରୁ ମୁକ୍ତ ରହିବି, ଏଭଳି ଏକ ବିଚାର ଚାଲିଲା । କିନ୍ତୁ ପୁଣି ଦଳାଦଳି ଷଡ଼ଯନ୍ତ୍ରରେ ନ ପଶିଲେ ମନ୍ତ୍ରୀପଦ ବା ବିଚାରପତି ପଦ ମିଳିବ କୁଆଡ଼ୁ ?

ଓକିଲାତି କରିବାରେ ସାହେବଙ୍କ ସଙ୍ଗେ କଳି ମଝିରେ କେଁ ପୂରେଇ ଦେଇଥାଏ ।

ପୋର ବନ୍ଦରରେ ଏଡମିନିଷ୍ଟ୍ରେସନ (କୋର୍ଟ ଅଫ ଓ୍ୱାର୍ଡସ୍‌ ଭଳି) ଥାଏ । ସେଠାରେ ରାଣା ସାହେବଙ୍କ ପାଇଁ କେତେକ କ୍ଷମତା ଯୋଗାଡ଼ କରିବାକୁ ଉଦ୍ୟମ କରାଯାଇଥିଲା । ସେଠା ‘ମୋର’ ପ୍ରଜାମାନଙ୍କ ଠାରୁ ଅଧିକ ଜମା ଆଦାୟ କରା ଯାଉଥିଲା । ସେ ବିଷୟରେ ଏଡମିନିଷ୍ଟ୍ରେଟରଙ୍କ ସଙ୍ଗେ ମୋର ଦେଖା କରିବାର ଥିଲା । ମୁଁ ଦେଖିଲି ମେନେଜର ଦେଶୀ ଲୋକ, ତଥାପି ତାଙ୍କର ଗଉଁ ସାହେବଙ୍କଠୁ ବେଶି ଥିଲା । ତାଙ୍କର ବିଦ୍ୟା ବୁଦ୍ଧି ଥିଲା । କିନ୍ତୁ ତାଙ୍କର ଏ ବିଦ୍ୟା ବୁଦ୍ଧିର ଲାଭ, ପ୍ରଜାଙ୍କୁ ମିଳିବାର କିଛି ଲକ୍ଷଣ ଦେଖିନ ଥିଲି । ରାଣା ସାହେବଙ୍କୁ କିଛି କ୍ଷମତା ମିଳିଥିଲା । ‘‘ମୋର’’ ପ୍ରଜାଙ୍କୁ କିଛି ରିଆତି ମିଳିଲା ନାହିଁ କହିଲେ ଚଳେ । ତାଙ୍କର ଦରଖାସ୍ତ ପୂରା ତଦନ୍ତ ବି ହେଲା ନାହିଁ ବୋଲି ଜଣା ପଡ଼ିଥିଲା ।

ଫଳରେ ଏଠି ମଧ୍ୟ ମୁଁ ବିଶେଷଭାବରେ ନିରାଶ ହେଲି ନ୍ୟାୟ ବିଚାର ହେଲା ନାହିଁ ବୋଲି ମୋର ଧାରଣା ହେଲା । ନ୍ୟାୟ ବିଚାର ଆଦାୟ କରିବା ପାଇଁ ମୋ ପାଖରେ ଉପାୟ କିଛି ନ ଥିଲା । ଅତି ବେଶି ହେବତ ବଡ଼ ସାହେବଙ୍କ ପାଖରେ ‘‘ଅପୀଲ’’ ହେବ, ସେ ତ ଗାରେ ମାରି ଦିଅନ୍ତି, ‘‘ଏଥିରେ ମୁଁ ହସ୍ତକ୍ଷେପ କରି-ପାରିବି ନାହିଁ ।’’ ଏ ଫଏସଲା ପରେ ଯଦି ଆଇନକାନୁନ ଥବ ତ ତେବେ ଆଶା ଥାଏ । ‘‘ଏଠି ସାହେବଙ୍କ ମରଜୀ ତ ଆଇନ ।’’

 

ମୁଁ ବ୍ୟାକୁଳ ହୋଇ ପଡ଼ିଲି ।

 

ଇତ୍ୟବସରରେ ଭାଇଙ୍କ ପାଖକୁ ପୋରବନ୍ଦରର ଗୋଟିଏ ମେମନ୍‌ଙ୍କ ଦୋକାନରୁ ଖବର ଆସିଲା, ‘‘ଆମରି ବେପାର ଦକ୍ଷିଣ ଆଫ୍ରିକାରେ ଅଛି । ଆମର ଦୋକାନ ଖୁବ୍‌ ବଡ଼ । ଆମର ଗୋଟିଏ ବଡ଼ ମକଦ୍ଦମା ଚାଲିଛି । ଦାବି ଚାଳିଶ ହଜାର ପାଉଣ୍ଡର (ଅର୍ଥାତ୍‌ ଛ’ ଲକ୍ଷ ଟଙ୍କାର) ମକଦ୍ଦମା ବହୁକାଳରୁ ଚାଲିଲାଣି । ଆମ ତରଫରେ ବଢ଼ିଆ ବଢ଼ିଆ ଓକିଲ, ବାରିଷ୍ଟର ଅଛନ୍ତି । ତମ ଭାଇଙ୍କୁ ଯଦି ପଠେଇବ, ସେ ସାହାଯ୍ୟ କରିବେ ଓ ତାଙ୍କୁ ମଧ୍ୟ କିଛି ସାହାଯ୍ୟ ମିଳିବ-। ସେ ଆମ ମକଦ୍ଦମାକୁ ସେଠା ଓକିଲଙ୍କୁ ଭଲ ରକମ ବୁଝାଇ ପାରିବେ । ପୁଣି ସେ ନୂଆ ମୁଲକ ଦେଖି ଆସିବେ ତ ବହୁତ ନୂଆ ଲୋକଙ୍କ ସଙ୍ଗେ ଚିହ୍ନା ପରିଚୟ ହୋଇଯିବ ।’’

 

ଭାଇ ମତେ ଏ କଥା ଶୁଣାଇଲେ । ମୁଁ ଏସବୁ କଥା ବୁଝି ପାରିଲି ନାହିଁ । ମତେ କେବଳ ଓକିଲଙ୍କୁ ବୁଝାଇବାକୁ ପଡ଼ିବ କି କଚେରିକୁ ଯିବାକୁ ପଡ଼ିବ, ଏହା ଜାଣି ପାରିଲି ନାହିଁ । ଯାହା ହେଉ ମୋର ଲୋଭ ହେଲା ।

 

ଦାଦା ଅବଦୁଲାଙ୍କର ଅଂଶୀଦାର ମୁତାଫା ଶେଠ ଅବଦୁଲ କରିମ୍‌ ଝବେରୀଙ୍କ ସଙ୍ଗେ ଭାଇ ମତେ ଭେଟ କରେଇ ଦେଲେ । ଶେଠ କହିଲେ, ‘‘ତମକୁ ଅଧିକ ପରିଶ୍ରମ ପଡ଼ିବ ନାହିଁ, ଆମର ବଡ଼ ବଡ଼ ସାହେବଙ୍କ ସଙ୍ଗେ ବନ୍ଧୁତା ଅଛି । ସେମାନଙ୍କ ସଙ୍ଗେ ତମର ପରିଚୟ ହେବ । ଆମ ଦୋକାନରେ ମଧ୍ୟ ତମେ ସାହାଯ୍ୟ କରିପାରିବ । ଆମର ବହୁତ ଇଂରେଜୀ ଚିଠିପତ୍ର ଯା’ଆସ କରେ । ସେଥିରେ ମଧ୍ୟ ତୁମେ ସାହାଯ୍ୟ କରିପାର । ତମର ରହିବାର ସୁବିଧା ଆମ ବଙ୍ଗଳାରେ କରାଯିବ । ସେ ଦିଗରେ ତମ ଉପରେ କିଛି ଖର୍ଚ୍ଚ ପଡ଼ିବ ନାହିଁ ।

 

ମୁଁ ପଚାରିଲି, ‘‘ମୋର ଚାକିରି ତମର କେତେ କାଳଯାଏ ଲୋଡ଼ା ? ମତେ ଦରମା କ’ଣ ଦେବ ?’’ ‘‘ତମର କାମ ବର୍ଷକଠୁ ବେଶି ଲାଗିବ ନାହିଁ । ତମକୁ ଯିବା ଆସିବାକୁ ପ୍ରଥମ ଶ୍ରେଣୀ ଭଡ଼ା ଏବଂ ରହିବା ଖାଇବା ଖର୍ଚ୍ଚ ଉପରେ ୧୦୫ ପାଉଣ୍ଡ ଦେବୁ ।’’

 

ଏହାକୁ ଓକିଲାତି କୁହାଯିବ ନାହିଁ । ଏହା ସଫା ଚାକିରି । କିନ୍ତୁ ମୋର ଯେ କୌଣସି ଉପାୟରେ ଭାରତ ଛାଡ଼ିବାର ଥିଲା । ଉପରନ୍ତୁ ନୂଆ ଦେଶ ଦେଖିବାକୁ ମିଳିବ, ଅଭିଜ୍ଞତା ମିଳିବ । ୧୦୫ ପାଉଣ୍ଡ ଭାଇଙ୍କୁ ପଠେଇବି ? ସେଥିରେ ଘର ଖର୍ଚ୍ଚକୁ କିଛି ହେଲେ ସାହାଯ୍ୟ ହେବ । ଏହିପରି ବିଚାରି ଦରମା ସମ୍ବନ୍ଧରେ ଆଉ ରଦ୍ଦଖଦ ନକରି ମୁଁ କରିମ୍‌ ଶେଠଙ୍କର ଦରଖାସ୍ତ ମଞ୍ଜୁର କଲି ଏବଂ ଦକ୍ଷିଣ ଆଫ୍ରିକା ଯିବାପାଇଁ ସଜବାଜ ହେଲି ।

 

Unknown

ନାତାଲରେ ପହଞ୍ଚିଲି

 

ବିଲାତ ଗଲାବେଳେ ଯେତେ ବିଚ୍ଛେଦ ଦୁଃଖ ହୋଇଥିଲା, ଦକ୍ଷିଣ ଆଫ୍ରିକା ଗଲାବେଳେ ସେତେ ହୋଇ ନ ଥିଲା । ମା’ତ ଚାଲିଯାଇଥିଲା । ମୋର ବି ଦୁନିଆର ଓ ଭ୍ରମଣର ଅଭିଜ୍ଞତା ହୋଇ ଯାଇଥିଲା । ରାଜକୋଟ ବମ୍ବେଇ ଭିତରେ ତ ଯା’ଆସ ଚାଲିଥାଏ । ଅତଏବ ବିଚ୍ଛେଦ କେବଳ ମୋ ସ୍ତ୍ରୀ ସଙ୍ଗେ ଦୁଃଖକର ହୋଇଥିଲା । ବିଲାତରୁ ଫେରିବା ପରେ ମୋର ଆଉ ଗୋଟିଏ ପୁଅ ହୋଇଥାଏ । ଆମ ଭିତରେ ପ୍ରେମରେ ଏବେ ସୁଦ୍ଧା ବହୁତ କାମ ଶକ୍ତି ଥିଲା । ତଥାପି ତାହା କମିଯାଉଥିବା ପରି ଲାଗୁଥିଲା । ବିଲାତରୁ ଫେରିବା ପରେ ଆମେ ଦୁହେଁ ଅଳ୍ପକାଳ ଏକାଠି ରହିଥିଲୁ । ମତେ ମଧ୍ୟ ତା’ର ଶିକ୍ଷକ ହେବାକୁ ହୋଇଥିଲା, ପୁଣି ସ୍ତ୍ରୀଠାରେ କେତେକ ସଂସ୍କାର ମଧ୍ୟ କରିପାରିଥିଲି । ଏହିସବୁ କାରଣରୁ ଆମ ଦୁହିଁଙ୍କର ଏକାଠି ରହିବା ଦରକାର ବୋଲି ଦୁହେଁ ବିଚାରୁଥିଲୁ । କିନ୍ତୁ ଆଫ୍ରିକା ମତେ ଟାଣିଥିଲା । ଏହା ମତେ ବିଚ୍ଛେଦ ସହିବାକୁ ସମର୍ଥ କରିଥିଲା । ‘‘ବର୍ଷକପରେ ତ ଆମେ ପୁଣି ଏକାଠି ହେବା’’ ଏମିତି କହି ବୋଧ ସୋଧ କରି ମୁଁ ରାଜକୋଟ ଛାଡ଼ି ବମ୍ବେଇରେ ପହଞ୍ଚିଗଲି ।

 

ଦାଦା ଅବଦୁଲାଙ୍କର ବମ୍ବେଇ ଗୁମାସ୍ତା ଜରିଆରେ ମୋଟ ଟିକଟ କଟେଇବାର ଥିଲା । କିନ୍ତୁ ଜାହାଜରେ କେବିନ୍‌ (ପ୍ରଥମ ଶ୍ରେଣୀ କୋଠରୀ) ମିଳିଲା ନାହିଁ । ଏଥର ଛାଡ଼ିଲେ ମତେ ପୁଣି ବମ୍ବେଇରେ ବସି ହାଉଆ ଖାଇବାକୁ ପଡ଼ିଥାନ୍ତା । ଗୁମାସ୍ତା ମତେ କହିଲେ, ମୁଁ ବହୁତ ପରିଶ୍ରମ କଲି; କିନ୍ତୁ ମତେ ଟିକେଟ ମିଳୁନାହିଁ । ଡେନ୍‍ (ଜାହାଜ ଖୋଲା ଛାତ) ଉପରେ ଯାଇପାରିବ ତ ମିଳିବ । ଖାଇବାର ବନ୍ଦୋବସ୍ତ ସେଲୁନ୍‌ (ପ୍ରଥମ ଶ୍ରେଣୀ ଯାତ୍ରୀଙ୍କ ଖାଇବା ଘରେ) ହୋଇପାରିବ । ଏ ସମୟରେ ମୁଁ ପ୍ରଥମ ଶ୍ରେଣୀରେ ଯା’ଆସ କରୁଥାଏ । ଡେକରେ ଯିବାକୁ ମନା କରିଦେଲି । ଗୁମାସ୍ତା କଥାରେ ମୋର ସନ୍ଦେହ ହେଲା । ପ୍ରଥମ ଶ୍ରେଣୀରେ ଟିକେଟ ମିଳିବ ନାହିଁ, ଏହା ମୁଁ କଳ୍ପନା କରିପାରି ନଥିଲି । ଗୁମାସ୍ତାଙ୍କ ଅନୁମତି ନେଇ ମୁଁ ନିଜେ ଟିକେଟ କଟେଇବାର ଚେଷ୍ଟା କଲି-। ମୁଁ ଜାହାଜକୁ ଗଲି । ତାହାର ବଡ଼ କର୍ତ୍ତାଙ୍କ ସଙ୍ଗେ ଦେଖାକଲି । ତାଙ୍କୁ ମୁଁ ପଚାରିବାରେ ସେ ନିଷ୍କପଟ ଭାବରେ ଜବାବ ଦେଇଥିଲେ, ‘‘ଆମର ଏଥିରେ ଏଡ଼େ ଭିଡ଼ କ୍ୱଚିତ ହୋଇଥାଏ । କିନ୍ତୁ ମୋଜାମ୍ବିକର ଲାଟସାହେବ ଏ ଜାହାଜରେ ଯାଉଛନ୍ତି, ସେଥିପାଇଁ ଜାଗା ସବୁ ଭର୍ତ୍ତି ହୋଇଯାଇଛି-।’’

 

‘‘ତେବେ କ’ଣ ତମେ ମୋ ପାଇଁ କୌଣସି ପ୍ରକାରେ ଟିକିଏ ଜାଗା କରିଦେଇ ପାରିବ ନାହିଁ ?’’

 

ବଡ଼କର୍ତ୍ତା ମୋ ମୁହଁକୁ ଅନେଇଲେ । ହସି ହସି କହିଲେ ଗୋଟିଏ ଉପାୟ ଅଛି । ମୋର କୋଠାରୀରେ ଗୋଟିଏ ଝୁଲାବେଞ୍ଚ ଖାଲିଥାଏ । ସେଥିରେ ମୁଁ ଯାତ୍ରୀ ନିଏନାହିଁ; କିନ୍ତୁ ସେ ଜାଗାକୁ ମୁଁ ତମକୁ ଦେବାକୁ ପ୍ରସ୍ତୁତ ଅଛି ।’’ ମୁଁ ରାଜି ହୋଇଗଲି । ବଡ଼କର୍ତ୍ତାଙ୍କୁ ଧନ୍ୟବାଦ ଦେଲି । ଶେଠଙ୍କୁ କହି ଟିକେଟ କଟେଇଲି । ୧୮୯୩ ସାଲ ଅପ୍ରେଲ ମାସରେ ମୁଁ ପୂରା ଉତ୍ସାହରେ ଦକ୍ଷିଣ ଆଫ୍ରିକାରେ ମୋର ଭାଗ୍ୟ ପରୀକ୍ଷା କରିବା ପାଇଁ ବାହାରି ପଡ଼ିଲି ।

 

ପ୍ରଥମ ବନ୍ଦର ପଡ଼ିଲା ‘‘ଲାମୁ’’ । ସେଠି ପହଞ୍ଚିବାକୁ ପ୍ରାୟ ତେରଦିନ ଲାଗିଥିଲା । ବାଟରେ ବଡ଼କର୍ତ୍ତା କାପ୍ତାନଙ୍କ ସଙ୍ଗେ ବଡ଼ ପ୍ରୀତି ଜମିଗଲା । କାପ୍ତାନଙ୍କ ସତରଞ୍ଜି ଖେଳିାବାରେ ସୌକ ଥାଏ । ମୁଁ କିନ୍ତୁ ନୂଆ ଶିଖାଳୀ ଥିଲି । ମୋଠାରୁ ବଳି ବୋକା ଖେଳାଳୀଙ୍କ ସଙ୍ଗେ ତାଙ୍କର କାମ ଚଳେ । ସେଥିପାଇଁ ସେ ମତେ ଖେଳିବାକୁ ଡାକନ୍ତି, ମୁଁ ତ ସତରଞ୍ଜି ଖେଳ କେବେ ଖେଳି ନଥିଲି । ସେ ସମ୍ବନ୍ଧରେ ଶୁଣିଥିଲି ମାତ୍ର । ଖେଳାଳୀ କହନ୍ତି ଏ ଖେଳରେ ବୁଦ୍ଧି ପୂରା ଦରକାର ପଡ଼େ । କାପ୍ତାନ ମତେ ନିଜେ ଶିଖେଇଦେବେ ବୋଲି କହିଲେ, ମୁଁ ତାଙ୍କର ଯଥାର୍ଥ ଛାତ୍ର ଜୁଟିଗଲି, କାରଣ ମୋର ଧୈର୍ଯ୍ୟ ଥିଲା । ମୁଁ ଯେତିକି ହାରୁଥାଏ କାପ୍ତାନଙ୍କର ଶିଖେଇବା ଧୁମ୍ ସେତିକି ବେଶି ଉଠୁଥାଏ । ମତେ ସତରଞ୍ଜି ଖେଳ ଭଳ ଲାଗୁଥିଲା; କିନ୍ତୁ ଜାହାଜରୁ କେବେ ଦିନେ ତଳକୁ ଓହ୍ଲେଇ ନାହିଁ । ରଜାମନ୍ତ୍ରୀ ପ୍ରଭୃତ କେମିତି ଚଳେଇବାକୁ ହୁଏ ତାହା ଛଡ଼ା ମତେ ବେଶି ଜଣା ନ ଥିଲା ।

 

ଲାମୁ ବନ୍ଦର ଆସିଲା । ସେଠାରେ ଜାହାଜ ତିନି ଚାରି ଘଣ୍ଟା ରହିବାର କଥା । ମୁଁ ବନ୍ଦର ଦେଖିବାକୁ କୂଳକୁ ଓହ୍ଲାଇ ଗଲି । କାପ୍ତାନ ମଧ୍ୟ ଯାଇଥିଲେ । ସେ ମତେ କହିଥିଲେ, ‘‘ଏ ବନ୍ଦର ବଡ଼ ଦଗାଦିଆ । ତୁମେ ଶୀଘ୍ର ଫେରି ପଡ଼ିବ ।’’

 

ଗାଁଟି ନିତାନ୍ତ ଛୋଟ । ସେଠା ଡାକଘରକୁ ଗଲି ତ ଭାରତୀୟ ଚାକର ଦେଖିଲି । ସେଥିଯୋଗୁଁ ଖୁସି ହେଲି । ତା ସହିତ କଥାବାର୍ତ୍ତା ହେଲି । ହବସି (ନିଗ୍ରୋ) ମାନଙ୍କ ସଙ୍ଗେ ଦେଖା ହେଲା, ତାଙ୍କର ଚାଲିଚଳନ ଦେଖିବାକୁ ଖୁସି ଲାଗିଲା । ସେଥିରେ କିଛି ସମୟ ଗଲା । ଆଉ କେତେକ ଡେକ ଯାତ୍ରୀ ଯାଉଥାନ୍ତି । ସେମାନେ ରନ୍ଧା ଭାତ ଦିଓଟି ଆରାମରେ ଖାଇବେ ବୋଲି ଯାଇଥିଲେ । ମୁଁ ତାଙ୍କରି ଡଙ୍ଗାରେ ବସିଲି । ବାର ଜଣରେ ଡଙ୍ଗା ବୋଝେଇ ହୋଇଯାଏ । ଆମର ଡଙ୍ଗାରେ ବୋଝେଇ ଠିକ୍‌ ଥିଲା । କିନ୍ତୁ ସମୁଦ୍ରର ସୁଅ ଏତେ ଜୋର ହୋଇଥାଏ ଯେ: ଡଙ୍ଗାର ଦଉଡ଼ା ଜାହାଜର ଶିଡ଼ି ସଙ୍ଗେ କୈାଣସି ମତେ ବାନ୍ଧି ହେଲା ନାହିଁ । ଡଙ୍ଗା ଶିଡ଼ି ପାଖକୁ ଯାଏ ପୁଣି ଘୁଞ୍ଚିଯାଏ । ଜାହାଜ ଛାଡ଼ିବାର ପହିଲି ସିଟି ହୋଇଗଲା । ମୁଁ ଘାବରା ହେଲି । କାପ୍ତାନ ଉପରୁ ଦେଖୁଥିଲେ । ସେ ପାଞ୍ଚମିନିଟ ଜାହାଜ ଅଟକାଇବାକୁ କହିଲେ । ଜାହାଜରେ ହାଲୁକା ଜାଲିବୋଟ ଥାଏ, ଜଣେ ବନ୍ଧୁ ମୋ ପାଇଁ ଦଶଟଙ୍କା ଦେଇ ତାକୁ ଭଡ଼ାନେଲେ । ଜାହାଜରେ ମତେ ସେହି ଜାଲିବୋଟ ସାହାଯ୍ୟରେ ଆର ଡଙ୍ଗାରୁ ଉପରକୁ ଉଠେଇ ନେଲେ । ଜାହାଜର ଶିଡ଼ି ତ ଉଠିଯାଇଥାଏ । ଦଉଡ଼ିରେ ମତେ ଉପରକୁ ଓଟାରି ନେଲେ । ଜାହାଜ ତେଣେ ଚାଲିଲା । ଅନ୍ୟ ଯାତ୍ରୀମାନେ ରହିଗଲେ । କାପ୍ତାନ ଯେ ସତର୍କବାଣୀ ଶୁଣାଇଥିଲେ, ତାହାର ଅର୍ଥ ଏବେ ବୁଝିଲି ।

 

ଲାମୁରୁ ମୋମ୍ବାସା ଓ ସେଠାରୁ ଜାଞ୍ଜିବାରରେ ପହଞ୍ଚିଲୁ । ଜାଞ୍ଜିବାରଠାରେ ବହୁତ ଦିନ ରହିବାକୁ ପଡ଼ିଥିଲା—ପ୍ରାୟ ଆଠ ଦଶ ଦିନ । ଏଠାରେ ଅନ୍ୟ ଜାହାଜକୁ ବଦଳି ହୁଏ ।

 

କାପ୍ତାନଙ୍କର ସ୍ନେହର ସୀମା ନ ଥିଲା । କିନ୍ତୁ ଏ ସ୍ନେହ ମୋ ପ୍ରତି ଓଲଟା ଆକାର ଧାରଣ କରିଥିଲା । ତାଙ୍କ ସଙ୍ଗରେ ଗସ୍ତକରି ଯିବାପାଇଁ ମତେ ସେ ନିମନ୍ତ୍ରଣ କରିଥିଲେ । ଜଣେ ଇଂରେଜ ବନ୍ଧୁଙ୍କୁ ମଧ୍ୟ ଡାକିଥାନ୍ତି । ଆମେ ତିନିହେଁ ଜାଲିବୋଟରେ ଓହ୍ଲାଇଥିଲୁ । ଏ ଗସ୍ତର ମର୍ମ ମୁଁ ଆଦୌ ବୁଝି ନ ଥାଏ । କାପ୍ତାନଙ୍କୁ କୁଆଡ଼ୁ ଖବର ଜଣା ହେବ ଯେ, ମୁଁ ଏ ବିଷୟରେ ଏକଦମ୍‌ ଅଜ୍ଞ ଥିଲି । ଆମେ ତ ହବସୀ (ନିଗ୍ରୋ) ସ୍ତ୍ରୀ ଲୋକଙ୍କ ପଡ଼ାରେ ପହଞ୍ଚିଲୁ । ଜଣେ ଦଲାଲ ଆମକୁ ସେଠାକୁ ନେଇ ଯାଇଥିଲା । ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ବଖରାରେ ପୂରେଇ ଦେଲା । ମାତ୍ର ମୁଁ ତ ଲଜ୍ଜାରେ ସେ କୋଠାରୀ ଭିତରେ ପଶି, ସେମିତି ଠିଆହୋଇ ରହିଲି । ସେ ଭଉଣୀଟି କ’ଣ ବିଚାରି ଥିବ ତାହା ତାକୁ ଜଣା । କାପ୍ତାନ ତେଣେ ଡାକଦେଲେ । ମୁଁ ଯେମିତି ଭିତରକୁ ଯାଇଥିଲି ସେମିତି ବାହାରକୁ ବାହାରି ଆସିଲି । କାପ୍ତାନ ମୋର ନିର୍ଦ୍ଦୋଷପଣିଆ ବୁଝି ପାରିଥିଲେ । ପହିଲେ ତ ମତେ ଭାରି ଲାଜ ମାଡ଼ିଥିଲା । କିନ୍ତୁ ସେ କାର୍ଯ୍ୟକୁ ମୁଁ କୌଣସିମତେ ପସନ୍ଦ କରିବି, ତା’ ତ କେବେ ହୁଅନ୍ତା ନାହିଁ, ଅତଏବ ସେ ଲାଜ ଶୀଘ୍ର ଛାଡ଼ିଗଲା ଏବଂ ମୁଁ ଭଗବାନଙ୍କୁ କୃତଜ୍ଞତା ଜଣାଇଲି ଯେ, ସେ ଭଉଣୀଙ୍କୁ ଦେଖି ମୋ ମନରେ କାମ ପ୍ରବୃତ୍ତି ଜନ୍ମି ନ ଥିଲା । କିନ୍ତୁ ମୋର ଦୁର୍ବଳତା ପ୍ରତି ମୋର ଘୃଣା ଜନ୍ମିଥିଲା । କାରଣ, ମୁଁ ସେ କୋଠରୀରେ ପଶିବାକୁ ମନା କରିଦେବା ପାଇଁ ମୋର ସାହାସ ହୋଇ ନ ଥିଲା ।

 

ମୋ ଜୀବନରେ ଏହିଭଳି ଏ ତୃତୀୟ ପରୀକ୍ଷା ଥିଲା । କେତେକ ଯୁବକ ପ୍ରଥମେ ନିର୍ଦ୍ଦୋଷ ହୋଇ ମଧ୍ୟ ମିଥ୍ୟା ଲାଜରେ କୁକର୍ମରେ ପଡ଼ିଯାନ୍ତି । ମୋର ରକ୍ଷା ପାଇ ଯିବା ଲାଗି ଆପଣା ପୁରୁଷାର୍ଥକୁ ଧନ୍ୟ ମଣୁନାହିଁ । ଯଦି ମୁଁ ସେ କୋଠାରୀରେ ପଶିବାକୁ ସାଫ ସାଫ ମନା କରିଥାନ୍ତି, ତେବେ ତାହା ମୋର ପୁରୁଷାର୍ଥ ବୋଲି ଧରାଯାଇଥାନ୍ତା । ରକ୍ଷା ପାଇଁ କେବଳ ଭଗବାନଙ୍କୁ ଧନ୍ୟ ମଣିବାର କଥା । କିନ୍ତୁ କେବଳ ଭଗବାନଙ୍କ ଉପରେ ମୋର ଭରସା ବଢ଼ିଲା ଏବଂ ମିଛ ଲାଜ ଛାଡ଼ିବାର ସାହାସ କିଛି ଶିଖିଲି । ଜାଞ୍ଜିବାରଠାରେ ଗୋଟିଏ ସପ୍ତାହ ରହିବାକୁ ପଡ଼ିଥିଲା । ସେଥିପାଇଁ ମୁଁ ଗୋଟିଏ ବସା ନେଇ ସହରରେ ରହିଥିଲି । ଖୁବ୍‌ ବୁଲି ବୁଲି ସହର ଦେଖିଲି । ଚାରିଆଡ଼ ଗଛ ପତ୍ରରେ ସେଠାର ସବୁଜ ଦୃଶ୍ୟ କେବଳ ଭାରତର ମାଲବାରରେ ଦେଖିବାକୁ ମିଳିପାରେ । ସେଠାରେ ପ୍ରକାଣ୍ଡ ପ୍ରକାର ଗଛ, ସେଠାରେ ବଡ଼ ବଡ଼ ଫଳ ଦେଖି ତ ମୁଁ ବିସ୍ମିତ ହୋଇଗଲି ।

 

ଜାଞ୍ଜିବାରଠାରୁ ମୋଜାମ୍ବିକ ଓ ସେଠୁ ପ୍ରାୟ ମେ ମାସ ବେଳକୁ ନାଟାଲ ପହଞ୍ଚିଥିଲୁ ।

 

ଅଭିଜ୍ଞତାରୁ ବିଚିତ୍ରତା

 

ନାତାଲ ବନ୍ଦରକୁ ଡରବାନ୍‌ କହନ୍ତି ଏବଂ ନାତାଲ ଏହି ବନ୍ଦର ନାଁରେ ମଧ୍ୟ ପରିଚିତ । ମତେ ନେବାକୁ ଅବ୍‌ଦୁଲା ଶେଠ ଆସିଥିଲେ । ଜାହାଜ ଡକରେ ପଶିଲା ଏବଂ ନାତାଲର ଲୋକେ ଆପଣା ଆପଣା ମିତ୍ରଙ୍କୁ ପାଛୋଟି ନେବାକୁ ଜାହାଜ ଉପରକୁ ଆସିଥିଲେ । ସେଥିରୁ ମୁଁ ବୁଝିଗଲି ଯେ ଏଠାରେ ଭାରତୀୟଙ୍କୁ ବିଶେଷ ସମ୍ମାନ କରନ୍ତି ନାହିଁ । ଅବଦୁଲା ଶେଠଙ୍କର ପରିଚିତ ଲୋକେ ଯେମିତି ତାଙ୍କ ସଙ୍ଗେ ଅଭଦ୍ର ଭଳି ବ୍ୟବହାର କରୁଥିବା ମୁଁ ଦେଖି ପାରିଥିଲି, ତାହା ମୋ ମନକୁ ବିଶେଷ ବାଧୁଥିଲା । ଅବଦୁଲା ଶେଠ ଏ ଅଭଦ୍ରତାକୁ ସହି ଯାଇଥିଲେ । ମତେ ଯେ ଦେଖୁଥିଲେ ସେ ନିକିଟି କରି କୌତୁହଳର ସହିତ ଅନାଇ ଥିଲେ । ମୋର ପୋଷାକରେ ମୁଁ ଅନ୍ୟ ଭାରତୀୟଙ୍କଠାରୁ ବାରି ହୋଇ ପଡ଼ୁଥିଲି । ମୁଁ ସେତେବେଳେ ଫ୍ରକ୍‌ କୋଟ ପ୍ରଭୃତି ଲଗାଇ ଥାଏ ଏବଂ ମୁଣ୍ଡରେ ବଙ୍ଗାଳୀ ଢଙ୍ଗରେ ଏକ ପଗଡ଼ି ପିନ୍ଧିଥାଏ ।

 

ମତେ ଘରକୁ ନେଇ ଗଲେ । ଆପଣା କୋଠରୀ ପାଖରେ ଆଉ ଗୋଟିଏ କୋଠରୀ ଥିଲା, ସେୟାକୁ ମତେ ଦେଇଥିଲେ । ସେ ମତେ ବୁଝିପାରୁ ନ ଥିଲେ, ମୁଁ ତାଙ୍କୁ ମଧ୍ୟ ବୁଝିପାରୁ ନ ଥିଲି । ତାଙ୍କର ଭାଇଙ୍କର ଦେଇଥିବା ଚିଠି ସବୁ ସେ ପଢ଼ିଲେ ଏବଂ ବିଶେଷ ବଣା ହେବା ପରି ଜଣାଗଲେ । ତାଙ୍କୁ ଲାଗିଲା ଯେମିତି ଭାଇ ତାଙ୍କ ପାଇଁ ଗୋଟିଏ ଧଳାହାତୀ ପଠେଇ ଦେଇଛନ୍ତି । ମୋର ସାହେବୀ ଢଙ୍ଗଢାଙ୍ଗରେ ତାଙ୍କୁ ବହୁତ ଖର୍ଚ୍ଚ ପଡ଼ିବ ବୋଲି ଲାଗିଥିଲା । ମୋ ପାଇଁ ତ ବିଶେଷ କାମ ସେତେବେଳେ ନ ଥିଲା । ତାଙ୍କର ମକଦ୍ଦମା ତ ଟ୍ରାନ୍‌ସଭାଲରେ ଚାଲୁଥାଏ । ସେଠାକୁ ମତେ ସଙ୍ଗେ ସଙ୍ଗେ ପଠାଇ କ’ଣ ହେବ ? ଉପରନ୍ତୁ ମୋର ବିଦ୍ୟା ବୁଦ୍ଧି ଓ ସାଧୁତା ଉପରେ କେତେଦୂର ବିଶ୍ୱାସ କରିହେବ ? ପ୍ରିଟୋରିଆଠାରେ ମୋ ସାଙ୍ଗକୁ ତାଙ୍କର ଆପଣାର ଲୋକ କେହି ନ ଥିଲେ । ପ୍ରତିବାଦୀ ପ୍ରିଟୋରିଆରେ ରହୁଥିଲେ । ତାଙ୍କର ଖରାପ ପ୍ରଭାବ ଯଦି ମୋ ଉପରେ ପଡ଼ିବ ? ଯଦି ମକଦ୍ଦମା କାମ ମୋ ଉପରେ ନ ପକେଇବ ତେବେ ଅନ୍ୟ କାମ ତ ତାଙ୍କ କିରାଣୀ ମୋଠାରୁ ଢେର ଭଲ କରି ପାରିବେ । କିରାଣୀ ଦୋଷ କଲେ ତ ତା’ପାଇଁ ଗାଳି ଅଛି । ମୁଁ ଭୁଲ କଲେ କ’ଣ ହେବ ? ହବ ତ ମକଦ୍ଦମା କାମ ନଚେତ୍‌ କିରାଣୀ କାମ—ଏହାଛଡ଼ା ତୃତୀୟ କାମ ନ ଥିଲା । ଯଦି ମକଦ୍ଦମା କାମ ନ ଦେବେ ତ ତେବେ ମତେ ଘରେ ବସାଇ ଖୁଆଉ ଥିବେ ।

 

ଅବଦୁଲା ଶେଠଙ୍କର ଅକ୍ଷର ଜ୍ଞାନ ବହୁତ କମ ଥିଲା ମାତ୍ର ଅନୁଭବ ଜ୍ଞାନ ବହୁତ ବେଶି ଥିଲା ।

 

ତାଙ୍କର ବୁଦ୍ଧି ଭାରି ତେଜ ଥିଲା ଏବଂ ସେ କଥା ମଧ୍ୟ ତାଙ୍କୁ ଜଣା ଥିଲା । ଇଂରେଜୀ ଜ୍ଞାନ କଥା ବାର୍ତ୍ତା ଚଳେଇବା ଭଳି ସେ ଅଭ୍ୟାସ କରି ହାସଲ କରିଥିଲେ । କିନ୍ତୁ ଏତିକି ଇଂରାଜୀରେ ସେ ଆପଣାର ସବୁ କାମ ଚଳେଇ ନେଉଥିଲେ । ବେଙ୍କ ମେନେଜର ସଙ୍ଗେ କଥାବାର୍ତ୍ତା କରନ୍ତି, ଇଉରୋପୀୟ ବେପାରୀଙ୍କ ସଙ୍ଗେ ସଉଦା ପତ୍ର କରନ୍ତି ଏବଂ ଓକିଲଙ୍କୁ ଆପଣା ମକଦ୍ଦମା ବୁଝାନ୍ତି । ଭାରତୀୟଙ୍କ ଭିତରେ ତାଙ୍କର ଖୁବ୍‌ ସମ୍ମାନ, ତାଙ୍କ ଦୋକାନ ସେତେବେଳେ ସବୁ ଭାରତୀୟ ଦୋକାନ ଭିତରେ ସବୁଠାରୁ ବଡ଼ ଥିଲା କିମ୍ବା ବଡ଼ବଡ଼ିଆ ଦୋକାନମାନଙ୍କ ଭିତରେ ଗୋଟିଏ ଥିଲା । ତାଙ୍କର ସ୍ୱଭାବ ଭାରି ସନ୍ଦେହୀ ଥିଲା ।

 

ତାଙ୍କର ମୁଲସମାନ ଧର୍ମରେ ଅଭିମାନ ଥାଏ । ତତ୍ତ୍ୱ କଥା ଆଲୋଚନାରେ ମଧ୍ୟ ସୌକ ଥାଏ । ଆରବୀ ଆସେ ନାହିଁ, ତଥାପି କୋରାନ ସରିଫର ଏବଂ ସାଧାରଣ ଭାବରେ ମୁସଲମାନ ଧର୍ମ ସାହିତ୍ୟର ଓସ୍ତାଦ୍‌ ଥିଲେ । ମୁହେଁ ମୁହେଁ ତ ଶାସ୍ତ୍ରରୁ ଉଦାହରଣ ତିଆର ଥାଏ । ତାଙ୍କ ସହବାସରୁ ମତେ ମୁସଲମାନ ଧର୍ମ ବ୍ୟାବହାରିକ ଜ୍ଞାନ ଠିକ୍‌ ମିଳିଲା । ଆମର ପରସ୍ପର ପରିଚୟ ହେବା ପରେ ସେ ମୋ ସଙ୍ଗେ ବହୁତ ଧର୍ମଚର୍ଚ୍ଚା କରୁଥିଲେ ।

 

ଦ୍ୱିତୀୟ ବା ତୃତୀୟ ଦିନରେ ମତେ ଡରବାନ କଚେରୀ ଦେଖାଇବାକୁ ନେଇଗଲେ । ସେଠି କେତେକଙ୍କ ସହିତ ପରିଚୟ କରେଇ ଦେଇଥିଲେ । କଚେରୀରେ ଆପଣାର ଓକିଲଙ୍କ ପାଖରେ ମତେ ବସେଇଥିଲେ । ମାଜିଷ୍ଟ୍ରେଟ୍‌ ମୋ ଆଡ଼କୁ ଅନେଇଥିଲେ । ସେ ମତେ ମୋର ପଗଡ଼ି କାଢ଼ି ପକାଇବାକୁ କହିଥିଲେ । ମୁଁ କାଢ଼ିବାକୁ ମନା କରିଥିଲି ଏବଂ କଚେରୀରୁ ଚାଲି ଆସିଥିଲି ।

 

ମୋ କପାଳକୁ ଏଠି ମଧ୍ୟ ଲଢ଼େଇ ଜୁଟି ଯାଇଥିଲା ।

 

ପଗଡ଼ି କାଢ଼ିବା ରହସ୍ୟ ଅବ୍‌ଦୁଲ୍ଲା ବୁଝାଇଥିଲେ । ମୁସଲମାନୀ ପୋଷାକ ଯେ ପିନ୍ଧିଥିବେ, ସେମାନେ ତାଙ୍କର ମୁସଲମାନୀ ପଗଡ଼ି ପିନ୍ଧି ପାରିବେ । ଅନ୍ୟ ଭାରତୀୟ କଚେରୀରେ ପସିଲାକ୍ଷଣି ଆପଣା ପଗଡ଼ି କାଢ଼ିବାକୁ ବାଧ୍ୟ ।

 

ଏ ସୂକ୍ଷ୍ମଭେଦ ବୁଝିବା ପାଇଁ ମତେ କେତେକ ଘଟଣା କହିବାକୁ ପଡ଼ିବ ।

 

ମୁଁ ଏ ଦି’ ତିନି ଦିନରେ ଦେଖି ପାରିଥିଲି ଯେ, ଏଠାରେ ଭାରତୀୟମାନେ ଆପଣା ଆପଣା ଦଳ ବାନ୍ଧି ବସି ଯାଇଛନ୍ତି । ଗୋଟିଏ ଭାଗ ମୁସଲମାନ ବେପାରୀଙ୍କର—ସେମାନେ ନିଜକୁ ‘ଆରବ’ ନାଁରେ ପରିଚୟ ଦେଇଥାନ୍ତି, ଅନ୍ୟ ଭାଗ ହିନ୍ଦୁ ବା ପାରସୀ କିରାଣୀମାନେ । ହିନ୍ଦୁ କିରାଣୀଙ୍କର ତ ଗୋଡ଼ ଦେବାକୁ ସ୍ଥାନ ନ ଥିଲା । କେହି କେହି ‘ଆରବ’ଙ୍କ ସଙ୍ଗେ ମିଶିଯାନ୍ତି, ପାରସୀମାନେ ପର୍ସୀୟାନ ବୋଲି ପରିଚୟ ଦିଅନ୍ତି । ବେପାର ବାହାରେ ପରସ୍ପର ମଧ୍ୟରେ ସମ୍ପର୍କ ଅଳ୍ପ ବେଶି ଠିକ୍‌ ଥାଏ । ଆଉ ଏକ ଚତୁର୍ଥ ଓ ବଡ଼ ଦଳ ଥିଲେ । ସେମାନେ ଥିଲେ ତାମିଲ ଓ ତେଲୁଗୁ ଓ ଉତ୍ତର ଭାରତରେ ଗିରିମିଟିଆ ଏବଂ ଗିରିମିଟି ମୁକ୍ତ ଭାରତୀୟ । ‘ଗିରିମିଟି’ ଅର୍ଥାତ୍‌ ସେତେବେଳେ ଯେଉଁ ଚୁକ୍ତିନାମା ଲେଖି ପାଞ୍ଚବର୍ଷ ପାଇଁ କୁଲିକାମ କରିବାକୁ ଗରିବ ଭାରତୀୟମାନେ ନାତାଲ ଆସୁଥିଲେ ସେହି ଚୁକ୍ତିନାମାରୁ (ଏଗ୍ରିମେଣ୍ଟ) ଅପ୍ରଭଂଶ ହୋଇଗଲା ଗିରିମିଟି—ସେଥିରୁ ହେଲା ଗିରିମିଟିଆ । ଏ ଦଳଙ୍କ ସଙ୍ଗେ ଅନ୍ୟମାନଙ୍କର କେବଳ କାମ ଉପରେ ସମ୍ପର୍କ ଥାଏ । ଏ ଗିରିମିଟିଆଙ୍କୁ ଇଂରେଜମାନେ ‘‘କୁଲି’’ ବୋଲି ଜାଣନ୍ତି ଏବଂ ତାଙ୍କ ସଂଖ୍ୟା ବେଶି । ସେଥିପାଇଁ ଅନ୍ୟମାନଙ୍କୁ ମଧ୍ୟ ‘‘କୁଲି’’ ବୋଲି କହନ୍ତି—କୁଲି ବଦଳରେ ‘ସାମୀ’ ମଧ୍ୟ କହନ୍ତି । ‘ସାମୀ’ ଶବ୍ଦଟା ଅଧିକାଂଶ ତାମିଲଙ୍କ ନାମ ଶେଷରେ ପ୍ରତ୍ୟୟ ହୋଇଥାଏ । ‘‘ସାମୀ’’ ଅର୍ଥାତ୍‌ ସ୍ୱାମୀ । ସ୍ୱାମୀର ଅର୍ଥ ଗୃହକର୍ତ୍ତା । ସେଥିପାଇଁ କୌଣସି ଭାରତୀୟ ‘‘ସାମୀ’’ ଶବ୍ଦରେ ଚିଡ଼ିଲେ ଏବଂ ତାର ଟିକିଏ ସାହାସ ଥିଲେ ସେ ଇଂରେଜଙ୍କୁ ଓଲଟି ଜବାବ ଦିଅନ୍ତି ? ‘‘ତେମେ ମତେ ସାମୀ କହୁଛ, କିନ୍ତୁ ଜାଣ ସାମୀର ଅର୍ଥ କର୍ତ୍ତା ? ମୁଁ ତମର କର୍ତ୍ତା ନୁହେଁ ।’’ ଏହା ଶୁଣିଲେ କୌଣସି କୌଣସି ଇଂରେଜଙ୍କୁ ଲାଜମାଡ଼େ, କେହି ବା ଚିଡ଼ିଯାନ୍ତି ଏବଂ ବେଶି ଭାଗ ଗାଳି ଦିଅନ୍ତି । ପୁଣି ଭଲ ମଣିଷ ଦେଖିଲେ ମାରନ୍ତି ମଧ୍ୟ । କାରଣ ତାଙ୍କୁ ସାମୀ ଅର୍ଥ ନିନ୍ଦାସୂଚକ ଜଣାପଡ଼େ—କର୍ତ୍ତା କହିବା ତ ତାଙ୍କୁ ଅପମାନ ଭଳି ଲାଗିଥାଏ ।

 

ସେଥିଯୋଗୁଁ ମତେ ‘‘କୁଲି ବାରିଷ୍ଟର’’ କହିଥିଲେ । ବେପାରୀଙ୍କୁ ମଧ୍ୟ କୁଲି ବେପାରୀ ଡାକନ୍ତି । କୁଲିର ମୂଳ ଅର୍ଥ ମୂଲିଆ, ତାହା ଭୁଲିଯାଇ ଥିଲେ । ବେପାରୀମାନେ ଏ ଡାକ ଶୁଣି ରାଗିଯାଇ କହନ୍ତି, ‘‘ମୁଁ କୁଲି ନୁହେଁ । ମୁଁ ତ ଆରବ ଅଟେ କିମ୍ବା ମୁଁ ତ ବେପାରୀ ।’’ ସେ ଇଂରେଜ ଯଦି ଟିକିଏ ଭଦ୍ର ହୋଇଥାଏ, ତେବେ ଏହା ଶୁଣି ସେ କ୍ଷମା ମାଗିନିଏ ।

 

ଏପରି ଅବସ୍ଥାରେ ପଗଡ଼ି ପିନ୍ଧିବା ପ୍ରଶ୍ନଟା ଏକ ଗୁରୁତର ପ୍ରଶ୍ନ ହୋଇ ପଡ଼ିଥିଲା । ପଗଡ଼ି କାଢ଼ିବା ଅର୍ଥ ଆତ୍ମସମ୍ମାନ ହାନିକୁ ସହିଯିବା । ମୁଁ ତ ବିଚାରିଥିଲି ଯେ, ଭାରତୀୟ ପଗଡ଼ିକୁ ବିଦାୟ ଦେବି ଏବଂ ଇଂରେଜୀ ଟୋପି ପିନ୍ଧିବି, ଯାହା ଫଳରେ ଟୋପି କାଢ଼ିବାରେ ସମ୍ମାନ ହାନି ଜଣା ପଡ଼ିବ ନାହିଁ ଏବଂ ମୁଁ ମଧ୍ୟ କଳି କଜିଆରୁ ବଞ୍ଚିଯିବି ।

 

ଅବଦୁଲାଙ୍କର ଶେଷକୁ ଏ ପ୍ରସ୍ତାବ ପସନ୍ଦ ହୋଇ ନ ଥିଲା । ସେ କହିଥିଲେ, ‘‘ତେମେ ଯଦି ଆଉ ଏତେବେଳେ ଏ ବଦଳାବଦଳି କରିବ, ତେବେ ସେଥିରେ ଅନର୍ଥ ହେବ । ଅନ୍ୟମାନେ ଯେ ଦେଶର ପଗଡ଼ି ପିନ୍ଧିବାକୁ ଚାହିଁବେ, ତାଙ୍କ ଅବସ୍ଥା ଗୋଳମାଳିଆ ଧରିବ । ଉପରନ୍ତୁ, ଆମ ଦେଶର ପଗଡ଼ି ତ ତମକୁ ମାନୁଛି । ତମେ ଇଂରେଜୀ ଟୋପି ପିନ୍ଧିଲେ ତମକୁ ୱେଟର୍ ଶ୍ରେଣୀରେ ପକେଇ ଦେବେ ।’’

 

ଏ ବାକ୍ୟରେ ସାଂସାରିକ ବିଜ୍ଞତା ଥିଲା । ଦେଶାଭିମାନ ଥିଲା ଏବଂ ଟିକିଏ ସଂକୀର୍ଣ୍ଣତା ମଧ୍ୟ ଥିଲା । ସାଂସାରିକ ବୁଦ୍ଧି ତ ସ୍ପଷ୍ଟ ଦେଖା ଯାଉଛି । ଦେଶପ୍ରୀତି ନ ଥିଲେ ପଗଡ଼ି ପ୍ରତି ଶ୍ରଦ୍ଧା ନ ଥାନ୍ତା । ସଂକୀର୍ଣ୍ଣତା ବିନା ‘‘ୱେଟର’’ର ସମାଲୋଚନା ହୋଇ ନ ଥାନ୍ତା । ଗିରିମିଟିଆ ଭାରତୀୟଙ୍କ ଭିତରେ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟାନ୍‌ ଏଭଳି ତିନିଭାଗ ଥିଲେ । ଗିରିମିଟିଆ ଭାରତୀୟ ଯେ ଖ୍ରୀଷ୍ଟାନ ଥିଲେ—ତାଙ୍କର ପିଲାଛୁଆମାନେ ଖ୍ରୀଷ୍ଟାନ୍‌ । ଏମାନଙ୍କ ସଂଖ୍ୟା ୧୮୯୩ରେ ବହୁତ ବେଶି ଥିଲା । ସେମାନେ ସମସ୍ତେ ଇଂରେଜୀ ପୋଷାକ ପିନ୍ଧୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ହୋଟେଲରେ ଚାକିରି କରି ପେଟ ପୋଷୁଥିଲେ । ଏହି ଦଳଙ୍କ ଉଦ୍ଦେଶ୍ୟରେ ଇଂରେଜୀ ଟୋପିକୁ ଅବଦୁଲା ଶେଠ ସମାଲୋଚନା କରିଥିଲେ । ହୋଟେଲର ‘‘ଓ୍ୱେଟର’’ ଶ୍ରେଣୀଭୁକ୍ତ ହେବା ନୀଚ କାମ ବୋଲି ତାଙ୍କର ଧାରଣା ଥିଲା । ଆଜି ମଧ୍ୟ ଅନେକଙ୍କ ଭିତରେ ଏଇ ଭେଦଭାବ ଅଛି ।

 

ଅବଦୁଲା ଶେଠଙ୍କର ଯୁକ୍ତି ମତେ ମୋଟାମୋଟି ରୁଚିଥିଲା । ମୁଁ ଏ ପଗଡ଼ି ଘଟଣା ଉପରେ ମୋର ଓ ଗଡ଼ର ସମର୍ଥନ କରି ଖବରକାଗଜରେ ଏକ ଚିଠି ପ୍ରକାଶ କରିଥିଲି । ଖବରକାଗଜରେ ମୋର ପଗଡ଼ିର ଖୁବ୍‌ ଚର୍ଚ୍ଚା ହୋଇଥିଲା । ‘‘ଅନିମନ୍ତ୍ରିତ ଅତିଥି’’ ଶିରୋନାମାରେ ମୋ କଥା ଖବରକାଗଜରେ ବାହାରିଥିଲା ଏବଂ ତିନି ଚାରି ଦିନ ଭିତରେ ସହଜରେ ଦକ୍ଷିଣ ଆଫ୍ରିକାରେ ବିଖ୍ୟାତ ହୋଇଗଲି । କେହି କେହି ମୋ ପକ୍ଷ ନେଉଥିଲେ, କେହି କେହି ମୋର ଏ ଉଦ୍ଧତପଣିଆକୁ ନିନ୍ଦା କରୁଥିଲେ ।

 

ମୋର ପଗଡ଼ି ପ୍ରାୟ ଶେଷଯାଏ ମୁଣ୍ଡରେ ରହିଲା । କେମିତି ଗଲା, ତା’ ଆମେ ଶେଷ ଆଡ଼କୁ ଦେଖିବା ।

 

ପ୍ରିଟୋରିଆ ପଥେ

 

ଡରବାନରେ ଥିବା ଭାରତୀୟ ଖ୍ରୀଷ୍ଟାନ୍‌ମାନଙ୍କ ସଙ୍ଗେ ମୁଁ ଅତି ଶୀଘ୍ର ସମ୍ପର୍କ ସ୍ଥାପନ କରିଥିଲି । ସେଠାକାର କଚେରୀର ଦୋଭାଷୀ ମି. ପଲ୍‌ ରୋମାନ୍ କାଥଲିକ୍‌ ଖ୍ରୀଷ୍ଟାନ ଥିଲେ । ତାଙ୍କ ସଙ୍ଗେ ପରିଚୟ ହୋଇଗଲା ଏବଂ ସ୍ୱର୍ଗୀୟ ମି. ସୁଭାନ ଗଡଫ୍ରେ ଯେ କି ପ୍ରୋଟେଷ୍ଟାଣ୍ଟ ମିଶନର ଶିକ୍ଷକ ଥିଲେ, ତାଙ୍କ ସଙ୍ଗେ ମଧ୍ୟ ପରିଚୟ ହେଲା । ୟାଙ୍କ ପୁଅ ମି. ଜେମସ୍‌ ଗଡ଼ଫ୍ରେ ଦକ୍ଷିଣ ଆଫ୍ରିକାର ଭାରତୀୟ ପ୍ରତିନିଧି ଦଳରେ ଆରବର୍ଷ ଏଠାକୁ ଆସିଥିଲେ । ଏହି ସମୟରେ ସ୍ୱର୍ଗୀୟ ପାରସୀ ରସ୍ତମଜୀଙ୍କ ସଙ୍ଗେ ମଧ୍ୟ ପରିଚୟ ହୋଇଗଲା ଏବଂ ସେତିକିବେଳେ ଅଦମ୍‌ଜୀ ମିଆଁ ଖାଁଙ୍କ ସଙ୍ଗେ ସାକ୍ଷାତ ଓ ପରିଚୟ ମଧ୍ୟ ହୋଇଥିଲା । ଏ ସବୁ ଭାଇମାନେ କେବଳ କାମ ବେଳ ଛଡ଼ା ଅନ୍ୟବେଳେ ପରସ୍ପର ଦେଖାସାକ୍ଷାତ କରୁ ନ ଥିଲେ । କିନ୍ତୁ ପରେ ସେମାନେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ ।

 

ମୁଁ ଏହିଭଳି ଚିହ୍ନାପରିଚୟ କରୁଥାଏ । ଠିକ୍‌ ସେତିକିବେଳେ କମ୍ପାନୀର ଓକିଲଠୁଁ ଚିଠି ଆସିଲା ଯେ, ମକଦ୍ଦମା ପାଇଁ ଯୋଗାଡ଼ କରିବାକୁ ହେବ ଏବଂ ଅବଦୁଲା ଶେଠ ନିଜେ ପ୍ରିଟୋରିଆ ଯିବା ଉଚିତ କିମ୍ବା କାହାକୁ ସେଠାକୁ ପଠାଇବା ଶୀଘ୍ର ଦରକାର ।

 

ଅବଦୁଲା ଶେଠ ମତେ ଏ ଚିଠି ପଢ଼ିବାକୁ ଦେଇ ଚାଲିଗଲେ ‘‘ତମେ ପ୍ରିଟୋରିଆ ଯିବ-?’’ ମୁଁ କହିଲି, ‘‘ମତେ ମକଦ୍ଦମା ଭଲକରି ବୁଝେଇ ଦେବ ତ ମୁଁ ଯିବା ନ ଯିବା କଥା କହିପାରିବି, ନଚେତ୍‌ ସେଠି ଯାଇ କ’ଣ କରିବାକୁ ହେବ ଜାଣେ ନାହିଁ ।’’ ସେ ତାଙ୍କର କିରାନୀକୁ ମତେ ମକଦ୍ଦମା ବୁଝେଇବାକୁ ନିଯୁକ୍ତ କରିଥିଲେ ।

 

ମୁଁ ଦେଖିଲି ଯେ, ମୂଳରୁ ଖଡ଼ି ଧରିବାକୁ ହେବ । ଜାଞ୍ଜିବାରଠରେ ଯାହା ଓହ୍ଲେଇଥିଲି ଓ ସେଠାରେ କେବଳ ଅଦାଲତରେ କାମ ଦାମ ଦେଖିବାକୁ ଯାଇଥିଲି ମାତ୍ର । ଜଣେ ପାରସୀ ଓକିଲ ଏକ ସାକ୍ଷୀର ଜମାନବନ୍ଦୀ କରୁଥିଲେ ଏବଂ ତାଙ୍କୁ ଜମାଖର୍ଚ୍ଚ ସମ୍ବନ୍ଧରେ ପ୍ରଶ୍ନ ପଚାରୁଥିଲେ-। ମତେ ତ କ୍ରେଡ଼ିଟ୍‌ ଡ଼େବିଟ ହିସାବର କଥା ଜଣା ନ ଥିଲା । ହିସାବ ରଖିବା ବିଦ୍ୟାଳୟରେ ପଢ଼ିଲାବେଳେ ଶିଖି ନ ଥିଲି କି ବିଲାତରେ ମଧ୍ୟ ଶିଖି ନ ଥିଲି ।

 

ମୁଁ ଦେଖିଲି ଯେ, ଏ ମକଦ୍ଦମା ହିସାବ ଖାତା ପେନ୍‌ ଉପରେ ନିର୍ଭର କରେ । ହିସାବ ରଖିବାର ଜ୍ଞାନ ଥିଲେ ଏ ମକଦ୍ଦମା ବୁଝି ପାରିବ । ଜମା-ବାକି କଥା କିରାନୀ କହିଲେ ମୁଁ ବଣା ହୁଏ । ପି. ନୋଟ୍‌ କ’ଣ ମୁଁ ଜାଣିପାରୁ ନ ଥାଏ । ଅଭିଧାନରେ ସେ ଶବ୍ଦ ମିଳିଲା ନାହିଁ । ମୋର ଅଜ୍ଞତା ମୁଁ କିରାନୀଙ୍କୁ ଜଣାଇଲି ଏବଂ ତାଙ୍କଠୁ ଜାଣିଲି ଯେ ପି. ନୋଟ୍‌ ଅର୍ଥ ପ୍ରମିଶରୀ ନୋଟ୍‌(ହ୍ୟାଣ୍ଡନୋଟ୍‌ଜାତୀୟ) । ହିସାବ ବହି କିଣି ତାହା ସବୁ ପଢ଼ିଗଲି । ଟିକିଏ ଆତ୍ମବିଶ୍ୱାସ ଜନ୍ମି ଆସିଲା । ମକଦ୍ଦମା ବୁଝିହେଲା । ମୁଁ ଦେଖିଲି ଅବଦୁଲା ଶେଠ ହିସାବ ଲେଖି ଜାଣନ୍ତି ନାହିଁ । ଅଥଚ ବ୍ୟାବହାରିକ ଜ୍ଞାନ ଏତେ ବେଶି ପାଇଛନ୍ତି ଯେ, ହିସାବ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନ ସାଙ୍ଗେ ସାଙ୍ଗେ ସମାଧାନ କରିଦିଅନ୍ତି । ମୁଁ ତାଙ୍କୁ କହିଲି, ‘‘ମୁଁ ପ୍ରିଟୋରିଆ ଯିବାକୁ ପ୍ରସ୍ତୁତ ।’’

 

ଶେଠ ପଚାରିଲେ, ‘‘ତମେ କେଉଁଠି ରହିବ ?’’ ମୁଁ ଜବାବ ଦେଲି, ‘‘ତମେ ଯେଉଁଠି କହିବ ସେଇଠି ।’’ ଶେଠ କହିଲେ, ‘‘ତେବେ ମୁଁ ଆମ ଓକିଲଙ୍କୁ ଲେଖିବି । ସେ ତମର ରହିବାର ବ୍ୟବସ୍ଥା କରିବେ । ପ୍ରିଟୋରିଆରେ ମୋର ସାଇମନ ବନ୍ଧୁ ଅଛନ୍ତି ସତ, ତାକୁ ମଧ୍ୟ ଲେଖିପାରନ୍ତି; କିନ୍ତୁ ତମେ ସେମାନଙ୍କ ପାଖରେ ରହିବା ଭଲହେବ ନାହିଁ । ସେଠି ଆମ ପ୍ରତିପକ୍ଷର ଭାରି ପ୍ରତିପତ୍ତି । ତମ ପାଖକୁ ମୋର ଗୁପ୍ତ ଚିଠି ଯାହା ଯିବ, ସେ ସବୁ କେହି ପଢ଼ିବେ ତ ଆମ ମକଦ୍ଦମାର କ୍ଷତି ହେବ । ସେମାନଙ୍କ ସଙ୍ଗେ ଯେତେ କମ୍‌ ସମ୍ପର୍କ ରହେ ସେତେ ଭଲ ।’’

 

ମୁଁ କହିଲି, ‘‘ତମ ଓକିଲ ଯେଉଁଠାରେ ରଖିଦେବେ ସେଠି ରହିବି କିମ୍ବା ମୁଁ ଗୋଟିଏ ଅଲଗା ଘର କରିନେବି । ତେବେ ନିଶ୍ଚିନ୍ତ ରୁହ ଯେ, ତମର ଗୋଟିଏ ହେଲେ ଭିତିରି କଥା ପଦାରେ ପଡ଼ିବ ନାହିଁ । ମୁଁ ତ ବେଶି ମିଳାମିଶା କରିବି । ପ୍ରତିପକ୍ଷ ସଙ୍ଗେ ମୋର ମଧ୍ୟ ବନ୍ଧୁଭାବ ରଖିବାକୁ ପଡ଼ିବ । ମୋ ଦ୍ୱାରା ସମ୍ଭବ ହେବ ତ ଏ ମକଦ୍ଦମାକୁ ଆପୋଷରେ ମିଟାଇ ଦେବାକୁ ଚେଷ୍ଟା କରିବି । ଶେଷରେ ତୈୟାବ ଶେଠ (ପ୍ରତିପକ୍ଷ) ତମର ରକ୍ତ ସମ୍ପର୍କ ତ ?’’

 

ପ୍ରତିପକ୍ଷ ତୈୟାବ ହାଜୀ ମହମ୍ମଦ ଶେଠ ଅବଦୁଲାଙ୍କର ନିକଟ ସମ୍ପର୍କୀୟ ଥିଲେ ।

 

ଏ କଥାରେ ଅବଦୁଲା ଶେଠ ଟିକିଏ ଚମକି ପଡ଼ିଲା ଭଳି ମତେ ଦେଖାଗଲା । କିନ୍ତୁ ଆମର ଏ କଥା ଗଡ଼ିଲା ବେଳକୁ ଡରବାନରେ ପହଞ୍ଚିବାର ଛ’ ସାତ ଦିନ ହୋଇ ଯାଇଥାଏ । ଆମେ ପରସ୍ପରକୁ ଜାଣିଯାଇଥିଲୁ ଏବଂ ବୁଝିସାରିଥିଲୁ । ମୁଁ ‘ଧଳାହାତୀ’ ଏ ଆଶଙ୍କା ପ୍ରାୟ ଦୂର ହୋଇ ଯାଇଥିଲା । ସେ କହିଲେ—

 

‘‘ଓ....ହୋ....ହୋ.....ଯଦି ଆପୋଷ ନିଷ୍ପତ୍ତି ହୋଇଥାଏ, ତା’ଠାରୁ ଆଉ ଖୁସିର କଥା କିଛି ନାହିଁ । କିନ୍ତୁ ଆମେ ଦୁହେଁ ତ ନିକଟସମ୍ପର୍କ, ପରସ୍ପରକୁ ଭଲରକମ ଚିହ୍ନୁ । ତୈୟାବ ଶେଠ ଝଟ୍ ମାନିଯିବେ, ଏହା ସମ୍ଭ ନୁହେଁ । ଆମେ ସରଳ ହୋଇଗଲେ ଆମ ପେଟରୁ କଥା କାଢିନେବେ ଏବଂ ପରେ ଆମକୁ ଠକି ଦେବେ । ଯାହାହେଉ ସେଥିପାଇଁ ଯାହା କରିବ ସାବଧାନ ରହି କରିବ-।’’

 

ମୁଁ କହିଲି, ‘‘ତମେ ଆଦୌ ଚିନ୍ତା କର ନାହିଁ । ମୁଁ ମକଦ୍ଦମା କଥା ତୈୟବ ଶେଠ ବା ଆଉ କାହାରି ପାଖରେ କହିବି ନାହିଁ ।’’ ମୁଁ ଏତିକି କହୁଛି ଯେ, ମକଦ୍ଦମା ରଫା କରିଦେଲେ ଓକିଲ ପଇସା ଖାଇବେ ନାହିଁ ।

 

ପହଞ୍ଚିବାର ସପ୍ତମ ଓ ଅଷ୍ଟମ ଦିନ ମୁଁ ପୁଣି ଡରବାନ୍‌ରୁ ବାହାରିଲି । ମୋ ପାଇଁ ପ୍ରଥମଶ୍ରେଣୀ ଟିକଟ କଟା ହୋଇଥିଲା । ସେଠି ଶୋଇବା ବିଛଣା ଦରକାର ତ ଆଉ ପାଞ୍ଚ ଶିଲିଂ ଦେଇ ଆଉ ଖଣ୍ଡେ ଟିକଟ ନେବାକୁ ପଡ଼େ । ଅବଦୁଲା ଶେଠ ତ ସେ ଟିକଟରୁ ଖଣ୍ଡେ କଟାଇବାକୁ କହୁଥିଲେ, ମାତ୍ର ମୁଁ ଜିଦରେ ଓ ଅହଂକାରରେ ପାଞ୍ଚଶିଲିଂ ପଇସା ବଞ୍ଚାଇବା ପାଇଁ ସେ ଟିକଟ ନେବାକୁ ମନା କରିଦେଲି ।

 

ଅବଦୁଲା ଶେଠ ମତେ ଚେତେଇ ଦେଇଥିଲେ, ‘‘ଦେଖିବ ଏ ଦେଶ ଭିନ୍ନ, ଭାରତବର୍ଷ ନୁହେଁ । ଭଗବାନଙ୍କର ଦୟାରୁ ଆମର ପଇସା ଅଛି । ତମେ ପଇସା ବିଷୟରେ କଞ୍ଜୁସ ହୁଅନାହିଁ-। ଆବଶ୍ୟକ ମତେ ସୁବିଧା ନ କରି ଅଯଥା କଷ୍ଟ ସହିବା ଠିକ୍ ନୁହେଁ ।’’

 

ମୁଁ ତାଙ୍କୁ ଧନ୍ୟବାଦ ଦେଲି ଏବଂ ମୋପାଇଁ ଚିନ୍ତା ନ କରିବାକୁ କହିଲି ।

 

ନାତାଲର ରାଜଧାନୀ ମରିଶବର୍ଗଠାରେ ରେଳ ନ’ଟା ବେଳେ ପହଞ୍ଚିଗଲା । ଏଠାରେ ଯାତ୍ରୀମାନଙ୍କୁ ବିଛଣା ଦେବାର ବ୍ୟବସ୍ଥା ଥାଏ । କେହି ରେଳ କର୍ମଚାରୀ ଆସି ପଚାରିଗଲେ, ‘‘ତମର ବିଛଣା ଦରକାର ?’’ ମୁଁ କହିଲି, ‘‘ମୋ ବିଛଣା ମୋ ପାଖରେ ଅଛି ।’’

 

ସେ ଚାଲିଗଲେ । ଇତ୍ୟବସରରେ ଜଣେ ଯାତ୍ରୀ ଆସିଲେ, ସେ ମୋ ମୁହଁକୁ ଅନେଇଲେ । ମତେ ଭିନ୍ନ ଜାତିର ଦେଖି ଟିକିଏ ଚିନ୍ତାକଲେ । ବାହାରକୁ ଯାଇ ଗୋଟିଏ ଦିଓଟି ରେଳ କର୍ମଚାରୀଙ୍କୁ ଡାକିଆଣିଲେ । କେହି ମତେ କିଛି କହିଲେ ନାହିଁ; ଶେଷରେ ଆଉ ଜଣେ କର୍ମଚାରୀ ଆସିଲେ । ସେ କହିଲେ, ‘‘ୟାଡ଼େ ଆସ । ତମର ଶେଷ ଡବାରେ ଯିବାର କଥା ।’’

 

ମୁଁ କହିଲି ‘‘ମୋ ପାଖରେ ପ୍ରଥମଶ୍ରେଣୀ ଟିକଟ ଅଛି ।’’ ସେ ଜବାବ ଦେଇଥିଲେ, ‘‘ସେଥିପାଇଁ ଚିନ୍ତାନାହିଁ । ମୁଁ ତମକୁ କହୁଛି ଯେ, ତମେ ଶେଷ ଡବାରେ ଯିବାକୁ ପଡ଼ିବ ।’’ ମୁଁ କହୁଥାଏ, ‘‘ମୁଁ ତ ଏହି ଡବାରେ ଆସିଛି, ଆଉ ଏହିଥିରେ ଯିବାକୁ ବିଚାରିଛି ।’’ କର୍ମଚାରୀ ଶେଷରେ କହିଲେ ‘‘ସେ କଥା ଚଳିବ ନାହିଁ । ତମକୁ ଓହ୍ଲାଇବାକୁ ପଡ଼ିବ । ନ ଓହ୍ଲାଇବ ତ ପୁଲିସକୁ ଡାକିବି ।’’ ମୁଁ କହିଲି, ‘‘ପୁଲିସ ଆସୁ ପଛକେ ମୁଁ ନିଜ ଖୁସିରେ ଓହ୍ଲାଇବି ନାହିଁ ।’’

 

ପୁଲିସ ଆସିଲା । ସେ ମୋ ହାତଧରି ଧକ୍‌କା ମାରି ମତେ ତଳକୁ ଓହ୍ଲାଇ ଦେଲା । ମୋ ଜିନିଷପତ୍ର ଓହ୍ଲାଇ ଦେଲା । ମୁଁ ଭିନ୍ନ ଡବାକୁ ଯିବାକୁ ମନା କରିଦେଲି । ରେଳ ଛାଡ଼ିଦେଲା । ମୁଁ ମୁଜାଫିରଖାନାରେ ବସିଲି । ମୋର ହାତମୁଣାଟି ମୋ ପାଖରେ ଥାଏ । ମୁଁ ଅନ୍ୟ ଜିନିଷପାଇଁ ଚିନ୍ତା କରୁ ନ ଥିଲି । ରେଳ କର୍ମଚାରୀମାନେ ସେ ସବୁ କେଉଁଠି ରଖିଥାନ୍ତି ।

 

ସେତେବେଳେ ଶୀତ ଦିନ । ଦକ୍ଷିଣ ଆଫ୍ରିକା ଉଚ୍ଚ ଅଞ୍ଚଳରେ ଭାରି ଟାଣ ଶୀତ ପଡ଼େ । ମରିଶବର୍ଗ ଉଚ୍ଚ ଅଞ୍ଚଳରେ ଥିବାରୁ ସେଠାରେ ଭାରି ଜାଡ଼ ହେଲା । ମୋ ଉପରର ଗରମ ବଡ଼ କୋଟଟି ମୋ ଜିନିଷ ସଙ୍ଗେ ରହିଯାଇ ଥାଏ । ଜିନିଷ ମାଗିବାକୁ ମୋର ସାହାସ ହେଉ ନ ଥିଲା । ପୁଣି କାଳେ ଅପମାନ କରିବେ । ମୁଁ ଶୀତରେ ଥରୁଥାଏ । ସେ ଘରେ ଆଲୁଅ ନ ଥାଏ । ଅଧରାତି ବେଳକୁ ଜଣେ ଯାତ୍ରୀ ଆସିଗଲା । ସେ କ’ଣ କଥା କହିବାକୁ ଇଚ୍ଛା କରୁଥିଲା ପରି ମନେ ହେଲା । କିନ୍ତୁ ମୋର କଥାବର୍ତ୍ତା କରିବାକୁ ମନ ନ ଥାଏ ।

 

ମୁଁ ମୋର କର୍ତ୍ତବ୍ୟ ବିଚାରୁଥାଏ । ମୁଁ ମୋର ଏ ଅଧିକାର ପାଇଁ ଲଢ଼ିବି ନା ଫେରିଯିବି, ନାହିଁ ତ ଯେ ଅପମାନ ହୋଇଛି ତାକୁ ସହିଯିବି । କିମ୍ୱା ପ୍ରିଟୋରିଆରେ ପହଞ୍ଚି ମକଦ୍ଦମା ସାରି ମୋ ଦେଶକୁ ଫେରିଯିବି । ମକଦ୍ଦମା ଛାଡ଼ିଦେଇ ପଳେଇଲେ ତ ଏହା କାପୁରୁଷତା ହେବ । ମୋ ଉପରେ ଯେଉଁ କଷ୍ଟ ପଡ଼ିବ ତାହା କେବଳ ଉପରର କଷ୍ଟହେବ । ଭିତରେ ଥିବା ଏକ ମହାରୋଗର ତାହା ଲକ୍ଷଣ ମାତ୍ର । ସେ ମହାରୋଗ ତ ‘ରଙ୍ଗ-ଦ୍ୱେଷ’ କଳା ଗୋରା ଭେଦ । ଏ ତରର ରୋଗକୁ ଦୂର କରିବାକୁ ଯେତିକି ବଳ ପାଇବ ସେତିକି କରିବି । ତାହା କରୁ କରୁ ଆପଣା ଉପରକୁ ଯାହା ଦୁଃଖ କଷ୍ଟ ଆସିବ ସବୁ ସହିବି । ଏହି କଳା ଗୋରା ଭେଦଭାବ ଦୂର କରିବା ଏବଂ ତାର ବିରୋଧ କରିବା ମୋର ଏକମାତ୍ର ଲକ୍ଷ୍ୟ ହେବ ।

 

ଏହିପରି ବିଚାର କରି ଅନ୍ୟ ଗାଡ଼ିରେ ଆଗକୁ ଯିବି ବୋଲି ସ୍ଥିର କଲି । ସକାଳୁ ରେଳର ଜେନେରାଲ ମେନେଜରଙ୍କୁ ଆପତ୍ତି କରି ଏକ ଦୀର୍ଘ ତାର ଖବର ପଠାଇଦେଲି । ଦାଦା ଅବଦୁଲାଙ୍କୁ ମଧ୍ୟ ଖବର ଦେଇ ଦେଲି । ଅବଦୁଲା ଶେଠ ସଙ୍ଗେ ସଙ୍ଗେ ଜେନେରାଲ ମେନେଜରଙ୍କ ସଙ୍ଗେ ଦେଖାକଲେ । ଜେନେରାଲ ମେନେଜର ଆପଣା କର୍ମଚାରୀମାନଙ୍କୁ ସମର୍ଥନ କରିଥିଲେ; ମାତ୍ର ଜଣେଇଥିଲେ ଯେ ଆଉ କିଛି ହରକତ ନ କରାଇ ମତେ ମୋର ଗନ୍ତବ୍ୟ ସ୍ଥାନରେ ପହଞ୍ଚେଇ ଦେବାପାଇଁ ଷ୍ଟେସନମାଷ୍ଟରଙ୍କୁ ବରାଦ କରିଛନ୍ତି । ଅବଦୁଲ ଶେଠ ମରିଶବର୍ଗର ହିନ୍ଦୁ ବେପାରୀମାନଙ୍କୁ ତାର କରି ମୋର ଚର୍ଚ୍ଚା କରିବାକୁ ଲେଖିଥିଲେ । ଅନ୍ୟାନ୍ୟ ଷ୍ଟେସନକୁ ମଧ୍ୟ ଖବର ପଠାଇଥିଲେ । ସେଥିଯୋଗୁଁ ବେପାରୀମାନେ ମୋ ସଙ୍ଗରେ ଷ୍ଟେସନରେ ଦେଖା କରିଥିଲେ । ସେମାନେ ଆପଣା ଆପଣା ଉପରେ ପଡ଼ିଥିବା ଦୁଃଖର ବର୍ଣ୍ଣନା ମୋ ଆଗରେ କଲେ ଏବଂ ମୋର ଏ ଅପମାନ କିଛି ନୂଆ କଥା ନୁହେଁ ବୋଲି ମତେ ଜଣାଇଲେ । ପହିଲେ ପହିଲେ ତ ଅନ୍ୟାନ୍ୟ ଶ୍ରେଣୀର ଭାରତୀୟ ଯାତ୍ରୀମାନଙ୍କୁ କର୍ମଚାରୀ ତଥା ଅନ୍ୟ ଗୋରା ଯାତ୍ରୀମାନେ ଏମିତି ବାଧା ଦେଉଥିଲେ । ଏହିସବୁ କଥା ଶୁଣି ଶୁଣି ଦିନ କଟିଯାଇଥିଲା । ରାତି ହେଲା । ରେଳ ଆସିଲା । ମୋ ପାଇଁ ଜାଗା ଆଗରୁ ଠିକ୍ ହୋଇଥିଲା । ଯେଉଁ ବିଛଣା ଟିକଟ ନେବାକୁ ଡରବାନଠାରେ ମନା କରିଥିଲି, ତାହା ମରିଶବର୍ଗଠାରେ ପୁଣି କିଣିନେଲି । ରେଳ ମତେ ଚାର୍ଲ୍‌ସ ଟାଉନକୁ ନେଇଗଲା ।

 

ସବୁଠିଁ ଅପମାନ

 

ଚାର୍ଲସ ଟାଉନରେ ରେଲ ସକାଳୁ ପହଞ୍ଚେ । ଚାର୍ଲସ ଟାଉନଠାରୁ ଜୋହନ୍‌ସବର୍ଗ ଯିବା ପାଇଁ ସେ ସମୟରେ ରେଲ ନ ଥିଲା, କିନ୍ତୁ ଘୋଡ଼ାଗାଡ଼ି ଚାଲୁଥାଏ ଏବଂ ମଝିରେ ଷ୍ଟାଣ୍ଡାର୍ଡ଼ଟନଟାରେ ଗୋଟିଏ ରାତି ରହିବାକୁ ପଡ଼େ । ମୋ ପାଖରେ ଘୋଡ଼ାଗାଡ଼ିର ଟିକଟ ଥାଏ । ପୁଣି ଅବଦୁଲା ଶେଠ ଚାର୍ଲସ ଟାଉନ ଗାଡ଼ିବାଲା ପାଖକୁ ତାର ଖବର ମଧ୍ୟ ପଠେଇଥାନ୍ତି । କିନ୍ତୁ ସେ ଏକ ବାହାନା କରୁଥାଏ, ମତେ ଅଜଣା ଦେଖି କହିଲା, ‘‘ତମର ଟିକଟ ରଦ୍ଦ ହୋଇଗଲାଣି ।’’ ମୁଁ ଉପଯୁକ୍ତ ଉତ୍ତର ଦେଲି । ଟିକଟ ରଦ୍ଦ ହୋଇଛି ବୋଲି କହିବାର କାରଣ ଭିନ୍ନ ଥିଲା । ଯାତ୍ରୀମାନେ ସବୁ ଗାଡ଼ି ଭିତରଯାକ ବସିଯାଇଥିଲେ । କିନ୍ତୁ ମୁଁ ତ ‘‘କୁଲି’’ ଜଣାପଡ଼ୁଥିଲି, ପୁଣି ଅପରିଚିତ ଥିଲି, ସେଥିପାଇଁ ମତେ ଯେପରି ଗୋରାଯାତ୍ରୀଙ୍କ ପାଖରେ ବସିବାକୁ ନ ପଡ଼େ ତ ଭଲ, ଏଇୟା ଥିଲା ଗାଡ଼ିବାଲାର ଫିକର । ଗାଡ଼ି ବାହାରେ ଗାଡ଼ି ହଙ୍କେଇଲା ବାଲାର ବାଁ ଡାହାଣ ଦି ପାଖରେ ଦୁଇଟି ବସିବା ଜାଗା ଥାଏ । ସେଥିରୁ ଗୋଟିକରେ ଗାଡ଼ି କମ୍ପାନୀର ଜଣେ କର୍ମଚାରୀ ଗୋରାଲୋକ ବସିଥାନ୍ତି । ସେ ଭିତରେ ବସିଲେ ଏବଂ ମତେ ସେହି ଗାଡ଼ି ଚାଳକଙ୍କ ପାଖରେ ବସାଇଲେ । ମୁଁ ବୁଝି ପାରିଲି ଯେ କେବଳ ଅନ୍ୟାୟ, ଅପମାନ ଛଡ଼ା ଆଉ କିଛି ନୁହେଁ । କିନ୍ତୁ ମୁଁ ଏ ଅପମାନ ସହିଯିବା ଉଚିତ ମନେକଲି । ଜବରଦସ୍ତି କରି ଭିତରେ ବସିବା ମୋ ପକ୍ଷରେ ସମ୍ଭବ ନ ଥିଲା । ମୁଁ କଳିକଲେ ଗାଡ଼ି ଚାଲିଯିବ । ମୋର ଦିନୁଟାଏ ଲୋକସାନ ହେବ, ତା’ଉପରେ ପୁଣି ତହିଁଆରଦିନ କ’ଣ ହେବ ତା’ ଦୈବ ହାତରେ । ଅତଏବ ମୁଁ ବୁଦ୍ଧିମାନ ଭଳି ବାହାରେ ବସିଗଲି । ମନରେ କିନ୍ତୁ ଭାରି କଷ୍ଟ ହେଲା ।

 

ତିନିଟା ବେଳକୁ ଗାଡ଼ି ପାରଡ଼ିକୋଟରେ ପହଞ୍ଚିଲା । ଏବେ ସେ ଗୋରା କର୍ମଚାରୀ ମୁଁ ଯେଉଁଠାରେ ବସିଥିଲି, ସେଠାରେ ବସିବାକୁ ଇଚ୍ଛା କଲେ । ତାଙ୍କର ବିଡ଼ି ଟାଣିବାରେ ଇଚ୍ଛା । ବାହାରେ ଟିକେ ପବନ ଖାଇବାରେ ସୁବିଧା ହେବ ଏଥିପାଇଁ ସେ ଗାଡ଼ିଚାଳକ ପାଖରେ ପଡ଼ିଥିବା ଖଣ୍ଡେ ମଇଳା ଅଖା ନେଇ ଗୋଡ଼ ରଖିବା ପଟା ଉପରେ ପକାଇଦେଲେ । ମତେ କହିଲେ, ‘‘ସାମୀ, ତୁ ସେଠି ବସ, ମୁଁ ସେ ଚାଳକ ପାଖରେ ବସିବି ।’’ ଅପମାନ ସହିବାକୁ ମୁଁ ଅକ୍ଷମ ଥିଲି, ତେଣୁ ମୁଁ ଡରି ଡରି ତାଙ୍କୁ କହିଲି, ‘‘ତମେ ମତେ ଏଠି ବସେଇଲ, ମୁଁ ସେ ଅପମାନ ସହିଗଲି । ମୋର ଜାଗା ତ ଭିତରେ, ତମେ ମତେ ଏଠି ବସେଇ ଭିତରେ ବସିଲ । ଏବେ ତମେ ବାହାରେ ବସି ବିଡ଼ି ଟାଣିବାକୁ ଇଚ୍ଛା କରୁଛ, ସେଥିପାଇଁ ମତେ ତମ ଗୋଡ଼ତଳେ ବସିବାକୁ କହୁଛ । ମୁଁ ଭିତରକୁ ଯିବାକୁ ରାଜି; କିନ୍ତୁ ତମ ଗୋଡ଼ ତଳେ ବସିବାକୁ ରାଜି ନୁହେଁ ।’’

 

ଏତିକି ମୁଁ କଷ୍ଟରେ କହିଛି, ସେତିକିରେ ମୋ ଉପରେ ବିଧା ବରଷିଗଲା ଏବଂ ସେ ବ୍ୟକ୍ତି ମୋ ବାହା ଧରି ମତେ ତଳକୁ ଓଟାରିବାକୁ ଆରମ୍ଭ କଲେ । ମୁଁ ମୋ ଜାଗାପାଖରେ ଥିବା ପିତଳ ବାଡ଼କୁ ଖୁବ୍‌ ଜବର କରି ଧରି ରହିଲି ଏବଂ ହାତର କବ୍‌ଜା ପଛେ ଖସିଯାଉ କେବେ ଛାଡ଼ିବି ନାହିଁ ବୋଲି ସ୍ଥିରକଲି । ମୋ ଉପରେ ଏସବୁ ହେଲାବେଳେ ସବୁ ଯାତ୍ରୀ ଦେଖୁଥାନ୍ତି, ସେ ଲୋକଟି କିନ୍ତୁ ମତେ ଗାଳି ଦେଉଥାନ୍ତି, ମତେ ଓଟାରୁଥାନ୍ତି ଓ ମାରୁଥାନ୍ତି ବି; କିନ୍ତୁ ମୁଁ ଚୁପ୍‌ଥାଏ । ସେ ଲୋକ ବଳୁଆ ଓ ମୁଁ ଦୁର୍ବଳ । ଯାତ୍ରୀଙ୍କ ଭିତରୁ କାହାରି ଦୟା ହେଲା ଏବଂ ତାଙ୍କ ଭିତରୁ କେହି ପାଟିକରି ଉଠିଲେ, ‘‘ହେ, ହେ; ସେ ବିଚରାକୁ ସେଠି ବସିବାକୁ ଦିଅ, ତାକୁ ବୃଥାରେ ମାର ନାହିଁ । ତାହାର କଥା ଠିକ୍‌ । ସେଠି ନ ହେଉଛି ତ ଆମ ପାଖରେ ଭିତରେ ବସିବାକୁ ଦିଅ ।’’ ସେ ଲୋକଟି କିନ୍ତୁ ପାଟିକରି ଉଠିଲେ ‘‘କଦାପି ନୁହେଁ ।’’ କିନ୍ତୁ ଟିକେ ଲଜ୍ଜିତ ହୋଇ ଯାଇଥିଲେ । ତା’ପରେ ସେ ମତେ ମାରିବା ବନ୍ଦ କରିଦେଲେ । ମୋ ବାହା ଛାଡ଼ି ଦେଇଥିଲେ । ଦି ଚାରି ପଦ ଗାଳି ଦେଇ, ଆର ପାଖରେ ଜଣେ ହୋଟନଟଟ୍‌ ଚାକର ବସିଥିଲା; ତାକୁ ଆପଣା ଗୋଡ଼ତଳେ ବସାଇ ସେ ନିଜେ ବାହାରେ ବସିଲେ । ଯାତ୍ରୀମାନେ ଭିତରେ ବସିଲେ । ସିଟି ବାଜିଲା । ଗାଡ଼ି ଛାଡ଼ିଲା । ମୋ ଛାତି ଥରୁଥାଏ । ମୁଁ ଜୀଅନ୍ତା ମୋ ମୁକାମରେ ପହୁଞ୍ଚି ପାରିବି କି ନାହିଁ, ମୋର ଘୋର ଆଶଙ୍କା ହେଉଥାଏ । ସେ ଲୋକଟି ମତେ କଟ ମଟ କରି ଅନାଉଥାନ୍ତି । ଆଙ୍ଗୁଠି ଦେଖାଇ ବିଡ଼ି ବିଡ଼ି କରି କହୁଥାନ୍ତି, ‘‘ମନେରଖ ଷ୍ଟାଣ୍ଡର୍ଡଟନ ଚାଲ; ସେଠି ଜାଣିବୁ ।’’ ମୁଁ ତ ମୂକ ଭଳି ବସିଥାଏ ଏବଂ ମତେ ଉହାଡ଼ କରିବାକୁ ଭଗବାନଙ୍କୁ ଡାକୁଥାଏ ।

 

ଷ୍ଟାଣ୍ଡାର୍ଡ଼ଟନରେ ପହଞ୍ଚିବାକୁ ରାତି ହେଲା । କେତେକ ଭାରତୀୟଙ୍କ ମୁହଁ ଦେଖିଲି ମତେ ଟିକିଏ ଶାନ୍ତି ମିଳିଲା । ତଳକୁ ଓହ୍ଲାଇଲାକ୍ଷଣି ସେ ଭାରତୀୟମାନେ କହିଲେ, ‘‘ଆମେ ତୁମକୁ ଇଶାଶେଠଙ୍କ ଦୋକାନକୁ ନେଇଯିବାକୁ ଠିଆ ହୋଇଛୁ । ଆମକୁ ଦାଦା ଅବଦୁଲାଙ୍କର ତାର ଖବର ଆସିଥିଲା ।’’ ମୁଁ ଭାରି ଖୁସି ହେଲି । ତାଙ୍କ ସଙ୍ଗେ ଶେଠ ଇସାହାଜୀ ସୁମାରଙ୍କ ଦୋକାନକୁ ଗଲି । ଶେଠ ଏବଂ ତାଙ୍କ କିରାନୀମାନେ ମତେ ଘେରି ଗଲେ । ମୋ ଉପରେ ଯାହା ସବୁ ବିତି ଯାଇଥିଲା, ସେ ସବୁ କଥାବାର୍ତ୍ତା ହେଲା । ସେମାନେ ଶୁଣି ବଡ଼ ଦୁଃଖିତ ହୋଇଥିଲେ ଏବଂ ନିଜ ନିଜର ତିକ୍ତ ଅଭିଜ୍ଞତା ମତେ ଶୁଣାଇ ସାନ୍ତ୍ୱନା ଦେଇଥିଲେ । ସେ ଗାଡ଼ି କମ୍ପାନୀର ଏଜେଣ୍ଟକୁ ସେ ସବୁ ଘଟଣା ମୋର ଲେଖିବାର କଥା । ମୁଁ ଏଜେଣ୍ଟଙ୍କୁ ଚିଠି ଲେଖିଲି, ସେ ଲୋକଟି ଯେ ମତେ ଧମକ ଦେଇଥିଲେ, ତାହା ଜଣେଇ ଦେଲି ଏବଂ ସକାଳୁ ଯେ ପୁଣି ଆଗକୁ ଯିବି ସେତେବେଳେ ମତେ ଯେମିତି ଭିତରେ ଅନ୍ୟ ଯାତ୍ରୀଙ୍କ ସଙ୍ଗେ ସ୍ଥାନ ମିଳେ, ସେଥିପାଇଁ ଅନୁରାଗ କରିଥିଲି । ଚିଠି ଏଜେଣ୍ଟଙ୍କ ପାଖକୁ ପଠେଇ ଦେଲି । ଏଜେଣ୍ଟ ଖବର ପଠେଇଲେ, ‘‘ଷ୍ଟାଣ୍ଡାର୍ଡ଼ଟନଠାରୁ ବଡ଼ଗାଡ଼ି ଯାଏ ଏବଂ ଚାଳକ ପ୍ରଭୃତି ସମସ୍ତେ ବଦଳନ୍ତି । ତମେ ଯେ ଲୋକ ବିରୁଦ୍ଧରେ ଆପତ୍ତି କରିଛ, ସେ ଲୋକ କାଲି ନ ଥିବ । ତମକୁ ଅନ୍ୟ ଯାତ୍ରୀମାନଙ୍କ ପାଖରେ ସ୍ଥାନ ମିଳିବ ।’’ ଏ ଖବରପାଇ ମତେ ଟିକିଏ ଆରାମ ମିଳିଲା । ସେ ମରିବା ଲୋକ ବିରୁଦ୍ଧରେ ମୋର ତ ମକଦ୍ଦମା ଇତ୍ୟାଦି କରିବାର ନ ଥିଲା । ସେଥିପାଇଁ ଏ ମାଡ଼ କାହାଣୀ ଏଠୁ ବନ୍ଦ ରହିଲା । ସକାଳୁ ଇଶାଶେଠଙ୍କର ଲୋକ ମତେ ଗାଡ଼ିପାଖକୁ ନେଇଯାଇଥିଲା । ମତେ ଭଲ ଜାଗା ମିଳିଲା । କୌଣସି ରକମ ଗୋଳମାଳ ନ ଥାଇ ସେ ରାତିକି ମୁଁ ଜୋହନ୍‌ସବର୍ଗରେ ପହଞ୍ଚିଲି ।

 

ଷ୍ଟାଣ୍ଡାର୍ଡ଼ଟନ ଛୋଟିଆ ଗାଁ, ଜୋହନ୍‌ସବର୍ଗ ବିଶାଳ ସହର । ସେଠାକୁ ଅବ୍‌ଦୁଲା ଶେଠ ତାର ମଧ୍ୟ କରିଥାନ୍ତି । ମହମ୍ମଦ କାସୀମ୍‌ କମିରୁଦ୍ଦିନଙ୍କ ଦୋକାନର ଠିକଣା ମଧ୍ୟ ମତେ ଦେଇଥାନ୍ତି-

 

ଯେଉଁଠି ଗାଡ଼ି ଠିଆ ହୁଏ ସେଠାକୁ ତାଙ୍କ ମଣିଷ ଆସିଥିଲେ; କିନ୍ତୁ ସେମାନେ ମତେ ଚିହ୍ନି ପାରିଲେ ନାହିଁ । ମୁଁ ମଧ୍ୟ ତାଙ୍କୁ ଦେଖି ପାରିଲି ନାହିଁ । ମୁଁ ହୋଟେଲକୁ ଯିବାକୁ ବିଚାରିଲି । ଦୁଇ ଚାରିଟା ହୋଟଲର ନାଁ ଜାଣି ନେଇଥାଏ । ଗାଡ଼ି କଲି, ଗ୍ରାଣ୍ଡ ନାସନାଲ ହୋଟଲକୁ ହାଙ୍କିଯିବାକୁ ତାଙ୍କୁ କହିଲି । ସେଠାରେ ପହଞ୍ଚି ମେନେଜରଙ୍କ ପାଖକୁ ଗଲି । ମେନେଜର କେତେଥର ମୋତେ ନିକିଟିକରି ଦେଖିଲେ । ଭଦ୍ର ଭାଷାରେ କହିଲେ, ‘‘ମୁଁ ଦୁଃଖିତ, ସବୁ କୋଠରୀ ଭର୍ତ୍ତିହୋଇ ଯାଇଛି ।’’ ଏୟା କହି ମୋତେ ବିଦାୟ ଦେଲେ । ତହୁଁ ମୁଁ ଗାଡ଼ିବାଲାକୁ ମହମ୍ମଦ କାସୀମ କମରୁଦ୍ଦିନଙ୍କ ଦୋକାନକୁ ଯିବାକୁ କହିଲି । ସେଠାରେ ଅବଦୁଲ ଗନୀ ଶେଠ ମତେ ଅପେକ୍ଷା କରୁଥିଲେ । ସେ ମତେ ସ୍ୱାଗତ କରି ନେଲେ । ହୋଟେଲରେ ଯାହା ଘଟିଲା, ସବୁ ତାଙ୍କୁ କହିଲି । ସେ ଠୋ ଠୋ ହସି ଉଠିଲେ, ‘‘ହୋଟେଲରେ ରହିବାକୁ ଆମକୁ କିଏ ଦେବ-?’’ ମୁଁ ପଚାରିଲି ‘‘କାହିଁକି ନୁହେଁ ?’’ ‘‘ତମେ କିଛିଦିନ ରହିଲେ ଜାଣିବ । ଏ ଦେଶରେ ଆମେ ହିଁ କେବଳ ରହିପାରିବା, କାରଣ ଆମର ପଇସା କମାଇବାର କଥା । ଅତଏବ ବହୁତ ଅପମାନ ସହୁଛୁ ଓ ପଡ଼ି ରହିଛୁ ।’’ ଏୟା କହି ସେ ଟ୍ରାନ୍‌ସଭାଲର ସବୁ ଦୁଃଖର ଇତିହାସ ମତେ ଶୁଣେଇଥିଲେ ।

 

ଏ ଅବଦୁଲ ଗନୀ ଶେଠଙ୍କର ପରିଚୟ ଆମେ ଆଗକୁ ଗଲେ ବେଶି ପାଇବା । ସେ କହିଲେ, ‘‘ଏ ମୁଲକ ତମପରି ଲୋକଙ୍କ ପାଇଁ ନୁହେଁ । ଦେଖିବ କାଲି ତମର ପ୍ରିଟୋରିଆ ଯିବାର ତ ଅଛି । ସେଥିରେ ତ ତମକୁ ତୃତୀୟ ଶ୍ରେଣୀରେ ହିଁ ଜାଗା ମିଳିବ । ଟ୍ରାନ୍‌ସଭାଲରେ ନାତାଲରୁ ବଳି ଦୁଃଖ । ଆମ ଲୋକଙ୍କୁ ପ୍ରଥମେ ଦ୍ୱିତୀୟ ଶ୍ରେଣୀର ଟିକେଟ ଦିଅନ୍ତି ନାହିଁ ।

 

ମୁଁ କହିଲି, ‘‘ତେମେ ଏଥିପାଇଁ ପୂରା ଉଦ୍ୟମ କରିପାରି ନ ଥିବ ।’’ ଅବଦୁଲା ଗନୀ ଶେଠ କହିଲେ, ‘‘ଆମେ ଚିଠି ଲେଖାଲେଖି ତ କରୁଛୁ; କିନ୍ତୁ ଆମ ଲୋକଙ୍କର ମଧ୍ୟ ବେଶି ପ୍ରଥମ, ଦ୍ୱିତୀୟ ଶ୍ରେଣୀରେ ବସିବାର ଇଚ୍ଛା ଥିଲେ ସିନା ?’’

 

ମୁଁ ରେଲୱେର ଆଇନ ମଗେଇଲି । ତାକୁ ପଢ଼ିଲି । ସେଥିରେ ତ ବାଟ ଥିଲା । ଟ୍ରାନ୍‌ସଭାଲର ପୁରୁଣା ଆଇନ ଏତେ ସୂକ୍ଷ୍ମଭାବରେ ଗଢ଼ା ହୋଇ ନ ଥିଲା । ଆଉ ରେଲ ଆଇନ କଥା ବା କ’ଣ ? ମୁଁ ଶେଠଙ୍କୁ କହିଲି, ‘‘ମୁଁ ତ ପ୍ରଥମ ଶ୍ରେଣୀରେ ଯିବି ଏବଂ ସେଥିରେ ନ ଯାଇପାରିଲେ ପ୍ରିଟୋରିଆ ଏଠୁ ସଇଁତ୍ରିଶ ମାଇଲ, ମୁଁ ସେଠାକୁ ଘୋଡ଼ାଗାଡ଼ି କରିଯିବି ।’’

 

ଅବଦୁଲା ଗନୀ ଶେଠ ସେଥିରେ ଯେତେ ଖର୍ଚ୍ଚ ହେବ ଓ ଯେତେ ସମୟ ଲାଗିବ ସେଥିପ୍ରତି ମୋ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ମୋର ସୂଚନାକୁ ପସନ୍ଦ କରିବାରୁ ଷ୍ଟେସନ ମାଷ୍ଟରଙ୍କୁ ଚିଠି ଲେଖିଲି । ଚିଠିରେ ମୁଁ ଜଣେ ବାରିଷ୍ଟର ବୋଲି ଜଣେଇ ଦେଲି । ସବୁଦିନେ ମୁଁ ପ୍ରଥମ ଶ୍ରେଣୀରେ ଯା ଆସ କରେ । ଏବେ ପ୍ରିଟୋରିଆରେ ଶୀଘ୍ର ପହୁଞ୍ଚିବା ଦରକାର, ଇତ୍ୟାଦି ସବୁକଥା ଲେଖିଲି । ପୁଣି ତାଙ୍କୁ ଜଣେଇ ଦେଲି ଯେ ଏ ଚିଠିର ଉତ୍ତରକୁ ଅନେଇ ବସିଲେ ମତେ ବେଳ ପାଇବ ନାହିଁ, ସେଥିପାଇଁ ଉତ୍ତର ପାଇବାକୁ ମୁଁ ନିଜେ ଯାଇ ଷ୍ଟେସନରେ ପହୁଞ୍ଚିବି ଏବଂ ମୋର ଆଶା ପ୍ରଥମ ଶ୍ରେଣୀର ଟିକେଟ ଖଣ୍ଡେ ମିଳିଯିବ ।

 

ଏଥିରେ ମୋ ମନ ମନରେ ଟିକିଏ ପେଞ୍ଚ ଥିଲା । ମୁଁ ବିଚାରିଥିଲି ଯେ, ଷ୍ଟେସନ ମାଷ୍ଟର ଲିଖିତ ଜବାବ ଦେଲେ ନିଶ୍ଚୟ, ‘‘ନା’’ କହିବେ । ପୁଣି ‘‘କୁଲୀ’’ ବାରିଷ୍ଟର, କିଏ ଜାଣେ କେମିତି ଚାଲି ଚଳଣ ରଙ୍ଗ ଢଙ୍ଗ, ଏହା ମଧ୍ୟ ବୁଝିପାରିବେ ନାହିଁ । ସେଥିପାଇଁ ମୁଁ ବିଶୁଦ୍ଧ ଇଂରାଜୀ ପୋଷାକରେ ତାଙ୍କ ଆଗରେ ଠିଆ ହୋଇଯିବି ଏବଂ ତାଙ୍କ ସଙ୍ଗେ କଥାବାର୍ତ୍ତା କରିବି । ଏହା ଫଳରେ ସେ ସବୁ ବୁଝିଯାଇ ହୁଏତ ମତେ ଟିକଟ ଦେଇଦେବେ । ସେଥିପାଇଁ ମୁଁ ଫ୍ରକ୍‌ କୋଟ୍‌ ନେଟକାଇ ଓଗେର ଲଗେଇ ଷ୍ଟେସନକୁ ଗଲି । ମାଷ୍ଟରଙ୍କ ଆଗରେ ଗୋଟିଏ ସୁନାଗିନୀ ଥୋଇ ପ୍ରଥମଶ୍ରେଣୀର ଖଣ୍ଡେ ଟିକଟ ମାଗିଲି ।

 

ସେ କହିଲେ, ‘‘ଆପଣ ମତେ ଖଣ୍ଡେ ଚିଠି ଲେଖିଥିଲେ ନା ?’’ ମୁଁ କହିଲି ‘‘ହଁ, ମତେ ଖଣ୍ଡେ ଟିକେଟ ଦେବେ ତ ମୁଁ କୃତଜ୍ଞ ରହିବି । ମୋର ଆଜି ପ୍ରିଟୋରିଆରେ ପହଞ୍ଚିବା ଦରକାର ।’’

 

ଷ୍ଟେସନ ମାଷ୍ଟର ହସିଲେ । ତାଙ୍କ ମନରେ ଦୟା ହେଲା । ସେ କହିଲେ, ମୁଁ ଟ୍ରାନ୍‌ସଭାଲର ବାସିନ୍ଦା ନୁହେଁ । ମୁଁ ହଲାଣ୍ଡ ଦେଶର । ଆପଣଙ୍କ ଅବସ୍ଥା ବୁଝିପାରୁଛି । ଆପଣଙ୍କ ପ୍ରତି ମୋର ସହାନୁଭୂତି ଅଛି । ମୁଁ ଆପଣଙ୍କୁ ଟିକେଟ ଦେବାକୁ ଇଚ୍ଛା କରୁଛି, ମାତ୍ର ଗୋଟିଏ ସର୍ତ୍ତରେ—ଯଦି ବାଟରେ ଗାର୍ଡ ଆପଣଙ୍କୁ ଓହ୍ଲେଇ ଦିଏ ଏବଂ ତୃତୀୟ ଶ୍ରେଣୀରେ ବସାଏ, ତେବେ ଆପଣ ଟଣାଟଣି ମତେ କରିବେ ନାହିଁ । ଅର୍ଥାତ୍‌ ଆପଣ ରେଲ ଉପରେ ଖେସରା ଦାବି କରିବେ କରିବେ ନାହିଁ । ମୋର ଇଚ୍ଛା ଆପଣଙ୍କ ଯାତ୍ରା ନିର୍ବିଘ୍ନରେ ପୂରା ହୋଇ ଯାଉ । ଆପଣ ଭଦ୍ରଲୋକ, ଏହା ମୁଁ ଦେଖି ପାରୁଛି ।’’

 

ଏୟା କହି ସେ ମୋତେ ଟିକେଟ ଦେଲେ । ମୁଁ ତାଙ୍କୁ କୃତଜ୍ଞତା ଜଣାଇଲି ଏବଂ ତାଙ୍କୁ ମଧ୍ୟ ଜବାବ ଦେଇ ନିଶ୍ଚିନ୍ତ କରିଦେଲି । ଅବଦୁଲ ଗନୀ ଶେଠ ମତେ ବଳେଇ ଦେବାକୁ ଆସିଥିଲେ-। ଏ କୌତୁକ ଦେଖି ସେ ଖୁସି ହେଲେ, ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ମତେ ସତର୍କ କରିଦେଲେ । ‘‘ପ୍ରିଟୋରିଆରେ ଗୋଟାସୁଦ୍ଧା ଯାଇ ପହଞ୍ଚିଲେ ନିଶ୍ଚିନ୍ତ ହେବ । ମୋର ଆଶଙ୍କା ଗାର୍ଡ ତୁମକୁ ପ୍ରଥମ ଶ୍ରେଣୀରେ ଆରାମରେ ବସେଇ ଦେବେ ନାହିଁ ଏବଂ ଗାର୍ଡ ବସେଇ ଦିଏ ତ ଯାତ୍ରୀମାନେ ବସେଇ ଦେବେ ନାହିଁ ।’’

 

ମୁଁ ପ୍ରଥମ ଶ୍ରେଣୀ ଡବାରେ ବସିଲି । ଗାଡ଼ି ଚାଲିଲା । ଜମଷ୍ଟାନ ପହଞ୍ଚିଲା ବେଳକୁ ଗାର୍ଡ ଟିକେଟ ଯାଞ୍ଚ କରି ଆସିଲେ । ମତେ ଦେଖି ବିରକ୍ତ ହେଲେ । ଆଙ୍ଗୁଳି ଦେଖାଇ ଇଶାରା କରି କହିଲେ, ‘‘ତୃତୀୟ ଶ୍ରେଣୀକୁ ଯା ।’’ ମୁଁ ମୋର ପ୍ରଥମ ଶ୍ରେଣୀର ଟିକେଟ ଦେଖେଇଲି । ସେ କହିଲେ, ‘‘ସେଥିରେ କିଛି ନାହିଁ । ଯା ତୃତୀୟ ଶ୍ରେଣୀକୁ ଯା ।’’

 

ଏ ଡବାରେ ଆଉ ଜଣେ ମାତ୍ର ଇଂରେଜୀ ଯାତ୍ରୀ ଥିଲେ । ସେ ଗାର୍ଡଙ୍କୁ ଧମକେଇଲେ, ‘‘କାହିଁକି ତୁ ଏ ଭଦ୍ରଲୋକଟିକୁ କଷ୍ଟ ଦେଉଛୁ ? ତତେ କ’ଣ ଦିଶୁନାହିଁ ଯେ ତାଙ୍କ ପାଖରେ ପ୍ରଥମ ଶ୍ରେଣୀର ଟିକଟ ଅଛି ? ସେ ବସିବାରୁ ମୋର ତ କିଛି ଅସୁବିଧା ହେଉ ନାହିଁ ।’’ ଏହା କହି ସେ ମୋ ଆଡ଼କୁ ଅନେଇ କହିଲେ, ‘‘ତେମେ ତମର ଆରାମରେ ବସ ।’’

 

ଗାର୍ଡ ଚିଡ଼ିଚିଡ଼ି ହେଲେ, ‘‘ତମେ କୁଲି ସାଙ୍ଗରେ ବସିବ ତ ମୋର ସେଥିରେ ଯାଏ ଆସେ କ’ଣ ?’’ ଏହା କହି ସେ ଚାଲିଗଲେ ।

 

ରାତି ଆଠଟାବେଳକୁ ଗାଡ଼ି ପ୍ରିଟୋରିଆରେ ପହଞ୍ଚିଲା ।

 

ପ୍ରିଟୋରିଆରେ ପହିଲି ଦିନ

 

ପ୍ରିଟୋରିଆ ଷ୍ଟେସନରେ ଦାଦା ଅବ୍‌ଦୁଲାଙ୍କ ଓକିଲ ତରଫରୁ କୌଣସି ଲୋକର ମୋ ସଙ୍ଗେ ଦେଖା ହେବ ବୋଲି ଆଶା କରିଥିଲି । କେହି ଭାରତୀୟ ଯେ ମତେ ନେବାକୁ ଆସି ନ ଥିବେ, ତାହା ମୁଁ ଜାଣିଥିଲି । କାରଣ କୌଣସି ଭାରତବାସୀଙ୍କ ଘରେ ନ ରହିବାପାଇଁ ଆଗରୁ ଜବାବ ଦେଇ ଆସିଥିଲି । ଓକିଲ ମହାଶୟ ଷ୍ଟେସନକୁ କାହାକୁ ପଠେଇ ନ ଥିଲେ । ପରେ ମୁଁ ଜାଣିଲି ଯେ, ମୋର ପହଞ୍ଚିବା ଦିନ ରହିବାର ଥିବାରୁ କାହାକୁ ଅସୁବିଧାରେ ପକାଇ ପଠାଇବା ସମ୍ଭବ ନ ଥିଲା ।

 

ମୁଁ ଚିନ୍ତାରେ ପଡ଼ିଗଲି । କୁଆଡ଼େ ଯିବି ? ମୋର ଭୟ ଥାଏ ଯେ, କୌଣସି ହୋଟେଲ ମତେ ରଖିବେ ନାହିଁ । ୧୮୯୩ର ପ୍ରିଟୋରିଆ ଷ୍ଟେସନ ୧୯୧୪ର ପ୍ରିଟୋରିଆ ଷ୍ଟେସନଠାରୁ ଭିନ୍ନ ଥିଲା । ମିଟିମିଟି ହୋଇ ଆଲୁଅ ଜଳୁଥାଏ । ଯାତ୍ରୀ ମଧ୍ୟ ବେଶି ନ ଥାନ୍ତି । ମୁଁ ସବୁ ଯାତ୍ରୀଙ୍କୁ ଆଗକୁ ଯିବାକୁ ଦେଲି ଏବଂ ବିଚାରିଲି ଟିକେ ଅବସର ମିଳିଲେ ଟିକେଟ କଲେକ୍‌ଟରଙ୍କୁ ମୋର ଟିକେଟ ଦେବି ଏବଂ ସେ ମତେ କୌଣସି ଛୋଟିଆ ହୋଟେଲ ବା ଘର ବତେଇବେ ତ ସେଠାକୁ ଯିବି କିମ୍ବା ସେ ରାତିକ ସେଇ ଷ୍ଟେସନରେ ପଡ଼ିରହିବି । ଏତକ ପଚାରିବାକୁ ସୁଦ୍ଧା ମନ ବଳୁ ନ ଥାଏ, କାରଣ ଅପମାନ ପାଇବାର ଆଶଙ୍କା ଥାଏ ।

 

ଷ୍ଟେସନ ଖାଲି ହେଲା । ମୁଁ ଟିକଟ କଲେକଟରଙ୍କୁ ଟିକଟ ଦେଇ ସାରି ପଚାରିବାକୁ ଆରମ୍ଭ କଲି । ସେ ଅବଶ୍ୟ ଭଦ୍ର ଭାବରେ ଜବାବ ଦେଇଥିଲେ । ମାତ୍ର ମୁଁ ଦେଖିଲି ଯେ ତାଙ୍କଠାରୁ ବିଶେଷ କିଛି ସାହାଯ୍ୟ ମିଳିବାର ଆଶା ନାହିଁ । ତାଙ୍କ ପାଖରେ ଜଣେ ଆମେରିକା ବାସୀ ନିଗ୍ରୋ ଗୃହସ୍ଥ ଠିଆ ହୋଇଥିଲେ । ସେ ମୋ ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କରିଦେଲେ—

 

‘‘ମୁଁ ଦେଖୁଛି, ଆପଣ ଜଣେ ଏକଦମ ନୂଆ ଲୋକ ଏବଂ ଏଠି ଆପଣଙ୍କର କେହି ବନ୍ଧୁ ନାହାନ୍ତି । ଆପଣ ମୋ ସଙ୍ଗରେ ଆସନ୍ତୁ । ମୁଁ ଆପଣଙ୍କୁ ଗୋଟିଏ ଛୋଟିଆ ହୋଟେଲକୁ ନେଇଯିବି । ତାହାର ମାଲିକ ଜଣେ ଆମେରିକାନ ଏବଂ ସେ ମୋର ଭଲ ପରିଚିତ । ମତେ ଲାଗୁଛି ସେ ଆପଣକୁ ସ୍ଥାନ ଦେବେ ।’’

 

ଅବଶ୍ୟ ମୋ ମନରେ ଟିକେ ସନ୍ଦେହ ହେଲା; ତଥାପି ମୁଁ ଏ ଗୃହସ୍ଥଟିକୁ କୃତଜ୍ଞତା ଜଣେଇଲି ଏବଂ ତାଙ୍କ ସଙ୍ଗେ ଯିବାକୁ ସ୍ଥିର କଲି । ସେ ମତେ ଜନଷ୍ଟନ ପରିବାରର ହୋଟେଲକୁ ନେଇଗଲେ । ପ୍ରଥମେ ସେ ଜନଷ୍ଟନଙ୍କୁ ଏକ ପାଖକୁ ଡାକି ନେଇ ତାଙ୍କ ସଙ୍ଗେ କ’ଣ କଥାବର୍ତ୍ତା ହେଲେ । ଜନଷ୍ଟନ ମତେ ଗୋଟିଏ ରାତି ପାଇଁ ରଖିବାକୁ ରାଜି ହୋଇଥିଲେ । ତାହା ମଧ୍ୟ ଏହି ସର୍ତ୍ତରେ ଯେ, ମୋର ଖାଦ୍ୟ ମୋରି କୋଠରୀରେ ପହଞ୍ଚେଇ ଦିଆଯିବ ।

 

ମୁଁ ଆପଣକୁ ଜବାବ ଦେଉଛି ଯେ, ‘‘ମୋର ଆଦୌ କଳା ଗୋରା ଭେଦଭାବ ନାହିଁ । କିନ୍ତୁ କେବଳ ଗୋରା ଲୋକେ ମୋର ଗ୍ରାହକ । ଯଦି ମୁଁ ଆପଣଙ୍କୁ ଖାଇବା ଘରେ ଖାଇବାକୁ ବସାଏ, ତେବେ ହୁଏତ ଗ୍ରାହକମାନେ ମନ ଦୁଃଖ କରିବେ ଏବଂ ମତେ ଛାଡ଼ି ଅନ୍ୟତ୍ର ଯିବେ ।’’ ମି: ଜନଷ୍ଟନ ଏୟା କହିଥିଲେ ।

 

ମୁଁ ଜବାବ ଦେଲି, ‘‘ମତେ ଆପଣ ଯେ ଗୋଟିଏ ରାତି ପାଇଁ ସ୍ଥାନ ଦେଲେ, ସେତିକିରେ ମୁଁ ଆପଣଙ୍କର ଉପକାର ମାନୁଛି । ଏ ମୂଲକର ଅବସ୍ଥା ମୁଁ କେତେକ ପରିମାଣରେ ଜାଣିଛି । ଆପଣଙ୍କର ଅସୁବିଧା ମୁଁ ବୁଝିପାରୁଛି । ମତେ ଆପଣ ଆନନ୍ଦରେ ମୋ କୋଠରୀରେ ପରଷି ଦିଅନ୍ତୁ । କାଲି ସକାଳୁ ମୁଁ ଅନ୍ୟ କିଛି ବନ୍ଦୋବସ୍ତ କରି ପାରିବି ବୋଲି ଆଶା କରୁଛି ।’’

 

ମତେ ଗୋଟାଏ କୋଠରୀ ଦେଲେ । ମୁଁ ସେଠାରେ ବସି ଖାଇବାର ଅପେକ୍ଷା କରୁ କରୁ ଅନେକ କଥା ଭାବିବାକୁ ଲାଗିଲି । ଏ ହୋଟଲରେ ବେଶି ଯାତ୍ରୀ ଅବଶ୍ୟ ନ ଥାନ୍ତି । କିଛି ସମୟ ପରେ ମୋର ଖାଦ୍ୟ ନେଇ ଜଣେ ୱେଟର ଆସିବା ବଦଳରେ ସ୍ୱୟଂ ମି: ଜନଷ୍ଟନଙ୍କୁ ଆସିବାର ଦେଖିଲି । ସେ କହିଲେ, ‘‘ଆପଣଙ୍କୁ ଏହି ଘରେ ଖାଇବାକୁ ଦେବି ବୋଲି କହି ମତେ ଭାରି ଲାଜମାଡ଼ିଲା । ତେଣୁ ମୁଁ ଯାଇ ମୋର ଗ୍ରାହକମାନଙ୍କ ସଙ୍ଗେ କଥାବାର୍ତ୍ତା ହେଲି ଏବଂ ତାଙ୍କୁ ପଚାରିଲି । ସେମାନଙ୍କର ଆପଣଙ୍କୁ ଖାଇବାଘରେ ଖୁଆଇବାରେ କିଛି ଆପତ୍ତି ନାହିଁ । ଅଧିକରେ ଆପଣ ଏଠି ଯେତେଦିନ ଚାହାନ୍ତି ରହନ୍ତୁ, ସେଥିରେ ତାଙ୍କର କିଛି ଅସୁବିଧା ହେବ ନାହିଁ । ଅତଏବ ଆପଣଙ୍କର ଇଚ୍ଛା ହେଉଛି ତ ଖାଇବା ଘରକୁ ଆସନ୍ତୁ ଏବଂ ଆପଣଙ୍କର ଯେତେଦିନ ଖୁସି ଏଠି ରହନ୍ତୁ ।’’

 

ମୁଁ ପୁଣି ଧନ୍ୟବାଦ ଦେଇ ଖାଇବା ଘରକୁ ଗଲି । ନିଶ୍ଚିନ୍ତରେ ବସି ଖାଇଲି ।

 

ପରଦିନ ସକାଳୁ ଓକିଲଙ୍କ ଘରକୁ ଯାଇଥିଲି । ତାଙ୍କର ନାମ ଏ.ଡବ୍‌ଲିଉ ବେକର । ତାଙ୍କ ସଙ୍ଗେ ଦେଖା ହେଲା । ଅବଦୁଲା ଶେଠ ତାଙ୍କର କେତେକ ରୂପ, ଗୁଣ ମତେ ଲେଖି ଦେଇଥିଲେ । ଅତଏବ ଆମର ପ୍ରଥମ ମୁଲାକାତରେ ମତେ କିଛି ଆଶ୍ଚର୍ଯ୍ୟ ଲାଗିଲା ନାହିଁ । ସେ ମୋ ସଙ୍ଗେ ସାଦରରେ ଦେଖା କଲେ । ମୋ ବିଷୟରେ ଯେତେ କଥା ପଚାରିଲେ, ସେ ସବୁ ଜବାବ ମୁଁ ଦେଇଥିଲି । ସେ କହିଲେ, ‘‘ବାରିଷ୍ଟର ଭଳି ଆପଣଙ୍କର ଏଠି କୌଣସି ବ୍ୟବହାର ହେଲାପରି ଲାଗୁ ନାହିଁ । ଆମେ ତ ସବୁଠାରୁ ଭଲ ଭଲ ବାରିଷ୍ଟର ଏ ମକଦ୍ଦମାରେ ନିଯୁକ୍ତ କରିଛୁ-। ମକଦ୍ଦମା ଭାରି ବଡ଼ ଏବଂ ବହୁତ ଜଟିଳ । ସେଥିପାଇଁ ଆପଣଙ୍କଠାରୁ ପ୍ରକୃତ ଘଟଣା ଇତ୍ୟାଦିର ଖବର ମିଳିବ—ଏତିକି କାମ ଆପଣଙ୍କଠୁଁ ନେଇପାରିବି । କିନ୍ତୁ ମୋ ମହକିଲଙ୍କ ସଙ୍ଗେ ଚିଠିପତ୍ର ଲେଖାଲେଖି କରିବା ସହଜ ହେବ ଏବଂ ଯେ ସମ୍ୱାଦ ତାଙ୍କଠାରୁ ମଗେଇବାକୁ ପଡ଼ିବ, ତାହା ମଧ୍ୟ ଆପଣଙ୍କ ମାରଫତ ଅଣେଇ ନେଇ ପାରିବି; ଏତକ ଲାଭ ବି ହେବ । ଆପଣଙ୍କ ପାଇଁ ଘର ଅବଶ୍ୟ ମୁଁ ଏପର୍ଯ୍ୟନ୍ତ ଖୋଜି ନାହିଁ । ଆପଣଙ୍କୁ ଦେଖି ସାରିଲେ ଘର ଖୋଜିବି ବୋଲି ଭାବିଥିଲି । ଏଠାରେ କଳା ଗୋରା ରଙ୍ଗ ଭେଦ ବହୁତ ଅଛି । ଅତଏବ ଘର ପାଇବା ସହଜ ନୁହେଁ । କିନ୍ତୁ ଗୋଟିଏ ଭଦ୍ରମହିଳାଙ୍କୁ ମୁଁ ଜାଣେ । ସେ ଗରିବ, ଜଣେ ରୁଟିବାଲାଙ୍କର ଘରଣୀ । ମତେ ଲାଗୁଛି ସେ ଆପଣଙ୍କୁ ଘରେ ରଖିବେ । ତାଙ୍କୁ ମଧ୍ୟ କିଛି ସାହାଯ୍ୟ ମିଳିଯିବ । ଚାଲନ୍ତୁ ଆମେ ସେଇଠିକି ଯିବା ।’’

 

ଏୟା କହି ସେ ମତେ ସେଠାକୁ ନେଇଗଲେ । ମହିଳାଙ୍କ ସଙ୍ଗେ ବେକର ସାହେବ ପାଖରେ ଯାଇ କ’ଣ କଥାବାର୍ତ୍ତା ହେଲେ ଏବଂ ସେ ମତେ ଘରେ ରଖିବାକୁ ରାଜି ହୋଇଗଲେ । ସପ୍ତାହରେ ୩୫ ଶିଲିଂ ନେବାର ସ୍ଥିର ହେଲା ।

 

ମି.ବେକର ଓକିଲ ଥିଲେ, ପୁଣି ଜଣେ ଧର୍ମପ୍ରାଣ ପାଦରୀ ମଧ୍ୟ ଥିଲେ । ଆଜିଯାଏ ସେ ଜୀବିତ ଅଛନ୍ତି ଓ କେବଳ ପାଦରୀ କାମ କରୁଛନ୍ତି । ଓକିଲାତି କାମ ଛାଡ଼ି ଦେଲେଣି । ଟଙ୍କା ପଇସା କିଛି ଅଛି । ସେ ଆଜି ପର୍ଯ୍ୟନ୍ତ ମୋ ସଙ୍ଗେ ପତ୍ର ବ୍ୟବହାର କାଏମ ରଖିଛନ୍ତି । ଚିଠିରେ ଗୋଟିଏ ବିଷୟ କେବଳ ଲେଖନ୍ତି । ଭିନ୍ନ ଭିନ୍ନ ପ୍ରକାର ଖ୍ରୀଷ୍ଟାନ ଧର୍ମର ଶ୍ରେଷ୍ଠତ୍ୱ ବିଷୟରେ ସେ ଆପଣା ଚିଠିରେ ମୋ ସହିତ ଆଲୋଚନା କରନ୍ତି ଏବଂ ଯୀଶୁ ଭଗବାନଙ୍କର ଏକମାତ୍ର ପୁତ୍ର ବୋଲି ନ ମାନିଲେ କିମ୍ୱା ତାଙ୍କୁ ଏକମାତ୍ର ରକ୍ଷାକର୍ତ୍ତା ବୋଲି ନ ମାନିଲେ ପରମ ଶାନ୍ତି ମିଳିବ ନାହିଁ–ଏଇ କଥାହିଁ ସେ ପ୍ରତିପାଦନ କରିଥାନ୍ତି ।

 

ଆମର ପ୍ରଥମ ଦେଖା ସାକ୍ଷାତ ଭିତରେ ମି.ବେକର ଧର୍ମ ସମ୍ୱନ୍ଧରେ ମୋର ମନରଭାବ ବୁଝି ନେଇଥିଲେ । ମୁଁ ତାଙ୍କୁ କହି ଦେଇଥିଲି, ମୁଁ ଜନ୍ମରୁ ହିନ୍ଦୁ ତଥାପି ଏ ଧର୍ମର ଜ୍ଞାନ ମୋର ବେଶି କିଛି ନାହିଁ । ଅନ୍ୟ ଧର୍ମର ଜ୍ଞାନ ମଧ୍ୟ କମ୍‌ । ପ୍ରକୃତରେ, ମୁଁ କେଉଁଠି, ମୋ ଧର୍ମ ବିଶ୍ୱାସ କ’ଣ, ମୋର କି ଧର୍ମ ବିଶ୍ୱାସ ହେବା ଉଚିତ, ଏ ସବୁ ମୋତେ ଜଣା ନାହିଁ । ମୁଁ ଆପଣା ଗଭୀର ଅନୁସନ୍ଧାନ କରିବାକୁ ଇଚ୍ଛା କରୁଛି । ଅନ୍ୟ ଧର୍ମର ଅଧ୍ୟୟନ ଯଥାଶକ୍ତି କରିବାର ଇଚ୍ଛା ମଧ୍ୟ ଅଛି । ଏ ସବୁ ଶୁଣି ମି.ବେକର ଖୁସି ହୋଇଗଲେ ଏବଂ ମତେ କହିଲେ, ‘‘ମୁଁ ନିଜେ ଦକ୍ଷିଣ ଆଫ୍ରିକାର ଜେନେରାଲ ମିଶନର ଜଣେ ପରିଚାଳକ ଅଟେ । ମୋର ଆପଣା ଖର୍ଚ୍ଚରେ ମୁଁ ଗୋଟିଏ ଗୀର୍ଜା ତୋଳାଇଛି । ମୁଁ ସେଠାରେ ସମୟ ସମୟରେ ଧର୍ମ ସମ୍ୱନ୍ଧରେ ବକ୍ତୃତା ଦେଇଥାଏ । ମୋର କଳା ଗୋରା ଭେଦ ନାହିଁ । ମୋ ସଙ୍ଗେ କେତେକ ସାଥି ମଧ୍ୟ କାମ କଲାବାଲା ଅଛନ୍ତି । ଆମେ ସବୁଦିନ ଗୋଟାଏ ବେଳେ ଅଳ୍ପ ସମୟ ପାଇଁ ଏକତ୍ରିତ ହୋଇ ଏବଂ ଆତ୍ମାର ଶାନ୍ତି ଓ ଆଲୋକ (ଜ୍ଞାନର ଉଦୟ) ପାଇଁ ପ୍ରାର୍ଥନା କରିଥାଉଁ । ସେଠାକୁ ଆସିବେ ତ ମୁଁ ଭାରି ଖୁସି ହେବି । ମୋର ସହକର୍ମୀଙ୍କ ସଙ୍ଗେ ଆପଣଙ୍କର ପରିଚୟ ହେବ । ସେମାନେ ଆପଣଙ୍କୁ ଦେଖିଲେ ଖୁସି ହେବେ ଏବଂ ଆପଣଙ୍କୁ ମଧ୍ୟ ସେମାନଙ୍କ ସହ ମିଳନ ଭଲ ଲାଗିବ ବୋଲି ମୋର ବିଶ୍ୱାସ । ମୁଁ କେତେକ ଧର୍ମପୁସ୍ତକ ଆପଣଙ୍କୁ ପଢ଼ିବା ପାଇଁ ଦେବି । କିନ୍ତୁ ଆମର ପୁସ୍ତକ ତ ବାଇବଲ । ସେ ବହି ପଢନ୍ତୁ; ଆପଣଙ୍କୁ ମୁଁ ବିଶେଷ ପରାମର୍ଶ ଦେଉଛି ।’’

 

ମି. ବେକରଙ୍କୁ ଧନ୍ୟବାଦ ଦେଲି ଏବଂ ଯେତେବେଳେ ସମ୍ଭବ ହେବ ତାଙ୍କର ଗୋଟାକ ବେଳର ମଣ୍ଡଳ ପ୍ରାର୍ଥନାରେ ଯୋଗ ଦେବାକୁ ରାଜି ହୋଇଗଲି ।

 

‘‘ତେବେ କାଲି ଗୋଟାଏ ବେଳେ ଏଠାକୁ ଆସିଲେ ସାଙ୍ଗହୋଇ ଆମେ ପ୍ରାର୍ଥନା ମନ୍ଦିରକୁ ଯିବା ।’’

 

ଏତିକିରେ ଆମେ ବିଦାୟ ନେଲୁ । ବେଶି ବିଚାର କରିବାର ସମୟ ମତେ ଆଜିଯାଏ ମିଳୁ ନାହିଁ । ମି. ଜନଷ୍ଟନଙ୍କ ପାଖକୁ ଗଲି । ତାଙ୍କ ହିସାବ ତୁଟେଇ ଦେଲି । ନୂଆ ଘରକୁ ଗଲି । ସେହିଠାରେ ଖାଇଲି । ଗୃହକର୍ତ୍ତ୍ରୀ ମହିଳା ଜଣେ ବଡ଼ ଭଲ ମଣିଷ । ସେ ମୋ ପାଇଁ ନିରାମିଷ ଆହାର ତିୟାର କରିଥିଲେ । ଏ କୁଟୁମ୍ୱ ଭିତରେ ଶୀଘ୍ର ମିଶିଯିବାରେ ମତେ କିଛି ଅଡ଼ୁଆ ପଡ଼ି ନ ଥିଲା । ଖିଆପିଆ ସାରି ଦାଦା ଅବଦୁଲା ଯେଉଁ ବନ୍ଧୁଙ୍କ ପାଖକୁ ମୋ ହାତରେ ଚିଠି ଦେଇଥିଲେ, ତାଙ୍କ ସଙ୍ଗେ ଦେଖା କରିବାକୁ ଗଲି । ତାଙ୍କ ସହ ପରିଚୟ ହେଲା । ତାଙ୍କଠୁଁ ଦକ୍ଷିଣ ଆଫ୍ରିକାରେ ଭାରତବାସୀଙ୍କ ପ୍ରତି ନିର୍ଯ୍ୟାତନାର ବିଶେଷ ଖବର ଶୁଣିଲି । ତାଙ୍କ ଘରେ ରହିବାକୁ ମୋ ସଙ୍ଗେ ସେ ଭାରି ଲଗେଇଥିଲେ । ମୁଁ ତାଙ୍କୁ ଧନ୍ୟବାଦ ଦେଲି, ଆଉ ମୋ ବ୍ୟବସ୍ଥା କରିସାରିଛି ବୋଲି ତାଙ୍କୁ ଶୁଣେଇଦେଲି । ଯାହା ଯେତେବେଳେ ଦରକାର ପଡ଼ୁଥିବ ମଗେଇ ନେବାକୁ ସେ ମତେ ଅନୁରୋଧ କରିଥିଲେ ।

 

ସନ୍ଧ୍ୟା ହେଲା । ମୁଁ ବସାକୁ ଫେରିଲି । ରାତି ପାଇଁ ଖାଇନେଲି ଏବଂ ଆପଣା କୋଠରୀରେ ଯାଇ ନାନା ଚିନ୍ତାରେ ବୁଡ଼ିଗଲି । ଶୀଘ୍ର ମୋ ପାଇଁ କିଛି କାମ ନ ଜୁଟିବାର ଜାଣିପାରିଲି ଏବଂ ଅବଦୁଲା ଶେଠଙ୍କୁ ଚିଠି ଲେଖିଲି । ମି.ବେକରଙ୍କର ବନ୍ଧୁତ୍ୱର ଅର୍ଥ କଣ ହୋଇପାରେ ? ୟାଙ୍କର ଧର୍ମାବଲମ୍ୱୀ ସହକର୍ମୀମାନଙ୍କ ସଙ୍ଗେ କାହିଁକି ମିଶିବି ? ଖ୍ରୀଷ୍ଟଧର୍ମର ଅଧ୍ୟୟନ ମୁଁ କୋଉଯାଏ କରିବି ? ହିନ୍ଦୁ ଧର୍ମର ଶାସ୍ତ୍ରାଦି ଏଠି କେଉଁଠି ପାଇବି ? ମୋର ନିଜ ଧର୍ମକୁ ଉତ୍ତମରୂପେ ନ ଜାଣିଲେ ଖ୍ରୀଷ୍ଟଧର୍ମର ପ୍ରକୃତ ରୂପ କୁଆଡ଼ ଜାଣି ପାରିବି ? —ଗୋଟିଏ ବିଷୟ ସ୍ଥିରକଲି—ଯାହା ପଢ଼ିବି ନିରପକ୍ଷ ଭାବରେ ପଢ଼ିବି ଏବଂ ମି. ବେକରଙ୍କର ଦଳ ଯେତେବେଳେ ଭଗବାନଙ୍କ କଥା କହିବେ, ସେହି ସମୟରେ ଜବାବ ଦେଇଦେବି । ଯେ ପର୍ଯ୍ୟନ୍ତ ମୁଁ ପୂରାପୂରି ମୋ ଧର୍ମ ନ ବୁଝିଛି, ସେ ପର୍ଯ୍ୟନ୍ତ ମୁଁ ଅନ୍ୟ ଧର୍ମ ଗ୍ରହଣ କରିବା କଥା ବିଚାରିବି ନାହିଁ-। ଏମିତି ଚିନ୍ତା କରୁ କରୁ ନିଦ ଲାଗିଗଲା ।

 

ଖ୍ରୀଷ୍ଟାନ୍‌ ସମ୍ପର୍କ

 

ପରଦିନ ଗୋଟାଏ ବେଳେ ମୁଁ ମି. ବେକରଙ୍କ ପ୍ରାର୍ଥନା ସମାଜକୁ ଗଲି । ସେଠି ମିସ୍‌ ହେରିସ୍, ମିସ୍‌ ଗେବ, ମି. କୋଟସ୍‌ ପ୍ରଭୃତିଙ୍କର ପରିଚୟ ହେଲା । ସମସ୍ତେ ଜାନୁପାତ ହୋଇ ପ୍ରାର୍ଥନା କରିଥିଲେ । ମୁଁ ମଧ୍ୟ ତାଙ୍କର ଅନୁକରଣ କଲି । ପ୍ରାର୍ଥନାରେ ଯାହାର ଯାହା ମନକୁ ପାଏ, ଈଶ୍ୱରଙ୍କ ପାଖରେ ମାଗନ୍ତି । ‘ଦିନ ଶାନ୍ତିରେ କଟୁ, ଈଶ୍ୱର ଆମର ହୃଦୟ ଦ୍ୱାର ଖୋଲି ଦିଅନ୍ତୁ,’ ଇତ୍ୟାଦି ସବୁ ତ ହୋଇଥାଏ । ମୋ ପାଇଁ ମଧ୍ୟ ପ୍ରର୍ଥନା ହେଲା, ‘‘ଆମ ଭିତରକୁ ଯେ ନୂଆ ଭାଇ ଆସିଛନ୍ତି, ତାଙ୍କୁ ପ୍ରଭୁ ବାଟ ଦେଖାଅ; ଯେଉଁ ଶାନ୍ତି ଆମକୁ ଦେଇଛ, ତାଙ୍କୁ ସେହି ଶନ୍ତି ଦିଅ । ଯେ ଯୀଶୁ ଆମକୁ ମୁକ୍ତ କରିଛନ୍ତି, ସେ ତାଙ୍କୁ ମଧ୍ୟ ମୁକ୍ତ କରନ୍ତୁ । ଏ ସବୁ ଆମେ ଯୀଶୁଙ୍କ ନାମରେ ମାଗୁଛୁ ।’’ ଏ ପ୍ରାର୍ଥନାରେ ଭଜନ କୀର୍ତ୍ତନ ହୁଏ ନାହିଁ । ମାତ୍ର କେତେକ ବିଶେଷ ପ୍ରାର୍ଥନା କଲାପରେ ସମସ୍ତେ ବିଦାୟ ନିଅନ୍ତି । ସମସ୍ତଙ୍କର ଦି ପହର ଖାଇବାବେଳେ ହୋଇଥାଏ, ସେଥିପାଇଁ ସମସ୍ତେ ଏଭଳି ପ୍ରର୍ଥନା କରିସାରି ନିଜ ନିଜର ଭୋଜନ ପାଇଁ ଯାଉଁ । ପ୍ରାର୍ଥନାରେ ପାଞ୍ଚମିନିଟରୁ ବେଶି ସମୟ ଯାଏ ନାହିଁ ।

 

ମିସ୍‌ ହେରିସ୍‌ ଓ ମିସ୍‌ ଗେବ ଉଭୟେ କୁମାରୀ । ସେ ଦୁହିଁଙ୍କର ବୟସ ମଧ୍ୟ ଅଧିକ । ସେଥିପାଇଁ ସେ ଦୁହେଁ ପୁରୁଖା ଜଣାଯାନ୍ତି । ମି. କୋଟ୍‌ସ କ୍ୱେକର ସଂପ୍ରଦାୟର ଲୋକ । ଏ ମହିଳା ଦୁହେଁ ଏକତ୍ର ବାସ କରନ୍ତି । ପ୍ରତି ରବିବାର ଦିନ ଯାଇ ତାଙ୍କର ସେଠି ଚା’ ଖାଇବାକୁ ସେମାନେ ମତେ ଅନୁରୋଧ କଲେ । ରବିବାର ଦିନ ସେଠାରେ ମି. କୋଟ୍‌ସଙ୍କ ସଙ୍ଗେ ବି ଦେଖାହୁଏ । ମୁଁ ସପ୍ତାହକ ଭିତରେ କଣ ଧର୍ମଚର୍ଚ୍ଚା କରିଛି, ତାହାର ଦୈନନ୍ଦିନ ଟିପ୍ପଣୀ ମତେ ଶୁଣାଇବାକୁ ପଡ଼େ । କି କି ବହି ପଢ଼ିଲି, ମୋ ମନ ଉପରେ ସେ ସବୁର କି ପ୍ରଭାବ ପଡ଼ିଲା ଇତ୍ୟାଦିର ଆଲୋଚନା ହୋଇଥାଏ । ମହିଳା ଦୁହେଁ ନିଜର ଅପୂର୍ବ ଅଭିଜ୍ଞତା କଥା ଶୁଣାନ୍ତି ଏବଂ ନିଜର ପରମ ଶାନ୍ତିର କଥା କହନ୍ତି ।

 

ମି. କୋଟ୍‌ସ ଜଣେ ନିଷ୍କପଟ ହୃଦୟ ଯୁବକ ଏବଂ ରକ୍ଷଣଶୀଳ କ୍ୱେକର ଥିଲେ । ତାଙ୍କ ସଙ୍ଗେ ମୋର ଘନିଷ୍ଠ ସମ୍ପର୍କ ଜାତ ହୋଇଥିଲା । ଆମେ ଦୁହେଁ ଅନେକ ସମୟରେ ବୁଲିଯାଉଁ । ସେ ମୋତେ ଅନ୍ୟ ଖ୍ରୀଷ୍ଟିୟାନ୍‌ମାନଙ୍କ ଘରକୁ ନେଇଯାନ୍ତି ।

 

କୋଟସ୍‌ ମତେ ବହିରେ ପୋତି ପକେଇଲେ । ତାଙ୍କ ସଙ୍ଗେ ମୋର ପରିଚୟ ଘନ ହେବା ସଙ୍ଗେ ସଙ୍ଗେ ତାଙ୍କର ଯେଉଁସବୁ ବହି ପସନ୍ଦକୁ ଆସେ, ସେ ସବୁ ମତେ ଦେଇ ଦିଅନ୍ତି । ମୁଁ ଅବଶ୍ୟ ଶ୍ରଦ୍ଧାରେ ସେ ସବୁ ପଢ଼ିବାକୁ ରାଜି ହୋଇଯାଏ । ସେ ସବୁର ଆଲୋଚନା ମଧ୍ୟ ଆମ ଉଭୟଙ୍କ ମଧ୍ୟରେ ହୁଏ ।

 

୧୯୮୩ ସାଲରେ ଏହିପରି ମୁଁ ବହୁତ ପଢ଼ିଲି, ସେ ସବୁର ନାଁ ମୋର ମନେ ନାହିଁ । ସେଥିମଧ୍ୟରୁ ସିଟିଟେମ୍ପଲର ଅଧିବାସୀ ମି. ପାରକରଙ୍କ ଟୀକା; ପିଅରସନ୍‌ଙ୍କର ‘ମେନି ଇନ୍‌ଫଲିବ୍‌ଲ ପ୍ରୁଫ୍‌ସ୍‌’, ବଟଲର୍‌ଙ୍କର ‘‘ଏନାଲଜୀ’’ ପ୍ରଭୃତି କେତୋଟି ମୋର ମନେପଡ଼େ । ଏ ସବୁ ବହିର ଅନେକ ଅଂଶ ମୁଁ ବୁଝିପାରିଲି ନାହିୋ । କେତେକ ଅଂଶ ଭଲ ଲାଗିଲା ନାହିଁ । ଏ ସବୁ କଥା ମୁଁ ମି. କୋଟ୍‌ସଙ୍କୁ କହି ଦେଉଥାଏ । ‘ମେନି ଇନ୍‌ଫଲିବ୍‌ଲ ପ୍ରୁଫ୍‌ସ୍‌’ ର ଅର୍ଥ ‘କେତକ ଅକାଟ୍ୟ ପ୍ରମାଣ’ ଅର୍ଥାତ୍‌ ବାଇବେଲରେ ଯେଉଁ ଧର୍ମକର୍ତ୍ତାମାନେ ଯାହା ଯାହା ଲେଖିଥିଲେ ତାହାରି ସମର୍ଥନର ପ୍ରମାଣ । ଏ ବହିର କୌଣସି ମୋ ଉପରେ ପଡ଼ି ନାହିଁ । ପାରକର୍‌ଙ୍କ ଟୀକାକୁ ନୀତିବର୍ଦ୍ଧକ କୁହାଯାଇପାରେ; କିନ୍ତୁ ଯାହା ମନରେ ଖ୍ରୀଷ୍ଟଧର୍ମର ପ୍ରଚଳିତ ମତ ସମ୍ୱନ୍ଧରେ ସନ୍ଦେହ ଥିବ, ତାକୁ କୌଣସି ସାହାଯ୍ୟ କରିବନାହିଁ । ବଟ୍‌ଲର୍‌ଙ୍କ ‘ଏନେଲଜୀ’ ବହୁତ କଠିନ ଓ ଗମ୍ଭୀର ପରି ଜଣା ପଡ଼ିଲା । ତାକୁ ପାଞ୍ଚ ସାତଥର ପଢ଼ିବା ଦରକାର । ନାସ୍ତିକମାନଙ୍କୁ ଆସ୍ତିକ କରିବା ପାଇଁ ସେ ବହିଟି ଲେଖା ହୋଇଥିଲା ବୋଲି ମୋର ମନେ ହେଲା । ସେଥିରେ ଈଶ୍ୱରଙ୍କ ଅସ୍ତିତ୍ୱ ସମ୍ୱନ୍ଧରେ ଯେଉଁ ସବୁ ଯୁକ୍ତି ବଢ଼ା ହୋଇଛି, ସେ ସବୁ ମୋର କୌଣସି କାମରେ ଆସିଲା ନାହିଁ; କାରଣ ସେତେବେଳକୁ ନାସ୍ତିକତା ମୋର ନ ଥିଲା । କିନ୍ତୁ ଯୀଶୁ ଯେ ଅଦ୍ୱିତୀୟ ଅବତାର ଏବଂ ସେହି କେବଳ ମଣିଷ ଓ ଭଗବାନଙ୍କ ମଧ୍ୟରେ ମଧ୍ୟସ୍ଥ, ଏ ବିଷୟକ ଯୁକ୍ତିରେ ମୋ ମନ ତିଳେ ହେଲେ ଟଳିଲା ନାହିଁ ।

 

କିନ୍ତୁ ମି. କୋଟସ୍‌ ସହଜରେ ହଟିଯିବା ଲୋକ ନୁହନ୍ତି, ତାଙ୍କ ମାୟାର ସୀମା ନ ଥାଏ । ମୋ ବେକରେ ବୈଷ୍ଣବ ମାଳି ଉପରେ ଥରେ ତାଙ୍କ ନଜର ପଡ଼ିଲା । ତାହା ତାଙ୍କୁ କୁସଂସ୍କାର ପରି ଜଣାଗଲା ଏବଂ ତାହା ଦେଖି ତାଙ୍କର ଦୁଃଖ ହେଲା । ସେ କହିଲେ, ‘‘ଏ କୁସଂସ୍କାର ତମଭଳି ଲୋକଙ୍କୁ ସଜେ ନାହିଁ, ଆଣ, ମୁଁ ଛିଣ୍ଡାଇ ଦିଏ ।’’

 

‘‘ମାଳି ଛିଣ୍ଡା ହେବନାହିଁ । ଏ ମା’ର ପ୍ରସାଦ—‘‘କିନ୍ତୁ ତେମେ କ’ଣ ତାକୁ ମାନୁଛ ?’’

 

ମୁଁ କହିଲି, ‘‘ମୁଁ ଏହାର ଗୂଢ଼ ଅର୍ଥ ଅବଶ୍ୟ ଜାଣେ ନାହିଁ । ଏହାକୁ ନ ପିନ୍ଧିଲେ ଯେ ମୋର ଅନିଷ୍ଟ ହେବ ସେଭଳି ଧାରଣା ମୋର ନାହିଁ । କିନ୍ତୁ ଯେଉଁ ମାଳିକୁ ମୋର ମା’ ସ୍ନେହରେ ପିନ୍ଧାଇ ଦେଇଛି ଏବଂ ଯାହାକୁ ପିନ୍ଧିବା ମୋ ପକ୍ଷରେ ଇଷ୍ଟ ବୋଲି ସେ ମନେ କରିଛି ତାକୁ ବିନା କାରଣରେ ମୁଁ ଛାଡ଼ି ପାରିବି ନାହିଁ । କାଳକ୍ରମେ ତାହା ପୁରୁଣା ହୋଇ ଛିଣ୍ଡିଯିବ ତ, ଆଉ ଗୋଟିଏ ପିନ୍ଧିବାର ଲୋଭ ଅବଶ୍ୟ ମୋର ନାହିଁ; କିନ୍ତୁ ଏ ମାଳି କଦାପି ଛିଣ୍ଡାଇ ପାରିବି ନାହିଁ ।’’

 

କୋଟ୍‌ସ ମୋ ଯୁକ୍ତିର ମର୍ଯ୍ୟାଦା ବୁଝି ପାରିଲେ ନାହିଁ । କାରଣ ତାଙ୍କର ମୋ ଧର୍ମପ୍ରତି ପୂର୍ଣ୍ଣ ଅନାସ୍ଥା ଥାଏ । ସେ ତ ମତେ ଅଜ୍ଞାନ ଅନ୍ଧକାରରୁ ବଞ୍ଚାଇବାର ଆଶା ପୋଷଣ କରିଥାନ୍ତି । ସେ କହନ୍ତି ଯେ ଅନ୍ୟ ଧର୍ମରେ କିଛି ସତ୍ୟ ଥାଇପାରେ, ମାତ୍ର ପୂର୍ଣ୍ଣ ସତ୍ୟରୂପେ ଖ୍ରୀଷ୍ଟଧର୍ମ ଗ୍ରହଣ ନ କଲେ ମୋକ୍ଷ ମିଳିବ ନାହିଁ, କି ଯୀଶୁଙ୍କର ମଧ୍ୟସ୍ଥତା ବିନା ପାପ ଧୋଇହୋଇ ଯିବନାହିଁ, ବରଂ ସବୁ ପୁଣ୍ୟ କର୍ମ ବୃଥା ହେବ । ମତେ କେତେ ଗୁଡ଼ିଏ ପୁସ୍ତକର ପରିଚୟ ଦେବାଭଳି ଯେଉଁମାନଙ୍କୁ ସେ ନିଷ୍ଠାପର ଖ୍ରୀଷ୍ଟାନ୍‌ ବୋଲି ମନେ କରୁଥିଲେ ସେଭଳି କେତେକଙ୍କ ସଙ୍ଗେ ମଧ୍ୟ ସେ ମୋର ପରିଚୟ କରାଇ ଦେଇଥିଲେ ।

 

ଏହିସବୁ ପରିଚୟ ଭିତରେ ‘ଫ୍ଲାଇ ମାଉଥ୍‌ ବ୍ରିଦ୍‌ରନ୍‌’ ନାମକ ଗୋଟିଏ ଖ୍ରୀଷ୍ଟାନ୍‌ ସଂପ୍ରଦାୟ ଉଲ୍ଲେଖ ଯୋଗ୍ୟ । କୋଟ୍‌ସ ସାହେବଙ୍କ କର୍ତ୍ତୃକ ପରିଚିତ ବନ୍ଧୁମାନଙ୍କ ମଧ୍ୟରୁ ଅଧିକାଂଶ ସଦ୍‌ବନ୍ଧୁ ଥିଲେ । ସେମାନେ ଈଶ୍ୱର ଭୀରୁ ପରି ଜଣା ପଡ଼ନ୍ତି । ଏହି ସଂପ୍ରଦାୟ ସହିତ ମୋର ପରିଚୟ ହେବା ପରେ ଉକ୍ତ ଫ୍ଲାଇ ମାଉଥ୍ ଭ୍ରାତୃ ପରିବାରର ଜଣେ ମୋ ସଙ୍ଗରେ ଯୁକ୍ତି କରି କହିଥିଲେ—

 

ଆମ ଧର୍ମର ମହତ୍ତ୍ୱ ତୁମେ ବୁଝି ପାରୁନାହଁ, ତୁମ କଥାରୁ ମୁଁ ବୁଝୁଛି ଯେ ତୁମେ ସବୁବେଳେ ନିଜ ଭୁଲ କଥା ବିଚାର କରୁଛ । ସବୁବେଳେ ତାହା ସୁଧାରିବାକୁ ବସୁଛ ଏବଂ ସୁଧାରି ନ ପାରିଲେ ତୁମର ଅନୁତାପ ଆସୁଛି, ପୁଣି ତୁମେ ପ୍ରାୟଶ୍ଚିତ୍ତ ମଧ୍ୟ କରୁଛ । ଏ କର୍ମ-ଚକ୍ର ଭିତରୁ ତୁମକୁ ମୁକ୍ତି କୁଆଡ଼ୁ ମିଳିବ ? ତୁମକୁ ଶାନ୍ତି ମିଳିବ ନାହିଁ । ଆଚ୍ଛା, ଆମକୁ ପାପୀ ବୋଲି ତୁମେ ତ ମାନୁଛ ? ଏବେ ଦେଖ ଆମ ଧର୍ମମତର ପୂର୍ଣ୍ଣତା କିପରି ? ପ୍ରାୟଶ୍ଚିତ୍ତ ଓ ଉନ୍ନତି ଉଦ୍ୟମ ବୃଥା ଚେଷ୍ଟା । ତଥାପି ଆମର ମୁକ୍ତି ନିଶ୍ଚୟ ଲୋଡ଼ା । ଆମ ପାପର ବୋଝ କେମିତି ଯିବ ? ଆମେ ତାକୁ ଯୀଶୁଙ୍କ ଉପରେ ଲଦି ଦେଉ । ସେହି ତ ଇଶ୍ୱରଙ୍କର ଏକମାତ୍ର ନିଷ୍ପାପ ପୁତ୍ର । ସେ ଏହି ବର ଦେଇଛନ୍ତି ଯେ ଯେଉଁ ମଣିଷ ତାଙ୍କୁ ମାନିବ, ତା’ର ପାପ ଧୋଇ ହୋଇଯିବ । ଏହାହିଁ ପରମେଶ୍ୱରଙ୍କର ଅସୀମ ଦୟା । ଯୀଶୁଙ୍କର ଏ ମୁକ୍ତି ଯୋଜନାରେ ଆମର ବିଶ୍ୱାସ ଅଛି, ସେଥିପାଇଁ ପାପ ଆମକୁ ଭିଡ଼ି ରଖି ପାରୁ ନାହିଁ । ପାପ ତ ରହିବ ନିଶ୍ଚୟ । ଏ ଦୁନିଆ ପାପ ବିନା ରହିବ କେମିତି ? ସେଇଥିପାଇଁ ପରା ଯୀଶୁ ସମସ୍ତ ଜଗତର ପାପଲାଗି ଏକାଥରେ ପ୍ରାୟଶ୍ଚିତ୍ତ କଲେ । ଯେଉଁମାନେ ତାଙ୍କର ଏ ମହାବଳିଦାନକୁ ମାନିବେ କେବଳ ସେଇମାନେ ପାଇବେ ଶାନ୍ତି-। ଏବେ ବିଚାର କର କେଉଁଠି ତମର ଅଶାନ୍ତି, ଆଉ କେଉଁଠି ଆମର ଶାନ୍ତି ।

 

ଏ ଯୁକ୍ତି ମତେ ଆଦୌ କାଫିଲା ନାହିଁ । ମୁଁ ବିନୀତ ଭାବରେ ଜବାବ ଦେଲି, ‘‘ଯଦି ସର୍ବମାନ୍ୟ ଖ୍ରୀଷ୍ଟଧର୍ମ ଏହାହିଁ ହୁଏ ତାହା ହେଲେ ମୋ ସାଙ୍ଗ ତାହା ଖାପ୍‌ ଖାଇବ ନାହିଁ । ମୁଁ ତ ପାପର ପରିଣାମ ବା ତା’ର ଫଳ ଭୋଗରୁ ମୁକ୍ତି ଚାହୁଁ ନାହିଁ । ମୁଁ ମୁକ୍ତି ଚାହୁଁଛି ପାପ ପ୍ରବୃତ୍ତିରୁ ଓ ପାପକର୍ମରୁ । ତାହା ନ ମିଳିବାଯାଏ ମୋର ଆଶା ଓ ବ୍ୟାକୁଳତା ମତେ ଭଲ ଲାଗୁଥିବ ।’’ ‘ପ୍ଲାଇମାଉଥ’ର ବ୍ରଦର ଉତ୍ତର ଦେଲେ, ‘‘ମୁଁ ତୁମକୁ ଦୃଢ଼ ଜବାବ ଦେଉଛି—ତୁମର ଚେଷ୍ଟା ବୃଥା । ତଥାପି ମୋର କଥାକୁ ବାରମ୍ୱାର ବିଚାର କରି ଦେଖ ।’’

 

ସତକୁ ସତ ଏ ଭାଇ କହିଲେ ଯାହା, କଲେ ଠିକ୍‌ ସେଇଆ । ମୋ ଆଗରେ ଜାଣି ଶୁଣି ଅନ୍ୟାୟ କାର୍ଯ୍ୟ କରି ମତେ କହିଲେ ‘‘ଦେଖ, ମୁଁ ଏଭଳି କାର୍ଯ୍ୟର ଚିନ୍ତାରେ ତିଳେ ହେଲେ ଚିନ୍ତିତ ବା ବିଚଳିତ ନୁହେଁ ।’’

 

ଏମାନଙ୍କ ପରିଚୟ ପୂର୍ବରୁ ମୁଁ ଜାଣିଥାଏ ଯେ ସବୁ ଖ୍ରୀଷ୍ଟାନ୍‌ମାନଙ୍କର ଏଭଳି ମତ ନୁହେଁ । କୋଟ୍‌ସ ନିଜେ ପାପକୁ ଡରି ଚଳନ୍ତି । ତାଙ୍କର ହୃଦୟ ନିର୍ମଳ । ଆତ୍ମଶୁଦ୍ଧି ଆବଶ୍ୟକ ବୋଲି ସେ ମାନନ୍ତି । ସେ ଭଉଣୀ ଦୁହିଁଙ୍କର ମତ ମଧ୍ୟ ସେହିପରି । ମୁଁ ଯେତେକ ବହି ପଢ଼ିଛି ସେଥିରୁ ଅନେକ ଭକ୍ତିଭାବରେ ପୂର୍ଣ୍ଣ । ବର୍ତ୍ତମାନ ‘ପ୍ଲାଇମାଉଥ୍‌’ ବନ୍ଧୁଙ୍କ ଅଭିଜ୍ଞତା ଶୁଣି କୋଟ୍‌ସଙ୍କ ମନରେ ଚିନ୍ତା ଜାତ ହେଲା; କିନ୍ତୁ ମୁଁ ନିଧାର୍ଯ୍ୟ କହିଲି, ‘‘ଏଇ ପ୍ଲାଇମାଉଥ୍‌ବ୍ରଦରଙ୍କର ଅନୁଚିତ ମତାମତ ଯୋଗୁ ଖ୍ରୀଷ୍ଟ ଧର୍ମପ୍ରତି ମୋ ମନ କଦାପି ବିଗିଡ଼ି ଯିବନାହିଁ । ମୋର ଅସଲ ଉଦବେଗର କାରଣ ବାଇବେଲ ଗ୍ରନ୍ଥ ଓ ତା’ର ପ୍ରଚଳିତ ଅର୍ଥ ଓ ଅଭିପ୍ରାୟ । ଏଥିରେ ମୋର ମନ ଆଦୌ ମାନୁ ନଥାଏ ।’’

 

ଭାରତୀୟଙ୍କ ପରିଚୟ

 

ଖ୍ରୀଷ୍ଟାନ୍‌ ସମ୍ପର୍କ ବିଷୟରେ ଆଉ ବେଶି ଲେଖିବା ପୂର୍ବରୁ ସେ ସମୟର ଏକ ଅଭିଜ୍ଞତା ଉଲ୍ଲେଖ କରିବା ଉଚିତ ।

 

ନାତାଲରେ ଦାଦା ଅବଦୁଲାଙ୍କର ଯେଉଁ ସ୍ଥାନ, ପ୍ରିଟୋରିଆରେ ଶେଠ ତୟାବାଜୀ ହାଜୀ ଖାଁ ମହମ୍ମଦଙ୍କର ଠିକ୍‌ ସେହିପରି ସ୍ଥାନ । ତାଙ୍କୁ ଛାଡ଼ି ଗୋଟିଏ ହେଲେ ବି ସାଧାରଣ କାମ ଚଳିବା ସମ୍ଭବ ନୁହେଁ । ମୁଁ ପ୍ରଥମ ସପ୍ତାହରେ ତାଙ୍କ ପରିଚୟ କରି ନେଇଥିଲି । ପ୍ରିଟୋରିଆରେ ପ୍ରତ୍ୟେକ ଭାରତବାସୀଙ୍କ ସଙ୍ଗେ ପରିଚିତ ହେବା ମୋର ଇଚ୍ଛା ବୋଲି ତାଙ୍କୁ ଜଣାଇଥିଲି । ଭାରତୀୟମାନଙ୍କ ଅବସ୍ଥାର ଅଧ୍ୟୟନ କରିବାକୁ ଇଚ୍ଛା ମଧ୍ୟ ପ୍ରକାଶ କରି ସେ ଦିଗରେ ତାଙ୍କର ସାହଯ୍ୟ ଲୋଡ଼ିଥିଲି । ସେ ଆନନ୍ଦରେ ସାହାଯ୍ୟ ଦେବାଲାଗି ଜବାବ ଦେଲେ ।

 

ମୋର ପ୍ରଥମ କାର୍ଯ୍ୟ ହେଲା—ସବୁ ଭାରତୀୟଙ୍କର ଗୋଟିଏ ସଭା ଡାକି ସେମାନଙ୍କ ଆଗରେ ସେଠା ଅବସ୍ଥାର ଏକ ଚିତ୍ର ରଖିଦେବା । ଶେଠ ହାଜୀ ମହମ୍ମଦ ଯୁସବ ଯାହାଙ୍କ ପାଖକୁ ମୁଁ ସୁପାରିଶ ଆଣିଥିଲି ତାଙ୍କ ଘରେ ସଭା ବସିଲା । ସେଥିରେ ମୁଖ୍ୟତଃ ମଇମନ୍‌ ବେପାରୀମାନେ ଉପସ୍ଥିତ ଥିଲେ । ଅଳ୍ପ କେତେଜଣ ହିନ୍ଦୁ ମଧ୍ୟ ଥିଲେ । ପ୍ରିଟୋରିଆରେ ହିନ୍ଦୁ ବସତି କମ୍‌ଥାଏ ।

 

ସଭାରେ ମୁଁ ବକ୍ତୃତା ଦେଲି । ମୋ ଜୀବନରେ ଏହା ପ୍ରଥମ ବକ୍ତୃତା ବୋଲି ଧରାଯିବ । ମୁଁ ଠିକ୍‌ ପ୍ରସ୍ତୁତ ହୋଇଥାଏ । ମୋର ସତ୍ୟ ବିଷୟରେ କହିବାର କଥା । ମୁଁ ବେପାରୀଙ୍କ ମୁହଁରୁ ଶୁଣେ ଯେ ବେପାରରେ ସତ୍ୟ ଚଳିବ ନାହିଁ । ଏଭଳି କହୁଥିବା କେତେକ ବେପାରୀ ବନ୍ଧୁ ମଧ୍ୟ ଉପସ୍ଥିତ ଥାନ୍ତି । ବେପାରକୁ ‘ବ୍ୟବହାର’ ଓ ସତ୍ୟକୁ ‘ଧର୍ମ’ ଆଖ୍ୟା ଦେଇ ଯୁକ୍ତି ବାଢ଼ନ୍ତି ଯେ ‘ବ୍ୟବହାର’ ଏକବସ୍ତୁ ଓ ‘ଧର୍ମ’ ଅନ୍ୟ ଏକବସ୍ତୁ । ବ୍ୟବହାରରେ ଶୁଦ୍ଧ ସତ୍ୟ ଚଳିବ ନାହିଁ । ସେଥିରେ ଅବଶ୍ୟ ଯଥାସମ୍ଭବ ସତ୍ୟ କହିବା ଚଳିବ ବୋଲି ସେମାନଙ୍କର ମତ । ମୁଁ ମୋର ବକ୍ତୃତାରେ ଏହି ବିଷୟର ସମ୍ପୂର୍ଣ୍ଣ ବିରୋଧ କରି ବେପାରୀଙ୍କ ଦୋହରୀ କର୍ତ୍ତବ୍ୟ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କଲି । ପରଦେଶକୁ ଆସିଥିବା ଯୋଗୁଁ ସ୍ୱଦେଶରେ ଥିବା ଅବସ୍ଥାଠାରୁ ଦାୟିତ୍ୱ ଢେର ବେଶି, କାରଣ ମୃଷ୍ଟିମେୟ ଭାରତୀୟ ଚାଲିଚଳଣରୁ ଭାରତର କୋଟି କୋଟି ଲୋକଙ୍କ ଭଲ ମନ୍ଦର ମାପ ହେଉଛି ।

 

ଇଂରେଜମାନଙ୍କ ଚାଲିଚଳଣ ତୁଳନାରେ ମୁଁ ଯେଉଁ ସବୁ ଅସନା କଥା ଦେଖୁଥିଲି ସେଥିପ୍ରତି ମଧ୍ୟ ସେମାନଙ୍କର ଦୃଷ୍ଟି ଆକର୍ଷଣ କଲି ।

 

ହିନ୍ଦୁ, ମୁସଲମାନ, ଫାରସୀ, ଖ୍ରୀଷ୍ଟାନ, ଅଥବା ଗୁଜୁରାତୀ, ମାଦ୍ରାସୀ, ପଞ୍ଜାବୀ, ସିନ୍ଧୀ, କଚ୍ଛୀ, ସୁରାତୀ ଭେଦ ଭୁଲିଯିବା ଉପରେ ଖୁବ୍‌ ଜୋର ଦେଇଥିଲି ।

 

ଶେଷରେ ପ୍ରସ୍ତାବ କଲି ଯେ ଗୋଟିଏ ସମିତି ସ୍ଥାପିତ ହେଉ । ସେ ସମିତି ପକ୍ଷରୁ କର୍ମଚାରୀମାନଙ୍କୁ ଦେଖା କରି କିମ୍ୱା ଦରଖାସ୍ତ କରି ଏଠାରେ ଭାରତୀୟମାନଙ୍କ ପ୍ରତି ହେଉଥିବା ଅପମାନର ପ୍ରତିକାର କରାଯାଉ । ଏଥିପାଇଁ ମତେ ଯେତେ ସମୟ ମିଳିବ ମୁଁ ବିନା ପାରିଶ୍ରମିକରେ ସେତକ ଦେବାକୁ ରାଜି ହୋଇଗଲି । ଦେଖିଲି ଏହାଦ୍ୱାରା ସଭାରେ ଥିବା ଲୋକଙ୍କ ମନରେ ଗୋଟାଏ ଆଗ୍ରହ ଜନ୍ମିଲା ।

 

ମୋର ବକ୍ତୃତା ପରେ ଆଲୋଚନା ହେଲା । କେହି କେହି ମତେ ସଠିକ ସମ୍ୱାଦ ଓ ବିବରଣୀ ଯୋଗାଇ ଦେବାକୁ ବାହାରିଲେ । ମୋର ସାହାସ ହେଲା । ମୁଁ ଦେଖିଲି, ଏ ସଭାରେ ଇଂରାଜୀ ଜାଣିଲାବାଲା ବହୁତ କମ୍‌ ଅଛନ୍ତି । ଏଭଳି ବିଦେଶରେ ଇଂରେଜୀ ଜ୍ଞାନ ଥିବା ଭଲ ବୋଲି ମୋର ମନେ ହେଉଥାଏ । ସେଥିପାଇଁ ଯେଉଁମାନଙ୍କର ଅବସର ଥିବ ସେମାନେ ଇଂରେଜୀ ପଢନ୍ତୁ ବୋଲି ପରାମର୍ଶ ଦେଲି । ବେଶି ବୟସ ହେଲେ ମଧ୍ୟ ଲୋକେ ପଢ଼ନ୍ତି ଏବଂ ଅନ୍ତତଃ ଭାଷା ଜ୍ଞାନ ଲାଭ କରନ୍ତି ବୋଲି କେତେକ ଉଦାହରଣ ଦେଇ ବୁଝାଇଲି । ଗୋଟିଏ ଶ୍ରେଣୀଭଳି ଛାତ୍ର ହେଲେ ଗୋଟିଏ ଶ୍ରେଣୀ ଖୋଲି, ନଚେତ୍‌ ଏଠି ସେଠି କାହାକୁ କେମିତି ପଢ଼ାଇବାର ହେଲେ ମଧ୍ୟ ସେପରି ପଢ଼ାଇବାର ଦାୟିତ୍ୱ ମୁଁ ନେଲି । ଶ୍ରେଣୀ ତ ହେଲା ନାହିଁ—କେବଳ ତିନିଜଣ ତାଙ୍କର ସୁବିଧା ଅନୁସାରେ ତାଙ୍କ ଘରକୁ ଯାଇ ପଢ଼ାଇଲେ ପଢ଼ିବେ ବୋଲି ବାହାରିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ମୁସଲମାନ, ଜଣେ ମାତ୍ର ହିନ୍ଦୁ ଥିଲେ । ମୁସଲମାନଙ୍କ ଭିତରେ ପୁଣି ଜଣେ ଭଣ୍ଡାରି ଆଉ ଜଣେ କିରାନୀ । ହିନ୍ଦୁ ଜଣକ ଛୋଟିଆ ଦୋକାନୀ ଜଣେ । ସମସ୍ତଙ୍କ ସଙ୍ଗରେ ମୋର ବେଶ୍‌ ପଟୁଥାଏ । ଶିକ୍ଷା ଦେବା ବିଷୟରେ ମୋ ନିଜ ଶକ୍ତି ଉପରେ ଆଦୌ ସନ୍ଦେହ ନ ଥାଏ । ମୋର ଛାତ୍ରମାନେ ଥକି ପଡ଼ିବେ ସିନା; ମୁଁ କିନ୍ତୁ ଥକି ପଡ଼େ ନାହିଁ । ବେଳେ ବେଳେ ତାଙ୍କ ଘରକୁ ଗଲାବେଳକୁ ତାଙ୍କର ଅବସର ନ ଥାଏ । ମୁଁ ଧୈର୍ଯ୍ୟ ହରାଏ ନାହିଁ । ଏମାନଙ୍କ ଭିତରୁ କେହି ଅବଶ୍ୟ ଇଂରାଜୀରେ ଗଭୀର ଜ୍ଞାନ ଲାଭ କରି ନ ଥିଲେ ସତ, କିନ୍ତୁ ଦୁଇ ଜଣ ଆଠମାସରେ ଭଲ ଉନ୍ନତି କରିଗଲେ । ଉଭୟେ ଇଂରାଜୀରେ ସାଧାରଣ ଚିଠି ଖଣ୍ଡେ ଲେଖିବାକୁ ଏବଂ ନିଜ ନିଜ ହିସାବ ରଖିବାକୁ ଶିଖି ଯାଇଥିଲେ । ଭଣ୍ଡାରିଟି ତା’ର ଗ୍ରାହକଙ୍କ ସଙ୍ଗେ ଇଂରାଜୀରେ କଥାବାର୍ତ୍ତା କରିବାର ଯୋଗ୍ୟତା ହାସଲ କରିବାଯାଏ ଶିଖିଗଲା । ଦୁଇଜଣ ଏତକ ଶିଖିବା ଫଳରେ ବେଶ୍‌ ଦୁଇ ପଇସା ରୋଜଗାର କରିବା ଶକ୍ତି ଅର୍ଜିଥିଲେ ।

 

ଏପରି ସଭାର ଫଳରେ ମୋର ସନ୍ତୋଷ ଆସିଲା । ପ୍ରତି ସପ୍ତାହରେ କିମ୍ୱା ପ୍ରତି ମାସରେ ଥରେ ବୈଠକ ହେବାର ପ୍ରସ୍ତାବ ହୋଇଗଲା । ଊଣା ଅଧିକ ଏପରି ବୈଠକ ନିୟମିତରୂପେ ହେଉଥାଏ । ସମସ୍ତେ ବସି ପରସ୍ପର ମନ କଥା କୁହାକୁହି ହେଉ । ଏପରି ମିଳାମିଶା ଫଳରେ ପ୍ରିଟୋରିଆରେ ମୋର ଅଚିହ୍ନା ହୋଇ କୌଣସି ଭାରତୀୟ ରହିଲେ ନାହିଁ କି ସେଠାରେ କୌଣସି ଘଟନା ମୋର ଅଜଣା ରହିଲା ନାହିଁ । ଭାରତୀୟମାନଙ୍କର ଏ ସବୁ ଅବସ୍ଥା ଜାଣିବା ଫଳରେ ପ୍ରିଟୋରିଆରେ ଥିବା ଇଂରାଜୀ ସରକାରଙ୍କ ଏଜେଣ୍ଟଙ୍କ ସଙ୍ଗେ ଚିହ୍ନା ପରିଚୟ କରିବାର ଇଚ୍ଛା ହେଲା । ମୁଁ ମି.ଜାକ୍‌ବସ୍ ଡି.ଉଏଟଙ୍କ ସଙ୍ଗେ ଦେଖା କଲି । ତାଙ୍କର ଭାରତୀୟଙ୍କ ପ୍ରତି ସହାନୁଭୂତି ଥାଏ ସତ; ତାଙ୍କର ପ୍ରଭାବ ଓ ପ୍ରତିପତ୍ତି ସେତେ ନ ଥାଏ । ତଥାପି ତାଙ୍କ ଦ୍ୱାରା ଯାହା ସମ୍ଭବ ତାହା କରିବାକୁ ଏବଂ ଯାହାଙ୍କର ଦେଖା କରିବା ଦରକାର ତାଙ୍କୁ ଦେଖା ଦେବାକୁ ଅନୁରୋଧ କଲି । ରେଲ କର୍ତ୍ତୃପକ୍ଷଙ୍କ ସଙ୍ଗେ ଚିଠିପତ୍ର ଚଳେଇଲି ଏବଂ ତାଙ୍କ ଆଇନ ଅନୁସାରେ ଭାରତୀୟମାନଙ୍କୁ କଳା ବୋଲି କିଛି ମନେ କରିବାର ନାହିଁ ବୋଲି ସୂଚନା ମଧ୍ୟ ଦେଲି । ଫଳରେ ଚିଠି ମିଳିଲା ଯେ, ଯେଉଁ ଭାରତୀୟ ଭଲ ପୋଷାକ ପିନ୍ଧିଥିବେ ତାଙ୍କୁ ଉପର ଶ୍ରେଣୀର ରେଳ ଟିକଟ ଦେବାରେ ଆପତ୍ତି ହେବ ନାହିଁ । ଏଥିରେ ପୂରା ସୁବିଧା ଅବଶ୍ୟ ମିଳିଲା ନାହିଁ । କାରଣ ଭଲ ପୋଷାକ କିଏ ପିନ୍ଧିଛି ତାହା ପୁଣି ସେହି ଷ୍ଟେସନ୍‌ ମାଷ୍ଟର ତ ବିଚାର କରିବେ ?

 

ବ୍ରିଟିଶ ଏଜେଣ୍ଟ—ତାଙ୍କ ସଙ୍ଗେ ଭାରତୀୟ ପ୍ରସଙ୍ଗରେ ଯେଉଁ ଚିଠିପତ୍ର ଚାଲୁଥିଲା ସେହି ବିଷୟରେ ସେ କେତେକ ଲେଖା ମତେ ଓ ତୟାବଜୀ ଶେଠଙ୍କୁ ପଢ଼ିବାକୁ ଦେଲେ । ଅରେଞ୍ଜ ଫ୍ରିଷ୍ଟେଟ୍‌ରୁ ଭାରତୀୟମାନଙ୍କୁ କିପରି ନିର୍ଦ୍ଦୟ ଭାବରେ ସମୂଳେ ବିଦାୟ କରା ଯାଇଥିଲା ତାହା ମୁଁ ସେଥିରୁ ପଢ଼ିଲି । ଚୁମ୍ୱକରେ କହିଲେ ଟ୍ରାନ୍‌ସଭାଲ ଓ ଫ୍ରିଷ୍ଟେଟର ଭାରତୀୟମାନଙ୍କ ଆର୍ଥିକ ସାମାଜିକ ଓ ରାଜନୈତିକ ଅବସ୍ଥାରେ ଗଭୀର ଅଧ୍ୟୟନ ମୁଁ ପ୍ରିଟୋରିଆରେ ହିଁ କରି ପାରିଥିଲି । ମତେ ସେତେବେଳେ ଆଦୌ ଜଣା ନ ଥିଲା ଯେ ଏସବୁ ପଢ଼ାପଢ଼ି ଦିନେ ମୋର କାମରେ ଆସିବ । ବର୍ଷକ ପରେ କିମ୍ୱା ପୂର୍ବରୁ ମକଦ୍ଦମା ସରିଯିବ ତ ମୋର ଘରକୁ ଫେରି ଯିବାର କଥା ।

 

କିନ୍ତୁ ଭଗବାନ ମୋ କପାଳରେ ଅନ୍ୟ ପ୍ରକାର ଲେଖିଥିଲେ ।

 

କୁଲିର କପାଳ

 

ଟ୍ରାନ୍‌ସଭାଲ ଓ ଅରେଞ୍ଜ ଫ୍ରିଷ୍ଟେଟରେ ଭାରତୀୟମାନେ ଯେଉଁସବୁ ଦୂରବସ୍ଥାରେ ସମ୍ମୁଖୀନ ହେଉଥିଲେ ତାହାର ପୂର୍ଣ୍ଣଚିତ୍ର ଏଥିରେ ଦେଇ ହେବନାହିଁ । ଯେଉଁମାନେ ସେ ସବୁର ପୂର୍ଣ୍ଣ ଧାରଣା କରିବାକୁ ଇଚ୍ଛୁକ, ସେମାନେ ‘ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହର ଇତିହାସ’ ପଢ଼ନ୍ତୁ । ତଥାପି ଏଠାରେ ସଂକ୍ଷେପରେ ସେ କଥାର ସୂଚନା ଦେବା ଦରକାର ।

 

୧୮୮୮ ସାଲ କିମ୍ୱା ତା ପୂର୍ବରୁ ଅରେଞ୍ଜ ଫ୍ରିଷ୍ଟେଟର ଗୋଟାଏ ସ୍ୱତନ୍ତ୍ର ଆଇନ କରି ଭାରତୀୟମାନଙ୍କର ସବୁ ଅଧିକାର ଛଡ଼ାଇ ନେଇଥିଲେ । ସେମାନେ ସେଠାରେ କେବଳ ହୋଟେଲ ‘ୱେଟର’ ବା ଚପରାଶୀ, ଖାନସାମା ବା ସେହିପରି କୌଣସି ଚାକିରିରେ ରହିପାରିବେ ବୋଲି ଅନୁମତି ଥିଲା । ଭାରତୀୟ ବଣିକମାନଙ୍କୁ ନାମକୁ ମାତ୍ର କ୍ଷତିପୂରଣ ଦେଇ ବାହାର କରି ଦେଉଥିଲେ । ସେମାନେ କେତେ ଆପତ୍ତି ଦରଖାସ୍ତ କଲେ ମଧ୍ୟ ତାଙ୍କ କଥା ପାସଙ୍ଗରେ ପକାଉଛି କିଏ ?

 

୧୮୮୫ ସାଲରେ ଟ୍ରାନ୍‌ସଭାଲରେ ଏକ କଡ଼ା ଆଇନ ଜାରି ହେଲା । ୧୮୮୭ ସାଲରେ ତା’ର ସଂଶୋଧନ ହୋଇ ଟିକିଏ କୋହଳ କରି ଦିଆଗଲା । ତା ଫଳରେ ପ୍ରତ୍ୟେକ ଭାରତବାସୀଙ୍କୁ ସେଠାରେ ୩ ପାଉଣ୍ଡ ପ୍ରବେଶ କର ଦେବାକୁ ପଡ଼ିଲା । ଯେଉଁ ଜାଗାସବୁ ସେମାନଙ୍କ ପାଇଁ ଛାଡ଼ିଦିଆ ଯାଇଛି; ସେମାନେ ଜମି ବାଡ଼ି କରିବାକୁ ଇଚ୍ଛା କଲେ କେବଳ ସେହିଠାରେ କରିପାରିବେ । ମାତ୍ର ମାଲିକ ସତ୍ୱ ପାଇବେ ନାହିଁ । ସେମାନଙ୍କର ମତାଧିକାର ବା ଭୋଟ ଦେବାର ଅଧିକାର ନ ଥାଏ । ଏତକ ହେଲା ଖାସ୍‌ ଏସିଆବାସୀଙ୍କ ପାଇଁ ଆଇନ । ଏହାଛଡ଼ା ଯେଉଁ ଆଇନ ‘ଶ୍ୟାମବର୍ଣ୍ଣ’ ଲୋକଙ୍କ ପାଇଁ ଜାରି ହୋଇଥାଏ ତାହା ମଧ୍ୟ ଏସିଆବାସୀଙ୍କ ଉପରେ ଖଟେ । ତଦନୁସାରେ ଭାରତୀୟମାନଙ୍କର ସଡ଼କ କଡ଼ରେ ପାଦରେ ଚାଲିବା ଲାଗି ଯେଉଁ ବାଟଥାଏ ସେଥିରେ ଚାଲିବାର ଅଧିକାର ନ ଥାଏ । ରାତି ୯ଟା ପରେ ବିନା ଛାଡ଼ରେ ବାହାରକୁ ବାହାରି ପାରିବେ ନାହିଁ । ଏହି ଶେଷ ଆଇନଟି ଭାରତୀୟଙ୍କ ପ୍ରତି ଅଳ୍ପ ବହୁତ ପ୍ରୟୋଗ ହେଉଥାଏ । ଯେଉଁମାନଙ୍କୁ ଆରବ ବୋଲି ମନେକରନ୍ତି ଦୟାକରି ସେମାନଙ୍କୁ ଏ ଆଇନରେ ପକାନ୍ତି ନାହିଁ । ଏପରି ଅବ୍ୟାହତି ଅବଶ୍ୟ ପୁଲିସର ମରଜୀ ଉପରେ ନିର୍ଭର କରେ ।

 

ଏ ଦୁଇଟିଯାକ ଆଇନର ଫଳ ନିଜେ ମତେ ଭୋଗିବାକୁ ପଡ଼ିଲା । ଅନେକ ସମୟରେ ରାତିରେ ମୁଁ କୋଟ୍‌ସଙ୍କ ସଙ୍ଗେ ବୁଲି ବାହାରେ । ଘରକୁ ଫେରୁ ଫେରୁ ପ୍ରାୟ ଦଶଟା ବାଜିଯାଏ । ଏଥିରେ କାଳେ ମତେ ପୁଲିସ ଧରିବ, ଏ ଆଶଙ୍କା ମୋ ମନରେ ଯେତେ ଥାଏ, କୋଟ୍‌ ସାହେବଙ୍କର ଥାଏ ତାଠୁଁ ବେଶୀ । ସେ ଅବଶ୍ୟ ତାଙ୍କ ନିଗ୍ରୋ ଚାକରଙ୍କୁ ଛାଡ଼ ଖଣ୍ଡେ ଖଣ୍ଡେ ଦେଇଥାନ୍ତି । ମତେ ବା ଛାଡ଼ ଖଣ୍ଡେ ଦେବେ କିପରି ? କେବଳ ନିଜ ଚାକରକୁ ଛାଡ଼ ଖଣ୍ଡିଏ ଦେବାର ଅଧିକାର ମାଲିକର ଥାଏ । ମୁଁ ନେବାକୁ ଚାହିଁଲେ ସେ ଅବଶ୍ୟ ଦିଅନ୍ତେ; ମାତ୍ର ପାରିବେ ନାହିଁ । କାରଣ ତାହା ଏକପ୍ରକାର ଠକିବା ହେବ ।

 

ସେଥିପାଇଁ କୋଟ୍‌ସ କି ତାଙ୍କର କେହି ବନ୍ଧୁ ଜଣେ ମତେ ସେଠାକାର ସରକାରୀ ଓକିଲ ମି. କ୍ରାଉଜ୍‌ଙ୍କ ପାଖକୁ ନେଇ ଯାଇଥିଲେ । ଆମେ ବିଲାତର ଏକ ‘ଇନ’(ପଢ଼ାଜାଗା)ରୁ ବାରିଷ୍ଟର ହୋଇଥିଲୁ । ରାତିରେ ୯ଟା ପରେ ବାହାରକୁ ବାହାରିବାପାଇଁ ମତେ ଛାଡ଼ ନେବାକୁ ପଡ଼ୁଛି, ଏ କଥାଟା ତାଙ୍କୁ ଅସହ୍ୟ ବୋଧହେଲା । ସେ ମୋ ପ୍ରତି ସହାନୁଭୂତି ଦେଖାଇଲେ । ମୋତେ ପାସ୍‌ ନ ଦେଇ ତା ବଦଳରେ ଖଣ୍ଡେ ଚିଠିଲେଖିଦେଲେ । ସେ ଚିଠିର ଉଦ୍ଦେଶ୍ୟ ଯେ ମୋର ଯେତେବେଳେ ଖୁସି ହେବ ମୁଁ ବାହାରକୁ ଯାଇପାରିବି । ସେପରି ଗଲେ ସୁଦ୍ଧା ପୁଲିସ କିଛି କରିପାରିବ ନାହିଁ । ଏ କାଗଜ ଖଣ୍ଡି ସବୁବେଳେ ସଙ୍ଗରେ ରଖି ମୁଁ ବୁଲି ବାହାରେ । ତା’ର ବ୍ୟବହାର କରିବାକୁ କେବେ ପଡ଼ିନାହିଁ ଅବଶ୍ୟ, ତଥାପି ସେପରି ଦରକାର ପଡ଼ିବାକୁ ଭାଗ୍ୟର କଥା ବୋଲି କୁହାଯିବ ।

 

ଡାକ୍ତର କ୍ରାଉଜ୍‌ ମତେ ତାଙ୍କ ଘରକୁ ଯିବାଲାଗି ନିମନ୍ତ୍ରଣ କଲେ । ଆମ ଭିତରେ ବନ୍ଧୁତା ହୋଇଯାଇଥିଲା ବୋଲି କହିଲେ ଚଳେ । ବେଳେ ବେଳେ ମୁଁ ତାଙ୍କ ଘରକୁ ଯାଏ । ତାଙ୍କ ଜରିଆରେ ତାଙ୍କ ଖ୍ୟାତନାମା ଭାଇଙ୍କ ସଙ୍ଗେ ମଧ୍ୟ ମୋର ପରିଚୟ ହୋଇଗଲା । ସେ ଜୋହାନ୍‌ସବର୍ଗର ସରକାରୀ ବାରିଷ୍ଟର । ବୁଅର ଯୁଦ୍ଧବେଳେ ଇଂରେଜ କର୍ମଚାରୀଙ୍କୁ ଖୁନ୍‌ କରିବା ଅପରାଧରେ ତାଙ୍କ ନାଁରେ ମକଦ୍ଦମା ହୋଇଥିଲା । ବିଚାରରେ ତାଙ୍କୁ ୭ବର୍ଷ ଜେଲଦଣ୍ଡ ମିଳିଲା । ତାଙ୍କର ଓକିଲାତି ସନନ୍ଦ ମଧ୍ୟ ଉପର ଅଦାଲତ ବନ୍ଦ କରି ଦେଇଥିଲେ । ଯୁଦ୍ଧ ସରିବା ପରେ ଡାକ୍ତର କ୍ରାଉଜ୍‌ ଜେଲରୁ ମୁକ୍ତ ହୋଇ ପୁଣି ସମ୍ମାନର ସହିତ ଟ୍ରାନ୍‌ସଭାଲ କଚେରୀରେ ଓକିଲାତି ବ୍ୟବସାୟ କରିବାର ଅଧିକାର ପାଇଲେ । ତାଙ୍କ ସହିତ ଏହି ବନ୍ଧୁତା ପରବର୍ତ୍ତୀକାଳରେ ମୋର ଅନେକ କାମରେ ଆସିଥିଲା ଏବଂ ମୋର ଅନେକ କାମ ସହଜ ହୋଇ ଯାଇଥିଲା ।

 

ଗୋଡ଼ ଚଲା ବାଟରେ ନ ଚାଲିବା ଆଇନ କିନ୍ତୁ ମୋ ପକ୍ଷରେ ଟିକିଏ ଗୁରୁତର ହୋଇପଡ଼ିଲା । ପ୍ରତିଦିନ ମୁଁ ପ୍ରେସିଡ଼େଣ୍ଟଙ୍କ ଗଳି ଦେଇ ଗୋଟିଏ ଖୋଲା ମଇଦାନକୁ ବୁଲିବା ଲାଗି ଯାଏ । ଏହି ମହଲାରେ ପ୍ରେସିଡ଼େଣ୍ଟ କ୍ରୁଷରଙ୍କ ଘର । ତାଙ୍କର ଘର ସମ୍ପର୍କରେ ଆଦୌ ଆଡ଼ମ୍ୱର ନ ଥାଏ । ପଡ଼ୋଶୀଙ୍କ ଘରଠୁଁ ଏ ଘରଟି ବାରି ହୁଏନାହିଁ । ପ୍ରିଟୋରିଆରେ ଲକ୍ଷପତି ମାନଙ୍କର ଏ ଘରଠାରୁ ଢେର ବଡ଼, ଢେର ସୁନ୍ଦର ଓ ଖୁବ୍‌ ବଡ଼ ହତା ଘେରା । ପ୍ରେସିଡ଼େଣ୍ଟଙ୍କ ସାଦାସିଧା ଚାଳିଚଳନ ଖୁବ୍‌ ବିଖ୍ୟାତ ଥିଲା । ଏ ଘରଟି ଯେ ଜଣେ ଉଚ୍ଚ କର୍ମଚାରୀଙ୍କର, ତାହା କେବଳ ତା ଆଗରେ ଜଣେ ପୁଲିସ ସିପାହୀର ଟହଲମରାରୁ ହିଁ ଜଣାପଡ଼େ । ମୁଁ ତ ପ୍ରାୟ ପ୍ରତିଦିନ ଏହି ସିପାହୀ ପାଖେ ଘଷି ହୋଇ ଯା ଆସ କରିଥାଏ । କିନ୍ତୁ ସିପାହୀ ମୋତେ କିଛି କହେ ନାହିଁ । ସିପାହୀମାନେ ପହରକୁ ପହର ବଦଳନ୍ତି । ଥରେ ଜଣେ ସିପାହୀ ମତେ କିଛି ସତର୍କ ନ କରି ତା ତଳକୁ ଓହ୍ଲାଇ ଯିବାକୁ ନ କହି ଗୋଟାଏ ଧକ୍‌କା ଦେଲା, ପୁଣି ଗୋଇଠା ମାରି ତଳକୁ ପକାଇଦେଲା । ମୁଁ ଭୟରେ ପଡ଼ିଗଲି । ଗୋଇଠା ମାରିବାର କାରଣ ମୁଁ ପଚାରିବାକୁ ଯାଉଛି, ଏତିକିବେଳେ ମି.କୋଟ୍‌ସ ସେବାଟେ ଘୋଡ଼ା ଚଢ଼ି ଯାଉଥିଲେ । ସେଠି ପହଞ୍ଚି ଯାଇ ମତେ ଡାକ ପକାଇ କହିଲେ, ‘‘ଗାନ୍ଧୀ ମୁଁ ସବୁ ଦେଖିଛି, ତୁମେ ମକଦ୍ଦମା କଲେ ମୁଁ ସାକ୍ଷୀ ହେବି । ମୁଁ ବଡ଼ ଦୁଃଖିତ ଯେ ତୁମ ଉପରେ ଏଭଳି ଆକ୍ରମଣ ହେଲା ।’’

 

ମୁଁ କହିଲି, ‘‘ତୁମର ଦୁଃଖ କରିବାର କାରଣ ନାହିଁ । ସିପାହୀ ବିଚରା ଜାଣେ କ’ଣ ? ତା ଆଖିରେ କଳା ତ କଳା । ସେ ନିଗ୍ରୋମାନଙ୍କୁ ଏମିତି ପାଦଚଲା ବାଟରୁ ତଳକୁ ଠେଲି ଦିଏ । ସେମିତି ମଧ୍ୟ ଧକ୍‌କା ଦେଇଛି । ମୁଁ ତ ନିୟମ କରିଛି ଯେ ବ୍ୟକ୍ତିଗତ ଭାବରେ ମୋ ଉପରେ ଯାହା କିଛି ଘଟି ଯାଉ ପଛେ, ସେଥିପାଇଁ ମୁଁ କଚେରୀକୁ ଯିବିନାହିଁ । ଅତଏବ ମୋର ମକଦ୍ଦମା କରିବାର ନାହିଁ ।’’

 

‘‘ଏତକ ତ ତୁମେ ତୁମ ସ୍ୱଭାବ ଅନୁଯାୟୀ କଥା କହିଲ, କିନ୍ତୁ ତୁମେ ପୁଣି ବିଚାର କରି ଦେଖିବ । ଏ ଲୋକଟାକୁ କିଛି ଶିକ୍ଷା ଦେବା ଦରକାର ।’’ ଏହା କହି ସେ ସେହି ସିପାହୀ ସଙ୍ଗେ କଥାବାର୍ତ୍ତା କରି ତାକୁ ଗାଳି ଦେଇଥିଲେ । ମୁଁ ଅବଶ୍ୟ ସବୁକଥା ବୁଝି ପାରୁ ନ ଥାଏ; କାରଣ ସିପାହୀଟି ଡଚ୍‌ ଥିବାରୁ ସେ ତା ସହିତ ଡଚ୍‌ ଭାଷାରେ କଥା ହେଉଥିଲେ । ସିପାହୀ ମତେ କ୍ଷମା ମାଗିଲା; କିନ୍ତୁ ମୁଁ ଆଗରୁ ତାକୁ କ୍ଷମା ଦେଇ ସାରିଥିଲି ।

 

କିନ୍ତୁ ସେହିଦିନୁ ମୁଁ ଗଳିକି ଛାଡ଼ିଦେଲି । ଅନ୍ୟ ସିପାହୀର କାନରେ କ’ଣ ଏ ଘଟଣାର ଖବର ପଡ଼ି ନ ଥିବ ? ମୁଁ ଆପଣା ଛାଏଁ କାହିଁକି ଗୋଇଠା ମୁଲେଇବି ? ସେଥିପାଇଁ ମୁଁ ବୁଲିବାକୁ ଯିବା ଲାଗି ଆଉ ଗୋଟିଏ ଗଳି ରାସ୍ତା ଧଇଲି । ଏ ଘଟଣା ଫଳରେ ଭାରତୀୟଙ୍କ ପ୍ରତି ମୋର ସମବେଦନା ତୀବ୍ର ହୋଇ ଉଠିଲା । ସେମାନଙ୍କ ସଙ୍ଗେ ପରାମର୍ଶ କଲି । ଏ ଆଇନ ବିଷୟରେ ବିଟ୍ରିଶ ଏଜେଣ୍ଟଙ୍କ ସଙ୍ଗେ ଦେଖା କରି, ଦରକାର ହେଲେ ପରୀକ୍ଷା ସ୍ୱରୂପ ଗୋଟିଏ ମକଦ୍ଦମା କରିବାକୁ ବିଚାର କଲି । ଏମିତି ପଢ଼ିଶୁଣି—ଓ ଅଙ୍ଗେ ଲିଭାଇ ଭାରତବାସୀଙ୍କ ଉପରେ ହେଉଥିବା ଅପମାନର ପୂରା ଖବର ମୁଁ ଜାଣିପାରିଲି । ମୁଁ ଦେଖିଲି ଯେ ଆତ୍ମସମ୍ମାନ ବଜାୟ ରଖିବାକୁ ଚାହୁଁଥିବା ଭାରତବାସୀଙ୍କ ପାଇଁ ଦକ୍ଷିଣ ଆଫ୍ରିକା ଉପଯୁକ୍ତ ଜାଗା ନୁହେଁ । ଏ ଅବସ୍ଥା କେମିତି ବଦଳିବ ସେହି ଭାବନାରେ ମୁଁ ବେଶି ଚିନ୍ତିତ ହୋଇ ପଡ଼ିଲି । ଏ ସବୁ ସତ୍ତ୍ୱେ ଏବେ ମୋର ପ୍ରଧାନ କର୍ତ୍ତବ୍ୟ ଥିଲା ଦାଦା ଅବଦୁଲାଙ୍କ ମକଦ୍ଦମାର ତଦ୍‌ବୀର କରିବା ।

 

ମକଦ୍ଦମାର ହାଲ

 

ପ୍ରିଟୋରିଆରେ ମୁଁ ଯେଉଁ ବର୍ଷଟି କଟେଇଲି ତାହା ମୋ ଜୀବନର ବଡ଼ ଅମୂଲ୍ୟ ସମୟ-। ଏହିଠାରେ ହିଁ ମୁଁ ସାଧାରଣ କାମ କରିବାର ସୁଯୋଗ ଓ ମୋର ଶକ୍ତିର ପରିଚୟ ପାଇଲି-। ଏହିଠାରେ ହିଁ ଧର୍ମଭାବନା ଆପଣା ଛାଏଁ ତୀବ୍ର ହେବାକୁ ଲାଗିଲା ଏବଂ ପ୍ରକୃତ ଓକିଲାତି ବି ଏଇଠୁ ଶିଖିଲି ବୋଲି କହିଲେ ଚଳିବ । ନୂଆ ବାରିଷ୍ଟର ପୁରୁଣା ବାରିଷ୍ଟରଙ୍କ ପାଖରେ ରହି ଯାହା ଯାହା ଶିଖେ ସେ ସବୁ ମୁଁ ଏଇଠି ଶିଖିଗଲି । ଓକିଲ ହେବାକୁ ଯେ ମୁଁ ଏକାବେଳକେ ଅଯୋଗ୍ୟ ନୁହେଁ ମୋର ଏ ବିଶ୍ୱାସ ଏହିଠାରେ ହିଁ ମୁଁ ଶିଖିଲି । ଦାଦା ଅବଦୁଲାଙ୍କର ଏ ମକଦ୍ଦମାଟି ଛୋଟିଆ ନ ଥିଲା । ଚାଳିଶ ହଜାର ପାଉଣ୍ଡ ବା ୬ ଲକ୍ଷ ଟଙ୍କା ଦାବିର ମକଦ୍ଦମା । ଏ ଦାବି ପୁଣି ବେପାର ସମ୍ପର୍କୀୟ ଥିବାରୁ ଏଥିରେ ହିସାବ କିତାବରେ ନାନା ଝିଂଝଟ ଅଡ଼ୁଆ ଥିଲା-। ଦାବି ଟଙ୍କାର କେତେକ ଅଂଶ ହ୍ୟାଣ୍ଡନୋଟ ଉପରେ ଆଉ କେତେକ ହ୍ୟାଣ୍ଡନୋଟ ପଇଠ କରିବାର ଚୁକ୍ତି ଉପରେ ଚାଲିଥାଏ । ପ୍ରତିବାଦୀର ସଫେଇ ଥିଲା ଯେ ହ୍ୟାଣ୍ଡନୋଟ ପ୍ରବଞ୍ଚତାପୂର୍ଣ୍ଣ ଭାବରେ ନିଆଯାଇଥିଲା । ହ୍ୟାଣ୍ଡନୋଟରେ ପୂରା ନେଣ ଦେଣ ହୋଇନାହିଁ । ଏଥିରେ ପ୍ରକୃତ ଘଟଣା ଓ ଆଇନ ସମ୍ପର୍କରେ ବହୁତ ଅମେଳ ଥାଏ ।

 

ଉଭୟ ପକ୍ଷ ସବୁଠାରୁ ଭଲ ବାରିଷ୍ଟର ଓ ସଲିସିଟର ନିଯୁକ୍ତି କରିଥାନ୍ତି । ତେଣୁ ସୋମାନଙ୍କର କାର୍ଯ୍ୟ ଦେଖି ଅଭିଜ୍ଞତା ହାସଲ କରିବାର ଉତ୍ତମ ସୁଯୋଗ ମତେ ମିଳିଗଲା ।

 

ବାଦୀର ମକଦ୍ଦମା ସଲିଟରମାନଙ୍କ ପାଇଁ ତଦ୍‌ବୀର କରିବା ଏବଂ କାଗଜପତ୍ରରୁ ଉକ୍ତ ଘଟଣା ସବୁ ଖୋଜି ଛାଣି ଠିକ୍‌ଠାକ୍‌ କରିବାର ଭାର ମୋରି ଉପରେ ଥାଏ । ସେଥିଭିତରୁ ସଲିସିଟର କେତେ ବାଛି ପସନ୍ଦ କଲେ, ପୁଣି ସଲିସିଟରଙ୍କ ବଛା ଭିତରୁ ବାରିଷ୍ଟର କେତେ ବାଛି ନାମରେ ଲଗାଇଲେ । ସେ ସବୁ ଲକ୍ଷ୍ୟକରି ମୁଁ ବୁଝିଗଲି ଯେ ମକଦ୍ଦମା ତଦ୍‌ବୀର କରିବା ଦ୍ୱାରା ମୋର ଗ୍ରହଣ ଶକ୍ତି ଓ ପ୍ରମାଣ ସଜାଡ଼ି ଥୋଇବା ଶକ୍ତିର ପରିଚୟ ଯଥେଷ୍ଟ ମିଳିବ ।

 

ଏ ମକଦ୍ଦମାରେ ମୁଁ ପୂରା ଆନନ୍ଦ ସହିତ କାମ କରୁଥାଏ । ସେଥିରେ ତନ୍ମୟ ହୋଇ ଯାଉଥାଏ । ଦେଶ ଦେଶ ସମ୍ପର୍କରେ ସବୁ କାଗଜ ପଢ଼ିଲି । ମୋର ମହକିଲଙ୍କର ଖୁବ୍‍ ଦକ୍ଷତା ଥାଏ ଏବଂ ମୋ ପ୍ରତି ପୂରା ବିଶ୍ୱାସ ଥାଏ । ସେଥିଯୋଗୁଁ ମୋ କାମ ବହୁତ ସରଳ ହୋଇଗଲା । ମୁଁ ହିସାବ କିତାବ୍‌ ବୁକ୍‌ କୀପିଙ୍ଗକୁ ସୂକ୍ଷ ଭାବରେ ଅଧ୍ୟୟନ କରିନେଲି । ସେଥିରେ ବହୁତ ଗୁଜୁରାତୀ ଚିଠିପତ୍ର ଥିଲା । ସେ ସବୁର ଯଥାରୀତି ଅନୁବାଦ ମତେ କରିବାକୁ ପଡ଼ିଲା ଏବଂ ସେଥିଯୋଗୁଁ ମୋର ଅନୁବାଦ କରିବା ଶକ୍ତି ମଧ୍ୟ ବଢ଼ିଗଲା ।

 

ଆଗରୁ ମୁଁ କହିଛି ଯେ ଧର୍ମାଲୋଚନାରେ ଓ ସାଧାରଣ କାର୍ଯ୍ୟରେ ମୋର ଖୁବ୍‌ ଆଗ୍ରହ ଏବଂ ସେଥିରେ ମୁଁ ମୋର କେତେକ ସମୟ ଦେଉଥାଏଁ ସତ, ..ତଥାପି ସେ ଗୁଡ଼ିକ ଥାଏ ନିତାନ୍ତ ଗୌଣ କାମ । ସବୁବେଳେ ମୁଁ ମକଦ୍ଦମାର ଆୟୋଜନକୁ ପ୍ରଥମ ସ୍ଥାନ ଦେଉଥାଏ । ସେ ସମ୍ପର୍କରେ ଯାହା ପଢ଼ାପଢ଼ି ଆବଶ୍ୟକ ପଡ଼େ ସେତକ ମୁଁ ଆଗେ ପଢ଼ିନିଏଁ । ଏହା ଫଳରେ ମକଦ୍ଦମାର ଉକ୍ତ ସମ୍ବନ୍ଧରେ ମୋର ଜ୍ଞାନ ଏତେ ହୋଇଗଲା ଯେ ନିଜେ ବାଦୀ ପ୍ରତିବାଦୀଙ୍କର ବି ସେମିତି ଜ୍ଞାନ ହେଲା କି ନା ସନ୍ଦେହ । କାରଣ ମୋ ପାଖରେ ଉଭୟଙ୍କ କାଗଜ ସବୁଥିଲା ।

 

ସ୍ୱର୍ଗୀୟ ମି. ପିନ୍‍କଟଙ୍କ ବାକ୍ୟ ମୋର ମନେ ପଡ଼ିଲା । ପରେ ଗୋଟିଏ ପ୍ରସଙ୍ଗରେ ଦକ୍ଷିଣଆଫ୍ରିକାର ବିଖ୍ୟାତ ବାରିଷ୍ଟର ସ୍ୱର୍ଗୀୟ ମି. ଲିନୋର୍ଡ଼ ପିନ୍‌କଟଙ୍କର ସେହି ବାକ୍ୟ ପ୍ରମାଣ କରିଥିଲେ । ‘‘ମକଦ୍ଦମାର ଉକ୍ତ ଘଟଣା ଆଇନ ବଳର ବାରପଣ ।’’ ଥରେ ମୋ ସିରସ୍ତାର ଗୋଟିଏ ମକଦ୍ଦମାରେ ମୁଁ ଦେଖୁଛି ଯେ ନ୍ୟାୟ ଥାଏ ମୋରି ମହକିଲଙ୍କ ପକ୍ଷରେ, ଅଥଚ ଆଇନ ଯାଉଥାଏ ବିପକ୍ଷରେ । ମୁଁ ନିରାଶ ହୋଇ ମି. ଲନର୍ଡ଼ଙ୍କର ସାହାଯ୍ୟ ପାଇଁ ଦଉଡ଼ିଲି । କିନ୍ତୁ ଘଟଣାରୁ ମକଦ୍ଦମାଟି ତାଙ୍କୁ ମଜବୁତ ଜଣାଗଲା । ସେ କହି ଉଠିଲେ, ‘‘ଗାନ୍ଧୀ ମୁଁ ଗୋଟିଏ କଥା ଶିଖିଛି, ଯଦି ଆମେ ମକଦ୍ଦମାର ତଥ୍ୟଗୁଡ଼ିକ ଠିକ୍‌ରୂପେ ଉପସ୍ଥାପିତ କରିପାରିବା ତେବେ ଆଇନ ଆପଣା ମନକୁ ଆମ ସପକ୍ଷରେ ଯିବ । ମକଦ୍ଦମାର ହାଲ ଆଚ୍ଛା କରି ବୁଝିଯାଅ ।’’ ଏହା କହି ଏ ମକଦ୍ଦମାର ହାଲ ଆହୁରି ମନୋଯୋଗର ସହିତ ବୁଝିବାପାଇଁ ଉପଦେଶ ଦେଲେ ଏବଂ କହିଲେ, ‘‘ଏତକ କରିସାରି ମୋ ସଙ୍ଗେ ପୁଣି ଦେଖା କରିବ ।’’ ସତକୁ ସତ ମୁଁ ମକଦ୍ଦମାର ହାଲ ପୁଣି ଯାଞ୍ଚକରି ଦେଖୁ ଦେଖୁ ଏକ ନୂଆରୂପରେ ଦେଖିଲି ଏବଂ ସେଥିରେ ଖାପ୍‌ଖାଇଲା ଭଳି ଦକ୍ଷିଣ ଆଫ୍ରିକାର ଗୋଟିଏ ପୁରୁଣା ମକଦ୍ଦମାର ନିଜର ମୋ ହାତରେ ମଧ୍ୟ ପଡ଼ିଗଲା । ଆନନ୍ଦରେ ଅଧିର ହୋଇ ମୁଁ ଲିଓନ୍‌ଙ୍କ ଘରେ ହାଜର ହୋଇଗଲି । ସେ ମଧ୍ୟ ଆନନ୍ଦିତ ହୋଇ କହି ଉଠିଲେ ‘‘ଏଥର ଯା—ଏ ମକଦ୍ଦମାରେ ଆମେ ଏଥର ନିଶ୍ଚୟ ଜିଣିବା । କେବଳ କେଉଁ ଜଜ୍‌ଙ୍କ ପାଖରେ ପଡ଼ିବ, ସେହି ଦିଗରେ ନଜର ରଖିଥିବ ।’’

 

ଦାଦା ଅବଦୁଲାଙ୍କ ମକଦ୍ଦମାର ତଦବୀର କଲାବେଳେ ତାହାରି ହକିକତ୍‌ର (ତଥ୍ୟର) ମହିମାକୁ ମୁଁ ଏତେଦୂର ପରୀକ୍ଷା କରି ପାରି ନ ଥିଲି । ହକିକତ୍‌ର ଅର୍ଥ ସତକଥା । ଏ ସତକଥାକୁ ଧରି ବସିଲେ ଆଇନ ଆପଣା ମନକୁ ଆମ ସାହାଯ୍ୟରେ ଆସି ଜୁଟିଯିବ । ମୁଁ ଅବଶ୍ୟ ମହକିଲ (ଅବଦୁଲା ଶେଠ)ଙ୍କ ମକଦ୍ଦମାକୁ ଦେଖି ଶେଷରେ ଜାଣିପାରିଲି ଯେ ତାଙ୍କର କେସ୍‌ ଖୁବ୍‌ ମଜବୁତ୍‌-। ଫଳରେ ଆଇନ ମଧ୍ୟ ତାଙ୍କ ସପକ୍ଷରେ ଯିବ ।

 

ସେଥି ସଙ୍ଗେ ସଙ୍ଗେ କିନ୍ତୁ ଦେଖିଲି ଯେ ଉଭୟ ପକ୍ଷ ପରସ୍ପର ବନ୍ଧୁ ବାନ୍ଧବ ଓ ଏକା ସହରରେ ଘର । ମକଦ୍ଦମା ଲଢ଼ିଲେ ଉଭୟଙ୍କର ସର୍ବନାଶ ହେବ । ମକଦ୍ଦମାର ଫଳାଫଳ କେହି କହି ପାରିବ ନାହିଁ । କଚେରୀରେ ହୁଏତ ହାକିମଙ୍କ ଇଚ୍ଛାନୁସାରେ ଯେତେଦିନ ଖୁସି ଲମ୍ବେଇ ଦେବେ । ମକଦ୍ଦମା ଲମ୍ବେଇଲେ ଉଭୟ ପକ୍ଷରୁ କୌଣସି ଗୋଟିଏ ପକ୍ଷର ବି ଲାଭ ନାହିଁ । ତେଣୁ ଏ ମକଦ୍ଦମା କିପରି ଶୀଘ୍ର ସରିଯାଉ ତାହା ଉଭୟ ପକ୍ଷ ଚାହୁଁ ଥିଲେ ।

 

ମୁଁ ତୈୟବ ଶେଠଙ୍କ ପାଖରେ ନେହୁରା ହେଲି । ଏ ମକଦ୍ଦମାକୁ ସାଲିସରେ ନିଷ୍ପତ୍ତି କରି ଦେବାକୁ ପରାମର୍ଶ ଦେଲି ଏବଂ କହିଲି, ‘‘ଆପଣ ଓକିଲଙ୍କ ସଙ୍ଗେ ଦେଖା କରନ୍ତୁ । ଉଭୟ ପକ୍ଷର ଥିବାଭଳି ପଞ୍ଚ (ମଧ୍ୟସ୍ଥ) ବାଛି ନେଲେ, ମକଦ୍ଦମା ତୁଟିଯିବ ।’’ ଓକିଲଙ୍କ ଖର୍ଚ୍ଚ କ୍ରମେ ଏତେ ବଢ଼ି ବଢ଼ି ଯାଇଥାଏ ଯେ ସେଥିରେ ବଡ଼ ବେପାରୀ ବି ବୁଡ଼ିଯିବ । ଉଭୟ ଏ ମକଦ୍ଦମା ପାଇଁ ଏତେ ଚିନ୍ତିତ ଥାନ୍ତି ଯେ ନିଶ୍ଚିନ୍ତରେ ଅନ୍ୟ କୌଣସି କାମରେ ଲାଗିବା ସେମାନଙ୍କର ପକ୍ଷରେ ଅସମ୍ଭବ ହୋଇ ଉଠୁଥାଏ । ଏଥି ମଧ୍ୟରେ ଉଭୟ ପକ୍ଷର ଶତ୍ରୁତା ମଧ୍ୟ ବଢ଼ି ବଢ଼ି ଚାଲିଥାଏ । ଓକିଲାତି ବ୍ୟବସାୟ ପ୍ରତି ମୋର ଘୃଣା ଆସିଲା । ଦୁଇ ପକ୍ଷରେ ଓକିଲ ନିଜ ନିଜ ପକ୍ଷକୁ ଜିତେଇ ଦେବାଲାଗି ଆଇନର ପେଞ୍ଚପାଞ୍ଚ ଖୋଜିବାରେ ଲାଗିଥାନ୍ତି । ଜିତିବା ପକ୍ଷର ସବୁ ଖର୍ଚ୍ଚ ଯେ ପୂରା ଡିଗ୍ରୀ ହୋଇ ଆଦାୟ ହୁଏନାହିଁ, ଏକଥା ମୁଁ ଏହି ମକଦ୍ଦମାରୁ ଜାଣିଲି । କୋଟଫିସ୍‌ ନିୟମ ଅନୁସାରେ ପକ୍ଷଙ୍କ ଭିତରେ ମକଦ୍ଦମା ଖର୍ଚ୍ଚର ପରିମାଣ ନେଇ କେତେକ ଧରାବନ୍ଧା ନିୟମ ଅଛି । ମାତ୍ର ପକ୍ଷ ତା’ର ଓକିଲମାନଙ୍କ ପାଇଁ ଯାହା ଖର୍ଚ୍ଚ କରେ ତାହା ଏ ପରିମାଣଠାରୁ ଢେର୍‌ ବେଶୀ । ଏସବୁ ବିଷୟ ମତେ ବଡ଼ ଅସହ୍ୟ ବୋଧହେଲା । ମୋର ମନେହେଲା ଉଭୟଙ୍କ ଭିତରେ ମିତ୍ରତା ସ୍ଥାପନ କରି ଦୁହିଁଙ୍କୁ ଏକାଠି ମିଳାଇଦେବା ମୋର ଏକାନ୍ତ କର୍ତ୍ତବ୍ୟ । ମୁଁ ଆପୋଷ ମୀମାଂସା ପାଇଁ ପ୍ରାଣପଣେ ଚେଷ୍ଟା କଲି । ଶେଷରେ ତୈୟବ ସେଠ ରାଜି ହୋଇଗଲେ । ଶେଷରେ ପଞ୍ଚ ବଛା ଗଲେ । ତାଙ୍କ ପାଖରେ ମକଦ୍ଦମା ପଡ଼ିଲା । ଦାଦା ଅବଦୁଲା ଜିତିଲେ ।

 

ଏତିକିରେ କିନ୍ତୁ ମୋର ସନ୍ତୋଷ ଆସିଲା ନାହିଁ । ପଞ୍ଚଙ୍କ ଫୈସଲା ମୁତାବକ ଡିଗ୍ରୀ ଜାରି ହେଲେ ତୈୟବ ହାଜୀ ଖାନ୍‌ ମହମ୍ମଦ ଏତେଗୁଡ଼ାଏ ଟଙ୍କା ହଠାତ୍‌ ଏକାବେଳକେ ଦେଇ ପାରନ୍ତେ ନାହିଁ । ଦକ୍ଷିଣ ଆଫ୍ରିକା ପୋର ବନ୍ଦରର ମେସିନ୍‌ ବେପାରୀମାନଙ୍କ ଭିତରେ ଏପରି ଗୋଟିଏ ଅଲେଖା ନିୟମ ଚଳି ଆସୁଥିଲା ଯେ, ସେମାନେ ନିଜେ ମରିଯିବେ ପଛେ କେଭେ ଦେବାଳିଆ ହେବେ ନାହିଁ । ତୈୟବ ଶେଠ ଡିଗ୍ରୀ ବାବଦ ୩୭୦୦୦ ପାଉଣ୍ଡ ଓ ଖର୍ଚ୍ଚ ଟଙ୍କାତକ ହଠାତ୍‌ ଦେଇପାରନ୍ତେ ନାହିଁ । ତଥାପି ସେ ସେଥିରେ ଅଧଲାଟିଏ କମ୍ କରି ଶୁଝିବାକୁ ଇଚ୍ଛା କରୁ ନ ଥିଲେ କିମ୍ବା ସେ ଦେବାଳିଆ ବୋଲି ନିଜକୁ ଘୋଷଣା କରିବାକୁ ରାଜି ନ ଥିଲେ । ଏଥିରୁ ମୁକ୍ତି ପାଇବା ଲାଗି ଦାଦା ଅବ୍‌ଦୁଲାଙ୍କ ଟଙ୍କା ଶୁଝିବାକୁ ଖୁବ୍‌ ଲମ୍ବା ସମୟ ନବା ଛଡ଼ା ଅନ୍ୟ ଉପାୟ ନ ଥିଲା । ଦାଦା ଅବ୍‌ଦୁଲା ମଧ୍ୟ ଖୁବ୍‌ ଉଦାର ହୋଇ ଲମ୍ବା ମହଲତ ଦେଇ ଦେଲେ । ପଞ୍ଚ ନିଯୁକ୍ତ କରିବାରେ ମତେ ଯେତେ କଷ୍ଟ ପଡ଼ି ନ ଥିଲା, ଏ କିସ୍ତି ବ୍ୟବସ୍ଥା କରିବାରେ ତହିଁରୁ ଅଧିକ କଷ୍ଟ କରିବାକୁ ହେଲା । ଦୁଇପକ୍ଷ ରାଜି ହୋଇଗଲେ । ସର୍ବସାଧାରଣଙ୍କର ଦୃଷ୍ଟିରେ ଦୁହିଁଙ୍କର ମର୍ଯ୍ୟାଦା ବଢ଼ିଲା । ମୋର ଆନନ୍ଦର ସୀମା ନ ଥାଏ । ମୁଁ ଯଥାର୍ଥ ଓକିଲାତି ଶିଖିପାରିଲି ଏବଂ ସେଥି ସଙ୍ଗେ ସଙ୍ଗେ ମଣିଷର ହୃଦୟରେ ପ୍ରବେଶ କରିବା ଏବଂ ମଣିଷ ମନର ଭଲଗୁଣ ବାହାର କରିବାକୁ ଶିଖିଗଲି । ମୁଁ ଉପଲବ୍‌ଧି କଲି, ଓକିଲର ପ୍ରକୃତ କାମ ହେଉଛି ଦୁଇପକ୍ଷ ଭିତରେ ଯେଉଁ ଫାଙ୍କ ହୋଇଥାଏ ତାକୁ ଯୋଡ଼ିଦେବା । ଏ ଶିକ୍ଷା ମୋ ମନରେ ଏପରି ଦୃଢ଼ ଭାବରେ ଜମିଗଲା ଯେ, ମୋର କୋଡ଼ିଏ ବର୍ଷର ଓକିଲାତି ଭିତରେ ଅଧିକାଂଶ ସମୟ ମୁଁ ଆପଣା ଅଫିସରେ ବସି ଶହ ଶହ ମକଦ୍ଦମା ରଫା କରେଇ ପାରିଛି । ସେଥିରେ ମୋର କ୍ଷତି ହୋଇ ନାହିଁ, ଏପରି କି ଆର୍ଥିକ କ୍ଷତି ମଧ୍ୟ ହୋଇନାହିଁ ବୋଲି କହି ପାରିବି । ଆତ୍ମାର ଅଧୋଗତି ତ କୌଣସି ପ୍ରକାରେ ନୁହେଁ ।

 

ଧର୍ମ ମନ୍ଥନ

 

ଏବେ ପୁଣି ସେହି ଖ୍ରୀଷ୍ଟାନ୍‌ ବନ୍ଧୁମାନଙ୍କ ସମ୍ବନ୍ଧରେ ଆଲୋଚନା କରିବାର ସମୟ ଆସିଗଲା ।

 

ମୋର ଭବିଷ୍ୟତ ବିଷୟରେ ମି. ବେକରଙ୍କ ଚିନ୍ତା ବଢ଼ି ବଢ଼ି ଚାଲିଥାଏ । ସେ ମତେ ଓ୍ୟେଲିଂଟନ୍‌ ସମ୍ମିଳନୀକୁ ନେଇ ଯାଇଥିଲେ । ପ୍ରୋଟେଷ୍ଟାଣ୍ଡ ଖ୍ରାଷ୍ଟାନ୍‌ମାନେ କେତେବର୍ଷ ଅନ୍ତରରେ ଧର୍ମଜାଗରଣ ଓ ଆତ୍ମଶୁଦ୍ଧି ପାଇଁ ଏହିପରି ସମ୍ମିଳନୀ କରୁଥାନ୍ତି । ଏହାକୁ ଧର୍ମର ପୁନରୁଦ୍ଧାର ବା ପୁନଃପ୍ରତିଷ୍ଠା ବୋଲି କହି ପାରନ୍ତି । ଓ୍ୱେଲିଂଟନ୍‌ଠାରେ ସମ୍ମିଳନୀ ସେହି ଧରଣର ଥିଲା । ସଭାପତି ହୋଇଥାନ୍ତି ସେଠାକାର ବିଖ୍ୟାତ ଧର୍ମନିଷ୍ଠ ପାଦ୍ରୀ ରେଭେରେଣ୍ଡ ଅଣ୍ଡ ରୁମ୍‌ରେ । ମି. ବେକର୍‌ଙ୍କ ଆଶାଥାଏ ଯେ ଏହି ସମ୍ମିଳନୀରୁ ଯେଉଁ ଜାଗରଣ ଆସିବ, ସମବେତ ଲୋକଙ୍କ ଭିତରେ ଯେଉଁ ଧାର୍ମିକ ଉତ୍ସାହ ଆସିବ, ତାହାର ପବିତ୍ରତା ମୋର ହୃଦୟ ଉପରେ ଏପରି ପ୍ରଭାବ ପକାଇବ ଯେ, ମୁଁ ଆଉ ଖ୍ରୀଷ୍ଟାନ୍‌ ନ ହୋଇ ରହି ପାରିବି ନାହିଁ ।

 

ଏସବୁ ଭିତରେ କିନ୍ତୁ ମି. ବେକର୍‌ଙ୍କ ଶେଷ ଆଶା ଥାଏ ଯେ ସର୍ବଶେଷରେ ପ୍ରାର୍ଥନା ହିଁ ଏ ପରିବର୍ତ୍ତନ ନିଶ୍ଚୟ ଘଟାଇବ । ପ୍ରାର୍ଥନାରେ ତାଙ୍କର ଗଭୀର ବିଶ୍ୱାସ ଥାଏ । ହୃଦୟ ଭିତରୁ ଯେଉଁ ପ୍ରାର୍ଥନା ବାହାରିଥାଏ ତାକୁ ଭଗବାନ ଶୁଣନ୍ତି ବୋଲି ତାଙ୍କର ଅଟଳ ବିଶ୍ୱାସ ଥାଏ । ବ୍ରିଷ୍ଟଲର ବିଖ୍ୟାତ ଖ୍ରୀଷ୍ଟାନ୍‌ ଭକ୍ତ ଜନ୍‌ମଲରଙ୍କ ପରି ଲୋକେ କିପରି ପ୍ରାର୍ଥନା ଉପରେ ସବୁ ସାଂସାରିକ ଆବଶ୍ୟକତା ପାଇଁ ନିର୍ଭର କରନ୍ତି, ତାହାର ଉଦାହରଣ ସେ ମତେ ଶୁଣାଇଥାନ୍ତି । ପ୍ରାର୍ଥନାର ଫଳପ୍ରଦତା ବିଷୟରେ ମୁଁ ନିରପେକ୍ଷ ହୋଇ ଶୁଣିଥାଏ । ତାଙ୍କୁ କହିଥାଏ, ‘‘ଖ୍ରୀଷ୍ଟାନ୍‌ ହେବା ପାଇଁ ଯେବେ ମୋର ଅନ୍ତର ଆହ୍ୱାନ ଆସିବ ତେବେ କୌଣସି କଥା ମୋର ଖ୍ରୀଷ୍ଟାନ୍ ହେବାର ବାଧା ଜନ୍ମାଇ ପାରିବ ନାହିଁ ।’’ ଏହି ‘ଅନ୍ତରର ବାଣୀ’ ଶୁଣି ଚଳିବାକୁ ଗଲା ଆଗରୁ ଅଭ୍ୟାସ କରି ସାରିଥାଏ । ସେହି ଅନ୍ତରର ବାଣୀଠାରେ ଚଳିବାରେ ମୋର ବିଶେଷ ଆନନ୍ଦ ଆସୁଥାଏ । ତା’ର ବିରୋଧରେ ଯିବାକୁ ମତେ ବଡ଼ କଠିନ ଓ ଦୁଃଖ ଦାୟକ ଜଣାଯାଉଥାଏ ।

 

ଆମେ ଓ୍ୟେଲିଂଟନ୍‌ ଗଲୁ । ମୋ ଭଲି ‘ଶ୍ୟାମରଙ୍ଗର’ ସାଥିଟିକୁ ସଙ୍ଗରେ ନେବାର ଭାର ମି. ବେକରଙ୍କୁ ମୁଣ୍ଡାଇବାକୁ ହେଲା । ଅନେକ ସମୟରେ ମୋରି ପାଇଁ ତାଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଥିଲା । ମଝିରେ ରବିବାର ପଡ଼ିବାରୁ ଓ୍ୟେଲିଂଟନ୍‌ ଯିବା ବାଟରେ ଠାଏ ରହଣୀ କରିବାକୁ ପଡ଼ିଲା । ବେକର ସାହେବ ଓ ତାଙ୍କ ବନ୍ଧୁମାନେ ରବିବାର ଦିନ ଯାହା ଯାତ୍ରା କରନ୍ତି ନାହିଁ । ସେ ଦିନଟିକୁ ସେମାନେ ପ୍ରଭୁଙ୍କ ଦିବସ ବୋଲି ମାନନ୍ତି । ଆମେ ସେଠାରେ ହୋଟେଲରେ ଯାଇଁ ପହଞ୍ଚିଲୁ । ସେ ହୋଟେଲରେ ମ୍ୟାନେଜର ବହୁତ ରଦ୍‌ଖଦ୍‌ ପରେ ମତେ ସେଠାରେ ରଖିବାକୁ ରାଜି ହେଲେ; ମାତ୍ର ଖାଇବା ଘରେ ସମସ୍ତଙ୍କ ସଙ୍ଗରେ ବସି ଖାଇବାକୁ ମନାକଲେ । ମି. ବେକରେ କିନ୍ତୁ ସହଜରେ ହଟି ଯିବାର ଲୋକ ନୁହନ୍ତି । ସେ ହୋଟେଲରେ ଯାତ୍ରୀମାନଙ୍କର ସମାନ ଅଧିକାର କଥା ଧରି ବସି ଶେଷକୁ ସଫଳ ହେଲେ । ମୁଁ ତାଙ୍କ ଅସୁବିଧା ଓ କଷ୍ଟ ବେଶ୍‌ ବୁଝିପାରୁଥାଏଁ । ଓ୍ୟେଲିଂଟନ୍‌ଠାରେ ମୁଁ ତାଙ୍କର ସାଥିରେ ରହିଲି । ସେଠି ମଧ୍ୟ ମୋ ଯୋଗୁଁ ତାଙ୍କ ଅସୁବିଧାକୁ ସେ ଘୋଡ଼ାଇବାକୁ ଚେଷ୍ଟା କରୁଥାନ୍ତି । ମାତ୍ର ମୁଁ ସେ ସବୁ ବେଶ୍‌ ବୁଝି ପାରୁଥାଏ ।

 

ସମ୍ମିଳନୀରେ ନିଷ୍ଠାପର ଖ୍ରୀଷ୍ଟାନ୍‌ମାନଙ୍କ ସହ ଆଳାପ ପରିଚୟ ହେଲା । ସେମାନଙ୍କର ଶ୍ରଦ୍ଧା ଓ ବିଶ୍ୱାସ ଦେଖି ମତେ ବଡ଼ ଖୁସି ଲାଗିଲା । ମୁଁ ଯାଇ ରେଭେରେଣ୍ଡ ମରେ ସାହେବଙ୍କ ସଙ୍ଗେ ଦେଖାକଲି । ମୁଁ ଦେଖିଲି ସେମାନେ ମୋ ପାଇଁ ପ୍ରାର୍ଥନା କରୁଥାନ୍ତି । ସେମାନଙ୍କର କେତକ ଭଜନ ମତେ ବଡ଼ ମଧୁର ବୋଧ ହେଲା ।

 

ଏ ସମ୍ମିଳନୀ ତିନି ଦିନକାଳ ଚାଲିଥିଲା । ସେଠାକୁ ଆସିଥିବା ଲୋକଙ୍କର ଧର୍ମଭାବ ମୁଁ ବେଶ୍ ବୁଝିପାରିଲି ସତ; ମାତ୍ର ସେଥିଲାଗି ମୋର ବିଶ୍ୱାସରେ ମୋର ଧର୍ମ ଅଦଳ ବଦଳ କରିବାର କିଛି କାରଣ ନ ଥିଲା । ମୁଁ ନିଜକୁ ଖ୍ରୀଷ୍ଟାନ୍‌ ବୋଲାଇରେ ସ୍ୱର୍ଗକୁ ଯିବ କି ମୋକ୍ଷ ପାଇବି, ଏମିତି କିଛି ମତେ ଜଣା ଯାଉ ନ ଥାଏ । ମୋର ନିରୀହ ଖ୍ରୀଷ୍ଟାନ୍‌ ବନ୍ଧୁମାନଙ୍କୁ ମୁଁ ଯେତେବେଳେ ଏ କଥା କହିଲି, ସେମାନଙ୍କ ମନକୁ ବାଧିଲା; ମାତ୍ର ମୁଁ ନାଚାର—

 

ଖାଲି ସେତିକି ନୁହେଁ, ମୋର ଏ ପ୍ରକାର ମନୋଭାବର ନିଗୂଢ଼ କାରଣ ଅଛି । ‘‘ଯୀଶୁ ଖ୍ରୀଷ୍ଟହିଁ ଈଶ୍ୱରଙ୍କର ଏକମାତ୍ର ପୁତ୍ର ଏବଂ ତାଙ୍କୁ ଯେ ମାନନ୍ତି ସେହି କେବଳ ତରନ୍ତି ।’’ ଏତକ କଥା ମୁଁ ହଜମ କରି ପାରୁ ନଥାଏ । ଭଗବାନଙ୍କର ଯଦି ପୁଅ ଥାଏ; ତେବେ ଆମେ ସବୁ ତ ତାଙ୍କରି ପୁଅ । ଯୀଶୁ ଯଦି ଈଶ୍ୱରଙ୍କର ଭଳି କିମ୍ବା ନିଜେ ଈଶ୍ୱର ହୋଇଥିବେ; ତେବେ ମଣିଷ ମାତ୍ରେ ସମସ୍ତେ ଈଶ୍ୱରଙ୍କ ଭଳି ଈଶ୍ୱର ହେଇପାରିବେ । ଯୀଶୁଙ୍କ ମୃତ୍ୟୁରେ ଏବଂ ତାଙ୍କ ରକ୍ତରେ ଜଗତରେ ସକଳ ପାପ ଧୋଇ ହୋଇଯାଏ, ଏହାର ଆକ୍ଷରିକ ଅର୍ଥ ମୋ ବୁଦ୍ଧି ଗ୍ରହଣ କରିପାରେ ନାହିଁ । ରୂପକ ଆକାରରେ ସେଥିରେ କିଛି ସତ୍ୟ ଥାଇପାରେ । ପୁଣି ଖ୍ରୀଷ୍ଟାନ୍‌ ମତ ଅନୁସାରେ କେବଳ ମନୁଷ୍ୟର ଆତ୍ମା ଅଛି ଅନ୍ୟ ଜୀବଙ୍କର ନାହିଁ ଏବଂ ଦେହର ନାଶ ସଙ୍ଗେ ସଙ୍ଗେ ସେ ସବୁରି ସତ୍ତା ଚିରକାଳ ପାଇଁ ଲୋପ ପାଇଯାଏ । ମୋର ମତ ଠିକ୍, ଏହାର ଓଲଟା । ଯୀଶୁଙ୍କ ମୁଁ ଜଣେ ଶହୀଦ ତ୍ୟାଗର ମୂର୍ତ୍ତିମନ୍ତ ପୁରୁଷ ଓ ଆଧ୍ୟାତ୍ମିକ ଶିକ୍ଷକ ବୋଲି ମାନିପାରେ; ମାତ୍ର ତାଙ୍କୁ ଅଦ୍ୱିତୀୟ ପୁରୁଷ ବୋଲି ମାନିବାକୁ ମୁଁ ଅକ୍ଷମ । କ୍ରମ ଉପରେ ଯୀଶୁଙ୍କ ମୃତ୍ୟୁରୁ ଦୁନିଆକୁ ବହୁତ ଶିକ୍ଷା ମିଳୁଛି ସତ, ମାତ୍ର ମୃତ୍ୟରେ କୌଣସି ଗୂଢ଼ ରହସ୍ୟମୟ ଶକ୍ତି ଅଛି ବୋଲି ମୋର ହୃଦୟ ମାନେ ନାହିଁ । ଖ୍ରୀଷ୍ଟାନ୍‌ମାନଙ୍କ ଜୀବନରୁ ମତେ ଏମିତି କିଛି ଫଳ ମିଳି ନ ଥିଲା ଯାହା କି ଅନ୍ୟ ଧର୍ମୀଙ୍କ ଜୀବନରୁ ମିଳିବ ନାହିଁ । ଖ୍ରୀଷ୍ଟାନ୍‌ମାନଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଦେଖାଯାଏ, ଠିକ୍‌ ସେହି ପରିବର୍ତ୍ତନ ଅନ୍ୟମାନଙ୍କ ଜୀବନରେ ମଧ୍ୟ ଘଟିଥିବା ମୁଁ ଦେଖିଥିଲି । ସିଦ୍ଧାନ୍ତ ଦୃଷ୍ଟିରୁ ଖ୍ରୀଷ୍ଟାନ୍‌ ସିଦ୍ଧାନ୍ତମାନଙ୍କରେ ମୁଁ କିଛି ଅସାଧାରଣତା ପାଏ ନାହିଁ । ତ୍ୟାଗ ଦୃଷ୍ଟିରୁ ହିନ୍ଦୁଧର୍ମୀଙ୍କର ତ୍ୟାଗ ମତେ ଅଧିକ ବୋଧହୁଏ । ଖ୍ରୀଷ୍ଟଧର୍ମକୁ ମୁଁ ସବୁଠାରେ ଶ୍ରେଷ୍ଠ ଧର୍ମ ବା ସମ୍ପୂର୍ଣ୍ଣ ଧର୍ମ ବୋଲି ମାନି ପାରିଲି ନାହିଁ ।

 

ଅବସର ସମୟରେ ମୁଁ ଏ ସବୁ ହୃଦୟର କଥାକୁ ମୋର ଖ୍ରୀଷ୍ଟାନ୍‌ ବନ୍ଧୁମାନଙ୍କ ଆଗରେ କହେ ବା ଆଲୋଚନା କରେ । ମାତ୍ର ସେମାନଙ୍କର ଉତ୍ତରରେ ସେପରି ସନ୍ତୋଷ ଲାଭ କରି ପାରେ ନାହିଁ ।

 

ଖ୍ରୀଷ୍ଟଧର୍ମକୁ ଶ୍ରେଷ୍ଠ ଧର୍ମଭାବରେ ଗ୍ରହଣ ନ କଲି ବୋଲି ହିନ୍ଦୁ ଧର୍ମକୁ ଯେ ସର୍ବଶ୍ରେଷ୍ଠ ଧର୍ମବୋଲି ସ୍ୱୀକାର କଲି ତାହା ମଧ୍ୟ ନୁହେଁ । ହିନ୍ଦୁଧର୍ମର ଅନେକ ଦୋଷ ମୋ ଆଖିରେ ଆଗରେ ଭାସି ଉଠୁଥାଏ । ଅସ୍ପୃଶ୍ୟତା ଯଦି ହିନ୍ଦୁଧର୍ମର ଅଙ୍ଗ ହୁଏ, ତେବେ ତାହା ନିଶ୍ଚୟ ଏକ ପଚା ସଢ଼ା କିମ୍ବା ଅନାବଶ୍ୟକ ଅଙ୍ଗ । ତା ଛଡ଼ା ବିଭିନ୍ନ ଜାତି ଓ ସମ୍ପ୍ରଦାୟ ସୃଷ୍ଟିର କାରଣ ମଧ୍ୟ ମୁଁ ବୁଝିପାରୁ ନ ଥାଏ । ଲୋକେ କହନ୍ତି, ‘ବେଦ ଈଶ୍ୱର ପ୍ରଣୀତ’ । ଏହାର ଅର୍ଥ କଣ, ତାହା ଯଦି ଈଶ୍ୱର ପ୍ରଣୀତ ହୁଏ ତେବେ ବାଇବଲ, କୋରାନ୍‌ ପ୍ରଭୃତି ନ ହେବ କାହିଁକି ?

 

ଖ୍ରୀଷ୍ଟାନ୍‌ ବନ୍ଧୁମାନଙ୍କ ପରି ମୋତେ ସେମାନଙ୍କ ଧର୍ମରେ ଦୀକ୍ଷିତ କରିବାକୁ ଉଦ୍ୟମ କରୁଥାନ୍ତି । ଅବଦୁଲା ଶେଠ ତ ମୋତେ ଇସ୍‌ଲାମ ଧର୍ମ ଅଧ୍ୟୟନ କରିବାକୁ ଲୋଭ ଦେଖାଉଥାନ୍ତି ଏବଂ ଅନେକ ସମୟରେ ସେ ଧର୍ମର ମହତ୍ତ୍ୱ ଓ ମର୍ଯ୍ୟାଦା ବିଷୟରେ ଅନେକ କଥା କହୁଥାନ୍ତି ।

 

ଚିଠିରେ ମୁଁ ନିଜର ଏସବୁ ସନ୍ଦେହ ରାୟଚାନ୍ଦ ଭାଇଙ୍କୁ ଜଣାଇଲି । ଭାରତର ଅନେକ ଧର୍ମଶାସ୍ତ୍ରୀମାନଙ୍କ ସଙ୍ଗେ ଚିଠିପତ୍ର ଲେଖା ଲେଖି କଲି । ସେମାନଙ୍କଠୁ ଜବାବ ମିଳିଲା । ବିଶେଷରେ ରାୟଚାନ୍ଦ ଭାଇଙ୍କ ପତ୍ରରୁ ମତେ କେତେ ପରିମାଣରେ ଶାନ୍ତି ମିଳିଲା । ଧୈର୍ଯ୍ୟଧରି ହିନ୍ଦୁ ଧର୍ମର ଗଭୀର ଆଲୋଚନା କରିବା ପାଇଁ ସେ ମତେ ପରାମର୍ଶ ଦେଲେ । ତାଙ୍କର ଗୋଟିଏ ବାକ୍ୟରେ ଅର୍ଥ ଏଇଆ ଥିଲା, ‘‘ହିନ୍ଦୁଧର୍ମରେ ଯେପରି ସୂକ୍ଷ୍ମ ବିଚାର ଓ ଗୂଢ଼ ତତ୍ତ୍ୱ ଅଛି, ଆତ୍ମ ଦର୍ଶନ, ଜ୍ଞାନ ଓ ଉଦାରତା ଅଛି, ଅନ୍ୟ ଧର୍ମରେ ସେପରି ନାହିଁ । ମୁଁ ନିରପେକ୍ଷ ଭାବରେ ବିଚାର କଲେ ମୋ ମନରେ ଏଇ ବିଶ୍ୱାସ ଜନ୍ମୁଛି ।’’

 

ସେଲ ସାହେବଙ୍କ କୃତ କୋରାନ୍‌ର ଇଂରାଜୀ ଅନୁବାଦ ଖଣ୍ଡିଏ କିଣି ପାଠ କଲି । ମୁସଲ୍‌ମାନ ଧର୍ମର ଅନ୍ୟ ବହିସବୁ ସଂଗ୍ରହ କଲି । ବିଲାତର ଖ୍ରୀଷ୍ଟାନ୍ ବନ୍ଧୁମାନଙ୍କ ସହ ପତ୍ର ବ୍ୟବହାର କରୁଥାଏ । ଜଣେ ବନ୍ଧୁ ମତେ ଏଡ଼ବାର୍ଡ଼ ମେଟଲଣ୍ଡ ସାହେବଙ୍କ ସଙ୍ଗେ ପରିଚୟ କରାଇ ଦେଲେ । ମୁଁ ତାଙ୍କ ସଙ୍ଗେ ମଧ୍ୟ ଚିଠିପତ୍ର କାରବାର କଲି । ସେ ଆନ୍ନା କିଙ୍ଗସ ଫୋର୍ଡ଼ଙ୍କ ସହ ମିଶି ‘‘ପରଫେକ୍‌ଟଓ୍ୱେ’’ (ଉତ୍ତମ ମାର୍ଗ) ନାମରେ ଖଣ୍ଡିଏ ବହି ଲେଖିଥାନ୍ତି । ସେ ବହି ଖଣ୍ଡ ମୋ ପାଖକୁ ପଠାଇ ଦେଲେ । ସେଥିରେ ପ୍ରଚଳିତ ଖ୍ରୀଷ୍ଟଧର୍ମର ଖଣ୍ଡନ ହୋଇଥିଲା । ‘ବାଇବଲର ନୂଆ ଅର୍ଥ’ ନାମକ ବହି ଖଣ୍ଡେ ମଧ୍ୟ ପଠାଇ ଦେଇଥିଲେ । ସେହି ବହିଟି ମୋତେ ଭଲ ଲାଗିଲା । ସେଥିରୁ ହିନ୍ଦୁ ମତର ସମର୍ଥନ ମିଳିଥିଲା । ଟଲଷ୍ଟ୍ରୟଙ୍କ ଲିଖିତ ‘ସ୍ୱର୍ଗ ତମ ହୃଦୟରେ ଅଛି’ ମୋ ମନକୁ ଭାରି ପାଇଥିଲା । ପୁସ୍ତକ ପାଠ ଫଳରେ ମୋ ମନରେ ଚିରଦିନପାଇଁ ଗୋଟିଏ ଭାବ ଦୃଢ଼ ହୋଇ ରହିଗଲା । ଏ ବହି ଖଣ୍ଡିକର ସ୍ୱାଧୀନ ବିଚାର ଗଭୀର ନୈତିକ ଦୃଷ୍ଟି ଓ ସତ୍ୟାନୁରାଗ ତୁଳନାରେ ମି. କୋଟସ ଦେଇଥିବା ବହିଗୁଡ଼ିକ ନୀରସ ଓ ଶୁଷ୍କ ବୋଧହେଲା ।

 

ମୋର ଖ୍ରୀଷ୍ଟାନ୍‌ ବନ୍ଧୁମାନେ ମୋର ଯେଉଁ ବାଟରେ ଯିବାକୁ ପସନ୍ଦ କରୁ ନ ଥିଲେ ଏସବୁ ପୁସ୍ତକର ପାଠ ଓ ଆଲୋଚନା ମତେ ସେହି ବାଟରେ ନେଇ ଯାଇଥିଲା । ଏଡ଼୍‌ଓ୍ୱାର୍ଡ଼ମେଟଲଣ୍ଡଙ୍କ ସଙ୍ଗେ ପତ୍ର କାରବାର ଅନେକ ଦିନ ଧରି ଚାଲିଲା । କବି ରାୟଚାନ୍ଦ ଭାଇଙ୍କ ସଙ୍ଗେ ତ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ପତ୍ର ବିନିମୟ ଚାଲିଥାଏ । ସେ କେତେକ ବହି ପଠାଇ ଦେଲେ, ମୁଁ ସେ ସବୁ ପଢ଼ିଲି । ତନ୍ମଧ୍ୟରେ ‘ପଞ୍ଚୀକରଣ’, ‘ମଣିରତ୍ନମାଳା’ ଯୋଗବାଶିଷ୍ଠଙ୍କ ‘ମୁମୁକ୍ଷୁ ପ୍ରକରଣ’, ହରିଭଦ୍ର ସରିଙ୍କ ‘ଷଡ଼୍‌ଦର୍ଶନ ସମୁଚ୍ଚୟ’ ପ୍ରଭୃତି ଉଲ୍ଲେଖ ଯୋଗ୍ୟ ।

 

ଖ୍ରୀଷ୍ଟାନ୍‌ ବନ୍ଧୁମାନଙ୍କ ଇଚ୍ଛାନୁସାରେ ମୁଁ ସେମାନଙ୍କର ପଥର ପଥିକ ନ ହୋଇ ବରଂ ସେମାନେ ନ ଚାହୁଁଥିବା ବାଟର ବାଟୋଇ ହେଲି । ତଥାପି ସେମାନଙ୍କ ସହ ମିଳାମିଶା, ଆଳାପ ପରିଚୟ ଯେ ମୋ ପ୍ରାଣରେ ଧର୍ମଭାବର ଉଦ୍ଦୀପନା ଆଣିଥିଲା, ଏଥିପାଇଁ ମୁଁ ସେମାନଙ୍କ ପାଖରେ କୃତଜ୍ଞ ରହିଛି । ସେହି ମଧୁର ଓ ପବିତ୍ର ସମ୍ପର୍କ ଭବିଷ୍ୟତରେ ବଢ଼ିଲା ପଛେ, କମିଲା ନାହିଁ ।

 

Unknown

କାଲି କଥା କିଏ କହିବ ?

 

(ଖବର ନାହିଁ ଇସ୍‌ ଦୁରାମେ ପଲ୍‌କୀ, ସମଜ୍‍ ମନ, କୋ ଜାନେ କଲକୀ ? )

 

ଏ ଯୁଗରେ କ୍ଷଣକ ପରେ କ’ଣ ଘଟିବ ତାହା ଜଣାନାହିଁ । ମନ ବୁଝୁ । କାଲି କଥା କିଏ କହିବ ?

 

ମକଦ୍ଦମା ସରିଗଲା । ମୋର ପ୍ରିଟୋରିଆରେ ରହିବାର କିଛି କାରଣ ନାହିଁ । ମୁଁ ଡରବାନ୍‌ ଯାଇ ସେଠୁ ଭାରତକୁ ଫେରିବାର ଆୟୋଜନ କଲି । ଅବଦୁଲା ଶେଠ ମୋର ବିଦାୟ ସମ୍ବର୍ଦ୍ଧନା ନ କରି ମତେ କେମିତି ବା ଛାଡ଼ନ୍ତେ ? ସିଡ଼୍‌ନହାମଠାରେ ସେ ମୋ ଉଦ୍ଦେଶ୍ୟରେ ଗୋଟିଏ ଭୋଜି ଦେଲେ । ସେଠି ପୂରା ଗୋଟିଏ ଦିନ କଟାଇବାକୁ ପଡ଼ିଲା ।

 

ଭୋଜିରେ ଆମେ ସବୁ ବସିଥାଉଁ । ମୋ ପାଖରେ କେତେଗୁଡ଼ିଏ ଖବର କାଗଜ ପଡ଼ିଥାଏ । ମୁଁ ସେ ସବୁ ଦେଖୁଥାଏ । ଖବର କାଗଜର ଗୋଟିଏ କଣରେ ଗୋଟିଏ ଛୋଟିଆ ଖବର ଉପରେ ମୋ ନଜର ପଡ଼ିଗଲା । ଦେଖିଲି, ‘‘ଇଣ୍ଡିଆନ୍‌ ଫ୍ରେଞ୍ଚାଇଜ୍‌’’ ବା ‘‘ଭାରତୀୟ ମତାଧିକାର’’ ଶିରୋନାମା ତଳେ କଣ ଗୁଡ଼ିଏ ଲେଖା ବାହାରିଛି । ତାର ଅର୍ଥ ଭାରତୀୟ ମାନଙ୍କର ନାତାଲ ଆଇନ୍‌ ସଭାକୁ ସଭ୍ୟ ନିର୍ବାଚନ କରିବାରେ ଯେଉଁ ଅଧିକାର ଥିଲା, ତାହା ଏଣିକି କାଢ଼ିନିଆ ହେବ । ସେଥିପାଇଁ ଗୋଟିଏ ଆଇନ ବଳରେ ଲାଟସଭାରେ ଆଲୋଚିତ ହେଉଛି । ମୁଁ ଏ ଆଇନ୍‌ କଥା ଜାଣି ନ ଥିଲି । ସେ ମଜ୍‌ଲିସରେ ଯୋଗ ଦେଇଥିବା ଲୋକଙ୍କ ଭିତରେ କେହି ହେଲେ ଭାରତବାସୀଙ୍କ ଅଧିକାର ଛଡ଼ାଇ ନେବା ଆଇନର ଚିଠା ହୋଇଥିବା ଖବର ଜାଣି ନ ଥିଲେ । ମୁଁ ଅବ୍‌ଦୁଲା ଶେଠଙ୍କୁ ପଚାରିଲି । ସେ କହିଲେ, ‘‘ ଏ ବିଷୟରେ ଆମେ କ’ଣ ଜାଣୁ ? ଆମ ବେପାର ଉପରକୁ କିଛି ବିପଦ ଆସିଲେ, ଆମକୁ ସେ ଖବର ଜଣାପଡ଼େ । ଦେଖୁନାହଁ, ଅରେଞ୍ଜ ଫ୍ରୀଷ୍ଟେଟରେ ଆମ ବେପାରର ମୂଳ ଓପାଡ଼ି ଦେଲେ । ସେ ଦିଗରେ ଆମେ ପରିଶ୍ରମ କଲୁ; କିନ୍ତୁ ବୃଥା ହେଲା । ଆମେ ଯେଉଁ ଖବର କାଗଜ ଖଣ୍ଡେ ଖଣ୍ଡେ କିଣୁ କେବଳ ଦୈନିକ ବଜାର ଦର ଜାଣିବା ପାଇଁ କିଣୁଥାଉଁ । ଆମକୁ କ’ଣ ମାଲୁମ ? ଏଠାରେ ଗୋରା ଓକିଲ ଯାକ ଆମର ଆଖି କାନ ।’’

 

ମୁଁ ପଚାରିଲି—‘‘ଏଠି ଯେଉଁ ଭାରତୀୟ ଯୁବକମାନେ ଜନ୍ମହୋଇ ପାଠ ଶାଠ ପଢ଼ିଛନ୍ତି ସେମାନଙ୍କ କଥା କଅଣ ?’’

 

ଅବ୍‌ଦୁଲା ଶେଠ କପାଳରେ ହାତମାରି କହିଲେ, ‘‘ଆରେ ଭାଇ ସେମାନଙ୍କ କଥାରୁ ତମକୁ କ’ଣ ମିଳିବ ? ସେମାନେ ବା ଏଥିରୁ ବୁଝନ୍ତି କ’ଣ ? ସେମାନେ ତ ଆମ ପାଖରେ ପଶନ୍ତି ନାହିଁ-ସତ ବୁଝିବ ତ ଆମେମାନେ ବି ସେମାନଙ୍କୁ ଚିହ୍ନୁନା । ସେମାନେ ରହିଲେ ଖ୍ରୀଷ୍ଟାନ୍ ପାଦ୍ରୀମାନଙ୍କ ମୁଠାରେ । ପାଦ୍ରୀମାନେ ତ ଗୋରା । ଅତଏବ ସରକାରଙ୍କ ଅଧୀନ ।

 

ଏ କଥା ଶୁଣି ମୋର ଆଖି ଫିଟିଗଲା । ମୁଁ ବିଚାରିଲି ଏ ଦଳକୁ ପାଖକୁ ଆଣିବାକୁ ହେବ । ଖ୍ରୀଷ୍ଟଧର୍ମର ଅର୍ଥ କ’ଣ ଏୟା ? ସେମାନେ ଖ୍ରୀଷ୍ଟାନ୍‌ ହେଲେ ବୋଲି କ’ଣ ଦେଶ ପାଞ୍ଜିରୁ ଗଲେ ? ସେମାନଙ୍କୁ ଭାରତୀୟ ବୋଲି କୁହାଯିବ ନାହିଁ ?

 

କିନ୍ତୁ କଅଣ ହେବ, ମୋର ତ ଭାରତକୁ ଫେରିଯିବାର କଥା । ସେତେବେଳେ ମୋ ମନର ଭାବ କାହାକୁ କହିବାକୁ ମୁଁ ଦ୍ୱିଧା ବୋଧକଲି ।

 

ଅବଦୁଲା ଶେଠଙ୍କୁ କହିଲି—‘‘ଏ ପ୍ରସ୍ତାବ ଯଦି ଆଇନ ରୂପେ ଗୃହୀତ ହୋଇଯିବ, ତେବେ ଆମର କପାଳ ଫାଟିଲା ବୋଲି ଜାଣ । ଭାରତୀୟମାନଙ୍କ ଅସ୍ତିତ୍ୱ ଲୋପ କରିବା ଦିଗରେ ଏହା ପ୍ରଥମ କାର୍ଯ୍ୟ । ଏଥିରେ ଆତ୍ମସମ୍ମାନର ଚେରମୂଳ ରହିବ ନାହିଁ ।’’

 

ଶେଠ ଅବଦୁଲା କହିଲେ, ‘‘ହଁ, ତାହା ହୋଇପାରେ । କିନ୍ତୁ ମୁଁ ତୁମକୁ ଏହି ଫ୍ରେଞ୍ଚାଇଜ୍‌ ବା ‘ମତାଧିକାର’ ର ମୂଳ କଥା କହୁଛି । ଆମେ ସବୁ ଏ ବିଷୟରେ କେବେ କିଛି ଜାଣି ନ ଥିଲୁ । କିନ୍ତୁ ଆମର ଯେଉଁ ବଡ଼ ଓକିଲ ମି: ଏସ୍କମ୍ବ ସାହେବ ଅଛନ୍ତି, ତାଙ୍କୁ ତ ତୁମେ ଜାଣ । ସେ ଜବର ଲଢ଼ୁଆ ଲୋକ । ତାଙ୍କ ସଙ୍ଗେ ଏଠାକାର ବନ୍ଦର ଇଞ୍ଜିନିୟରଙ୍କର ଜୋର ଲଢ଼େଇ ଚାଲିଲା । ମି: ଏସ୍କମ ଆଇନ ସଭାର ସଭ୍ୟ ହେବା ପାଇଁ ଲଢ଼େଇ କରୁଥିଲେ । ସେହି କେବଳ ଆଗ ଏସବୁ ଆମକୁ ବୁଝାଇଥିଲେ । ତାଙ୍କର କହିବା ଅନୁସାରେ ଭୋଟ ତାଲିକାରେ ଆମ ନାଁ ଦରଜ କରାଇଲୁ ଏବଂ ସବୁଯାକ ଭୋଟ ଏସ୍କମ ସାହେବଙ୍କୁ ଦେଲୁ । ଏବେ ତୁମେ ବେଶ୍‌ ବୁଝିପାରିବ ଯେ, ଆମର ଏ ଭୋଟର ମୂଲ୍ୟ ତୁମେ ଯେମିତି ଗୁରୁଭାବରେ ଧରୁଛ, ସେ ସେମିତି ଧାରଣା ଆମ ମନରେ ଦେଇ ନ ଥିଲେ । ଏବେ ତୁମେ ଯାହା କହୁଛ, ଆମେ ଅବଶ୍ୟ ବୁଝିପାରୁଛୁ । ତେବେ ଏ ବିଷୟରେ ତୁମର ପରାମର୍ଶ କଅଣ ଆମକୁ କୁହ ।’’

 

ଅନ୍ୟ ଅତିଥିମାନେ ବେଶ୍‌ ମନଦେଇ ଏସବୁ କଥା ଶୁଣୁଥିଲେ । ଜଣେ କେହି କହିଲେ, ‘‘ମୁଁ ସତ କଥା କହୁଛି; ଯଦି ତୁମେ ଏ ଜାହାଜରେ ନ ଯାଇ ଆଉ ମାସେ ଖଣ୍ଡେ ଅଟକିଯିବ, ତେବେ କହିବ ତ ଆମେ ଠିକ୍‌ କରି ଲଢ଼ିବୁ ।’’

 

ଆଉ ଜଣେ କହିଲେ, ‘‘ଠିକ୍‌, ଠିକ୍‌, ଅବଦୁଲା ଶେଠ, ତୁମେ ଗାନ୍ଧୀ ଭାଇଙ୍କୁ ଅଟକାଇ ଦିଅ ।’’

 

ଅବଦୁଲା ଶେଠ ତ ଭାରି ଓସ୍ତାଦ୍‌ । ସେ କହିଲେ, ‘‘ତାଙ୍କୁ ଏବେ ଅଟକାଇବାର ଅଧିକାର ମୋର ନାହିଁ । କେବଳ ମୋର ନାହିଁକି ତୁମ୍ଭମାନଙ୍କର ବି ନାହିଁ । କିନ୍ତୁ ତୁମେ ସବୁ ଯାହା କହୁଛ, ତାହା ଠିକ୍‌କଥା । ଆମେ ସମସ୍ତ ତାଙ୍କୁ ଅଟକେଇବା; କିନ୍ତୁ ସେ ତ ଜଣେ ବାରିଷ୍ଟର, ତାଙ୍କ କଥା କ’ଣ ହେବ ?’’

 

ମୁଁ ଟିକିଏ ଦୋ ଦୋ ପାଞ୍ଚରେ ପଡ଼ିଗଲି । ମତେ ବଡ଼ କଷ୍ଟ ବୋଧ ହେଲା । ମୁଁ ଆଗଭର ହୋଇ କହିଲି, ‘‘ଅବଦୁଲା ଶେଠ, ଏଥିରେ ମୋର ଫିସ୍‌ କଥା ଉଠୁନାହିଁ । ସାଧାରଣ ସେବାରେ ପୁଣି ଫିସ୍‌ କ’ଣ ? ମୁଁ ରହିବି ତ ଏକ ସେବକ ଭଳି ରହିବି । ମୁଁ ଏ ଭାଇ ସମସ୍ତଙ୍କୁ ଚିହ୍ନେ ନାହିଁ । ତଥାପି ତୁମେ ଯେବେ ଭାବୁଛ ଯେ ସମସ୍ତେ ସହଯୋଗ କରିବେ, ତେବେ ମୁଁ ମାସେ ରହିବାକୁ ପ୍ରସ୍ତୁତ । ସେଥି ସଙ୍ଗେ ସଙ୍ଗେ ଏତକ ମଧ୍ୟ ଜାଣିବା ଉଚିତ୍‌ ଯେ, ମତେ କିଛି ଦେବାକୁ ନ ପଡ଼ିଲେ ହେଁ ବିନା ପଇସାରେ ଏ କାମ କେବେ ଉଠିବ ନାହିଁ । କାରଣ ଆମକୁ ତାର ଖବର ପଠାଇବାକୁ ପଡ଼ିବ, ଛାପାଛାପି କରିବାକୁ ହେବ ଏବଂ କେଉଁଠାକୁ ଯିବାର ହେଲେ ଗାଡ଼ିଭଡ଼ା ପଡ଼ିବ । ବେଳେ ବେଳେ ସ୍ଥାନୀୟ ଓକିଲଙ୍କ ପରାମର୍ଶ ମଧ୍ୟ ଆବଶ୍ୟକ ହେବ । ମୁଁ ତ ଏଠା ଆଇନରେ ଓ୍ୟାକଫ ନୁହେଁ । ଆଇନ ବହିପତ୍ର ମଧ୍ୟ ଘାଣ୍ଟିବାକୁ ହେବ । ଏସବୁ କାମ ଜଣକ ଦ୍ୱାରା ତ ହେବ ନାହିଁ । ଏଥିରେ ଅନେକ ଲୋକ ଅଣ୍ଟା ଭିଡ଼ିବା ଦରକାର ।’’

 

ଏକୋବେଳକେ ଅନେକଗୁଡ଼ିଏ ସ୍ୱର ମୋ କାନରେ ପଡ଼ିଲା । ‘‘ଆଲ୍ଲାଙ୍କର ଅସୀମ ଦୟା, ଟଙ୍କାଲାଗି ଚିନ୍ତା ନାହିଁ—ଟଙ୍କା ପଇସା ଢେର୍‌ ମିଳିବ । ଲୋକ ମଧ୍ୟ ଯଥେଷ୍ଟ ଅଛନ୍ତି । କେବଳ ତୁମେ ରହିବାକୁ ଜବାବ ଦେଲେ ହେଲା ।’’

 

ସଭା ଭାଙ୍ଗିଲା—ଭାଙ୍ଗିବା ଆଗରୁ ତାହା ଗୋଟିଏ କାର୍ଯ୍ୟକାରୀ ସଭାରେ ପରିଣତ ହୋଇଗଲା । ଶୀଘ୍ର ଖିଆପିଆ ସାରି ଘରକୁ ଫେରିବା ପାଇଁ ମୁଁ ପ୍ରସ୍ତାବ କଲି । ଏ ଲଢ଼େଇର ରୂପରେଖ ମୁଁ ମୋ ମନ ଭିତରେ ଆଙ୍କିନେଲି । ଭୋଟର ତାଲିକାରେ ଯେଉଁମାନଙ୍କର ନାମ ଥିଲା, ସେ ସବୁ ସଗ୍ରଂହ କରି ମୁଁ ଆଉ ମାସେ ରହିବା ଲାଗି ସ୍ଥିର କଲି ।

 

ଏମିତି ଦକ୍ଷିଣ ଆଫ୍ରିକାରେ ମୋର ସ୍ଥାୟୀ ବସତିର ମୂଳଭିତ୍ତି ଭଗବାନ ପକାଇ ଦେଲେ ଏବଂ ଆତ୍ମମର୍ଯ୍ୟାଦା ନିମିତ୍ତ ଲଢ଼େଇର ମଞ୍ଜି ପୋତା ହେଲା ।

 

ନାତାଲରେ ରହିଲି

 

୧୮୯୩ ସାଲରେ ଶେଠ ହାଜୀ ମହମ୍ମଦ ହାଜୀ ଦାଦା ନାତାଲ ଭାରତୀୟ ସମାଜର ଅଗ୍ରଗଣ୍ୟ ନେତା ଥିଲେ । ପଇସା ଦୃଷ୍ଟିରେ ଶେଠ ଅବଦୁଲା ହାଜୀ ଆଦମ୍ ବଡ଼ ଥିଲେ ସତ; କିନ୍ତୁ ସେ ଅନ୍ୟମାନେ ସାଧାରଣ କାମରେ ଶେଠ ହାଜୀ ମହମ୍ମଦଙ୍କୁ ପ୍ରଥମ ସ୍ଥାନ ଦେଇଥିଲେ । ତେଣୁ ତାଙ୍କର ସଭାପତିତ୍ୱରେ ଅବଦୁଲା ଶେଠଙ୍କ ଘରେ ଗୋଟିଏ ସଭା ବସିଲା । ସେହି ସଭାରେ ‘‘ଫ୍ରେଞ୍ଚାଇଜ୍‌’’ ଆଇନର ବିରୋଧ କରିବା ସ୍ଥିର ହେଲା । ପ୍ରସ୍ତାବ ହେଲା, ସ୍ୱେଚ୍ଛାସେବକ ତାଲିକା ହେଲା । ସେହି ସଭାରେ ନାତାଲରେ ଜନ୍ମିଥିବା ଭାରତୀୟ ଅର୍ଥାତ ଖ୍ରୀଷ୍ଟାନ୍‌ ଯୁବକମାନଙ୍କୁ ଏକତ୍ରିତ କରାଗଲା । ମି. ପଲ ଡ଼ରବାନ୍‌ କଚେରୀର ତର୍ଜମାକାରୀ ଏବଂ ମି. ସୁଭାନ ଗଡ଼ଫ୍ରେ ମିଶନ ସ୍କୁଲ ହେଡ଼୍‌ମାଷ୍ଟର ଦୁହେଁ ବି ସେ ସଭାରେ ଯୋଗ ଦେଇଥିଲେ ଏବଂ ସେମାନଙ୍କର ପ୍ରଭାବରେ ସେ ସମ୍ପ୍ରଦାୟର ଯୁବକମାନେ ଆସି ପହଞ୍ଚିଲେ । ଏମାନେ ସ୍ୱେଚ୍ଛାସେବକ ହେଲେ । ବେପାରୀ ତ ବହୁତ ଥାନ୍ତି । ସେମାନଙ୍କ ମଧ୍ୟରେ ଶେଠ ଦାଉଦ ମହମ୍ମଦ, ମହମ୍ମଦ କସମ୍‌ କମରୁଦ୍ଦିନ, ଶେଠ ଅଜମଦୀ ମିଆ ଖାଁ, ଏ. କୋଲିଣ୍ଡାଓ୍ୱେଲୁ ପିଲାଇ, ସି. ଲଛିରାମ, ରଙ୍ଗସାମୀ ପଣ୍ଡିଆଚି ଓ ଆମାଦ୍ ଜିଭା ପ୍ରଭୃତି କେତେକଙ୍କର ନାମ ଉଲ୍ଲେଖଯୋଗ୍ୟ । ପାରସୀ ରୋସ୍ତମଜୀ ଅବଶ୍ୟ ଏମାନଙ୍କ ସଙ୍ଗରେ ଥାଆନ୍ତି । କିରାନୀମାନଙ୍କ ଭିତରୁ ପାର୍ଶୀ ମାଣିକଜୀ, ଯୋଷୀ ନରସିଂରାମ ଇତ୍ୟାଦି ଦାଦା ଅବଦୁଲା ପ୍ରଭୃତି ବଡ଼ ବଡ଼ କୋମ୍ପାନୀର କର୍ମଚାରୀ ଥିଲେ । ଏମାନେ ସମସ୍ତେ ଏ ସାଧାରଣ କାମରେ ଲାଗିଯିବା ଦେଖି ମତେ ଆଶ୍ଚର୍ଯ୍ୟ ବୋଧ ହେଲା । ଏଭଳି ସାଧାରଣ କାମରେ ଡାକରା ପଡ଼ିବା ସେମାନଙ୍କ ପକ୍ଷରେ ପ୍ରଥମ ଥିଲା । ବର୍ତ୍ତମାନ ମୁଣ୍ଡ ଉପରେ ପଡ଼ିଥିବା ବିପଦ ଆଗରେ ଉଚ୍ଚ ନୀଚ, ସାନବଡ଼, ମାଲିକ ଚାକର, ହିନ୍ଦୁ ମୁସଲ୍‌ମାନ, ପାରସୀ ଖ୍ରୀଷ୍ଟାନ୍‌, ଗୁଜୁରାତୀ ମାନ୍ଦ୍ରାଜୀ, ସିନ୍ଧି ପ୍ରଭୁତି ସବୁ ଭେଦାଭାବ ଭୁଲି ଯାଇଥିଲେ । ସେମାନେ ସମସ୍ତେ ଭାରତର ସେବକ ଓ ସନ୍ତାନ ଥିଲେ ମାତ୍ର ।

 

ଭୋଟ ବିଲ ଆଇନର ଦ୍ୱିତୀୟ ଶୁଣାଣି ହୋଇ ଯାଇଥାଏ ବା ହେବାର ଥାଏ । ସେତେବେଳେ ଆଇନ୍ ସଭାର ବକ୍ତୃତାରେ ଏଭଳି ସମାଲୋଚନା ସବୁ ହେଉଥାଏ ଯେ, ଆଇନ୍‌ ଏତେ କଡ଼ା ହେଲେ ମଧ୍ୟ ଭାରତୀୟମାନଙ୍କ ପକ୍ଷରୁ କୌଣସି ବିରୋଧ ବା ପ୍ରତିବାଦ ନ ହେବା ଫଳରେ ଭାରତୀୟ ସମାଜର ଅନାବଶ୍ୟକତା ଏବଂ ସେମାନଙ୍କର ମତାଧିକାର ପାଇଁ ଅଯୋଗ୍ୟତାର ପ୍ରମାଣ ମିଳୁଥାଏ ।

 

ମୁଁ ଏସବୁ ଅବସ୍ଥା ସଭାରେ ବୁଝାଇଦେଲି । ପ୍ରଥମ କାମ ହେଲା, ଆଇନ ସଭାର ସଭାପତିଙ୍କୁ ଟେଲିଗ୍ରାମ ହେବ ଯେ, ବିଲ୍‌ର ସମସ୍ତ ବିଚାର ମୁଲତବୀ ରଖନ୍ତୁ । ଏହିଭଳି ତାର ପ୍ରଧାନମନ୍ତ୍ରୀ ସାର ଜନ୍‌ରବିନସନଙ୍କୁ ଏବଂ ଦାଦା ଅବଦୁଲାଙ୍କ ମିତ୍ର ସ୍ୱରୂପ ମି. ଏସ୍କମ୍ବଙ୍କୁ ମଧ୍ୟ ପଠାଗଲା । ଏ ତାରର ଜବାବ୍‌ ଫେରିଆସିଲା, ‘‘ବିଲ୍‌ ଚର୍ଚ୍ଚା ଦୁଇଦିନ ସ୍ଥଗିତ ରହିବ ।’’ ସମସ୍ତେ ଖୁସି ହେଲେ ।

 

ବ୍ୟବସ୍ଥାସଭାରେ ଯେଉଁ ଦରଖାସ୍ତ ଦିଆଯିବାର କଥା, ତାହା ମଧ୍ୟ ଲେଖା ହେଲା । ଦରଖାସ୍ତର ତିନୋଟି ନକଲ କରି ପଠାଯିବାର କଥା । ଖବରକାଗଜ ପାଇଁ ମଧ୍ୟ ଏକ ପରସ୍ତ ନକଲ ହେବାର କଥା । ଦରଖାସ୍ତରେ ଯେତେଦୂର ସମ୍ଭବ ସେତେ ଦସ୍ତଖତ କରାଇବା ଦରକାର । ଏସବୁ କାମ ଗୋଟିଏ ରାତି ଭିତରେ ଶେଷ ହେଲା । ଇଂରାଜୀ ଜାଣିଥିବା ସ୍ୱେଚ୍ଛାସେବକମାନେ ଓ ଅନ୍ୟମାନେ ସମସ୍ତ ରାତିସାରା କାମରେ ଲାଗିଲେ । ସେମାନଙ୍କ ଭିତରେ ଜଣେ ବୁଢ଼ା ମିଷ୍ଟର ଆରଥର ଦରଖାସ୍ତକୁ ଭଲ ଅକ୍ଷରରେ ସଫାକରି ଲେଖିଥିଲେ । ତାଙ୍କର ସେଇ ସୁନ୍ଦର ଲେଖାଟିକୁ ଜଣେ ଡାକେ ତ ପାଞ୍ଚଜଣ ଲେଖି ପକାନ୍ତି । ଏମିତି ପାଞ୍ଚଟି ନକଲ ଏକାବେଳକେ ହେଲା । ବେପାରୀ ସ୍ୱେଚ୍ଛାସେବକମାନେ ନିଜ ନିଜର ଗାଡ଼ି ନେଇ ବା ନିଜ ହାତରୁ ଗାଡ଼ିଭଡ଼ା ଖରଚ କରି ଦସ୍ତଖତ କରାଇବାକୁ ବାହାରି ପଡ଼ିଥିଲେ ।

ଦରଖାସ୍ତ ଗଲା । ଖବର କାଗଜରେ ବାହାରିଲା । ସେ ସମ୍ବନ୍ଧରେ ଅନୁକୂଳ ସମାଲୋଚନା ମଧ୍ୟ ହେଲା । ଆଇନସଭା ଉପରେ ପ୍ରଭାବ ପଡ଼ିଲା । ତାର ଆଲୋଚନା ବି ଖୁବ୍‌ ହେଲା । ଦରଖାସ୍ତରେ ଦିଆଯାଇଥିବା ଯୁକ୍ତିର ଖଣ୍ଡନ କରାଗଲା ସତ; କିନ୍ତୁ ସେହି ଖଣ୍ଡନକାରୀଙ୍କୁ ଆପଣା ଯୁକ୍ତି ଦୁର୍ବଳ ଲାଗିଲା । ଯାହାହେଉ ବିଲ୍‌ ମଞ୍ଜୁର ହୋଇଗଲା ।

ଫଳ ଏଇଆ ହେବ ବୋଲି ଆମେ ସମସ୍ତେ ଜାଣିଥିଲୁ; ମାତ୍ର ଏପରି ହେବାଦ୍ୱାରା ଭାରତୀୟ ସମାଜ ଭିତରେ ନୂଆ ଜୀବନ ଖେଳି ଯାଇଥିଲା । ଆମେ ଯେ ଏକ ଜାତି, ଏକ ସମାଜ, କେବଳ ବେପାର ଅଧିକାର ପାଇଁ ନୁହେଁ, ସମସ୍ତ ଜାତୀୟ ଅଧିକାର ପାଇଁ ମଧ୍ୟ ଲଢ଼ିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ, ଏତକ ସମସ୍ତେ ବୁଝି ଯାଇଥିଲେ ।

ଏହି ସମୟରେ ଲର୍ଡ଼ ରିପନ ଉପନିବେଶମାନଙ୍କର ମନ୍ତ୍ରୀ ଥାନ୍ତି । ତାଙ୍କ ନିକଟକୁ ଗୋଟିଏ ଖୁବ୍‌ ବଡ଼ ଦରଖାସ୍ତ ପଠାଇବାକୁ ଆମ୍ଭେମାନେ ସ୍ଥିର କଲୁ । ଏତିକି କିନ୍ତୁ ସହଜ କାମ ନୁହେଁ । ଦିନେ ଓଳିକେ ହେବା ଅସମ୍ଭବ । ସ୍ୱେଚ୍ଛାସେବକମାନଙ୍କର ପୁଣି ତାଲିକା ହେଲା । ପ୍ରତ୍ୟେକ ଯେ ଯାହାର କାମରେ ଲାଗିଗଲେ ।

ଦରଖାସ୍ତ ଖଣ୍ଡକର ଚିଠା କରିବା ପାଇଁ ମତେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିଲା । ଏ ବିଷୟରେ ଯେଉଁଠି ଯେତେ ଲେଖାଲେଖି ଥିଲା, ସବୁ ସଂଗ୍ରହ କରି ପଢ଼ିଲି । ନୀତି ଏବଂ ଉଦ୍ଦେଶ୍ୟ ସାଧନାର ଉପାୟ ଉପରେ ମୁଁ ଅର୍ଜି ତିଆରି କଲି । ମୁଁ ବିଶେଷ ଭାବରେ ବୁଝାଇଲି ଯେ, ଭାରତରେ ଯେତେବେଳେ ଆମର ଭୋଟ ଅଧିକାର ଅଛି, ନାତାଲରେ ଥିଲାବେଳେ ଆମର ସେ ଅଧିକାର ରହିବା ଉଚିତ୍‌ । ଭାରତୀୟମାନଙ୍କୁ ଏ ହକ୍‌ ଦେବା, ‘‘ଅବସ୍ଥା ଦୃଷ୍ଟିରୁ ଚତୁରତାର କାର୍ଯ୍ୟ ହେବ । କାରଣ ଏ ଦେଶରେ ଭୋଟ ଅଧିକାର ପାଇବା ଭାରତୀୟଙ୍କ ସଂଖ୍ୟା ତ ନିତାନ୍ତ ଅଳ୍ପ ।’’

ପନ୍ଦର ଦିନ ମଧ୍ୟରେ ଏ ଦରଖାସ୍ତରେ ଦଶହଜାର ଲୋକଙ୍କର ଦସ୍ତଖତ ନିଆଗଲା-। ସେ ସମୟରେ ନାତାଳ ଭଳି ସ୍ଥାନରେ ଦଶ ହଜାର ଲୋକଙ୍କ ସ୍ୱାକ୍ଷର ଆଣିବା ସହଜ କଥା ନୁହେଁ-

ସମଗ୍ର ନାତାଲରେ ବୁଲି ଦସ୍ତଖତ କରାଗଲା । ଏଥିରେ ପୁଣି ଲୋକେ ଆଗରୁ ଅଭ୍ୟସ୍ତ ନ ଥିଲେ । ଏ କାମ ପାଇଁ ଖୋଜି ଖୋଜି ଖୁବ୍‌ଦକ୍ଷ ଲୋକମାନଙ୍କୁ ସ୍ୱେଚ୍ଛାସେବକ କରାଗଲା । ସ୍ଥିର ହେଲା ଯେ, କେହି ପୂର୍ଣ୍ଣରୂପେ ବିଷୟଟି ନ ବୁଝି ଏଥିରେ ଦସ୍ତଖତ କରିବେ ନାହିଁ । ଏ ଦେଶର ଗାଁ ଗୁଡାକ ଛଡ଼ା ଛଡ଼ା, ତେଣୁ ବେଶି ସଂଖ୍ୟାରେ ସ୍ୱେଚ୍ଛାସେବକ ଏଥିରେ ମନପ୍ରାଣ ଦେଇ ନ ଲାଗିଲେ, ତାହା ହେବା ଅସମ୍ଭବ । ସ୍ୱେଚ୍ଛାସେବକମାନେ ଯଥାର୍ଥରେ ଏହାହିଁ କଲେ । ବଡ଼ ଆଗ୍ରହର ସହିତ ଏମାନେ ନିଜ ନିଜର କର୍ତ୍ତବ୍ୟ କଲେ ଏମାନଙ୍କ ମଧ୍ୟରେ ଶେଠ ଦାଉଦ ମହମ୍ମଦ, ପାର୍ଶୀ ରୁସ୍ତମଜୀ, ଆଦମଜୀ ମିଆଁ ଖାଁ ଏବଂ ଆମାଦ ଜୀଭାଙ୍କ ମୂର୍ତ୍ତି ମୋ ଆଖିରେ ନାଚୁଛି । ସେମାନେ ବେଶି ଦସ୍ତଖତ ଆଣିଥିଲେ । ଦାଉଦ ଶେଠ ଆପଣା ଗାଡ଼ି ଖଣ୍ଡେ ନେଇ ଦିନ ତମାମ୍‌ ବୁଲୁଥାନ୍ତି । କେହି ବାଜେ ଖର୍ଚ୍ଚ ସୁଦ୍ଧା କେବେ ମାଗି ନାହାନ୍ତି ।

ଦାଦା ଅବଦୁଲାଙ୍କ ଘର ଗୋଟିଏ ଧର୍ମଶାଳା ବା ଅଫିସ୍‌ ଘର ଭଳି ହୋଇ ଯାଇ ଥାଏ । କେତେଜଣ ଶିକ୍ଷିତ ଭାଇ ମୋ ପାଖରେ ରହୁଥାନ୍ତି । ସେମାନଙ୍କୁ ଓ ଅନ୍ୟ କର୍ମୀମାନଙ୍କୁ ଖୁଆଇବା ଦାଦା ଅବଦୁଲାଙ୍କର କାମ ହୋଇଥାଏ । ଏହିପରି ପ୍ରତ୍ୟେକ ସହକର୍ମୀ ଭଲ ଭାବରେ ଖର୍ଚ୍ଚାନ୍ତ ହୋଇଥିଲେ ।

ଯାହାହେଉ ଶେଷରେ ଦରଖାସ୍ତଟି ପଠାଗଲା । ପ୍ରଚାର ଉଦ୍ଦେଶ୍ୟରେ ବାଣ୍ଟିବା ପାଇଁ ସେଥିରୁ ହଜାରେ ଖଣ୍ଡ ଆମେ ଛାପିଥାଉଁ । ସେହି ଦରଖାସ୍ତ ଫଳରେ ଭାରତର ସାଧାରଣ ଲୋକେ ନାତାଲ କଥାରେ ପ୍ରଥମ ପରିଚୟ ପାଇଥିଲେ । ଯେଉଁ ଯେଉଁ ଖବରକାଗଜ ଓ ସାଧାରଣ ନେତାମାନଙ୍କ ନାମ ମତେ ଜଣାଥାଏ, ସେ ଦରଖାସ୍ତର ନକଲ ଖଣ୍ଡେ ଖଣ୍ଡେ ସେମାନଙ୍କ ପାଖକୁ ପଠାଇଦେଲି ।

‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ ଖବର କାଗଜ ସେ ବିଷୟରେ ସଂପାଦକୀୟ ମନ୍ତବ୍ୟ ଲେଖିଥିଲା ଏବଂ ଭାରତୀୟମାନଙ୍କ ଦାବିକୁ ପୂରା ସମର୍ଥନ କରିଥିଲା । ଦରଖାସ୍ତ ନକଲ ବିଲାତର ସବୁ ଦଳର ନେତାମାନଙ୍କ ପାଖକୁ ପଠାଯାଇଥାଏ । ସେଠାରେ ମଧ୍ୟ ‘ଲଣ୍ଡନ ଟାଇମସ୍‌’ କାଗଜର ସମର୍ଥନ ମିଳିଲା । ଏ ସବୁରୁ ଆମର ଆଶା ହେଲା ଯେ, ଏ ଆଇନ ରଦ୍ଦ ହୋଇଯିବ । ଏପରି ଅବସ୍ଥାରେ ନାତାଲ୍‌ ଛାଡ଼ିବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ଲୋକେ ମତେ ଚାରିଆଡ଼ୁ ଘେରିଗଲେ ଏବଂ ସ୍ଥାୟୀ ଭାବରେ ସେଠାରେ ରହିବାକୁ ଦାବି କରି ମତେ କାଉଲ ବାଉଲ କରିପକାଇଲେ । ମୁଁ ନିଜର ଅସୁବିଧା ସବୁ ଜଣାଇଲି । ମୁଁ ମୋର ମନରେ ସ୍ଥିର କରିଥିଲି ଯେ, ସାଧାରଣ ପଇସା ଖର୍ଚ୍ଚରେ ମୁଁ ଚଳିବି ନାହିଁ । ସ୍ୱତନ୍ତ୍ର ଭାବରେ ଘରଖଣ୍ଡେ କରିବାର ଆବଶ୍ୟକତା ଉପଲବ୍‌ଧ କଲି । ଘରଟି ଭଲ ଏବଂ ଭଲ ପଡ଼ାରେ ହେବା ଉଚିତ୍‌ ବୋଲି ମୋର ମତ ଥାଏ ।

ସେତେବେଳେ ମୋର ଧାରଣା ଥାଏ, ଅନ୍ୟ ବାରିଷ୍ଟର ଯେମିତି ଅଛନ୍ତି, ମୁଁ ସେମିତି ରହିଲେ ଭାରତୀୟ ସଂପ୍ରଦାୟର ସମ୍ମାନ ବଢ଼ିବ । ଏପରି ଘର ଚଳେଇବାକୁ ବର୍ଷକରେ ତିନିଶହ ପାଉଣ୍ଡ ନ ହେଲେ ହେବ ନାହିଁ ବୋଲି ମନେ ହେଲା । ତେଣୁ ବର୍ଷକୁ ଅନ୍ତତଃ ସେତକ ଟଙ୍କା ମୋର ଓକିଲାତିରୁ ମିଳିବାର ବ୍ୟବସ୍ଥା କରିବାକୁ ମୁଁ ସଂପ୍ରଦାୟକୁ ଜଣାଇଦେଲି ।

ସେମାନେ କହିଲେ, ‘‘ଆପଣ ସାଧାରଣ କାମ ପାଇଁ ଏ ଟଙ୍କା ନେବେ । ଆମେ ସହଜରେ ଏତକ ସଂଗ୍ରହ କରିଦେବୁ । ତେଣିକି ଓକିଲାତିରୁ ଯାହା ମିଳିବ, ସେତକ ଆପଣଙ୍କର ।’’

‘‘ସାର୍ବଜନୀନ କାମ ପାଇଁ ମୁଁ ଆପଣମାନଙ୍କଠାରୁ ଏପରି ପଇସା ନେଇପାରିବି ନାହିଁ । ଏ କାର୍ଯ୍ୟରେ ମୋର ବାରଷ୍ଟରୀ କୌଶଳ ବା ବୁଦ୍ଧିର କିଛି ଦରକାର ନାହିଁ । ଆପଣମାନଙ୍କଠାରୁ କାର୍ଯ୍ୟ ହାସଲ କରିବା ହିଁ ମୋର କାମ ହେବ । ଏଥିପାଇଁ ମୁଁ ଆପଣମାନଙ୍କଠାରୁ ଟଙ୍କା ନେବି କିପରି ? ଏହା ଛଡ଼ା ସାଧାରଣ କାମପାଇଁ ପୁଣି ମତେ ଆପଣଙ୍କଠୁଁ ପଇସା ଆଦାୟ କରିବାକୁ ପଡ଼ିବ । ଯଦି ମୁଁ ଆପଣାପାଇଁ ପଇସା ନିଏ, ତେବେ ଆପଣଙ୍କ ପାଖରୁ ବେଶୀ ଚାନ୍ଦା ଆଦାୟ କରିବାକୁ ମତେ ସଙ୍କୋଚ ଲାଗିବ ଏବଂ ଶେଷକୁ ଆମ ବୋଇତ ଅଟକିଯିବ । ମୁଁ ଆମ ସଂପ୍ରଦାୟକୁ ସାଧାରଣ କାମପାଇଁ ପ୍ରତିବର୍ଷ ତିନିଶହ ପାଉଣ୍ଡରୁ ଢେର ବେଶୀ ଖର୍ଚ୍ଚ କରେଇବି ।’’

‘‘ଆମେ ସବୁ ଏ କେତେଦିନ ମଧ୍ୟରେ ଆପଣଙ୍କୁ ବେଶ୍‌ ଚିହ୍ନିଗଲୁଣି । ଆପଣଙ୍କୁ କଣ ନିଜଲାଗି ପଇସା ମାଗିବାକୁ ପଡ଼ିବ ? ଆମ ସକାଶେ ଯଦି ଆପଣ ଏଠାରେ ରହିବେ, ତେବେ ଆପଣଙ୍କ ଖରଚ ଯୋଗାଇବା କଣ ଆମ୍ଭମାନଙ୍କର ଉଚିତ ନୁହେଁ ?’’

‘‘ଆପଣମାନଙ୍କର ମୋ ପ୍ରତି ସ୍ନେହ ଅଛି, କାର୍ଯ୍ୟରେ ଉତ୍ସାହ ଅଛି ବୋଲି ସିନା ଏପରି କହୁଛନ୍ତି; ମାତ୍ର ଏଇ ସ୍ନେହ ଉତ୍ସାହ ଯେ ସବୁଦିନେ ରହିବ, ଏହା କିପରି କହିହେବ ? କେବେ କେବେ ମତେ ଆପଣଙ୍କୁ କଟୁକଥା କହିବାକୁ ପଡ଼ିବ । ସେତେବେଳେ ମୁଁ ଆପଣମାନଙ୍କର ସ୍ନେହ ବଜାଇ ରଖି ପାରିବ କି ନା, ତା ଭଗବାନ ଜାଣନ୍ତି । ମାତ୍ର ସାଧାରଣ କାମ ପାଇଁ ମୁଁ ପଇସା ନେବି ନାହିଁ, ଏହା ସଫା କଥା । ଆପଣମାନେ ନିଜ ନିଜର ସବୁ ଓକିଲାତି କାମ ମତେ ଦେବେ ବୋଲି ସ୍ଥିର କରନ୍ତୁ, ସେତିକି ମୋ ପକ୍ଷରେ ଯଥେଷ୍ଟ ହେବ । ସମ୍ଭବତଃ ତାହା ଆପଣମାନଙ୍କ ଉପରେ ବି ବୋଝ ହେବ । ମୁଁ ତ ଅବଶ୍ୟ ଗୋରା ବାରିଷ୍ଟର ନୁହେଁ । ହାକିମ ମତେ ଡିଗ୍ରୀ ଦେବେ କି ନାହିଁ, ତାହା ମୁଁ କେମିତି ଜାଣିବି ? ଏହା ଛଡ଼ା ମୁଁ ଯେ ଓକିଲାତି କାମ ଭଲ ଭାବରେ କରିପାରିବି,ଏଥିରେ ବା ଥୟ କଣ ? ତେଣୁ ପ୍ରଥମେ ପ୍ରଥମେ ମୋତେ ଓକିଲ ଫିସ୍‌ ଦେବା ମଧ୍ୟ ଆପଣମାନଙ୍କ ପକ୍ଷରେ ଏକ ବିପଦ ମୁଣ୍ଡାଇବା ପରି ହେବ । ଯାହାହେଉ ଆପଣମାନେ ଯଦି ମୋତେ ସେତିକି ଦିଅନ୍ତି, ମୋ ସାଧାରଣ କାର୍ଯ୍ୟର ତାହାହିଁ ପୁରସ୍କାର ବୋଲି ମନେ କରିବି ।’’

ଏଇଭଳି ଆଲୋଚନା କରୁ କରୁ ଫଳ ଏଇଆ ହେଲା ଯେ, କୋଡ଼ିଏ ଜଣ ଖଣ୍ଡେ ବେପାରୀ ଏକାବେଳକେ ବର୍ଷକର ପଡ଼ି ଦେଇଦେଲେ । ଏହା ବାଦ୍‌ ଦାଦା ଅବଦୁଲା ମୋ ବିଦାୟବେଳେ ମତେ ଯେଉଁ ଟଙ୍କା ଥଳୀଟିଏ ଉପହାର ଦେଇଥାନ୍ତେ, ସେତକ ଖର୍ଚ୍ଚ କରି ମୋ ପାଇଁ ଆବଶ୍ୟକୀୟ ଆସବାବ୍‌ କିଣିଦେଲେ ।

ମୁଁ ସ୍ଥାୟୀ ଭାବରେ ନାତାଲରେ ରହିଲି ।

 

ବର୍ଣ୍ଣ ଦୋଷ

 

ଅଦାଲତ ବା ବିଚାରାଳୟର ପ୍ରତୀକ ଗୋଟିଏ ନିକିତି । ତାକୁ ଧରିଛି ଗୋଟିଏ ନିରପେକ୍ଷ, ଅନ୍ଧୁଣୀ ଅଥଚ ବିଜ୍ଞ ବୁଢ଼ୀ । ବିଧାତା ତାକୁ ଜାଣି ଶୁଣି ଅନ୍ଧ କରି ଦେଇଛି, ଯେଉଥିପାଇଁ କି ସେ ମୁହଁ ଦେଖି ଜୟମାଲ୍ୟ ଦେଇପାରିବ ନାହିଁ । କିନ୍ତୁ ଯେ ଗୁଣରେ ଯୋଗ୍ୟ ଥିବ, ତାକୁ ହିଁ ଜିତେଇଦେବ । ଏହି ମୂଳନୀତିକୁ ଳଙ୍ଘନ କରିବା ଓ ଏହାର ପ୍ରତୀକକୁ ଅପ୍ରମାଣ କରିବା ପାଇଁ ନାତାଲରେ ଆଇନ ପରିଷଦ ସେଠାକାର ପ୍ରଧାନ ବିଚାରାଳୟକୁ ପ୍ରରୋଚିତ କରିବାକୁ ବାହାରିଥିଲେ ।

 

ଏଠାକାର ପ୍ରଧାନ ବିଚାରାଳୟରେ ଆଇନ ବ୍ୟବସାୟୀ ଭାବରେ ସନନ୍ଦ ପାଇବା ପାଇଁ ମୁଁ ଦରଖାସ୍ତ କଲି । ମୋ ପାଖରେ ବମ୍ବେ ଅଦାଲତର ପ୍ରମାଣପତ୍ର ମଧ୍ୟ ଥାଏ । ବିଲାତର ପ୍ରମାଣପତ୍ର ବମ୍ବେ ଅଦାଲତରେ ଦାଖଲ ହୋଇଥାଏ । ଏ ଦରଖାସ୍ତ ସଙ୍ଗେ ଉତ୍ତମ ଆଚରଣରେ ଦୁଇଖଣ୍ଡି ସାର୍ଟିଫିକେଟ ଦାଖଲ କରିବାକୁ ପଡ଼େ । ମୁଁ ବିଚାରିଲି, ଏ ପ୍ରମାଣପତ୍ର ଗୋରାଙ୍କର ହେଲେ ଠିକ୍‌ କାମରେ ଆସିବ । ସେଥିପାଇଁ ଅବଦୁଲା ଶେଠଙ୍କ ଜରିଆରେ ମୋର ପରିଚିତ ଦୁଇଜଣ ଗୋରା ବେପାରୀଙ୍କ ପ୍ରମାଣପତ୍ର ସଂଗ୍ରହ କରିଥାଏ । ଦରଖାସ୍ତ କୌଣସି ଓକିଲଙ୍କ ଦ୍ୱାରା ପେଶ୍‌ କରାଯିବାର ବିଧି, ସାଧାରଣ ନିୟମରେ ଏପରି ଦରଖାସ୍ତ ଏଟର୍ଣ୍ଣି ଜେନେରାଲ କରିଥାନ୍ତି । ସେ ଅବଦୁଲା ଶେଠଙ୍କର ଓକିଲ ଥିଲେ ବୋଲି ଆମେ ଜାଣିଛୁ । ମୁଁ ତାଙ୍କ ସଙ୍ଗେ ଦେଖା କଲାରୁ ସେ ଆନନ୍ଦରେ ଦରଖାସ୍ତ କରିବାକୁ ରାଜି ହୋଇଗଲେ ।

 

ଏତିକିରେ ହଠାତ୍‌ ଏଠା ଓକିଲ ସଭା ତରଫରୁ ମୋ ପାଖକୁ ଏକ ନୋଟିସ୍‌ ଆସିଥିଲା-। ମୋର ଆଇନ୍‌ ବ୍ୟବସାୟୀ ଭାବରେ ପ୍ରବେଶ ବିରୁଦ୍ଧରେ ଆପତ୍ତି ଉଠାଇବା କଥା ଏ ନୋଟିସ୍‌ରେ ଥାଏ । କାରଣ କଣ ନା, ମୁଁ ଦରଖାସ୍ତ ସଙ୍ଗରେ ଅସଲ ପ୍ରମାଣପତ୍ରକୁ ସାମିଲ କରିନାହିଁ । ଅସଲ କଥା ଓକିଲଙ୍କ ଅଦାଲତରେ ନାଁ ଦରଜ କରିବା ସମ୍ବନ୍ଧରେ ଯେତେବେଳେ ଆଇନ ଗଢ଼ାହେଲା, ସେତେବେଳେ କଳ୍ପନା ନ ଥିଲା ଯେ, କେବେ ପୁଣି ‘‘କଳା ବା ହଳଦିଆ’’ ଲୋକ କେହି ଏଥିପାଇଁ ଦରଖାସ୍ତ କରିବେ । ନାତାଲ, ଗୋରାଙ୍କ ସାହସ ଓ ଉଦ୍ୟମରେ ବଡ଼ ହୋଇଛି ସେଥିପାଇଁ ସେଠାରେ ଗୋରାଙ୍କ ପ୍ରାଧାନ୍ୟ ରହିବା ଉଚିତ୍‌ । ଯେବେ କଳା ଓକିଲ ପଶିଯିବେ, ତେବେ ଗୋରାଙ୍କ ପ୍ରାଧାନ୍ୟ ଧୀରେ ଧୀରେ କମିଯିବ । ସେମାନଙ୍କର ଆତ୍ମରକ୍ଷା ପାଇଁ ଯେଉଁ ଭେଦ-ବାଡ଼ ପକାଇଛନ୍ତି, ତାହା ଭାଙ୍ଗିପଡ଼ିବ ।

 

ଏହି ଆପତ୍ତି ପେଶ୍‌ କରିବାକୁ ଓକିଲସଭା ଜଣେ ବିଖ୍ୟାତ ଓକିଲଙ୍କୁ ନିଯୁକ୍ତ କରିଥାନ୍ତି । ଏ ଓକିଲଙ୍କର ଦାଦା ଅବଦୁଲା ସଙ୍ଗେ ସମ୍ବନ୍ଧ ଥାଏ । ତାଙ୍କର ଜରିଆରେ ସେ ମତେ ଡକାଇ ପଠାଇଲେ । ମୋ ସହିତ ଖୋଲାଖୋଲି କଥାବାର୍ତ୍ତା କଲେ । ମୋ ନିଜ ବିଷୟରେ ସେ ଯାହା ମତେ ପଚାରିଲେ, ମୁଁ ସବୁ କହିଗଲି । ପରେ ସେ କହିଲେ, ‘‘ମୋର ତୁମ ବିରୁଦ୍ଧରେ କିଛି କହିବାର ନାହିଁ । ମୋର ଆଶଙ୍କା ଥିଲା ଯେ, ତୁମେ ହୁଏତ ସେଠାରେ ଜନ୍ମ ହୋଇଥିବା ଜଣେ ଧୂର୍ତ୍ତ ଲୋକ । ପୁଣି ତୁମ ପାଖରେ ତୁମର ଅସଲ ପ୍ରମାଣ ପତ୍ରଟି ନ ଥିଲା । ସେଥିପାଇଁ ମୋର ସନ୍ଦେହ ବଢ଼ିଥିଲା । ଏମିତି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ କି ପରର ପ୍ରମାଣପତ୍ର ବ୍ୟବହାର କରିଥାନ୍ତି । ତୁମେ ଗୋରାମାନଙ୍କ ପ୍ରମାଣପତ୍ର ପେଶ୍‍ କରିଛ । ମୋ ମନ ସେଥିରେ ବୁଝୁନାହିଁ । ସେମାନେ ତୁମକୁ ଜାଣିବେ କୁଆଡ଼ୁ ? ସେମାନଙ୍କ ସଙ୍ଗରେ ତୁମର ପରିଚୟ ବା କେତେ ଦିନର-?’’

 

ମୁଁ କହିଲି, ‘‘ଏଠାରେ ପ୍ରତ୍ୟେକ ଲୋକ ତ ଆମର ଅପରିଚିତ । ଏପରି କି ଶେଠ ଅବଦୁଲା ମଧ୍ୟ ମତେ ପ୍ରଥମେ ଏଇଠି ହିଁ ଚିହ୍ନିଲେ ।’’

 

‘‘ହଉ, ତୁମେ ତ କହୁଛ ଯେ ସେ ଅବଶ୍ୟ ତୁମ ନିଜ ଗାଁର ଲୋକ । ତୁମ ପିତା ସେଠାକାର ଦେଓ୍ୱାନ ଥିଲେ; ସେଥିଯୋଗୁଁ ସେ ଅବଶ୍ୟ ତୁମ୍ଭ କୁଟୁମ୍ବଙ୍କୁ ଜାଣିଥିବେ । ତାଙ୍କର ହଲପ୍‌ନାମା (ଆଫିଡ଼େବିଟ୍‌) ତୁମେ ଦାଖଲ କରିଦିଅ । ତାହା ହେଲେ ମୋର କିଛି କହିବାର ନ ଥିବ । ମୁଁ ଓକିଲ ସଭାକୁ ଲେଖି ପଠାଇବି ଯେ, ମୋ ଦ୍ୱାରା ସେ ଆପତ୍ତିର ସମର୍ଥନ କରିହେବ ନାହିଁ ।’’

 

ମୋ ମନରେ ରାଗ ହେଲା । ମୁଁ ସମ୍ଭାଳିଗଲି । ମୋ ମନରେ ଏହି କଥା ଆସିଲା ଯେ ଯଦି ମୁଁ ଅବ୍‌ଦୁଲା ଶେଠଙ୍କ ପ୍ରମାଣପତ୍ର ଦାଖଲ କରିଥାନ୍ତି, ତେବେ ଏମାନେ ତାକୁ ଉଡ଼ାଇ ଦେଇ କୌଣସି ଗୋରାଙ୍କର ପରିଚୟପତ୍ର ଲୋଡ଼ିଥାନ୍ତେ । ପୁଣି ମୋ ଜନ୍ମ ସହିତ ମୋ ଓକିଲାତି ଯୋଗ୍ୟତାର ସମ୍ବନ୍ଧ ବା କଣ ? ମୁଁ ଦୁଷ୍ଟ କିମ୍ବା ଗରିବ ବାପମା’ଙ୍କର ପୁଅ ହୋଇ ପାରିଥାଏ । ମାତ୍ର ମୋର ଓକିଲାତି ଯୋଗ୍ୟତା ପରୀକ୍ଷାରେ ସେ ସବୁ ବିଷୟ ଉଠିବ କାହିଁକି ? ଯାହାହେଉ ଏସବୁ ଚିନ୍ତାକୁ ସମ୍ଭାଳି ନେଇ ମୁଁ ଉତ୍ତର ଦେଲି—‘‘ଯଦିବା ଏଭଳି ସମ୍ବାଦ ଲୋଡ଼ିବାର ଅଧିକାର ଓକିଲ ସଭାରେ ଅଛି, ମୁଁ ମାନୁନାହିଁ । ତଥାପି ଆପଣଙ୍କ ଇଚ୍ଛାଯୋଗୁଁ ସେପରି ହଲାପନାମା ଦାଖଲ କରିବାକୁ ମୁଁ ପ୍ରସ୍ତୁତ ଅଛି ।’’

 

ଅବଦୁଲା ଶେଠଙ୍କର ହଲପନାମା ଲେଖାଇ ନେଇ ସେ ଓକିଲଙ୍କୁ ଦେଇଦେଲି । ସେ ସନ୍ତୁଷ୍ଟ ହୋଇଗଲେ । କିନ୍ତୁ ଓକିଲସଭା ସନ୍ତୁଷ୍ଟ ହେଲେ ନାହିଁ । ସେମାନେ ତ ଅଦାଲତରେ ମୋର ନାମ ଦରଜ ବିରୁଦ୍ଧରେ ଆପତ୍ତି ଦାଖଲ କରିଥାନ୍ତି—ସନ୍ତୁଷ୍ଟ ହୁଅନ୍ତେ ବା କିପରି ? ଅଦାଲତ କିନ୍ତୁ ମି: ଏସ୍କମ୍ବଙ୍କର ଜବାବ ଆଦୌ ନ ଶୁଣି ଆପତ୍ତିକୁ ନାମଞ୍ଜୁର କରିଦେଲେ । ପ୍ରଧାନ ବିଚାରପତି କହିଲେ—

 

‘‘ଦରଖାସ୍ତକାରୀ ଅସଲ ପ୍ରମାଣପତ୍ର ଦାଖଲ କରି ନାହାନ୍ତି, ଏ ଯୁକ୍ତିରେ କିଛି ସାର ନାହିଁ । ସେ ଯଦି ମିଛ ଆଫିଡ଼େବିଟ୍‌ କରିଥାନ୍ତି, ତେବେ ତାଙ୍କ ଉପରେ ଫୌଜଦାରୀ ଚଳିବ ଏବଂ ତାଙ୍କ ନାମ ଓକିଲ ଖାତାରୁ ଖାରଜ ହୋଇଯିବ । ଅଦାଲତର ଆଇନରେ କଳା ଗୋରାଙ୍କ ଭେଦ ନାହିଁ । ଗାନ୍ଧୀଙ୍କ ଦରଖାସ୍ତ ମଞ୍ଜୁର କରାଗଲା । ମି. ଗାନ୍ଧୀ, ଆପଣ ଏବେ ଶପଥ ଗ୍ରହଣ କରି ପାରନ୍ତି ।’’

 

ମୁଁ ଉଠି ଠିଆ ହେଲି । ରେଜିଷ୍ଟ୍ରାରଙ୍କ ଆଗରେ ଶପଥ ଗ୍ରହଣ କଲି । ଶପଥ ନେବା ସଙ୍ଗେ ସଙ୍ଗେ ପ୍ରଧାନ ବିଚାରପତି କହିଲେ,—

 

‘‘ମିଷ୍ଟର ଗାନ୍ଧୀ ! ଆପଣ ବର୍ତ୍ତମାନ ମୁଣ୍ଡରୁ ପଗଡ଼ି କାଢ଼ି ଦିଅନ୍ତୁ । ଏଠାରେ ବ୍ୟବସାୟୀ ଓକିଲଙ୍କ ପାଇଁ ପୋଷାକ ପରିଚ୍ଛେଦ ବିଷୟରେ ଅଦାଲତରେ ଯେଉଁ ନିୟମ ଅଛି; ଆପଣଙ୍କୁ ତାହା ମାନିବାକୁ ପଡ଼ିବ ।’’

 

ମୁଁ ମୋର ସୀମା ବୁଝିପାରିଲି । ଡରବାନ୍‌ର ମାଜିଷ୍ଟ୍ରେଟ୍‌ଙ୍କ ଇଜଲାସରେ ଯେଉଁ ପଗଡ଼ି ପିନ୍ଧି ରହିବାକୁ ମୁଁ ଆଗ୍ରହ ପ୍ରକାଶ କରୁଥିଲି, ଏଠି ସେହି ପଗଡ଼ି କାଢ଼ିଲି । ଏପରି ପଗଡ଼ି କାଢ଼ିବା ବିରୁଦ୍ଧରେ ଯୁକ୍ତି ଥିଲା ସତ; ମାତ୍ର ମୁଁ ବିଚାରିଥିଲି ଏହାଠାରୁ ବଳି କେତେ କଠୋର ଲଢ଼େଇ ମତେ କରିବାକୁ ପଡ଼ିବ । ସେଥିପାଇଁ ମୋର ଶକ୍ତି ସଞ୍ଚୟ କରିବାର କଥା । ପଗଡ଼ି ବାନ୍ଧିବାକୁ ଜିଦ୍‌ ଧରିଲେ ସେ ସବୁ ଲଢ଼େଇରେ ଆଞ୍ଚ ଲାଗିବ ।

 

ଅବଦୁଲା ଶେଠ ଓ ଆଉ ବନ୍ଧୁଯାକ ମୋର ଏପରି ନରମପଣିଆକୁ ପସନ୍ଦ କଲେ ନାହିଁ-। ସେମାନଙ୍କ ମତରେ ଓକିଲ ଥାଇ ସୁଦ୍ଧା ମୋର ମୁଣ୍ଡରେ ପଗଡ଼ି ରଖିବା ଉଚିତ । ମୁଁ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କଲି । କଥାରେ ଅଛି, ‘ଯେ ଦେଶ ଯାଇ ସେ ଫଳ ଖାଇ’ ଏ ଉକ୍ତିର ରହସ୍ୟ ଭଲକରି ବୁଝାଇଦେଲି । ଭାରତ ବର୍ଷରେ ଗୋରା ହାକିମ ବା କର୍ମଚାରୀ ଯଦି ପଗଡ଼ି କାଢ଼ିବାକୁ ବାଧ୍ୟ କରନ୍ତି, ତେବେ ତାହାର ବିରୋଧ କରିବା ଦରକାର । ନାତାଲ ଭଳି ଦେଶରେ ଭଳି ଆଉ ସେଠା ଅଦାଲତରେ ଜଣେ ହୋଦାଲ ବାଲା ବାରିଷ୍ଟର ଭଳି ମୋର ଏ ଅଦାଲତ ପ୍ରଥାର ଅବମାନନା କରିବା ଶୋଭା ପାଇବ ନାହିଁ ।

 

ଏଇ ସବୁ କାରଣ ଓ ଯୁକ୍ତି ଦେଖାଇ ମୁଁ ମୋର ବନ୍ଧୁମାନଙ୍କୁ ସାନ୍ତ୍ୱନା ଦେଲି । ଏ ଘଟଣାରେ ଦେଶକାଳ ପାତ୍ର ବିଚାରି କାର୍ଯ୍ୟ କରିବା ଉଚିତ୍‌ ବୋଲି ମୁଁ ଯାହା କହିଲି, ବୋଧହୁଏ ସେଥିରେ ସେମାନଙ୍କର ହୃଦବୋଧ ହେଲାନାହିଁ । କିନ୍ତୁ ମୋ ଜୀବନରେ ଆଗ୍ରହ ଓ ଅନାଗ୍ରହ, ଜିଦ୍‌ ଧରିବା ଓ ରାଜି ହୋଇଯିବା ପ୍ରବୃତ୍ତି ଦୁଇଟି ସବୁଦିନ ବରାବର ଚଳି ଆସୁଛି । ସତ୍ୟାଗ୍ରହରେ ଏହା ନ ହୋଇ ରହିପାରିବ ନାହିଁ ବୋଲି ପରେ ମୁଁ ଅନେକ ଥର ଅନୁଭବ କରିଛି । ଏହା ରଫା କରିବା ମନୋଭାବ ଓ ସମାଧାନ ପ୍ରବୃତ୍ତି ଯୋଗୁଁ ମୋ ଜୀବନରେ ବହୁବାର ବିପଦ ଓ ବନ୍ଧୁମାନଙ୍କର ଅସନ୍ତୋଷ ବରଣ କରିବାକୁ ପଡ଼ିଛି । ସତ୍ୟ ବଜ୍ରଠାରୁ କଠିନ ଏବଂ କମଳ ପରି କୋମଳ ।

 

ଓକିଲ ସଭାରେ ଏ ବିରୋଧ ଦକ୍ଷିଣ ଆଫ୍ରିକାରେ ମୋର ଦ୍ୱିତୀୟ ବିଜ୍ଞାପନର କାମ କରିଥିଲା । କେତେକ ଖବରକାଗଜ ଏଭଳି ବିରୋଧରେ ନିନ୍ଦା କରିଥିଲେ ଏବଂ ଓକିଲ ସଭା ଉପରେ ଈର୍ଷାର ଅଭିଯୋଗ ଆଣିଥିଲେ । ଯାହାହେଉ ଏପରି ବିଜ୍ଞାପନ ଦ୍ୱାରା ମୋ କାମ କେତେକ ପରିମାଣରେ ସରଳ ହୋଇଯାଇଥିଲା ।

 

ନାତାଲ ଭାରତୀୟ କଂଗ୍ରେସ

 

ମୁଁ ବାରିଷ୍ଟରୀ କଲି ସତ; କିନ୍ତୁ ସେଇଟା ମୋର ମୁଖ୍ୟ କାର୍ଯ୍ୟ ନ ଥାଏ । ମୋର ନାତାଲରେ ରହିବାକୁ ସାର୍ଥକ କରିବା ପାଇଁ ସାଧାରଣ କାମରେ ତନ୍ମୟ ହୋଇଯିବା ଉଚିତ୍‌ । ‘ଭାରତୀୟ ମତାଧିକାର’ ବିରୋଧୀ ଆଇନ୍‌ ବିରୁଦ୍ଧରେ କେବଳ ଦରଖାସ୍ତଟିଏ କରିଦେଇ ବସିଗଲେ ଚଳିବ ନାହିଁ । କ୍ରମାଗତ ଆନ୍ଦୋଳନ ଦରକାର । ତାହାହେଲେ ଔପନିବେଶିକ ମନ୍ତ୍ରୀଙ୍କ ନାମରେ ମନରେ ବିଶ୍ୱାସ ଜନ୍ମିବ ଓ ତାଙ୍କ ଉପରେ ଆନ୍ଦୋଳନର ପ୍ରଭାବ ପଡ଼ିବ । ଏଥିପାଇଁ ଗୋଟିଏ ସ୍ଥାୟୀ ଅନୁଷ୍ଠାନ ଗଢ଼ିବାର ଆବଶ୍ୟକତା ଅନୁଭବ କଲୁ । ମୁଁ ଶେଠ ଅବଦୁଲାଙ୍କ ସଙ୍ଗେ ସେ ବିଷୟରେ ପରାମର୍ଶ କଲି । ଅନ୍ୟ ସହକର୍ମୀମାନଙ୍କୁ ଦେଖା କଲି । ସମସ୍ତଙ୍କର ନିଷ୍ପତ୍ତି ହେଲା–‘ହଁ ଗୋଟିଏ ସ୍ଥାୟୀ ଅନୁଷ୍ଠାନ ରଖାଯାଉ ।’

 

ଅନୁଷ୍ଠାନର ନାମକରଣ ପାଇଁ ଟିକିଏ ଧର୍ମ-ସଙ୍କଟ ପଡ଼ିଲା । ଏ ଅନୁଷ୍ଠାନର କୌଣସି ଦଳପ୍ରତି ପକ୍ଷପାତ କରିବା ଉଚିତ୍‌ ନ ଥିଲା । ମହାସଭା (କଂଗ୍ରେସ) ନାମଟି ପୁରୁଣା କଞ୍ଜରଭେଟିଭ୍ ଦଳଙ୍କୁ ରୁଚେ ନାହିଁ ବୋଲି ମତେ ଜଣାଥାଏ । କିନ୍ତୁ କଂଗ୍ରେସ ମହସଭା ଭାରତର ପ୍ରାଣ । ତାହାର ଶକ୍ତି ବଢ଼ିବା ଉଚିତ । ସେ ନାମକୁ ଲୁଚାଇବାରେ କିମ୍ବା ସେପରି ନାମକରଣ ବରିବାରେ ସଂକୋଚ ବୋଧ କରିବା ଦ୍ୱାରା କାପୁରୁଷତାର ଗନ୍ଧ ଟିକିଏ ଆସିଯାଏ । ସେଥିପାଇଁ ମୁଁ ମୋର ସମସ୍ତ ଯୁକ୍ତି ଖଟାଇ ଆମର ସେ ଅନୁଷ୍ଠାନକୁ କଂଗ୍ରେସ ନାମ ଦେବା ଲାଗି ପ୍ରସ୍ତାବ କଲି । ୧୮୯୪ ମଇମାସ ୨୨ ତାରିଖ ଦିନ ‘ନାତାଲ ଭାରତୀୟ କଂଗ୍ରେସ’ର ଜନ୍ମ ହେଲା ।

 

ସେ ଦିନ ଦାଦା ଅବଦୁଲାଙ୍କ ଘରର ଉପର ମହଲଟା ପୂରି ଯାଇଥାଏ । ଲୋକେ ଉତ୍ସାହର ସହିତ ଏ ଅନୁଷ୍ଠାନକୁ ସ୍ୱାଗତ କଲେ । ଏହାର ବିଧି ବିଧାନ ଖୁବ୍‌ ସାଦାସିଧା ରଖାଗଲା । ମାତ୍ର ସଭ୍ୟ ଫିସ୍‌ ଖୁବ୍‌ କଡ଼ା ରହିଲା । ପ୍ରତି ମାସରେ ଅନ୍ତତଃ ୫ ଶିଲିଂ ଯେ ଦେବ, ସେ ସଭ୍ୟ ହୋଇପାରିବ । ଆମେ ଧନୀଲୋକଙ୍କୁ ଭଳାଭଳି କଲୁ, କହିଲୁ—‘ତୁମେ ଯେତେ ପାରୁଛ ଦିଅ ।’ । ଅବ୍‌ଦୁଲା ଶେଠଙ୍କଠୁଁ ମାସିକ ଦୁଇ ପାଉଣ୍ଡ ଚାନ୍ଦା ଲେଖେଇ ନେଲୁ । ଆଉ ଦୁଇଜଣ ମଧ୍ୟ ସେତିକି ଲେଖାଏଁ ଲେଖିଦେଲେ । ମୁଁ ନିଜେ ପ୍ରତିମାସରେ ଏକପାଉଣ୍ଡ ଚାନ୍ଦା ଦେବାକୁ ଲେଖିଦେଲି । ନିଜକୁ ବୀମା କଲାଭଳି ଏହା ମୋତେ ବୋଧ ହେଲା ସତ; ତଥାପି ମୁଁ ଭାବିଲି ମୋର ଖର୍ଚ୍ଚ ଚଳାଇବାକୁ ହବ ତ ମାସକୁ ଏକ ପାଉଣ୍ଡ ଦେବାଟା ଅଧିକ ହେବ ନାହିଁ । ଭଗବାନ୍‌ ମୋ ଗାଡ଼ି ଚଳେଇ ଦେଲେ । ମୋ ପଛକୁ ପଛ ଅନେକ ଗୁଡ଼ିଏ ମାସକୁ ଏକ ପାଉଣ୍ଡ ଦେଲାବାଲା ସଭ୍ୟ ବାହାରି ପଡ଼ିଲେ । ମାସିକ ଦଶ ଶିଲିଂ ଦେବାବାଲାଙ୍କ ସଂଖ୍ୟା ସେଥିରୁ ବଳିପଡ଼ିଲା । ଏହାଛଡ଼ା ସଭ୍ୟ ନ ହୋଇ ଦାନ ସ୍ୱରୂପ ଯେ ଯେତେ ଦେଲେ, ସେ ସବୁ ଆମେ ଆନନ୍ଦରେ ଗ୍ରହଣ କଲୁ ।

 

କାର୍ଯ୍ୟକ୍ଷେତ୍ରରେ ଦେଖିଲୁ ବିନା ତାଗଦାରେ ମାସକୁ ମାସ ଚାନ୍ଦା ଆଦାୟ ହେବା ଅସମ୍ଭବ । ସେଥିରେ ପୁଣି ଡରବାନ୍‌ ସହର ବାହାରେ ଥିବା ସଭ୍ୟମାନଙ୍କ ପାଖକୁ ବାରମ୍ବାର ଦୌଡ଼ିବା ଏକ ଅସମ୍ଭବ ବ୍ୟପାର । ପ୍ରତ୍ୟେକ କାମରେ ଆରମ୍ଭ ବେଳର ଆଗ୍ରହ ଉତ୍ସାହ ପରମୁହୂର୍ତ୍ତକୁ ନ ଥାଏ । ଏପରି କି ସେହି ଡରବାନ୍‌ ସହର ସଭ୍ୟମାନଙ୍କୁ ଚାନ୍ଦା ଦେବାପାଇଁ କେତେ ଯେ ଗାଧୋଇବାକୁ ପଡ଼େ, ତାର ସୀମା ନାହିଁ ।

 

ମୁଁ କଂଗ୍ରେସର ସଂପାଦକ ଥିଲି ବୋଲି ଚାନ୍ଦା ଆଦାୟର ଭାର ମୋରି ଉପରେ ଥାଏ । ଏପରି ହେଲା ଯେ, ମତେ ମୋର କିରାଣୀଙ୍କୁ ଦିନତମାମ ଚାନ୍ଦା ଆଦାୟ କାମରେ ଲଗାଇବାକୁ ପଡ଼ିଲା । କିରାଣୀ ବିଚରାକୁ ବଡ଼ ବିରକ୍ତ ଲାଗିଲା । ମୁଁ ଦେଖିଲି, ଏ କାମ ଏମିତି ଚଳିବ ନାହିଁ । ମାସିକିଆ ଚାନ୍ଦାକୁ ବଦଳାଇ ବର୍ଷିକିଆ କରାହେବ । ପୁଣି ସେତକ ଆଗତୁରା ଆଦାୟ ହେବ । ଏହିପରି ଭାବି ମୁଁ କଂଗ୍ରେସର ଗୋଟିଏ ବୈଠକ ଡାକିଲି । ସମସ୍ତେ ମୋ ପ୍ରସ୍ତାବକୁ ପସନ୍ଦ କଲେ-। ସେଥିରେ ସ୍ଥିର ହେଲା, ଖୁବ୍‌କମରେ ବର୍ଷକୁ ତିନି ପାଉଣ୍ଡରୁ କେହି କମ୍‌ଚାନ୍ଦା ଦେବେ ନାହିଁ । ଏହିପରି ଭାବରେ ଚାନ୍ଦା ଆଦାୟର ଗୋଟିଏ ସୁବ୍ୟବସ୍ଥା ହୋଇଗଲା ।

 

ମୁଁ ମୂଳରୁ ବୁଝିଥିଲି, ସାଧାରଣ କାମକୁ ଧାର କରଜ କରି ଚଳେଇବା ଠିକ୍‌ ନୁହେଁ । ଲେଖି ଦେଇଥିବା ଚାନ୍ଦା ଟଙ୍କା ଆଦାୟ ଦେବା ବେଳକୁ ଲୋକଙ୍କର କର୍ତ୍ତବ୍ୟଜ୍ଞାନ ଢିଲା ହୋଇଯାଏ । ଏତିକି ମୁଁ ଜାଣିଥାଏ । ନାତାଲ ଭାରତୀୟମାନେ ସେଥିରୁ ବାହାର ନୁହନ୍ତି । ତେଣୁ ହାତରେ ପଇସା ନ ଧରି କିଛି କାମ କରାଯିବ ନାହିଁ, ଏହି ନୀତି ଧରିବାରୁ ନାତାଲ ଭାରତୀୟ କଂଗ୍ରେସକୁ କେବେ ଉଧାର କରିବାକୁ ପଡ଼ିନାହିଁ ।

 

ସଭ୍ୟ ସଂଖ୍ୟା ବଢ଼ାଇବା ଦିଗରେ ମୋର ସାଥୀମାନେ ଅସୀମ ଉତ୍ସାହ ଦେଖାଉଥିଲେ-। ଏ ଦିଗରେ ସେମାନଙ୍କର ଆଗ୍ରହରୁ ବହୁତ କିଛି ଶିଖିବାର ଥାଏ । ଅନେକ ଲୋକ ଖୁସି ହୋଇ ସଭ୍ୟ ତାଲିକାରେ ନାମ ଲେଖାଇ ନଗଦ ଚାନ୍ଦା ସବୁ ଦେଇଦେଲେ । ଦୂର ଗାଁମାନଙ୍କରେ କାମ କରିବା ଅବଶ୍ୟ କଷ୍ଟକର ହେଉଥିଲା । ଲୋକେ ସାଧାରଣ କାମ କଅଣ ବୁଝୁ ନଥାନ୍ତି । ବହୁତ ଦୂରରୁ ଲୋକେ ଆମକୁ ଯିବାପାଇଁ ନିମନ୍ତ୍ରଣ କରୁଥାନ୍ତି । ସ୍ଥାନୀୟ ମୁଖିଆ ବେପାରୀମାନେ ଅତିଥି ସତ୍‌କାର ଆୟୋଜନ ମଧ୍ୟ କରୁଥାନ୍ତି ।

 

ଏଭଳି ଗସ୍ତ କରୁଥିଲାବେଳେ ଥରେ ଆମେ ଗୋଟିଏ ଅସୁବିଧାରେ ପଡ଼ିଥିଲୁ । ଆମେ ଯାଇ ଜଣଙ୍କ ଦୁଆରେ ପହଞ୍ଚିଲୁ । ସେଠୁ ନିଶ୍ଚୟ ଛଅ ପାଉଣ୍ଡ ଚାନ୍ଦା ପାଇବାକୁ ଆମେ ଆଶା କରିଥାଉ; ମାତ୍ର ସେ ତିନି ପାଉଣ୍ଡରୁ ଉପରକୁ ଉଠୁ ନ ଥାନ୍ତି । ତାଙ୍କଠୁଁ ସେତକ ନେଲେ ଅନ୍ୟମାନଙ୍କଠୁ ଆଉ ବେଶୀ ମିଳିବ ନାହିଁ, ଆମର ଚାନ୍ଦା ସଂଗ୍ରହ ବିଗିଡ଼ି ଯିବ । ସେତେବେଳକୁ ରାତି ବହୁତ ହେଲାଣି । ଆମେ ସବୁ ଭୋକରେ ଆଟପାଟୁ ହେଲୁଣି । କିନ୍ତୁ ସଭ୍ୟ ଚାନ୍ଦା ନ ମିଳିଲେ ଖାଉଛୁ ବା କେମିତି । ସେ ଭାଇଙ୍କ ପାଖରେ ନେହୁରା ହେଲୁ । ମାତ୍ର ସେ ଟିକିଏ ହେଲେ ଟଳିଲେ ନାହିଁ । ଗାଁର ଅନ୍ୟ ବେପାରୀମାନେ ତାଙ୍କୁ ବହୁତ ବୁଝାଇଲେ । ରାତି ତମାମ ଏଇ ରଦଖଦରେ ଗଲା । ଲୁହା କୋଚଟକୁ କମାର କୋଚଟ । ଆମେ ଛାଡ଼ୁ ନ ଥାଉ କି ସେ ବି ଛାଡ଼ୁ ନ ଥାନ୍ତି । ମୋ ସାଙ୍ଗମାନେ ମନେ ମନେ ରାଗିଯାଇ ମଧ୍ୟ ଅନୁନୟ ବିନୟ କରୁଥାନ୍ତି । ଠିକ୍‌ ଭୋର ବେଳକୁ ସେ ଭାଇ ଟିକିଏ ତରଳିଲେ । ଛଅ ପାଉଣ୍ଡ ଚାନ୍ଦା ସହ ଗ୍ରାସେ ଗ୍ରାସେ ଖାଇବାକୁ ଦେଲେ-। ଏହା ଟୋଙ୍ଗା ସହରର ଘଟଣା । କିନ୍ତୁ ଏହାର ହାଉଆ ଉତ୍ତରାଞ୍ଚଳରେ ଷ୍ଟାଙ୍ଗରଠାରୁ ସୁଦୂର ଚାର୍ଲସ ଟାଉନ୍‌ ପର୍ଯ୍ୟନ୍ତ ବାଜିଗଲା । ଏହା ଫଳରେ ଆମର ଚାନ୍ଦା ଆଦାୟ ମଧ୍ୟ ସହଜ ହୋଇଯାଇଥିଲା । ଏହା ବୋଲି କେବଳ ପାଣ୍ଠି ସଂଗ୍ରହ କରିବା ଆମର ଉଦ୍ଦେଶ୍ୟ ନ ଥାଏ । ଦରକାରଠୁଁ ଅଧିକ ପାଣ୍ଠି ଜମା କରିବା ଉଚିତ ନୁହେଁ, ଏ ଶିକ୍ଷା ମୁଁ ଆଗରୁ ପାଇଛି ।

 

ପ୍ରତି ସପ୍ତାହରେ ବା ପ୍ରତି ମାସରେ ଦରକାର ମୁତାବକ ସଭା ବସେ । ସେଥିରେ ପୂର୍ବ ବୈଠକର ବିବରଣୀ ପଢ଼ାଯାଏ ଏବଂ ଅନେକ ପ୍ରକାରର ଆଲୋଚନା ହୁଏ । ଆଲୋଚନା କଲାବେଳେ ଅଳ୍ପ ଅଥଚ ସାରଗର୍ଭ କଥା କହିବାର ଅଭ୍ୟାସ ଲୋକଙ୍କର ନ ଥାଏ । ଲୋକେ ଠିଆ ହୋଇ କହିବାକୁ ଡରନ୍ତି । ମୁଁ ସେମାନଙ୍କୁ ସଭା ସମିତିର ନିୟମ କଟକଣା ସବୁ ବୁଝାଇଲି । ସେମାନେ ସେ ସବୁ ମାନିଲେ ଏବଂ ବୁଝିପାରିଲେ ଯେ ଏହା ସେମାନଙ୍କ ପକ୍ଷରେ ଗୋଟିଏ ଶିକ୍ଷା-। ସେଥିରୁ ଏହି ଲାଭ ହେଲା ଯେ, ଯେଉଁମାନଙ୍କର ସାଧାରଣ ସଭାରେ କିଛି କହିବାର ଅଭ୍ୟାସ ଆଦୌ ନଥିଲା, ସେମାନେ ମଧ୍ୟ ଏହା ଫଳରେ ସାଧାରଣ ଘଟଣାରେ ଚିନ୍ତା କରିବା ଓ ବକ୍ତୃତା ଦେବାର ଅଭ୍ୟାସ ହାସଲ କଲେ ।

 

ମୁଁ ଜାଣେ, ସାଧାରଣ କାର୍ଯ୍ୟରେ ଖୁଚୁରା ଖର୍ଚ୍ଚ ବହୁତ ପଇସା ଟାଣିନିଏ । ସେଥିପାଇଁ ମୂଳରୁ ମୁଁ ରସିଦ ବହି ପର୍ଯ୍ୟନ୍ତ ଛପାଇ ନ ଥିଲି । ମୋ ଅଫିସରେ ଗୋଟିଏ ଲିଥୋ କଳ ଥାଏ । ସେଇଥିରେ ରସିଦ ଛପାଇ ଦିଏ । ବିବରଣୀ ମଧ୍ୟ ସେମିତି ଛପାଇ ଦିଏ । ଯେତେବେଳେ ପାଣ୍ଠିରେ ଟଙ୍କା ଜମାହେଲା, ସଭ୍ୟ ସଂଖ୍ୟା ବଢ଼ିଲା, ସେତେବେଳେ ଯାଇ ରସିଦ୍‌ ବହି ଛାପାଖାନାରେ ଛପାଇଲି । ପ୍ରତି ଅନୁଷ୍ଠାନରେ ଖର୍ଚ୍ଚ ବାର୍ଚ୍ଚ ପ୍ରତି ଏହିପରି ଦୃଷ୍ଟି ଦେବା ଉଚିତ୍‌ । ଅଥଚ ମୁଁ ଜାଣେ, ଅନେକ ଏହା କରନ୍ତି ନାହିଁ । ସେଇଥିପାଇଁ ମୁଁ ଛୋଟିଆ ନବଜାତ ଅନୁଷ୍ଠାନଟିର ସବିଶେଷ ହାଲ ଲେଖିବା ଉଚିତ ମନେ କରିଛି । ଲୋକେ ପଇସା ଦେଲାବେଳେ ରସିଦ ନେବାକୁ ମୋଟେ ଖାତିରି କରନ୍ତି ନାହିଁ । ତଥାପି ତାଙ୍କୁ ବଳେ ବଳେ ରସିଦ ଦିଆହୁଏ । ଏହର ଫଳରେ ମୂଳରୁ ପାହୁଲାଟିର ହିସାବ ମଧ୍ୟ ଠିକ୍‌ ରହେ । ମୋର ବିଶ୍ୱାସ ନାତାଲ ଇଣ୍ଡିଆ କଂଗ୍ରେସର ଅଫିସରେ ୧୮୯୪ ସାଲର ପୂରା ହିସାବ ଖାତା ସବୁ ଆଜି ମଧ୍ୟ ଦେଖିବାକୁ ମିଳିବ । ସାବଧାନତାର ସହିତ ହିସାବ କିତାବ ରଖିବା ଯେ କୌଣସି ଅନୁଷ୍ଠାନ ପକ୍ଷରେ ନିତାନ୍ତ ଆବଶ୍ୟକ-। ହିସାବ ନ ଥିଲେ ସେ ସବୁରେ ଲୋକଙ୍କର ବିଶ୍ୱାସ ହୁଏ ନାହିଁ । ଉପଯୁକ୍ତ ହିସାବ କିତାବ ବିନା ନର୍ମଳ ସତ୍ୟ ରକ୍ଷା ଅସମ୍ଭମ ।

 

କଂଗ୍ରେସର ଆଉ ଗୋଟିଏ ଅଙ୍ଗ ହେଉଛି, ଏ ଉପନିବେଶରେ ଜନ୍ମ ହୋଇଥିବା ଶିକ୍ଷିତ ଭାରତୀୟଙ୍କର ସେବା । ସେହି ଉଦ୍ଦେଶ୍ୟରେ ଏ କଂଗ୍ରେସର ବାହୁ ଛାୟାତଳେ ‘‘କଲୋନିଆଲ ବର୍ଣ୍ଣ ଇଣ୍ଡିଆନ ଏଡୁକେଶନାଲ ଆସୋସିଏସନ୍‌’’ ନାମକ ଏକ ଅନୁଷ୍ଠାନ ଗଢ଼ାହେଲା । ସେଥିରେ ଏହି ଯୁବକମାନେ ପ୍ରଧାନତଃ ସଭ୍ୟ ହେଉଥିଲେ । ସେମାନଙ୍କର ସଭ୍ୟ ଚାନ୍ଦା କମ୍‌ ‌ଥାଏ । ଏଥିରେ ସଭ୍ୟହେବା ଦ୍ୱାରା ସେମାନେ ଆପଣାର ଅଭାବ ବୁଝିପାରିଲେ ଏବଂ ସେମାନଙ୍କର ବିଚାର ଶକ୍ତି ବୃଦ୍ଧି ପାଇଲା । ବେପାରୀମାନଙ୍କ ସଙ୍ଗେ ସେମାନଙ୍କର ସମ୍ପର୍କ ବଢ଼ିଲା ଏବଂ ନିଜର ସେବା କରିବାକୁ ସେମାନଙ୍କୁ ଗୋଟିଏ ସୁଯୋଗ ଜୁଟିଗଲା ।

 

ଏ ଅନୁଷ୍ଠାନଟି ଗୋଟିଏ ଆଲୋଚନା ସଭାଭଳି ଥାଏ । ତାହାର ନିୟମିତ ବୈଠକ ହୁଏ-। ସେଥିରେ ସଭ୍ୟମାନେ ବିଭିନ୍ନ ବିଷୟରେ ବକ୍ତୃତା ଦିଅନ୍ତି । ପ୍ରବନ୍ଧ ପାଠ କରନ୍ତି । ସେଥିଲାଗି ଏ ଅନୁଷ୍ଠାନ ସଙ୍ଗରେ ଗୋଟିଏ ଛୋଟିଆ ଲାଇବ୍ରେରୀ ମଧ୍ୟ ରଖା ହୋଇଥାଏ ।

 

କଂଗ୍ରେସର ଜାତୀୟ ଅଙ୍ଗ, ସାଧାରଣରେ ପ୍ରଚାର କରିବା । ଏହାର ଅର୍ଥ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡର ଇଂରେଜମାନଙ୍କୁ ଏବଂ ଭାରତର ଲୋକସାଧାରଣଙ୍କୁ ନାତାଲର ପ୍ରକୃତ ଅବସ୍ଥା ବୁଝାଇବା । ଏହି ଉଦ୍ଦେଶ୍ୟରେ ମୁଁ ଦୁଇଖଣ୍ଡି ଛୋଟ ପୁସ୍ତିକା ଲେଖିଲି । ପ୍ରଥମଟି—ଦକ୍ଷିଣ ଆଫ୍ରିକାର ପ୍ରତ୍ୟେକ ଇଂରେଜର ପ୍ରତି ନିବେଦନ । ଏଥିରେ ନାତାଲର ଭାରତୀୟ ଲୋକଙ୍କ ଅବସ୍ଥା ବିଷୟରେ ସବୁକଥା ସାକ୍ଷ୍ୟ ପ୍ରମାଣ ଦିଆ ହୋଇ ଲେଖା ହୋଇଥାଏ । ଦ୍ୱିତୀୟଟି—ଭାରତୀୟଙ୍କ ଭୋଟ ଅଧିକାର ବିଷୟରେ ଏକ ନିବେଦନ । ଏଥିରେ ଭାରତୀୟଙ୍କ ଭୋଟ ଅଧିକାର ବିଷୟରେ ଏକ ଇତିହାସ ଦିଆ ହୋଇଥାଏ । ଏହା ହିସାବ କିତାବ ସହ ଲେଖା ଯାଇଥାଏ । ଏ ଲେଖା ଗୁଡ଼ିକ ଲେଖିବା ଲାଗି ମୋତେ ବହୁତ ପଢ଼ାପଢ଼ି ଓ ପରିଶ୍ରମ କରିବାକୁ ପଡ଼ିଥିଲା । ତାର ଫଳ ମଧ୍ୟ ସେମିତି ମିଳିଲା । ତାର ବହୁଳ ପ୍ରଚାର ଫଳରେ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ଅନେକ ବନ୍ଧୁ ସୃଷ୍ଟି ହୋଇଥିଲେ । ଇଂଲଣ୍ଡ ଓ ଭାରତର ସବୁ ଦଳଙ୍କଠାରୁ ସାହାଯ୍ୟ ଓ ସହାନୁଭୂତି ମିଳିଲା । କାମ କରାଇ ନେବା ବାଟ ସଫା ହେବା ସଙ୍ଗେ ସଙ୍ଗେ ତାର ଦିଗଦର୍ଶନ ମଧ୍ୟ ହୋଇଗଲା ।

 

ବାଳସୁନ୍ଦରମ୍‌

 

‘ଯାହାର ଭାବନା ଯାହା, ତାକୁ ତାହାହିଁ ମିଳେ’ । ମୋ ଜୀବନରେ ମୁଁ ଏହି ସତ୍ୟକୁ ବହୁବାର ଉପଲବ୍‌ଧି କରିଛି । ଦରିଦ୍ର ଲୋକଙ୍କର ସେବା କରିବାକୁ ମୋର ପ୍ରବଳ ଇଚ୍ଛା ମତେ ନେଇ ସବୁବେଳେ ଅନାୟାସରେ ସେହି ଗରିବଙ୍କ ସଙ୍ଗରେ ପକାଇ ଦେଇଥାଏ ।

 

‘ନାତାଲ ଇଣ୍ଡିଆନ କଂଗ୍ରେସ’ରେ ଉପନିବେଶରେ ଜନ୍ମ ପାଇଥିବା ଭାରତୀୟ ଓ କିରାଣୀ ବାବୁ ପ୍ରବୃତ୍ତି ପ୍ରବେଶ କରୁଥାନ୍ତି; କିନ୍ତୁ ସାଧାରଣ ମୂଲିଆ ଓ ଗିରିମିଟିଆ ଦଳ ଏଥିରେ ସ୍ଥାନ ପାଇ ନାହାନ୍ତି । ଏ କଂଗ୍ରେସ ସେମାନଙ୍କର ହୋଇ ନ ଥାଏ । ସେମାନେ ସେଥିରେ ଫିସ୍‌ ଟଙ୍କା ଦେଇ ମେମ୍ବର ଭାବରେ ନାମ ଲେଖାଇ ତାକୁ ନିଜର କରିପାରୁ ନଥାନ୍ତି । ଯେତେବେଳେ କଂଗ୍ରେସ ସେମାନଙ୍କର କିଛି ସେବା କରେ, ସେତେବେଳେ ଯାଇ ସେମାନଙ୍କର କଂଗ୍ରେସପ୍ରତି ମମତା ଜନ୍ମିଥାଏ । ଏପରି ଏକ ସୁଯୋଗ ଆସି ଜୁଟିଗଲା । ଏପରି ଯୋଗ ଜୁଟିବ ବୋଲି ମୁଁ ବା କଂଗ୍ରେସ କେବେ ବିଚାରି ନ ଥିଲୁ । ସେତେବେଳକୁ ମୋର ଓକିଲାତି ଆରମ୍ଭ କରିବାର ମୋଟେ ତିନି ଚାରିମାସ ହୋଇଥାଏ । କଂଗ୍ରେସର ମଧ୍ୟ ଶିଶୁ ଅବସ୍ଥା । ଦିନେ ଜଣେ ତାମିଲ ଲୋକ ମୋ ଆଗରେ ଆସି ହଠାତ୍‌ ଛିଡ଼ା ହେଲା । ଦେହରେ ତାର ଛିଣ୍ଡା କନା, ମୁଣ୍ଡର ଠେକାଟି ହାତରେ ଧରିଛି, ଛାମୁ ଦାନ୍ତ ଦୁଇଟି ଭାଙ୍ଗି ଯାଇଛି, ପାଟିରୁ ଝର ଝର ରକ୍ତ ବୋହୁଛି, ସେ ଥରି ଥରି କାନ୍ଦି କାନ୍ଦି ଆସି ଛିଡ଼ା ହୋଇଗଲା । ତାର ମାଲିକ ତାକୁ ଚୌରସ ମାଡ଼ ଦେଇଥାଏ । ମୋର କିରାଣୀବାବୁ ଜଣେ ତାମିଲ ଲୋକ । ମୁଁ ତା ଜରିଆରେ ତ’ଠାରୁ ସବୁ କଥା ଶୁଣିଲି । ସେ ଲୋକଟିର ନାମ—ବାଳସୁନ୍ଦରମ୍‌ । ସେ ଡରବାନ୍‌ର ଜଣେ ନାମଜାଦା ଗୋରା ମାଲିକଙ୍କ ପାଖରେ ମୂଲିଆ କାମ କରୁଥିଲା । ମାଲିକ କୌଣସି କାରଣରୁ ରାଗରେ ଆତ୍ମହରା ହୋଇ ନିଷ୍ଠୁର ଭାବରେ ତାକୁ ମାଡ଼ ଦେଇଛନ୍ତି । ଫଳରେ ତାର ଦୁଇଟି ଦାନ୍ତ ଭାଙ୍ଗିଯାଇଛି ।

 

ମୁଁ ତାକୁ ଜଣେ ଡାକ୍ତରଙ୍କ ପାଖକୁ ପଠାଇଦେଲି । ସେତେବେଳେ ଖାଲି ଗୋରା ଡାକ୍ତର ମିଳୁଥାନ୍ତି । ବାଳସୁନ୍ଦରମ୍‌ ମାଡ଼ ଜଖମ କିଭଳି ହୋଇଛି, ସେ ବିଷୟରେ ମୁଁ ଗୋଟାଏ ସାର୍ଟିଫିକେଟ ଦରକାର କଲି । ସାର୍ଟିଫିକେଟ ପାଇ ମୁଁ ସିଧା ସିଧା ଖୁଣ୍‌ ଆସାମୀକି ଧରି ମାଜିଷ୍ଟ୍ରେଟଙ୍କ ପାଖକୁ ଗଲି । ତାଙ୍କ ପାଖରେ ଯଥାରୀତି ସତ୍ୟପାଠ ଓ ଅର୍ଜି ପେଶ କଲି । ମାଜିଷ୍ଟ୍ରେଟ ଅର୍ଜି ପଢ଼ି ବଡ଼ ବିରକ୍ତ ହେଲେ ଏବଂ ମାଲିକଙ୍କ ଉପରେ ସମନ ଜାରି କଲେ ।

 

ମାଲିକଙ୍କୁ ଦଣ୍ଡ ଦିଆଇବା ମୋର ଉଦ୍ଦେଶ୍ୟ ନ ଥାଏ । ମୋର ଏକମାତ୍ର ଇଚ୍ଛା, ବାଳସୁନ୍ଦରମ୍‌କୁ ତାଙ୍କ ପାଖରୁ ଛଡ଼ାଇ ଆଣିବା । ମୁଁ ଗିରିମିଟିଆଙ୍କ ଆଇନ ସବୁ ଦେଖିଗଲି । ଆଇନ ହେଉଛି, ଜଣେ ସାଧାରଣ ଚାକର ବା କୁଲି ଆଗରୁ କିଛି ନ କହି ଚାକିରି ଛାଡ଼ିଗଲେ, ମାଲିକ ତା ବିରୁଦ୍ଧରେ ଦେବାନୀ ଅଦାଲତରେ ନାଲିସ୍‌ କରିପାରିବେ, ଅଥଚ ଫୌଜଦାରୀ ମକଦ୍ଦମା କରିପାରିବେ ନାହିଁ । କିନ୍ତୁ ଗିରିମିଟିଆ କୁଲି ପକ୍ଷରେ ଆଇନ ଏକାବେଳେକେ ଅଲଗା । ଏପରି ଘଟଣାରେ ସେ ଫୌଜଦାରୀ ସୁପର୍ଦ୍ଦ ହେବ, ମକଦ୍ଦମା ପ୍ରମାଣ ହେଲେ ତାକୁ ଜେଲ ଦଣ୍ଡ ମିଳିବ । ଏଇଥିପାଇଁ ସାର୍‌ ଉଇଲିୟମ ହଣ୍ଡର ଏ ଅବସ୍ଥାକୁ କ୍ରୀତଦାସ ପ୍ରଥାପରି ଏ କଦର୍ଯ୍ୟ ପ୍ରଥା ବୋଲି କହିଛନ୍ତି । କ୍ରୀତଦାସଙ୍କ ଭଳି ଗିରିମିଟିଆମାନେ ମାଲିକର ସମ୍ପତ୍ତି ବୋଲି ଧରାଯାନ୍ତି । ବାଳସୁନ୍ଦରମ୍‌କୁ ଛଡ଼ାଇବାର ଦୁଇଟି ବାଟ ଥାଏ । ଏକରେ ଗିରିମିଟିଆଙ୍କ ପାଇଁ ନିଯୁକ୍ତ କର୍ମଚାରୀ ଯେ କି ଆଇନରେ ତାଙ୍କ ରକ୍ଷକ ବୋଲି ପରିଚିତ, ସେ ନିଜେ ଗିରିମିଟିକୁ ରଦ୍ଦ କରିଦେଇ ଅନ୍ୟ ମାଲିକଙ୍କ ନାମ ଚଢ଼ାଇ ଦେବେ । ଦୁଇରେ—ମାଲିକ ନିଜେ ତାକୁ ଛାଡ଼ିବାକୁ ପ୍ରସ୍ତୁତ ଥିବେ । ମୁଁ ମାଲିକଙ୍କ ସଙ୍ଗେ ଦେଖାକଲି । ତାଙ୍କୁ କହିଲି, ‘‘ତୁମକୁ ସଜା ଦିଆଇବା ମୋର ଇଚ୍ଛା ନୁହେଁ । ଏ ଲୋକଟି ଉପରେ ଶକ୍ତ ମାଡ଼ ହୋଇଛି ବୋଲି ତୁମେ ବେଶ୍‌ ଜାଣ । ତୁମେ ତାର ଗିରିମିଟି ଅନ୍ୟ ନାମରେ ବଦଳାଇ ଦେବ ତ ମୁଁ ସନ୍ତୁଷ୍ଟ ହେବି ।’’ ମାଲିକ ଅବଶ୍ୟ ଏହାହିଁ ଖୋଜୁଥିଲେ । ତା ପରେ ମୁଁ କୁଲି ହାକିମଙ୍କ ପାଖକୁ ଗଲି, ତାଙ୍କୁ ମଧ୍ୟ ରାଜି କରେଇଲି । ସେ ରାଜି ହୋଇ କହିଲେ–‘‘ଆପଣ ପ୍ରଥମେ ନୂଆ ମାଲିକ ଖୋଜି ସ୍ଥିର କରନ୍ତୁ ।’’

 

ତା ପରେ ମୁଁ ଜଣେ ଗୋରା ମାଲିକ ଖୋଜି ବୁଲିଲି । କାରଣ ଭାରତୀୟମାନେ ଗିରିମିଟିଆ ରଖିପାରିବେ ନାହିଁ । ସେତେବେଳେ ମୋର ଖୁବ୍‌ ଅଳ୍ପ ସାହେବଙ୍କ ସଙ୍ଗେ ପରିଚୟ ହୋଇଥାଏ । ଯାହା ହେଉ ଜଣଙ୍କ ସଙ୍ଗେ ଦେଖାକଲି । ସେ ମୋ ପ୍ରତି ଦୟାକରି ବାଳସୁନ୍ଦରମ୍‌କୁ ରଖିବାକୁ ରାଜି ହୋଇଗଲେ । ମୁଁ ତାଙ୍କୁ କୃତଜ୍ଞତା ଜଣାଇଲି । ମାଜିଷ୍ଟ୍ରେଟ ବାଳସୁନ୍ଦରମ୍‌ ମାଲିକକୁ ଦୋଷୀ ସାବ୍ୟସ୍ତ କରି ରାୟରେ ଲେଖିଲେ—

 

ଏ ଲୋକ କୁଲିକୁ ଅନ୍ୟ ଜଣଙ୍କୁ ବଦଳ ଦେବାକୁ ଚୁକ୍ତି କରିବାରୁ ମୁଁ ଛାଡ଼ିଦେଲି ।

 

ବାଳସୁନ୍ଦରମ୍‌ ମକଦ୍ଦମା କଥା ଗିରିମିଟିଆମାନଙ୍କ ଭିତରେ ଚାରିଆଡ଼େ ଖେଳିଗଲା । ସେମାନେ ମୋତେ ତାଙ୍କର ପରମ ବନ୍ଧୁ ବୋଲି ମନେକଲେ । ମୋ ଅଫିସକୁ ଗିରିମିଟିଆମାନଙ୍କର ସ୍ରୋତ ଚାଲିଲା । ସେମାନଙ୍କର ସୁଖ ଦୁଃଖ ଜାଣିବାର ଅପୂର୍ବ ସୁଯୋଗ ମତେ ମିଳିଥିଲା ।

 

ବାଳସୁନ୍ଦରମ୍‌ ମକଦ୍ଦମାର ପ୍ରତିଧ୍ୱନି ସୁଦୂର ମାନ୍ଦ୍ରାଜ ଅଞ୍ଚଳଯାଏ ବାଜିଗଲା । ସେ ପ୍ରଦେଶରେ ଯେଉଁ ଅଞ୍ଚଳର ଲୋକେ ଗିରିମିଟିରେ ନାତାଲ ଆସନ୍ତି, ସମସ୍ତେ ଏ ଖବର ଜାଣିଗଲେ । ଏ ମକଦ୍ଦମାରେ ସେମିତି କିଛି ମହତ୍ତ୍ୱ ନ ଥାଏ । କେବଳ ଲୋକେ ଏତିକି ନୂଆକରି ଜାଣିଲେ ଯେ, ତାଙ୍କ ଲାଗି ପ୍ରକାଶ୍ୟ ଭାବରେ କାମ କରିବାକୁ ଜଣେ କିଏ ବାହାରିଛି । ସେମାନଙ୍କ ପ୍ରାଣରେ ଆଶା ଓ ଆଶ୍ୱାସନା ଖେଳିଗଲା ।

 

ଆଗରୁ କହିଛି, ବାଳସୁନ୍ଦରମ୍‌ ମୋ ପାଖକୁ ଆସିଲା ବେଳେ ନିଜର ପଗଡ଼ି ହାତରେ ଧରି ଆସିଥିଲା । ଏଥିରେ ମଧ୍ୟ ଏକ କରୁଣ କାହାଣୀ ଅଛି । ସେଥିରେ ଆମର ଅବମାନନାର କଥା ପୂରି ରହିଛି । ମୋର ପଗଡ଼ି କାଢ଼ିବା କାହାଣୀ ତ ଆଗରୁ ଜଣା ଅଛି । ଗିରିମିଟିଆ ବା ଅନ୍ୟ କେହି ଅପରିଚିତ ଭାରତୀୟ କୌଣସି ଗୋରାଙ୍କ ପାଖକୁ ଗଲେ ତାଙ୍କୁ ସମ୍ମାନ ଦେଖାଇବା ଲାଗି ନିଜର ପଗଡ଼ି ହେଉ, ଟୋପି ହେଉ ବା ଆଉ ଯାହାକିଛି ମୁଣ୍ଡରେ ଥାଏ ଅବଶ୍ୟ କାଢ଼ିକରି ଯିବ । ଦୁଇ ହାତରେ ସଲାମ କଲେ ସେତକ ଯଥେଷ୍ଟ ହୁଏ ନାହିଁ । ସେଥିଲାଗି ବାଳସୁନ୍ଦରମ୍‌ ମୋ ପାଖକୁ ଆସିଲାବେଳେ ଏହାହିଁ କରିବା ଉଚିତ ମଣିଥିଲା । ଏପରି ଘଟଣା ଲକ୍ଷ୍ୟ କରିବା ମୋ ଜୀବନରେ ପ୍ରଥମ । ମୋତେ ଏଥିରେ ଭାରି ଅପମାନ ଲାଗିଲା । ମୁଁ ତାକୁ ମୁଣ୍ଡରେ ଚାଦର ବାନ୍ଧିବାକୁ କହିଲି । ସେ ଅତି ସଂକୋଚରେ ଠେକା ବାନ୍ଧିଲା ସତ; ମାତ୍ର ତା ମନରେ ଯେ ଆନନ୍ଦ ଆସିଲା, ତାହା ସ୍ପଷ୍ଟ ଭାବରେ ମୁଁ ଜାଣିପାରିଲି । ଅନ୍ୟକୁ ଲଜ୍ଜା ବା ଅପମାନ ଦେଇ ମଣିଷ ଯେ କେମିତି ନିଜକୁ ସମ୍ମାନିତ ମନେ କରିପାରୁଛି, ଏ ପ୍ରଶ୍ନର ସମାଧାନ ମୁଁ ଆଜିଯାଏ କରିପାରି ନାହିଁ ।

 

ତିନି ପାଉଣ୍ଡିଆ କର

 

ବାଳସୁନ୍ଦରମ୍‌ର ଘଟଣା ଗିରିମିଟିଆ ଭାରତବାସୀଙ୍କ ସଙ୍ଗେ ମୋର ଘନିଷ୍ଠ ସମ୍ବନ୍ଧ ସ୍ଥାପନ କରିଦେଲା । ଏଥିମଧ୍ୟରେ ଏହି କୁଲିମାନଙ୍କ ଉପରେ ନୂଆ କର ବସାଇବାର ଉଦ୍ୟମ ଚାଲିଲା । ଏ ଘଟଣା ଫଳରେ ମୁଁ ସେମାନଙ୍କ ଅବସ୍ଥା ବିଷୟରେ ବିଶେଷ ଭାବରେ ଆଲୋଚନା କରିବାକୁ ଇଚ୍ଛୁକ ହୋଇପଡ଼ିଲି ।

 

ସେହି ବର୍ଷ ୧୮୯୪ ସାଲରେ ଗିରିମିଟିଆ ଭାରତବାସୀଙ୍କ ଉପରେ ସାଲିଆନା ୨୫ ପାଉଣ୍ଡ ବା ୩୭୫ ଟଙ୍କାର ଗୋଟିଏ କର ବସାଇବା ପାଇଁ ନାତାଲ ସରକାର ଏକ ଆଇନର ଚିଠା କଲେ । ଏ ଚିଠାକୁ ଦେଖି ସ୍ତମ୍ଭୀଭୂତ ହୋଇଗଲି । ମୁଁ ସଙ୍ଗେ ସଙ୍ଗେ ଆମ କଂଗ୍ରେସର ବୈଠକ ଡକାଇ ସେଥିରେ ସେ ବିଷୟ ପକାଇଲି । ସେ ସମ୍ବନ୍ଧରେ ଯାହା କିଛି ଆନ୍ଦୋଳନ ଦରକାର, ତାହା କରାଯିବ ବୋଲି କଂଗ୍ରେସ ଗୋଟିଏ ପ୍ରସ୍ତାବ ଧାର୍ଯ୍ୟ କରିଥିଲେ । ଆଚ୍ଛା, ଏ ଟିକସର ମୂଳ ରହସ୍ୟଟା ମୁଁ ଟିକିଏ ବୁଝାଇଦିଏ ।

 

ପ୍ରାୟ ୧୮୬୦ ସାଲ କି ତା ପାଖାପାଖି ସମୟରେ ନାତାଲରେ ଥିବା ଗୋରା ଲୋକେ ଯେତେବେଳେ ଦେଖିଲେ ଯେ, ସେ ରାଜ୍ୟରେ ଭଲ ଆଖୁଚାଷ ହୋଇପାରିବ, ସେମାନେ ମଜୁରିଆ ଖୋଜିବାକୁ ବାହାରିଲେ । ମଜୁରିଆ ନ ମିଳିଲେ ଆଖୁଚାଷ ହେବ ନାହିଁ, କି ଚିନି, ଗୁଡ଼ ପ୍ରଭୃତି କିଛି ମିଳିବ ନାହିଁ । ନାତାଲାରେ ଥିବା ନିଗ୍ରୋ ଜାତିର ମଜୁରିଆମାନେ ଏ କାମକୁ ଯୋଗ୍ୟ ନୁହନ୍ତି । ତେଣୁ ନାତାଲ ସରକାର ଭାରତସରକାରଙ୍କ ସଙ୍ଗେ କଥାବାର୍ତ୍ତା ଚଳାଇ ଭାରତୀୟ ମଜୁରିଆଙ୍କୁ ନାତାଲ ନେବାକୁ ଅନୁମତିର ଯୋଗାଡ଼ କଲେ । ଅନୁମତି ମିଳିଗଲା । ଯେଉଁ କୁଲି ଏଠାରୁ ଯିବେ ସେମାନେ ଗୋଟାଏ ଚୁକ୍ତିପତ୍ର ଲେଖିଦେବେ ଯେ, ସେମାନେ ୫ ବର୍ଷ ମଜୁରୀଦାର ରୂପେ କାମ କରିବେ । ପାଞ୍ଚବର୍ଷ ପରେ ସେମାନେ ସେ ସର୍ତ୍ତରୁ ମୁକ୍ତ ହୋଇଯିବେ ଏବଂ ଇଚ୍ଛାକଲେ ସେ ରାଜ୍ୟରେ ସ୍ୱୀଧୀନ ଭାବରେ ବସବାସ କରିବା ଲାଗି ସେମାନଙ୍କୁ ଛାଡ଼ ମିଳିବ । ଜମିରେ ପୂରା ମାଲିକସତ୍ତ୍ୱ ରହିବ ବୋଲି ମଧ୍ୟ ସେମାନଙ୍କୁ କୁହାଯାଉଥିଲା । ଏପରି ପ୍ରଲୋଭନ ଦେଖାଉଥିଲେ ମଧ୍ୟ ସେତେବେଳେ ନାତାଲର ଗୋରାମାନେ ଭାବିଥିଲେ ୫ବର୍ଷ ପୂରିଗଲେ ମଧ୍ୟ ଏଇ ମଜୁରିଆମାନେ ପୁଣି ଲାଗିପଡ଼ି ଆମରି ଚାଷବାସର ଉନ୍ନତି କରିବେ ।

 

ମାତ୍ର, ଭାରତୀୟ ମୂଲିଆମାନେ ସେମାନଙ୍କର ଆଶା ଓ ବିଚାରକୁ ଟପିଗଲେ । ଦିନରାତି ଲାଗିପଡ଼ି ବହୁତ ପରିବାପତ୍ର ଆମଦାନୀ କଲେ । ନାନାପ୍ରକାର ଭାରତୀୟ ସୁସ୍ୱାଦୁ ଫଳମୂଳର ଚାଷ ନୂଆ ନୂଆ ଆରମ୍ଭ କଲେ । ସେଠାରେ ବେପାର ବଣିଜ ମଧ୍ୟ ଆରମ୍ଭ କରିଦେଲେ । ଘର କରିବାକୁ ଭଲ ଜମି କିଣିଲେ । ମୂଲିଆ କାମ ଛାଡ଼ି ଶେଷକୁ ଭଲ ଜମିଦାର ଓ ଉତ୍ତମ ଗୃହସ୍ଥ ପାଲଟିଗଲେ । ତାଙ୍କ ପଛେ ପଛେ ଭାରତରୁ ବ୍ୟବସାୟୀ ମହାଜନ ସବୁ ଯାଇ ସେଠାରେ ଘରଦ୍ୱାର କରି ରହିଲେ । ସ୍ୱର୍ଗୀୟ ଶେଠ ଆବୁବେକର ଆମଦ୍‌ ସେମାନଙ୍କ ମଧ୍ୟରେ ସର୍ବପ୍ରଥମ । ସେ ଅଳ୍ପ ସମୟ ଭିତରେ ବ୍ୟବସାୟର ଖୁବ୍‌ ପ୍ରସାର କରିଥିଲେ । ଗୋରା ବେପାରୀମାନେ ଏସବୁ ଦେଖି ଚମକି ପଡ଼ିଲେ । ପହିଲେ ପହିଲେ ସେମାନେ ଯେତେବେଳେ ଭାରତୀୟ ମୂଲିଆଙ୍କ କାମର ପ୍ରଶଂସା କରୁଥିଲେ, ସେତେବେଳେ ସେମାନଙ୍କର ବେପାର କରିବା କଥା ତାଙ୍କ ମନକୁ ଛୁଇଁ ନ ଥିଲା । ମୂଲିଆମାନେ ଚାଷୀ ଭଳି ଅଲଗା ରହିଥିଲେ, ଗୋରାମାନଙ୍କର କିଛି ହରକତ ନ ଥିଲା । ମାତ୍ର ବେପାରରେ ତାଙ୍କର ଟକ୍‌କର ଦେବାଟା ଅସହ୍ୟ ହୋଇପଡ଼ିଲା ।

 

ଏହାହିଁ ହେଲା, ଭାରତୀୟମାନଙ୍କ ସଙ୍ଗେ ଗୋରାଙ୍କର ବିରୋଧର ମୂଳ କଥା—ଏହାଛଡ଼ା ଅନ୍ୟାନ୍ୟ ତେତେକ ବିଷୟ ମଧ୍ୟ ଶତ୍ରୁତାକୁ ବେଳକୁବେଳ ତେଜେଇଲା । ଆମର ଅଲଗା ଚାଲିଚଳନ, ଆମର ସାଧାସିଧା ଜୀବନ, ଅଳ୍ପ ଲାଭରେ ଆମର ସନ୍ତୋଷ, ଘରଦ୍ୱାର ସଫା ରଖିବାରେ ଆମର ଆଳସ୍ୟତା; ସେ ସବୁକୁ ବଜାଇ ରଖିବାରେ ଆମ କଞ୍ଜୁସପଣ, ସର୍ବୋପରି ଆମର ଅଲଗା ଧର୍ମ ଏସବୁ ବିରୋଧକୁ ବଢ଼ାଇବାରେ ଲାଗିଲା ।

 

ସେହି ବିରୋଧ ବ୍ୟବସ୍ଥାସଭାର ଆଇନ ଆକାରରେ ଅର୍ଥାତ ଭୋଟ ରଦ୍ଦ ଆଇନ ଏବଂ ଗରିମିଟିଆ କୁଲିଙ୍କ ଉପରେ ଟିକସ ଆଇନରୂପେ ପ୍ରକାଶ ପାଇଲା । ଏଭଳି ଆଇନ ଛଡ଼ା ଆହୁରି ଅନେକ ସାନବଡ଼ ଉଦ୍ୟମ ଏମାନଙ୍କ ବିରୁଦ୍ଧରେ ମଧ୍ୟ ଚାଲିଲା ।

 

ପ୍ରଥମେ ପ୍ରସ୍ତାବ ହେଲା ଯେ, ଗିରିମିଟ୍‌ ସରିଆସିଲାବେଳକୁ ଭାରତୀୟମାନଙ୍କୁ ଜବରଦସ୍ତି ଭାରତକୁ ପଠାଇ ଦିଆଯାଉ, ଯେପରିକି ତାଙ୍କର ଚୁକ୍ତିକାଳ ସେଇ ଭାରତ ବର୍ଷରେ ପୂରିଯିବ । କିନ୍ତୁ ଭାରତ ସରକାର ଏ ପ୍ରସ୍ତାବରେ ରାଜି ହେବା ସହଜ କଥା ନୁହେଁ । ତେଣୁ ନିମ୍ନଲିଖିତ ଭାବରେ ଆଉ ଏକ ବିଚାର ଚାଲିଲା—

 

୧—ଗିରିମିଟିଆମାନେ ଚୁକ୍ତି ପୂରିବା ସଙ୍ଗେ ସଙ୍ଗେ ଭାରତକୁ ଫେରିବେ । କିମ୍ବା—

 

୨—ପ୍ରତି ଦୁଇ ବର୍ଷରେ ସେହିପରି ଆବଦ୍ଧ ରହିବାପାଇଁ ସାନି ଚୁକ୍ତିପତ୍ର ଲେଖି ଦେଇଥିବେ । ଏପରି ଚୁକ୍ତିପତ୍ର ବେଳେ ସେମାନଙ୍କୁ ଆଉ କିଛି ଅଧିକା ପାଉଣା ଦିଆଯିବ । ଏବଂ–

 

୩—ଯେବେ କେହି ଭାରତକୁ ଫେରିଯିବାକୁ କିମ୍ବା ସାନି ଚୁକ୍ତିନାମା ଦେବାକୁ ଅମଙ୍ଗ ହୁଏ, ତେବେ ସେହି ବର୍ଷକୁ ୩୫ ପାଉଣ୍ଡ ବା ୩୭୫ ଟଙ୍କାର ଗୋଟିଏ ଟିକସ ଦେବ ।

 

ଏ ପ୍ରସ୍ତାବକୁ ଭାରତ ସରକାରଙ୍କଠାରୁ ମଞ୍ଜୁର କରାଇ ନେବାଲାଗି ନାତାଲରୁ ସାର ହେନେରି ବିନ୍‍ସ୍‍ ଓ ମିଷ୍ଟର ମାସନଙ୍କୁ ଏକ ଡେପୁଟେସନରେ ଭାରତକୁ ପଠା ଯାଇଥିଲା । ସେତେବେଳକୁ ଲର୍ଡ ଏଲ୍‌ଗିନ୍‌ ଭାରତର ବଡ଼ଲାଟ ଥାଆନ୍ତି । ସେ ୨୫ ପାଉଣ୍ଡ କରି ପ୍ରସ୍ତାବରେ ରାଜି ନ ହୋଇ ପ୍ରତ୍ୟେକ ଭାରତବାସୀଠାରୁ ତିନି ପାଉଣ୍ଡ ବାର୍ଷିକ କର ବସାଇବାର ପ୍ରସ୍ତାବ କଲେ-। ସେତେବେଳେ ମୋର ମନେ ହୋଇଥିଲା ଏବଂ ଆଜି ମଧ୍ୟ ମୋର ମତ ଯେ ଏପରି କରିବା ବଡ଼ଲାଟଙ୍କ ପକ୍ଷରେ ଏକ ଗୁରୁତର ଦୋଷ ହୋଇଛି । ସେ ଭାରତର ହିତ ଆଦୌ ବିଚାର କଲେ ନାହିଁ । ନାତାଲ ଗୋରାମାନଙ୍କ ପାଇଁ ଏଭଳି ସୁବିଧା କରାଇ ଦେବା ତାଙ୍କର ଆଦୌ ଉଚିତ ନ ଥିଲା । ତିନି ବର୍ଷ ଚାରି ବର୍ଷ ପରେ ଏହି କର ପୁଣି ଗିରିମିଟିଆଙ୍କ ସ୍ତ୍ରୀ, ଷୋଳବର୍ଷ ବୟସ କିମ୍ବା ତଦୁର୍ଦ୍ଧ୍ୱ ବୟସର ତାର ପ୍ରତ୍ୟେକ ପୁଅ ଏବଂ ତେର ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ତାର ପ୍ରତ୍ୟେକ ଝିଅଠାରୁ ଆଦାୟ ହେବାର ସ୍ଥିର ହୋଇଥିଲା । ଗିରସ୍ତ, ଭାରିଯା ଓ ଦୁଇଟି ପିଲା, ଏପରି ଚାରିପ୍ରାଣୀ କୁଟୁମ୍ଭଙ୍କ ଉପରେ ବର୍ଷକୁ ୧୨ ପାଉଣ୍ଡ ବା ୧୮୦ ଟଙ୍କା ଟିକସ ପଡ଼ୁଥିବା ବେଳେ ଗୃହସ୍ଥର ଆୟ ମାସିକ ୧୪ ଶିଲିଂ ବା ଟ ୮ । ମାତ୍ର ଏହା ଏକପ୍ରକାର ମସ୍ତ କୁଲମ । ଦୁନିଆରେ ଏପରି ନିଷ୍ଠୁର ଅତ୍ୟାଚାର ଆଉ କେଉଁଠି ହେଉଥିବାର ଜଣା ନାହିଁ ।

 

ଆମେ ଏ ଟିକସ ବିରୁଦ୍ଧରେ ଜବର ଲଢ଼େଇ ଆରମ୍ଭ କରିଦେଲୁ । ନାତାଲ ଭାରତୀୟ କଂଗ୍ରେସ ଚୁପ୍‌ ରହିଥିଲେ, ହୁଏତ ବଡ଼ଲାଟ ସେହି ୨୫ ପାଉଣ୍ଡ ଟିକସକୁ ବୋଧହୁଏ ମଞ୍ଜୁର କରିଦେଇ ଥାନ୍ତେ । ୨୫ ପାଉଣ୍ଡରୁ କମି ଯେ ୩ ପାଉଣ୍ଡ ହେଲା ତାହା ବୋଧହୁଏ ଏହି କଂଗ୍ରେସ ଆନ୍ଦୋଳନ ଫଳରେ । ମୋର ଏପରି ବିଚାରିବା ହୁଏତ ମୂଳରୁ ଭୁଲ ହୋଇପାରେ । ଏହା ବି ହୋଇଥିବ ଯେ, ଭାରତ ସରକାର ମୂଳରୁ ଆପଣା ମନକୁ ୨୫ ପାଉଣ୍ଡକୁ ମନା କରିଥିଲେ, କଂଗ୍ରେସ ଯାହା ଇଚ୍ଛା କହୁ ପଛକେ ସେମାନେ ନିଜେ ନିଜେ ବିଚାର କରି ଏହାକୁ ୩ ପାଉଣ୍ଡ କରି ଦେଲେ । ସେ ଯାହାହେଉ ଏହା କରିବା ଭାରତ ସରକାର ପକ୍ଷରେ ବିଶ୍ୱାସଘାତକତା ହେଲା । ଭାରତବର୍ଷର ହିତକୁ ବଡ଼ଲାଟ ସବୁବେଳେ ଜଗିବାର କଥା । ଭାରତୀୟ ଲୋକଙ୍କ ହାନୀ ଲାଭର ଭାର ତାଙ୍କ ଉପରେ ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ବଡ଼ଲାଟ ଏହି ଅମାନୁଷିକ ଟିକସରେ ମତ ଦେବା କଦାପି ଊଚିତ ହୋଇ ନାହିଁ ।

 

ଟିକସ ୨୫ ପାଉଣ୍ଡରୁ କମି ୩ ପାଉଣ୍ଡ ହୋଇଗଲା ବୋଲି କଂଗ୍ରେସକୁ ବିଶେଷ କିଛି ବାହାଦୂରୀ ମିଳିଲା ନାହିଁ । ବରଂ କଂଗ୍ରେସ ଗିରିମିଟିଆଙ୍କ ହିତକୁ ପୂରା ପୂରି ରକ୍ଷା କରି ପାରିଲା ନାହିଁ ବୋଲି ତା ମନରେ ଦୁଃଖ ରହିଗଲା । ଏ ଟିକସ ଏକାବେଳକେ ଉଠାଇବାକୁ ହେବ ବୋଲି ଦୃଢ଼ ସଂକଳ୍ପ କରାହେଲା । ସେହି ସଂକଳ୍ପ ପୂର୍ଣ୍ଣ ହେବାକୁ ଦୀର୍ଘ କୋଡ଼ିଏ ବର୍ଷ ଲାଗିଥିଲା । ସେଥିପାଇଁ କେବଳ ନାତାଲରେ ନୁହେଁ, ସମଗ୍ର ଦକ୍ଷିଣ ଆଫ୍ରିକାର ଭାରତୀୟମାନଙ୍କୁ ଅଣ୍ଟାଭିଡ଼ି ବାହାରିବାକୁ ପଡ଼ିଲା । ସ୍ୱର୍ଗୀୟ ଶ୍ରୀଯୁକ୍ତ ଗୋଖଲେଙ୍କ ସାହାଯ୍ୟ ମଧ୍ୟ ଆବଶ୍ୟକ ହେଲା । ଶ୍ରୀଯୁକ୍ତ ଗୋଖଲେଙ୍କ ସଙ୍ଗେ ଯେତେବେଳେ ଏଠା ସରକାର ବିଶ୍ୱାସଘାତକତା କଲେ, ସେତିକିବେଳେ ତୁମୂଳ ଆନ୍ଦୋଳନର ଶେଷ ସୁଯୋଗ ମିଳିଲା । ସେଥିରେ ଗିରିମିଟିଆମାନେ ଚରମ ତ୍ୟାଗୀ ସ୍ୱୀକାର କଲେ । ଗୁଳି ଚୋଟରେ କେତକଙ୍କୁ ପ୍ରାଣ ଦେବାକୁ ହେଲା । ଦଶ ହଜାରରୁ ଅଧିକ ଭାରତୀୟ କଇଦୀ ହେଲେ ।

 

ଶେଷରେ ସତ୍ୟର ଜୟ ହେଲା । ଭାରତୀୟ ତପଶ୍ଚାର୍ଯ୍ୟରେ ଏହି ସତ୍ୟ ମୂର୍ତ୍ତିମନ୍ତ ହେଲା । ଅଟଳ ବିଶ୍ୱାସ, ଅସୀମ ଧୈର୍ଯ୍ୟ ଓ ନିରବଛିନ୍ନ ଉଦ୍ୟମ ବିନା ଏ ସତ୍ୟ ପ୍ରକାଶ ପାଇ ନ ଥାନ୍ତା । ଯଦି ଭାରତୀୟ ଲୋକେ ଏ ଲଢ଼େଇ ଛାଡ଼ି ଦେଇଥାନ୍ତେ, କଂଗ୍ରେସ ଏ ଆନ୍ଦୋଳନରୁ ନିବୃତ୍ତ ହୋଇ କପାଳ ଆଦରି ଟିକସରେ ରାଜି ହୋଇ ଯାଇଥାନ୍ତା, ଆଜି ପର୍ଯ୍ୟନ୍ତ ଏ କର ଭାରତୀୟ ଗିରିମିଟିଆଙ୍କଠାରୁ ଅସୁଲ ହେଉଥାନ୍ତା ଏବଂ ଏଥିର ଅପମାନ ସ୍ଥାନୀୟ ଭାରତବାସୀ ତଥା ସମସ୍ତ ଭାରତକୁ ସହିବାକୁ ପଡ଼ୁଥାନ୍ତା ।

 

ଧର୍ମ ନିରୀକ୍ଷଣ

 

ମୁଁ ଯେ ଏମିତି ସମାଜର ସେବାରେ ମନ ଧ୍ୟାନ ଦେଇ ମଜ୍ଜିଗଲି ତାର ପ୍ରଧାନ କାରଣ ମୋର ଆତ୍ମଦର୍ଶନର ବାସନା । ଭଗବାନଙ୍କର ପରିଚୟ ସେବାରୁ ହିଁ ମିଳେ । ଏହି ଧାରଣାରେ ମୁଁ ସେବାଧର୍ମକୁ ଗ୍ରହଣ କରିଥିଲି । ଭାରତର ସେବା କରୁଥିଲି । କାରଣ ସେହି ସେବା ମୋ ପକ୍ଷରେ ସହଜ ଲଭ୍ୟ ଥିଲା ଏବଂ ତାହାହିଁ ମତେ ବେଶ୍‌ ଆରୋଉଥିଲା । ତାକୁ ଖୋଜି ବୁଲିବାକୁ ପଡ଼ୁ ନ ଥାଏ । ମୁଁ ତ ଦେଶ ଭ୍ରମଣ, କାଥିଆବାଡ଼ ଷଡ଼ଯନ୍ତ୍ରରୁ ମୁକ୍ତି ଉପାର୍ଜନର ପନ୍ଥା ଖୋଜିବାପାଇଁ ଦକ୍ଷିଣ ଆଫ୍ରିକାକୁ ଯାଇଥିଲି । କିନ୍ତୁ ପରିଣାମରେ ଏହି ଆତ୍ମଦର୍ଶନ ଓ ମୁକ୍ତି ଉଦ୍ୟମରେ ବ୍ରତୀ ହେଲି । ଖ୍ରୀଷ୍ଟାନ ଭାଇମାନେ ମୋର ଏ ଧର୍ମ ଜିଜ୍ଞାସାକୁ ଆଚ୍ଛାକରି ତେଜି ଦେଇଥିଲେ । ତାହା ମଧ୍ୟ କୌଣସି ପ୍ରକାରେ କମିବାର ନ ଥିଲା । ମୁଁ ନିଜେ ଶାନ୍ତିରେ ରହିବାକୁ ଚାହିଁଲେ ସୁଦ୍ଧା, ଖ୍ରୀଷ୍ଟାନ ଭାଇ ଭଉଣୀମାନେ ମତେ ରଖି ଦିଅନ୍ତେ ନାହିଁ । ମିଃ ସ୍ପେନ୍‌ସର ବୋଲଟନ୍‌ ଦକ୍ଷିଣ ଆଫ୍ରିକା ମିଶନର ଜଣେ ମୁଖିଆ ଲୋକ । ସେ ମୋର ପରିଚୟ ପାଇଲେ । ମୁଁ ତାଙ୍କ ଘରେ କ୍ରମେ ପରିବାର ଭିତରର ଜଣେ ଲୋକ ଭଳି ରହିଲି । ଅବଶ୍ୟ ଏପରି ସମ୍ବନ୍ଧରେ ମୂଳରେ ଥିଲା ପ୍ରିଟୋରିଆରେ ସେହି ପ୍ରାର୍ଥନା ବୈଠକ । ମି. ବୋଲ୍‌ଟନଙ୍କ ରଙ୍ଗ ଢଙ୍ଗ ଟିକିଏ ଭିନ୍ନ ପ୍ରକାରର ଥିଲା । କେବେ ହେଲେ ସେ ମତେ ଖ୍ରୀଷ୍ଟାନ ହେବା ପାଇଁ ପ୍ରବର୍ତ୍ତାଇବା କଥା ମୋର ମନେ ନାହିଁ । କିନ୍ତୁ ସେ ନିଜର ଜୀବନକୁ ମୋ ଆଗରେ ଖୋଲି ରଖି ଦେଇଥିଲ ଏବଂ ନିଜର ସବୁ କାମ ମତେ ଦେଖିବାକୁ ଦେଉଥିଲେ । ତାଙ୍କ ସ୍ତ୍ରୀ ବଡ଼ ଧୀର ପ୍ରକୃତିର ଓ ଗୁଣବତୀ ନାରୀ ।

 

ଏ ଦମ୍ପତିଙ୍କର ଗତିବିଧି ମତେ ଭାରି ଭଲ ଲାଗୁଥାଏ । ଆମ ଭିତରେ ଯେଉଁ ମୌଳିକୁ ମତଭେଦ ଥାଏ, ତାହା ଆମେ ଦୁହେଁ ପରସ୍ପର ବେଶ୍‌ ବୁଝୁଥାଉ । ଏ ଭେଦ ଆଲୋଚନା ବା ଯୁକ୍ତିତର୍କ ଦ୍ୱାରା ଲୋପ ହେବାର ନୁହେଁ । ଯେଉଁଠି ଉଦାରତା, ସହିଷ୍ଣୁତା ଓ ସତ୍ୟ ଥାଏ, ସେଠି ଭେଦ ଭାବ ମଧ୍ୟ ଲାଭଜନକ ହୋଇଥାଏ । ବୋଲଟନ୍ ଓ ତାଙ୍କ ସହଧର୍ମିଣୀଙ୍କ ନମ୍ରଭାବ, ଅଧ୍ୟବସାୟ ଓ କର୍ତ୍ତବ୍ୟନିଷ୍ଠା ଦେଖି ମୋର ବଡ଼ ଆନନ୍ଦ ହୁଏ । ସେଥିପାଇଁ ମୁଁ ଅନେକ ସମୟରେ ତାଙ୍କ ସଙ୍ଗେ ସାକ୍ଷାତ କରେ ।

 

ଏହି ସମ୍ବନ୍ଧ ଫଳରେ ଧର୍ମ ପ୍ରତି ମୋର ଆଗ୍ରହ ବରାବର ଜୀବିତ ରହିଥାଏ । ପ୍ରିଟୋରିଆରେ ଧର୍ମଗ୍ରନ୍ଥ ପ୍ରଭୃତି ପଢ଼ା ପଢ଼ି କରିବାକୁ ମତେ ଯେପରି ଅବସର ମିଳୁଥିଲା, ଏବେ ସେପରି ମିଳିବା ଅସମ୍ଭବ । ତଥାପି ଯେତେବେଳେ ଟିକିଏ ସମୟ ମିଳେ, ସେଇ ପଢ଼ାପଢ଼ିରେ ତାର ସଦ୍‌ବ୍ୟବହାର କରେ ।

 

ଧର୍ମ ବିଷୟରେ ମୁଁ ବରାବର ଚିଠିପତ୍ର ଲେଖାଲେଖି କରୁଥାଏ । ରାୟଚାନ୍ଦ ଭାଇ ମତେ ସଦୁପଦେଶ ଦେଇ ବାଟ ଦେଖାଉଥାନ୍ତି । ଜଣେ ବନ୍ଧୁ ନର୍ମଦା ଶଙ୍କରଙ୍କ ‘ଧର୍ମ ବିଚାର’ ବହିଟି ମୋଠାକୁ ପଠାଇ ଦେଲେ । ସେ ବହିର ପ୍ରସ୍ତାବନାଟି ମତେ ବହୁତ ସାହାଯ୍ୟ କଲା ।

 

ନର୍ମଦା ଶଙ୍କରର ବିଳାସୀ ଜୀବନ ବୃଥା କଥା ମୁଁ ଶୁଣିଥାଏ । ମୁଁ ପ୍ରସ୍ତାବନାରେ ପଢ଼ିଲି, ସେ ତାଙ୍କୁ ଜୀବନରେ ସେ ସବୁକୁ କିପରି ବଦଳାଇ ପକାଇଲେ ଏବଂ ତାହାହିଁ ମୋ ମନକୁ ଆକର୍ଷଣ କଲା । ମୁଁ ଆନନ୍ଦରେ ବହି ଖଣ୍ଡିକ ଶେଷ କଲି । ଏଡାଛଡ଼ା ମାକସ୍‌ମୂଲାଙ୍କର ‘ଭାରତ କ’ଣ ଶିଖାଉଛି’ ବହି ଖଣ୍ଡି ପଢ଼ିଲି । ଥିଏସଫିକାଲ ସୋସାଇଟି ଉପନିଷଦର ଯେଉଁ ତର୍ଜମା ପ୍ରକାଶ କରିଥିଲେ, ତାହା ପାଠ କରିବାର ସୁଯୋଗ ମତେ ଜୁଟିଲା । ଏ ସବୁରୁ ହିନ୍ଦୁ ଧର୍ମ ପ୍ରତି ମୋର ଆଦର କ୍ରମେ ବଢ଼ିଲା । ତାହାର ସୌନ୍ଦର୍ଯ୍ୟ ମୁଁ କ୍ରମେ ଉପଲବ୍‌ଧି କଲି । ତାହା ବୋଲି ଅନ୍ୟ ଧର୍ମ ପ୍ରତି ଯେ ମୋର ଅଶ୍ରଦ୍ଧା ଆସିଲା, ଏହା କଦାପି ନୁହେଁ । ମୁଁ ୱାସିଂଙ୍ଗଟେନ ଆରୱାଙ୍ଗ ପ୍ରଣୀତ ମହମ୍ମଦଙ୍କ ଜୀବନୀ ଏବଂ କାର୍ଲାଇଲଙ୍କ ମହମ୍ମଦ ସ୍ତୃତି ପାଠ କଲି । ଏ ସବୁ ପଢ଼ିବା ଫଳରେ ପୈଗମ୍ବରଙ୍କ ପ୍ରତି ମୋର ଭକ୍ତି ବଢ଼ିଲୋ । ଏହାପରେ ଜରଥୁଷ୍ଟଙ୍କ କଥାମୃତ ନାମକ ବହି ମଧ୍ୟ ପଢ଼ିଲି ।

 

ଏହିପରି ଭାବରେ ଭିନ୍ନ ଭିନ୍ନ ଧର୍ମ ସଂପ୍ରଦାୟ ସମ୍ପର୍କରେ ମୋର ଅଳ୍ପ ବହୁତ ଜ୍ଞାନ ଲାଭ ହେଲା । ଏ ସବୁର ଆଲୋଚନା ଫଳରେ ମୋର ଆତ୍ମାନୁସନ୍ଧିତ୍ସା ମଧ୍ୟ ବଢ଼ିଲା । ପଢ଼ିଲାବେଳେ ଯେଉଁସବୁ କଥା ମତେ ଲାଗେ, ତାକୁ କାମରେ ଲଗାଇବା ଅଭ୍ୟାସ କ୍ରମେ ବଢ଼ିଲା-। ସେଥିପାଇଁ ହିନ୍ଦୁ ଧର୍ମରେ ସୂଚିତ ପ୍ରାଣାୟାମ ବିଷୟରେ କେତକ କ୍ରିୟା, ଯେତିକି ବହିରୁ ବୁଝିପାରିଲି ସେତିକକୁ କାର୍ଯ୍ୟରେ ଆରମ୍ଭ କରିଦେଲି । କିନ୍ତୁ ସେଥିରେ କାହିଁକି ମନ ମାନିଲା ନାହିଁ-। ସେଥିରେ ଅଧିକ ଅଗ୍ରସର ହେବାକୁ ଅକ୍ଷମ ହୋଇ ଭାବିଲି, ଭାରତକୁ ଫେରିଲେ ସେଠି ଜଣେ କୌଣସି ସାଧକଙ୍କ ସାହାଯ୍ୟରେ ଶିକ୍ଷା କରିବି । ମାତ୍ର ଏ ପର୍ଯ୍ୟନ୍ତ ସେ ଭାବନା ପୂରା ହୋଇ ପାରି ନାହିଁ ।

 

ମୁଁ ଟଲଷ୍ଟୟଙ୍କ ପୁସ୍ତକଗୁଡ଼ିକର ଗଭୀର ଆଲୋଚନା କଲି । ତାଙ୍କ ରଚିତ ‘ଗୋସ୍ପେଲସ୍‌ ଇନ୍‌ ବ୍ରିଫ୍‌’ (ନୂଆ ଧର୍ମର ସାର) ଏବଂ ‘ହ୍ୱାଟ୍‌ ଟୁ ଡୁ’ (କଣ କର୍ତ୍ତବ୍ୟ) ଇତ୍ୟାଦି ପୁସ୍ତକମାନ ମୋ ମନରେ ଭଲ ପ୍ରଭାବ ପକାଇଥିଲା । ବିଶ୍ୱପ୍ରେମ ଯେ ମଣିଷକୁ କେଉଁଯାଏ ନେଇ ଯାଇପାରେ ତାହା ମୁଁ ଅଧିକରୁ ଅଧିକ ବୁଝିବାକୁ ଲାଗିଲି ।

 

ଏହି ସମୟରେ ଆଉ ଗୋଟିଏ ଖ୍ରୀଷ୍ଟିୟାନ ପରିବାର ସହିତ ମୋର ବନ୍ଧୁତା ସ୍ଥାପନ ହେଲା । ସେମାନଙ୍କ ଅନୁରୋଧରେ ମୁଁ ପ୍ରତି ରବିବାର ଦିନ ‘ୱେସ୍‌ଲିଆନ’ ଗୀର୍ଜାକୁ ଗଲି । ଅଧିକାଂଶ ରବିବାର ରାତିରେ ମୁଁ ତାଙ୍କ ଘରକୁ ଖାଇବାକୁ ଯାଏ । ଏ ଗୀର୍ଜାରେ କିନ୍ତୁ ମୋ ମନ ମାନିବା ଭଳି କୌଣସି କଥା ଦେଖିଲି ନାହିଁ । ସେଠାରେ ଯେଉଁ ସବୁ ଧର୍ମ କଥା ହୁଏ ସେ ସବୁ ମତେ ନିରସ ଲାଗେ । ଦର୍ଶକମାନଙ୍କଠାରେ ମୁଁ ଭକ୍ତିଭାବ ଦେଖିବାକୁ ପାଏ ନାହିଁ । ଏଗାରଟା ବେଳର ବୈଠକ ମତେ ଧାର୍ମିକ ଭକ୍ତମାନଙ୍କର ବୈଠକ ପରି ଲାଗେ ନାହିଁ; ବରଂ ମୋର ମନେ ହୁଏ ଏମାନେ ପୂରା ସଂସାରୀ । ଖାଲି ଲୋକାଚାର ହେତୁ ଏ ପ୍ରକାର ଅବସର ଉପଭୋଗ କରିବାକୁ ଏଠି ଏକଜୁଟ ହେଉଛନ୍ତି । ସେଠାରେ ବସି ବେଳେବେଳେ ମୁଁ ଢୋଳେଇ ପଢ଼େ । ମତେ ଭାରି ଲାଜ ମାଡ଼େ । ମାତ୍ର ମୋ ଆଖ ପାଖରେ ଆଉ କେତକଙ୍କୁ ସେମିତି ଢୋଳାଉ ଥିବାର ଦେଖି ମୋର ଲାଜ କମିଯାଏ । ଏମିତି ଆଉ କେତେ ଦିନ ଚଳନ୍ତା ! ଶେଷରେ ଗୀର୍ଜାକୁ ଯିବା ବନ୍ଦ କରିଦେଲି ।

 

ପ୍ରତି ରବିବାର ଦିନ ମୁଁ ଯେଉଁ ପରିବାରକୁ ଯାଉଥିଲି, ସେଠୁ ମତେ ଏକପ୍ରକାର ବିଦାୟ ଦେଲେ ବୋଲି କହିଲେ ଚଳିବ । କାରଣ—ସେ ଘରର ଘରଣୀ ଜଣେ ଉତ୍ତମ ସରଳ ପ୍ରକୃତିର ନାରୀ, କିନ୍ତୁ ଟିକିଏ ସଂକୀର୍ଣ୍ଣମନା । ଆମର ପ୍ରାୟ ଧର୍ମବିଷୟରେ ଯୁକ୍ତିତର୍କ ଚାଲେ । ମୁଁ ସେହି ସମୟକୁ ‘ଲାଇଟ ଅଫ୍‌ ଏସିଆ’ ବହି ଖଣ୍ଡିକ ପଢ଼ୁଥାଏ । ଥରେ ଆମେ ବୁଦ୍ଧଙ୍କ ଜୀବନ ସଙ୍ଗେ ଯୀଶୁଙ୍କ ଜୀବନର ତୁଳନା କଲୁ । ମୁଁ କହିଲି—‘‘ଗୌତମଙ୍କର କି ଦୟା ଦେଖ ଦେଖି । ତାଙ୍କ ଦୟା ମନୁଷ୍ୟ ଜାତିକୁ ଟପି ଇତର ପ୍ରାଣୀଙ୍କ ଭିତର ମଧ୍ୟ ବ୍ୟାପି ଯାଇଥିଲା । ତାଙ୍କ କାନ୍ଧରେ ମେଣ୍ଢା ଛୁଆଟି ମହା ଆନନ୍ଦରେ ଖେଳୁଥିବାର ଦେଖିଲେ କାହା ମନରେ ଅସୀମ ଆନନ୍ଦ ଜାତ ନ ହେବ ? କିନ୍ତୁ ଯୀଶୁଙ୍କ ଜୀବନରେ ସକଳ ପ୍ରାଣୀ ପ୍ରତି ଏ ଭଳି ପ୍ରେମ ଦେଖାଯାଏ ନାହିଁ ।’’

 

ସେ ଭଉଣୀ ମନରେ ଦୁଃଖ ହେଲା, ଏହା ମୁଁ ବୁଝିପାରି ସେତିକିରେ ସେ କଥା ଛିଣ୍ଡେଇ ଦେଇ ଆମେ ଖାଇବା ଘରକୁ ଗଲୁ । ତାଙ୍କର ପାଞ୍ଚ ବର୍ଷର ଗୋଟିଏ ସୁନ୍ଦର ପୁଅ ମୋ ସାଙ୍ଗରେ ଥାଏ । ପିଲାଙ୍କ ସାଙ୍ଗ ପାଇଲେ ମୋର ମହା ଆନନ୍ଦ । ଏ ପିଲାଟିର ମୋର ଅନେକ ଦିନୁ ସାଙ୍ଗ । ଖାଇବା ଘରେ ବସୁ ବସୁ ସେ ପିଲାର ଥାଳିରେ ଯେଉଁ ମାଂସ ଖଣ୍ଡିକ ଦିଆ ହୋଇଥିଲା, ତା ବିଷୟରେ ଟିକିଏ ନାକ ଟେକି ଉପହାସ କରି କହିଲି, ଆଉ ମୋ ପତ୍ରରେ ଯେଉଁ ଆତ ଫଳଟି ଦିଆ ହୋଇଥିଲା; ତାର ପ୍ରଶଂସା କଲି । ସେ ତ ପିଲାଲୋକ, କ’ଣ ବା ଜାଣେ, ମୋ କଥାରେ ତାରି ଆଖି ଛଳ ଛଳ ହେଲା, ଆଉ ସେ ଫଳଟିର ପ୍ରଶଂସାରେ ଭୁଲିଗଲା ।

 

ସେ ପିଲାର ମା କିନ୍ତୁ ଏଥିରେ ଭାରି ବିଚଳିତ ହେଲେ । ଏତକିରେ ମୁଁ ସାବଧାନ ହୋଇ ନିଜକୁ ସମ୍ଭାଳି ନେଲି ଏବଂ ଅନ୍ୟ କଥା ପକାଇ ଗୋଳେଇ ଦେଲି ।

 

ଆର ସପ୍ତାହକୁ ମୁଁ ସାବଧାନ ହୋଇ ତାଙ୍କ ଘରକୁ ଗଲି ସତ, ମାତ୍ର ମୋର ଗୋଡ଼ ଚଳୁ ନ ଥାଏ । ସେଠାକୁ ଯିବା ବନ୍ଦ କରି ଦେବାକୁ ମୁଁ ବିଚାର ପାରିଲି ନାହିଁ, ନ ଯିବାଟା ମତେ ମଧ୍ୟ ସଙ୍ଗତ ବୋଧ ହେଲା ନାହିଁ । ସେ ନିରୀହ ଭଉଣୀଟି କିନ୍ତୁ ମୋର ସବୁ ଅଡ଼ୁଆ ତୁଟେଇ ଦେଲେ । କହିଲେ, ‘ମି. ଗାନ୍ଧୀ, ତୁମକୁ କହୁଛି ବୋଲି ମନରେ କିଛି ବିଚାରିବ ନାହିଁ । ମୁଁ ଦେଖୁଛି, ମୋ ପୁଅଟି ତୁମ ସଙ୍ଗରେ ରହି ତାର କିଛି ହିତ ହେବ ନାହିଁ । ସେ ଏବେ ପ୍ରତିଦିନ ମାଂସ ଖାଇବାକୁ ଅମଙ୍ଗ ହୋଇ ମତେ ଫଳ ମାଗୁଛି; ଯୁକ୍ତି ମତେ ଦେଖାଉଛି । ମୋର ଏହା ପସନ୍ଦ ହେଉନାହିଁ । ସେ ଯେବେ ମାଂସ ନ ଖାଇବ, ରୋଗ ନ ହୋଇପାରେ, ନିଶ୍ଚୟ ଦୁର୍ବଳ ହୋଇଯିବ । ମୁଁ ଏ କଥା କିପରି ସହିବି ? ତୁମେ ଯାହା ଚର୍ଚ୍ଚା କରିବ, ଆମ ବଡ଼ ମଣିଷଙ୍କ ସଙ୍ଗରେ କରିବ ପଛେ, ମାତ୍ର ପିଲାଙ୍କୁ କହିବ ନାହିଁ । ସେମାନଙ୍କ ମନରେ ଖରାପ ଫଳ ଫଳିବ ।’’

 

ତାଙ୍କ ନାଁ ଧରି କହିଲି—‘‘ମିସେସ୍‌......... । ମୁଁ ମଧ୍ୟ ସେଥିପାଇଁ ଦୁଃଖିତ । ତୁମର ମାଆ ମନ ମୁଁ ବୁଝିପାରୁଛି, ମୋର ତ ପୁଣି ପୁଅ ପାତି ଅଛନ୍ତି । ଏ ବିପଦ ଅତି ସହଜରେ ଦୂର ହୋଇଯିବ । ମୁଁ ଯାହା କହିବି, ତାହାର ପ୍ରଭାବଠାରୁ ମୁଁ ଯାହା ଖାଏ, ତାହା ଦେଖିବାର ପ୍ରଭାବ ବାଳକ ଉପରେ ବେଶୀ ହେବ । ଅତଏବ ସବୁଠାରୁ ଭଲ ବାଟ ହେଉଛି—ମୁଁ ଆଉ ରବିବାରକୁ ରବିବାର ଏଠାକୁ ଆସିବି ନାହିଁ । ଆମର ବନ୍ଧୁତାରେ କିନ୍ତୁ ଏଥିପାଇଁ କୌଣସି ବାଧା ପଡ଼ିବ ନାହିଁ-।’’

 

ମହିଳାଟି ଖୁସିରେ ଉତ୍ତର ଦେଲେ—

 

‘‘ତୁମକୁ ଧନ୍ୟବାଦ’’ ।

 

ଘରକରଣା

 

ବମ୍ବେ ବା ବିଲାତରେ ମୁଁ ଯେଉଁ ଘରକରଣା ଆରମ୍ଭ କରିଥିଲି, ନାତାଲର ଘରକରଣା ତା’ଠାରୁ ଭିନ୍ନ ପ୍ରକାରର ଥିଲା । କେବଳ ମର୍ଯ୍ୟାଦା ରକ୍ଷା କରିବାକୁ ଏଠାରେ କେତେକ ଖର୍ଚ୍ଚ କରିବାକୁ ପଡ଼ିଲା । ନାତାଲରେ ଭାରତୀୟ ବାରିଷ୍ଟର ଓ ଭାରତୀୟଙ୍କ ପ୍ରତିନିଧିଭଳି ମୋର ଯଥାର୍ଥ ଖର୍ଚ୍ଚ ବାର୍ଚ୍ଚ କରିବା ଉଚିତ ବୋଲି ମୋର ଧାରଣା ଥାଏ । ସେଥିପାଇଁ ଭଲ ପଡ଼ାରେ ଭଲ ଘରଟିଏ ନେବାକୁ ପଡ଼ିଲା । ଘରର ସଜାସଜି ମଧ୍ୟ ଭଲଭାବରେ କରାଇଲି । ମୋର ନିଜର ଖାଇବା ପିଇବା ଅବଶ୍ୟ ସାଧାସିଧା ଥାଏ, କିନ୍ତୁ ମଝିରେ ମଝିରେ ଇଂରେଜ ବନ୍ଧୁ ଓ ଭାରତୀୟ ସହକର୍ମୀମାନଙ୍କୁ ନିମନ୍ତ୍ରଣ କରିବାକୁ ପଡ଼େ । ତେଣୁ ଘରଖର୍ଚ୍ଚ ସହଜରେ ବଢ଼ିଯାଏ ।

 

ଗୃହସ୍ଥ ପକ୍ଷରେ ଚାକରଟିଏ ରଖିବା ନିତାନ୍ତ ଆବଶ୍ୟକ ହୋଇ ପଡ଼େ । କିନ୍ତୁ ଜଣକୁ ଚାକର ରୂପେ ରଖିବା ମୋ ଦେହାତି କେବେ ହୋଇ ନାହିଁ ।

 

ମୋ ସାଙ୍ଗରେ ମୋର ଜଣେ ସାଥୀ ଥାଆନ୍ତି । ତାଙ୍କ ଛଡ଼ା ଜଣେ ରୋଷେୟା ରଖିଲି । ଏମାନେ ମୋ ଘର ଭିତରର ଜଣେ ଜଣେ ଲୋକ ପରି ଚଳିଲେ । ମୋ ଅଫିସର କିରାଣୀଙ୍କ ଭିତରୁ କେହି କେହି ମୋ ପାଖରେ ଖାଇ ପିଇ ରହନ୍ତି ।

 

ଏଭଳି ସଂସ୍ଥାର ଭଲ ଫଳ ଅବଶ୍ୟ ଥିଲା ବୋଲି ମୁଁ ମନେ କରେ, କିନ୍ତୁ ଏହା ବୋଲି ଏଥିରେ ଜୀବନର କଟୁ ଅଭିଜ୍ଞତା ଯେ ଊଣା ଅଧିକେ ନ ଥିଲା, ତା ନୁହେଁ ।

 

ମୋର ସେ ସାଥୀ ଜଣକ ଭାରି ଚତୁର ଲୋକ; ମୁଁ ତାଙ୍କୁ ମୋ ପ୍ରତି ବଡ଼ ବିଶ୍ୱସ୍ତ ବୋଲି ବିଚାରୁଥାଏ । କିନ୍ତୁ ପରେ ଦେଖିଲି, ସେ ମତେ ଆଚ୍ଛା କରି ଚିତା କାଟିଛନ୍ତି । ଅଫିସର ଯେଉଁ କିରାଣୀ ଜଣକ ମୋ ଘରେ ରହୁଥିଲେ ତାଙ୍କ ସଙ୍ଗରେ ସେ ସାଥୀଙ୍କର ମୁହଁ ଚାହାଁଚାହିଁ ନ ଥାଏ । ସାଥୀ ଏମିତି ଜାଳ ଛନ୍ଦିଲେ ଯେ, ମୋର ସେ କିରାଣୀଟି ଉପରେ ସନ୍ଦେହ ଜାତ ହେଲା । ଏ କିରାଣୀଟି ବଡ଼ ସ୍ୱାଧୀନଚେତା ଲୋକ । ସେ ଯେତେବେଳେ ଦେଖିଲେ ଯେ, ମୁଁ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଛି, ସଙ୍ଗେ ସଙ୍ଗେ ମୋ ବସା ଓ ଚାକିରି ଉଭୟ ଛାଡ଼ି ଚାଲିଗଲେ । ମୋ ମନରେ କଷ୍ଟ ହେଲା । ତାଙ୍କ ପ୍ରତି ଅନ୍ୟାୟ କଲି ବୋଲି ମୋ ମନ ଗୋଳେଇ ଘାଣ୍ଟି ହେଉଥାଏ ।

 

ଏଥି ଭିତରେ ମୋ ରୋଷେୟାଟି ଛୁଟି ନେଇ କି ଆଉ କଣ ପାଇଁ ଦିନାକେତେ ସ୍ଥାନାନ୍ତରକୁ ଚାଲିଗଲା । ମୁଁ ତ ତାକୁ ମୋ ବନ୍ଧୁମାନଙ୍କ ଚରଚା ଲାଗି ରଖିଥିଲି । ସେ ଗଲାରୁ ତା ବଦଳରେ ଆଉ ଜଣଙ୍କୁ ରୋଷେୟା ରଖିଲି । ସେ ଜଣକ ଉଡ଼ିଗଲା ଚଢ଼େଇର ପର ଗଣିଲାବାଲା ଥିଲା, ଏକଥା ମୁଁ ପରେ ଜାଣିଲି । କେଜାଣି କେମିତି, ମୋର ଯେତେ ଦରକାର, ସେ ତାଠୁ ଅଧିକ କାମରେ ଆସିଲା ।

 

ଏ ରୋଷେୟାକୁ ରଖିବାର ଦୁଇ ତିନି ଦିନ ହୋଇଛି କି ନାହିଁ, ମୋ ଅଜଣାରେ ମୋରି ଘର ଭିତରେ ଘଟୁଥିବା କେତେଗୁଡ଼ିଏ କୁକାର୍ଯ୍ୟ ତା ନଜରରେ ପଡ଼ିଲା । ସେ ମତେ ସତର୍କ କରି ଦେବାକୁ ଭାବିଲା । ମୁଁ ଜଣେ ବିଶ୍ୱାସଯୋଗ୍ୟ ଓ ସଚ୍ଚରିତ୍ର ଲୋକ ବୋଲି ସମସ୍ତେ ଜାଣନ୍ତି । ସେଥିପାଇଁ ସେ ସବୁ କଦର୍ଯ୍ୟ କାଣ୍ଡକୁ ଦେଖି ତାକୁ ଅଧିକ ବାଧିଲା ।

 

ପ୍ରତିଦିନ ଦିପହର ଗୋଟାକ ବେଳେ ମୁଁ ଅଫିସରୁ ଘରକୁ ଖାଇବାକୁ ଯାଏ । ସେଦିନ ପ୍ରାୟ ବାରଟା ବେଳେ ରୋଷେୟା ବିଚରା ଧଇଁ ସଇଁ ହୋଇ ଆସି ପହଞ୍ଚି କହିଲା, ‘‘ବାବୁ, ଗୋଟାଏ ଆଚମ୍ବିତ କଥା ଦେଖିବ ତ ଝଟ୍‌ ଘରକୁ ଆସ ।’’

 

ମୁଁ କହିଲି ‘‘କିରେ, କଥା କଅଣ ? ଏଇଠି କହୁନୁ ! ଏତେବେଳେ ଅଫିସ ଛାଡ଼ି ଘରକୁ ଯାଇ ଦେଖିବାର କଣ ଅଛି ?’’

 

‘‘ଯେବେ ନ ଆସିବ ତ ପରେ ପସ୍ତେଇବ । ମୁଁ ଏଠି ତମକୁ ବେଶୀ କିଛି କହିବାକୁ ଆସିନାହିଁ ।’’

 

ତା’ର ଏପରି ଟାଣପଣକୁ ମୁଁ ମନେ ମନେ ପସନ୍ଦ କଲି । କିରାଣୀକୁ ସଙ୍ଗରେ ନେଇ ଘରକୁ ଗଲି । ରୋଷେୟା ଆଗେ ଆଗେ ଚାଲିଥାଏ ।

 

ଘରେ ପହଞ୍ଚିଲାକ୍ଷଣି ସେ ମତେ ଉପର ମହଲାକୁ ନେଇଗଲା । ଯେଉଁ ବଖରାରେ ସାଥୀ ଜଣକ ରହନ୍ତି, ସେ ଆଡ଼କୁ ଦେଖାଇ କହିଲା, ‘‘ଏ କୋଠରୀ ଫିଟେଇ ଦେଖ ତ ।’’

 

ମୁଁ ସବୁକଥା ବୁଝିପାରିଲି; କବାଟରେ ଠକ୍‌ ଠକ୍‌ କଲି । କୌଣସି ଜବାବ ପାଇଲି ନାହିଁ-। ଖୁବ୍‌ ଜୋରରେ କବାଟ ବାଡ଼େଇଲି; ଏପରିକି କାନ୍ଥ ବାଡ଼ ସବୁ ଦୋହଲିଗଲା । କବାଟ ଫିଟିଲା-। ଦେଖିଲି ତାର ଭିତରେ ଜଣେ ଚରିତ୍ରହୀନା ସ୍ତ୍ରୀ ଲୋକ । ମୁଁ ତାକୁ କହିଲି, ‘‘ଭଉଣୀ, ତୁ ଏଠୁ ଚାଲିଯା । ଏଣିକି କେବେ ଆଉ ଏ ଘରେ ପାଦ ପକେଇବୁ ନାହିଁ ।’’

 

ସାଥୀଙ୍କୁ କହିଲି, ‘‘ଏଇ ମୁହୂର୍ତ୍ତରୁ ତୁମର ମୋର ସମ୍ପର୍କ ତୁଟିଗଲା । ମୁଁ ଖୁବ୍‌ ଠକିଲିଣି । ଭଲଭାବରେ ବୋକା ବନିଲିଣି । ମୋ ବିଶ୍ୱାସର ଏଭଳି ପ୍ରତିଦାନ ଠିକ୍‌ ନୁହେଁ ।’’

 

ସାଥୀ ପାଗଳପରି ହୋଇଗଲେ । ତାଙ୍କର ଚେତା ପଶିବ କ’ଣ ସେ ଓଲଟି ମୋର ସବୁକଥା ପଦାରେ ପକେଇ ଦେବେ ବୋଲି ଧମକେଇଲେ ।

 

ମୁଁ କହିଲି, ‘‘ମୋର ତ କିଛି ଲୁଚାଛପା ନାହିଁ । ମୁଁ ଯଦି କିଛି କରିଛି, ତୁମେ ଆନନ୍ଦରେ ପ୍ରକାଶ କରି ଦିଅ, ମାତ୍ର ତୁମ ସଙ୍ଗେ ମୋର ସବୁ ସମ୍ପର୍କ ତୁଟିଲା ।’’

 

ବନ୍ଧୁ ଆହୁରି ଗରମ ହୋଇଗଲେ । ସେତେବେଳେ ମୋର ଆଉ ଉପାୟ କଣ ? ତଳମହଲାରେ ଠିଆ ହୋଇଥିବା କିରାଣୀଙ୍କୁ ମୁଁ କହିଲି, ‘‘ତୁମେ ଯାଅ ତ ପୁଲିସ ସୁପରିଟେଣ୍ଡଣ୍ଟଙ୍କୁ ମୋର ନମସ୍କାର କହିବ, ଆଉ ଜଣାଇ ଦେବ ଯେ ମୋର ଜଣେ ବନ୍ଧୁ ମତେ ଦଗା ଦେଇଛି । ମୁଁ ତାକୁ ମୋ ଘରେ ରଖିବାକୁ ଚାହୁଁନାହିଁ, ଅଥଚ ସେ ବାହାରିଯିବାକୁ ନାରାଜ । ଦୟାକରି ମତେ ସାହାଯ୍ୟ ପଠାଇବେ ।’’

 

ଦୋଷୀଯାକ ତ ଭାରି ଡରୁଆ; ମୁଁ ଏମିତି କହିବାରୁ ସାଥୀଙ୍କ ତେଜ ମଉଳିଗଲା । ସେ କ୍ଷମା ମାଗିଲେ । ସୁପରିଟେଣ୍ଡଣ୍ଟଙ୍କ ପାଖକୁ ଲୋକ ନ ପଠାଇବା ନିମନ୍ତେ କେତେ ଅନୁନୟ ବିନୟ କଲେ ଏବଂ ସଙ୍ଗେ ସଙ୍ଗେ ଘର ଛାଡ଼ି ଚାଲି ଯିବାକୁ ରାଜି ହୋଇଗଲେ ଓ ଘରୁ ଚାଲିଗଲେ ମଧ୍ୟ ।

 

ଏହି ଘଟଣା ମୋ ଜୀବନକୁ ସଫା ସୁତୁରା କରିଦେଲା । ଏ ସାଥୀ ଜଣକ ମୋର ଗୋଟିଏ ମୋହସ୍ୱରୂପ ହୋଇଥିଲେ ଏବଂ କ୍ଷତିକାରକ ମଧ୍ୟ ଥିଲେ ବୋଲି ମୁଁ ଏବେ ସ୍ପଷ୍ଟ ବୁଝିପାରିଲି । ତାଙ୍କୁ ରଖିବାରେ ମୋର ଉଦ୍ଦେଶ୍ୟ ଭଲ, କିନ୍ତୁ ଉପାୟ ନାକରା । ମୁଁ ନିମ୍ବଗଛ ମୂଳେ ଗୁଡ଼ ଢାଳି ତାକୁ ମିଠା କରିବାକୁ ବସଥିଲି । ମୁଁ ଜାଣେ ସାଥୀ ଖରାପ ସ୍ୱଭାବର ଲୋକ, ତଥାପି ସେ ମୋଠାରେ ବିଶ୍ୱସ୍ତ ବୋଲି ମୁଁ ଭୁଲିଗଲି । ତାଙ୍କୁ ବାଟକୁ ଆଣିବାକୁ ଯାଇ ନିଜେ ପଙ୍କରେ ପଡ଼ି ଯାଇଥିଲି । ମୋର ମଙ୍ଗଳ ପାଞ୍ଚୁଥିବା କେତେ ଲୋକଙ୍କ କଥା ମୁଁ କାନରେ ପକେଇ ନାହିଁ । ଅବିଚାର ମତେ ଅନ୍ଧ କରି ଦେଇଛି ।

 

ଉପରୋକ୍ତ ଆକସ୍ମିକ ଘଟଣାରୁ ମୋର ଆଖି ଫିଟି ନ ଥାନ୍ତା ତ ସତ ଖବର ମତେ ଜଣା ପଡ଼ି ନ ଥାନ୍ତା ଏବଂ ସମ୍ଭବତଃ ମୁଁ ଯେତେ ସ୍ୱାର୍ଥତ୍ୟାଗ କରିପାରିଛି, ତାହା ସମ୍ଭବ ହୋଇ ନ ଥାନ୍ତା । ମୋର ସେବା ସବୁଦିନ ପାଇଁ ଅପୂର୍ଣ୍ଣ ରହିଥାନ୍ତା । କାରଣ ସେହି ସାଥୀ ମୋର ସକଳପ୍ରକାର ଉନ୍ନତିରେ ନିଶ୍ଚୟ ବାଧା ଦେଇଥାନ୍ତେ । ତାଙ୍କ ଲାଗି ମୋର କେତେ ସମୟ ନଷ୍ଟ ହୋଇଥାନ୍ତା । ମତେ ଭୁଲେଇ ଦେଇ ଅବାଟରେ ନେଇ ଯିବାକୁ ଯଥେଷ୍ଟ ଶକ୍ତି ତାଙ୍କଠି ଥିଲା ।

 

କିନ୍ତୁ ‘‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ ?’’ ମୋର ଉଦ୍ଦେଶ୍ୟ ସତ୍ ଓ ନିର୍ମଳ । ତେଣୁ ମୋର ପ୍ରମାଦ ସତ୍ତ୍ୱେ ମୁଁ ସେଥିରୁ ଉଧୁରି ଗଲି । ଜୀବନର ଆରମ୍ଭରେ ଏହି ଅଭିଜ୍ଞତା ମତେ ଭବିଷ୍ୟତକୁ ବଡ଼ ସାବଧାନ କରି ଦେଇଥିଲା ।

 

କିଏ କହିବ ? ସେ ରୋଷେୟାଟି ସତେ ଅବା ଭଗବାନଙ୍କର ଦୂତରୂପେ ଆସିଥିଲା । ତାକୁ ରୋଷଇ ଆଦୌ ଆସୁ ନ ଥାଏ । ରୋଷେୟା ହୋଇ ସେ ମୋ ପାଖରେ ରହିପାରି ନ ଥାନ୍ତା-। କିନ୍ତୁ ସେ ନ ଥିଲେ ମୋ ଆଖି କିଏ ଫିଟାଇ ଥାନ୍ତା ? ସେ ସ୍ତ୍ରୀ ଲୋକଟି ଯେ ସେଇ ଥରକ ମୋ ଘରକୁ ପ୍ରଥମକରି ଆସିଥିଲା, ୟା ବି ନୁହେଁ । ଆଗରୁ ଅନେକବାର ସେ ଆସେ । କିନ୍ତୁ ଏ ରୋଷେୟାର ସାହସ ଆଉ କାହାରିଠି ନ ଥିଲା । ସାଥୀଙ୍କ ଉପରେ ମୋର ଅସୀମ ବିଶ୍ୱାସର କଥା ତାକୁ ଜଣାଥାଏ ।

 

ଏତକ ସେବା କରି ସାରି ସେ ରୋଷେୟାଟି ସେହିଦିନ ସେହିକ୍ଷଣି ମୋଠୁଁ ବିଦାୟ ନେବାକୁ ଇଚ୍ଛା କଲା । କହିଲା, ‘‘ମୁଁ ତୁମ ଘରେ ରହିପାରିବି ନାହିଁ । ତୁମେ ଭୋଳା; ଏଠି ମୋର କାମ ଚଳିବ ନାହିଁ ।’’

 

ମୁଁ ତାକୁ ବଳେଇଲି ନାହିଁ ।

 

ମୁଁ ଏବେ ବୁଝିଲି ଯେ ଆମ କିରାଣୀଟି ଉପରେ ମୋର ସନ୍ଦେହ ଜନ୍ମେଇବାର କାରଣ ମୋର ଏହି ସାଥୀ ଛଡ଼ା ଆଉ କେହି ନୁହେଁ । ପରେ ତାଙ୍କୁ ନ୍ୟାୟ ଦେବାକୁ ମୁଁ ବହୁତ ଚେଷ୍ଟା କଲି-। କିନ୍ତୁ ଚିରଦିନ ମୋର ଦୁଃଖ ରହିଲା ଯେ, ମୁଁ ତାଙ୍କୁ ପୂର୍ଣ୍ଣ ସନ୍ତୋଷ ଦେଇପାରିଲି ନାହିଁ । ହାଣ୍ଡି ଥରେ ଫାଟିଗଲେ, ତାକୁ ଯେତେ ଯୋଡ଼ିଲେ, ସେ କି ଆଉ କେବେ ହେଲେ ଯୋଡ଼ି ହୁଏ-?

 

ଦେଶଆଡ଼କୁ

 

ଏବେ ପ୍ରାୟ ତିନିବର୍ଷ ହେଲା ମୁଁ ଦକ୍ଷିଣ ଆଫ୍ରିକାରେ ରହିଗଲିଣି । ମୁଁ ସେଠା ଲୋକଙ୍କୁ ଚିହ୍ନି ଯାଇଛି ଓ ସେମାନେ ମଧ୍ୟ ଚିହ୍ନି ଯାଉଛନ୍ତି । ୧୮୯୬ ସାଲରେ ମୁଁ ଛଅମାସ ପାଇଁ ଦେଶକୁ ଯିବାଲାଗି ସେମାନଙ୍କ ଅନୁମତି ମାଗିଲି । ମୁଁ ଦେଖିଲି, ମତେ ଦକ୍ଷିଣ ଆଫ୍ରିକାରେ ଦୀର୍ଘକାଳ ରହିବାକୁ ପଡ଼ିବ । ମୋର ଓକିଲାତି ଏକପ୍ରକାର ବେଶ୍‌ ଚାଲୁଥାଏ । ସାଧାରଣ କାମରେ ଲୋକେ ଯେ ମତେ ବରାବର ଦରକାର ମନେ କରୁଛନ୍ତି, ଏହା ମୁଁ ବେଶ୍‌ ବୁଝି ପାରିଲି । ସେଥିପାଇଁ ଭାବିଲି, ଦେଶକୁ ଯାଇ ପିଲା କୁଟୁମ୍ବ ନେଇ ଆସି ଏଇଠି ସ୍ଥାୟୀ ଭାବରେ ରହିବି । ପୁଣି ଦେଶକୁ ଗଲାଠୁ ସେଠି ଯେବେ କିଛି ସାଧାରଣ କାମ ହୋଇପାରିବ ତେବେ ତାହା ମଧ୍ୟ କରିବାକୁ ହେବ । ଦେଶରେ ଦକ୍ଷିଣ ଆଫ୍ରିକା ସମସ୍ୟା ସମ୍ପର୍କରେ ଲେକାମତ ଜାଗ୍ରତ କରାଇ ଦିଗରେ ସେମାନଙ୍କର ଆଗ୍ରହ ଜନ୍ମାଇବି । ତିନିପାଉଣ୍ଡିଆ କର ତ କଞ୍ଚା ଘା’ ପରି ରହିଥାଏ । ତାହା ନ ଉଠିବାଯାଏ ଶାନ୍ତି କାହିଁ ?

 

ମୁଁ ତ ଚାଲିଯିବି, ମାତ୍ର ମୋ ଅନୁପସ୍ଥିତିରେ କଂଗ୍ରସର ଓ ଶିକ୍ଷାମଣ୍ଡଳର କାମ କିଏ ଚଳାଇବ ? ଦୁଇଜଣ ସହକର୍ମୀଙ୍କ ଉପରେ ମୋର ନଜର ପଡ଼ିଲା । ଜଣେ ଆଦାମ୍‌ଜୀ ମିଆଁ ଖାଁ, ଆଉ ଜଣେ ପାର୍ଶି ରୁସ୍ତମଜୀ । ବ୍ୟବସାୟୀମାନଙ୍କ ମଧ୍ୟରୁ ଏଥି ମଧ୍ୟରେ ଅନେକ ଗୁଡ଼ିଏ କର୍ମୀ ମିଳିଥାନ୍ତି; କିନ୍ତୁ ନିଷ୍ଠାର ସହିତ ସମ୍ପାଦକର କର୍ତ୍ତବ୍ୟ କରିବେ ଏବଂ ଭାରତୀୟ ସାଧାରଣଙ୍କର ତାଙ୍କଠାରେ ପୂର୍ଣ୍ଣ ଖାତିର ଥିବ, ଏପରି ଲୋକ ଥିଲେ କେବଳ ଏଇ ଦୁଇଜଣ ସମ୍ପାଦକଙ୍କର ଅବଶ୍ୟ ଇଂରାଜୀ ଜାଣିଥିବା ଦରକାର । ଏ ଦୁହିଁଙ୍କ ଭିତରୁ ସ୍ୱର୍ଗୀୟ ଆଦାମ୍‌ଜୀ ମିଆଁ ଖାଁଙ୍କୁ ସମ୍ପାଦକ ପଦ ଦେବାପାଇଁ ମୁଁ କଂଗ୍ରେସକୁ ସୁପାରିଶ କଲି । କଂଗ୍ରେସ ମଧ୍ୟ ସଂପାଦକ ରୂପେ ତାଙ୍କ ନିଯୁକ୍ତିକୁ ମଞ୍ଜୁର କଲା । କାର୍ଯ୍ୟର ଗତିରୁ ଜଣାଗଲା ଏ ନିର୍ବାଚନ ଭଲ ହୋଇଛି । ଅଧ୍ୟବସାୟ, ଉଦାରତା ମଧୁର ସ୍ୱଭାବ ତଥା ଶିକ୍ଷାଚାରରେ ଶେଠ ଆଦାମଜୀ ମିଆଁ ଖାଁ ସମସ୍ତଙ୍କୁ ସନ୍ତୁଷ୍ଟ କରିଥିଲେ । ଏଥିରେ ସମସ୍ତଙ୍କର ବିଶ୍ୱାସ ହୋଇ ଗଲା ଯେ, ସମ୍ପାଦକ କାମ ଚଳାଇବାଲାଗି ଓକିଲ, ବାରିଷ୍ଟର କିମ୍ବା ଉଚ୍ଚ ଡିଗ୍ରୀଧାରୀ ଇଂରାଜୀ ପାଠୁଆ ଲୋକ ଦରକାର ନୁହଁନ୍ତି ।

 

୧୮୯୬ ସାଲ ମଧ୍ୟଭାଗରେ ‘ପଙ୍ଗୋଲା’ ନାମକ ଜାହଜରେ ଚଢ଼ି ମୁଁ ନିଜ ଦେଶକୁ ବାହୁଡ଼ିଲି । ଏ ଜାହଜ ସେଠାରୁ କଲିକତାକୁ ଯାଉଥାଏ । ଜାହଜରେ ବହୁତ ଯାତ୍ରୀ ଥାଆନ୍ତି । ସେଥିମଧ୍ୟରୁ ଦୁଇଜଣ ଗୋରା ଇଂରେଜ । ସେମାନଙ୍କ ସଙ୍ଗରେ ମୋର ବେଶ୍‌ ପରିଚୟ ହୋଇଗଲା । ସେମାନଙ୍କ ଭିତରୁ ଜଣଙ୍କ ସଙ୍ଗରେ ପ୍ରତିଦିନ ଘଣ୍ଟାଏ ସତରଞ୍ଜି ଖେଳେ । ଜାହାଜର ଡାକ୍ତର ମତେ ‘‘ତାମିଲ ଶିକ୍ଷକ’’ ବହି ଖଣ୍ଡିଏ ଦେଲେ । ମୁଁ ସେ ଖଣ୍ଡିକ ପଢ଼ିବାକୁ ଆରମ୍ଭ କଲି । ନାତାଲରେ ଥିଲାବେଳେ ମୁଁ ବୁଝିପାରିଲି ଯେ, ମୁସଲମାନଙ୍କ ସଙ୍ଗେ ଘନିଷ୍ଠଭାବରେ ମିଳାମିଶା କରିବାପାଇଁ ଉର୍ଦ୍ଦୁଭାଷା ଏବଂ ମାନ୍ଦ୍ରାଜୀ ଭାରତୀୟଙ୍କ ସଙ୍ଗେ ମିଳାମିଶା ଲାଗି ତାମିଲ ଭାଷା ଜାଣିବା ନିତାନ୍ତ ଦରଦାର ।

 

ସେ ଗୋରା ଇଂରେଜ ବନ୍ଧୁ ଉର୍ଦ୍ଦୁ ପଢ଼ିବାକୁ ଇଚ୍ଛା କଲାରୁ ମୁଁ ଡେକ୍‌ ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଭଲ ମୁନ୍‌ସି ଖୋଜି ବାହାର କଲି । ତାଙ୍କ ସାହାଯ୍ୟରେ ଆମ ଦୁହିଁଙ୍କର ପଢ଼ାପଢ଼ି ମଜାରେ ଚାଲିଲା । ଇଂରେଜ କର୍ମଚାରୀ ଜଣକ ନିଜ ସ୍ମରଣ ଶକ୍ତି ବଳରେ ମୋ ଆଗକୁ ମାଡ଼ି ମାଡ଼ି ଚାଲିଲେ । ଉର୍ଦ୍ଦୁ ଅକ୍ଷର ଚିହ୍ନିବା ମୋ ପକ୍ଷରେ କଷ୍ଟକର ହେଉଥାଏ । ମାତ୍ର ସେ ଥରଟିଏ ଦେଖିଦେଲେ କୌଣସି ଶବ୍ଦକୁ ପାଶୋରନ୍ତି ନାହିଁ । ମୁଁ ଯେତେ ଚେଷ୍ଟା କଲେ ବି ଇଂରେଜଙ୍କୁ ଟପି ପାରିଲି ନାହିଁ । ତାମିଲ ଭାଷା ଶିକ୍ଷା ମଧ୍ୟ ଊଣା ଅଧିକେ ଚାଲିଥାଏ । କେହି ଅବଶ୍ୟ ଶିଖାଇବାକୁ ନ ଥାନ୍ତି । ମାତ୍ର ସେ ‘‘ତାମିଲ ଶିକ୍ଷକ’’ ବହିଟି ଏମିତି ଭାବରେ ଲେଖା ହୋଇଥାଏ ଯେ, ତାକୁ ପଢ଼ିବାରେ କାହାରି ସାହାଯ୍ୟ ଦରକାର ହୁଏ ନାହିଁ ।

 

ମୋର ସେତେବେଳେ ଆଶା ହେଉଥାଏ, ଏମିତି ବହି ପଢ଼ାପଢ଼ିର ଅଭ୍ୟାସ ଭାରତରେ ପହଞ୍ଚିଲା ପରେ ମଧ୍ୟ ଚାଲୁ ରହିବ; ମାତ୍ର ତାହା ହୋଇ ପାରିଲା ନାହିଁ । ୧୮୯୩ ସାଲ ପରଠାରୁ ପଢ଼ିବା, ଶିଖିବା ସବୁ ମୁଖ୍ୟତଃ ଜେଲ ଭିତରେ ହୋଇ ପାରିଛି । ଏହି ଦୁଇଭାଷାର ଜ୍ଞାନକୁ ମୁଁ ପରେ ବଢ଼ାଉଥିଲି ସତ, ମାତ୍ର ସେ ସବୁର ବେଶୀ ଭାଗ ଜେଲରେ ହୋଇଥିଲା । ଦକ୍ଷିଣ ଆଫ୍ରିକା ଜେଲରେ ତାମିଲ ଭାଷା ଏବଂ ୟେର୍‌ବାଡ଼ା ଜେଲରେ ଉର୍ଦ୍ଦୁଭାଷା ପଢ଼ିବାର ସୁଯୋଗ ପାଇଥିଲି । ତଥାପି ତାମିଲ କହିବା ଅଭ୍ୟାସ ମୋର କେବେ ନ ଥିଲା । ଯାହା ବା ଟିକିଏ ପଢ଼ି ପାରୁଥିଲି, ଅଭ୍ୟାସ ଅଭାବରୁ ସେତକ ବି ଏବେ ଲୋପ ପାଉଛି । ଏତକ ଅଭାବର ଦୁଃଖ ମତେ ଆଜିଯାଏ ବାଧୁଛି । ଦକ୍ଷିଣ ଆଫ୍ରିକାରେ ମାଡ୍ରାସୀ ଭାରତୀୟଙ୍କର ସ୍ନେହ ମମତାରେ ମୁଁ ବୁଡ଼ି ଯାଇଥିଲି, ସେ ସ୍ନେହ ମମତାର ସ୍ମୃତି ଏବେ ମଧ୍ୟ ମୋ ମନରେ ଜାଗ୍ରତ ଅଛି । ଯେତେବେଳେ ଜଣେ କେହି ତାମିଲ ବା ତେଲୁଗୁ ବନ୍ଧୁଙ୍କୁ ଦେଖି ପକାଏ ସେତିକିବେଳେ ସେମାନଙ୍କର ଶ୍ରଦ୍ଧା, ପରିଶ୍ରମ ଓ ନିସ୍ୱାର୍ଥ ତ୍ୟାଗର କଥା ମୋ ମନରେ ନ ପଡ଼ି ରହିପାରେ ନାହିଁ । ଏମାନେ ସମସ୍ତେ ପ୍ରାୟ ନିରକ୍ଷର ଥିଲେ । ମରଦମାନେ ଯେମିତି ମାଇପିମାନେ ବି ସେମିତି । ଏଇ ନିରକ୍ଷରମାନଙ୍କ ଲାଗି ଦକ୍ଷିଣ ଆଫ୍ରିକାର ଲଢ଼େଇ । ଏଇ ନିରକ୍ଷର ସୈନ୍ୟମାନଙ୍କୁ ନେଇ ସେ ସୁଦ୍ଧା ଚଳିଥିଲା । ଦରିଦ୍ରମାନଙ୍କ ପାଇଁ ସେ ଯୁଦ୍ଧର ଉତ୍ପତ୍ତି ଏବଂ ସେହି ଦରିଦ୍ରମାନଙ୍କର ସେ ଯୁଦ୍ଧରେ ପୂର୍ଣ୍ଣ ଭାଗ ଥିଲା ।

 

ଅବଶ୍ୟ ଏହି ସାଧୁ, ନିରୀହ ଭାରତବାସୀଙ୍କ ହୃଦୟ କିଣିବାରେ ମୋର ସେମାନଙ୍କର ଭାଷା ଜ୍ଞାନର ଅଭାବ କେବେ ହେଲେ ଅନ୍ତରାୟ ହୋଇ ନଥିଲା । ସେମାନେ ଦରଖଣ୍ଡିଆ ଇଂରାଜୀ କହନ୍ତି—ଭଙ୍ଗା ଭଙ୍ଗା ହିନ୍ଦୀ ମଧ୍ୟ କହନ୍ତି । ସେଇଥିରେ ଆମର କାମ ଚଳିଯାଏ । ସେମାନଙ୍କ ସ୍ନେହର ପ୍ରତିଦାନ ପାଇଁ ମୁଁ ଅବଶ୍ୟ ତାମିଲ ତେଲୁଗୁ ଶିଖିବାକୁ ଇଚ୍ଛା ବଳାଇଲି । ଆଗରୁ କହିଛି, କେତେକ ପରିମାଣରେ ତାମିଲ ଭାଷା ଜ୍ଞାନ ହାସଲ କଲି । ତେଲୁଗୁ ପଢ଼ିବାର ଉଦ୍ୟମ କେବଳ ଭାରତବର୍ଷରେ ହେଲା । କେବଳ ‘କ’, ‘ଖ’ ରେ ଆଖି ପକେଇବା ଛଡ଼ା ଆଗକୁ ଯାଇ ପାରିଲି ନାହିଁ ।

 

ମୋର ତ ତାମିଲ ତେଲୁଗୁ ଭାଷା ହେଲା ନାହିଁ । ଏବେ ଆଉ କୁଆଡ଼ୁ ହେବ ? ସେଥିଲାଗି ମୁଁ ଆଶା କରୁଛି ଏ ଦକ୍ଷିଣ ଭାଷାଭାଷୀମାନେ ହିନ୍ଦୁ ସ୍ଥାନୀ ଶିଖିବେ । ଦକ୍ଷିଣ ଆଫ୍ରିକାର ଦ୍ରାବିଡ଼ମାନେ ତ କିଛି କିଛି ହିନ୍ଦୀ କହି ପାରନ୍ତି, ମାତ୍ର ଅଡ଼ୁଆ ହୁଏ କେବଳ ଇଂରାଜୀ ପାଠୁଆଙ୍କର-। କିଏ ଜାଣେ, ଆମର ଇଂରାଜୀ ଜ୍ଞାନ ଅନ୍ୟାନ୍ୟ ଭାଷା ଶିଖିବାରେ ଆମର ଅନ୍ତରାୟ ହେଉ ନ ଥିବ ?

 

କଅଣ କହୁ କହୁ କୁଆଡ଼େ ମାଡ଼ିଗଲିଣି । ମୋର ସମୁଦ୍ରଯାତ୍ରା କଥାଟା ଆଗ ଶେଷ କରିବା ଦରକାର । ପାଠକମାନଙ୍କୁ ‘ପଙ୍ଗୋଲା’ ଜାହାଜର କାପ୍ତାନଙ୍କର ଟିକିଏ ପରିଚୟ ଦିଏ । ଏଥି ଭିତରେ ଆମେ ଦୁହେଁ ଭାରି ସାଙ୍ଗ ହୋଇ ଯାଇଥାଉଁ । ସାଧୁ କପ୍ତାନ ବିଚାରା ସେହି ‘ପ୍ଳାମୀ’ ଦାୟର ସମ୍ପ୍ରଦାୟର ଲୋକ । ତାଙ୍କ ସଙ୍ଗରେ ନାବିକବିଦ୍ୟା (ବହାଣ ବିଦ୍ୟା) ଅପେକ୍ଷା ଆଧ୍ୟାତ୍ମିକ ଶାସ୍ତ୍ରର ଚର୍ଚ୍ଚା ଅଧିକ ହେଉଥିଲା । ସେ ନୈତିକତା ଧର୍ମନିଷ୍ଠା ଭିତରେ ପ୍ରଭେଦ ଥିବା କଥା କହନ୍ତି । ତାଙ୍କ ମତରେ ବାଇବେଲର ଶିକ୍ଷା ପିଲାଖେଳ ପରି । ଏହାର ସରଳତାରେ ହିଁ ଏହାର ସୌନ୍ଦର୍ଯ୍ୟ । ସେ ଆହୁରି କହନ୍ତି, ‘‘ସ୍ତ୍ରୀ ପୁରୁଷ ଓ ବାଳକ ବାଳିକା ସମସ୍ତେ ଯୀଶୁ ଓ ତାଙ୍କ ଆତ୍ମବଳିଦାନରେ ବିଶ୍ୱାସ ରଖିଲେ, ସେମାନଙ୍କର ସମସ୍ତ ପାପ ଧୋଇଯିବ ।’’ ଏ ବନ୍ଧୁଙ୍କୁ ଦେଖି ପ୍ରିଟୋରିଆର ସେହି ପ୍ଳାଇମାଉଥ୍ ବନ୍ଧୁଙ୍କ କଥା ମୋର ମନେ ପଡ଼ିଲା । ତାଙ୍କ ମତରେ ଯେଉଁ ଧର୍ମରେ ନୀତିକୁ ଜଗିରଖି ଚଳିବାକୁ ହୁଏ, ସେ ଧର୍ମ ଧର୍ମ ନୁହେଁ । ମୋର ଅନ୍ନାହାରରୁ ଏ ସବୁ ଯୁକ୍ତିର ଖିଅ ବାହାରେ । ମୁଁ କାହିଁକି ମାଂସ ଖାଏ ନାହିଁ ? ଗୋ ମାଂସରେ ଦୋଷ କ’ଣ ? ଗଛପତ୍ରଭଳି ପଶୁପକ୍ଷୀଙ୍କୁ ଭଗବାନ ମନୁଷ୍ୟର ଆନନ୍ଦ ଓ ଆହାର ପାଇଁ ସର୍ଜନା କରି ନାହାନ୍ତି କି ? ଇତ୍ୟାଦି ପ୍ରଶ୍ନରେ ଆମ ଭିତରେ ଆଧ୍ୟାତ୍ମିକ କଥାବାର୍ତ୍ତା ନ ହୋଇ ରହନ୍ତା କିପରି ?

 

ଉଭୟେ କିନ୍ତୁ କେହି କାହାକୁ ବୁଝାଇ ପାରୁ ନାହିଁ । ମୁଁ ମୋ ନିଜ ମତକୁ ଟାଣ ରଖିଥାଏ ଯେ, ‘ଧର୍ମ’ ଓ ‘ନୀତି’ ଗୋଟିଏ ଜିନିଷ । କିନ୍ତୁ କପ୍ତାନ ଏ କଥାର ବିରୁଦ୍ଧ ମତରେ ମଧ୍ୟ ଖୁବ୍‌ ଟାଣ ଥାନ୍ତି ।

 

ଦୀର୍ଘ ଚବିଶ ଦିନ ପରେ ଏ ସୁଖକର ଯାତ୍ରା ଶେଷ ହେଲା । ହୁଗୁଳି ନଦୀର ସୌନ୍ଦର୍ଯ୍ୟ ଦେଖି ଦେଖି ମୁଁ କଲିକତାରେ ଆସି ଓହ୍ଲାଇଲି । ସେହିଦିନ ଟିକେଟ କାଟି ମୁଁ ରେଳରେ ବୋମ୍ବେ ଯାତ୍ରାକଲି ।

 

ଭାରତବର୍ଷରେ

 

କଲିକତାରୁ ବମ୍ବେ ଗଲାବେଳେ ବାଟରେ ଆହ୍ଲାବାଦ ପଡ଼େ । ସେଠାରେ ଗାଡ଼ି ୪୫ ମିନିଟ୍‌ ରହେ । ସେହି ସମୟ ଭିତରେ ମୁଁ ଥରେ ସହର ଭିତରେ ଚକ୍‌କର ମାରି ଦେଇ ଆସିବାକୁ ଭାବିଲି । ଡାକ୍ତରୀ ଦୋକାନରେ ମୋର କିଛି ଔଷଧ ମଧ୍ୟ କିଣିବାର ଥାଏ । ଔଷଧ ଦୋକାନରେ ପହଞ୍ଚିଲାବେଳକୁ ସେ ଦୋକାନୀ ଶୋଇଥାଏ । ଔଷଧ ଦେଉଁ ଦେଉଁ ବେଳ ହୋଇଗଲା । ମୁଁ ଷ୍ଟେସନରେ ପହଞ୍ଚି ଦେଖିଲି, ଗାଡ଼ି ଛାଡ଼ି ଦେଇଛି । ଷ୍ଟେସନ ମାଷ୍ଟର ବଡ଼ ଭଦ୍ରଲୋକ, ସେ ମୋ ପାଇଁ ଗାଡ଼ିକୁ ମିନଟିଏ ପର୍ଯ୍ୟନ୍ତ ଅଟକାଇଲେ; କିନ୍ତୁ ମୋର ଫେରିବାର ନ ଦେଖି ଯତ୍ନକରି ମୋ ଜିନିଷପତ୍ର ସବୁ ଗାଡ଼ିରୁ ଉତ୍ତାରି ରଖାଇଲେ ।

 

ମୁଁ ଆସି କେଲେନର ହୋଟେଲରେ ଅତିଥି ହେଲି ଏବଂ ସଙ୍ଗେ ସଙ୍ଗେ ସେଇଁଠୁ କାମ ଆରମ୍ଭ କରିବାକୁ ଠିକ୍‌ କଲି । ଏଠାକାର ‘ପାୟୋନିୟର’ ଖବର କାଗଜର ଖୁବ୍‌ ଖ୍ୟାତି ଥିବା କଥା ମୁଁ ଶୁଣିଥାଏ । ସେ କାଗଜର ମତ ସାଧାରଣ ଲୋକମତର ବିରୋଧ ବୋଲି ଜାଣିଥାଏ । ମୋର ମନେ ହେଉଛି ସେତେବେଳେ ମିଷ୍ଟର ଚେସନୀ ସେ କାଗଜର ସମ୍ପାଦକ ଥାନ୍ତି । ତେଣୁ ମି. ଚେସନୀଙ୍କ ସଙ୍ଗେ ଦେଖା କରିବାକୁ ଚିଠି ଲେଖିଲି । ମୁଁ ଆଜି ରେଲ୍ ଫେଲ୍ ହୋଇଛି ଏବଂ ପରଦିନ ମତେ ଏ ପ୍ରୟାଗ ଛାଡ଼ିବାକୁ ହେବ ବୋଲି ଜଣାଇ ଦେଲି । ଉତ୍ତରରେ ସେ ମତେ ତୁରନ୍ତ ଦେଖାକରିବାକୁ ଡକାଇଲେ । ମୁଁ ଖୁସି ହେଲି, କାରଣ ସେ ମୋ କଥାକୁ ଖୁବ୍‌ ଧୈର୍ଯ୍ୟର ସହିତ ଶୁଣିଲେ । ଆଉ ମଧ୍ୟ ଅଙ୍ଗୀକାର କଲେ, ‘‘ଆପଣ ଯାହା ଲେଖି ପଠାଇବେ, ମୁଁ ମୋ କାଗଜରେ ତାହାର ଆଲୋଚନା କରିବି । କିନ୍ତୁ ଭାରତୀୟମାନେ ଯାହା କିଛି ଦାବି କରିବେ, ସେ ସବୁର ସପକ୍ଷରେ ଯେ ଆମେ ଲେଖିବୁ, ଏ ବିଷୟରେ ମୁଁ ଜବାବ ଦେଇ ନ ପାରେ, କାରଣ ଔପନିବେଶିକ ଅଧିବାସୀମାନଙ୍କର ଦାବି ଏବଂ ମତ ପ୍ରତି ତ ପୁଣି ଆମକୁ ସମାନ ଧ୍ୟାନ ଧାରଣା ଓ ବିଚାର କରିବାକୁ ହେବ ।’’

 

ମୁଁ କହିଲି, ‘‘ଆପଣ ଯେ ଏ ବିଷୟରେ ଆଲୋଚନା କରି କାଗଜରେ ଲେଖାଲେଖି କରିବେ, ଏହାହିଁ ମୋର ଯଥେଷ୍ଟ । ମୁଁ ଶୁଦ୍ଧ ନ୍ୟାୟ ଛଡ଼ା କିଛି ଚାହୁଁ ନାହିଁ ।’’

 

ସେ ଦିନର ଅବଶିଷ୍ଟ ସମୟରେ ମୁଁ ତ୍ରିବେଣୀ ସଙ୍ଗମରେ ତିନି ନଦୀର ମିଳନ ସ୍ଥଳ ଦେଖିଲି । ତାହା ବଡ଼ ଚମତ୍କାର । ମୋ ଭବିଷ୍ୟତ କାର୍ଯ୍ୟ ପ୍ରଣାଳୀ ବିଷୟରେ ନାନା କଳ୍ପନା ମଧ୍ୟ ମୋ ମନକୁ ଆସିଲା ।

 

‘ପାୟୋନିୟର’ କାଗଜର ସମ୍ପାଦକଙ୍କ ସହିତ ମୋର ହଠାତ୍‌ ଏ ଯେଉଁ ସାକ୍ଷାତ ହେଲା, ତାହାରି ଫଳରେ ନାନା କାଣ୍ଡ ଘଟିଗଲା । ପରେ ନାତାଲଠାରେ ମୋ ଉପରେ ଯେଉଁ ସବୁ ଆକ୍ରମଣ, ଅବିଚାର ଓ ଦୁର୍ବ୍ୟବହାର ଆଦି ହେଲା ସେ ସବୁ ମଞ୍ଜି ଏଇଠୁ ପୋତା ହୋଇଥିଲା ।

 

ବାଟରେ ବୋମ୍ବେରେ ନ ଓହ୍ଲାଇ ମୁଁ ସିଧା ରାଜକୋଟ ବାହାରିଗଲି । ସେଠାରେ ଦକ୍ଷିଣ ଆଫ୍ରିକାର ଅବସ୍ଥା ବିଷୟରେ ଛୋଟ ପ୍ରଚାର ପୁସ୍ତିକା ଲେଖିବାର ଯୋଗାଡ଼ କଲି । ଏ ପୁସ୍ତକ ଖଣ୍ଡି ଲେଖି ଛପାଇବାକୁ ପ୍ରାୟ ମାସେ ଖଣ୍ଡେ ଲାଗିଗଲା । ଏଥିରେ ଉପର ମଲାଟ ଖଣ୍ଡି ନେଳିଆ ରଙ୍ଗର ଥିବାରୁ ଲୋକେ ଏହାକୁ ‘‘ନୀଳ ପୁସ୍ତିକା’’ ନାମ ଦେଲେ । ସେଥିରେ ମୁଁ ଦକ୍ଷିଣ ଆଫ୍ରିକା ଭାରତୀୟଙ୍କର ଅବସ୍ଥାର ଚିତ୍ର ଜାଣି ଶୁଣି ଟିକିଏ ନରମ କରିଦେଇଥାଏ । ଆଗରୁ ଯେଉଁ ଦୁଇଖଣ୍ଡ ପୁସ୍ତିକା ଲେଖିଥିଲି ତାର ଭାଷାଠାରୁ ଏ ଲେଖା ଭାଷା ବଡ଼ କୋହଳ ଥାଏ । କାରଣ ମୁଁ ଜାଣିଥିଲି ଯେ, ଛୋଟିଆ ଦୁଃଖଟିକୁ ଦୂରରୁ ଦେଖିଲେ ତାହା ଖୁବ୍‍ ବଡ଼ ଜଣାଯାଏ ।

 

ନୀଳ-ପୁସ୍ତିକା ଦଶହଜାର ଖଣ୍ଡ ଛପାଇଲି । ସବୁ ଖବର କାଗଜ ଓ ଭାରତର ସବୁ ଦଳର ନେତାମାନଙ୍କ ପାଖକୁ ପଠାଇ ଦେଲି । ସବା ପହିଲେ ‘‘ପାୟୋନିୟର’’ କାଗଜ ସେ ଲେଖାର ଆଲୋଚନା କଲେ । ସେ ଲେଖାର ସାରାଂଶ ବିଲାତ ପଠାଗଲା । ରୟଟରଙ୍କ ଜରିଆରେ ସେହି ସାରାଂଶର ସାରାଂଶ ବାହାରି ନାତାଲରେ ପଶିଗଲା । ତିନିଧାଡ଼ି ତାର ଖବରରେ ସେତକ ପଠାଯାଇ ଥିଲା । ନାତାଲରେ ଭାରତୀୟଙ୍କ ପ୍ରତି କିଭଳି ବ୍ୟବହାର ହେଉଛି, ସେ ସମ୍ବନ୍ଧରେ ମୋ ଚିତ୍ରର ଗୋଟିଏ ଛୋଟିଆ ପ୍ରକୃତିକୁ ମାତ୍ର ସେଥିରେ ଦିଆଯାଇଥାଏ । ସେଥିରେ ମୋ ଭାଷାର ଗନ୍ଧ ପର୍ଯ୍ୟନ୍ତ ନ ଥାଏ । ନାତାଲରେ ଏହାର ଫଳ କ’ଣ ହେଲା, ପରେ କହିବି । ଯାହାହେଉ କ୍ରମେ ସବୁ ପ୍ରଧାନ ପ୍ରଧାନ ଖବରକାଗଜଯାକ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

 

ଏ ପ୍ରଚାର ପତ୍ରକୁ ଡାକରେ ପଠାଇବା ପାଇଁ ବାନ୍ଧିବା, ଲେବୁଲ ମଡ଼େଇବା ଇତ୍ୟାଦି କମ୍‌ ଝଂଝଟର କଥା ନ ଥିଲା । ପଇସା ଦେଇ ସେତକ କାମ କରେଇ ଥିଲେ, ବହୁତ ଖର୍ଚ୍ଚ ପଡ଼ିଥାନ୍ତା । ମୁଁ ଗୋଟିଏ ସହଜ ପନ୍ଥା ବାହାର କଲି । ଆମ ପଡ଼ାର ପିଲାମାନଙ୍କୁ ଏକାଠି କରି ସକାଳ ଓଳି ଦୁଇ ତିନି ଘଣ୍ଟା ଯେ ଯେତେ ଦେଇପାରିବେ, ଦିଅନ୍ତୁ ବୋଲି ସମୟ ମାଗିଲି । ଏତକ ସେବା କରିବାକୁ ପିଲାମାନେ ଖୁସିରେ ରାଜି ହୋଇଗଲେ । ମୁଁ ସେମାନଙ୍କୁ ଆଶୀର୍ବାଦ କରିବି ଏବଂ ତାଙ୍କ କାମର ପୁରସ୍କାର ସ୍ୱରୂପ ମୋ ପାଖରେ ସଂଗୃହୀତ ହୋଇ ରହିଥିବା ପୁରୁଣା ଡାକ ଟିକଟ ଗୁଡ଼ିକ ଦେବି ବୋଲି କହିଲି । ପିଲାମାନେ ଖେଳିଲା ଭଳି ମୋ କାମତକ ଅଳ୍ପ ସମୟ ଭିତରେ ସାରିଦେଲେ । ଛୋଟ ଛୋଟ ପିଲାଙ୍କୁ ସ୍ୱେଚ୍ଛାସେବକ ଭାବରେ ନିଯୁକ୍ତ କରିବା ଏହାହିଁ ମୋର ପ୍ରଥମ ଉଦ୍ୟମ । ଏ ପିଲାଙ୍କ ମଧ୍ୟରୁ ଦୁଇଜଣ ଆଜି ମଧ୍ୟ ମୋର ସାଥୀ ହୋଇ ରହିଛନ୍ତି ।

 

ଏହି ସମୟରେ ବୋମ୍ବେରେ ପ୍ରଥମେ ପ୍ଳେଗ ରୋଗ ଆରମ୍ଭ ହେଲା । ଚାରିଆଡ଼େ ଛାନିଆ ପଶିଯାଇଥାଏ । ରାଜକୋଟକୁ ମାଡ଼ି ଆସିବାର ଭୟ ମଧ୍ୟ ଥାଏ । ମୋର ବିଶ୍ୱାସ ହେଲା ଯେ ମୁଁ ସ୍ୱାସ୍ଥ୍ୟ ବିଭାଗରେ କାମ କରି ପାରିବି । ଏଭଳି ସେବା କାମ କରିବାପାଇଁ ମୁଁ ଷ୍ଟେଟ୍ କର୍ତ୍ତୃପକ୍ଷଙ୍କୁ ଲେଖିଲି । ଷ୍ଟେଟ୍ ଗୋଟିଏ କମିଟି ନିଯୁକ୍ତ କରି ମତେ ସେଥିରେ ଜଣେ ସଭ୍ୟ କରିଦେଲେ । ପାଇଖାନା ସଫା କରିବା ଉପରେ ମୁଁ ଜୋର ଦେଲି ଏବଂ କମିଟିଙ୍କର ଗଳି ଗଳିରେ ବୁଲି ପାଇଖାନା ତଦାରଖ କରିବାପାଇଁ ପ୍ରସ୍ତାବ କଲି । ଗରିବ ଲୋକମାନେ ନିଜ ନିଜ ପାଇଖାନା ତଦାରାଖ କରେଇବାକୁ ଆଦୌ ଆପତ୍ତି କରୁ ନ ଥିଲେ । ବରଂ ତାଙ୍କୁ ଯାହା ସବୁ କୁହାଯାଉଥିଲା ସେମାନେ ସେହିଭଳି ସୁଧାରି ନେଉଥିଲେ । କିନ୍ତୁ ଆମେ ଯେମିତି ବଡ଼ବଡ଼ିଆ ମାମଲତକାର ପଞ୍ଝାଙ୍କ ପାଇଖାନା ଦେଖିବାକୁ ବାହାରିଲୁ, ସେମିତି କେତେ ଜାଗାରେ ସୁଧାରିବା କଥା ଦୂରକୁ ଥାଉ, ପାଇଖାନା ଦେଖିବାକୁ ସୁଦ୍ଧା ଅନୁମତି ଦେଲେ ନାହିଁ । ମୋର ଏହି ସାଧାରଣ ଅଭିଜ୍ଞତା ହେଲା ଯେ, ପଇସାବାଲାଙ୍କ ପାଇଖାନା ବେଶି ମଇଳା ଓ ଅପରିଷ୍କାର । ସେଗୁଡାକ ଅନ୍ଧାର, ଭଣ ଭଣ ଗନ୍ଧ, ମଇଳା ଓ ପୋକ ସାଲୁ ସାଲୁ ହେଉଚନ୍ତି । ଜୀଇଁ ଥାଉଁ ଥାଉଁ ପ୍ରତିଦିନର ନରକବାସ ଭଳି ତା’ର ଅବସ୍ଥା । ଆମେ ପ୍ରତିକାର ପାଇଁ ଯେଉଁ ପ୍ରସ୍ତାବ କରୁଥାଉଁ, ତାହା ବଡ଼ ସହଜ କଥା । ଆମେ ପ୍ରସ୍ତାବ କଲୁ, ମଇଳାଗୁଡ଼ିକ ଯେପରି ଭୂଇଁରେ ନ ପଡ଼ିବ, ସେଥିପାଇଁ ବାଲ୍‌ଟି ବା କୁଣ୍ଡ ରଖ; ସେଥିରେ ମଇଳା ପଡ଼ୁ । ମୂତ ସବୁ ମାଟିରେ ପଡ଼ି ଶୋଷି ହୋଇଯିବା ଠିକ୍‌ନୁହେଁ । ଏପରି ଅବସ୍ଥା କର, ସେ ସବୁ ଯେମିତି ବାଲ୍‌ଟି ବା କୁଣ୍ଡରେ ପଡ଼ିବ । ବସିବା ଜାଗା ଓ ମେହେନ୍ତର ଆସିବା ବାଟ ମଝିରେ ଯେଉଁ କାନ୍ଥ ଥାଏ ତାକୁ ଭାଙ୍ଗି ଦିଅ । ଯେମିତି କି ସବୁ ଅଂଶ ମେହେନ୍ତର ସଫା କରିପାରିବ । ନିର୍ମଳ ପବନ ଓ ଆଲୁଅ ସେଠିକି ଯିବାର ସୁବିଧା କର । ବଡ଼ଲୋକଯାକ ଏ ସବୁ ସଂସ୍କାର କରିବାରେ ନାନା ଆପତ୍ତି ଉଠାଇଲେ, ଅନେକ ତ ଏ କଥା ମୋଟେ ମାନିଲେ ନାହିଁ-

 

କମିଟିଙ୍କୁ ମେହେନ୍ତର ପଡ଼ାକୁ ମଧ୍ୟ ଯିବାକୁ ପଡ଼ିଲା । ସେଠାକୁ ଯିବାଲାଗି କେବଳ ଜଣେ ସଭ୍ୟ ମୋ ସଙ୍ଗରେ ବାହାରିଲେ । ମୁଁ ସେ ‘ଧେଡ଼ ସାହି’ କୁ ଯାଇ ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହୋଇଗଲି । ମୋ ଜୀବନରେ ଏପରି ବସ୍ତିକୁ ଯିବା ଏହି ପ୍ରଥମ । ସେ ଧେଡ଼ ଭାଇ ଭଉଣୀମାନେ ଆମକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନଙ୍କ ପାଇଖାନା ସବୁ ଦେଖିବାକୁ ଇଚ୍ଛା କଲାରୁ ସେମାନେ କହିଲେ, ‘‘ଏଠି ଆମର ପାଇଖାନା ନାହିଁ । ଆମ ପାଇଖାନା ଯାଇ ଜଙ୍ଗଲରେ । ପାଇଖାନା ସିନା ବଡ଼ଲୋକମାନଙ୍କ ପାଇଁ ।’’

 

‘‘ଆଚ୍ଛା, ଆମେ ତୁମ ଘରଦ୍ୱାର ସବୁ ଦେଖିଲେ ତମର କିଛି ଆପତ୍ତି ନାହିଁ ତ ?’’

 

ଆସୁନାହଁ—ଭାଇସାହେବ, ତମ ଖୁସି ଯେଉଁଠିକି ଯା—ଆମର ଘର ତ ଏତିକି ।’’ ମୁଁ ଘର ଭିତରକୁ ଗଲି । ମୋ ମନରେ ବଡ଼ ଆନନ୍ଦ ହେଲା । ବହାର ଯେମିତି ନିର୍ମଳ, ଭିତର ବି ସେମିତି ନିର୍ମଳ । ଘର ଭିତରେ ସବୁ ଲିପା ପୋଛା ହୋଇଛି । ଅଗଣା ଓଳିଆଓଳି ହୋଇଛି । ଅଳ୍ପ କେତେଖଣ୍ଡ ବାସନ ମଜା ମଜି ହୋଇ ଜକ୍‌ ଜକ୍‌ ଦିଶୁଛି ।

 

ଉଚ୍ଚ ଜାତିର ଗୋଟିଏ ପାଇଖାନା ଆମେ ଦେଖିବାକୁ ଗଲୁ । ଏହାର ଅବସ୍ଥା ଟିକିଏ ବିଶେଷ ଭାବରେ ବର୍ଣ୍ଣନା ନ କରି ରହି ହେବ ନାହିଁ । ପ୍ରତି ବଖରାରେ ପାଣି ନଳା, ସେଇବାଟେ ମୂତ ଓ ଛ’ଞ୍ଚା ପାଣି ସବୁ ଯାଏ । ସେଥିଲାଗି ସମୁଦାୟ ଘର ଦୁର୍ଗନ୍ଧରେ ପୂରି ଯାଇଥାଏ । ଦୋତାଲା ଉପରେ ଆଉ ଗୋଟିଏ ବଖରାକୁ ଗଲୁ, ସେଇଟି ଶୋଇବା ଘର । ସେଥିରେ ଗୋଟିଏ ନଳା ଅଛି । ସେ ନଳା ବାଟେ ଝାଡ଼ା ପରିସ୍ରା ସବୁ ତଳକୁ ପଡ଼େ । ଏ ଘରେ ଠିଆ ହୋଇ ହେଉ ନ ଥାଏ । ସେଥିରେ ଘରର ଲୋକେ କେମିତି ଶୁଅନ୍ତି, ପାଠକେ ବିଚାର କରନ୍ତୁ ।

 

କମିଟି ସ୍ଥାନୀୟ ମନ୍ଦିରମାନ ମଧ୍ୟ ଦେଖିବାକୁ ଗଲେ । ମନ୍ଦିରର ପୁଜାହାରୀଙ୍କ ସଙ୍ଗେ ଗାନ୍ଧୀ ପରିବାରର ଭଲ ସମ୍ବନ୍ଧ ଥାଏ । ତେଣୁ ଆମେ ଯାଇ ଚାରିଆଡ଼ ଯାଞ୍ଚ କରିବାରେ ଏବଂ ଆମ ମନକୁ ଯେପରି ପାଇବ ସେପରି ପ୍ରସ୍ତାବରେ ସେ ହଁ ମାନିଲେ । ସେ ନିଜେ ସେ ପାଖଟା ଦିନେ କେବେ ଦେଖି ନ ଥିବେ । ମନ୍ଦିରରେ ଯାହା ଅଇଁଠାପତ୍ର ସବୁ ହୁଏ ତାକୁ ପଛ ପାଚେରୀ ଡେଇଁ ପକେଇ ଦିଅନ୍ତି, ସେଥିପାଇଁ ସେ ପାଖଟା କାଉ ଚିଲଙ୍କର ଘର ହୋଇଥାଏ । ପାଇଖାନାର ଅବସ୍ଥା ତ ଅତି କଦର୍ଯ୍ୟ । ସେ ମହାଶୟ କେତେଦୂର କ’ଣ ସଂସ୍କାର କଲେ, ମୁଁ ଜାଣିପାରିଲି ନାହିଁ-। କାରଣ ମତେ ଶୀଘ୍ର ରାଜକୋଟ ଛାଡ଼ିବାକୁ ପଡ଼ିଲା । ଯାହାହେଉ ମନ୍ଦିରରେ ଏତେ ମଇଲା ଦେଖି ମୋ ମନରେ ବଡ଼ କଷ୍ଟ ହୋଇଥିଲା । ଯେଉଁ ମନ୍ଦିରକୁ ଆମେ ପବିତ୍ର ସ୍ଥାନ ବୋଲି ମନେକରୁ, ସେଠି ସ୍ୱାସ୍ଥ୍ୟର ନିୟମମାନ ଉତ୍ତମରୂପେ ପାଳିତ ହେବା ଉଚିତ । ସ୍ମୃତିକାରମାନେ ଭିତର ବାହାର ଉଭୟର ଶୁଚି ଉପରେ ଜୋର ଦେଇଛନ୍ତି, ଏ କଥା ସେତେବେଳେ ମଧ୍ୟ ମୁଁ ବୁଝୁଥାଏ ।

 

ରାଜଭକ୍ତି ଓ ସେବା

 

ମୋ ନିଜ ପ୍ରାଣରେ ମୁଁ ଯେପରି ଶୁଦ୍ଧ ରାଜଭକ୍ତିର ଅନୁଭବ ପାଇଛି, ଅନ୍ୟ କାହାରି ସେପରି ଭକ୍ତି ଥିବା କଥା ମୁଁ କେବେହେଲେ ଜାଣିନାହିଁ । ଏବେ ମୁଁ ଦେଖି ପାରୁଛି, ମୋର ସେଭଳି ଭକ୍ତି ମୂଳରେ କେବଳ ମୋର ସ୍ୱାଭାବିକ ସତ୍ୟପ୍ରୀତିହିଁ ତ ଥିଲା । ରାଜଭକ୍ତି ଥିବା ଅନ୍ୟ କୌଣସି ବିଷୟରେ ଢମ କରିବା ମୋ ଦେହାତି ହୋଇପାରି ନାହିଁ । ନାତାଲରେ ମୁଁ ଯେତେ ସଭାକୁ ଯାଇଛି, ସେଠାରେ ‘ଗଡସେଭ୍ ଦି କିଙ୍ଗ୍’ (ଭଗବାନ ଆମ ରଜାଙ୍କୁ ରକ୍ଷା କରନ୍ତୁ) ଗୀତ ବୋଲା ହୋଇ ଥିବାର ଶୁଣିଛି । ମୁଁ ବିଚାରେ, ମୋର ମଧ୍ୟ ସେ ଗୀତ ଗାଇବା ଉଚିତ । ମୁଁ ଅବଶ୍ୟ ବ୍ରିଟିଶ୍ ରାଜନୀତିର ଦୋଷ ସବୁ ସେତେବେଳେ ଦେଖି ପାରୁଥାଏ, ତଥାପି ସେ ନୀତି ମୋଟାମୋଟି ମତେ ଭଲ ଲାଗେ । ବ୍ରଟିଶ ଶାସକମାନଙ୍କର ମତିଗତି ମୋଟାମୋଟି ପ୍ରଜାଙ୍କର ମଙ୍ଗଳକାରକ ବୋଲି ମୋର ସେତେବେଳେ ମଧ୍ୟ ବିଶ୍ୱାସ ଥାଏ ।

 

ଦକ୍ଷିଣ ଆଫ୍ରିକାରେ ଯେଉଁ ଓଲଟା ନୀତି ଓ କଳା ଗୋରା ଭେଦ ଦେଖିଲି, ତାହା କ୍ଷଣିକ ଓ ସ୍ଥାନୀୟ ଦୁର୍ବଳତା ବୋଲି ମନେ କଲି । ତେଣୁ ରାଜଭକ୍ତିରେ ଇଂରେଜମାନଙ୍କ ସଙ୍ଗେ ଟକ୍‌କର ଦେବାଲାଗି ମୁଁ ରୀତିମତ ଉଦ୍ୟମ କଲି । ଲାଗିପଡ଼ି ଇଂରେଜୀମାନଙ୍କର ସେହି ଜାତୀୟ ସଂଗୀତ ‘‘ଗଡ୍ ସେଭ୍ ଦି କିଙ୍ଗ’’ର ସ୍ୱର ଶିଖିନେଲି । ସଭାରେ ସେ ଗୀତ ବୋଲା ହେଲାବେଳେ ମୁଁ ସ୍ୱର ମିଳାଇ ଗାଏ । ଆଉ ମଧ୍ୟ ରାଜଭକ୍ତି ଦେଖାଇବା ପାଇଁ ଯେତେବେଳେ ଟିକିଏ କିଛି ସୁବିଧା ସୁଯୋଗ ମିଳେ, ମୁଁ ସେତେବେଳେ ସେଥିରେ ଯୋଗ ନ ଦେଇ ଛାଡ଼େ ନାହିଁ ।

 

ଏଭଳି ରାଜଭକ୍ତିକୁ ମୁଁ ମୋ ଜୀବନର କେବେହେଲେ ବ୍ୟବସାୟ କରି ନାହିଁ । ମୋ ନିଜର ଲାଭ ଦିଗରେ ମୋ ମନରେ ଟିକିଏ ହେଲେ ଚିନ୍ତା ସ୍ଥାନ ପାଇନାହିଁ । ରାଜଭକ୍ତି ମୋର ଋଣ ବୋଲି ମନେକରି ମୁଁ ସଦାବେଳେ ତାକୁ ଶୁଝିବାପାଇଁ ଲାଗି ପଡ଼ିଥାଏ ।

 

ମୁଁ ଯେତେବେଳେ ଭାରତବର୍ଷକୁ ଆସିଲି, ସେତେବେଳେ ମହାରାଣୀଙ୍କର ‘ଡାଇମଣ୍ଡ ଜୁବୁଲି’ର ଆୟୋଜନ ଆରମ୍ଭ ହୋଇଥାଏ । ରାଜକୋଟରେ ମଧ୍ୟ ଏଥିପାଇଁ ଗୋଟିଏ କମିଟି ନିଯୁକ୍ତି ହେଲା । ମତେ ନିମନ୍ତ୍ରଣ ଆସିଲା । ମୁଁ ଗ୍ରହଣ କରିଗଲି । ସେଥିରେ ମୁଁ ଟିକିଏ ଦମ୍ଭର ଗନ୍ଧ ପାଇଲି । ସେଠାରେ ଦେଖାଇ ହେବାପାଇଁ ବହୁତ କିଛି ହେଉଥିବାର ମୁଁ ଜାଣିପାରିଲି । ଏସବୁ ଦେଖି ମୋର ଦୁଃଖ ହେଲା । ସେ କମିଟିରେ ରହିବି କି ନାହିଁ ବୋଲି ବହୁତ ଚିନ୍ତା କଲି । ଶେଷରେ ସ୍ଥିର କଲି ମୁଁ ମୋ କର୍ତ୍ତବ୍ୟତକ କରିଦେଇ ସନ୍ତୁଷ୍ଟ ରହିବି ।

 

ଉତ୍ସବ କାମ ଭିତରେ ଗଛ ଲଗାଇବା ଗୋଟାଏ କାମ । ଏଥିରେ ମୁଁ ଅହଂକାର ଦେଖିପାରିଲି । ମତେ ବୋଧହେଲା, କେବଳ ସାହେବମାନଙ୍କୁ ପ୍ରସନ୍ନ କରିବାପାଇଁ ଏ ବୃକ୍ଷରୋପଣ କରାଯାଉଛି । ମୁଁ ଲୋକମାନଙ୍କୁ ବୁଝାଇଲି । ଗଛ ପୋତିବାପାଇଁ କେହି ବାଧ୍ୟ ନୁହନ୍ତି, ଏହା କେବଳ ଗୋଟିଏ ପ୍ରସ୍ତାବ ମାତ୍ର । ଆମେ ଗଛ ଲଗାଇବା ତ ମନଦେଇ ଲଗାଇବା, ନଚେତ୍ ଆଦୌ ଲଗାଇବା ନାହିଁ । ମୋର ମନେ ପଡ଼ୁଛି, ମୋର ଏଭଳି କଥାକୁ ସମସ୍ତେ ହସରେ ଉଡ଼ାଇ ଦେଲେ । ମୁଁ କିନ୍ତୁ ମୋ ଭାଗରେ ପଡ଼ିଥିବା ଗଛଗୁଡ଼ିକୁ ଠିକ୍ ଭାବରେ ଲଗାଇ ସେଥିରେ ପାଣି ଦେଇ ଯତ୍ନର ସହିତ ବଞ୍ଚାଇ ରଖିବାକୁ ଚେଷ୍ଟା କଲି ।

 

‘‘ଗଡ଼୍‍ସେଭ୍ ଦି କିଙ୍ଗ୍’’—ଗୀତଟିକୁ ମୁଁ ଆମ ପରିବାରର ପିଲାଙ୍କୁ ଶିଖାଏ । ଟ୍ରେନିଂ କଲେଜରେ ଛାତ୍ରମାନଙ୍କୁ ଏ ଗୀତ ଶିଖେଇବା କଥା ମୋର ମନେ ପଡ଼ୁଛି । ମାତ୍ର ତାହା ଏହି ଉତ୍ସବ ସମ୍ପର୍କରେ କି ସପ୍ତମଏଡ୍‌ଓ୍ୟାର୍ଡ଼ଙ୍କ ସ୍ୱର୍ଗାରୋହଣ ସମ୍ପର୍କରେ, ଠିକ୍ ମନେନାହିଁ । ଯାହାହେଉ ଦିନାକେତେ ପରେ ଏ ଗୀତ ଗାଇବାକୁ ମତେ ଖଟ୍‌କା ଲାଗିଲା । ଅହିଂସା ସମ୍ବନ୍ଧରେ ମୋର ମନ ଯେତିକି ପ୍ରବଳ ହେବାକୁ ଲାଗିଲା, ମୁଁ ସେତିକି ମୋ କଥା ଓ ଚିନ୍ତା ଉପରେ ପହରା ଦେବାକୁ ଆରମ୍ଭ କଲି । ଏ ଗୀତରେ ଦୁଇଟି ଧାଡ଼ି ଏୟା ମଧ୍ୟ ଥିଲା— ‘‘ତାଙ୍କର ଶତ୍ରୁ ନାଶ କରିବି, ତାଙ୍କର ସବୁ କୌଶଳ ବୃଥା କରିଦେବି ।’’ ଏତକ ଗାଇବାରେ ମତେ ଅଡ଼ୁଆ ଲାଗିଲା । ମୋର ବନ୍ଧୁ ଡା. ବୁଥ୍‍ଙ୍କୁ ମୁଁ ମୋ ଅଡ଼ୁଆ କଥା କହିଲି । ସେ ମଧ୍ୟ ମାନିଲେ ଯେ ଅହିଂସା ଲୋକର ଏ ଗୀତ ଗାଇବା ଶୋଭା ପାଏନାହିଁ । ଯାହାକୁ ଶତ୍ରୁ କୁହାଯାଉଛି, ସେ ଯେ ଗଦ ଦବ, ଏହା ବା କେମିତି ମାନିବାକୁ ହେବ ? ଯେ ଶତ୍ରୁ ସେ ଯେ ନିଶ୍ଚୟ ମିଥ୍ୟାବାଦୀ ଏ କଥା ବା କେମିତି କହିହେବ ? ନ୍ୟାୟ ବିଚାର କରିବା କେବଳ ପରମେଶ୍ୱରଙ୍କର ଅଧିକାର । ଡାକ୍ତର ବୁଥ୍ ମୋର ଏ ଯୁକ୍ତି ପସନ୍ଦ କଲେ । ତାଙ୍କ ନିଜ ସମାଜରେ ବୋଲା ହେବାପାଇଁ ଗୋଟିଏ ନୂଆ ଗୀତ ସେ ରଚନା କଲେ । ଡାକ୍ତର ବୁଥ୍‌ଙ୍କ କଥା ପଛେ କହିବି ।

 

ବିଶ୍ୱସ୍ତତାଭଳି ସେବା ଶୁଶ୍ରୂଷା ପ୍ରବୃତ୍ତି ମଧ୍ୟ ମୋଠାରେ ସ୍ୱାଭାବିକ ଭାବରେ ଥାଏ । କେହି ବେମାର ପଡ଼ିଲେ, ସେ ଆତ୍ମୀୟ ହୁଅନ୍ତୁ ବା ପର ହୁଅନ୍ତୁ, ତାଙ୍କର ସେବା କରିବାରେ ମୁଁ ପରମ ଆନନ୍ଦ ଅନୁଭବ କରେ ।

 

ରାଜକୋଟଠାରେ ମୋର ଦକ୍ଷିଣ ଆଫ୍ରିକା କାମ ଚାଲୁଥିବା ଭିତରେ ମୁଁ ଥରେ ବୋମ୍ବେ ଯାଇ ଫେରି ଆସିଲି । ପ୍ରଧାନ ପ୍ରଧାନ ସହରରେ ସଭାକରି ଲୋକମତ ଗଢ଼ିବାର ବିଶେଷ ଇଚ୍ଛା ମୋର ଥାଏ । ସେହି ଉଦ୍ଦେଶ୍ୟରେ ମୁଁ ବୋମ୍ବେ ଯାଇ ସେଠାରେ ହାଇକୋର୍ଟ ଜଜ୍ ରାଣାଡ଼େଙ୍କ ସହିତ ସାକ୍ଷାତ କଲି । ସେ ମୋ କଥା ଆଗ୍ରହର ସହିତ ଶୁଣିଲେ ଏବଂ ସାର ଫିରୋଜସାହା ମେହେତାଙ୍କ ସହିତ ଦେଖା କରିବାକୁ ମତେ ପରାମର୍ଶ ଦେଲେ । ପରେ ମୁଁ ଜଷ୍ଟିସ୍ ବଦରୁଦ୍ଦିନ ତୟାବଜୀଙ୍କ ସଙ୍ଗେ ଦେଖାକଲି । ସେ ମଧ୍ୟ ମୋ କଥା ଶୁଣି ମତେ ସେହି ପରାମର୍ଶ ଦେଲେ । କହିଲେ, ‘‘ଜଷ୍ଟିସ୍ ରାଣାଡ଼େ ଓ ମୁଁ ତମକୁ ବିଶେଷ କଣ ସାହାଯ୍ୟ କରିପାରୁ ? ତୁମେ ଆମ ଅବସ୍ଥା ବୁଝୁଛ । ପ୍ରକାଶ୍ୟରେ ଅବଶ୍ୟ ଆମେ କିଛି କରିପାରିବୁ ନାହିଁ । କିନ୍ତୁ ତୁମ କାର୍ଯ୍ୟରେ ଆମର ସହାନୁଭୂତି ଅଛି । ଅସଲ କାମ କଲାବାଲା ସାର୍ ଫିରୋଜଶା । ସେହି କେବଳ ତୁମକୁ ବାଟ ଦେଖାଇ ପାରିବେ ।’’

 

ମୁଁ ତ ନିଶ୍ଚୟ ସାର୍ ଫିରୋଜଶା ମେହେତାଙ୍କ ସଙ୍ଗେ ଦେଖା କରିଥାନ୍ତି । ତଥାପି ଏ ଦୁଇ ପ୍ରବୀଣ ବ୍ୟକ୍ତିଙ୍କଠାରୁ ସେହି ଫିରୋଜଶାଙ୍କ ପରାମର୍ଶ ନେଇ କାମ କରିବାକୁ ଉପଦେଶ ପାଇ ମୁଁ ବେଶ ବୁଝିପାରିଲି ଯେ, ସାର୍ ଫିରୋଜଶାଙ୍କର ସାଧାରଣଙ୍କ ଉପରେ କିଭଳି ପ୍ରତିପତ୍ତି ଅଛି ।

 

ସାର୍ ଫିରୋଜଶାଙ୍କୁ ଦେଖାକଲି । ତାଙ୍କ ଆଗରେ ଯାଇ ଠିଆ ହେବାକୁ ମୋର ମନରେ ସଂକୋଚ ଆସୁଥାଏ । ଲୋକସାଧାରଣଙ୍କଠାରୁ ସେ ଯେଉଁସବୁ ପଦବୀ ପାଇଛନ୍ତି ମୁଁ ସେ ସବୁ ଶୁଣିଥାଏ । ସେ ‘‘ବୋମ୍ବେଇର ସିଂହ’’, ଏ ପ୍ରଦେଶର ‘‘ମୁକୁଟହୀନ ସମ୍ରାଟ’’ । ମୁଁ ଯେ ତାଙ୍କର ଦେଖା କରିବାକୁ ଯାଉଛି, ଏ ଜ୍ଞାନ ମୋର ବରାବର ରହିଥାଏ । ଯାହାହେଉ ତାଙ୍କୁ ଦେଖାକଲି । ସେ ସମ୍ରାଟ, କିନ୍ତୁ ମତେ ଡରାଇଲେ ନାହିଁ । ମୁରବୀ ଯେମିତି ଆପଣାର ଯୁବକ ପୁଅ ସଙ୍ଗେ ବ୍ୟବହାର କରନ୍ତି, ସେ ମୋ ସଙ୍ଗେ ସେମିତି ବ୍ୟବହାର କଲେ । ତାଙ୍କ ଚେମ୍ବରରେ ଓକିଲାତୀ ଘରେ ତାଙ୍କ ସହିତ ଦେଖା କରିବାର ଥାଏ । ପାଖରେ ତାଙ୍କ ଅନୁଚରମାନେ ଜମା ହୋଇଥାନ୍ତି । ସେମାନଙ୍କ ଭିତରେ ଶ୍ରୀଯୁକ୍ତ ଡି. ଓ୍ୟାଚା ଓ ଶ୍ରୀଯୁକ୍ତ କାମା ଉପସ୍ଥିତ ଥାଆନ୍ତି । ସେମାନଙ୍କ ସହିତ ସେ ମୋତେ ପରିଚୟ କରାଇ ଦେଲେ । ଓ୍ୟାରାଙ୍କ ନାମ ମୁଁ ଆଗରୁ ଶୁଣିଥାଏ । ଫିରୋଜଶାଙ୍କ ଡାହାଣହାତ ବୋଲି ତାଙ୍କୁ ଲୋକେ କହନ୍ତି । ସେ ଜଣେ ଭାରି ହିସାବ କିତାବ ଜାଣିଲାବାଲା ବୋଲି ବୀରଚାନ୍ଦ ଗାନ୍ଧୀ ମତେ ତାଙ୍କର ପରିଚୟ ଦେଇଥାନ୍ତି । ଓ୍ୟାଚା ମତେ କହିଲେ, ‘‘ଗାନ୍ଧୀ; ପରେ ଆମର ଯେପରି ଟିକିଏ ଦେଖା ସାକ୍ଷାତ ଓ କଥାବାର୍ତ୍ତା ହେବା ।’’

 

ଏସବୁ ଦେଖା ସାକ୍ଷାତ ଓ ପରିଚୟ ହେବାକୁ ଦୁଇ ମିନିଟ୍ ଖଣ୍ଡେ ଲାଗିଥିବ କି ନାହିଁ, ସାର୍ ଫିରୋଜଶା ମୋ କଥାତକ ଶୁଣିନେଲେ । ବିଚାରପତି ରାଣାଡ଼େ ଓ ତୟାବଜୀଙ୍କ ସଙ୍ଗେ ମୋର ଦେଖା ହୋଇଥିବା କଥା ତାଙ୍କୁ କହିଲି । ସେ କହିଲେ, ‘‘ଗାନ୍ଧୀ, ତୁମପାଇଁ ମତେ ସାଧାରଣ ସଭା କରାଇବାକୁ ହେବ । ତୁମକୁ ସାହାଯ୍ୟ କରିବା ଉଚିତ ।’’ ଏତିକି କହି ସେ ତାଙ୍କ କିରାଣୀଙ୍କୁ ଅନାଇ ସଭାର ଦିନ ଠିକ୍ କରିବାକୁ କହିଲେ । ଦିନ ଠିକ୍ କରି ମୁଁ ବିଦାୟ ନେଲି । ମୋତେ ବିଦାୟ ଦେଇ ସେ କହିଲେ, ‘‘ସଭାର ପୂର୍ବଦିନ ଆସି ମୋ ସଙ୍ଗେ ଦେଖା କରିବ ।’’ ମୁଁ ମହାଆନନ୍ଦରେ ଓ ନିର୍ଭୟ ମନରେ ଘରକୁ ଫେରିଲି ।

 

ଏଥର ବୋମ୍ବେରେ ରହିଲାବେଳେ ମୁଁ ମୋ ଭିଣେଇଙ୍କ ସଙ୍ଗେ ଦେଖା କରିବାକୁ ଗଲି । ସେ ବେମାର ଥାନ୍ତି । ତାଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଭଲ ନୁହେଁ । ଭଉଣୀ ବିଚାରୀଟି ପକ୍ଷରେ ଏକୁଟିଆ ତାଙ୍କର ଯତ୍ନ ନେବା ଅସମ୍ଭବ ହେଉଥାଏ । ରୋଗ ବଡ଼ କଠିନ । ମୋ ସଙ୍ଗେ ରାଜକୋଟ ଯିବାକୁ ମୁଁ ତାଙ୍କୁ କହିଲି । ସେମାନେ ରାଜି ହେଲେ । ଭଉଣୀ ଭିଣେଇଙ୍କୁ ନେଇ ମୁଁ ରାଜକୋଟ ଗଲି । ମୁଁ ଯାହା ବିଚାରିଥିଲି ତାହାଠୁଁ ତାଙ୍କ ଅସୁସ୍ଥତା ଗୁରୁତର ହୋଇ ପଡ଼ିଲା । ମୁଁ ତାଙ୍କୁ ମୋରି ଘରେ ରଖିଥାଏ । ଦିନସାରା ମୁଁ ତାଙ୍କ ପାଖେ ପାଖେ ଥାଏ । ରାତିସାରା ବି ଅନିଦ୍ରା ରହିବାକୁ ପଡ଼େ । ତାଙ୍କ ସେବା କରିବା ସଙ୍ଗେ ଏଣେ ଦକ୍ଷିଣ ଆଫ୍ରିକା କାମ ମଧ୍ୟ ଚାଲିଥାଏ । ଶେଷରେ ଭିଣେଇଙ୍କର କାଳ ହୋଇଗଲା । ଯାହାହେଉ ମୋ ମନରେ ଏତିକି ଆଶ୍ୱାସନା ଯେ, ଶେଷ ସମୟରେ ତାଙ୍କର ସେବା କରିବାର ସୁଯୋଗ ମୁଁ ପାଇଲି ।

 

ଶୁଶ୍ରୂଷା ପ୍ରତି ମୋର ଏହି ଆଗ୍ରହ ଭବିଷ୍ୟତରେ ବିଶାଳ ରୂପ ଧାରଣା କଲା । ତାହା ଏତେଦୂରକୁ ଯାଇଥିଲା ଯେ ଶୁଶ୍ରୂଷା କାମରେ ଲାଗିରହି ମୁଁ ନିଜର ବ୍ୟବସାୟ ମଧ୍ୟ ଛାଡ଼ି ଦେଇଥିଲି । ଏ ପ୍ରକାର ସେବାରେ ମୁଁ କେବଳ ନିଜ ସ୍ତ୍ରୀ କାହିଁକି, ଘରର ସମସ୍ତଙ୍କୁ ଲଗାଉଥିଲି । ଏ କାମକୁ ମୁଁ ମୋର ‘ସଉକ’ ବୋଲି କହିଛି, କାରଣ ମୁଁ ଜାଣେ ଯେ, ମନ ଆନନ୍ଦରେ ସେବା ନ କଲେ, ସେ ସେବା, ସେବା ନୁହେଁ । ଲୋକଦେଖା ପାଇଁ ବା ଲୋକମତ ଭୟରେ ଏପରି ସେବା କରିବାରେ ମାନବିକତାର ବିକାଶ ହୁଏ ନାହିଁ ବରଂ ଭିତରର ତେଜ ଲୋପ ପାଇଯାଏ । ଆନନ୍ଦଶୂନ୍ୟ ସେବାରେ ସେବକ ବା ସେବ୍ୟ କାହାରି ଉପକାର ହୁଏ ନାହିଁ । କିନ୍ତୁ ମନ ଆନନ୍ଦରେ ଯେଉଁ ସେବା କରାଯାଏ, ତା ତୁଳନାରେ ସଂସାରର ସକଳ ସୁଖ ଓ ସକଳ ସମ୍ପଦ ତୁଚ୍ଛ ବୋଧହୁଏ-

 

ବମ୍ବେଇରେ ସଭା

 

ଭିଣେଇଙ୍କର ମରିବା ବାସି ଦିନ ମତେ ବମ୍ବେଇ ସଭାଲାଗି ଯିବାକୁ ପଡ଼ିଲା । ଏଭଳି ସାଧାରଣ ସଭାରେ ବକ୍ତୃତା ଦେବାଲାଗି ଆଗରୁ ଭାବିବାକୁ ମତେ ଟିକିଏ ହେଲେ ସମୟ ମିଳି ନ ଥିଲା । ରାତି ଅନିଦ୍ରାରେ ମତେ ଥକ୍‌କା ଲାଗୁଥାଏ । ମୋର ତଣ୍ଟି ବସି ଯାଇଥାଏ । ଭଗବାନ୍ ଯେମିତି ମତେ ଚଳାଇ ନେବେ, ଏହି ଆଶାରେ ବମ୍ବେଇ ଗଲି । ବକ୍ତୃତା ଲେଖିବା କଥା ଅବଶ୍ୟ ସ୍ୱପ୍ନରେ ସୁଦ୍ଧା ଭାବି ନଥାଏ ।

 

ସଭା ହେବାର ଆଗ ଦିନ ସଞ୍ଜ ପାଞ୍ଚଟାବେଳେ ଆଜ୍ଞା ପ୍ରମାଣେ ମୁଁ ସାର୍ ଫିରୋଜଶାଙ୍କ ଅଫିସରେ ହାଜର ହେଲି ।

 

‘‘ଗାନ୍ଧୀ, ତୁମ ବକ୍ତୃତା ପ୍ରସ୍ତୁତ ହୋଇଛି ତ ?’’ ସେ ପଚାରିଲେ ।

 

ମୁଁ ଡରି ଡରି ଉତ୍ତର ଦେଲି ‘‘ନା ମହାଶୟ, ମୁଁ ତ ମୁହେଁ ମୁହେଁ ବକ୍ତୁତା ଦେବାକୁ ଭାବିଛି ।

 

‘‘ବମ୍ବେଇରେ ସେ କଥା ଚଳିବ ନାହିଁ । ଏଠି ବକ୍ତୃତା ସବୁ ଯେଉଁମାନେ ଖବରକାଗଜକୁ ରିପୋର୍ଟ କରନ୍ତି, ସେମାନେ ବଡ଼ ବିକୃତ ଭାବରେ ଲେଖି ଦିଅନ୍ତି । ଏ ସଭାରୁ ଆମର ଯଦି କିଛି ଲାଭ କରିବାର ଅଛି, ତେବେ ତୁମର ବକ୍ତୃତାତକ ଲେଖା ହେବା ଦରକାର ଏବଂ ରାତି ରାତି ଛାପା ହେବା ଦରକାର । ତୁମେ ବକ୍ତୃତାଟି ରାତି ରାତି ଲେଖି ପାରିବ ?’’ ମୁଁ ଘାବରା ହେଲି—ତଥାପି ରାତି ରାତି ଲେଖି ପକାଇବି ବୋଲି ହଁ ଭରିଲି ।

 

ବମ୍ବେଇର ସିଂହ କହିଲେ, ‘‘ତେବେ ରାତି କେତେଟାବେଳେ ତୁମ ପାଖକୁ ବକ୍ତୃତା ଆଣିବାପାଇଁ କିରାଣୀ ଯିବେ ?’’ ଜବାବ ଦେଲି, ‘‘ରାତି ଏଗାରଟା ବେଳେ ।’’ ସାର୍ ଫିରୋଜଶା ଠିକ୍ ସେତିକିବେଳେ ମୋ ପାଖରୁ ବକ୍ତୃତା ଆଣି ସେଇ ରାତି ରାତି ତାକୁ ଛପେଇ ରଖିବାକୁ କିରାଣୀକୁ ବରାଦ କରି ମତେ ବିଦାୟ ଦେଲେ ।

 

ପରଦିନ ସଭାକୁ ଗଲି । ଦେଖିଲି, ସାର ଫିରୋଜଶାଙ୍କ ଉପଦେଶ ଯଥାର୍ଥରେ ବିଜ୍ଞୋଚିତ । ଫରାମଜୀ କାଉସଜୀ ଇନ୍‌ଷ୍ଟିଚିଉଟର ହଲରେ ସଭା ହୋଇଥିଲା । ମୁଁ ଶୁଣିଥାଏ ଯେ ସାର୍ ଫିରୋଜଶାଙ୍କର କହିବାର ଥିଲେ ସଭା ଘରେ ଠିଆ ହେବାକୁ ଥାନ ମିଳେ ନାହିଁ । ଛାତ୍ରମଣ୍ଡଳୀ ବିଶେଷଭାବରେ ବକ୍ତୃତା ଶୁଣିବାକୁ ଆଗ୍ରହୀ ହୋଇ ଯୋଗ ଦିଅନ୍ତି ।

 

ମୋ ଜୀବନରେ ଏ ପ୍ରକାର ସଭା ଏହାହିଁ ପ୍ରଥମ । ମୋ ସ୍ୱର କେହି ଶୁଣିପାରିବେ ନାହିଁ ବୋଲି ମୋର ବିଶ୍ୱାସ ଥାଏ । ମୁଁ ଥରି ଥରି ବକ୍ତୃତା ପଢ଼ିବାକୁ ଆରମ୍ଭ କଲି । ସାର୍ ଫିରୋଜଶା ମୋତେ ବରାବର ହେମତ୍ ଦେଇ ଖୁବ୍ ବଡ଼ପାଟି କରି ପଢ଼ିବାକୁ କହୁଥାନ୍ତି । ତାଙ୍କ କଥା ଶୁଣି ମୋର ସାହସ ବଢ଼ିବ କ’ଣ ଓଲଟି ମୋ ସ୍ୱର ଦବି ଦବି ଯାଉଥାଏ । ମୋର ପୁରୁଣାବନ୍ଧୁ ଶ୍ରୀଯୁକ୍ତ କେଶବ ରାଓ ଦେଶପାଣ୍ଡେ ମତେ ଏତିକିବେଳେ ସାହାଯ୍ୟ କରିବାକୁ ଧାଇଁ ଆସିଲେ । ମୁଁ ତାଙ୍କ ହାତକୁ ବକ୍ତୃତାଟି ବଢ଼ାଇଦେଲି । ତାଙ୍କର ସ୍ୱର ଠିକ୍ ଥାଏ । ମାତ୍ର ଶ୍ରୋତାମାନେ ତାଙ୍କ କଥା ଶୁଣିବାକୁ ନାରାଜ । ଚାରିଆଡ଼ୁ ପାଟିହେଲା, ‘‘ଓ୍ୟାଚା’’ ‘‘ଓ୍ୟାଚା’’ । ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ଓ୍ୟାଚା ଠିଆ ହୋଇ ବକ୍ତୃତାଟି ପଢ଼ିଲେ । ଫଳ ବଡ଼ ଚମତ୍କାର ହେଲା । ଶ୍ରୋତମଣ୍ଡଳୀ ଧୀର ସ୍ଥିର ହୋଇ ବସି ଶେଷ ପର୍ଯ୍ୟନ୍ତ ବକ୍ତୃତାଟି ଶୁଣିଲେ । ଏହା ଦେଖି ମୋ ମନରେ ବଡ଼ ଆନନ୍ଦ ଜାତ ହେଲା । ସାର୍ ଫିରୋଜଶା ମଧ୍ୟ ବକ୍ତୃତାକୁ ପସନ୍ଦ କଲେ । ଗଙ୍ଗାରେ ବୁଡ଼ ପକାଇଲା ଭଳି ମୋତେ ତୃପ୍ତି ମିଳିଲା ।

 

ଏହି ସଭାର ଫଳରେ ଶ୍ରୀଯୁକ୍ତ ଦେଶପାଣ୍ଡେ ଓ ଆଉ ଜଣେ ପାର୍ଶୀ ଭଦ୍ରଲୋକଙ୍କ ମନ ତରଳି ଯାଇଥିଲା । ପାର୍ଶୀ ଭଦ୍ରଲୋକ ଆଜି ଗୋଟିଏ ସରକାରୀ ପଦର ଅଧିକାରୀ; ତେଣୁ ମୁଁ ତାଙ୍କ ନାଁ କହିବାକୁ ଡରୁଛି । ଦୁଇଜଣଯାକ ମୋ ସଙ୍ଗେ ଦକ୍ଷିଣ ଆଫ୍ରିକା ଯିବାପାଇଁ ମନସ୍ଥ କରି ମତେ ଜବାବ ଦେଲେ । ପାର୍ଶୀ ଭଦ୍ରଲୋକଙ୍କର ଏପରି ସଂକଳ୍ପକୁ ଜଜ୍ ଖୁରସେଦଜୀ ବିଚଳିତ କରି ଦେଇଥିଲା । ବିଶେଷରେ ସେ ବିଚଳିତ ହେବା ପଛରେ ଜଣେ ପାର୍ଶୀ ଭଉଣୀଙ୍କର ପ୍ରଭାବ ମଧ୍ୟ ଥିଲା । ‘ପାର୍ଶୀବନ୍ଧୁ ବାହା ହେବେ ନା ଦକ୍ଷିଣ ଆଫ୍ରିକା ଯିବେ ?’ ଏ ବିଷୟରେ ବହୁତ ଭାବି ଚିନ୍ତି ଶେଷରେ ବାହା ହେବାକୁ ସ୍ଥିର କଲେ । ଯାହାହେଉ ପାର୍ଶୀ ରୁସ୍ତମଜୀ ତାଙ୍କ ଜାତି ଭାଇ ଏବଂ ବନ୍ଧୁଙ୍କ ଜବାବ ଭଙ୍ଗ ପାଇଁ ଯଥେଷ୍ଟ ପ୍ରାୟଶ୍ଚିତ୍ତ କରିଛନ୍ତି । ଯେଉଁ ପାର୍ଶୀ କନ୍ୟାଙ୍କ ବିବାହ ଲାଗି ଏ ଜବାବ ଭଙ୍ଗ ଘଟିଲା, ସେଇ ପାର୍ଶୀ ଜାତିର ଭଉଣୀମାନଙ୍କ ମଧ୍ୟରୁ ଅନ୍ୟ କେତେକ ଭଉଣୀ ଆଜି ସବୁ ଛାଡ଼ିଛୁଡ଼ି ଦେଇ ଖଦି ପଛରେ ଲାଗିପଡ଼ି ପ୍ରାୟଶ୍ଚିତ୍ତ କରୁଛନ୍ତି । ସେଥିଯୋଗୁଁ ଏ ଦମ୍ପତିଙ୍କୁ ମୁଁ କ୍ଷମା କରୁଚି । ଦେଶପାଣ୍ଡେଙ୍କ ଅବଶ୍ୟ ବାହା ହେବାର ପ୍ରୟୋଜନ ନ ଥିଲା । ତଥାପି ସେ ଆସିପାରି ନ ଥିଲେ ବୋଲି ତାର ପ୍ରାୟଶ୍ଚିତ୍ତ ସ୍ୱରୂପ ସେ ନିଜେ ଏବେ ବହୁତ କାମ କରୁଛନ୍ତି । ଦକ୍ଷିଣ ଆଫ୍ରିକାକୁ ଫେରିଲାବେଳେ ଜାଞ୍ଜିବାରଠାରେ ଜଣେ ତୟାବଜୀଙ୍କ ସଙ୍ଗେ ଦେଖା ହେଲା । ସେ ମଧ୍ୟ ମୋ ସଙ୍ଗରେ ଆସି କାର୍ଯ୍ୟରେ ସାହାଯ୍ୟ କରିବେ ବୋଲି ଆଶା ଦେଇଥିଲେ । କିନ୍ତୁ ସେ ଦକ୍ଷିଣ ଆଫ୍ରିକା କାହିଁକି ଆସିବେ ? ଯାହାହେଉ ତାଙ୍କର ଏ ଦୋଷର ପ୍ରାୟଶ୍ଚିତ୍ତ ଏବେ ଆବ୍‌ବାସ ତୟାବଜୀ କରୁଛନ୍ତି । ଯାହାହେଉ ବାରିଷ୍ଟର ବନ୍ଧୁମାନଙ୍କୁ ଦକ୍ଷିଣ ଆଫ୍ରିକାକୁ ଆସିବା ବିଷୟରେ ପ୍ରଲୋଭନ ଦେଖାଇବା ଉଦ୍ୟମ ମୋର ବିଫଳ ହୋଇଗଲା ।

 

ଏ ସମ୍ପର୍କରେ ଶ୍ରୀଯୁକ୍ତ ପେସ୍ତନଜୀ ପାଦସା’ଙ୍କ ନାମ ମୋର ମନେ ପଡ଼େ । ଲଣ୍ଡନରେ ଥିବାବେଳୁ ତାଙ୍କ ସଙ୍ଗେ ମୋର ବନ୍ଧୁତା ଥିଲା । ଲଣ୍ଡନର ଗୋଟିଏ ନିରାମିଷ ହୋଟେଲରେ ତାଙ୍କ ସଙ୍ଗେ ମୋର ପ୍ରଥମ ପରିଚୟ ହୁଏ । ତାଙ୍କ ଭାଇ ବର୍ଦ୍ଦୋରଜୀ ପାଦସା ଜଣେ ଆଡ଼ପାଗଳିଆ ଲୋକ ବୋଲି ସମସ୍ତେ କହନ୍ତି । ଘୋଡ଼ାଙ୍କ ପ୍ରତି ଦୟା ଦେଖାଇ ସେ ଟ୍ରାମରେ ବସୁ ନ ଥିଲେ । ଜଣେ ଶତାବଧାନୀ ଭଳି ତାଙ୍କର ସ୍ମରଣଶକ୍ତି ଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ ଉପାଧି ହାସଲ କରିବାକୁ ସେ ନାରାଜ ହୁଅନ୍ତି । ତାଙ୍କର କିନ୍ତୁ ନିଜର ଗୋଟିଏ ସ୍ୱାଧୀନ ଭାବ ରହିଥାଏ । ସେ ପାର୍ଶୀ ହେଲେ ମଧ୍ୟ ନିରାମିଷ ଭୋଜୀ । ମାତ୍ର ପେସ୍ତନଜୀ ଏତେଦୂର ବିଖ୍ୟାତ ନ ଥିଲେ ମଧ୍ୟ ନିଜର ଅଗାଧ ପାଣ୍ଡିତ୍ୟ ପାଇଁ ବିଲାତରେ ସୁଦ୍ଧା ସେ ଜଣାଶୁଣା ଥିଲେ । ଯାହାହେଉ ଆମ ଦୁହିଙ୍କର ବନ୍ଧୁତାର ମୂଳ କାରଣ ଥିଲା ‘ଅନ୍ନାହାର’ । ତାଙ୍କ ବିଦ୍ୟା ବୁଦ୍ଧିଯାଏ ଯିବା ମୋ ଶକ୍ତିର ବାହାର ଥିଲା ।

 

ଦିନେ ବମ୍ବେଇଠାରେ ମୁଁ ପେସ୍ତନଜୀଙ୍କୁ ଖୋଜି ଖୋଜି ପାଇଲି । ସେତେବେଳେକୁ ସେ ହାଇକୋର୍ଟରେ ନଜିର ରିପୋର୍ଟର କାମ କରୁଥାନ୍ତି । ତାଙ୍କ ସଙ୍ଗେ ମୋର ଦେଖା ହେଲାବେଳକୁ ସେ ଗୋଟାଏ ଗୁଜୁରାତି ଅଭିଧାନ ପାଇଁ ଲେଖାଲେଖି କରୁଥାନ୍ତି । ଦକ୍ଷିଣ ଆଫ୍ରିକା କାମରେ ସାହାଯ୍ୟ କରିବାକୁ ମୁଁ ମୋର କୌଣସି ବନ୍ଧୁଙ୍କୁ ଅନୁରୋଧ ନ କରି ଛାଡ଼ି ନାହିଁ । ପେସ୍ତନଜୀ ପାଦସା ମୋତେ ଏ ବିଷୟରେ ସାହାଯ୍ୟ କରିବାକୁ ଖାଲି ମନା କଲେ ନାହିଁ ବରଂ ମୁଁ ନିଜେ ଦକ୍ଷିଣ ଆଫ୍ରିକାକୁ ନ ଯିବାକୁ ମତେ ପରାମର୍ଶ ଦେଲେ । କହିଲେ, ‘‘ମୋଠୁ ତୁମକୁ କି ସାହାଯ୍ୟ ମିଳିବ ? ତୁମର ଦକ୍ଷିଣ ଆଫ୍ରିକାକୁ ଯିବାକୁ ମୁଁ ଆଦୌ ପସନ୍ଦ କରୁନାହିଁ । ଏଠି ଆମ ଦେଶରେ କଣ କମ୍ ଅଛି ? ଦେଖୁନାହିଁ, ଆମ ଭାଷାର ସେବାପାଇଁ କେତେ କାମ ପଡ଼ିଛି ? ମତେ ବର୍ତ୍ତମାନ ବିଜ୍ଞାନରେ ଲାଗୁଥିବା ଶବ୍ଦ ସବୁ ଖୋଜି ବାହାର କରିବାକୁ ପଡ଼ୁଛି । ଏହା ତ ଏ କାର୍ଯ୍ୟର ଗୋଟାଏ ଅଙ୍ଗ ମାତ୍ର । ଆମ ନିଜ ଦେଶର ଦରିଦ୍ରତା କଥା ବିଚାର କର । ଦକ୍ଷିଣ ଆଫ୍ରିକାରେ ଆମ ଦେଶର ଲୋକଙ୍କୁ ବିପଦ ପଡ଼ିଛି ସତ, ୟା ବୋଲି ତୁମଭଳି ଲୋକ ସେଠି ଯାଇ ପଡ଼ିରହିବାକୁ ମୁଁ ପସନ୍ଦ କରୁନାହିଁ । ଆମେ ଯଦି ଏଠି ଆମ ହାତକୁ ଶାସନ କ୍ଷମତା ନେଇପାରିବା, ତେବେ ତ ତେଣେ ଆପଣା ମନକୁ ସାହାଯ୍ୟ ମିଳିଯିବ । ମୁଁ ଜାଣୁଛି, ତୁମକୁ କେବେହେଲେ ମଙ୍ଗାଇ ପାରିବି ନାହିଁ । କିନ୍ତୁ ତୁମରି ଭଳି ଅନ୍ୟ ସେବକଙ୍କୁ ତୁମ ସହିତ ପଠାଇବାରେ ମୁଁ କଦାପି ସାହାଯ୍ୟ କରିପାରିବି ନାହିଁ । ପେସ୍ତନଜୀଙ୍କର ଏସବୁ କଥା ମତେ ଭଲ ଲାଗିଲା ନାହିଁ ସତ, ତଥାପି ତାଙ୍କ ପ୍ରତି ମୋର ସମ୍ମାନ ବଢ଼ିଗଲା । ତାଙ୍କର ଦେଶପ୍ରୀତି ଓ ଭାଷାପ୍ରୀତି ଦେଖି ମୁଁ ମୁଗ୍‌ଧ ହୋଇଗଲି । ଏହି ଘଟଣାରୁ ଆମ ଭିତରେ ସ୍ନେହ ବନ୍ଧନ ଦୃଢ଼ତର ହୋଇଗଲା । ତାଙ୍କର ଦୃଷ୍ଟିକୋଣ ମୁଁ ପୂରାପୂରି ବୁଝିପାରିଲି; ମାତ୍ର ତାଙ୍କରି ଯୁକ୍ତି ଅନୁସାରେ ଦକ୍ଷିଣ ଆଫ୍ରିକାର କାମ ଛାଡ଼ିବା ବଦଳରେ ସେଥିରେ ଅଧିକ ଲିପ୍ତ ରହିବାକୁ ଉଚିତ ବୋଲି ମୋତେ ଜଣାଯାଇଥିଲା । ଦେଶସେବକ ନିଜ ମାତୃଭୂମିର କୌଣସିପ୍ରକାର ସେବାରୁ ନିବୃତ୍ତ ହେବା ସଙ୍ଗତ ନୁହେଁ । ମୋ ପାଇଁ ଗୀତାର ନିମ୍ନଲିଖିତ ଶ୍ଲୋକ ପ୍ରାଞ୍ଜଳ ଓ ଦୃଢ଼ଭାବରେ ମୋର କର୍ତ୍ତବ୍ୟ ବୁଝାଇ ଦେଇଛନ୍ତି :—

 

‘‘ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧ୍ୟର୍ମାତ୍ ସ୍ୱନୁଷ୍ଠିତାତ୍

 

ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।’’

 

ବଡ଼ ପର ଧର୍ମଠାରୁ ସାନ ସ୍ୱଧର୍ମ ଭଲ ଅଟେ । ସ୍ୱଧର୍ମରେ ମରଣ ମଧ୍ୟ ଭଲ । ତଥାପି ପର ଧର୍ମ ଭୟଙ୍କର ଅଟେ ।

 

Unknown

ପୁନାରେ

 

ସାର୍ ଫିରୋଜଶା ମୋର ବାଟ ସହଜ କରି ଦେଇଥାନ୍ତି । ସେଥିଲାଗି ମୁଁ ବମ୍ବେଇରୁ ପୁନା ଗଲି । ପୁନାରେ ଦୁଇଟି ଦଳ ଥାନ୍ତି । ମୁଁ ତ ସବୁ ଦଳ ଓ ସବୁ ମତର ଲୋକଙ୍କ ସାହାଯ୍ୟ ଲୋଡ଼ୁଥାଏ । ପ୍ରଥମେ ଲୋକମାନ୍ୟ ତିଲକଙ୍କ ସହ ଦେଖାକଲି । ସେ କହିଲେ—

 

‘‘ତୁମେ ଯେ ସବୁ ଦଳଙ୍କ ସାହାଯ୍ୟ ପାଇବାର ବିଚାର କରିଛ, ଏହା ଏକା ବେଳକେ ଠିକ୍ । ତୁମର ଏ ବିଷୟରେ ମତଭେଦ ହେବା ଉଚିତ ନୁହେଁ । ମାତ୍ର ଜଣେ ନିରପେକ୍ଷ ଭଦ୍ରବ୍ୟକ୍ତି ତୁମର ସଭାପତି ହେବା ଦରକାର । ତୁମେ ଅଧ୍ୟାପକ ଭଣ୍ଡାରକରଙ୍କ ପାଖକୁ ଯାଅ । ସେ ଆଜିକାଲି କୌଣସି ଆନ୍ଦୋଳନରେ ଯୋଗ ଦେଉନାହାନ୍ତି । ବୋଧହୁଏ ସେ ଏ କାମ ପାଇଁ ବାହାରି ପଡ଼ିବେ । ତାଙ୍କୁ ଦେଖା କରିସାରି ତହିଁର ଫଳାଫଳ ମତେ ଜଣାଇବ । ମୁଁ ତୁମକୁ ପୂରା ସାହାଯ୍ୟ କରିବାକୁ ପ୍ରସ୍ତୁତ । ତୁମେ ଅଧ୍ୟାପକ ଗୋଖଲେଙ୍କ ସଙ୍ଗେ ଦେଖା କରିଛ ତ ? ତୁମର ଯେତେବେଳେ ଯାହା ଲୋଡ଼ା ହେବ, ସେତେବେଳେ ନିଃସଙ୍କୋଚରେ ମୋ ପାଖକୁ ଚାଲି ଆସିବ-।’’

 

ଲୋକମାନ୍ୟଙ୍କ ସଙ୍ଗେ ଏହାହିଁ ମୋର ପ୍ରଥମ ସାକ୍ଷାତ୍ । ତାଙ୍କର ଅସୀମ ଲୋକପ୍ରିୟତାର ଗୂଢ଼କାରଣ ମୁଁ ଏହି କଥାବାର୍ତ୍ତାରୁ ବେଶ୍ ବୁଝିପାରିଲି ।

 

ସେଠାରେ ମୁଁ ଗୋଖଲେଙ୍କ ପାଖକୁ ଗଲି । ସେତେବେଳେ ସେ ଫର୍ଗୁସନ୍ କଲେଜରେ ଥିଲେ । ଦେଖୁ ଦେଖୁ ସେ ମୋତେ ବଡ଼ ସ୍ନେହରେ ସହିତ ଆଦର କରି ନେଲେ । ତାଙ୍କ ସଙ୍ଗେ ଅବଶ୍ୟ ମୋର ଏହି ପ୍ରଥମ ପରିଚୟ । ତଥାପି ମୋତେ ଲାଗୁଥାଏ ଯେପରି କି ଆମେ ପରସ୍ପର କେତେଦିନର ପୁରୁଣା ବନ୍ଧୁ । ଏବେ ବହୁଦିନ ପରେ ଦେଖା ଦେଖି ହୋଇ ସେ ବନ୍ଧୁତାକୁ ପୁଣି ଗଢ଼ୁଛେ । ମୋତେ ଜଣାଗଲା, ସାର୍ ଫିରୋଜଶା ହିମାଳୟପରି, ଲୋକମାନ୍ୟ ବିସ୍ତୀର୍ଣ୍ଣ ପାରାବାର ପରି ଏବଂ ଗୋଖଲେ ପୁଣ୍ୟତୋୟା ଗଙ୍ଗାପରି । ଏହି ନଦୀର ତୀର୍ଥ ଜଳରେ ଜଣେ ମୁନ୍ଦିଏ ଗାଧୋଇ ଆନନ୍ଦ ଅନୁଭବ କରିପାରେ । କିନ୍ତୁ ହିମାଳୟ ତ ଚଢ଼ି ହେବନାହିଁ । ସମୁଦ୍ରରେ ବୁଡ଼ିଯିବାର ଭୟ ଅଛି ମାତ୍ର ଗଙ୍ଗା ସବୁବେଳେ ଲୋକକୁ ନିଜ ବକ୍ଷକୁ ଡାକନ୍ତି । କାତ ଖଣ୍ଡେ ଓ ଛୋଟ ଡଙ୍ଗାଟିଏ ହେଲେ ଯେ କେହି ଗଙ୍ଗା ପାର ହୋଇଯିବ । ଠିକ୍ ଯେମିତି ପାଠଶାଳାରେ ପିଲାର ନାଁ ଲେଖାବେଳେ ମାଷ୍ଟରମାନେ ଖୁଟିନାଟି ପଚାରି ବୁଝନ୍ତି; ଗୋଖଲେ ସେମିତି ମୋ କଥା ସବୁ ତନ୍ନ ତନ୍ନ କରି ବୁଝିଲେ । ମୁଁ କାହା କାହା ସଙ୍ଗେ ଦେଖା କରିବି କେମିତି ଦେଖା କରିବି, ସବୁକଥା ମତେ ବତେଇ ଦେଲେ ଏବଂ ମୋର ବକ୍ତୃତାକୁ ଦେଖିବାକୁ ମାଗିଲେ । ତାଙ୍କ କଲେଜର ଅବସ୍ଥା ସବୁ ମତେ ବୁଲାଇ ଦେଖାଇଲେ । ବିଦାୟ ଦେଲାବେଳେ କହିଲେ, ‘‘ଯେତେବେଳେ ଦରକାର ପଡ଼ିବ, ଆସି ଦେଖା କରିବ ଆଉ, ଡା. ଭଣ୍ଡାରକରଙ୍କୁ ଦେଖା କରି ସେ କ’ଣ କହିଲେ, କ’ଣ କଲେ ମତେ ଖବର ଦେବ ।’’ ରାଜନୀତି କ୍ଷେତ୍ରରେ ଗୋଖଲେ ବଞ୍ଚିଥିବା ଯାଏ ମୋ ହୃଦୟରେ ଯେଉଁ ସ୍ଥାନ ଅଧିକାର କରିଥିଲେ, ଏବେ ତାଙ୍କ ମୃତ୍ୟୁପରେ ମଧ୍ୟ ସେହି ସ୍ଥାନ ଦଖଲ କରୁଛନ୍ତି । ଅନ୍ୟ କେହି ତାହା ଦଖଲ କରିପାରି ନାହିଁ ।

 

ଡାକ୍ତର ଭଣ୍ଡାରକରଙ୍କ ପାଖକୁ ଗଲି । ବାପ ଯେମିତି ପୁଅକୁ ସ୍ୱାଗତ କରିନିଏ, ରାମକୃଷ୍ଣ ଭଣ୍ଡାରକର ସେମିତି ମତେ ସ୍ୱାଗତ କରିନେଲେ । ତାଙ୍କ ପାଖକୁ ଗଲାବେଳକୁ ଖରାବେଳ ହୋଇ ଯାଇଥାଏ । ଏଭଳି ସମୟରେ ମଧ୍ୟ ମୁଁ ମୋ କାମ କରୁଛି, ଏହା ଦେଖି ସେହି ନିରଳସ ପଣ୍ଡିତଙ୍କର ଅସୀମ ଆନନ୍ଦ ଜାତ ହୋଇଥିଲା । ନିରପେକ୍ଷ ସଭାପତି ସମ୍ବନ୍ଧରେ ମୋର ପ୍ରସ୍ତାବ ଶୁଣି ସେ ବଡ଼ ସନ୍ତୁଷ୍ଟ ହୋଇଗଲେ । ମୋ କଥାକୁ ଭାରି ପସନ୍ଦ କରି ଆନନ୍ଦରେ କହି ପକାଇଲେ, ‘ଧଟ ସଇଟ୍’ ‘ଧଟ ସଇଟ୍’ ଅର୍ଥାତ୍ ‘‘ଠିକ୍ କହିଛ’’ । କଥାବାର୍ତ୍ତା ଶେଷରେ ପୁଣି କହିଲେ, ‘‘ତମର ଯାହାକୁ ଖୁସି ପଚାର, ସେ କହିବ ଯେ ଆଜିକାଲି ମୁଁ କୌଣସି ରାଜନୀତିରେ ଯୋଗ ଦେଉନାହିଁ । କିନ୍ତୁ ତୁମର ଏ ଅନୁରୋଧ ଏଡ଼ି ପାରିବି ନାହିଁ । ତୁମର ସମସ୍ୟା ଏଡ଼େ ଗୁରୁତର ଏବଂ ତୁମର ଉଦ୍ୟମ ଏପରି ପ୍ରଶଂସନୀୟ ଯେ ତୁମ ସଭାରେ ଯୋଗ ଦେଇ ପାରିବି ନାହିଁ ବୋଲି କହିବାକୁ ମୋର ତୁଣ୍ଡ ଲେଉଟୁ ନାହିଁ । ଶ୍ରୀଯୁକ୍ତ ତିଲକ ଓ ଶ୍ରୀଯୁକ୍ତ ଗୋଖଲେଙ୍କ ସଙ୍ଗେ ଦେଖାକରି ବଡ଼ ଭଲ କରିଛ । ସେମାନଙ୍କୁ କହି ଉଭୟଦଳ ଯେଉଁ ସଭା ଡାକିବେ, ମୁଁ ସେ ସଭାକୁ ଯିବି ଓ ସଭାପତି ହେବି । ସଭା ଡାକିବାର ସମୟ କଥା ମତେ ପଚାରିବା ଦରକାର ନାହିଁ-। ଯେଉଁ ସମୟରେ ଉଭୟ ଦଳଙ୍କର ସୁବିଧା ହେବ, ମୁଁ ସେଥିରେ ରାଜି, ଏତିକି କହି ମୋତେ ଧନ୍ୟବାଦ ଦେଲେ ଏବଂ ଆଶୀର୍ବାଦ କରି ବିଦାୟ ଦେଲେ ।

 

ପୁନାରେ ଏହି ପଣ୍ଡିତ ଓ ତ୍ୟାଗୀ କର୍ମୀମାନେ ଗୋଟିଏ ସାଧାରଣ ଛୋଟିଆ ଜାଗାରେ ଖୁବ୍ ନିରାଡ଼ମ୍ବର ସଭାଟାଏ ଡକାଇଲେ । ସେତିକିରେ ମୋ ମନରେ ଆନନ୍ଦ ହେଲା, ମୋ ନିଜ କାର୍ଯ୍ୟରେ ଅଧିକ ବିଶ୍ୱାସ ଜନ୍ମିଲା ।

 

ତା’ପରେ ମୁଁ ମାନ୍ଦ୍ରାଜ ବାହାରିଲି । ସେଠା ଲୋକେ ତ ଉତ୍ସାହରେ ପାଗଳ ! ବାଲସୁନ୍ଦରମ୍‌ର ଘଟଣା ଶୁଣି ଏ ସଭାରେ ଲୋକଙ୍କ ମନ ଖୁବ୍ ମାନିଗଲା । ମୋର ଛପା ବକ୍ତୃତାଟି ମୋ ବିଚାରରେ ଟିକିଏ ବେଶୀ ଲମ୍ବା ହୋଇ ଯାଇଥାଏ । ତଥାପି ଶ୍ରୋତାମାନେ ମନ ଧ୍ୟାନ ଦେଇ ପ୍ରତି ଶବ୍ଦ ପର୍ଯ୍ୟନ୍ତ ଶୁଣୁଥାନ୍ତି । ସଭାଶେଷରେ ସେଇ ‘ନୀଳ-ପୁସ୍ତିକା’ ଉପରେ ମାଡ଼ ପଡିଲା । ମାନ୍ଦ୍ରାଜଠାରେ ତାକୁ ପୁଣି ସଂଶୋଧନ କରି ଏବଂ ଟିକିଏ ବଢ଼ାବଢ଼ି କରି ଦ୍ୱିତୀୟ ସଂସ୍କରଣ ଦଶ ହଜାର ଖଣ୍ଡ ଛପାଇ ନେଲି । ସେଥିରୁ ଅଧିକାଂଶ କଟିଗଲା ସତ, ମୁଁ ପରେ ବୁଝିପାରିଲି ଯେ, ଏକାବେଳକେ ଦଶ ହଜାର ଛପାଇବା ଦରକାର ନଥିଲା । ମନ ଉତ୍ସାହରେ ମୋର ହିସାବ ବେଶୀ ହୋଇଥିଲା । ଇଂରାଜି ପଢ଼ୁଆ ଲୋକଙ୍କ ପାଇଁ ସେ ଲେଖା ହୋଇଥିଲା । ମାନ୍ଦ୍ରାଜର ପାଠୁଆ ଲୋକେ ଦଶ ହଜାର ଖଣ୍ଡ ବହି କିଣିବା ସହଜ ନୁହେଁ ।

 

ଏଠାରେ ସ୍ୱର୍ଗୀୟ ଜି. ପରମେଶ୍ୱରନ୍ ପିଲାଇଙ୍କଠାରୁ ମତେ ସବୁଠୁଁ ବେଶୀ ସାହାଯ୍ୟ ମିଳିଲା । ସେ ମାନ୍ଦ୍ରାଜ ଷ୍ଟାଣ୍ଡାର୍ଡ଼ର ସମ୍ପାଦକ ଥିଲେ । ସେ ଦକ୍ଷିଣ ଆଫ୍ରିକା ଘଟଣା ବିଶେଷ ଭାବରେ ପଢ଼ି ବୁଝୁଥାନ୍ତି । ତାଙ୍କ ଅଫିସକୁ ସେ ମତେ ଅନେକ ସମୟରେ ଡକାଇ ପଠାନ୍ତି ଏବଂ ବାଟ ବତାଇ ଦିଅନ୍ତି । ‘ହିନ୍ଦୁ’ କାଗଜର ଶ୍ରୀଯୁକ୍ତ ବି. ସୁବ୍ରହ୍ମଣ୍ୟମ୍‌ଙ୍କ ସଙ୍ଗେ ମଧ୍ୟ ଦେଖାକଲି । ସେ ଓ ଡାକ୍ତର ସୁବ୍ରହ୍ମଣ୍ୟମ୍ ମୋ କାମରେ ପୂରା ସହନୁଭୂତି ଦେଖାଇଲେ । କିନ୍ତୁ ଜି. ପରମେଶ୍ୱରନ୍ ପିଲାଇ ଆପଣା କାଗଜକୁ ମନଇଚ୍ଛା ବ୍ୟବହାର କରିବାକୁ ମତେ ଛାଡ଼ିଦଲେ । ମୁଁ ତାର ଉଚିତ ସଦ୍‌ବ୍ୟବହାର କରୁଥାଏ । ମାନ୍ଦ୍ରାଜରେ ପଚ୍ୟାପ୍‌ପା ହଲରେ ଯେଉଁ ସଭା ହେଲା ସେଥିରେ ଡାକ୍ତର ସୁବ୍ରହ୍ମଣ୍ୟମ୍ ସଭାପତି ହୋଇଥିଲା ପରି ମୋର ମନେ ପଡ଼ୁଛି ।

 

ଏଠାରେ ଯେତେ ବନ୍ଧୁଙ୍କ ସଙ୍ଗେ ମୁଁ ଦେଖା କରିଛି, ସମସ୍ତେ ମତେ ଆଦର ଓ ସ୍ନେହ ଦେଖାଇଛନ୍ତି । ମୋର ଏ କାର୍ଯ୍ୟରେ ସେମାନଙ୍କର ଆଗ୍ରହ ଓ ଉତ୍ସାହ ଥାଏ । ତେଣୁ ଏଠାରେ ସମସ୍ତଙ୍କ ସଙ୍ଗେ ଇଂରାଜୀରେ ଚିଠିପତ୍ର ଆଦି ଲେଖିବାକୁ ଓ କଥା କହିବାକୁ ପଡ଼ୁଥିଲେ ମଧ୍ୟ ମୁଁ ନିଜ ଘରେ ବା ନିଜ ଗାଁରେ ରହିଲା ପରି ମତେ ଲାଗୁଥାଏ । ସ୍ନେହ କେଉଁ ବାଧାକୁ ତୁଟାଇ ନ ପାରେ ।

 

ଜଲଦି ଫେରିଆସ

 

ମାନ୍ଦ୍ରାଜରୁ କଲିକତା ଗଲି । ସେଠାରେ ମୋର ଅସୁବିଧାର ସୀମା ରହିଲା ନାହିଁ । ମୁଁ ସେଠାରେ କାହାରିକୁ ଚିହ୍ନି ନ ଥାଏ । ତେଣୁ ‘ଗ୍ରେଟ୍‌ଇଷ୍ଟର୍ଣ୍ଣ’ ହୋଟେଲରେ ଗୋଟିଏ ବଖରା ଭଡ଼ା ନେଇ ରହିଲି । ସେଠି ‘ଡେଲିଟେଲିଗ୍ରାଫ୍‌’ର ପ୍ରତିନିଧି ମି. ଏଲାରଥପ୍‌ଙ୍କ ସଙ୍ଗେ ପରିଚୟ ହେଲା । ସେ ବଙ୍ଗଳା କ୍ଳବରେ ରହୁଥାନ୍ତି । ଥରେ ସେ ମତେ ସେଠାକୁ ନିମନ୍ତ୍ରଣ କଲେ; ମାତ୍ର ସେତେବେଳକୁ ତାଙ୍କୁ ଜଣା ନଥିଲା ଯେ, ହୋଟେଲର ବୈଠକ-ଖାନାକୁ କୌଣସି ଭାରତୀୟଙ୍କୁ ନେଇ ହେବ ନାହିଁ । ପରେ ସେପରି ବାଧା ଥିବା କଥା ଜାଣିପାରି ମୋତେ ତାଙ୍କ ନିଜ କୋଠରୀକୁ ଡାକି ନେଲେ । ଭାରତୀୟମାନଙ୍କ ପ୍ରତି ସ୍ଥାନୀୟ ଇଂରେଜମାନଙ୍କର ଏ ଅଶ୍ରଦ୍ଧା ଦେଖି ତାଙ୍କର ଦୁଃଖ ହେଲା । ସେ ସାଧାରଣ ବୈଠକଖାନାକୁ ମତେ ନେଇପାରିଲେ ନାହିଁ ବୋଲି କ୍ଷମା ମାଗିଲେ-

 

ସୁରେନ୍ଦ୍ର ନାଥ ବାନାର୍ଜୀ ସେତେବେଳେ ବଙ୍ଗଳାର ଦେବତା । ମୁଁ ତ ତାଙ୍କୁ ଦେଖା କରିଥାନ୍ତି । ତାଙ୍କ ପାଖକୁ ଯାଇ ଦେଖିଲି, ଅନେକ ଗୁଡ଼ିଏ ଦେଖା କଲାବାଲା ତାଙ୍କୁ ଘେରି ରହିଛନ୍ତି-। ସେ ମୋତେ କହିଲେ, ‘‘ମୋର ଆଶଙ୍କା ଯେ, ଆପଣଙ୍କ କାମରେ ଲୋକେ ଆଗ୍ରହ ପ୍ରକାଶ କରିବେ ନାହିଁ । ଏଠି କେତେ ବାଧାବିଘ୍ନ ରହିଛି, ଆପଣ ତ ଦେଖିଛନ୍ତି । ତଥାପି ଆପଣ ଚେଷ୍ଟା କରନ୍ତୁ । ଏ କାମରେ ଆପଣଙ୍କୁ ରାଜା ମହାରାଜା ମାନଙ୍କଠାରୁ ସାହାଯ୍ୟ ମିଳିବ । ବ୍ରିଟିଶ୍ ଇଣ୍ଡିଆନ୍ ଆସୋସିଏସନ୍‌ର ପ୍ରତିନିଧିମାନଙ୍କ ସଙ୍ଗେ ଦେଖା କରନ୍ତୁ । ରାଜା ସାର୍ ପ୍ୟାରୀମୋହନ ମୁଖାର୍ଜୀ ଓ ମହାରାଜା ଟାଗ୍‌ରଙ୍କ ସଙ୍ଗେ ମଧ୍ୟ ଦେଖା କରିବାକୁ ଚେଷ୍ଟା କରନ୍ତୁ । ସେ ଉଭୟେ ବଡ଼ ଉଦାର ପ୍ରକୃତିର ଲୋକ ଏବଂ ସାଧାରଣ କାମରେ ଯୋଗଦିଅନ୍ତି ।’’ ମୁଁ ସେମାନଙ୍କ ସଙ୍ଗେ ଦେଖାକଲି । ସେଠାରେ ମୋର ଥଣ୍ଟ ବୁଡ଼ିଲା ନାହିଁ । ଉଭୟେ କହିଲେ, ‘‘କଲିକତାରେ ସାଧାରଣ ସଭା କରିବା ସହଜ କଥା ନୁହେଁ । ଯଦି କରିବାକୁ ହେବ, ତେବେ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କ ବିନା ତାହା ହେବା ଅସମ୍ଭବ ।

 

ମୋର ଅସୁବିଧା ବଢ଼ି ଚାଲିଥାଏ । ଅମୃତ ବଜାର ପତ୍ରିକା ଅଫିସକୁ ଗଲି । ସେଠାରେ ଯାହାଙ୍କ ସଙ୍ଗେ ଦେଖାହେଲା, ସେ ଭଦ୍ରଲୋକ ପ୍ରଥମେ ମତେ ଗୋଟାଏ ବାରବୁଲା ଲୋକ ବୋଲି ମନେ କରିଥିବେ । ‘ବଙ୍ଗବାସୀ’ ଖବର କାଗଜ ଅଫିସରେ ତ ଅବସ୍ଥା ଆହୁରି ପାହାଚେ ଉପରକୁ ଗଲା । ସେ କାଗଜର ସମ୍ପାଦକ ମତେ ଘଣ୍ଟାଏ କାଳ ବସେଇ ରଖିଲେ । ଇତିମଧ୍ୟରେ ସେ ଅନ୍ୟମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥାନ୍ତି, ସେମାନେ ଚାଲିଗଲା ପରେ ମଧ୍ୟ ସେ ମୋ ଆଡ଼କୁ ଅନାନ୍ତି ନାହିଁ । ସେତେବେଳେ ଅପେକ୍ଷା କରି ବସି ବସି ଶେଷରେ ସାହସ ବାନ୍ଧି ମୋ କଥା ପକେଇବାକୁ ତାଙ୍କ ପାଖକୁ ଗଲି । ସେ କହିଲେ—‘‘ତୁମେ ଦେଖୁନାହଁ, ମୋ ହାତରେ କେତେ କାମ ? ତମଭଳି କେତେ ଲୋକ ତ ବରାବର ଏଠାକୁ ଚାଲିଛନ୍ତି । ସେଥିରେ ଟିକିଏ ହେଲେ ବିରାମ ନାହିଁ । ତେଣୁ ତୁମେ ବିଦାୟ ନେଲେ ଭଲ । ମୋର ତୁମ କଥା ଶୁଣିବାକୁ ବେଳନାହିଁ ।’’ ମୋର ଏ କଥାରେ ଅବଶ୍ୟ କ୍ଷଣିକ ଦୁଃଖ ଜାତ ହେଲା, ତଥାପି ମୁଁ ସମ୍ପାଦକର ଦାୟିତ୍ୱ ସଙ୍ଗେ ସଙ୍ଗେ ବୁଝି ପାରିଲି । ‘ବଙ୍ଗବାସୀ’ କାଗଜର ଖ୍ୟାତି ଆଗରୁ ଶୁଣିଥାଏ । ଏଠି ମଧ୍ୟ ସମ୍ପାଦକଙ୍କ ପାଖକୁ ଲୋକେ ଯା ଆସ କରୁଥିବାର ଦେଖିଲି । ସମସ୍ତେ ସମ୍ପାଦକଙ୍କର ପରିଚିତ । ତାଙ୍କ କାଗଜରେ ଆଲୋଚନା ପାଇଁ ବିଷୟର ଅଭାବ ମଧ୍ୟ ନ ଥାଏ । ସେତେବେଳେ ଦକ୍ଷିଣ ଆଫ୍ରିକାର ନାମ ମଧ୍ୟ କ୍ୱଚିତ ଲୋକେ ଜାଣିଥାନ୍ତି । ନିତି ନୂଆ ନୂଆ ଲୋକେ ଆପଣା ଆପଣାର ଦୁଃଖ ଉଗାରି ପକାଇବାକୁ ଆସି ଜୁଟୁଥାନ୍ତି । ସେମାନଙ୍କ ପକ୍ଷରେ ନିଜ ନିଜର ଦୁଃଖ ସବୁଠୁ ବଡ଼ ସମସ୍ୟା । ସମ୍ପାଦକଙ୍କ ଆଗରେ ଏଭଳି ଦୁଃଖୀଲୋକ ଦଳଦଳ ହୋଇ ଜୁଟନ୍ତି । ସମ୍ପାଦକ ବାପୁଡ଼ା ଏ ସମସ୍ତଙ୍କୁ କ’ଣ କରିବେ ? ପୁଣି ଦୁଃଖୀ-ଲୋକ ମନେକରେ ଯେ ଖବର କାଗଜ ସମ୍ପାଦକଙ୍କର କ୍ଷମତା ଅସୀମ । ସମ୍ପାଦକ କିନ୍ତୁ ନିଜେ ଜାଣନ୍ତି ଯେ ତାଙ୍କ କ୍ଷମତା ତାଙ୍କ ଅଫିସର ଦୁଆର ଏରୁଣ୍ଡି ବନ୍ଧ ଡେଇଁ ସେ ପାଖକୁ ଯାଏ ନାହିଁ ।

 

ଯାହାହେଉ ମୁଁ ହତୋତ୍ସାହ ହେଲି ନାହିଁ । ଅନ୍ୟାନ୍ୟ ଖବରକାଗଜର ସମ୍ପାଦକମାନଙ୍କ ସଙ୍ଗେ ଦେଖା କଲି । ଯଥାରୀତି ଗୋରା ଖବରକାଗଜ ସମ୍ପାଦକମାନଙ୍କ ସଙ୍ଗେ ଦେଖା ନ କରି ଛାଡ଼ିଲି ନାହିଁ । ‘ଷ୍ଟେଟସ୍ ମାନ୍’ ଓ ‘ଇଂଲିଶ୍ ମାନ୍’ କାଗଜର ସମ୍ପଦକମାନେ ବିଷୟର ଗୁରୁତ୍ୱ ବୁଝିଲେ । ସେମାନଙ୍କ ସହିତ ମୋ ସାକ୍ଷାତର ଏକ ଦୀର୍ଘ ବିବରଣୀ ତାଙ୍କ କାଗଜରେ ପ୍ରକାଶ କଲେ । ‘ଇଂଲିଶ୍ ମାନ୍’ କାଗଜର ସମ୍ପଦକ ମି. ସାଣ୍ଡାର୍ସ ମୋ ସହିତ ଆପଣାର ଲୋକ ପରି ବ୍ୟବହାର କଲେ । ତାଙ୍କୁ ଅଫିସ ଓ କାଗଜକୁ ଏକପ୍ରକାର ମୋ ପାଇଁ ଛାଡ଼ି ଦେଲେ ବୋଲି କହିଲେ ଚଳିବ । ମୋ ଏ ପ୍ରସଙ୍ଗରେ ତାଙ୍କ କଗଜରେ ଯେଉଁ ସମ୍ପାଦକୀୟ ଅଗ୍ରଲେଖା ଲେଖନ୍ତି, ପ୍ରକାଶ ପୂର୍ବରୁ ତାହାର ସଂଶୋଧନ ପାଇଁ ମୋ ପାଖକୁ ପଠାଇ ଦିଅନ୍ତି । ମୋ ମନଇଚ୍ଛା ତାହା କାଟଛାଣ୍ଟ କରିବାକୁ ମତେ ଅନୁମତି ଦେଇଥାନ୍ତି । ଏପରି ଅବସ୍ଥାରେ ଆମ ଦୁହିଁଙ୍କ ଭିତରେ ବନ୍ଧୁତା ଘନେଇ ଯାଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କ ଦ୍ୱାରା ଯେତେ ପ୍ରକାର ସାହାଯ୍ୟ ସମ୍ଭବ ତାହା ସେ ଦେବାକୁ ପ୍ରତିଶ୍ରୁତି ଦେଲେ । ମୁଁ ଦକ୍ଷିଣ ଆପ୍ରିକା ଗଲେ ସେଠୁ ତାଙ୍କ ପାଖକୁ ଚିଠିପତ୍ର ଲେଖିଲେ ଯେ ନିଜେ ଯାହା ପାରିବେ ନିଶ୍ଚୟ କରିବାକୁ ସ୍ୱୀକୃତି ଦେଲେ । ମୁଁ ଦେଖିଲି ସେ ତାଙ୍କ ସ୍ୱୀକୃତିକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାଯାଏ ସେ ମୋ ସଙ୍ଗେ ଚିଠିପତ୍ର ଚଳାଇଥିଲେ । ମୋ ଜୀବନରେ ଅନେକ ଏଭଳି ମଧୁର ସମ୍ପର୍କ ଅପ୍ରତ୍ୟାଶିତ ଭାବରେ ଗଢ଼ି ଉଠିଛି । ସାଣ୍ଡାର୍ସ ସାହେବ ମୋ କଥା ଓ ଲେଖାରେ ତିଳେହେଲେ ଅତି ରଞ୍ଜନ ନ ଦେଖି, ସତ୍ୟ ପ୍ରତି ମୋର ପ୍ରଗାଢ଼ ନିଷ୍ଠା ଦେଖି ବଡ଼ ପ୍ରୀତ ହୋଇଥାନ୍ତି । ଆମର ଏ ପ୍ରସଙ୍ଗରେ ସହାନୁଭୂତି ଦେଖାଇବା ଆଗରୁ ସେ ମତେ ନାନାଭାବରେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିଥିଲେ । ମୁଁ ତାଙ୍କ ଆଗରେ ସବୁକଥା କହିଲାବେଳେ ଦକ୍ଷିଣ ଆଫ୍ରିକା ଗୋରା ଲୋକଙ୍କର ଆପତ୍ତି ଅଭିଯୋଗ ମଧ୍ୟ ନିରପେକ୍ଷଭାବରେ କହିଗଲି । ବହୁତ ପରିଶ୍ରମ ଓ ଉଦ୍ୟମ କରି ମୁଁ ନିଜେ ସବୁ ଘଟଣା ବେଶ୍ ବୁଝାଇପାରି ଥାଏ । ସାଣ୍ଡାର୍ସ ସାହେବ ମୋ କଥାକୁ ସବୁ ଭଲଭାବରେ ବୁଝିପାରିଲେ ।

 

ମୋ ଅଭିଜ୍ଞତାରୁ ମୁଁ ବୁଝୁଛି ଯେ, ଅପର ପ୍ରକ୍ଷ ପ୍ରତି ଯଥାର୍ଥ ନ୍ୟାୟ ବିଚାର କଲେ, ଆମ୍ଭେ ତୁରନ୍ତ ନ୍ୟାୟ ବିଚାର ପାଇପାରିବା ।

 

ସାଣ୍ଡାର୍ସ ସାହେବଙ୍କ ସାହାଯ୍ୟ, ସହାନୁଭୂତି ଓ ଉତ୍ସାହରେ ମୁଁ ଆଶାନ୍ୱିତ ହୋଇ ଉଠିଲି-। ମୋର ବିଶ୍ୱାସ ହେଲା, ମୁଁ ବୋଧହୁଏ କଲିକତାରେ ସାଧାରଣ ସଭା କରିପାରିବି । ସେତିକିବେଳେ ଡରବାନ୍‌ରୁ ତାର ପାଇଲି—

 

‘‘ପାର୍ଲିଆମେଣ୍ଟ ଜାନୁଆରୀରେ ବସୁଛି—ଜଲ୍‌ଦି ଫେରିଆସ ।’’

 

ସଙ୍ଗେ ସଙ୍ଗେ ଖବରକାଗଜକୁ ଗୋଟିଏ ଲେଖା ପଠାଇ ଦେଲି । ମୁଁ କାହିଁକି ହଠାତ୍ କଲିକତା ଛାଡ଼ି ବମ୍ବେଇ ଚାଲିଯାଉଛି, ସେଥିରେ ବୁଝାଇ ଲେଖିଲି । କଲିକତାରୁ ବାହାରିବା ଆଗରୁ ଦାଦା ଅବଦୁଲା କମ୍ପାନୀ ଏଜେଣ୍ଟଙ୍କ ପାଖକୁ ତାର କଲି । ସେଥିରେ ଦକ୍ଷିଣ ଆଫ୍ରିକାକୁ ଯାଉଥିବା ପ୍ରଥମ ଜାହାଜରେ ମୋ ଲାଗି ଟିକଟ କିଣି ରଖିବାକୁ ଅନୁରୋଧ କଲି । ଦାଦା ଅବଦୁଲା ‘କୋରଲାଣ୍ଡ’ ନାମକ ଗୋଟିଏ ନୂଆ ଜାହାଜ କିଣିଥାନ୍ତି । ସେ ମୋତେ ସେହି ଜାହାଜରେ ଯିବାଲାଗି ଜିଦ୍ ଧରିଲେ ଏବଂ ବିନା ମାସୁଲରେ ମୋତେ ଓ ମୋର ପରିବାରକୁ ନେବାପାଇଁ କହିଲେ । ମୁଁ ତାଙ୍କର ଏ ବ୍ୟବହାର ପାଇଁ କୃତଜ୍ଞତା ଜଣାଇ ସ୍ୱୀକାର କଲି । ଡିସେମ୍ବର ମାସ ଆରମ୍ଭରେ ଦ୍ୱିତୀୟଥର ପାଇଁ ମୁଁ ଦକ୍ଷିଣ ଆଫ୍ରିକା ଯାତ୍ରା କଲି । ଏଥର ମୋ ସଙ୍ଗରେ ମୋ ଭାର୍ଯ୍ୟା, ଦୁଇଟି ପୁଅ ଓ ମୋ ବିଧବା ଭଉଣୀଙ୍କର ଏକମାତ୍ର ପୁଅ ଯାଉଥାନ୍ତି । ଠିକ୍ ସେହି ସମୟରେ ‘ନାଦେରି’ ନାମକ ଆଉ ଗୋଟିଏ ଜାହାଜ ବମ୍ବେଇରୁ ଯାଉଥାଏ । ଏ ଜାହାଜର ଏଜେଣ୍ଟ ମଧ୍ୟ ସେହି ଦାଦା ଅବଦୁଲା କମ୍ପାନୀ । ଏ ଦୁଇ ଜାହାଜରେ ପ୍ରାୟ ୮୦୦ ଜଣ ଯାତ୍ରୀ ଯାଉଥାନ୍ତି । ସେଥିରୁ ଅଧେ ଟ୍ରାନ୍‌ସଭାଲ ଯାଉଥାନ୍ତି ।

Image

 

 

 

 

 

 

 

 

 

 

 

 

 

 

ତୃତୀୟ ଭାଗ

 

ଝଡ଼ର ପ୍ରତିଧ୍ୱନି

 

ନିଜର ପିଲାପିଲିଙ୍କୁ ସଙ୍ଗରେ ଧରି ଜାହାଜରେ ଯିବା ଏଇ ମୋର ପ୍ରଥମ । ଅନେକଥର ଲେଖିଛି ଯେ, ହିନ୍ଦୁ ସମାଜରେ ପିଲା ବୟସରେ ବାହାଘର ହେଉଥିବାରୁ ଏବଂ ମଧ୍ୟବିତ୍ତ ଶ୍ରେଣୀର ଅଧିକ ସଂଖ୍ୟକ ପତି ସାକ୍ଷର ଏବଂ ସ୍ତ୍ରୀ ନିରକ୍ଷର ଏଭଳି ଅବସ୍ଥା ଥିବାରୁ ସ୍ୱାମୀକୁ ସ୍ତ୍ରୀର ଶିକ୍ଷକ ହେବାକୁ ପଡ଼ିଥାଏ । ବର୍ତ୍ତମାନ ମୋତେ ମୋର ସ୍ତ୍ରୀ ଓ ପିଲାପିଲିଙ୍କ ପୋଷାକ, ଖାଇବା ପିଇବା ତଥା ଚାଲିଚଲଣ ପ୍ରତି ଦୃଷ୍ଟି ରଖିବାକୁ ପଡ଼ୁଥାଏ । ସେମାନଙ୍କ ଆଚାର ବ୍ୟବହାର ଏ ନୂଆ ଢଙ୍ଗ, ରଙ୍ଗ ଓ ସଙ୍ଗମେଳକୁ ଚାହିଁ କିପରି ହେବା ଉଚିତ, ସେ ସବୁ ତାଙ୍କୁ ରୀତିମତ ଶିଖାଇବାକୁ ହେଉଥାଏ । କେତେକାଳ ବିତିଗଲା ଏବେ ମଧ୍ୟ ସେ ସମୟର ସ୍ମୃତି ମନେ ପଡ଼ିଲେ ମତେ ହସ ମାଡ଼େ । ହିନ୍ଦୁ ସ୍ତ୍ରୀ ପତିପରାୟଣ ହେବାଟାକୁ ନିଜ ଧର୍ମର ପରାକାଷ୍ଠା ବୋଲି ବିଚାରିଥାଏ । ଅନ୍ୟ ପକ୍ଷରେ ହିନ୍ଦୁ ସ୍ୱାମୀ ଆପଣାକୁ ନିଜ ସ୍ତ୍ରୀର ପ୍ରଭୁ ବୋଲି ବିଚାରିଥାଏ । ତେଣୁ ସେ ଯେପରି ନଚାଏ, ସ୍ତ୍ରୀ ସେହିପରି ନାଚେ ।

 

ଯେଉଁ ସମୟର କଥା ଲେଖୁଛି, ତେତେବେଳେ ମୋର ବିଶ୍ୱାସ ଥାଏ ଯେ, ସଭ୍ୟ ବୋଲାଇବା ଲାଗି ବାହାରେ ଢଙ୍ଗଢାଙ୍ଗ ଯେତେଦୂର ସମ୍ଭବ ସାହେବଙ୍କ ସଙ୍ଗେ ମେଳ ଖାଇବା ଦରକାର । ଏମିତି କରିପାରିଲେ ଲୋକଙ୍କ ଭିତରେ ପ୍ରତିଷ୍ଠା ବଢ଼ିବ ଏବଂ ତା ନ କଲେ ଦେଶ ସେବା ହୋଇପାରିବ ନାହିଁ ।

 

ଏହିପରି ବିଚାରି ମୁଁ ମୋ ଭାର୍ଯ୍ୟ ଓ ପିଲାଙ୍କ ପାଇଁ ପୋଷାକର ପ୍ରକାର ବାଛି ଦେଲି । ପିଲାମାନଙ୍କ ପକ୍ଷରେ କାଠିଆବାଡ଼ର ବଣିଆ ପିଲା ଭଳି ଦେଖା ଯିବାଟା କ’ଣ ସୁନ୍ଦର ହେବ ? ସେତେବେଳେ ଭାରତୀୟ ଲୋକଙ୍କ ଭିତରେ ପାର୍ଶୀମାନେ ସବୁଠାରୁ ଅଧିକ ସଭ୍ୟ ବୋଲି ପରିଚିତ ହେଉଥାନ୍ତି । ସେଥିପାଇଁ ପୂରା ସାହେବୀ ଢଙ୍ଗ ଯେତେବେଳେ ଆମକୁ ଆଗେଇବ ନାହିଁ, ସେତେବେଳେ ଏହି ପାର୍ଶୀ ଢାଞ୍ଚାରେ ପୋଷାକ ପିନ୍ଧାଇବା ସ୍ଥିର କଲି । ମୋ ଭାର୍ଯ୍ୟା ପାର୍ଶୀ ଭଉଣୀମାନଙ୍କ ପରି ଶାଢ଼ୀ ପିନ୍ଧିଲେ; ପିଲାମାନେ ପାର୍ଶୀ କୋଟ, ପାଇଜାମା ଲଗାଇଲେ । ସମସ୍ତଙ୍କର ମୋଜା ଜୋତା ଅବଶ୍ୟ ଥାଏ । ମାତ୍ର ଏ ନୂଆ ପୋଷାକ ମାସ ମାସ ଧରି ଏମାନଙ୍କୁ ଅଡୁଆ ଲାଗିଲା । ଜୋତା ପିନ୍ଧି ତାଙ୍କ ଗୋଡ଼ ସବୁ ଛିଡ଼ି ଫୋଟକା ହୋଇଗଲା । ଝାଳରେ ମୋଜା ସବୁ ଲୋଚା କୋଚା ହୋଇଯାଏ । ଆଙ୍ଗୁଠି ସବୁରେ ଘା । ଫଳରେ ସେମାନେ ଭାରି କଷ୍ଟ ପାଇ ଆପତ୍ତି କରନ୍ତି, କିନ୍ତୁ ମୁଁ ସଙ୍ଗେ ସଙ୍ଗେ ଜବାବ ଦେଇ ତୁନି କରେଇ ଦିଏ । ମୋର ମନେ ପଡ଼ୁଛି ମୋର ଏଭଳି ଉତ୍ତର ବା ଯୁକ୍ତିରେ ସେମାନଙ୍କର ମନ ମାନେ ନାହିଁ । କେବଳ ଭୟରେ ସେମାନେ ହଁ ଭରୁ ଥାଆନ୍ତି । ଆଉ ଉପାୟ ନ ଦେଖି ସେମାନେ ଏ ନୂଆ ପୋଷାକ ପିନ୍ଧିବାକୁ ରାଜି ହେଲେ । ସେହିପରି ନିତାନ୍ତ ଅନିଛା ସତ୍ତ୍ୱେ ସେମାନେ ଖାଇଲାବେଳେ କଣ୍ଟା ଚାମଚ ମଧ୍ୟ ବ୍ୟବହାର କଲେ-। ଯେତେବେଳେ ଏ ପ୍ରକାର ସଭ୍ୟତା ପ୍ରତି ମୋ ନିଜର ଆଗ୍ରହ କମିଗଲା, ସେତେବେଳେ ଯାଇ ସେମାନେ ଏ କଣ୍ଟା ଚାମଚରୁ ମୁକ୍ତି ପାଇଲେ । ଏହି ନୂଆ ଫେସନକୁ ଅନେକ ଦିନ ଅଭ୍ୟାସ କଲାପରେ ପୁଣି ପୁରୁଣା ଢଙ୍ଗକୁ ଲେଉଟିଲା ବେଳକୁ ସେମାନଙ୍କୁ ଅଡ଼ୁଆ ବୋଧ ହେଲା । ଏବେ ମୁଁ ଦେଖୁଛି ଆମେ ସଭ୍ୟତାର ଉପଦ୍ରବରୁ ରକ୍ଷା ପାଇ ବେଶ୍ ସ୍ୱାଧୀନ ଓ ସରଳ ଜୀବନ କଟାଉଛୁ-

 

ସେହି ଜାହାଜରେ ଆମର କେତେକ ଆତ୍ମୀୟ ବନ୍ଧୁ ବାନ୍ଧବ ମଧ୍ୟ ଯାଉଥାନ୍ତି । ମୁଁ ସେମାନଙ୍କ ସଙ୍ଗେ ଓ ଜାହାଜର ଅନ୍ୟ ଯାତ୍ରୀମାନଙ୍କ ସଙ୍ଗେ ଭଲଭାବରେ ମିଳାମିଶା କରୁଥାଏ । ଜାହାଜର ମାଲିକ ମୋର ମହକିଲ ଓ ବନ୍ଧୁ ହୋଇଥବାରୁ ମୁଁ ମନଇଛା ସବୁଆଡ଼େ ବୁଲାବୁଲି କରୁଥାଏ ।

 

ବାଟରେ ଅନ୍ୟ ବନ୍ଦରରେ ନ ଅଟକି ଆମ ଜାହାଜ ସିଧା ସିଧା ନାତାଲକୁ ଚାଲିଥାଏ । ସେପରି ଗଲେ ଅଠର ଦିନରେ ଆମର ଯାତ୍ରା ସରିବାର କଥା । ଆମେ ପହଞ୍ଚିବାକୁ ତିନି ଚାରି ଦିନ ମାତ୍ର ବାକି ଥାଏ, ଦିନେ ହଠାତ୍ ସମୁଦ୍ରରେ ଭୀଷଣ ତୋଫାନ ଆରମ୍ଭ ହେଲା । ବୋଧହୁଏ ଆମେ ଓହ୍ଲାଇଲା ପରେ ଯେ ଭୀଷଣ ଝଡ଼ ହେବ, ତାହାର ସତର୍କ ସଙ୍କେତ ଭଳି ଏ ତୋଫାନ ପହଞ୍ଚିଲା କି କଣ କିଏ କହିବ ? ଦକ୍ଷିଣ ଅଞ୍ଚଳରେ ସାଧାରଣତଃ ଡିସେମ୍ବର ମାସରେ ଗରମ ଓ ବର୍ଷାର ସମୟ ଆସେ । ସେତେବେଳେ ଦକ୍ଷିଣ ସାଗରରେ ସାନ ବଡ଼ ଝଡ଼ ବରାବର ହୁଏ । କିନ୍ତୁ ଆମେ ଦୁର୍ଭାଗ୍ୟକୁ ଏ ଝଡ଼ ଏଡ଼େ ଭୀଷଣ ହୋଇ ଏତେ ଦୀର୍ଘକାଳ ସ୍ଥାୟୀ ହୋଇଥିଲା ଯେ, ଯାତ୍ରୀମାନେ ଭୀତତ୍ରସ୍ତ ହୋଇ ପଡ଼ିଲେ । ସେତବେଳର ଦୃଶ୍ୟ କେଡ଼େ ଗୁରୁଗମ୍ଭୀର ! ଏ ବିପଦରେ ସମଦଶାପନ୍ନ ହୋଇ ସମସ୍ତେ ଏକ ସ୍ୱରରେ ଈଶ୍ୱରଙ୍କୁ ଡାକିବାକୁ ଲାଗିଲେ । କିଏ କେତେ ପ୍ରକାର ମାନସିକ ମଧ୍ୟ ଯାଚିଲେ । ଜାହାଜର କାପ୍ତାନ ମଧ୍ୟ ଯାତ୍ରୀଙ୍କ ସାଥିରେ ମିଳି ମିଶି ଯାଇଥାନ୍ତି । ସେ ଲୋକଙ୍କୁ ସାନ୍ତ୍ୱନା ଦେଇ କହୁଥାନ୍ତି, ‘‘ଏ ତୋଫାନ ଅବଶ୍ୟ ଖୁବ୍ ଜୋର ଅଛି । ତଥାପି ଏଠାରୁ ବଳି ବେଶୀ ବଡ଼ ତୋଫାନ ମୁଁ ଭୋଗ କରିଛି । ଜାହାଜ ମଜବୁତ ଥିଲେ ହଠାତ୍ ବୁଡ଼ିବ ନାହିଁ ।’’ ତାଙ୍କର ଏସବୁ ଆଶ୍ୱାସନାରେ ଯାତ୍ରୀଙ୍କର ପ୍ରତ୍ୟୟ ଆସୁ ନ ଥାଏ । ବେଳେ ବେଳେ ଜାହାଜରୁ ଏମିତି ଶବ୍ଦ ବାହାରୁ ଥାଏ, ସେଥିରୁ ଜଣା ପଡୁଥାଏ କି ସତେ ଯେମିତି କେଉଁଠି ଭାଙ୍ଗିଲା—କି, କେଉଁଠି ଘଳିଆ ପଡ଼ିଲା । କେତେବେଳେ ଜାହାଜ ଏପଟୁ ଖଣ୍ଡେଦୂର ପିଟି ହୋଇ ଚାଲିଯାଏତ ପୁଣି ସେ ପଟୁ ପିଟି ହୋଇ ଫେରି ଆସେ । ଏମିତି ଢେଉ ଖାଉଥାଏ ଯେ ମନେହୁଏ ଆମେ ସବୁ ଛାଟି ହୋଇ ପଡ଼ିଯିବା । ଡେକ ଉପରେ ରହିବାତ ଏକାବେଳକେ ଅସମ୍ଭବ । ‘ଭଗବାନ ରଖିଲେ, ରହିବୁ’ ଏହି କଥା ଛଡ଼ା କାହାରିଠୁଁ ଆଉ କିଛି ବାହାରୁ ନ ଥାଏ ।

 

ମୋର ଯେତେଦୂର ମନେ ହୁଏ ଏପରି ଘୋର ଦୁର୍ଦ୍ଦଶାରେ ଚବିଶ ଘଣ୍ଟା ବିତି ଯାଇଥିଲା । ଶେଷରେ ମେଘ ଫାଟିଲା, ସୂର୍ଯ୍ୟ ଦେଖାଦେଲେ । କପ୍ତାନ କହିଲେ, ‘ତୋଫାନ ଗଲା-ଚିନ୍ତା ନାହିଁ ।’ ଲୋକଙ୍କ ମୁଖରୁ ଚିନ୍ତା ଦୂର ହୋଇଗଲା ଏବଂ ସେଥି ସଙ୍ଗେ ସଙ୍ଗେ ଈଶ୍ୱର ମଧ୍ୟ କୁଆଡ଼େ ଉଭେଇ ଗଲେ । ମରଣର ଭୟ କଟି ଯିବା ପଛେ ପଛେ ଗୀତ ବାଦ୍ୟ ଖାଇବା ଆରମ୍ଭ ହୋଇଗଲା । ମାୟାଜାଲ ପୁଣି ଘୋଟିଗଲା । ଏଣିକି ନମାଜ ପଢ଼ିବା, ଭଜନ ଗାଇବା ଇତ୍ୟାଦି ଏ ସବୁ ଚାଲିଲା । ଅଥଚ ସବୁ ମାମୁଲି ଭାବରେ । ବିପଦ କାଳର ନିଷ୍ଠା ଓ ଏକାଗ୍ରତା ସେଥିରେ ନ ଥାଏ ।

 

ଏ ତୋଫାନ ଫଳରେ ମୁଁ ଯାତ୍ରୀଙ୍କ ସଙ୍ଗେ ଓତଃପ୍ରୋତଃ ଭାବରେ ମିଶି ଏକ ହୋଇଗଲି । ମୁଁ କହି ପାରେ ମୋର ତୋଫାନ ଭୟ ଆଦୌ ନ ଥିଲା, ଯଦିବା ଥିଲା ଖୁବ୍ କମ୍ । କାରଣ ମୁଁ ଏଭଳି ତୋଫାନ ୟା ପୂର୍ବରୁ ଅନୁଭବ କରିଥାଏ । ମୋତେ ସମୁଦ୍ର ହଲିବା ବାଧେ ନାହିଁ-। ମୋର ଦେହ ବୁଲାଏ ନାହିଁ । ସେଥିଯୋଗୁ ମୁଁ ଯାତ୍ରୀମାନଙ୍କ ଭିତରେ ନିର୍ଭୟରେ ବୁଲି ପାରୁଥାଏ ସେମାନଙ୍କ ସାହସ ହେଉଥାଏ । କାପ୍ତାନଙ୍କଠାରୁ ବୁଝି ଘଣ୍ଟାକୁ ଘଣ୍ଟା ଝଡ଼ର ଅବସ୍ଥା ଆସି କହୁଥାଏ-। ଏହା ଫଳରେ ଏମାନଙ୍କ ସଙ୍ଗେ ମୋର ଯେଉଁ ବନ୍ଧୁତା ଜନ୍ମିଲା, ପରେ ତାହା ବହୁତ କାମରେ ଆସିଲା ।

 

ଏମିତି ଡିସେମ୍ବର ୧୮ କି ୧୯ ତାରିଖରେ ଆମ ଜାହାଜ ଡରବାନ ବନ୍ଦରରେ ପହଞ୍ଚି ନଙ୍ଗର ପକାଇଲା । ‘‘ନାଦ୍ରୀ’’ ଜାହାଜଟି ମଧ୍ୟ ସେହିଦିନ ପହଞ୍ଚି ଗଲା ।

 

କିନ୍ତୁ ଅସଲ ଝଡ଼ ଆସିବାକୁ ଏବେ ମଧ୍ୟ ବାକି ଥାଏ ।

 

ଝଡ଼

 

ଡିସେମ୍ବର ୧୮ ତାରିଖ ବା ତା’ ପରଦିନ ଦୁଇଟିଯାକ ଜାହାଜ ଡରବାନ୍ ବନ୍ଦରରେ ନଙ୍ଗର ପକାଇଲେ । ଦକ୍ଷିଣ ଆଫ୍ରିକାର ବନ୍ଦରମାନଙ୍କରେ ଓହ୍ଲାଇବା ଆଗରୁ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ । ଯଦି ବାଟରେ କାହାକୁ କିଛି ଡିଆଁ ରୋଗ ଧରିଥାଏ, ତେବେ ସେ ସମୁଦାୟ ଜାହାଜଟିକୁ ସୂତିକା ବା ଛୁଆଁତି (କ୍ୱାରେନ୍ଟାଇନ୍) କରି ରଖି ଦିଅନ୍ତି । ମୁଁ ତ ବମ୍ବେଇ ଛାଡ଼ିଲାବେଳକୁ ସେଠାରେ ପ୍ଲେଗ ଲାଗିଥାଏ । ସେଥିଯୋଗୁ ଆମ ଉପରେ ସୂତିକା ବାଧା ଜାରି କରିବାର ଆଶଙ୍କା ଥାଏ । ଆମର ବରାବର ମନେ ହେଉଥାଏ ଯେ, ଆମକୁ ସେଥିପାଇଁ ଜାହାଜରେ କିଛିଦିନ ଅଟକି ରହିବାକୁ ପଡ଼ିବ । ଜାହାଜ ଯାଇ ବନ୍ଦରରେ ପହଞ୍ଚିଲେ ପ୍ରଥମେ ଗୋଟିଏ ହଳଦିଆ ପତାକା ଉଡ଼ାଯାଏ । ତା ପରେ ଡାକ୍ତର ଆସି ସମସ୍ତଙ୍କୁ ପରୀକ୍ଷା କରି ଛାଡ଼ିଦେଲେ ସେ ପତାକାକୁ କାଢ଼ି ନିଆହୁଏ । ଏହି ହଳଦିଆ ପତାକାଟି ଉତ୍ତାରି ଦିଆଗଲା ପରେ ଯାତ୍ରୀମାନଙ୍କର ବନ୍ଧୁବାନ୍ଧବ ଓ ସାଙ୍ଗସୁଖମାନେ ଜାହାଜ ଉପରକୁ ଯିବାକୁ ଅନୁମତି ପାଆନ୍ତି । ଏହି ନିୟମ ଅନୁସାରେ ଆମ ଜାହାଜ ଉପରେ ହଳଦିଆ ପତାକା ଉଡ଼ୁଥାଏ । ଡାକ୍ତର ଆସି ପରୀକ୍ଷା କଲେ । ପରୀକ୍ଷା ପରେ ପାଞ୍ଚଦିନ ଅଟକ ଆଦେଶ ଦେଲେ, କାରଣ ପ୍ଳେଗର ଜୀବାଣୁ ୨୩ ଦିନ ପରେ ଦେଖା ଦିଅନ୍ତି ବୋଲି ସେମାନଙ୍କର ବିଶ୍ୱାସ । ସେଥିଯୋଗୁଁ ବମ୍ବେଇ ଛାଡ଼ିବାର ୨୩ ଦିନଯାଏ ଜାହାଜକୁ ସୂତିକାରେ ରଖିବାର ସ୍ଥିର କଲେ ।

 

ଏଭଳି ଅଟକ ହୁକୁମର ମୂଳରେ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ନ ଥିଲା । ଆମକୁ ଲେଉଟାଇ ଦେବାପାଇଁ ସହରର ଗୋରା ଅଧିବାସୀମାନେ ଗୋଟିଏ ଆନ୍ଦୋଳନ କରୁଥାନ୍ତି । ତାହାହିଁ ଏଭଳି ସୂତିକା ଆଦେଶର ମୂଳକାରଣ ଥାଏ ।

 

ତେଣେ ଦାଦା ଅବଦୁଲାଙ୍କ ଆଡ଼ୁ ସହରର ଆନ୍ଦୋଳନ ଖବର ବରାବର ଆମ ପାଖକୁ ଆସୁଥାଏ । ଗୋରାମାନେ ଗୋଟିଏ ପରେ ଗୋଟିଏ ଯୁଦ୍ଧସଭା କରୁଥାଆନ୍ତି । ଦାଦା ଅବଦୁଲାଙ୍କୁ ଧମକାଉ ଥାନ୍ତି । ବେଳେ ବେଳ ପ୍ରଲୋଭନ ମଧ୍ୟ ଦେଖାଉଥାନ୍ତି । ଦାଦା ଅବଦୁଲା ଅବଶ୍ୟ କାହାରି ଧମକରେ ଡରିଯିବା ଲୋକ ନୁହନ୍ତି । ଶେଠ ଅବଦୁଲା କରିମ୍ ହାଜି ଆଦମ ସେତେବେଳେ ଅବଦୁଲା କମ୍ପାନୀର ଭାଗଦାରରେ ପରିଚାଳକ ଥାନ୍ତି । ଯେତେ କ୍ଷତି ହେଉ ପଛକେ ଜାହାଜକୁ କୂଳକୁ ନେଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବାଲାଗି ସେ ଜିଦ୍ ଧରିଥାନ୍ତି । ପ୍ରତିଦିନ ସବିଶେଷ ହାଲ ଲେଖାହୋଇ ତାଙ୍କର ଚିଠି ମୋ ପାଖକୁ ଆସୁଥାଏ । ଭାଗ୍ୟକୁ ସ୍ୱର୍ଗୀୟ ମନସୁଖ ଲାଲ ହୀରାଲାଲ ନାଜର ମୋ ସଙ୍ଗେ ଦେଖା କରିବାକୁ ସେତିକିବେଳେ ଡରବାନ୍ ବନ୍ଦରକୁ ଯାଇଥାନ୍ତି । ସେ ବଡ଼ ବିଚକ୍ଷଣ ଓ ସାହାସୀ ଲୋକ । ସେ ଭାରତୀୟମାନଙ୍କୁ ଭଲ ପରାମର୍ଶ ଦେଇ ଯଥାଯଥ ଭାବରେ ପରିଚାଳିତ କରୁଥାନ୍ତି । ଓକିଲ ମି. ଲାଟନ ମଧ୍ୟ ସେମିତି ସାହାସୀ ଥିଲେ । ସେ ଗୋରାମାନଙ୍କ କାମର ନିନ୍ଦାବାଦ କରୁଥାନ୍ତି, ଆଉ ମଧ୍ୟ ଭାରତୀୟମାନଙ୍କୁ କେବଳ ଫିସ୍ ପାଉଥିବା ଓକିଲ ଭଳି ନୁହେଁ ବରଂ ପ୍ରକୃତ ବନ୍ଧୁ ଭାବରେ ପରାମର୍ଶ ଦେଉଥାନ୍ତି ।

 

ଏହିପରି ଡରବାନ୍‌ରେ ଦ୍ୱନ୍ଦ୍ୱଯୁଦ୍ଧ ଲାଗିଥାଏ । ଗୋଟିଏ ପକ୍ଷରେ ମୁଷ୍ଟିମେୟ ଦରିଦ୍ର ଭାରତବାସୀ ଓ ତାଙ୍କର ଜଣାଶୁଣା କେତେକ ଇଂରେଜବନ୍ଧୁ, ଅନ୍ୟ ପକ୍ଷରେ ଧନବଳ, ବାହୁବଳ, ଶିକ୍ଷାବଳ ଏବଂ ସଂଖ୍ୟାବଳରେ ବଳୀୟାନ ଗୋରା ଲୋକ ସମସ୍ତେ । ସେମାନଙ୍କ ପଛରୁ ପୁଣି ମିଶିଯାଏ ସରକାରୀ ବଳ । କାରଣ ନାତାଲର ସରକାର ସେମାନଙ୍କୁ ପ୍ରକାଶ୍ୟରେ ସାହାଯ୍ୟ କରୁଥାନ୍ତି । ମିଷ୍ଟର ହେରି ଏସକୋମ୍‍ ଏଠା ମନ୍ତ୍ରୀପରିଷଦର ଜଣେ ମୁଖିଆଲୋକ । ସେ ମଧ୍ୟ ପ୍ରକାଶ୍ୟ ଭାବରେ ସବୁ ସଭାସମିତିରେ ଯୋଗ ଦେଉଥାନ୍ତି ।

 

ଅତଏବ ଆମର ସୂତିକା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଜାରି ହୋଇ ନଥାଏ । କିପରି କମ୍ପାନୀର ଏଜେଣ୍ଟ ଓ ଯାତ୍ରୀମାନଙ୍କୁ ଧମକାଇ ଆମକୁ ସବୁ ଫେରେଇ ପଠାଇଦେବେ ଏହାହିଁ ଥାଏ ଅସଲ ମତଲବ । ଏଥିପାଇଁ ଏଜେଣ୍ଟଙ୍କୁ ତ ଧମକାଉ ଥାନ୍ତି । ଏବେ ଆମ ଉପରେ ଧମକ ଚାଲିଲା ‘‘ଯଦି ତୁମେ ସବୁ ଫେରି ନଯାଅ, ତୁମକୁ ସବୁ ପେଲି ସମୁଦ୍ର ଭିତରେ ମାଡ଼ିଦେବୁ । ନାହିଁ ଯଦି ଫେରିଯିବାକୁ ରାଜି ହୁଅ, ତେବେ ଫେରିବା ଭଡ଼ାତକ ବରଂ ଫେରସ୍ତ ମିଳିବ ।’’ ମୁଁ ବରାବର ଯାତ୍ରୀମାନଙ୍କ ଭିତରେ ବୁଲୁଥାଏ । ସେମାନଙ୍କୁ ଦମ୍ଭ ଦେଇ ବୁଝାଉଥାଏ । ସେମାନେ ସାହସ ବାନ୍ଧି ଧୀର ସ୍ଥିର ଭାବରେ ରହିଥାନ୍ତି ।

 

ଯାତ୍ରୀମାନଙ୍କର ମନଖୁସି ପାଇଁ ଜାହାଜରେ ଖେଳ କୌତୁକର ବ୍ୟବସ୍ଥା ହେଉଥାଏ । କ୍ରମେ ବଡ଼ଦିନ ଆସିଗଲା । କାପ୍ତାନ ସେତେବେଳେ ପ୍ରଥମଶ୍ରେଣୀ ଯାତ୍ରୀମାନଙ୍କୁ ଖାନା ଖାଇବାକୁ ଦେଲେ । ଏମାନଙ୍କ ଭିତରୁ ମୁଖିଆ ମୁଁ ଓ ପରିବାରରେ ଲୋକ ଖାଇବାପରେ ବକ୍ତୃତା ହେଲା । ମୁଁ ପାଶ୍ଚାତ୍ୟ ସଭ୍ୟତା ସମ୍ପର୍କରେ ବକ୍ତୃତା ଦେଲି । ମୁଁ ଜାଣେ ଯେ, ଏଭଳି ଘଟଣାରେ ସେପରି ଗୁରୁତର ବକ୍ତୃତା କରିବାର କଥାନୁହେଁ । ମାତ୍ର ମୋ ଦେଇ ଅନ୍ୟ ପ୍ରକାର ବକ୍ତୃତା ଦେବା ସମ୍ଭବ ନ ଥିଲା । ସବୁ ପ୍ରକାର ହସ କୌତୁକରେ ମୁଁ ଯୋଗ ଦେଉଥାଏଁ ସତ, ମାତ୍ର ମୋ ମନ ଯାଇ ଡରବାନରେ ଚାଲିଥିବା ଲଢ଼େଇରେ ରହିଥାଏ । କାରଣ ଏ ସବୁ ଉପଦ୍ରବର କେନ୍ଦ୍ର ମୁଁ । ମୋ ବିରୁଦ୍ଧରେ ସେ ଦଳର ଦୁଇଟି ଅଭିଯୋଗ ଥାଏ ।

 

୧—ମୁଁ ଭାରତବର୍ଷରେ ନାତାଲ ଗୋରାମାନଙ୍କର ଅନୁଚିତ ନିନ୍ଦା କରିଛି ।

 

୨—ମୁଁ ନାତାଲକୁ ଭାରତବାସୀଙ୍କ ଦ୍ୱାରା ପୂର୍ଣ୍ଣ କରିଦେବାକୁ ଚାହେଁ ଏବଂ ସେଥିପାଇଁ ‘‘କୁରଲଣ୍ଡ’’ ଓ ‘‘ନାଦ୍ରୀ’’ ଜାହାଜରେ ଭାରତବାସୀଙ୍କୁ ଭର୍ତ୍ତି କରି ଆଣିଛି ।

 

ମୁଁ ମୋର ଦାୟିତ୍ୱର ଗୁରୁତ୍ୱ ଅନୁଭବ କରୁଥାଏ । ମୋ ପାଇଁ ଦାଦା ଅବଦୁଲା ବିଶେଷ କ୍ଷତିରେ ପଡ଼ିଲେ । ଯାତ୍ରୀମାନଙ୍କ ପ୍ରାଣ ସଂକଟାପନ୍ନ ହେଲା ଏବଂ ମୁଁ ମଧ୍ୟ ନିଜ ପରିବାରଙ୍କୁ ସଙ୍ଗରେ ଆଣି ସେମାନଙ୍କୁ ଏ କଷ୍ଟରେ ପକାଇଲି ।

 

ସତ କହିଲେ, ମୁଁ କିନ୍ତୁ ପୁରା ନିର୍ଦ୍ଦୋଷ । ନାତାଲ ଯିବାଲାଗି କାହାକୁ ହେଲେ ପ୍ରବର୍ତ୍ତାଇ ନାହିଁ । ଏପରିକି ‘‘ନାଦ୍ରୀ’’ ଜାହାଜର ଯାତ୍ରୀଙ୍କ ସଙ୍ଗେ ମୋର ପରିଚୟ ପର୍ଯ୍ୟନ୍ତ ନାହିଁ । ‘କୁରଲଣ୍ଡ’ ଜାହାଜର ଯାତ୍ରୀଙ୍କ ଭିତରୁ ମୋର ଦୁଇ ତିନିଜଣ ଆତ୍ମୀୟଙ୍କ ଛଡ଼ା ଅନ୍ୟ ଶହ ଶହ ଯାତ୍ରୀଙ୍କର ନାମ ଧାମ ମଧ୍ୟ ମତେ ଜଣା ନଥିଲା । ମୁଁ ଭାରତରେ ନାତାଲ ଇଂରେଜମାନଙ୍କ ସମ୍ବନ୍ଧରେ ଇମିତି ପଦେହେଲେ କହି ନାହିଁ, ଯାହା କି ମୁଁ ନାତାଲରେ ଥିଲାବେଳେ ନ କହିଛି ଏବଂ ଯାହା ବା କହିଛି ତାହାର ଯଥେଷ୍ଟ ପ୍ରମାଣ ମୋ ପାଖରେ ଅଛି ।

 

ଏଇଥିପାଇଁ ନାତାଲରେ ଇଂରେଜମାନେ ଯେଉଁ ସଭ୍ୟତାର ପ୍ରତୀକ, ସେମାନେ ଯାହାର ପ୍ରତିନିଧି ଓ ସମର୍ଥକ, ସେହି ସଭ୍ୟତା ସମ୍ବନ୍ଧରେ ମୋର ଦୁଃଖ ଜାତ ହେଲା । ମୁଁ ସେହି କଥାହିଁ ଭାବୁଥାଏ । ସେଥିଯୋଗୁଁ ଏ ଛୋଟିଆ ସଭାଟିରେ ମୁଁ ମୋର ସେହିସବୁ ଭାବନା ବା ଚିନ୍ତାକୁ ପ୍ରକାଶ କରିଥିଲି । କାପ୍ତାନ ପ୍ରଭୃତି ସମସ୍ତେ ତାକୁ ମଧ୍ୟ ସେହି ଭାବରେ ଗ୍ରହଣ କରିଥିଲେ-। ତାହାରି ଫଳରେ ତାଙ୍କ ଜୀବନରେ ପ୍ରକୃତିରେ କିଛି ପରିବର୍ତ୍ତନ ଘଟିଥିଲା କି ନା, ମତେ ଅବଶ୍ୟ ଜଣାନାହିଁ ତଥାପି ମୋର ଏ ବକ୍ତୃତା ପରେ କପ୍ତାନ ଓ ତାଙ୍କର ଅନ୍ୟକର୍ମଚାରୀମାନଙ୍କ ସଙ୍ଗରେ ଏ ସଭ୍ୟତା ନେଇ ବହୁତ ଆଲୋଚନା ହେଉଥିଲା । ପଶ୍ଚିମୀ ସଭ୍ୟତାକୁ ମୁଁ ବିଶେଷ କରି ହିଂସ୍ରକ ସଭ୍ୟତା ବୋଲି ବର୍ଣ୍ଣନା କରିଥିଲି, ଏବଂ ପ୍ରାଚ୍ୟ ସଭ୍ୟତାକୁ ଅହିଂସକ ବୋଲି ବୁଝେଇଥିଲି । ପ୍ରଶ୍ନକାରୀଙ୍କର ମୋର ଏପରି ସିଦ୍ଧାନ୍ତ ପସନ୍ଦ ହୋଇଥିଲା । ବିଶେଷରେ କପ୍ତାନ ପଚାରିଲେ, ‘ଗୋରାମାନେ ଯେମିତି ଧମକାଉଛନ୍ତି, ସେହିପରି ଯଦି ସେମାନେ ତୁମକୁ ମାଡ଼ ଦିଅନ୍ତି, ତେବେ ତୁମ ଅହିଂସା ନୀତିର ତୁମେ କ’ଣ କରିବ ?’’ ମୁଁ ଉତ୍ତର ଦେଲି—‘‘ମୋର ଆଶା, ସେମାନଙ୍କୁ କ୍ଷମା କରିବାକୁ ପୁଣି ସେମାନଙ୍କ ନାମରେ ମକଦ୍ଦମା ନ ଚଳାଇବାକୁ ଭଗବାନ ସାହସ ଓ ସୁବୁଦ୍ଧି ଦେବେ-। ଆଜି ମଧ୍ୟ ସେମାନଙ୍କ ପ୍ରତି ମୋ ମନରେ କ୍ରୋଧ ନାହିଁ । ତାଙ୍କର ଅଜ୍ଞାନ ଓ ସଂକୀର୍ଣ୍ଣ ଦୃଷ୍ଟି ପାଇଁ ମୁଁ କେବଳ ଦୁଃଖିତ । ସେମାନେ ଯାହା କହୁଛନ୍ତି ଓ କରୁଛନ୍ତି, ସେ ସବୁ ଠିକ୍ ବୋଲି ସେମାନେ ଯଥାର୍ଥଭାବରେ ମନେ କରୁଛନ୍ତି ଏହା ମୁଁ ମାନୁଛି । ତଥାପି ସେମାନଙ୍କ ପ୍ରତି କ୍ରୋଧର କିଛି କାରଣ ନାହିଁ ।

 

ପ୍ରଶ୍ନକର୍ତ୍ତା ମୋର ଏ କଥା ଶୁଣି ହସିଲେ । ମୋର ଏଭଳି ଉକ୍ତିରେ ତାଙ୍କର ବୋଧହୁଏ ବିଶ୍ୱାସ ହେଲାନାହିଁ ।

 

ଯାହାହେଉ ଏମିତି ଦିନ ପରେ ଦିନ କଟିଗଲା । ସୂତିକା କେବେ ଉଠିବ, ତାର ମିଆଦ କିଛି ନ ଥାଏ । ଅଟକ ବିଭାଗର କର୍ମଚାରୀଙ୍କୁ ପଚାରିଲେ, ସେ କହନ୍ତି, ‘‘ଏ ସବୁ ଆମ କ୍ଷମତାର ବାହାରେ । ସରକାର ଆମକୁ ହୁକୁମ ଦେଲେ ଆମେ ଛାଡ଼ି ଦେବୁ ।’’

 

ଶେଷକୁ ଯାତ୍ରୀମାନଙ୍କ ଉପରେ ଓ ମୋ ଉପରେ ଜାରିହେବାକୁ ଚୂଡ଼ାନ୍ତ ନୋଟିସ୍ (ଅଲଟିମାଟମ୍) ଆସିଗଲା । ଆମ୍ଭମାନଙ୍କର ପ୍ରାଣର ବିପଦ ଅଛି ବୋଲି ସେଥିରେ ଧମକ ଦିଆ ହୋଇଥାଏ । ଆମେ ସମସ୍ତେ ନାତାଲରେ ଓହ୍ଲାଇବାରେ ଆମର ଅଧିକାର ବିଷୟ ଲେଖି ପଠାଇଦେଲୁ ଏବଂ ଯାହା ବିପଦ ଆସୁ ପଛେ, ଆମର ଅଧିକାର ହାସଲ କରିବାକୁ ଆମର ସଂକଳ୍ପ ମଧ୍ୟ ଆମ ଜବାବରେ ପ୍ରକାଶ କରିଥାଉ ।

 

ତେଇଶ ଦିନ ପୂରିଗଲା । ତା ପରେ ଜାହାଜ ବନ୍ଦର ଭିତରକୁ ଯିବାର ଅନୁମତି ମିଳିଲା, ଆଉ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ଆଦେଶ ଦିଆଗଲା ।

 

ପରୀକ୍ଷା

 

ଏହିପରି ଭାବରେ ଜାହାଜ ଯାଇ କାନ୍ଥରେ ଲାଗିଲା । ଯାତ୍ରୀମାନେ ସମସ୍ତେ ଓହ୍ଲାଇଗଲେ । ମାତ୍ର ମୋ ସମ୍ବନ୍ଧରେ ମି. ଏସକୋମ୍‍ ସାହେବ ଜାହାଜର କାପ୍ତାନଙ୍କୁ ଖବର ପଠାଇଥାନ୍ତି, ‘‘ଗାନ୍ଧୀ ଓ ତାଙ୍କ ପରିବାରଙ୍କୁ ସଞ୍ଜ ହୋଇ ଆସିଲେ ଯାଇ ଓହ୍ଲାଇଦେବ । ଗୋରାମାନେ ତାଙ୍କ ବିରୁଦ୍ଧରେ ବଡ଼ ଉତ୍ୟକ୍ତ ହୋଇ ରହିଛନ୍ତି । ସେଥିଲାଗି ତାଙ୍କ ଜୀବନ ଉପରେ ବିପଦର ସମ୍ଭାବନା ଅଛି । ଘାଟ ସୁପରିଟେଣ୍ଡଣ୍ଟଙ୍କ ଟମ୍ ଟମ୍ ତାଙ୍କୁ ଆଣିବାକୁ ଯିବ ।’’

 

କପ୍ତାନ ଏ ଖବର ପାଇ ମତେ ଜଣାଇ ଦେଇଥାନ୍ତି । ମୁଁ ସେହି ଅନୁସାରେ କାମ କରିବାକୁ ରାଜି ଥାଏ । କିନ୍ତୁ ଏ ଖବର ମିଳିବାର ଅଧଘଣ୍ଟାଏ ଯାଇଛି କିନା, ମି. ଲାଟନ୍ ଆସି ପହଞ୍ଚିଗଲେ, ଆଉ କାପ୍ତାନଙ୍କୁ ଦେଖାକରି କହିଲେ, ‘‘ମି. ଗାନ୍ଧୀ ଯଦି ମୋ ସଙ୍ଗରେ ଯିବେ, ତେବେ ମୁଁ ସମସ୍ତ ବିପଦ ବରଣ କରି ତାଙ୍କୁ ନେଇଯିବି । ମୁଁ ଏଜେଣ୍ଟଙ୍କ କମ୍ପାନୀଙ୍କର ଆଇନ ପରାମର୍ଶ ଦାତା । ମୁଁ କହୁଛି ଯେ ଏସକୋମ୍ ସାହେବ ଯେଉଁ ଖବର ପଠାଇଛନ୍ତି, ତାକୁ ମାନି ଚଳିବାକୁ ଆପଣ ବାଧ୍ୟ ନୁହନ୍ତି ।’’ କାପ୍ତାନଙ୍କ ସଙ୍ଗେ କଥାବାର୍ତ୍ତା ଶେଷକରି ସେ ମୋ ପାଖକୁ ଆସି ଏହି ମର୍ମରେ କେତେ କଥା କହିଲେ, ‘‘ତୁମର ଯଦି ପ୍ରାଣଭୟ ନାହିଁ, ତେବେ ମୋର ଇଚ୍ଛା ପ୍ରଥମେ ମିସେସ୍ ଗାନ୍ଧୀ (ଶ୍ରୀମତୀ ଗାନ୍ଧୀ) ଏବଂ ପିଲାମାନେ ଗାଡ଼ିରେ ବସି ରୂସ୍ତମଜୀ ଶେଠଙ୍କ ଘରକୁ ଯାଆନ୍ତୁ । ତୁମେ ଓ ମୁଁ ସାଧାରଣ ରାସ୍ତାରେ ଚାଲି ଚାଲି ଯିବା । ଅନ୍ଧାର ହେଲେ ତୁମେ ଲୁଚି ଲୁଚି ସହର ଭିତରକୁ ଯିବ, ଏ କଥାଟା ମୋତେ ଆଦୌ ରୁଚୁନାହିଁ । ମୁଁ ତ ମନେ କରୁଛି ତୁମର କେହି କିଛି କ୍ଷତି କରିବାର କୌଣସି ଆଶଙ୍କା ନାହିଁ । ବର୍ତ୍ତମାନ ସବୁ ଥଣ୍ଡା ପଡ଼ିଲାଣି । ଗୋରାମାନେ ଯେ ଯୁଆଡ଼େ ଗଲେଣି । ଯାହାହେଉ ପଛେ ତୁମର ଲୁଚି ଛପିକରି ଯିବା କଦାପି ଉଚିତ ନୁହେଁ ।

 

ମୁଁ ରାଜି ହୋଇଗଲି । ମୋର ସ୍ତ୍ରୀ ଓ ପିଲାମାନେ ରୁସ୍ତମଜୀ ଶେଠଙ୍କ ଘରକୁ ଗାଡ଼ିରେ ବସି ଗଲେ ଏବଂ ଭଲରେ ଭଲରେ ସେଠି ପହଞ୍ଚିଲେ । ମୁଁ କାପ୍ତାନଙ୍କଠୁ ବିଦାୟ ନେଇ ମି. ଲାଟନ୍‌ଙ୍କ ସଙ୍ଗେ ବାହାରିଲି । ରୁସ୍ତମଜୀଙ୍କ ଘର ପ୍ରାୟ ସେଠୁ ଦୁଇମାଇଲ ହେବ ।

 

ଆମେ ଜାହାଜରୁ ଓହ୍ଲାଉ ଓହ୍ଲାଉ କେତେକ ପିଲା ଆସି ମୋତେ ଚିହ୍ନି ‘ଗାନ୍ଧୀ’ ‘ଗାନ୍ଧୀ’ ବୋଲି ହୁରି ପକେଇଲେ । ସଙ୍ଗେ ସଙ୍ଗେ ଦୁଇ ଚାରି ଜଣ ଲୋକ ମଧ୍ୟ ଜମିଗଲେ । ପାଟି ଗୋଳ ବଢ଼ିଲା । ମି. ଲାଟନ ଦେଖିଲେ ଯେ, ସେମାନଙ୍କର ଦଳ କ୍ରମେ ବଢ଼ୁଛି, ସେଥି ପାଇଁ ସେ ରିକ୍‌ସା ଡାକିଲେ । ମୋତେ ତ ସେଥିରେ ବସିବାକୁ କେବେହେଲେ ଭଲ ଲାଗେ ନାହିଁ । ସେଥିରେ ବସିଥିଲେ ତାହାହିଁ ପ୍ରଥମ କରି ବସିଥାନ୍ତି, ମାତ୍ର ପିଲାମାନେ ବସିବାକୁ ଦେଲେ କେଉଁଠି ? ସେମାନେ ରିକ୍‌ସା ବାଲାକୁ ଧମକାଇଲେ । ସେ ପଳାଇଲା ।

 

ଆମେ କ୍ରମେ ଆଗକୁ ଆଗକୁ ମାଡ଼ି ଚାଲିଥାଉ । ଏଣେ ଏମାନଙ୍କ ଦଳ ମଧ୍ୟ କ୍ରମେ ବଢ଼ି ବଢ଼ି ଚାଲିଥାଏ । ଭଲ ରକମ ଭିଡ଼ ଜମିଗଲା । ଏପରି ହେଲା ଯେ ଆମର ଆଉ ଯିବା ସମ୍ଭବ ହେଲା ନାହିଁ । ସେମାନେ ପ୍ରଥମେ ମି. ଲାଟନ୍‌ଙ୍କଠାରୁ ମତେ ଅଲଗା କରିଦେଲେ । ତା ପରେ ମୋ ଉପରେ ଟେକା, ଖଣ୍ଡିଆ ଇଟା, ସଢ଼ା ଅଣ୍ଡା ପ୍ରଭୃତି ବୃଷ୍ଟି ହେଲା । ମୋ ପଗଡ଼ିକୁ କିଏ କାଢ଼ି ନେଲା । ଏଣେ ମୋଠି ବିଧା, ଗୋଇଠା ବି ଆରମ୍ଭ ହେଲା । ମୋର ମୁଣ୍ଡ ବୁଲେଇଗଲା । ପାଖ ଘରର ଜାଲି ବାଡ଼ ଧରି ମୁଁ କୌଣସି ମତେ ଦମ୍‌ ମାଇଲି । ସେଠି ଠିଆ ହେବା ମଧ୍ୟ ସମ୍ଭବ ନ ଥିଲା । ଚାରିଆଡ଼ୁ ଲୋକେ ମାଡ଼ି ବସି ମତେ ବିଧା ଚାପୁଡ଼ା ଲଦି ଦେଇଗଲେ ।

 

ସେତିକି ବେଳକୁ ସେଠା ପୋଲିସ ବଡ଼ ସାହେବଙ୍କ ସ୍ତ୍ରୀ ସେଇ ବାଟ ଦେଇ ଯାଉଥିଲେ-। ସେ ମତେ ଆଗରୁ ଚିହ୍ନିଥାନ୍ତି । ସେ ଖୁବ୍‌ ସାହସର ସହିତ ମୋ ପାଖକୁ ଦୌଡ଼ି ଆସିଲେ । ମତେ ଗୋଟାଏ କଡ଼କୁ ରଖି ମୋ ଉପରେ ଯେମିତି ଖରା ନ ପଡ଼ିବ, ସେଥିପାଇଁ ନିଜ ଛତାଟିକୁ ମେଲାଇ ଧରି ମୋ ପାଖରେ ଠିଆ ହେଲେ । ଏଥିରେ ସେ ଦଳ ଟିକିଏ ନଇଁ ପଡ଼ିଲେ । କାରଣ ଶ୍ରୀମତୀ ଆଲେକଜାଣ୍ଡରଙ୍କ ଦିହରେ ନ ବଜାଇ ମତେ ମାଡ଼ ମାରିବା ଆଉ ସମ୍ଭବ ହେଲା ନାହିଁ ।

 

ଏଥି ଭିତରେ କେହି ଜଣେ ଭାରତୀୟ ଯୁବକ ମତେ ମାଡ଼ ହେବାର ଦେଖି ଦୌଡ଼ିଯାଇ ପୋଲିସ ଥାନାରେ ଖବର ଦେଇଦେଲେ । ପୁଲିସ ସାହେବ ଆଲେକଜାଣ୍ଡର ମତେ ଘେରାଉ କରି ଯଥା ସ୍ଥାନକୁ ନେଇ ଯିବାକୁ ଦଳେ ପୁଲିସ ଫଉଜ ପଠାଇଲେ । ସେମାନେ ଯଥା ସମୟରେ ପହଞ୍ଚିଗଲେ । ଆମର ଯିବା ବାଟରେ ସେଇ ପୋଲିସ ଥାନାଟା ପଡ଼ିଲା । ସେଠାରେ ପହଞ୍ଚିଲାରୁ ପୋଲିସ ସାହେବ ମତେ ଥାନାରେ ଆଶ୍ରୟ ନେବାକୁ କହିଲେ । ମୁଁ ମନା କଲି—କହିଲି–‘‘ଲୋକେ ତାଙ୍କ ଭୁଲ ବୁଝି ପାରିଲେ, ଆପେ ଆପେ ଶାନ୍ତ ହୋଇଯିବେ । ସେମାନଙ୍କର ସଦ୍‌ବୁଦ୍ଧି ହେବ ବୋଲି ମୋର ବିଶ୍ୱାସ ଅଛି ।’’ ପୋଲିସ ପହରା ଭିତରେ ମୁଁ ଭଲେ ଭଲେ ପାର୍ଶୀ ରୁସ୍ତମଜୀଙ୍କ ଘରେ ପହଞ୍ଚିଲି । ମୋ ପିଠିରେ ଚୌରସ ମାଡ଼ ବସିଥାଏ । ଗୋଟିଏ ଜାଗାରେ ଛେଚି ହୋଇ ଯାଇଥାଏ । ଜାହାଜର ଡାକ୍ତର ଦାଦା ବରଯୋର ଶେଠ ସେ ଘଟଣା ବେଳେ ସେଠି ଥାନ୍ତି । ସେ ମୋର ଖୁବ୍‌ ଯତ୍ନ ନେଲେ ।

 

ଘର ଭିତରେ ସବୁ ଶାନ୍ତି ପୂର୍ଣ୍ଣ ଥାଏ କିନ୍ତୁ ଗୋରାମାନେ ଘରର ବାହର ଚାରିପଟ ଘେରି ରହିଥାନ୍ତି । କ୍ରମେ ସନ୍ଧ୍ୟା ହେବାକୁ ବସିଲା—ଅନ୍ଧାର ମଧ୍ୟ ଆସିଲା । ହଜାର ହଜାର ଲୋକ ବାହାରେ ରଡ଼ି କରୁଥାନ୍ତି, ‘‘ଗାନ୍ଧୀକୁ ଆମକୁ ଦେଇଦିଅ’’ କେବଳ ଏତିକି ପରିଷ୍କାର ଶୁଣା ଯାଉଥାଏ-। କିଛି କ୍ଷଣ ପରେ ପୋଲିସ ସାହେବ ମି. ଆଲେକଜାଣ୍ଡର ସେଠାରେ ପହଞ୍ଚିଗଲେ । ସେ ଉପସ୍ଥିତ ଜନତାକୁ ନ ଧମକାଇ ବରଂ ହସ କୌତୁକରେ ବଶ କରି ଅଟକାଇ ରଖିଥାନ୍ତି । ତାଙ୍କ ମନରୁ ଆଶଙ୍କା ଦୂର ହୋଇ ନ ଥାଏ । ସେ ଗୋଟାଏ ଫିକର କରି ମୋ ପାଖକୁ ଖବର ପଠାଇଲେ, ‘‘ଯଦି ତୁମେ ତୁମ ବନ୍ଧୁଙ୍କର ଘର, ସମ୍ପତ୍ତି ଓ ତୁମ କୁଟୁମ୍ବଙ୍କୁ ବଞ୍ଚାଇବାକୁ ଚାହିଁ ତେବେ ମୋର ପରାମର୍ଶ ଯେ ତୁମେ ଏ ଘରୁ ଲୁଚି କରି ଖସି ଚାଲିଯାଅ ।’’

 

ଏକା ଦିନକ ଭିତରେ ପରସ୍ପର ବିପରୀତ ଦୁଇ ପ୍ରକାରର କାମ ମତେ କରିବାକୁ ପଡ଼ିଲା । ଯେଉଁଠି ଜୀବନର ଭୟଟା କେବଳ କାଳ୍ପନିକ ଥିଲା, ସେଠି ମି. ଲାଟନ ମୋତେ ଖୋଲାଖୋଲି ଚାଲିଆସିବାକୁ ପରାମର୍ଶ ଦେଲେ, ମୁଁ ତାହା ଗ୍ରହଣ କରିନେଲି । ଏବେ ମୋ ସମକ୍ଷରେ ଯେଉଁଠି ବିପଦ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ, ସେଠି ଅନ୍ୟ ଜଣେ ବନ୍ଧୁ, ଓଲଟା ପରାମର୍ଶ ଦେଲେ ମୁଁ ତାଙ୍କୁ ମଧ୍ୟ ମାନି ଗଲି । ମୋ ନିଜ ଜୀବନ ବିପଦଗ୍ରସ୍ତ ହେଉଛି ବୋଲି, କି ମୋର ବନ୍ଧୁଙ୍କର ଘର ସମ୍ପତ୍ତି ଓ ମୋ ପିଲାପିଲିଙ୍କର ବିପଦ ଘଟିବ ବୋଲି, କି ଆଉ କାହିଁକି ମୁଁ ଯେ ସେ ସବୁ ଉପଦେଶ ପାଳନ କଲି, ସେ କଥା କିଏ କହିବ ? ପ୍ରଥମେ ନିର୍ଭୀକ ଭାବରେ ମୋର ଜାହାଜରୁ ଓହ୍ଲାଇବା ଏବଂ ପରେ ବିପନ୍ନ ଭାବରେ ଭୟାତୁର ହୋଇ ଛଦ୍ମବେଶରେ ପଳାଇଯିବା, ଏ ଉଭୟ ଯେ ସଙ୍ଗତ ଏହା ନିଶ୍ଚୟ କରି କିଏ କହିବ ?

 

ଯାହା ଘଟିଗଲାଣି ସେଥିରେ ଭୁଲ୍‌ ଠିକ୍‌ ଚର୍ଚ୍ଚାକରି ବାଛିବାରେ ଆଉ କି ଲାଭ ଅଛି ? ତେବେ ସେ ସବୁ ଘଟଣାକୁ ଭଲ କରି ବୁଝିବାରେ ଉପକାର ଅଛି । ସେଥିରୁ କିଛି ଶିଖିବାରେ ଥିଲେ ଶିଖିନେବା ଦାରକାର । ଅମୁକ ଘଟଣାରେ ଅମୁକ ଲୋକ କଣ କରିବ, ତାହା ନିଶ୍ଚୟ କରି କହି ହେବନାହିଁ । ଖାଲି ମନୁଷ୍ୟର ବାହ୍ୟାଚରଣରୁ ତାର ଗୁଣର ପରୀକ୍ଷା କଲେ ତାହା ଯଥାର୍ଥ ନ ହୋଇ କେବଳ ଅନୁମାନ ମାତ୍ର ହୋଇଥାଏ ଏହା ମଧ୍ୟ ଆମ୍ଭେମାନେ ଦେଖି ସାରିଛୁ ।

 

ସେ ଯାହାହେଉ ଛଦ୍ମବେଶରେ ପଳାଇବା ପାଇଁ ମୁଁ ଉଦ୍ୟମ କଲାବେଳେ ଆପଣାର ଜଖମକୁ ସୁଦ୍ଧା ପାଶୋରି ପକାଇଲି । ଜଣେ ଭାରତୀୟ ସିପାହୀ ଭଳି ପୋଷାକ ପିନ୍ଧିଲି । କାଳେ ମୁଣ୍ଡରେ ପାହାର ବସିବ ସେଥିପାଇଁ ମୁଣ୍ଡରେ ଗୋଟିଏ ପିତଳ ଥାଳିଆ ରଖି ତା ଉପରେ ଗୋଟିଏ ମାନ୍ଦ୍ରାଜୀ ପଗଡ଼ି ଭିଡ଼ି ଦେଲି । ମୋ ସାଙ୍ଗରେ ଦୁଇ ଜଣ ଗୁଇନ୍ଦା ପୁଲିସ ଥାନ୍ତି । ତାଙ୍କ ଭିତରେ ଜଣେ ଭାରତୀୟ ବେପାରୀଙ୍କ ପରି ପୋଷାକ ପିନ୍ଧଲେ । ନିଜ ମୁହଁ ଭାରତୀୟଙ୍କ ପରି ରଙ୍ଗେଇଦେଲେ । ଆର ଜଣକ କଅଣ ପିନ୍ଧିଲେ ମୋର ଠିକ୍ ମନେ ନାହିଁ । ଆମେ ପାଖ ଗଳିରେ ଯାଇ ନିକଟସ୍ଥ ଗୋଟିଏ ଦୋକାନରେ ପହଞ୍ଚିଲୁ । ଗୋଦାମରେ ଜମା ହୋଇଥିବା ଅଖାଗାଣ୍ଠିଗୁଡାକ ଅନ୍ଧାରରେ ଡେଇଁ ଦୋକାନ ଦୁଆର ବାଟେ ଲୋକ ଗହଳି ଭିତର ଦେଇ ବାହାରିଗଲୁ । ଗଳି ମୁଣ୍ଡରେ ଗାଡ଼ି ଠିଆହୋଇଥାଏ । ସେଥିରେ ବସି ଆମେ ପୁଲିସ ଥାନାକୁ ଗଲୁ । ସେହି ଥାନାରେ ଆଶ୍ରୟ ନେବାକୁ ପୁଲିସ ସାହେବ ଆଗରୁ ବରାଦ କରିଥିଲେ । ସେଠାରେ ପହଞ୍ଚି ମୁଁ ତାଙ୍କୁ ଏବଂ ସେ ଗୁପ୍ତ ପୁଲିସ ଦୁଇଜଣଙ୍କୁ ଧନ୍ୟବାଦ ସହ ବିଦାୟ ଦେଲି ।

 

ଏଣେ ଏମିତି ମତେ ଯେତେବେଳେ ଗୋଟିଏ ବାଟରେ ନେଇଯାଉ ଥାଆନ୍ତି, ତେଣେ ସେତେବେଳେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ମି. ଆଲେକଜାଣ୍ଡର ଲୋକଙ୍କୁ ଗୀତ ବୋଲାଉଥାନ୍ତି । ସେ ଗୀତର ଅନୁବାଦ ଏୟା:—‘‘ଚାଲ, ଆମେ ସେ ଗାନ୍ଧୀକି ତେନ୍ତୁଳି ଗଛରେ ଫାସୀ ଦେଇ ଲଟକେଇ ଦେବା ।’’

 

ମୁଁ ଭଲରେ ଭଲରେ ଥାନାରେ ପହଞ୍ଚିଗଲି ବୋଲି ଯେମିତି ପୁଲିସ ସାହେବ ଖବର ପାଇଲେ, ସେମିତି ଲୋକମାନଙ୍କୁ କହିଲେ, ‘‘ତମର ଶିକାର ଏବେ ଏ ଦୋକାନ ବାଟେ ନିରାପଦରେ ଖସି ଗଲାଣି ।’’ ଏହା ଶୁଣି ଜନତା ଭିତରୁ କେତେକ ରାଗି ଉଠିଲେ । କେହି କେହି ହସିଲେ, ଆଉ ଅଧିକାଂଶ ଏ କଥାକୁ ବିଶ୍ୱାସ କଲେ ନାହିଁ । ପୁଲିସ ସାହେବ କହିଲେ, ‘‘ତୁମେସବୁ ତେବେ ତୁମ ଭିତରୁ କାହାକୁ ଜଣକୁ ବାଛ; ମୁଁ ତାଙ୍କୁ ମୋ ସାଙ୍ଗରେ ଭିତରକୁ ନେଇଯିବି । ଏବଂ ସେ ଖୋଜି ଦେଖି ଯଦି ଗାନ୍ଧୀଙ୍କୁ ପାଇବେ, ତେବେ, ମୁଁ ତାଙ୍କୁ ତୁମକୁ ଦେଇଦେବି । ନହେଲେ ତୁମେ ଏ ସବୁ ଗହଳି ଭାଙ୍ଗି ଚାଲିଯିବ । ମୋର ବିଶ୍ୱାସ ତୁମେ ଆଉ ପାର୍ସୀ ରୁସ୍ତମଜୀଙ୍କ ଘର ପୋଡ଼ିବ ନାହିଁ କି ଗାନ୍ଧୀ ପିଲା ଛୁଆଙ୍କୁ ମାରିବ ନାହିଁ ।’’ ପୁଲିସ୍‌ ସାହେବ ଏପରି କହିଲାରୁ ଜନତା ଦୁଇଜଣ ପ୍ରତିନିଧି ବାଛିଲେ । ପ୍ରତିନିଧିମାନେ ଘର ଭିତରକୁ ଖୋଜିବାକୁ ଯାଇ ସଙ୍ଗେ ସଙ୍ଗେ ନିରାଶ ହୋଇ ଫେରିଲେ । ସମସ୍ତେ ପୁଲିସ ସାହେବଙ୍କ ଉପସ୍ଥିତ ବୁଦ୍ଧି ଓ ଚତୁରତାର ପ୍ରଶଂସା କଲେ । କେତେକ ରାଗରେ ଗର ଗର ହୋଇ ଫେରିଲେ ।

 

ସେତେବେଳେ ସ୍ୱର୍ଗୀୟ ମି. ଚେମ୍ବରଲେନ୍‌ ଆକ୍ରମଣକାରୀଙ୍କ ଉପରେ ମକଦ୍ଦମା କରିବାକୁ ଏବଂ ମତେ ଯେମିତି ନ୍ୟାୟ ମିଳିବ, ତାହାର ବ୍ୟବସ୍ଥା କରିବାକୁ ତାର କରିଥାନ୍ତି । ମି. ଏସକମ୍ ମତେ ଆପଣା ପାଖକୁ ଡକାଇ ନେଲେ । ମୋତେ ମାଡ଼ ହୋଇଥିବାରୁ ଦୁଃଖ ପ୍ରକାଶ କରି କହିଲେ, ‘‘ଆପଣ ବିଶ୍ୱାସ କରନ୍ତୁ, ଆପଣଙ୍କ ଦେହରେ କିଛି ଟିକିଏ ବାଧା ଲାଗିଲେ, ମୋର ସେଥିରେ ଆନନ୍ଦ ହେବନାହିଁ । ମି. ଲାଟନଙ୍କ ପରାମର୍ଶ ମାନି ଆପଣ ଶୀଘ୍ର ଓହ୍ଲାଇ ପଡ଼ିବାକୁ ସାହସ କଲେ । ତାହା କରିବାରେ ଆପଣଙ୍କର ଅବଶ୍ୟ ଅଧିକାର ଥିଲା । କିନ୍ତୁ ମୋ ଖବରକୁ ମାନିଥିଲେ, ଏପରି ଶୋଚନୀୟ ଘଟଣା ଘଟିନ ଥାନ୍ତା । ଏବେ ଯଦି ଆକ୍ରମଣକାରୀମାନଙ୍କୁ ଆପଣ ଚିହ୍ନାଇ ପାରିବେ, ତେବେ ସେମାନଙ୍କୁ ଧରି ବିଚାର କରିବାକୁ ମୁ ପ୍ରସ୍ତୁତ ଅଛି । ମି: ଚେମ୍ବରଲେନ୍‌ ମଧ୍ୟ ସେଇଆ ଚାହୁଛନ୍ତି ।

 

ମୁଁ ଉତ୍ତର ଦେଲି, କାହାରି ନାମରେ ମକଦ୍ଦମା କରିବି ନାହିଁ । ଆକ୍ରମଣକାରୀଙ୍କ ଭିତରୁ ଜଣେ ଦି’ଜଣଙ୍କୁ ହୁଏତ ମୁଁ ଚିହ୍ନିବି; ମାତ୍ର ତାଙ୍କୁ ସଜା ଦେଇ ଲାଭ କଅଣ ହେବ ? ମୁଁ ଏ ମାରିବା ଲୋକଙ୍କୁ ତ ଦୋଷ ଦେଉନାହିଁ । ସେମାନଙ୍କୁ ହୁଏତ ବୁଝାଇ ଦିଆଯାଇଛି ଯେ, ମୁଁ ଭାରତରେ ଅତିରଞ୍ଜିତ କରି ନାତାଲ ଗୋରାଙ୍କ ନିନ୍ଦା କରିଛି । ସେମାନଙ୍କର ଏ କଥାରେ ଯେତେବେଳେ ବିଶ୍ୱାସ ଆସିଗଲା, ସେତେବେଳେ ରାଗ କରିବାଟା ସେମାନଙ୍କ ପକ୍ଷରେ ବିଚିତ୍ର ନୁହେଁ । ଦୋଷ ଉପରବାଲାଙ୍କର, ବରଂ ମତେ କହିବାକୁ ଦେବେ ତ, ଦୋଷ ଆପଣମାନଙ୍କର । ଆପଣ ଲୋକଙ୍କୁ ସିଧା ବାଟରେ ଚଳେଇ ନେଇ ପାରିଥାନ୍ତେ । ମାତ୍ର ଆପଣ ମଧ୍ୟ ‘ରଏଟର’ ଖବରରେ ବିଶ୍ୱାସ କରିଗଲେ ଏବଂ ମୁଁ ଅତିରଞ୍ଜିତ କରିଛି ବୋଲି ଅନୁମାନ କରିନେଲେ । ମୋର କାହାରି ନାମରେ ମକଦ୍ଦମା କରିବାର ନାହିଁ । ଯେତେବେଳେ ସତ୍ୟ ଘଟଣା ପ୍ରକାଶ ପାଇବ, ଲୋକେ ସବୁକଥା ଜାଣିବେ ଓ ପସ୍ତେଇବେ ।’’

 

ଏସକୋମ୍ ସାହେବ କହିଲେ,—‘‘ଆପଣ ତାହାହେଲେ ଏସବୁ ମତେ ଲେଖିକରି ଦେବେ କି ? କାରଣ ଏହି କଥା ମତେ ଚେମ୍ବନଲେନ୍‌ ସାହେବଙ୍କ ପାଖକୁ ତାର କରିବାକୁ ହେବ । ଆପଣ ତର ତର ହୋଇ କିଛି ଗୋଟିଏ ଲେଖି ଦେବାକୁ ମୁଁ ଅବଶ୍ୟ କହୁନାହିଁ । କିଛି ଗୋଟାଏ କରିବା ଆପଣ ଲାଟ୍‌ନ ସାହେବ ଓ ଆପଣଙ୍କର ଅନ୍ୟାନ୍ୟ ବନ୍ଧୁଙ୍କୁ ସଙ୍ଗେ ପରାମର୍ଶ କରି, ଯାହା ଉପଯୁକ୍ତ ମନେ କରନ୍ତି, ସେହିଭଳି ମତ ଦିଅନ୍ତୁ । ମୁଁ ଏତିକି ସ୍ୱୀକାର କରୁଛି ଯେ, ଆପଣ ଯଦି ଆକ୍ରମଣକାରୀଙ୍କ ଉପରେ ମକଦ୍ଦମା ନ କରିବାକୁ ସ୍ଥିରକରନ୍ତି, ତେବେ ଶାନ୍ତି ସ୍ଥାପନରେ ମୋତେ ଖୁବ୍‌ ସାହାଯ୍ୟ ମିଳିବ ଏବଂ ଆପଣଙ୍କର ପ୍ରତିଷ୍ଠା ଓ ମାନମର୍ଯ୍ୟାଦା ମଧ୍ୟ ବଢ଼ିଯିବ ।’’

 

ମୁଁ ଧନ୍ୟବାଦ ଦେଇ କହିଲି, ଏ ବିଷୟରେ ମୋର ନିଷ୍ପତ୍ତି ପକ୍‌କା ହୋଇ ସାରିଛି । କାହାରି ନାମରେ ମକଦ୍ଦମା ନ କରିବା ମୋର ନିଶ୍ଚିତ କଥା । ସେଥିପାଇଁ ସେ ସବୁ ଆପଣଙ୍କୁ ଲେଖି ଦେବାରେ ମୋର ଆପତ୍ତି ନାହିଁ ।’’

 

ଏଇଆ କହି ମୁଁ ତାଙ୍କୁ ଆବଶ୍ୟକ ଲେଖା ଲେଖି ଦେଲି ।

 

ଶାନ୍ତି

 

ସେ ଆକ୍ରମଣ ପରେ ଦିନେ ଦୁଇଦିନ ଯାଏ, ବିଶେଷରେ ମି. ଏସକୋମ୍‍ ସାହେବଙ୍କ ସଙ୍ଗେ ଦେଖା ସାକ୍ଷାତ ସରିବା ପର୍ଯ୍ୟନ୍ତ ମୁଁ ସେ ଥାନାରେ ରହିଲି । ମତେ ଜଗିବାକୁ ଜଣେ ଦି’ଜଣ ସିପାହୀ ମଧ୍ୟ ଥାନ୍ତି । କିନ୍ତୁ ମତେ ଏସ୍‌କୋମ ସାହେବଙ୍କ ପାଖକୁ ନେବା ବେଳକୁ ସେ ସବୁ ମୋର ଆବଶ୍ୟକ ନ ଥିଲା ।

 

ଯେଉଁଦିନ ମୁଁ ଜାହାଜରୁ ଓହ୍ଲାଇଲି, ଅର୍ଥାତ୍‌ ହଳଦିଆ ପତାକାଟି ଯେମିତି ଜାହାଜରୁ କାଢ଼ି ନିଆଗଲା ସେମିତି ନାତାଲ ‘ଆଡ଼ଭରଟାଇଜର’ ନାମକ ଖବରକାଗଜର ଜଣେ ପ୍ରତିନିଧି ମୋ ସଙ୍ଗେ ଦେଖାକଲେ । ସେ ମତେ ବହୁତ ପ୍ରଶ୍ନ ପଚାରିଲେ, ଆଉ ମୁଁ ମଧ୍ୟ ଉତ୍ତରରେ ଗୋଟି କରି ସବୁ ଅଭିଯୋଗରେ ପୂରା କୈଫିୟତ୍‌ ଦେଇଦେଲି । ସାର୍‌ ଫିରୋଜଶାଙ୍କ ପ୍ରତାପରୁ ଭାରତରେ ମୁଁ ଯେତେ ବକ୍ତୃତା ଦେଇଥିଲି, ସେ ସବୁ ଲେଖା ହୋଇଥିଲା । ଏସବୁ ବକ୍ତୃତା ଓ ଲେଖାର ନକଲ ମୋ ପାଖରେ ଥାଏ । ମୁଁ ସେ ସବୁ ତାଙ୍କୁ ଦେଖାଇ ପ୍ରମାଣ କରିଦେଲି ଯେ ମୁଁ ଭାରତରେ ଏମିତି ଗୋଟିଏ ସୁଦ୍ଧା ବିଷୟ କହିନାହିଁ ଯାହାକି ମୁଁ ତହିଁରୁ ଅଧିକ କଡ଼ା ଭାଷାରେ ଦକ୍ଷିଣ ଆଫ୍ରିକାରେ କହି ନ ଥିଲି । ମୁଁ ତାଙ୍କୁ ୟା ମଧ୍ୟ ବୁଝାଇ ଦେଲି ଯେ, ‘କୁରଲାଣ୍ଡ’ ଓ ‘ନାଦ୍ରି’ର ଯାତ୍ରୀ ଆଣିବାର ମୋ କୌଣସି ହାତ ନଥିଲା । ଯାତ୍ରୀଙ୍କ ଭିତରୁ ଅଧିକାଂଶ ପୁରୁଣା ଲୋକ ଏବଂ ଅନେକ ନାତାଲରେ ନ ରହି ବରଂ ଟ୍ରାନ୍‌ସଭାଲର ଯାତ୍ରୀ ହୋଇ ଆସିଥିଲେ । ସେତେବେଳେ ନାତାଲରେ ବେପାର ବଣିକ ମାନ୍ଦା ଥାଏ । ଟ୍ରାନ୍‌ସଭାଲରେ ରୋଜଗାର ଢେର ବେଶୀ ହେଉଥାଏ-। ସେଥିଲାଗି ଅଧିକାଂଶ ଭାରତବାସୀ ଟ୍ରାନ୍‌ସଭାଲ ଯିବାକୁ ପସନ୍ଦ କରୁଥାନ୍ତି ।

 

ଏହି ସବୁ କୈଫିୟତ ଏବଂ ମାଡ଼ ମାରିଥିବା ଲୋକଙ୍କୁ ଫୈାଜଦାରୀ ସୁପର୍ଦ୍ଦ କରିବାରେ ମୋର ଅନିଚ୍ଛା, ଏ ଦୁଇଟିର ଏମିତିର ପ୍ରଭାବ ପଡ଼ିଲା ଯେ ଗୋରାମାନେ ନିଜ ନିଜର ବ୍ୟବହାର ପାଇଁ ଲଜ୍ଜିତ ହେଲେ । ଖବରକାଗଜମାନଙ୍କରେ ମୁଁ ନିର୍ଦ୍ଦୋଷ ବୋଲି ଏବଂ ସେ ଦିନ ଜନତାର କାର୍ଯ୍ୟକୁ ଘୋର ନିନ୍ଦାକରି ଲେଖା ଲେଖି ସବୁ ଚାଲିଲା । ଏହାର ଫଳରେ ମୋର ବହୁତ ଲାଭ ହେଲା । କେବଳ ମୋରି ଲାଭ କାହିଁକି, ମୁଁ ଯେଉଁ କାମରେ ହାତ ଦେଇଥିଲି, ସେ କାମର ମଧ୍ୟ ଲାଭ ହେଲା । ସେଠାରେ ଭାରତୀୟ ସମ୍ପଦ୍ରାୟର ପ୍ରତିଷ୍ଠା ବଢ଼ିଗଲା ଏବଂ ମୋର ବାଟ ସରଳ ଓ ସୁଗମ ହୋଇ ଯାଇଥିଲା ।

 

ତିନି ଚାରିଦିନ ଭିତରେ ମୁଁ ମୋ ନିଜ ଘରକୁ ଗଲି । ସେଠାରେ ଯଥାରୀତି ବସବାସ କରି ରହି ମୋ ନିଜ ବ୍ୟବସାୟରେ ଲାଗିଲି । ଏ ସବୁ ଘଟଣା ଯୋଗୁଁ ମୋ ବାରିଷ୍ଟର ବ୍ୟବସାୟର ମଧ୍ୟ ପ୍ରସାର ହେଲା ।

 

ଏ ଘଟଣାରେ ଭାରତୀୟମାନଙ୍କର ମାନମର୍ଯ୍ୟାଦା ଯେପରି ବଢ଼ିଲା, ସେମାନଙ୍କର ବିରୁଦ୍ଧରେ ଗୋରାମାନଙ୍କର ଦ୍ୱେଷ ମଧ୍ୟ ସେହିପରି ବଢ଼ିଲା । ଯେତେବେଳେ ପ୍ରମାଣ ହେଲା ଯେ, ଭାରତର ଲୋକେ ବୀରପରି ପଣକରି ଲଢ଼ିପାରିବେ, ସେତେବେଳେ ସେମାନଙ୍କୁ ଏକ ବିପଦର କାରଣ ବୋଲି ବିଚାର କରାଗଲା । ପରେ ପରେ ନାତାଲ ଆଇନ ସଭାରେ ଦୁଇଟି ବିଲ୍‌ ପେଶ୍‌ କରାଗଲା । ଫଳରେ ଭାରତୀୟମାନଙ୍କର ଦୁଃଖ ଓ ଅପମାନ ବଢ଼ିଲା । ଏ ବିଲ୍‌ରୁ ଗୋଟିକରେ ଭାରତୀୟ ବେପାରୀମାନଙ୍କର ଅନିଷ୍ଟ କରିବାର ଉଦ୍ୟମ, ଅନ୍ୟଟିରେ ଭାରତୀୟଙ୍କର ଯିବା ଆସିବାରେ ଶକ୍ତ କଟକଣା କରାଯାଇଥିଲା । ସୌଭାଗ୍ୟ କ୍ରମେ ଆଗରୁ ମତାଧିକାର ଲଢ଼ାଇବେଳେ ସ୍ଥିର ହୋଇଥିଲା ଯେ, ଆଇନରେ ବର୍ଣ୍ଣଭେଦ ବା ଜାତିଭେଦ କିଛି ରହିବ ନାହିଁ । ତେଣୁ ଭାରତୀୟମାନଙ୍କ ସମ୍ବନ୍ଧରେ ଭାରତୀୟ ବୋଲି କୌଣସି ଆଇନ ହୋଇପାରିବ ନାହିଁ । ତାହାରି ଫଳରେ ଏ ଦୁଇଟିଯାକ ବିଲରେ ଏଭଳି ଭାଷା ବ୍ୟବହାର କରାଯାଇଥିଲା ଯେ, ତାହା ସବୁଜାତିର ଲୋକଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଅର୍ଥ କରାଯାଇ ପାରିବ । କିନ୍ତୁ ଅସଲ ମତଲବ, ନାତାଲର ଭାରତୀୟ ଅଧିବାସୀଙ୍କ ଉପରେ ଅଧିକ ଚାପ ଦେବା ।

 

ଏ ବିଲ୍‌ ଦୁଇଟି ଲାଗି ମୋର ସାଧାରଣ କାମ ଖୁବ୍‌ ବଢ଼ିଗଲା । ଭାରତୀୟମାନେ ନିଜ କର୍ତ୍ତବ୍ୟକୁ ପୂର୍ବାପେକ୍ଷା ଅଧିକ ପରିମାଣରେ ବୁଝି ପାରିଲେ । ଏ ଆଇନର ସୂକ୍ଷ୍ମ ବିଚାରଯୁକ୍ତ ବିଧିବିଧାନ ସବୁ ଲୋକଙ୍କୁ ଯେପରି ଅଜଣା ନ ରହେ, ସେଥିପାଇଁ ଆମେ ସେ ପ୍ରସ୍ତାବିତ ଆଇନକୁ ଭାରତୀୟ ଭାଷାରେ ଅନୁବାଦ କଲୁ । ଏହାର ଗୂଢ଼ ରହସ୍ୟ ଓ ମତଲବ୍‌ ଲୋକଙ୍କୁ ଭଲଭାବରେ ବୁଝାଇ ଦେଲୁ । ଶେଷରେ ଔପନିବେଶିକ ସେକ୍ରେଟାରୀଙ୍କଠାରେ ଅପୀଲ ମଧ୍ୟ ହେଲା, କିନ୍ତୁ ଆଇନ ରଦ୍ଦ ହେଲାନାହିଁ ।

 

ଏଣିକି ମୋର ଅଧିକାଂଶ ସମୟ ସାଧାରଣ କାମରେ ବିତିଯାଉଥାଏ । ଆଗରୁ ଲେଖିଛି, ଶ୍ରୀଯୁକ୍ତ ମନସୁଖଲାଲ ନାଜର ନାତାଲରେ ଥାଆନ୍ତି । ସେ ଆସି ମୋ ସାଙ୍ଗରେ ରହିଲେ-। ସେ ସାଧାରଣ କାମରେ ବହୁତ ସମୟ ଦେଇ ସାହାଯ୍ୟ କରିବାରୁ ମୋର ବୋଝ ଟିକିଏ ହାଲୁକା ହୋଇ ଯାଇଥିଲା ।

 

ମୋ ଅନୁପସ୍ଥିତିରେ ସେଠ୍‌ ଆଦାମଜୀ ମିଆ ଖାଁ ପ୍ରଶଂସାର ସହିତ ସମ୍ପାଦକ କାମ ଚଳାଇ ନେଉଥାନ୍ତି । ସଭ୍ୟ ସଂଖ୍ୟା ବହୁତ ବଢ଼ି ଯାଇଥାଏ । ନାତାଲ ଭାରତୀୟ କଂଗ୍ରେସ ପାଣ୍ଠିରେ ସେ ଅଧିକ ପ୍ରାୟ ହଜାରେ ପାଉଣ୍ଡ, (ପନ୍ଦର ହଜାର ଟଙ୍କା) ଜମା କରିଥିଲେ । ଯାତ୍ରୀମାନଙ୍କ ଉପରେ ଆକ୍ରମଣ ଏବଂ ଉପରୋକ୍ତ ଆଇନସବୁ ଯୋଗୁଁ ଯେଉଁ ଜାଗରଣ ଆସିଥିଲା, ତାହାରି ପ୍ରଭାବରେ ମୁଁ ପାଣ୍ଠିକୁ ଆହୁରି ବଢ଼ାଇବାକୁ ଉଦ୍ୟମ କରି ପ୍ରାୟ ପାଞ୍ଚ ହଜାର ପାଉଣ୍ଡ ପର୍ଯ୍ୟନ୍ତ ବଢ଼ାଇ ଦେଲି । ମୋର ଇଚ୍ଛା କଂଗ୍ରେସ ପାଇଁ ଗୋଟିଏ ସ୍ଥାୟୀ ପାଣ୍ଠିର ଏହାଦ୍ୱାରା କଂଗ୍ରେସର ନିଜର କିଛି ସ୍ଥାୟୀ ସମ୍ପତ୍ତି ରହିବ ଏବଂ ସେହି ସମ୍ପତ୍ତି ଭିତରୁ ଯାହା ଆଦାୟ ହେବ, ସେଥିରେ ସାଧାରଣ କାର୍ଯ୍ୟ କରାଯିବ । ସାଧାରଣ ଅନୁଷ୍ଠାନ ପରିଚାଳନା କାରିବାରେ ମୋର ଏହା ପ୍ରଥମ ଅଭିଜ୍ଞତା । ମୁଁ ମୋର ମନକଥା ସାଥୀମାନଙ୍କୁ କହିଲି । ସେ ସମସ୍ତେ ଆଗ୍ରହରେ ଏହା ଗ୍ରହଣ କଲେ । କୋଠା କିଣା ହୋଇ ଭଡ଼ା ଦିଆଗଲା । ସେ ଭଡ଼ାରେ କଂଗ୍ରେସର ଖର୍ଚ୍ଚ ମାନକୁ ମାସ ସହଜରେ ଚଳିଗଲା । ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଖୁବ୍‌ ଟାଣୁଆ ଟ୍ରଷ୍ଟିମଣ୍ଡଳ ନିଯୁକ୍ତ ହେଲେ । ଏବେ ମଧ୍ୟ ସେ ସମ୍ପତ୍ତି ବହୁତ ଅଛି; ମାତ୍ର ଆଜି ତାହା ଆପଣା ଭିତରେ କଳିକଜିଆର କାରଣ ହୋଇପଡ଼ିଛି । ସେ ସମ୍ପତ୍ତିର ଭଡ଼ା ଅଦାଲତରେ ଜମା ହେଉଛି ।

 

ମୁଁ ଦକ୍ଷିଣ ଆଫ୍ରିକା ଛାଡ଼ି ଚାଲି ଆସିଲା ପରେ ଏ ସବୁ ଶୋଚନୀୟ ଘଟଣା ଘଟିଲା । କିନ୍ତୁ ସାଧାରଣ ଅନୁଷ୍ଠାନ ପାଇଁ ସ୍ଥାୟୀ ପାଣ୍ଠି ଜମା କରି ରଖିବା ବିଷୟରେ ମୋର ମତ ସେହି ଦକ୍ଷିଣ ଆଫ୍ରିକାରେ ବଦଳି ଯାଇଥିଲା । ମୋର ହାତରେ ଅନେକ ସାଧାରଣ ଅନୁଷ୍ଠାନ ଜନ୍ମ ହୋଇ ଥିବାରୁ ଏବଂ ସବୁର ପରିଚାଳନା ପାଇଁ ମୋହରି ଉପରେ ଦାୟିତ୍ୱ ଥିବାରୁ ମୋର ଏହି ଦୃଢ଼ମତ ହୋଇଛି ଯେ, କୌଣସି ଅନୁଷ୍ଠାନ ସ୍ଥାୟୀ ପାଣ୍ଠି ଉପରେ ଚଳାଇବାର ଉଦ୍ୟମ କରିବା ଉଚିତ ନୁହେଁ-। ତାହାଦ୍ୱାରା ଅନୁଷ୍ଠାନର ନୈତିକ ପତନର ମଞ୍ଜି ପୋତା ହୋଇଥାଏ ।

 

ସାଧାରଣ ଅନୁଷ୍ଠାନ ବୋଇଲେ ତାର ଅର୍ଥ ଏୟା ଯେ, ଏହା ସବୁବେଳେ ସାଧାରଣ ସହଯୋଗିତା ଓ ଅର୍ଥ ସାହାଯ୍ୟରେ ଚଳୁଥିବ । ଏ ଅନୁଷ୍ଠାନକୁ ଯଦି ଲୋକସାଧାରଣଙ୍କର ସାହାଯ୍ୟ ଓ ସହଯୋଗିତା ନ ମିଳିବ, ତେବେ ତିଷ୍ଠି ରହିବାରେ ତାହାର କୌଣସି ଅଧିକାର ବା ହକ୍‌ ନ ଥାଏ-। ଏହା ମଧ୍ୟ ଦେଖାଯାଇଛି ଯେ, ସ୍ଥାୟୀ ପାଣ୍ଠି ଉପରେ ଚଳୁଥିବା ଅନୁଷ୍ଠାନ ଲୋକମତଠାରୁ ସ୍ୱତନ୍ତ୍ର ହୋଇ ଯାଉଛନ୍ତି ଏବଂ ଏପରି କି ବେଳେ ବେଳେ ଓଲଟା ଆଚରଣ ମଧ୍ୟ କରିଛନ୍ତି । ଏଭଳି ଅନୁଭବ ଆମକୁ ଭାରତରେ ପଦେ ପଦେ ମିଳିଯାଇଛି । ଏମିତି କେତେକ ତଥାକଥିତ ଧର୍ମାନୁଷ୍ଠାନ(ଟ୍ରଷ୍ଟ ସମ୍ପତ୍ତି) ଏବେମଧ୍ୟ କୌଣସି ହିସାବ କିତାବ ଦିଅନ୍ତି ନାହିଁ । ସେ ସବୁର ମାରଫତଦାରମାନେ ସେଥିରେ ମାଲିକ ବନିଲେଣି । କାହାରି ପ୍ରତି ସେମାନଙ୍କର ଦାୟିତ୍ୱ ଅଛି ବୋଲି ସେମାନେ ମନେ କରନ୍ତି ନାହିଁ । ପ୍ରକୃତରେ ଯେମିତି ପ୍ରତିଦିନ ଉତ୍ପନ୍ନ କରି ପ୍ରତିଦିନ ବ୍ୟୟ କରୁଛୁ, ସାଧାରଣ ଅନୁଷ୍ଠାନ ସେହିଭଳି ହେବା ଉଚିତ । ଏଥିରେ ମୋର ତିଳେ ହେଲେ ସନ୍ଦେହ ନାହିଁ । ଯେଉଁ ଅନୁଷ୍ଠାନକୁ ସାଧାରଣ ଲୋକେ ସାହାଯ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି, ତାହାର ସାଧାରଣ ଅନୁଷ୍ଠାନ ଭାବରେ ତିଷ୍ଠି ରହିବାର ହକ୍‌ନାହିଁ । ପ୍ରତିବର୍ଷ ନିୟମିତ ସାହାଯ୍ୟ ପ୍ରାପ୍ତି, ଅନୁଷ୍ଠାନର ଲୋକପ୍ରିୟତା ଓ ପରିଚାଳକଙ୍କର ସଚ୍ଚୋଟ ପଣିଆର ମାପକାଠି ପରି । ପ୍ରତ୍ୟେକ ଅନୁଷ୍ଠାନ ଏ ପରୀକ୍ଷାରେ ଉତୁରିବା ଉଚିତ ବୋଲି ମୋର ମତ ।

 

ଏହା ବୋଲି ମୋତେ ଯେପରି କେହି ଭୁଲ ନ ବୁଝନ୍ତି । ଏପରି ଅନୁଷ୍ଠାନ ଅନେକ ଅଛି, ଯାହାର କି ସ୍ଥାୟୀ ଘର ଆଦି ନ ରହିଲେ ନ ଚଳେ । ମୋର ପୂର୍ବୋକ୍ତ ସମାଲୋଚନା ଏଭଳି ଅନୁଷ୍ଠାନ ପ୍ରତି ପ୍ରଯୁଜ୍ୟ ନୁହେଁ । ତଥାପି ମୋ କହିବାର ଉଦ୍ଦେଶ୍ୟ ଯେ, ସାଧାରଣ ଦରକାରୀ ଖର୍ଚ୍ଚ ପ୍ରଭୃତି ପ୍ରତିବର୍ଷ ଲୋକଙ୍କ ସ୍ୱଇଚ୍ଛାରେ ଆଦାୟ ହେଉଥିବା ଚାନ୍ଦାରୁ ଚଳିବା ଦରକାର ।

 

ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହ ବେଳେ ମୋର ଏହିମତ ଦୃଢ଼ ହୋଇଥିଲା । ଏହି ବିରାଟ ଆନ୍ଦୋଳନ ଛଅବର୍ଷ ଧରି ଚାଲିଲା, କୌଣସି ସ୍ଥାୟୀ ପାଣ୍ଠି ନ ଥାଇ ଏହା ଚଳିଲା, ଅଥଚ ଏହାପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ହେଉଥାଏ । ମୋର ଏପରି ସମୟ ମନେ ପଡ଼ୁଛି, ଯେତେବେଳେ କି ପରଦିନକୁ ଖର୍ଚ୍ଚ କୁଆଡ଼ୁ ଆସିବ, ମୁଁ ବୁଝିପାରୁ ନ ଥାଏ । ମୁଁ ଆଗତୁରା ଏ ସବୁ କଥା କହିଯିବା ଠିକ୍‌ ନୁହେଁ । ମୋ ମତର ସପକ୍ଷରେ ପ୍ରକୃତ ପ୍ରମାଣ ପାଠକମାନଙ୍କୁ ସ୍ଥଳବିଶେଷରେ ମିଳିବ ।

 

ବାଳଶିକ୍ଷା

 

୧୮୯୭ ସାଲ ଜାନୁଆରୀ ମାସରେ ଯେତେବେଳେ ଡରବାନ୍‌ଠାରେ ଓହ୍ଲାଇଲି, ସେତେବେଳେ ମୋ ସଙ୍ଗରେ ତିନୋଟି ପିଲା ଥାଆନ୍ତି । ଦଶବର୍ଷ ବୟସର ଭଣଜା, ପୁଅ ଦୁଇଟିରୁ ଗୋଟକୁ ନଅବର୍ଷ, ଆରଟିକୁ ପାଞ୍ଚବର୍ଷ । ଏମାନଙ୍କୁ କେଉଁଠି ପଢ଼ାଇବି—ଏହି ହେଲ ମୋର ପ୍ରଧାନ ଚିନ୍ତା ।

 

ଗୋରା ପିଲାଙ୍କ ପାଇଁ ଯେଉଁସବୁ ସ୍କୁଲ ଥାଏ, ସେଠାକୁ ମୋ ପିଲାମାନଙ୍କୁ ମୁଁ ପଠାଇ ପାରିଥାନ୍ତି; କିନ୍ତୁ ଏହା ମୋ ପ୍ରତି ଗୋଟାଏ ବିଶେଷ ଅନୁଗ୍ରହ ଦେଖାଇ ସ୍ୱତନ୍ତ୍ର ବ୍ୟବସ୍ଥା ରୂପେ ହୋଇଥାନ୍ତା ମାତ୍ର । ଅନ୍ୟ ଭାରତୀୟ ପିଲାମାନଙ୍କୁ ତ ସେଠାରେ ପଢ଼ିବାକୁ ଅନୁମତି ମିଳେ ନାହିଁ । ଭାରତୀୟ ପିଲାଙ୍କୁ ପଢ଼ାଇବାକୁ ଖ୍ରୀଷ୍ଟ ମିଶ୍‌ନର ପାଠଶାଳା ଥିଲା । ସେଠାକୁ ମୋ ପିଲାଙ୍କୁ ପଠାଇବାକୁ ମୁଁ ପ୍ରସ୍ତୁତ ନ ଥିଲି । ସେଠାରେ ଦିଆ ଯାଉଥିବା ଶିକ୍ଷା ମୋ ମନକୁ ପାଉ ନ ଥିଲା । ଗୁଜୁରାତୀ ଭାଷାର ଜରିଆରେ ଶିକ୍ଷା ବା ସେଠି ମିଳନ୍ତା କୁଆଡ଼ୁ ? ସେଠାରେ କେବଳ ଇଂରାଜୀ ଭାଷାରେ ଶିକ୍ଷା ଦିଆଯାଏ, ନଚେତ୍‌ ବହୁ ଚେଷ୍ଟା କଲେ ଅଶୁଦ୍ଧ ତାମିଲ କିମ୍ବା ହିନ୍ଦୀ ଭାଷାରେ ଶିକ୍ଷା ମିଳିବାର ଟିକିଏ ସୁବିଧା ହୁଏ । ଶିକ୍ଷାରେ ଏ ସବୁ ମୁଁ ତ୍ରୁଟି ବରଦାସ୍ତ କରନ୍ତି କିପରି ? ମୁଁ ନିଜେ ପିଲାଙ୍କୁ ପଢ଼ାଇବାକୁ ଅଳ୍ପ ବହୁତ ଚେଷ୍ଟା କଲି; ମାତ୍ର ତାହା ଅତି ଅନିମୟମିତ ହେଉଥାଏ । ମୋ ମନକୁ ପାଇଲାଭଳି ଗୁଜୁରାତୀ ଶିକ୍ଷକ ମୁଁ ପାଉ ନ ଥାଏ ।

 

ଏହିପରି ମୁଁ ମହାଭାବନାରେ ପଡ଼ିଗଲି । ମୋ ରୁଚି ଅନୁସାରେ ମୋ ପିଲାଙ୍କୁ ପଢ଼ାଇବାଲାଗି ଜଣେ ଇଂରାଜୀ ଶିକ୍ଷକ ପାଇଁ ବିଜ୍ଞାପନ ଦେଲି । ଶିକ୍ଷକ ପ୍ରତିଦିନ ନିୟମିତ ସେମାନଙ୍କୁ ଶିକ୍ଷା ଦେବେ, ମୁଁ ଅବଶ୍ୟ କେତେବେଳେ କେମିତି ଯାହା ଶିକ୍ଷା ଦେଇ ପାରିବି ସେଥିରେ ସନ୍ତୁଷ୍ଟ ରହିବେ । ଏହିପରି ବିଚାର ମାସକୁ ୭ ପାଉଣ୍ଡ ଦରମାରେ ଜଣେ ଇଂରେଜ ମହିଳାଙ୍କୁ ନିଯୁକ୍ତ କଲି । ଏମିତି ଦିନାକେତେ ଚାଲିଲା ।

 

ପିଲାମାନେ ମୋ ସଙ୍ଗେ କେବଳ ଗୁଜୁରାତୀରେ କଥାବାର୍ତ୍ତା କରି ଗୁଜୁରାତୀ ଭାଷାକୁ କେତେକ ପରିମାଣରେ ଶିଖିଗଲେ । ସେମାନଙ୍କୁ ଦେଶକୁ ଲେଉଟାଇ ଦେବାକୁ ମୋର ଇଚ୍ଛା ନ ଥାଏ । ସେତେବେଳେ ସୁଦ୍ଧା ମୋର ବିଶ୍ୱାସ ଯେ, ସାନପିଲାଙ୍କୁ ବାପ ମାଆଙ୍କଠାରୁ ଅଲଗା ରଖିବା ଉଚିତ ନୁହେଁ । ସୁବ୍ୟବସ୍ଥିତ ଘରେ ପିଲାମାନଙ୍କୁ ଯେଭଳି ଶିକ୍ଷା ମିଳେ, ସେ ଶିକ୍ଷା ଛାତ୍ରାବାସରେ ମିଳେ ନାହିଁ । ତେଣୁ ପିଲାମାନଙ୍କୁ ମୋ ପାଖରେ ରଖିଲି । ଅବଶ୍ୟ ଭଣଜା ଓ ବଡ଼ ପୁଅକୁ ଭାରତର ସ୍କୁଲ ବୋର୍ଡିଂରେ ରହି ପାଠ ପଢ଼ିବାକୁ କେତେ ମାସ ପଠାଇଥିଲି; କିନ୍ତୁ ଅଳ୍ପ ସମୟ ପରେ ସେମାନଙ୍କୁ ଫେରାଇ ନେଲି । ପରେ ମୋର ବଡ଼ ପୁଅ ହେତୁ ପାଇଯିବାର ଅନେକ ଦିନ ପରେ ନିଜ ଇଚ୍ଛାରେ ମୋ ପାଖରୁ ଆସି ଅହମଦାବାଦର ଗୋଟିଏ ହାଇସ୍କୁଲରେ ପଢ଼ିଲା । ମୋର ମନେହୁଏ ଭଣଜାଟି ମୋଠୁଁ ଯାହା ଶିକ୍ଷା ପାଇଲା, ସେଥିରେ ସନ୍ତୁଷ୍ଟ ରହୁଥିଲା । ମୋର ଦୁର୍ଭାଗ୍ୟକୁ ସେ ପିଲାଟି ଯୌବନର ଆରମ୍ଭରେ ଅଳ୍ପ କେତେଦିନ ବେମାର ପଡ଼ି ସଂସାରରୁ ଚାଲିଗଲା । ମୋର ଅନ୍ୟ ପୁଅ ତିନୋଟି କେବେ କୌଣସି ପାଠଶାଳା ଦୁଆର ମାଡ଼ି ନାହାନ୍ତି । ତଥାପି ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ ସମ୍ପର୍କରେ ମୁଁ ଯେଉଁ ପାଠଶାଳାଟି ବସାଇଥିଲି, ସେଥିରେ ସେମାନେ ଅଳ୍ପ କେତେକାଳ ପଢ଼ିଥିଲେ ।

 

ଏସବୁ ଦିଗରେ ମୋର ପ୍ରୟୋଗ ଅପୂର୍ଣ୍ଣ ରହିଥାଏ । ମୁଁ ନିଜେ ପିଲାଙ୍କ ପାଇଁ ଯେତେ ସମୟ ଦବାକୁ ଇଚ୍ଛା କରୁଥିଲି ତାହା ଦେଇ ପାରୁ ନଥାଏ । ସେଥିଲାଗି ଓ ଆଉ କେତେକ ଅନିବାର୍ଯ୍ୟ କାରଣରୁ ଯେତେ ଅକ୍ଷର ଜ୍ଞାନ ତାଙ୍କର ଦରକାର ତାହା ହେଉ ନ ଥାଏ । ଏବେ ମଧ୍ୟ ମୋ ପୁଅମାନଙ୍କର ଏ ସବୁ ବିଷୟରେ ମୋ ବିରୁଦ୍ଧରେ ଅଳ୍ପ ବହୁତ ଅଭିଯୋଗ ରହିଛି । କାରଣ ସେମାନେ ଯେତେବେଳେ ଏମ୍‌.ଏ; ବି.ଏ, ଏପରି କି ଜଣେ ମାଟ୍ରିକୁଲେଟ୍‌ଙ୍କ ସମ୍ପର୍କରେ ଆସନ୍ତି, ସେତେବେଳେ ସେମାନେ ସ୍କୁଲ ଶିକ୍ଷା ପାଇ ନାହାନ୍ତି, ଏଥିପାଇଁ ଦୁଃଖ କରନ୍ତି ।

 

ଏହା ସତ୍ତ୍ୱେ ମୋର ନିଜର ଏହି ଦୃଢ଼ମତ ଯେ, ଅନୁଭବ ଜ୍ଞାନ ସେମାନେ ପାଇଛନ୍ତି, ମାଆ ବାପଙ୍କ ସଙ୍ଗରେ ରହିବା ସୁଯୋଗରୁ ସେମାନଙ୍କୁ ଯାହା କିଛି ମିଳିଛି, ସ୍ୱାଧୀନତାର ଯେଉଁ ପଦାର୍ଥ ପାଠ ସେମାନେ ପାଇ ପାରିଛନ୍ତି, ମୁଁ ଯଦି ସେମାନଙ୍କ ଇଚ୍ଛାନୁସାରେ ସ୍କୁଲରେ ପଢ଼ାଇବାର ବ୍ୟବସ୍ଥା କରିଥାନ୍ତି ତେବେ ସେତକ ସେମାନଙ୍କୁ ମିଳି ନ ଥାନ୍ତା । ସେମାନଙ୍କ ସମ୍ବନ୍ଧରେ ମୋ ମନରେ ଯେଉଁ ନିଶ୍ଚିତତା ଅଛି, ତା ବି ନ ଥାନ୍ତା । ମୋ ପାଖରୁ ଯାଇ ଇଂଲଣ୍ଡରେ ବା ଆଫ୍ରିକାରେ ଯେବେ ଅପ୍ରାକୃତ ଶିକ୍ଷା ପାଇଥାନ୍ତେ, ସେମାନେ ତେବେ ସେମାନଙ୍କ ପକ୍ଷରେ ବର୍ତ୍ତମାନ ପରି ସରଳ ଓ କର୍ମମୟ ଜୀବନ କଟାଇବା ସମ୍ଭବ ହୋଇ ନଥାନ୍ତା । ସେମାନେ ଏବେ ସରଳଭାବରେ ଜୀବନ କଟାଇ ଦେଶ କାର୍ଯ୍ୟରେ ଲାଗିଛନ୍ତି । ସେମାନେ ନିର୍ବାହ ପାଇଁ ଫେସ୍‌ନର ରଙ୍ଗ ଢଙ୍ଗ ଧରିଥିଲେ, ମୋର ସାଧାରଣ କାର୍ଯ୍ୟରେ ଘୋର ବାଧା ଘଟିଥାନ୍ତା ।

 

ତେଣୁ ଯଦିବା ମୁଁ ସେମାନଙ୍କୁ ମୋ ଇଚ୍ଛାନୁରୂପେ ଭାଷାଜ୍ଞାନ ଦେଇପାରି ନାହିଁ, ତଥାପି ମୋର ସେହି ପୁରୁଣା କାଳର କଥା ବିଚାର କରି ଦେଖୁଛି ଯେ, ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ ମୁଁ ଠିକ୍‌ ପାଳନ କରିନାହିଁ ବୋଲି ମୋର ମନେ ହେଉନାହିଁ କି ସେ ସବୁପାଇଁ ମୋର ଅନୁତାପ ମଧ୍ୟ ଆସୁନାହିଁ । ଅନ୍ୟ ପକ୍ଷରେ ମୁଁ ମୋ ବଡ଼ପୁଅର ଯେଉଁ ଶୋଚନୀୟ ପରିଣାମ ଦେଖୁଚି, ସେ ସବୁ ମୋର ସେହି ଅପରିପକ୍ୱ ଯୌବନର ପ୍ରତିଧ୍ୱନି ବୋଲି ମୋ ମନରେ ସବୁବେଳେ ରହିଛି । ମୁଁ ସେହି ସମୟକୁ ମୋର ସବୁପ୍ରକାର ‘‘ମୋହ-ନିଦ୍ରା’’ର ସମୟ ବୋଲି ବିଚାରିଥାଏ । ମୋର ବିଭବର ସମୟ ବୋଲି ମଧ୍ୟ ମନେକରେ । ସେତେବେଳକୁ ତା’ର ହେତୁ ହୋଇ ଯାଇଥାଏ । ସେ ବା କାହିଁକି ସେ ସମୟରେ ମୋର ‘‘ମୋହ-ନିଦ୍ରା’’ ବୋଲି ବିଚାରିବ, ବରଂ ତାର ବିଶ୍ୱାସ ଯେ, ସେହି ସମୟହିଁ ମୋ ଜୀବନର ପ୍ରକୃତ ସୁଖମୟ ସମୟ । ପରେ ମୋ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାହା ବରଂ ମୋହ ଜନିତ ଅଯୋଗ୍ୟତା । ଆଉ ମଧ୍ୟ ଭାବିପାରେ ଯେ, ସେତେବେଳେ ମୁଁ ଯେଉଁ ବାଟରେ ଚାଲୁଥିଲି ତାହା ଜଗତର ସାଧାରଣ ବାଟ ଓ ସୁଗମ୍ୟ ପନ୍ଥା । ପରେ ଯେଉଁ ପରିବର୍ତ୍ତନ ଘଟିଛି ତାହା ମୋର ସୂକ୍ଷ୍ମ ଅହଙ୍କାର ଓ ଅଜ୍ଞାନର ଚିହ୍ନ ମାତ୍ର । ମୋ ପୁଅ ଯଦି ବାରିଷ୍ଟର ପ୍ରଭୃତି ପଦ ପାଇଥାନ୍ତା, ତେବେ ମନ୍ଦ କ’ଣ ହୋଇଥାନ୍ତା ? ତା’ର ପକ୍ଷ କାଟି ପକାଇ ଦେବାରେ ମୋର ବା କି ଅଧିକାର ଥିଲା ? ମୁଁ ବା କାହିଁକି ତାକୁ ସେ ସବୁ ପଦ ଓ ପ୍ରତିଷ୍ଠା ପାଇଁ ଜୀବନରେ ନିଜର ଖୁସି ବାଟକୁ ବାଛି ନେବାର ସୁବିଧା ଦେଲି ନାହିଁ ? ମୋର କେତେକ ବନ୍ଧୁ ଏହିଭଳି ଯୁକ୍ତିମାନ ମୋ ଆଗରେ କରିଥାନ୍ତି ।

 

ଏ ସବୁ ଯୁକ୍ତିରେ କିଛି ସାର ଥିଲା ପରି ମୋତେ ଜଣାଯାଏ ନାହିଁ । ମୁଁ ବହୁତ ଛାତ୍ରମାନଙ୍କ ସମ୍ପର୍କରେ ଆସିଛି । ଅନ୍ୟ ପିଲାମାନଙ୍କ ଉପରେ ମୁଁ ଅନ୍ୟ ପ୍ରକାର ପ୍ରୟୋଗ ମଧ୍ୟ କରିଛି ବା ସେଭଳି ପ୍ରୟୋଗ କରାଇବାରେ ସାହାଯ୍ୟ ମଧ୍ୟ କରିଛି । ସେ ସବୁର ପରିଣାମକୁ ଉତ୍ତମରୂପେ ଲକ୍ଷ୍ୟ କରିଛି । ସେ ସବୁ ପିଲା ଓ ପୁଅମାନେ ସମସ୍ତେ ଏକ ନାଆରେ ବସିଛନ୍ତି । ମୁଁ ମନେକରେ ମନୁଷ୍ୟତା ଦୃଷ୍ଟିରୁ ସେମାନେ ମୋ ପୁଅଙ୍କଠାରୁ କୌଣସି ପ୍ରକାରେ ଅଧିକ ନୁହନ୍ତି କିମ୍ବା ମୋ ପିଲାମାନଙ୍କର ସେମାନଙ୍କଠାରୁ ଶିଖିବାର ମଧ୍ୟ କିଛି ନାହିଁ ।

 

ତଥାପି ମୋ ପ୍ରୟୋଗରେ ଶେଷ ଫଳ ଏବେ ସୁଦ୍ଧା ଭବିଷ୍ୟତ ଗର୍ଭରେ ନିହିତ ଅଛି । ଏ ବିଷୟ ଚର୍ଚ୍ଚା କରିବାର ତାତ୍ପର୍ଯ୍ୟ ଏହି ଯେ, ଯେଉଁମାନେ ମଣିଷ-ଜାତିର ବିକାଶ ସାଧନ କରୁଛନ୍ତି, ସେମାନେ ଘରୋଇ ଶିକ୍ଷା ଓ ସ୍କୁଲଶିକ୍ଷା ମଧ୍ୟରେ ପ୍ରଭେଦର ଯତ୍‌କିଞ୍ଚିତ କଳନା କରିପାରିବେ ଏବଂ ମା’ ବାପାଙ୍କର ଆପଣା ଜୀବନର କରିଥିବା ପରିବର୍ତ୍ତନର ଫଳାଫଳ ପିଲାଙ୍କ ଉପରେ କି ପ୍ରଭାବ ପକାଇ ଥାଏ, ତାହାର ଏକ ମାପକାଠି ପାଇଯିବେ ।

 

ପୁଣି ଯେ ସତ୍ୟର ଉପାସକ; ଏଭଳି ପ୍ରୟୋଗ ଦ୍ୱାରା ସେ ସତ୍ୟର ପୂଜାରେ କେଉଁଯାଏ ଆଗେଇ ପାରୁଛି ତାହା ମଧ୍ୟ ଜାଣି ପାରିବେ । ସ୍ୱାଧୀନତାର ଉପାସକ ମଧ୍ୟ ଦେଖି ପାରିବେ ଯେ, ସ୍ୱାଧୀନତା ଦେବୀ କିଭଳି ଭୋଗବଳି ଚାହାଁନ୍ତି । ଏ ଅଧ୍ୟାୟର ତାତ୍ପର୍ଯ୍ୟ ଏଇଆ । ଆତ୍ମ-ମର୍ଯ୍ୟାଦା ପ୍ରତି ଅନ୍ଧହୋଇ ଯଦି ମୁଁ ସାଧାରଣ ପିଲାମାନେ ଯେଉଁ ଶିକ୍ଷା ପାଉନାହାନ୍ତି, ସେଭଳି ବିଶେଷ ଶିକ୍ଷା ସେମାନଙ୍କୁ ଦେଇଛି ବୋଲି ମୋ ମନରେ ଆନନ୍ଦ ଅନୁଭବ କରନ୍ତି, ତେବେ ସୋମନଙ୍କୁ ଅବଶ୍ୟ ଭାଷା ଶିକ୍ଷା ଦେଇଥାନ୍ତି । କିନ୍ତୁ ଭାଷା ଶିକ୍ଷାର ଜଳାଞ୍ଜଳି ଦେଇ ଆତ୍ମ-ମର୍ଯ୍ୟାଦା ଓ ସ୍ୱାଧୀନ ଜୀବନ ବିଷୟରେ ମୁଁ ଯେଉଁ ପ୍ରତ୍ୟକ୍ଷ ଶିକ୍ଷା ଦେଇଛି, ତାହା କେବେହେଲେ ସମ୍ଭବ ହୋଇ ନ ଥାନ୍ତା । ସେମାନେ ସେଥିରୁ ବଞ୍ଚିତ ହୋଇଥାନ୍ତେ । ଯେତେବେଳେ ଭାଷା ଜ୍ଞାନ ଓ ସ୍ୱାଧୀନତା ଏ ଦୁଇଟି ମଧ୍ୟରୁ ଗୋଟିକୁ ବାଛିବାକୁ ହେବ, ସେତେବେଳେ ସ୍ୱାଧୀନତା ଯେ ସହସ୍ର ଗୁଣରେ ଶ୍ରେୟସ୍କର, ଏ କଥା କିଏ ଅସ୍ୱୀକାର କରିବ ?

 

୧୯୨୦ ସାଲରେ ଦେଶର ଯୁବକମାନଙ୍କୁ ମୁଁ ସ୍କୁଲକଲେଜରୁ ବାହାରି ଆସିବା ଲାଗି ଡାକ ଦେଇଥିଲି । ଏ ସ୍କୁଲ କଲେଜ ସବୁ ଯର୍ଥାଥରେ ଦାସତ୍ୱର କାରଖାନା । ସେତେବେଳେ ମୁଁ ଏମାନଙ୍କୁ କହିଥିଲି, ବରଂ ନିରକ୍ଷର ହୋଇ ସ୍ୱାଧୀନତା ସକାଶେ ଦାଣ୍ଡରେ ଗୋଡ଼ି ଫିଟିବା ଶ୍ରେୟସ୍କର; କିନ୍ତୁ ଦାସତ୍ୱର ବନ୍ଧନବେଡ଼ି ପିନ୍ଧି ଏ ପ୍ରକାର ଭାଷା ଶିକ୍ଷା କଦାପି ସ୍ପୃହଣୀୟ ନୁହେଁ । ସେହି ଯୁବକମାନେ ଏବେ ମୋ କଥାରେ ମୂଲ୍ୟ ହୁଏତ ବୁଝି ପାରୁଥିବେ ।

 

ସେବାଭାବ

 

ମୋର ବାରିଷ୍ଟର ବ୍ୟବସାୟ ଏକ ପ୍ରକାର ଭଲ ଚାଲିଥାଏ; କିନ୍ତୁ ସେଥିରେ ମୋର ସନ୍ତୋଷ ଆସୁ ନ ଥାଏ । ମୋର ଜୀବନର ଗତି କିପରି ଆହୁରି ସାଦାସିଧା ହେବ ଏବଂ ମୁଁ କିପରି ଆମ ଲୋକଙ୍କର ପ୍ରତ୍ୟକ୍ଷ ସେବାରେ ଲାଗି ପାରିବି, ଏହି ଚିନ୍ତା ବରାବର ମୋ ମନକୁ ଘାଣ୍ଟୁଥାଏ ।

 

ଏହିପରି ସମୟରେ ଦିନେ ଗୋଟିଏ ପଙ୍ଗୁ କୁଷ୍ଠରୋଗୀ ମୋ ଘରେ ଆସି ପହଞ୍ଚିଲା । ତାକୁ କେବଳ ମୁଠିଏ ଖାଇବାକୁ ଦେଇ ବିଦା କରିବାକୁ ମୋ ମନ ଆଦୌ ଗଲାନାହିଁ । ମୁଁ ତାକୁ ଘରକୁ ଡାକିଲି । ଘରେ ରଖି ତା’ର ଘା’ଗୁଡ଼ିକୁ ସବୁ ଔଷଧରେ ଧୋଇ ଦେଇ କନାରେ ବାନ୍ଧିଦେଲି; ମୋ ପାରୁପର୍ଯ୍ୟନ୍ତ ସେ ରୋଗୀର ଯତ୍ନ ନେଲି । ଏ ସବୁ ହେଲା ସତ, ମାତ୍ର କେତେକାଳ ଏମିତି କରନ୍ତି ? କେତେଦିନ ଧରି ଯେ, ଏପରି କରିବାକୁ ହୁଅନ୍ତା ତା’ର ତ ସୀମା ନାହିଁ । ସୁବଦିନ ପାଇଁ ରଖିବା ଭଳି ସୁବିଧା ନ ଥିଲା । କି ସାହସ ବି ହେଲା ନାହିଁ । ତେଣୁ ମୁଁ ତାକୁ ଗିରିମିଟିଆଙ୍କ ପାଇଁ ଚଳୁଥିବା ସରକାରୀ ଡାକ୍ତରଖାନାକୁ ପଠାଇ ଦେଲି ।

 

ପଠାଇ ଦେଲି ସତ, କିନ୍ତୁ ମୋ ମନ ମାନିଲା ନାହିଁ । ଏହିପରି କିଛି ଶୁଶ୍ରୂଷା କାମ ସୁବଦିନେ କରନ୍ତି ତ କେଡ଼େ ଭଲ ହୁଅନ୍ତା ! ଡାକ୍ତର ବୁଥ୍‌ ‘ସେଣ୍ଟ ଏଡେନ ମିଶନ’ର କର୍ତ୍ତାଥାନ୍ତି । ସେ ବଡ଼ ଦୟାଳୁ ଲୋକ । ବିନା ପଇସାରେ ରୋଗୀମାନଙ୍କର ଚିକିତ୍ସା କରନ୍ତି । ପାର୍ଶୀ ରୁସ୍ତମଜୀଙ୍କ ଦାନରେ ଡାକ୍ତର ବୁଥ୍‌ଙ୍କ ଅଧୀନରେ ଗୋଟିଏ ଛୋଟିଆ ଡାକ୍ତରଖାନା ଖୋଲାହେଲା । ଏହି ଡାକ୍ତରଖାନାରେ ନର୍ସ ଭଳି କାମ କରିବାକୁ ମୋର ପ୍ରବଳ ଇଚ୍ଛା ହେଲା । ଏଠାରେ ଡାକ୍ତରଙ୍କ ତାଲିକା ଅନୁସାରେ ଔଷଧ ସବୁ ମାପକରି ମିଶାଇ ରୋଗୀଙ୍କୁ ଦେବାର ପ୍ରତିଦିନ ପ୍ରାୟ ଘଣ୍ଟେ ଦୁଇ ଘଣ୍ଟାର କାମ ପଡ଼େ । ସେହି କାମ ପାଇଁ ଦରମା ନେବା ଲୋକ ବା ସ୍ୱେଚ୍ଛାସେବକ ଦରକାର ଥାଏ-। ମୁଁ ମୋ ଅଫିସ କାମରୁ ଏତକ ସମୟ କୌଣସି ପ୍ରକାର ବାହାର କରି ଡାକ୍ତରଖାନାରେ କମ୍ପାଉଣ୍ଡରୀ କାମତକ କରି ଦେଇଯିବ ବୋଲି ଭାବିଲି । ବାରିଷ୍ଟରୀ କାମରେ ମୋର ଅଧିକାଂଶ ସମୟ ଅଫିସରେ ବସି ପରାମର୍ଶ ଦେବା, ଦସ୍ତାବିଜ ଚିଠା କରିବା ଏବଂ ମକଦ୍ଦମା ରଫା କରିବାରେ କଟିଯାଏ । ଅବଶ୍ୟ ମାଜିଷ୍ଟ୍ରେଟ କୋର୍ଟରେ ମୋର କେତେକ ମକଦ୍ଦମା ଥାଏ । କିନ୍ତୁ ସେ ସବୁ ମାମୁଲି ଧରଣର । ସେଥିରେ ଲଢ଼ିବା ଭଳି ବିଶେଷ କିଛି ନ ଥାଏ । ମି. ଖାଁ ମୋର ସାନ ଓକିଲ ଥାନ୍ତି ଏବଂ ମୋ ସଙ୍ଗରେ ରହୁଥାନ୍ତି । ଯାହା ମକଦ୍ଦମା ଯେତେବେଳେ ପଡ଼େ ମୋ ଅନୁପସ୍ଥିତିରେ ସେ କାମ ଚଳାଇ ନିଅନ୍ତି । ଏହିପରି ଭାବରେ ମୁଁ ସେ ଛୋଟିଆ ହାସପାତାଳରେ କାମ କରିବାକୁ ବେଳ ପାଇଲି ।

 

ପ୍ରତିଦିନ ସକାଳେ ଡାକ୍ତରଖାନା ଯିବା, ଆସିବା ଓ ସେଠା କାମତକ ତୁଲାଇବାରେ ମୋର ପୂରା ଦୁଇଘଣ୍ଟା ସମୟ ଲାଗିଯାଏ । ଯାହାହେଉ ମୋ ମନରେ ଟିକିଏ ଶାନ୍ତି ଆସିଲା । ସେଠାରେ ମୋର କାମ ହେଲା—ରୋଗୀଙ୍କ ହାଲ ବୁଝି ଡାକ୍ତରଙ୍କୁ ଶୁଣାଇବା, ଆଉ ଡାକ୍ତରଙ୍କ ବରାଦମତେ ଔଷଧ ତିଆରି କରି ରୋଗୀଙ୍କୁ ଦେବା । ଏ କାମ କରିବା ଦ୍ୱାରା ମୁଁ ଦରିଦ୍ର ରୋଗଗ୍ରସ୍ତ ଭାରତୀୟମାନଙ୍କର ଘନିଷ୍ଠ ସମ୍ପର୍କରେ ଆସିଲି । ସେହି ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ତାଲିମ, ତେଲୁଗୁ ଓ ଉତ୍ତର ହିନ୍ଦୁସ୍ତାନ ଅଞ୍ଚଳରେ ଗିରିମିଟିଆ କୁଲି ।

 

ଏ ଅଭିଜ୍ଞତା ପରେ ମୋର ବିଶେଷ କାମରେ ଆସିଲା । ବୁଅର୍‌ ଲଢ଼େଇ ବେଳେ ଏହା ଆହତଙ୍କ ଶୁଶ୍ରୂଷା କାମରେ ଏବଂ ଅନ୍ୟ ରୋଗୀଙ୍କ ହେପାଜତ୍‌ କରିବାରେ ଖୁବ୍ ସାହାଯ୍ୟ କରିଥିଲା-

 

ପିଲାଙ୍କୁ ପାଳିବା ଦିଗରେ ମୁଁ ସବୁବେଳେ ନାନାଚିନ୍ତା ଓ ଆଲୋଚନା କରେ । ଦକ୍ଷିଣ ଆଫ୍ରିକାରେ ମୋର ଆଉ ଦୁଇଟି ପୁଅ ଜନ୍ମ ହେଲେ । ଡାକ୍ତରଖାନାରେ ମୋର ଅଭିଜ୍ଞତା, ସୋମନଙ୍କୁ ପାଳି ବଡ଼ କରିବାରେ ବହୁତ କାମରେ ଆସିଲା । ମୋର ସ୍ୱାଧୀନ ପ୍ରକୃତି ମତେ ବହୁତ ପରୀକ୍ଷାରେ ପକାଇଛି ଓ ଏବେ ମଧ୍ୟ ପକାଉଛି । ପ୍ରସବ କରାଇବା ପ୍ରଭୃତି କାମ ବୈଜ୍ଞାନିକ ରୀତିରେ କରିବା ବୋଲି ଆମେ ଦୁହେଁ ସ୍ଥିର କରିଥାଉଁ । କିନ୍ତୁ ଅସଲ ବେଳକୁ ଯେବେ ଡାକ୍ତର କି ଧାଈ ଛାଡ଼ି ପଳାନ୍ତି, ତେବେ ମୁଁ କଅଣ କରିବି ? ଖାଲି ସେତିକି ନୁହେଁ, ଧାଈ ପୁଣି ଭାରତୀୟ ମହିଳା ହେବା ଦରକାର । ଭାରତରେ ସେପରି ଶିକ୍ଷିତା ଧାଈ ପାଇବା କି କଷ୍ଟକର ତାହା ତ ଦେଖୁଥାଇଁ । ଦକ୍ଷିଣ ଆଫ୍ରିକାରେ ସେପରି ଜଣେ ଶିକ୍ଷିତା ଧାଈ ପାଇବା ଯେ କି କଷ୍ଟସାଧ୍ୟ ତାହା ସହଜରେ ଅନୁମାନ କରାଯାଇ ପାରେ । ସେଥିଯୋଗୁଁ ସୁଖ ପ୍ରସବ ପାଇଁ କଣ କଣ ଲୋଡ଼ା, ମୁଁ ସେ ବିଷୟରେ ଆଲୋଚନା କରି କେତେକ ବହି ପିଢ଼ିଲି । ଡାକ୍ତର ତ୍ରିଭୁବନ ଦାସଙ୍କର ‘ମା’ଙ୍କୁ ଉପଦେଶ’ ବୋଲି ଖଣ୍ଡିଏ ବହି ପିଢ଼ିଲି । ମୋର ଶେଷ ପିଲା ଦୁହିଁଙ୍କର ଜନ୍ମବେଳକୁ ମୁଁ ଅଳ୍ପ, ବହୁତ ସେହି ଜ୍ଞାନରେ ସବୁକାମ ନିଜେ କରିଗଲି । ଜଣେ ଧାଈ ନିଯୁକ୍ତ କରିଥାଏ ସତ, ମାତ୍ର ଦୁଇ ମାସରୁ ଅଧିକ ରଖେ ନାହିଁ । ସେ ଧାଈ ପୁଣି ପିଲାଙ୍କ କାମ କିଛି ନ କରି କେବଳ ମୋ ସ୍ତ୍ରୀକୁ କାମ ଦାମରେ ସାହାଯ୍ୟ କରେ ମାତ୍ର । ମୁଁ ମୋ ପିଲାଙ୍କର ସବୁକାମ ନିଜେ କରେ ।

 

ଶେଷଥର ମୋର ଯେତେବେଳେ ପିଲାଟି ଜନ୍ମ ହେଲା, ମୁଁ ବିଷମ ପରୀକ୍ଷାରେ ପଡ଼ିଗଲି । ପ୍ରସବବେଦନା ହଠାତ୍‌ ଆରମ୍ଭ ହେଲା । ଡାକ୍ତର ଘରେ ନ ଥାନ୍ତି । ଧାଈକୁ ଡାକି ଆଣିବାକୁ ପଡ଼ନ୍ତା; ମାତ୍ର ପ୍ରସୂତିକୁ ଖଲାସ କରାଇବା କାମ ତା ଦେଇ ହୋଇ ପାରନ୍ତା ନାହିଁ । ତେଣୁ ପିଲାଟି ନିରାପଦରେ କିପରି ଜନ୍ମ ହେବ; ମୁଁ ସେଥିଲାଗି ବଡ଼ ବ୍ୟସ୍ତ ହୋଇ ପଡ଼ିଲି । ଡାକ୍ତର ତ୍ରିଭୁବନ ଦାସଙ୍କ ବହିରୁ ମୁଁ ସେ ସବୁକଥା ଭଲଭାବରେ ପଢ଼ି ନେଇଥିଲି । ସେହି ପଢ଼ା ମୋର ସେତେବେଳେ ଖୁବ୍‌ କାମରେ ଆସିଲା । ମୋତେ କିଛି ଅଡ଼ୁଆ ଲାଗୁ ନ ଥାଏ ।

 

ମୁଁ ଉତ୍ତମରୂପେ ବୁଝିଛି ଯେ, ନିଜ ପିଲାମାନଙ୍କୁ ଯଦି ଠିକ୍‌ ରୂପେ ପାଳିବାକୁ ହେବ, ତେବେ ବାପ ମାଆ ଉଭୟଙ୍କର ପିଲା ପାଳିବା ବିଷୟରେ ସାଧାରଣ ଜ୍ଞାନ ହାସଲ କରିବା ଉଚିତ-। ଏ ବିଷୟରେ ମୋ ନିଜ ଉଦ୍ୟମର ଲାଭ ମୁଁ ପଦେ ପଦେ ପାଇଛି । ମୁଁ ଏତକ ନ ଜାଣିଥିଲେ ଏବଂ ତଦନୁସାରେ କାମ ନ କରିଥିଲେ ମୋ ପିଲାଙ୍କର ଆଜି ଯେଉଁ ସ୍ୱାସ୍ଥ୍ୟ ଅଛି, ତାହା କଦାପି ନଥାନ୍ତା । ଆମର ଆଉ ଏକ ଭୁଲଧାରଣା ଅଛି ଯେ, ପ୍ରଥମେ ୫ବର୍ଷ ଯାଏ ପିଲା କୌଣସି ପ୍ରକାର ଶିକ୍ଷା ପାଇବା ଭଳି ଅବସ୍ଥାରେ ନଥାଏ । କିନ୍ତୁ ଅସଲ କଥା ହେଉଛି, ପିଲା ପହିଲି ପାଞ୍ଚ ବର୍ଷରେ ଯାହା ଶିକ୍ଷା ପାଏ, ତାହାପରେ ଆଉ ପାଏ ନାହିଁ । ମାଆ ପେଟରୁ ଏକପ୍ରକାର ପିଲାର ଶିକ୍ଷା ଆରମ୍ଭ ହୋଇଥାଏ । ଗର୍ଭାଧାନ କାଳରେ ବାପ ମାଆଙ୍କର ଶାରୀରିକ ଓ ମାନସିକ ଅବସ୍ଥାର ପ୍ରଭାବ ପିଲା ଉପରେ ପଡ଼ିଥାଏ । ଗର୍ଭ କାଳରେ ମାଆ ସ୍ୱଭାବର ଏବଂ ମାଆର ଆହାର ବିହାର ଭଲମନ୍ଦ ଫଳର ଓ୍ୟାରସ ହୋଇ ପିଲା ଜନ୍ମ ହୁଏ । ଜନ୍ମ ପରେ ସେ ବାପ ମାଆଙ୍କର ଅନୁକରଣ କରିବାକୁ ଆରମ୍ଭ କରେ । ପରେ ଅନେକ ବର୍ଷ ପର୍ଯ୍ୟନ୍ତ ପିଲାର ଅଭିବୃଦ୍ଧି ବାପ ମାଆଙ୍କ ଉପରେ ନିର୍ଭର କରେ ।

 

ଯେଉଁ ସ୍ତ୍ରୀ ପୁରୁଷ ଏ ସବୁ ଗୁରୁତର କଥା ବୁଝିବେ, ସେମାନେ କେବେହେ କାମ ବାସନା ତୃପ୍ତିପାଇଁ ସହବାସ କରିବେ ନାହିଁ । ବରଂ ତାଙ୍କର ଯେତେବେଳେ ସନ୍ତାନ ଲାଭର ଇଚ୍ଛା ହେବ, ସେତେବେଳେ ସହବାସ କରିବେ । ଖାଇବା ଶୋଇବା ପରି ସହବାସ ଯେ ଗୋଟିଏ ସ୍ୱତନ୍ତ୍ର ଆବଶ୍ୟକୀୟ ବୃତ୍ତି, ଏପରି ମନେ କରିବା ମତେ ଘୋର ମୂର୍ଖତା ପରି ଜଣାପଡ଼େ । ଜନନକ୍ରିୟା ଉପରେ ଦୁନିଆର ଅସ୍ତିତ୍ୱ ନିର୍ଭର କରେ । ଏ ସଂସାର ଈଶ୍ୱରଙ୍କର ଲୀଲାକ୍ଷେତ୍ର ଓ ତାଙ୍କ ମହିମାର ପ୍ରତିବିମ୍ବ ମାତ୍ର । ତାହାର ବ୍ୟବସ୍ଥିତ ବିକାଶ ପାଇଁ ସେ ଜନନକ୍ରିୟା ସୃଷ୍ଟି କରିଛନ୍ତି । ଏହା ଯେ ବୁଝିଥିବେ, ସେ ନିଶ୍ଚୟ ଇନ୍ଦ୍ରିୟ ଲାଳସାକୁ ଦମନ କରିବେ ଏବଂ ସହବାସର ଫଳସ୍ୱରୂପ ଯେଉଁ ସନ୍ତାନ ଜାତହେବେ, ସେମାନଙ୍କର ଶାରୀରିକ, ମାନସିକ, ଆଧ୍ୟାତ୍ମିକ ବିକାଶଲାଗି ଯେତେ ଜ୍ଞାନ ଲୋଡ଼ା, ସେ ସବୁ ହାସଲ କରିନେବେ । ଆଉ ମଧ୍ୟ ସେହି ଜ୍ଞାନକୁ ଆପଣା ପିଲାଙ୍କ କାମରେ ଲଗାଇବେ ।

 

ବ୍ରହ୍ମଚର୍ଯ୍ୟ (୧)

 

ଏବେ ବ୍ରହ୍ମଚର୍ଯ୍ୟ ବିଷୟରେ ବିଚାର କରିବାର ସମୟ ଆସିଗଲା । ବିବାହ କାଳରୁ ଏକ ପତ୍ନୀବ୍ରତ ଜୀବନର ଲକ୍ଷ୍ୟ ବୋଲି ମୋର ଦୃଢ଼ ଧାରଣା ଥିଲା । ପତ୍ନୀପ୍ରତି ବିଶ୍ୱାସ ଓ ଦୃଢ଼ ନିଷ୍ଠା ମୋର ସତ୍ୟ ପାଳନର ଏକ ଅଙ୍ଗ ହୋଇଥାଏ । କିନ୍ତୁ ଦକ୍ଷିଣ ଆଫ୍ରିକାରେ ନିଜ ଭାର୍ଯ୍ୟାଙ୍କ ସହିତ ସୁଦ୍ଧା ବ୍ରହ୍ମଚର୍ଯ୍ୟ ଆଚରଣ କରିବା ଯେ ଗୁରୁତର କର୍ତ୍ତବ୍ୟ, ଏହା ମୁଁ ହୃଦୟଙ୍ଗମ କଲି । କେଉଁ ଘଟନାରୁ ବା କେଉଁ ବହିର ପ୍ରଭାବାରୁ ଏ ଚିନ୍ତା ମୋ ମୁଣ୍ଡରେ ପଶିଲା, ଏବେ ମୋର ଠିକ୍‌ମନେ ନାହିଁ । ଏତିକି ମନେ ପଡ଼ୁଛି, ରାୟଚନ୍ଦ ଭାଇଙ୍କ ବ୍ୟକ୍ତିତ୍ୱର ମହିମାବଳରେ ମୋ ପ୍ରାଣରେ ଏ ଭାବ ବିଶେଷ ଭାବରେ ଜାଗିଉଠିଲା ।

 

ତାଙ୍କ ସଙ୍ଗରେ ଥରେ ମୋର କେତେକ କଥାବାର୍ତ୍ତା ହୋଇଥିଲା, ଏବେ ମଧ୍ୟ ମୋର ସେ ସବୁ ସ୍ପଷ୍ଟ ମନେଅଛି । ମୁଁ ଥରେ ଗ୍ଲାଡ଼୍‌ଷ୍ଟୋନଙ୍କ ପ୍ରତି ତାଙ୍କ ଭାର୍ଯ୍ୟାଙ୍କର ପ୍ରେମର ପ୍ରଶଂସା କଲି । ସାଧାରଣ ସଭାରେ ମଧ୍ୟ ଶ୍ରୀମତୀ ଗ୍ଲାଡ଼ଷ୍ଟୋନ ସ୍ୱାମୀଙ୍କୁ ଚା’ ତିଆରି କରି ଖାଇବାକୁ ଦିଅନ୍ତି-। ମୁଁ କେଉଁଠି ପଢ଼ିଥାଏ ଯେ, ଏ ବିଷୟଟିର ନିୟମିତ ପାଳନ ସେ ଦମ୍ପତିଙ୍କର ନିୟମିତ ଜୀବନର ଗୋଟିଏ ଅଙ୍ଗ ହୋଇ ଯାଇଥାଏ । ମୁଁ କବିଙ୍କୁ ସେତକ ପଢ଼ି ଶୁଣାଇଲି ଏବଂ ସେ ସମ୍ବନ୍ଧରେ ଦମ୍ପତି ପ୍ରେମର ପ୍ରଶଂସା କଲି । ରାୟଚାନ୍ଦ ଭାଇ କହିଲେ, ‘‘ଆଚ୍ଛା, ଏଥିରେ ମହତ୍ତ୍ୱର କଥା ତୁମକୁ କଅଣ ଲାଗୁଛି ? ଗ୍ଲାଡ଼ଷ୍ଟୋନ ପତ୍ନୀଙ୍କର ସ୍ତ୍ରୀ ପଣିଆ, ନା ତାଙ୍କ ସେବାଭାବ ? ସେ ସ୍ତ୍ରୀଲୋକଟି ଯଦି ଗ୍ଲୋଡ଼ଷ୍ଟୋନଙ୍କର ଭଉଣୀ କିମ୍ବା ବିଶ୍ୱାସୀ ଚାକର ହୋଇଥାନ୍ତେ ଓ ସେମିତି ସ୍ନେହଭକ୍ତି ଦେଖାଇ ତାଙ୍କୁ ଚା’ କରି ଦେଉଥାନ୍ତେ, ତେବେ କାହାର ସ୍ନେହ ଓ କି ପ୍ରକାର ଭକ୍ତିକୁ ତୁମେ ଅଧିକ ନିର୍ମଳ ବୋଲି ବିଚାର କରନ୍ତ ? ଏଭଳି ଭଉଣୀ କିମ୍ବା ଚାକରର ଉଦାହରଣ କ’ଣ ଆଜି ମିଳୁ ନାହିଁ ? ନାରୀଜାତି ବଦଳରେ ଏଭଳି ସ୍ନେହ ଭକ୍ତି ଯଦି ପୁରୁଷ ଜାତିଠାରେ ଦେଖାଯାନ୍ତା, ତେବେ ତୁମେ ସେମିତି ବିସ୍ମୟ ଓ ଆନନ୍ଦ ଅନୁଭବ କରନ୍ତ ତ ? ମୁଁ ଯାହା କହିଲି ତାହା ଟିକିଏ ଭାବିଚିନ୍ତି ଦେଖିବା-। ରାୟଚାନ୍ଦ ଭାଇ ନିଜେ ବିବାହ କରିଥିଲେ । ସେତେବେଳେ ତାଙ୍କ କଥା ମତେ ବଡ଼ କଠୋର ବୋଧହେଲା ବୋଲି ମୋର ମନେ ପଡ଼ୁଛି । ତଥାପି ତାହା ମୋ ମନକୁ ଚୁମ୍ବକ ପରି ଧରିଲା । ପୁରୁଷ ଚାକରର ଏଭଳି ନିଷ୍ଠାର ମୂଲ୍ୟ ସ୍ତ୍ରୀ ନିଷ୍ଠାର ନିଶ୍ଚୟ ହଜାର ଗୁଣର ହେବ । ପତିପତ୍ନୀ ଭିତରେ ଅଭଦ୍ୟ ବନ୍ଧନ ରହିଛି । ତେଣୁ ଏ ପ୍ରକାର ସ୍ନେହ ମମତା ସମ୍ପୂର୍ଣ୍ଣ ସ୍ୱାଭାବିକ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମାତ୍ର ଚାକର ମାଲିକ ଭିତରେ ସେଭଳି ପ୍ରେମ କେଳବ ସାଧନା ବଳରେ ଜାଗରୁକ ହୁଏ । ତେଣୁ କବିଙ୍କ କଥାର ଗୁରୁତ୍ୱ କ୍ରମେ ମୋ ଆଗରେ ପ୍ରକଟିତ ହେବାକୁ ଲାଗିଲା ।

 

ମୁଁ ଭାବିବାକୁ ଲାଗିଲି—ମୋ ସ୍ତ୍ରୀ ସହିତ ମୋର କିଭଳି ସମ୍ବନ୍ଧ ରହିବା ଦରକାର ? ସ୍ତ୍ରୀକୁ ମୁଁ ସମ୍ଭୋଗର ସାମଗ୍ରୀ କରି ରଖିବା ଦ୍ୱାରା ତାହାପ୍ରତି ମୋର ନିଷ୍ଠା ରହୁଛି କେଉଁଠି ? ମୁଁ ଯେ ପର୍ଯ୍ୟନ୍ତ କାମବାସନାରେ ଦାସ ହୋଇ ରହିଛି, ସେ ପର୍ଯ୍ୟନ୍ତ ମୋ ନିଷ୍ଠାର ମୂଲ୍ୟ କିଛି ନୁହେଁ । ସତ କହିଲେ—ମୋ ଭାର୍ଯ୍ୟା ତ କେବେହେଲେ କୌଣସି ଭାବରେ ମୋତେ ପ୍ରଲୋଭନ ଦେଖାଇ ନାହିଁ । ଏପରି ଅବସ୍ଥାରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳିବା ମୋ ପକ୍ଷେ ଖୁବ୍ ସହଜ କଥା । କେବଳ ମୋର ପ୍ରକୃତ ଇଚ୍ଛା ହେଲେଇ ହେଲା । ଯଥାର୍ଥରେ ମୋର ଅଶାନ୍ତି ଓ ଆସକ୍ତି ମୋତେ ଏଥିରେ ବାଧା ଦେଉଥାନ୍ତି ।

 

ମୋ ନିଜ ମନରେ ଭାବିଚିନ୍ତି ବିବେକ ସହିତ ବହୁତ ଯୁକ୍ତିତର୍କ କରି ମୁଁ ଖୁବ୍‌ ସାବଧାନ ହେବାପରେ ମଧ୍ୟ ଦୁଇଥର ମୋର ଗୋଡ଼ ଖସିଲା । ଗୋଡ଼ ଖସିବାର ଅବଶ୍ୟ କାରଣ ଥିଲା । ସେତେବେଳ ଯାଏ ଏ ଉଦ୍ୟମର ଉଦ୍ଦେଶ୍ୟ ସେପରି ଶୁଦ୍ଧ ଓ ନିର୍ମଳ ହୋଇ ନ ଥାଏ । ମୋର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସନ୍ତାନ ଉତ୍ପତ୍ତି ବନ୍ଦ କରିବା । ଇଂଲଣ୍ଡରେ ଥିଲାବେଳେ ବାହ୍ୟ ଉପଚାର ଫଳରେ ସନ୍ତାନ ଉତ୍ପତ୍ତି ବନ୍ଦ କରିବା ବିଷୟରେ ମୁଁ ବହିପତ୍ର ପଢ଼ିଥିଲି । ଡାକ୍ତର ଏଲିସନ୍‌ ଏଭଳି ଉପଚାରକୁ ପ୍ରଚାର କରୁଥିଲେ, ସେ କଥା ମୁଁ ମୋର ଅନ୍ନାହାର ଅଧ୍ୟାୟରେ ଉଲ୍ଲେଖ କରିଛି । ତାଙ୍କର ସେଭଳି ଲେଖାର ଛାୟା ମୋ ମନରେ ରହିଯାଇଥିଲା । କିନ୍ତୁ ମି. ହିଲସ୍‌ ଯେତେବେଳେ ତାର ବିରୋଧ କଲେ ଏବଂ ‘‘ଭିତରର ଉପଚାର’’ ଅର୍ଥାତ ଆତ୍ମସଂଯମର ସମର୍ଥନ କଲେ, ସେତେବେଳେ ମୋ ମନରେ ତାହାର ପ୍ରଭାବ ଅଧିକ ଭାବରେ ପଡ଼ିଥିଲା । ତାଙ୍କର ଯୁକ୍ତି ଯେ ଯଥାର୍ଥ ଓ ମହତ୍ତର ମୁଁ ଏହା ବୁଝିପାରିଲି । କାଳକ୍ରମେ ଏ ଭାବ ମୋ ହୃଦୟରେ ଦୃଢ଼ୀଭୂତ ହେଲା-। ଯେତେବେଳେ ଦେଖିଲି ଯେ, ମୋର ଆଉ ପିଲାପିଲି ଲୋଡ଼ା ନୁହନ୍ତି, ମୁଁ ଏଭଳି ଆତ୍ମସଂଯମ ପାଇଁ ସାଧନା ଆରମ୍ଭ କଲି ।

 

ସଂଯମ ପାଳିବାରେ ବାଧା ବିଘ୍ନର ଅନ୍ତ ନ ଥାଏ । ଅଲଗା ଖଟ ରଖିଲି । ସଂକଳ୍ପ କଲି, ଦିନଯାକ ଅକ୍ଳାନ୍ତ ପରିଶ୍ରମ କରିବି, ଦେହ ଓ ମନ ଯେତେବେଳେ ଅବଶ ହୋଇଯିବ, ସେତେବେଳେ ଯାଇଁ ବିଛଣାରେ ପଡ଼ିଯିବି । ସୁଖ ନିଦ୍ରାରେ ସକଳ ଦୁର୍ବଳତା ଉଭେଇଯିବ । ଏସବୁ ଉଦ୍ୟମ କଲି ସତ; ତଥାପି ଭଲଫଳ ସମ୍ଭବ ହେଲା ନାହିଁ । ଆଜି ସେହି ଅତୀତ ଉପରେ ଆଖି ବୁଲେଇ ଦେଖୁଛି ଯେ, ଏହିସବୁ ଉଦ୍ୟମରୁ ହିଁ ଶେଷରେ ମୋତେ ଖୁବ୍‌ ବଳ ମିଳିଥିଲା ।

 

ବହୁକାଳ ପରେ ୧୯୦୬ ସାଲରେ ଯାଇ ମୋର ଏ ସଂକଳ୍ପ ପୂରା ପଡ଼ିଲା । ସେତେବେଳକୁ ସତ୍ୟାଗ୍ରହ ଆରମ୍ଭ ହୋଇ ନ ଥାଏ । ମୋ ସ୍ୱପ୍ନରେ ସୁଦ୍ଧା ସତ୍ୟାଗ୍ରହର ଛାୟା ପଡ଼ି ନଥାଏ । ବୁଅର୍‌ ଯୁଦ୍ଧ ପରେ ନାତାଲରେ ଜୁଲୁ ବିଦ୍ରୋହ ଆରମ୍ଭ ହେଲା । ସେତେବେଳକୁ ମୁଁ ଜୋହନ୍‌ସବର୍ଗରେ ଓକିଲାତି କରୁଥାଏ । ମୁଁ ବିଚାରିଲି, ବିଦ୍ରୋହ ସମ୍ପର୍କରେ ମୋର ସେବା ନାତାଲ ସରକାରଙ୍କୁ ସମର୍ପଣ କରିଦେବା ଉଚିତ । ମୁଁ ଏହି ପ୍ରସ୍ତାବ କଲି । ମୋ ପ୍ରସ୍ତାବ ଗୃହୀତ ହେଲା । ଏ ବିଷୟରେ ମୁଁ ଅବଶ୍ୟ ଅନ୍ୟ ଅଧ୍ୟାୟରେ ଅନେକ କିଛି କହିବି । ଏହି ସେବା ସମୟରେ ଆତ୍ମସଂଯମ ଦିଗରେ ବିଶେଷ ଉଦ୍ୟମ ଯେ କିପରି ଲୋଡ଼ା, ମୁଁ ବିଶେଷ ଭାବରେ ବୁଝିପାରିଲି ଏବଂ ସେଥିପାଇଁ ବହୁ ଚିନ୍ତିତ ହେଲି । ମୋର ସ୍ୱଭାବ ଅନୁସାରେ ମୁଁ ମୋ ସାଥୀମାନଙ୍କ ସଙ୍ଗେ ଯୁକ୍ତିତର୍କ ଛଳରେ ସବୁକଥା ଆଲୋଚନା କଲି । କ୍ରମେ ମୋର ଦୃଢ଼ ବିଶ୍ୱାସ ହେଲା ଯେ, ସନ୍ତାନ ଉତ୍ପତ୍ତି ଓ ସନ୍ତାନ ପାଳନ ସାଧାରଣ ସେବାର ବିରୋଧୀ । ଏ ବିଦ୍ରୋହ କାମରେ ଯୋଗ ଦେବାକୁ ଯାଇ ମତେ ଜୋହନ୍‌ସବର୍ଗର ଘରଦ୍ୱାର ଭାଙ୍ଗି ଦେବାକୁ ପଡ଼ିଲା । ଯେଉଁ ଘରଟିକୁ ନାନା ପ୍ରକାର ଆସବାବରେ ସଜାଇ ରଖିଥିଲି, ତାକୁ ଛାଡ଼ିଲି । ସ୍ତ୍ରୀ ଓ ପିଲାଙ୍କୁ ନେଇ ଫିନିକ୍‌ସ ଛାଡ଼ିଲି । ଭାରତୀୟ ସ୍ୱେଚ୍ଛାସେବକ ଦଳର ଅଗ୍ରଣୀ ଭାବରେ ମୁଁ ଗୋଟିଏ ରୋଗୀବୁହା ଦଳ ନେଇ ବାହାରିପଡ଼ିଲି । ତେତେବେଳେ ବାଟଚଲାରେ ବଡ଼ କଠିନ କାମ ପଡ଼ୁଥାଏ । ସେହି ବାଟ ଗଲାବେଳେ ମତେ ଦେଖାଗଲା ଯେ, ମୋର ସମ୍ପତ୍ତି ଓ ସନ୍ତାନ ଇଚ୍ଛାରେ ଜଳାଞ୍ଜଳି ଦେଇ ବାନପ୍ରସ୍ଥ ଆଚରଣ କରିବାକୁ ହେବ ।

 

ବିଦ୍ରୋହରେ ମତେ ଦେଢ଼ମାସରୁ ଅଧିକ ରହିବାକୁ ପଡ଼ି ନ ଥିଲା । ତଥାପି ସେହି ୬ ସପ୍ତାହ ଜୀବନରେ ସବୁଠାରୁ ମୂଲ୍ୟବାନ ସମୟ । ସଂକଳ୍ପ କରିବାର ମହତ୍ତ୍ୱ ମୁଁ ସବୁଠାରୁ ଅଧିକ ଉପଲବ୍‌ଧି କଲି । ମୁଁ ଦେଖିଲି ଯେ, ସଂକଳ୍ପ ବା ପ୍ରତିଜ୍ଞା ଗ୍ରହଣ କରିବା ବନ୍ଧନ ନୁହେ ବରଂ ମୁକ୍ତିର ସ୍ୱରୂପ । ଆଜିଯାଏ ମୋର ଉଦ୍ୟମ ସପଳ ହେଉ ନ ଥିଲା; କାରଣ ମୁଁ ଯଥାର୍ଥଭାବରେ ସଂକଳ୍ପ କରି ନଥିଲି । ମୋର ନିଜ ଶକ୍ତି ଉପରେ ବିଶ୍ୱାସ ନଥିଲା । ଈଶ୍ୱରଙ୍କ ଦୟାରେ ଆସ୍ଥା ନ ଥିଲା । ସେଥିପାଇଁ ମୋର ମନ ସବୁବେଳେ ସନ୍ଦେହ ସାଗରର ଉତ୍ତାଳ ତରଙ୍ଗରେ ଉବୁ ଟୁବୁ ହେଉଥିଲା । ମୁଁ ବୁଝିପାରିଲି, ମନୁଷ୍ୟ କୌଣସି ଗୋଟାଏ ଶପଥ କରିବାପାଇଁ ଯେତେବେଳେ ଅନିଚ୍ଛୁକ ହୁଏ, ସେତେବେଳେ ତାହାର ବାସନା ବା ପ୍ରଲୋଭନ ହୃଦୟରେ ବଳବତୀ ଥାଏ । କୌଣସି ଗୋଟିଏ ଶପଥରେ ଆବଦ୍ଧ ରହିବା ଅର୍ଥ ଉଦ୍‌ଭ୍ରାନ୍ତ ଉଚ୍ଛୃଙ୍ଖଳ ପ୍ରେମରୁ ଯଥାର୍ଥ ଏକନିଷ୍ଠା ଓ ଏକ ପତ୍ନୀର ପ୍ରଣୟରେ ଆବଦ୍ଧ ରହିବା ପରି । ‘‘ମୁଁ ଉଦ୍ୟମରେ ବିଶ୍ୱାସ କରେ—ମାତ୍ର ସଂକଳ୍ପରେ ବାନ୍ଧି ହେବାକୁ ବିଶ୍ୱାସ କରେ ନାହିଁ,’’ ଏ ଉକ୍ତି ଦୁର୍ବଳର ଯୁକ୍ତି ଏବଂ ଏହା ଭିତରେ ସୂକ୍ଷ୍ମ ଭାବରେ ଭୋଗବାସନା ଛପି ରହିଥାଏ । ଯେଉଁ ଜିନିଷକୁ ଛାଡ଼ିବାକୁ ହେବ, ତାକୁ ପୂରାପୂରି ଛାଡ଼ିଦେଲେ କ୍ଷତି କଅଣ ? ଯେଉଁ ସର୍ପ ମତେ ଦଂଶନ କରିବ, ମୁଁ ତାକୁ ନିଶ୍ଚୟ ବର୍ଜନ କରେ, କେବଳ ଛାଡ଼ିବାର ଚେଷ୍ଟାରେ ତାହା ସରିଯାଏ ନାହିଁ । କେବଳ ଚେଷ୍ଟାରେ ସନ୍ତୁଷ୍ଟ ରହିବା ଅର୍ଥ ମୃତ୍ୟୁକୁ ବରଣ କରିବା । ମୋତେ ଯେ ସାପ କାମୁଡ଼ିବ, ଏ ବିଷୟରେ ସନ୍ଦେହ ଥିଲେ ମୁଁ ପଳାଇ ନ ଯାଇ ପଳାଇବାର ଉଦ୍ୟମ ମାତ୍ର କରୁଥିବି । କେବଳ ଉଦ୍ୟମରେ ଯଦି ମୁଁ ସନ୍ତୁଷ୍ଟ ହୋଇ ରହେ, ତେବେ ବୁଝିବାକୁ ହେବ ସୁନିର୍ମଳ ବୁଦ୍ଧି, କର୍ତ୍ତବ୍ୟର ପ୍ରୟୋଜନୀୟତା ମୁଁ ଭଲ ଭାବରେ ବୁଝିପାରି ନାହିଁ । ‘‘ମୋର ବିଚାର କାଳେ ପରେ ବଦଳିଯିବ’’ ଏଭଳି ଆଶଙ୍କା କରି ଅନେକ ସମୟରେ ଆମେ ସଂକଳ୍ପ କରିବାକୁ ଡରିଥାଉଁ । ଏଥିରୁ ମଧ୍ୟ ସ୍ପଷ୍ଟ ବୁଝାଯାଏ ଯେକୌଣସି ଗୋଟିଏ ତ୍ୟାଗ ଯେ କର୍ତ୍ତବ୍ୟ, ଏ ବିଷୟରେ ଆମର ଦୃଢ଼ ଧାରଣା ନାହିଁ । ସେଥିପାଇଁ କବି ନିଷ୍କୁଳାନନ୍ଦ ଗାଇଛନ୍ତି—

 

‘‘ତ୍ୟାଗ ନ ଟେକେରେ ବୈରାଗ୍ୟ ବିନା ।’’

 

ଯେତେବେଳେ କୌଣସି ବସ୍ତୁ ପ୍ରତି ପୂରା ବୈରାଗ୍ୟ ଜାତ ହୁଏ; ସେତେବେଳେ ତାର ତ୍ୟାଗ ପାଇଁ ବ୍ରତ ବା ସଂକଳ୍ପ ନ କଲେ ନ ଚଳେ ।

 

ବ୍ରହ୍ମଚର୍ଯ୍ୟ (୨)

 

ସବୁ ଦିଗରୁ ବହୁତ ଆଲୋଚନା ଓ ଗୁରୁତର ଭାବନା ପରେ ମୁଁ ୧୯୦୬ ସାଲରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳିବା ପାଇଁ ଶପଥ କଲି । ବ୍ରତ ନେବାଯାଏ ମୁଁ ମୋର ସ୍ତ୍ରୀ ସଙ୍ଗେ ପରାମର୍ଶ କରି ନ ଥିଲି । କେବଳ ବ୍ରତ ଘେନିଲାବେଳେ ତାକୁ ପଚାରିଲି । ସେ ତିଳେହେଲେ ଆପତ୍ତି କଲା ନାହିଁ ।

 

ଏ ବ୍ରତ ନେଲି ସତ; କିନ୍ତୁ ଦେଖିଲି ସାଧନା ଅତି କଠୋର । ମୋ ମନରେ ସେତେବେଳେ ଯଥାର୍ଥ ବଳ ଆସି ନ ଥାଏ । ବିଚାରିଲି ଇନ୍ଦ୍ରିୟର ତାଡ଼ନାକୁ କିପରି ଏଡ଼ିବି ? ଆପଣା ସ୍ତ୍ରୀ ସହିତ ସହବାସ ସମ୍ପର୍କ ତୁଟାଇବା କଥାଟା ମତେ ନୂଆ ଲାଗୁଥାଏ । ତଥାପି ମୋର ଏହା କର୍ତ୍ତବ୍ୟ ବୋଲି ବୋଧ କଲି । ମୋର ଉଦ୍ଦେଶ୍ୟ ନିର୍ମଳ ଓ ଶୁଦ୍ଧ ଥିଲା । ଭଗବାନ ବଳ ଦେବେ, ଏହି ବିଶ୍ୱାସ ରଖି ମୁଁ କଠୋର ସାଧନାରେ ଲାଗିଗଲି ।

 

ଆଜି କୋଡ଼ିଏ ବର୍ଷ ପରେ ସେହି ବ୍ରତର କଥା ସ୍ମରଣ କରି ମୋ ମନରେ ଆନନ୍ଦ ଓ ବିସ୍ମୟ ଉଭୟ ଆସୁଚି । ୧୯୦୧ ସାଲରୁ ମୁଁ ଊଣା ଅଧିକେ ସଂଯମ ସାଧନା ଆରମ୍ଭ କରିଥିଲି । ୧୯୦୬ରେ ବ୍ରହ୍ମଚର୍ଯ୍ୟ ବ୍ରତ ଘେନିବା ପରଠାରୁ ମୋ ପ୍ରାଣରେ ଯେଉଁ ଉନ୍ମୁକ୍ତ ଭାବ ଓ ଆନନ୍ଦ ଅନୁଭବ କଲି, ତାହା ପୂର୍ବରୁ ମୋର ସେଭଳି ଅନୁଭବ କେବେ ହୋଇଥିବାର ମନେ ନାହିଁ । ତାହା ପୂର୍ବରୁ ସ୍ଖଳନ ବା ପ୍ରଲୋଭନ ବେଳେବେଳେ ହେଲେ ମତେ ଆୟତ୍ତ କରିଦେବାର ସମ୍ଭାବନା ଥିଲା-। କିନ୍ତୁ ଏବେ ଆଉ ସେ ସବୁ ମୋ ଉପରେ ସଓ୍ୱାର ହୋଇପାରିଲା ନାହିଁ ।

 

କ୍ରମେ ଦିନକୁ ଦିନ ଏହି ବ୍ରହ୍ମଚର୍ଯ୍ୟର ଅସାଧାରଣ ମହତ୍ତ୍ୱ ଓ ଶକ୍ତି ମୋ ଆଗରେ ପରିସ୍ଫୁଟ ହୋଇଉଠିଲା । ମୁଁ ଫିନିକ୍‌ସଠାରେ ଥିଲାବେଳେ ଏ ବ୍ରତ ଗ୍ରହଣ କରିଥିଲି । ଯୁଦ୍ଧଭୂମିରେ ଆହତଙ୍କ ସେବା କାମରୁ ମୁକ୍ତ ହୋଇ ମୁଁ ପୁଣି ଫିନିକ୍‌ସ ଗଲି । ସେଠାରୁ ଶୀଘ୍ର ମୋର ଜୋହନ୍‌ସବର୍ଗ ଯିବାର ଥାଏ । ମୁଁ ସେଠାକୁ ଯିବାର ମାସକ ଭିତରେ ସତ୍ୟାଗ୍ରହ ଲଢ଼େଇର ଶୁଭ ଦିଆଗଲା । କିଏ କହିବ, ଏ ବ୍ରହ୍ମଚର୍ଯ୍ୟ ବ୍ରତ ସେଇଥିପାଇଁ ମତେ ତିଆରି କରିନେବାକୁ ଆସି ନଥିଲା ? ସତ୍ୟାଗ୍ରହର କଳ୍ପନା ପର୍ଯ୍ୟନ୍ତ ମୁଁ ଆଗରୁ କରି ନ ଥିଲି । ମୋର ବିନା ଉଦ୍ୟମ ଓ ଇଚ୍ଛାରେ ତାହା ହଠାତ୍‌ କିପରି ଆସି ମନ ମଧ୍ୟରେ ପାଇଗଲା । କିନ୍ତୁ ପରେ ଦେଖିଲି, ମୋର ପୂର୍ବର ସକଳ କାର୍ଯ୍ୟ ଓ ସଳଳ ନୀତି ମୋତେ ସେହି ଆଦର୍ଶ ଆଡ଼କୁ ଟାଣି ନେଉଥିଲା । ମୋର ଫିନିକ୍‌ସ ଯିବା, ଜୋହନ୍‌ସବର୍ଗର ଘର ଖର୍ଚ୍ଚରୁ କମାଇଦେବା ଏବଂ ଶେଷରେ ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରିବା ଇତ୍ୟାଦି ସତେ ଯେମିତି ସେହି ସତ୍ୟାଗ୍ରହର ଆୟୋଜନ ପରି ହୋଇଯାଉଥିଲା ।

 

ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବାରେ ଯେ ସ୍ୱୟଂ ବ୍ରହ୍ମଙ୍କର ଉପଲବ୍‌ଧି ହୁଏ, ଏ ଜ୍ଞାନକୁ ମୁଁ କୌଣସି ଶାସ୍ତ୍ର ପଢ଼ି ପାଇ ନ ଥିଲି । କେବଳ ସାଧନା ବଳରେ ଏ ଭାବ ମୋ ମନରେ କ୍ରମେ ବଦ୍ଧମୂଳ ହେଲା । ପର ଜୀବନରେ ମୁଁ ଅବଶ୍ୟ ବିଷୟକ ଶାସ୍ତ୍ର ପ୍ରମାଣ ସବୁ ପଢ଼ି ଆଲୋଚନା କଲି-। ବ୍ରହ୍ମଚର୍ଯ୍ୟ ଯେ ଦେହ, ମନ ଓ ଆତ୍ମାର ରକ୍ଷକ, ଏ ଜ୍ଞାନ ବ୍ରହ୍ମଚର୍ଯ୍ୟ ପାଳନରେ ଦିନକୁ ଦିନ ମୋ ପକ୍ଷରେ ଅଧିକରୁ ଅଧିକତରର ପରିସ୍ଫୁଟ ହୋଇଥିଲା । ଏଣିକି ବ୍ରହ୍ମଚର୍ଯ୍ୟ ଆଉ କଠୋର ସାଧନା ପରି ବୋଧ ହେଲା ନାହିଁ । ଏହାଦ୍ୱାରା ପ୍ରାଣରେ ବରଂ ଅସୀମ ଆନନ୍ଦ ଓ ଆଶ୍ୱାସନା ଜନ୍ମିଲା । ତେଣୁ ଏଣିକି ନିତି ତାର ନୂଆ ନୂଆ ସୌନ୍ଦର୍ଯ୍ୟ ଉପଲବ୍ଧି କଲି ।

 

ପ୍ରାଣରେ ଅଧିକ ଆନନ୍ଦ ଜାତ ହେଉଥିଲା ବୋଲି ଏ ସାଧନା ମୋ ପକ୍ଷରେ ସହଜ ଥିଲା, ଏ କଥା କେହି ଯେପରି ମନେ ନ କରନ୍ତି । ମୋତେ ତ ଏବେ ଛପନ ବର୍ଷ ପୂରିଗଲାଣି । ତଥାପି ବ୍ରହ୍ମଚର୍ଯ୍ୟ ସାଧନା ଯେ କି କଠୋର, ସେ କଥା ମୁଁ ଅନୁଭବ କରୁଛି, ଏହା ଖଣ୍ଡାଧାରରେ ଚାଲିବା ପରି । ଏଥିରେ ଅବିରାମ ସାଧନା ଓ ସାବଧାନତା ଯେ ନିତାନ୍ତ ଆବଶ୍ୟକ, ଏ କଥା ପ୍ରତି ମୁହୂର୍ତ୍ତରେ ଉପଲବ୍ଧି କରୁଛି ।

 

ଜିହ୍ୱାଲାଳସାକୁ ଆୟତ୍ତ କରିବା ଏ ବ୍ରତରେ ସର୍ବପ୍ରଥମ କର୍ତ୍ତବ୍ୟ । ଏହି ଜିହ୍ୱାଲାଳସାକୁ ଅଧୀନ କରିପାରିଲେ ବ୍ରତ ସହଜ ହୋଇଯାଏ । ତେଣୁ ମୁଁ କେବଳ ‘ଅନ୍ନାହାରୀ’ ଭାବରେ ନୁହେଁ, ବ୍ରହ୍ମଚାରୀ ଭାବରେ ମଧ୍ୟ ମୋ ଖିଆପିଆରେ ନାନା ସାଧନା ଓ ପରୀକ୍ଷା ଆରମ୍ଭ କରିଦେଲି । ଏ ପରୀକ୍ଷା ଫଳରେ ଦେଖିଲି, ବ୍ରହ୍ମଚାରୀର ଆହାର ପରିମିତ, ଏକାବେଳକେ ନିରାଡ଼ମ୍ବର ଓ ମସଲାବିହୀନ, ଏପରି କି ସମ୍ଭବ ହେଲେ ଅସିଝା ମଧ୍ୟ ହେବା ଉଚିତ ।

 

ଦୀର୍ଘ ଛଅବର୍ଷ ପରୀକ୍ଷା ପରେ ମୁଁ ଦେଖିଲି ଯେ, ବ୍ରହ୍ମଚାରୀର ଆଦର୍ଶ ଖାଦ୍ୟ ସଦ୍ୟ ଫଳ ମୂଳ । ଏଭଳି ଖାଦ୍ୟ ଖାଉଥିବାବେଳେ ମୁଁ ବରାବର ଇନ୍ଦ୍ରିୟ ବିକାରରୁ ରକ୍ଷା ପାଇଥିଲି । ପରେ ଏହା ଖାଦ୍ୟ ବଦଳିଯିବାର ଆଉ ସେ କଥା ରହିଲା ନାହିଁ । ଦକ୍ଷିଣ ଆଫ୍ରିକାରେ ମୁଁ ଫଳମୂଳ ଖାଇ ବଞ୍ଚୁଥିଲାବେଳେ ବ୍ରହ୍ମଚର୍ଯ୍ୟ ଧାରଣ ପାଇଁ ମୋର ସେପରି ବିଶେଷ ଉଦ୍ୟମ କରିବା ଦରକାର ହେଉ ନ ଥିଲା । ଯେଉଁଦିନଠୁଁ ଫଳ ଛାଡ଼ି ଦୁଧ ଖାଇଲି, ସେହିଦିନଠୁଁ ଏଥିପାଇଁ ବିଶେଷ ସାଧନା କରିବାକୁ ହେଲା । କିପରି ଓ କାହିଁକି ମୁଁ ଫଳ ମୂଳ ଛାଡ଼ି ଦୁଧ ଖାଇଲି, ତା ଯଥାସ୍ଥାନରେ କହିବି । ଏଠାରେ, ଏତିକି କହିଲେ ଯଥେଷ୍ଟ ହେବ ଯେ, ଦୁଧ ଖାଇ ବ୍ରହ୍ମଚର୍ଯ୍ୟ ଧାରଣ କରିବା ବଡ଼ କଷ୍ଟ । ୟା’ ବୋଲି ଯେ ସବୁ ବ୍ରହ୍ମଚାରୀଙ୍କୁ ଦୁଧ ଛାଡ଼ିବାକୁ ହେବ, ଏ କଥା ଯେପରି କେହି ନ ବୁଝନ୍ତି । ବିଭିନ୍ନ ଖାଦ୍ୟ ପରିମାଣରେ ବ୍ରହ୍ମଚର୍ଯ୍ୟ ଉପରେ କିଭଳି କାର୍ଯ୍ୟ କରେ, ତାହା କେବଳ ପରୀକ୍ଷାଦ୍ୱାରା ଜଣାଯାଇପାରିବ । ମାଂସପେଶୀ ତିଆରି କରି ପାରୁଥିବ, ଏଣେ ସହଜରେ ଜୀର୍ଣ୍ଣ ହେଉଥିବ, ଏପରି କୌଣସି ଫଳ ଦୁଧ ବଦଳରେ ମୁଁ ଏପର୍ଯ୍ୟନ୍ତ ପାଇନାହିଁ । ଡାକ୍ତର, ବୈଦ୍ୟ କି ହାକିମ କେହି ଏପର୍ଯ୍ୟନ୍ତ ଏଥିର ଯଥାର୍ଥ ବ୍ୟବସ୍ଥା ଦେଇପାରି ନାହାନ୍ତି । ତେଣୁ ଦୁଧରେ ଟିକିଏ ଉତ୍ତେଜନା ଥିଲେ, ସୁଦ୍ଧା, ବର୍ତ୍ତମାନ ଦୁଧ ଖାଇବା ଛାଡ଼ିଦେବାକୁ ମୁଁ କାହାରିକି ପରାମର୍ଶ ଦେଇପାରୁନାହିଁ ।

 

ବ୍ରହ୍ମଚର୍ଯ୍ୟ ପାଳିବାପାଇଁ ବାହାରର ଯେତେ ଯେତେ ଉଦ୍ୟମ ଲୋଡ଼ା, ସେଥିରେ ଖାଦ୍ୟ ପଦାର୍ଥ ଚିହ୍ନିବା ଏବଂ ସେଥିପାଇଁ ସଂଯମ ଅଭ୍ୟାସ କରିବା ସଙ୍ଗେ ସଙ୍ଗେ ଉପବାସ କରିବା ମଧ୍ୟ ଦରକାର । ଇନ୍ଦ୍ରିୟର ଶକ୍ତି ଏଡ଼େ ପ୍ରବଳ ଯେ, ତାକୁ ଉପରୁ, ତଳୁ, ଚାରିପଟୁ ଗେରଦ ଭିତରେ ବନ୍ଦ ନ କଲେ ଆୟତ୍ତ କରିବା ବଡ଼ କଠିନ । ସମସ୍ତେ ଜାଣୁଥାଇ ପେଟରେ ଦାନା ନ ପଡ଼ିଲେ ଇନ୍ଦ୍ରିୟମାନଙ୍କର ବଳ କମିଯିବ । ଏଣୁ ମୋ ବିଚାରରେ ଇନ୍ଦ୍ରିୟ ଦମନ ପାଇଁ ଉପବାସ ଗୋଟିଏ ଉତ୍କୃଷ୍ଟ ପନ୍ଥା । ତଥାପି ଅନେକ ଅଛନ୍ତି, ଉପବାସରେ ମଧ୍ୟ ସେମାନଙ୍କର କିଛି ଫଳ ମିଳେନାହିଁ । ଏଥିର କାରଣ ସେମାନେ ଖାଲି ଗୋଟାଏ ଉପବାସ କରି ଦେହକୁ ଶୁଖାନ୍ତି ସତ; କିନ୍ତୁ ମନ ବରାବର ସିଠିମିଠି ଖାଇବାରେ ରହିଥାଏ, ଏଣେ ଉପବାସ ସରିଲେ ଚିନ୍ତା କଣ ଖାଇବା; କଣ ପିଇବା । ଏପରି ଉପବାସରେ ଜିହ୍ୱାଲାଳସା ବା ଇନ୍ଦ୍ରିୟ ପ୍ରବୃତ୍ତିର ଦମନ ହୁଏ ନାହିଁ । ଦେହ ସଙ୍ଗେ ମନର ସହଯୋଗ ନ ହେଲେ ଉପବାସର କିଛି ଫଳ ନାହିଁ । ଯେଉଁ ପଦାର୍ଥ ନ ଖାଇବ, ସେଥିପ୍ରତି ମନରେ ବିତୃଷ୍ଣା ଜନ୍ମିବା ଦରକାର । ମନହିଁ ସକଳ ସାଧନାର ମୂଳ । ଅତଏବ ଉପବାସର ଫଳ ଲାଭ ପାଇଁ ସୀମା ଓ କ୍ଷେତ୍ର ଅଛି । ଲୋକ ଉପବାସ କରି ମଧ୍ୟ ଇନ୍ଦ୍ରିୟର ଭୋଗରେ ଭାଙ୍ଗିଯାଇପାରେ । ତେବେ ଏକ କଥା ସତ୍ୟ ଯେ, ବିନାଉପବାସ ବ୍ରତରେ ଇନ୍ଦ୍ରିୟ ତାଡ଼ନାରୁ ଏକାବେଳକେ ରକ୍ଷା ପାଇବା ଅସମ୍ଭବ । ବ୍ରହ୍ମଚର୍ଯ୍ୟ ଧାରଣ ପାଇଁ ଉପବାସ ନିତାନ୍ତ ଦରକାର । ଅନେକ ବ୍ରହ୍ମଚାରୀ ଏ ବ୍ରତ ପାଳିବାରେ ସଫଳକାମ ହୋଇପାରନ୍ତି ନାହିଁ । ଏଥିର କାରଣ ଯେଉଁମାନେ ବ୍ରହ୍ମଚାରୀ ନୁହନ୍ତି, ସେମାନେ ମଧ୍ୟ ସେହିପରି ଭାବରେ କରନ୍ତି । ଭୀଷଣ ଗ୍ରୀଷ୍ମକାଳରେ ଶୀତକାଳର ଘୋର ଶୀତ ଉପଭୋଗ କରିବାଲାଗି ଇଚ୍ଛା କରିବା ଯାହା, ବ୍ରହ୍ମଚର୍ଯ୍ୟ ଦିଗରେ ଉପରୋକ୍ତ ପ୍ରକାର ଉଦ୍ୟମ ଠିକ୍‌ ସେଇୟା । ଅସଲ କଥା ବ୍ରହ୍ମଚାରୀ ଓ ସାଧାରଣ ଲୋକର ଜୀବନକ୍ରିୟା ଭିତରେ ପାର୍ଥକ୍ୟ ବରାବର ପରିସ୍ଫୁଟ ରହିଥିବ । ଉଭୟଙ୍କ ମଧ୍ୟରେ ସେ ସାମଞ୍ଜସ୍ୟ, ତାହା କେବଳ ବାହାରର ସାମଞ୍ଜସ୍ୟ । ନିର୍ମଳ ଦିବାଲୋକପରି ଉଭୟଙ୍କ ଭିତରର ପ୍ରଭେଦ ସଫା ଜଣାପଡ଼ୁଥିବ । ଉଭୟେ ଆଖିରେ ଦେଖୁଛନ୍ତି, କିନ୍ତୁ ବ୍ରହ୍ମଚାରୀ ତାଙ୍କ ଆଖିରେ ଭଗବାନଙ୍କର ଅପୂର୍ବ ସୃଷ୍ଟି ଓ ତାହାର ମହତ୍ତ୍ୱ ଦର୍ଶନ କରନ୍ତି; ସାଧାରଣ ଲୋକ କେବଳ ନିଜ ପାଖଆଖର ବିଷୟ ଓ ବିଳାସସାମଗ୍ରୀ ଦେଖେ । ଉଭୟେ କାନରେ ଶୁଣନ୍ତି, ଜଣେ ଭଗବତ୍‌ ଗୁଣାବଳୀ ଶୁଣନ୍ତି ତ ଅନ୍ୟ ଜଣକ ସଂସାରର ଇତର କୁତ୍ସିତ କଥାରେ କାନ ଦେଇଥାନ୍ତି । ଉଭୟେ ହୁଏତ ରାତି ଅନିଦ୍ରା ହୁଅନ୍ତି, ଜଣେ ସେ ସମୟକୁ ଭାଗବତ୍‌ ପ୍ରାର୍ଥନାରେ ବିନିଯୋଗ କରନ୍ତି ଓ ଅନ୍ୟ ଜଣକ କେବଳ ହସ, ଖେଳ କୌତୁକ ଓ ବୃଥା କଥାରେ ତାହା କଟାଇ ଦିଅନ୍ତି । ଉଭୟେ ପେଟକୁ ଖାଆନ୍ତି, ଜଣେ ଶରୀରରୂପ ତୀର୍ଥକ୍ଷେତ୍ରରେ ରକ୍ଷାପାଇଁ ଦେହକୁ ଖଜଣା ଦିଏ ତ ଅନ୍ୟ ଜଣେ ସ୍ୱାଦ ପାଇଁ ଦେହରେ ଅନେକ ଜିନିଷ ପୂରାଇ ଦୁର୍ଗନ୍ଧମୟ କରିପକାଏ । ଏହିପରି ଭାବରେ ଉଭୟଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ରହେ । ସମୟ ଯେତିକି ବିତି ଯାଉଥାଏ, ଏ ଭେଦ ସେତିକି ହୁଏ ସିନା କମେ ନାହିଁ ।

 

ବ୍ରହ୍ମଚର୍ଯ୍ୟର ଅର୍ଥ ମନ, ବଚନ, କର୍ତ୍ତବ୍ୟରେ ସର୍ବଥା ଇନ୍ଦ୍ରିୟମାନଙ୍କୁ ଆୟତ୍ତ କରିବା । ମୁଁ ପୂର୍ବରୁ ଯେଉଁସବୁ ସଂଯମ ଓ ସାଧନା କଥା କହିଲି, କାଳକ୍ରମେ ସେ ସବୁର ଆବଶ୍ୟକତା ମୁଁ ଅଧିକ ବୁଝୁଛି । ଯେମିତି ବ୍ରହ୍ମଚର୍ଯ୍ୟ ମହିମାର ଅନ୍ତ ନାହିଁ, ସେମିତି ତ୍ୟାଗକ୍ଷେତ୍ରର ସୀମା ନାହିଁ । ସାଧାରଣ ଉଦ୍ୟମରେ ବ୍ରହ୍ମଚର୍ଯ୍ୟ ପାଳନ ଅସମ୍ଭବ । ଅନେକଙ୍କ ପକ୍ଷରେ ଏହା କେବଳ ଆଦର୍ଶମାତ୍ର ହୋଇ ରହିବ । ଯେଉଁ ବ୍ୟକ୍ତି ବ୍ରହ୍ମଚର୍ଯ୍ୟ କାମନା କରିବେ, ସେ ନିଜର ସକଳପ୍ରକାର ଦୋଷ ଦୁର୍ବଳତା ବିଷୟରେ ଜାଗ୍ରତ ରହିବା ଦରକାର । ସେ ହୃଦୟର ଅନ୍ତରତମ ପ୍ରଦେଶରେ ଇନ୍ଦ୍ରିୟମାନଙ୍କର ଯେ ଗୁପ୍ତକ୍ରିୟା ତାହା ବୁଝି, ସେଥିରୁ ଉଦ୍ଧାର ପାଇବାପାଇଁ ବରାବର ଚେଷ୍ଟା କରିବେ । ଯେତେଦିନ ପର୍ଯ୍ୟନ୍ତ ଚିନ୍ତା ମନର ପୂରା ଆୟତ୍ତକୁ ନ ଆସିଛି, ସେତେଦିନ ଯାଏ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ଅସମ୍ଭବ । ଅଜ୍ଞାତରେ ବା ଅନିଚ୍ଛାସତ୍ତ୍ୱେ ଯେଉଁସବୁ ଚିନ୍ତା ମନରେ ଆସି ସ୍ଥାନ ପାଇଯାଏ, ସେ ସବୁ ମନର ହିଁ ବିକାର । ଏ ପ୍ରକାର ଚିନ୍ତାକୁ ଆୟତ୍ତ କରିବା ଅର୍ଥ ନିଜ ମନକୁ ଆୟତ୍ତ କରିବା । ମନୁଷ୍ୟ ବାୟୁର ଗତିକୁ ଆୟତ୍ତ କରିପାରେ; ମାତ୍ର ମନର ଗତିକୁ ଆୟତ୍ତ କରିବା ବଡ଼ କଠିନ । ଏହା ବୋଲି ନିରାଶ ହେବାର ନୁହେଁ । ସ୍ୱୟଂ ଭଗବାନ ଯେତେବେଳେ ହୃଦୟରେ ବିରାଜୁଛନ୍ତି, ସେତେବେଳେ ଏ ମନକୁ ମଧ୍ୟ ଆୟତ୍ତ କରିବା ସମ୍ଭବ । ଏ ସାଧନା କଠିନ ବୋଲି ଏହାକୁ କେହି ଯେପରି ଅସମ୍ଭବ ନ ବିଚାରନ୍ତି । ଏହା ତ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ; ତେଣୁ ଏଥିପାଇଁ ଯେ କଠୋରତମ ସାଧନା ଲୋଡ଼ା ଏଥିରେ ଆଶ୍ଚର୍ଯ୍ୟ କଣ ?

 

ସାମାନ୍ୟ ମନୁଷ୍ୟ ଚେଷ୍ଟାରେ ଏ ପ୍ରକାର ବ୍ରହ୍ମଚର୍ଯ୍ୟ ଲାଭ ଯେ ଅସମ୍ଭବ ବ୍ୟାପାର, ଏ କଥା ମୁଁ ଭାରତକୁ ଫେରିଆସି ବୁଝିଲି । ସେତେବେଳେ ମୋ ମନରେ ଗୋଟାଏ ଭ୍ରମ ଧାରଣା ଥିଲା ଯେ, କେବଳ ଫଳମୂଳ ଖାଇ ମୁଁ ଇନ୍ଦ୍ରିୟ କବଳରୁ ରକ୍ଷା ପାଇଯିବି । ମନେ ମନେ ଖୁସିଟା ହେଲି ଯେ, ଏଥିପାଇଁ ମତେ ଆଉ ଅଧିକା କିଛି କରିବାକୁ ପଡ଼ିବ ନାହିଁ ।

 

ଯାହାହେଉ ମୋର ଏ ସାଧନାର କାହାଣୀ ଏଠାରେ କହି ହେଉନାହିଁ । ତେବେ ଏତକ ସ୍ପଷ୍ଟ କହିପାରେ ଯେ, ଯେଉଁମାନେ ଭଗବତ୍‌ଦର୍ଶନ ଲାଗି ଜୀବନରେ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଚାହାନ୍ତି, ସୋମନଙ୍କର ନିରାଶ ହେବାର ନୁହେଁ । ମାତ୍ର ଏଥିପାଇଁ ଏ ସାଧନାରେ ଯେ ପରିମାଣରେ ବିଶ୍ୱାସ ଲୋଡ଼ା, ସ୍ୱୟଂ ଭଗବାନଙ୍କଠାରେ ମଧ୍ୟ ସେହି ପରିମାଣରେ ବିଶ୍ୱାସ ରହିବା ଦରକାର ।

 

‘‘ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନଃ

ରସବର୍ଜଂ ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତ୍ତତେ

 

ଆହାରରେ ଯେ ସଂଯମ ସାଧନା କରନ୍ତି ତାଙ୍କଠାରୁ ବିଷୟ ଦ୍ରବ୍ୟର ବାସନା ଦୂର ହୋଇଯାଏ; କିନ୍ତୁ ସେଥିରେ ରସ ଜ୍ଞାନ ରହିଥାଏ । ଯେତେବେଳେ ଜ୍ଞାନ ବ୍ରହ୍ମମୟ ହୁଏ ବା ବୁଦ୍ଧି ଭଗବାନଙ୍କ ସାକ୍ଷାତ୍‌କାର ଲାଭ କରେ, ସେତେବେଳେ ଏ ରସଜ୍ଞାନ କୁଆଡ଼େ ଉଭେଇଯାଏ । ଅତଏବ ସେହି ପରମାତ୍ମାଙ୍କ ନାମ ଓ ତାଙ୍କର କରୁଣା ମୋକ୍ଷକାମୀ ଲୋକର ଶେଷ ଆଶ୍ରୟ । ମୁଁ ଭାରତକୁ ଫେରିବା ପରେ ଯାଇ ଏହି ତତ୍ତ୍ୱ ମୋ ହୃଦୟରେ ପ୍ରଭାବିତ ହେଲା ।

 

Unknown

ସରଳ ଜୀବନ

 

ଖୁବ୍ ଅଏସ ଓ ଆରାମରେ ଜୀବନଟା କଟାଇବାକୁ ମୁଁ ପ୍ରଥମେ ଆରମ୍ଭ କରିଥିଲି । ମାତ୍ର ସେ ଚେଷ୍ଟା ଅଳ୍ପଦିନରେ ଫସର ଫାଟିଗଲା । ମୁଁ ଘରଦ୍ୱାରଗୁଡ଼ିକ ଖୁବ୍ ଆସବାବ ପତ୍ରରେ ସଜାସଜି କଲି ସତ; କିନ୍ତୁ ଏ ସବୁରେ ମୋର ଆସକ୍ତି ଆସିଲା ନାହିଁ । ମୋର ଏ ପ୍ରକାର ଚାଲିଚଳଣ ଅଳ୍ପ କେତେଦିନ ଆରମ୍ଭ ହୋଇଛି କି ନା, ମୁଁ ମୋର ଖର୍ଚ୍ଚବାର୍ଚ୍ଚ କାଟିବାକୁ ଆରମ୍ଭ କଲି-। ଦେଖିଲି, ଖାଲି ଧୋବା ପାଉଣା ବାବତରେ ଏତେ ବେଶୀ ଖର୍ଚ୍ଚ ହେଲା ଯେ, ଆଉ କୁହା ନ ଯାଏ-। ଧୋବା ମଧ୍ୟ ଠିକ୍ ସମୟରେ ଲୁଗାପଟା ଦିଏ ନାହିଁ । ସେଥିଯୋଗୁଁ ଦୁଇ ତିନି ଡଜନ କାମିଜ ଓ କଲାର ନ ଦେଲେ ଚଳେ ନାହିଁ । ପ୍ରତିଦିନ ନୂଆ କଲାର ବଦଳାଇବାକୁ ପଡ଼େ । କାମିଜଗୁଡାକ ପ୍ରତିଦିନ ନ ହେଲେ ଅନ୍ତତଃ ଦିନେ ଛଡ଼ା ଦିନେ ବଦଳାଇବାକୁ ହୁଏ । ଏଥିରେ ଖର୍ଚ୍ଚ ଦୁଇଗୁଣ ବଢ଼ିଲା, ଆଉ ଏ ଖର୍ଚ୍ଚ ନିତାନ୍ତ ଅନାବଶ୍ୟକ ବୋଲି ମୋର ମନେହେଲା । ତେଣୁ ଏ ଖର୍ଚ୍ଚରୁ ରକ୍ଷା ପାଇବାକୁ ମୁଁ ନିଜେ ଧୋବାକାମ ଚଳାଇବାପାଇଁ ସଜ ସରଞ୍ଜାମ ସବୁ କିଣିଲି । ଲୁଗା ପ୍ରଭୃତି ଧୋବ କରିବାକୁ ଖଣ୍ଡେ ବହି କିଣି ସେଥିରୁ ସୂତ୍ର ସବୁ ପଢ଼ିଲି । ମୋ ଭାର୍ଯ୍ୟାକୁ ସେ ସବୁ ଶିଖାଇଲି-। ଏଥିରେ ମୋର କାମ ବଢ଼ିଲା ସତ; ତଥାପି ଗୋଟାଏ ନୂଆ କାମ ଶିଖିବାରେ ମନରେ ଆନନ୍ଦ ଆସିଲା ।

 

ପ୍ରଥମ କରି ଯେଉଁଦିନ ମୋର କଲାରଟିଏ ମୁଁ ଧୋବକଲି, ସେ ଦିନର କଥା ମୋ ମନରୁ କେବେହେଲେ ପାଶୋରି ଯିବ ନାହିଁ । ଏଥିରେ ଯେତେ ଖଳି ଦେବା କଥା, ମୁଁ ତାଠାରୁ ଅଧିକ ଗୁଡ଼ାଏ ଦେଇ ପକାଇଲି, ଇସ୍ତ୍ରୀ ଲୁହାକୁ ଭଲକରି ଗରମ ବି କଲିନାହିଁ, ପୁଣି କଲାର ପୋଡ଼ିଯିବା ଭୟରେ ଭଲକରି ଘଷିଲି ନାହିଁ । ଫଳରେ କଣ ହେଲା ନା—କଲାରଟା ଚଳିଯିବା ଭଳି ଟାଣ ହେଲା ସତ; କିନ୍ତୁ ଅଧିକା ଖଳିଗୁଡାକ ଝଡ଼ୁ ଝଡ଼ୁ ଖସିଲା । ମୁଁ ସେଇ କଲାର ଲଗାଇ କଚେରୀକୁ ଗଲି । ସାଙ୍ଗ ବାରିଷ୍ଟରମାନେ ଦେଖି ହସିଲେ, ଭାରି ଉପହାସ କଲେ । କିନ୍ତୁ ସେତେବେଳକୁ ଥଟ୍ଟା ସହିବାର ଶକ୍ତି ମୋର ଆସିଯାଇଥାଏ ।

 

ମୁଁ କହିଲି, ‘‘ନିଜ କଲାରକୁ ନିଜେ ଧୋବ କରିବା ଏଇ ମୋର ପ୍ରଥମ । ସେଇଥିପାଇଁ ଏ ଖଳି ବାହାରିପଡ଼ିଲା । ମୋର ତ ଏଥିରେ କିଛି କ୍ଷତି ନାହିଁ; ବରଂ ଲାଭ ଭିତରେ ତୁମର କୌତୁକ ଆସିଛି ।’’

 

ଜଣେ ସଙ୍ଗୀ ପଚାରିଲେ, ‘‘କାହିଁକି ? ଏଠି କଣ ଧୋବା ମିଳୁ ନାହାନ୍ତି ?’’

 

ମୁଁ କହିଲି, ‘‘ଏହି ଧୋବାଙ୍କ ଖର୍ଚ୍ଚ ତ ମତେ ବାଧୁଛି । ଗୋଟାଏ କଲାର ଦାମ୍ ଯେତେ, ଧୁଲେଇ ଖର୍ଚ୍ଚ ପ୍ରାୟ ସେତିକି ପଡ଼ୁଛି । ତାପରେ ଧୋବାଙ୍କର ଅନୁସରଣ କରିବା ତ ଅଛି । ତେଣୁ ସେ ସବୁଠାରୁ ନିଜ ଲୁଗା ନିଜେ ଧୋଇବାକୁ ପସନ୍ଦ କରୁଛି ।’’

 

ଏ କଥାରେ କିନ୍ତୁ ସଙ୍ଗୀମାନେ ସ୍ୱାବଲମ୍ବନର ସୌନ୍ଦର୍ଯ୍ୟ ବୁଝି ପାରିଲେ ନାହିଁ । ସେ ଯାହାହେଉ କାଳକ୍ରମେ ମୁଁ ବେଶ୍ ଧୋବକରି ଶିଖିଲି ଏବଂ ଧୋବାଘର ଧୋବଠାରୁ ଘର ଧୋବ କିଛି ନାକରା ହେଉ ନଥିଲା । ଅନ୍ୟମାନଙ୍କ କଲାରଠାରୁ ମୋ କଲାର ଯେ ନରମା ବା ଅସଫା ହୁଏ, ତା ମଧ୍ୟ ନୁହେଁ । ଗୋଖଲେଙ୍କ ପାଖରେ ଖଣ୍ଡିଏ ଚାଦର ଥିଲା । ସେ ଖଣ୍ଡିକ ସେ ସ୍ୱର୍ଗୀୟ ମହାଦେବ ଗୋବିନ୍ଦ ରାଣାଡେଙ୍କଠାରୁ ଉପହାର ପାଇ ତାକୁ ବଡ଼ ଯତ୍ନରେ ରଖିଥାନ୍ତି ଏବଂ କୌଣସି ବିଶେଷ ଘଟଣା ପଡ଼ିଲେ ବ୍ୟବହାର କରନ୍ତି । ଜୋହାନ୍‌ସବର୍ଗଠାରେ ସେଠା ଭାରତୀୟମାନେ ତାଙ୍କୁ ଗୋଟିଏ ଚା’ ଭୋଜୀ ଦେଇ ବସିଲେ । ସେହି ଭୋଜୀସଭାକୁ ସେ ଚାଦର ଖଣ୍ଡି ପକାଇ ଯିବାକୁ ସେ ବିଚାର କଲେ । ସେ ଚାଦର ଖଣ୍ଡି କିନ୍ତୁ ଲୋଚକୋଚା ହୋଇ ଯାଇଥାଏ-। ତାକୁ ଟିକିଏ ଇସ୍ତ୍ରୀ କରିଦେବା ଦରକାର ହେଲା । ଧୋବାକୁ ଦେଇ ଠିକ୍ ସମୟରେ ତାଠାରୁ ଫେରି ପାଇବାର ସମ୍ଭାବନା ନ ଥାଏ । ମୁଁ ଏତକ କରି ଦେବାକୁ କହିଲି । ଗୋଖଲେ କହିଲେ, ‘‘ଓକିଲାତିରେ ସିନା ତୁମର ଶକ୍ତି ସାମର୍ଥ୍ୟକୁ ମୁଁ ମାନିବି, ମାତ୍ର ଧୋବା କାମରେ ତୁମର ପାରିବାରପଣକୁ ସ୍ୱୀକାର କରିବି କିପରି ? ଆଚ୍ଛା, ଏଥିରେ ଦାଗ ପଡ଼ିଯିବ ତ କଣ ହେବ ?’’ ଏହା କହି ସେ ଚାଦରଟି ରାଣାଡ଼େଙ୍କଠାରୁ କିପରି ପ୍ରସାଦୀ (ଆଶୀର୍ବାଦସହ ଉପହାର) ପାଇଥିଲେ, ସେ କଥା ଅତି ଆନନ୍ଦରେ ପ୍ରକାଶ କଲେ । ମୁଁ ବରାବର ଲଗେଇଲି, ‘‘ନା ମୁଁ ଆଦୌ ଦାଗ ନ ଲଗାଇ ଭଲଭାବରେ ଇସ୍ତ୍ରୀ କରିଦେବି ।’’ ସେ ଶେଷରେ ଅନୁମତି ଦେଲେ । ମୁଁ ତାକୁ ଇସ୍ତ୍ରୀ କରି ତାଙ୍କଠାରୁ ସାର୍ଟିଫିକେଟ ପାଇଲି । ଏଣିକି ସାରା ଦୁନିଆ ମତେ ସାର୍ଟିଫିକେଟ ଦେଲେ କେତେ ନ ଦେଲେ କେତେ ?

 

ଧୋବାର ଗୋଲାମୀରୁ ମୁକ୍ତି ପାଇ ଭଣ୍ଡାରୀ ଦାଉରୁ ରକ୍ଷା ପାଇବାର ଉଦ୍ୟମ କଲି । ଯେତେ ଲୋକ ବିଲାତ ଯାନ୍ତି, ସମସ୍ତେ ନିଜ ହାତରେ ଖିଅର ହେବା ଶିଖନ୍ତି; କିନ୍ତୁ ବାଳ କାଟିବା କେହି ଶିଖନ୍ତି ବୋଲି ମୋର ମନେ ନାହିଁ । ମୁଁ କିନ୍ତୁ ସେତକ ଶିଖିନେଲି । ପ୍ରିଟୋରିଆରେ ଦିନେ ଜଣେ ଇଂରେଜ ଭଣ୍ଡାରୀ ପାଖକୁ ମୁଁ ଗଲି । ସେ ନାକଟେକି ମୋ ବାଳ କାଟିଦେବାକୁ ଠୋ କରି ମନାକରିଦେଲା । ମତେ ବଡ଼ ବାଧିଲା । ମୁଁ ସାଙ୍ଗେ ସାଙ୍ଗେ ବଜାରକୁ ଯାଇ ବାଳ କାଟିବାର ସଜତକ କିଣିଆଣିଲି, ଆଉ ଅଇନା ପାଖରେ ଠିଆହୋଇ ନିଜ ବାଳ ନିଜେ କାଟିଲି । ଆଗ ବାଳତକ ଯାଇତାଇ କରି କାଟିଦେଲି । ମାତ୍ର ପଛବାଳ କାଟିବା କାଠିକରି ପାଠ ହେଲା । ସିଧା ସମାନ କରି କାଟି ହେଲା ନାହିଁ । କଚେରୀରେ ସାଙ୍ଗମାନେ ଦେଖି ଭାରି ହସିଲେ ।

 

‘‘ଗାନ୍ଧୀ, ତୁମ ମୁଣ୍ଡରେ କାଲି ରାତିରେ ମୂଷା ଚଢ଼ିଥିଲେ କି ?’’

 

‘‘ନା, ଗୋରା ଭଣ୍ଡାରୀ ମୋର ଏ କଳା ବାଳ କାଟିବାକୁ ରାଜି ହେଲା ନାହିଁ । ସେଥିଲାଗି ମୁଁ ନିଜେ ମୋ ବାଳ କାଟିବାକୁ ସ୍ଥିର କଲି, ତେଣିକି ଭଲ ହେଉ ବା ମନ୍ଦ ହେଉ ।’’

 

ଏ କଥାରେ ଅବଶ୍ୟ ସଙ୍ଗୀମାନଙ୍କର କିଛି ଆଶ୍ଚର୍ଯ୍ୟ ହେବାର ନ ଥିଲା । ସତ ଦେଖିବାକୁ ଗଲେ, ସେ ଭଣ୍ଡାରୀର ବି କିଛି ଦୋଷ ନ ଥିଲା । ସେ ଯଦି କଳା ଲୋକଙ୍କ ବାଳ କାଟିବ, ତେବେ ତା ରୋଜଗାର ବୁଡ଼ିଯିବ । ଆମେ ତ ଆମ ଭଣ୍ଡାରୀକୁ ଅସ୍ପୃଶ୍ୟ ଜାତିଙ୍କୁ ଖିଅର କରିବାକୁ ଦେଉ ନାହିଁ । ଏ କର୍ମର ଫଳ ମୁଁ ଦକ୍ଷିଣ ଆଫ୍ରିକାରେ ଥରେ ନୁହେଁ ବହୁତ ଥର ପାଇଛି । ଆଉ ଆମରି କର୍ମର ଫଳ ବୋଲି ମୁଁ ବୁଝୁଥିବାରୁ ମୋର ଏ କଥାରେ କେବେହେଲେ ରାଗ ଆସେ ନାହିଁ ।

 

ଯାହାହେଉ ସ୍ୱାବଲମ୍ବନ ଓ ସରଳ ଜୀବନଯାପନ ଦିଗରେ ମୋର ଚେଷ୍ଟା କିପରି ବିରାଟ ଆକାରରେ ପ୍ରକାଶ ପାଇଲା, ତାହା ଯଥା ସ୍ଥାନରେ ବର୍ଣ୍ଣନା କରିବି । ଏଥିର ବୀଜ ବହୁକାଳରୁ ପୋତା ହୋଇଥିଲା । ଖାଲି ଚେର ଧରି ଫୁଲ ଫଳ ହେବାକୁ ଏଥିରେ ରୀତିମତ ପାଣି ଦେବା ଦରକାର ଥିଲା । ଯଥାସମୟରେ ଏ ପାଣି ମଧ୍ୟ ଦିଆଗଲା ।

 

ବୋର୍‌ ଯୁଦ୍ଧ

 

ସନ ୧୮୯୭ରୁ ୧୮୯୯ ସାଲ ମଧ୍ୟରେ ମୋର ଜୀବନର ଅନ୍ୟ ଅନେକ ଅନୁଭୂତି ଛାଡ଼ିଦେଇ ଏକାବେଳକେ ବୋର୍‌ଯୁଦ୍ଧ କଥା ଆରମ୍ଭ କରୁଛି । ଏ ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ମୋର ସହାନୁଭୂତି ବୋର୍ ମାନଙ୍କ ତରଫରେ ଥାଏ । କିନ୍ତୁ ମୋର ସେତେବେଳର ବିଶ୍ୱାସ ଥିଲା ଯେ, ନିଜ ବ୍ୟକ୍ତିଗତ ମତ ଅନୁସାରେ ଏ ସବୁ ଘଟଣାରେ ଅଗ୍ରସର ହେବା ଉଚିତ୍ ନୁହେଁ । ଏ ସମ୍ବନ୍ଧରେ ମୋ ମନ ଗୋଳମାଳରେ ସୂକ୍ଷ୍ମ ବର୍ଣ୍ଣନା ମୁଁ ‘ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ’ ନାମକ ପୁସ୍ତକରେ କରିସାରିଛି । ସେଥିପାଇଁ ସେ ସବୁକୁ ଏଠାରେ ଆଉ ଥରେ ବର୍ଣ୍ଣନା କରିବା ଅନାବଶ୍ୟକ । ସେ ବିଷୟ କେହି ଜାଣିବାକୁ ଇଚ୍ଛାକଲେ ସେ ବହିଖଣ୍ଡି ପଢ଼ିଲେ ଜାଣି ପାରିବେ । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଇଂରେଜ ଶାସନ ପ୍ରତି ମୋର ସେତେବେଳେ ଭକ୍ତି ଥିଲା; ମୁଁ ସେହି ଭକ୍ତିରେ ଚାଳିତ ହୋଇ ଏ ଯୁଦ୍ଧରେ ଇଂରେଜମାନଙ୍କ ପକ୍ଷ ନେଲି । ମୁଁ ଭାବିଲି, ଇଂରେଜ ସାମ୍ରାଜ୍ୟରେ ରହି ସ୍ୱାଧୀନ ଇଂରେଜ ବାସିନ୍ଦାର ସକଳ ଅଧିକାର ଯଦି ମୁଁ ଦାବି କରେ, ତେବେ ଇଂରେଜ ସାମ୍ରାଜ୍ୟକୁ ରକ୍ଷା କରିବାରେ ମୋର ଯୋଗ ଦେବା ଉଚିତ ନୁହେଁ କି ? ବ୍ରିଟିଶ ସାମ୍ରାଜ୍ୟ ଭିତରେ ରହି ମଧ୍ୟ ଭାରତର ସର୍ବବିଧି ଉନ୍ନତି ହୋଇ ପାରିବ ବୋଲି ସେତେବେଳେ ମୋର ମତ ଥିଲା । ସେଥିପାଇଁ ମୁଁ ମୋ ପାରୁପର୍ଯ୍ୟନ୍ତ ଲାଗି ଗୁଡ଼ିଏ ସହକର୍ମୀ ସଂଗ୍ରହ କଲି ଏବଂ ବହୁ କଷ୍ଟରେ ସେମାନଙ୍କୁ ସେବକ ସୈନ୍ୟବାହିନୀ ରୂପେ ଗୃହୀତ କରାଇଲି ।

 

ସାଧାରଣତଃ ଇଂରେଜମାନଙ୍କର ବିଶ୍ୱାସ ଯେ, ଭାରତୀୟମାନେ ଭୀରୁ, କୌଣସି ବିପଦର ସମ୍ମୁଖୀନ ହେବାକୁ ଅଯୋଗ୍ୟ, ନିଜର ସାମାନ୍ୟ ଆଶୁ ବା ନିକଟ ସ୍ୱାର୍ଥସିଦ୍ଧି ଛଡ଼ା ଅନ୍ୟ ଦୂରଦୃଷ୍ଟି ସେମାନଙ୍କର ମୋଟେ ନାହିଁ । ସେଥିଲାଗି ମୋର ଅନେକ ଇଂରେଜ ବନ୍ଧୁ ମୋର ଏ ପ୍ରସ୍ତାବକୁ ଭଙ୍ଗାଭଙ୍ଗି କରି ବହୁତ କଥା କହିଲେ । କିନ୍ତୁ ଡାକ୍ତର ବୁଥ୍‌ ବଡ଼ ଆଗ୍ରହ ଓ ଆବେଗରେ ମୋ କାର୍ଯ୍ୟକୁ ସମର୍ଥନ କଲେ । ଆମ୍ଭମାନଙ୍କୁ ସେବା କାର୍ଯ୍ୟରେ ରୀତିମତ ଟ୍ରେନିଂ ଦେଲେ । ଯୁଦ୍ଧଭୂମିରେ କାମ କରିବାପାଇଁ ଆମର ଯେ ଶାରୀରିକ ଶକ୍ତି ଓ ସ୍ୱାସ୍ଥ୍ୟ ଅଛି, ଏଥିପାଇଁ ଡାକ୍ତର ସାର୍ଟିଫେକେଟ୍‌ ମଧ୍ୟ ମିଳିଗଲା । ମିଷ୍ଟର ଲାଟନ୍‌ ଓ ମି. ଏସକୋମ୍ ଆମର ଏ ଉଦ୍ୟମରେ ଭାରି ଆଗ୍ରହ ଦେଖାଇ ଆମକୁ ସାହାଯ୍ୟ କରେ । ଶେଷରେ ଯୁଦ୍ଧଭୂମିରେ ଲଢ଼େଇ ଲାଗିଥିବା ସ୍ଥାନରେ ସମ୍ମୁଖକୁ ଯାଇ ସେବା କାର୍ଯ୍ୟ କରିବାକୁ ଆମେ ଦରଖାସ୍ତ କଲୁ । ସରକାର ଆମ ଦରଖାସ୍ତ ପାଇ ଆମକୁ ଧନ୍ୟବାଦ ଦେଲେ, ଆଉ ଜଣାଇ ଦେଲେ ଯେ, ଏଭଳି ସେବାକାର୍ଯ୍ୟ ଏପର୍ଯ୍ୟନ୍ତ ଦରକାର ହୋଇ ନାହିଁ ।

 

ଆମେ କିନ୍ତୁ ସରକାରଙ୍କ ଏଭଳି ନାସ୍ତି ବାଣୀରେ ସନ୍ତୁଷ୍ଟ ହୋଇ ବସି ରହିଲୁ ନାହିଁ । ଡାକ୍ତର ବୁଥ୍‌ଙ୍କ ସାହାଯ୍ୟ ନେଇ ମୁଁ ନିଜେ ଯାଇ ନାତାଲରେ ବିସପ୍ (ବଡ଼ପାଦ୍ରୀ)ଙ୍କ ସଙ୍ଗେ ସାକ୍ଷାତ କଲି । ଆମ ସେବା-ସୈନିକମଣ୍ଡଳୀର ଅନେକ ଭାରତୀୟ ଖ୍ରୀଷ୍ଟାନ ଥାଆନ୍ତି । ବିସପ୍‌ ମୋର ପ୍ରସ୍ତାବ ଶୁଣି ଖୁସି ହେଲେ ଏବଂ ସାହାଯ୍ୟ କରିବାକୁ ଜବାବ ଦେଲେ ।

 

ଏଣେ ଘଟନାଚକ୍ର ମଧ୍ୟ ତା କାମ କରି ଚାଲିଥାଏ । ବୋରମାନଙ୍କଠାରୁ ଯାହା ଆଶା କରା ଯାଇଥିଲା, ସେମାନେ ତାହାଠାରୁ ଅଧିକ ସାହସ, ସଂକଳ୍ପ ଓ ବୀରତ୍ୱ ଦେଖାଇଲେ । ସରକାରଙ୍କର ବହୁତ ରଙ୍ଗରୁଟ୍ (ନୂଆ ସୈନିକ) ଭର୍ତ୍ତି ହେଲେ ଏବଂ ଶେଷରେ ଆମ କାମ ସରକାରର ଦରକାର ପଡ଼ିଲା ।

 

ପ୍ରାୟ ୧୧ଶହ ସେବକସୈନିକ ଆମ ଦଳରେ ଜାଗତିଆର ଥାଆନ୍ତି । ଏଥି ମଧ୍ୟରୁ ୪୦ ଜଣ ଚାଳକ ବା ଅଗ୍ରଣୀ । ଏ ସମସ୍ତଙ୍କ ଭିତରେ ପ୍ରାୟ ୩୦୦ ସରିକି ସ୍ୱାଧୀନ ଭାରତୀୟ, ବାକି ସମସ୍ତେ ଗିରିମିଟିଆ । ଡାକ୍ତର ବୁଥ୍‌ ମଧ୍ୟ ଆମ ସାଙ୍ଗରେ ଥାନ୍ତି । ଆମ ଦଳ ଖୁବ୍ ଭଲ କାମ କଲେ । ସାଧାରଣତଃ ଭୀଷଣ ଯୁଦ୍ଧ ଓ ଗୋଳାଗୁଳିର ବାହାରେ ରହି ଆମର କାମ କରିବାର କଥା; ତା ଛଡ଼ା ‘‘ରେଡ଼କ୍ରସ୍‌’’ ସାହାଯ୍ୟରେ ରକ୍ଷା ପାଇବାର ସୁଯୋଗ ଆମର ଥାଏ । ତଥାପି ଏପରି ବେଳ ଆସିଲା, ଯେତେବେଳେ କି ଆମକୁ ଯୁଦ୍ଧ ଓ ଗୁଳି ଗୁଳାର ଭିତରେ ମଧ୍ୟ କାମ କରିବାକୁ ପଡ଼ିଲା । ଆଗରୁ ନିରାପଦ କ୍ଷେତ୍ରରେ କାମ କରିବାକୁ ଆମେ ଯେ ନିଜେ ଯୋଗାଡ଼ କରି କରାଇ ନେଇଥିଲୁ ତା ନୁହେଁ । ଆମକୁ ଯୁଦ୍ଧ ଭିତରେ ପୂରାଇବାକୁ ଇଚ୍ଛା ନ କରି କର୍ତ୍ତାମାନେ ଏହା କରିଥିଲେ । ମାତ୍ର ‘‘ସ୍ପିୟାଙ୍ଗ୍‌କୋପ୍‌’’ ଠାରେ ସରକାର ପକ୍ଷର ସୈନ୍ୟମାନେ ହାରି ପଛଘୁଞ୍ଚା ଦେଲାରୁ ଅବସ୍ଥା ବଦଳିଗଲା । ଜେନେରାଲ ବୁଲର ଆମ ପାଖକୁ ଖବର ଦେଲେ—ଆପଣମାନେ ଏପରି ବିପଦଗ୍ରସ୍ତ ହୋଇ କାମ କରିବାକୁ ଅବଶ୍ୟ ବାଧ୍ୟ ନୁହନ୍ତି; ତଥାପି ଏତେବେଳେ ଆପଣମାନେ ଜୀବନ ପାଣି ଛଡ଼ାଇ ଯୁଦ୍ଧ ଭିତରେ ପଶି ଦରମରା ଓ ଆହତ ସୈନ୍ୟମାନଙ୍କୁ ବୋହି ଆଣିପାରିଲେ ସରକାର ଆପଣମାନଙ୍କୁ ବିଶେଷ ଧନ୍ୟବାଦ ଦେବେ ।’’ ଆମ୍ଭେମାନେ ତିଳେହେଲେ ଦ୍ୱିଧା କଲୁ ନାହିଁ । ‘ସ୍ପିୟାଙ୍ଗ୍‌କୋପ୍’ ଠାରେ ଏପରି ଅବସ୍ଥା ହେଲା ଯେ, ଗୁଳି ବୃଷ୍ଟି ହେଉଥାଏ, ଆମେ ସବୁ ତାରି ଭିତରେ ପଶି କାର୍ଯ୍ୟ କରୁଥାଉଁ । ଏ କେତେଦିନ ଆହତ ସୈନ୍ୟମାନଙ୍କୁ ଖଟିଆରେ ଧରି ଆମ୍ଭେମାନେ ଦିନକୁ ୨୦।୨୫ ମାଇଲ କରି ବାଟ ଯାଉଁ । ଆହତ ସୈନିକ ଭିତରେ ଜେନେରାଲ ଉଡଗେଟଙ୍କ ପରି ବଡ଼ ବଡ଼ ସୈନିକ ଓ ସେନାପତିଙ୍କୁ ଆମ୍ଭେମାନେ ବୋହିଥିଲୁ ।

 

ଛଅ ସପ୍ତାହ ପରେ ଆମ ଦଳକୁ ବିଦାୟ ଦେବାର ସମୟ ଆସିଲା । ‘ସ୍ପିୟାଙ୍ଗ୍‌କୋପ୍’ ଓ ‘ଓ୍ୟାଲ୍ କାଣ୍ଟେ’ଠାରେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇ ଇଂରେଜ ସେନାପତି ଆଉ ହୁଙ୍କାପିଟା ଭାବରେ ଲେଡ଼ିସ୍ମିଥ୍‌ ପ୍ରଭୃତି ସ୍ଥାନକୁ ବୁଅରମାନଙ୍କ ଘେର ଭିତରୁ ମୁକ୍ତ କରିବା ପାଇଁ ସାହସ କଲେ ନାହିଁ । ଇଂଲଣ୍ଡରୁ ଓ ଭାରତରୁ ଆଉ ଅଧିକ ସୈନ୍ୟ ଆସିବା ଯାଏ ଅପେକ୍ଷା କରି ଧୀରେ ଧୀରେ ଗତି କରୁଥାନ୍ତି ।

 

ଆମ୍ଭମାନଙ୍କର କାର୍ଯ୍ୟ ହେତୁ ଏତେବେଳେ ପ୍ରଶଂସାର ଆଉ ସୀମା ରହିଲା ନାହିଁ । ଭାରତୀୟମାନଙ୍କର ଖାତିର୍‌ ମଧ୍ୟ ଏଥିରେ ବଢ଼ିଗଲା । ଖବର କାଗଜମାନଙ୍କରେ ଆମର ପ୍ରଶଂସା ସଂଗୀତ ଆକାରରେ ପ୍ରକାଶ ପାଇଲା; ଯଥା—‘‘ଶେଷରେ ଭାରତୀୟମାନେ ମଧ୍ୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଅଟନ୍ତି ।’’ ଜେନେରାଲ ବୁଲର୍‌ ଯେତେବେଳେ ତାଙ୍କର ଶେଷ ରିପୋର୍ଟ ପଠାଇଲେ, ସେଥିରେ ଆମ ଦଳର ଖୁବ୍ ପ୍ରଶଂସା କରି ଲେଖିଲେ । ଆମ ଦଳର ଚାଳକ ଓ ଅଗ୍ରଣୀମାନଙ୍କୁ ଯୁଦ୍ଧ ପୁରସ୍କାର ମିଳିଲା ।

 

ଏ ଘଟଣା ପରେ ଭାରତୀୟ ସଂପ୍ରଦାୟ ଅଧିକ ସଂଗଠିତ ହୋଇଥିଲେ । ମୁଁ ମଧ୍ୟ କ୍ରମେ ଘନିଷ୍ଠ ଭାବରେ ଗିରିମିଟିଆ କୁଲିଙ୍କ ସମ୍ପର୍କରେ ଆସିଲି । ସମସ୍ତଙ୍କ ଭିତରେ ଗୋଟାଏ ଜାଗରଣ ଆସିଲା ଯେ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ୍, ତାମିଲ, ଗୁଜୁରାତୀ ବା ସିନ୍ଧୀ ଯେ ଯାହା ହୁଅନ୍ତି, ସମସ୍ତେ ଭାରତୀୟ ଏବଂ ଏକ ମାଆର ସନ୍ତାନ । ଏଣିକି ସମସ୍ତଙ୍କର ବିଶ୍ୱାସ ହେଲା ଯେ, ଭାରତୀୟ ଲୋକଙ୍କର ଆପତ୍ତି ଅଭିଯୋଗର ପ୍ରତିକାର ନିଶ୍ଚୟ ହେବ । ଗୋରାମାନଙ୍କ ବ୍ୟବହାରରେ ମଧ୍ୟ ସ୍ପଷ୍ଟ ପରିବର୍ତ୍ତନ ଦେଖାଗଲା । ଯୁଦ୍ଧ ଭିତରେ ଗୋରାମାନଙ୍କ ସଙ୍ଗେ ବିଶେଷ ସଦଭାବ ଓ ବନ୍ଧୁତା ସ୍ଥାପିତ ହୋଇଥିଲା । ହଜାର ହଜାର ଟୋମୀ (ଇଂରେଜ ସୈନିକ)ଙ୍କ ସଙ୍ଗେ ପରିଚୟ ହେଲା । ସେମାନେ ମଧ୍ୟ ଆମ୍ଭମାନଙ୍କ ସଙ୍ଗେ ବନ୍ଧୁପରି ବ୍ୟବହାର କରୁଥିଲେ ଏବଂ ଆମ୍ଭେମାନେ ଯେ ତାଙ୍କରି ସେବା କରିଛୁ; ଏକଥା ଜାଣିପାରି ଧନ୍ୟବାଦ ଦେଇଥିଲେ ।

 

ଦୁଃଖ ସମୟରେ ମଣିଷର ସ୍ୱଭାବ କିପରି ବଦଳିଯାଏ, ତାହାର ଏକ ସ୍ମୃତି ଏଠାରେ ଉଲ୍ଲେଖ ନ କରି ରହିହେବ ନାହିଁ । ଆମେ ଥରେ ‘ଚିଞ୍ଚରୀ’ ଛାଉଣୀ ଆଡ଼କୁ ଫେରି ଯାଉଥାଉ । ସେଠାରେ ଲର୍ଡ଼ ରବାଟ୍‌ଙ୍କର ପୁଅ ଲେଫଟ୍‌ନାଣ୍ଟ ରବାଟ୍‌ଙ୍କ ଦେହରେ ମରଣ ଗୁଳି ବାଜିଥାଏ । ସୌଭାଗ୍ୟକୁ ଆମ ଭାଗରେ ତାଙ୍କୁ ବୋହି ଆଣିବାର ସୁବିଧା ମିଳିଗଲା । ଆମ୍ଭେମାନେ ତାଙ୍କୁ ବୋହି ଘେନି ଆସୁଥାଉ । ସେଦିନ ଆମର ଯାତ୍ରା ଦିନ । ଭୀଷଣ ଖରାରେ ସମସ୍ତେ ଶୋଷେଇଥାନ୍ତି । ବାଟରେ ଆସୁ ଆସୁ ଗୋଟାଏ ଛୋଟ ଝରଣା ପଡ଼ିଲା । ଏଠାରେ ପାଣି ଟୋପାଏ ଟୋପାଏ ପିଇବାକୁ ବିଚାର କଲୁ । କିନ୍ତୁ କିଏ ପହିଲେ ପାଣି ପିଇବ ? ଆମେ କହିଲୁ ‘‘ଟୋମୀମାନେ ଆଗ ପିଅନ୍ତୁ, ଆମେ ପଛେ ପିଇବୁ ।’’ ସେମାନେ ଜିଦ୍ ଧଇଲେ, ‘‘ନାହିଁ ତୁମେ ସେବକ ସୈନିକମାନେ ଆଗ ପିଅ, ଆମେ ପଛେ ପିଇବୁ ।’’ ଏମିତି ଅନେକ ବେଳଯାଏ ‘‘ତୁମେ ଆଗ ଆମେ ପଛ’’ ଏହିଭଳି ମଧୁର ଠେଲାଠେଲି ଚାଲିଲା । ଏଥିରେ ପ୍ରାଣର ମହତ୍ତ୍ୱ ଓ ଆନନ୍ଦ ପୂରିରହିଥାଏ ।

 

ସହର ସଂସ୍କାର—ଦୁର୍ଭିକ୍ଷ ଚାନ୍ଦା

 

ମାନବ ସମାଜର କୌଣସି ଗୋଟିଏ ଅଙ୍ଗ ବିକାଶହୀନ, ଅଚଳ ବା ନିକମ ହେଲେ ମତେ ଭାରି ଅଡ଼ୁଆ ଲାଗେ । ଲୋକଙ୍କ ଦୋଷ ଘୋଡ଼େଇ ପକେଇ ସେମାନଙ୍କ ପକ୍ଷ ସମର୍ଥନ କରିବା କିମ୍ବା ଦୋଷ ଦୂର ନ କରି ନିଜର ଅଧିକାର ପାଇଁ ଲଢ଼ିବାକୁ ମୋର ଆଦୌ ଇଚ୍ଛା ହୁଏ ନାହିଁ । ତେଣୁ ମୁଁ ନାତାଲରେ ରହିବା ଦିନଠୁଁ ଭାରତୀୟମାନଙ୍କ ବିଷୟରେ ଯେଉଁ ଆପତ୍ତି ସାଧାରଣତଃ ଲୋକେ କରିଥାନ୍ତି, ତାହାର ନିରାକରଣ ପାଇଁ ବରାବର ଉଦ୍ୟମ କରୁଥିଲି । ଏ ଆପତ୍ତି ଯେ କେତେକ ପରିମାଣରେ ଯଥାର୍ଥ, ଏଥିରେ ସନ୍ଦେହ ନାହିଁ । ଲୋକେ ଦୋଷ ଦେଖାଇ କହନ୍ତି ଯେ, ଭାରତୀୟମାନଙ୍କର ଲୁଗାପଟା ପୋଷାକ ପରିଚ୍ଛଦ ବଡ଼ ଅପରିଷ୍କାର । ସେମାନେ ନିଜ ରହିବା ସ୍ଥାନ ଓ ଘରବାଡ଼ି ସୁଦ୍ଧା ସଫା ରଖନ୍ତି ନାହିଁ । ଏଭଳି ଅଭିଯୋଗକୁ ମୂଳପୋଛ କରିବାପାଇଁ ଭାରତୀୟ ସମାଜର ମୁଖିଆ ଲୋକେ ଇତିମଧ୍ୟରେ ନିଜ ଘରଦ୍ୱାର ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଉଦ୍ୟମ କରୁଥାନ୍ତି । କିନ୍ତୁ ଡରବାନରେ ଯେତେବେଳେ ପ୍ଲେଗ ମଡ଼କ ପଶିବାର ଆଶଙ୍କା ହେଲା, ସେତେବେଳେ ଯାଇ ଘର ଘର ବୁଲି ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଦେଖିବାକୁ ପଡ଼ିଲା । ସହରର ମ୍ୟୁନିସିପାଲିଟି କମିଶନରମାନେ ଏ ବିଷୟରେ ଆମର ସହଯୋଗିତା ଲୋଡ଼ିଲେ, ତେଣୁ ସେମାନଙ୍କର ପରାମର୍ଶ ଓ ଅନୁମତି ନେଇ ଆମେ ଘର ଘର ବୁଲି କାମ ଆରମ୍ଭ କଲୁ । ଆମର ସାହାଯ୍ୟ ପାଇବାରୁ ସେମାନଙ୍କର ନାମ ମଧ୍ୟ ହାଲୁକା ହୋଇଗଲା । ସଙ୍ଗେ ସଙ୍ଗେ ଆମର କଷ୍ଟ ଓ ଅସୁବିଧା ମଧ୍ୟ ସେହିପରି କମିଗଲା । ସାଧାରଣତଃ କୌଣସିଠାରେ ସଂକ୍ରାମକ ରୋଗ ଲାଗିଲେ କର୍ତ୍ତୃପକ୍ଷ ଲୋକେ ହଠାତ୍ ଅସ୍ଥିର ହୋଇପଡ଼ନ୍ତି, ବଡ଼ ବଡ଼ କଡ଼ା ନିୟମ ସବୁ ଜାରି କରିଦିଅନ୍ତି । ଯେଉଁମାନେ ସେମାନଙ୍କ ବିଷଦୃଷ୍ଟିରେ ପଡ଼ନ୍ତି, ସେମାନଙ୍କ ପ୍ରତି କଠୋର ବ୍ୟବହାର କରନ୍ତି । ଯାହାହେଉ ଭାରତୀୟମାନେ ନିଜ ନିଜ ଆଡ଼ୁ ସ୍ୱାସ୍ଥ୍ୟ ନିୟମ ସବୁ ପାଳନ କରି ଏପରି ଜୁଲମରୁ ରକ୍ଷା ପାଇଗଲେ ।

 

ମାତ୍ର ଏ ସବୁରେ ମୋର ଅନେକ ତିକ୍ତ ଅଭିଜ୍ଞତା ଆସିଲା । ମୁଁ ଦେଖିଲି, ସ୍ଥାନୀୟ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାପାଇଁ ଯେତେ ସହଜରେ ସାଧାରଣଙ୍କର ସାହାଯ୍ୟ ପାଇପାରୁଥାଏ, ନିଜେ ନିଜର କର୍ତ୍ତବ୍ୟ ପାଳନ କରିବା ବିଷୟରେ ସେମାନଙ୍କର ସାହାଯ୍ୟ ଓ ସହଯୋଗିତା ସେତେ ସହଜରେ ମିଳିଲା ନାହିଁ । ଏଥିପାଇଁ କେତେ ଜାଗାରେ ମତେ ଅପମାନ ଭୋଗ କରିବାକୁ ପଡ଼ିଛି । ଆଉ କେତେ ଜାଗାରେ ଲୋକେ ଭଦ୍ରଭାବରେ ଶୁଣି ନ ଶୁଣିଲାପରି ରହିଯାନ୍ତି । ନିଜ ଘରଦ୍ୱାର ଓ ଆଖପାଖ ସଫାସୁତୁରା ରଖିବେ, ଏତିକି କଥା ସେ କଲାବେଳକୁ ତାଙ୍କୁ ଖରାପ ଲାଗୁଥାଏ । ପଇସା ଖର୍ଚ୍ଚ କରିବା କଥା ତ ଛାଡ଼ । ଲୋକଙ୍କଦ୍ୱାରା କୌଣସି କାମ କରାଇବାକୁ ହେଲେ ବହୁ ଧୈର୍ଯ୍ୟ ଧରି ରହିବା ଉଚିତ୍, ଏତକ ଶିକ୍ଷା ମୁଁ ଭଲଭାବରେ ପାଇଲି । ଆମ ଲୋକସମାଜରୁ କୌଣସି ସଂସ୍କାର କରିବସିଲେ ନିଜେ ସଂସ୍କାରକ ସିନା ବ୍ୟାକୁଳ ହେବେ, ସମାଜରୁ କୌଣସି ସହାୟତା ଆଶା କରିବା ବିଡ଼ମ୍ବନା । ବରଂ ଲୋକଙ୍କଠାରୁ ବାଧାବିଘ୍ନ ଘୃଣା ଲାଞ୍ଛନା, ଏପରି କି ଶାରୀରିକ ଦୁଃଖ ଯନ୍ତ୍ରଣା ଭୋଗ କରିବାକୁ ହୁଏ । ସଂସ୍କାରକ ଯାହାକୁ ‘ସୁଧାରିବା’ ବୋଲି ବିଚାରନ୍ତି, ଲୋକେ ତାକୁ ‘କୁଧାରିବା’ ବୋଲି ନ ବିଚାରିବେ କାହିଁକି ? ନିତାନ୍ତ ‘କୁଧାରିବା’ ବୋଲି ନ ବିଚାରିଲେ ସୁଦ୍ଧା ଅନ୍ତତଃ ପକ୍ଷେ ଉଦାସୀନ ବା ନ ରହିବେ କାହିଁକି ? ଏ ଆନ୍ଦୋଳନର ଫଳ ଏଇଆ ହେଲା ଯେ, ଭାରତୀୟ ସମାଜରେ ଘର ଦ୍ୱାର ସଫା ସୁତୁରା ରଖିବାର ଆବଶ୍ୟକତା ଅଳ୍ପେ ବହୁତେ ସମସ୍ତେ ସ୍ୱୀକାର କଲେ । କର୍ତ୍ତୃପକ୍ଷଙ୍କ ନିକଟରେ ଆମର ସମ୍ମାନ ବଢ଼ିଗଲା । ସେମାନେ ବୁଝିପାରିଲେ ସେ ଖାଲି ଫେରାଦ ହେବା ବା ହକ୍ ମାଗିବା ଆମର ବେପାର ନୁହେଁ । ବରଂ ଫେରାଦ ହେବା ବା ଅଧିକାର ମାଗିବାରେ ଆମର ଦୃଢ଼ତା ଯେତିକି ପ୍ରକାଶ ପାଉଥିଲା—ନିଜର ଦୋଷ ଦୁର୍ବଳତା ଦୂର କରିବା ବିଷୟରେ ବା ନିଜ ଘରକୁ ସୁଧାରିବାରେ ସେତିକି ବା ତତୋଽଧିକ ଦୃଢ଼ତା ପ୍ରକାଶ ପାଇଲା ।

 

କିନ୍ତୁ ଏସବୁ ଭିତରେ ଆଉ ଗୋଟିଏ କର୍ତ୍ତବ୍ୟ ଏବେ ସୁଦ୍ଧା ବାକି ରହିଥାଏ । ସେ କର୍ତ୍ତବ୍ୟଟି ହେଉଛି ଏଠାର ପ୍ରତ୍ୟେକ ଭାତରବାସୀର ପ୍ରାଣରେ ନିଜ ମାତୃଭୂମି ପ୍ରତି ଯେଉଁ କର୍ତ୍ତବ୍ୟ ରହିଛି, ତାହାର ଜାଗରଣ କରିବା । ଲୋକେ ପଇସା କମେଇବାପାଇଁ ପରଦେଶକୁ ଆସିଛନ୍ତି । ତାଙ୍କ ରୋଜଗାରର କିୟଦଂଶ ଭାରତବର୍ଷର ବିପଦ ସମୟରେ ଦାନ କରିବାପାଇଁ ଏମାନେ ବାଧ୍ୟ-। ୧୮୯୭ ଓ ୧୮୯୯ ସାଲ ଦୁର୍ଭିକ୍ଷ ବେଳେ ଏମାନେ ସେପରି କରିଥିଲେ । ଦୁର୍ଭିକ୍ଷ ସାହାଯ୍ୟ ପାଇଁ ସେମାନେ ଯଥେଷ୍ଟ ପରିମାଣରେ ଦାନ ଦେଇଥିଲେ । ୧୮୯୭ ସାଲଠାରୁ ୧୮୯୯ ସାଲରେ ଆହୁରି ଅଧିକ ସାହାଯ୍ୟ ଦେଇଥିଲେ । ଆମ୍ଭେମାନେ ଗୋରା ଇଂରେଜମାନଙ୍କୁ ମଧ୍ୟ ସାହାଯ୍ୟ ଲାଗି ନିବେଦନ କଲୁ । ସେମାନେ ବେଶ୍ ସାହାଯ୍ୟ କଲେ । ଏପରିକି ଗିରିମିଟିଆ କୁଲିମାନେ ମଧ୍ୟ ନିଜ ନିଜ ଆୟକୁ ଚାହିଁ ସେମାନଙ୍କ ଭାଗ ଦେଇଥିଲେ । ସେହି ଦୁର୍ଭିକ୍ଷ ସମୟରୁ ଏହି ଯେଉଁ ପ୍ରଥା ଆରମ୍ଭ ହେଲା ଏହା ବରାବର ଚାଲିଆସୁଚି । ମୁଁ ଜାଣେ, ଭାରତର କୌଣସି ଜାତୀୟ ବିପଦ ବେଳେ ଦକ୍ଷିଣ ଆଫ୍ରିକାର ଭାରତୀୟ ଲୋକେ ଯଥେଷ୍ଟ ପରିମାଣରେ ସାହାଯ୍ୟ ପଠାଇବାକୁ କେବେହେଲେ ଭୁଲି ନାହାନ୍ତି । ଏହି ପ୍ରକାରେ ଦକ୍ଷିଣ ଆଫ୍ରିକା ଭାରତୀୟଙ୍କର ସେବା କରୁ କରୁ ମୁଁ ନିଜେ ଗୋଟିକ ପରେ ଗୋଟିଏ ଅନେକ ବିଷୟ ସହଜରେ ଶିଖିପାରିଲି । ସତ୍ୟ ଗୋଟିଏ ବିରାଟ ବୃକ୍ଷ । ତାକୁ ଯେତିକି ହେପାଜତ୍ କରିବ, ସେଥିରୁ ସେତିକି ଅଧିକରୁ ଅଧିକ ଫଳ ମିଳିବ । ସତ୍ୟର ଖଣିଜ ଭଣ୍ଡାରରେ ଯେତିକି ଦୂରକୁ ଯାଇ ଅନୁସନ୍ଧାନ କରିବ, ସେତିକି ଭିତରର ଲୁକ୍‍କାୟିତ ଓ ସେଡ଼ିକି ମୂଲ୍ୟବାନ ମଣିମାଣିକ୍ୟ ଅବଶ୍ୟ ଲାଭ ହେବ । ସତ୍ୟର ଗଭୀର ଅନୁସନ୍ଧାନରେ ସେବାପାଇଁ ଚିର ନୂତନ ଓ ପ୍ରଶସ୍ତତର କ୍ଷେତ୍ର ପ୍ରତିଭାତ ହେବ । ଅର୍ଥାତ୍ ସତ୍ୟର ଆଲୋଚନା କରି କାର୍ଯ୍ୟ କରି ବସିଲାବେଳେ ନୂଆ ନୂଆ କର୍ତ୍ତବ୍ୟର ପନ୍ଥା ବିରାଟ, ବିସ୍ତୃତ ଓ ମହତ୍ତ୍ୱର ଭାବରେ ଦେଖାଯାଏ ।

 

ଦେଶ ଗମନ

 

ଯୁଦ୍ଧ କାମରୁ ମୁକ୍ତି ପାଇଲା ପରେ ମୁଁ ମନେକଲି ଏଣିକି ଦକ୍ଷିଣ ଆଫ୍ରିକାରେ ମୋର ସେପରି କିଛି କାମ ନାହିଁ—ବରଂ ଅଛି ଭାରତରେ । ପ୍ରକୃତରେ ଦକ୍ଷିଣ ଆଫ୍ରିକାରେ ଆଉ ସେ କାମ ଆଦୌ ନ ଥିଲା, ତା ନୁହେଁ, ମାତ୍ର ମୋର ଭୟ ହେଲା, ଏଣିକି ଟଙ୍କା କମେଇବା ମୋର ବଡ଼ କାମ ହେବ ସିନା, ଆଉ କିଛି ନୁହେଁ । ଏଣେ ଭାରତରୁ ବନ୍ଧୁମାନେ ଦେଶଆଡ଼କୁ ଟାଣୁଥାନ୍ତି । ମୁଁ ମଧ୍ୟ ବିଚାରିଲି, ଦେଶକୁ ଗଲେ ଏଠା ଅପେକ୍ଷା ଅଧିକ କାମ କରିପାରିବ । ଦକ୍ଷିଣ ଆଫ୍ରିକା କାମ ଲାଗି ନାତାଲରେ ମିନ ଖାଁ ଓ ମନସୁଖ ଲାଲ ତ ଅଛନ୍ତି ।

 

ଏହିପରି ଭାବି ମତେ ବିଦାୟ ଦେବାକୁ ମୋର ସାଥୀମାନଙ୍କୁ ଅନୁରୋଧ କଲି । ବହୁ କଷ୍ଟରେ କେତେକ ସର୍ତ୍ତ ରଖି ସାଥୀମାନେ ରାଜିହେଲେ । ସେ ସର୍ତ୍ତଟି ଏହି ଯେ, ବର୍ଷକ ଭିତରେ ଦକ୍ଷିଣ ଆଫ୍ରିକା ଭାରତୀୟ ଲୋକେ ମୋ ଆସିବା ଦରକାର ମନେକଲେ ମୁଁ ନିଶ୍ଚୟ ସେଠାରେ ପହଞ୍ଚିବି । ଏପରି ସର୍ତ୍ତ ରକ୍ଷା ଅବଶ୍ୟ କଷ୍ଟକର କଥା । ତଥାପି ମୁଁ ଭାରତୀୟ ଲୋକଙ୍କ ସଙ୍ଗେ ଯେପରି ସ୍ନେହସୂତ୍ରରେ ବନ୍ଧା ଥାଏ, ସେଥିରେ ଏପରି ସର୍ତ୍ତ ନ ମାନନ୍ତି କିପରି ?

 

‘‘କାଚେରେ ତାନ୍ତ’ଣେ ମନେ ହରି ଜୀଏ ବାନ୍ଧି

ଯେମ ଟାଣେ ତେମନୀରେ ମନେ ଲାଗେ କଟରୀ ତେମନୀ ।’’

 

(ମତେ ସରୁ ସୂତା ଖିଅକରେ ବାନ୍ଧି ଯେଉଁ ହରି ଟାଣୁଛି, ସେ ସେମିତିକା । ମତେ ତାହାର ପ୍ରେମ କଟାରୀ ପରି ଲାଗୁଚି ।) ମୀରାବାଈଙ୍କର ଏ ଉପମା ଅଳ୍ପ ବହୁତେ ମୋ ପକ୍ଷରେ ଠିକ୍ ଖାପ ଖାଉଥାଏ । ନିଜ ଜାତି ଲୋକଙ୍କ ସଙ୍ଗରେ ମୁଁ ଯେଉଁ ସ୍ନେହ ସୂତ୍ରରେ ବାନ୍ଧି ହୋଇଛି, ତାକୁ ଛିଣ୍ଡାଇବା ବଡ଼ ଶକ୍ତ । ତାକୁ କାଟିଦେଇ ଯିବା ବଡ଼ କଷ୍ଟ । ବହୁ ଲୋକଙ୍କ ହୃଦୟରେ ଯେଉଁ ଭାବ ଜାଗ୍ରତ ହୁଏ, ତାହାହିଁ ଈଶ୍ୱର-ବାଣୀ । ଏଠାରେ ବନ୍ଧୁମାନଙ୍କର ମୋ ପ୍ରତି ଯେଉଁ ଭାବ, ତାହା ଯଥାର୍ଥ ନିର୍ମଳ ଭାବ । ତାକୁ ଏଡ଼ିଦେବି କିପରି ? ତେଣୁ ସେମାନଙ୍କ ସର୍ତ୍ତରେ ରାଜିହୋଇ ଭାରତ ବାହୁଡ଼ି ଯିବାପାଇଁ ଅନୁମତି ପାଇଲି । ଏ ପର୍ଯ୍ୟନ୍ତ ମୁଁ କେବଳ ନାତାଲର ଭାରତୀୟମାନଙ୍କ ସଙ୍ଗେ ସଂପୃକ୍ତ ଥିଲି । ସେମାନେ ସ୍ନେହର ଅମୃତଧାରାରେ ମତେ ବୁଡ଼ାଇଦେଲେ । ଠାଆକୁ ଠାଆ ବିଦାୟସଭା ସବୁ କରାହେଲା । ସବୁଠି ଖୁବ୍ ମୂଲ୍ୟବାନ୍ ଉପହାର ସବୁ ମତେ ଦିଆଗଲା ।

 

୧୮୯୬ ସାଲରେ ମୁଁ ଯେତେବେଳେ ଭାରତକୁ ଥରେ ଫେରିଥିଲି, ସେତେବେଳେ ମଧ୍ୟ ମୋତେ ଅନେକ ଉପହାର ଦିଆଯାଇଥିଲା । ମାତ୍ର ଏଥର ବିଦାୟ ଉତ୍ସବରେ ଆଉ ସୀମା ରହିଲା ନାହିଁ । ସୁନା ରୂପାର ଜିନିଷ ତ ବହୁତ ଥାଏ ତା ଛଡ଼ା ଅଥି ମୂଲ୍ୟବାନ ହୀରା, ନୀଳାର ଜିନିଷ ମଧ୍ୟ ଉପହାର ମିଳିଲା । ଏ ସବୁ ଉପହାର ଓ ବିଦାୟସଭାର ଦୃଶ୍ୟ ଦେଖି ମୁଁ ବଡ଼ ଭାବନାରେ ପଡ଼ିଗଲି । ମୁଁ ଭାବିଲି ଏ ସବୁ ଜିନିଷ ଗ୍ରହଣ କରିବାରେ ମୋ କି ଅଧିକାର ଅଛି ? ଏ ଗୁଡ଼ିକ ନେଲାପରେ ମୁଁ ବିନା ପଇସାରେ ସମାଜର ସେବା କରୁଛି ବୋଲି କେଉଁ ମୁହଁରେ କହିବି ? ଏ ସବୁରୁ ଅଳ୍ପ କେତେଜଣ ମହିଳାଙ୍କର ଉପହାର ବାଦଦେଲେ ବାକିତକ ସବୁ ମୋର ସାଧାରଣ କାମପାଇଁ ମିଳିଥାଏ । ମୋ ମନରେ ମହକିଲ ଓ ଅନ୍ୟ ସହକର୍ମୀଙ୍କ ମଧ୍ୟରେ କୌଣସି ପ୍ରକାର ଭେଦ ଭାବ ନ ଥାଏ । କାରଣ ମହକିଲମାନେ କେତେକ ସାଧାରଣ କାମପାଇଁ କେତେଥର ସାହାଯ୍ୟ ଦେଇଥାନ୍ତି ।

 

ଉପହାର ସାମଗ୍ରୀ ମଧ୍ୟରେ ‘କସ୍ତୁରବା’ ପାଇଁ ପଚାଶ ଗିନିର ଗୋଟିଏ ସୁନାହାର ଥାଏ-। ଏହା ଦେଖି ମୁଁ ସ୍ଥିର କଲି, ଏ ହାରଟି ମଧ୍ୟ ମୋହରି ସେବା ଓ କାର୍ଯ୍ୟଯୋଗୁଁ ମିଳିଛି । ତେବେ ଏହାକୁ ଅଲଗା କରି ରଖିବା ଉଚିତ ନୁହେଁ ।

 

ଯେଉଁଦିନ ସନ୍ଧ୍ୟାରେ ଏ ସବୁ ଉପହାର ମତେ ମିଳିଲା, ସେ ରାତିସାରା ମୁଁ ପାଗଳଙ୍କ ପରି ଚେଇଁରହିଲି । ବଡ଼ ବିବ୍ରତ ଓ ବିଚଳିତ ହୋଇ ମୋ ଶୋଇବା ଘରର ଏପଟୁ ସପଟ ଯାଏ କେବଳ ପାଇଚାରୀ କରୁଥାଏ । ମନେ ମନେ କେତେ କଥା ଚିନ୍ତା କରୁଥାଏ; ମାତ୍ର କୌଣସି ନିଷ୍ପତ୍ତିରେ ପହଞ୍ଚିପାରୁ ନଥାଏ । ଅନ୍ୟ ପକ୍ଷରେ ଶହ ଶହ ଟଙ୍କାର ଉପହାର ଛାଡ଼ିଦେବା ଅବଶ୍ୟ ବଡ଼ କଷ୍ଟକର କଥା । ଅଥଚ ତାକୁ ରଖିବା ମଧ୍ୟ ତହୁଁ ବଳି କଷ୍ଟକର ।

 

ଯଦି ମୁଁ ଏସବୁ ରଖିନେବି, ତେବେ ମୋର ସ୍ତ୍ରୀ ଓ ପିଲାଙ୍କ ମନରେ କି ଭାବ ଆସିବ । ମୁଁ ତ ସେମାନଙ୍କୁ ନିଃସ୍ୱାର୍ଥପର ଓ...ତ୍ୟାଗମୟ ସେବକ ଜୀବନ ପାଇଁ ତିଆରି କରୁଛି । ସେମାନଙ୍କୁ ବୁଝାଉଛି ଯେ, ସେବାର ଦାମ୍ ନେବା ଉଚିତ ନୁହେଁ । ମୋ ନିଜ ଘରେ ମୁଁ ଦାମିକା ଗହଣା ରଖାଏ ନାହିଁ । ଅଳ୍ପଦିନ ଭିତରେ ଆମ ଜୀବନ ଖୁବ୍ ସାଦା ସିଧା ହୋଇ ଆସୁଥାଏ । ଏପରି ଅବସ୍ଥାରେ ସୁନାର ଘଡ଼ି କିଏ ବ୍ୟବହାର କରିବ ? ସୁନାର ଚେନ୍‌ ଓ ହୀରାର ବୋତାମ କିଏ ଲଗାଇବ ? ସେତେବେଳେ ମଧ୍ୟ ମୁଁ ସମସ୍ତଙ୍କୁ କହିଥାଏ ଯେ, ଅଳଙ୍କାର ବାସନା ଏକାବେଳକେ ଦୂର କର । ଏବେ ମୋତେ ଯେ ଏତେ ଅଳଙ୍କାର ମିଳିଛି, ସେ ସବୁ ହବ କଅଣ ?

 

ବହୁତ ବିଚାର କରି ଶେଷରେ ସ୍ଥିର କଲି, ଏସବୁ ଚିଜ ମୁଁ କଦାପି ରଖିବି ନାହିଁ । ଗୋଟିଏ ଦଲିଲର ଚିଠା କଲି, ସେଥିରେ ପାର୍ଶୀ ରୁସ୍ତମଜୀ ପ୍ରଭୃତିଙ୍କୁ ନେଇ ଗୋଟିଏ ଟ୍ରଷ୍ଟି ଗଢ଼ିଲି-। ସକାଳୁ ଉଠି ନିଜର ସ୍ତ୍ରୀ ଏବଂ ପିଲାମାନଙ୍କୁ ବସାଇ ସବୁକଥା ବୁଝାଇ ଦେଲି । ଶେଷରେ ସେହି ମୂଲ୍ୟବାନ ଉପହାର ଗୁଡ଼ିକ ଜାତିର ସେବାଲାଗି ଉକ୍ତ ଟ୍ରଷ୍ଟ ହାତରେ ସମର୍ପି ଦେଇ ନିଶ୍ଚିନ୍ତ ହେଲି ।

 

ମୁଁ ଜାଣିଥାଏ; ଏ ବିଷୟରେ ସ୍ତ୍ରୀକୁ ବୁଝାଇବା ମୁସ୍କିଲ ହେବ । ପିଲାମାନଙ୍କ ଆଡ଼ୁ କୌଣସି ବାଧା ବା ଆପତ୍ତି ହେବନାହିଁ ବୋଲି ଆଗରୁ ଜାଣିଥାଏ । ତେଣୁ ସେହି ପିଲାମାନଙ୍କୁ ମୋର ଓକିଲ ନିଯୁକ୍ତ କଲି ।

 

ପିଲାମାନେ ସଙ୍ଗେ ସଙ୍ଗେ ରାଜି ହୋଇଗଲେ । କହିଲେ, ‘‘ଆମର ଏସବୁ ମୂଲ୍ୟବାନ ଚିଜ୍ ଦରକାର ନାହିଁ । ସବୁତକ ଜାତିର କାମପାଇଁ ଦେଇଦେବା । ଆମର ଦରକାର ହେଲେ ଆମେ ତ ସହଜରେ କିଣିପାରିବା ।’’

 

ପିଲାଙ୍କର ଏକତା ଶୁଣି ମୋ ମନରେ ବଡ଼ ଆନନ୍ଦ ହେଲା । ମୁଁ କହିଲି—‘‘ତେବେ ତୁମେ ମାଆକୁ ଏସବୁ କଥା ବୁଝାଇ କହିବ ନା ନାହିଁ ?’’

 

ପିଲାମାନେ କହିଲେ—‘‘ନିଶ୍ଚୟ କହିବୁ, ସେ ତ ଆମରି କାମ । ମାଆ କଣ ନିଜେ ଏ ଗହଣା ପିନ୍ଧିବ ? ସେ ତ ଆମରିପାଇଁ ସାଇତିବାକୁ ଲୋଭ କରିବ । ଆମେ ଯେବେ ଏସବୁ ଚିଜକୁ ଦରକାର ନ କରିବୁ, ତେବେ ସେ ବା ଜିଦ୍ କରି କଣ କରିବ ?’’

 

କଥା କହିଦେବା ଯେଡ଼େ ସହଜ—କାମରେ କରିବା ସେଡ଼େ ସହଜ ନୁହେଁ ।

 

ମୋର ସ୍ତ୍ରୀ ସଫା କହିଲା—‘‘ଏସବୁ ତୁମର କାମରେ ନ ଆସିପାରେ, ତମ ପୁଅମାନଙ୍କର ତ ଆସିପାରେ । ପିଲାଙ୍କୁ ତ ଯେମିତି ନଚାଇବ ସେମାନେ ସେମିତି ନାଚିବେ । ମତେ ସିନା ପିନ୍ଧିବାକୁ ଦବନାହିଁ । କିନ୍ତୁ ମୋ ବୋହୂଟିମାନେ ଆସିଲେ ତାଙ୍କର ତ କାମରେ ଆସିବ-? ସେମାନେ ତ ନିଶ୍ଚୟ ମନ କରିବେ । ଘଡ଼ି କି ଘଡ଼ି ଅନ୍ତର । କିଏ ଜାଣେ କାଲିକି କଣ ହେବ-? ଏତେ ଆଦରରେ ମିଳିଥିବା ଚିଜକୁ ଫେରେଇବାର ନୁହେଁ ।’’ ଏମିତି କଥାର ସୁଅ ସଙ୍ଗେ ସଙ୍ଗେ ଦି’ ଆଖିର ଲୁହଧାର ବୋହିଲା । କିନ୍ତୁ ପିଲାମାନେ ନଛୋଡ଼ବନ୍ଧା, ମୁଁ ତ ତିଳେହେଲେ ଟଳିବା ଲୋକ ନୁହେଁ ।

 

ମୁଁ ଟିକିଏ କଅଁଳ କରି କହିଲି—‘‘ଦେଖ, ପୁଅମାନେ ତ ପିଲା । ପିଲା ବୟସରେ ଆମେ କେବେହେଲେ ସେମାନଙ୍କୁ ବିଭା ଦେବାନାହିଁ । ସେମାନେ ହୁସିଆର ହୋଇଗଲେ ଯେଝା କଥା ସେ ବୁଝିବେ । ଆଚ୍ଛା, ଆମେ କଣ ତାଙ୍କଲାଗି ଗହଣା ସଉକୀ ବୋହୂ ଖୋଜି ଆଣିବା ? ନିତାନ୍ତ ଯଦି ସେମାନେ ଅଳଙ୍କାର ଖୋଜନ୍ତି, ତେବେ ମୁଁ ତ ଅଛି । ତମେ ସେତେବେଳେ ମତେ କହିବ ।’’

 

‘‘ତମକୁ କହିବି ? ତମକୁ ମୁଁ ବେଶ୍ ଚିହ୍ନିଛି । ମୋ ଗହଣାତକ ନେଇଥିଲ ତମେ ନା ? ସେତକ ମୋ ପାଖରେ ଥିବାଯାଏ ଟିକିଏ ହେଲେ ରଖିଥୋଇ ଦେଲ ନାହିଁ । ଆଉ ତମେ କରିବ ମୋ ବୋହୂଙ୍କ ଲାଗି ଅଳଙ୍କାର । ଆଜିଠୁ ତ ପୁଅମାନଙ୍କୁ ବାବାଜି ବନେଇଲଣି । ନା—ଏ ଗହଣା ସବୁ ଫେରସ୍ତ ହବ ନାହିଁ । ଆଚ୍ଛା କହିଲ ଭଲା, ମୋ ସୁନାହାର ଉପରେ ତୁମର କି ଅଧିକାର ।’’

 

ମୁଁ ପଚାରିଲି—‘‘ତୁମେ କହିଲ ଭଲା—ଏ ହାରଟି ତୁମ ସେବାଯୋଗୁଁ ମିଳିଛି ନା ମୋ ସେବାଯୋଗୁଁ ମିଳିଛି ?’’

 

‘‘ତୁମ ସେବା ଯୋଗୁଁ ମିଳିଛି—ଏ କଥା ମୁଁ ମାନୁଛି । କିନ୍ତୁ ତୁମେ ଯେଉଁ କାମ କଲ ସେ କାମ କଣ ମୋର ନୁହେଁ ? ମୁଁ ତ ତୁମରି ସେବାରେ, ତୁମରି କାମରେ ରାତି ଦିନ ଖଟି ଖଟି ମରୁଛି-। ସେ କଣ ସେବାରେ ଗଣା ହେବ ନାହିଁ ? ଯାହାକୁ ପାରେ ତାକୁ ଘରେ ରଖି ସବୁ ଦୁଃଖ କଷ୍ଟ ମୋରି ମୁଣ୍ଡରେ ଲଦିଛ । ମତେ ସାରା ଜୀବନ କନ୍ଦେଇ କନ୍ଦେଇ ମାରିଛ । ମତେ ଯେ ଦିନ ରାତି ଖଟେଇଛ, ସେ ସବୁ କୁଆଡ଼େ ଗଲା ? ସବୁ କଥାରେ ମୁଁ ତୁମର ଚିରଦାସୀ ହୋଇ ରହିଛି-।’’

 

ଏ ସବୁ କଥା କଟୁବୋଧ ହେଲେ ବି ନିରାଟ ସତ କଥା । ଏହା ବାଣ ପରି ମୋର ହୃଦୟକୁ ବାଧିଲା । ଯାହା ହେଉ ଗହଣାଗୁଡ଼ିକ ତ ମୋର ଫେରାଇ ଦେବାର କଥା । ମୁଁ ବହୁତ ବୁଝାଇ ସୁଝାଇ ଶେଷକୁ ତାଠାରୁ ଗୋଟାଏ ‘ହଁ’ ଅସୁଲ କରିନେଲି । ୧୮୯୬ ଓ ୧୯୦୧ ରେ ଦୁଇଥର ଯାକ ଯେତେ ସବୁ ଉପହାର ମିଳିଥିଲା, ସବୁତକ ଓ୍ୟାପସ କଲି । ଗୋଟିଏ ଦାନପତ୍ର ଲେଖି ସେ ଗୁଡ଼ିକ ଗୋଟିଏ ବ୍ୟାଙ୍କରେ ଜମା କରିଦେଲି । ସ୍ଥିର ହେଲା ଯେ, ମୋ ଇଚ୍ଛାନୁସାରେ କିମ୍ବା ଟ୍ରଷ୍ଟିମାନଙ୍କ ଇଚ୍ଛାନୁସାରେ ଏହା ସାଧାରଣ କାମରେ ଖର୍ଚ୍ଚ ହେବ । କେତେଥର ସାଧାରଣ କାମପାଇଁ ଯେତେବେଳେ ମୁଁ ଟଙ୍କା ଦରକାର କରିଛି ଏବଂ ଏହି ପାଣ୍ଠିରୁ ନେବାପାଇଁ ଭାବିଛି, ସେତେବେଳେ କୁଆଡ଼ୁ କେମିତି ଆବଶ୍ୟକ ଧନ ମିଳିଯାଇଛି ଏବଂ ଏଥିରେ ହାତ ଦେବାକୁ ପଡ଼ିନାହିଁ । ସେ ପାଣ୍ଠି ଏବେ ମଧ୍ୟ ଅଛି ଓ ଦରକାର ବେଳେ ସାଧାରଣ ହିତ କାର୍ଯ୍ୟରେ ଖର୍ଚ୍ଚ ହେଉଛି । ପାଣ୍ଠିଟି ନିୟମିତ ରୂପେ ବରାବର ବଢ଼ିଛି ।

 

ଏପରି କାମ କାହିଁକି କଲି ବୋଲି ଦିନେ ହେଲେ ମୋ ମନରେ ଅନୁତାପ ଆସି ନାହିଁ । କେତେ ବର୍ଷ ବିତିଗଲାଣି । କସ୍ତୁରବା ମଧ୍ୟ ଏ ମଧ୍ୟରେ ସେ କାମର ମୂଲ୍ୟ ବୁଝି ପାରିଲା । ଏପରି କରିବା ଦ୍ୱାରା ଆମେ ଯେ କେତେ ପ୍ରଲୋଭନରୁ ରକ୍ଷା ପାଇଛୁ, ତାର ସୀମା ନାହିଁ ।

 

ମୋର ଦୃଢ଼ମତ ଯେ, କୌଣସି ସ୍ୱଦେଶକର୍ମୀ ସର୍ବସାଧାରଣରୁ କୌଣସି ପ୍ରକାର ଦାନ ବା ଉପହାର ଗ୍ରହଣ କରିବା ଉଚିତ ନୁହେଁ ।

 

ଦେଶରେ

 

ଦେଶକୁ ଫେରିବାର ବିଦାୟ ଏହିପରି ଭାବରେ ସରିଲା । ମୁଁ ଭାରତ ଅଭିମୁଖରେ ଯାତ୍ରାକଲି । ଦକ୍ଷିଣ ଆଫ୍ରିକାରୁ ଆସୁ ଆସୁ ବାଟରେ ଭାରତ ମହାସାଗରରେ ‘ମରିଶିଅଶ୍‌’ ଦ୍ୱୀପ ପଡ଼େ । ସେଠାର ବନ୍ଦରରେ ଜାହାଜ ଦୀର୍ଘକାଳ ଅଟକି ରହେ । ଆମ ଜାହାଜ ସେଠି ଅଟକିବାରୁ ମୁଁ ଓହ୍ଲାଇ ଦ୍ୱୀପ ଭିତରେ ଅବସ୍ଥାର ସଠିକ୍ ଖବର ନେଲି । ସେଠାର ଲାଟ୍ ସାର୍‌ ଚାର୍ଲସ୍‍ବ୍ରୁସ୍‌ଙ୍କ ଘରେ ସେ ରାତିକ ଅତିଥି ହେଲି ।

 

ଭାରତରେ ପହଞ୍ଚି ପ୍ରଥମେ କେତେଦିନ ଚାରିଆଡ଼େ ବୁଲାବୁଲି କଲି । ସେତେବେଳେ ୧୯୦୧ ସାଲର କଂଗ୍ରେସ ଅଧିବେଶନ କଲିକତାଠାରେ ବସୁଥାଏ । ଦୀନଶା ଏ ଦରଜୀ ଓ୍ୟାଛା ସଭାପତି ହେଉଥାନ୍ତି । ମୁଁ ଯାଇ ସେଥିରେ ଯୋଗ ଦେଲି । କଂଗ୍ରେସରେ ଯୋଗଦେବା ଏହା ମୋର ପ୍ରଥମ ।

 

ବମ୍ବେଇରୁ ଗଲାବେଳେ ସାର୍‌ ଫିରୋଜଶା ଯେଉଁ ଗାଡ଼ିରେ ଯାଉଥାନ୍ତି, ମୁଁ ଠିକ୍ ସେହି ଗାଡ଼ିରେ ଯାଉଥାଏ । ଦକ୍ଷିଣ ଆଫ୍ରିକା ବିଷୟରେ ତାଙ୍କ ସଙ୍ଗେ ମୋର କଥାବାର୍ତ୍ତା କରିବାର ଥାଏ-। ମୁଁ ଜାଣେ ସେ ଭାରି ବାଦଶାହୀ ଯାକଯମକରେ ଥାନ୍ତି । ତାଙ୍କ ଲାଗି ଗୋଟାଏ ସ୍ୱତନ୍ତ୍ର ରେଲ ଡବା (ସାଲୁନ୍) ଯୋଚା ହୋଇଥାଏ । ମତେ ଆଦେଶ ଥାଏ—ତମେ ଅମୁକ ଷ୍ଟେସନରେ ମୋ ଡବାକୁ ଆସି ବସିବ; ସେହିଠାରେ କଥାବାର୍ତ୍ତା କରିବାର ସୁବିଧା ହେବ ।’’ ତେଣୁ ମୁଁ ସେହି ନିର୍ଦ୍ଦିଷ୍ଟ ଷ୍ଟେସନରେ ଯାଇ ତାଙ୍କ ଡବାରେ ହାଜର ହେଲି । ସେତେବେଳେ ତାଙ୍କ ସଙ୍ଗରେ ଶ୍ରୀଯୁକ୍ତ ଓ୍ୟାଛା ଓ ଶ୍ରୀଯୁକ୍ତ ଚିମନ୍‍ଲାଲ ଶୀତଳବାଦ ଯାଉଥାନ୍ତି । ଏମାନେ ସାର୍‍ ଫିରୋଜଶାଙ୍କ ସଙ୍ଗେ ବସି ରାଜନୀତି ଚର୍ଚ୍ଚା କରୁଥାନ୍ତି । ସାର୍ ମେହେଟା ମତେ ଦେଖିଲାକ୍ଷଣି କହିଲେ—‘‘ଗାନ୍ଧୀ, ମୁଁ ଦେଖୁଛି ତମ ପାଇଁ କିଛି କରିହେବ ନାହିଁ । ଅବଶ୍ୟ ତମେ ଯେଉଁ ପ୍ରସ୍ତାବ କଥା କହୁଛ, ଆମେ ତାକୁ ପାଶ୍ କରାଇନେବୁ । କିନ୍ତୁ କହ ତ ଦେଖି—ଆମ ନିଜ ରାଜ୍ୟରେ ଆମର କି ଅଧିକାର ଅଛି ? ମୋର ବିଶ୍ୱାସ, ଯେତେଦିନ ପର୍ଯ୍ୟନ୍ତ ଆମ ନିଜ ରାଜ୍ୟରେ ଆମର ଅଧିକାର ନ ଆସିଛି, ସେତେଦିନ ଯାଏଁ ଉପନିବେଶରେ ତୁମ ଅବସ୍ଥା କଦାପି ସୁଧୁରିବ ନାହିଁ ।’’ ଏ କଥା ଶୁଣି ମୁଁ ଅବାକ୍‍ ହୋଇଗଲି-। ସାର୍‍ ଚିମନ୍‍ଲାଲ କଥା ମଝିରେ ହଁ ହଁ କରୁଥାନ୍ତି । ସାର୍‌ ଦୀନଶା ମୋ ଆଡ଼କୁ କରୁଣ ଦୃଷ୍ଟିରେ ଅନାଇଥାନ୍ତି । ମୁଁ ସାର୍ ଫିରୋଜଶାଙ୍କୁ ବୁଝାଇବାକୁ ଚେଷ୍ଟା କଲି । କିନ୍ତୁ ବମ୍ବେଇର ମୁକୁଟହୀନ ସମ୍ରାଟଙ୍କୁ ମୋ ଭଳି ଲୋକ କ’ଣ ବୁଝାଇବ ? ଯାହା ହେଉ ମତେ ସେ ମହାସଭାରେ ଯେ ପ୍ରସ୍ତାବ ଆଣିବାର ସୁବିଧା ଦେବେ, ଏତିକିରେ ମୁଁ ନିଜ ମନକୁ ବହୁତ ବୋଧ ଦେଲି ।

 

ସାର୍‌ ଓ୍ୟାଛା ମତେ ଟିକିଏ ସାହସ ଦେଇ କହିଲେ—‘‘ଗାନ୍ଧୀ, ତୁମ ପ୍ରସ୍ତାବ ଚିଠା କରି ମତେ ଟିକେ ନିଶ୍ଚୟ ଦେଖାଇବ ।’’ ମୁଁ ତାଙ୍କୁ ଧନ୍ୟବାଦ ଦେଇ ପର ଷ୍ଟେସନରେ ଗାଡ଼ି ରହିଲାକ୍ଷଣି ସେ ଡବାରୁ ମୋ ନିଜ ଡବାକୁ ଚାଲିଗଲି । ଏହିପରି ଭାବରେ ଆମେ ସବୁ କଲିକତାରେ ପହଞ୍ଚିଲୁ-। ଅଭ୍ୟର୍ଥନା ସମିତି ଭାରି ଆଡ଼ମ୍ବରରେ ସଭାପତିଙ୍କୁ ପାଛୋଟି ନେଲେ । ମୁଁ ଜଣେ ସ୍ୱଚ୍ଛାସେବକଙ୍କୁ ପଚାରିଲି ‘‘ମତେ କେଉଁଠିକି ଯିବାକୁ ହେବ ?’’ ସେ ମତେ ରିପନ୍ କଲେଜକୁ ନେଇଗଲେ । ସେଠାରେ ଅନେକ ପ୍ରତିନିଧି ବସାକରି ରହିଥାନ୍ତି । ମୋର ଭାଗ୍ୟ ଭଲ । ମୁଁ ଯେଉଁ ଅଂଶରେ ରହିଥାଏ, ଲୋକମାନ୍ୟ ତିଳକ ସେହି ଅଂଶରେ ରହିଲେ । ମୋର ମନେ ପଡ଼ୁଛି, ମୁଁ ରହିବାର ଦିନକ ପରେ ସେ ଆସି ପହଞ୍ଚିଲେ । ଯେଉଁଠି ଲୋକମାନ୍ୟ ରହନ୍ତି, ସେଠି ଗୋଟିଏ ଛୋଟ କାଟର ଦରବାର ଜମିଯାଏ । ମୁଁ ଚିତ୍ରକର ହୋଇଥିଲେ ତାଙ୍କ ବିଛଣା ଉପରେ ସେ କିପରି ବସିଥାନ୍ତି, ସେଥିର ଚିତ୍ର ଆଙ୍କି ଦେଖାଇ ଦିଅନ୍ତି । ତାଙ୍କର ସେ ଜାଗା ଓ ତାଙ୍କର ବୈଠକ ମୋର ଆଜିଯାଏ ସ୍ପଷ୍ଟ ମନେ ଅଛି । ସେତେବେଳେ ତାଙ୍କ ପାଖକୁ ଆସୁଥିବା ଅସଂଖ୍ୟ ଲୋକଙ୍କ ଭିତରୁ ଗୋଟିଏ ନାମ ମୋର ମନେ ଅଛି । ‘‘ଅମୃତ ବଜାର ପତ୍ରିକା’’ର ମୋତିବାକୁ । ଏ ଦୁହିଁଙ୍କର ଠୋ ଠୋ ହସ ଓ ଶାସକଗୋଷ୍ଠୀର ଅନ୍ୟାୟ ସମ୍ବନ୍ଧରେ ନାନା କଥାବାର୍ତ୍ତା କେବେହେଲେ ଭୁଲିହେବ ନାହିଁ ।

 

ଅଭ୍ୟର୍ଥନା କମିଟି ପକ୍ଷରୁ ଏ ଖୁଆଡ଼ର ବନ୍ଦୋବସ୍ତ ବିଷୟରେ ମୁଁ ଟିକିଏ ଆଲୋଚନା କରିବି । ମୁଁ ଦେଖିଲି—କାମ କରିବାକୁ ଯେଉଁ ସ୍ୱେଚ୍ଛାସେବକମାନେ ଥାନ୍ତି, ସେମାନେ ସବୁବେଳେ ଆପଣା ଭିତରେ ଥେଣ୍ଟାଥେଣ୍ଟି ଲଗାନ୍ତି । ଜଣକୁ କିଛି କାମ ବରାଦ କଲେ ସେ ଅନ୍ୟ ଜଣକ ଉପରେ ପକାଇଦିଏ, ସେ ଜଣକ ପୁଣି ତୃତୀୟ ବ୍ୟକ୍ତି ଉପରେ ପକାଇ ଦିଏ । କଥାଟା ଏହିପରି ଗଡ଼ି ଗଡ଼ି ଚାଲେ । ପ୍ରତିନିଧି ବାପୁଡ଼ାଙ୍କୁ ପଚାରେ କିଏ ? ସେ ବିଚରା ଏ କୂଳର ହୁଅନ୍ତି ନାହିଁ, କି ସେ କୂଳର ହୁଅନ୍ତି ନାହିଁ । ମୁଁ କେତେଜଣ ସ୍ୱେଚ୍ଛାସେବକଙ୍କ ସଙ୍ଗେ ବନ୍ଧୁତା କରିନେଲି । ସେମାନଙ୍କୁ ଦକ୍ଷିଣ ଆଫ୍ରିକା କଥା କିଛି ଶୁଣାଇଲି । ସେଥିରେ ସେମାନେ ଟିକିଏ ଲଜ୍ଜିତ ହେଲେ । ମୁଁ ତାଙ୍କୁ ସବୁ ସେବାର ମହତ୍ତ୍ୱ ବୁଝାଇବାକୁ ଚେଷ୍ଟା କରୁଥାଏ । ସେମାନେ ଯତ୍‌ସାମାନ୍ୟ ବୁଝିଲେ, କିନ୍ତୁ ସେବାଭାବ ତ ଦଣ୍ଡକରେ ଛତୁ ଫୁଟିଲା ପରି ଗଜୁରିଯାଏ ନାହିଁ । ଏଥିପାଇଁ ମନରେ ପ୍ରଥମେ ଆଗ୍ରହ ଜନ୍ମିବା ଦରକାର । ତେବେ ଯାଇଁ କାର୍ଯ୍ୟ କରିବାର ସୁଯୋଗ ମିଳିବ । ମୁଁ ଦେଖିଲି, ସେମାନଙ୍କର ପ୍ରାଣରେ ପ୍ରବୃତ୍ତି ଅଛି; ମାତ୍ର କୌଣସି ପ୍ରକାର ସାଧନା ବା ଅଭିଜ୍ଞତା ନାହିଁ । କଂଗ୍ରେସ ତ ବର୍ଷକରେ ବସିବ ମୋଟେ ତିନିଦିନ । ତା ପରେ ଯେ ଯୁଆଡ଼େ ଶୋଇଯିବେ । ତେଣୁ ଏ ତିନିଦିନଆ ସୁଆଙ୍ଗରେ କିଏ କିପରି ବା ପ୍ରକୃତ ଶିକ୍ଷା ପାଇବେ ? ସ୍ୱେଚ୍ଛାସେବକମାନଙ୍କ ଅବସ୍ଥା ଯେମିତି ପ୍ରତିନିଧିଙ୍କ ଅବସ୍ଥା ଠିକ୍ ସେମିତି । ସେମାନଙ୍କର ମଧ୍ୟ ଶିକ୍ଷା ଦୀକ୍ଷା ବା ଅଭିଜ୍ଞତା କିଛି ନ ଥାଏ । ସେମାନେ ନିଜ ହାତରେ କେହି କିଛି କରିବେ ନାହିଁ । କେବଳ ‘ସ୍ୱେଚ୍ଛାସେବକ, ୟା କର—ତା କର’ ବୋଲି ହୁକୁମ ଚାଲିଥାଏ ।

 

ଏଠାରେ ମଧ୍ୟ ମୁଁ ଭଲଭାବରେ ଅସ୍ପୃଶ୍ୟତାର ଅନୁଭବ କଲି । ‘ଛୁଆଁତା’ ଅନେକଙ୍କଠି ଲାଗି ଯାଉଥାଏ । ଦକ୍ଷିଣୀମାନଙ୍କର ରୋଷଶାଳ ଏକାବେଳକେ ଅଲଗା ରହିଥାଏ । ଦକ୍ଷିଣୀ ପ୍ରତିନିଧିମାନେ ଖାଉଥିବେ, ଅନ୍ୟ କାହା ଉପରେ ଦୃଷ୍ଟି ପଡ଼ିଲେ ସବୁ ମାରା ହୋଇଯିବ । ସେଥିଲାଗି କଲେଜ ହତାରେ ସେମାନଙ୍କ ପାଇଁ ଅଲଗା ରୋଷଘର ତାଟିରେ ତିଆରି ହୋଇଥାଏ-। ସେ ଘରେ ଏତେ ଧୂଆଁ ଯେ, ମଣିଷ ଅମୁହାଁ ହୋଇଯାଏ । ଖାଇବା, ପିଇବା, ଧୁଆ ଧୋଇ ଇତ୍ୟାଦି ସବୁ କାମ ସେଇ ଘରେ । ଏଡ଼େ ଟିକିଏ ଘର, ସେଥିରେ ପୁଣି ବାହାରକୁ ଟିକିଏ ହେଲେ ଜଳା ନ ଥାଏ ।

 

ମୋତେ ଏ ସବୁ ବର୍ଣ୍ଣାଶ୍ରମ ଧର୍ମର ଏକ ବ୍ୟଙ୍ଗ ଚିତ୍ରପରି ବୋଧ ହେଲା । ମହାସଭାକୁ ଆସିଥିବା ପ୍ରତିନିଧିମାନେ ଯଦି ଏତେ ଛୁଆଁତା ବାରିବେ, ତାଙ୍କୁ ଯେଉଁମାନେ ପଠାଇଛନ୍ତି, ସେମାନେ କେତେ ଛୁଆଁତା ବାରୁ ନ ଥିବେ । ଏମିତି ତ୍ରୈରାଶିକ ବସାଇ ଫଳ ଯାହା ପାଇଲି, ସେଥିରେ ଅଲକ୍ଷ୍ୟରେ ଏକ ଦୀର୍ଘ ନିଶ୍ୱାସ ପକାଇବାହିଁ ସାର ହେଲା ।

 

ଏଠାରେ ଅପରିଷ୍କାର ଓ ଅପରିଚ୍ଛନ୍ନତାର ଆଉ ଅନ୍ତ ନ ଥାଏ । ଚାରିଆଡ଼େ ମନ୍ଦା ମନ୍ଦା ହୋଇ ପାଣି ଜମା ହୋଇଥାଏ । ସାମାନ୍ୟ କେତୋଟି ମାତ୍ର ପାଇଖାନା—ସେ ପାଇଖାନାର ଗନ୍ଧ କଥା କହିହେବ ନାହିଁ । ଏବେ ମଧ୍ୟ ସେ କଥା ମନେ ପଡ଼ିଲେ ଦିହ ଶୀତେଇ ଉଠେ । ମୁଁ ଏ ସବୁ ସ୍ୱେଚ୍ଛାସେବକମାନଙ୍କୁ କହିଲି । ସେମାନେ ସଫା କହିଦେଲେ, ‘‘ଏ ସବୁ ମେହେନ୍ତରର କାମ, ଆମ କାମ ନୁହେଁ ।’’ ଏହା ଶୁଣି ମୁଁ ଖଣ୍ଡିଏ ଝାଡ଼ୁ ମାଗିଲି । ଯାହାଙ୍କୁ ମାଗିଲି ସେ ଟିକିଏ ବିସ୍ମୟରେ ମୋ ଆଡ଼କୁ ନିରେଖି ଚାହିଁଲେ । ମୁଁ ଏ ମଧ୍ୟରେ ଗୋଟିଏ ଝାଡ଼ୁ ଆଣି ପାଇଖାନା ସଫା କରିଦେଲି । ଏତକ ଅବଶ୍ୟ ମୋ ନିଜ ପାଇଁ କଲି । କାରଣ ଲାକସଂଖ୍ୟା ତ ବହୁତ, ତାଙ୍କୁ ଚାହିଁ ତେଣେ ପାଇଖାନା ଖୁବ୍‌ ଅଳ୍ପ କେତୋଟି । ତେଣୁ ଏ ପାଇଖାନାଗୁଡ଼ିକ ତୁହାଇ ତୁହାଇ ସଫା ହେବା ଦରକାର । ମାତ୍ର ମୋ ପକ୍ଷରେ ଏ ସବୁ କରି ଉଠିବା ସମ୍ଭବ ହେଲା ନାହିଁ । ତେଣୁ ମୁଁ ଆପଣା ପାଇଁ ସୁବିଧା କରି ନେଇ ସନ୍ତୁଷ୍ଟ ରହିଲି । ଅନ୍ୟମାନେ ସେଇ ଦୁର୍ଗନ୍ଧ ମଇଳାରେ ଚାଲି ଯାଉଥାନ୍ତି-। ସେଥିପ୍ରତି କାହାରି ହେଲେ ଭ୍ରୂକ୍ଷେପ ନ ଥାଏ । ଖାଲି ଏତିକି ନୁହେଁ, ଅନେକ ପ୍ରତିନିଧି ରାତିରେ ନିଜ ନିଜ ରହିବା ଘର ବାରଣ୍ଡାରେ ମଧ୍ୟ ଝାଡ଼ା ଫେରିବାକୁ ସଂକୋଚ ବୋଧ କରନ୍ତି ନାହିଁ । ସକାଳହେଲାରୁ ମୁଁ ସେ ସବୁ ସ୍ୱେଚ୍ଛାସେବକମାନଙ୍କୁ ଦେଖାଇଲି, କିନ୍ତୁ ମୋ ସଙ୍ଗେ କାମ କରିବାକୁ କେହି ଜଣେ ହେଲେ ବାହାରିଲେ ନାହିଁ । ଶେଷକୁ ସଫା କରିବା ସମ୍ମାନ ଟିକକ ମୁଁଇ ପାଇଲି ।

 

ଅବଶ୍ୟ ଏକାଳକୁ ଅବସ୍ଥା ଅନେକ ସୁଧୁରିଲାଣି; ତଥାପି ଏବେ ମଧ୍ୟ ଏଭଳି ଅନେକ ବିଚାରହୀନ ପ୍ରତିନିଧି ମହାସଭାର ଛାଉଣୀରେ ରହି ଅପରିଷ୍କାର କରି ଛାଉଣୀକୁ କୁତ୍ସିତ କରିଦିଅନ୍ତି । ଯେଉଁଠି ସେଠି ସ୍ୱେଚ୍ଛାସେବକ ମଧ୍ୟ ସେ ସବୁ ପରିଷ୍କାର କରିବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ ।

 

ଏଠାରେ ଯାହା ଅବସ୍ଥା ଦେଖିଲି, ସେଥିରେ ମୋର ମନେହେଲା ଯେ, କଂଗ୍ରେସ ଅଧିବେଶନ ଯେବେ ଆଉ ବେଶୀ କେତେକଟା ଦିନ ବସୁଥାନ୍ତା, ତେବେ ସେ ବ୍ୟବସ୍ଥାରେ ସଂକ୍ରାମକ ରୋଗ ବ୍ୟାପିବା ପାଇଁ ବେଶ୍ କ୍ଷେତ୍ର ପ୍ରସ୍ତୁତ ହୋଇଯାନ୍ତା ।

 

କିରାନୀ ଓ ‘ବେରା’

 

(ଇଂରାଜୀ ‘ବେରା’ ଶବ୍ଦର ଅର୍ଥ ଚାକର । କଲିକତାରେ ପ୍ରତ୍ୟେକ ଘରର ଚାକର ପ୍ରତି ‘ବେରା’ ଶବ୍ଦ ବ୍ୟବହୃତ ହୋଇଥାଏ ।)

 

ମହାସଭା ବସିବାକୁ ଦିନେ ଖଣ୍ଡେ ବାକି ଥାଏ । ମୁଁ ବିଚାରିଲି, ଯଦି ମହାସଭା ଅଫିସରେ ମୋ ସେବାର କିଛି ଦରକାର ଥିବ, ତେବେ ମୁଁ ସେଠାରେ କିଛି କାମ ଆଦରି ଯିବି ଏବଂ ତଦ୍ଦ୍ୱାରା କିଛି ଅଭିଜ୍ଞତା ହାସଲ କରିନେବି ।

 

କଲିକତାରେ ପହଞ୍ଚିବା ମାତ୍ରେ ଗାଧୁଆ ସାରି ମୁଁ ମହାସଭା ଅଫିସ ଆଡ଼କୁ ଚାଲିଲି । ଭୂପେନ୍ଦ୍ରନାଥ ବସୁ ଓ ଶ୍ରୀଯୁକ୍ତ ଘୋଷାଲ ସାଧାରଣ ସମ୍ପାଦକ ଥାଆନ୍ତି । ଭୂପେନ ବାବୁଙ୍କ ପାଖକୁ ଯାଇ ମୁଁ କାମ ମାଗିଲି, ସେ ମୋ ମୁହଁକୁ ଅନେଇ କହିଲେ—‘ମୋ ପାଖରେ ତ କିଛି କାମ ନାହିଁ । ମି. ଘୋଷାଲଙ୍କ ପାଖରେ ହୁଏତ ଥିବ, ସେ ଦେଇ ପାରନ୍ତି । ତାଙ୍କ ପାଖକୁ ଯାଅ ।’ ମୁଁ ଘୋଷାଲ ବାବୁଙ୍କ ପାଖକୁ ଗଲି । ସେ ମତେ ନିକିଟି କରି ଅନାଇଲେ । ତା’ପରେ ଟିକିଏ ହସି ପଚାରିଲେ, ‘‘ମୋ ପାଖରେ କିରାଣୀ କାମ ଅଛି, କରିବ ?’’ ମୁଁ ଜବାବ ଦେଲି, ‘‘ନିଶ୍ଚୟ କରିବି । ମୋର ଶକ୍ତିକୁ ନା ବଳେଇଲେ ମୁଁ ସବୁକିଛି କରିବାକୁ ଆପଣଙ୍କ ପାଖକୁ ଆସିଛି ।’’

 

‘‘ସାବାସ ଯୁବକ ! ଏହାହିଁ ପ୍ରକୃତ କର୍ମୀର ଲକ୍ଷଣ ।’’ ଏହା କହି ସେ ପାଖରେ ଠିଆ ହୋଇଥିବା ଅନ୍ୟ ସ୍ୱେଚ୍ଛାସେବକମାନଙ୍କୁ କହିଲେ—‘‘ଏ ଯୁବକ କ’ଣ କହିଲେ ଶୁଣିଲ ତ ?’’

 

ତା’ପରେ ମୋ ଆଡ଼କୁ ମୁହଁ ବୁଲାଇ କହିଲେ—‘‘ଦେଖ, ଆଜି ଜବାବ ଦେବାଲାଗି ଗଦାଏ ଚିଠି ସେଠାରେ ଜମା ହୋଇଛି । ସେ ଚୌକିଟି ନେଇ ସେଠି ବସିଯାଇ ସେ କାମତକ ଶେଷ କରିବାକୁ ଚେଷ୍ଟାକର । ଦେଖୁଛ ତ, ଶହ ଶହ ଲୋକ ସବୁବେଳେ ଦେଖା କରିବାକୁ ଧାଇଁଛନ୍ତି । ମୁଁ କ’ଣ କରିବି ? ସେମାନଙ୍କ ସଙ୍ଗେ ଦେଖା ହେବି, କି ଏ ବିଭିନ୍ନ ଅନୁଷ୍ଠାନର ଗଦାଗଦା ଚିଠିର ଜବାବ ଦେବି, କୁଆଡ଼କୁ ହେବି ? ମୋର ଏପରି ଗୋଟିଏ କେହି କିରାନୀ ନାହିଁ, ଯାହା ଉପରେ କି ମୁଁ ଏ ଭାର ଦେଇ ଟିକିଏ ନିଶ୍ଚିନ୍ତ ହେବି । ଏଥିରୁ ଅଧିକାଂଶ ଚିଠିରେ କିଛି ନଥିବ ଟି, ତଥାପି ସେ ସବୁରେ ଟିକିଏ ଆଖି ପକାଇଯିବା ଦରକାର । ଯେଉଁଗୁଡ଼ିକର ପ୍ରାପ୍ତି ସ୍ୱୀକାର ଦରକାର ବିଚାରିବେ ତା’ର ପ୍ରାପ୍ତି ଦରକାର ବୋଲି ମନେ କରିବେ, ସେଗୁଡ଼ିକ ମତେ ଦେଖାଇବେ ।

 

ଘୋଷାଲ ବାବୁଙ୍କର ମୋଠାରେ ଏତେ ନିର୍ଭର ଓ ବିଶ୍ୱାସ ଦେଖି ମୁଁ ବଡ଼ ଉତ୍ସାହିତ ଓ ଆନନ୍ଦିତ ହେଲି । ସେତେବେଳକୁ ସେ ମୋତେ ମୋଟେ ଚିହ୍ନି ନ ଥାନ୍ତି । ମୋର ନାମ ଧାମ ପଚାରି ବୁଝିବା କାମ କିଛି ସମୟ ପରେ ହେଲା । ଚିଠି ବିଡ଼ା ସଫା କରିବା କାମ ମୋ ପକ୍ଷରେ ବଡ଼ ସହଜ ଥିଲା । ମୁଁ ଅଳ୍ପ ସମୟ ମଧ୍ୟରେ ସେତକ ସାରିଦେଲି । ଘୋଷାଲ ବାବୁ ଭାରି ଖୁସି ହେଲେ । ସେ ଭାରି ଗପୁଡ଼ି ଲୋକ । ମୋ ସଙ୍ଗେ କଥାବାର୍ତ୍ତା ହୋଇ ମୋର ଇତିହାସ ଶୁଣିଲାରୁ ମତେ କିରାଣୀ କାମ ଦେଇଛନ୍ତି ବୋଲି ମନେ ମନେ ଲଜ୍ଜିତ ହେଲେ । ମୁଁ ତାଙ୍କୁ ବୁଝାଇ କହିଲି–‘‘ଆପଣ କିଛି କରିବେ ନାହିଁ । ଆପଣ ମହାସଭାର ପୁରୁଣା ସେବକ, ବୟସରେ ବଡ଼ । ଆପଣ ମୋର ମୁରବୀ ସମାନ । ମୁଁ ବର୍ତ୍ତମାନ ଅନଭିଜ୍ଞ ଯୁବକ । ଏ କାମତକ ଦେଇ ଆପଣ ମୋର ଉପକାର କରିଛନ୍ତି । ମୋର କଂଗ୍ରେସ କାମ କରିବାକୁ ଏକାନ୍ତ ଇଚ୍ଛା । ଆପଣ ମୋତେ ଏ ଖୁଣ୍ଟି ନାଣ୍ଟି କାମର ସୁଦ୍ଧା ଅଭିଜ୍ଞତା ପାଇବାକୁ ଯେଉଁ ସୁଯୋଗ ଦେଲେ, ସେଥିପାଇଁ ମୁଁ ପ୍ରକୃତରେ କୃତଜ୍ଞ ।’’

 

ଘୋଷାଲ ବାବୁ କହିଲେ—‘‘ସତ କଥା, କର୍ମୀର ମନୋଭାବ ଏହିପରି ହେବା ଉଚିତ । କିନ୍ତୁ ଆଜିକାଲିର ଟୋକାଏ ଏଭଳି ନୁହନ୍ତି । ହଁ, କଂଗ୍ରେସ ଆରମ୍ଭରୁ ମୁଁ ତ ବରାବର ରହିଛି । ସତ କହିଲେ ଏ କଂଗ୍ରେସ ଗଢ଼ିବାରେ ମିଷ୍ଟର ହିଉମ୍‌ଙ୍କ ସଙ୍ଗେ ମୋର ମଧ୍ୟ ଭାଗ ଅଛି ।’’

 

ଏହିପରି ଆମ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଭଲ ଭାବରେ ଜମିଗଲା । ସେ କହିଲେ–‘‘ଆପଣ ଏଣିକି ମୋ ସାଙ୍ଗରେ ରହି ଖିଆପିଆ କରିବେ ।’’

 

ଘୋଷାଲ ବାବୁଙ୍କର ଅଭ୍ୟାସ ସେ ଜାମା ପିନ୍ଧିଲାବେଳେ ‘ବେରା’ ତାଙ୍କ ବୋତାମ ଲଗାଇଦିଏ । ଦିନେ ମୁଁ ‘ବେରା’ ର କାମ ଟିକକ କରିବାକୁ ଠିଆହେଲି । ମୋତେ ଏଭଳି କାମ କରିବାକୁ ପ୍ରକୃତରେ ସୁଖ ଲାଗେ, କାରଣ ମୁଁ ବୟୋଜ୍ୟେଷ୍ଠ ଗୁରୁଜନମାନଙ୍କୁ ବଡ଼ ଭକ୍ତି କରେ । ସେ ମୋର ପ୍ରକୃତ ମନୋଭାବ ବୁଝିଗଲାରୁ ମୁଁ ତାଙ୍କର ଏଭଳି ଛୋଟ ଛୋଟ ବ୍ୟକ୍ତିଗତ ସେବା କରିବାରେ ସେ କିଛି ଭାବନ୍ତି ନାହିଁ; ବରଂ ବଡ଼ ଖୁସି ହୁଅନ୍ତି । କୁରୁତା ପିନ୍ଧି ମୋତେ ବୋତାମ ଲଗାଇବାକୁ ଡାକିଲା ବେଳେ ସେ କହନ୍ତି, ‘‘ଦେଖୁଛ, ବର୍ତ୍ତମାନ କଂଗ୍ରେସ ସମ୍ପାଦକଙ୍କୁ ବୋତାମ ଲଗାଇବାକୁ ସୁଦ୍ଧା ବେଳ ମିଳୁନାହିଁ । ସବୁବେଳେ ତ ତାଙ୍କର କିଛି ନା କିଛି କାମ ଲାଗି ରହିଛି ।’’ ଶ୍ରୀଯୁକ୍ତ ଘୋଷାଲଙ୍କର ଏ ପ୍ରକାର ସରଳ କଥାରେ ମତେ କୌତୁକ ଲାଗେ । କିନ୍ତୁ ଏଭଳି ବ୍ୟକ୍ତିଗତ ସେବା କରୁଛି ବୋଲି ମୋ ମନର କେବେହେଲେ କୌଣସି ପ୍ରକାର ଅଶ୍ରଦ୍ଧା ଆସେ ନାହିଁ । ଏଭଳି ସେବା କରି ମୁଁ ଯେ ଅମୂଲ୍ୟ ଉପକାର ପାଇଛି, ତାହା କଥାରେ କହିହେବ ନାହିଁ ।

 

ଚାହୁଁ ଚାହୁଁ ଦିନ ହୋଇଗଲା । କଂଗ୍ରେସ କାମ କିପରି ହୁଏ ତାହା ଜାଣିବାକୁ ପାଇଲି । ସବୁ ବଡ଼ ବଡ଼ ନେତାଙ୍କ ସଙ୍ଗେ ଦେଖାହେଲା । ଶ୍ରୀଯୁକ୍ତ ଗୋଖଲେ ଓ ସୁରେନ୍ଦ୍ରନାଥଙ୍କ ପରି ବୀରମାନେ ଯା ଆସ କରୁଥାନ୍ତି । ମୁଁ ସେମାନଙ୍କ ଗତିବିଧି ଲକ୍ଷ୍ୟ କରୁଥାଏ । କଂଗ୍ରେସ ସମୟର କିପରି ଅପବ୍ୟୟ ହେଉଛି, ତାହା ମଧ୍ୟ ଦେଖୁଥାଏ । ସେତେବେଳେ ମଧ୍ୟ ଇଂରାଜୀ ଭାଷା ଏ ଜାତୀୟ ଅନୁଷ୍ଠାନରେ ଯେ କିଭଳି ମୁଖ୍ୟ ସ୍ଥାନ ପାଉଥାଏ, ତାହା ମଧ୍ୟ ଦୁଃଖର ସହିତ ଅନୁଧ୍ୟାନ କରୁଥାଏ । ମୁଁ ବୁଝୁଥାଏ, ବୃଥା ଶକ୍ତିର ଅପଚୟ ପ୍ରତି କାହାରି ହେଲେ ନଜର ନାହିଁ । ଜଣେ ଯାହା କରିପାରନ୍ତେ, ସେଥିଲାଗି ପଲେ ଲାଗିଯାନ୍ତି; ଅଥଚ ଯାହା ଜରୁରୀ କର୍ତ୍ତବ୍ୟ ସେଭଳି ଅନେକ କାମପ୍ରତି କେହି ଦୃଷ୍ଟି ଦେଉ ନ ଥାନ୍ତି ।

 

ଏ ସବୁକୁ ସମାଲୋଚନା ଦୃଷ୍ଟିରେ ମୁଁ ଦେଖୁଥିଲେହେଁ ମୋଠାରେ ଯେ ଉଦାର ଭାବ ଆଦୌ ନ ଥିଲା, ତା ନୁହେଁ । ତେଣୁ ମୁଁ ମଧ୍ୟ ବିଚାରୁଥାଏ ଯେ, ବର୍ତ୍ତମାନ ଅବସ୍ଥାରେ ବୋଧହୁଏ ଏହାଠାରୁ ଭଲ ଆଉ କିଛି କରି ହୁଅନ୍ତା ନାହିଁ । ଏହିପରି ବିଚାରି ଥିବାରୁ ମୁଁ କେବେ କାହାରି କୌଣସି କାର୍ଯ୍ୟକୁ ଲଘୁ କରିଦେବାକୁ ଇଚ୍ଛା କରିନାହିଁ ।

 

ମହା ସଭାରେ

 

ମହାସଭାର ବୈଠକ ଆରମ୍ଭ ହେଲା । ବିରାଟ ମଣ୍ଡପର ସାଜସଜ୍ଜା, ସୁସଜ୍ଜିତ ସ୍ୱେଚ୍ଛାସେବକ-ବାହିନୀ ଏବଂ ମଣ୍ଡପ ଉପରେ ବସିଥିବା ବୟସ୍କ ନେତୃବୃନ୍ଦଙ୍କୁ ଦେଖି ମୁଁ ଘାବରା ହୋଇଗଲି । ମୁଁ ସ୍ଥିର କରିପାରିଲି ନାହିଁ ଯେ, ଏ ବିରାଟ ଜନମଣ୍ଡଳ ଭିତରେ ମୋର ସ୍ଥାନ କେଉଁଠି-?

 

ସଭାପତିଙ୍କ ବକ୍ତୃତା ତ ସଫା ଖଣ୍ଡିଏ ବହି । ସେତେବେଳେ ଏହାକୁ ମୂଳରୁ ଶେଷଯାଏ ପଢ଼ିବା ଅସମ୍ଭବ । ସେଥିର କେତେକ ଅଂଶ କେବଳ ସେଠାରେ ପଢ଼ି ଦିଆଗଲା । ତା’ପରେ ବିଷୟ ବିଚାରିଣୀ ସମିତିର ସଭ୍ୟ ବଛା ହେଲେ । ଶ୍ରୀଯୁକ୍ତ ଗୋଖଲେ ଏ କିମିଟିର ବୈଠକକୁ ମତେ ସଙ୍ଗରେ ନେଇଗଲେ । ସାର୍ ଫିରୋଜଶା ତ ମୋ ପ୍ରସ୍ତାବକୁ ନେବେ ବୋଲି ଆଗରୁ ହଁ କରିଥାନ୍ତି । ସମିତିରେ ବସି ମୁଁ କିନ୍ତୁ ଭାବୁଥାଏ ଯେ, କିଏ କେତେବେଳେ ଏ ପ୍ରସ୍ତାବଟି ବିଷୟ ନିର୍ବାଚନ ସଭାରେ ପେଶ୍ କରିବେ ? କାରଣ, ମୁଁ ଦେଖୁଥାଏ ଯେ, କୌଣସି ଗୋଟିଏ ପ୍ରସ୍ତାବ ଆସିଲେ ସେ ବିଷୟରେ ଲମ୍ବା ଲମ୍ବା ବକ୍ତୃତା ଚାଲିଥାଏ, ସମସ୍ତେ ଖାଲି ଇଂରାଜୀରେ ଝାଡ଼ୁଥାନ୍ତି । ପୁଣି ପ୍ରତି ପ୍ରସ୍ତାବ ପଛରେ ଜଣେ ଜଣେ ମୁଖିଆ ନେତା ଥାନ୍ତି । ଯେଉଁଠି ଶୀଳ ଶୀଳପତା ଗଗନେ ଉଡ଼ୁଛି—ସେଠି ମତେ ଶିମିଳି ତୁଳାକୁ ରଖୁଛି କିଏ ?

 

କ୍ରମେ ରାତି ଯେତିକି ବଢ଼ୁଥାଏ, ମୋ ଛାତି ସେତିକି ଧୁଡ଼ୁ ଧୁଡ଼ୁ ହେଉଥାଏ । ମୋର ଯେତେଦୂର ମନେ ପଡ଼ୁଛି, ଶେଷଆଡ଼ିକି ପ୍ରସ୍ତାବ ସବୁ ଆଜିକାଲିର ଉଡ଼ାଜାହାଜ ଗତିରେ ଚାଲିଲା-। ପ୍ରତ୍ୟେକ ସେତେବେଳେ ବସାକୁ ଚାଲିଯିବାକୁ ତରତର । ସେତେବେଳକୁ ରତି ୧୧ଟା ବାଜିଲାଣି । ମୁଁ କ’ଣ କରିବି, କିଛି ବୁଦ୍ଧି ଦିଶିଲା ନାହିଁ । ମୋର କିଛି କହିବାକୁ ସାହସ ହେଉ ନ ଥାଏ । ମୁଁ ତ ଆଗରୁ ଗୋଖଲେଙ୍କ ସଙ୍ଗେ କଥାବାର୍ତ୍ତା କରି ସାରିଥାଏ । ସେ ମୋ ପ୍ରସ୍ତାବାକୁ ଦେଖିଥାନ୍ତି ।

 

ମୁଁ ତାଙ୍କ ଚଉକି ପାଖକୁ ଘୁଞ୍ଚିଯାଇ ତୁନି କରି କହିଲି—‘‘ଅନୁଗ୍ରହ କରି ମୋ କଥା କ’ଣ ଟିକିଏ କରନ୍ତୁ ।’’ ସେ କହିଲେ—‘‘ତୁମ ପ୍ରସ୍ତାବ କଥା ମୁଁ ଭୁଲିଯାଇ ନାହିଁ । ଦେଖୁଛ ତ ଏମାନେ ପ୍ରସ୍ତାବ ଗୁଡ଼ାକୁ କିପରି ଠେଲି ପେଲି ଦେଇ ଯାଉଛନ୍ତି । ଯାହା ହେଉ, ତୁମ ପ୍ରସ୍ତାବାକୁ ମୁଁ କଦାପି ବାଦ ଦେଇଦେବି ନାହିଁ ।’’ ଏଥିମଧ୍ୟରେ ସାର୍‌ ଫିରୋଜଶା ମେହେଟା କହିଲେ, ‘‘କ’ଣ ସରିଲା ?’’ ଗୋଖଲେ କହିଲେ—‘‘ନା, ନା, ଦକ୍ଷିଣ ଆଫ୍ରିକାର ପ୍ରସ୍ତାବ ଅଛି ପରା ? ମି. ଗାନ୍ଧୀ କେତେବେଳୁ ଅପେକ୍ଷା କରି ବସିଛନ୍ତି ।’’ ସାର୍‌ ଫିରୋଜଶା ପଚାରିଲେ—‘‘ଆପଣ ସେ ପ୍ରସ୍ତାବ ଦେଖିଛନ୍ତି ।’’

 

‘‘ନିଶ୍ଚୟ ଦେଖିଛି—।’’

 

‘‘କ’ଣ ମନକୁ ପାଇଛି ?’’

 

‘‘ଏ ତ ଅତି ସୁନ୍ଦର ପ୍ରସ୍ତାବ ।’’

 

‘‘ତେବେ ଗାନ୍ଧୀ, ପ୍ରସ୍ତାବଟା ପଢ଼ ତ ।’’

 

ମୁଁ ଠିଆହୋଇ ପ୍ରସ୍ତାବଟି ପଢ଼ିଲି—ପଢ଼ିଲା ବେଳକୁ ମୁଁ ଖାଲି ଥରୁଥାଏ । ଶ୍ରୀଯୁକ୍ତ ଗୋଖଲେ ପ୍ରସ୍ତାବଟିକୁ ସମର୍ଥନ କଲେ ।

 

ସଙ୍ଗେ ସଙ୍ଗେ ସମସ୍ତେ ପାଟି କରିଉଠିଲେ—‘‘ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ଗୃହୀତ ହେଲା ।’’ ଶ୍ରୀଯୁକ୍ତ ଓ୍ୟାଛା କହିଲେ—‘‘ଗାନ୍ଧୀ, ଆପଣ ଏ ପ୍ରସ୍ତାବ ସମ୍ବନ୍ଧରେ ୫ ମିନିଟ ମାତ୍ର ବକ୍ତୃତା ଦେବାକୁ ସମୟ ପାଇବେ ।’’

 

ଏପରି ଭାବରେ ମୋ ପ୍ରସ୍ତାବଟି ମଞ୍ଜୁର ହେବାରେ ମୁଁ ଆଦୌ ଖୁସି ହେଲିନାହିଁ । କେହି ସେ ପ୍ରସ୍ତାବଟିକୁ ବୁଝିବାକୁ ଚେଷ୍ଟା କଲେ ନାହିଁ । ସମସ୍ତେ ତରବର ହେଉଥାନ୍ତି । ଗୋଖେଲ ଦେଖିଥାନ୍ତି ବୋଲି ଅନ୍ୟ କେହି ଦେଖିବାକୁ, ଶୁଣିବାକୁ କି ବିଷୟଟା ବୁଝିବାକୁ ଦରକାର ମନେକଲେ ନାହିଁ ।

 

ପରଦିନ ସକାଳ ହେଲା । ପାଞ୍ଚମିନିଟରେ କି ବକ୍ତୃତା ଦେବି ଏଇ ଚିନ୍ତା ମତେ ଧରିଥାଏ । ମୁଁ ଆଗରୁ ଠିକ୍ ଭାବରେ ପ୍ରସ୍ତୁତ ହୋଇଥାଏ । ହେଲେ କଣ ହେବ, ଅସଲବେଳକୁ ଶବ୍ଦ ପଇଟୁ ନଥାଏ । ଲେଖା ବକ୍ତୃତା ପଢ଼ିବି ନାହିଁ ବାଲି ଆଗରୁ ଠିକ୍ କରି ମୁହଁରେ ଚାରିପଦ କହିବାକୁ ଭାବିଥାଏ । ମାତ୍ର ଦକ୍ଷିଣ ଆଫ୍ରିକାରେ ବକ୍ତୃତା ଦେବାରେ ମୋର ଯେଉଁ ଅଭ୍ୟାସ ଥିଲା, ସେ ସବୁ କୁଆଡ଼େ ହଜିଗଲା ।

 

ଚାହୁଁ ଚାହୁଁ କଂଗ୍ରସ ଅଧିବେଶନରେ ମୋର ବକ୍ତୃତା ଦେବାର ସମୟ ଆସିଗଲା । ସଭାପତି ଓ୍ୟାଛା ମୋ ନାଁ ଧରି ଡାକିଲେ । ମୁଁ ଠିଆ ହେଲି । ମାତ୍ର ମୋ ମୁଣ୍ଡ ଖାଲି ଘିରି ଘିରି ବୁଲେଇଲା । କୌଣସି ପ୍ରକାରେ ପ୍ରସ୍ତାବଟି ପଢ଼ିଦେଲି । କିଏ ଜଣେ କବି ବିଦେଶ ଗମନ ଓ ସମୁଦ୍ର ଯାତ୍ରାର ପ୍ରଶଂସା କରି ପଦ୍ୟଟିଏ ଛପାଇ ବାଣ୍ଟି ଦେଇଥାନ୍ତି । ମୁଁ ତାକୁ ପଢ଼ି ଶୁଣାଇଲି ଏବଂ ସେଥି ସଙ୍ଗେ ସଙ୍ଗେ ଦକ୍ଷିଣ ଆଫ୍ରିକାର ଦୁଃଖର କାହାଣୀ କିଛି କହିଲି । ଏତିକିରେ ସାର ଦୀନଶାଙ୍କର ଘଣ୍ଟି ବାଜିଉଠିଲା । ମତେ ଜଣାଯାଉଥାଏ ମୁଁ ଯେପରି ପାଞ୍ଚ ମିନିଟ୍ କହି ସାରିନାହିଁ । ମୁଁ ବୁଝିପାରିଲି ନାହିଁ ଯେ, ଆଉ ଦୁଇ ମିନିଟ୍ ଭିତରେ ବକ୍ତୃତା ଶେଷ କରିବାକୁ ଏ ଘଣ୍ଟି ବାଜିଲା ବୋଲି । ମୁଁ ତ ଆଗରୁ ଦେଖିଛି ଯେ ଜଣେ ଜଣେ ଅଧ ଅଧଘଣ୍ଟା, ତିନିପା ଘଣ୍ଟା ଧରି ବକ୍ତୃତା ଦିଅନ୍ତି; ଅଥଚ ତାଙ୍କ ଲାଗି ଘଣ୍ଟି ବାଜେ ନାହିଁ । ତେଣୁ ମୋ ମନରେ କଷ୍ଟ ହେଲା । ଘଣ୍ଟି ବାଜିଲାକ୍ଷଣି ମୁଁ ବସିପଡ଼ିଲି । ମୋ କ୍ଷୁଦ୍ର ବୁଦ୍ଧିରେ ସେତେବେଳେକୁ ମୁଁ ବୁଝିଲି ଯେ, ସେହି କବିତାରେ ସାର ଫିରୋଜଶାଙ୍କ ଆକ୍ଷେପରେ ଜବାବ ଦିଆଯାଇଛି ।

 

ପ୍ରସ୍ତାବ ଗୃହୀତ ହେବା ବିଷୟରେ କିଛି କଥା ନ ଥାଏ । ସେ ସମୟରେ ଦର୍ଶକ ଓ ପ୍ରତିନିଧିମାନଙ୍କ ଭିତରେ କିଛି ତଫାତ୍ ନ ଥାଏ । ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ହାତ ଉଠାନ୍ତି ଏବଂ ପ୍ରତ୍ୟେକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଯାଏ । ମୋ ପ୍ରସ୍ତାବ ମଧ୍ୟ ସେମିତି ଗୃହୀତ ହୋଇଗଲା । ସେଥିରେ କିଛି ଗୁରୁତ୍ୱ ଥିଲା ପରି ମତେ ଜଣାଗଲା ନାହିଁ । କେବଳ ଏତିକି, ମହାସଭାରେ ଏହା ଗୃହୀତ ହେଲା ଏହାହିଁ ମୋର ଆନନ୍ଦପାଇଁ ଯଥେଷ୍ଟ ଥିଲା । ମହାସଭା ଛାପ ପାହା ଉପରେ ପଡ଼ିଲା, ସେଥିରେ ସମଗ୍ର ଭାରତର ମୋହର ଯେ ଦିଆଗଲା ଏଥିରେ ବା କାହା ମନରେ ଆନନ୍ଦ ନ ଆସିବ ।

 

ଲର୍ଡ଼ କର୍ଜନଙ୍କ ଦରବାର

 

ମହାସଭାର ଅଧିବେଶନ ସରିଲା । ମାତ୍ର ଚେମ୍ବରସ୍ ଅଫ୍ କମର୍ସ (ବଣିଜ ସଂଘ) ପ୍ରଭୃତିଙ୍କ ସଙ୍ଗେ ଦେଖାକରି ଦକ୍ଷିଣ ଆଫ୍ରିକା ପ୍ରସଙ୍ଗରେ ମୋର କଥା ହେବାର ଥିବାରୁ ମୁଁ ମାସେ ଖଣ୍ଡେ କଲିକତାରେ ରହିଗଲି । ଏଥର ହୋଟେଲରେ ନ ରହି ମୁଁ ଆଳାପ ପରିଚୟ ବଢ଼ାଇବା ଲାଗି ଇଣ୍ଡିଆନ୍ କ୍ଲବରେ ରହିବାର ବ୍ୟବସ୍ଥା କରିନେଲି । ଏ କ୍ଲବର ମେମ୍ବରମାନଙ୍କ ଭିତରେ କେତେକ ବିଶିଷ୍ଟ ଭାରତୀୟ ବ୍ୟକ୍ତି ଥାନ୍ତି । ମୁଁ ସେମାନଙ୍କର ଭେଟ ପାଇବି ଏବଂ ଦକ୍ଷିଣ ଆଫ୍ରିକା ସମସ୍ୟା ସମ୍ପର୍କରେ ସେମାନଙ୍କର ସହାନୁଭୂତି ହାସଲ କରିବି, ଏଥିପାଇଁ ଉଦ୍ୟମ କଲି । ଏ କ୍ଲବକୁ ଶ୍ରୀଯୁକ୍ତ ଗୋଖଲେ ସବୁଦିନେ ନ ହେଲେ ବି ମଧ୍ୟେ ମଧ୍ୟେ ‘ବିଲିଆର୍ଡ଼ସ୍‌’’ ଖେଳିବାକୁ ଆସନ୍ତି । ମୁଁ କଲିକତାରେ ରହୁଛି, ଏତିକି ଶୁଣିଲାକ୍ଷଣି ସେ ମୋତେ ତାଙ୍କ ବସାରେ ରହିବାକୁ ନିମନ୍ତ୍ରଣ କଲେ । ମୁଁ ଧନ୍ୟବାଦସହ ନିମନ୍ତ୍ରଣ ରକ୍ଷାକଲି; ମାତ୍ର ନିଜେ ଯାଇ ତାଙ୍କ ବସାରେ ରହିବାକୁ ଭଲ ମନେକଲି ନାହିଁ । ଦିନେ ଦି’ଦିନ ଅପେକ୍ଷା କରି ସେ ମତେ ଆପଣା ସଙ୍ଗରେ ନେଇଗଲେ । ମୋର ସଂକୋଚ ଦେଖି ସେ କହିଲେ, ‘‘ଗାନ୍ଧୀ, ତୁମେ ତ ଏ ରାଜ୍ୟରେ ରହି କାମ କରିବ, ସେପରିସ୍ଥଳେ ଏତେଦୂର ଗମ୍ଭୀର ହେଲେ ଚଳିବ କିପରି ? ଯେତେ ସମ୍ଭବ ଅଧିକ ଲୋକଙ୍କ ସଙ୍ଗେ ତମର ପରିଚୟ ହେବା ଦରକାର । ମୋର ତୁମଠୁଁ ମହାସଭା ପାଇଁ କେତେକ କାମ ନେବାର ଅଛି ।’’

 

ଗୋଖଲେଙ୍କ ପାଖରେ ବିବରଣୀ ଦେବା ଆଗରୁ ‘‘ଇଣ୍ଡିଆ କ୍ଲବ’’ ର ଗୋଟିଏ ଅନୁଭବର ଉଲ୍ଲେଖ କରେ ।

 

ଏହି ସମୟରେ ଲର୍ଡ଼ କର୍ଜନ ତାଙ୍କର ଦରବାର କରାଇଲେ । ସେଥିରେ ଯୋଗ ଦେବାଲାଗି କେତେ ରାଜା, ମହାରାଜା ଆସି ସେହି ‘ଇଣ୍ଡିଆ କ୍ଲବ’ରେ ରହିଲେ । କ୍ଲବରେ ସେମାନେ ବେଶ୍ ବଙ୍ଗାଳୀ ଧୋତି, ଚାଦର, କମିଜ ପିନ୍ଧି ବସାଉଠା କରୁଥିବାର ମୁଁ ଦେଖିଛି । କିନ୍ତୁ ଦରବାର ଦିନ ସେମାନେ ପାଇଜାମା, ଅଚକନ, ଖାନସମା ପଗଡ଼ି ଓ ଚକଚକିଆ ବୁଟ୍ ଯୋତା ପିନ୍ଧି ବାହାରିଲେ । ଏହା ଦେଖି ମୋ ମନରେ ବଡ଼ କଷ୍ଟ ହେଲା । ସେମାନଙ୍କ ଭିତରୁ ଜଣକୁ ମୁଁ ଏ ପରିବର୍ତ୍ତନରେ କାରଣ ପଚାରିଲି ।

 

ସେ କହିଲେ—‘‘ଆମର ଦୁରବସ୍ଥା ଆମେଇ କେବଳ ଜାଣୁ । ଆମର ପଇସା ଓ ଆମର ଇଲାକାକୁ ନିରାପଦ ରଖିବାପାଇଁ ଆମକୁ ଯେ କି ଅପମାନ ସହିବାକୁ ପଡ଼େ, ସେ କଥା ତୁମେ କିମିତି ଜାଣିବ ?’’

 

‘‘କିନ୍ତୁ ଖାନସମାଙ୍କ ପରି ଏ ପଗଡ଼ି ଆଉ ଏ ବୁଟ୍‌ଯୋତା କାହଁକି ?’’ ସେ ଉତ୍ତର ଦେଲେ—‘‘ଖାନସମା ଓ ଆମ ଭିତରେ କିଛି ପ୍ରଭେଦ ଥିବାର ତୁମେ ଦେଖୁଛ କି ? ସେମାନେ ଆମର ଖାନ୍‌ସମା ମାତ୍ର ଆମେ ସବୁ ଲର୍ଡ଼ କର୍ଜନଙ୍କ ଖାନସମା । ମୁଁ ଯଦି ଆଜି ଦରବାରରେ ଗରହାଜର ହେବି, ତେବେ ମୋତେ ତା’ର ପ୍ରତିଫଳ ଭୋଗିବାକୁ ପଡ଼ିବ । ମୁଁ ମୋ ଜାତୀୟ ପୋଷାକରେ ଦରବାରରେ ବସିଲେ ତାହା ଏକ ଅପରାଧ ବୋଲି ଧରାହେବ । ଏତେ କରି ମଧ୍ୟ ସେଠି ଲର୍ଡ଼ କର୍ଜନଙ୍କୁ ପଦେ କଥା କିଛି କହିବାର ସୁବିଧା କଣ ଆମକୁ ମିଳିବ ? କଦାପି ନୁହେଁ ।’’

 

ଏ ନିଷ୍କପଟ ଭାଇଟି ପ୍ରତି ମୋର ଦୟା ହେଲା—ଆଜି ଏ ଦରବାର କଥା କହୁ କହୁଁ ଆଉ ଗୋଟିଏ ଦରବାର କଥା ମନେ ପଡ଼ିଯାଉଛି । ଯେତେବେଳେ ଲର୍ଡ଼ ହାର୍ଡ଼ିଞ୍ଜ କାଶୀ ବିଶ୍ୱବିଦ୍ୟାଳୟର ମୂଳଦୁଆ ପକାଇଲେ, ସେତେବେଳେ ସେଠାରେ ମଧ୍ୟ ଗୋଟିଏ ଦରବାର ହୋଇଥିଲା । ସେ ଦରବାରରେ ଅନେକ ରାଜା ମହାରାଜା ଯୋଗ ଦେଇଥାନ୍ତି । ଭାରତଭୂଷଣ ମାରଓ୍ୟାଜାକୀ ସେଥିରେ ଯୋଗ ଦେବାକୁ ମତେ ଅନୁରୋଧ କରିଥାନ୍ତି । ତେଣୁ ମୁଁ ମଧ୍ୟ ଯାଇଥାଏ-। ସେଠାରେ ଆମର ରାଜା ମହାରାଜମାନଙ୍କୁ ମାଇପଙ୍କ ପରି ସଜାଡ଼ି ହୋଇ ଯାଇଥିବାର ଦେଖି ବଡ଼ ଦୁଃଖିତ ହେଲି । ସମସ୍ତଙ୍କର ପାଟକନାର ଇଜାର (ଢିଲାପାଇଜାମା), ପାଟର ଚପକନ, ବେକରେ ହୀରା ନୀଳାର ହାର, ହାତରେ ବାଜୁବନ୍ଧ ଓ ପଗଡ଼ି ଉପରେ ମୋତି ମାଣିକ୍ୟର ଝୁମ୍ପା । ଏସବୁ ସାଙ୍ଗକୁ ଅଣ୍ଟାରେ ପୁଣି ସୁନା ମୁଠିବାଲା ତରବାରୀ ।

 

ଏ ସବୁ ସେମାନଙ୍କର ରାଜ୍ୟାଧିକାର ଚିହ୍ନ ବୋଲି କେହି କହିପାରେ; ମାତ୍ର ସେ ସବୁ ସେମାନଙ୍କର ଗୋଲାମୀର ଚିହ୍ନ ବୋଲି ମତେ ପରିଷ୍କାର ଜଣାଗଲା । ମୁଁ ମନେ କରିଥିଲି ଯେ, ଏମାନେ ମନଖୁସିରେ ଏଭଳି ଅଣପୁରୁଷିଆ ପୋଷାକ ପିନ୍ଧିଥିବେ, କିନ୍ତୁ ପରେ ଶୁଣିଲି, ଏଥିରେ ଇଚ୍ଛା ଅନିଚ୍ଛାର କଥା କିଛି ନାହିଁ । ସରକାରୀ ନିୟମ ଯେ, ଏ ସବୁ ବୈଠକରେ ରାଜାମାନେ ନିଜର ସବୁ ଦାମିକା ଗହଣା ପିନ୍ଧିବାକୁ ବାଧ୍ୟ । ଆହୁରି ମଧ୍ୟ ଜାଣିଲି ଯେ, କେତେକଙ୍କର ଏଭଳି ଗହଣା ନାଇବା ପ୍ରତି ଘୃଣା ଅଛି ଏବଂ ଏଭଳି ଦରବାର ଛଡ଼ା ଅନ୍ୟତ୍ର ସେ ସବୁ ପିନ୍ଧନ୍ତି ନାହିଁ । ଏ କଥା କେତେଦୂର ସତ୍ୟ ମତେ ଅବଶ୍ୟ ଜଣା ନ ଥିଲା । ସେ ଯାହାହେଉ ଅନ୍ୟ ସମୟରେ ପିନ୍ଧନ୍ତୁ ବା ନ ପିନ୍ଧନ୍ତୁ, ବଡ଼ଲାଟଙ୍କ ଦରବାରରେ ମାଇପଙ୍କଯୋଗ୍ୟ ଅଳଙ୍କାର ପିନ୍ଧି ବଡ଼ ବଡ଼ ରାଜା ମହାରାଜାମାନେ ବସିବା ଅତି ଶୋଚନୀୟ ବ୍ୟାପାର ।

 

ଧନ, ମାନ ଓ କ୍ଷମତାର ଲୋଭ ମନୁଷ୍ୟକୁ କି ଘୋର ପାପ ଓ ଅନର୍ଥରେ ପକାଇ ନ ଘାଣ୍ଟେ ।

 

ଗୋଖଲେଙ୍କ ସଙ୍ଗେ ମାସେ (୧)

 

ଗୋଖଲେଙ୍କ ସଙ୍ଗେ ଯାଇ ରହିବାମାତ୍ରେ ମୋର ମନେହେଲା, ସତେ ଯେପରି ମୁଁ ନିଜ ଘରେ ଅଛି । ମତେ ସେ ନିଜ ସାନଭାଇ ପରି ବ୍ୟବହାର କଲେ । ମୋର ସବୁ ଅଭାବ ସେ ବୁଝିନେଇ ତଦନୁସାରେ ସବୁ ବନ୍ଦୋବସ୍ତ କରି ଦେଉଥାନ୍ତି । ସୌଭାଗ୍ୟକୁ ମୋର ଅଭାବ ବା ଅସୁବିଧା କିଛି ନ ଥାଏ କହିଲେ ଚଳେ । ସବୁ କାମ ନିଜ ହାତେ ହାତେ କରିବା ମୋର ଅଭ୍ୟାସରେ ପଡ଼ିଯାଇ ଥାଏ । ତେଣୁ ମୁଁ କାହାରି ସେବା ଲୋଡ଼େ ନାହିଁ । ମୋର ସ୍ୱାବଲମ୍ବନ ଅଭ୍ୟାସ, ପରିଷ୍କାର ପରିଛନ୍ନତା, ଅଧ୍ୟବସାୟ, ନିଷ୍ଠା ଓ ନିୟମାନୁବର୍ତ୍ତିତା ଦେଖି ସେ ବଡ଼ ମୁଗ୍‌ଧ ହୋଇଗଲେ । ସେ ମୋ ମୁହେଁ ମୁହେଁ ମୋର ଏତେ ପ୍ରଶଂସା କରନ୍ତି ଯେ, ମତେ ବଡ଼ ଅଡ଼ୁଆ ଲାଗେ । ସେ ମୋଠାରୁ କେବେ କିଛି ଲୁଚାଇ ରଖୁଥିଲେ ବୋଲି ମୋର ମନେ ପଡ଼ୁନାହିଁ । ତାଙ୍କ ପାଖକୁ ଯେ କେହି ବିଶିଷ୍ଟ ଲୋକ ସାକ୍ଷାତ କରିବାକୁ ଆସିଲେ ସେ ମୋ ସଙ୍ଗେ ସେମାନଙ୍କର ପରିଚୟ କରାଇଦିଅନ୍ତି । ଏଭଳି ପରିଚୟ ଭିତରୁ ଡାକ୍ତର ପ୍ରଫୁଲଚନ୍ଦ୍ର ରାୟଙ୍କ କଥା ସର୍ବପ୍ରଥମେ ବିଶେଷଭାବରେ ମୋ ଆଖି ଆଗରେ ଭାସିଯାଉଛି । ତାଙ୍କ ବସା ଗୋଖଲେଙ୍କ ବସା ପାଖରେ ଥାଏ, ସେଥିପାଇଁ ସେ ବହୁତ ସମୟରେ ସେଠାକୁ ଆସୁଥାନ୍ତି ।

 

ଗୋଖଲେ ଡାକ୍ତର ରାୟଙ୍କୁ ମୋତେ ଦେଖାଇ ଦେଇ ନିମ୍ନଲିଖିତ ଭାବରେ ତାଙ୍କର ପରିଚୟ ଦେଲେ— ‘‘ଏ ହେଉଛନ୍ତି ଡାକ୍ତର ରାୟ । ୮୦୦ ଟଙ୍କା ଦରମା ପାଆନ୍ତି; ମାତ୍ର ନିଜଲାଗି ୪୦ଟି ମାତ୍ର ରଖି ବାକିତକ ସାଧାରଣ କାମ ପାଇଁ ଦାନ କରିଦିଅନ୍ତି । ସେ ବିବାହ କରି ନାହାନ୍ତି କି କରିବାକୁ ଚାହୁଁ ନାହାନ୍ତି ।’’ ମୁଁ ଡାକ୍ତର ରାୟଙ୍କୁ ସେତେବେଳେ ଦେଖିଥିଲି, ଏବେ ମଧ୍ୟ ଦେଖୁଛି । ଆଜିର ଡାକ୍ତର ରାୟ ଓ ସେବକାର ଅଧ୍ୟାପକ ରାୟଙ୍କ ଭିତରେ ମୁଁ ଖୁବ୍‌ ସାମାନ୍ୟ ପ୍ରଭେଦ ଦେଖିବାକୁ ପାଏ । ସେତେବେଳେ ସେ ଯମିତି ଶୁଦ୍ଧ ସରଳ ନିରାଡ଼ମ୍ବର ଭାବରେ ଧୋତି କୁରୁତା ଦିଖଣ୍ଡି ବ୍ୟବହାର କରୁଥିଲେ, ଏବେ ମଧ୍ୟ ସେହିପରି । ବରଂ ସେତେବେଳେ ଦେଶୀ କଳ ତିଆରି ଲୁଗା ପିନ୍ଧୁଥିଲେ । ଆଜି ବିଶୁଦ୍ଧ ଖଦଡ଼ ପିନ୍ଧୁଛନ୍ତି । ଶ୍ରୀଯୁକ୍ତ ଗୋଖଲେ ଓ ଡାକ୍ତର ରାୟଙ୍କର କଥାବାର୍ତ୍ତା ଯେତେ ଶୁଣିଲେ ମଧ୍ୟ ମନବୋଧ ହୁଏ ନାହିଁ । ମନହୁଏ ସବୁବେଳେ ଶୁଣୁଥାନ୍ତି କି ? ତାଙ୍କ କଥାବାର୍ତ୍ତା ସବୁବେଳେ ସାଧାରଣର ଓ ଦେଶର ହିତ ନେଇ ଚାଲିଥାଏ । ଏଥିରେ ଅନେକ କଥା ଶିଖିବାର ଥାଏ । ବେଳେ ବେଳେ ସେ ସବୁ ଶୁଣି ମନରେ ଦୁଃଖ ମଧ୍ୟ ଆସେ । କାରଣ କୌଣସି ସାଧାରଣ ନେତାଙ୍କ ଦୁର୍ଗୁଣ କଥା ମଧ୍ୟ ବେଳେ ବେଳେ ପଡ଼ିଯାଏ । ଏହା ଫଳରେ ମୋ ମନରେ କେତେକ ପରିବର୍ତ୍ତନ ଆସିଲା । ଆଗେ ମୁଁ ଯାହାଙ୍କୁ ସବୁ ଧୂରନ୍ଧର ଦେଶସେବକ ଓ ଲଢ଼ିଲାବାଲା ବୋଲି ବିଚାରୁଥିଲି, ଦେଖିଲି ସେମାନଙ୍କ ଭିତରେ କେତେକ ନିତାନ୍ତ ନିକମା ଲୋକ-

 

ଗୋଖଲେଙ୍କର କାମ କରିବାରେ ତତ୍ପରତା ଦେଖିଲେ ମନରେ ଆନନ୍ଦ ଯେପରି ଆସେ, ସେଥିରେ ଶିକ୍ଷା ମଧ୍ୟ ସେହିପରି ମିଳେ । ସେ ମିନିଟିଏ ସୁଦ୍ଧା ସମୟ ନଷ୍ଟ କରନ୍ତି ନାହିଁ । ତାଙ୍କର ଘରୋଇ ବା ସାଧାରଣ ସବୁପ୍ରକାର ସାଙ୍ଗ ସୁଖ, ବନ୍ଧୁତା କେବଳ ସାଧାରଣ ଉଦ୍ଦେଶ୍ୟରେ ପରିଚାଳିତ । ସେ ଯେତେ କଥା କହନ୍ତି, ସବୁଥିରେ ସେହି ଦେଶର ମଙ୍ଗଳ ଚିନ୍ତା ଛଡ଼ା ଆଉ କିଛି ନ ଥାଏ । ତାଙ୍କ କଥାରେ ଟିକିଏ ହେଲେ ମଳିନତା, ମିଥ୍ୟା ବା ଦମ୍ଭର ଚିହ୍ନ ସୁଦ୍ଧା ମୁଁ ପାଏ ନାହିଁ । ଭାରତର ଦରିଦ୍ରତା ଓ ପରାଧୀନତା ସବୁବେଳେ ତାଙ୍କ ପ୍ରାଣରେ ଆଘାତ ଜନ୍ମାଉଥାଏ । କେଜାଣି କେତେ ଲୋକ ତାଙ୍କ ପାଖଖୁ ଆସି ତାଙ୍କୁ ନାନା ପ୍ରସଙ୍ଗରେ ଯୋଗ ଦେବାକୁ ଓ ଦୃଷ୍ଟି ଦେବାକୁ ଅନୁରୋଧ କରନ୍ତି । କିନ୍ତୁ ସେ ସମସ୍ତଙ୍କୁ ଗୋଟିଏ ଜବାବ ଦିଅନ୍ତି—‘‘ତୁମେ ସେ କାମଟି ନିଜେ କର, ମୁଁ ଯେଉଁ କାମଟି କରୁଛି ସେତକ ମୋତେ କରିବାକୁ ଦିଅ । ଆମ ରାଜ୍ୟ କିପରି ସ୍ୱାଧୀନ ହେବ, ଏହାହିଁ ମୋର ଚିନ୍ତା । ଦେଶ ସ୍ୱାଧୀନ ହୋଇଗଲେ ଅନ୍ୟ ସବୁ କଥା ପ୍ରତି ଦୃଷ୍ଟି ଦେଇହେବ-। ବର୍ତ୍ତମାନ ସେହି ସ୍ୱାଧୀନତା ପ୍ରସଙ୍ଗରେ ମୋର ସବୁ ସମୟ ଓ ଶକ୍ତି ନିୟୋଜିତ । ମୁହୂର୍ତ୍ତେ ହେଲେ ଅବସର ମିଳୁନାହିଁ ।’’

 

ରାଣାଡ଼େଙ୍କ ପ୍ରତି ତାଙ୍କର ଅସାଧାରଣ ଭକ୍ତି କଥା କଥାକେ ଜଣାପଡ଼େ । ପ୍ରତି କଥାରେ ରାଣାଡ଼େଙ୍କ ଉପଦେଶ ବା ସିଦ୍ଧାନ୍ତକୁ ସେ ନଜିର କରି ଥୁଅନ୍ତି । ରାଣାଡ଼େଙ୍କ ପରାମର୍ଶ ତାଙ୍କ ଉପରେ ବେଦତୁଲ୍ୟ । ମୁଁ ଗୋଖଲେଙ୍କ ପାଖରେ ଥିଲାବେଳେ ଥରେ ରାଣାଡ଼େଙ୍କ ଜନ୍ମଦିନ କି ଶ୍ରାଦ୍ଧ କଣ ଗୋଟିଏ ପଡ଼ିଲା । ଗୋଖଲେ ବରାବର ଏ ସବୁ ଉତ୍ସବ ପାଳନ କରନ୍ତି । ସେତେବେଳେ ମୋ ଛଡ଼ା ଅଧ୍ୟାପକ କାଥୱେଟେ ଓ ଆଉ ଜଣେ ସବ୍‌ଜଜ୍ ତାଙ୍କ ସଙ୍ଗରେ ଥାନ୍ତି । ସେ ଆମ ସମସ୍ତଙ୍କୁ ସେ ଉତ୍ସବରେ ଯୋଗ ଦେବାପାଇଁ ଡାକିଲେ ଏବଂ ବୈଠକରେ ଗୋଟିଏ ବକ୍ତୃତା ଦେଇ ରାଣାଡ଼େଙ୍କ ଜୀବନୀ ବିଷୟରେ ତାଙ୍କର ମଧୁର ସ୍ମୃତି ସବୁ ବୟାନ କଲେ । ସେ କହୁ କହୁ ରାଣାଡ଼େ, ତେଲଙ୍ଗ ଓ ମଣ୍ଡଳିକ ଏ ତିନିଙ୍କି ତୁଳନା କରିବସିଲେ । ତେଲଙ୍ଗଙ୍କ ଲେଖାର ମଧୁର ଛଟା ଓ ମଣ୍ଡଳିକଙ୍କ ମହତ୍‍ ସଂସ୍କାର ପ୍ରବୃତ୍ତିକୁ ଭାରି ପ୍ରଶଂସା କଲେ । ମଣ୍ଡଳିକ ତାଙ୍କ ମହକିଲମାନଙ୍କ ପ୍ରତି କର୍ତ୍ତବ୍ୟ କରିବା ବିଷୟରେ କିପରି ସାଧୁ ଓ ନିଷ୍ଠାପର ଥିଲେ, ସେଥିରେ ଦୃଷ୍ଟାନ୍ତ ଦେବାକୁ ଯାଇ ଗୋଟିଏ ଘଟଣା ଉଲ୍ଲେଖ କଲେ । ମଣ୍ଡଳିକଙ୍କର ଥରେ ଜଣେ ମହକିଲ କାମରେ ରେଳରେ ବସି ଅଦାଲତକୁ ଯିବାର ଥିଲା । ମାତ୍ର ସେ ରେଳ ଫେଲ୍‌ ହୋଇଗଲେ । ତହୁଁ ହାତରୁ ସବୁ ଖର୍ଚ୍ଚ ଦେଇ ଗୋଟିଏ ସ୍ୱତନ୍ତ୍ର ରେଲ୍‌ ଭଡାକରି କୋଟରେ ଯାଇ ପହଞ୍ଚିଲେ । ଗୋଖଲେ କହନ୍ତି ରାଣାଡ଼େ ଏ ସମସ୍ତଙ୍କ ଠାରୁ ମହତ୍ତର । ତାଙ୍କର ପାଣ୍ଡିତ୍ୟ ଅସାଧାରଣ । ସେ ଯେ କେବଳ ଜଣେ ବିଖ୍ୟାତ ଜଜ୍‌ ବା ବିଚାରପତି ଥିଲେ ତା ନୁହେଁ, ବିଶିଷ୍ଟ ଐତିହାସିକ, ଅର୍ଥନୀତିଜ୍ଞ ଓ ସମାଜ ସଂସ୍କାରକ ମଧ୍ୟ ଥିଲେ । ସେ ଜଜ୍‌ ଥାଇ ସୁଦ୍ଧା ନିର୍ଭୟରେ କଂଗ୍ରେସରେ ଯୋଗ ଦେଉଥିଲେ । ତାଙ୍କର ବିଜ୍ଞତା ଓ ବିଚକ୍ଷଣତାରେ ସମସ୍ତଙ୍କର ଏପରି ବିଶ୍ୱାସ ଥିଲା ଯେ, ସେ ଯାହା କହି ଦେଉଥିଲେ, ସମସ୍ତେ ବିନା ବାକ୍ୟବ୍ୟୟରେ ତାହା ମାନି ନେଉଥିଲେ । ଗୋଖଲେ ଯେତେବେଳେ ତାଙ୍କର ଏ ଗୁରୁଙ୍କର ବୁଦ୍ଧି ବିଚକ୍ଷଣତା ଓ ହୃଦୟବତ୍ତା ପ୍ରଭୃତି ଗୁଣରାଶିର ବର୍ଣ୍ଣନା କରି କହୁଥାନ୍ତି, ସେତେବେଳେ ତାଙ୍କ ଆନନ୍ଦର ଆଉ ସୀମା ନ ଥାଏ ।

 

ଗୋଖଲେଙ୍କର ସେତେବେଳେ ଗୋଟିଏ ଘୋଡ଼ାଗାଡ଼ି ଥାଏ । କାହିଁକି ଯେ ସେ ବାଧ୍ୟ ହୋଇ ଘୋଡ଼ା ଗାଡ଼ିଟିଏ ରଖିଥାନ୍ତି ମୁଁ ଜାଣି ନ ଥାଏ । ଦିନେ କହିଦେଲି—‘‘ଆଚ୍ଛା, ଆପଣ କ’ଣ ସାଧାରଣ ଟ୍ରାମ୍‌ ଗାଡ଼ିରେ ଯା ଆସ କରି ପାରନ୍ତେ ନାହିଁ ? ନେତା ବୋଲି ଟ୍ରାମ୍‌ଗାଡ଼ିରେ ଯିବାଟା କଣ ଅପମାନର କଥା ?’’

 

ମୋର ଏ ପ୍ରକାର ସମାଲୋଚନାପୂର୍ଣ୍ଣ ପ୍ରଶ୍ନରେ ଗୋଖଲେଙ୍କ ପ୍ରାଣରେ ଟିକିଏ କଷ୍ଟ ହେଲା, ସେ କହିଲେ—‘‘କଣ, ତମେ ସୁଦ୍ଧା ମତେ ଭୁଲ ବୁଝିଲ ? ଜାଣି ରଖ, ମୁଁ କାଉନ୍‌ସିଲରେ ଥାଇ ଯେଉଁ ଆଲାଉନ୍‌ସ ଟଙ୍କା ପାଏ, ତାକୁ ମୋ ନିଜ ସୁଖରେ କେବେହେଲେ ଖରଚ କରେ ନାହିଁ-। ତମେ ଯେପରି ସ୍ୱଚ୍ଛନ୍ଦରେ ଟ୍ରାମ ଗାଡ଼ିରେ ବସି ଯିବା ଆସିବା କରୁଚ, ତାହା ଦେଖି ମୋର ପ୍ରକୃତରେ ଈର୍ଷା ହୁଏ । କିନ୍ତୁ କଣ କରିବି, ମୋ ପକ୍ଷରେ ସେପରି କରିବା ଅସମ୍ଭବ ହେଉଛି । ମୋ ଭଳି ତୁମେ ଯେତେବେଳେ ସାଧାରଣରେ ନାମଜାଦା ବୋଲି ଚିହ୍ନା ପଡ଼ିଯିବ, ଦେଖିବ, ସେତେବେଳେ ଟ୍ରାମ ଗାଡ଼ିରେ ଯିବା ଆସିବା ଏକାବେଳକେ ଅସମ୍ଭବ ନ ହେଲେ ମଧ୍ୟ କିଭଳି କଷ୍ଟସାଧ୍ୟ ହେବ । କେଭେ ବିଚାରିବ ନାହିଁ ଯେ, ନେତାମାନେ ଯାହା କରନ୍ତି ସବୁବେଳେ ନିଜର ଅଏସ୍‌ ପାଇଁ କରନ୍ତି । ତୁମର ସରଳ ଜୀବନ ଓ ଗତିବିଧି ଦେଖି ମୋର ଖୁବ୍‌ ପସନ୍ଦ ହୁଏ । ମୁଁ ପାରନ୍ତି ତ ସେଭଳି ସରଳ ଜୀବନ କଟାନ୍ତି । ତଥାପି ମୋ ଅବସ୍ଥାକୁ ଆସିଯିବା ଲୋକ ପକ୍ଷରେ ଅଧିକ କିଛି ଖରଚ ଅବଶ୍ୟମ୍ଭାବୀ ।’’

 

ସେ ଏହିପରି ମୋର ଭ୍ରମ ଧାରଣାକୁ ଦୂର କରାଇ ମତେ ସନ୍ତୁଷ୍ଟ କରି ଦେଲେ । କିନ୍ତୁ ମୋର ଆଉ ଗୋଟିଏ ଫେରାଦରେ ସେ ମତେ ଜବାବ ଦେଇ ପାରିଲେ ନାହିଁ । ମୁଁ ପଚାରିଲି, ‘‘ଆପଣ ଟିକିଏ ବୁଲିବାକୁ ସୁଦ୍ଧା ଯାଆନ୍ତି ନାହିଁ ? ଆପଣ ଯେ ସବୁବେଳେ ବେମାର ପଡ଼ି କଷ୍ଟ ପାଆନ୍ତି ଏହା ଆଉ ବିଚିତ୍ର କଣ ? ସାଧାରଣ କାର୍ଯ୍ୟ କରିବେ ବୋଲି ଟିକିଏ ବ୍ୟାୟାମ ପାଇଁ ବି ବେଳ ମିଳିବ ନାହିଁ ?’’

 

ଗୋଖଲେ କହିଲେ—‘‘କେତେବେଳେ ବା ବୁଲି ଯିବାପାଇଁ ମତେ ବେଳ ମିଳୁଛି କହିଲ-?’’

 

ଗୋଖଲେଙ୍କ ପ୍ରତି ମୋର ଏତେ ଆଦର, ସମ୍ମାନ ଓ ଭକ୍ତି ଥାଏ ଯେ, ମୁଁ ତାଙ୍କ ସଙ୍ଗେ ଯୁକ୍ତି କରିବାକୁ ସାହସ କରେ ନାହିଁ । ତାଙ୍କର ଏ ଜବାବରେ ମୁଁ ତିଳେହେଲେ ସନ୍ତୁଷ୍ଟ ହେଲିନାହିଁ ସତ; ମାତ୍ର ଆଉ କିଛି ନ କହି ତୁନି ପଡ଼ିଲି । ମୋର ସେତେବେଳେ ବିଶ୍ୱାସ ଥିଲା ଏବଂ ଏବେ ମଧ୍ୟ ବିଶ୍ୱାସ ଅଛି ଯେ, ମନୁଷ୍ୟ ଯେତେ କରୁ ନା କାହିଁକି ପ୍ରତିଦିନ ନିଜର ଖିଆ ପିଆ ପାଇଁ ସମୟ କଲାପରି ବ୍ୟାୟାମ ପାଇଁ କିଛି ସମୟ ଦେବା ନିତାନ୍ତ ଦରକାର । ମୋ କ୍ଷୁଦ୍ର ବୁଦ୍ଧିରେ ମୁଁ ବିଚାରେ ଯେ, ଏପରି ବ୍ୟାୟାମ ଦ୍ୱାରା ମନୁଷ୍ୟର ଶକ୍ତି ଓ ସମୟର ଅପଚୟ ନ ହୋଇ ବରଂ କର୍ମପ୍ରବୃତ୍ତି ଓ ଦୈହିକ ଶକ୍ତି ଯଥେଷ୍ଟ ବଢ଼େ ।

 

ଗୋଖଲେଙ୍କ ସଙ୍ଗେ ମାସେ (୨)

 

ମୁଁ ଗୋଖଲେଙ୍କ ବସାରେ ଥିଲାବେଳେ ସବୁବେଳେ ଘରେ ବସି ସମୟ କଟାଉ ନ ଥାଏ ।

 

ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲା ବେଳେ ସେଠାରେ ଖ୍ରୀଷ୍ଟାନ ବନ୍ଧୁମାନଙ୍କୁ କହି ଆସିଥିଲି ଯେ, ମୁଁ ଭାରତରେ ପହଞ୍ଚି ସେଠା ଖ୍ରୀଷ୍ଟାନ୍‌ମାନଙ୍କ ସଙ୍ଗେ ପରିଚିତ ହେବି ଏବଂ ସେମାନଙ୍କ ଅବସ୍ଥା ବୁଝି ଜଣାଇବି । ମୁଁ ଭାରତର କାଳୀଚରଣ ବାନାର୍ଜୀଙ୍କ ନାମ ଶୁଣିଥାଏ । ସେ ମହାସଭାରେ ରହି କାମ କରୁଥିଲେ । ତାଙ୍କ ପ୍ରତି ମୋର ଶ୍ରଦ୍ଧା ଥାଏ । ଭାରତର ସାଧାରଣ ଖ୍ରୀଷ୍ଟାନମାନେ ହିନ୍ଦୁ ମୁସଲମାନଙ୍କଠାରୁ ଅଲଗା ହୋଇ କଂଗ୍ରେସରୁ ଦୂରରେ ରହୁଥାନ୍ତି । ସେଥିପାଇଁ ସେମାନଙ୍କ ପ୍ରତି ମୋ ମନରେ ସନ୍ଦେହ ଜାତ ହୋଇଥାଏ । ଅବଶ୍ୟ କାଳିବାବୁଙ୍କ ପ୍ରତି ମୋର ସେପରି ଅବିଶ୍ୱାସ ଆସେ ନାହିଁ । ତାଙ୍କ ସଙ୍ଗେ ଟିକିଏ ଦେଖା କରିବାପାଇଁ ମୁଁ ଗୋଖଲେଙ୍କୁ ପଚାରିଲି । ସେ କହିଲେ,‘‘ତାଙ୍କ ପାଖକୁ ଯାଇ ତୁମେ କି ଲାଭ ପାଇବ ? ସେ ଖୁବ୍‌ ଭଲ ମଣିଷ; କିନ୍ତୁ ମତେ ଲାଗୁଛି, ସେ ତୁମକୁ ସନ୍ତୁଷ୍ଟ କରିପାରିବେ ନାହିଁ । ମୁଁ ତାଙ୍କୁ ଭଲକରି ଜାଣେ । ତଥାପି ତମର ଯେବେ ଇଚ୍ଛା ହେଉଛି ତୁମେ ଯାଇ ଦେଖା କରିପାର ।’’

 

ମୁଁ ତାଙ୍କୁ ଚିଠି ଲେଖି ଟିକିଏ ଦେଖା କରିବାକୁ ସମୟ ମାଗିଲି । ସେ ମଧ୍ୟ ଆଗ୍ରହରେ ସମୟ ଦେଲେ । ମୁଁ ତାଙ୍କୁ ଦେଖା କରି ଯାଇ ଦେଖେ ଯେ, ତାଙ୍କ ସ୍ତ୍ରୀ ମୃତ୍ୟୁଶଯ୍ୟାରେ ପଡ଼ିଛନ୍ତି । ତାଙ୍କ ଘରଟି ବେଶ୍‌ ସାଧାସିଧା । କଂଗ୍ରେସ ଅଧିବେଶନରେ ମୁଁ ତାଙ୍କୁ କୋଟ୍‌ପ୍ୟାଣ୍ଟ ପିନ୍ଧିଥିବାର ଦେଖିଥିଲି । ଘରେ କିନ୍ତୁ ତାଙ୍କୁ ଧୋତି କୁରୁତା ପିନ୍ଧିବାର ଦେଖି ମୋ ମନରେ ବଡ଼ ଆନନ୍ଦ ହେଲା-। ମୁଁ ନିଜେ ଅବଶ୍ୟ ସେତେବେଳେ ପାଇଜାମା ଓ ପାର୍ଶୀ କୋଟ ପିନ୍ଧିଥାଏ । ତଥାପି ତାଙ୍କର ପୋଷାକ ଓ ସାଧାସିଧା ଢ଼ଙ୍ଗ ମତେ ବଡ଼ ଭଲ ଲାଗିଲା । ବିଶେଷ ଗୁଡ଼ାଏ ଉପକ୍ରମ ନ କରି ମୁଁ ମୋ ଦୁଃଖ କାହାଣୀ କହିବସିଲି । ସେ ମତେ ପଚାରିଲେ—‘‘ଆପଣ ତ ବିଶ୍ୱାସ କରନ୍ତି ଯେ, ମନୁଷ୍ୟ ମୂଳରୁ ପାପଭାର ନେଇ ଜନ୍ମ ହୋଇଥାଏ ?’’ମୁଁ କହିଲି—‘‘ହଁ; ମହାଶୟ ।’’

 

ତା ପରେ ସେ କହିଲେ—‘‘ମାତ୍ର ହିନ୍ଦୁଧର୍ମ ଏ ପାପରୁ ଉଦ୍ଧାର ପାଇଁ କୌଣସି ବାଟ ଫିଟାଇ ନାହିଁ । ଖ୍ରୀଷ୍ଟଧର୍ମ ଏକା ଏହା କରିପାରିଛି । ପାପର ପରିଣାମ ମୃତ୍ୟୁ । ତେବେ ବାଇବଲ କହନ୍ତି ଯେ, ମନୁଷ୍ୟ ପ୍ରଭୁ ଯୀଶୁଙ୍କଠାରେ ଆତ୍ମସମର୍ପଣ କଲେ ଏ ପାପରୁ ପାର ହୋଇପାରେ ।’’

 

ମୁଁ ପଚାରିଲି—‘‘ଭଗବତ ଗୀତାର ଭକ୍ତିମାର୍ଗରେ କଣ ଏଥିର ପ୍ରତିକାର ନାହିଁ ?’’ ମୋର ଏପରି ପଚାରିବା ବୃଥା ହେଲା । କାରଣ ସେ ଏକଥା ମାନିବାକୁ ନାରାଜ ହେଲେ । ଯାହାହେଉ ସେ ସଜ୍ଜନଙ୍କର ଉତ୍ତମ ବ୍ୟବହାର ପାଇଁ ଧନ୍ୟବାଦ ଦେଇ ବିଦାୟ ନେଲି । ତାଙ୍କ କଥାରେ ମୋର ସନ୍ତୋଷ ଆସିଲା ନାହିଁ ସତ; ମାତ୍ର ଏ ସାକ୍ଷାତ୍‌ ଫଳରେ ମୋର ବହୁତ ଉପକାର ସାଧିତ ହେଲା ।

 

ଯେଉଁ କେତେଦିନ ମୁଁ କଲିକତାରେ ରହିଲି, ସେ ସବୁଦିନତକ ସହରର ନାନା ଗଳି ରାସ୍ତା ଘାଟ ବୁଲି ଦେଖୁଥାଏ । ପ୍ରାୟ ସବୁ ଜାଗାକୁ ଚାଲି ଚାଲି ଯାଏ । ହାଇକୋର୍ଟ ଜଜ୍‌ ଶ୍ରୀଯୁକ୍ତ ମିତ୍ର ଓ ସାର ଗୁରୁଦାସ ବାନାର୍ଜୀଙ୍କ ସଙ୍ଗେ ଦେଖାକଲି । ମୋର ଦକ୍ଷିଣ ଆଫ୍ରିକା କାମ ବିଷୟରେ ତାଙ୍କର ସାହାଯ୍ୟ ଓ ସହାନୁଭୂତି ଲୋଡ଼ିଲି । ଏହିପରି ସମୟରେ ରାଜା ସାର୍‌ ପ୍ୟାରୀମୋହନ ମୁଖାର୍ଜୀଙ୍କ ଦର୍ଶନ ମଧ୍ୟ ପାଇଥିଲି ।

 

ବାବୁ କାଳୀଚରଣ ବାନାର୍ଜୀ ମତେ କାଳୀମନ୍ଦିର ବିଷୟରେ କେତେକ କଥା କହିଥାନ୍ତି । ସେ ମନ୍ଦିର ବିଷୟ ବହିରେ ମଧ୍ୟ ପଢ଼ିଥାଏ । ସେ ମନ୍ଦିର ଦେଖିବାକୁ ମୋର ପ୍ରବଳ ଇଚ୍ଛା ଥାଏ । ତେଣୁ ଦିନେ ଯାଇ ସେଠି ପହଞ୍ଚିଗଲି । ହାଇକୋର୍ଟ ଜଜ୍ ମିତ୍ରଙ୍କ ଘର ଠିକ୍‌ ସେହି ପଡ଼ାରେ । ତାଙ୍କୁ ଦେଖା କରିବାକୁ ଗଲାଦିନ ଏହି ମନ୍ଦିରରେ ଯାଇ ହାଜର ହୋଇଗଲି । ବାଟରେ ଦେଖିଲି ପଲେ ଛେଳିଙ୍କୁ ଧାଡ଼ି ଧାଡ଼ି କରି ବଳିଦେବାକୁ ନିଆ ହେଉଛି । ମନ୍ଦିର ଗହଳିରେ ପହଞ୍ଚି ଦେଖିଲି ଧାଡ଼ି ଧାଡ଼ି ଭିଖାରୀମାନେ ବସିଛନ୍ତି । ଅନେକ ବାବାଜୀ ମଧ୍ୟ ସେଠାରେ ଥାନ୍ତି । ସେତେବେଳେ ମଧ୍ୟ ସୁସ୍ଥ ସବଳ ଭିଖାରୀଙ୍କୁ ଭିଖ ଦେବାର ମୁଁ ଘୋର ବିରୋଧୀ ଥାଏ । ଏହିପରି ଦଳେ ଭିଖାରୀ ମୋ ପଛେ ପଛେ ଗୋଡ଼ାଇଲେ ।

 

ଜଣେ ବାବାଜୀ ପିଣ୍ଡା ଉପରେ ବସିଥାନ୍ତି । ସେ ମତେ ଡାକି ପଚାରିଲେ—‘‘କିରେ, କୁଆଡ଼େ ଯାଉଚୁ ?’’ ମୁଁ ତାଙ୍କୁ ଯଥାର୍ଥ ଉତ୍ତର ଦେଲି । ସେ ମତେ ଓ ମୋର ସାଥୀମାନଙ୍କୁ ବସିବାକୁ କହିଲେ । ଆମେ ଯାଇ ବସିଲୁ । ମୁଁ ପଚାରିଲି—‘‘ଏ ଯେଉଁ ଛେଳିଯାକ ବଳି ପଡ଼ୁଛନ୍ତି, ଆପଣ ୟାକୁ ଧର୍ମ ବୋଲି ମାନୁଛନ୍ତି ?’’ ସେ ଜବାବ ଦେଲେ, ‘‘କେହି ଭଲା ଜୀବବଧକୁ ଧର୍ମ ବୋଲି କହିବ ?’’ ‘‘ତେବେ ଆପଣମାନେ ଏହା ବିରୁଦ୍ଧରେ ପ୍ରଚାର କରୁ ନାହାନ୍ତି କାହିଁକି ?’

 

‘‘ସେ ତ ମୋର କାମ ନୁହେଁ । ଆମର କାମ ହେଉଛି ଭଗବାନଙ୍କୁ ଆରାଧନା କରିବା-।’’

 

‘‘ଆପଣ କଣ ଆରାଧନା ପାଇଁ ଏହା ଛଡ଼ା ଅନ୍ୟ ସ୍ଥାନ ପାଉ ନାହାନ୍ତି ?’’ ‘‘ଆମ ପକ୍ଷରେ ସବୁ ସ୍ଥାନ ଏକାଭଳି । ଏ ଲୋକେ ତ ମେଣ୍ଢାପଲ ପରି । ବଡ଼ବଡ଼ିଆ ଯୁଆଡ଼େ ମଡ଼େଇ ଦେଉଛନ୍ତି, ସେମାନେ ସେଆଡ଼େ ମାଡ଼ି ଯାଉଛନ୍ତି । ଆମେ ସାଧୁ ଲୋକ, ଆମର ସେଥିରେ କ’ଣ ଅଛି ?’’

 

ଆଉ ଅଧିକ ଯୁକ୍ତତର୍କ ନ କରି ସେଠାରୁ ଉଠି ମନ୍ଦିରଆଡ଼କୁ ଗଲୁ । ସେଠାରେ ପହଞ୍ଚି ଦେଖିଲୁ ରକ୍ତର ନଈ ବହିଯାଉଛି । ସେ ଦୃଶ୍ୟ ଦେଖି ମୁଁ ଆଉ ଥୟ ହୋଇ ରହି ପାରିଲି ନାହିଁ । ମୋତେ ବଡ଼ ଛଟପଟ ଲାଗିଲା । ମୁଁ ଅଧୀର ହୋଇଗଲି । ଓଃ, ସେ ଦୃଶ୍ୟ ମୁଁ ଆଜିଯାଏ ଭୁଲିପାରି ନାହିଁ । ସେହିଦିନ ସନ୍ଧ୍ୟାରେ ଗୋଟିଏ ବଙ୍ଗାଳି ଭୋଜିକୁ ମତେ ନିମନ୍ତ୍ରଣ ଥାଏ । ସେଠାରେ ଜଣେ ବନ୍ଧୁଙ୍କ ଆଗରେ ଏ ମାରାତ୍ମକ ପୂଜା କଥା ଉଠାଇଲି । ସେ କହିଲେ—

 

‘‘ଛେଳିଗୁଡ଼ିକ କିଛି ଅନୁଭବ କରନ୍ତି ନାହିଁ । ବଳି ଦେଲାବେଳେ ସେଠାରେ ଯେଉଁ ବାଜା ବାଜେ ଏବଂ ଲୋକଗହଳି ଲାଗିଥାଏ, ତା ଭିତରେ ବୋଦାଙ୍କୁ ଯେପରି ଖୁସି ମାର, ସେମାନଙ୍କୁ କଷ୍ଟ ହୁଏ ନାହିଁ ।’’

 

ମୁଁ ଅବଶ୍ୟ ଏ ମତକୁ ହଜମ କରିପାରିଲି ନାହିଁ । ତଥାପି କହିଲି—‘‘ବୋଦାର ପାଟି ଫିଟୁଥିଲେ ଆପଣ ଶୁଣନ୍ତେ, ସେ କି କରୁଣ କାହାଣୀ ଆପଣଙ୍କୁ ଶୁଣାନ୍ତା ।’’ ଏ ଘାତକୀ ପ୍ରଥା ଶୀଘ୍ର ବନ୍ଦ ହେବା ଉଚିତ ବୋଲି ମୋର ମନେ ହେଲା । ମହାପୁରୁଷ ବୁଦ୍ଧଦେବଙ୍କ କଥା ମୋର ମନେ ପଡ଼ିଲା, କିନ୍ତୁ ସଙ୍ଗେ ସଙ୍ଗେ ବୁଝିଲି ଏହା ମୋ ଶକ୍ତିର ବାହାରେ ।

 

ସେ ସମୟରେ ମୋର ଯେଉଁ ମତ ଥିଲା, ଏବେ ମଧ୍ୟ ଠିକ୍‌ ସେହି ମତ ରହିଛି । ମୋ ଦୃଷ୍ଟିରେ ବୋଦା ଜୀବନର ମୂଲ୍ୟ ମଣିଷ ଜୀବନର ମୂଲ୍ୟଠାରୁ କୌଣସି ଅଂଶରେ କମ୍‌ ନୁହେଁ । ମନୁଷ୍ୟ ଦେହ ରକ୍ଷାପାଇଁ ମେଣ୍ଢା ଛେଳିଙ୍କର ଜୀବନ ନାଶ ମୁଁ କଦାପି କରିପାରିବି ନାହିଁ । ଯେଉଁ ପ୍ରାଣୀ ଯେତିକି ବେଶୀ ଅସହାୟ ଓ ଦୁର୍ବଳ ତାକୁ ମନୁଷ୍ୟର ନିଷ୍ଠୁରତାରୁ ରକ୍ଷା କରିବା ମନୁଷ୍ୟର ସେତିକି ଅଧିକ କର୍ତ୍ତବ୍ୟ ବୋଲି ମୋର ମତ । କିନ୍ତୁ ସେହିଭଳି ସାଧନା ଓ ଯୋଗ୍ୟତା ନ ଥିଲେ ମନୁଷ୍ୟ ପକ୍ଷରେ ଏପରି ରକ୍ଷା କରିବା ସମ୍ଭବ ନୁହେଁ । ଏ ନିଷ୍ଠୁର ଓ ଧର୍ମବିରୁଦ୍ଧ ବଳିପ୍ରଥା ମୁହଁରୁ ନିରୀହ ଛେଳି ମେଣ୍ଢାଗୁଡ଼ିଙ୍କୁ ବଞ୍ଚାଇବାକୁ ହେଲେ ମୋ ପକ୍ଷରେ ଯେ ଆହୁରି କଠୋର ସାଧନା, ତ୍ୟାଗ ଓ ଆତ୍ମଶୁଦ୍ଧି କରିବାର ଦରକାର, ଏହା ମୁଁ ବୁଝୁଛି । ମୁଁ ଏବେ ବିଚାରୁଛି, ଏଭଳି ଆତ୍ମଶୁଦ୍ଧି ଓ ତ୍ୟାଗ ପାଇ ଚେଷ୍ଟା କରି ମୋ ପ୍ରାଣ ହେଲେ ବାହାରିଯାନ୍ତା । ମୁଁ ସବୁବେଳେ ଭଗବାନଙ୍କୁ ଡାକୁଚି ‘‘ହେ ପ୍ରଭୁ ! ପୃଥିବୀରେ ଏପରି କୌଣସି ଶକ୍ତିଶାଳୀ ପୁରୁଷ ବା ତେଜସ୍ୱିନୀ ସତୀଙ୍କୁ ଜନ୍ମ ଦିଅ, ଯେ କି ତୁମରି ଦୟା ହୃଦୟରେ ଘେନି ଅବତାର ଗ୍ରହଣ କରନ୍ତୁ ଏବଂ ଆମ୍ଭମାନଙ୍କୁ ଏ କୁତ୍ସିତ ପାପରୁ ଉଦ୍ଧାର କରି ଏହି ନିର୍ଦ୍ଦୋଷ ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା କରନ୍ତୁ ଏବଂ ଏ ଦେବୀ ମନ୍ଦିରକୁ ପବିତ୍ର ଓ ନିଷ୍କଳଙ୍କ କରନ୍ତୁ । ଆହା, ଯେଉଁ ବଙ୍ଗ ଜ୍ଞାନ ଗରିମା, ବୁଦ୍ଧି ବିଚକ୍ଷଣତା, ତ୍ୟାଗ ଓ ଭାବ ପ୍ରବଣତାରେ ମହୀୟାନ୍‌, ସେ ପୁଣି ଏ ନିଷ୍ଠୁରତା ସହୁଛି କିପରି ?

 

ଗୋଖଲେଙ୍କ ସଙ୍ଗେ ଏକମାସ (୩)

 

କାଳୀ ମାତାଙ୍କ ପାଖରେ ଏ ଭୟଙ୍କର ଜୀବଯଜ୍ଞ ଦେଖି ବଙ୍ଗ ଦେଶର ସାଧାରଣ ଜୀବନ ଜାଣିବା ପାଇଁ ମୋର ଅଧିକ ଇଚ୍ଛା ହେଲା । ବ୍ରାହ୍ମ ସମାଜ ବିଷୟରେ ମୁଁ ଅନେକ କଥା ପଢ଼ିଥାଏ ଏବଂ ଜାଣିଥାଏ । ପ୍ରତାପଚନ୍ଦ୍ର ମଜୁମଦାରଙ୍କ ଜୀବନୀ ବିଷୟରେ ଅଳ୍ପ ଜାଣିଥାଏ । ତାଙ୍କ ବକ୍ତୃତା ଶୁଣିବାକୁ କେତେକ ସଭାରେ ମଧ୍ୟ ଯୋଗ ଦେଇଥାଏ । ତାଙ୍କ ଲିଖିତ କେଶବଚନ୍ଦ୍ର ସେନଙ୍କର ଜୀବନୀ ଖଣ୍ଡିଏ ସଂଗ୍ରହ କରି ବଡ଼ ଆଗ୍ରହରେ ପଢ଼ିଲି । ସେଥିରୁ ସାଧାରଣ ବ୍ରାହ୍ମସମାଜ ଓ ଆଦି ବ୍ରାହ୍ମସମାଜ ମଧ୍ୟରେ କି ପ୍ରଭେଦ, ତାହା ବୁଝିପାରିଲି । ପଣ୍ଡିତ ଶିବନାଥ ଶାସ୍ତ୍ରୀଙ୍କ ସଙ୍ଗେ ମଧ୍ୟ ଦେଖାକଲି । ଅଧ୍ୟାପକ କାଥୱେଟ୍‌ଙ୍କ ସଙ୍ଗରେ ମହର୍ଷି ଦେବେନ୍ଦ୍ରନାଥ ଠାକୁରଙ୍କ ସଙ୍ଗେ ଦେଖାହେବାକୁ ଯାଇଥିଲି । କିନ୍ତୁ ସେତେବେଳେ ସେ କାହାରିକୁ ଦର୍ଶନ ଦେଉ ନ ଥିବାରୁ ଦେଖା ହୋଇପାରିଲା ନାହିଁ । ମାତ୍ର ତାଙ୍କ ଘରଠାରେ ବ୍ରାହ୍ମସମାଜର ଏକ ଉତ୍ସବକୁ ଆମ୍ଭମାନଙ୍କୁ ନିମନ୍ତ୍ରଣ ହେଲା । ଆମ୍ଭେ ସେଠାକୁ ଯାଇ ସୁମଧୁର ବଙ୍ଗ ସଙ୍ଗୀତ ଶୁଣିବାର ସୁଯୋଗ ପାଇଲୁ । ସେହିଦିନଠାରୁ ବଙ୍ଗ ସଙ୍ଗୀତର ମୁଁ ଜଣେ ପରମ ପ୍ରେମିକ ।

 

ବ୍ରାହ୍ମ ସମାଜ ବିଷୟରେ ମୁଁ ବହୁତ କଥା ଜାଣିଗଲି । କିନ୍ତୁ ସ୍ୱାମୀ ବିବେକାନନ୍ଦଙ୍କୁ ଟିକିଏ ଦର୍ଶନ ନ କରି ମନରେ ସନ୍ତୋଷ ଆସିଲା ନାହିଁ । ତେଣୁ ବଡ଼ ଆଗ୍ରହରେ ବେଲୁଡ଼ ମଠ ପର୍ଯ୍ୟନ୍ତ ଗଲି । ସବୁ ବାଟ ଚାଲି ଚାଲି ଗଲି କି ଅଧେ ବାଟ ଚାଲିକରି ଗଲି, ମୋର ଠିକ୍‌ ମନେ ନାହିଁ । ବଡ଼ ନିକାଞ୍ଚନ ସ୍ଥାନରେ ମଠଟି ଦେଖି ମତେ ଭାରି ଭଲ ଲାଗିଲା । ସେଠି ଶୁଣିଲି ସ୍ୱାମୀଜୀ ସେଠରେ ନାହାନ୍ତି, କଲିକତାରେ ଥିବା ତାଙ୍କ ଘରଠାରେ ରହୁଛନ୍ତି ଏବଂ ବଡ଼ ବେମାର ପଡ଼ିଛନ୍ତି । ତାଙ୍କ ସଙ୍ଗେ ଦେଖା ହୋଇପାରିବ ନାହିଁ ଶୁଣି ନିରାଶ ହେଲି । ତାପରେ ଭଗିନୀ ନିବେଦିତାଙ୍କ ବସା କେଉଁଠାରେ ପଚାରି ଠିକ୍‌ କଲି ଏବଂ ଚୌରଙ୍ଗୀର ଏକ ବିରାଟ ପ୍ରାସାଦ ଭିତରେ ତାଙ୍କର ସାକ୍ଷାତ ପାଇଲି । ସେ ସେଠାରେ ଯେଉଁ ଆଡ଼ମ୍ବର ଭିତରେ ରହିଥାନ୍ତି, ତାକୁ ସବୁ ଦେଖି ଅବାକ୍‌ ହୋଇଗଲି । କଥାବାର୍ତ୍ତାରେ ମଧ୍ୟ ଦେଖିଲି ଯେ, ମୋ ମନ ମାନିବାଭଳି ତାଙ୍କଠାରୁ କିଛି କଥା ମିଳିଲା ନାହିଁ । ମୁଁ ପରେ ଗୋଖଲେଙ୍କୁ ଏ କଥା କହିଲି । ସେ କହିଲେ,—‘‘ଏଥିରେ ମୋର ବିସ୍ମିତ ହେବାର କିଛି ନାହିଁ । ତାଙ୍କ ପରି ଉତ୍‌ପୁଲ୍ଲ ସ୍ୱଭାବର ଲୋକଙ୍କ ସଙ୍ଗେ ତୁମର ତ କଦାପି ଖାପଖାଇବ ନାହିଁ ।’’

 

ପୁଣି ଥରେ ପେସ୍ତନଜୀ ପାଦଶାଙ୍କ ଘରେ ଭଗିନୀ ନିବେଦିତାଙ୍କର ସାକ୍ଷାତ ପାଇଥିଲି । ନିବେଦିତା ପାଦଶାଙ୍କ ବୁଢ଼ୀମାଙ୍କ ସଙ୍ଗେ କଥାବାର୍ତ୍ତା ହେଉଥିବାବେଳେ ମୁଁ ଯାଇ ପହଞ୍ଚିଗଲି । ତେଣୁ ସେ ଦୁହିଁଙ୍କ କଥାବାର୍ତ୍ତାକୁ ତର୍ଜମା କହି ଉଭୟଙ୍କୁ ବୁଝାଇବା କାମ ମୋତେ ମିଳିଗଲା । ଯଦିଓ ମୁଁ ତାଙ୍କ ମତାମତ ସଙ୍ଗରେ ନିଜ ମତାମତର କୌଣସି ସମାଞ୍ଜସ୍ୟ ଦେଖିପାରିଲି ନାହିଁ ଏବଂ ତାଙ୍କ କଥାରେ ମୋର ହୃଦବୋଧ ହେଲା ନାହିଁ, ତଥାପି ହିନ୍ଦୁଧର୍ମ ପ୍ରତି ତାଙ୍କର ଅସୀମ ପ୍ରେମ ଦେଖି ମୁଁ ମୁଗ୍‌ଧ ନ ହୋଇ ରହିପାରିଲି ନାହିଁ । ତାଙ୍କ ଲିଖିତ ବହିପତ୍ର କଥା ମୁଁ ପରେ ଜାଣିଲି ।

 

ମୁଁ ମୋ ସମୟକୁ ଦୁଇ ଭାଗରେ ବିଭକ୍ତ କରିଥାଏ । ଭାଗକରେ ଦକ୍ଷିଣ ଆଫ୍ରିକା କାମ ଲାଗି କଲିକତାର ବିଶିଷ୍ଟ ନେତାଙ୍କ ସଙ୍ଗେ ଦେଖାକରିବା ଏବଂ ଅନ୍ୟ ଭାଗକରେ ବିଭିନ୍ନ ଧର୍ମ ଓ ସାଧାରଣ ଅନୁଷ୍ଠାନମାନଙ୍କରେ ଯୋଗଦେଇ ସେ ବିଷୟରେ ବିଶେଷ ଜ୍ଞାନ ଲାଭ କରିବା । ଥରେ ଡାକ୍ତର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ହେଲା । ଦକ୍ଷିଣ ଆଫ୍ରିକାର ବୋଅର ଯୁଦ୍ଧବେଳେ ଭାରତୀୟ ସ୍ୱେଚ୍ଛାସେବକବାହିନୀ ଯେଉଁ ସବୁ କାମ କରିଥିଲେ, ସେ ବିଷୟରେ ମୁଁ ଗୋଟିଏ ବକ୍ତୃତା ଦେଲି । ଆଗରୁ ‘ଇଂଲିଶ୍‌ମ୍ୟାନ୍‌’ ଖବରକାଗଜ ସଙ୍ଗେ ମୋର ଯେଉଁ ସମ୍ପର୍କ ଥିଲା, ତାହା ଏତେବେଳେ ଭଲ କାମରେ ଆସିଲା । ମି. ସଣ୍ଡର୍ସ ସାହେବ ସେତେବେଳେ ଅସୁସ୍ଥ ଥାନ୍ତି । ତଥାପି ୧୮୯୬ ସାଲପରି ସେ ଏବେ ମଧ୍ୟ ବହୁତ ସାହାଯ୍ୟ କଲେ । ଗୋଖଲେ ମୋର ଏ ବକ୍ତୃତା ଶୁଣି ବଡ଼ ଖୁସି ହେଲେ । ବିଶେଷତଃ ଡାକ୍ତର ରାୟ ମୋ ବକ୍ତୃତାକୁ ପ୍ରଶଂସା କରିବାର ଶୁଣି ସେ ଆହୁରି ପ୍ରୀତ ହୋଇଥିଲେ ।

 

ଇମିତି ଗୋଖଲେଙ୍କ ପାଖରେ ରହିବାଦ୍ୱାରା କଲିକତାରେ ମୋର କାମ ବଡ଼ ସହଜ ଓ ସୁଗମ ହୋଇଥିଲା । ମୁଁ ବିଶିଷ୍ଟ ବଙ୍ଗ ପରିବାରର ଲୋକଙ୍କ ସଙ୍ଗେ ପରିଚିତ ହେଲି ଏବଂ ଏହି ସମୟରୁ ବଙ୍ଗଳା ସଙ୍ଗେ ମୋର ଘନିଷ୍ଠ ସମ୍ପର୍କର ମୂଳଦୁଆ ପଡ଼ିଲା । ଏହି ମାସକ ଭିତରର ଅନେକ ସ୍ମୃତି ଓ ଘଟନାବଳୀ ଏଡ଼ିଦେଇ ଯିବାକୁ ହେବ । ସେହି ମାସକ ଭିତରେ ମୁଁ ଯେ ଏଠାରୁ ବ୍ରହ୍ମଦେଶକୁ ଥରେ ବୁଲି ବାହାରିଯାଇଥିଲି ଏବଂ ସେଠାରେ ପୁଙ୍ଗୀ (ବୌଦ୍ଧ ସନ୍ନ୍ୟାସୀ) ମାନଙ୍କୁ ଦେଖି ଆସିଲି, ସେହି କଥା ସଂକ୍ଷେପରେ କହିବି । ବ୍ରହ୍ମଦେଶରେ ପୁଙ୍ଗୀମାନଙ୍କର ଆଳସ୍ୟ ଦେଖି ମୋର ବଡ଼ ଦୁଃଖ ହେଲା । ମୁଁ ସେଠାର ‘‘ସ୍ୱର୍ଣ୍ଣ ପେଗୁଡ଼ା’’ ଦର୍ଶନ କରିବାକୁ ଗଲି । ମନ୍ଦିର ଭିତରେ ଯେଉଁ ଅସଂଖ୍ୟ ମହମବତୀ ଜଳୁଥିଲା, ତାହା ମୋର ପସନ୍ଦକୁ ଆସିଲା ନାହିଁ । ମନ୍ଦିରର ଗମ୍ଭୀରି ଘରେ ମୂଷା ପଲ ଦଉଡ଼ାଦଉଡ଼ି କରୁଥିବାର ଦେଖି ସ୍ୱାମୀ ଦୟାନନ୍ଦଙ୍କ କଥା ମୋର ମନେ ପଡ଼ିଲା-। ବ୍ରହ୍ମଦେଶର ମହିଳାମାନଙ୍କର ସ୍ୱଚ୍ଛନ୍ଦ ଗତିବିଧି ଓ କର୍ମପ୍ରବଣତା ଦେଖି ଯେତିକି ମୁଗ୍‌ଧ ହେଲି, ପୁରୁଷମାନଙ୍କର କୋଢ଼ିପଣିଆରେ ତତୋଽଧିକ ବ୍ୟଥିତ ହୋଇଥିଲି । ଏଠାରେ ମୁଁ ସାମାନ୍ୟ କେତେ ସମୟ ରହିଥିଲି । ସେତିକିରେ ବୁଝିପାରିଲି ଯେ, ଯେମିତି ବମ୍ବେଇ ସହରଟି ଦେଖି ସାରା ଭାରତର ଅବସ୍ଥା ବୁଝାଯାଇପାରେ ନାହିଁ, ସେହିପରି କେବଳ ରେଙ୍ଗୁନ ସହରଟି ଦେଖି ସାରା ବ୍ରହ୍ମଦେଶର କଳ୍ପନା କରାଯାଇ ନ ପାରେ । ଭାରତରେ ଆମେ ପାଠୁଆ ବେପାରୀଯାକ ଯେପରି ଇଂରେଜଙ୍କ ଏଜେଣ୍ଟ ଭାବରେ ଲୋକଙ୍କୁ ଶୋଷଣ କରୁଛୁ, ବ୍ରହ୍ମଦେଶରେ ମଧ୍ୟ ଇଂରେଜଙ୍କ ସଙ୍ଗେ ଆମେ ମିଶି ସେଠା ବ୍ରହ୍ମବାସୀ କେତେକଙ୍କୁ ସେହିପରି ହାତବାରିସୀ କରି ରଖିଛୁ ।

 

ବ୍ରହ୍ମଦେଶରୁ ଫେରି ମୁଁ ଗୋଖଲେଙ୍କଠାରୁ ବିଦାୟ ନେଲି । ତାଙ୍କଠାରୁ ବିଚ୍ଛିନ୍ନ ହେବାରେ ଅବଶ୍ୟ ପ୍ରାଣରେ ବେଦନା ଲାଗିଲା; ମାତ୍ର କଲିକତା ବା ବଙ୍ଗଳାରୁ ତ ମୋର କାମ ସରିଗଲା, ମୁଁ ଆଉ ରହନ୍ତି କାହିଁକି ?

 

କୌଣସିଠାରେ ସ୍ଥିର ହୋଇ ରହି ବ୍ୟବସାୟ ଧନ୍ଦାରେ ଲାଗିବା ପୂର୍ବରୁ ମୁଁ ଥରେ ତୃତୀୟ ଶ୍ରେଣୀ ରେଲଗାଡ଼ିରେ ଭାରତର ଚାରିଆଡ଼େ ଘେରାଏ ବୁଲି ଆସିବାକୁ ମନ କଲି । ସେପରି କରିବାଦ୍ୱାରା ତୃତୀୟଶ୍ରେଣୀ ଯାତ୍ରୀମାନେ କିଭଳି ଯା ଆସ କରନ୍ତି, ସେଥିର ଅଭିଜ୍ଞତା ହାସଲ କରିପାରିବି । ଗୋଖଲେଙ୍କୁ ଏ କଥା କହିଲି । ସେ ପହିଲେ ହସି ଉଡ଼େଇଦେଲେ । ମାତ୍ର ମୁଁ ତାଙ୍କୁ ପ୍ରକୃତ ଅବସ୍ଥାର ଚିତ୍ର ଆଙ୍କି ବୁଝାଇଦେବାରୁ ସେ ଆଗ୍ରହ ସହକାରେ ମୋ ପ୍ରସ୍ତାବକୁ ପସନ୍ଦ କଲେ । ମୁଁ ପ୍ରଥମେ କାଶୀ ଯାଇ ସେଠାରେ ବିଦୁଷୀ ଆନିବେସାନ୍ତଙ୍କର ଦର୍ଶନ ପାଇବାକୁ ଭାବିଲି । ଆନିବେସାନ୍ତ ସେତେବେଳେ ବେମାର ଥାନ୍ତି ।

 

ଏ ଗସ୍ତପାଇଁ ମତେ କେତେକ ନୂଆ ଜିନିଷ ସଂଗ୍ରହ କରିବାକୁ ପଡ଼ିଲା । ଗୋଖଲେ ନିଜେ ଜଳଖିଆ ନବାଲାଗି ଗୋଟିଏ ପିତଳ ଡବା ଦେଇ ସେଥିରେ ମୋ ଲାଗି ପୁରୀ ଆଉ ମଗଜଲଡ଼ୁ ଭର୍ତ୍ତି କରିଦେଲେ । ମୁଁ ବାରଅଣା ଦେଇ ଗୋଟିଏ ଛୋଟ ବ୍ୟାଗ କିଣିଲି । ପୋର ବନ୍ଦର ପାଖରେ ‘‘ଛାୟା’’ ଗାର ପଶମ କନାରେ ଗୋଟିଏ କୋଟ ତିଆରି କରାଇଲି । ଏହି କୋଟ, ଗୋଟିଏ ଧୋତି, ଖଣ୍ଡିଏ ଗାମୁଛା ଓ ଗୋଟିଏ କାମିଜ ରହିବାଭଳି ସେ ବେଗ୍‌ଟି ତିଆରି ହୋଇଥାଏ । ଘୋଡ଼େଇ ହେବାକୁ ଖଣ୍ଡିଏ କମ୍ବଳ ଆଉ ଖଣ୍ଡିଏ ଲୋଟା ସଙ୍ଗରେ ଧରିଲି । ଏହିପରି ବେଶରେ ତୃତୀୟ ଶ୍ରେଣୀରେ ଯାତ୍ରୀ ହୋଇ ବାହାରିଲି ।

 

ଗୋଖଲେ ଓ ଡାକ୍ତର ରାୟ ମତେ ବଳେଇ ଦବାଲାଗି ଷ୍ଟେସନଯାଏ ଆସିଲେ । ଏତେ କଷ୍ଟ କରି ନ ଯିବାକୁ ମୁଁ ସେ ଦୁହିଙ୍କୁ ବାରମ୍ବାର ମନାକଲି, ତଥାପି ସେମାନେ ଜିଦ୍‌ କରି ଆସିଲେ । ଗୋଖଲେ କହିଲେ, ‘‘ତୁମେ ପ୍ରଥମ ଶ୍ରେଣୀରେ ଯାଉଥିଲେ ମୁଁ ଯାଆନ୍ତି ନାହିଁ । ମାତ୍ର ଏବେ ମତେ ଯିବାକୁ ହେବ ।’’ ପ୍ଲାଟଫର୍ମ ଭିତରକୁ ଯିବାକୁ ତାଙ୍କୁ କେହି ରୋକିଲେ ନାହିଁ । ସେ ନିଜର ଧୋତି, ଜାକେଟ୍‌ ଓ ମଠା ପଗଡ଼ି ପିନ୍ଧିଥାନ୍ତି । ଡାକ୍ତର ରାୟ ସାଧାରଣ ବଙ୍ଗାଳିଙ୍କ ପରି ଧୋତି ଚାଦର ଓ କାମିଜ ଲଗାଇଥାନ୍ତି । ସେ କିନ୍ତୁ ପ୍ଲାଟଫର୍ମ ଭିତରକୁ ଗଲାବେଳେ ପୋଲିସ ତାଙ୍କୁ ଅଟକାଇଲା । ଗୋଖଲେ କହିଲେ,—‘ସେ ମୋର ସଙ୍ଗୀ ।’’ ଟିକଟ କଲେକ୍‌ଟର ଏତକ ଶୁଣି ସେ ଦୁହିଙ୍କୁ ଛାଡ଼ିଦେଲା ।

 

ଏହିପରି ସେ ଦୁଇଜଣଙ୍କ ଆଶୀର୍ବାଦ ଶିରରେ ଧରି ମୁଁ ମୋ ଯାତ୍ରାରେ ଚାଲିଲି ।

 

Unknown

କାଶୀରେ

 

କଲିକତାଠାରୁ ମୋର ରାଜକୋଟଯାଏ ଆସିବାର ଥାଏ । ବାଟରେ ବନାରସ, ଆଗ୍ରା, ଜୟପୁର, ପଲାନପୁରଠରେ ଓହ୍ଲାଇ ଦେଖିଆସିବି ବୋଲି ସ୍ଥିର କଲି । ଏହାଛଡ଼ା ଆଉ ଅଧିକ ଜାଗା ଯିବାକୁ ବେଳ ନ ଥାଏ । ପ୍ରତି ସହରରେ ଦିନ ଦି’ଦିନ କରି ରହେ । କେବଳ ପାଲାନପୁର ଛଡ଼ା ଆଉ ସବୁଠିଁ ଧର୍ମଶାଳାରେ କିମ୍ବା ପଣ୍ଡାଙ୍କ ପାଖରେ ବସା ବାନ୍ଧେ । ମୋର ଯେତେଦୂର ମନେ ପଡ଼ୁଛି, ଏ ଗସ୍ତରେ ଗାଡ଼ିଭଡ଼ା ସମେତ ଟ ୩୧୧ରୁ ବେଶୀ ଖରଚ ପଡ଼ି ନ ଥିଲା ।

 

ତୃତୀୟଶ୍ରେଣୀ ଗସ୍ତରେ ମୁଁ ବେଶୀ ଭାଗ ଡାକଗାଡ଼ିରେ ଯାଉ ନ ଥାଏ । କାରଣ ପାସେଞ୍ଜରରେ ବେଶୀ ଭିଡ଼ ହୁଏ ଏବଂ ଡାଗାକଡ଼ି ତୃତୀୟ ଶ୍ରେଣୀର ଭଡ଼ା ମଧ୍ୟ ଅଧିକ ।

 

ତୃତୀୟଶ୍ରେଣୀ ଡବା ଓ ତାର ପାଇଖାନା ସବୁ ସେବେ ଯେପରି ଅସନା ଓ କଦର୍ଯ୍ୟ ଥିଲା, ଏବେ ମଧ୍ୟ ସେହିପରି ଅଛି । ତେବେ ଏବକୁ ଅତି ସାମାନ୍ୟ ସୁଧୁରିଥିବ ତ ଭଲକଥା । ମାତ୍ର ପ୍ରଥମ ଶ୍ରେଣୀ ଓ ତୃତୀୟ ଶ୍ରେଣୀର ମାସୁଲରେ ଯେତେ ପ୍ରଭେଦ ଦେଖାଯାଏ, ତାହା ତୁଳନାରେ ପ୍ରଥମ ଶ୍ରେଣୀର ଆରାମ ଓ ସୁବିଧା ଦୃଷ୍ଟିରେ ତୃତୀୟ ଶ୍ରେଣୀ ତାର ପାସଙ୍ଗରେ ପଡ଼ିବ ନାହିଁ । ତୃତୀୟ ଶ୍ରେଣୀର ଯାତ୍ରୀଙ୍କୁ ଛେଳି ମେଣ୍ଢାଙ୍କ ପରି ବ୍ୟବହାର କରାଯାଏ । ଛେଳି ମେଣ୍ଢାଙ୍କ ପାଇଁ ଯେପରି ସୁବିଧା, ତାଙ୍କ ପାଇଁ ଠିକ୍‌ ସେହିପରି ସୁବିଧା । ୟୁରୋପରେ ମୁଁ ବରାବର ତୃତୀୟ ଶ୍ରେଣୀରେ ଯା ଆସ କରୁଥାଏ । ଥରେ ସେଠା ପ୍ରଥମ ଶ୍ରେଣୀ କିପରି ଜାଣିବାପାଇଁ ସେହି ପ୍ରଥମ ଶ୍ରେଣୀରେ ବସିଗଲି । ମାତ୍ର ଏଠା ପ୍ରଥମ ଓ ତୃତୀୟ ଶ୍ରେଣୀ ଭିତରେ ଯେତେ ପ୍ରଭେଦ, ସେଠାରେ ସେପରି କିଛି ଦେଖିଲି ନାହିଁ । ଦକ୍ଷିଣ ଆଫ୍ରିକାର ସାଧାରଣ ନିଗ୍ରୋମାନେ ତୃତୀୟ ଶ୍ରେଣୀରେ ଯାଆନ୍ତି । ସେଠା ତୃତୀୟ ଶ୍ରେଣୀ ସୁବିଧା ଏଠା ତୃତୀୟ ଶ୍ରେଣୀଠାରୁ ଢେର ଭଲ । ଦକ୍ଷିଣ ଆଫ୍ରିକାର କେତେକ ଅଞ୍ଚଳରେ ତୃତୀୟ ଶ୍ରେଣୀ ଗାଡ଼ିରେ ଯାତ୍ରୀଙ୍କର ଶୋଇବାପାଇଁ ବ୍ୟବସ୍ଥା ଥାଏ ଏବଂ ବସିବା ଜାଗାରେ କୁସନ୍‌ଗଦି ଦିଆଯାଇଥାଏ । ସେଠାରେ ପ୍ରତି ବଖରାରେ ନିର୍ଦ୍ଦିଷ୍ଟସଂଖ୍ୟକ ଯାତ୍ରୀଙ୍କ ଛଡ଼ା ଅଧିକ ବସିପାରନ୍ତି ନାହିଁ ।

 

ରେଲ ବିଭାଗର ଏସବୁ ଅସୁବିଧା ଛଡ଼ା, ରେଲ ଯାତ୍ରୀମାନଙ୍କର ବଦଭ୍ୟାସ ଯୋଗୁଁ ତୃତୀୟ ଶ୍ରେଣୀ ଡବା ଟିକିଏ ସଫା ସୁତୁରା ଯାତ୍ରୀଙ୍କ ପକ୍ଷରେ ଏକ ଦଣ୍ଡ ସ୍ୱରୂପ ହୋଇଯାଏ । ଯାତ୍ରୀମାନଙ୍କର ଦୁର୍ଗୁଣ ଯେ, ସେମାନେ ଯେଉଁଠି ଇଚ୍ଛା ସେଠି ସେହି ଡବା ଭିତରେ ମଇଳା କଚରା ପକାଇବେ । ଯେଉଁଠି ସେଠି ଏବଂ ଯେତେବେଳେ ଇଚ୍ଛା ସେତେବେଳେ ଧୂଆ ଖାଇବେ । ପାନ ଗୁଣ୍ଡି ପ୍ରଭୃତି ଚୋବେଇ ଯେଉଁଠି ବସିଥିବେ ସେଇଠି ପଚ୍‌କରି ପିକ ପକେଇଦେବେ । ଚଟାଣ ଉପରେ ଅଇଣ୍ଠା ପକାଇବେ, ବଡ଼ ପାଟିରେ କଥା କହିବେ, ସହଯାତ୍ରୀଙ୍କର ସୁବିଧା ଅସୁବିଧା କଥା ବିଚାରିବେ ନାହିଁ ଏବଂ କଦର୍ଯ୍ୟ ଭାଷା ବ୍ୟବହାର କରୁଥିବେ—ଏସବୁ ସାଧାରଣ ଅନୁଭୂତି ।

 

୧୯୦୨ ସାଲରେ ମୁଁ ଯେତେବେଳେ ତୃତୀୟ ଶ୍ରେଣୀରେ ଯିବା ଆସିବା କରୁଥିଲି ଏବଂ ପରେ ୧୯୧୫ରୁ ୧୯୧୯ ଯାଏ ଯେତେବେଳେ ବରାବର ତୃତୀୟ ଶ୍ରେଣୀରେ ଯିବା ଆସିବା କଲି, ସେତେବେଳେ ଏ ଅବସ୍ଥାର କୌଣସି ପରିବର୍ତ୍ତନ ବା ପ୍ରଭେଦ ଦେଖିଲି ନାହିଁ । ଏ ମହାବ୍ୟାଧିର ପ୍ରତିକାର ସ୍ୱରୁପ ମତେ ଗୋଟିଏ କଥା ଜଣାଅଛି । ତାହା ହେଉଛି ଏଇୟା ଯେ, ଶିକ୍ଷିତ ଲୋକେ ଏଣିକି ଅଭ୍ୟାସ କରି ବରାବର ତୃତୀୟ ଶ୍ରେଣୀରେ ଯା ଆସ କରି ଏ ଶ୍ରେଣୀରେ ଅନ୍ୟ ଯାତ୍ରୀଙ୍କର ଅଭ୍ୟାସ ବଦଳାଇବାକୁ ଚେଷ୍ଟା କରିବା ଉଚିତ । ଏମାନଙ୍କର ରେଳ କର୍ମଚାରୀଙ୍କୁ ତିଳେ ମାତ୍ର ବିଶ୍ରାମ ଦେବା ଉଚିତ ନୁହେଁ । ଯେତେବେଳେ ଯେଉଁ ଅଭାବ ଅସୁବିଧା ଦେଖିବେ, ତାହା ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷଙ୍କୁ ଜଣାଇ ତହିଁର ପ୍ରତିକାର ଲୋଡ଼ିବା ଦରକାର । ନିଜେ ସୁଖ ସୁବିଧା ପାଇବା ପାଇଁ ରେଳ କର୍ମଚାରୀଙ୍କୁ ଲାଞ୍ଚଦେବା କଦାପି ଉଚିତ ନୁହେଁ । କୌଣସି ବେଆଇନ୍‌ କାମକୁ ବରଦାସ୍ତ ନ କରି ତହିଁର ତୀବ୍ର ପ୍ରତିବାଦ କରିବା ଦରକାର ।

 

ଇମିତି କରିବାଦ୍ୱାରା ଅବସ୍ଥା ବହୁତ ସୁଧୁରିଯିବ ବୋଲି ମୋର ବିଶ୍ୱାସ । ୧୯୧୮/୧୯ ସାଲରେ ମୁଁ ଭୀଷଣ ଭାବରେ ପୀଡ଼ିତ ହୋଇପଡ଼ିଲି । ତାହାରି ଫଳରେ ମତେ ତୃତୀୟ ଶ୍ରେଣୀ ଗସ୍ତ ବନ୍ଦ କରିବାକୁ ହେଲା । ସେଇଥିଯୋଗୁ ମୋ ମନରେ ସବୁଦିନ ପାଇଁ ଦୁଃଖ ଓ ଲଜ୍ଜା ରହିଯାଇଛି । ମୋର ଏପରି ଦୁଃଖ ଓ ଲଜ୍ଜା ଅନୁଭବ କରିବାର କାରଣ ହେଉଛି ଯେ, ଯେତିକି ବେଳକୁ ଏ ତୃତୀୟ ଶ୍ରେଣୀ ଯାତ୍ରୀଙ୍କ ଅସୁବିଧା ଦୂର କରିବା ଲାଗି ଆନ୍ଦୋଳନ ବେଶ୍‌ ବାଗେଇ ଆସୁଥିଲା, ଠିକ୍‌ ସେତିକି ବେଳକୁ ମୋତେ ଗସ୍ତ ବନ୍ଦ କରିବାକୁ ପଡ଼ିଲା । ରେଲ ଓ ଜାହାଜର ଯାତ୍ରୀମାନେ ଯେ ଦୁଃଖ ଅସୁବିଧା ଭୋଗକରନ୍ତି, ଆଉ ନିଜ ଦୋଷରୁ ତାହା ବଢ଼ାଇ ଦିଅନ୍ତି, ବିଶେଷତଃ ସରକାର ବିଦେଶୀ ବେପାରୀମାନଙ୍କୁ ଯେଉଁ ଅନ୍ୟାୟ ଓ ଅତ୍ୟଧିକ ସୁବିଧା ଦେଉଛନ୍ତି, ଏସବୁ ଏବଂ ଏହିଭଳି ଅନ୍ୟାନ୍ୟ ଆପତ୍ତି ଓ ଅସୁବିଧାର ପ୍ରତିକାର ପାଇଁ ମୋ ମତରେ ଜଣେ ଦୁଇଜଣ ନିଷ୍ଠାବାନ୍‌ ଓ ଅଧ୍ୟବସାୟଶୀଳ କର୍ମୀ ବରାବର ନିବିଷ୍ଟ ଭାବରେ ଲାଗିରହିବା ଉଚିତ । ସେପରି କେତେଜଣ ନିଜର ସମସ୍ତ ସମୟ ଲଗାଇଲେ ସୁଦ୍ଧା ତାହା ବେଶୀ ହେଲା ବୋଲି ଧରାଯିବ ନାହିଁ ।

 

ବର୍ତ୍ତମାନ ତୃତୀୟ ଶ୍ରେଣୀ ଯାତ୍ରୀଙ୍କ କଥା ଏତିକିରେ ବନ୍ଦ ରଖି ମୁଁ କାଶୀର ଅଭିଜ୍ଞତା ବର୍ଣ୍ଣନା କରିବି । ମୁଁ ସକାଳବେଳା କାଶୀରେ ପହଞ୍ଚିଲି । ସେଠି କୌଣସି ଜଣେ ପଣ୍ଡା ଘରେ ମୋର ରହିବାର କଥା । ମୁଁ ଗାଡ଼ିରୁ ଓହ୍ଲାଇଲାକ୍ଷଣି ବହୁତ ବ୍ରାହ୍ମଣ ମତେ ଘେରିଗଲେ । ମୁଁ ସେମାନଙ୍କ ଭିତରୁ ଯାହାଙ୍କୁ ଟିକିଏ ଅଧିକ ସୁତୁରା ଓ ସଜ୍ଜନ ମନେ କଲି, ତାଙ୍କରି ସାଥିରେ ଗଲି । ଦେଖିଲି, ମୁଁ ଠିକ୍‌ ଲୋକ ବାଛିଛି । ତାଙ୍କ ଘରେ ଯାଇ ପହଞ୍ଚିଲି । ତାଙ୍କ ଅଗଣାରେ ଗୋଟିଏ ଗାଈ ବନ୍ଧା ହୋଇଥାଏ ଏବଂ ଉପର ମହଲାରେ ତାଙ୍କର ବଖରାଏ ଘର ଥାଏ । ସେ ସେଇଠି ମତେ ବସା ଦେଲେ । ଯଥାରୀତି ଗଙ୍ଗାସ୍ନାନ ନ ସାଇଲେ ମୁଁ କିଛି ଖାଇବି ନାହିଁ ବୋଲି କହିଲି । ତହୁଁ ପଣ୍ଡା ମହାରାଜ ସେଥିପାଇଁ ସବୁପ୍ରକାର ଆୟୋଜନ କଲେ । ମୁଁ ତାଙ୍କୁ ଆଗରୁ କହି ଦେଇଥାଏ ଯେ, କୌଣସିମତେ ମୁଁ ପାଞ୍ଚ ସୁଉକାରୁ ଅଧିକ ଦକ୍ଷିଣା ଦେବି ନାହିଁ । ତେଣୁ ଆପଣ ସେଥିକି ଚାହିଁ ବ୍ୟବସ୍ଥା କରନ୍ତୁ । ପଣ୍ଡା କିଛି କଳିକଜିଆ ନ କରି ମୋ କଥା ରକ୍ଷା କଲେ । କହିଲେ,—‘‘ଯଜମାନ ଧନୀ ହୁଅନ୍ତୁ ବା ଗରିବ ହୁଅନ୍ତୁ, ଆମେ ଗୋଟିଏ ପ୍ରକାର ପୂଜା କରିବୁ । ଦକ୍ଷିଣା ଦାନ ଯଜମାନର ଶକ୍ତି ଓ ଇଚ୍ଛା ଉପରେ ନିର୍ଭର କରେ ।’’ ମୁଁ ଦେଖିଲି, ପୂଜା ବିଧିରେ ସେପରି କିଛି ଗୋଳମାଳ ହୋଇ ନାହିଁ । ଦିନ ବାରଟା ବେଳକୁ ସବୁ କାମ ସାରି ମୁଁ କାଶୀବିଶ୍ୱନାଥଙ୍କ ଦର୍ଶନକୁ ଗଲି—ସେଠାରେ ଯାହା ସବୁ ଦେଖିଲି—ମୋ ମନରେ ଭୀଷଣ କଷ୍ଟ ହେଲା ।

 

୧୮୯୧ ସାଲରେ ବମ୍ବେଇରେ ମୁଁ ଓକିଲାତି କରୁଥିଲାବେଳେ ଥରେ ପ୍ରାର୍ଥନା ସମାଜ ମନ୍ଦିରରେ ‘‘କାଶୀଯାତ୍ରା’’ ନାମରେ ଗୋଟିଏ ବକ୍ତୃତା ଶୁଣିଥିଲି । ତେଣୁ କାଶୀ ବିଶ୍ୱନାଥ ମନ୍ଦିର ଦେଖି ମନ ଖରାପ ହେବ ବୋଲି ଆଗରୁ ପ୍ରସ୍ତୁତ ଥିଲି । ତଥାପି କାର୍ଯ୍ୟତଃ ଏତେଦୂର ନିରାଶ ହେବି ବୋଲି କଳ୍ପନା କରି ନ ଥିଲି । ଯେଉଁ ବାଟ ଦେଇ ଦର୍ଶନକୁ ଗଲି, ତାହା ନିତାନ୍ତ ଅଣଓସାରିଆ ଖସଡ଼ା ଗଳିବାଟ । ନିଶ୍ଚଳତାର ନାମ ଗନ୍ଧ ସେଠାରେ ନାହିଁ । ଚାରିଆଡ଼େ ମାଛି ଭଣ ଭଣ, ଦୋକାନୀ ଓ ଯାତ୍ରୀଙ୍କ ପାଟିତୁଣ୍ଡରେ ସେଠାରେ ଲୋକେ ସମ୍ଭାଳି ହୋଇ ରହିବା ଅସମ୍ଭବ ।

 

ଯେଉଁଠାରେ ଲୋକ ନିଭୃତରେ ଭଗବାନଙ୍କର ଚିନ୍ତା କରି ତାଙ୍କ ସଙ୍ଗେ ପ୍ରାଣ ମିଶାଇ ଦେଇପାରନ୍ତା, ସେଠାରେ ସେ ସବୁ କିଛି ନାହିଁ । ମନୁଷ୍ୟ ନିଜ ମନ ଭିତରେ ସେ ବେଷ୍ଟନୀ ପାଇବ ସିନା, ସେ ସ୍ଥାନରେ ସେ ସବୁ ପାଇବ ନାହିଁ । ମୁଁ ଦେଖିଲି ଭକ୍ତିପ୍ରାଣା ଅନେକ ଭଉଣୀ ବାହାରର ଏ କୋଳାହଳ ପ୍ରତି କୌଣସି ଲକ୍ଷ୍ୟ ନ ରଖି ଗଭୀର ଧ୍ୟାନମଗ୍ନ ହୋଇ ରହିଛନ୍ତି । ୟା ବୋଲି ମନ୍ଦିର କର୍ତ୍ତୃପକ୍ଷ ଏହିପାଇଁ ବାହାଦୂରୀ ଦାବି କରି ନ ପାରନ୍ତି । ଏମାନଙ୍କର ଉଚିତ ଯେ, ମନ୍ଦିରରେ ଯେପରି ଶୁଦ୍ଧ ପୂତ, ପବିତ୍ର ଓ ମଧୁର ଗମ୍ଭୀର ଭାବ ଖେଳିବ, ସେଥିର ବ୍ୟବସ୍ଥା କରିବା । ମନ୍ଦିରର ବାହ୍ୟ ଅବସ୍ଥା ଏପରି ହେବା ଉଚିତ ଏବଂ ନୈତିକ ବାୟୁମଣ୍ଡଳ ମଧ୍ୟ ତଦନୁରୂପ ହେବା ବିଧେୟ । ଏଭଳି ବାୟୁମଣ୍ଡଳ ବଦଳରେ ସେଠାରେ ଦେଖିଲି ଯେ, ଚଲାକ ଦୋକାନୀ ଫୌଜ ଲଡ଼ୁ, ଖଜା ଓ ନୂଆ ଫେସନର ଖେଳନା ବିକି ହାଟ ଲଗାଇଛନ୍ତି ।

 

ମନ୍ଦିର ଭିତରକୁ ଗଲି । ଭିତରେ ପଶୁ ପଶୁ ପଚା ଫୁଲର ଗନ୍ଧ ଭଣ ଭଣ ହୋଇ ଉଠିଲା । ମନ୍ଦିର ଚଟାଣ ସୁନ୍ଦର ଚିକ୍‌କଣ ଶଙ୍ଖମଲମଲ ପଥରରେ ଗଢ଼ା । ମାତ୍ର କିଏ ଜଣେ ଅନ୍ଧ ଭକ୍ତ ତାକୁ ଖେଳାଇ ସେଥିରେ ଟଙ୍କା ଜଡ଼ଉ କରିଛି । ଫଳରେ ସେଥିରେ ଖାଲି ମଇଳା ଖୁନ୍ଦିହୋଇଛି । ସେଠାରୁ ମୁଁ ଜ୍ଞାନବାମ୍ଫୀ ଦେଖିବାକୁ ଗଲି । ସେଠି ଭଗବାନଙ୍କୁ ଖୋଜିଲି ମାତ୍ର ସେ ଧରାଛୁଆଁ ଦେଲେ ନାହିଁ । ମନରେ ବଡ଼ ଅଶାନ୍ତି ଆସିଲା । ଜ୍ଞାନ-ବାମ୍ଫୀର ଚାରିପଟେ ମଧ୍ୟ ମଇଳା ପୂର୍ଣ୍ଣ ଥିବାର ଦେଖିଲି । ସେଠାରେ ଦକ୍ଷିଣା ଦେବାକୁ ମୋର ଇଚ୍ଛା ହେଲା ନାହିଁ । କେବଳ ଗୋଟିଏ ପାହୁଲା କାଢ଼ ସେଠାରେ ପକାଇଦେଲି । ସେଠି ଯେଉଁ ପଣ୍ଡା ଜଣକ ବସିଥିଲେ, ସେ ପାହୁଲାକୁ ଦେଖି ରାଗରେ ଜଳିଯାଇ ପାହୁଲାଟି ଫିଙ୍ଗି ଦେଲେ । ମତେ ଗାଳି ଦେଇ କହିଲେ–‘‘ଜାଣିଥା—ତୋର ଏ ହତାଦର ଫଳରେ ତୁ ସିଧା ସିଧା ନରକକୁ ଯିବୁ ।’’ ମୁଁ କାହିଁକି ବା ସେଥିରେ ବିଚଳିତ ହେବି ? ଶାନ୍ତ ଭାବରେ କହିଲା— ‘‘ମହାରାଜ, ମୋ ଭାଗ୍ୟରେ ଯାହା ହେବାର ଥିବ ହେବ; ମାତ୍ର ତୁମ ମୁହଁରେ ଏ ଖରାପ କଥା ଶୋଭାପାଏ ନାହିଁ । ଏ ପାହୁଲାଟି ନବ ତ ନିଅ, ନ ହେଲେ ସେତକ ମଧ୍ୟ ହରେଇବ ।’’ ‘‘ଆରେ ଯା—ତୋ ପାହୁଲା ମୋର ଲୋଡ଼ା ନାହିଁ-।’’ ଏହା କହି ପଣ୍ଡା ମୋତେ ଯାଇଚ୍ଛା କରି ଗାଳି ଦେଲେ । ମୁଁ ପାହୁଲାଟି ଉଠାଇ ନେଇ ଚାଲିଲି । ଏ ମହାରାଜ ପାହୁଲାଟି ହରାଇଲେ । ମୁଁ ପାହୁଲାଟିଏ ବଞ୍ଚାଇଲି । କିନ୍ତୁ ପଣ୍ଡା ମହାରାଜ ପାହୁଲାକୁ ମଧ୍ୟ ଛାଡ଼ିବା ଲୋକ ନୁହନ୍ତି, ମୋତେ ପଛରୁ ଡାକି କହିଲେ—‘‘ଆଚ୍ଛା ! ରଖ୍‌ ରଖ୍‌, ମୁଁ ତୋ ଭଳି ହବାକୁ ଚାହୁଁ ନାହିଁ । ମୁଁ ପାହୁଲାଟି ନ ନେଲେ ତୋରି ସିନା ଅମଙ୍ଗଳ ହେବ !’’

 

ମୁଁ ଚୁପ୍‌କରି ପାହୁଲାଟି ଥୋଇ ଦେଇ ଦୀର୍ଘ ନିଃଶ୍ୱାସଟିଏ ପକାଇ ବାଟେ ବାଟେ ଆସିଲି । ଏହାପରେ ମୁଁ ଦୁଇଥର କାଶୀ ବିଶ୍ୱନାଥ ଗଲିଣି । କିନ୍ତୁ ବର୍ତ୍ତମାନ ମହାତ୍ମାପଦ ମୋଠାରେ ଲଦାହେବା ପରେ ଯାଇଥିବାରୁ ଆଗପରି ଅଭିଜ୍ଞତା ଆଉ ସମ୍ଭବ ହୋଇ ପାରୁନାହିଁ । ଲୋକେ ମୋ ଦର୍ଶନ ପାଇବେ ବୋଲି ମୋତେ ଆଉ ମନ୍ଦିର ଦର୍ଶନ ସୁଦ୍ଧା କରାଇ ଦେଉ ନାହାନ୍ତି । ମହାତ୍ମା ହେବାର ଦୁଃଖ ମୋ ଭଳି ମହାତ୍ମାକୁ କେବଳ ଜଣା । ଯାହାହେଉ ଏଠା ବାଟ ଘାଟରେ ସେଇ ମଇଳା, ଅସନା, ଘୋ ଘୋ ପାଟି ତୁଣ୍ଡ ପ୍ରଭୃତି ସବୁ ସେମିତି ପୂର୍ବପରି ଥିବାର ଦେଖିଲି ।

 

ଭଗବାନଙ୍କ ଦୟା ବିଷୟରେ କାହାରି ସନ୍ଦେହ ଥିଲେ, ସେ ଏଭଳି ତୀର୍ଥ ସ୍ଥାନକୁ ଥରେ ଦେଖି ଆସନ୍ତୁ । ସେହି ପରମଯୋଗୀ ଭଗବାନ ତାଙ୍କ ନାମରେ କେତେ ଭଣ୍ଡାମି, ଅଧର୍ମ ଆଚରଣ ଯେ ସହି ଯାଉଛନ୍ତି, ତାହା କିଏ କହିବ ? ସେ ସ୍ୱୟଂ କହିଛନ୍ତି:—

 

‘‘ଯେ ଯଥା ମାଂ ପ୍ରପଦ୍ୟନ୍ତେ

ତାଂ ସ୍ତଥୈବ ଭଜାମ୍ୟହଂ’’

 

‘‘ଯେ ଯେମିତି ଆଚରଣ କରିବ, ସେ ତଦନୁରୂପ ଫଳ ପାଇବ ।’’ କର୍ମକୁ ମିଥ୍ୟା କରିବ କିଏ ? କର୍ମଫଳ ଭୋଗରୁ କାହାରି ଉଦ୍ଧାର ନାହିଁ । ସୁତରାଂ ସେଠାରେ ପରମେଶ୍ୱର ଆଉ ବାଧା ଦେବେ କାହିଁକି ? ସେ ତ ଆପଣାର ବିଧିବିଧାନ କରିଦେଇ ନିଶ୍ଚିନ୍ତ ।

 

ମନ୍ଦିର ଦର୍ଶନ ପରେ ମୁଁ ଶ୍ରୀମତୀ ଆନି ବେସାନ୍ତଙ୍କୁ ଦେଖା କରିବାକୁ ଗଲି । ସେ ନିକଟରେ ବେମାରୀରୁ ଭଲ ହୋଇ ଉଠିଥାନ୍ତି । ଏକଥା ମୁଁ ଜାଣିଥାଏ । ମୁଁ ମୋ ନାଁ ପଠେଇଲି । ସେ ସାଙ୍ଗେ ସାଙ୍ଗେ ଆସିଲେ । ତାଙ୍କୁ କେବଳ ଶ୍ରଦ୍ଧା ଭକ୍ତି ଜଣାଇବା ଛଡ଼ା ମୋର ଆଉ କାମ ନ ଥାଏ । ମୁଁ କହିଲି, ‘‘ମୁଁ ଜାଣେ ଆପଣ ଅସୁସ୍ଥ ଅଛନ୍ତି । ମୁଁ କେବଳ ଆପଣଙ୍କୁ ମୋର ଭକ୍ତି ଅର୍ପଣ କରିବାକୁ ଆସିଥିଲି । ଏଭଳି ଅସୁସ୍ଥତା ସତ୍ତ୍ୱେ ଆପଣ ଯେ ମୋତେ ଦର୍ଶନ ଦେଇ ଚରିତାର୍ଥ କଲେ, ମୁଁ ଏଥିରେ ବଡ଼ କୃତଜ୍ଞ । ମୁଁ ଆପଣଙ୍କର ସମୟ ନଷ୍ଟ କରିବି ନାହିଁ ।’’

 

ଏତିକି କହି ମୁଁ ବିଦାୟ ନେଲି ।

 

ବମ୍ବେଇରେ ସ୍ଥାୟୀ ହେଲି

 

ଗୋଖଲେଙ୍କର ଭାରି ଇଚ୍ଛା ଯେ, ମୁଁ ବମ୍ବେଇରେ ସ୍ଥାୟୀ ଭାବରେ ରହେ । ସେଠି ବାରିଷ୍ଟରୀ କରେ ଏବଂ ସାଧାରଣ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରେ । ସେତେବେଳେ ସାଧାରଣ କାର୍ଯ୍ୟ ବୋଇଲେ କଂଗ୍ରେସ କାର୍ଯ୍ୟ । ଯେଉଁ କଂଗ୍ରେସ ଅନୁଷ୍ଠାନକୁ ଗଢ଼ିବାରେ ଯେ ଏତେ ସାହାଯ୍ୟ କରିଛନ୍ତି, ତାହାର କାର୍ଯ୍ୟପ୍ରଣାଳୀ କିପରି ସୁଚାରୁରୂପେ ପରିଚାଳିତ ହେବ, ଏହାହିଁ ତାଙ୍କର ମୁଖ୍ୟ କର୍ମ ।

 

ମୁଁ ଗୋଖଲେଙ୍କ ପରାମର୍ଶକୁ ଖୁବ୍‌ ପସନ୍ଦ କଲି; ମାତ୍ର ବାରିଷ୍ଟର ଭାବରେ ମୁଁ ଯେ କୃତକାର୍ଯ୍ୟ ହେବି, ଏ ବିଷୟରେ ମୋର ପ୍ରତ୍ୟୟ ଜନ୍ମିଲା ନାହିଁ । ଅତୀତର ବିଫଳ ଚେଷ୍ଟା ଏବେ ମଧ୍ୟ ମନେ ଥାଏ ଏବଂ ମକଦ୍ଦମା ପାଇବା ଲାଗି ଖୋସାମତି କରିବାକୁ ମୁଁ ଏବେ ମଧ୍ୟ ଘୃଣା କରୁଥାଏ ।

 

ସୁତରାଂ ମୁଁ ରାଜକୋଟରେ ସର୍ବପ୍ରଥମେ କାର୍ଯ୍ୟ କରିବାକୁ ସ୍ଥିର କଲି । ମୋର ସେହି ପୂର୍ବ ହିତୈଷୀ କେବଳରାମ ମାଭ୍‌ଜୀ ବାଭେ, ଯେ ମୋତେ କୁହାବୋଲା କରି ଇଂଲଣ୍ଡ ପଠାଇଥିଲେ, ସେ ମୋର ସହାୟ ହେଲେ । ସର୍ବପ୍ରଥମେ ମୋତେ ତିନୋଟି ମକଦ୍ଦମା ଦେଲେ । ସେଥି ଭିତରୁ ଦୁଇଟି କାଠିଆବାଡ଼ର ପଲିଟିକାଲ ଏଜେଣ୍ଟଙ୍କ ଜୁଡ଼ିସିଆଲ ଆସିଷ୍ଟାଣ୍ଟଙ୍କ ଇଜଲାସରେ ଅପିଲ ମକଦ୍ଦମା । ମୁଁ ବାଭେଜୀଙ୍କୁ କହିଲି, ‘ଦେଖନ୍ତୁ, ମୁଁ ଏ ମକଦ୍ଦମା ନେଇ ଉପଯୁକ୍ତ ଭାବରେ ଚଳାଇପାରିବି କି ନାହିଁ ସେ ବିଶ୍ୱାସ ମୋ ନିଜର ମୋଠାରେ ନାହିଁ ।’’ କେବଳରାମ ପାଟିକରି କହିଉଠିଲେ, ‘‘ହାରିବା ଜିତିବା ତୁମ କାମ ନୁହେଁ । ତୁମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କର, ମୁଁ ତମକୁ ସାହାଯ୍ୟ କରିବାକୁ ରହିଛି ।’’ ସ୍ୱର୍ଗୀୟ ସମର୍ଥ ଏ ମକଦ୍ଦମାରେ ମୋ ବିରୁଦ୍ଧରେ ଥାନ୍ତି । ମୁଁ ଏ ମକଦ୍ଦମାରେ ଠିକ୍ ତିଆରି ହୋଇ ଯାଇଥାଏ । ମୁଁ ଯେ ନିଜେ ଭାରତୀୟ ଆଇନ୍‌କାନୁନ ବିଶେଷ କିଛି ଜାଣିଥାଏ, ତା ନୁହେଁ । କେବଳରାମ ବାଭେ ମତେ ଭଲ ଭାବରେ ସବୁ ବୁଝାଇ ଦେଇଥାନ୍ତି । ମୁଁ ଦକ୍ଷିଣ ଆଫ୍ରିକା ଯିବା ଆଗରୁ ବନ୍ଧୁମାନେ ମୋତେ କହିଥାନ୍ତି ଯେ, ପ୍ରମାଣ ଆଇନ ଫିରୋଜଶାଙ୍କ ମୁହେଁ ମୁହେଁ ଥିଲା ଏବଂ ସେଇଥିପାଇଁ ସେ ଖୁବ୍‌ଯଶ ଓ ସଫଳତା ହାସଲ କରି ପାରୁଥିଲେ । ମୋର ସେ କଥା ମନେ ଥାଏ । ଦକ୍ଷିଣ ଆଫ୍ରିକାରେ ମୁଁ ଏଠାକାର ପ୍ରମାଣ ଆଇନ ଟୀକା ସହିତ ପଢ଼ି ଶେଷ କରିଥାଏ । ତା ଛଡ଼ା ମୋର ଦକ୍ଷିଣ ଆଫ୍ରିକାର ଅନୁଭୂତି ମଧ୍ୟ ଥାଏ । ମୁଁ ଏ ମକଦ୍ଦମାଟି ଜିତିଲି, ଫଳରେ ମୋଠାରେ ଟିକିଏ ବିଶ୍ୱାସ ଜନ୍ମିଲା । ଅପିଲ ମକଦ୍ଦମା ବିଷୟରେ ମୋର ସେତେ ଭୟ ନଥାଏ । ସେଗୁଡ଼ିକ ମୋ ସପକ୍ଷରେ ମଧ୍ୟ ଡିଗ୍ରୀ ହେଲା-। ଏ ସବୁର ଫଳରେ ମୋର ଆଶା ହେଲା ଯେ, ବମ୍ବେଇ ଗଲେ ଏଥର ଏଥର ଆଉ ହରକତ ହେବି ନାହିଁ ।

 

ଏ ବିଷୟକୁ ଆସିବା ଆଗରୁ ମୁଁ ଟିକିଏ ଇଂରେଜ କର୍ମଚାରୀମାନଙ୍କର ଅବିଚାର ଓ ଅଜ୍ଞତା ବିଷୟରେ ମୋ ଅନୁଭୂତିର କଥା କହେ । ଜୁଡ଼ିସିଆଲ ଆସିଷ୍ଟାଣ୍ଡଙ୍କ ଇଜଲାସ ଗୋଟିଏ ବାରବୁଲା ଇଜଲାସ । ତାଙ୍କ କଚେରୀ ସବୁବେଳେ ଗସ୍ତ କରୁଥାଏ । ସାହେବ ଯେଉଁଠି ଥାନ୍ତି, ମହକିଲ ଓକିଲ ସମସ୍ତେ ସେଠାକୁ ଯାଆନ୍ତି । ଓକିଲଙ୍କ ଫିସ ସଦର ମହକୁମାରେ ଯେତେ, ବାହାରେ ତାଠାରୁ ନିଶ୍ଚୟ ବେଶୀ ହୁଏ । ଏଥିଯୋଗୁଁ ମହକିଲଙ୍କ ଖର୍ଚ୍ଚ ସହଜରେ ଦୁଇଗୁଣ ବଢ଼ିଯାଏ । ହାକିମ କିନ୍ତୁ ଏ ହାଲ ବିଚାର କରନ୍ତି ନାହିଁ । ଏହି ଅପୀଲର ଶୁଣାଣି ୱେରାଓ୍ୱଲ ନାମକ ସ୍ଥାନରେ ଥାଏ । ସେତେବେଳେ ଓ୍ୱେରାଓ୍ୱଲରେ ପ୍ଲେଗ ମଡ଼କ ଖୁବ୍‌ ଜୋରରେ ଲାଗିଥାଏ । ସେଠାର ଲୋକସଂଖ୍ୟା ମୋଟେ ୫୫୦୦;ମାତ୍ର ମୋର ମନେ ପଡ଼ୁଛି ସେଥିଭିତରୁ ପ୍ରାୟ ପ୍ରତିଦିନ ୫୦ ସରିକି ଲୋକ ରୋଗରେ ପଡ଼ୁଥାନ୍ତି । ସହର ପ୍ରାୟ ଖାଲି ପଡ଼ିଯାଇଥାଏ । ମୁଁ ଯାଇ ସଦର ବାହାରେ ଗୋଟିଏ ନିର୍ଜ୍ଜନ ଧର୍ମଶାଳାରୁ ଉତୁରିଥାଏ । କିନ୍ତୁ ମହକିଲ ବିଚରା ତ ଗରିବ—ତେଣୁ ସେ ଭଗବାନଙ୍କ ଅତିଥି । ଓକିଲ ବନ୍ଧୁମାନେ ମୋତେ ତାର କରିଥାନ୍ତି ଯେ, ପ୍ଲେଗ ଯୋଗୁଁ କ୍ୟାମ୍ପ ବଦଳେଇବାକୁ ମୁଁ ସାହେବଙ୍କୁ ଅର୍ଜୀ କରିବି । ସାହେବଙ୍କୁ ମୋର ଆପତ୍ତି ଜଣାଇବାରୁ ସେ ମୋତେ ପଚାରିଲେ, ‘‘ତୁମକୁ କଣ ଡ଼ର ମାଡ଼ୁଛି ?’’ ମୁଁ କହିଲି—‘‘ଏ ମୋ ଡରିବା ନ ଡରିବା କଥା ନୁହେଁ । ମୁଁ ମୋର ବ୍ୟବସ୍ଥା କରିନେବି । ମାତ୍ର ମହକିଲମାନଙ୍କର ଅବସ୍ଥା କଣ ହେବ ?’’ ସାହେବ କହିଲେ—‘‘ପ୍ଲେଗ ତ ତମ ଭାରତରେ ଘର କଲାଣି; ତାକୁ ଏତେ ଡର କାହିଁକି ? ୱେରାୱରା ହାଓ୍ୱା କେଡ଼େ ସୁନ୍ଦର । (ସାହେବ ଗାଁଠାରୁ ଦୂରରେ ସମୁଦ୍ର କୂଳରେ ଗୋଟିଏ ରାଜପ୍ରାସାଦ ପରି ତମ୍ବୁରେ ରହିଥାନ୍ତି ।) ଲୋକେ ଏହିପରି ଖୋଲା ମଇଦାନରେ ରହିବାକୁ ଅଭ୍ୟାସ କରିବା ଉଚିତ-।’’

 

ଏପରି ଦାର୍ଶନିକ ମତ ବିରୁଦ୍ଧରେ ଯୁକ୍ତି କରି ବା କି ଲାଭ । ସାହେବ ତାଙ୍କ ସିରସ୍ତାଦାରଙ୍କୁ କହିଲେ— ‘‘ମି: ଗାନ୍ଧୀ ଯେଉଁ କଥା କହିଲେ, କାଗଜରେ ନୋଟ୍‌ କର ଆଉ ଯେଉଁ ଓକିଲ ଓ ମହକିଲଙ୍କର ବିଶେଷ ଅସୁବିଧା ହେବ, ମୋତେ ଜଣାଅ ।’’

 

ସାହେବ ଅବଶ୍ୟ ଯାହା ଠିକ୍‌ ବୁଝିଲେ ସେଇୟା କଲେ । ମାତ୍ର କାଙ୍ଗାଳ ଭାରତ ବର୍ଷର ଅସୁବିଧାର ମାପ ସେ ପାଇବେ କେମିତି ? ସେ ସବୁ ଲୋକ ଏ ଦେଶ ଲୋକଙ୍କ ଅଭାବ, ଅସୁବିଧା, ଅଭ୍ୟାସ, ରୁଚି ଏବଂ ରୀତିନୀତି ବୁଝିବେ କୁଆଡ଼ୁ । ସେ ତ ପନ୍ଦରଟଙ୍କିଆ ସୁନାମୋହରରେ ସବୁକଥା ଓଜନ କରିବା ଲୋକ, ଗରିବର ତମ୍ବା ପାହୁଲାରେ ଯେ ହିସାବ, ତାହା ସେ କିପରି ବୁଝିବେ ? ହାତୀ ଯେପରି ପିମ୍ପୁଡ଼ିର କଳ୍ପନା କରିପାରେ ନାହିଁ, ଯେତେ ସାଧୁ ଇଚ୍ଛା ଥାଉ ନା କାହିଁକି, ହାତୀ ପେଟିଆ ଗୋରାଲୋକେ ସେହିପରି ପିମ୍ପୁଡ଼ିସମ ଦୀନ ଦରିଦ୍ର ଭାରତୀୟଙ୍କ କଥା ଉପଲବ୍‌ଧି କରିବା ବା ତାଙ୍କ ହିତପାଇଁ ବିଧି ବ୍ୟବସ୍ଥା କରିବାକୁ ଏକାବେଳକେ ଅପାରଗ । କଣ କହୁ କହୁ କେଉଁଯାଏ ଚାଲିଗଲିଣି । ଏବେ ମୂଳ ବିଷୟକୁ ଆସେ ।

 

ଉପରଲିଖିତ ପ୍ରକାରେ ସଫଳତା ମିଳିଲେ ମଧ୍ୟ ମୁଁ କିଛିକାଳ ରାଜକୋଟରେ ରହିଯିବ ବୋଲି ବିଚାରୁଥାଏ । ସେହି ସମୟରେ ଦିନେ କେବଳରାମ ମୋ ପାଖକୁ ଆସି କହିଲେ,‘‘ଗାନ୍ଧୀ, ଆମେ ତୁମକୁ ଆଉ ଏଠି ରହିବାକୁ ଦେବୁ ନାହିଁ । ତୁମକୁ ବମ୍ବେଇ ଯିବାକୁ ପଡ଼ିବ ।’’

 

‘‘କିନ୍ତୁ ମୋର ତ ସେଠି ଶଶୁର ଘର ନାହିଁ—ମୋର ଖର୍ଚ୍ଚ କଣ ତୁମେ ଚଳେଇବ ?’’ ‘‘ହଁ, ହଁ, ମୁଁ ତୁମର ଖର୍ଚ୍ଚ ଚଳେଇବି । ଆମେ ମଝିରେ ମଝିରେ ତୁମକୁ ବଡ଼ ବାରିଷ୍ଟର ବୋଲି ଏଠାକୁ ଆଣୁଥିବୁଁ । ଅର୍ଜିଲେଖା ଆଦି କାମ ଏଠୁଁ ତୁମ ପାଖକୁ ପଠାଉଥିବୁ । ଆମେ ଓକିଲଯାକ ବିଚାରିଲେ ବାରିଷ୍ଟରଙ୍କୁ ବଡ଼ କରିପାରୁ, ସାନ ମଧ୍ୟ କରିପାରୁ । ତୁମର ପରିଚୟ ତ ତମେ ଯାମନଗର ୱେରାୱେଲଠାରେ ଦେଇସାରିଛ । ତେଣୁ ତୁମ ବିଷୟରେ ମୋର କୌଣସି ଚିନ୍ତା ନାହିଁ-। ତୁମେ ସାଧାରଣ କାମ କରିବାକୁ ଜନ୍ମ ପାଇଛ । ସେଥିରେ ଆମେ ତୁମକୁ କାଠିଆଓ୍ୱାଡ଼ରେ ସମାଧି ନେବାକୁ ଦେବୁନାହିଁ । କହ, କେବେ ଯିବ ?’’

 

‘‘ନାତାଲରୁ ମୋର କିଛି ଟଙ୍କା ଆସିବାର ଅଛି । ସେତକ ଆସିଗଲେ ଯିବି ।’’

 

ପ୍ରାୟ ଦୁଇସପ୍ତାହ ଭିତରେ ଟଙ୍କାତକ ଆସିଗଲା । ମୁଁ ବମ୍ବେଇରେ ଯାଇ ପହଞ୍ଚିଗଲି । ପେଇନ୍‌, ଗିଲିବର୍ଟ ଏବଂ ସୟାନି ଅଫିସ ପାଖେ ମୋର ବାରିଷ୍ଟରୀ ଅଫିସ ଫିଟାଇଲି । ବିଚାରିଲି ଯେ ଏହିଥର ବମ୍ବେଇରେ ସ୍ଥାୟୀ ଭାବରେ ଅଧିବାସ ଆରମ୍ଭ ହେଲା ।

 

ଧର୍ମ ସଙ୍କଟ

 

ଏଣେ ଫୋର୍ଟ ପାଖରେ ଅଫିସ ଖୋଲି ତେଣେ ଜରିଗାଓଁରେ ବସାଘର କଲି ସତ; ମାତ୍ର ମୋତେ ଥୟ କରି ରଖାଇଦେବା ଭଗବାନଙ୍କର ବୋଧହୁଏ ଇଚ୍ଛା ନ ଥାଏ । ଘର ନେବାର ବେଶୀ ଦିନ ହୋଇ ନ ଥାଏ, ତେଣେ ମୋର ଦ୍ୱିତୀୟ ପୁଅ ମଣିଲାଲ୍ କଠିନ ବେମାରୀରେ ପଡ଼ିଗଲା । ତାକୁ କଳାଜର ଘୋଟିଗଲା, ତାତି ଜମା ଖସିଲା ନାହିଁ । ତା ସାଙ୍ଗକୁ ପ୍ରଳାପ ଓ ମୁଣ୍ଡ ଗୋଳମାଳ ଥାଏ । ଏବଂ ରାତିକି ସନ୍ନିପାତର ଲକ୍ଷଣ ମଧ୍ୟ ଜଣାପଡ଼େ । ଏ ବେମାରୀ ପୂର୍ବରୁ ପିଲାଦିନେ ତାକୁ ଖୁବ୍‌ ଯୋରରେ ଥରେ ବସନ୍ତ ହୋଇଥିଲା । ମୁଁ ସାଙ୍ଗେ ସାଙ୍ଗେ ଡାକ୍ତର ପରାମର୍ଶ କଲି । ଡାକ୍ତର କହିଲେ, ‘‘ତାହା ପାଇଁ ଔଷଧ କିଛି କାମ କରିବ ନାହିଁ । ତାକୁ ଅଣ୍ଡା ଓ ମୁର୍ଗୀର ସୁରୁଆ ଦେବା ଜରୁରୀ ଦରକାର ।’’ ସେତେବେଳକୁ ମଣିଲାଲର ବୟସ ଦଶବର୍ଷ ହୋଇଥାଏ । ତାର ମତାମତ ବୁଝି କାର୍ଯ୍ୟ କରିବା ଅସମ୍ଭବ । ମୁଁ ଯେତେବେଳେ ଅଭିଭାବକ, ମୋର ଭାବି ଚିନ୍ତି ସ୍ଥିର କରିବା କଥା । ସେ ଡାକ୍ତର ଜଣେ ଉତ୍ତମ ଲୋକ, ଜାତିରେ ପାର୍ଶୀ । ମୁଁ ତାଙ୍କୁ କହିଲି—ଆମେ ସମସ୍ତେ ଅନ୍ନାହାରୀ । ଆପଣ ଯେଉଁ ଦୁଇଟି ଜିନିଷ କଥା କହିଲେ, ମୁଁ ତ ସେଥିରୁ କୌଣସି ଗୋଟିଏ ସୁଦ୍ଧା ଖାଇବାକୁ ଦେଇପାରିବି ନାହିଁ । ଆପଣ ଆଉ କିଛି ଚିଜର ବ୍ୟବସ୍ଥା କରନ୍ତୁ ।

 

ଡାକ୍ତର କହିଲେ, ‘‘ଆପଣଙ୍କ ପୁଅର ଜୀବନ ସଙ୍କଟାପନ୍ନ । ଅବଶ୍ୟ ପାଣି ସଙ୍ଗେ ଦୁଧ ମିଶାଇ ଦେବାକୁ ମୁଁ କହନ୍ତି, ମାତ୍ର ସେଥିରେ ତାର ଉପଯୁକ୍ତ ବଳ ଆସିବ ନାହିଁ । କାହିଁକି, ଆପଣ ତ ଜାଣନ୍ତି—ମୁଁ କେତେ ହିନ୍ଦୁ ପରିବାରକୁ ଯାଆସ କରେ—ସବୁଠି ମୁଁ ଯାହା ବ୍ୟବସ୍ଥା ଦିଏ, କେହି ତ କିଛି ଆପତ୍ତି କରନ୍ତି ନାହିଁ । ମୋ ମତରେ ଆପଣ ନିଜ ପୁଅ ପ୍ରତି ଏପରି କଠୋର ହେବା ଠିକ୍‌ ନୁହେଁ ।’’

 

ମୁଁ କହିଲି—‘‘ଆପଣ ଯାହା କହୁଛନ୍ତି, ସେ ସବୁ ଅକ୍ଷରେ ଅକ୍ଷରେ ସତ । ଡାକ୍ତର ହିସାବରେ ଆପଣ ଅନ୍ୟଥା କରନ୍ତେ ବା କିପରି ? ଏ କ୍ଷେତ୍ରରେ ମୋର ଦାୟିତ୍ୱ ଖୁବ୍‌ ବେଶୀ । ପୁଅଟି ବଡ଼ ହୋଇଥିଲେ ତ ମୁଁ ତାର ଇଚ୍ଛା ଜାଣିବାକୁ ଚେଷ୍ଟା କରନ୍ତି ଏବଂ ତାର ଇଚ୍ଛା ଅନୁସାରେ ଯାହା କରିବାର କରନ୍ତି । ମାତ୍ର ଏଠି ପିଲାପାଇଁ ମୋତେ ବିଚାର କରିବାକୁ ପଡ଼ୁଛି । ମୋତେ ଲାଗୁଛି ଯେ, ମଣିଷର ଧର୍ମ ପରୀକ୍ଷା ଏହିପରି ସମୟରେ ହୋଇଥାଏ । ଭୁଲ ହେଉ ବା ଠିକ୍‌ ହେଉ ମୁଁ ଏହି ଧର୍ମ ମାନି ନେଇଛି ଯେ, ମଣିଷର ମାଂସାଦି ଖାଇବା ଉଚିତ ନୁହେଁ । ଜୀବନଧାରଣର ଉପାୟଗୁଡ଼ିକର ଗୋଟାଏ ସୀମା ଅଛି । ଏପରି ଅନେକ କାମ ଅଛି, ଯାହା କି ମନୁଷ୍ୟ ନିଜର ପ୍ରାଣରକ୍ଷା ପାଇଁ ସୁଦ୍ଧା ସେ ସବୁ କରି ନ ପାରେ । ମୋ ଧର୍ମର ମର୍ଯ୍ୟାଦା ମୋତେ ମନା କରୁଛି ଯେ, ମୁଁ ନିଜ ପାଇଁ ଓ ନିଜର ପିଲାମାନଙ୍କ ପାଇଁ ଏ ଅବସ୍ଥାରେ ମଧ୍ୟ ମାଂସ ଇତ୍ୟାଦି ବ୍ୟବହାର କରିବି ନାହିଁ । ଅତଏବ ଆପଣ ଯେଉଁ ଆଶଙ୍କା କରୁଛନ୍ତି, ମୁଁ ସେ ବିପଦକୁ ବରଣ କରିନେଲେ ମୁକ୍ତି । ତେବେ ଆପଣଙ୍କୁ ମୋର ଗୋଟିଏ ପ୍ରାର୍ଥନା ଅଛି । ମୁଁ ଆପଣଙ୍କ ଚିକିତ୍ସା କରିପାରିବି ନାହିଁ । ମୁଁ ନିଜେ ଜଳଚିକିତ୍ସା ଜାଣେ । ମୋର ସେହି ଚିକିତ୍ସାରେ ବିଶ୍ୱାସ ଅଛି—ମୁଁ ସେହି ଚିକିତ୍ସା କରିବାକୁ ବିଚାରୁଛି । ମାତ୍ର ପିଲାର ନାଡ଼ି, ଛାତି ଇତ୍ୟାଦି ମତେ ପରୀକ୍ଷା କରି ଆସେନା । ଆପଣ ଯଦି ଅନୁଗ୍ରହ କରି ବେଳେ ବେଳେ ଆସି ସେତକ ପରୀକ୍ଷା କରି ମତେ ଟିକିଏ ଅବସ୍ଥା ବୁଝାଇ ଦେଇଯିବେ, ତେବେ ମୁଁ ବଡ଼ ଉପକୃତ ହେବି ।

 

ସାଧୁ ଡାକ୍ତର ବିଚରା ମୋର ସଙ୍କଟ ବୁଝିପାରିଲେ ଏବଂ ମୋ ଅନୁରୋଧ ରଖିବାକୁ ରାଜି ହେଲେ । ମଣିଲାଲ ସେତେବେଳେ ନିଜ ବିଷୟ ନିଷ୍ପତ୍ତି କରିବାଭଳି ଅବସ୍ଥାରେ ନ ଥିଲା । ତଥାପି ଡାକ୍ତରଙ୍କ ସଙ୍ଗେ ହୋଇଥିବା ମୋର କଥାବାର୍ତ୍ତା ସବୁ ମୁଁ ତା ଆଗରେ କହିଲି, ଆଉ ତାର ମତ ପଚାରିଲି । ସେ କହିଲା, ‘‘ତୁମେ ଆନନ୍ଦରେ ଜଳଚିକିତ୍ସା କର । ମୁଁ ଅଣ୍ଡା ଖାଇବି ନାହିଁ କି ସୁରୁଆ ମଧ୍ୟ ଖାଇବି ନାହିଁ ।’’ ତାର ଏଭଳି ଉତ୍ତରରେ ମୁଁ ଅତ୍ୟନ୍ତ ପ୍ରୀତ ହେଲି । ତଥାପି ମୁଁ ବୁଝୁଥାଏ ଯେ ତାକୁ ଅଣ୍ଡା କି ସୁରୁଆ ଦେଇଥିଲେ ସେ ଖାଇଥାନ୍ତା ।

 

ମୋତେ କୁନେ ସାହେବଙ୍କ ଜଳଚିକିତ୍ସା ଜଣାଥାଏ । ମୁଁ କେତେ ଜାଗାରେ ତାହାର ପ୍ରୟୋଗ ମଧ୍ୟ କରିଥାଏ । ଆହୁରି ମଧ୍ୟ ଜାଣିଥାଏ ଯେ, ଉପବାସ ଦ୍ୱାରା ଭଲ ଫଳ ମିଳେ । ତେଣୁ ମୁଁ ମୁଣିଲାଲକୁ କୁନେ ଚିକିତ୍ସା ଅନୁସାରେ କଟୀସ୍ନାନ କରାଇବାକୁ ଆରମ୍ଭ କଲି । ତିନିମିନିଟରୁ ଅଧିକ ସମୟ ମୁଁ ତାକୁ ଟବରେ ରଖେ ନାହିଁ । ଖାଇବା ପାଇଁ କମଳା ରସରେ ପାଣି ମିଶାଇ ତିନି ଦିନ ଯାଏ ଦେଲି । ତାପ କମିଲା ନାହିଁ । ରାତିରେ ବାଚାଳତା ଆରମ୍ଭ ହେଲା । ୧୦୪ ଡ଼ିଗ୍ରୀ ଯାଏ ତାପ ଉଠିଲା । ମୁଁ ଘାବରା ହୋଇ ଭାବିଲି—ପିଲାଟିକୁ ହରାଇ ବସିବି ତ ଦୁନିଆ ମତେ କଣ କହିବ ? ବଡ଼ଭାଇ କଣ କହିବେ ? ଅନ୍ୟ ଡାକ୍ତର କାହିଁକି ନ ଡାକିଲି—ବୈଦ୍ୟ ଡାକିଲି ନାହିଁ କାହିଁକି ? ନିଜର ‘ଝୁଙ୍କି’କୁ ପିଲା ଉପରେ ପ୍ରୟୋଗ କରିବାର ଅଧିକାର ବାପା ମାଆଙ୍କର ଅଛି ତ-? ଏହିପରି ନାନା ଭାବନା ଆସି ମୋତେ ଘନ ଘନ ବିଚଳିତ କଲା ।

 

ରେ ଜୀବ ! ତୁ ନିଜପାଇଁ ଯାହା କରୁଛୁ—ପୁଅ ପାଇଁ ତାହା କରିବୁ ତ ଭଗବାନ ସନ୍ତୁଷ୍ଟ ହେବେ । ତୋର ଜଳିଚିକିତ୍ସାରେ ବିଶ୍ୱାସ ଓ ଶ୍ରଦ୍ଧା ଅଛି । ଔଷଧ ଉପରେ ଆଦୌ ଆସ୍ଥା ନାହିଁ । ତୁ ସେହି ଜଳଚିକିତ୍ସାର ପ୍ରୟୋଗ କରିବାର କଥା । ଜୀବନଡ଼ୋରି ତ ଭଗବାନଙ୍କ ହାତରେ । ଈଶ୍ୱରଙ୍କର ନାମ ନେଇ ତାଙ୍କ ଉପରେ ନିଷ୍ଠା ରଖି ତୋର ମାର୍ଗ ତୁ ଛାଡ଼େ ନାହିଁ ।

 

ଏହିପରି ନାନା ଅଶାନ୍ତିର ଢେଉ ମନରେ ମୋର ଖେଳୁଥାଏ । କ୍ରମେ ରାତି ହେଲା । ମୁଁ ମଣିଲାଲକୁ ପାଖରେ ନେଇ ଶୋଇଥାଏ । ଗୋଟାଏ ବଡ଼ ଦୋହର ଚାଦରକୁ ଓଦାକରି ଚିପୁଡ଼ି ତାହା ଦେହରେ ଘୋଡ଼ାଇ ଦେବାକୁ ସ୍ଥିର କରି ମୁଁ ଶେଯରୁ ଉଠିଲି—ପାଛୁଡ଼ା କାଢ଼ିଲି । ଥଣ୍ଡା ପାଣିରେ ବୁଡ଼େଇ ଚିପୁଡ଼ିଲି । ତାର ବେକଠାରୁ ପାଦଯାଏ ଘୋଡ଼େଇ ଦେଲି । ମୁଣ୍ଡ ଉପରେ ଓଦା ଗାମୁଛା ପକାଇ ଦେଲି । ଦେହ ତାତିରେ ଖଇ ଫୁଟି ଯାଉଥାଏ । ଚମ ଉପର ଏକାବେଳକେ ଶୁଖିଲା ଖସ୍‌ଖସ୍ ରହିଥାଏ—ଝାଳ ଆଦୌ ବହୁ ନ ଥାଏ ।

 

ମୁଁ ଖୁବ୍‌ ଥକି ପଡ଼ିଥାଏ । ମଣିଲାଲକୁ ତା ମା ଜିମା କରିଦେଇ ନିଜେ ଟିକିଏ ମନକୁ ଭଲ କରିବା ପାଇଁ ଚୌପାଟି ଆଡ଼େ ଉନ୍ମୁକ୍ତ ବାୟୁରେ ବୁଲିଆସିବାକୁ ଗଲି । ସେତେବେଳକୁ ରାତି ପ୍ରାୟ ୧୦ଟା ଖଣ୍ଡେ ବାଜିଥିବ, ରାସ୍ତାରେ ମଣିଷଙ୍କ ଯିବା ଆସିବା କମି ଯାଇଥାଏ । ମୁଁ ଚିନ୍ତା ସମୁଦ୍ରରେ ବୁଡ଼ି ରହିଥିବାରୁ ବାହାରର ଜ୍ଞାନ ମୋର କମ୍‌ଥାଏ । ମୁଁ ଖାଲି ମନେ ମନେ ଗୁଣିହେଉଥାଏ, ‘‘ହେ ଭଗବାନ, ଏ ଧର୍ମସଂକଟରେ ତୁମେ ଏକା ମୋର ଇଜ୍ଜତ ରକ୍ଷା କରିବ ସିନା-।’’ ମୁହଁରେ କେବଳ ‘ରାମ’ ‘ରାମ’ ରଟୁଥାଏ । ଏହିପରି କିଛିକ୍ଷଣ ବୁଲି ଘରକୁ ଫେରିଲି । ସେତେବେଳେ ମୋ ଛାତି ଖାଲି ଧଡ଼୍‌ଧଡ଼୍‌ ହେଉଥାଏ । ଘରେ ପାଦ ଦେଲାକ୍ଷଣି ମଣିଲାଲ ଡାକ ପକେଇଲା ‘‘ବାପୁ, ତମେ ଆସିଲଣି ?’’

 

‘‘ହଁ, ବାପା ଆସିଲି ।’’

 

‘‘ବାପୁ, ମୋ ଦେହ ଜଳିଯାଉଛି, ମତେ ଏଥିରୁ କାଢ଼ିନିଅ—’’

 

‘‘କାହିଁକି, ଝାଳ ବୋହିଲାଣି କି ?’’

 

‘‘ମୁଁ ତ ତିନ୍ତିଗଲିଣି ବାପୁ, ମତେ କାଢ଼ିନିଅ ।’’

 

ମୁଁ ମଣିଲାଲ କପାଳରେ ହାତଦେଇ ଦେଖିଲି ବିନ୍ଦୁ ବିନ୍ଦୁ ଝାଳ କଣ୍ଟି ଆସୁଛି, ତାପ ଟିକିଏ କମିଛି । ଏଥିରେ ଭଗବାନଙ୍କୁ ଧନ୍ୟବାଦ ଦେଲି ।

 

‘‘ମଣିଲାଲ, ଏଥର ତୋ ଜର ନିଶ୍ଚୟ ଛାଡ଼ିଯିବ । ଆଉ ଟିକିଏ ଝାଳ ବୋହି ଯାଉ, ମୁଁ ସଙ୍ଗେ ସଙ୍ଗେ କାଢ଼ି ଆଣିବି ।’’

 

‘‘ନାଇଁ ବାପୁ, ମତେ ଏ ନିଆଁ କୁଣ୍ଡରୁ କାଢ଼ିନିଅ । ଦରକାର ହେଲେ ଆଉଥରେ ପଛେ ଏମିତି ଘୋଡ଼ାଇ ରଖିବ ।’’

 

ମୋର ଧୈର୍ଯ୍ୟ ଆସିଯାଇଥାଏ । ଏଣୁ କଥାବାର୍ତ୍ତାରେ ଭୁଲେଇ ଦେଇ କେତେ ମିନିଟ୍‍ ଗଡ଼େଇଦେଲି । କପାଳରୁ ଗମ୍‌ଗମ୍‌ଝାଳ ବୋହିଲା । ସଙ୍ଗେ ସଙ୍ଗେ କମ୍ବଳ ପ୍ରଭୃତି କାଢ଼ି ଦେଲି । ଦେହରୁ ଚିକ୍‌କଣ କରି ଝାଳ ପୋଛିଦେଲି । ଦେହ ଖଡ଼୍‌ ଖଡ଼୍‌ ହୋଇଗଲା । ବାପ ପୁଅ ଦୁହେଁ ଏକା ବିଛଣାରେ ଶୋଇପଡ଼ିଲୁ ।

 

ପରଦିନ ସକାଳ ପାହିଲା । ମଣିଲାଲର ଜର ବହୁତ କମିଯାଇଥାଏ । ଏହିପରି ଭାବରେ କେବଳ ପାଣିମିଶା ଦୁଧ ଓ ଫଳ ରସ ଖାଇ ଚାଳିଶ ଦିନଯାଏ ସେ ପଡ଼ିରହିଲା । ମୋର କିନ୍ତୁ ଆଉ ଭୟ ନଥାଏ । ଜରଟା ବଡ଼ ବିଷମ ଜ୍ୱର, ତଥାପି ତାକୁ ଆୟତ୍ତରେ ରଖି ହୋଇଥାଏ । ଆଜି ମୋର ସବୁ ପୁଅଙ୍କ ଭିତରେ ମଣିଲାଲର ଦେହ ସବୁଠୁ ମଜବୁତ । ମଣିଲାଲର ଆରୋଗ୍ୟ ଭଗବାନଙ୍କ କୃପାରୁ ହେଲା, କି ଜଳଚିକିତ୍ସା ଫଳରେ ହେଲା, କି ସାବଧାନତା ସହ ଅହରହ ଜଗିବାରୁ ହେଲା, କି ସେବା ଶୁଶ୍ରୂଷା ଫଳରେ ହେଲା, ସେକଥା କିଏ କହିବ ? ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ଅନୁସାରେ ଏହାର ତଥ୍ୟ ସ୍ଥିର କରିବେ । ମାତ୍ର ମୋ ନିଜର ବିଶ୍ୱାସ ଯେ, କେବଳ ପରମେଶ୍ୱର ମୋ ଇଜ୍ଜତ ରକ୍ଷା କଲେ । ଏବେ ମଧ୍ୟ ସେହି ବିଶ୍ୱାସ ମୋର ଅଟଳ ଓ ଅଚଳ ରହିଛି-

 

ପୁଣି ଦକ୍ଷିଣ ଆଫ୍ରିକା

 

ମଣିଲାଲ ଭଲ ହୋଇଗଲା ସତ; କିନ୍ତୁ ମୁଁ ଦେଖିଲି ଗରିଗାଓଁର ସେ ଘର ବାସଯୋଗ୍ୟ ନୁହେଁ । ଘରଟା ବଡ଼ ସନ୍ତସନ୍ତିଆ, ଭଲ ଆଲୁଅ ପଡ଼େ ନାହିଁ । ତେଣୁ ମୁଁ ରେବା ଶଙ୍କର ଭାଇଙ୍କ ସଙ୍ଗେ ପରାମର୍ଶ କରି ବମ୍ବେଇ ସହର ବାହାରେ ଖୋଲା ଜାଗାରେ ବେଶ୍ ଝରକାଆଦି ଥାଇ ଗୋଟିଏ ବଙ୍ଗଳା ଭଡ଼ା ନେବାକୁ ସ୍ଥିର କଲି । ବନ୍ଦ୍ରା ଓ ଶାନ୍ତାକ୍ରୁଜ୍ ପ୍ରଭୃତି ସହର ତଳି ଅଞ୍ଚଳରେ ବହୁତ ବୁଲିଲି । ବନ୍ଦ୍ରା ପାଖରେ କଂସେଇ ଖାନା ଥିବାରୁ ସେପଟ ଘର ମନକୁ ଅଇଲା ନାହିଁ । ଘାଟକୋପାର ଓ ତା ପାଖଆଖ ଜାଗା ମଧ୍ୟ ସମୁଦ୍ରଠାରୁ ବହୁତ ଦୂର ବୋଧହେଲା । ଶେଷରେ ଶାନ୍ତାକ୍ରୁଜଠାରେ ଗୋଟିଏ ସୁନ୍ଦର ବଙ୍ଗଳା ମିଳିଗଲା । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏ ବଙ୍ଗଳାଟି ବେଶ୍ ପସନ୍ଦ ହେଲା । ତାକୁଇ ଭଡ଼ାନେଲି ।

 

ଶାନ୍ତାକ୍ରୁଜଠାରୁ ଚର୍ଚ୍ଚଗେଟ୍ ଷ୍ଟେସନକୁ ଯିବାପାଇଁ ପ୍ରଥମ ଶ୍ରେଣୀର ସିଜ୍‌ନ (ମାସିକିଆ ବା ତିନିମାସିଆ) ଟିକଟ କିଣିଲି । ମୋର ମନେ ପଡ଼ୁଛି, ପ୍ରଥମ ଶ୍ରେଣୀ ରେଳ ଡବାରେ କେବଳ ମୁଁଇ ଏକାକୀ ଯାଉଥିବାରୁ ମୋ ମନରେ ଅହଂକାର ଓ ଗର୍ବ ଅନୁଭବ କରୁଥାଏ । ଅନେକ ସମୟରେ ଚଞ୍ଚଳ ଗାଡ଼ିଧରି ସିଧା ସିଧା ଚର୍ଚ୍ଚଗେଟ୍‌କୁ ଯାଇପାରିଛି ବୋଲି ବନ୍ଦ୍ରା ପର୍ଯ୍ୟନ୍ତ ଚାଲି ଚାଲି ମଧ୍ୟ ଯାଏ ।

 

ଏଥର ମୋର ବାରିଷ୍ଟରୀ ବ୍ୟବସାୟ ଏଠାରେ ଆଶାତୀତ ଭାବରେ ଭଲ ଚାଲିଲା । ମୋର ଦକ୍ଷିଣ ଆଫ୍ରିକାର ମହକିଲମାନେ ମଧ୍ୟ ମତେ ବେଳେ ବେଳେ କାମ ପଠାଉଥାନ୍ତି । ସେଇଥିରେ ମୋର ଖର୍ଚ୍ଚବାର୍ଚ୍ଚ ଚଳିବାଭଳି ବେଶ୍ ରୋଜଗାର ହେଉଥାଏ । ମତେ ସେ ପର୍ଯ୍ୟନ୍ତ ହାଇକୋର୍ଟର କିଛି କାମ ମିଳି ନଥାଏ । ତେବେ ‘ମୁଟ୍’ ବା ଆଇନ ଆଲୋଚନା ବେଳେ ମୁଁ ସେଠାରେ ଯାଇ ବସେ । ସେଥିରେ ଯୋଗଦେବାର ସାହସ ମୋର ନଥାଏ । ଶ୍ରୀଯୁକ୍ତ ଜମିଏତ ରାମ ନାନାଭାଇ ଏଥିରେ ବିଶେଷ ଭାବରେ ଯୋଗ ଦେଉଥାନ୍ତି । ଅନ୍ୟ ନୂଆ ବାରିଷ୍ଟରଙ୍କର ପରି ମୁଁ ହାଇକୋର୍ଟ ମକଦ୍ଦମା ଶୁଣାଣିବେଳେ ଯାଇ ବସୁଥାଏ । ଉଦ୍ଦେଶ୍ୟ ଜ୍ଞାନ ଲାଭପାଇ ଯେତେ ନୁହେଁ, ସମୁଦ୍ରଆଡ଼ୁ ଯେଉଁ ଉନ୍ମୁକ୍ତ ପବନ ସୁଲୁ ସୁଲୁ ବହି ଆସୁଥାଏ, ତାକୁଇ ଉପଭୋଗ କରିବାପାଇଁ ଯାଉଥାଏ । ଖାଲି ମୁଇଁ ଯେ ଏକା ଏ ସୁଖପାଇଁ ଯାଉଥାଏ ତା ନୁହେଁ, ଏପରି ଉପଭୋଗ ଗୋଟାଏ ଫେସନ୍ ହୋଇଯାଇଥାଏ । ତେଣୁ ସେଥିରେ ଲଜ୍ଜା ବା ସଂକୋଚ କାହିଁକି ହେବ ?

 

ଯାହାହେଉ ମୁଁ ହାଇକୋର୍ଟ ଲାଇବ୍ରେରୀରୁ ବହିପତ୍ର ଆଣି ପଢ଼ାଶୁଣା କରୁଥାଏ ଏବଂ ନୂଆ ନୂଆ ଲୋକଙ୍କ ସଙ୍ଗେ ପରିଚିତ ହେଉଥାଏ । ମୋର ଆଶା ହେଉଥାଏ ଯେ, ମତେ ହାଇକୋର୍ଟର କାମ ଅଳ୍ପଦିନେ ମିଳିଯିବ ।

 

ଏହିପରି ନିଜ ବାରିଷ୍ଟରୀ ବ୍ୟବସାୟ ବିଷୟରେ ମୁଁ ଟିକିଏ ନିଶ୍ଚିନ୍ତ ହୋଇ ଆସିଲାବେଳକୁ ତେଣେ ଗୋଖଲେ ମୋ ବିଷୟରେ ତାଙ୍କ ମନେ ମନେ ନାନାପ୍ରକାର ବିଚାର ବାନ୍ଧୁଥାନ୍ତି । କାରଣ ତାଙ୍କର ତ ମୋ ଉପରେ ବରାବର ଆଖି ଥାଏ । ସେ ପ୍ରତି ସପ୍ତାହରେ ଦୁଇ ତିନିଥର ମୋ ଅଫିସକୁ ଆସି ମୁହଁମାରି ଯାଉଥାନ୍ତି । ଆସିଲାବେଳେ ତାଙ୍କ ପରିଚିତ ସଙ୍ଗୀମାନଙ୍କୁ ମୋ ସଙ୍ଗେ ପରିଚୟ କରାଇବାକୁ ସଙ୍ଗରେ ଆଣିଥାନ୍ତି । ସେ ନିଜେ କେତେବେଳେ କିପରି କାର୍ଯ୍ୟ କରୁଛନ୍ତି, ସେ କଥା ମଧ୍ୟ ମତେ ସବୁବେଳେ କହୁଥାନ୍ତି ।

 

କିନ୍ତୁ ମୁଁ ବରାବର ଦେଖି ଆସୁଛି ଯେ, ଭଗବାନ ମୋ ମନମୁତାବକ କାର୍ଯ୍ୟର ଗତିକୁ ପନ୍ଥା ଦେଇ ନାହାନ୍ତି । ସେ ପ୍ରଭୁ ତାଙ୍କ ନିଜ ଭାବରେହିଁ ମୋର ସକଳ ବିଚାରକୁ ପରିଚାଳିତ କରିଛନ୍ତି । ଠିକ୍ ଯେତେବେଳେ ମୁଁ ଆଶାନୁରୂପ ଭାବରେ ସ୍ଥାୟୀ ହୋଇଗଲି ବୋଲି ବିଚାରୁଛି, ସେତିକିବେଳେ ହଠାତ୍ ଅନାକାଂକ୍ଷିତ ଭାବରେ ଦକ୍ଷିଣ ଆଫ୍ରିକାରୁ ଗୋଟିଏ ତାର ଆସି ପହଞ୍ଚିଲା । ସେଥିରେ ଲେଖାଥାଏ—‘‘ଚେମ୍ବରଲେନ୍ ସାହେବ ଆସୁଛନ୍ତି—ଅନୁଗ୍ରହ କରି ତୁରନ୍ତ ଆସ ।’’ ମୁଁ ଆଗରୁ ଯେଉଁ ଶପଥ କରି ଆସିଥିଲି, ସେ କଥା ମୋର ସ୍ମରଣ ହେଲା । ସଙ୍ଗେ ସଙ୍ଗେ ମୁଁ ତାରଦ୍ୱାରା ଜଣାଇ ଦେଲି ଯେ, ଟଙ୍କା ପଠାଇବା ମାତ୍ରେ ମୁଁ ଏଠୁ ଯାତ୍ରା କରିବି । ସେମାନେ ସଙ୍ଗେ ସଙ୍ଗେ ଟଙ୍କା ପଠାଇଦେଲେ । ମୁଁ ମୋର ବାରିଷ୍ଟରୀ ଅଫିସ ଭାଙ୍ଗିଦେଇ ପୁଣି ଦକ୍ଷିଣ ଆଫ୍ରିକା ବାହାରିଲି । ଗଲାବେଳେ ଭାବିଲି ଏଥର ଖୁବ୍ କମରେ ସେଠାରେ ବର୍ଷଟାଏ ଲାଗିଯିବ । ତେଣୁ ମୁଁ ସେ ବଙ୍ଗଳାକୁ ରଖି ସେଠାରେ ଛୁଆପିଲାଙ୍କୁ ଛାଡ଼ିଯିବା ଭଲ ବୋଲି ସ୍ଥିରକଲି ।

 

ସେତେବେଳେ ମୋର ବିଶ୍ୱାସ ଥିଲା ଯେ, ଦେଶର ଉତ୍ସାହୀ ଯୁବକମାନେ, ଯେଉଁମାନେ କି ନିଜ ଦେଶରେ କୌଣସି ଉପାୟ କରିପାରୁ ନାହାନ୍ତି, ସେମାନଙ୍କର ସମୁଦ୍ର ବାହାରେ ବିଦେଶ ଯାତ୍ରାକରି ଭବିଷ୍ୟତ କର୍ମକ୍ଷେତ୍ର ଫଟାଇନେବା ଉଚିତ । ସେହି ବିଶ୍ୱାସର ବଶବର୍ତ୍ତୀ ହୋଇ ମୁଁ ଗଲାବେଳେ ମୋ ସଙ୍ଗରେ ୪ । ୫ ଜଣ ଯୁବକଙ୍କୁ ନେଇଗଲି । ମଗନଲାଲ ଗାନ୍ଧୀ ସେମାନଙ୍କ ଭିତରୁ ଜଣେ ।

 

ପୂର୍ବେ ଗାନ୍ଧୀ ବଂଶ ଯେପରି ଗୋଟିଏ ବଡ଼ ପରିବାର ଥିଲେ, ଏବେ ସେହିପରି ଅଛନ୍ତି-। ଏଥିଭିତରୁ ଯେଉଁମାନେ ଗତାନୁଗତିକ ପନ୍ଥା ଛାଡ଼ି ସୁଦୂର ରାଜ୍ୟରେ ସାହସର ସହିତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବେ, ସେହିଭଳି ଯୁବକଙ୍କୁ ଖୋଜିଲୋଡ଼ି ବାହାର କରିବା ଉଦ୍ୟମ କଲି । ମୋ ପିତା ଏଭଳି ଅନେକଙ୍କୁ ଦେଶୀୟ ରାଜ୍ୟ ଚାକିରିରେ ରଖାଇ ଦେଉଥିଲେ । ମାତ୍ର ମୋର ଇଚ୍ଛା ଯେ, ଏମାନେ ଆଉ ଏ ମୋହରେ ଅଧିକ ଘାଣ୍ଟି ନ ହୁଅନ୍ତୁ । ମୁଁ ଯେ ସେମାନଙ୍କ ପାଇଁ ଆଉ କେଉଁଠି କିଛି ଚାକିରି ବାକିରି ଜୁଟାଇ ଦେବାକୁ ବିଚାରିଥାଏ ତା ନୁହେଁ, ସେ ଚାକିରି କରାଇ ଦେବାର ସୁବିଧା ଓ ଶକ୍ତି ମୋର ଥିଲେ ମଧ୍ୟ ମୁଁ ତାହା କରନ୍ତି ନାହିଁ । ମୋର ଇଚ୍ଛା, ସେମାନେ ଆତ୍ମନିର୍ଭରଶୀଳ ହୋଇ ଜୀବନଯାତ୍ରା ଚରିତାର୍ଥ କରନ୍ତୁ । ମାତ୍ର ମୋର ନିଜ ଜୀବନର ଆଦର୍ଶ ଯେତେବେଳେ ଆଗକୁ ବଢ଼ିଚାଲିଲା, ସେତେବେଳେ ମୁଁ ଯୁବକମାନଙ୍କୁ ମଧ୍ୟ ଭଳାଭଳି କରି ମୋ ଆଦର୍ଶର ଅନୁରୂପ କରିବାକୁ ଉଦ୍ୟମ କଲି ଏବଂ ମଗନଲାଲ ଗାନ୍ଧୀଙ୍କୁ ପରିବର୍ତ୍ତିତ କରିବାରେ ସଂପୂର୍ଣ୍ଣ କୃତକାର୍ଯ୍ୟ ହେଲି । ସେ ବିଷୟ ପରେ ପୁଣି ବର୍ଣ୍ଣନା କରିବି ।

 

ବର୍ତ୍ତମାନ ସ୍ତ୍ରୀ, ପୁତ୍ର ଓ ପରିବାର ଛାଡ଼ି, ନିଜର ସ୍ଥାୟୀ ଅଧିବାସ ଭାଙ୍ଗିଭୁଙ୍ଗି ଦେଇ ସ୍ଥିତିରୁ ଅସ୍ଥିତିକୁ ଯାଉଛି, ଏ ଭାବନା ଅବଶ୍ୟ ମୋ ମନରେ କ୍ଷଣକପାଇଁ ବେଦନା ଦେଇଥିଲା । କିନ୍ତୁ ଏଭଳି ଅନିଶ୍ଚିତ ଜୀବନଯାପନ କରିବାର ମୋର ଅଭ୍ୟାସ ହୋଇଯାଇଥାଏ । ଏ ଜଗତରେ ଈଶ୍ୱର କୁହ ବା ସତ୍ୟ କୁହ, ତାଙ୍କ ଛଡ଼ା ଆଉ କିଛି ନିଶ୍ଚିତ ନୁହେଁ । ତେଣୁ ସ୍ଥିରତା ବା ନିଶ୍ଚିତତା ପଛରେ ଧାଇଁବା ମୋତେ ଦୋଷାବହପରି ଲାଗେ । ଆମର ଚାରିଆଡ଼େ ଯାହା ସବୁ ଦେଖାଯାଉଛି ବା ଘଟୁଛି, ସେ ସବୁ ଜଳ ବୁଦ୍‌ବୁଦ୍ ପରି ଅନିଶ୍ଚିତ ବା କ୍ଷଣିକ । ତଥାପି ସେ ସବୁର ଭିତରେ ଏକ ଗୁପ୍ତ ପରମଶକ୍ତି ନିହିତ ହୋଇ ରହିଛି, ଯାହା କି ଏକମାତ୍ର ସ୍ଥିର ଓ ଅବିନଶ୍ୱର ବସ୍ତୁ । ମନୁଷ୍ୟକୁ ସେହି ଶକ୍ତିର ଆଭାସ ମିଳିଲେ, ତାଙ୍କର ଉପରେ ଶ୍ରଦ୍ଧା ରହିଲେ, ତା’ର ଜୀବନ ସାର୍ଥକ ହୋଇଥାଏ । ସେହି ନିତ୍ୟ ନିଶ୍ଚିତ ବା ସତ୍ୟର ଅନୁସନ୍ଧାନ ହିଁ ଜୀବନର ପରମ ପୁରୁଷାର୍ଥ ।

 

ମୁଁ ଦିନକ ଆଗରୁ ଯେ ଡରବାନରେ ପହଞ୍ଚିଲି, ତା’ ନୁହେଁ । ଯିବାମାତ୍ରେ ମୋ ପାଇଁ କାମ ଭରି ରହିଥିଲା । ଚେମ୍ବରଲେନ୍ ସାହେବଙ୍କ ପାଖକୁ ଡେପୁଟେସନ୍ ପ୍ରତିନିଧିଦଳ ଯିବାର ଦିନ ମୁତୟନ ହୋଇସାରିଥାଏ । ତାଙ୍କ ଆଗରେ ଯେଉଁ ଦରଖାସ୍ତ ପଢ଼ାଯିବ, ତାହାର ଚିଠା କରିବା ଏବଂ ପ୍ରତିନିଧି ଦଳଙ୍କ ସାଙ୍ଗରେ ସେଠାକୁ ଯିବା କାମ ମୋପାଇଁ ବାକିଥାଏ ।

Image

 

 

 

 

 

 

 

 

 

 

 

 

 

ସତ୍ୟର ପ୍ରୟୋଗ ବା ଆତ୍ମକଥା

ଚତୁର୍ଥ ଭାଗ

 

ସବୁ ଶ୍ରମ ପଣ୍ଡ ହେଲା ?

 

ଚେମ୍ବରଲେନ୍ ସାହେବ ତ ସାଢ଼େ ତିନିକୋଟି ପାଉଣ୍ଡ ଦକ୍ଷିଣ ଆଫ୍ରିକାରୁ ନେବାପାଇଁ ଆସିଥିଲେ ଏବଂ ଇଂରେଜମାନଙ୍କୁ ଏବଂ ହେବ ତ ବୁଅରଙ୍କୁ ସନ୍ତୁଷ୍ଟ କରିବାକୁ ଆସିଥିଲେ । ତେଣୁ ଭାରତୀୟ ପ୍ରତିନିଧିମାନେ ଥଣ୍ଡା ଜବାବ ପାଇଥିଲେ ।

 

‘‘ଆପଣମାନେ ତ ଜାଣନ୍ତି, ସ୍ୱାୟତ୍ତ-ଶାସିତ ଦାୟିତ୍ୱପୂର୍ଣ୍ଣ ଉପନିବେଶମାନଙ୍କ ଉପରେ ସାମ୍ରାଜ୍ୟ ସରକାରଙ୍କର ନା’କୁ କର୍ତ୍ତୃତ୍ୱ ଥାଏ ? ଆପଣଙ୍କ ଅଭିଯୋଗ ସତ ଜଣାପଡ଼ୁଛି । ମୋଦ୍ୱାରା ଯାହା ହୋଇପାରିବ ମୁଁ କରିବି; କିନ୍ତୁ ଯେତେଦୂର ପାରନ୍ତି, ଆପଣମାନଙ୍କୁ ଏଠା ଗୋରାଙ୍କୁ ସନ୍ତୁଷ୍ଟ କରି ରହିବାକୁ ପଡ଼ିବ ।’’

 

ଏ ଜବାବ ଶୁଣି ପ୍ରତିନିଧିମାନେ ଥଣ୍ଡା ହୋଇଯାଇଥିଲେ । ମୁଁ ଆଶା ଛାଡ଼ିଲି । ‘ଯେବେ ନିଦ ଭାଙ୍ଗିଲା, ତେବେଠୁ ସକାଳ’—ଏହି ନୀତିରେ ପୁଣି ମୂଳରୁ ଗାଇବାକୁ ହେବ, ମୁଁ ମାୟା ବୁଝିଥିଲି, ସାଥୀମାନଙ୍କୁ ବୁଝାଇଥିଲି । ଚେମ୍ବରଲେନ୍ ସାହେବଙ୍କ ଜବାବ ମିଛ ବା କ’ଣ ଥିଲା ? ଗୋଳମାଳିଆ କଥା ନ କହି ସେ ସଫା କହିଥିଲେ । ବରଂ ‘ଜୋର ଯାହାର, ମୁଲକ ତାହାର’ ଏଇ ନୀତିକୁ ସେ ମିଠା କଥାରେ ବୁଝେଇ ଦେଇଥିଲେ । କିନ୍ତୁ ଆମ ପାଖରେ ଜୋର କେଉଁଠି ଥିଲା ? ତରବାରୀ ତ ଦୂରର କଥା, ତରବାରୀ ଚୋଟ ସହିବାକୁ ଦେହ ବି ନ ଥିଲା ।

 

ଚେମ୍ବରଲେନ୍ ସାହେବଙ୍କର ଅଳ୍ପ କେତେ ସପ୍ତାହ ରହିବାର ଥିଲା । ଦକ୍ଷିଣ ଆଫ୍ରିକା ଗୋଟିଏ ଛୋଟିଆ ପ୍ରଦେଶ ନୁହଁ । ଏହା ଏକ ଦେଶ, ଏକ ମହାଦେଶ । ଆଫ୍ରିକାରେ ତ କେତେ ଛୋଟ ଛୋଟ ମହାଦେଶ ଅଛି । କୁମାରିକାଠାରୁ ଶ୍ରୀନଗର ୧୯୦୦ ମାଇଲ ହେଲେ, ଡରବାନ୍‌ଠାରୁ କେପ୍‌ଟାଉନ୍ ୧୧୦୦ ମାଇଲରୁ କମ୍ ନୁହେଁ । ଏହିଭଳି ବଡ଼ ଦେଶଟିରେ ତାଙ୍କୁ ପବନବେଗରେ ବୁଲିବାକୁ ହୋଇଥିଲା । ସେ ଟ୍ରାନ୍‌ସଭାଲ ଇଲାକାକୁ ଯାଇଥିଲେ । ସେଠି ମଧ୍ୟ ଭାରତୀୟମାନଙ୍କ ଦାବି ଚିଠା କରି ତାଙ୍କ ପାଖରେ ମତେ ପେସ୍ କରିବାର ଥିଲା । କିନ୍ତୁ ପ୍ରିଟୋରିଆ ଯିବି କେମିତି ? ସେଠି ଠିକ୍ ସମୟରେ ପହଞ୍ଚିବାପାଇଁ ଗାଡ଼ି ଖଣ୍ଡେ ଯୋଗାଡ଼ କରିବା ଆମ ଲୋକଙ୍କଦ୍ୱାରା ହୋଇପାରନ୍ତା ନାହିଁ ।

 

ବୁଅର ଯୁଦ୍ଧ ପରେ ଟ୍ରାନ୍‌ସଭାଲ ପ୍ରାୟ ଉଜୁଡ଼ିଯାଇଥିଲା । ସେଠି ଖାଇବାକୁ ଖାଦ୍ୟଦ୍ରବ୍ୟ ମିଳୁ ନ ଥିଲା, କି ପିନ୍ଧିବାକୁ ଲୁଗାପଟା ମଧ୍ୟ ନ ଥିଲା । ବଜାର ସବୁ ଖାଲି ଓ ଦୋକାନ ପାଟ ବନ୍ଦ ଥିଲା । ସେ ସବୁକୁ ପୁଣି ଜିନିଷପତ୍ର ଭର୍ତ୍ତିକରି ଖୋଲାଇବାର ଥିଲା । ଏ କାମ ଆସ୍ତେ ଆସ୍ତେ ହେବା ସମ୍ଭବ । ଯେମିତି ମାଲପତ୍ର ଜମା ହେଉଥିଲା, ସେମିତି ଯେ ଘରଦ୍ୱାର ଛାଡ଼ି ପଳାଇଥିଲେ, ତାଙ୍କୁ ଆସିବାକୁ ଦିଆଯାଉଥିଲା । ଏହି କାରଣରୁ ପ୍ରତ୍ୟେକ ଟ୍ରାନ୍‌ସଭାଲବାସୀଙ୍କୁ ଛାଡ଼ ନେବାକୁ ପଡ଼ୁଥିଲା । ଗୋରାଲୋକଙ୍କୁ ମାଗିଲାକ୍ଷଣି ଛାଡ଼ ମିଳୁଥିଲା । ମାତ୍ର ଭାରତୀୟ ଲୋକଙ୍କୁ ବଡ଼ କଷ୍ଟରେ ମିଳୁଥିଲା ।

 

ଲଢ଼େଇ ସମୟରେ ଭାରତରୁ ଓ ଲଙ୍କାରୁ ବହୁତ କର୍ମଚାରୀ ଓ ସିପାହୀ ଆସିଥିଲେ । ତନ୍ମଧ୍ୟରୁ ଯେଉଁମାନେ ସେଠି ବସବାସ କରିବାକୁ ଚାହୁଁଥିଲେ, ତାଙ୍କୁ ସାହାଯ୍ୟ କରିବା କର୍ତ୍ତୃପକ୍ଷଙ୍କ କର୍ତ୍ତବ୍ୟ ବୋଲି ସ୍ଥିର ହୋଇଥିଲା । ସରକାର ତ ନୂଆ କର୍ମଚାରୀ ରଖନ୍ତେ । ଏ ଅଭିଜ୍ଞ କର୍ମଚାରୀଗୁଡ଼ିକ କାମରେ ଆସିଗଲେ । ଏହି କର୍ମଚାରୀଙ୍କ ବୁଦ୍ଧିରେ ଅତିଶୀଘ୍ର ଗୋଟିଏ ନୂଆ ମହକୁମା ସୃଷ୍ଟି କରାହେଲା । ଏଥିରେ ପ୍ରକୃତରେ ତାଙ୍କ ବିଚକ୍ଷଣତା ପ୍ରକାଶ ପାଇଲା । କଳା ନିଗ୍ରୋଙ୍କ ପାଇଁ ଆଗରୁ ଗୋଟିଏ ସ୍ୱତନ୍ତ୍ର ବିଭାଗ ଥିଲା । ତାହାହେଲେ ଏସିଆବାସୀଙ୍କ ପାଇଁ ଆଉ ଗୋଟିଏ ସ୍ୱତନ୍ତ୍ର ବିଭାଗ କାହିଁକି ନ ହେବ ? ତାଙ୍କର ଏ ଯୁକ୍ତି ବଡ଼ ଠିକ୍ ଜଣାପଡ଼ିଥିଲା । ମୁଁ ପହୁଞ୍ଚିଲାବେଳକୁ ଏ ନୂଆ ବିଭାଗଟା ଖୋଲି ଯାଇଥିଲା ଏବଂ ଧୀରେ ଧୀରେ ତା’ର ଜାଲ ବିସ୍ତାର କରୁଥିଲା । ଯେଉଁ କର୍ମଚାରୀମାନେ ପଳେଇଥିବା ଲୋକଙ୍କୁ ଛାଡ଼ି ଦେଉଥିଲେ, ସେହିମାନେ ତ ସମସ୍ତଙ୍କୁ ଦେଇପାରିଥାନ୍ତେ । କିନ୍ତୁ ସେମାନେ ଏସିଆବାସୀଙ୍କୁ ଚିହ୍ନନ୍ତେ କେମିତି ? ଯଦି ଏହି ନୂଆ ବିଭାଗର ସୁପାରିଶରେ ସେ ଛାଡ଼ ଦିଅନ୍ତେ, ତେବେ ଏ ପୁରୁଣା ହାକିମଙ୍କ ଦାୟିତ୍ୱ ଓ କାମର ବୋଝ ଟିକିଏ ହାଲୁକା ହୋଇଯାନ୍ତା । ଏହି ଯୁକ୍ତି ସେମାନେ ଦର୍ଶାଇଥିଲେ । ପ୍ରକୃତରେ ନୂଆ ବିଭାଗର କିଛି କାମର ଦରକାର ଥିଲା ଓ କର୍ମଚାରୀମାନଙ୍କର ପଇସା ଦରକାର ଥିଲା । କାମ କିଛି ନ ଥିଲେ ତ ଏ ନୂଆ ବିଭାଗର ଆବଶ୍ୟକତା ନ ଥାନ୍ତା ଓ ତାକୁ ବନ୍ଦ କରିଦେବାକୁ ପଡ଼ିଥାନ୍ତା । ସେଥିଯୋଗୁଁ ଆପଣାପାଇଁ କାମ ଜୁଟେଇ ନେଲେ ।

 

ଭାରତବାସୀ ଏହି ବିଭାଗ ପାଖେ ଦରଖାସ୍ତ ଦେଲେ, ତା’ର ଜବାବ ବହୁତଦିନ ପରେ ମିଳୁଥିଲା, ଏଣେ ଟ୍ରାନ୍‌ସଭାଲ ଫେରିବାକୁ ଲୋକ ବହୁତ ଥିଲେ । ସେଥିଯୋଗୁଁ ସେମାନଙ୍କ ପାଇଁ ଦଳେ ଦଲାଲ ଜୁଟି ଯାଇଥିଲେ । ଏହି ଦଲାଲ ଓ ହାକିମମାନେ ମିଶି ଗରିବ ଭାରତବାସୀଙ୍କର ହଜାର ହଜାର ଟଙ୍କା ଲୁଟି ନେଇଥିଲେ । ମତେ କହିଲେ ଯେ ବିନା ପ୍ରତିପତ୍ତିରେ ଛାଡ଼ ମିଳୁନାହିଁ ଏବଂ ଅନେକ ସ୍ଥାନରେ ପ୍ରତିପତ୍ତି ଥିଲେ ବି ମୁଣ୍ଡପିଛା ଶହେ ପାଉଣ୍ଡ ପର୍ଯ୍ୟନ୍ତ ଦେବାକୁ ପଡ଼େ । ତେଣୁ ସେଥିରେ ମୋର ଆଉ ଉପାୟ କ’ଣ ଥିଲା ?

 

ମୁଁ ମୋର ପୁରୁଣା ବନ୍ଧୁ ଡରବାନର ପୁଲିସ ସୁପରିଣ୍ଟେଣ୍ଡେଙ୍କ ପାଖକୁ ଯାଇଥିଲି ଏବଂ ତାଙ୍କୁ କହିଥିଲି— ‘‘ଛାଡ଼ ଦେବା ହାକିମଙ୍କ ପାଖେ ଆପଣ ମୋର ଚିହ୍ନଟ ହୁଅନ୍ତୁ ଏବଂ ମତେ ଖଣ୍ଡେ ଛାଡ଼ କରେଇ ଦିଅନ୍ତୁ । ଆପଣ ତ ଜାଣନ୍ତି, ମୁଁ ଟ୍ରାନ୍‌ସଲାଭରେ ବାସ କରୁଥିଲି ।’’ ସେ ସାଙ୍ଗେ ସାଙ୍ଗେ ମୁଣ୍ଡରେ ଟୋପି ଚଢ଼େଇ ମୋ ସହିତ ଯାଇ ଛାଡ଼ ଖଣ୍ଡେ କରେଇ ଦେଇଥିଲେ । ସେତେବେଳକୁ ଗାଡ଼ି ଛାଡ଼ିବାକୁ ଟାଣିଟୁଣି ଘଣ୍ଟାଟିଏ ଥିବ । ମୁଁ ବିଛଣାପତ୍ର ବାନ୍ଧିବୁନ୍ଧି ରଖିଥିଲି । ଏତକ କଷ୍ଟପାଇଁ ମୁଁ ସୁପରିଣ୍ଟେଣ୍ଡେଣ୍ଟ ଆଲେକ୍‌ଜାଣ୍ଡର ସାହେବଙ୍କୁ ଧନ୍ୟବାଦ ଦେଇ ପ୍ରିଟୋରିଆ ଯାତ୍ରା କରିଥିଲି ।

 

ଏବେ ମୁଁ ବୁଝିଲି, ସେଠି ମତେ କି ଆଡ଼ୁଆରେ ପଡ଼ିବାକୁ ହେବ । ପ୍ରିଟୋରିୟାରେ ପହଞ୍ଚି ମୁଁ ଦରଖାସ୍ତଟି ଚିଠା କରିଥିଲି । ଡରବାନରେ ପ୍ରତିନିଧିମାନଙ୍କ ନାମ ଆଗରୁ କେହି ମାଗିଥିଲେ ବୋଲି ମନେ ହେଉନାହିଁ; କିନ୍ତୁ ଏଠି ତ ନୂଆ ବିଭାଗ କାମ କରୁଥିଲେ । ସେଥିପାଇଁ ପ୍ରତିନିଧିମାନଙ୍କ ନାମ ଆଗରୁ ମଗେଇ ପଠେଇଥିଲେ । ପ୍ରିଟୋରିୟାରେ ଭାରତବାସୀମାନେ ଜାଣିପାରିଥିଲେ ଯେ ନୂଆ ହାକିମମାନେ ପ୍ରତିନିଧି ତାଲିକାରୁ ମୋ ନାମକୁ ବାଦ ଦେବାକୁ ଚାହୁଁଥିଲେ ।

 

ଦୁଃଖଦାୟକ ହେଲେ ମଧ୍ୟ ଏ ମନୋରମ କଥା ଆର ଅଧ୍ୟାୟରେ କହିବି ।

 

ଏସିଆରୁ ସ୍ୱେଚ୍ଛାଚାରୀଗଣ

 

ଏ ନୂଆ ବିଭାଗର କର୍ମଚାରୀମାନେ ବୁଝିପାରି ନ ଥିଲେ ଯେ, ମୁଁ ଟ୍ରାନ୍‌ସଭାଲକୁ କେମିତି ଆସିଲି । ଯେଉଁ ଭାରତୀୟମାନେ ତାଙ୍କ ପାଖକୁ ଯା’ଆସ କରୁଥିଲେ, ତାଙ୍କଠାରୁ ସନ୍ଧାନ ଲଗେଇଥିଲେ; କିନ୍ତୁ ସେ ବିଚରା ଜାଣନ୍ତି କ’ଣ ? ତେଣୁ କର୍ମଚାରୀମାନେ ଅନୁମାନ କରୁଥିଲେ ଯେ, ହୁଏତ ମୁଁ ମୋର ପୁରୁଣା ସମ୍ପର୍କ ବଳରେ ଛାଡ଼ ନ ନେଇ ଟ୍ରାନ୍‌ସଭାଲରେ ପଶିଥିବି ଏବଂ ତାହା ହୋଇଥିଲେ ମତେ ଗିରଫ କରିଥାନ୍ତେ ।

 

ଗୋଟାଏ ବଡ଼ ଲଢ଼େଇ ପରେ ଶାସକମାନଙ୍କୁ କିଛିକାଳ ବିଶେଷ କ୍ଷମତା ଦିଆ ହୋଇଥାଏ । ଦକ୍ଷିଣ ଆଫ୍ରିକାରେ ମଧ୍ୟ ସେୟା ହୋଇଥିଲା । ସେଠାରେ ଗୋଟିଏ ଶାନ୍ତିରକ୍ଷା ଆଇନ ଜାରି ହୋଇଥିଲା—ଯାହା ବଳରେ କେହି ଟ୍ରାନସଭାଲରେ ପଶିଲେ ତାଙ୍କୁ ଗିରଫ କରି ଜେଲ ଦିଆଯାନ୍ତା । ଏ ଧାରା ଅନୁସାରେ ମତେ ଗିରଫ କରିବାପାଇଁ ମସୁଧା ଚାଲିଲା; କିନ୍ତୁ ମତେ ଆସି ଛାଡ଼ ମାଗିବାକୁ ସାହସ ହେଲା ନାହିଁ ।

 

ହାକିମମାନେ ଡରବାନ୍‌କୁ ତାର କରି ବୁଝିଥିଲେ । ସେଠୁ ଯେତେବେଳେ ବେଉରା ମିଳିଲା ଯେ, ମୁଁ ଛାଡ଼ ନେଇ ଆସିଥିଲି, ମେନେ ନିରାଶ ହୋଇଗଲେ; କିନ୍ତୁ ସେମାନେ ଏତିକି ନିରାଶାରେ ହଟିବାର ଲୋକ ନ ଥିଲେ । ମୁଁ ସିନା ଟ୍ରାନ୍‌ସଭାଲରେ ପଶି ଯାଇଥିଲି, ମାତ୍ର ସେମାନେ ସହଜରେ ଚେମ୍ବରଲେନ୍‌ଙ୍କ ସଙ୍ଗେ ମୋର ଭେଟିବା ବନ୍ଦ କରିଦେଇ ପାରିଥାନ୍ତେ ।

 

ଭାରତୀୟମାନଙ୍କୁ ତାଙ୍କ ପ୍ରତିନିଧିଙ୍କ ନାମ ଆଗରୁ ଦାଖଲ କରିବାକୁ କୁହା ହୋଇଥିଲା-। ସେଥିପାଇଁ ସେ ନାମ ସବୁ ମାଗି ପଠାଇଥିଲେ । ଦକ୍ଷିଣ ଆଫ୍ରିକାରେ ସର୍ବତ୍ର କଳାଗୋରା ଭେଦ ତ ନିଶ୍ଚୟ ଥାଏ, କିନ୍ତୁ ଭାରତବର୍ଷ ଭଳି କଦର୍ଯ୍ୟ ପେଞ୍ଚପାଞ୍ଚର ଖରାପ ଗନ୍ଧ ଏଠି ପାଇଥିଲି-। ଦକ୍ଷିଣ ଆଫ୍ରିକାରେ ସାଧାରଣ ସରକାରୀ ବିଭାଗଯାକ ଲୋକଙ୍କ ମଙ୍ଗଳ ପାଇଁ ଚଳୁଥାଏ । ସେଥିପାଇଁ ସେଠା କର୍ମଚାରୀଙ୍କ ବ୍ୟବହାର ଏକପ୍ରକାରରେ ସରଳ ଓ ନମ୍ର ଦେଖାଯାଉଥିଲା ଏବଂ କଳା ହଳଦିଆ ଲୋକ ମଧ୍ୟ ଏଥିରୁ ଅଳ୍ପ ବହୁତ ଲାଭ ପାଉଥିଲେ । ଏବେ ଯେତେବେଳେ ଆଉ ଏକ ଏସିଆର ହାଓ୍ୟା ଆସିଲା, ସେତେବେଳେ ସେଠାକାର ଜୋ-ହୁକୁମୀ ଆସି ପଶିଲା ଏବଂ ତା ସହିତ ଷଡ଼ଯନ୍ତ୍ର ପ୍ରଭୃତି ପାପାଚାର ମଧ୍ୟ ପଶିଥିଲା । ଦକ୍ଷିଣ ଆଫ୍ରିକାରେ ଏକପ୍ରକାର ପ୍ରଜାତନ୍ତ୍ର ଥିଲା । କିନ୍ତୁ ଏସିଆରୁ ଯେ ଜିନିଷଟି ଆମଦାନୀ ହେଲା, ସେଇଟି ଷୋଳଅଣା ସ୍ୱେଚ୍ଛାଚାରୀ ନବାବୀ ଶାସନ ଥିଲା । କାରଣ ସେଠାରେ ପ୍ରଜାଙ୍କ ହାତରେ ଶାସନ ନ ଥିଲା, ମାତ୍ର ସେଠି ପ୍ରଜାଙ୍କ ଉପରେ ଶାସନ ଥିଲା । ଦକ୍ଷିଣ ଆଫ୍ରିକାରେ ଗୋରାମାନେ ଆସି ସ୍ଥାୟୀ ଭାବରେ ଘର ବାନ୍ଧିଥିଲେ । ସେମାନେ ସେଠିକାର ପ୍ରଜା ପାଲଟି ଯାଇଥିଲେ ଏବଂ ରାଜକର୍ମଚାରୀମାନଙ୍କ ଉପରେ ତାଙ୍କର ଅକ୍ତିଆର ଥିଲା । କିନ୍ତୁ ଏବେ ଏସିଆରୁ ସ୍ୱେଚ୍ଛାଚାରୀ କର୍ମଚାରୀମାନେ ଆସିଯିବାରୁ ସେମାନେ ଭାରତୀୟଙ୍କ ଅବସ୍ଥାକୁ ତଳିତଳାନ୍ତ କରିଦେଇଥିଲେ ।

 

ମୋର ମଧ୍ୟ ଏ ସ୍ୱେଚ୍ଛାଚାରୀତାର ଅନୁଭବ ବେଶ୍ ହୋଇଗଲା । ପ୍ରଥମେ ଏ ବିଭାଗର ଡ. ହାକିମଙ୍କ ପାଖକୁ ମତେ ତଲବ ହେଲା । ଏ ସାହେବ ଲଙ୍କାରୁ ଆସିଥିଲେ । ‘‘ତଲବ ହେଲା’’ ଏ କଥା କହିଲେ କାଳେ ଅତ୍ୟୁକ୍ତି ହେବ, ସେଥିଯୋଗୁଁ କଥାଟା ସ୍ପଷ୍ଟ କରି ଦେଉଛି । ମତେ ଲିଖିତ ହୁକୁମ ମିଳି ନ ଥିଲା । ମତେ ସେଠାକାର ପ୍ରଧାନ ପ୍ରଧାନ ଭାରତୀୟ ନେତାମାନଙ୍କ ସହିତ ସବୁବେଳେ ଦେଖା କରିବାକୁ ପଡ଼ୁଥିଲା । ଭାରତୀୟ ନେତାମାନଙ୍କ ମଧ୍ୟରେ ସ୍ୱର୍ଗୀୟ ଶେଷ ତୈୟାବ ହାଜି ଖାଁ ମହମ୍ମଦ ଅନ୍ୟତମ ଥିଲେ । ୟାଙ୍କୁ ସେ ବଡ଼ ସାହେବ ପଚାରିଥିଲେ, ‘‘ଏ ଗାନ୍ଧୀ କିଏ ? ଏଠାକୁ କାହିଁକି ଆସିଛ ?’’

 

ତୈୟାବ ଶେଠ ଜବାବ ଦେଇଥିଲେ, ‘‘ସେ ଆମର ପରାମର୍ଶଦାତା । ଆମେ ତାଙ୍କୁ ଡକାଇଛୁ ।’’

 

ସାହେବ କହିଲେ—‘‘ତେବେ ଆମେ ସବୁ ଏଠି କି କାମପାଇଁ ଅଛୁଁ ? ତମକୁ ରକ୍ଷା କରିବାପାଇଁ ଆମେ ନିଯୁକ୍ତ ହୋଇନାହୁଁ କି ? ଗାନ୍ଧୀ ଏଠିକାର ହାଲ କ’ଣ ଜାଣେ ?’’

 

ତୈୟାଦ ଶେଠ ଯଥା ତଥା ଏ ପାହାରର ଜବାବ ଦେଇଥିଲେ—‘‘ହଁ ଆପଣ ତ ଅଛନ୍ତି; ତେବେ ଗାନ୍ଧିଜୀ ଆମ ନିଜର ଲୋକ । ସେ ଆମର ଭାଷା ଜାଣନ୍ତି, ଆମର ସବୁ କଥା ଜାଣନ୍ତି, ଆପଣମାନେ ସରକାରୀ ଲୋକ ।’’

 

ଏତିକିରେ ସାହେବ ମତେ ତାଙ୍କ ପାଖକୁ ନେଇଯିବାକୁ ହୁକୁମ ଦେଲେ । ତୈୟାନ ଶେଠ ଓ ଅନ୍ୟମାନଙ୍କ ସଙ୍ଗେ ମୁଁ ଯାଇଥିଲି । ସେଠି ଆମକୁ ଚଉକୀ ଦିଆହୋଇ ନ ଥିଲା ଓ ଆମେ ସମସ୍ତେ ଠିଆ ହୋଇ ରହିଥିଲୁ ।

 

ସାହେବ ମୋ ମୁହଁକୁ ଅନେଇ ପଚାରିଲେ—‘‘ତମେ ଏଠାକୁ କାହିଁକି ଆସିଛ ?’’

 

ମୁଁ ଉତ୍ତର ଦେଲି, ‘‘ମୋର ଦେଶବାସୀମାନେ ମତେ ଡକେଇବାରୁ ମୁଁ ସେମାନଙ୍କ ପରାମର୍ଶ ଦେବାକୁ ଆସିଚି ।’’

 

‘‘କିନ୍ତୁ ତମେ କ’ଣ ଜାଣ ନାହିଁ ଯେ, ତମର ଏଠିକି ଆସିବାର ତିଳେମାତ୍ର ଅଧିକାର ନାହିଁ । ସେ ଛାଡ଼ ତମକୁ ମିଳିଛି ତାହା ଭୁଲରେ ଦିଆ ହୋଇଯାଇଛି । ତମେ ଏଠିକାର ବାସିନ୍ଦା ବୋଲି ଗଣାଯିବ ନାହିଁ । ତମକୁ ଲେଉଟିଯିବାକୁ ହେବ । ତମେ ଚେମ୍ବରଲେନ୍ ସାହେବଙ୍କ ସଙ୍ଗେ ଦେଖା କରିପାରିବ ନାହିଁ । ଏଠାକାର ଭାରତୀୟଙ୍କ ତତ୍ତ୍ୱ ନେବାପାଇଁ ତ ଆମର ଏ ବିଭାଗ ଖାସ୍ ଖୋଲାଯାଇଛି । ଆଚ୍ଛା, ଯାଅ ।’’

 

ଏତକ କହି ସାହେବ ମତେ ବିଦାୟ କରି ଦେଇଥିଲେ । ମତେ ଜବାବ ପର୍ଯ୍ୟନ୍ତ ଦେବାର ଅବସର ଦେଇ ନ ଥିଲେ । କିନ୍ତୁ ମୋର ସାଥିମାନଙ୍କୁ ଅଟକାଇ ରଖିଥିଲେ । ସେ ଧମକ ଦେଇ ବିଦାୟ ଦେବାକୁ ସେମାନଙ୍କୁ କହିଥିଲେ ।

 

ସେମାନେ ସେଠୁ ଆମ୍ବିଳା ମୁହଁ କରି ଫେରିଥିଲେ । ବର୍ତ୍ତମାନ ଆମ ଆଗରେ ଗୋଟିଏ ଅପ୍ରତ୍ୟାଶିତ ସମସ୍ୟା ଆସି ପହଞ୍ଚିଥିଲା ।

 

ଅପମାନ ସହିଗଲି

 

ଏ ଅପମାନରେ ମୋ ପ୍ରାଣରେ ବଡ଼ ଆଘାତ ଲାଗିଥିଲା । କିନ୍ତୁ ଏହା ପୂର୍ବରୁ ମୁଁ ଏମିତି ଅପମାନ ସହି ସହି ଟାଣ ହୋଇ ଯାଇଥିଲି । ସେଥିଯୋଗୁଁ ଏ ଅପମାନଟାକୁ ସୁଦ୍ଧା ଭୁଲିଯାଇ ଧୀରସ୍ତିର ଭାବରେ ଚିନ୍ତା କରି କି ବାଟ ଧରିବି ତାହା ବିଚାରିଲି । ସେହି ସାହେବଙ୍କଠାରୁ ଖଣ୍ଡେ ଚିଠି ମିଳିଥିଲା ଯେ, ଡରବାନ୍‌ଠାରେ ଚେମ୍ବରଲେନ୍ ସାହେବଙ୍କ ସହିତ ମୋର ଦେଖା ହୋଇଥିବାରୁ ଏଠା ପ୍ରତିନିଧି ତାଲିକାର ମୋ ନାମ ବାଦ ଦେବା ଆବଶ୍ୟକ ହୋଇଥିଲା ।

 

ସାଥୀମାନଙ୍କ ପକ୍ଷରେ ଏ ଚିଠି ବଡ଼ ଅସହ୍ୟ ହୋଇଥିଲା । ସେମାନେ ଏକଦମ୍ ପ୍ରତିନିଧି ନ ପଠାଇବାକୁ ବିଚାରିଥିଲେ । ମୁଁ ସେମାନଙ୍କୁ ଏଠାକାର ଲୋକଙ୍କର ଜଟିଳ ଅବସ୍ଥା କଥା ବୁଝାଇଦେଇଥିଲି ଏବଂ କହିଥିଲି, ‘‘ଆପଣମାନେ ଯଦି ଚେମ୍ବରଲେନ୍ ସାହେବଙ୍କ ପାଖକୁ ନ ଯାନ୍ତି, ତେବେ ଏଠାକାର ଲୋକଙ୍କର କୌଣସି ଦୁଃଖ ଅପମାନ ନାହିଁ ବୋଲି ଧରାଯିବ । ଦାବି ତ ଲିଖିତ ଆକାରରେ ଦିଆଯିବ । ସେ ଚିଠା ମଧ୍ୟ ତିଆରି ଅଛି । ମୁଁ ପଢ଼େ ବା ଅନ୍ୟ କେହି ପଢ଼ୁ, ସେଥିରେ କିଛି ଯାଏ ଆସେ ନାହିଁ । ଚେମ୍ବରଲେନ୍ ସାହେବ ତ ଆମ ସାଙ୍ଗରେ ଆଉ ଯୁକ୍ତିତର୍କ କରିବେ ନାହିଁ । ଅପମାନ ମୋତେ ହୋଇଛି । ଆମକୁ ଅପମାନଟା ସହିଯିବାକୁ ହେବ ।’’

 

ମୋ ପାଟିରୁ କଥା ସରିଛି କି ନାହିଁ, ତୈୟାବ ଶେଠ ପାଟିକରି କହିଉଠିଲେ–‘‘ଆପଣଙ୍କପ୍ରତି ଅପମାନ କ’ଣ ସମସ୍ତ ଜାତିପ୍ରତି ଅପମାନ ନୁହେଁ ? ଆପଣ ଯେ ଆମର ପ୍ରତିନିଧି, ଏକଥା ଆମେ କେମିତି ଭୁଲିଯିବୁ ?’’

 

ମୁଁ କହିଥିଲି—‘‘ଆପଣଙ୍କ କଥା ତ ଏକଦମ୍ ଠିକ୍; କିନ୍ତୁ ଏଭଳି ଅପମାନ ଜାତିକୁ ମଧ୍ୟ ସହିବାକୁ ପଡ଼ିବ । ଅନ୍ୟ ଉପାୟ କ’ଣ ?’’

 

ତୈୟାବ ଶେଠ ଉତ୍ତର ଦେଇଥିଲେ—‘‘ଯାହାହେଉ ପଛକେ, ଜାଣିଶୁଣି ଗୋଟାଏ ନୂଆ ଅପମାନ କାହିଁକି ସହିବା ? ନ ଗଲେ ଆମର ବେଶୀ କିଛି ଖରାପ ତ ହେବ ନାହିଁ । ଆମର କେଉଁ ଅଧିକାର ଚାଲିଯିବ ?’’

 

ତୈୟାବ ଶେଠଙ୍କର ଏ ତେଜର ଜବାବ ମତେ ଭାରି ଭଲ ଲାଗିଥିଲା । କିନ୍ତୁ ଏ ତେଜ ଯେ କିଛି କାମରେ ଆସିବ ନାହିଁ, ଏ କଥା ମୁଁ ଜାଣିଥିଲି । ଜାତି ଭାଇମାନଙ୍କୁ କେଉଁ ସୀମା ଭିତରେ ଚଳିବାକୁ ହେବ, ସେ ଅଭିଜ୍ଞତା ମୋର ହୋଇ ସାରିଥିଲା । ମୁଁ ସେମାନଙ୍କୁ ଶାନ୍ତ କରେଇଦେଲି । ମୋ ସ୍ଥାନରେ ସ୍ୱର୍ଗୀୟ ଗଡ଼ଫ୍ରେ ସାହେବଙ୍କୁ ନେବାପାଇଁ ପରାମର୍ଶ ଦେଇଥିଲି । ସେ ଜଣେ ଭାରତୀୟ ବାରିଷ୍ଟର ଥିଲେ । ଫଳରେ ମି. ଗଡ଼ଫ୍ରେ ପ୍ରତିନିଧିମାନଙ୍କ ନେତା ହୋଇଥିଲେ । ଚେମ୍ବରଲେନ୍ ସାହେବ ତାଙ୍କ ଜବାବରେ ମୋତେ ଲକ୍ଷ୍ୟ କରି ଦି’ପଦ କହିଥିଲେ । ଜଣେ ପ୍ରତିନିଧିଙ୍କଠାରୁ ଏକାଧିକବାର ଶୁଣିବାଠାରୁ ନୂଆ ଲୋକଙ୍କଠାରୁ ଶୁଣିବା ଭଲ, ଇତ୍ୟାଦି କଥା କହି ସେ ମୋତେ ଟିକିଏ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ ।

 

କିନ୍ତୁ ଏଥିରେ କାମ ଛିଣ୍ଡିଲା ନାହିଁ; ବରଂ ମୋର ଓ ଜାତିର କାମ ବଢ଼ିଗଲା । ଆମକୁ ମୂଳରୁ ଖଡ଼ି ଧରିବାକୁ ପଡ଼ିଲା । ‘‘ଆପଣଙ୍କ କଥାରେ ଆମେ ଯୁଦ୍ଧରେ ସାହାଯ୍ୟ କଲୁଁ; ଫଳ କ’ଣ ହେଲା ଦେଖନ୍ତୁ ।’’ ଏହିପରି ଖୁଣ୍ଟା ମାରିଦେବା ଲୋକ ବି ଜୁଟି ଯାଇଥିଲେ । କିନ୍ତୁ ମୋ ଉପରେ ଏ ଖୁଣ୍ଟାରେ କୌଣସି ପ୍ରଭାବ ପଡ଼ି ନ ଥିଲା । ମୁଁ କହିଥିଲି—‘‘ମୋ ପରାମର୍ଶ ଲାଗି ମୋର ତିଳେମାତ୍ର ଅନୁତାପ ହେଉ ନାହିଁ । ମୁଁ ଏବେ ମଧ୍ୟ ମାନୁଛି ଯେ, ଆମେ ଯୁଦ୍ଧରେ ସାହାଯ୍ୟ କରି ଭଲ କରିଛୁ । ସେତକ କରି ଆମେ ଆମର କର୍ତ୍ତବ୍ୟ ତ ପାଳନ କରିଛୁ । ତା’ର ଫଳ ଆମକୁ ପଛେ ଦେଖା ନ ଯାଉ । କିନ୍ତୁ ମୋର ଦୃଢ଼ ବିଶ୍ୱାସ, ଶୁଭକର୍ମର ଫଳ ସର୍ବଦା ଶୁଭହିଁ ହୋଇଥାଏ । ପଛ କଥା ଭୁଲିଯିବା ଏବଂ ଆଗକୁ କ’ଣ କରିବାକୁ ହେବ ବିଚାର କରିବା ।’’

 

ଅନ୍ୟ ବନ୍ଧୁମାନେ ଏଥିରେ ରାଜି ହୋଇଗଲେ । ମୁଁ ପୁଣି କହିଥିଲି—‘‘ସତ କହିବି ତ ଏଠାକୁ ଯେଉଁ କାମ ପାଇଁ ମତେ ଡକାଇଥିଲେ, ସେ କାମ ଏକପ୍ରକାର ସରିଯାଇଛି । କିନ୍ତୁ ମୁଁ କହୁଛି, ଆପଣମାନେ ମତେ ଏଠ ବିଦାୟ ଦେଲେ ମଧ୍ୟ ମୋ ପକ୍ଷରେ ଯେତେଦିନ ସମ୍ଭବ ହେବ ମୁଁ ଟ୍ରାନ୍‌ସଭାଲ ଛାଡ଼ି ଯିବି ନାହିଁ । ମୋର କାମ ବର୍ତ୍ତମାନ ନାତାଲରୁ ନ ହୋଇ ଏହିଠାରୁ ଚଳେଇବା ଉଚିତ । ବର୍ଷକ ଭିତରେ ଫେରିଯିବା ବିଚାର ଏକଦମ୍ ଛାଡ଼ିଦେବା ଉଚିତ ଏବଂ ଏଠାକାର ଓକିଲାତି ସନନ୍ଦ ନେବା ମୋର ମଧ୍ୟ ଉଚିତ । ଏ ନୂଆ ବିଭାଗ ସହିତ ତାଳ ପକେଇବାପାଇଁ ମୋର ଯଥେଷ୍ଟ ଆତ୍ମବିଶ୍ୱାସ ଅଛି । ଆମେ ଯଦି ଏତକ ନ କରୁ, ତେବେ ଏ ଜାତିଟିର ସବୁ ତ ଲୁଟିନେବେ, ଅଧିକନ୍ତୁ ସେମାନଙ୍କୁ ଏକଦମ୍ ଏ ଦେଶରୁ ଘଉଡ଼େଇ ଦେବାର ସମ୍ଭାବନା ଅଛି । ପ୍ରତିଦିନ ନୂଆ ନୂଆ ଅପମାନ ଲଦା ହେବ, ଏଥିରେ ମୋର ସନ୍ଦେହ ନାହିଁ । ଚେମ୍ବରଲେନ୍ ସାହେବଙ୍କର ମୋ ସହିତ ଦେଖା ନ କରିବା ବା ସେ କର୍ମଚାରୀଙ୍କର ମୋ ପ୍ରତି ଅଭଦ୍ର ବ୍ୟବହାର କରିବା, ସମସ୍ତ ଜାତିପ୍ରତି ଯେ ଅପମାନ ହୋଇଛି, ତା ତୁଳନାରେ କିଛି ନୁହେଁ । ଆମେ ଏଠି କୁକୁରଭଳି ରହିବୁ, ଏହା ସହିହେବ ନାହିଁ ।’’

 

ମୁଁ ଏମିତି କଥାବାର୍ତ୍ତା ଚଳେଇଥିଲି । ପ୍ରିଟୋରିୟା ଓ ଜୋହାନସ୍‌ବର୍ଗ ବାସିନ୍ଦା ଭାରତୀୟଙ୍କ ସଙ୍ଗେ ପରାମର୍ଶ କରି ଶେଷରେ ଜୋହାନସ୍‌ବର୍ଗଠାରେ ମୋର ଅଫିସ ରଖିବାକୁ ସ୍ଥିର କରିଥିଲି । ଟ୍ରାନ୍‌ସଭାଲରେ ମତେ ଓକିଲାତି ସନନ୍ଦ ମିଳିବ କି ନାହିଁ, ସେଥିରେ ମଧ୍ୟ ମୋର ସନ୍ଦେହ ଥିଲା; କିନ୍ତୁ ଏଠାକାର ଓକିଲ ସଂପ୍ରଦାୟଙ୍କ ତରଫରୁ ମୋର ଦରଖାସ୍ତରେ କୌଣସି ଆପତ୍ତି ହୋଇ ନ ଥିଲା ଏବଂ ବଡ଼ ଅଦାଲତ ମୋ ଦରଖାସ୍ତ ମଞ୍ଜୁର କରିଥିଲେ ।

 

ଏଠି ଜଣେ ଭାରତୀୟର ଅଫିସପାଇଁ ଭଲ ଜାଗାଖଣ୍ଡେ ମିଳିବା ମଧ୍ୟ କଠିନ ଥିଲା । ରିନ୍ ସାହେବଙ୍କ ସଙ୍ଗେ ମୋର ବେଶ୍ ଆଳାପ ହୋଇଯାଇଥିଲା । ସେତେବେଳେ ସେ ଏଠାକାର ଜଣେ ବ୍ୟବସାୟୀ ଥିଲେ । ତାଙ୍କର ଚିହ୍ନା ଜଣେ ଘର-ଦଲାଲଙ୍କ ଜରିଆରେ ମୋ ଅଫିସ ପାଇଁ ଖଣ୍ଡେ ଭଲ ଜାଗା ମିଳିଯାଇଥିଲା ଏବଂ ଓକିଲାତି ଆରମ୍ଭ କରିଦେଇଥିଲି ।

 

ତ୍ୟାଗ ଭାବ ବଢ଼ିଲା

 

ଟ୍ରାନ୍‌ସଭାଲର ଭାରତବାସୀଙ୍କ ଅଧିକାର ରକ୍ଷାପାଇଁ କିପରିଭାବରେ ଲଢ଼ିବାକୁ ପଡ଼ିଥିଲା ଏବଂ ସେହି ଛାଡ଼ ବିଭାଗ ସଙ୍ଗେ କିପରି ଯୁଝିବାକୁ ପଡ଼ିଥିଲା, ସେ ବିଷୟ ଅଧିକ କହିବା ପୂର୍ବରୁ ମୋ ନିଜ ଜୀବନର ଆଉ ଗୋଟିଏ ଦିଗପ୍ରତି ଟିକିଏ ଦୃଷ୍ଟି ପକାଇବାର ଆବଶ୍ୟକତା ଅଛି । ଆଜି ପର୍ଯ୍ୟନ୍ତ ମୋ ପରମାର୍ଥ ସଙ୍ଗେ କିଛି ସ୍ୱାର୍ଥ ମିଶିକରି ଥିଲା । କିଛି ସଂପତ୍ତି ଜମେଇବାର ଇଚ୍ଛା ଥିଲା ।

 

ବମ୍ବେଠାରେ ଯେତେବେଳେ ମୁଁ ଓକିଲାତି ଆରମ୍ଭ କଲି, ସେତେବେଳେ ଜଣେ ଆମେରିକାବାସୀ ବୀମାଦଲାଲ ମୋ ସହିତ ଦେଖା କରିବାକୁ ଆସିଥିଲେ । ତାଙ୍କ ଚେହେରାଟି ସୁନ୍ଦର ଓ କଥା ଭାରି ମିଠା ଥିଲା । ମୋର ଭବିଷ୍ୟତ ମଙ୍ଗଳ କଥା ସେ ଏମିତି ଆଲୋଚନା କରିଥିଲେ ଯେ, ସତେ ଯେମିତି ସେ ମୋର ଜଣେ ବହୁକାଳର ବନ୍ଧୁ । ‘‘ଆମେରିକାରେ ଆପଣଙ୍କ ଅବସ୍ଥାର ତ ସମସ୍ତେ ନିଜର ଜୀବନବୀମା କରନ୍ତି । ଆପଣଙ୍କୁ ମଧ୍ୟ ସେମାନଙ୍କଭଳି ନିଜର ଭବିଷ୍ୟତକୁ ନିଶ୍ଚିନ୍ତ କରିଦେବା ଉଚିତ । ଜୀବନର ଭରସା ବା କ’ଣ ? ଆମେ ଆମେରିକାରେ ବୀମା କରିବାକୁ ନିଜର ଧର୍ମ ବୋଲି ବିଚାରୁ । ତେବେ କ’ଣ କିଛି ଅଳ୍ପ ଟଙ୍କାପାଇଁ ବୀମା କରିବାକୁ ମୁଁ ଆପଣଙ୍କୁ ପ୍ରବର୍ତ୍ତେଇପାରିବି ନାହିଁ ?’’

 

ସେପର୍ଯ୍ୟନ୍ତ କି ଭାରତବର୍ଷରେ, କି ଦକ୍ଷିଣ ଆଫ୍ରିକାରେ କେତେ କେତେ ଦଲାଲ ମୋ ପାଖକୁ ଆସିଥିଲେ; କିନ୍ତୁ ମୁଁ କାହାରି କଥାରେ ପଡ଼ି ନ ଥିଲି, କାରଣ ମୁଁ ବୁଝିଥିଲି କିନ୍ତୁ ଯେ, ଜୀବନ-ବୀମା କରିବା ନିଜର ଭୀରୁତା ଓ ଈଶ୍ୱରଙ୍କ ପ୍ରତି ଅବଶ୍ୱାସର ପରିଚୟ ଦେବା । କିନ୍ତୁ ଏଥର ମୁଁ ପ୍ରଲୋଭନରେ ପଡ଼ିଗଲି । ସେ ତାଙ୍କ କଥା ମତେ ବୁଝାଉ ଥିଲାବେଳେ ମୋ ଆଖି ଆଗରେ ମୋ ସ୍ତ୍ରୀ ଓ ପୁତ୍ରଙ୍କ ଛବି ନାଚିଉଠୁଥିଲା । ‘‘ଆରେ, ତୁ ତ ସ୍ତ୍ରୀର ପ୍ରାୟ ସବୁ ଗହଣାପତ୍ର ବିକ୍ରି କରି ସାରିଛୁ । ଆଜି ଯଦି ତୋର କିଛି ଘଟେ, ତେବେ ସେହି ସ୍ତ୍ରୀ ଓ ପିଲାଙ୍କର ଭରଣପୋଷଣର ଭାର ତ ସେହି ଗରିବ ଭାଇ ଉପରେ ପଡ଼ିବ, ଯେଉଁ ଭାଇ ନିଜେ ତୋର ବାପାଙ୍କର ସ୍ଥାନ ପୂରଣ କରିଛି ଓ ସେ ଦାୟିତ୍ୱ ଭଲଭାବରେ ମୁଣ୍ଡାଇଛି । ତୋତେ ଏଇଟା କେମିତି ଶୋଭାପାଇବ ?’’ ନିଜ ମନକୁ ଏହିଭଳି ବୁଝାଇ ସୁଝାଇ ମୁଁ ଦଶହଜାର ଟଙ୍କା ବୀମା କରିଥିଲି ।

 

କିନ୍ତୁ ଦକ୍ଷିଣ ଆଫ୍ରିକାରେ ମୋର ନୂଆ ଜୀବନର ଗତି ମୋର ଦୃଷ୍ଟିକୋଣ ବଦଳାଇ ଦେଇଥିଲା । ଦକ୍ଷିଣ ଆଫ୍ରିକାର ଏ ନୂଆ ବିପଦବେଳେ ମୁଁ ଯାହା ଯାହା କରିଥିଲି, ସବୁ ଭଗବାନଙ୍କୁ ସାକ୍ଷୀ ରଖି କରିଥିଲି । କେତେକାଳ ଯେ ମତେ ଦକ୍ଷିଣ ଆଫ୍ରିକାରେ ରହିବାକୁ ପଡ଼ିବ, ସେ କଥା ମତେ ଜଣା ନ ଥିଲା । ବରଂ ମୋ ମନରେ ଆଶଙ୍କା ହୋଇଥିଲା ଯେ, ମୁଁ ଆଉ କେବେ ଭାରତବର୍ଷକୁ ଫେରିବି ନାହିଁ । ଏବେ ମୋର ପିଲାପିଲିଙ୍କୁ ପାଖରେ ରଖିବା ଉଚିତ । ଏବେ ଆଉ ତାଙ୍କୁ ଛାଡ଼ି ରହିବା ଠିକ୍ ନୁହେଁ । ସେମାନଙ୍କର ଭରଣପୋଷଣ ମଧ୍ୟ ଦକ୍ଷିଣ ଆଫ୍ରିକାରେ ହେବା ଉଚିତ । ଏହି ଚିନ୍ତାଧାରା ଫଳରେ ମୁଁ ଜୀବନବୀମା କରିଥିଲି ବୋଲି ମୋର ଦୁଃଖ ହେଲା ଏବଂ ସେ ଦଲାଲ ଚକ୍ରାନ୍ତରେ ମୁଁ ପଡ଼ିଯାଇଥିଲି ବୋଲି ଲଜ୍ଜା ହେଲା । ମୁଁ ମନେ ମନେ ଭାବିଲି, ‘‘ଭାଇ ଯଦି ବାପଭଳି, ତେବେ ସେ ସାନଭାଇର ବିଧବାକୁ ବୋଝ ବୋଲି ବିଚାରିବେ, ଏ କଥା ତୁ କାହିଁକି ବିଚାରୁଛୁ ? ତୁ ଯେ ଆଗ ମରିବୁ ଏ କଥା ବି ତୁ କାହିଁକି ମନେ କରୁଛୁ ? ପାଳିଲାବାଲା ତ ଭଗବାନ, ତୁ ନୋହୁଁ କି ଭାଇ ନୁହେଁ । ବୀମା କରି ତୁ ତୋର ପିଲାଛୁଆଙ୍କୁ ପରାଧୀନ କଲୁ । ସେ କ’ଣ ସ୍ୱାବଲମ୍ବୀ ହୋଇପାରନ୍ତେ ନାହିଁ ? ଅସଂଖ୍ୟ ଗରିବଙ୍କ ପିଲାପିଲିଙ୍କର କ’ଣ ହେଉଛି ? ତୁ ନିଜକୁ ତାଙ୍କର ପରି ଜଣେ ବୋଲି କାହିଁକି ନ ବିଚାରୁଛୁ ?’’

 

ଏମିତି ଚିନ୍ତାଧାରା ଚାଲିଥିଲା । ମାତ୍ର ତଦନୁସାରେ ହଠାତ୍ କାମ କରି ନ ଥିଲି । ମୋର ମନେପଡ଼, ଏ ବୀମାର ଗୋଟିଏ କିସ୍ତିର ଟଙ୍କା ମୁଁ ଦକ୍ଷିଣ ଆଫ୍ରିକାରୁ ପଠାଇଥିଲି ।

 

କିନ୍ତୁ ଏ ଚିନ୍ତାଧାରାକୁ ବାହାରୁ ଜୋର ମିଳିଥିଲା । ଦକ୍ଷିଣ ଆଫ୍ରିକାର ପ୍ରଥମ ଗସ୍ତବେଳେ ମୁଁ ଖ୍ରୀଷ୍ଠାନ ପ୍ରଭାବରେ ଆସି ଧର୍ମ ବିଷୟରେ ମୋର ଜାଗରଣ ଆସିଥିଲା । ଏଥର ଥିଓସୋପିଷ୍ଟଙ୍କ ହାଉଆରେ ପଡ଼ିଥିଲି । ମିରିଞ୍ଚ ଥିଓସୋଫିଷ୍ଟ ଥିଲେ । ସେ ଜୋହାନ୍‌ସବର୍ଗର ଥିଓସୋଫିଷ୍ଟ ସମାଜ ସଙ୍ଗେ ମୋର ସମ୍ପର୍କ ଜୁଟେଇ ଦେଇଥିଲେ । ମୁଁ ସେଥିରେ ସଭ୍ୟ ତ ହୋଇ ନ ଥିଲି, ମୋର ମତଭେଦ ଥିଲା । ତଥାପି ମୁଁ ପ୍ରାୟ ପ୍ରତ୍ୟେକ ଥିଓସୋଫିଷ୍ଟଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲି । ତାଙ୍କ ସଙ୍ଗେ ଧର୍ମଚର୍ଚ୍ଚା ହେଉଥାଏ । ତାଙ୍କ ବହି ପଢ଼ାହୁଏ, ତାଙ୍କ ମଣ୍ଡଳୀ ବୈଠକରେ ମଧ୍ୟ ମତେ କହିବାକୁ ପଡ଼େ । ଥିଓସୋଫିରେ ଭ୍ରାତୃଭାବ ଜାଗ୍ରତ କରିବା ଓ ବଢ଼େଇବା ପ୍ରଧାନ ବିଷୟ । ଏ ସମ୍ବନ୍ଧରେ ଆମେ ଖୁବ୍ ଆଲୋଚନା କରୁଥିଲୁ ଏବଂ ଯେଉଁଠାରେ ଏ ବିଶ୍ୱାସ ଓ ସଭ୍ୟଙ୍କ ଆଚରଣରେ ଭେଦ ଦେଖୁଥିଲି, ସେଠାରେ ସମାଲୋଚନା ମଧ୍ୟ କରୁଥିଲି । ଏ ସମାଲୋଚନାର ପ୍ରଭାବ ମଧ୍ୟ ମୋ ନିଜ ଉପରେ ପଡ଼ୁଥିଲା । ମୁଁ ଆତ୍ମନିରୀକ୍ଷଣ କରି ଯାଉଥିଲି ।

 

ଆତ୍ମନିରୀକ୍ଷଣର ପରିଣାମ

 

ଯେତେବେଳେ ୧୮୯୩ ରେ ମୁଁ ଖ୍ରୀଷ୍ଟାନମାନଙ୍କର ନିକଟସମ୍ପର୍କରେ ଆସିଥିଲି, ସେତେବେଳେ ମୋର ଶିକ୍ଷାର୍ଥୀଭଳି ଅବସ୍ଥା ଥିଲା । ସେମାନେ ମୋତେ ବାଇବଲ୍‌ର ବାର୍ତ୍ତା ଶୁଣେଇ ଓ ବୁଝେଇ ତାକୁ ମତେ ଗ୍ରହଣ କରେଇବାପାଇଁ ପ୍ରବଳ ଉଦ୍ୟମ କରିଥିଲେ । ମୁଁ ମଧ୍ୟ ବିନୟ ସହିତ ନିରପେକ୍ଷ ମନୋଭାବ ନେଇ ତାଙ୍କର ଉପଦେଶ ସବୁ ଶୁଣି ବୁଝୁଥିଲି । ଏହାରି ଯୋଗୁଁ ସେ ସମୟରେ ମୁଁ ହିନ୍ଦୁଧର୍ମକୁ ଓ ଅନ୍ୟ ଧର୍ମକୁ ଯଥାଶକ୍ତି ଅଧ୍ୟୟନ କରିଥିଲି ଏବଂ ଅନ୍ୟକୁ ମଧ୍ୟ ବୁଝିବାକୁ ଚେଷ୍ଟା କରିଥିଲି । ଏବେ ୧୯୦୩ ରେ ଅବସ୍ଥା ଟିକିଏ ବଦଳି ଯାଇଥିଲା । ଥିଓସୋଫିଷ୍ଟ ବନ୍ଧୁମାନେ ନିଜ ଦଳକୁ ମତେ ଟାଣିନେବାକୁ ଇଚ୍ଛା କରୁଥିଲେ ସତ, ମାତ୍ର ମୁଁ ହିନ୍ଦୁ ବୋଲି ମୋଠାରୁ କିଛି ଲାଭ ପାଇବା ଉଦ୍ଦେଶ୍ୟରେ ସେମାନେ ସେତକ କରିଥିଲେ । ଥିଓସୋଫି ଶାସ୍ତ୍ର ଉପରେ ହିନ୍ଦୁଧର୍ମର ଛାୟା ଓ ପ୍ରଭାବ ବହୁତ କିଛି ପଡ଼ିଛି । ସେଥିପାଇଁ ଏ ଭାଇମାନେ ଆଶା କରିଥିଲେ, ଯେ ମୁଁ ସେମାନଙ୍କୁ ବହୁତ ସାହାଯ୍ୟ କରିପାରିବି । ମୁଁ ତାଙ୍କୁ କହିଦେଇଥିଲି ଯେ, ମୋର ସଂସ୍କୃତ ଜ୍ଞାନ ନାମ ମାତ୍ର ଥିଲା । ମୁଁ ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥମାନ ସଂସ୍କୃତରେ ପଢ଼ି ନ ଥିଲି ଏବଂ ଅନୁବାଦରୁ ମୋର ଯାହା ପରିଚୟ ହୋଇଛି, ତାହା ମଧ୍ୟ ଅତି ଅଳ୍ପ ଥିଲା । କିନ୍ତୁ ସେମାନେ ସଂସ୍କାର ଓ ପୁନର୍ଜନ୍ମ ମାନୁଥିବାରୁ ଧରି ନେଇଥିଲେ ଯେ, ମୋଠାରୁ ନିଶ୍ଚୟ କିଛି ନା କିଛି ସାହାଯ୍ୟ ମିଳିଯିବ । ଫଳରେ ‘ମୁଁ ନିରସ୍ତପାଦପୋ ଦେଶେ ଏରଣ୍ଡୋଽପିଦ୍ରୁମାୟତେ’ ହୋଇ ଯାଇଥିଲି । କେତେକଙ୍କ ସଙ୍ଗେ ବିବେକାନନ୍ଦଙ୍କ ‘ରାଜଯୋଗ’ ପଢ଼ୁଥିଲି ଓ ଅନ୍ୟ କେତେକଙ୍କ ସଙ୍ଗେ ଭଗବତ୍‌ଗୀତାର ଅଧ୍ୟୟନ ଆରମ୍ଭ କରିଥିଲି । ଗୋଟିଏ ଛୋଟିଆ ଜିଜ୍ଞାସୁମଣ୍ଡଳ ଗଢ଼ି ନିୟମିତ ପଢ଼ାପଢ଼ି ଆରମ୍ଭ କରିଥିଲୁ । ଗୀତା ପ୍ରତି ମୋର ପ୍ରେମ ଓ ଶ୍ରଦ୍ଧା ଆଗରୁ ତ ଥିଲା, ଏବେ ତାହାର ଭିତରକୁ ପଶିବାର ଆବଶ୍ୟକତା ଅନୁଭବ କରିଥିଲି । ମୋ ପାଖରେ ଗୋଟିଏ ଦିଓଟି ଅନୁବାଦ ଥିଲା । ତାହା ସାହାଯ୍ୟରେ ମୂଳ ସଂସ୍କୃତ ବୁଝିବାକୁ ଚେଷ୍ଟା କରିଥିଲି ଏବଂ ପ୍ରତ୍ୟହ ଗୋଟିଏ ବା ଦିଓଟି ଶ୍ଲୋକ ମୁଖସ୍ଥ କରିବାକୁ ସ୍ଥିର କରିଥିଲି ।

 

ମୁଁ ସକାଳେ ଦାନ୍ତଘଷା ଓ ଗାଧୋଇବା ସମୟକୁ ଗୀତା ମୁଖସ୍ଥ କରିବାରେ ଲଗାଉଥିଲି-। ଦାନ୍ତଘଷାରେ ୧୫ ମିନିଟ ଓ ଗାଧୁଆରେ ୨୦ ମିନିଟ ଲଗୁଥିଲା । ଦାନ୍ତଘଷାଟା ଇଂରାଜୀଢଙ୍ଗରେ ଠିଆ ଠିଆ କରୁଥିଲି । ସାମନା କାନ୍ଥରେ ଗୀତା ଶ୍ଲୋକ ଲେଖି ମାରି ଦେଉଥିଲି ଏବଂ ଆବଶ୍ୟକମତେ ଦେଖୁଥିଲି ଓ ଘୋଷୁଥିଲି । ଏ ମୁଖସ୍ଥ ଶ୍ଲୋକଗୁଡ଼ିକ ପରେ ଗାଧୋଇଲାବେଳେ ପକ୍‌କା ହୋଇଯାଏ । ମଝିରେ ପୁରୁଣାତକ ରୋଜ ଥରେ ବୋଲିଯାଏ । ମୋର ମନେପଡ଼େ ଏମିତି ମୁଁ ଗୀତାର ୧୩ ଅଧ୍ୟାୟ ଯାଏ ମୁଖସ୍ଥ କରିଥିଲି । ପରେ ବ୍ୟବସାୟ ବଢ଼ିଥିଲା । ସତ୍ୟାଗ୍ରହର ଜନ୍ମ ହୋଇଥିଲା ଏବଂ ପିଲାଙ୍କୁ ପାଳିବା ଚିନ୍ତା କରିବା ସମୟତକ ଏହାକୁ ପାଳିବାରେ କଟିଥିଲା ଏବଂ ଆଜିଯାଏ କଟୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏ ଗୀତା ପାଠର ପ୍ରଭାବ ମୋ ସହପାଠୀଙ୍କ ଉପରେ କ’ଣ ପଡ଼ିଛି, ତାହା ସେମାନେ କହିପାରିବେ; କିନ୍ତୁ ମୋପାଇଁ ଗୀତା ଆଚରଣର ଗୋଟିଏ ପୂରା ମାର୍ଗଦର୍ଶକ ହୋଇଗଲା । ଗୀତା ମୋର ଧର୍ମର ଅଭିଧାନ ଗ୍ରନ୍ଥ ହୋଇପଡ଼ିଲା । ଯେମିତି ଅଜଣା ଇଂରାଜୀ ଶବ୍ଦର ବନାନ୍ ବା ମାନେ ଦେଖିବାକୁ ମୁଁ ଇଂରେଜୀ ଅଭିଧାନ ଖୋଲେ, ସେମିତି ଆଚାର ସମ୍ବନ୍ଧୀୟ ସମସ୍ୟା ଓ ଅଡ଼ୁଆର ସମାଧାନ ଗୀତା ସାହାଯ୍ୟରେ କରିଥାଏ । ‘ଅପରିଗ୍ରହ’ ଓ ‘ସମଭାବ’ ପ୍ରଭୃତି ଶବ୍ଦ ମୋ ମନ ଦଖଲ କରିଥିଲେ । ସେ ସମଭାବ ମୁଁ କେମିତି ଶିଖିବି, କେମିତି ଜାଳି ରଖିବି ? ଅପମାନକାରୀ ଓ ଘୁଷ୍‌ଖୋର କର୍ମଚାରୀ, ବୃଥାରେ ବିରୋଧ କରୁଥିବା ଲୋକେ ଓ ପୁରୁଣାକାଳର ସହକର୍ମୀ ଏବଂ ସଦା ଉପକାରୀ ଲୋକ—ଏମାନଙ୍କ ଭିତରେ ପ୍ରଭେଦ ନାହିଁ—ଏଇଟା କିଭଳି କଥା ? ଅପରିଗ୍ରହର ପାଳନ କି ପ୍ରକାରେ ସମ୍ଭବ ? ଏ ଦେହ ଧାରଣ କ’ଣ ପରିଗ୍ରହ ନୁହେଁ ? ସ୍ତ୍ରୀ, ପୁତ୍ର ଆଦି ପରିଗ୍ରହ ନୁହନ୍ତି ତ ଆଉ କ’ଣ ? ଏ ବହି ଆଲମାରୀକୁ କ’ଣ ପୋଡ଼ିଦେବି ? ଏ ଘରେ କ’ଣ ନିଆଁ ଲଗେଇ ଦେବି ? ସଙ୍ଗେ ସଙ୍ଗେ ଜବାବ ମିଳିଲା ଯେ, ଆପଣା ଘରେ ନିଆଁ ନ ଲଗେଇଲେ ତୀର୍ଥ କରିବା ହେବ ନାହିଁ; ଅର୍ଥାତ୍ ଆଗ ଘରୁ କାମ ଆରମ୍ଭ କରିବାକୁ ହେବ । ଇଂରେଜୀ ଆଇନ ଯେ ପଢ଼ିଥିଲି ତାହା ଏତେବେଳେ କାମରେ ଆସିଥିଲା । ସ୍ନେଲିଙ୍କ ରଚିତ ଆଇନ ସିଦ୍ଧାନ୍ତର ଚର୍ଚ୍ଚା ମନେ ପଡ଼ିଗଲା । ଟ୍ରଷ୍ଟ (ନ୍ୟାସୀ) ଶବ୍ଦର ଅର୍ଥ ଗୀତା କୃପାରୁ ଅଧିକ ସ୍ପଷ୍ଟ ଭାବରେ ବୁଝି ଯାଇଥିଲି । ଆଇନଶାସ୍ତ୍ର ପ୍ରତି ମନରେ ଶ୍ରଦ୍ଧା ବଢ଼ିଥିଲା । ତା ଭିତରେ ଧର୍ମର ତତ୍ତ୍ୱ ପାଇଥିଲି । ଟ୍ରଷ୍ଟ କୋଟି କୋଟି ଟଙ୍କା ପାଖରେ ରଖେ, କିନ୍ତୁ ସେଥିରୁ ପାହୁଲାଟିକ ଉପରେ ତା’ର ଅଧିକାର ନ ଥାଏ । ସେ ମୁମୁକ୍ଷୁ ପରି ଆଚରଣ କରିଥାଏ । ଗୀତାର ଅପରିଗ୍ରହ ଅର୍ଥ ମୁଁ ଏଇୟା ବୁଝିଲି । ଅପରିଗ୍ରହୀ ହେବାପାଇଁ ଓ ସମଭାବ ରଖିବାପାଇଁ ହୃଦୟ ଓ ଦୃଷ୍ଟିକୋଣର ପରିବର୍ତ୍ତନ ଯେ ଆବଶ୍ୟକ, ଏହା ମତେ ଦିବାଲୋକ ଭଳି ସ୍ପଷ୍ଟ ଦେଖାଗଲା । ସାଙ୍ଗେ ସାଙ୍ଗେ ରେବାଶଙ୍କର ଭାଇଙ୍କୁ ଚିଠି ଲେଖିଥିଲି ଯେ, ବୀମାର କିସ୍ତି ଟଙ୍କା ବନ୍ଦ କରିଦିଅନ୍ତୁ । କିଛି ଟଙ୍କା ଓ୍ୟାପସ ମିଳିଯିବ ତ ଭଲ, ନଚେତ୍ ନାହିଁ । କାରଣ ମୋର ଦୃଢ଼ ଧାରଣା ଜନ୍ମି ଯାଇଥିଲା ଯେ, ଯେଉଁ ଭଗବାନ ମୋତେ ଓ ମୋର ସ୍ତ୍ରୀ ବାଳକଙ୍କୁ ସୃଷ୍ଟି କରିଛନ୍ତି, ତାଙ୍କୁ ରକ୍ଷା କରିବେ । ମୋ ବାପତୁଲ୍ୟ ବଡ଼ଭାଇଙ୍କୁ ଲେଖିଲି ‘‘ଆଜିଯାଏ ଯାହା ଯେତେବେଳେ ସଞ୍ଚୁଥିଲି ଆପଣଙ୍କୁ ଦେଉଥିଲି, କିନ୍ତୁ ଏଣିକି ମୋଠାରୁ କିଛି ଆଶା କରିବେ ନାହିଁ; କାରଣ ଯାହା କିଛି ଏଣିକି ବଳିବ, ତାହା ଏଠା ଦେଶଭାଇଙ୍କ ଭଲପାଇଁ ଖର୍ଚ୍ଚ କରିବି ।’’

 

ଏ କଥା ମୁଁ ସହଜରେ ଭାଇଙ୍କୁ ବୁଝାଇପାରି ନ ଥିଲି । ସେ ମୋତେ କଡ଼ାକଡ଼ା କଥାରେ ମୋର କର୍ତ୍ତବ୍ୟ ବୁଝାଇ ଦେଇଥିଲେ । ସେ କହିଥିଲେ ଯେ, ମୁଁ ଆମ ବାପାଙ୍କଠାରୁ ଯେପରି ବେଶୀ ବୁଦ୍ଧିଆ ହେବାକୁ ଆଶା ନ କରେ । ବାପା ଯେମିତି କୁଟୁମ୍ବ ପୋଷୁଥିଲେ, ମୋର ସେମିତି କୁଟୁମ୍ବ ପୋଷିବା ଉଚିତ । ମୁଁ ତାଙ୍କୁ ଜବାବ ଦେଇଥିଲି, ‘‘ବାପା ଯାହା କରୁଥିଲେ ମୁଁ ତ ଠିକ୍ ସେଇ କାମ କରୁଛି । କେବଳ କୁଟୁମ୍ବର ଅର୍ଥଟାକୁ ଟିକିଏ ଅଧିକ ବ୍ୟାପକ କରିଦେଲେ ମୋ କାମର ଯୁକ୍ତିଯୁକ୍ତତା ଆପଣ ବୁଝିପାରିବେ ।’’

 

ଭାଇ ମୋର ଆଶା ଛାଡ଼ି ଦେଇଥିଲେ । ପ୍ରାୟ କଥାବାର୍ତ୍ତା ବନ୍ଦ କଲାଭଳି କରିଦେଇଥିଲେ । ଏଥିରେ ମୋର ଦୁଃଖ ହୋଇଥିଲା; କିନ୍ତୁ ଯାହାକୁ ଧର୍ମ ବୋଲି ମାନି ନେଇଥିଲି ତାକୁ ଛାଡ଼ି ଦେଇଥିଲେ ଯେ ମୋର ଅଧିକ ଦୁଃଖ ହୋଇଥାନ୍ତା । ସେଥିପାଇଁ କମ୍ ଦୁଃଖଟାକୁ ସହିଯାଇଥିଲି । ତଥାପି ମୋର ଭାଇଙ୍କ ପ୍ରତି ଭକ୍ତି ପୂର୍ବବତ୍ ନିର୍ମଳ ଓ ପ୍ରବଳ ରହିଥିଲା । ମୋ ପ୍ରତି ତାଙ୍କର ଅଗାଧ ସ୍ନେହ, ତାଙ୍କର ଏ ଦୁଃଖର କାରଣ ହୋଇଥିଲା । ମୋର ଭଲ ଆଚରଣକୁ ସେ ଯେତେ ଚାହୁଁଥିଲେ ମୋ ପଇସାକୁ ସେତେ ଅନାଉ ନ ଥିଲେ । ତାଙ୍କର ଶେଷ ସମୟକୁ ଭାଇ ତରଳି ଯାଇଥିଲେ । ମୃତ୍ୟୁଶଯ୍ୟାରେ ସେ ବୁଝିଥିଲେ ଯେ, ମୋ କାମ ଠିକ୍ ସତ୍ୟ ଓ ଧର୍ମ ମୁତାବକ ଥିଲା । ତାଙ୍କର ଅତି କରୁଣାତ୍ମକ ଖଣ୍ଡେ ଚିଠି ପାଇଥିଲି । ବାପ ଯଦି ପୁଅଠୁଁ କ୍ଷମା ଚାହିଁପାରେ, ତେବେ ସେ ମୋର କ୍ଷମାଭିକ୍ଷା କରିଥିଲେ । ତାଙ୍କ ପୁଅମାନଙ୍କୁ ମୋ ଇଚ୍ଛା ଅନୁସାରେ ଲାଳନପାଳନ କରିବାକୁ ସେ ମୋତେ ଲେଖିଥିଲେ । ସେ ମୋତେ ଦେଖିବାକୁ ଅଥୟ ହୋଇଥିଲେ । ମୋତେ ତାର କରିଥିଲେ, ମୁଁ ତାରରେ ଜବାବ ଦେଇଥିଲି, ‘‘ଆସନ୍ତୁ ।’’ କିନ୍ତୁ ଆମର ଭେଟ ହେବାର ନ ଥିଲା । ତାଙ୍କ ପୁଅଙ୍କ ପାଇଁ ସେ ଯେଉଁ ଇଚ୍ଛା ପ୍ରକାଶ କରିଥିଲେ, ତା ମଧ୍ୟ ପୂରଣ ହୋଇପାରିଲା ନାହିଁ । ସେ ଦେଶରେ ଦେହତ୍ୟାଗ କରିଥିଲେ । ପୁଅମାନଙ୍କଠାରେ ତାଙ୍କର ଆଗ ଜୀବନର ଛାପ ରହିଯାଇଥିଲା । ତାଙ୍କର ପରିବର୍ତ୍ତନ ହୋଇ ନଥିଲା । ମୁଁ ସେମାନଙ୍କୁ ମୋ ନିଜ ଆଡ଼କୁ ଟାଣି ଆଣିପାରି ନ ଥିଲି । ସେଥିରେ ତାଙ୍କର ଦୋଷ ନ ଥିଲା । ସ୍ୱଭାବକୁ କିଏ ଲେଉଟାଇ ପାରିବ ? ବଳବାନ ସଂସ୍କାରକୁ କିଏ ପୋଛି ପକେଇବ ? ଆମର ଯେମିତି ବିକାଶ ହୋଇଛି, ଆମର ଆଶ୍ରିତ ବା ସହକର୍ମୀମାନଙ୍କର ସେମିତି ବିକାଶ ହେବ ବୋଲି ଆଶା କରିବା ବୃଥା ।

 

ମା ବାପାଙ୍କର ଦାୟିତ୍ୱ କେଡ଼େ ଭୟଙ୍କର, ଏ ଉଦାହରଣରୁ ତାହା ଟିକିଏ ବୁଝାଯାଏ ।

 

ନିରାମିଷ ଭୋଜନପାଇଁ ତ୍ୟାଗ

 

ଜୀବନରେ ତ୍ୟାଗ ଓ ସରଳତାର ଆଦର୍ଶ ଯେତିକି ବଢ଼ିବାକୁ ଲାଗିଥିଲା ଏବଂ ଧର୍ମ ଜାଗୃତି ବେଶୀ ହୋଇଥିଲା, ସେତିକି ନିରାମିଷାହାର ଓ ତାହାର ପ୍ରଚାରର ଆଗ୍ରହ ବଢ଼ିବାକୁ ଲାଗିଥିଲା । ପ୍ରଚାରର ଗୋଟାଏ ମାତ୍ର ଉପାୟ ମତେ ଜଣା ଥିଲା, ଆଚାର ଦ୍ୱାରା ଏବଂ ଆଚାର ସାଥିରେ ଜିଜ୍ଞାସୁମାନଙ୍କ ସଙ୍ଗେ ଆଲୋଚନା ଦ୍ୱାରା ।

 

ଜୋହାନ୍‌ସବର୍ଗଠାରେ ଗୋଟାଏ ନିରାମିଷ ଭୋଜନାଳୟ ଥିଲା । ତାହାର କର୍ତ୍ତା ଜଣେ ଜର୍ମାନ ଥିଲେ । ସେ ଡାକ୍ତର କୁନେଙ୍କ ଜଳ ଚିକିତ୍ସାରେ ମଧ୍ୟ ବିଶ୍ୱାସ କରୁଥିଲେ । ମୁଁ ସେଠାକୁ ନିଜେ ଯିବାକୁ ଆରମ୍ଭ କରିଥିଲି ଏବଂ ଯେତେ ଇଂରେଜ ବନ୍ଧୁଙ୍କୁ ପାରୁଥିଲି ନେଇ ଯାଉଥିଲି । କିନ୍ତୁ ଦେଖିଲି ଯେ, ଭୋଜନାଳୟଟି ବେଶୀଦିନ ଟେକିବ ନାହିଁ । ପଇସାକଉଡ଼ିର ନିଅଣ୍ଟ ସବୁବେଳେ ଲାଗି ରହିଥାଏ । ଯେତେବେଳେ ଉଚିତ୍ ମନେ ହୋଇଥିଲା, ମୁଁ ଆର୍ଥିକ ସାହାଯ୍ୟ କରିଥିଲି । ଶେଷରେ ତାଙ୍କୁ ବନ୍ଦ କରିବାକୁ ପଡ଼ିଥିଲା । ଥିଓସୋଫିଷ୍ଟମାନେ ଅଧିକାଂଶ କେହି ପୂରା, କେହି ଅଧା ନିରାମିଷାଶୀ ହୋଇଥାନ୍ତି । ତାଙ୍କ ଦଳରେ ଜଣେ ଭଉଣୀ ଭାରି ସାହାସୀ ଥିଲେ, ସେ ବଡ଼ ଆଡ଼ମ୍ବରରେ ଗୋଟିଏ ନିରାମିଷ ଭୋଜନାଳୟ ଖୋଲିଥିଲେ । ଏ ଭଉଣୀଟି କଳାର ଉପାସିକା ଥିଲେ । ବହୁତ ଖର୍ଚ୍ଚ କରୁଥିଲେ ଓ ହିସାବପତ୍ର ରଖି ଜାଣି ନ ଥିଲେ । ତାଙ୍କର ବନ୍ଧୁ ସଂଖ୍ୟା ବହୁତ ଥିଲେ । ପ୍ରଥମରୁ ସେ ଅଳ୍ପରେ ଆରମ୍ଭ କରିଥିଲେ; ମାତ୍ର ପରେ ବଡ଼ ଘର ନେଇ ତାକୁ ବଢ଼େଇବାକୁ ଇଚ୍ଛା କରିଥିଲେ । ସେ ମୋତେ ଆର୍ଥିକ ସାହାଯ୍ୟ ମାଗିଥିଲେ । ସେତେବେଳକୁ ମତେ ତାଙ୍କ ଆର୍ଥିକ ଅବସ୍ଥାର ଖବର ଜଣା ନ ଥିଲା । ମୁଁ ବିଚାରିଲି, ତାଙ୍କ ହିସାବ ଅଟକଳରେ କିଛି ଭୁଲ ନ ଥିବ । ମୋ ପାଖରେ ସୁବିଧା ଥିଲା । ମୋର ମହକିଲମାନେ ମୋ ପାଖରେ ବହୁତ ଟଙ୍କା ଜମା ରଖୁଥିଲେ । ମୁଁ ଜଣକଠାରୁ ଅନୁମତି ନେଇ ତାଙ୍କ ହିସାବରୁ ପ୍ରାୟ ହଜାର ପାଉଣ୍ଡ (ପନ୍ଦର ହଜାର ଟଙ୍କା) ସେ ମହିଳାଙ୍କୁ ଦେଇଥିଲି । ସେ ମହକିଲଟି ବଡ଼ ଉଦାର ଓ ବିଶ୍ୱାସୀ ଥିଲେ-। ସେ ପ୍ରଥମ ଗିରିମିଟିରେ ଆସିଥିଲେ । ସେ କହିଥିଲେ—‘‘ଆପଣଙ୍କର ମନ ହେଉଛି ତ ଟଙ୍କା ଦେଇ ଦିଅନ୍ତୁ । ମୁଁ ସେ ବିଷୟରେ କିଛି ଜାଣେ ନାହିଁ । ମୁଁ ଆପଣଙ୍କୁ ଜାଣେ ।’’ ତାଙ୍କ ନାଁ ଥିଲା ବଦରୀ । ସେ ପରେ ସତ୍ୟାଗ୍ରହରେ ଖୁବ୍ ବେଶୀ ଯୋଗ ଦେଇଥିଲେ । ଜେଲ୍ ମଧ୍ୟ ଖଟିଥିଲେ । ତାଙ୍କର ଏ ସମ୍ମତିକୁ ଯଥେଷ୍ଟ ଜାଣି ମୁଁ ଟଙ୍କା ଉଧାର ଦେଇଥିଲି ।

 

ଦି’ ତିନି ମାସରେ ଜାଣିଗଲି ଯେ, ଟଙ୍କା ଆଉ ଓ୍ୟାପସ ମିଳିବାର ନୁହେଁ । ଏତେଗୁଡ଼ାଏ ବୁଡ଼େଇ ଦେବାର ଶକ୍ତି ମୋର ନ ଥିଲା । ମୁଁ ଏତକ ଅନ୍ୟ ଅନେକ କାମରେ ଲଗେଇ ପାରିଥାନ୍ତି । ସେ ଧାର ଆଉ ଓ୍ୟାପସ ମିଳିଲା ନାହିଁ । ମାତ୍ର ସେ ବିଶ୍ୱାସୀ ବଦରୀଙ୍କ ଟଙ୍କା ବୁଡ଼ନ୍ତା କାହିଁକି ? ସେ ତ କେବଳ ମତେ ଚିହ୍ନିଥିଲେ । ଫଳରେ ଆପଣା ହାତରୁ ଟଙ୍କାତକ ଦେଇଥିଲି ।

 

ଜଣେ ମହକିଲ ବନ୍ଧୁଙ୍କୁ ଏ ଟଙ୍କା ଧାର ଦେବା କଥା କହିଥିଲି । ସେ ମତେ ମିଠା ମିଠା ଗାଳିଦେଇ ଚେତେଇ ଦେଇଥିଲେ—‘‘ଭାଇ, (ଦକ୍ଷିଣ ଆଫ୍ରିକାରେ ମୁଁ ମହାତ୍ମା ହୋଇ ନ ଥିଲି, ‘ବାପୁ’ ମଧ ହୋଇ ନ ଥାଏ । ମହକିଲ ବନ୍ଧୁମାନେ ମତେ ‘ଭାଇ’ ବୋଲି ଡାକୁଥିଲେ । ) ଆପଣଙ୍କର ଏ ସବୁ ଗୋଳମାଳରେ ପଡ଼ିବାର ନ ଥିଲା । ଆମେ ଆପଣଙ୍କ ଉପରେ ଏତେ ନିର୍ଭର କରୁଛୁ । ଏତକ ଟଙ୍କା ଆପଣ ଆଉ ଫେରି ପାଇବେ ନାହିଁ । ଆପଣ ବଦରୀକୁ ବଞ୍ଚେଇଦେବେ ଏବଂ ନିଜର ବୁଢ଼େଇବେ । କିନ୍ତୁ ଆପଣ ଏଭଳି ସଂସ୍କାର କାମରେ ଯଦି ମହକିଲଙ୍କ ଟଙ୍କା ଲଗେଇବେ, ତେବେ ମହକିଲ ବିଚରାଯାକ ପେଷି ହୋଇଯିବେ ଏବଂ ଆପଣ ନିଜେ ଶୀଘ୍ର ଭିଖାରୀ ହୋଇ ଘରେ ବସିବେ । ତାହାହେଲେ ଆପଣଙ୍କର ସାଧାରଣ କାମ ବନ୍ଦ ହୋଇଯିବ ।

 

ସୌଭାଗ୍ୟକୁ ଏ ବନ୍ଧୁ ବଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକାରେ ବା ଅନ୍ୟତ୍ର ଏହାଙ୍କଠାରୁ ବଳି ଅଧିକ ଖାଣ୍ଟି ଲୋକ ମୁଁ ଆଉ ଦେଖିନାହିଁ । ମୁଁ ଜାଣେ, କାହାରି ପ୍ରତି ଯଦି କେତେବେଳେ ତାଙ୍କ ମନରେ ସନ୍ଦେହ ହୋଇଥାଏ ଏବଂ ପରେ ସେ ଜାଣିପାରନ୍ତି ଯେ, ସେ ସନ୍ଦେହ ଅମୂଳକ ଥିଲା, ତେବେ ସେ ସଙ୍ଗେ ସଙ୍ଗେ ଯାଇ ତାଙ୍କୁ କ୍ଷମା ମାଗୁଥିଲେ ଏବଂ ନିଜ ମନ ସଫାକରି ନେଉଥିଲେ । ଏ ମହକିଲଙ୍କର ସତର୍କବାଣୀ ମତେ ଠିକ୍ ଜଣା ପଡ଼ିଥିଲା । ବଦରୀଙ୍କ ଟଙ୍କା ତ ମୁଁ ଶୁଝିଦେଇ ପାରିଥିଲି; ମାତ୍ର ଆଉ ହଜାରେ ପାଉଣ୍ଡ ସେମିତି କ୍ଷତିପୂରଣ ଦେଇପାରି ନ ଥାନ୍ତି ଏବଂ ବାଧ୍ୟ ହୋଇ କରଜ କରିଥାନ୍ତି, କିନ୍ତୁ କରଜ ଗୋଟିଏ କଥା ଯାହା କି ମୁଁ ଜୀବନରେ କରି ନାହିଁ ଏବଂ ଯାହାକୁ ମୁଁ ସବୁବେଳେ ଘୃଣା କରି ଆସିଛି । ଏଥିରୁ ମତେ ଶିକ୍ଷା ମିଳିଲା ଯେ, ସଂସାର ପାଇଁ ସୁଦ୍ଧା ନିଜ ଶକ୍ତିର ବାହାରକୁ ଯିବା ଉଚିତ ନୁହେଁ । ମୁଁ ଏତକ ମଧ୍ୟ ଦେଖି ପାରିଥିଲି ଯେ, କରଜ ଦେଇ ମୁଁ ଗୀତାର ନିଷ୍କାମ କର୍ମର ମୁଖ୍ୟ ନୀତିକୁ ଅନାଦର କରିଥିଲି । ଏ ଭୁଲଟି ଭବିଷ୍ୟତକୁ ମୋର ମାର୍ଗଦର୍ଶନ ହୋଇଥିଲା ।

 

ନିରାମିଷାହାର ପ୍ରଚାର ପାଇଁ ମତେ ଯେ ଏତେବଡ଼ ବଳିଦାନ କରିବାକୁ ପଡ଼ିବ, ଏହା ମୁଁ କଳ୍ପନା କରି ନ ଥିଲି । ଏହା ବାଧ୍ୟ ହୋଇ ପୁଣ୍ୟସଞ୍ଚୟ କରିବାଭଳି ହୋଇଥିଲା ।

 

Unknown

ମାଟି ଓ ପାଣିର ପ୍ରୟୋଗ

 

ମୋର ଜୀବନରେ ସରଳତା ବଢ଼ିବା ସଙ୍ଗେ ସଙ୍ଗେ ଔଷଧ ଖାଇବାପାଇଁ ମୋର ବିତୃଷ୍ଣା ଯାହା ଥିଲା, ତାହା ମଧ୍ୟ କ୍ରମେ ବଢ଼ିବାକୁ ଲାଗିଲା । ମୁଁ ଡରବାନରେ ଓକିଲାତି କଲାବେଳେ ଡାକ୍ତର ପ୍ରାଣଜୀବନ ମେହତା ମତେ ଦେଖିବାକୁ ଆସୁଥିଲେ । ସେତେବେଳେ ମୋର ଦୁର୍ବଳତା ଥାଏ ଏବଂ ବେଳେ ବେଳେ ଫୁଲା ମଧ୍ୟ ଥାଏ । ସେଥିପାଇଁ ସେ ଔଷଧ ଦେଉଥିଲେ ଏବଂ ଭଲ ହୋଇଯାଇଥିଲି । ଏହା ପରଠାରୁ ଦେଶକୁ ଫେରି ଆସିବାଯାଏ କେବେ କୌଣସି ଉଲ୍ଲେଖଯୋଗ୍ୟ ବେମାରୀ ହୋଇଥିବାର ମୋର ମନେ ପଡ଼ୁନାହିଁ ।

 

ମାତ୍ର ଜୋହାନ୍‌ସବର୍ଗଠାରେ ମୋର କୋଷ୍ଠବଦ୍ଧତା ହୋଇ ଯେତେବେଳେ ସେତେବେଳେ ମୁଣ୍ଡ ବଥାଉଥିଲା । କେତେପ୍ରକାର ଜୁଲାପ ଖାଇ ଦେହକୁ ଠିକ୍ ରଖିଥାଏ । ଖାଇବାରେ ପଥ୍ୟ ତ ସବୁବେଳେ ଥାଏ; କିନ୍ତୁ ସେଥିରେ ମୁଁ ପୂରା ଆରୋଗ୍ୟ ହୋଇ ନ ଥିଲି । ଜୁଲାପରୁ ନିଷ୍କୃତି ପାଇଲେ ଭଲ, ଏହା ମନରେ ସବୁବେଳେ ଥାଏ । ପ୍ରାୟ ଏହି ସମୟରେ ଖବରକାଗଜରେ ପଢ଼ିଲି ଯେ, ମାଞ୍ଚେଷ୍ଟରରେ ଗୋଟିଏ ସଂଘ ଗଢ଼ାହୋଇଛି, ଯାହାର ଉଦ୍ଦେଶ୍ୟ ଥିଲା, ସକାଳ ଜଳଖିଆ ବନ୍ଦ କରିବା । ସେ ସଂଘର ଯୁକ୍ତି ଏୟା ଥିଲା ଯେ, ଇଂରେଜମାନେ ବହୁତ ଥର ଓ ବହୁତ ବହୁତ ଖାଇଯାନ୍ତି, ରାତି ବାରଟାଯାଏ ଖାଉଥାନ୍ତି ଏବଂ ଡାକ୍ତର ଘର ଖୋଜି ବୁଲୁଥାନ୍ତି । ଏ ବିପଦରୁ ରକ୍ଷା ପାଇଁ ସକାଳ ଜଳଖିଆ—ବ୍ରେକ୍‌ଫାଷ୍ଟ ଛାଡ଼ି ଦିଅନ୍ତୁ । ମତେ ଲାଗିଲା ଯେ ଯୁକ୍ତିଟା ମୋ ପ୍ରତି ପୂରାପୂରି ନ ଖଟିଲେ ସୁଦ୍ଧା ଆଂଶିକଭାବରେ ଖଟୁଛି । ମୁଁ ତିନିଥର ପେଟ ପୂରେଇ ଖାଉଥିଲି ଏବଂ ଦି’ପହରେ ଚା ପିଉଥିଲି । କେବେହେଁ ସ୍ୱଳ୍ପାହାରୀ ନ ଥିଲି-। ଆମିଷ ଓ ମସଲା ନ ଖାଇ ସୁଦ୍ଧା, ଯେତେପ୍ରକାରର ସୁଆଦିଆ ଜିନିଷ ହୋଇପାରେ, ତା’ ସବୁ ଭୋଗ କରୁଥିଲି । ସକାଳ ଛଅଟା ସାତଟା ପୂର୍ବରୁ କ୍ୱଚିତ ମୁଁ ଉଠୁଥିଲି । ଏଥିରୁ ମୁଁ ଏୟା ସିଦ୍ଧାନ୍ତ କଲି ଯେ, ମୁଁ ଯଦି ସକାଳ ବଖତଟା ଛାଡ଼ିଦେବି, ତେବେ ମୋ ମୁଣ୍ଡବଥା ନିଶ୍ଚୟ ଛାଡ଼ିଯିବ-। ମୁଁ ପରୀକ୍ଷା ଆରମ୍ଭ କରିଦେଲି । ଦିନାକେତେ ଟିକିଏ କଷ୍ଟ ହେଲା, ମାତ୍ର ମୁଣ୍ଡବଥା ଏକଦମ୍ ଛାଡ଼ି ଯାଇଥିଲା । ଏଥିରୁ ମୋର ଦୃଢ଼ ବିଶ୍ୱାସ ହୋଇ ଯାଇଥିଲା ଯେ, ଖୋରାକର ମାତ୍ରା ବେଶୀ ହୋଇ ଯାଇଥିଲା ।

 

ମାତ୍ର ଏ ପରିବର୍ତ୍ତନରେ କୋଷ୍ଠବଦ୍ଧତା ଯାଇ ନ ଥିଲା । କୁନେଙ୍କ ନାଭିସ୍ନାନ ପ୍ରୟୋଗ କରିଥିଲି । ସେଥିରେ ଟିକିଏ ଆରାମ ପାଇଥିଲି; ମାତ୍ର ପୂରାପୂରି ରୋଗ ଛାଡ଼ି ନ ଥିଲା । ଏହି ସମୟରେ ମୋର ଠିକ୍ ମନେ ନାହିଁ, ସେହି ଜର୍ମାନୀ ଭୋଜନାଳୟର ମାଲିକ ବା ଅନ୍ୟ କେହି ବନ୍ଧୁ ଜୁଷ୍ଟଙ୍କ ଲିଖିତ ‘ପ୍ରକୃତିକୁ ଫେରିଯାଅ’ ବହିଖଣ୍ଡି ମତେ ଦେଇଥିଲେ । ସେଥିରେ ମାଟି ପ୍ରୟୋଗ କଥା ପଢ଼ିଥିଲି । କଞ୍ଚା ଓ ଶୁଖିଲା ଫଳ ଯେ ମଣିଷର ସ୍ୱାଭାବିକ ଖାଦ୍ୟ, ଏହା ମଧ୍ୟ ଲେଖକ ସମର୍ଥନ କରିଥିଲେ । କେବେଳ ଫଳ ଖାଇ ରହିବା ଚେଷ୍ଟା ମୁଁ ହଠାତ୍ ଆରମ୍ଭ କରି ନ ଥିଲି । ମାତ୍ର ମାଟିର ପ୍ରୟୋଗ ସଙ୍ଗେ ସଙ୍ଗେ ଆରମ୍ଭ କରି ଦେଇଥିଲି ଏବଂ ଆଶ୍ଚର୍ଯ୍ୟ ରକମ ଫଳ ପାଇଥିଲି । ତାହାର ବିଧି ଏୟା ଥିଲା; ସଫା କ୍ଷେତର ନାଲି ବା କଳାମାଟି ଆଣି, ସେଥିରେ ଅନ୍ଦାଜ ମୁତାବକ ଥଣ୍ଡାପାଣି ଦେଇ, ସଫା ପତଳା ଓଦା କନାରେ ଗୁଡ଼େଇ ପେଟ ଉପରେ ରଖିବ ଓ ତା’ ଉପରେ ପଟି ବାନ୍ଧିଦେବ । ମୁଁ ରାତିରେ ଶୋଇବାକୁ ଗଲାବେଳେ ଏ ପଟି ବାନ୍ଧୁଥିଲି ଓ ସକାଳୁ ଉଠିଲାବେଳକୁ ବା ରାତିରେ ନିଦ ଭାଙ୍ଗିଲେ ଖୋଲି ଦେଉଥିଲି । ସେଥିରେ ମୋର କୋଷ୍ଠବଦ୍ଧତା ମୂଳରୁ ଯାଇଥିଲା । ତା’ପରେ ମୁଁ ଏ ମାଟି ପ୍ରୟୋଗ ବହୁବାର ନିଜ ଉପରେ ତଥା ସାଥୀମାନଙ୍କ ଉପରେ କରିଛି; କେବେ ତାହା ନିଷ୍ଫଳ ହୋଇଥିବାର ମନେ ପଡ଼ୁନାହିଁ ।

 

ଦେଶକୁ ଫେରିବା ପରେ ଚିକିତ୍ସାରେ ମୁଁ ଆତ୍ମବିଶ୍ୱାସ ହରେଇବସିଛି । ତାକୁ ପ୍ରୟୋଗ କରିବାପାଇଁ ଗୋଟିଏ ଜାଗାରେ ସ୍ଥିର ହୋଇ ବସିବାକୁ ମତେ ଆଦୌ ଅବସର ମଧ୍ୟ ମିଳିନାହିଁ । ତଥାପି ପାଣି ଓ ମାଟି ଚିକିତ୍ସା ପ୍ରତି ମୋର ବିଶ୍ୱାସ ଯେତିକି ଥିଲା, ଅନେକ ପରିମାଣରେ ସେତିକି ଅଛି । ଆଜି ମଧ୍ୟ କେତେକ ସୀମା ଭିତରେ ମୁଁ ନିଜ ଉପରେ ମାଟିର ପ୍ରୟୋଗ କରୁଛି ଓ ସୁଯୋଗ ମିଳିଲେ ବନ୍ଧୁମାନଙ୍କୁ ତାହା କରିବାକୁ ପରାମର୍ଶ ଦେଉଛି । ଜୀବନରେ ଦୁଇ ଥର ମୁଁ କଠିନ ବେମାରୀରେ ପଡ଼ିଛି । ତଥାପି ମୋର ବିଶ୍ୱାସ ଯେ ମନୁଷ୍ୟ ଔଷଧ ଖାଇବା ଦରକାର ନାହିଁ । ପଥ୍ୟ, ପାଣି ଓ ମାଟି ଇତ୍ୟାଦି ଘରୋଇ ଚିକିତ୍ସାରେ ହଜାରକେ ନ’ଶହ ଅନେଶତ ରୋଗୀ ଭଲ ହୋଇପାରନ୍ତି ।

 

ବାରମ୍ବାର ବୈଦ୍ୟ, ହକୀମ ବା ଡାକ୍ତରଙ୍କ ଘରକୁ ଦୌଡ଼ି ଦୌଡ଼ି ଏବଂ ଦେହରେ ନାନାରକମ ଚୂର୍ଣ୍ଣ ଓ ରସାୟନ ପୂରେଇ ମଣିଷ ଆପଣା ଆୟୁଷକୁ ଯେ କମେଇଦିଏ ସେତିକି ନୁହେଁ, ନିଜର ମନ ଉପରୁ କର୍ତ୍ତୃତ୍ୱ ମଧ୍ୟ କମେଇବସେ, ସେଥିରୁ ମନୁଷ୍ୟତ୍ୱ ହରେଇବସେ ଏବଂ ଶରୀରର ଗୋଲାମ ପାଲଟିଯାଏ ।

 

ଏ ଅଧ୍ୟାୟ ମୁଁ ରୋଗଶଯ୍ୟାରେ ପଡ଼ି ଲେଖୁଛି । ସେଥିପାଇଁ କେହି ଯେମିତି ମୋର ଏ ମତର ମୂଲ୍ୟ ନ କମେଇ ଦିଅନ୍ତି । ଆପଣା ବେମାରୀର କାରଣ ମତେ ଜଣାଅଛି । ନିଜ ଦୋଷରୁ ମୁଁ ବେମାରୀରେ ପଡ଼ିଛି—ଏ ଜ୍ଞାନ ମୋର ପୂରାପୂରି ଅଛି । ସେଥିପାଇଁ ମୁଁ ଧୈର୍ଯ୍ୟଚ୍ୟୁତ ହୋଇ ନାହିଁ । ଏ ବେମାରୀକୁ ମୁଁ ଈଶ୍ୱରଙ୍କ ଅନୁଗ୍ରହ ବୋଲି ମନେ କରୁଛି ଏବଂ ଅନେକ ଔଷଧ ଖାଇବା ପ୍ରଲୋଭନରୁ ସମ୍ଭାଳି ରହିଛି । ମୁଁ ଜାଣେ ମୋର ଏ ଜିଦ୍‌ ଯୋଗୁଁ ମୁଁ ଡାକ୍ତର ଓ ବନ୍ଧୁମାନଙ୍କୁ ବିରକ୍ତ କରିଥାଏ; ମାତ୍ର ସେମାନେ ଉଦାରଭାବରେ ମୋର ଜିଦ୍‌କୁ ସହିଯାନ୍ତି ଏବଂ ମତେ ଛାଡ଼ି ପଳାନ୍ତି ନାହିଁ ।

 

କିନ୍ତୁ ମୋର ବର୍ତ୍ତମାନ ଅବସ୍ଥାର କଥା ଆଉ ଲମ୍ବେଇବା ଠିକ୍ ନୁହେଁ । ସେଥିପାଇଁ ପୁଣି ୧୯୦୩-୪ କୁ ଫେରିଯିବି ।

 

କିନ୍ତୁ ଅନ୍ୟ କଥା କହିବା ପୂର୍ବରୁ ପାଠକଙ୍କୁ ଥରେ ଚେତେଇ ଦେବାକୁ ଚାହେଁ । ଯେଉଁ ପାଠକମାନେ ଏ ଅଧ୍ୟାୟ ପଢ଼ି ଜୁଷ୍ଟଙ୍କର ବହି କିଣିବେ, ସେମାନେ ଯେମିତି ମୋର ସବୁ କଥାକୁ ବେଦବାକ୍ୟ ବୋଲି ନ ମାନନ୍ତି । ସବୁ ବହି, ସବୁ ଲେଖାରେ ଲେଖକଙ୍କର ଦୃଷ୍ଟି ବହୁତ ଅଂଶରେ ଏକାଙ୍ଗୀ ହୋଇଥାଏ । ମୋ ବିଚାରରେ ତ ପ୍ରତ୍ୟେକ କଥା ଅତି କମରେ ସାତଟା ଦିଗରୁ ଦେଖାଯାଇପାରେ ଏବଂ ସେ ସାତ ଦୃଷ୍ଟିବିନ୍ଦୁ ଅନୁସାରେ ତାହା ସତ୍ୟ ହୋଇପାରେ । ମାତ୍ର ମନେ ରଖିବା ଉଚିତ, ସବୁ ଦୃଷ୍ଟିବିନ୍ଦୁ ଏକା ସମୟ ବା ଏକା ସ୍ଥାନରେ ଠିକ୍ ଖଟିବେ ନାହିଁ । ପୁଣି ଅନେକ ବହିରେ କାଟତି ବା ଗରାଖୀ ଏବଂ ନାଁର ଓ ଲୋଭର ଦୋଷ ରହିଥାଏ । ସେଥିପାଇଁ ଯେଉଁମାନେ ଏଭଳି ବହି ପଢ଼ିବାକୁ ଚାହାଁନ୍ତି, ସେ ଏହାକୁ ବିଚାରି ପଢ଼ନ୍ତୁ ଏବଂ ତା’ର ପ୍ରୟୋଗକରିବା ପୂର୍ବରୁ କୌଣସି ଅନୁଭବୀ ଲୋକର ପରାମର୍ଶ ନିଅନ୍ତୁ ଅଥବା ଧୈର୍ଯ୍ୟଧରି ଭଲକରି ପଢ଼ି କାମରେ ଲଗାନ୍ତୁ ।

 

ଗୋଟିଏ ସତର୍କବାଣୀ

 

ଯେ ଧାରାବାହିକ କଥା ଚାଲିଛି, ତାକୁ ଆର ଅଧ୍ୟାୟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ହେବ ।

 

ଗଲା ଅଧ୍ୟାୟରେ ମାଟିର ପ୍ରୟୋଗ ବିଷୟରେ ମୁଁ ଯାହା ଲେଖି ଯାଇଛି, ସେହିପରି ମୋର ଖାଇବାରେ ପ୍ରୟୋଗ ମଧ୍ୟ ଚାଲିଥିଲା । ଅତଏବ ସେ ବିଷୟରେ ବର୍ତ୍ତମାନ କିଛି ଲେଖିବା ଆବଶ୍ୟକ ମନେ କରୁଛି । ସେହି ସମ୍ପର୍କରେ ଅନ୍ୟ କେତେକ ବିଷୟ କଥା ପ୍ରସଙ୍ଗରେ ପରେ ଆସିବ ।

 

ଖାଇବାରେ ମୋର ପରୀକ୍ଷା ଏବଂ ସେ ବିଷୟରେ ମୋର ମତାମତର ସର୍ବଶେଷ ବର୍ଣ୍ଣନା ଏ ଅଧ୍ୟାୟରେ କରାଯିବ ନାହିଁ । ମୁଁ ‘‘ସ୍ୱାସ୍ଥ୍ୟ ସମ୍ବନ୍ଧରେ ସାଧାରଣ ଜ୍ଞାନ’’ ନାମକ ବହି ଖଣ୍ଡିଏ ଦକ୍ଷିଣ ଆଫ୍ରିକାରେ ‘ଇଣ୍ଡିଆନ୍ ଓପିନିୟନ’ ଖବରକାଗଜ ପାଇଁ ଲେଖିଥିଲି । ସେଥିରେ ସେ ବିଷୟ ସବିଶେଷ ଲେଖିଛି । ମୋର ଛୋଟିଆ ଛୋଟିଆ ବହିଗୁଡ଼ିକ ମଧ୍ୟରୁ ଏ ଖଣ୍ଡି ପଶ୍ଚିମ ତଥା ଏ ଦେଶରେ ସବୁଠାରୁ ବେଶୀ ଖ୍ୟାତି ଲାଭ କରିଛି । ଏହାର କାରଣ ମୁଁ ଆଜିଯାଏ ବୁଝିପାରି ନାହିଁ-। ଏ ବହି କେବଳ ‘ଇଣ୍ଡିଆନ୍ ଓପିନିୟନ’ ର ପାଠକମାନଙ୍କ ପାଇଁ ଲେଖିଥିଲି । କିନ୍ତୁ ସେହି ବହି ଉପରେ ନିର୍ଭର କରି ଅନେକ ଭାଇ ଭଉଣୀ ନିଜର ଜୀବନର ପରିବର୍ତ୍ତନ କରିଛନ୍ତି ଏବଂ ସେ ବିଷୟରେ କିଛି ଲେଖିବା ଆବଶ୍ୟକ ମନେ କରୁଛି । ଲେଖିବାର କାରଣ, ସେଥିରେ ଯେ ସବୁ ସିଦ୍ଧାନ୍ତ କଥା ଲେଖିଛି, ତାହା ବଦଳାଇବାର ଯଦ୍ୟପି ଆଜିଯାଏ ଦେଖାଯାଇ ନାହିଁ, ତଥାପି, ମୁଁ ନିଜର ଆଚରଣରେ ଅନେକ କିଛି ଗୁରୁତର ପରିବର୍ତ୍ତନ କରିସାରିଛି—ଯାହାକି ସେ ବହିର ପାଠକମାନେ ଜାଣିପାରନ୍ତି ନାହିଁ ଏବଂ ତାହା ସେମାନଙ୍କୁ ଶୀଘ୍ର ଜଣାଇ ଦେବା ଆବଶ୍ୟକ । ଏ ବହି ଖଣ୍ଡି ଲେଖିବାରେ ଏବଂ ଅନ୍ୟ ଲେଖା ଲେଖିବାରେ କେବଳ ଧର୍ମ ଭାବନା ଥାଏ ଏବଂ ତାହାହିଁ ମୋର ପ୍ରତ୍ୟେକ କାର୍ଯ୍ୟରେ ଆଜି ମଧ୍ୟ ଅଛି । ସେଥିପାଇଁ ସେ ବହିର କେତେକ ସିଦ୍ଧାନ୍ତକୁ ମୁଁ ଆଜି କାମରେ ଲଗେଇପାରୁ ନାହିଁ ବୋଲି ମୋର ଦୁଃଖ ହେଉଛି ଏବଂ ମତେ ଲାଜ ମାଡ଼ୁଛି ।

 

ଏହା ମୋର ଦୃଢ଼ ବିଶ୍ୱାସ ଯେ, ମନୁଷ୍ୟ ପିଲାବେଳେ ଯାହା ମାଆ ଦୁଧ ଖାଇଥାଏ, ତା’ପରେ ପୁଣି ତା’ର ଅନ୍ୟ ଦୁଧ ପିଇବାର ଆଉ ଆବଶ୍ୟକତା ନାହିଁ । ତଟକା ବା ଶୁଖିଲା ଫଳ ଛଡ଼ା ଅନ୍ୟ କିଛି ମନୁଷ୍ୟର ଆହାର ନୁହେଁ । ବାଦାମ ଇତ୍ୟାଦି ଫଳରୁ ତା’ର ଶରୀର ଓ ବୁଦ୍ଧି ପୂରା ପୁଷ୍ଟ ହୋଇଥାଏ । ଯେ ଏହିପରି ଖାଦ୍ୟ ଖାଏ, ତା’ପାଇଁ ବ୍ରହ୍ମଚର୍ଯ୍ୟ ପ୍ରଭୃତି ସଂଯମ ସହଜ ହୋଇଯାଏ । ‘ଯେମିତି ଆହାର ସେମିତି ହାକୁଟି’, ‘ମଣିଷ ଯେମିତି ଖାଏ ସେମିତି ହୋଇଥାଏ’ ଏ ସବୁ ପ୍ରବାଦରେ ବହୁତ ସତ୍ୟ ଅଛି ବୋଲି ମୁଁ ଓ ମୋର ସାଥୀମାନେ ଜାଣିପାରିଛୁ । ଏ ସବୁ ମତାମତ ସେ ବହିରେ ବିଶେଷଭାବରେ ବର୍ଣ୍ଣିତ ହୋଇଛି ।

 

କିନ୍ତୁ ଭାରତବର୍ଷରେ ମୋର ଏ ପ୍ରୟୋଗକୁ ପୂରା କରିବା ଭାଗ୍ୟରେ ଘଟି ନ ଥିଲା । ଖେଡ଼ା ଜିଲାରେ ସୈନ୍ୟ ସଂଗ୍ରହ କାମ କରୁଥିଲାବେଳେ ନିଜ ଦୋଷରେ ମୁଁ ମୃତ୍ୟୁଶଯ୍ୟାରେ ପଡ଼ିଥିଲି । ବିନା ଦୁଧରେ ବଞ୍ଚି ରହିବାକୁ ମୁଁ ବହୁତ ବୃଥା ଉଦ୍ୟମ କରିଛି । ଯେତେ ବୈଦ୍ୟ, ଡାକ୍ତର ବା ରସାୟନଜ୍ଞମାନଙ୍କ ସଙ୍ଗେ ମୋର ପରିଚୟ ଅଛି, ଦୁଧ ପରିବର୍ତ୍ତରେ ଆଉ ଗୋଟିଏ କିଛି ସେହିଭଳି ଖାଦ୍ୟର ସୂଚନା ଦେବାପାଇଁ ମୁଁ ସେମାନଙ୍କ ସାହାଯ୍ୟ ଲୋଡ଼ିଛି । କେହି ମୁଗପାଣି, କେହି ମହୁଆ ତେଲ ବା କେହି ବାଦାମରସ ବତେଇଥିଲେ । ଏ ସମସ୍ତ ଖାଦ୍ୟର ପ୍ରୟୋଗ କରୁ କରୁ ମୁଁ ଦେହଟାକୁ ଏକଦମ କ୍ଷୀଣ କରି ପକେଇଥିଲି । କିନ୍ତୁ ରୋଗଶଯ୍ୟାରୁ କେହି ମତେ ଉଠେଇପାରି ନ ଥିଲେ ।

 

ବୈଦ୍ୟମାନେ ଚରକ ଇତ୍ୟାଦିରୁ ମତେ ପ୍ରମାଣ ପଠାଇଛନ୍ତି ଯେ ରୋଗ ନିବାରଣ ପାଇଁ ଖାଦ୍ୟାଖାଦ୍ୟର ବାଧା ନାହିଁ ଏବଂ କାମ ପଡ଼ିଲେ ମାଂସାଦି ମଧ୍ୟ ଖାଇପାରନ୍ତି । ଏ ବୈଦ୍ୟମାନେ ମତେ ଦୁଧ ଛାଡ଼ି ରହିବାରେ ସାହାଯ୍ୟ କରିପାରିବେ, ତାହା ସମ୍ଭବ ନ ଥିଲା । ଯେଉଁଠାରେ ଗୋମାଂସ ସୁରୁଆ ଓ ମଦର ସ୍ଥାନ ଅଛି, ସେଠାରେ ଦୁଧ ଛାଡ଼ି ରହିବାରେ କୁଆଡ଼ୁ ସାହାଯ୍ୟ ମିଳନ୍ତା ? ଗାଈ ମଇଁଷି ଦୁଧ ତ ମୁଁ ଖାଇପାରନ୍ତି ନାହିଁ । ମୁଁ ଆଗରୁ ପ୍ରତିଜ୍ଞା କରି ସାରିଥିଲି । ସେ ବ୍ରତର ଉଦ୍ଦେଶ୍ୟ ତ ଥିଲା ସବୁ ପ୍ରକାର ଦୁଧ ଛାଡ଼ିଦେବା; ମାତ୍ର ବ୍ରତ ଗ୍ରହଣ କଲାବେଳେ ମୋ ଆଗରେ ଗାଈ ଓ ମଇଁଷିଙ୍କ ଚିତ୍ର ଥିଲା । ଏହି କାରଣ ଓ ବଞ୍ଚି ରହିବା ଆଶାରେ ମୁଁ ମନକୁ ଯେ କୌଣସି ପ୍ରକାରେ ଫୁସୁଲେଇ ଦେଇଥିଲି ଏବଂ ପ୍ରତିଜ୍ଞାର ଆକ୍ଷରିକ ଅର୍ଥ ମାନି ମୁଁ ଛେଳିଦୁଧ ଖାଇବାକୁ ସ୍ଥିର କରିଥିଲି । ମୁଁ ଯେତେବେଳେ ଛାଗମାତାର ଦୁଧ ଖାଇବା ଆରମ୍ଭ କରିଥିଲି, ସେତେବେଳେ ମୁଁ ସ୍ପଷ୍ଟ ବୁଝିପାରୁଥିଲି ଯେ ମୋ ବ୍ରତର ଆତ୍ମାକୁ ମୁଁ ହତ୍ୟା କରିଥିଲି ।

 

କିନ୍ତୁ ‘ରୌଲାଟ୍ ଆଇନ୍’ ବିରୁଦ୍ଧରେ ଲଢ଼ିବାକୁ ହେବ, ଏହି ମୋହ ମତେ ଛାଡ଼ି ନ ଥିଲା-। ସେଥିପାଇଁ ଜୀବନରେ ଆଶା ରହିଥିଲା ଏବଂ ମୋ ଜୀବନର ଏକ ମହାନ୍ ପରୀକ୍ଷା ଏତିକିରେ ଅଟକି ଯାଇଥିଲା ।

 

ଖାଇବା ପିଇବା ସଙ୍ଗେ ଆତ୍ମାର କୌଣସି ସମ୍ବନ୍ଧ ନାହିଁ; କାରଣ ଆତ୍ମା ଖାଏ ନାହିଁ କି ପିଏ ନାହିଁ ଏବଂ ଯାହା ପେଟକୁ ଯାଏ ତାହା ନୁହେଁ, ବରଂ ଯେଉଁ କଥା ଭିତରୁ ବାହାରେ ତାହା ଲାଭ ହାନି ଘଟାଇଥାଏ—ଏ ସବୁ ଯୁକ୍ତି ମତେ ଜଣା । ନିଃସନ୍ଦେହରେ ଏଥିରେ କିଛି ସତ୍ୟ ଅଛି; କିନ୍ତୁ ସବୁ ଯୁକ୍ତି ଆଲୋଚନା ନ କରି ମୁଁ ଏତକ ଦୃଢ଼ତାର ସହିତ କହିଦେଉଛି ଯେ, ଯେଉଁ ମୁମୁକ୍ଷୁ ଓ ସାଧକ ଈଶ୍ୱରଙ୍କୁ ଡରି ଚଳିବାକୁ ଚାହେଁ ଓ ଯେ ଈଶ୍ୱରଙ୍କର ପ୍ରତ୍ୟକ୍ଷ ଦର୍ଶନ ଚାହେଁ, ତା’ର ବାକ୍ୟ ଓ ଚିନ୍ତାରେ ବାଛିବା–ଛାଡ଼ିବା ଓ ରଖିବା ଯେତିକି ଦରକାର, ସେତିକି ତା’ର ଖାଦ୍ୟରେ ମଧ୍ୟ ବାଛିବା–ଛାଡ଼ିବା ଓ ରଖିବା ଦରକାର ।

 

କିନ୍ତୁ ଯେଉଁ ବିଷୟରେ ମୁଁ ନିଜେ ପଡ଼ିଯାଇଛି, ସେଥିରେ ଅନ୍ୟମାନଙ୍କୁ ମୋର ଭରସାରେ ଚଳିବାକୁ ମୁଁ ତ ପରାମର୍ଶ ଦେବି ନାହିଁ; ବରଂ ତାଙ୍କୁ ମୁଁ ସେଥିରୁ ନିବର୍ତ୍ତାଇବି । ମୋରି ଯୋଗୁଁ ସେ ସ୍ୱାସ୍ଥ୍ୟବହି ଉପରେ ନିର୍ଭର କରି ପ୍ରୟୋଗ ଚଳାଉଥିବା ସବୁ ଭାଇ ଭଉଣୀଙ୍କୁ ମୁଁ ସତର୍କ କରିଦେବାକୁ ଚାହେଁ । ଦୁଧ ଛାଡ଼ିବା ସବୁପ୍ରକାରେ ଲାଭଜନକ ଜଣାଗଲେ, ଅଥବା ଅଭିଜ୍ଞ ବୈଦ୍ୟ ଡାକ୍ତରଙ୍କର ଦୁଧ ଛାଡ଼ିବାକୁ ଯଦି ପରାମର୍ଶ ଥାଏ, ତେବେ ଦୁଧ ଛାଡ଼ିପାରନ୍ତି; ନଚେତ୍‌ କେବଳ ମୋ ବହି ଉପରେ ନିର୍ଭର କରି ସେମାନେ ଦୁଧ ଛାଡ଼ନ୍ତୁ ନାହିଁ । ମୋର ଅନୁଭୂତି ଏୟା ହୋଇଛି ଯେ, ଯେଉଁମାନଙ୍କର ହଜମଶକ୍ତି ମାନ୍ଦା ଏବଂ ଯେଉଁମାନେ ବିଛଣାରେ ପଡ଼ି ରହିଛନ୍ତି, ତାଙ୍କପାଇଁ: ଦୁଧଭଳି ହାଲୁକା ଓ ପୁଷ୍ଟିକର ଖାଦ୍ୟ ଆଉ କିଛି ନାହିଁ । ସେଥିପାଇଁ ସେ ବହିରେ ଦୁଧ ବ୍ୟବହାରରେ ଯେ ନିୟମ ଲେଖା ଅଛି, ସେ ସମ୍ବନ୍ଧରେ ପାଠକମାନେ ଜିଦ୍‌ ନ ଧରନ୍ତୁ । ଏହା ପାଠକଙ୍କୁ ମୋର ଅନୁରୋଧ ଓ ପରାମର୍ଶ ।

 

ଏ ଦିଗରେ କୌଣସି ବୈଦ୍ୟ ଡାକ୍ତର ବା ଅନୁଭବୀ ବ୍ୟକ୍ତିଙ୍କର ଏ ଅଧ୍ୟାୟ ପ୍ରତି ଦୃଷ୍ଟି ପଡ଼ିଲେ, ସେ ଯଦି ଦୁଧ ପରିବର୍ତ୍ତରେ ସମାନ ପୋଷକ ଓ ସହଜପାଚ୍ୟ କୌଣସି ନିରାମିଷ ଖାଦ୍ୟ(ଉଦ୍ଭିଜ୍ଜ ଖାଦ୍ୟ) ଅଛି ବୋଲି ନିଜର ଶାସ୍ତ୍ରର ଜ୍ଞାନରୁ ନୁହେଁ ବରଂ ଅନୁଭବରୁ ଜାଣନ୍ତି, ତାହା ମତେ ଜଣାଇଲେ ମୁଁ ତାଙ୍କ ନିକଟରେ କୃତଜ୍ଞ ରହିବି ।

 

କ୍ଷମତା ସହିତ ସଂଘର୍ଷ

 

ଏବେ ଛାଡ଼ବିଭାଗ କଥା ପଡ଼ୁ । ଏ କର୍ମଚାରୀମାନଙ୍କର ବଡ଼ ଆଡା ଜୋହାନ୍‌ସବର୍ଗରେ ଥିଲା । ମୁଁ ଦେଖିପାରୁଥିଲି ଯେ, ଏହି କର୍ମଚାରୀମାନେ ଭାରତୀୟ, ଚୀନବାସୀ ପ୍ରଭୃତିଙ୍କ ରକ୍ଷକ ନ ହୋଇ ବରଂ ତାଙ୍କର ଭକ୍ଷକ ହେଉଥିଲେ । ପ୍ରତିଦିନ ମୋ ପାଖେ ଏହିଭଳି ଅଭିଯୋଗ ସବୁ ଆସି ପହଞ୍ଚୁଥିଲା—‘‘ଯାହାଙ୍କର ଆସିବାର ଅଧିକାର ଅଛି ସେମାନେ ଆସି ପାରୁନାହାନ୍ତି ଏବଂ ଯାହାଙ୍କର କୌଣସି ଅଧିକାର ନାହିଁ ସେମାନେ ଶହ ଶହ ପାଉଣ୍ଡ ଘୁଷ୍‍ ଦେଇ ପଶି ଆସୁଛନ୍ତି । ଏହାର ପ୍ରତିକାର ଆପଣ ନ କରନ୍ତି ତ ଆଉ କରିବ କିଏ ?’’ ମୋ ମନ ଭିତରେ ମଧ୍ୟ ସେହି ଭାବ ଉଠୁଥିଲା । ଏ ପାପ ମୁଁ ଯଦି ମୁଳପୋଛ କରି ନ ପାରିଲି, ତେବେ ମୋର ଟ୍ରାନ୍‌ସଭାଲରେ ରହିବା ବୃଥା ।

 

ମୁଁ ପ୍ରମାଣ ସଂଗ୍ରହ କରିବାକୁ ଲାଗିଯାଇଥିଲି ଏବଂ ଯେତେବେଳେ ଯଥେଷ୍ଟ ପ୍ରମାଣ ଜମିଗଲା, ମୁଁ ପୁଲିଶ କମିଶନରଙ୍କ ପାଖକୁ ଯାଇଥିଲି । ତାଙ୍କଠାରେ ଦୟା ଓ ନ୍ୟାୟବିଚାର ଥିଲାପରି ଲାଗିଥିଲା । ସେ ମୋ କଥାକୁ ଉଡ଼ାଇ ନ ଦେଇ ମନଦେଇ ଶୁଣିଥିଲେ ଏବଂ ପ୍ରମାଣ ଦେବାକୁ ମତେ କହିଥିଲେ । ସାକ୍ଷୀମାନଙ୍କ ଇଜାହାର ସେ ନିଜେ ଲେଖି ନେଇଥିଲେ ଓ ମୋ କଥାରେ ତାଙ୍କର ପ୍ରତ୍ୟୟ ହୋଇଥିଲା । ଦକ୍ଷିଣ ଆଫ୍ରିକାରେ ଗୋରା ଜୁରୀଙ୍କ ଦ୍ୱାରା କଳାଲୋକଙ୍କ ଅଭିଯୋଗରେ ଗୋରା ଅପରାଧୀଙ୍କୁ ଦଣ୍ଡ ଦିଆଇବା କାଠିକର ପାଠ ଥିଲା ବୋଲି ମୁଁ ଯେମିତି ଜାଣିଥିଲି, ସେ ମଧ୍ୟ ସେମିତି ଜାଣିଥିଲେ । ଯାହାହେଉ ସେ କହିଥିଲେ, ‘‘ତଥାପି ଚେଷ୍ଟା କରି ଦେଖାଯାଉ । ଜୁରୀଙ୍କ ହାତରେ ଖଲାସ ହୋଇଯିବେ—ଏ ଡରରେ ଏପରି ଦୋଷୀଙ୍କୁ ନ ଧରିବା ଠିକ୍‌ ନୁହେଁ । ମୁଁ ତ ସେମାନଙ୍କୁ ନିଶ୍ଚୟ ଗିରଫ କରେଇ ନେବି । ମୁଁ ଜବାବ ଦେଉଛି ଯେ, ମୁଁ ଲେଶମାତ୍ର ତ୍ରୁଟି କରିବି ନାହିଁ ।’’

 

ମୋର ତାଙ୍କ କଥାରେ ନିଶ୍ଚୟ ବିଶ୍ୱାସ ହୋଇଥିଲା । ଅନେକ ଅଫିସରଙ୍କ ଉପରେ ମୋର ସନ୍ଦେହ ଥିଲା; ମାତ୍ର ସେ ସମସ୍ତଙ୍କ ବିରୁଦ୍ଧରେ ମୋ ପାଖରେ କଚା ପ୍ରମାଣ ଥିଲା । ଦି’ଜଣଙ୍କ ଦୋଷ ସମ୍ବନ୍ଧରେ ମୋର ତିଳେ ହେଲେ ସନ୍ଦେହ ନ ଥିଲା । ସେ ଦୁଇ ଜଣଙ୍କ ନାରେ ଓ୍ୟାରେଣ୍ଟ ଜାରି ହୋଇଥିଲା ।

 

ମୋର ଗତିବିଧି କେବେ ଲୁଚି ରହିପାରୁ ନ ଥିଲା । ମୁଁ ଯେ ପୁଲିଶ କମିଶନରଙ୍କ ପାଖକୁ ପ୍ରାୟ ପ୍ରତିଦିନ ଯାଉଥିଲି, ଏ କଥା ଅନେକ ଲୋକ ଜାଣିଥିଲେ । ଏ ଦୁଇ ଜଣ କର୍ମଚାରୀଙ୍କର ଛୋଟ ବଡ଼ ଗୁପ୍ତଚର ସବୁ ଥିଲେ । ସେମାନେ ମୋ ଅଫିସ ଆଖପାଖରେ ଉଣ୍ଡି ବୁଲୁଥିଲେ ଏବଂ ମୋ ଗତିବିଧି ସେ କର୍ମଚାରୀଙ୍କୁ ଶୁଣାଉଥିଲେ । ଏତକ ମୁଁ ଜଣେଇ ଦେଇପାରେ ଯେ, ଏ ଦୁଇ ଜଣଙ୍କ ପ୍ରତି ଏତେ ବିରକ୍ତି ଥିଲା ଯେ ସେମାନଙ୍କୁ କେବେହେଲେ ବହୁ ସଂଖ୍ୟାରେ ଗୁପ୍ତଚର ମିଳୁ ନ ଥିବେ । ଭାରତୀୟ ଓ ଚୀନାମାନେ ମତେ ସାହାଯ୍ୟ ନ କରିଥିଲେ, ସେମାନେ ଗିରଫ ହୋଇପାରି ନ ଥାନ୍ତେ ।

 

ତାଙ୍କ ଭିତରୁ ଜଣେ ଫେରାର ହୋଇଥିଲା । ପୁଲିଶ କମିଶନର ତା ନାଁରେ ଫେରାରୀ ଓ୍ୟାରେଣ୍ଟ କାଢ଼ି ତାଙ୍କୁ ଟ୍ରାନସଭାଲକୁ ଧରାଇ ଆଣିଥିଲେ । ସେମାନଙ୍କ ବିଚାର ହୋଇଥିଲା । ତାଙ୍କ ବିରୋଧରେ ବଳବତ୍ତର ପ୍ରମାଣ ଥିଲା ଓ ସେଥିରୁ ଜଣେ ଫେରାର ହେବାର ପ୍ରମାଣ ଜୁରୀମାନେ ପାଇଥିଲେ, ତଥାପି ସେ ଦୁଇ ଜଣ ଖଲାସ ପାଇଥିଲେ ।

 

ମୁଁ ବଡ଼ ନିରାଶ ହୋଇଥିଲି । ପୁଲିସ କମିଶନରଙ୍କର ମଧ୍ୟ ବଡ଼ ଦୁଃଖ ହୋଇଥିଲା । ଓକିଲାତି ବ୍ୟବସାୟ ପ୍ରତି ମୋର ଘୃଣାଜାତ ହୋଇଥିଲା । ଅପରାଧକୁ ଲୁଚେଇ ରଖିବାପାଇଁ ବୁଦ୍ଧିର ବ୍ୟଭିଚାର ଦେଖି ସେ ବୁଦ୍ଧିପ୍ରତି ମୋର ମନ ଉକୁଟି ଯାଇଥିଲା ।

 

ମାତ୍ର ସେ ଦୁଇ ଜଣଙ୍କ ଅପରାଧ ଏତେ ମାତ୍ରାରେ ପଦାରେ ପଡ଼ିଯାଇଥିଲା ଯେ, ଖଲାସ ସତ୍ତ୍ୱେ ସରକାର ତାଙ୍କୁ ଆଉ ଚାକିରିରେ ରଖିପାରି ନ ଥିଲେ । ଚାକିରିରୁ ଦୁହେଁ ତଡ଼ା ଖାଇଥିଲେ । ଫଳରେ ଛାଡ଼ ବିଭାଗ ଟିକିଏ ସଫା ହୋଇଥିଲା ଏବଂ ଲୋକେ ଟିକିଏ ଆଶ୍ୱସ୍ତ ହୋଇଥିଲେ ଏବଂ ସାହସ ମଧ୍ୟ ଆସିଥିଲା ।

 

ଏହି ଘଟଣାରେ ମୋର ପ୍ରତିଷ୍ଠା ବଢ଼ି ଯାଇଥିଲା । ମୋ ଓକିଲାତି ଚେଇଁ ଉଠିଥିଲା । ଲୋକଙ୍କର ଯେ ଶହ ଶହ ପାଉଣ୍ଡ ଘୁଷରେ ଯାଉଥିଲା, ସେଥିରୁ ବହୁତ ରହିଗଲା । ଘୁଷ୍‌ ଏକଦମ୍‌ ବନ୍ଦ ହୋଇଥିଲା ବୋଲି କହିହେବ ନାହିଁ । ଅସତଲୋକେ ତେବେ ସୁଦ୍ଧା ଚରିବୁଲି ଖାଉଥିଲେ । ମାତ୍ର ସତଲୋକଙ୍କ ପକ୍ଷରେ ନିଜର ସାଧୁତା ବଜାୟ ରଖିବା ସମ୍ଭବ ହୋଇ ଯାଇଥିଲା ।

 

ଏ କର୍ମଚାରୀ ଦୁଇ ଜଣ ଏତେ ଅଧମ ଥିଲେ ମଧ୍ୟ ବ୍ୟକ୍ତିଗତ ଭାବରେ ତାଙ୍କ ବିରୁଦ୍ଧରେ ମୋ ମନରେ କିଛି ନ ଥିଲା । ସେମାନେ ମୋର ସ୍ୱଭାବ କାଣିଥିଲେ ଏବଂ ସେମାନଙ୍କର ଦୁଃଖ ସମୟରେ ଯେତେବେଳେ ସାହାଯ୍ୟ କରିବା କଥା ଉଠିଥିଲା, ମୁଁ ସେମାନଙ୍କୁ ସାହାଯ୍ୟ କରିଥିଲି । ଜୋହାନ୍‌ସବର୍ଗ ମ୍ୟୁନିସିପାଲିଟିରେ ମୋ ପକ୍ଷରୁ ଆପତ୍ତି ନ ହେଲେ ଏମାନଙ୍କୁ ଚାକିରି ଖଣ୍ଡେ ଖଣ୍ଡେ ମିଳିବାର ସମ୍ଭାବନା ଥିଲା । ତାଙ୍କର ଜଣେ ବନ୍ଧୁ ମୋ ପାଖକୁ ଏହି ସମ୍ପର୍କରେ ଆସିଥିଲେ; ମୁଁ ମଧ୍ୟ ଚାକିରି ପାଇବାରେ ସାହାଯ୍ୟ କରିବାକୁ ଜବାବ ଦେଇଥିଲି । ତାଙ୍କର ଚାକିରି ମଧ୍ୟ ଜୁଟି ଯାଇଥିଲା ।

 

ଏହାର ଫଳ ଏୟା ହେଲା ଯେ, ଯେଉଁ ଗୋରାଙ୍କ ସମ୍ପର୍କରେ ମୁଁ ଆସୁଥିଲି, ସେମାନେ ମୋ ସମ୍ଭନ୍ଧରେ ନିର୍ଭୟ ରହୁଥିଲେ, ଯଦିଓ ସେମାନଙ୍କ ବିଭାଗ ବିରୁଦ୍ଧରେ ବହୁତ ଥର ଲଢ଼ିବାକୁ ପଡ଼ୁଥିଲା ଏବଂ ସେଥିପାଇଁ କଡ଼ା କଥା କହିବାକୁ ପଡ଼ୁଥିଲା; ତଥାପି ସେମାନେ ମୋ ସହିତ ବେଶ୍‌ ମଧୁର ସମ୍ବନ୍ଧ ରଖୁଥିଲେ । ମୁଁ ସେତେବେଳେ ଜାଣି ନ ଥିଲି ଯେ ଏଭଳି ଆଚରଣ ମୋର ସ୍ୱଭାବଗତ ଥିଲା । ଏଭଳି ଆଚରଣରେ ସତ୍ୟାଗ୍ରହର ମୂଳ ରହିଛି ଏବଂ ଏହା ଯେ ଅହିଂସାର ଏକ ଅଙ୍ଗ—ଏ କଥା ମୁଁ ପରେ ବୁଝି ପାରିଥିଲି ।

 

ମନୁଷ୍ୟ ଏବଂ ତାହାର କାର୍ଯ୍ୟ—ଏ ଦୁଇଟି ସ୍ୱତନ୍ତ୍ର ଜିନିଷ । ଭଲ କାମ ପ୍ରତି ଆଦର ଏବଂ ଖରାପ କାମ ପ୍ରତି ଘୃଣା ମନରେ ହେବା ଉଚିତ । ଭଲ ମନ୍ଦ କାମ କରିବା ଲୋକଙ୍କ ପ୍ରତି ସବୁବେଳେ ଆଦର କିମ୍ବା ଦୟା ହେବା ଉଚିତ । ଏ ଜିନିଷ ବୁଝିବାକୁ ସହଜ ହେଲେ ସୁଦ୍ଧା ଏହାକୁ କାର୍ଯ୍ୟରେ ଅତି କମ୍‌ କରାଯାଇଥାଏ, ଏହାର ଫଳରେ ଦୁନିଆରେ ଏତେ ବିଷ ଘୋଟିଯାଉଛି ।

 

ସତ୍ୟର ଅନୁସନ୍ଧାନ ମୂଳରେ ଏହି ଅହିଂସା ରହିଛି । ସେ ଅହିଂସାକୁ ନ ପାଇଲେ ସତ୍ୟ କେବେ ମିଳିବ ନାହିଁ, ଏହା ମୁଁ ତ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି । କୌଣସି ତନ୍ତ୍ର ବା କାମର ବିରୋଧ ଶୋଭାପାଏ; ମାତ୍ର ତନ୍ତ୍ରୀ ବା କାମ କରିବା ଲୋକର ବିରୋଧ କରିବା ନିଜର ବିରୋଧ କରିବା ସଙ୍ଗେ ସମାନ । କାରଣ ଆମେ ସମସ୍ତେ ସେହି ଏକା ତୁଳୀରେ ଚିତ୍ରିତ । ସେହି ଏକ ସୃଷ୍ଟିକର୍ତ୍ତାଙ୍କର ସନ୍ତାନ । ତନ୍ତ୍ରୀ ଭିତରେ ଅନନ୍ତ ଶକ୍ତି ନିହିତ ଅଛି । ତନ୍ତ୍ରୀର ଅନାଦର ବା ଘୃଣା କରିବା ଅର୍ଥ ସେହି ଅନନ୍ତ ଶକ୍ତିର ଅନାଦର କରିବା ଏବଂ ତା’ ଫଳରେ ତନ୍ତ୍ରୀ ତଥା ଜଗତର କ୍ଷତି ହୋଇଥାଏ ।

 

ପୁଣ୍ୟସ୍ମୃତି ଓ ପ୍ରାୟଶ୍ଚିତ୍ତ

 

ମୋ ଜୀବନରେ ଏମିତି ଅନେକ ଘଟଣା ଘଟିଥାଏ, ଯାହା ଫଳରେ ମୁଁ ଅନେକ ଜାତିର ଲୋକଙ୍କର ଗାଢ଼ ପରିଚୟ ପାଇପାରିଛି । ଏ ସମସ୍ତ ଅନୁଭୂତିରୁ ମୁଁ ଏହା କହିପାରେ ଯେ ମୁଁ ଆପଣା ପର, ଦେଶୀ ବିଦେଶୀ, ଗୋରା କଳା, ହିନ୍ଦୁ ଅହିନ୍ଦୁ, ସେମାନେ ଖ୍ରୀଷ୍ଟାନ୍‌, ମୁସଲମାନ, ପାର୍ଶୀ ବା ଇହୁଦି ଯାହା ହେଉନ୍ତୁ—ଏଭଳି କୌଣସି ପ୍ରଭେଦ ମନରେ ଆଣିନାହିଁ । ମୁଁ କହିପାରେ, ମୋର ହୃଦୟ ଏଭଳି ଭେଦକୁ କେବେହେଲେ ଜାଣିପାରି ନାହିଁ । ମୁଁ ଏହାକୁ ନିଜର ଗୋଟିଏ ବିଶେଷ ଗୁଣ ବୋଲି ଦାବି କରୁନାହିଁ । କାରଣ ଅହିଂସା, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ପ୍ରଭୃତି ନିୟମକୁ ପାଳିବାକୁ ଚେଷ୍ଟା କରୁଛି ବୋଲି ଏବଂ ସେ ଚେଷ୍ଟା ଆଜିଯାଏ ଚାଲିଛି ବୋଲି ଯେମିତି ମୋର ପୂର୍ଣ୍ଣ ଜ୍ଞାନ ଅଛି, ସେମିତି ଏ ‘ଅଭେଦ’ ପାଳିବାକୁ ଖାସ୍‌ ଚେଷ୍ଟା କରିଛି ବୋଲି ମୋର ମନେ ହେଉନାହିଁ-

 

ଯେଉଁ ସମୟରେ ମୁଁ ଡରବାନରେ ଓକିଲାତି କରୁଥିଲି, ସେତେବେଳେ ଅନେକ ସମୟରେ ମୋହରିରମାନେ ମୋ ଘରେ ରହୁଥିଲେ । ସେମାନଙ୍କ ମଧ୍ୟରେ ହିନ୍ଦୁ ଓ ଖ୍ରୀଷ୍ଟାନ ଥିଲେ, ପ୍ରଦେଶ ହିସାବରେ ଗୁଜୁରାଟୀ ଓ ମାନ୍ଦ୍ରାଜୀ ଥିଲେ । ସେମାନଙ୍କ ସମ୍ବନ୍ଧରେ ମୋ ମନରେ କେବେ ଭେଦଭାବ ସୃଷ୍ଟି ହୋଇଥିବାର ମୋର ସ୍ମରଣ ନାହିଁ । ମୁଁ ସେମାନଙ୍କୁ ପୂରାପୂରି ଆପଣା ପରିବାରର ଲୋକଭଳି ଦେଖୁଥିଲି ଏବଂ ସେଥିରେ ମୋର ସ୍ତ୍ରୀର ଯଦି କୌଣସି ଆପତ୍ତି ହେଉଥିଲା, ମୁଁ ତା’ର ବିରୋଧ କରୁଥିଲି । ଜଣେ ମୋହରିର ଖ୍ରୀଷ୍ଟାନ ଥିଲେ । ତାଙ୍କ ମା ବାପ ପଞ୍ଚମ (ଦକ୍ଷିଣୀ ହରିଜନ) ଜାତିର ଥିଲେ । ମୋ ଘରଟି ସାହେବୀ ଢଙ୍ଗରେ ତିଆରି ଥିଲା, ସେଥିପାଇଁ ଘରେ ମୂତନଳା ନ ଥିଲା । ନଳା ରଖିବା ଉଚିତ ମଧ୍ୟ ନ ଥିଲା । ସେଥିପାଇଁ ନଳା ପରିବର୍ତ୍ତରେ ପ୍ରସାବ ପାଇଁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ପାତ୍ର ରଖାଯାଉଥିଲା । ଚାକର ବା ମେହେନ୍ତରଙ୍କ ଦ୍ୱାରା ସେ ପାତ୍ର ସଫା କରେଇବା କାମ ନ କରେଇ ଆମେ ସ୍ୱାମୀ ସ୍ତ୍ରୀ ସେ କାମ କରୁଥିଲୁ । ହଁ, ଯେଉଁ ମୋହରିରମାନେ ଆମ ଆପଣା କୁଟୁମ୍ବ ଭଳି ଚଳୁଥିଲେ ସେମାନେ ନିଜେ ମଧ୍ୟ ସଫା କରି ନେଉଥିଲେ । ମାତ୍ର ଏ ପଞ୍ଚମକୂଳରେ ଜାତ ମୋହରିରଟି ନୂଆ ଆସିଥିଲା । ତା ପାତ୍ରଟି ସଫା କରିବା ଥିଲା ଆମର କାମ । ମୋର ସ୍ତ୍ରୀ ଅନ୍ୟମାନଙ୍କ ପାତ୍ର ସଫା କରିବା କାମ ଚଳେଇ ନେଉଥିଲା; କିନ୍ତୁ ୟା ବେଳକୁ ମନ ଆଉ ଚଳି ନ ଥିଲା । ଆମ ଦି ଜଣଙ୍କ ଭିତରେ କଳି ଲାଗିଥିଲା । ସେ ନିଜେ ତାକୁ ସଫା କରିବା ପସନ୍ଦ କରୁ ନ ଥିଲା ଏବଂ ମୁଁ ଯେ ତାକୁ ସଫା କରିବି, ସେ ସେକଥା ସହିପାରୁ ନ ଥିଲା । ମତେ ଗାଳିଦେଇ ରାଗରେ ଆଖି ଲାଲ ଲାଲ କରି ଆଖିରୁ ଝର ଝର ଲୁହ ଗଡ଼େଇ ସେ ପ୍ରସାବ ପାତ୍ରଟି ହାତରେ ଧରି କସ୍ତୁର୍‌ବାଈ ସିଡ଼ିରୁ ଓହ୍ଲାଇ ଆସିବା ଚିତ୍ର ଆଜି ମୋ ଆଖି ଆଗରେ ନାଚୁଛି ।

 

ମାତ୍ର ମୁଁ ଯେତିକି ଦୟାଳୁ ସ୍ୱାମୀ ଥିଲି, ସେତିକି ନିଷ୍ଠୁର ମଧ୍ୟ ଥିଲି । ମୁଁ ନିଜକୁ ତାହାର ଶିକ୍ଷକ ମନେ କରୁଥିଲି । ଫଳରେ ନିଜର ଅନ୍ଧ ପ୍ରେମର ବଶ ହୋଇ ମୁଁ ତାକୁ ପୂରାପୂରି କଷ୍ଟ ଦେଉଥିଲି । ଏହି କାରଣରୁ କେବଳ ସେ ପାତ୍ରଟି ଉଠାଇ ନେଲା ବୋଲି ମୋର ସନ୍ତୋଷ ହୋଇ ନ ଥିଲା । ସେ ହସହସ ମୁହଁରେ ତାହା ଉଠାଇ ନେଇଥିଲେ ମୁଁ ଖୁସି ହୋଇଥାନ୍ତି । ସେଥିପାଇଁ ମୁଁ ଦି’ପଦ ବଡ଼ପାଟି କରି କହିଥିଲି । ମୁଁ ବଡ଼ ବଡ଼ କରି କହି ପକେଇଥିଲି, ‘‘ଏ ସବୁ କଳି ମୋ ଘରେ ଚଳିବ ନାହିଁ ।’’

 

ମୋର ଏତକ କଥାରେ ତା’ ଦେହରେ ଛୁରୀ ଚାଲିଯାଇଥିଲା । ସେ ବି ଜଳି ଉଠିଥିଲା–‘‘ନିଅ, ତମ ଘର ରଖ, ମୁଁ ଯାଉଛି ।’’

 

ମୁଁ ତ ଭଗବାନଙ୍କୁ ପାସୋରି ପକେଇଥିଲି । ଟିକିଏ ହେଲେ ଦୟା ମନରେ ନ ଥାଏ । ସିଡ଼ି ସାମନାରେ ବାହାରକୁ ଯିବାପାଇଁ ଦୁଆର ଥାଏ । ମୁଁ ଏ ବିଚାରୀ ଅବଳାକୁ ଧରି ଦୁଆରଯାଏ ଟାଣି ନେଇଗଲି । କବାଟ ଅଧେ ଫିଟେଇଲି । ମୋ ଆଖିରୁ ଗଙ୍ଗା ଯମୁନାଧାର ବୋହୁଥାଏ ଏବଂ କସ୍ତୁର୍‌ବାଈ କହିଥିଲା ‘‘ତମକୁ ତ ଲାଜ ନାହିଁ । ମୋର ଅଛି, ଟିକିଏ ଲାଜ ମାଡ଼ୁ । ମୁଁ ବାହାରକୁ ଯାଇ ଯିବି କୁଆଡ଼େ ? ଏଠି ମା’ ବାପ ନାହାଁନ୍ତି ଯେ ତାଙ୍କ ପାଖକୁ ଯିବି । ମୁଁ ସ୍ତ୍ରୀଲୋକ ବୋଲି ତମର ସବୁ ମାଡ଼ ଗାଳି ଖାଇ ରହିଛି । ଏବେ ଟିକିଏ ଲାଜ ମାଡ଼ୁ ଏବଂ କବାଟ ବନ୍ଦ କର । କେହି ଦେଖିବ ତ ଦି’ ଜଣକରୁ କାହାରି ଇଜ୍ଜତ ରହିବ ନାହିଁ ।’’

 

ମୁଁ ଖୁବ୍‌ ମୁହଁ ଟାଣ ତ ରଖିଲି, ମାତ୍ର ପ୍ରକୃତରେ ଲାଜ ମାଡ଼ିଥିଲା । କବାଟଟି କିଳି ଦେଇଥିଲି । ଯେବେ ସ୍ତ୍ରୀ ମତେ ଛାଡ଼ି ଯାଇପାରିବ ନାହିଁ, ମୁଁ ମଧ୍ୟ ତାକୁ ଛାଡ଼ିବି କୁଆଡ଼େ ? ଏହିଭଳି ଆମ ଭିତରେ ଅନେକଥର କଳି ହୋଇଯାଇଛି, କିନ୍ତୁ ସବୁଥର ଫଳ ମଙ୍ଗଳ ହୋଇଛି । ସ୍ତ୍ରୀ ତାର ଅଭୁତ ଶକ୍ତିରେ ଜିତିଲେ ।

 

ଏ ସବୁ ଘଟଣା ମୋର ପ୍ରଥମ ଜୀବନର କଥା । ସେଥିପାଇଁ ସେ ସବୁ ଆଜି ମୁଁ ନିର୍ଲିପ୍ତ ଭାବରେ ବର୍ଣ୍ଣନା କରିପାରୁଛି । ଆଜି ଆଉ ମୁଁ ମୋହାନ୍ଧ ପତି ନୁହେଁ ବା ଶିକ୍ଷକ ମଧ୍ୟ ନୁହେଁ । ଇଚ୍ଛା କଲେ ତ କସ୍ତୁରବାଈ ମତେ ଆଜି ଧମକେଇପାରେ । ଆଜି ଆମେ ପରୀକ୍ଷିତ ବନ୍ଧୁ ଓ ପରସ୍ପର ପ୍ରତି କାମଶୂନ୍ୟ ହୋଇଛୁ । ସେ କୌଣସି ପ୍ରତିଦାନ ଆଶା ନ କରି ମୋର ବେମାରୀ ସମୟରେ ଚାକରାଣୀ ପରି ସେବାକରିଛି ।

 

ଏ ଘଟଣା ୧୮୯୮ର । ସେତେବେଳକୁ ବ୍ରହ୍ମଚର୍ଯ୍ୟ ପାଳନ ସମ୍ବନ୍ଧରେ ମୋର କୌଣସି ଜ୍ଞାନ ନ ଥିଲା । ସେ ବେଳ ଏମିତି ଥିଲା, ଯେତେବେଳେ ସ୍ତ୍ରୀ ଯେ କେବଳ ସହଧର୍ମିଣୀ, ସହକର୍ମିଣୀ ଏବଂ ସୁଖ ଦୁଃଖରେ ସାଥୀ, ଏହା ମୋର ସାଫ ଧାରଣା ନ ଥିଲା । ସେ ଉପଭୋଗର ସାମଗ୍ରୀ, ସ୍ୱାମୀର ଆଜ୍ଞା ଯାହା ହେଉ ପଛକେ ତାହା ମାନିବାକୁ ସୃଷ୍ଟି ହୋଇଛି, ଏହିପରି ମନେକରି ମୁଁ ବ୍ୟବହାର କରୁଥିଲି—ଏତକ ମୁଁ ଜାଣେ ।

 

କିନ୍ତୁ ୧୯୦୦ ସାଲରେ ମୋର ଚିନ୍ତାଧାରାରେ ଗୁରୁତର ପରିବର୍ତ୍ତନ ହୋଇଗଲା ଏବଂ ୧୯୦୬ ରେ ତାହା ମୋ ଜୀବନରେ ମୂର୍ତ୍ତିମନ୍ତ ହୋଇଥିଲା । ମାତ୍ର ଏହାର ବିବରଣ ଯଥାସ୍ଥାନରେ ଦେବି ।

 

ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ମୁଁ କାମଶୂନ୍ୟ ହେବା ସଙ୍ଗେ ସଙ୍ଗେ ଘର ସଂସାର କ୍ରମେ ଶାନ୍ତିମୟ, ନିର୍ମଳ ଓ ସୁଖଦାୟକ ହୋଇଥିଲା ଏବଂ ବର୍ତ୍ତମାନ ମଧ୍ୟ ହୋଇଚାଲିଛି ।

 

ଏ ପୁଣ୍ୟସ୍ମୃତିର ବର୍ଣ୍ଣନା କେହି ଯେମିତି ମନେ ନ କରନ୍ତି ଯେ, ଆମେ ଦୁହେଁ ଆଦର୍ଶ ଦମ୍ପତି ବା ମୋର ସ୍ତ୍ରୀର କିଛି ଦୋଷ ନାହିଁ କିମ୍ବା ଆମ ଆଦର୍ଶରେ ଏବେ ପୂର୍ଣ୍ଣ ମେଳ ଅଛି । ତା’ର କୌଣସି ସ୍ୱତନ୍ତ୍ର ଆଦର୍ଶ ଅଛି କି ନାହିଁ ତାହା କସ୍ତୁରବାଈକୁ ନିଜେ ଜଣା ନାହିଁ । ମୋର ମନେ ହୁଏ, ମୋର ବହୁତ କାର୍ଯ୍ୟକଳାପ ଆଜି ମଧ୍ୟ ତାର ପସନ୍ଦ ହୁଏ ନାହିଁ । ଆମେ ସେ ବିଷୟରେ କେବେ ଚର୍ଚ୍ଚା କରୁନାହିଁ, ଚର୍ଚ୍ଚାରେ ଲାଭ କିଛି ନାହିଁ । ତା’ ବାପ ମା ତାକୁ ଶିକ୍ଷା ଦେଇନାହାନ୍ତି କିମ୍ବା ଯେତେବେଳେ ବେଳ ଥିଲା, ମୁଁ ମଧ୍ୟ ତାକୁ ଶିକ୍ଷା ଦେଇ ନାହିଁ । କିନ୍ତୁ ଗୋଟିଏ ଗୁଣ, ଯାହା ବହୁତ ହିନ୍ଦୁ ସ୍ତ୍ରୀଙ୍କଠାରେ ଅଳ୍ପ ବହୁତ ଥାଏ; ତାହା ବହୁ ପରିମାଣରେ ତା’ଠାରେ ଅଛି । ତାହା ହେଉଛି ଏୟା—ଇଚ୍ଛାପୂର୍ବକ ହେଉ ବା ଅନିଚ୍ଛାପୂର୍ବକ ହେଉ, ଜାଣିକରି ହେଉ ବା ଅଜାଣତରେ ହେଉ, ମତେ ଅନୁସରଣ କରିବାରେ ସେ ନିଜର ଜୀବନକୁ ସାର୍ଥକ ମଣିଛି ଏବଂ ସଂଯମୀ ଜୀବନ କଟେଇବାରେ ମତେ କେବେ ବାଧା ଦେଇ ନାହିଁ । ଏହି କାରଣରୁ ଯଦିଓ ଆମ ଦୁହିଙ୍କ ବୁଦ୍ଧିଶକ୍ତିରେ ବହୁତ ପ୍ରଭେଦ ଅଛି—ତଥାପି ମୋର ଧାରଣା, ଆମ ଜୀବନ ସୁଖମୟ, ଶାନ୍ତିମୟ ଓ ଉନ୍ନତିଶୀଳ ହୋଇଛି ।

 

ଇଂରେଜଙ୍କ ସଙ୍ଗେ ଗାଢ଼ ପରିଚୟ

 

ଏ ଅଧ୍ୟାୟଯାଏ ଆସି ଏବେ ସମୟ ଆସିଛି ଯେ ଆତ୍ମକାହାଣୀ କିପରି ଲେଖାଯାଉଛି ତାହା ପାଠକମାନଙ୍କୁ ଜଣେଇଦେବା ଆବଶ୍ୟକ । ଯେତେବେଳେ ଏ କାହାଣୀ ଲେଖିବା ଆରମ୍ଭ କରିଥିଲି, ସେତେବେଳେ ତାହାର କୌଣସି ଯୋଜନା ମୋ ପାଖରେ ତିଆରି ନ ଥିଲା । ମୋ ପାଖରେ କୌଣସି ବହି, ଡାଇରୀ (ଦିନଲିପି) ବା ଅନ୍ୟ ଚିଠିପତ୍ର ରଖି ମୁଁ ଏ ସବୁ ଲେଖି ବସି ନାହିଁ-

 

ଲେଖିବା ଦିନ ଅନ୍ତର୍ଯ୍ୟାମୀ ଯେମିତି ଚଳେଇ ନିଅନ୍ତି, ସେମିତି ଲେଖେ ବୋଲି କହିପାରେ । ତା’ର ବୋଲି ମୁଁ ନିଶ୍ଚିତ ଦାବି କରିପାରୁ ନାହିଁ ଯେ, ମୋର ପ୍ରତ୍ୟେକ ଚିନ୍ତା, କାର୍ଯ୍ୟ ସେହି ଅନ୍ତର୍ଯ୍ୟାମୀଙ୍କ ଦ୍ୱାରା ପରିଚାଳିତ ହୁଏ । ପରନ୍ତୁ ବହୁବର୍ଷ ଧରି ମୋର ସବୁଠୁ ବଡ଼ କାମ ବୋଲାଉଥିବା ବା ସବୁଠୁ ଛୋଟ ବୋଲାଉଥିବା ଯେତେ ଯାହା କାମ କରି ଆସୁଛି, ସେ ସମସ୍ତ ନିରୀକ୍ଷଣ କଲେ ମୋର ଏହା କହିବା ଅନୁଚିତ ହେବ ନାହିଁ ଯେ, ସେ ସବୁ ଅନ୍ତର୍ଯ୍ୟାମୀଙ୍କ ଆଦେଶରେ ଘଟିଛି ।

 

ମୁଁ ଅନ୍ତର୍ଯ୍ୟାମୀଙ୍କୁ ଦେଖିନାହିଁ କି ଜାଣିନାହିଁ । ଈଶ୍ୱରଙ୍କଠାରେ ସଂସାରରେ ସାଧାରଣଙ୍କର ଯାହା ବିଶ୍ୱାସ, ସେହି ବିଶ୍ୱାସକୁ ମୁଁ ଆପଣାର କରିନେଇଛି । ମୋର ବିଶ୍ୱାସ ଲିଭିବାର ନୁହେଁ । ସେଥିପାଇଁ ମୋର ଏ ବିଶ୍ୱାସକୁ ମୁଁ ଅନୁଭୂତି ବୋଲି ମଣେ । ତଥାପି ଏହାକୁ ଏଭଳି ଅନୁଭୂତି ଭଳି ମଣିବା ମଧ୍ୟ ସତ୍ୟ ଭପରେ ଏକପ୍ରକାର ଆଘାତ କରିବା ଅଟେ । ସେଥିଯୋଗୁଁ ତାହାର ଶବ୍ଦରୂପେ ଚିହ୍ନେଇ ଦେବାପାଇଁ ମୋ ପାଖରେ ଶବ୍ଦ ନାହିଁ କହିଲେ, ଅଧିକ ଠିକ୍‌ ହେବ ।

 

ମୋର ବିଶ୍ୱାସ ମୁଁ ଏହି ଅଦୃଶ୍ୟ ଅନ୍ତର୍ଯ୍ୟମୀଙ୍କ ନିର୍ଦ୍ଦେଶରେ ଏ କାହାଣୀ ଲେଖିଯାଉଛି । ପୂର୍ବ ଅଧ୍ୟାୟ ଲେଖିଲାବେଳେ ତା’ର ନାମ ‘ଇଂରେଜଙ୍କ ପରିଚୟ’ ରଖିଥିଲି । କିନ୍ତୁ ସେ ଅଧ୍ୟାୟ ଲେଖୁ ଲେଖୁ ଦେଖିଲି ଯେ, ଏ ପରିଚୟ କଥା ଲେଖିବା ପୂର୍ବରୁ ମୋର ଏ ପୁଣ୍ୟସ୍ମୃତି ଲେଖିବାର ଆବଶ୍ୟକତା ଅଛି । ସେଥିପାଇଁ ସେ ଅଧ୍ୟାୟକୁ ଲେଖିଲି ଏବଂ ଲେଖିସାରି ତା’ର ଶିରୋନାମା ବଦଳେଇଦେଲି ।

 

ଏବେ ଏ ଅଧ୍ୟାୟ ଲେଖିବାକୁ ଯାଇ ଆଉ ଗୋଟିଏ ନୂଆ ଧର୍ମସଂକଟ ଆସି ପହଞ୍ଚିଯାଇଛି । ଯେଉଁ ଇଂରେଜ ବନ୍ଧୁମାନଙ୍କ କଥା ମୁଁ ଲେଖିବାକୁ ଯାଉଛି, ସେମାନଙ୍କ ସମ୍ବନ୍ଧରେ କେଉଁ ବିଷୟଗୁଡ଼ିକ ଲେଖିବି ଓ କେଉଁଗୁଡ଼ିକ ନ ଲେଖିବି, ତାହା ସ୍ଥିର କରିବା ମୋ ପକ୍ଷରେ ଏକ ଗୁରୁତର ସମସ୍ୟା ହୋଇପଡ଼ିଛି । ପ୍ରାସଙ୍ଗିକ କଥା ବାଦ ଦେଲେ ସତ୍ୟ ମଳିନ ହୋଇଯିବ; କିନ୍ତୁ ଏ ଆତ୍ମକାହାଣୀଟା ଲେଖିବା ଆଦୌ ପ୍ରାସଙ୍ଗିକ କି ନା ସେ ବିଷୟରେ ଯେତେବେଳେ ମୁଁ ନିଶ୍ଚିତ ନୁହେଁ, ସେତେବେଳେ କେଉଁ ଜିନିଷଟା ପ୍ରାସଙ୍ଗିକ ଓ କେଉଁଟା ଅପ୍ରାସଙ୍ଗିକ ଏ କଥା ସ୍ଥିର କରିବା କଠିନ ।

 

ଆତ୍ମକଥା ମାତ୍ରେ ହିଁ ଇତିହାସ ଦୃଷ୍ଟିରୁ ଅପୂର୍ଣ୍ଣ ଏବଂ ଆତ୍ମକଥା ଲେଖିବାରେ ବହୁତ ଅଡ଼ୁଆ ଅସୁବିଧା ହୋଇଥାଏ, ଏହା ମୁଁ ପୂର୍ବେ ପଢ଼ିଥିଲି । ଏବେ ତା’ର ଅର୍ଥ ମୁଁ ବେଶ ବୁଝୁଛି । ଯେତେ ବିଷୟ ମୋର ମନେ ଅଛି, ସେ ସବୁ ଯେ ମୁଁ ଏ ସତ୍ୟର ପ୍ରୟୋଗର ଆତ୍ମକଥାରେ ଦେଇନାହିଁ, ଏ କଥା ମୁଁ ଜାଣେ । ସତ୍ୟକୁ ଦେଖାଇବାପାଇଁ କେତେ ବିଷୟ ଦେବା ଉଚିତ ତାହା କିଏ କହିପାରିବ ? କିମ୍ବା ଏକତରଫା ଅପୂର୍ଣ୍ଣ ପ୍ରମାଣର ମୂଲ୍ୟ ବିଚାରାଳୟରେ କେତେ ତାହା କିଏ କହିବ ? ଲେଖିବା ଅଧ୍ୟାୟଗୁଡ଼ିକ ଉପରେ ଯଦି କେହି ଜଣେ କାମ ନ ଥିବା ଲୋକ ମତେ ଜେରାକରେ, ତେବେ କେତେ ବେଶୀ ନୂଆଲୋକ ଏ ଲେଖା ପକେଇ ପାରିବ ? କିମ୍ବା ପୁଣି ସେ ଯଦି ସମାଲୋଚକ ଦୃଷ୍ଟିରେ ଯାଞ୍ଚ କରେ, ତେବେ ସେ ଫମ୍ପା ଜିନିଷ ବାହାର କରି ସେ ଦୁନିଆକୁ ହସେଇବ ଓ ନିଜେ ଫୁଲେଇ ହେବ ।

 

ସେଥିଯୋଗୁଁ ମୁଁ ମୁହୂର୍ତ୍ତକ ପାଇଁ ବିଚାରେ ଯେ ଏଇଠି ଏ କାହାଣୀ ଲେଖିବା ବନ୍ଦ କରିଦେବା ଠିକ୍‌ ହେବ ନାହିଁକି ? କିନ୍ତୁ ଆରମ୍ଭ କରିଥିବା କାମ ଅନ୍ୟାୟ ବୋଲି ସ୍ପଷ୍ଟ ଦେଖା ନ ଯିବାଯାଏ, ତାକୁ ଛାଡ଼ିବା ଉଚିତ ନୁହଁ—ଏହି ନୀତିରେ, ଯେ ପର୍ଯ୍ୟନ୍ତ ଅନ୍ତର୍ଯ୍ୟାମୀ ମନା କରୁଛନ୍ତି, ସେ ପର୍ଯ୍ୟନ୍ତ ଏହାକୁ ଲେଖୁଥିବି, ଏ ସିଦ୍ଧାନ୍ତ କରୁଛି ।

 

ମୁଁ ସମାଲୋଚକମାନଙ୍କୁ ସନ୍ତୁଷ୍ଟ କରିବାକୁ ଏ ଲେଖା ଲେଖୁନାହି । କାହାଣୀଟା ଲେଖିବାହିଁ ସତ୍ୟର ପ୍ରୟୋଗମାନଙ୍କ ମଧ୍ୟରେ ଅନ୍ୟତମ । ପୁଣି ମୋର ସହକର୍ମୀମାନଙ୍କୁ କିଛି ଆଶ୍ୱାସନା ମିଳିବ, ଏହା କାହାଣୀ ଲେଖାର ଗୋଟିଏ ଉଦ୍ଦେଶ୍ୟ । ପ୍ରକୃତରେ ମଧ୍ୟ ବନ୍ଧୁମାନଙ୍କ ସନ୍ତୋଷ ପାଇଁ ଏ ଲେଖା ଆରମ୍ଭ କରିଥିଲି । ସ୍ୱାମୀ ଆନନ୍ଦ ଓ ଜୟରାମ ଦାସ ମୋ ପଛରେ ଲାଗି ନ ଥିଲେ ଏ ଲେଖା ସମ୍ଭବତଃ ଆରମ୍ଭ ହୋଇ ନ ଥାନ୍ତା । ସେଥିପାଇଁ ମୋର ଏ ଲେଖାରେ ଦୋଷ ଥିବ ତ ସେଥିରେ ସେମାନେ ଭାଗୀ ଅଟନ୍ତି ।

 

ଏବେ ଏ ଅଧ୍ୟାୟର ଅସଲ କଥାକୁ ଆସେ । ଯେମିତି ମୁଁ ଭାରତୀୟ କିରାଣୀ ତଥା ଅନ୍ୟମାନଙ୍କୁ ମୋ ଘରେ କୁଟୁମ୍ୱଭଳି ରଖିଥିଲି, ସେମିତି ଇଂରେଜମାନଙ୍କୁ ମଧ୍ୟ ରଖିଥିଲି । ମୋର ଏ ଆଚରଣ ମୋ ସଙ୍ଗେ ରହୁଥିବା ସମସ୍ତଙ୍କର ପସନ୍ଦ ହେଉ ନ ଥିଲା, କିନ୍ତୁ ମୁଁ ସେମାନଙ୍କୁ ଜିଦ୍‌କରି ରଖୁଥିଲି । ସମସ୍ତଙ୍କୁ ରଖିବାରେ ମୁଁ ଯେ ବୁଦ୍ଧିମାନର କାମ କରୁଥିଲି, ତାହା କହିହେବ ନାହିଁ । କେତେକଙ୍କ ସମ୍ପର୍କରେ ତିକ୍ତ ଅଭିଜ୍ଞତା ମଧ୍ୟ ହୋଇଥିଲା । ମାତ୍ର ଏଭଳି ଅନୁଭୂତି ଦେଶୀ ତଥା ପରଦେଶୀ ଉଭୟଙ୍କ ସମ୍ପର୍କରେ ଘଟିଥିଲା । ଏ ସବୁ ଅନୁଭୂତି ପାଇଁ ମୋର ତିଳେ ହେଲେ ମନସ୍ତାପ ହେଉନାହିଁ । ଏ ସବୁ ଅନୁଭୂତି ସତ୍ତ୍ୱେ, ଅନ୍ୟ ବନ୍ଧୁଙ୍କୁ ଅସୁବିଧା ଓ କଷ୍ଟ ହେଉଥିବାର ଜ୍ଞାନସତ୍ତ୍ୱେ, ମୁଁ ନିଜର ଅଭ୍ୟାସ ଛାଡ଼ି ନ ଥିଲି ଏବଂ ବନ୍ଧୁମାନେ ମଧ୍ୟ ମୋର ଏ ହଟକୁ ଉଦାରଭାବରେ ସହି ଯାଉଥିଲେ । ଯେତେବେଳେ ନୂଆ ନୂଆ ଲୋକଙ୍କ ସହ ମୋର ସମ୍ପର୍କ ଯୋଗୁଁ ବନ୍ଧୁମାନେ କଷ୍ଟ ଅନୁଭବ କରିଛନ୍ତି, ସେତେବେଳେ ମୁଁ ବନ୍ଧୁମାନଙ୍କ ଦୋଷ ଦେଖିବାରେ ଦ୍ୱିଧା କରିନାହିଁ । କାରଣ ମୁଁ ମାନେ ଯେ, ଯେଉଁ ଈଶ୍ୱରବିଶ୍ୱାସୀ ମନୁଷ୍ୟ ନିଜର ଅନ୍ତରସ୍ଥିତ ଭଗବାନଙ୍କ ଦର୍ଶନ ସମସ୍ତଙ୍କଠାରେ ପାଉଥାଏ, ତାହାର ସବୁପ୍ରକାର ଲୋକଙ୍କ ସଙ୍ଗେ ଅନାସକ୍ତ ଭାବରେ ରହିବା ଶକ୍ତି ଥିବା ଆବଶ୍ୟକ ଏବଂ ସେ ଶକ୍ତି ଅର୍ଜନ କରିବାର ଉପାୟ ହେଉଛି, ଯେତେବେଳେ ଅଯାଚିତ ଭାବରେ ସୁଯୋଗ ଆସିବ, ସେତେବେଳେ ତାହାଠାରୁ ଦୂରକୁ ନ ପଳେଇ ନୂଆ ନୂଆ ସମ୍ପର୍କ ସ୍ଥାପନ କରିବ ଏବଂ ମୋଭଳି ଅବସ୍ଥାରେ ପଡ଼ି ସୁଦ୍ଧା ‘ରାଗଦ୍ୱେଷ ଶୂନ୍ୟ’ ରହିବ ।

 

ଏହି କାରଣରୁ ଯେତେବେଳେ ବୁଅର ଇଂରେଜ ଯୁଦ୍ଧ ଲାଗିଥିଲା, ସେତେବେଳେ ମୋର ଘରେ ଲୋକ ଭର୍ତ୍ତି ହୋଇଥିଲେ ସୁଦ୍ଧା ଜୋହାନ୍‌ସବର୍ଗରୁ ଆଗତ ଦୁଇଜଣ ଇଂରେଜଙ୍କୁ ସ୍ଥାନ ଦେଇଥିଲି । ଉଭୟେ ଥିଓସୋଫିଷ୍ଟ ଥିଲେ । ଜଣଙ୍କର ନାଁ ମି. କିଚନ୍—ଏହାଙ୍କ କଥା ପରେ ପଡ଼ିବ । ଏ ଦୁହିଙ୍କର ରହିବା ଫଳରେ ମୋ ସ୍ତ୍ରୀକୁ କାନ୍ଦିବାକୁ ପଡ଼ିଥିଲା । ମୋ ଯୋଗୁଁ ତା’ କପାଳକୁ ବହୁତଥର ଏମିତି କାନ୍ଦିବା କଥା ଘଟିଛି । ଏତେ ନିକଟ ସମ୍ବନ୍ଧ ରଖି ବିନାପର୍ଦ୍ଦାରେ ଇଂରେଜମାନଙ୍କୁ ଘରେ ରଖିବାର ଏହା ମୋର ପ୍ରଥମ ଅଭିଜ୍ଞତା ଥିଲା । ଅବଶ୍ୟ ଇଂଲଣ୍ଡରେ ମୁଁ ଇଂରେଜ ବନ୍ଧୁମାନଙ୍କ ପରିବାରରେ ବାସ କରୁଥିଲି । ମାତ୍ର ସେଠି ତାଙ୍କ ଚାଲିଚଳନ ମାନି ମୋତେ ଚଳିବାକୁ ହେଉଥିଲା ଏବଂ ସେଠାରେ ରହିବା ଅନେକଟା ହୋଟେଲରେ ରହିବାଭଳି ଥିଲା । କିନ୍ତୁ ଏଠା ଅବସ୍ଥା ତା’ର ଓଲଟା ଥିଲା । ଏ ବନ୍ଧୁମାନେ ମୋର ପରିବାରର ଲୋକ ହୋଇଯାଇଥିଲେ । ସେମାନେ ଅନେକ ବିଷୟରେ ଭାରତୀୟ ଚାଲିଚଳନ ଗ୍ରହଣ କରିଥିଲେ । ମୋ ଘରର ଆସବାବ ଯଦିଓ ଇଂରେଜୀ ଢାଞ୍ଚାର ଥିଲା, ତଥାପି ଚାଲିଚଲଣ ଓ ଖିଆପିଆ ପ୍ରଭୃତି ସବୁ ଅଧିକ ପରିମାଣରେ ଭାରତୀୟ ଢଙ୍ଗରେ ଥିଲା । ମୋର ମନେ ପଡ଼େ ଯେ, ସେମାନଙ୍କୁ ଆପଣାର ଲୋକଭଳି ଘରେ ରଖିବାରେ ମୋର କେତେକ ଅସୁବିଧା ହୋଇଥିଲା; ତଥାପି ଏତକ ନିଶ୍ଚୟ କହିପାରେ ଯେ, ସେମାନେ ଉଭୟ ଘରର ଅନ୍ୟ ମଣିଷଙ୍କ ସଙ୍ଗେ ମିଳିମିଶି ଯାଇଥିଲେ । ଡରବାନ୍‌ର ଜୋହାନ୍‌ସବର୍ଗଠାରେ ଏ ସମ୍ବନ୍ଧ ଅଧିକ ଆଗେଇ ଯାଇଥିଲା ।

 

ଇଂରେଜଙ୍କ ପରିଚୟ

 

ଜୋହାନସ୍‌ବର୍ଗଠାରେ ଥରେ ମୋ ପାଖରେ ଚାରିଜଣ ଭାରତୀୟ ମୋହରିର ଥିଲେ । ସେମାନେ ମୋହରିର ନ ହୋଇ ବରଂ ମୋ ପୁଅଠାରୁ ବଳି ଅଧିକ ଥିଲେ । କିନ୍ତୁ ଏଇ କେତେ ଜଣଙ୍କ ଦ୍ୱାରା ମୋର କାମ ଚଳି ନ ଥିଲା । ଟାଇପିଷ୍ଟ ବିନା ମୋର କାମ ଚଳିପାରୁ ନ ଥିଲା । ଆମ ଭିତରେ କେବଳ ମୋର ଟିକିଏ ଟାଇପିଂର ଜ୍ଞାନ ଥିଲା । ସେଥିପାଇଁ ଏ ଚାରି ଜଣଙ୍କ ଭିତରୁ ଦୁଇ ଜଣ ଯୁବକଙ୍କୁ ଟାଇପ୍‌ରାଇଟିଂ ଶିଖାଇଥିଲି । ମାତ୍ର ସେମାନେ ଇଂରେଜୀ ଅଳ୍ପ ଜାଣିଥିଲେ । ସେଥିପାଇଁ ତାଙ୍କ ଟାଇପିଂ କଦାପି ଶୁଦ୍ଧ ଓ ଭଲ ହୋଇପାରିଲା ନାହିଁ । ଅଧିକନ୍ତୁ ଏହାଙ୍କ ଭିତରୁ ହିସାବ ଲେଖା ପାଇଁ ଜଣକୁ ତିଆରି କରିବାକୁ ପଡ଼ିଥିଲା । ଏଣେ ନେଟାଲ୍‌ରୁ ଜଣକୁ ମନମୁତାବକ ଡକାଇ ଆଣିପାରୁ ନ ଥିଲି; କାରଣ ବିନା ଛାଡ଼ରେ କେହି ଭାରତୀୟ ଏଠାକୁ ଆସିପାରୁ ନ ଥିଲେ ଏବଂ ମୋର ସୁବିଧା ପାଇଁ ମୁ ଛାଡ଼ ବିଭାଗର କୃପାଭିକ୍ଷା କରିବାକୁ ପ୍ରସ୍ତୁତ ନ ଥିଲି । ମୁଁ ଚିନ୍ତାରେ ପଡ଼ିଯାଇଥିଲି । କାମ ଏତେ ବଢ଼ି ଯାଇଥିଲା ଯେ, ଯେତେ ମେହେନତ କଲେ ସୁଦ୍ଧା ଏଣେ ଓକିଲାତି, ତେଣେ ସାଧାରଣ କାମର ବୋଝ ମୁଁ ସମ୍ଭାଳିପାରୁ ନ ଥିଲି ।

 

ଇଂରେଜୀ କିରାନୀ ସ୍ତ୍ରୀ ହେଉ ବା ପୁରୁଷ ହେଉ ଜଣେ ମିଳି ଯାଇଥିଲେ ମୁଁ ଯେ ନ ରଖିଥାନ୍ତି, ତାହା ନୁହଁ । କିନ୍ତୁ କଳାଲୋକ ପାଖରେ ଗୋରା କେହି ଚାକିରି କରିବେ କି ? ମୋର ଏହି ଆଶଙ୍କା ଥିଲା । ତଥାପି ଥରେ ଚେଷ୍ଟା କରି ଦେଖିବାକୁ ସ୍ଥିର କଲି । ଟାଇପ୍‌ ରାଇଟିଂ ଏଜେଣ୍ଟ ସଙ୍ଗେ ମୋର ଟିକିଏ ଚିହ୍ନା ଥିଲା । ତାଙ୍କ ପାଖକୁ ଯାଇ ‘କଳା’ ଲୋକଙ୍କ ତଳେ ଚାକିରି କରିବାରେ ଆପତ୍ତି ନ ଥିବା, ଏମିତି ଜଣେ ଟାଇପ୍‌ ରାଇଟିଂ ଜାଣିଥିବା ମହିଳା ବା ପୁରୁଷ ମିଳିବ ତ ମତେ ଖୋଜି ଦେବାକୁ ଅନୁରୋଧ କରିଥିଲି । ଦକ୍ଷିଣ ଆଫ୍ରିକାର ସର୍ଟହାଣ୍ଡ ଲେଖିବା ଓ ଟାଇପ୍‌ କରିବା ଲୋକେ ଅଧିକାଂଶ ସ୍ତ୍ରୀଲୋକ ହୋଇଥାନ୍ତି । ସେ ଏଜେଣ୍ଟ ମତେ ଜଣେ ସେଭଳି ଲୋକ ଜୁଟେଇ ଦେବାପାଇଁ ମେହେନତ୍‌ କରିବାକୁ ଜବାବ ଦେଇଥିଲେ । ମିସ୍ ଡିକ୍‌ ନାମ୍ନୀ ଜଣେ ସ୍କଟଲାଣ୍ଡବାସିନୀ କୁମାରୀ ଜୁଟି ଯାଇଥିଲେ । ସେ ନଗଦ ସ୍କଟଲାଣ୍ଡରୁ ଆସିଥାନ୍ତି । ଯେଉଁଠି ପାରେ ସେଠି ଖଣ୍ଡେ ସତ୍‌ଚାକିରି ମିଳିଗଲେ ତାହା ଗ୍ରହଣ କରିବାରେ ତାଙ୍କର ଆପତ୍ତି ନ ଥିଲା । ତାଙ୍କର ଚାକିରି ଦରକାର ଥିଲା । ଏଜେଣ୍ଟ ଜଣକ ସେ କୁମାରୀଙ୍କୁ ମୋ ପାଖକୁ ପଠେଇ ଦେଇଥିଲେ । ତାଙ୍କୁ ଦେଖିଲାକ୍ଷଣି ମୋର ମନ ସନ୍ତୁଷ୍ଟ ହୋଇ ଯାଇଥିଲା । ମୁଁ ତାଙ୍କୁ ପଚାରିଥିଲି–‘‘ଜଣେ ଭାରତୀୟ ପାଖରେ କାମ କରିବାରେ ତମର ଆପତ୍ତି ନାହିଁ ତ ?’’ ସେ ଟାଣ ଜବାବ ଦେଇଥିଲେ, ‘‘ତିଳେମାତ୍ର ନାହିଁ ।’’

 

‘‘କେତେ ଦରମା ନବ ?’’

 

‘‘୨୬୦ ଟଙ୍କା କ’ଣ ବେଶୀ ହୋଇଯିବ ?’’

 

‘‘ତମଠାରୁ ମୁଁ ଯେଉଁ କାମ ଆଶାକରେ ସେ କାମ ଠିକ୍‌ ରୂପେ କରିବ ତ ଏତିକି ଟଙ୍କା କଦାପି ବେଶୀ ନୁହେଁ । ତୁମେ କେବେ କାମକୁ ଆସିପାରିବ ?’’

 

‘‘ଚାହିଁବେ ତ ବର୍ତ୍ତମାନ ।’’

 

ମୁଁ ବଡ଼ ଖୁସି ହୋଇଯାଇଥିଲି ଏବଂ ସାଙ୍ଗେ ସାଙ୍ଗେ ତାଦ୍ୱାରା ଚିଠି ଲେଖାଇଥିଲି । ଏ କୁମାରୀ ମୋର କିରାନୀ ହୋଇ ରହି ନ ଥିଲା, ଅଳ୍ପଦିନ ଭିତରେ ସେ ମୋର ଆପଣା ଝିଅ ବା ଭଉଣୀର ସ୍ଥାନ ଦଖଲ କରି ନେଇଥିଲା । ମତେ ତାକୁ କେବେ ପଦେ ବଡ଼ ପାଟି କରି କହିବାକୁ ପଡ଼ିନାହିଁ । କ୍ୱଚିତ୍‌ କେବେ ତା’ କାମରୁ ଭୁଲ୍‌ ବାହାର କରିଥିବି । ହଜାର ହଜାର ପାଉଣ୍ଡର କାରବାର ତା’ ହାତରେ ରହୁଥିଲା ଏବଂ ତହିଁର ହିସାବପତ୍ର ମଧ୍ୟ ସେହି ରଖୁଥିଲା । ସେ ମୋର ପୂର୍ଣ୍ଣ ବିଶ୍ୱାସର ପାତ୍ରୀ ହୋଇଥିଲା; କିନ୍ତୁ ତାହାର ସବୁଠୁ ଗୋପନୀୟ ଚିନ୍ତା ଯେ ସେ ମତେ କହିବ, ଏତେଦୂର ମୁଁ ତା’ର ବିଶ୍ୱାସର ପାତ୍ର ହୋଇଥିଲି, ସେହିଟା ବଡ଼ କଥା ଥିଲା । ଏପରିକି ନିଜର ଜୀବନସଙ୍ଗୀ ବାଛିବାରେ ସେ ମୋର ପରାମର୍ଶ ଲୋଡ଼ିଥିଲା । ମତେ ହିଁ କନ୍ୟାଦାନ କରିବାର ସୌଭାଗ୍ୟ ମିଳିଥିଲା ।

 

ମିସ୍‌ ଡ଼ିକ୍‌ ଯେତେବେଳେ ଶ୍ରୀମତୀ ମ୍ୟାକ୍‌ଡ଼ୋନାଲଡ଼୍‌ ହୋଇଯାଇଥିଲା ସେତେବେଳେ ତାକୁ ମୋ ପାଖରୁ ଚାଲିଯିବାକୁ ପଡ଼ିଥିଲା । ତଥାପି ବିବାହ ପରେ ମଧ୍ୟ ମୋର କାମ ବଳେଇପଡ଼ିଲେ ତାଠୁ ଯେତେଇଚ୍ଛା କାମ ନେଉଥିଲି । ମାତ୍ର ତା ସ୍ଥାନରେ ସ୍ଥାୟୀ ଭାବରେ ଜଣେ ଟାଇପ୍‌ କରିବା ଲୋକ ଦରକାର ଥିଲା । ଆଉ ଜଣେ ବାଳିକା ମିଳି ଯାଇଥିଲା । ସେ ଭଉଣୀଟିର ନାଁ ମିସ୍‌ ଶ୍ଲେସିନ୍‌ । କେଲେନବାକ୍‌ ସାହେବ ତାକୁ ଆଣି ଦେଇଥିଲେ । କେଲେନବାକ୍‌ଙ୍କ କଥା ପାଠକମାନେ ପରେ ଜାଣିପାରିବେ । ଏ ଭଉଣୀ ବର୍ତ୍ତମାନ ଟ୍ରାନ୍‌ସଭାଲର କୌଣସି ହାଇସ୍କୁଲରେ ପଢ଼ାଉଛି । ମୋ ପାଖକୁ ଆସିଲାବେଳେ ତା’ ବୟସ ୧୭ ବର୍ଷ ଥିଲା । ତା’ର କେତେକ ବିଚିତ୍ର ଖିଆଲ ଆଗରେ କେଲେନ୍‌ବାକ ଓ ମୁଁ ହାରି ଯାଇଥିଲୁ । ସେ ଚାକିରି କରିବାପାଇଁ ଆସି ନ ଥିଲା । ଅଭିଜ୍ଞତା ଲାଭ କରିବାପାଇଁ ଆସିଥିଲା । କଳାଗୋରା ଭେଦଭାବ ତାହା ଭିତରେ ଟିକିଏ ହେଲେ ନ ଥିଲା । ସେ କାହାରିକୁ ପରୱା କରୁ ନ ଥିଲା । ଦରକାର ପଡ଼ିଲେ କାହାକୁ ଅପମାନ କରିବାକୁ ଡରୁ ନ ଥିଲା ଏବଂ ଯାହା ବିଷୟରେ ଯେଉଁ ଧାରଣା ତା’ ମନରେ ତା’ ମନରେ ଥାଏ, ତାକୁ କହି ପକେଇବାରେ ସଂକୋଚ କରୁ ନ ଥିଲା । ତାହାର ଏ ସ୍ୱଭାବ ଯୋଗୁଁ ସେ ମତେ ଅନେକ ଥର ଅଡ଼ୁଆରେ ପକେଇ ଦେଉଥିଲା; ମାତ୍ର ତା’ର ସରଳ ପ୍ରକୃତି ଯୋଗୁ ସବୁ ଅଡ଼ୁଆ ସହଜରେ ତୁଟି ଯାଉଥିଲା । ତା’ର ଇଂରାଜୀ ଜ୍ଞାନ ମୋଠାରୁ ଭଲ ବୋଲି ମୁଁ ସବୁବେଳେ ମାନୁଥିଲି ଏବଂ ତା’ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଥିଲା । ସେଥିପାଇଁ ସେ ଟାଇପ୍‌ କରିଥିବା ଅନେକ ଚିଠକୁ ମୁଁ ପୁଣି ଥରେ ନ ପଢ଼ି ଦସ୍ତଖତ୍‌କରି ଦେଇଥାଏ ।

 

ତା’ର ତ୍ୟାଗର ସୀମା ନ ଥିଲା । ବହୁକାଳ ପର୍ଯ୍ୟନ୍ତ ସେ ମୋଠାରୁ ମାସିକ କେବଳ ୯୦ ଟଙ୍କା ନେଉଥିଲା ଏବଂ ଶେଷରେ ଦେଢ଼ଶହ ଟଙ୍କାରୁ ଅଧିକ ନେବାକୁ ସଫା ନାହିଁ କରିଦେଇଥିଲା । ମୁଁ ବେଶୀ ନେବାକୁ କହିଲେ ସେ ମତେ ଧମକେଇ କହୁଥିଲା—‘‘ମୁଁ ଏଠି ଦରମା ନେବାକୁ ଆସିନାହିଁ ଆପଣଙ୍କ ଆଦର୍ଶ ମତେ ଭଲ ଲାଗେ ଓ ଆପଣଙ୍କ ସାଙ୍ଗରେ କାମ କରିବାକୁ ଭଲ ଲାଗେ । ସେଇଥିପାଇଁ ମୁଁ ଏଠି ରହିଛି ।’’

 

ଥରେ ଦରକାର ପଡ଼ିବାରୁ ମୋଠାରୁ ସେ ୪୦ ପାଉଣ୍ଡ ନେଇଥିଲା; ମାତ୍ର ତାହା ସେ ଧାର ବୋଲି କହି ନେଇଥିଲା । ସେ ପରବର୍ଷ ଟଙ୍କାଟି ପୂରାପୂରି ଫେରେଇ ଦେଇଥିଲା ।

 

ତା’ର ତ୍ୟାଗ ଭାବ ଯେମିତି ତେଜ ଥିଲା, ସାହାସ ବି ସେମିତି ସ୍ଫଟିକଭଳି ପବିତ୍ର ଓ କ୍ଷତ୍ରିୟଙ୍କ ଲଜ୍ଜା ଦେଲାଭଳି ଯେତେ ସାହାସୀ ରମଣୀମାନଙ୍କ ପରିଚୟର ସୌଭାଗ୍ୟ ମତେ ଜୁଟିଛି; ତାଙ୍କ ଭିତରୁ ଏ ଝିଅଟି ଗୋଟିଏ ପିଲା ବୋଲି ମୋର ମତ । ଆଜି ତ ସେ ବଡ଼ ବୟସ୍କା କୁମାରୀ ହୋଇ ରହିଛି । ତା’ର ବର୍ତ୍ତମାନ ମାନସିକ ସ୍ଥିତ ମୁଁ ପୂରା ଜାଣେ ନାହିଁ, ମାତ୍ର ଏ ବାଳିକାର ସମ୍ପର୍କ ଚିରକାଳ ମୋର ଗୋଟିଏ ପବିତ୍ର ସ୍ମୃତି ହୋଇ ରହିଥିବ ଏବଂ ତା ସମ୍ବନ୍ଧରେ ମୁଁ ଯାହା ଜାଣେ ତା’ ନ ଲେଖିଲେ ମୁଁ ସତ୍ୟର ଦ୍ରୋହୀ ହେବି ।

 

ସେ କାମ କଲାବେଳେ ରାତି କ’ଣ ଦିନ କ’ଣ ବାରୁ ନଥିଲା । ଅଧରାତିରେ ଯିବାକୁ ପଡ଼ିଲେ ସେ ଏକୁଟିଆ ଚାଲି ଯାଉଥିଲା ଏବଂ ମୁଁ ସାଥିରେ କାହାକୁ ଦେବାକୁ କହିଲେ ମତେ ନାଲି ଆଖି ଦେଖାଉଥିଲା । ହଜାର ହଜାର ବୟସ୍କ ଭାରତବାସୀ ପୁରୁଷ ଲୋକେ ତାକୁ ସମ୍ମାନ କରୁଥିଲେ ଏବଂ ତା କଥା ମାନୁଥିଲେ । ଯେତେବେଳେ ଆମେ ସବୁ ଜେଲରେ, ବାହାରେ ଦାୟିତ୍ୱପୂର୍ଣ୍ଣ ଲୋକ ପ୍ରାୟ କେହି ନ ଥିଲେ, ସେତେବେଳେ ସେ ଏକୁଟିଆ ସବୁ ଲଢ଼େଇକୁ ସମ୍ଭାଳିଥିଲା । ଲକ୍ଷ ଲକ୍ଷ ଟଙ୍କାର ହିସାବ ତା’ର ହାତରେ, ସବୁ ଚିଠି ଲେଖା ତା’ର ହାତରେ, ଏବଂ ‘ଇଣ୍ଡିଆନ ଓପିନିୟନ’ କାଗଜ ଚଳେଇବା ମଧ୍ୟ ତା’ର ହାତରେ—ଏମିତିକିଆ ଅବସ୍ଥା ଥିଲା । କିନ୍ତୁ ସେ ବି ଥକି ପଡ଼ୁ ନ ଥିଲା ।

 

ଏହିପରି ଭାବରେ ଯେତେ କହିବ ସେତେ ମୁଁ ମିସ୍‌ ଶ୍ଲେସିନ୍‌ର ପ୍ରଶଂସା କରିପାରେ । ମାତ୍ର ତା’ କଥା ଗୋଖଲେ କ’ଣ କହିଛନ୍ତି ସେତିକି ଉଦ୍ଧାର କରି ମୁଁ ଏ ଅଧ୍ୟାୟ ଶେଷ କରିବି । ଗୋଖଲେ ମୋର ସବୁ ସାଥୀଙ୍କ ପରିଚୟ ପାଇଥିଲେ । ପରିଚୟ ପାଇ ଅନେକଙ୍କ ବିଷୟରେ ସେ ବିଶେଷ ସନ୍ତୁଷ୍ଟ ହୋଇଥିଲେ । ସେ ସମସ୍ତଙ୍କର ଚରିତ୍ରର ଚିତ୍ର ଆଙ୍କିବାରେ ବଡ଼ ଆନନ୍ଦ ପାଇଥାନ୍ତି-। ସବୁ ଭାରତୀୟ ଓ ୟୁରୋପୀୟ ସାଥୀଙ୍କ ଭିତରେ ସେ ଶ୍ଲେସିନ୍‌କୁ ପ୍ରଥମ ସ୍ଥାନ ଦେଉଥିଲେ । ‘‘ଏତେ ପବିତ୍ରତା, ଏତେ ସାହସ ଓ ଏତେ କୁଶଳତା ମୁଁ ଅଳ୍ପଙ୍କଠାରେ ଦେଖିଛି, ମୋ ମତରେ ତ ମିସ୍‌ ଶ୍ଲେସିନ୍‌ ତା’ର ସାଥୀମାନଙ୍କ ଭିତରେ ପ୍ରଥମେ ସ୍ଥାନ ପାଇବା ଯୋଗ୍ୟ ଅଟେ ।

 

ଇଣ୍ଡିୟାନ୍‌ ଓପିନିୟନ

 

ଆଉ ଅନ୍ୟ ଇଉରୋପୀୟଙ୍କ ସଙ୍ଗେ ଗାଢ଼ ପରିଚୟର କଥା କହିବାକୁ ବାକି ଅଛି । ମାତ୍ର ତାହା ପୂର୍ବରୁ ଦିଓଟି ତିନୋଟି ପ୍ରଧାନ ଘଟଣା ଲେଖିବା ଉଚିତ । ତେବେ ଆଉ ଜଣେ ଇଉରୋପୀୟଙ୍କ ସହିତ ସମ୍ପର୍କର କଥା ସଙ୍ଗେ ସଙ୍ଗେ କହିଦିଏଁ । କେବଳ ମିସ୍‌ ଡିକ୍‌ଙ୍କର ନିଯୁକ୍ତି ମୋ ପାଇଁ ଯଥେଷ୍ଟ ହୋଇ ନ ଥିଲା । ମୁଁ ପୂର୍ବ ଅଧ୍ୟାୟମାନଙ୍କରେ ରିଚ୍‌ ସାହେବଙ୍କର ନାମ ଉଲ୍ଲେଖ କରିଛି । ମୁଁ ତାଙ୍କୁ ଭଲରକମ ଜାଣିଥିଲି । ସେ ଗୋଟିଏ ବ୍ୟବସାୟୀ ଗଦିରେ ମ୍ୟାନେଜର ଥିଲେ । ବେପାର କାମ ଛାଡ଼ି ମୋ ପାଖେ ଓକିଲାତି କାମ ଶିଖିବାକୁ ମୁଁ ତାଙ୍କୁ ସୂଚନା ଦେଇଥିଲି । ସେ କଥାଟାକୁ ପସନ୍ଦ କରିଥିଲେ ଏବଂ ମୋ ଅଫିସରେ ଯୋଗ ଦେଇଥିଲେ । ବହୁତ ପରିମାଣରେ ମୋର କାମର ବୋଝ ହାଲୁକା ହୋଇଥିଲା ।

 

ପ୍ରାୟ ଏହି ସମୟରେ ଶ୍ରୀ ମଦନ୍‌ଜିତ୍‌ ‘ଇଣ୍ଡିୟାନ ଓପିନିୟନ୍‌’ ଖବରକାଗଜ ବାହାର କରିବାକୁ ବିଚାରିଥିଲେ । ସେ ମୋର ପରାମର୍ଶ ଓ ସାହାଯ୍ୟ ଲୋଡ଼ିଥିଲେ । ସେ ଆଗରୁ ଛାପାଖାନା ଚଳାଉଥିଲେ । ମୁଁ ତାଙ୍କର ପ୍ରସ୍ତାବ ସମର୍ଥନ କରିଥିଲି । ୧୯୦୪ ରେ ସେ ଖବରକାଗଜର ଜନ୍ମ ହୋଇଥିଲା । ଶ୍ରୀଯୁକ୍ତ ମନସୁଖଲାଲ ନାଜର ତା’ର ପ୍ରଥମ ସଂପାଦକ ହୋଇଥିଲେ । ମାତ୍ର କାର୍ଯ୍ୟରେ ଅଧିକାଂଶ ସମୟ ମତେ ହିଁ ସମ୍ପାଦକୀୟ ଦାୟିତ୍ୱ ମୁଣ୍ଡେଇବାକୁ ପଡ଼ିଥିଲା । ମୋ କପାଳକୁ ପ୍ରାୟ ସବୁବେଳେ ଏମିତି ଦୂରରେ ରହି ଖବରକାଗଜ ଚଳେଇବା କାମ ମୋ ଉପର ପଡ଼ିଆସିଛି ।

 

ଶ୍ରୀଯୁକ୍ତ ମନସୁଖଲାଲ ଯେ ସେ କାମ ଚଳାଇପାରୁ ନ ଥିଲେ, ତାହା ନୁହେଁ । ଯେ ଭାରତବର୍ଷରେ ଖବରକାଗଜ ଲେଖାଲେଖି କାମ ବହୁତ କରିଥିଲେ । କିନ୍ତୁ ମୁଁ ଦକ୍ଷିଣ ଆଫ୍ରିକାରେ ଥାଉଥାଉ ସେଠିକାର ଜଟିଳ ସମସ୍ୟାମାନଙ୍କ ସମ୍ବନ୍ଧରେ ଲେଖିବାର ସାହସ ତାଙ୍କର ହେଉ ନ ଥିଲା । ମୋର ବିଚାର ଉପରେ ତାଙ୍କର ଖୁବ୍‌ବିଶ୍ୱାସ ଥିଲା । ସେଥିପାଇଁ ଯେଉଁ ଯେଉଁ ବିଷୟରେ ଲେଖିବା ଦରକାର ହୁଏ, ତାହା ଲେଖି ପଠେଇବାକୁ ସେ ମୋ ଉପରେ ଦାୟିତ୍ୱ ପକେଇ ଦେଉଥିଲେ । ଖବରକାଗଜ ଖଣ୍ଡିକ ସାପ୍ତାହିକ ଥିଲା, ଆଉ ମଧ୍ୟ ସେୟା ଅଛି । ଆରମ୍ଭରେ ଗୁଜୁରାଟୀ, ହିନ୍ଦୀ, ତାମିଲ୍‌ ଓ ଇଂରେଜୀ ଏ ଚାରି ଭାଷାରେ ପ୍ରକାଶିତ ହେଉଥିଲା; କିନ୍ତୁ ହିନ୍ଦୀ ଓ ତାମିଲ୍‌ ବିଭାଗ ଦୁଇଟି କେବଳ ନା ପାଇଁ ଚାଲୁଛି ବୋଲି ମୋର ମନେହେଲା । ତା’ଦ୍ୱାରା ସମାଜର ସେବା ହେଉ ନ ଥିବାର ମୁଁ ଦେଖି ପାରିଥିଲି । ସେ ବିଭାଗ ଦୁଇଟି ରଖିବାରେ ମତେ ମିଥ୍ୟାର ଆଭାସ ମିଳିଥିଲା; ତେଣୁ ଯେ ବିଭାଗ ବନ୍ଦ କଲି ଏବଂ ମୋତେ ଶକ୍ତି ମିଳିଥିଲା ।

 

ପ୍ରଥମେ ତ ମୋର ଧାରଣା ନ ଥିଲା ଯେ, ଏ ଖବରକାଗଜ ପାଇଁ ମତେ କିଛି ପାଣ୍ଠି ଲଗେଇବାକୁ ପଡ଼ିବ । ମାତ୍ର ମୁଁ ଟଙ୍କା ନ ଦେଲେ ଏହା ଚଳିପାରିବ ନାହିଁ ବୋଲି ମୁଁ ଦେଖିପାରିଥିଲି । ଭାରତବାସୀ ତଥା ଇଉରୋପୀୟ ଉଭୟ ଭଲକରି ଜାଣି ଯାଇଥିଲେ ଯେ, ମୁଁ ନାଁକୁ ସଂପାଦକ ନ ଥିଲେ ମଧ୍ୟ ତା’ର ଲେଖାପାଇଁ ଦାୟୀ ଥିଲି । ଖବରକାଗଜଟିକୁ ମୂଳରୁ ବାହାର କରି ନ ଥିଲେ କିଛି ଅଡ଼ୁଆ ନ ଥିଲା; ମାତ୍ର ଥରେ ଆରମ୍ଭ କରିଦେଇ ବନ୍ଦ କରିଦେବାଟା ସମାଜର ଲଜ୍ଜାର ବିଷୟ ହୋଇଥାନ୍ତା ବୋଲି ମୋର ମନେ ହୋଇଥିଲା । ସେଥିଯୋଗୁଁ ମୁଁ ମୋର ଟଙ୍କା ସେଥିରେ ଢାଳି ଦେଇଥିଲି ଏବଂ ମୋର ଆୟରୁ ଶେଷରେ ଯାହା ବଞ୍ଚୁଥିଲା, ସବୁ ସେଥିକୁ ଯାଉଥିଲା ବୋଲି କହିଲେ ଚଳିବ । ସମୟରେ ମତେ ମାସକୁ ଏଗାରଶହ, ବାରଶହ ଟଙ୍କା ପଠାଇବାକୁ ପଡ଼ୁଥିବାର ମୋର ମନେପଡ଼ୁଛି ।

 

ମାତ୍ର ଖବରକାଗଜଟି ଲୋକଙ୍କର ଭଲ ସେବା କରିଛି ବୋଲି ମୁଁ ଏତେକାଳ ପରେ ଉପଲବ୍‌ଧ କରୁଛି । ସେଥିରୁ ପଇସା ରୋଜଗାର କରିବାର ଉଦ୍ଦେଶ୍ୟ ମୂଳରୁ କାହାରି ନ ଥିଲା । ଯେତେକାଳ ମୋର ପରିଚାଳନା ଥିଲା, ତା ମଧ୍ୟରେ ଖବରକାଗଜର ଯେ ସବୁ ପରିବର୍ତ୍ତନ ମଧ୍ୟେ ମଧ୍ୟେ ଘଟିଛି, ସେଥିରୁ ମୋର ଜୀବନର ପରିବର୍ତ୍ତନ ସବୁ ଜଣାପଡ଼େ ।

 

ସେ ସମୟରେ ‘ଇଣ୍ଡିଆନ୍‌ ଓପିନିଅନ୍‌’ ଏବକାର ‘ନବଜୀବନ’ ଓ ‘ୟଙ୍ଗ୍‌ ଇଣ୍ଡିଆ’ ପରି ମୋ ଜୀବନର କେତେକ ଅଂଶର ଦର୍ପଣ ଭଳି ଥିଲା । ସପ୍ତାହ ପରେ ସପ୍ତାହ ମୁଁ ମୋ ଜୀବନର ଅନ୍ତରର କଥା ଢାଳି ଦେଉଥିଲି ଏବଂ ସତ୍ୟାଗ୍ରହର ନୀତି ଓ ପ୍ରୟୋଗ ଯେତେଦୂର ବୁଝିଥିଲି, ମୁଁ ତାହା ବୁଝାଉଥିଲି । ୧୯୧୪ ପର୍ଯ୍ୟନ୍ତ ମୁଁ ଦଶ ବର୍ଷ କାଳ ମଝିରେ ମଝିରେ ଜେଲରେ ଥିବା ସମୟତକ ବାଦ୍‌ ଦେଲେ କୌଣସି ସଂଖ୍ୟାରେ ମୋର ପ୍ରବନ୍ଧ ନ ବାହାରିଛି, ଏପରି ନୁହେଁ । ସେଥିରେ କୌଣସି ଶବ୍ଦ ନ ଭାବି ନ ଚିନ୍ତି ବା ନ ତଉଳିତାଉଲି ପ୍ରୟୋଗ କରିବାର କିମ୍ବା କୌଣସି କଥା ଜାଣିଶୁଣି ଅତ୍ୟୁକ୍ତି କରିଥିବାର ବା କେବଳ କାହାକୁ ଖୁସି କରିବାକୁ ଲେଖିଥିବାର ମୋର ମନେ ପଡ଼ୁନାହିଁ । ମୋ ପାଇଁ ଖବରକାଗଜଟି ପ୍ରକୃତରେ ସଂଯମ ଶିକ୍ଷାର ସ୍ଥଳ ହୋଇଥିଲା ଏବଂ ବନ୍ଧୁମାନଙ୍କ ପାଇଁ ମୋର ଚିନ୍ତାଧାରା ଜାଣିବାର ବାହନ ହୋଇଥିଲା । ସେଥିରେ ମୋର ସମାଲୋଚକମାନଙ୍କ ପାଇଁ ବହୁତ କମ୍‌ ଖାଦ୍ୟ ଥିଲା । ବରଂ ମୁଁ ଜାଣେ ‘ଇଣ୍ଡିୟାନ୍‌ ଓପିନିୟନ୍‌’ର ଲେଖା ସମାଲୋଚକମାନଙ୍କୁ ନିଜର କଲମ ସଂଯତ କରିବାକୁ ବାଧ୍ୟ କରୁଥିଲା । ‘ଇଣ୍ଡିୟାନ୍‌ ଓପିନିୟନ୍‌’ ର ସାହାଯ୍ୟ ବିନା ସତ୍ୟାଗ୍ରହ ଲଢ଼େଇ ଚଳିପାରି ନ ଥାନ୍ତା । ସତ୍ୟାଗ୍ରହ ଆନ୍ଦୋଳନର ତଥା ଦକ୍ଷିଣ ଆଫ୍ରିକାର ଭାରତୀୟମାନଙ୍କ ଅବସ୍ଥା ସଠିକ୍‌ ଜାଣିବାପାଇଁ ପାଠକମାନେ ସେ ଖବର କାଗଜକୁ ଆପଣାର ଜାଣି ଚାହିଁ ବସୁଥିଲେ ।

 

ଏ ଖବରକାଗଜରେ ମତେ ରଙ୍ଗ ବେରଙ୍ଗ ମଣିଷ ସ୍ୱଭାବ ଜାଣିବାର ବହୁତ ସୁବିଧା ମିଳିଥିଲା । ତନ୍ତ୍ରୀ ଏବଂ ଗ୍ରାହକଙ୍କ ଭିତରେ ନିକଟ ଓ ସ୍ୱଚ୍ଛ ସମ୍ପର୍କ ସ୍ଥାପନ କରିବାର ଚିନ୍ତା ଥିବାରୁ ମୋ ପାଖରେ ମନଖୋଲି ଲେଖିଥିବା ଚିଠିମାନ ଗଦା ହୋଇଯାଇଥିଲା । ସେଥିରେ କଟୁ, ରାଗ ଓ ମିଠା ନାନା ପ୍ରକାରର ଲେଖା ମୋ ପାଖକୁ ଆସୁଥିଲା । ତାକୁ ପଢ଼ିବାରେ, ବିଚାର କରିବାରେ ଏବଂ ସେଥିରୁ ବିଷୟର ସାର କାଢ଼ି ତା’ର ଜବାବ ଦେବାରେ ମୋର ଏକ ଭଲ ତାଲିମ ହୋଇଯାଉଥିଲା । ତା ଜରିଆରେ ମୁଁ ସମାଜର ଚଳନ୍ତି ଘଟଣା ଓ ଚିନ୍ତାଧାରା ସବୁ ଯେମିତି ସତେ ଶୁଣି ପାରିଥିଲି, ଏମିତି ମତେ ଲାଗିଥିଲା । ମୁଁ ତନ୍ତ୍ରୀର ଦାୟତ୍ୱ ଭଲଭାବରେ ବୁଝିପାରିଥିଲି ଏବଂ ଏହି ଉପାୟରେ ସମାଜ ଉପରେ ମତେ ଯେତକ କର୍ତ୍ତୃତ୍ୱ ମିଳିଥିଲା ତା’ର ଫଳରେ ଭବିଷ୍ୟତ ଲଢ଼େଇ ସମ୍ଭବ ହୋଇଥିଲା, ସୁନ୍ଦର ହୋଇଥିଲା ଏବଂ ତାକୁ ବଳ ମିଳିଥିଲା ।

 

‘ଇଣ୍ଡିୟାନ୍‌ ଓପିନିୟନ୍‌’ର ପହିଲି ମାସର ରାଜତ୍ୱରୁ ମୁଁ ଦେଖିପାରିଥିଲି ଯେ, ଖବରକାଗଜ କେବଳ ସେବା ଉଦ୍ଦେଶ୍ୟରେ ଚଳେଇବା ଉଚିତ । ସମ୍ବାଦପତ୍ର ଗୋଟିଏ ପ୍ରବଳ ଶକ୍ତି, ମାତ୍ର ଗୋଟାଏ ଅବାଧ ଜଳସ୍ରୋତ ଯେପରି ଦେଶକୁ ବୁଡ଼େଇ ଫସଲ ଧ୍ୱଂସ କରିଦିଏ; ସେମିତି ଅସଂଯତ ଲେଖା କେବଳ ନଷ୍ଟ ହିଁ କରେ । ଏ ନିୟନ୍ତ୍ରଣ ବାହାରୁ ହେଲେ, ଅସଂଯତ ଲେଖାଠାରୁ ଫଳ ବେଶୀ ବିଷମୟ ହୋଇଥାଏ । ଭିତରୁ ନିୟନ୍ତ୍ରଣ ହେଲେ ତାହା ଲାଭଦାୟକ ହୋଇଥାଏ । ଏହି ଯୁକ୍ତିଧାରା ଯଦି ଠିକ୍‌ ହୁଏ, ତେବେ ଦୁନିଆରେ କେତେଟା ଖବରକାଗଜ ତିଷ୍ଠି ରହିବେ ? କିନ୍ତୁ ଯେଉଁ ଗୁଡ଼ାକ ଅଯୋଗ୍ୟ ତାକୁ ବନ୍ଦ କରିବ ବା କିଏ ? ଯୋଗ୍ୟ ଅଯୋଗ୍ୟ ବିଚାର ବା କିଏ କରିବ ? ଭଲ ମନ୍ଦ ପରି ଦରକାରୀ ଅଦରକାରୀ ଉଭୟ ରକମ ଖବରକାଗଜ ଚଳୁଥିବେ । ପାଠକ ତାର ବାଛି ନେଉଥିବ ।

 

କୁଲିବସ୍ତି

 

ଆମ ସମାଜର ସବୁଠାରୁ ବେଶୀ ସେବା କରୁଥିବା ଡମ, ହାଡ଼ି ପ୍ରଭୃତି ଯାହାଙ୍କୁ ଅସ୍ମୃଶ୍ୟ ବୋଲି ମାନୁ, ତାଙ୍କୁ ଗାଁ ବାହାରେ ଅଲଗା କରି ରଖୁ । ଗୁଜରାତରେ ଏହି ମାନଙ୍କ ବସ୍ତିକୁ ଧେଡ଼ବାଡ଼ କହିଥାନ୍ତି ଏବଂ ସେ ନାଁ ଧରିବାକୁ ଘୃଣା ହୋଇଥାଏ । ଠିକ୍‌ ଏହିପରି ମଧ୍ୟ ଖ୍ରୀଷ୍ଟିୟାନ ଇଉରୋପରେ ଦିନେ ଇହୁଦିମାନେ ଅସ୍ପୃଶ୍ୟ ଥିଲେ । ସେମାନଙ୍କର ଧେଡ଼ବାଡ଼ ବସ୍ତିକୁ ‘ଘୋଟେ’ ନାମ ଦିଆହେଉଥିଲା । ତାହା ଏକ ଅମଙ୍ଗଳ ସୂଚକ ନାଁ ଥିଲା । ସେହିଭଲି ଆଜି ଆମେମାନେ ଦକ୍ଷିଣ ଆଫ୍ରିକାରେ ସେଠାକାର ଧେଡ଼ବାଡ଼ ହୋଇଯାଇଅଛୁ । ଆଣ୍ତୃଜଙ୍କର ତ୍ୟାଗ ଓ ଶାସ୍ତ୍ରୀଙ୍କର କାଉଁରୀହାଡ଼ ଦ୍ୱାରା ଆମର ଶୁଦ୍ଧି ହେବ ଏବଂ ତା ଫଳରେ ଆମେ ଆଉ ଧେଡ଼ ନ ରହି ସଭ୍ୟବୋଲି ଗଣାହେବୁ କି ନାହିଁ ଦେଖିବାକୁ ବାକି ଅଛି ।

 

ହିନ୍ଦୁଙ୍କଭଳି ଇହୁଦୀମାନେ ନିଜକୁ ଭଗବାନଙ୍କର ଏକମାତ୍ର ପ୍ରିୟ ସନ୍ତାନ ଓ ଅନ୍ୟକୁ ଅପ୍ରିୟ ବୋଲି ମନେକରି ଏକ ଆଶ୍ଚର୍ଯ୍ୟ ତଥା ଅନ୍ୟାୟ ପ୍ରତିଶୋଧ ଭୋଗ କରିଥିଲେ । ପ୍ରାୟ ସେହିପରି ହିନ୍ଦୁମାନେ ଆପଣାକୁ ସଂସ୍କୃତ ବା ଆର୍ଯ୍ୟମଣି ଆପଣାର ଏକ ଅଙ୍ଗକୁ ପତିତ ବା ଅନାର୍ଯ୍ୟ ମଣୁଛନ୍ତି । ସେହି ପାପର ଫଳ ଏକ ବିଚିତ୍ର ପ୍ରକାରେ ତଥା ଆନ୍ୟାୟ ରୂପରେ ହେଉ ପଛକେ ଦକ୍ଷିଣ ଆଫ୍ରିକା ପ୍ରଭୃତି ଉପନିବେଶରେ ସେମାନଙ୍କୁ ମିଳୁଛି ଏବଂ ସେଠାରେ ତାଙ୍କର ପଡ଼ୋଶୀ ମୁସଲମାନ, ପାରଶୀ ଯେଉଁମାନେ ତାଙ୍କର ରଙ୍ଗର ଓ ଦେଶର ଅଟନ୍ତି, ସେମାନେ ମଧ୍ୟ ସେ ପ୍ରତିଫଳର ଭାଗୀଦାର ହେଉଛନ୍ତି—ମୋର ଏହି ବିଶ୍ୱାସ ହୋଇଯାଇଛି ।

 

ଯେଉଁ ଜୋହାନ୍‌ସବର୍ଗର ଲୋକେଶନ୍‌ ବା କୁଲିବସ୍ତି ବିଷୟରେ ମୁଁ ଏ ଅଧ୍ୟାୟକୁ ଲେଖୁଛି, ଏବେ ପାଠକମାନେ ତାର କେତେକ ଧାରଣା କରିପାରିବେ । ଦକ୍ଷିଣ ଆଫ୍ରିକାରେ ଆମେ କୁଲି ବୋଲି ପ୍ରସିଦ୍ଧ । ଭାରତବର୍ଷରେ କୁଲିର ଅର୍ଥ କେବଳ ଜଣେ ମୂଲ ଖଟିଲା ବାଲା । କିନ୍ତୁ ଦକ୍ଷିଣ ଆଫ୍ରିକାରେ ସେହି ଶବ୍ଦ ଧେଡ଼, ପଞ୍ଚମ ପ୍ରଭୃତି ଘୃଣାବ୍ୟଞ୍ଜକ ଶବ୍ଦ ଦ୍ୱାରା ଅର୍ଥ କରାଯାଏ । ଦକ୍ଷିଣ ଆଫ୍ରିକାରେ କୁଲିମାନଙ୍କ ରହିବା ପାଇଁ ଯେ ଅଲଗା ଜାଗା ରଖାଯାଇଥାଏ, ତାକୁ କୁଲି ଲୋକେଶନ ବା ବସ୍ତି କହନ୍ତି ।

 

ଜୋହାନ୍‌ସବର୍ଗରେ ଏହିଭଳି ଏକ କୁଲିବସ୍ତି ଥିଲା । ଅନ୍ୟାନ୍ୟ ଜାଗାରେ ଯେଉଁଠି ସବୁ କୁଲିବସ୍ତି ଥିଲା ଏବଂ ଆଜିଯାଏ ଅଛି, ସେଠାରେ ଭାରତବାସୀମାନଙ୍କର କୌଣସି ମାଲିକ ସ୍ୱତ୍ୱ ଥିଲା; ମାତ୍ର ଜୋହାନ୍‌ସବର୍ଗରେ ଭାରତବାସୀମାନେ ୯୯ବର୍ଷର ପଟା ଖଣ୍ଡେ ଖଣ୍ଡେ ପାଇଥିଲେ । ବସ୍ତିରେ ଲୋକେ ଖୁନ୍ଦି ହୋଇ ରହୁଥିଲେ । ଲୋକସଂଖ୍ୟା ବଢ଼ିଲେ ବି ବସ୍ତିର ଆୟତନ ବଢ଼ୁ ନ ଥିଲା । ଯାହା ତାହି କରି ବସ୍ତିର ପାଇଖାନା ଗୁଡ଼ିକ ସଫା କରିବା ଛଡ଼ା ସ୍ୱାସ୍ଥା ରକ୍ଷା ପାଇଁ ମ୍ୟୁନିସିପାଲିଟି ଅନ୍ୟ କୌଣସି କାମ କରୁ ନ ଥିଲେ । ସେଠାରେ ରାସ୍ତା ବା ଆଲୁଅ ଦେବା ତ ଦୂରର କଥା ଥିଲା । ଯେଉଁଠି ଲୋକଙ୍କର ଶୌଚାଦି ବିଷୟରେ କୌଣସି ଚିନ୍ତା ନ ଥାଏ, ସେଠି ସଫେଇ କୁଆଡ଼ୁ ହେବ ? ସେଠାରେ ଯେଉଁ ଭାରତବାସୀ ମାନେ ଯାଇ ଘର କରିଥିଲେ, ସେମାନେ ସହରର ଉନ୍ନତି, ସ୍ୱାସ୍ଥ୍ୟ ଇତ୍ୟାଦିର ନିୟମ ଜାଣିଥିବା ଏମିତି କିଛି ଶିକ୍ଷିତ ଆଦର୍ଶ ଭାରତବାସୀ ନଥିଲେ ଯେ, ସେମାନଙ୍କର ମ୍ୟୁନିସିପାଲିଟିର ସାହାଯ୍ୟ ବା ମ୍ୟୁନିସିପାଲିଟିର ତତ୍ତ୍ୱାବଧାନ ଆବଶ୍ୟକ ହେଉ ନ ଥାନ୍ତା । ସେଠିକି ଯେତେ ଲୋକ ଯାଇଥିଲେ, ସମସ୍ତେ ଯଦି ମାଟିରୁ ସୁନା ଫଳେଇ ପାରୁଥାନ୍ତେ, ତେବେ ତାଙ୍କ ଇତିହାସ ଅନ୍ୟ ରକମ ହୋଇଥାନ୍ତା । ଏଭଳି ଲୋକେ ବିଦେଶ କରିଯିବାର କେଉଁଠି ଦେଖାଯାଏ ନାହିଁ । ସାଧାରଣତଃ ଲୋକେ ପଇସା ବା ବ୍ୟବସାୟ ଆଶାରେ ବାହାରକୁ ଯାଇଥାନ୍ତି । ଆଫ୍ରିକାକୁ ଯେଉଁ ଭାରତବାସୀ ଯାଇଥିଲେ, ସେମାନେ ଅଧିକାଂଶ ଅଜ୍ଞ, ଗରିବ, ଦୀନଦୁଃଖୀ ମୂଲିଆ ଏବଂ ପଦେ ପଦେ ଅନ୍ୟର ଆଶ୍ରୟ ଓ ଯତ୍ନ ତାଙ୍କର ଲୋଡ଼ା ଥିଲା । ତାଙ୍କ ପଛରେ ବ୍ୟବସାୟୀ ଓ ଅନ୍ୟ ସ୍ୱାଧୀନ ଭାରତୀୟ ଯେତେକ ଆସିଥିଲେ ସେ ସଂଖ୍ୟା ଖୁବ୍‌ ଅଳ୍ପ ଥିଲା ।

 

ମ୍ୟୁନିସିପାଲିଟିର ଅକ୍ଷମଣୀୟ ଅବହେଳା ଓ ଭାରତୀୟ ବାସିନ୍ଦାମାନଙ୍କ ଅଜ୍ଞତା ଏ ଉଭୟ ମିଶି ବସ୍ତିଟିକୁ ଅସ୍ୱାସ୍ଥ୍ୟକର କରି ଦେଇଥିଲା । ମ୍ୟୁନିସିପାଲିଟି ବସ୍ତିଟିର ଅବସ୍ଥାର କିଛି ଉନ୍ନତି କରିବାକୁ ଚେଷ୍ଟା କରି ନଥିଲେ; ବରଂ ନିଜର ଅବହେଳାରେ ଘଟିଥିବା ଅବସ୍ଥା ଯୋଗୁ ବସ୍ତିଟାକୁ ଭାଙ୍ଗି ଦେବାକୁ ସ୍ଥିର କରିଥିଲେ ଏବଂ ସେହି ଉଦ୍ଦେଶ୍ୟରେ ବାସିନ୍ଦାମାନଙ୍କୁ ବେଦଖଲ କରିବାପାଇଁ ସ୍ଥାନୀୟ ଆଇନସଭା ପାଖରୁ କ୍ଷମତା ଆଣିଥିଲେ । ମୁଁ ଜୋହାନ୍‌ସବର୍ଗରେ ଯାଇ ରହିଲାବେଳେ ଭାରତୀୟମାନଙ୍କ ଅବସ୍ଥା ଏଇୟା ଥିଲା ।

 

ବାସିନ୍ଦାମାନେ ଜମିରେ ମାଲିକ ଥିବାରୁ ସେମାନଙ୍କର କ୍ଷତିପୂରଣ ପାଇବାର ହକ୍‌ଥିଲା-। କ୍ଷତିପୂରଣ ପରିମାଣ ନିଷ୍ପତ୍ତି କରିବା ପାଇଁ ଖାସ୍‌ ଗୋଟିଏ ଅଦାଲତ ଖୋଲା ହୋଇଥିଲା । ମ୍ୟୁନିସିପାଲିଟି ଯାହା କ୍ଷତି ପୂରଣ ଯାଚୁଥିଲେ, ତାକୁ ଗ୍ରହଣ କରିବାରେ ମାଲିକର ଆପତ୍ତି ଥିଲେ ଏହି ବିଚାରାଳୟରେ ଯାହା ନିଷ୍ପତ୍ତି ହେବ ତାହା ମିଳନ୍ତା । ମ୍ୟୁନିସିପାଲିଟି ଯାହା ଯାଚୁଥିଲା, ଆପତ୍ତି ଫଳରେ ତାହାଠାରୁ ବେଶୀ ମଞ୍ଜୁର ହେଲେ ମ୍ୟୁନିସିପାଲିଟିକୁ ମକଦ୍ଦମା ଖର୍ଚ୍ଚ ଦେବାକୁ ପଡ଼ୁଥିଲା । ଅଧିକାଂଶ ଘରବାଲା ମତେ ତାଙ୍କ ଓକିଲ ନିଯୁକ୍ତ କରୁଥିଲେ । ଏ ମାଲିମକଦ୍ଦମାରେ ପଇସା କରିବାର ଇଚ୍ଛା ମୋର ନଥିଲା । ସେଥିଯୋଗୁଁ ମୁଁ ସେମାନଙ୍କୁ କହିଦେଇଥିଲି ଯେ ହାର ହେଉ ବା ଜିତ୍‍ ହେଉ ପଟାପିଛା ୧୫୦ ଟଙ୍କା ଓ ଜିତାରେ ମ୍ୟୁନିସିପାଲିଟିରୁ ଯାହା ଖର୍ଚ୍ଚ ମିଳିବ, ମୁଁ ସେତିକିରେ ସନ୍ତୁଷ୍ଟ ହେବି । ମୁଁ ତାଙ୍କୁ ଆହୁରି ମଧ୍ୟ କହୁଥିଲି ଯେ ଏ ଟଙ୍କାର ଅଧେ ମୁଁ ଗରିବଙ୍କ ପାଇଁ ଡାକ୍ତରଖାନା ବା ସେହିଭଳି କୌଣସି ସାଧାରଣ ଅନୁଷ୍ଠାନ ନିମିତ୍ତ ଅଲଗା ରଖିଦେବି । ଏଥିରେ ସମସ୍ତେ ଖୁସି ହୋଇଥିଲେ ।

 

ପ୍ରାୟ ୬୦ଟି ମକଦ୍ଦମା ଭିତରୁ ମୋଟେ ଗୋଟିକରେ ଆମେ ହାରିଲୁଁ । ତେଣୁ ମତେ ଯେଉଁ ଫିସ୍‌ ମିଳୁଥିଲା ତାର ପରିମାଣ ବେଶ୍‌ ବଡ଼ ହୋଇଥିଲା । କିନ୍ତୁ କ’ଣ ହେବ ? ‘ଇଣ୍ଡିୟାନ୍‌ ଓପିନିୟନ୍‌’ ତା’ର ପାଟି ଆଁକରି ବସିଥିଲା ଏବଂ ମନେପଡ଼େ ସେଥିରେ ୨୬୦୦୦ ଟଙ୍କା ପଡ଼ିଯାଇଥିଲା । ଏ ମକଦ୍ଦମାରେ ମୁଁ ବହୁତ କଠିନ ପରିଶ୍ରମ କରିଥିଲି । ସବୁବେଳେ ମହକିଲମାନେ ମତେ ଘେରି ରହିଥିଲେ । ସେଥିରୁ ଅଧିକାଂଶ ଉତ୍ତର ବିହାର ପ୍ରଭୃତି ଅଞ୍ଚଳରୁ ଏବଂ ଦକ୍ଷିଣର ତାମିଲ ତେଲୁଗୁ ପ୍ରଦେଶରୁ ଆସିଥିଲେ । ପ୍ରଥମେ ସେମାନେ ଗିରିମିଟିଆ କୁଲି ଥିଲେ ଏବଂ ପରେ ମୁକ୍ତ ହୋଇ ସ୍ୱାଧୀନ ବେପାର କରୁଥିଲେ । ତାଙ୍କର ଖାସ ଅଭାବ ଅଭିଯୋଗ ଦୂର କରିବାପାଇଁ ସେମାନେ ଏକ ସଂଘ ଗଢ଼ିଥିଲେ । ସ୍ୱାଧୀନ ଭାରତୀୟ ବେପାରୀମାନଙ୍କ ସଂଘଠାରୁ ଏ ସଂଘ ସ୍ୱତନ୍ତ୍ର ଥିଲା । ଏମାନଙ୍କ ମଧ୍ୟରେ ଅନେକ ଉଦାରପ୍ରାଣ, ସତ୍‌ଚରିତ୍ର ଓ ନିଷ୍କପଟ ଲୋକ ଥିଲେ । ତାଙ୍କର ସଭାପତି ଶ୍ରୀଯୁକ୍ତ ଜୟରାମ ସିଂହ ଓ ସଭାପତିଙ୍କ ଭଳି ଶ୍ରୀଯୁକ୍ତ ବଦ୍ରୀ ସେମାନଙ୍କ ନେତା ଥିଲେ । ଉଭୟେ ଆଉ ଇହଜଗତରେ ନାହାଁନ୍ତି । ସେମାନେ ମତେ ବହୁତ ସାହାଯ୍ୟ କରିଥିଲେ । ବଦ୍ରୀଙ୍କ ସାଙ୍ଗରେ ମୋର ଖୁବ ଘନିଷ୍ଠ ସମ୍ବନ୍ଧ ଥିଲା ଏବଂ ସତ୍ୟାଗ୍ରହ ଆନ୍ଦୋଳନରେ ସେ ଅଗ୍ରଣୀ ଥିଲେ । ଏହି ଦୁଇ ଜଣ ତଥା ଅନ୍ୟ କେତେକ ଭାଇଙ୍କ ସାହାଯ୍ୟରେ ମୁଁ ଦକ୍ଷିଣ ତଥା ଉତ୍ତର ଭାରତର ଅସଂଖ୍ୟ ଅଧିବାସୀଙ୍କ ସହିତ ଘନିଷ୍ଠ ସମ୍ପର୍କରେ ଆସିଥିଲି । ମୁଁ ତାଙ୍କର କେବଳ ଓକିଲ ନୁହେଁ । ତାଙ୍କର ଭାଇ ହୋଇଯାଇଥିଲି ଏବଂ ତାଙ୍କର ତିନି ପ୍ରକାର ଦୁଃଖରେ ଭାଗୀ ହୋଇଥିଲି । ଅବଦୁଲା ଶେଠ ତ ମତେ ‘ଗାନ୍ଧୀ’ ବୋଲି ଡାକିବାକୁ ନାରାଜ ଥିଲେ-। ମତେ ‘ସାହେବ’ ବୋଲି କିଏ ବିଚାରିଥାନ୍ତା ବା ଡାକିଥାନ୍ତା । ଅବଦୁଲା ଶେଠ ଗୋଟିଏ ଅତି ପ୍ରିୟ ନାଁ ବାହାର କରିଥିଲେ । ସେ ମତେ ‘ଭାଇ’ ବୋଲି ଡାକିବାକୁ ଲାଗିଥିଲେ । ମୁଁ ଦକ୍ଷିଣ ଆଫ୍ରିକାରେ ଥିବା ପର୍ଯ୍ୟନ୍ତ ସେହି ନା ରହିଥିଲା । ମାତ୍ର ଯେତେବେଳେ ଗିରିମିଟି ମୁକ୍ତ କୁଲିମାନେ ମତେ ‘ଭାଇ’ ଡାକୁଥିଲେ, ମତେ ତାହା ବିଶେଷ ମଧୁର ଲାଗୁଥିଲା ।

 

ମହାମାରୀ (୧)

 

ମ୍ୟୁନିସିପାଲିଟି ମାଲିକ ସ୍ୱତ୍ୱ ପାଇବା ସଙ୍ଗେ ସଙ୍ଗେ ଭାରତବାସୀମାନଙ୍କୁ ତଡ଼ି ଦେଇ ନ ଥିଲା । ସେମାନଙ୍କୁ ରହିବାପାଇଁ ସ୍ୱତନ୍ତ୍ର ସ୍ଥାନ ଯୋଗାଇଦେବା ଦରକାର ଥିଲା । ସେ ଜାଗା ମ୍ୟୁନିସିପାଲିଟି ଠିକ୍‌ କରି ନ ଥିବାରୁ ଭାରତୀୟମାନେ ସେହି ମଇଳା ବସ୍ତିରେ ପୂର୍ବବତ୍‌ ରହିଥିଲେ-। ଦୁଇଟି ପରିବର୍ତ୍ତନ ହୋଇଥିଲା । ସେମାନେ ଆଉ ଜମିରେ ମାଲିକ ନ ଥାଇ ଏବେ ମ୍ୟୁନିସିପାଲିଟିର ପ୍ରଜା ହୋଇ ରହିଥିଲେ ଏବଂ ମଇଳା ବଢ଼ିଥିଲା । ପ୍ରଥମେ ସେମାନେ ମାଲିକ ଥିଲେ, ସେତେବେଳେ ସ୍ୱେଚ୍ଛାରେ ନ ହେଲେ ଆଇନ ଡରରେ ଟିକିଏ ସଫାସୁତୁରା ରହୁଥିଲେ । ଏବେ ଆଉ ମ୍ୟୁନିସିପାଲିଟିକୁ କି ଡର ? ପ୍ରଜା ସଂଖ୍ୟା ବଢ଼ିବାକୁ ଲାଗିଲେ ଏବଂ ତା ସଙ୍ଗେ ସଙ୍ଗେ ଅବ୍ୟବସ୍ଥା ଓ ଅପରିଚ୍ଛନ୍ନତା ବଢ଼ିବାକୁ ଲାଗିଲା ।

 

ଏମିତି ଚାଲିଥାଏ । ଭାରତବାସୀଙ୍କ ମନ ବ୍ୟସ୍ତ ଥାଏ । ସେତିକିବେଳେ ଭୟଙ୍କର ମହାମାରୀ (ପ୍ଲେଗ)ର ଆବିର୍ଭାବ ହେଲା । ଏହା ମାରାତ୍ମକ ଥିଲା । ଫୁସ୍‌ଫୁସ୍‌ର ପ୍ଲେଗ ଥିଲା । ଏହା ଗଣ୍ଠି ପ୍ଲେଗଠାରୁ ଅଧିକ ଭୟଙ୍କର ଥିଲା । ଭାଗ୍ୟକ୍ରମେ ମହାମାରୀ କୁଲିବସ୍ତିରୁ ଆରମ୍ଭ ହୋଇ ନ ଥିଲା; ବରଂ ଜୋହାନ୍‌ସବର୍ଗ ନିକଟସ୍ଥ ଅନେକ ସୁନାଖଣି ଭିତରୁ ଗୋଟିକରେ ପ୍ରଥମେ ଦେଖା ଦେଇଥିଲା । ଏହି ଖଣିର ଅଧିକାଂଶ କୁଲି ନିଗ୍ରୋ ଥିଲେ ଏବଂ ସେମାନଙ୍କର ପରିଷ୍କାର ପରିଚ୍ଛନ୍ନତା ପାଇଁ ତାଙ୍କର ଗୋରା ମାଲିକମାନେ ମୁଖ୍ୟତଃ ଦାୟୀ ଥିଲେ । କେତେକ ଭାରତବାସୀ ମଧ୍ୟ ଖଣି ସମ୍ପର୍କରେ କାମ କରୁଥିଲେ । ସେଥିରୁ ୨୩ ଜଣଙ୍କୁ ହଠାତ୍‌ ଦିନେ ପ୍ଲେଗ ଡେଇଁଥିଲା ଓ ସନ୍ଧ୍ୟାବେଳକୁ ସେମାନେ ଭୟଙ୍କର ପୀଡ଼ିତ ଅବସ୍ଥାରେ ବସ୍ତିରେ ଆସି ପହଞ୍ଚିଥିଲେ । ଶ୍ରୀଯୁକ୍ତ ମଦନଜିତ୍‌ ସେହି ସମୟରେ ‘ଇଣ୍ଡିୟାନ ଓପିନିୟନ୍‌’ ପାଇଁ ଗ୍ରାହକ ସଂଗ୍ରହ ଓ ଚାନ୍ଦା ଆଦାୟ ତାଗଦା କରି ବୁଲୁଥିଲେ ଏବଂ ଭାଗ୍ୟକ୍ରମେ ସେହି ମୁହୂର୍ତ୍ତରେ ସେହି କୁଲିବସ୍ତିରେ ଥିଲେ । ତାଙ୍କର ନିର୍ଭୀକତା ଗୁଣ ବଡ଼ ଉତ୍କୃଷ୍ଟ ଧରଣର ଥିଳା । ପ୍ଲେଗ ରୋଗୀଗୁଡ଼ିଙ୍କୁ ଦେଖି ତାଙ୍କର ହୃଦୟ ଦବି ଉଠିଥିଲା ଏବଂ ଖଣ୍ଡେ ଟୁକୁରା କାଗଜରେ ପେନ୍‌ସିଲରେ ମତେ ଚିଠି ଲେଖି ପଠାଇଥିଲେ । ତା’ର ମର୍ମ ଏୟା ଥିଲା;—‘‘ହଠାତ୍‌ ପ୍ଲେଗ ଆରମ୍ଭ ହୋଇଅଛି; ଶୀଘ୍ର ଆସି ପ୍ରତିକାର କରିବା ଉଚିତ୍‌, ନଚେତ୍‌ ଭୟଙ୍କର ପରିମାଣ ହେବ । ନିଶ୍ଚୟ ଶୀଘ୍ର ଆସିବ ।’’ ମଦନଜିତ୍‌ ସାହସ କରି ଗୋଟିଏ ଖାଲିଘରର ଚାବି ଭାଙ୍ଗିଦେଇ ସବୁ ରୋଗୀଯାକଙ୍କୁ ସେଥିରେ ରଖିଥିଲେ । ମୁଁ ସାଇକଲ କରି କୁଲି ବସ୍ତିକୁ ଯାଇଥିଲି । ସେଠାରୁ ସବୁ ହାଲ ଏବଂ କି ଅବସ୍ଥାରେ ପଡ଼ି ଆମେ ସେ ଘର ଭାଙ୍ଗି ଦଖଲ କଲୁ, ତାହା ଟାଉନ୍‌କ୍ଲର୍କକୁ (ମ୍ୟୁନିସିପାଲିଟି କର୍ମଚାରୀ) ଜଣେଇ ଦେଇଥିଲି ।

 

ଡାକ୍ତର ଉଇଲିୟମ୍‌ ଗଡ଼ଫ୍ରେ ସେତେବେଳେ ଜୋହାନ୍‍ସବର୍ଗରେ ଡାକ୍ତରୀ କରୁଥିଲେ । ସେ ସମ୍ବାଦ ପାଇଲାମାତ୍ରେ ଦଉଡ଼ି ଯାଇଥିଲେ ଏବଂ ରୋଗୀମାନଙ୍କର ଡାକ୍ତର ତଥା ଶୁଶ୍ରୂଷାକାରୀ ହୋଇଯାଇଥିଲେ । ମାତ୍ର ୨୩ ଜଣ ରୋଗୀ ସମ୍ଭାଳିବା ଆମକୁ ବଳେଇ ପଡ଼ିଥିଲା ।

 

ଅନୁଭୂତିରୁ ମୋର ବିଶ୍ୱାସ ଜନ୍ମି ଯାଇଛି ଯେ, ଯଦି ଶୁଦ୍ଧ ଉଦ୍ଦେଶ୍ୟ ଥାଏ, ବିପଦର ପ୍ରତିକାର ପାଇଁ ବିପଦର ପଛେ ପଛେ ସେବକ ଓ ସାଧନ ଆସି ଜୁଟି ଯାଇଥାନ୍ତି । ମୋ ସିରସ୍ତାରେ ସେତେବେଳେ ଚାରିଜଣ ଭାରତବାସୀ ଥିଲେ । ସେମାନଙ୍କର ନାମ କଲ୍ୟାଣ ଦାସ, ମାଣିକଲାଲ ଓ ଗୁଣବନ୍ତ ରାୟ—ଆରଜଣକ ନାମ ମନେ ପଡ଼ୁନାହିଁ । କଲ୍ୟାଣଦାସର ବାପ ତାକୁ ମୋ ହାତରେ ସମର୍ପି ଦେଇ ଯାଇଥିଲା । ତାଠାରୁ ବଳି ଅଧିକ ଉଦାରହୃଦୟ ଓ ବିନାଦ୍ୱିଧାରେ କଥା ମାନିବାକୁ ପ୍ରସ୍ତୁତଥିବା ଲୋକ ମୁଁ ଦକ୍ଷିଣ ଆଫ୍ରିକାରେ କ୍ୱଚିତ ଦେଖିଛି । ଭାଗ୍ୟକ୍ରମେ ସେ ସେତେବେଳକୁ ଅବିବାହିତ ଥିଲା ଏବଂ ଯେତେ ବଡ଼ ବିପଦର କାମ ମୁଁ ତା ଉପରେ ଲଦି ଦେବାକୁ ଦ୍ୱିଧା କରୁ ନ ଥିଲି । ମାଣିକଲାଲ ଜୋହାନସବର୍ଗରେ ମତେ ମିଳିଥିଲା । ମୋର ଯେତେଦୂର ମନେପଡ଼େ, ସେ ମଧ୍ୟ ଅବିବାହିତ ଥିଲା । ସେମାନଙ୍କୁ କିରାନୀ କୁହ, ସହକର୍ମୀ କୁହ ବା ପୁଅ କୁହ, ଚାରି ଜଣଯାକଙ୍କୁ ମୁଁ ଆହୂତି ଦେବାକୁ ସ୍ଥିର କରିଥିଲି । କଲ୍ୟାଣଦାସର ମତ ଲୋଡ଼ିବା ଆବଶ୍ୟକ ନ ଥିଲା । ଅନ୍ୟମାନଙ୍କୁ ପଚାରିବା ସଙ୍ଗେ ସଙ୍ଗେ ସେମାନେ ପ୍ରସ୍ତୁତ ହୋଇଥିଲେ । ଅଳ୍ପରେ ଓ ମଧୁରଭାବରେ,—‘‘ଆପଣ ଯେଉଁଠି, ଆମେ ସେଇଠି ।’’

 

ମି: ରିଚ୍‌ଙ୍କର ବଡ଼ ପରିବାର ଥିଲା । ଏଥିରେ ଡେଇଁ ପଡ଼ିବାକୁ ତାଙ୍କର ମଧ୍ୟ ଇଚ୍ଛା ଥିଲା-। ମାତ୍ର ମୁଁ ବାଧା ଦେଇଥିଲି । ତାଙ୍କୁ ବିପଦରେ ପକେଇବାକୁ ମୁଁ ଆଦୌ ପ୍ରସ୍ତୁତ ନ ଥିଲି; ମୋର ସାହସ ହୋଇ ନ ଥିଲା । ସେଥିପାଇଁ ବାହାରର ସବୁ କାମ ସେ କରିଥିଲେ ।

 

ସେବା ଶୁଶ୍ରୂଷାର ଏ ରାତିଟି ବଡ଼ ଭୟଙ୍କର ଥିଲା । ମୁଁ ଆଗରୁ ବହୁତ ରୋଗୀ ଶୁଶ୍ରୂଷା କରିଥିଲି; ମାତ୍ର କେବେ ପ୍ଲେଗ ରୋଗୀ ଶୁଶ୍ରୂଷା କରି ନ ଥିଲି । ଡାକ୍ତର ଗଡ଼ଫ୍ରେଙ୍କ ସାହସ ଆମକୁ ନିଡର କରିଦେଇଥିଲା । ସେବା ଶୁଶ୍ରୂଷା ବେଶୀ କରିବାକୁ ପଡ଼ି ନ ଥିଲା । ଔଷଧ ପାନେ ପାନେ ଦେବା, କାହାର କ’ଣ ଦରକାର ଟିକିଏ ଦେଖିବା, ତାଙ୍କର ମଇଳା ଇତ୍ୟାଦି ସଫା କରିଦେବା ଓ ମଧ୍ୟେ ମଧ୍ୟେ ତାଙ୍କୁ ଟିକିଏ ସାହସ ଦେବା—ଏୟା ଥିଲା ଆମର କାମ ।

 

ଯୁବକମାନଙ୍କର ହାଡ଼ଭଙ୍ଗା ପରିଶ୍ରମ ଓ ନିର୍ଭୀକତା ଦେଖି ମୋର ଅସୀମ ଆନନ୍ଦ ହୋଇଥିଲା । ଡାକ୍ତର ଗଡ଼ଫ୍ରେଙ୍କ ସାହସ ବା ମଦନଜିତ୍‌ଙ୍କ ଭଳି ଜଣେ ଜଣେ ଅନୁଭବୀଙ୍କ ସାହସ କଥା କହିଲେ ଅବା ବୁଝାଯାଏ, କିନ୍ତୁ ଏପରି ନୂଆ ଟୋକାଙ୍କର ସାହସ କି ଅଦ୍ଭୁତ । ରାତିଟା ଯଥା ତଥା କଟିଗଲା । ମୋର ଯେତେଦୂର ମନେପଡ଼େ ସେ ରାତିରେ ଆମେ କୌଣସି ରୋଗୀଙ୍କୁ ହରେଇ ନ ଥିଲୁ । କିନ୍ତୁ ଘଟଣାଟା କରୁଣ ହେବା ସଙ୍ଗେ ସଙ୍ଗେ ଏତେ ଚିତ୍ତାକର୍ଷକ ଓ ମୋ ପାଇଁ ଏତେ ଧର୍ମମୟ ଯେ, ମୁଁ ଆଉ ଦିଓଟି ଅଧ୍ୟାୟ ତାହାପାଇଁ ଦେବାକୁ ବାଧ୍ୟ ହେବି ।

 

ମହାମାରୀ (୨)

 

ଖାଲି ଘରଟି ଭାଙ୍ଗି ରୋଗୀମାନଙ୍କ ଦାୟିତ୍ୱ ମୁଁ ନେଇଥିବାରୁ ଟାଉନ କ୍ଲର୍କ ମୋ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ଏପରି ଆକସ୍ମିକ ଘଟଣାରେ ହଠାତ୍‌ ପ୍ରତିକାର କରିବାର କୌଣସି ଉପାୟ ମ୍ୟୁନିସିପାଲିଟି ହାତରେ ନ ଥିଲା ବୋଲି ସେ ସତ ସତ ସ୍ୱୀକାର କରିଥିଲେ ଏବଂ ସେମାନଙ୍କ ଶକ୍ତିରେ ଯେତେଦୂର ହୋଇପାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଥରେ ଯେତେବେଳେ ତାଙ୍କର କର୍ତ୍ତବ୍ୟବୋଧ ଆସିଯାଇଥିଲା, ମ୍ୟୁନିସିପାଲିଟି ଅବସ୍ଥାର ପ୍ରତିକାର ଆଉ ବିଳମ୍ବ କରି ନଥିଲେ । ପରଦିନ ସେମାନେ ମତେ ଗୋଟିଏ ଖାଲି ଗୋଦାମ ଛାଡ଼ି ଦେଇଥିଲେ ଓ ରୋଗୀମାନଙ୍କୁ ସେଠାକୁ ନେଇଯିବାକୁ ସୂଚନା ଦେଇଥିଲେ । ଗୋଦାମଟି ମଇଳା ଓ କଦର୍ଯ୍ୟ ହୋଇ ପଡ଼ିଥିଲା; କିନ୍ତୁ ମ୍ୟୁନିସିପାଲିଟି ତାକୁ ସଫା କରିବାର ଦାୟିତ୍ୱ ନେଇ ନ ଥିଲେ । ଆମେ ନିଜେ ତାକୁ ସଫା କରିଥିଲୁ । କେତେକ ଦାନୀ ଭାରତୀୟଙ୍କ ସାହାଯ୍ୟରେ ଆମେ କେତେ ଖଟ ପ୍ରଭୃତି ସଂଗ୍ରହ କରି ଗୋଟିଏ କାମ ଚଳିବାଭଳି ଅସ୍ଥାୟୀ ଡାକ୍ତରଖାନା ଛିଡ଼ାକରି ଦେଇଥିଲୁ । ମ୍ୟୁନିସିପାଲିଟି ଜଣେ (ନର୍ସ) ଧାତ୍ରୀଙ୍କୁ ପଠେଇ ଦେଇଥିଲେ । ସେ ସାଙ୍ଗରେ ବ୍ରାଣ୍ଡି ତଥା ରୋଗୀଙ୍କ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ନେଇ ଆସିଥିଲେ । ଡାକ୍ତର ଗଡ଼ଫ୍ରେଙ୍କର ତତ୍ତ୍ୱାବଧାନରେ ସବୁ କାମ ହେଉଥିଲା ।

 

ଆମେ ନର୍ସଙ୍କୁ କେବେହେଲେ ରୋଗୀମାନଙ୍କୁ ଛୁଇଁବାକୁ ଦେଉ ନ ଥିଲୁ । ନର୍ସ ନିଜେ କିନ୍ତୁ ଛୁଇଁବାକୁ ରାଜିଥିଲେ । ସେ ବଡ଼ ଭଲ ପ୍ରକୃତିର ମହିଳା ଥିଲେ; କିନ୍ତୁ ତାଙ୍କୁ ବିପଦରେ ନ ପକେଇବାକୁ ଆମେ ଚେଷ୍ଟା କରୁଥାଉ । ରୋଗୀମାନଙ୍କୁ ବାରମ୍ବାର ବ୍ରାଣ୍ଡି ଦେବାକୁ ଆମକୁ ଉପଦେଶ ମିଳିଥାଏ । ଆତ୍ମରକ୍ଷା ପାଇଁ ଟିକିଏ ବ୍ରାଣ୍ଡି ଖାଇବାପାଇଁ ଆମକୁ ସୁଦ୍ଧା ଧାତ୍ରୀ ଉପଦେଶ ଦେଉଥାନ୍ତି ଓ ନିଜେ ମଧ୍ୟ ଟିକେ ଟିକେ ଖାଉଥାନ୍ତି । ମାତ୍ର ଆମ ଭିତରୁ ତ କେହି ବ୍ରାଣ୍ଡି ଛୁଅନ୍ତି ନାହିଁ-। ରୋଗୀମାନଙ୍କୁ ସୁଦ୍ଧା ବ୍ରାଣ୍ଡି ଦେବାରେ ମୋର ଆଗ୍ରହ ନ ଥିଲା । ଡାକ୍ତର ଗଡ଼ଫ୍ରେଙ୍କ ଅନୁମତି ନେଇ ଯେଉଁ ତିନି ଜଣ ରୋଗୀ ବ୍ରାଣ୍ଡି ନ ଖାଇ ରହିବାକୁ ରାଜିଥିଲେ ଏବଂ ମାଟି ଚିକିତ୍ସା କରାଇବାକୁ ରାଜିଥିଲେ, ସେମାନଙ୍କୁ ମୁଁ ମାଟି ଚିକିତ୍ସା କରୁଥିଲି । ତାଙ୍କ ମୁଣ୍ଡରେ ଓ ଛାତିରେ କାଦୁଅପଟି ଦେଇଥିଲି । ଏଇ ତିନି ଜଣଙ୍କ ଭିତରୁ ଦି’ଜଣ ବଞ୍ଚି ଯାଇଥିଲେ । ଅନ୍ୟ କୋଡ଼ିଏ ଜଣ ଗୋଦାମରେ ମରି ଯାଇଥିଲେ ।

 

ଇତ୍ୟବସରରେ ମ୍ୟୁନିସିପାଲିଟି ଅନ୍ୟାନ୍ୟ ପ୍ରତିକାର କରିବାରେ ବ୍ୟସ୍ତ ଥିଲେ । ଜୋହାନ୍‌ସବର୍ଗଠାରୁ ସାତ ମାଇଲ ଦୂରରେ ସଂକ୍ରାମକ ରୋଗୀଙ୍କ ପାଇଁ ଗୋଟିଏ ଚିକିତ୍ସାଳୟ ଥିଲା । ଏ ତିନୋଟି ରୋଗୀଙ୍କୁ ସେଇଠିକି ନିଆ ଯାଇଥିଲା ଏବଂ ତାଙ୍କୁ ସେଇଠି ହାସପାତାଲ ନିକଟରେ ତମ୍ବୁରେ ରଖାଯାଇଥିଲା । ଆଉ ନୂଆ ରୋଗୀ ପଡ଼ିଲେ ତାଙ୍କୁ ସେଠାକୁ ନିଆଯିବାର ବନ୍ଦୋବସ୍ତ କରାଯାଇଥିଲା । ଏହିପରି ଆମେ ଏ ଦାୟିତ୍ୱରୁ ମୁକ୍ତ ହୋଇଥିଲୁ ।

 

ଅଳ୍ପଦିନ ଭିତରେ ଆମେ ଶୁଣିଲୁ ଯେ, ସେ ଭଲ ଧାତ୍ରୀଟିକୁ ହଠାତ୍‌ ପ୍ଲେଗ ହୋଇଥିଲା ଏବଂ ସେ ମରି ଯାଇଥିଲେ । ସେ ଦି’ଜଣ ରୋଗୀ କେମିତି ବଞ୍ଚଗଲେ ଓ ଆମେ ମଧ୍ୟ କେମିତି ରହିଗଲୁ, ସେ କଥା ବୁଝେଇବା ଅସମ୍ଭବ, ମାତ୍ର ଏଇ ଅନୁଭୂତି ଫଳରେ ମାଟି ଚିକିତ୍ସା ପ୍ରତି ମୋର ବିଶ୍ୱାସ ତଥା ବ୍ରାଣ୍ଡିକୁ ଔଷଧସ୍ୱରୂପ ବ୍ୟବହାର କରିବାରେ ଅଶ୍ରଦ୍ଧା ବଢ଼ି ଯାଇଥିଲା । ମୁଁ ଜାଣେ ଏ ଶ୍ରଦ୍ଧା ଅଶ୍ରଦ୍ଧା କୌଣସି ସୁଦୃଢ଼ ଯୁକ୍ତି ଉପରେ ପ୍ରତିଷ୍ଠିତ ନୁହେଁ । ମାତ୍ର ସେତେବେଳେ ମୋ ମନରେ ଯେଉଁ ଛାପ ପଡ଼ିଯାଇଥିଲା, ତାହା ମୁଁ ପୋଛିପାରି ନାହିଁ ଏବଂ ସେ ଛାପ ଆଜିଯାଏ ଅଛି । ସେଥିଯୋଗୁଁ ଏ କଥାଟି ଏଠି ଉଲ୍ଲେଖ କରିବା ଆବଶ୍ୟକ ମଣୁଛି ।

 

ପ୍ଲେଗ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମୁଁ ଖବରକାଗଜରେ ଖଣ୍ଡେ କଡ଼ା ଚିଠି ଲେଖିଥିଲି-। ସେଥିରେ ବସ୍ତିକୁ ଆପଣା ଦଖଲକୁ ନେବା ପରେ ବସ୍ତିରେ ବଢ଼ିଥିବା ଅଯତ୍ନ ଏବଂ ପ୍ଲେଗର ଆକ୍ରମଣ ପାଇଁ ମ୍ୟୁନିସିପାଲଟିକୁ ଦାୟୀ ସାବ୍ୟସ୍ତ କରିଥିଲି । ଏହି ଚିଠି ଫଳରେ ମୁଁ ହେନ୍‌ରୀ ପୋଲକ୍‌ଙ୍କୁ ପାଇଥିଲି ଓ ସ୍ୱର୍ଗୀୟ ରେଭ୍‌ରେଣ୍ଡ ଡେକ୍‌ଙ୍କ ସହିତ ବନ୍ଧୁତ୍ୱ ପାଇଁ ଏ ଚିଠି ଆଂଶିକ ଦାୟୀ ।

 

ମୁଁ ପୂର୍ବ ଅଧ୍ୟାୟରେ କହିଆସିଛି ଯେ, ମୁଁ ଗୋଟିଏ ନିରାମିଷ ଭୋଜନାଳୟରେ ଖାଉଥିଲି । ସେହିଠାରେ ମିଷ୍ଟର ଆଳବର୍ଟ ଉଏଷ୍ଟଙ୍କ ସହିତ ମୋର ପ୍ରଥମ ଦେଖା । ପ୍ରତିଦିନ ସଂଧ୍ୟାବେଳେ ଆମର ଦେଖାସାକ୍ଷାତ ହେଉଥିଲା ଏବଂ ଖାଇସାରି ଉଭୟେ ଏକାଠି ବୁଲି ଯାଉଥିଲୁ-। ମିଷ୍ଟର୍‌ ଉଏଷ୍ଟ ଗୋଟିଏ ଛୋଟିଆ ଛାପାଖାନା ବ୍ୟବସାୟରେ ଅଂଶୀଦାର ଥିଲେ । ସେ ଖବରକାଗଜରେ ପ୍ଲେଗ ରୋଗ ସମ୍ୱନ୍ଧରେ ମୋର ଚିଠି ପଢ଼ିଥିଲେ ଓ ଖାଇଲାବେଳେ ଭୋଜନାଳୟରେ ମୋତେ ନ ପାଇ ବଡ଼ ଚିନ୍ତିତ ହୋଇପଡ଼ିଥିଲେ ।

 

ମୁଁ ଓ ମୋର ସାଥୀମାନେ ମହାମାରୀ ସମୟରେ ଖୋରାକ କମେଇ ଦେଇଥିଲୁ । ଅନେକଦିନ ହେଲା ମୋର ନିୟମ ଥିଲା ଯେ, ମହାମାରୀ ଲାଗିଲେ ପେଟ ଯେତେ କମ୍‌ ଭାରି ରହେ, ସେତେ ଭଲ । ସେଥିଯୋଗୁଁ ମୁଁ ମୋର ସନ୍ଧ୍ୟା ଖୋରାକ ବନ୍ଦ କରିଦେଇଥିଲି । ମୋ ଡରରୁ ଦୂରରେ ରଖିବାପାଇଁ ଅନ୍ୟ ଅତିଥିମାନେ ଆସିବା ପୂର୍ବରୁ ମୁଁ ମୋର ଦି’ପହରର ଖାଇବା ଖାଇ ଚାଲି ଆସୁଥିଲି । ଭୋଜନାଳୟରେ ମାଲିକଙ୍କ ସହିତ ମୋର ଭଲ ପରିଚୟ ଥିଲା ଓ ମୁଁ ଯେ ପ୍ଲେଗରୋଗୀ ଶୁଶ୍ରୂଷା କରୁଥିଲି ଏବଂ ସେଥିପାଇଁ ଯେତେଦୂର ସମ୍ଭବ ବନ୍ଧୁମାନଙ୍କ ସମ୍ପର୍କରେ ଆସିବା ମୋର ଉଚିତ ନୁହେଁ—ଏ କଥା ତାଙ୍କୁ ବୁଝେଇ ଦେଇଥିଲି ।

 

ମିଷ୍ଟର ଉଏଷ୍ଟ ମତେ ଭୋଜନାଳୟରେ ନ ପାଇବାର ୨ୟ ବା ୩ୟ ଦିନ ବଡ଼ିସକାଳୁ ମୁଁ ଠିକ୍‌ ବୁଲିବାକୁ ବାହାରିବା ସମୟରେ କବାଟ୍‌ ଖଟ୍‌ ଖଟ୍‌ କରିଥିଲେ । କବାଟ ଫିଟେଇବା ସଙ୍ଗେ ସଙ୍ଗେ ମିଷ୍ଟର ଉଏଷ୍ଟ କହିଥିଲେ, ‘‘ଆପଣଙ୍କୁ ଭୋଜନାଳୟରେ ପାଇଲି ନାହିଁ, ଆଶଙ୍କା ହେଲା ଆପଣଙ୍କର କିଛି ହୋଇଛି । ସେଥିପାଇଁ ଏତିକିବେଳେ ଘରେ ଆପଣଙ୍କୁ ନିଶ୍ଚୟ ପାଇବି ବୋଲି ଆଶାକରି ଆସିଛି । ଏବେ ମୋଦ୍ୱାରା କିଛି ସାହାଯ୍ୟ ହେବ ତ କହନ୍ତୁ । ମୁଁ ରୋଗୀଙ୍କୁ ଶୁଶ୍ରୂଷା କରିବାକୁ ପ୍ରସ୍ତୁତ ଅଛି । ଆପଣ ଜାଣନ୍ତି; ମୋ ଉପରେ ନିର୍ଭର କରିବାକୁ ଆପଣା ପେଟ ଛଡ଼ା ଆଉ କେହି ନାହାନ୍ତି ।’’

 

ମୁଁ କୃତଜ୍ଞତା ଜଣାଇଥିଲି ଏବଂ ମୁହୂର୍ତ୍ତେ ମାତ୍ର ଚିନ୍ତା ନ କରି ତାଙ୍କୁ ଉତ୍ତର ଦେଇଥିଲି, ‘‘ମୁଁ ଶୁଶ୍ରୂଷା କାମ ପାଇଁ ଆପଣଙ୍କୁ ନେବି ନାହିଁ । ଆଉ ନୂଆ ରୋଗୀ ନ ପଡ଼ନ୍ତି, ତେବେ ତ ଦିନେ ଦୁଇ ଦିନରରେ ଆମେ ଛୁଟି ପାଇବୁ । ସେ ଯାହାହେଉ ଆଉ ଗୋଟିଏ କାମ ଅଛି ।’’

 

ସେ ଉତ୍ତର ଦେଲେ, ‘‘ହଉ, ସେ କାମ କ’ଣ ?’’

 

‘‘ଆପଣ ଡରବାନରେ ‘ଇଣ୍ଡିୟାନ୍‌ ଓପିନିୟନ’ ଛାପାଖାନାର ପରିଚାଳନାର ଭାର ନେଇପାରିବେ କି ? ସମ୍ଭବତଃ ମଦନଜିତ୍‌ଙ୍କୁ ଏଠି ରହିବାକୁ ପଡ଼ିବ ଓ ସେଠି ଆଉ ଜଣେ ଦରକାର ହେବେ । ଆପଣ ଯଦି ଯା’ନ୍ତି, ସେ ଦିଗରେ ମୋର ଚିନ୍ତା ଏକଦମ୍‌ କମିଯାନ୍ତା ।’’

 

ଉଏଷ୍ଟ ଜବାବ ଦେଇଥିଲେ, ‘‘ଆପଣ ଜାଣନ୍ତି, ମୋର ଗୋଟିଏ ଛାପାଖାନା ଅଛି । ସମ୍ଭବତଃ ମୁଁ ଯାଇପାରିବି । ତେବେ ସଞ୍ଜବେଳକୁ ଶେଷ ଜବାବ ଦେଲେ କ’ଣ ଚଳିବ ନାହିଁ ? ସନ୍ଧ୍ୟାରେ ବୁଲିବାକୁ ଗଲେ ସେତେବେଳେ କଥାବାର୍ତ୍ତା ହୋଇପାରିବା ।’’

 

ମୋର ଭାରି ଆନନ୍ଦ ହୋଇଥିଲା । ସେହିଦିନ ସନ୍ଧ୍ୟାରେ ଆମର କେତେକ କଥାବାର୍ତ୍ତା ହେଲା । ତଥାପି ମାସକୁ ଦେଢ଼ଶହ ଟଙ୍କା ଓ ଲାଭରୁ କିୟଦଂଶ ପାଇବେ ବୋଲି ସ୍ଥିର ହୋଇଥିଲା-। ଉଏଷ୍ଟ ଦରମା ପାଇଁ ତ ଯାଉ ନଥିଲେ, ସେଥିପାଇଁ ସେ ପ୍ରଶ୍ନ ତାଙ୍କ ଆଗରେ ନ ଥିଲା । ପରଦିନ ରାତି ଡାକଗାଡ଼ିରେ ମିଷ୍ଟର ଉଏଷ୍ଟ ଡରବାନ୍‌ ଯାଇଥିଲେ ଏବଂ ଜୋହାନସ୍‌ବର୍ଗରେ ତାଙ୍କର ଯାହା ବାକି ଆଦାୟ ଅସୁଲ ଥିଲା, ସେ ସବୁର ଭାର ମୋ ଉପରେ ଦେଇ ଯାଇଥିଲେ । ସେହିଦିନଠାରୁ ଦକ୍ଷିଣ ଆଫ୍ରିକାକୁ ଛାଡ଼ିବାଯାଏ ସେ ବରାବର ମୋ ସୁଖ ଦୁଃଖରେ ଭାଗୀ ହୋଇ ରହିଥିଲେ । ବିଲାତରେ ଲାଉଥ୍‍ସହରର ଗୋଟିଏ କୃଷକ ପରିବାରରେ ତାଙ୍କର ଜନ୍ମ । ସେ ସାମାନ୍ୟ ସ୍କୁଲ ଶିକ୍ଷା ପାଇଥିଲେ; ମାତ୍ର ନିଜ ପରିଶ୍ରମର ଅଭିଜ୍ଞତାରୁ ଚାଟଶାଳୀରେ ବହୁତ ଶିଖିଥିଲେ । ମୁଁ ତାଙ୍କୁ ସବୁବେଳେ ଜଣେ ପବିତ୍ର, ସଂଯତ, ଈଶ୍ୱର ଭୀରୁ, ସାହାସୀ ଓ ଦୟାଶୀଳ ଇଂରେଜ ଥିଲେ ବୋଲି ବରାବର ଜାଣି ଆସିଛି । ତାଙ୍କର ଓ ତାଙ୍କ ପରିବାରର କଥା ପରବର୍ତ୍ତୀ ଅଧ୍ୟାୟମାନଙ୍କରୁ ଆମେ ବେଶୀ ଜାଣିପାରିବା ।

 

ବସ୍ତି ଭସ୍ମସାତ୍‌

 

ମୁଁ ଓ ମୋର ସହକର୍ମୀମାନେ ରୋଗୀମାନଙ୍କ ଦାୟିତ୍ୱରୁ ମୁକ୍ତ ହେଲୁ ସତ; ମାତ୍ର ମହାମାରୀରୁ ଉତ୍ପନ୍ନ ଅନ୍ୟାନ୍ୟ ଅନେକ କାମ ମୁଣ୍ଡ ଉପରେ ଥାଏ ।

 

କୁଲି ବସ୍ତି ସମ୍ବନ୍ଧରେ ମ୍ୟୁନିସିପାଲଟି ଅସାବଧାନ ଥାଇପାରନ୍ତି; କିନ୍ତୁ ସେଠାରେ ଗୋରା ଅଧିବାସୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଦିନରେ ଚବିଶ ଘଣ୍ଟା ଜାଗ୍ରତ ଥିଲେ । ସେମାନଙ୍କର ସ୍ୱାସ୍ଥ୍ୟରକ୍ଷା ପାଇଁ ମ୍ୟୁନିସିପାଲଟି ଖର୍ଚ୍ଚ କରିବାକୁ କୁଣ୍ଠିତ ହୋଇ ନ ଥିଲେ ଏବଂ ମହାମାରୀକୁ ଅଟକେଇବାକୁ ଅଜସ୍ର ଟଙ୍କା ଢାଳି ଦେଇଥିଲେ ।

 

ଭାରତବାସୀଙ୍କ ପ୍ରତି ମ୍ୟୁନିସିପାଲଟି ଅନେକ ଅନ୍ୟାୟ କରିଛନ୍ତି ବୋଲି ଜାଣିଲେ ସୁଦ୍ଧା ଗୋରା ଅଧିବାସୀମାନଙ୍କର ସ୍ୱାସ୍ଥ୍ୟରକ୍ଷା ଲାଗି ମ୍ୟୁନିସିପାଲିଟିର ଯତ୍ନ ଦେଖି ମୁଁ ସେମାନଙ୍କର ପ୍ରଶଂସା ନ କରି ରହିପାରି ନ ଥିଲି ଏବଂ ସେମାନଙ୍କର ସେହି ପ୍ରଶଂସନୀୟ ଉଦ୍ୟମରେ ଯଥାସମ୍ଭବ ସାହାଯ୍ୟ ଦେଇଥିଲି । ମୋର ମନେ ହେଉଛି, ସେତେବେଳେ ମୁଁ ମୋର ସହଯୋଗ ନ ଦେଇଥିଲେ ମ୍ୟୁନିସିପାଲିଟିର କାମ ବଡ଼ କଠିନ ହୋଇ ଯାଇଥାନ୍ତା ଏବଂ ସେମାନେ ସମ୍ଭବତଃ ବନ୍ଧୁକର ଆଶ୍ରୟ ନେଇଥାନ୍ତେ, ସେଥିରେ ଦ୍ୱିଧା କରି ନ ଥାନ୍ତେ ଏବଂ ଆପଣାର ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରେଇଥାନ୍ତେ ।

 

କିନ୍ତୁ ସେମିତି କିଛି ହୋଇପାରି ନ ଥିଲା । ଭାରତବାସୀମାନଙ୍କ ବ୍ୟବହାରରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷମାନେ ସନ୍ତୁଷ୍ଟ ହୋଇଥିଲେ ଏବଂ ପ୍ଲେଗ ପ୍ରତିକାର ସମ୍ବନ୍ଧରେ ପଛକୁ ଅନେକ କାମ ସରଳ ହୋଇଯାଇଥିଲା । ମ୍ୟୁନିସିପାଲିଟିର କଥା ମାନିବାକୁ ମୁଁ ଭାରତବାସୀମାନଙ୍କ ଉପରେ ସମସ୍ତ ପ୍ରଭାବ ପକେଇଥିଲି । ସେତେଦୂର କଥା ମାନିବା ଭାରତବାସୀମାନଙ୍କ ପକ୍ଷରେ ବିଶେଷ କଠିନ ହୋଇଥାନ୍ତା । ମାତ୍ର ମୋ କଥାର କେହି ବିରାଧ କରି ନ ଥିଲେ ବୋଲି ମୋର ବେଶ୍‌ ମନେ ପଡ଼େ ।

 

ବସ୍ତି ଚାରିକଡ଼ରେ ପହରା ରଖାଯାଇଥିଲା ଓ ବିନା ଛାଡ଼ରେ ବସ୍ତିକୁ ଯିବା ଆସିବା ବନ୍ଦ କରାଯାଇଥିଲା । ମତେ ଓ ମୋର ସହକର୍ମୀମାନଙ୍କୁ ଛାଡ଼ ମିଳିଥିଲା । ସ୍ଥିର ହୋଇଥିଲା ସମସ୍ତେ ବସ୍ତି ଛାଡ଼ି ଚାଲିଯିବେ ଓ ଜୋହନ୍‌ସବର୍ଗର ତେର ମାଇଲ ଦୂରରେ ଗୋଟିଏ ଖୋଲା ପଡ଼ିଆରେ ତମ୍ୱୁ ପକାଇ ତିନି ସପ୍ତାହ କାଳ ରହିବେ । ଇତିମଧ୍ୟରେ ବସ୍ତିକୁ ଜଳେଇ ଦିଆଯିବ । ତମ୍ୱୁ ହେଲେ ବି ଏକ ନୂଆ ଗାଁ ବସେଇବା ଓ ଖାଇବା ପିଇବା ରସଦ ଆଦି ଆବଶ୍ୟକୀୟ ଜିନିଷ ନେଇଯିବାକୁ ସମୟ ଲାଗନ୍ତା । ସେଥିଯୋଗୁଁ ସେ ପର୍ଯ୍ୟନ୍ତ ପହରା ଦେବାକୁ ପଡ଼ୁଥିଲା ।

 

ଲୋକଙ୍କ ଭିତରେ ଭାରି ଆତଙ୍କ ପଡ଼ିଯାଇଥିଲା; ମାତ୍ର ମୁଁ ତାଙ୍କ ପାଖରେ ସବୁବେଳେ ଥିବାରୁ ସେମାନେ ବଡ଼ ଆଶ୍ୱସ୍ତ ହୋଇଥିଲେ । ଅନେକ ଗରିବଲୋକ ଯାହା କିଛି ଅଳ୍ପ ସଞ୍ଚିଥିଲେ ସବୁ ମାଟିରେ ପୋତିଥିଲେ । ତାକୁ ସବୁ ଖୋଳି ବାହାର କରିବାକୁ ପଡ଼ିଥିଲା । କୌଣସି ବ୍ୟାଙ୍କ ତାଙ୍କୁ ମିଳି ନ ଥିଲା, କିମ୍ବା କୌଣସି ବ୍ୟାଙ୍କ ତାଙ୍କୁ ଜାଣି ନ ଥିଲା । ମୁଁ ତାଙ୍କର ବ୍ୟାଙ୍କ ହୋଇଥିଲି । ସେ ଅଫିସରେ ପଇସା ଗଦା ହୋଇଥିଲା । ଏପରି ଦୁଃସମୟରେ ଏ ପରିଶ୍ରମ ପାଇଁ ଫିସ୍‌ ନେବାର ନ ଥିଲା । ମୁଁ କୌଣସି ମତେ କାମ ତୁଲେଇ ନେଇଥିଲି । ବ୍ୟାଙ୍କର ମନେଜର ସଙ୍ଗେ ମୋର ଭଲ ପରିଚୟ ଥିଲା । ତାଙ୍କ ସେଠି ସବୁ ଟଙ୍କା ଜମା କରିବି ବୋଲି ମୁଁ ତାଙ୍କୁ କହିଥିଲି । ବ୍ୟାଙ୍କ ମେନେଜର ଏତ ତମ୍ୱା ପଇସା ଓ ରୂପା ମୁଦ୍ରା ଜମା ନେବାକୁ ପ୍ରସ୍ତୁତ ନ ଥିଲେ । ପ୍ଲେଗ ଅଞ୍ଚଳରୁ ଆସିଛି ବୋଲି ବ୍ୟାଙ୍କ କିରାନୀମାନେ ସେସବୁ ରକମ ସୁବିଧା କରି ଦେଇଥିଲେ । ବ୍ୟାଙ୍କକୁ ପଠେଇବା ଆଗରୁ ଟଙ୍କା ପଇସା ଗୁଡ଼ିକୁ ଜୀବାଣୁନାଶକ ମସଲାପାଣିରେ ଧୋଇବା ସ୍ଥିର ହୋଇଥିଲା । ମୋର ମନେ ପଡ଼େ, ଏପରି ନ’ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ଦିଆଯାଇଥିଲା । ଯେଉଁ ମହକିଲମାନଙ୍କର ବେଶୀ ବେଶୀ ଟଙ୍କା ଜମାଥିଲା, ସେମାନଙ୍କୁ ମୁଁ ସେ ଟଙ୍କାରୁ ନିର୍ଦ୍ଦିଷ୍ଟ ସମୟ ପାଇଁ ସୁଧରେ ଜମା ଦେବାପାଇଁ ପରାମର୍ଶ ଦେଇଥିଲି ଏବଂ ସେମାନେ ତାହା ଗ୍ରହଣ କରିଥିଲେ । ଫଳରେ ସେମାନଙ୍କ ଭିତରୁ ଅନେକ ବ୍ୟାଙ୍କରେ ଟଙ୍କା ରଖିବାର ଅଭ୍ୟସ୍ତ ହୋଇଯାଇଥିଲେ ।

 

ବସ୍ତିର ଲୋକଙ୍କୁ ଗୋଟିଏ ସ୍ୱତନ୍ତ୍ର ଗାଡ଼ିରେ ଜୋହାନ୍‍ସବର୍ଗ ନିକଟସ୍ଥ କ୍ଲିପ୍‌ସ୍‌ପ୍ରୁଟ ଫାର୍ମକୁ ନିଆ ଯାଇଥିଲା । ସେଠି ସେମାନଙ୍କୁ ମ୍ୟୁନିସିପାଲିଟି ଆପଣା ଖର୍ଚ୍ଚରେ ଖାଦ୍ୟପେୟ ଯୋଗାଇ ଦେଇଥିଲେ । ତମ୍ୱୁ ବସ୍ତିଟି ଗୋଟିଏ ସୈନ୍ୟଛାଉଣୀଭଳି ଦେଖାଯାଉଥିଲା । ଲୋକେ ଏମିତି ହେବାକୁ ଅଭ୍ୟସ୍ତ ନ ଥିଲେ । ସେମାନଙ୍କର ମନରେ କଷ୍ଟ ହୋଇଥିଲା, ନୂଆ ନୂଆ ଲାଗିଥିଲା; କିନ୍ତୁ ସେମାନଙ୍କର କୌଣସି ବିଶେଷ ଅସୁବିଧା ହୋଇ ନ ଥିଲା । ମୁଁ ସେଠାକୁ ରୋଜ ସାଇକେଲରେ ଘେରାଏ ମାରି ଆସୁଥିଲି । ସେଠିକି ଯିବାର ଚବିଶ ଘଣ୍ଟା ମଧ୍ୟରେ ସେମାନେ ସବୁ ଦୁଃଖ କଷ୍ଟ ଭୁଲି ଯାଇଥିଲେ ଏବଂ ଆନନ୍ଦରେ ରହିବାକୁ ଆରମ୍ଭ କରିଥିଲେ । ମୁଁ ଯେତେବେଳେ ଯାଉଥିଲି, ସେତେବେଳେ ତାଙ୍କୁ ଭଜନ, କୀର୍ତ୍ତନ, ଆମୋଦପ୍ରମୋଦ କରିବାର ଦେଖୁଥିଲି । ମୁକ୍ତ ଆକାଶ ତଳେ ତିନିମାସ ରହି ସେମାନଙ୍କର ସ୍ୱାସ୍ଥ୍ୟର ସ୍ପଷ୍ଟ ଉନ୍ନତି ହୋଇଥିଲା ।

 

ଯେତେଦୂର ମନେପଡ଼େ, ବସ୍ତି ଛାଡ଼ିବାର ବାସିଦିନ ସେଥିରେ ନିଆଁଲଗେଇ ଦିଆଯାଇଥିଲା । ମ୍ୟୁନିସିପାଲିଟି ନିଆଁ ମୁହରୁ ଟିକିଏ ହେଲେ କିଛି ରକ୍ଷା କରିବାର ଲୋଭ କରି ନ ଥିଲା । ଠିକ୍ ସେହି ସମୟରେ ଏବଂ ସେହି କାରଣରୁ ତା’ ନିଜ ହାଟରେ ବିକ୍ରୀ ପାଇଁ ଥିବା ସମସ୍ତ କାଠ ପୋଡ଼ି ଦିଆଯାଇଥିଲା । ଏଥିରେ ମ୍ୟୁନିସିପାଲିଟିର ପ୍ରାୟଦେଢ଼ଲକ୍ଷ ଟଙ୍କାର କ୍ଷତି ହୋଇଥିଲା । ମ୍ୟୁନିସିପାଲିଟି ହାଟରେ ଗୋଟିଏ ମଲାମୂଷା ଦେଖାଯାଇଥିବାରୁ ଏପରି ଚରମ ବ୍ୟବସ୍ଥା କରିବାକୁ ପଡ଼ିଥିଲା ।

 

ବହୁତ ଖର୍ଚ୍ଚ ହୋଇଥିଲା ସତ୍ୟ, ମାତ୍ର ତା’ଫଳରେ ମହାମାରୀ ଆଗକୁ ମାଡ଼ିପାରି ନଥିଲା । ସହରବାସୀ ନିଶ୍ଚିନ୍ତ ହୋଇଥିଲେ ।

 

Unknown

ଖଣ୍ଡେ ବହିର କୁହୁକ

 

ଏ ମହାମାରୀ ଗରିବ ଭାରତବାସୀମାନଙ୍କ ଉପରେ ମୋର ପ୍ରଭାବ, ମୋର ବ୍ୟବସାୟ ତଥା ଦାୟିତ୍ୱ ବଢ଼େଇ ଦେଇଥିଲା । ପୁଣି ଇଉରୋପୀୟଙ୍କ ସହିତ କେତେକ ସମ୍ୱନ୍ଧ ଏତେ ଘନିଷ୍ଠ ହୋଇଥିଲା ଯେ, ମୋର ନୈତିକ ଦାୟିତ୍ୱ ମଧ୍ୟ ଅଧିକ ହୋଇଯାଇଥିଲା ।

 

ସେହି ନିରାମିଷ ଭୋଜନାଳୟରେ ମିଷ୍ଟର ଉଏଷ୍ଟଙ୍କଭଳି ପୋଲକ୍‌ଙ୍କ ସହିତ ମଧ୍ୟ ପରିଚୟ ହୋଇଥିଲା । ଦିନେ ସନ୍ଧ୍ୟାବେଳେ ଜଣେ ଯୁବକ ମୋଠାରୁ ଦୂରରେ ଏକ ଟେବୁଲ୍‌ରେ ଖାଇବସିଥିଲେ । ସେ ତାଙ୍କ ନାଁ ଲେଖା କାର୍ଡଖଣ୍ଡି ମୋ ସାଙ୍ଗରେ ଦେଖା କରିବା ଇଚ୍ଛାରେ ମୋ ପାକକୁ ପଠେଇ ଦେଇଥିଲେ । ମୁଁ ତାଙ୍କୁ ମୋ ଟେବୁଲ୍‌କୁ ଡକେଇ ପଠେଇଥିଲି । ସେ ଆସିଥିଲେ-

 

ସେ କହିଥିଲେ, ‘‘ମୁଁ ‘କ୍ରିଟିକ୍‌’ ଖବର କାଗଜର ସହକାରୀ ସମ୍ପାଦକ । ପ୍ଲେଗ ସମ୍ବନ୍ଧରେ ଆପଣଙ୍କର ଚିଠି ଖବରକାଗଜରେ ପଢ଼ି ଆପଣଙ୍କୁ ଭେଟିବାକୁ ମୋର ଭାରି ଇଚ୍ଛା ହେଲା । ଏତେଦିନେ ସେ ସୁଯୋଗ ମିଳିଲା ।’’

 

ପୋଲକ୍‌ଙ୍କ ସରଳତା ମୋତେ ତାଙ୍କ ଆଡ଼କୁ ଆକୃଷ୍ଟ କରିଥିଲା । ସେହିଦିନ ସନ୍ଧ୍ୟାବେଳେ ଆମର ବେଶ୍‌ ପରିଚୟ ହୋଇଯାଇଥିଲା ଏବଂ ଜୀବନ ବିଷୟରେ ଅନେକ ପ୍ରଶ୍ନରେ ଆମ୍ଭମାନେ ଏକମତ ଥିବାର ଜଣା ପଡ଼ିଥିଲା । ସେ ସାଦାସିଧା ଜୀବନ କଟେଇବାକୁ ଭଲପାଉଥିଲେ । ତାଙ୍କ ବୁଦ୍ଧିରେ ଯାହା ଭଲ ଦିଶୁଥିଲା, ତାକୁ କାର୍ଯ୍ୟରେ ପରିଣତ କରିବାପାଇଁ ଆଶ୍ଚର୍ଯ୍ୟ ରକମର ଶକ୍ତି ତାଙ୍କର ଥିଲା । ତାଙ୍କ ଜୀବନରେ କେତେକ ପରିବର୍ତ୍ତନ ତ ସେ କରି ପକେଇଥିଲେ ।

 

ଏଣେ ‘ଇଣ୍ଡିୟାନ୍‌ ଓପିନିୟନ୍‌’ ଖର୍ଚ୍ଚ ଦିନକୁ ଦିନ ବଢ଼ି ଯାଉଥିଲା । ଉଏଷ୍ଟ ଲେଖିଥିଲେ–‘‘ଆପଣ ଯେତେ ଲାଭ ହେବ ବୋଲି କହୁଥିଲେ, ଏ ବ୍ୟବସାୟରେ ସେତେ ଲାଭ ନାହିଁ, ମୁଁ ତ କ୍ଷତି ଦେଖୁଛି । ହିସାବପତ୍ର ସବୁ ଠିକ୍‌ନାହିଁ । ଆଦାୟ କରିବାକୁ ବହୁତ ବାକି ପଡ଼ିଛି; କିନ୍ତୁ ତା’ର ମୁଣ୍ଡଗଣ୍ଡି କିଛି ନାହିଁ । ଅନେକ ପରିବର୍ତ୍ତନ ଆବଶ୍ୟକ । ମାତ୍ର ଆପଣ ଏଥିରେ ଡରିଯିବେ ନାହିଁ । ମୋର ପାରୁପର୍ଯ୍ୟନ୍ତ ମୁଁ ବ୍ୟବସ୍ଥା କରିନେବି (ସଜାଡ଼ି ନେବି) । ଲାଭ ନାହିଁ ବୋଲି ଛାଡ଼ିଦେବି—ତାହା ନୁହେଁ ।’’

 

ମିଷ୍ଟର ଉଏଷ୍ଟ ଲାଭ ନ ଦେଖି କାମ ଛାଡ଼ିବା ଠିକ୍‌ କରିଥିଲେ । ସହଜରେ ଫେରି ଆସିପାରିଥାନ୍ତେ । ମୁଁ ତାଙ୍କୁ ସେଥିଯୋଗୁଁ ଦୋଷ ଦେଇପାରି ନ ଥାନ୍ତି । ଏତିକି ନୁହେଁ ବରଂ ମୁଁ ଯଥେଷ୍ଟ ପ୍ରମାଣ ନ ପାଇ ବ୍ୟବସାୟଟି ଲାଭଜନକ ବୋଲି କହିଥିଲି, ସେଥିପାଇଁ ଓଲଟି ମତେ ଦୋଷୀ କରିବାର ଅଧିକାର ତାଙ୍କର ଥିଲା । କିନ୍ତୁ ମତେ ସେ ପଦେ ହେଲେ କଡ଼ା କଥା କହି ନ ଥିଲେ । ଯାହା ହେଉ, ମୋର କିନ୍ତୁ ଧାରଣା ଜନ୍ମିଗଲା ଯେ, ମିଷ୍ଟର ଉଏଷ୍ଟ ଏ ନୂଆ ଅଭିଜ୍ଞତା ଫଳରେ ମତେ ଅଳ୍ପ କଥାରେ ବିଶ୍ୱାସ କରୁଥିବା ଲୋକଟିଏ ବୋଲି ଠଉରେଇଥିଲେ । ଶ୍ରୀଯୁକ୍ତ ମଦନଜିତ୍‌ଙ୍କ ଧାରଣାକୁ ପରୀକ୍ଷା ନ କରି କେବଳ ତାଙ୍କରି କଥାକୁ ବିଶ୍ୱାସ କରି ମୁଁ ଉଏଷ୍ଟଙ୍କ ଲାଭର ଆଶା ଦେଖେଇଥିଲି ।

 

ବର୍ତ୍ତମାନ ମୁଁ ଉପଲବ୍‌ଧି କରୁଛି ଯେ, ଜଣେ ସାଧାରଣ କର୍ମୀ ନିଜେ କୌଣସି ବିଷୟରେ ନିଶ୍ଚିନ୍ତ କରି କିଛି ନ ଜାଣି ଏମିତି ବିଶ୍ୱାସ କରି କିଛି କହିପକେଇବା ଉଚିତ ନୁହେଁ । ସର୍ବୋପରି ଜଣେ ସତ୍ୟର ଉପାସକ ବେଶୀ ସାବଧାନ ହେବା ଦରକାର ।

 

କିନ୍ତୁ ଦୁଃଖର ସହିତ ସ୍ୱୀକାର କରୁଛି ଯେ, ଏତକ ଜ୍ଞାନ ହେବା ସତ୍ତ୍ୱେ ମୋର ସହଜରେ ଅଳ୍ପକେ ବିଶ୍ୱାସ କରି କାମନେବା ପ୍ରକୃତି ପୂରା ଛାଡ଼ିପାରି ନାହିଁ । ଏବଂ ତା’ ଫଳରେ ମୁଁ ଯେତେ ପାରିବି ନାହିଁ ସେତେ କାମ ହାତକୁ ନେବାର ଲୋଭ ଭଳି ଦୋଷଟି ମୋର ଦେଖିପାରୁଛି । ଏହି ଲୋଭଯୋଗୁଁ ମତେ କଷ୍ଟ ପାଇବାକୁ ପଡ଼ିଛି ଏବଂ ମୋଠାରୁ ବଳି ମୋର ସହକର୍ମୀମାନଙ୍କୁ ବେଶୀ ବ୍ୟସ୍ତ ହେବାକୁ ପଡ଼ିଥାଏ । ଉଏଷ୍ଟଙ୍କ ପତ୍ର ପାଇ ମୁଁ ନାଟାଲକୁ ଯିବାର ଆୟୋଜନ କରିଥିଲି । ପୋଲକ ତ ମୋର ସବୁ କଥା ଆଗରୁ ଜାଣୁଥାନ୍ତି । ସେ ମତେ ଷ୍ଟେସନରେ ଛାଡ଼ିଦେବାକୁ ଆସିଥିଲେ । ‘‘ଏ ବହି ଖଣ୍ଡକ ବାଟରେ ପଢ଼ିବାଯୋଗ୍ୟ; ପଢ଼ିପଢ଼ି ଯିବେ, ଆପଣଙ୍କୁ ଭଲଲାଗିବ-।’’ ଏୟା କହି ସେ ରସକିନ୍‌ଙ୍କର ‘ଅନ୍‌ଟୁ ଦିସ୍‌ ଲାଷ୍ଟ’ ବହିଖଣ୍ଡି ମୋ ହାତରେ ଦେଇଥିଲେ । ମୁଁ ବହିଖଣ୍ଡି ଥରେ ଆରମ୍ଭ କରି ଶେଷ ନ କରି ରହିପାରିଲି ନାହିଁ । ବହି ଖଣ୍ଡିକ ମୋ ମନକୁ ଏକାବେଳକେ ଆକର୍ଷଣ କରି ନେଇଥିଲା । ଜୋହାନ୍‌ସବର୍ଗଠାରୁ ଡରବାନ ଚବିଶଘଣ୍ଟାର ବାଟ । ସନ୍ଧ୍ୟାବେଳେ ଡରବାନରେ ଗାଡ଼ି ପହଞ୍ଚିଥିଲା, ପହଞ୍ଚିବାପରେ ରାତିରେ ମୋର ଜମା ନିଦ ହୋଇନଥିଲା । ମୁଁ ବହିରେ ସୂଚିତ ଆଦର୍ଶ ଗୁଡ଼ିକୁ କାମରେ ଲଗେଇବାକୁ ସ୍ଥିର କରିଥିଲି ।

 

ଏହା ପୂର୍ବରୁ ମୁଁ ରସ୍‌କିନଙ୍କର ବହି କିଛି ପଢ଼ି ନ ଥିଲି । ମୁଁ ମୋର ଛାତ୍ରାବସ୍ଥାରେ ପାଠ୍ୟପୁସ୍ତକ ଛଡ଼ା ବାହାରର ବହି କିଛି ପଢ଼ି ନ ଥିଲି କହିଲେ ଚଳେ ଏବଂ କର୍ମମୟ ଜୀବନରେ ପ୍ରବେଶ କଲାପରେ ସମୟ ବହୁତ କମ୍‌ ବଞ୍ଚୁଥିଲା । ସେଥିପାଇଁ ଆଜିଯାଏ ମଧ୍ୟ ମୋର ପୋଥିଗତ ଜ୍ଞାନ ବହୁତ କମ୍‌ଅଛି । ତଥାପି ମୁଁ ବିଶ୍ୱାସ କରେ ଯେ, ମତେ ବାଧ୍ୟହୋଇ ବା ମୋର ବିନା ଉଦ୍ୟମରେ ଯେ ସଂଯମ ଆଚରଣ କରିବାକୁ ପଡ଼ିଥିଲା, ସେଥିରେ ମୋର କିଛି କ୍ଷତି ହୋଇନାହିଁ, ବରଂ ମୁଁ ଯେ ଅଳ୍ପ ବହି ପଢ଼ିଥିଲି; ତାକୁ ଭଲକରି ହଜମ କରିପାରିଛି, ଏହା କହିପାରେ । ଏହିସବୁ ବହିମଧ୍ୟରୁ ଯେ ବହିଟି ମୋ ଜୀବନରେ ଗୋଟାଏ ହଠାତ୍ ଗୁରୁତର ଗଠନମୂଳକ ପରିବର୍ତ୍ତନ ଆଣିଦେଲା, ତାହା ଏହି ବହିଖଣ୍ଡି ଥିଲା । ପରେ ମୁଁ ସେ ବହିକୁ ଗୁଜୁରାଟୀରେ ଅନୁବାଦ କରିଛି ଏବଂ ‘ସର୍ବୋଦୟ’ ନାଁରେ ଛପେଇଛି ।

 

ମୋର ବିଶ୍ୱାସ ରସ୍କିନଙ୍କର ଗ୍ରନ୍ଥରତ୍ନରେ ମୁଁ ମୋର ମନର ଭିତରେ ଭର୍ତ୍ତି ହୋଇଥିବା ଜିନିଷ ସବୁର ପ୍ରତିବିମ୍ୱ ଦେଖି ପାରିଥିଲି ଏବଂ ସେହି କାରଣରୁ ଏହି ବହିଟି ମୋ ମନ ଉପରେ ସାମ୍ରାଜ୍ୟ ବିସ୍ତାର କରିଥିଲା ଏବଂ ତାହା ସିଦ୍ଧାନ୍ତଗୁଡ଼ିକୁ କାମରେ ଲଗାଇବାକୁ ମତେ ବାଧ୍ୟ କରିଥିଲା । ଆମ ଭିତରେ ଯାହା ଭଲକଥା ସୁପ୍ତ ଥାଏ, ତାକୁ ଯେ ଜାଗ୍ରତ କରାଏ ସେହି ହେଉଛି କବି । ସବୁ କବିମାନଙ୍କର ପ୍ରଭାବ ସମସ୍ତଙ୍କ ଉପରେ ସମାନ ଭାବରେ ହୋଇ ନ ଥାଏ ।

 

ସର୍ବୋଦୟର ସିଦ୍ଧାନ୍ତ ମୁଁ ଏୟା ବୁଝିଛି: —

 

(୧) ସମସ୍ତଙ୍କ ଭଲରେ ନିଜର ଭଲ ରହିଛି ।

 

(୨) ଭଣ୍ଡାରୀ କାମର ମୂଲ୍ୟ ଯେତିକି, ଓକିଲ କାମର ମୂଲ୍ୟ ସେତିକି ହେବା ଉଚିତ । କାରଣ ଆପଣା ବୃତ୍ତିରୁ ଜୀବିକା ଅର୍ଜନ କରିବାରେ ସମସ୍ତଙ୍କର ଅଧିକାର ଅଛି ।

 

(୩) ସରଳ ମୂଲିଆ, ଚାଷୀର ଜୀବନହିଁ ଯଥାର୍ଥ ସତ୍‌ଜୀବନ ।

 

ପ୍ରଥମଟି ଆଗରୁ ମତେ ଜଣାଥିଲା । ଦ୍ୱିତୀୟଟି ମୁଁ ଅଳ୍ପ ଉପଲବ୍‌ଧି କରି ହସିଥିଲି । ତୃତୀୟ କଥାଟି ମୋ ମନକୁ ଜମା ଆସି ନ ଥିଲା । ‘ସର୍ବୋଦୟ’ ମତେ ଅତି ସ୍ପଷ୍ଟ ଭାବରେ ବୁଝାଇଦେଲା ଯେ, ଦ୍ୱିତୀୟ, ତୃତୀୟ ପ୍ରଥମର ଅନ୍ତର୍ନିହିତ । ସକାଳ ହେଲା ଏବଂ ମୁଁ ଏସବୁକୁ କାମରେ ଲଗେଇବା ଉଦ୍ୟମରେ ଲାଗିଗଲି ।

 

ଫିନିକ୍‌ସ ଆଶ୍ରମ

 

ସକାଳୁ ପ୍ରଥମେ ମୁଁ ଉଏଷ୍ଟଙ୍କ ସହିତ ଆଲୋଚନା କରିଥିଲି । ‘ସର୍ବୋଦୟ’ ବହି ଖଣ୍ଡିକ ମୋ ମନ ଉପରେ କି ପ୍ରଭାବ ପକେଇଥିଲା, ତାହା ତାଙ୍କୁ ଜଣେଇଥିଲି ଏବଂ ମୁଁ ତାଙ୍କ ପାଖରେ ପ୍ରସ୍ତାବ କରିଥିଲି ଯେ ‘ଇଣ୍ଡିଆନ୍‌ ଓପିନିୟନ୍‌’ ଛାପାଖାନାକୁ ଏକ ଖେତ ଉପରକୁ ଉଠାଇ ନିଆଯାଉ । ସେଥିରେ ଯେଉଁମାନେ ରହିବେ, ସେମାନେ ସମସ୍ତେ ସମାନ ଭାବରେ ଖାଇବା ଖର୍ଚ୍ଚ ଉଠାଇବା ପାଇଁ ଉଦ୍ୟମ କରିବେ । ସମସ୍ତେ ଆପଣା ଚାଷ କରିବେ ଏବଂ ଅବସର ସମୟରେ ‘ଇଣ୍ଡିଆନ୍‌ ଓପିନିୟନ୍‌’ କାମ କରିବେ । ମିଷ୍ଟର ଉଏଷ୍ଟ ପ୍ରସ୍ତାବଟି ପସନ୍ଦ କରିଥିଲେ । ପ୍ରତ୍ୟେକର ଖାଇବା ଖର୍ଚ୍ଚ ଅତି କମରେ ପଇଁଚାଳିଶ ଟଙ୍କା ହେବ ବୋଲି ହିସାବ କରାଗଲା । ଏଥିରେ ଗୋରା କଳାର ଭେଦ ରଖାଯାଇ ନ ଥିଲା ।

 

ଛାପାଖାନାରେ ଦଶ ଜଣଯାଏ ଲୋକ କାମ କରୁଥିଲେ । ସମସ୍ତେ ଏପରି ବଣ ଜଙ୍ଗଲରେ ରହିବାକୁ ରାଜି ହେବେ କି ନାହିଁ, ଏହା ଏକ ପ୍ରଶ୍ନ ଥିଲା ଏବଂ ସମସ୍ତେ ସମାନ ଭାବରେ ଖାଇବା ପିନ୍ଧିବା ପାଇଁ ଉଦ୍ୟମ କରିବାକୁ ପ୍ରସ୍ତୁତ ହେବେ କି ନାହିଁ ଏହା ଦ୍ୱିତୀୟ ପ୍ରଶ୍ନ ଥିଲା । ଆମେ ଦୁହେଁ ସ୍ଥିର କରିଥିଲୁ ଯେ, ଯେଉଁମାନେ ଏହି ଯୋଜନା ଅନୁସାରେ ନିଜକୁ ଚଳାଇ ପାରିବେ ନାହିଁ, ସେମାନେ ତାଙ୍କର ଦରମା ପାଇବେ । ଧୀରେ ଧୀରେ ସମସ୍ତେ ଅନୁଷ୍ଠାନରେ ରହିବେ, ଏ ଆଦର୍ଶ ରଖିଥିବେ ।

 

ମୁଁ ଏହି ପ୍ରସ୍ତାବ କର୍ମଚାରୀମାନଙ୍କ ପାଖରେ ଉପସ୍ଥାପିତ କରିଥିଲି । ଏହା ମଦନଜିତ୍‌ଙ୍କର ପସନ୍ଦ ହୋଇ ନ ଥିଲା । ତାଙ୍କର ଭୟ ହେଲା ଯେ, ଯେଉଁ ଜିନିଷ ପଛରେ ସେ ତାଙ୍କର ଆତ୍ମାକୁ ଢାଳି ଦେଇଛନ୍ତି, ତାହା ମୋର ମୂର୍ଖପଣିଆରୁ ମାସକରେ ଧୂଳିସାତ୍‌ ହୋଇଯିବ । ‘ଇଣ୍ଡିଆନ୍‌ ଓପିନିୟନ୍‌’ ଚଳିବ ନାହିଁ । ଛାପାଖାନାଟି ମାସକରେ ମଧ୍ୟ ବନ୍ଦ ହୋଇଯିବ ଏବଂ କାରିଗରମାନେ ପଳେଇବେ ।

 

ପ୍ରେସ୍‌ କର୍ମଚାରୀମାନଙ୍କ ଭିତରେ ମୋର ପୁତୁରା ଛଗନଲାଲ ଗାନ୍ଧୀ ଜଣେ ଥିଲା । ଉଏଷ୍ଟଙ୍କୁ ଜଣେଇବା ସମୟରେ ଏ ସବୁ ବିଷୟ ତାକୁ ମଧ୍ୟ ଜଣେଇଥିଲି । ତା’ର ପରିବାର ବୋଝ ଥିଲା । ମାତ୍ର ସେ ପିଲାଦିନୁ ମୋ ପାଖରେ ତାଲିମ ହୋଇ କାମ କରିବାକୁ ପସନ୍ଦ କରିଥିଲା । ମୋଠାରେ ତାର ପୂର୍ଣ୍ଣ ବିଶ୍ୱାସ ଥିଲା ଏବଂ ସେଥିପାଇଁ ସେ ବିନା ଯୁକ୍ତିରେ ମୋ କଥାରେ ରାଜି ହୋଇଯାଇଥିଲା ଏବଂ ଆଜିଯାଏ ସେ ମୋ ସାଙ୍ଗରେ ଅଛି ।

 

ତୃତୀୟ, ଗୋବିନ୍ଦସ୍ୱାମୀ ନାମକ କଳବାଲା ଥିଲା । ସେ ମଧ୍ୟ ରାଜି ହୋଇଯାଇଥିଲା । ଅନ୍ୟମାନେ ଯଦ୍ୟପି ଆଶ୍ରମରେ ଯୋଗ ଦେଇ ନ ଥିଲେ, ତଥାପି ଯେଉଁଠାକୁ ଛାପାଖାନା ନେଇଯିବ ସେଠାକୁ ଯିବାକୁ ସମସ୍ତେ ପ୍ରସ୍ତୁତ ଥିଲେ ।

 

କର୍ମଚାରୀମାନଙ୍କ ସଙ୍ଗରେ ଏ ସବୁ ବିଷୟ ସ୍ଥିର କରିବାକୁ ମତେ ଦି’ ଦିନରୁ ବେଶି ଲାଗିଥିବ ବୋଲି ମୋର ମନେ ପଡ଼ୁନାହିଁ । ତାପରେ ଡରବାନ୍‌ର ନିକଟ ହୋଇଥିବ ଓ ରେଳଷ୍ଟେସନ ପାଖରେ ହୋଇଥିବ, ଏପରି ଖଣ୍ଡିଏ ଜମି ଦରକାର ବୋଲି ଖବରକାଗଜରେ ଜରୁର ବିଜ୍ଞାପନ ଦେଲି । ବିଜ୍ଞାପନର ଉତ୍ତରରେ ଫିନିକ୍‌ସ ଜମି ବିଷୟରେ ପ୍ରସ୍ତାବ ଆସିଲା । ମିଷ୍ଟର ଉଏଷ୍ଟ ଓ ମୁଁ ଜମିଟିକୁ ଦେଖିବାକୁ ଯାଇଥିଲୁ ଏବଂ ହପ୍ତାକ ଭିତରେ କୋଡ଼ିଏ ଏକର ଜମି କିଣି ପକେଇଥିଲୁ । ସେଥିରେ ଗୋଟିଏ ସୁନ୍ଦର ଛୋଟିଆ ପାଣିଝର ଥିଲା ଓ କେତେଗୁଡ଼ିଏ କମଳାଲେମ୍ୱୁ ଓ ଆମ୍ୱଗଛ ଥିଲା । ତାକୁ ଲାଗିକରି ଆଉ ଅଶୀମାଣର ଏକ ଚକ ଥିଲା । ସେ ଜମିରେ ଅନେକ ଫଳଗଛ ଥିଲା । ଗୋଟିଏ ଛୋଟ ଭଙ୍ଗା କୁଡ଼ିଆ ଥିଲା । ଏଇଟାକୁ ମଧ୍ୟ କିଛିଦିନ ପରେ ଆମେ କିଣିଥିଲୁ । ସମୁଦାୟ ଆମକୁ ପନ୍ଦର ହଜାର ଟଙ୍କା ପଡ଼ିଥିଲା ।

 

ସେଠ୍‌ ପାର୍ଶୀ ରୁସ୍ତମଜୀ ଏହିପରି ନୂଆ ନୂଆ କାମରେ ମତେ ସବୁବେଳେ ସମର୍ଥନ କରୁଥିଲେ । ଯୋଜନାଟି ତାଙ୍କୁ ଭଲ ଲାଗିଥିଲା । ଗୋଟାଏ ବଡ଼ ଗୋଦାମରେ ଟିଣ ପାତ୍ର ପ୍ରଭୃତି ତାଙ୍କ ପାଖରେ ପଡ଼ିଥିଲା, ସେ ଆମକୁ ସେମିତି ଦେଇଥିଲେ । ସେଇଥିରେ ଆମେ ଘର ତିଆରି ଆରମ୍ଭ କରିଥିଲୁ । ବୁଅର ଯୁଦ୍ଧରେ ମୋ ସାଙ୍ଗରେ ଥିବା ଲୋକଙ୍କ ଭିତରୁ କେତେକ ଭାରତୀୟ ବଢ଼େଇ ଓ ମିସ୍ତ୍ରୀ ମିଳି ଯାଇଥିଲେ । ତାଙ୍କରି ସାହାଯ୍ୟରେ କାରଖାନା ତିଆରି କରିବାକୁ ଆରମ୍ଭ କରିଥିଲୁ । ମାସକରେ ଘର ହୋଇଯାଇଥିଲା । ଘର ପଚାଶ ହାତ ଲମ୍ୱ, ବତ୍ରିଶ ହାତ ଓସାର ଥିଲା-। ଉଏଷ୍ଟ ପ୍ରଭୃତି ନିଜର ଶରୀର ପ୍ରତି ବିପଦ ମୁଣ୍ଡେଇ ସେଠି ବଢ଼େଇ ଓ ମିସ୍ତ୍ରୀମାନଙ୍କ ସଙ୍ଗେ ଯାଇ ରହିଥିଲେ । ଫିନିକ୍‌ସରେ ବହୁତ ଘାସ ଥିଲା । ବସ୍ତ ଆଦୌ ନ ଥିଲା । ତେଣୁ ସାପ ଉପଦ୍ରବ ହେଉଥିଲା ଓ ବିପଦ ଥିଲା । ପ୍ରଥମେ ତ ସମସ୍ତେ ତମ୍ୱୁରେ ରହିଥିଲୁ । ପ୍ରଧାନ ବଡ଼ ଘରଟି ତିଆରି ହୋଇଯିବାରୁ ହପ୍ତାକ ଭିତରେ ଆମେ ଆମର ସମସ୍ତ ଜିନିଷ ଫିନକ୍‌ସକୁ ଗାଡ଼ିରେ ବୋହି ନେଇଥିଲୁ । ଜାଗାଟି ଡରବାନ୍‌ରୁ ତେର ମାଇଲ ଥିଲା ଓ ଫିନକ୍‌ସ ରେଲଷ୍ଟେସନ୍‌ରୁ ଅଢେଇ ମାଇଲ । ‘ଇଣ୍ଡିଆନ୍‌ ଓପିନିୟନ୍‌’ର କେବଳ ଗୋଟିଏ ସଂଖ୍ୟା ଅନ୍ୟତ୍ର ‘ମର୍କରୀ’’ ଛାପାଖାନାର ଛପେଇବାକୁ ପଡ଼ିଥିଲା।

 

ମୋର ଅନ୍ୟାନ୍ୟ ଯେଉଁ ବନ୍ଧୁବାନ୍ଧବମାନେ ମୋ ସାଙ୍ଗରେ ଆସିଥିଲେ ଏବଂ ଯେଉଁମାନେ ନାନାପ୍ରକାର ବ୍ୟବସାୟରେ ନିଯୁକ୍ତ ଥିଲେ ଏବଂ ମୁଁ ସେମାନଙ୍କୁ ମୋ ମତକୁ ଓ ଫିନିକ୍‌ସକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲି, ସେମାନେ ସବୁ ଟଙ୍କା କମେଇବାର ପ୍ରବଳ ଇଚ୍ଛାରେ ଦକ୍ଷିଣ ଆଫ୍ରିକାକୁ ଆସିଥିଲେ । ବୁଝାଇବାକୁ ବଡ଼ କଠିନ ହୋଇଥିଲା । ତଥାପି କେତେକ ରାଜି ହୋଇଥିଲେ । ସେମାନଙ୍କ ଭିତରୁ ମଗନଲାଲ ଗାନ୍ଧୀଙ୍କ ନାଁ ମୁଁ ଏଠି ବାଛି କରି ଉଲ୍ଲେଖ କରୁଛି । କାରଣ ଅନ୍ୟମାନେ ଯେ ବୁଝିଥିଲେ, ସେମାନେ ପୁଣି କିଛିଦିନ ଫିନିକ୍‌ସରେ ରହି ପରେ ଟଙ୍କା କମେଇବାରେ ଲାଗିଯାଇଥିଲେ । କିନ୍ତୁ ମଗନଲାଲ ଗାନ୍ଧୀ ବ୍ୟବସାୟ ଛାଡ଼ି ମୋ ସାଙ୍ଗକୁ ଯେ ଆସିଥିଲା, ସେହିକାଳରୁ ମୋ ସଙ୍ଗେ ରହିଛି । ମୋର ସମସ୍ତ ଆଧ୍ୟତ୍ମିକ ପ୍ରୟୋଗର ଆରମ୍ଭରୁ ଯେଉଁ ସହକର୍ମୀମାନେ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରେ ବୁଦ୍ଧିବଳ, ତ୍ୟାଗବଳ, ଏକାନ୍ତ ଭକ୍ତିବଳରେ ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି । ଏବଂ ଜଣେ ସ୍ୱୟଂ-ଶିକ୍ଷିତ କାରିଗର ଭାବରେ ମୋ ଦୃଷ୍ଟିରେ ଏକ ଅଦ୍ୱିତୀୟ ସ୍ଥାନ ଦଖଲ କରିଛି ।

 

ଏହିପରି ୧୯୦୪ ରେ ଫିନିକ୍‌ସର ସ୍ଥାପନା ହୋଇଥିଲା ଏବଂ ନାନା ବାଧାବିଘ୍ନ, ସତ୍ତ୍ୱେ ଫିନିକ୍‌ସ ଅନୁଷ୍ଠାନ ତଥା ‘ଇଣ୍ଡିଆନ୍‌ ଓପିନିୟନ୍‌’ ଉଭୟ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛନ୍ତି ।

 

କିନ୍ତୁ ଏହି ଅନୁଷ୍ଠାନର ଯେ ସବୁ ବାଧାବିଘ୍ନ ପହଞ୍ଚିଥିଲା ଏବଂ ସେଥିରେ ଯେ ସବୁ ଆଶା ନିରାଶା ଆସି ପଡ଼ୁଥିଲା, ସେ ସବୁ ନିରେଖି ଦେଖିବା ଦରକାର । ତାହା ଅନ୍ୟ ଅଧ୍ୟାୟରେ ବର୍ଣ୍ଣନା କରିବା ।

 

ପହିଲି ରାତି

 

ଫିନିକ୍‌ସ ଆଶ୍ରମରୁ ‘ଇଣ୍ଡିଆନ୍‌ ଓପିନିୟନ୍‌’ ପ୍ରଥମ ସଂଖ୍ୟା ବାହାର କରିବା ସହଜ ହୋଇ ନଥିଲା । ଯଦି ମୁଁ ଦିଓଟି ବିଷୟରେ ଆଗରୁ ସାବଧାନ ନ ହୋଇଥାନ୍ତି, ତେବେ ସେ ସଂଖ୍ୟାଟି ହୁଏତ ଏକ ସପ୍ତାହ ବନ୍ଦ କରିବାକୁ ପଡ଼ିଥାନ୍ତା ବା ବିଳମ୍ୱରେ ବାହାରିଥା’ନ୍ତା । ଛାପାଖାନା ପାଇଁ ଇଞ୍ଜିନରେ ଚଳିବା ଯନ୍ତ୍ର ରଖିବାକୁ ମୋର ଇଚ୍ଛା କମ୍‌ ଥିଲା । ଯେଉଁଠାରେ କୃଷି କାମ ହାତରେ କରିବାକୁ ହେବ, ସେଠି ହାତକଳରେ ଛାପାଖାନା ଚଳେଇବା ଭଲ ହେବ ବୋଲି ମୁଁ ଭାବିଥିଲି । କିନ୍ତୁ ସେଇଟା କାର୍ଯ୍ୟକାରୀ ହେବ ନାହିଁ ବୋଲି ସେତେବେଳେ ଜଣା ପଡ଼ିବାରୁ ଆମେ ଗୋଟିଏ ତେଲ ଇଞ୍ଜିନ୍‌ ବସେଇଥିଲୁ । ତଥାପି ମୁଁ ଉଏଷ୍ଟଙ୍କୁ ଆଗରୁ ସୂଚନା ଦେଇଥିଲି ଯେ, କାଳେ ତେଲ ଇଞ୍ଜିନ୍‌ କେତେବେଳେ ବନ୍ଦ ହୋଇଯିବ, ସେଥିପାଇଁ ଆଗରୁ କିଛି ହାତରେ ଚଳେଇ ନେଲାଭଳି ବ୍ୟବସ୍ଥା କରି ରଖିବା ଭଲ ହେବ । ସେଥିଯୋଗୁଁ ସେ ହାତରେ ଚଳେଇବା ଭଳି ଗୋଟିଏ ଚକ ଅଧିକା ଲଗେଇ ରଖିଥିଲେ ଏବଂ ତା’ଦ୍ୱାରା ଛାପାଖାନା ଚଳେଇବାର ବ୍ୟବସ୍ଥା ରଖିଥିଲେ । ଖବରକାଗଜର ଆକରଟି ଦୈନିକ କାଗଜ ଆକାର ଥିଲା । ବଡ଼ କଳ ବନ୍ଦ ହେଲେ ତାକୁ ତୁରନ୍ତ ମରାମତି କରିନେବା ସୁବିଧା ସେ ଜାଗାରେ ନ ଥିଲା । ସେଥିଯୋଗୁଁ କାଗଜ ବନ୍ଦ ହୋଇଯାଇପାରେ । ଏ ଅସୁବିଧା ଦୂର କରିବାପାଇଁ କାଗଜର ଆକାର କମେଇ ଫୁଲସ୍କେପ୍‌ ଆକାର କରି ସାଧାରଣ ସପ୍ତାହିକ ଭଳି କରିଦେଲୁଁ, ଯେମିତି ଦରକାର ପଡ଼ିଲେ ଛୋଟ ଯନ୍ତ୍ରରେ ଗୋଡ଼ ସାହାଯ୍ୟରେ କେତେ ଫର୍ଦ୍ଦ ବାହାର କରିପାରିବୁ ।

 

ପ୍ରଥମେ ପ୍ରଥମେ କାଗଜ ବାହାରିବାର ପୂର୍ବ ରାତିଟି ଯାକ ସମସ୍ତଙ୍କୁ ଅଳ୍ପ ବହୁତ ଉଜାଗର ରହିବାକୁ ପଡ଼ୁଥିଲା । ବୁଢ଼ା, ପିଲା ସମସ୍ତେ କାଗଜ ଭାଙ୍ଗିବାରେ ଲାଗି ରହୁଥିଲେ ଏବଂ ଆମ କାମ ପ୍ରାୟ ରାତି ଦଶଟା ବାରଟାରେ ସରୁଥିଲା; କିନ୍ତୁ ପହିଲି କଥା ତ ଭୁଲିବାର ନୁହେଁ, ଛପିବାକୁ ଫର୍ମା ବନ୍ଧା ସରିଥିଲା; ମାତ୍ର ଇଞ୍ଜିନ ଚାଲିବାକୁ ନାହିଁ କଲା । ଡରବାନ୍‌ଠାରୁ ଆମେ ଜଣେ ଇଞ୍ଜିନିୟର ଅଣେଇଥିଲୁଁ । ଇଞ୍ଜିନ୍‌ ବସେଇ ତାକୁ ଚଳେଇବା ତାଙ୍କର କାମ ଥିଲା । ଉଏଷ୍ଟ ଓ ସେ ଖୁବ୍‌ ପରିଶ୍ରମ କଲେ; କିନ୍ତୁ କିଛି ଫଳ ହେଲା ନାହିଁ । ସମସ୍ତେ ଚିନ୍ତିତ ହୋଇ ପଡ଼ିଥିଲେ । ଶେଷରେ ଉଏଷ୍ଟ ମୋ ପାଖକୁ ଆସି କାନ୍ଦ କାନ୍ଦ ହୋଇ କହିଲେ, ‘‘ଇଞ୍ଜିନ ଚାଲିବ ନାହିଁ ଓ ମୋର ଆଶଙ୍କା ଆମେ କାଲି ଠିକ୍‌ ସମୟରେ କାଗଜ କାଢ଼ିପାରିବୁ ନାହିଁ ।’’

 

ମୁଁ ତାଙ୍କୁ ଆଶ୍ୱାସନା ଦେଇ କହିଥିଲି—‘‘ତାହେଲେ ତ ଆମେ ନାଚାର । ତେବେ ସେଥିରେ କାନ୍ଦିବାର କଣ ଅଛି ? ମଣିଷ ଶକ୍ତିରେ ଯାହା ସମ୍ଭବ ତା କରିବା । ସେ ହାତଚକଟି କଣ ହେଲା ?’’

 

ସେ ଉତ୍ତର ଦେଇଥିଲେ, ‘‘ତାକୁ ଚଳେଇବାପାଇଁ ଆମର ମଣିଷ କାହାନ୍ତି ? ଆମର ସଂଖ୍ୟା ବହୁତ କମ୍‌ । ସେଥିପାଇଁ ଚାରି ଚାରି ଜଣରେ କେତେ ଦଫା ଦରକାର ମାତ୍ର ଆମ ଲୋକେ ସବୁ ଥକିପଡ଼ିଲେଣି ।’’

 

ବଢ଼େଇ କାମ ସରି ନ ଥାଏ; ସବୁ ବଢ଼େଇଯାକ ଆମର ସେଠି ଥାଆନ୍ତି । ସେ ସବୁ ଛାପାଖାନା ଘରେ ଶୋଇଥିଲେ । ମୁଁ ତାଙ୍କ ଆଡ଼କୁ ହାତ ଦେଖେଇ କହିଲି—‘‘କଣ ଏ ବଢ଼େଇଯାକକୁ କାମରେ ଲଗାଇପାରିବା ନାହିଁ ? ଉପରନ୍ତୁ ଆମେ ରାତିତମାମ ଆଜି ଅଖଣ୍ଡ ଉଜାଗର ରହିବା । ମୋ ବିଚାରରେ ଏତକ କର୍ତ୍ତବ୍ୟ ବାକି ଅଛି ।’’

 

ଉଏଷ୍ଟ କହିଲେ, ‘‘ବଢ଼େଇଗୁଡ଼ିକୁ ଉଠେଇବାକୁ ଓ ତାଙ୍କ ସାହାଯ୍ୟ ଲୋଡ଼ିବାକୁ ମୋର ସାହାସ ହେଉନାହିଁ ଓ ଆମ ଲୋକେ ତ ଖୁବ୍‌କ୍ଲାନ୍ତ ହୋଇପଡ଼ିଛନ୍ତି ତାଙ୍କୁ କେମିତି କହିବି ?’’

 

ମୁଁ କହିଥିଲି, ‘‘ହଉ, ସେତକ ମୋ କାମ ।’’

 

ଉଏଷ୍ଟ କହିଲେ, ‘‘ତାହେଲେ ଖୁବ୍‌ ସମ୍ଭବ ଆମେ କାମଟା କରି ନେଇପାରିବା ।’’

 

ମୁଁ ବଢ଼େଇମାନଙ୍କୁ ଉଠେଇଥିଲି ଓ ତାଙ୍କର ସାହାଯ୍ୟ ଲୋଡ଼ିଥିଲି । ତାଙ୍କୁ ଆଦୌ ବଳେଇବାକୁ ପଡ଼ି ତଥିଲା । ସେମାନେ କହିଥିଲେ, ‘‘ବିପଦବେଳେ ଆମେ ଯଦି କାମରେ ନ ଆସିବୁ, ତେବେ ଆମେ ମଣିଷ କଣ ? ଆପଣମାନେ ସମସ୍ତ ବିଶ୍ରାମ ନିଅନ୍ତୁ ଆମେ ଚକଟିକୁ ଚଳେଇବୁ । ଆମକୁ ତ ସେ ଅତି ସହଜ କାମ ।’’ ଏଣେ ଆମ ଲୋକ ବି ତିଆର ଥିଲେ ।

 

ଉଏଷ୍ଟଙ୍କର ଆନନ୍ଦର ଆଉ ସୀମା ନଥିଲା । କାମ ଆରମ୍ଭ ହେବାରୁ ସେ ଭଜନ ଗାଇବାକୁ ଆରମ୍ଭ କରିଥିଲେ । ମୁଁ ବଢ଼େଇମାନଙ୍କ ଦଫାରେ ରହିଥିଲି । ଅନ୍ୟମାନେ ପାଳିକରି ଯୋଗ ଦେଇଥିଲେ । ଆମେ ଏମିତି ସକାଳ ସାତଟା ବେଳଯାଏ ଚଳେଇଥିଲୁ । ତଥାପି ବହୁତ କାମ ବାକି ରହିଥିଲା । ସେଥିଯୋଗୁଁ ଉଏଷ୍ଟଙ୍କୁ କହିଥିଲି, ‘‘ଇଞ୍ଜିନିଅରଙ୍କୁ ଉଠେଇ ଦିଅନ୍ତୁ । ଦିନ ଆଲୁଅରେ ପରିଶ୍ରମ କଲେ ଓ ଇଞ୍ଜିନ ଚାଲିଲେ, କାମ ଠିକ୍‌ ସମୟରେ ସରି ଯା’ନ୍ତା ।’’

 

ଉଏଷ୍ଟ ତାଙ୍କୁ ଉଠାଇଥିଲେ । ସେ ସଙ୍ଗେ ସଙ୍ଗେ ଇଞ୍ଜିନ ଘରକୁ ଯାଇଥିଲେ । ଛୁଇଁଲା ମାତ୍ରକେ ଇଞ୍ଜିନ ଚାଳିବାକୁ ଆରମ୍ଭ କଲା । ଛାପାଖାନା ତମାମ ଆନନ୍ଦ କୋଳାହଳରେ ପୂରିଉଠିଥିଲା । ମୁଁ ପଚାରିଥିଲି, ‘‘ରାତିଯାକ ଆମର ସବୁ ପରିଶ୍ରମ ବୃଥା ହୋଇଛି ଓ ସକାଳେ ସତେ ଯେମିତି ତା’ର କିଛି ହୋଇନାହିଁ ସେହିପରି ଇଞ୍ଜିନ୍‌ ଚାଲିବାକୁ ଆରମ୍ଭ କଲା । ଏହା କେମିତି ହେଲା ?’’

 

ମୋର ମନେ ପଡ଼ୁ ନାହିଁ, ଉଏଷ୍ଟ କି ଇଞ୍ଜିନିଅର ଜଣେ କିଏ ଜବାବ ଦେଇଥିଲେ, ‘‘ସେ କଥା କହିବା କଠିନ । ଯନ୍ତ୍ରମାନଙ୍କର ସତେ ଯେମିତି ଆମପରି ବିଶ୍ରାମ ଲୋଡ଼ା, ସେହିପରି ସେମାନେ ଅଡ଼ି ବସିବାଟା ଆମର ପରୀକ୍ଷା ସ୍ୱରୂପ ହୋଇଥିଲା ଓ ଠିକ୍ ମୁହୂର୍ତ୍ତରେ ତା’ର ପୁଣି ଚଳିବାଟା ଆମ ସାଧୁ ପରିଶ୍ରମ ଫଳପରି ଲାଗିଥିଲା । କାଗଜଗୁଡ଼ିକ ଠିକ୍‌ ସମୟରେ ଷ୍ଟେସନରେ ପହଞ୍ଚିଥିଲା ଓ ସମସ୍ତେ ଖୁସି ହୋଇଥିଲେ ।

 

ଏଭଳି ଆଗ୍ରହର ଫଳରେ କାଗଜ ଠିକ୍‌ ସମୟରେ ବାହାର କରିବାପାଇଁ ଏକ ନିୟମାନୁବର୍ତ୍ତିତାର ଛାପ ପଡ଼ିଯାଇଥିଲା ଓ ଫିନିକ୍‌ସ ଆଶ୍ରମରେ ପରିଶ୍ରମର ବାୟୁମଣ୍ଡଳ ସୃଷ୍ଟି ହୋଇଥିଲା । ପରେ ଫିନିକ୍‌ସର ଏମିତି ଦିନ ଆସିଥିଲା, ଯେତେବେଳେ ଆମେ ଜାଣିଶୁଣି ଇଞ୍ଜିନ୍‌ର ବ୍ୟବହାର ବନ୍ଦ କରି ଦେଇଥିଲୁ ଓ ଦୃଢ଼ଭାବରେ ସବୁକାମ ହାତରେ କରିଥିଲୁ । ସେହିଦିନଗୁଡ଼ିକ ଫିନିକ୍‌ସ ଆଶ୍ରମରେ ସବୁଠାରୁ ଶ୍ରେଷ୍ଠ ନୈତିକ ଉନ୍ନତିର ସମୟ ବୋଲି ମୋର ମତ ।

 

ପୋଲକ୍‌ ଡେଇଁ ପଡ଼ିଲେ

 

ମୋର କାଳକାଳକୁ ଦୁଃଖ ରହିଗଲା ଯେ, ମୁଁ ଫିନିକ୍‌ସ ଭଳି ଅନୁଷ୍ଠାନ ସ୍ଥାପନ କଲେ ସୁଦ୍ଧା ନିଜେ ସେଠି କେବଳ ଅଳ୍ପ ସମୟ ରହିପାରିଥିଲି । ତା’ର ସ୍ଥାପନା କଲାବେଳେ ମୋର ପ୍ରଥମ ବିଚାର ତ ଥିଲା, ମୁଁ ମଧ୍ୟ ସେଠି ଯାଇ ବସିବି, ସେହିଥିରୁ ମୋର ଜୀବିକା ଅର୍ଜନ କରିବି । ଆସ୍ତେ ଆସ୍ତେ ଓକିଲାତି ଛାଡ଼ିଦେବି । ଫିନିକ୍‌ସରେ ରହି ଯେଉଁ ସେବା ସମ୍ଭବ ହେବ, ତାହା କରିବି-। ଫିନିକ୍‌ସର ସଫଳତାକୁ ସେବା ବୋଲି ଗଣିବି ବା ବିଚାରିବି । କିନ୍ତୁ ଏ ବିଚାର କାମରେ ହୋଇ ପାରି ନ ଥିଲା । ମୁଁ ଅନେକଥର ଦେଖିଛି ଯେ, ଆମେ ଏକ କଥା ଇଚ୍ଛା କରିଥାଉଁ; କିନ୍ତୁ ଅନ୍ୟକଥା ଘଟିଥାଏ; କିନ୍ତୁ ସଙ୍ଗେ ସଙ୍ଗେ ଏତକ ମଧ୍ୟ ଦେଖିଛି ଯେ, ଯେଉଁଠାରେ ସତ୍ୟର ସାଧନା ବା ଉପାସନା, ସେଠି ଆମର କଳ୍ପନା ଅନୁସାରେ ଫଳ ନ ମିଳିଲେ ବି ଅପ୍ରତ୍ୟାଶିତ ପରିଣାମ କେଭେ ଅନିଷ୍ଟକର ହୋଇ ନଥାଏ, ବରଂ ଅନେକ ସମୟରେ ଯାହା ଆଶା କରାଯାଇଥାଏ, ତାହାଠାରୁ ଭଲ ହୋଇଥାଏ । ଫିନିକ୍‌ସଠାରେ ଯେସବୁ ଅପ୍ରତ୍ୟାଶିତ ଫଳ ହୋଇଥିଲା ଏବଂ ଫିନିକ୍‌ସ ଅପ୍ରତ୍ୟାଶିତ ଭାବରେ ଯେ ରୂପ ବା ଆକାର ନେଇଥିଲା, ତାହା ନିଶ୍ଚୟ ଅନିଷ୍ଟ କରି ନ ଥିଲା ବୋଲି ମୁଁ ଦୃଢ଼ଭାବରେ କହିପାରେ । ବେଶୀ ଭଲ କୁହାଯିବ କି ନାହିଁ, ସେ ବିଷୟରେ ମୁଁ ନିଶ୍ଚୟ କରି କହିପାରିବି ନାହିଁ ।

 

ସମସ୍ତେ ଯେପରି ନିଜ ମେହେନତରେ ଚଳିବେ, ସେହି ଉଦ୍ଦେଶ୍ୟରେ ଆମେ ଛାପାଖାନା ଜମିତକ ପ୍ରତ୍ୟେକ ଅଧିବାସୀଙ୍କ ପାଇଁ ତିନି ତିନିମାଣ ଖଣ୍ଡ କରି ବାଣ୍ଟି ଦେଇଥିଲୁ । ମୋ ଭାଗରେ ଖଣ୍ଡେ ପଡ଼ିଥିଲା । ଆମ ଇଚ୍ଛା ନଥିଲେ ମଧ୍ୟ ପ୍ରତ୍ୟେକ ଚକ ଉପରେ ଖଣ୍ଡେ ଖଣ୍ଡେ ଟିଣଘର କରିଥିଲୁ । ଆମର ଇଚ୍ଛା ଥିଲା ଯେ, ସାଧାରଣ ଚାଷୀଙ୍କ ଉପଯୋଗୀ ଚାଳଘର କରିବା ବା ଛୋଟିଆ ଛୋଟିଆ ଇଟାଘର କରିବା । କିନ୍ତୁ ତାହା ହୋଇପାରି ନ ଥିଲା । ସେଥିରେ ବେଶି ଖର୍ଚ୍ଚ ହୋଇଥାନ୍ତା । ସମସ୍ତେ ଝଟ ଘର କରି ବସିବାକୁ ଓ କାମରେ ଲାଗଯିବାକୁ ଆତୁର ହୋଇଥିଲୁଁ । ମନସୁଖଲାଲ ନାଜର ସଂପାଦକ ଗଣା ହେଉଥିଲେ । ସେ ଆମର ନୂଆ ଯୋଜନାରେ ଯୋଗ ଦେଇ ନ ଥିଲେ । ତାଙ୍କ ବସା ଡରବାନ୍‌ରେ ଥିଲା । ଡରବାନଠାରେ ‘ଇଣ୍ଡିଆନ ଓପିନିୟନ’ର ଗୋଟିଏ ଛୋଟିଆ ଶାଖା ଅଫିସ୍‌ ଥିଲା । ଆମର ଦରମାଦିଆ କମ୍ପୋଜିଟର ସବୁ ଥିଲେ ସତ; ମାତ୍ର ଆଶ୍ରମର ପ୍ରତ୍ୟେକ ଲୋକ ଅକ୍ଷର ଖଞ୍ଜିବା ଶିଖିବେ ବୋଲି ଆମର ବିଚାର ଥିଲା । ଅକ୍ଷର ଖଞ୍ଜିବା କାମ ଛାପାଖାନାର ସବୁଠାରୁ ବିରକ୍ତିକର କାମ ହେଲେ ସୁଦ୍ଧା ସବୁଠାରୁ ସହଜକାମ ଥିଲା । ସେଥିଯୋଗୁଁ ସେ କାମ ଯାହାକୁ ଜଣା ନ ଥିଲା, ସେ ଶିଖି ନେଉଥିଲେ । ମୁଁ କିନ୍ତୁ ଶେଷଯାଏ ଯେଉଁ ଗଧକୁ ସେହି ଗଧ ରହିଗଲି ଓ ମଗନଲାଲ ଗାନ୍ଧୀ ଆମ ସମସ୍ତଙ୍କୁ ଟପିଯାଇଥିଲେ । ସେ କିନ୍ତୁ ତାଙ୍କ ମନ ଭିତରେ ଶକ୍ତିର ପରିଚୟ ପାଇ ନ ଥିଲେ ବୋଲି ମୋର ଧାରଣା । ସେ ଆଗରୁ କୌଣସି ଛାପାଖାନାରେ କାମ କରି ନ ଥିଲେ ସୁଦ୍ଧା ସେ ବଡ଼ ପକ୍‌କା ଭାବରେ ଅକ୍ଷର ଖଞ୍ଜିବା ଶିଖିଯାଇଥିଲେ ଓ କେବଳ ଯେ ତାଙ୍କ ହାତ ଫୁର୍ତ୍ତି ହୋଇ ଯାଇଥିଲା, ସେତିକି ନୁହେଁ—ଅଧିକନ୍ତୁ ସେ ଛାପାଖାନାର ଅନ୍ୟାନ୍ୟ ସମସ୍ତ ବିଭାଗର କାମ ଶିଖିଯାଇ ମତେ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ ।

 

ଏସବୁ କାମ ମୁଣ୍ଡ ଧରି ନ ଥାଏ, ଘରସବୁ ତିଆରି ସରି ନ ଥାଏ । ମତେ ନୂଆ ଗଢ଼ା ପରିବାରଙ୍କୁ ଛାଡ଼ି ଜୋହନ୍‌ସବର୍ଗକୁ ଯିବାକୁ ପଡ଼ିଥିଲା । ସେଠା କାମକୁ ବେଶିଦିନ ଛାଡ଼ିଦେଇ ରହିବାଭଳି ଅବସ୍ଥା ମୋର ନ ଥିଲା ।

 

ଜୋହନ୍‌ସବର୍ଗକୁ ଫେରି ଏସବୁ ଗୁରୁତର ପରିବର୍ତ୍ତନର କଥା ମୁଁ ପୋଲକଙ୍କୁ ଶୁଣେଇଥିଲି । ସେ ଯେତେବେଳେ ଜାଣିଲେ ଯେ, ତାଙ୍କର ବହିରୁ ଏତେ ସବୁ ଫଳ ହୋଇଛି, ସେତେବେଳେ ତାଙ୍କର ଆନନ୍ଦର ସୀମା ରହି ନ ଥିଲା । ସେଭାବରେ ସେ ଗଦ୍‌ଗଦ ହୋଇ ପଚାରିଥିଲେ, ‘‘ଏ ନୂଆ ଉଦ୍ୟମରେ ମୁଁ ଯୋଗ ଦେବା କ’ଣ ସମ୍ଭବ ନୁହେ ?’’

 

ମୁଁ କହିଥିଲି—‘‘ନିଶ୍ଚୟ ସମ୍ଭବ, ତମର ଇଚ୍ଛା ହେଉଛି ତ ତମେ ଏ ଯୋଜନାରେ ଯୋଗ ଦେଇପାର ।’’

 

ସେ ଜବାବ ଦେଇଥିଲେ,—‘‘ଆପଣ ଯଦି ମୋତେ ନେବେ, ମୁଁ ଏକଦମ ତିଆର ଅଛି-।’’

 

ତାଙ୍କର ଦୃଢ଼ପଣ ଦେଖି ମୁଁ ମୁଗ୍‌ଧ ହୋଇ ଯାଇଥିଲି । ‘କ୍ରିଟିକ’ ଖବର କାଗଜରୁ ମୁକ୍ତ ହେବାପାଇଁ ସେ ତାଙ୍କର ମାଲିକକୁ ମାସକର ନୋଟିସ ଦେଇଥିଲେ ଏବଂ ସେ ସମୟ ଗତେ ଫିନିକ୍‌ସରେ ପହଞ୍ଚିଲେ । ତାଙ୍କର ମେଳାପି ସ୍ୱଭାବରୁ ସେ ସମସ୍ତଙ୍କ ହୃଦୟ ଅଧିକାର କରି ଫିନିକ୍‌ସ ପରିବାରର ଜଣେ ହୋଇଥିଲେ । ସରଳତା ତାଙ୍କର ମଜ୍ଜାଗତ ଥିଲା । ତେଣୁ ଫିନିକ୍‌ସର ଜୀବନ ତାଙ୍କୁ କୌଣସି ରକମ କଷ୍ଟକର ବା ନୂଆ ଲାଗିବା ବଦଳରେ ତାଙ୍କୁ ସ୍ୱାଭାବିକ ଓ ରୁଚିକର ଲାଗିଥିଲା । କିନ୍ତୁ ମୁଁ ତାଙ୍କୁ ସେଠି ବେଶୀଦିନ ରଖିପାରି ନଥିଲି । ମିଃ ରିଚ୍‌ ବିଲାତରେ ଓକିଲାତି ପାଠ ଶେଷ କରିବେ ବୋଲି ଠିକ୍‌ କରିଥିଲେ । ଏକା ଅଫିସ କାମ ଚଳେଇବା ମୋ ପକ୍ଷରେ ଅସମ୍ଭବ ହୋଇଥିଲା । ସେଥିପାଇଁ ମୁଁ ପୋଲକଙ୍କୁ ଅଫିସରେ ରହିବାକୁ ଓ ଓକିଲ ହେବାକୁ ସୂଚାଇଥିଲି । ମୁଁ ଭାବିଥିଲି, ସେ ଓକିଲ ହେବା ପରେ ଶେଷରେ ଆମେ ଦୁହେଁ ଫିନିକ୍‌ସରେ ପହଞ୍ଚିବୁ । ମାତ୍ର ତାହା କେବେ ଘଟି ନଥିଲା । ପୋଲକ ସ୍ୱଭାବତଃ ଏତେ ସରଳବିଶ୍ୱାସୀ ଥିଲେ ଯେ, କୌଣସି ବନ୍ଧୁଙ୍କଠାରେ ଥରେ ତାଙ୍କର ବିଶ୍ୱାସ ଜନ୍ମିଗଲେ, ସେ ଆଉ ସେ ବନ୍ଧୁଙ୍କ ସଙ୍ଗେ ଯୁକ୍ତି ତର୍କ ନ କରି ତାଙ୍କ କଥାରେ ରାଜି ହୋଇଯିବାକୁ ଚେଷ୍ଟା କରୁଥିଲେ । ସେ ମତେ ଚିଠି ଲେଖିଥିଲେ, ମତେ ଏ ଜୀବନ ଭଲ ଲାଗୁଛି, ମୁଁ ଏଠି ସୁଖରେ ଅଛି ଏବଂ ଏ ଅନୁଷ୍ଠାନର ଆମେ ଉନ୍ନତି କରି ପରିବା; କିନ୍ତୁ ଆପଣ ଯଦି ମନେ କରନ୍ତି ମୋର ସେଠାକୁ ଯିବା ଦ୍ୱାରା ଆମର ଆଦର୍ଶ ଅଧିକ ସଫଳ ହେବ, ତେବେ ମୁଁ ଯିବାକୁ ପ୍ରସ୍ତୁତ ଅଛି । ଚିଠି ଖଣ୍ଡି ମତେ ଭାରି ଆନନ୍ଦ ଦେଇଥିଲା-। ପୋଲକ ଫିନିକ୍‌ସ ଛାଡ଼ି ଜୋହନ୍‌ସବର୍ଗ ଆସିଥଲେ ଏବଂ ମୋ ଅଫିସରେ ଓକିଲାତି କିରାଣୀ ହୋଇଥିଲେ ।

 

ପ୍ରାୟ ସେହି ସମୟରେ ଜଣେ ସ୍କଟଲାଣ୍ଡବାସୀ ଥିଓସଫିଷ୍ଟଙ୍କୁ ମୁଁ ଆଇନ ପରୀକ୍ଷା ପାଇଁ ତିୟାର କରିବାକୁ ସାହାଯ୍ୟ କରୁଥିଲି । ପୋଲକଙ୍କ ଅନୁକରଣ କରିବାକୁ ତାଙ୍କୁ ମଧ୍ୟ ଡାକିଥିଲି । ସେ ମଧ୍ୟ ଆସିଥିଲେ । ତାଙ୍କ ନାଁ ଥିଲା ମେକିନ ଟାୟର ।

 

ଏହିଭଳି ଫିନିକ୍‌ସଠାରେ ନିଜର ଆଦର୍ଶକୁ ଶୀଘ୍ର ଉପଲବ୍‌ଧ କରିବାର ଶୁଭ ଉଦ୍ଦେଶ୍ୟ ସାମନାରେ ରଖି ମୁଁ କ୍ରମେ ବିପରୀତ ଦିଗରେ ଗୋଡ଼ ତଳକୁ ତଳକୁ ଖସେଇବାକୁ ଲାଗିଲି ଏବଂ ଭଗବାନଙ୍କର ସଙ୍କେତ ଯଦି ଅନ୍ୟ ପ୍ରକାର ହୋଇ ନ ଥାନ୍ତା, ସରଳ ଜୀବନ ନାଁରେ ଏହି ଯେ ଜାଲ ବିସ୍ତୃତ ହୋଇଥିଲା, ସେଥିରେ ମୁଁ ନିଶ୍ଚୟ ପଡ଼ି ଯାଇଥାନ୍ତି ।

 

କିପରି ମୁଁ ଓ ମୋର ଆଦର୍ଶ ଅପ୍ରତ୍ୟାଶିତ ଭାବରେ ରକ୍ଷା ପାଇ ଯାଇଥିଲା, ସେ କଥା ଆଉ କେତେକ ଅଧ୍ୟାୟ ପରେ ବର୍ଣ୍ଣନା କରିବି ।

 

ଯାହାକୁ ରଖିବେ ଅନନ୍ତ

 

ଏବେ ମୁଁ ଶୀଘ୍ର ଭାରତକୁ ଫେରିଯିବାର ଏବଂ ସେଠି ଯାଇ ଜମିଯିବାର ଆଶା ଛାଡ଼ି ଦେଇଥିଲି । ମାତ୍ର ମୁଁ ବର୍ଷକ ଭିତରେ ଫେରିବି ବୋଲି ସ୍ତ୍ରୀକୁ ଆଶ୍ୱାସନା ଦେଇ ଦକ୍ଷିଣ ଆଫ୍ରିକାକୁ ଫେରିଥିଲି । ବର୍ଷ ସରିଗଲା, ମୋର ଫେରିବାର ଆଶା ନ ଦେଖି ମୁଁ ପିଲାମାନଙ୍କୁ ଡକେଇ ଆଣିବା ସ୍ଥିର କରିଥିଲି ।

 

ପିଲାମାନେ ଆସିଲେ, ତାଙ୍କ ଭିତରେ ମୋର ତୃତୀୟ ପୁତ୍ର ରାମଦାସ ଥିଲା । ବାଟରେ ଜାହାଜର କପ୍ତାନ ସାଙ୍ଗରେ ସେ ଭାରି ବନ୍ଧୁ ହୋଇଥିଲା ଏବଂ ଖେଳୁ ଖେଳୁ ହାତ ଭାଙ୍ଗିଥିଲା । କପ୍ତାନ ତାର ଖୁବ୍‌ଯତ୍ନ ନେଇଥିଲେ । ଡାକ୍ତର ହାତ ଯୋଡ଼ି ଦେଇଥିଲେ । ରାମଦାସ ଜାହାଜରୁ ଓହ୍ଲାଇଲାବେଳକୁ ତା ହାତଟି କାଠପଟାରେ ବନ୍ଧା ହୋଇ ବେକରେ ରୁମାଲରେ ଝୁଲୁଥିଲା । ଜଖମକୁ କୌଣସି ଡାକ୍ତର ପାଖରେ ଦୋରସ୍ତ କରିନେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

 

କିନ୍ତୁ ସେତେବେଳକୁ ମୋର ମାଟି ଚିକିତ୍ସା ପ୍ରୟୋଗର ଜୋର ଚାଲିଥାଏ । ମୋର ଅନେକ ମହକିଲ—ଯେଉଁମାନଙ୍କର ମୋର ଅନାଡ଼ି ଚିକିତ୍ସାରେ ବିଶ୍ୱାସ ଥିଲା, ସେମାନଙ୍କୁ ନେଇ ମୁଁ ମୋର ପାଣି ଓ ମାଟିର ପ୍ରୟୋଗ କରାଉଥିଲି ।

 

ରାମଦାସ ପାଇଁ ମୁଁ କଣ କରିଥାନ୍ତି ? ତାକୁ ସେତେବେଳକୁ ଠିକ୍‌ ଆଠବର୍ଷ । ‘‘ମୁଁ ନିଜେ ଜଖମ ଚିକିତ୍ସା କଲେ ତୋର କିଛି ଆପତ୍ତି ଅଛି କି ନାହିଁ ?’’ ମୁଁ ପଚାରିଥିଲି । ସେ ହସି ହସି କହିଥିଲା—ଲେଶମାତ୍ର ଆପତ୍ତି ନାହିଁ । ଯଦି ସେ ବିଷୟରେ, ଭଲ ମନ୍ଦ ସ୍ଥିର କରିବା ତା ପକ୍ଷରେ ସମ୍ଭବ ନ ଥିଲା; ତଥାପି ଡାକ୍ତର ଓ ଅନାଡ଼ି ଭିତରେ ପ୍ରଭେଦ କଣ ସେ କଥା ସେ ଭଲ ଜାଣିଥିଲା-। ତଥାପି ସେ ମୋର ପ୍ରୟୋଗର କଥା ଜାଣିଥିଲା ଏବଂ ମୋ ଉପରେ ତା’ର ବିଶ୍ୱାସ ଥିଲା । ସେଥିଯୋଗୁଁ ମୁଁ ଥରି ଥରି ତା ପଟି ଖୋଲିଦେଲି । ସେ ନିର୍ଭୟ ରହିଥିଲା । ଜଖମକୁ ସଫା କଲି ଏବଂ ମାଟି ଲେପ ଦେଇ ପୁଣି ହାତକୁ ପୂର୍ବପରି ବାନ୍ଧି ଦେଇଥିଲି । ଏହିପରି ମୁଁ ନିଜେ ସଫା କରୁଥାଏ ଏବଂ ମାଟି ଦେଉଥାଏ, ମାସେ ଖଣ୍ଡକରେ ଜଖମ ଭଲ ହୋଇଯାଇଥିଲା । କୌଣସି ବିଘ୍ନ କେବେ ହୋଇ ନଥିଲା ଏବଂ ଦିନକୁ ଦିନ ଜଖମ ଭଲ ହେଉଥିଲା । ଜାହାଜର ଡାକ୍ତର ସାଧାରଣ ଡାକ୍ତରୀ ଚିକିତ୍ସାରେ ଏତିକି ସମୟ ଲାଗିବ ବୋଲି କହିଥିଲେ ।

 

ଏହି ଘରେଇ ଚିକିତ୍ସାରେ ମୋର ବିଶ୍ୱାସ ବଢ଼ିଥିଲା ଏବଂ ତାକୁ କାମରେ ଲଗାଇବାରେ ମୋର ସାହାସ ବଢ଼ିଥିଲା । ଏହାପରେ ମୁଁ ପ୍ରୟୋଗର କ୍ଷେତ୍ର ବଢ଼େଇ ଦେଇଥିଲି । ଜଖମ, ଜ୍ୱର, ଅଜୀର୍ଣ୍ଣ, କାମଳ ପ୍ରଭୃତି ରୋଗର ମାଟି, ପାଣି ତଥା ଉପବାସର ଚିକିତ୍ସା ସାନ, ବଡ଼, ସ୍ତ୍ରୀ, ପୁରୁଷଙ୍କ ଉପରେ ଖୁବ୍‌ ସଫଳତାର ସହିତ କରିଥିଲି । ଏହା ସତ୍ତ୍ୱେ ଦକ୍ଷିଣ ଆଫ୍ରିକାରେ ମୋର ଯେଉଁ ସାହାସ ଥିଲା, ତାହା ଏବେ ନାହିଁ । ମୋ ଅନୁଭୂତିରୁ ମଧ୍ୟ ଜାଣି ପାରିଛି ଯେ, ଏପରି ଚିକିତ୍ସାରେ ବିପଦ ମଧ୍ୟ ଅଛି ।

 

ସେଥିପାଇଁ ଏ ଚିକିତ୍ସାର ସଫଳତା ପ୍ରମାଣିତ କରିବାପାଇଁ ଏ ପ୍ରୟୋଗର କଥା ମୁଁ ଏଠି ବର୍ଣ୍ଣନା କରୁନାହିଁ । ମୁଁ କୌଣସି ଗୋଟାଏ ପ୍ରୟୋଗରେ ପୂର୍ଣ୍ଣ ସଫଳ ହୋଇଛି ବୋଲି ଦାବି କରିପାରେ ନାହିଁ । ଡାକ୍ତରମାନେ ମଧ୍ୟ ଏପରି ଦାବି କରିପାରିବେ ନାହିଁ । କିନ୍ତୁ କହିବାର ଏତିକି ଉଦ୍ଦେଶ୍ୟ ଯେ, ଯେଉଁ ଲୋକ କୌଣସି ନୂଆ ପ୍ରୟୋଗ କରିବାକୁ ଚାହେଁ, ତାର ପ୍ରଥମେ ଆପଣା ଶରୀର ଉପରେ ପରୀକ୍ଷା କରିବା ଉଚିତ । ଏମିତି କଲେ ଶୀଘ୍ର ସତ୍ୟ ପ୍ରକାଶ ପାଇଥାଏ ଏବଂ ସେ ପରୀକ୍ଷାକାରୀକୁ ଭଗବାନ ରକ୍ଷା କରିଥାନ୍ତି । ମାଟି, ପାଣି ଚିକିତ୍ସାରେ ଯେପରି ବିପଦ ଥିଲା; ଇଉରୋପୀୟମାନଙ୍କ ଘନିଷ୍ଠ ସମ୍ପର୍କ ସ୍ଥାପନାରେ ସେହିପରି ବିପଦ ଥିଲା । କେବଳ ବିପଦର ପ୍ରକାଶରେ ଭେଦ ଥିଲା । କିନ୍ତୁ ଏ ସବୁ ବିପଦର ଚିନ୍ତା ମୋ ମନକୁ ଟିକିଏ ହେଲେ ଆସି ନ ଥିଲା-

 

ମୁଁ ପୋଲକଙ୍କୁ ମୋ ସାଙ୍ଗରେ ରହିବାକୁ ଡାକି ଆଣିଥିଲି ଏବଂ ଆମେ ସହୋଦର ଭାଇଭଳି ବାସ କରିବାକୁ ଲାଗିଥିଲୁ । ଯେଉଁ ମହିଳାଙ୍କୁ ପୋଲକ ବାହା ହୋଇଥିଲେ, ତାଙ୍କ ସଙ୍ଗେ ପୋଲକଙ୍କର ଅନେକ ବର୍ଷର ବନ୍ଧୁତା ଥିଲା । ବେଳ ଆସିଲେ ବାହା ହେବା ବୋଲି ଉଭୟ ସ୍ଥିର କରି ରଖିଥିଲେ । କିନ୍ତୁ ପୋଲକ କିଛି ଧନ ସଞ୍ଚୟ କରିବାର ଅପେକ୍ଷାରେ ଥିଲେ ବୋଲି ମୋର ମନେ ପଡ଼ୁଛି । ରସ୍କିନ୍‌ଙ୍କର ଅଧ୍ୟୟନ ମୋଠାରୁ ଢେର ବେଶୀ ବିସ୍ତୃତ ଥିଲା । କିନ୍ତୁ ପାଶ୍ଚାତ୍ୟ ବାୟୁମଣ୍ଡଳରେ ରସ୍କିନଙ୍କ ସିଦ୍ଧାନ୍ତକୁ କାର୍ଯ୍ୟରେ ଲଗେଇବାକୁ ତାଙ୍କୁ ଶୁଝୁ ନ ଥିଲା । ମୁଁ ତାଙ୍କୁ ଯୁକ୍ତି ଦେଖାଇଥିଲି, ‘‘ଯାହାଙ୍କ ସଙ୍ଗେ ହୃଦୟର ମିଳନ ହୋଇଛି, ତାଙ୍କର ବିଚ୍ଛେଦଟା କେବଳ ଧନ ଅଭାବରୁ ଭୋଗୁଥିବ, ଏଟା ଠିକ୍‌ ଜଣା ପଡ଼ୁନାହିଁ । ତମ ହିସାବରେ କେହି ଗରିବ ଲୋକ ତ କେବେ ବାହା ହୋଇପାରିବ ନାହିଁ । ପୁଣି ଏବେ ତମେ ମୋ ସଙ୍ଗେ ରହୁଛ । ସେପରି ଅବସ୍ଥାରେ ଆଉ ଘର ଖର୍ଚ୍ଚର ପ୍ରଶ୍ନ ନାହିଁ । ତେମେ ଶୀଘ୍ର ବାହା ହେଲେ ମଙ୍ଗଳ ହେବ ବୋଲି ମୁଁ ବିଚାରୁଛି ।

 

ପୋଲକଙ୍କ ସଙ୍ଗେ କୌଣସି ବିଷୟରେ ଦୁଇଥର ଯୁକ୍ତି କରିବାକୁ ପଡ଼ୁ ନ ଥିଲା । ସେ ମୋ ଯୁକ୍ତି ମାନି ନେଇଥିଲେ । ଭାବୀ ମିସେସ୍‌ ପୋଲକ ବିଲାତରେ ଥିବାରୁ ସେ ତାଙ୍କ ସହିତ ଚିଠିପତ୍ର ଆରମ୍ଭ କରିଦେଇଥିଲେ । ମିସେସ୍‌ ପୋଲକ ଆନନ୍ଦରେ ରାଜି ହୋଇଥିଲେ ଓ ଅଳ୍ପ କେଇଟା ମାସ ପରେ ବାହା ହେବାପାଇଁ ଜୋହାନ୍‌ସବର୍ଗରେ ଆସି ପହଞ୍ଚିଥିଲେ । ବିବାହ ସମ୍ପର୍କରେ କୌଣସି ଖର୍ଚ୍ଚର ପ୍ରଶ୍ନ ହିଁ ନ ଥିଲା । ବରକନ୍ୟାଙ୍କ ପାଇଁ ବିଶେଷ ପୋଷାକର ମଧ୍ୟ ଲୋଡ଼ା ନଥିଲା । ଏମାନଙ୍କର କୌଣସି ଧର୍ମକର୍ମ ଲୋଡ଼ା ନଥିଲା । ମିସେସ୍‌ ପୋଲକ ଖ୍ରୀଷ୍ଟାନ ଥିଲେ ଓ ପୋଲକ ଇହୁଦୀ ଥିଲେ । ସେମାନଙ୍କ ଭିତରେ ସାଧାରଣ ଧର୍ମ ଥିଲା ନୀତି ଧର୍ମ ।

 

କିନ୍ତୁ ଏ ବିବାହର ଗୋଟିଏ ମଜାର ଘଟଣା ବର୍ଣ୍ଣନା କରିବି । ଟ୍ରାନ୍‌ସଭାଲରେ ଇଉରୋପୀୟମାନଙ୍କ ବିବାହ ଦରଜ କରିବାପାଇଁ ଯେଉଁ ହାକିମ ଥିଲେ, ସେ କଳା ଲୋକମାନଙ୍କ ବିବାହ ରେଜିଷ୍ଟ୍ରୀ କରୁ ନ ଥିଲେ । ଏ ବିବାହରେ ମୁଁ ବରକନ୍ୟାଙ୍କର ପ୍ରଧାନ ମିତ୍ର ହୋଇଥିଲି । ଆମେ ଗୋରା ବନ୍ଧୁ ଖୋଜି ପାଇଥାନ୍ତୁ । କିନ୍ତୁ ପୋଲକ ତାହା ସହିପାରି ନ ଥାନ୍ତେ । ତେଣୁ ଆମେ ତିନିହେଁ ବିବାହ ହାକିମଙ୍କ ପାଖକୁ ଯାଇଥିଲୁ । ଯେଉଁ ବିବାହରେ ମୁଁ ପ୍ରଧାନ ମିତ୍ର, ସେ ବିବାହରେ ବର କନ୍ୟା ଗୋରା ହୋଇଥିବେ, ଏ କଥାରେ ହାକିମଙ୍କର ବିଶ୍ୱାସ କେମିତି ହୁଅନ୍ତା ? ସେ ତଦନ୍ତ ପାଇଁ ବାହାଘର ସ୍ଥଗିତ ରଖିବାକୁ ଚାହିଁଥିଲେ । ତା ପରଦିନ ନାତାଲର ଛୁଟି ଦିନ ଥିଲା । ଏଡ଼େ ଉତ୍ସୁକ ଥିବା ସ୍ତ୍ରୀ ପୁରୁଷଙ୍କର ବିବାହ ରେଜିଷ୍ଟ୍ରିଟାକୁ ବନ୍ଦ ରଖିବାକୁ ସମସ୍ତଙ୍କୁ ଅସହ୍ୟ ଲାଗିଥିଲା । ବଡ଼ ମାଜିଷ୍ଟ୍ରେଟଙ୍କ ସଙ୍ଗେ ମୋର ପରିଚୟ ଥିଲା । ସେ ଥିଲେ ସେ ବିଭାଗର ବଡ଼ କର୍ତ୍ତା । ସେଥିଯୋଗୁଁ ଦୁଇ ଜଣଙ୍କୁ ନେଇ ମୁଁ ତାଙ୍କ ପାଖରେ ପହଞ୍ଚିଥିଲି । ସେ ହସିଥିଲେ ଓ ଖଣ୍ଡେ ଲେଖି ଦେଇଥିଲେ । ଏମିତି ବିବାହଟି ରେଜିଷ୍ଟ୍ରୀ ହୋଇଥିଲା ।

 

ଏପର୍ଯ୍ୟନ୍ତ ଅଳ୍ପ ବହୁତ ପରିଚିତ ଇଉରୋପୀୟମାନେ ମୋ ସହିତ ବାସ କରୁଥିଲେ, ଏବେ ଏକାବେଳକେ ଅପରିଚିତ ଥିବା ଜଣେ ଇଂରେଜ ମହିଳା ଆମ ପରିବାରରେ ପ୍ରବେଶ କରିଥିଲେ । ମୋର ନିଜର କେବେ ମତଭେଦ ହୋଇଥିବାର ମନେ ପଡ଼ୁ ନାହିଁ । କିନ୍ତୁ ଯେଉଁଠାକୁ ଅନେକ ଜାତିର ଓ ଅନେକ ପ୍ରକୃତିର ଭାରତବାସୀ ଯା’ଆସ କରନ୍ତି, ଯେଉଁଠି ମୋର ସ୍ତ୍ରୀର ଏଭଳି ଅନୁଭବ କମ୍‌ ହୋଇଥାଏ, ସେଠାରେ ସେ ଦୁହିଁଙ୍କ ଭିତରେ କେତେଥର ମତଭେଦ ଘଟିଥାଇପାରେ । କିନ୍ତୁ ଏକ ଏକଜାତିଆ କୁଟୁମ୍ୱରେ ସେଭଳି ଯେତେ ଘଟଣା ଘଟେ, ତାଠାରୁ ଏ ଭିନ୍ନ ଭିନ୍ନ ଜାତିଆ ପରିବାରରେ ଯାହା ଘଟିଥିଲା, ତାହା ବେଶୀ କିଛି ନ ଥିଲା । ବରଂ ଯେତେକ ଘଟଣା ମୋର ମନେ ଅଛି, ତାହା ଅତି ତୁଚ୍ଛ ଥିଲା । ସ୍ୱଜାତି ବିଜାତି ଏ ସବୁ ମନର ତରଙ୍ଗ ମାତ୍ର । ଆମ୍ଭେମାନେ ସମସ୍ତେ ଏକ ପରିବାରଭୁକ୍ତ ଅଟୁ ।

 

ଉଏଷ୍ଟଙ୍କ ବିବାହର ବର୍ଣ୍ଣନା ମଧ୍ୟ ଏହିଠାରେ ସାରିଦେବି । ମୋ ଜୀବନର ଏହି ଅବସ୍ଥାରେ ବ୍ରହ୍ମଚର୍ଯ୍ୟ ସମ୍ବନ୍ଧରେ ମୋର ବିଚାର ପକ୍‌କା ହୋଇ ନ ଥାଏ । ମୋର ସମସ୍ତ ଅବିବାହିତ ବନ୍ଧୁମାନଙ୍କୁ ବିବାହ କରେଇବା ସେତେବେଳେ ମୋର ବ୍ୟବସାୟ ଥିଲା । ଉଏଷ୍ଟ ଯେତେବେଳେ ତାଙ୍କ ବାପା ମା’ଙ୍କୁ ଦେଖିବାକୁ ବାହାରିଥିଲେ; ସେତେବେଳେ ପାରିବେ ତ ବାହାହୋଇ ଫେରି ଆସିବାକୁ ମୁଁ ତାଙ୍କୁ ପରାମର୍ଶ ଦେଇଥିଲି । ଫିନିକ୍‌ସ ଆଶ୍ରମ ଆମ ସମସ୍ତଙ୍କ ଘର ଥିଲା ଏବଂ ଆମେ ତ ସମସ୍ତେ ଚାଷୀ ହୋଇ ବସିଥିଲୁ । ସେଥିଯୋଗୁଁ ବିବାହ ବା ବଂଶବୃଦ୍ଧି ପାଇଁ ଡର ନ ଥିଲା । ଉଏଷ୍ଟ ଲେଷ୍ଟରର ଏକ ସୁନ୍ଦରୀ କୁମାରୀଙ୍କୁ ବିବାହ କରି ଆଣିଥିଲେ । ଏ ମହିଳା ଲେଷ୍ଟରରେ ଏକ ବଡ଼ ଜୋତା କାରଖାନାରେ କାମ କରୁଥିବା ଗୋଟିଏ ପରିବାରର ଲୋକ ଥିଲେ । ସେ ଜୋତା କାରଖାନାରେ କିଛିଦିନ କାମ କରିଥିଲେ । ମୁଁ ତାଙ୍କୁ ‘ସୁନ୍ଦରୀ’ କହିଛି । କାରଣ ମୁଁ ତାଙ୍କର ଗୁଣର ଉପାସକ ଅଟେ ଏବଂ ପ୍ରକୃତ ସୌନ୍ଦର୍ଯ୍ୟ ତ ଗୁଣରେ ଥାଏ । ଉଏଷ୍ଟ ତାଙ୍କ ଶାଶୁଙ୍କୁ ସାଙ୍ଗରେ ଆଣିଥିଲେ । ସେ ବୁଢ଼ୀ ଆଜିଯାଏ ବଞ୍ଚିଛନ୍ତି । ତାଙ୍କର ପରିଶ୍ରମ ଓ ହସମୁହାଁ ପ୍ରକୃତିରେ ସେ ଆମ ସମସ୍ତଙ୍କୁ ହରେଇ ଦେଇଥିଲେ ।

 

ଯେମିତି ମୁଁ ଗୋରା ବନ୍ଧୁମାନଙ୍କୁ ବାହା କରେଇଥିଲି, ସେମିତି ମୁଁ ମୋର ଭାରତୀୟ ବନ୍ଧୁମାନଙ୍କୁ ମଧ୍ୟ ଗାଁରୁ ପିଲାକବିଲା ଅଣେଇବାପାଇଁ ପ୍ରବର୍ତ୍ତେଇ ଥିଲି । ଫଳରେ ଫିନିକ୍‌ସ ଗୋଟିଏ ଛୋଟିଆ ଗାଁ ପାଲଟି ଯାଇଥିଲା । ଛ’ଟି ପରିବାର ସେଠି ଆସି ରହିଥିଲେ ଏବଂ ବଢ଼ିବାକୁ ଲାଗିଥିଲେ ।

 

ଘରେ ପରିବର୍ତ୍ତନ ଓ ପିଲାଙ୍କ ଶିକ୍ଷା

 

ଡରବାନରେ ଘର କରିଥିଲି; କିନ୍ତୁ ସେଥିରେ ଫେର୍‌ପାର୍‌ ତ କରୁଥାଏ । ବହୁତ ଖର୍ଚ୍ଚ କଲେ ସୁଦ୍ଧା ମତିଗତି ସରଳ ଜୀବନ ଆଡ଼କୁ ଥିଲା । ମାତ୍ର ଜୋହାନ୍‌ସବର୍ଗଠାରେ ‘ସର୍ବୋଦୟ’ର ବିଚାରଧାରା ବେଶୀ ପରିବର୍ତ୍ତନ କରେଇଥିଲା । ଜଣେ ବାରିଷ୍ଟର ଘରେ ଯେତେଦୂର ସାଦାସିଧା କଥା ଚଳେଇ ହେବ, ସେତେଦୂର ପରିବର୍ତ୍ତନ ମୁଁ କରିଦେଇଥିଲି । ତଥାପି କେତେକ ଆସାବାବପତ୍ର ଛଡ଼ା ଚଳିବା ସମ୍ଭବ ନଥିଲା । ପ୍ରକୃତ ସରଳତା ତ ମନ ଭିତରେ ବଢ଼ିଥିଲା । ପ୍ରତ୍ୟେକ କାମ ନିଜ ହାତରେ କରିବାର ଶ୍ରଦ୍ଧା ବଢ଼ିଥିଲା ଏବଂ ସେଥିରେ ପିଲାମାନଙ୍କୁ ମଧ୍ୟ ପକାଇବାକୁ ମୁଁ ଉଦ୍ୟମ ଆରମ୍ଭ କରିଥିଲି ।

 

ଦୋକାନରୁ ପାଉଁରୁଟି କିଣିବା ପରିବର୍ତ୍ତରେ ଡାକ୍ତର କୁନେଙ୍କ ପ୍ରଣାଳୀରେ ଘରେ ବିନା ମହୀରେ ରୁଟି ତିଆରି କରିବାକୁ ଆରମ୍ଭ କରିଦେଲୁଁ । ଏଥିରେ କଳ ଅଟା କାମରେ ଆସୁ ନଥିଲା । ଉପରନ୍ତୁ କଳ ଅଟାଠାରୁ ହାତପେଷା ଅଟା ବ୍ୟବହାର କରିବାରେ ସରଳତା, ସ୍ୱାସ୍ଥ୍ୟ ଓ ଖର୍ଚ୍ଚ ବେଶୀ ରକ୍ଷା ହେବ ବୋଲି ବିଚାରୁଥିଲୁ । ମୁଁ ଶହେ ପାଞ୍ଚଟଙ୍କା ଦେଇ ଗୋଟିଏ ହାତପେଷା ଚକି କିଣିଥିଲି-। ଚକି ଦି’ପଟ ଭାରି ଥିଲା । ତାକୁ ବୁଲେଇବାକୁ ଦୁଇ ଜଣକୁ ସହଜ ହେଉଥିଲା; କିନ୍ତୁ ଜଣକୁ ଭିଡ଼ି ହେଉଥିଲା । ମୁଁ, ପୋଲକ ଓ ପୁଅମାନେ ଏ କାମରେ ଲାଗୁଥିଲୁ । ରୋଷେଇ ସମୟରେ ଚକିପେଷା ସମୟ ସଙ୍ଗେ ପଡ଼ୁଥିଲେ ସୁଦ୍ଧା କସ୍ତୁରବାଇ ମଝିରେ ମଝିରେ ଆସି ସାହାଯ୍ୟ କରୁଥିଲା-। ଏବେ ମିସେସ୍‌ ପୋଲକ ଆସିବା ପରେ ସେ ମଧ୍ୟ ଯୋଗ ଦେଇଥିଲେ । ଚକିପେଷା ପରିଶ୍ରମ ପିଲାଙ୍କୁ ଭାରି ଉପକାର କରୁଥିଲା । ଏ କାମ ବା ଅନ୍ୟ କୌଣସି କାମ ତାଙ୍କ ଉପରେ ମୁଁ କେବେହେଲେ ଲଦୁ ନ ଥିଲି; ବରଂ ସେମାନେ ଖେଳଭଳି ଏଥିରେ ଆସି ଯୋଗ ଦେଉଥିଲେ ଓ ଥକିପଡ଼ିଲେ ଚାଲିଯିବା ପାଇଁ ତାଙ୍କୁ ଅନୁମତି ଥିଲା । ମୋ ପିଲାମାନେ ତଥା ଅନ୍ୟ ଯେଉଁମାନଙ୍କ କଥା ପରେ ମୁଁ କହିବି, ସମସ୍ତେ କେଉଁ କାରଣରୁ କେଜାଣି ମତେ ସବୁବେଳେ ଖୁବ୍‌ କମ୍‌ ନିରାଶ କରି ଦେଇଛନ୍ତି । ଅବଶ୍ୟ ମୋ କପାଳକୁ ଟେଢ଼ା ପିଲା ଜୁଟୁଥିଲେ । କିନ୍ତୁ ଅଧିକାଂଶ ତାଙ୍କୁ ଦିଆଯାଇଥିବା କାମ ଆନନ୍ଦର ସହିତ କରୁଥିଲେ । ଥକି ପଡ଼ିଛି; ଏପରି ଆପତ୍ତି ସେ ସମୟର କମ୍ ପିଲା କରୁଥିବେ ବୋଲି ମୋର ମନେ ପଡ଼େ ।

 

ଘର ସଫା କରିବାପାଇଁ ଆମେ ଗୋଟିଏ ଚାକର ନିଯୁକ୍ତ କରିଥିଲୁ । ସେ ପରିବାରର ଲୋକଭଳି ରହୁଥିଲେ ଓ ପିଲାମାନେ ତା କାମରେ ପୂରା ସାହାଯ୍ୟ କରୁଥିଲେ । ମ୍ୟୁନିସିପାଲଟି ମେହେନ୍ତର ମଇଳା ସଫା କରି ନେଉଥିଲା । ମାତ୍ର ପାଇଖାନା ଘରଟା ସଫା କରିବା, ବୈଠିକି ଧୋଇବା ପ୍ରଭୃତି କାମ ଆମେ ନିଜେ ନିଜେ କରୁଥିଲୁଁ । ଚାକରକୁ କେଭେଁ କରିବାକୁ କହୁ ନ ଥିଲୁ, କି ତାଠାରୁ ସେ କାମ ପ୍ରତ୍ୟାଶା ବି କରୁ ନ ଥିଲୁ । ଏଥିରୁ ପିଲାମାନେ ଶିକ୍ଷା ମଧ୍ୟ ପାଇଥିଲେ । ଫଳରେ ମୋର କୌଣସି ପୁଅ କେବେ ପାଇଖାନା ସଫା କାମ କରିବାକୁ ଘୃଣା ବୋଧ କରିନାହିଁ ଏବଂ ସେମାନେ ସ୍ୱାସ୍ଥ୍ୟର ସାଧାରଣ ନିୟମ ସହଜରେ ଶିଖିଛନ୍ତି । ଜୋହାନସ୍‌ବର୍ଗରେ କେହି କ୍ୱଚିତ୍‌ ବେମାର ପଡ଼ୁଥିଲେ, ମାତ୍ର ବେମାର ହେଲେ ପିଲାମାନେ ସେବା ଶୁଶ୍ରୂଷା କରୁଥିଲେ ଏବଂ ଏ କାମ ସେମାନେ ଆନନ୍ଦରେ କରୁଥିଲେ ।

 

ତାଙ୍କୁ ଅକ୍ଷର ଜ୍ଞାନ ଦେବା ବିଷୟରେ ମୁଁ ଅବହେଳା କରିଥିଲି ବୋଲି କହିବି ନାହିଁ । ତେବେ ଅକ୍ଷର ଶିକ୍ଷାକୁ ବଳି ଦେବାକୁ ମୁଁ କୁଣ୍ଠିତ ହୋଇନାହିଁ ଏବଂ ଏତକ ଅଭାବ ଯୋଗୁଁ ମୋ ବିରୁଦ୍ଧରେ ମୋ ପୁଅମାନଙ୍କର ଅଭିଯୋଗ କରିବାର କାରଣ ରହିଯାଇଛି । କେତେଥର ସେମାନେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ଏବଂ କେତେକ ପରିମାଣରେ ସେଥିପାଇଁ ମୁଁ ନିଜକୁ ଦୋଷୀ ମାନୁଛି । ତାଙ୍କୁ ଅକ୍ଷର ଜ୍ଞାନ ଦେବାକୁ ମୋର ବହୁତ ଆଗ୍ରହ ଥିଲା । ମୁଁ ନିଜେ ତାହା କରିବାକୁ ଚେଷ୍ଟା ମଧ୍ୟ କରିଥିଲି । କିନ୍ତୁ ସବୁବେଳେ କିଛି ନା କିଛି ବିଘ୍ନ ଆସି ପହଞ୍ଚିଯାଉଥିଲା । ପରେ ପଢ଼େଇବାର ଅନ୍ୟ କୌଣସି ବନ୍ଦୋବସ୍ତ କରି ନଥିବାରୁ ତାଙ୍କୁ ଅଫିସକୁ ସଙ୍ଗରେ ଚଲେଇ ନେଉଥିଲି । ଅଫିସ ଅଢ଼େଇ ମାଇଲ ଦୂର ଥାଏ । ସକାଳ ସଞ୍ଜ ମିଳି କମସେ କମ୍‌ ପାଞ୍ଚ ମାଇଲ୍ ପରିଶ୍ରମ ତାଙ୍କୁ ଓ ମତେ ମିଳି ଯାଇଥିଲା । ମୋ ସହିତ ଅନ୍ୟ କେହି କଥାବାର୍ତ୍ତା କରିବାକୁ ନ ଥିଲେ । ଏତକ ବାଟ ଯିବା ଆସିବା ବେଳେ ମୁଁ ତାଙ୍କୁ ଶିଖେଇବାକୁ ଚେଷ୍ଟା କରୁଥିଲି । ଅଫିସରେ ସେମାନେ ମହକିଲ ଓ ମୋହରୀରଙ୍କ ସଙ୍ଗେ ମିଶନ୍ତି, କିଛି ପଢ଼ିବାକୁ ଦେଉଥାଏ ତ ପଢ଼ନ୍ତି, ଏଣେ ତେଣେ ବୁଲନ୍ତି । ବଜାରରେ କିଛି କିଣାକିଣି ଥିଲେ ତାହା କରନ୍ତି । ମୋର ବଡ଼ପୁଅ ହରିଲାଲ ଭାରତରେ ରହି ଯାଇଥିଲା । ଅନ୍ୟ ସମସ୍ତେ ଜୋହାନସ୍‌ବର୍ଗରେ ଏହିପରି ଶିକ୍ଷା ପାଇ ବଢ଼ିଥିଲେ-। ମୁଁ ଯଦି ତାଙ୍କୁ ନିୟମିତରୂପେ ଅନ୍ତତଃ ଘଣ୍ଟାଏ ଲେଖାଏଁ ବହି ପାଠ ପଢ଼େଇ ପାରିଥାନ୍ତି, ମୋ ବିଚାରରେ ମୁଁ ତାଙ୍କୁ ଆଦର୍ଶ ଶିକ୍ଷା ଦେଇଥାନ୍ତି । କିନ୍ତୁ ମୋର ଓ ତାଙ୍କର ଦୁଃଖ ରହିଗଲା ଯେ, ଏଭଳି ଉଦ୍ୟମ ମୁଁ କରି ନ ଥିଲି, ବଡ଼ପୁଅ ତ ତାର ମନଦୁଃଖ ମୋ ଆଗରେ ତଥା ବାହାରେ ପ୍ରକାଶ କରିଛି । ଅନ୍ୟ ପୁଅମାନେ ଉଦାର ଭାବରେ ମୋର ଏ ଦୋଷକୁ ଅନିବାର୍ଯ୍ୟ ବୋଲି କ୍ଷମା କରିଛନ୍ତି । ମୁଁ ସେଥିପାଇଁ ଅନୁତପ୍ତ ନୁହେଁ ଏବଂ ଯଦିବା ଦୁଃଖ ଥାଏ, ତାହା ଏତିକି ଯେ ମୁଁ ଆଦର୍ଶ ପିତା ହୋଇପାରି ନାହିଁ । ମୋର ମତ ଯେ, ସେମାନଙ୍କର ପୁସ୍ତକଗତ ଶିକ୍ଷା ମୁଁ ସେତେବେଳେ ଅଜ୍ଞାନରେ ହେଉ ପଛେ ଯାହାକୁ ସମାଜ ସେବା ବୋଲି ମନେ କରୁଥିଲି, ତାହାରି ପାଇଁ ବଳି ଦେଇଥିଲି । ତାଙ୍କ ଚରିତ୍ର ଗଢ଼ିବା ପାଇଁ ଯାହା ଊଚିତ, ମୁଁ ସେଥିରେ ତ୍ରୁଟି କରି ନାହିଁ ବୋଲି କହିପାରେ ଏବଂ ମୋର ମତରେ ପ୍ରତ୍ୟେକ ପିତାମାତାଙ୍କର ଏହା ଅତ୍ୟାବଶ୍ୟକ । ମୋର ଧ୍ରୁବ ବିଶ୍ୱାସ ଯେ, ମୋର ପରିଶ୍ରମ ସତ୍ତ୍ୱେ ପୁଅମାନଙ୍କ ଚରିତ୍ରରେ ଯଦି କୌଣସି ଦୋଷ ଦେଖା ଦେଇଛି, ତାହା ଆମ ଦମ୍ପତିଙ୍କର ଦୋଷର ପ୍ରତିବିମ୍ୱ ଅଟେ ।

 

ପିଲାମାନେ ତାଙ୍କର ପିତାମାତାଙ୍କର ଆକାର ପ୍ରକାର ଯେପରି ପାଇଥାନ୍ତି, ସେମିତି ସେମାନେ ତାଙ୍କର ଦୋଷ ଗୁଣର ଉତ୍ତରାଧିକାରୀ ମଧ୍ୟ ହୋଇଥାନ୍ତି । ଚାରିଆଡ଼ର ଅବହାଉଆ ଯୋଗୁଁ ଅନେକପ୍ରକାର ଉନ୍ନତି ଅବନତି ହୋଇଥାଏ ସତ; କିନ୍ତୁ ମୂଳଧନ ଯେ ବାପ ଅଜାଙ୍କଠାରୁ ମିଳିଥାଏ, ଏହା ମଧ୍ୟ ଏକଦମ୍‌ ସତ । ମୁଁ ଦେଖିଛି ଯେ, କେତେକ ପିଲା ବାପ ମାଆଙ୍କର ମୌରସି ଦୋଷରୁ ନିଜକୁ ବଞ୍ଚେଇ ନେଇଥାନ୍ତି । ଏହା ଆତ୍ମାର ମୌଳିକ ସ୍ୱଭାବ; ସେତକ ତାର ବାହାଦୂରୀ-

 

ଏ ପିଲାଙ୍କର ଇଂରାଜୀ ଶିକ୍ଷା ନେଇ ପୋଲକ ଓ ମୋ ଭିତରେ ଅନେକ ଥର ବହୁତ ଗରମ ଆଲୋଚନା ହୋଇଛି । ମୋର ମୂଳରୁ ବିଶ୍ୱାସ ଯେ, ଯେଉଁ ଭାରତୀୟ ବାପ, ମା ପିଲାମାନଙ୍କୁ ପିଲାଦିନୁ ଇଂରେଜୀ କହିବାକୁ ଶିଖେଇ ଥାନ୍ତି, ସେମାନେ ପିଲାଙ୍କର ତଥା ଦେଶର ଦ୍ରୋହ କରିଥାନ୍ତି । ମୁଁ ଏହା ମଧ୍ୟ ବିଶ୍ୱାସ କରେ ଯେ, ଏହା ଫଳରେ ପିଲାମାନେ ଜାତିର ସାମାଜିକ ଓ ଆଧ୍ୟାତ୍ମିକ ଉତ୍ତରାଧିକାରରୁ ରହିତ ହୋଇଥାନ୍ତି ଓ ସେତିକି ପରିମାଣରେ ସେମାନେ ଦେଶ ତଥା ଦୁନିଆର ସେବାପାଇଁ କମ୍‌ ଉପଯୁକ୍ତ ହୋଇଥାନ୍ତି । ମୋର ଏହିଭଳି ବିଶ୍ୱାସ ଯୋଗୁଁ ମୁଁ ସବୁବେଳେ ପିଲାଙ୍କ ସଙ୍ଗେ ଜାଣିଶୁଣି ଗୁଜୁରାଟୀରେ କଥାବାର୍ତ୍ତା କରୁଥିଲି । ପୋଲକ ତାହା ପସନ୍ଦ କରୁ ନ ଥିଲେ । ସେ ବିଚାରୁଥିଲେ ଯେ, ତଦ୍ଦ୍ୱାରା ମୁଁ ସେମାନଙ୍କର ଭବିଷ୍ୟତ ବିଗାଡ଼ିଦେଉଛି । ପଲକ ଆଗ୍ରହ ଓ ସ୍ନେହସହକାରେ ମତେ ବୁଝାନ୍ତି ଯେ, ପିଲାମାନେ ପିଲାଦିନୁ ଇଂରେଜୀଭଳି ଗୋଟିଏ ବ୍ୟାପକ ଭାଷା ଶିଖିଗଲେ ସେମାନେ ସହଜରେ ଦୁନିଆରେ ଚଳନ୍ତି-ଜୀବନ-ଯୁଦ୍ଧରେ ଅନ୍ୟମାନଙ୍କଠାରୁ ବହୁତ ଆଗେଇଯିବେ । କିନ୍ତୁ ସେ ଯୁକ୍ତି ମୋ ମନକୁ ପାଉ ନ ଥିଲା । ମୋ ମତର ଯଥାର୍ଥତା ମୁଁ ତାଙ୍କୁ ବୁଝାଇ ପାରିଥିଲି, କିମ୍ୱା ମୋର ଜିଦ୍‌ ଦେଖି ସେ ତୁନି ପଡ଼ିଥିଲେ, ସେ କଥା ମୋର ଠିକ୍‌ ମନେ ନାହିଁ । ଏ ପ୍ରାୟ କୋଡ଼ିଏ ବର୍ଷର କଥା । ତଥାପି ସେତେବେଳର ବିଶ୍ୱାସ ମୋର ଅଭିଜ୍ଞତା ସଙ୍ଗେ ସଙ୍ଗେ ବେଶୀ ଦୃଢ଼ ହୋଇଅଛି; ଯଦ୍ୟପି ମୋର ପୁଅମାନେ ଅକ୍ଷର ଜ୍ଞାନରେ କଞ୍ଚା ରହିଯାଇଛନ୍ତି ।

 

ତଥାପି ମାତୃଭାଷାର ସାଧାରଣଜ୍ଞାନ ସହଜରେ ଯାହା ପାଇଥିଲି, ତା ଫଳରେ ତାଙ୍କ ଦେଶର ଆପଣାର ନିଶ୍ଚୟ ଲାଭ ହୋଇଛି ଏବଂ ଏବେ ସେମାନେ ପରଦେଶୀଭଳି ହୋଇ ରହି ନାହାନ୍ତି । ସେମାନେ ସହଜରେ ଦୋଭାଷୀ ହୋଇ ଯାଇଥିଲେ, କାରଣ ପ୍ରତ୍ୟହ ଅନେକ ଇଂରେଜ ବନ୍ଧୁଙ୍କ ସମ୍ପର୍କରେ ଆସିବା ଫଳରେ ଏବଂ ଯେଉଁ ଦେଶରେ ପ୍ରଧାନ ଭାଷା ଇଂରେଜୀ, ସେପରି ଦେଶରେ ରହିବା ଫଳରେ ସେମାନେ ଇଂରେଜୀ କହି ପାରିଥିଲେ ଓ ସାମାନ୍ୟ ଲେଖିପାରିଥିଲେ ।

 

ଜୁଲୁ ‘ବିଦ୍ରୋହ’

 

ଘର ସଂସାର ବାନ୍ଧି ରହିବା ମୋ କପାଳରେ ନ ଥିଲା । ଜୋହାନସ୍‌ବର୍ଗଠାରେ ଶାନ୍ତିରେ ଟିକିଏ ନିଶ୍ୱାସ ମାରିବି ବୋଲି ଯେମିତି ଲାଗିଥିଲି, ସେମିତି ଏ ଅପ୍ରତ୍ୟାଶିତ ଘଟଣା ଘଟିଥିଲା । ନାଟାଲରେ ‘ଜୁଲୁ ବିଦ୍ରୋହ’ ହେବାର ଖବର ସମ୍ବାଦ ପତ୍ରମାନଙ୍କରେ ପଢ଼ିଥିଲି । କୌଣସି ଜୁଲୁ ସଙ୍ଗେ ମୋର ଶତ୍ରୁତା ନ ଥିଲା । ସେମାନେ କୌଣସି ଭାରତବାସୀର କିଛି କ୍ଷତି କରି ନ ଥିଲେ । ସେଇଟା ଯେ ଗୋଟିଏ ‘ବିଦ୍ରୋହ’ ଥିଲା, ଏ ବିଷୟରେ ମୋର ସନ୍ଦେହ ଥିଲା । କିନ୍ତୁ ସେତେବେଳେ ମୁଁ ବିଟ୍ରିଶ ସରକାରଙ୍କୁ ଦୁନିଆର ମଙ୍ଗଳକାରୀ ସରକାର ବୋଲି ମାନୁଥିଲି । ମୋର ରାଜଭକ୍ତି ହାର୍ଦ୍ଦିକ ଥିଲା । ମୁଁ କେବେ ସେ ସରକାରର ଅମଙ୍ଗଳ କାମନା କରିପାରୁ ନ ଥିଲି-। ଅତଏବ ବଳପ୍ରୟୋଗ କରିବା ସମ୍ୱନ୍ଧରେ ନୀତି ଅନୀତିର ବିଚାର ମୋର କାର୍ଯ୍ୟରେ ବାଧା ଦେଇ ନ ଥିଲା । ବିପଦବେଳେ ରକ୍ଷା କରିବା ପାଇଁ ନେଟାଲରେ ଗୋଟିଏ ସ୍ୱେଚ୍ଛାସେବକ ସେନା ଥିଲା । ବିପଦବେଳେ ସେଥିରେ ଆହୁରି ନୂଆ ଲୋକ ମଧ୍ୟ ନିଆ ଯାଇଥାଏ । ଏ ସ୍ୱେଚ୍ଛାସେବକ ଦଳ ବିଦ୍ରୋହ ଦମନ ପାଇଁ ବାହାରିପଡ଼ିଲେଣି ବୋଲି କାଗଜରେ ପଢ଼ିଥିଲି । ମୁଁ ନିଜକୁ ନେଟାଲ ଅଧିବାସୀ ବୋଲି ମଣୁଥିଲି ଏବଂ ନେଟାଲ ସଙ୍ଗେ ମୋର ଘନିଷ୍ଠ ସମ୍ୱନ୍ଧ ଥିଲା ।

 

ତେଣୁ ଲାଟସାହେବଙ୍କୁ ଚିଠି ଲେଖି ଜଣାଇଥିଲି ଯେ, ଆବଶ୍ୟକ ହେବ ତ ଆହତଙ୍କ ଶୁଶ୍ରୂଷାକାରୀ ଏକ ଭାରତୀୟ ସ୍ୱେଚ୍ଛାସେବକ ଦଳ ନେଇ ସେବା କରିବାକୁ ମୁଁ ପ୍ରସ୍ତୁତ ଅଛି । ଲାଟ ସାହେବ ସାଙ୍ଗେ ସାଙ୍ଗେ ରାଜି ହୋଇ ଜବାବ ଦେଇଥିଲେ ।

 

ଏପରି ଅନୁକୂଳ ଜବାବ ଏତେ ଶିଘ୍ର ଆସିବ ବୋଲି ମୁଁ ଆଶା କରି ନ ଥିଲି । ତଥାପି ଚିଠି ଲେଖିବା ପୂର୍ବରୁ ମୁଁ ଆବଶ୍ୟକୀୟ ବନ୍ଦୋବସ୍ତ କରି ସାରିଥିଲି । ମୋର ପ୍ରସ୍ତାବ ଗୃହୀତ ହେଲେ ମୁଁ ଜୋହାନସ୍‌ବର୍ଗ ଘର ଭାଙ୍ଗି ଦେବି ବୋଲି ସ୍ଥିର କରିଥିଲି । ମିଷ୍ଟର ପୋଲକ ଗୋଟିଏ ଅଲଗା ଛୋଟିଆ ଘର ନେଇ ରହିଥାନ୍ତେ ଓ କସ୍ତୁରବାଈ ଫିନିକ୍‌ସ ଆଶ୍ରମକୁ ଚାଲି ଯାଇଥାନ୍ତା । ଏ ସିଦ୍ଧାନ୍ତରେ ମୁଁ କସ୍ତୁରବାଈର ପୂର୍ଣ୍ଣ ସମ୍ମତ ପାଇଥିଲି । ଏପରି ବିଷୟରେ ସେ କେବେ ବିରୋଧ କରିଥିବାର ମୋର ମନେ ପଡ଼ୁ ନାହିଁ । ସେଥିପାଇଁ ମୁଁ ଯେମିତି ଲାଟସାହେବଙ୍କ ପାଖରୁ ଉତ୍ତର ପାଇଲି, ଘରବାଲାକୁ ଘର ଛାଡ଼ିବାପାଇଁ ମାସକର ମାମୁଲି ନୋଟିସ ଦେଇଦେଲି । କେତେକ ଜିନିଷ ଫିନିକ୍‌ସକୁ ଗଲା । କେତେକ ମିଃ ପୋଲକଙ୍କ ପାଖରେ ରହିଲା ।

 

ମୁଁ ଡରବାନ ଯାଇ ସ୍ୱେଚ୍ଛାସେବକ ପାଇଁ ନିବେଦନ କରିଥିଲି । ବଡ଼ ଦଳ ଦରକାର ନ ଥିଲା । ଆମେ ଚବିଶ ଜଣ ପ୍ରସ୍ତୁତ ଥିଲୁ । ମୋ ଛଡ଼ା ସେଥିରେ ଆଉ ଚାରିଜଣ ଗୁଜୁରାଟୀ ଥିଲେ, ଜଣେ ପଠାଣ ଛଡ଼ା ବାକି ସମସ୍ତେ ଗିରିମିଟିମୁକ୍ତ ଦକ୍ଷିଣ ଭାରତୀୟ ଲୋକ ଥିଲେ ।

 

ମତେ ସମ୍ମାନ ଦେବାପାଇଁ, କାମର ସୁବିଧା ପାଇଁ ଓ ପ୍ରଚଳିତ ପ୍ରଥା ଯୋଗୁ ପ୍ରଧାନ ଡାକ୍ତର ମତେ ଅସ୍ଥାୟୀ ସର୍ଜନ ମେଜର ପଦ ଦେଇଥିଲେ ଏବଂ ମୋ ଦ୍ୱାରା ବାଛି ହୋଇଥିବା ଅନ୍ୟ ତିନିଜଣଙ୍କୁ ସର୍ଜେଣ୍ଟ ପଦ ଓ ଜଣକୁ କର୍ପୋରାଲ ପଦ ଦେଇଥିଲେ । ସରକାରଙ୍କଠାରୁ ଆମେ ହୋଦା ପୋଷାକ ପାଇଥିଲୁ । ଆମ ବଳଟି ଲଗାତାର ଛ’ସପ୍ତାହ ଯୁଦ୍ଧ କ୍ଷେତ୍ରରେ କାମ କରିଥିଲେ ବୋଲି ମୁଁ କହିପାରେ । ‘ବିଦ୍ରୋହ’ ଅଞ୍ଚଳରେ ପହଞ୍ଚି ମୁଁ ଦେଖିଥିଲି ଯେ, ‘ବିଦ୍ରୋହ’ ଭଳି ପ୍ରକୃତରେ କିଛି ନ ଥିଲା । କେହି ବିରୋଧ କରୁଥିବାର ଦେଖା ଯାଇ ନ ଥିଲା । ‘ବିଦ୍ରୋହ’ ବୋଲି ବିଚାରିବାର କାରଣ ଥିଲେ ଯେ, ଜଣେ ଜୁଲୁ ସର୍ଦାର ତାଙ୍କ ସଂପ୍ରଦାୟର ଲୋକଙ୍କୁ ଗୋଟାଏ ନୂଆ ଖଜଣା ନ ଦେବାକୁ ଉପଦେଶ ଦେଇଥିଲେ ଏବଂ ଖଜଣା ଅସୁଲ କରିବାକୁ ଯାଇଥିବା ଜଣେ ସର୍ଜେଣ୍ଟକୁ ହାଣି ଦେଇଥିଲେ । ଯାହାହେଉ, ମୋର ହୃଦୟ ଜୁଲୁମାନଙ୍କ ଆଡ଼େ ଥିଲା ଏବଂ ରଣକ୍ଷେତ୍ରରେ ପହଞ୍ଚି ଯେତେବେଳେ ଶୁଣିଲୁ ଯେ, ଆମର ପ୍ରଧାନ କାମ ହେବ ଆହତ ଜୁଲୁମାନଙ୍କ ସେବା କରିବା, ମୁଁ ଭାରି ଖୁସି ହୋଇଯାଇଥିଲି । ସେଠାକର ଡାକ୍ତର ଆମକୁ ସ୍ୱାଗତ କରିଥିଲେ । ସେ କହିଥିଲେ, ‘‘ଗୋରାଲୋକେ ଆହତ ଜୁଲୁମାନଙ୍କର ଶୁଶ୍ରୂଷା କରିବାକୁ ରାଜି ହେଉନାହାନ୍ତି । ମୁଁ ଏକା କଣ କରିବି ? ସେମାନଙ୍କର ଘା’ ପାଚୁଛି । ଏବେ ଆପଣମାନେ ଆସିଲେ, ଏ ନିର୍ଦ୍ଦୋଷ ଲୋକଙ୍କ ପ୍ରତି ଭଗବାନଙ୍କ କୃପା ବୋଲି ମନେ କରୁଛି ।’’ ସେ ଆମକୁ ସବୁ ପଟି ଓ ଜୀବାଣୁନାଶକ ଔଷଧ ଇତ୍ୟାଦି ଦେଇ ସେ ରୋଗୀଙ୍କ ପାଖକୁ ନେଇ ଯାଇଥିଲେ । ଜୁଲୁମାନେ ଆମମାନଙ୍କୁ ଦେଖି ଭାରି ଖୁସି ହୋଇ ଯାଇଥିଲେ । ମାତ୍ର ଗୋରା ସୈନ୍ୟମାନେ ଜାଲି ଭିତରେ ମୁହଁ ଦେଖେଇ ଜୁଲୁମାନଙ୍କ ଶୁଶ୍ରୂଷା କରିବାକୁ ଆମକୁ ମନା କରୁଥିଲେ । ଆମେ ତାଙ୍କ କଥା ଶୁଣୁ ନ ଥିବାରୁ ସେମାନେ ରାଗି ଯାଉଥିଲେ ଓ ଜୁଲୁମାନଙ୍କୁ ଯେ ଅସଭ୍ୟ ଗାଳି ଦେଉଥିଲେ, ତାହା କାନ ଶୁଣିବାକୁ ନ ଥିଲା । (ସେଥିରେ କାନରେ ପୋକ ପଡ଼ିଯିବେ । )

 

ଧୀରେ ଧୀରେ ଏହି ଗୋରା ସୈନିକମାନଙ୍କ ସହିତ ମୋର ପରିଚୟ ହୋଇଥିଲା ଓ ଆମକୁ ବାଧା ଦେବା ବନ୍ଦ ହୋଇ ଯାଇଥିଲା । ଏହି ସୈନ୍ୟ ଭିତରେ କର୍ଣ୍ଣେଲ ସ୍ପାର୍କସ ଓ କର୍ଣ୍ଣଲ ଉଆଇଲ ଥିଲେ, ଏ ଦୁଇଜଣ ୧୮୯୬ ରେ ମାତ୍ର ତୀବ୍ର ବିରୋଧ କରିଥିଲେ । ସେ ମୋର କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମତେ ଡକେଇ ନେଇ ଧନ୍ୟବାଦ ଦେଇଥିଲେ । ସେମାନେ ସେନାପତି ମ୍ୟାକେଞ୍ଜିଙ୍କ ସହିତ ମୋର ପରିଚୟ କରେଇ ଦେଇଥିଲେ । ପାଠକ ଯେପରି ମନେ ନ କରନ୍ତି ଯେ, ଏମାନେ ପେଶାଦାରୀ ସୈନ୍ୟ ଥିଲେ । କର୍ଣ୍ଣେଲ ଉଆଇଲ ଡରବାନରେ ଜଣେ ଓକିଲ ଥିଲେ । କର୍ଣ୍ଣେଲ ସ୍ପାର୍କସ୍ ଡରବାନରେ ଗୋଟିଏ କଂସେଇ ଖାନାର ମାଲିକ ଥିଲେ । ସେନାପତି ମ୍ୟାକେଞ୍ଜି ନାଟାଲରେ ଜଣେ ଜଣାଶୁଣା ଚାଷୀ ଥିଲେ । ଏ ସମସ୍ତେ ସ୍ୱେଚ୍ଛାସେବକ ହୋଇ ଯୁଦ୍ଧ କରିବାକୁ ଆସିଥିଲେ ଏବଂ ସ୍ୱେଚ୍ଛାସେବକ ସ୍ୱରୂପ ସେମାନଙ୍କୁ ଆଗରୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦିଆଯାଇଥିଲା ଓ ସେମାନେ ଅଭିଜ୍ଞତା ମଧ୍ୟ ଲାଭ କରିଥିଲେ ।

 

ଯେଉଁ ଆହତ ଲୋକେ ଆମ ଜିମାର ଥିଲେ, ସେମାନେ ଯୁଦ୍ଧରେ ଆହତ ହୋଇ ଥିଲେ ବୋଲି କେହି ମନେ କରିବେ ନାହିଁ । ସେଥିରୁ ପଞ୍ଝାଏ ସନ୍ଦେହରେ ବନ୍ଦୀ ହୋଇ ଆସିଥିଲେ । ସେନାପତି ତାଙ୍କୁ ଚାବୁକ ମାଡ଼ ଶାସ୍ତି ଦେଇଥିଲେ । ଚାବୁକ ମାଡ଼ରେ ହୋଇଥିବା ଘା’ ସବୁ ଚିକିତ୍ସା ଅଭାବରୁ ପାଚି ଯାଇଥିଲା । ଅନ୍ୟ ଆହତ ଜୁଲୁମାନେ ଗୋରାମାନଙ୍କର ସପକ୍ଷ ଲୋକ ଥିଲେ । ଯଦିଓ ତାଙ୍କୁ ମିତ୍ରପକ୍ଷ ବୋଲି ଚିହ୍ନେଇଦେବା ପାଇଁ ସ୍ୱତନ୍ତ୍ର ହୋଦା ସବୁ ଦିଆଯାଇଥିଲା; ତଥାପି ସୈନ୍ୟମାନେ ତାଙ୍କୁ ଭୁଲରେ ଗୁଳି ଦାଗି ଦେଇଥିଲେ ।

 

ଏହାଛଡ଼ା ଗୋରା ସୈନ୍ୟମାନଙ୍କ ପାଇଁ ଔଷଧ ତିଆରି କରିବା ଓ ଔଷଧ ଦେବା କାମ ଆମକୁ ଦିଆଯାଇଥିଲା । ମୁଁ ଆଗରୁ ଡାକ୍ତର ବୁଥ୍‌ଙ୍କର ଛୋଟିଆ ଡାକ୍ତରଖାନାରେ ଏ କାମରେ ବର୍ଷେ ତାଲିମ ପାଇଥିବାରୁ ଏ କାମ ମତେ ଭାରି ସହଜ ଜଣାପଡ଼ିଥିଲା । ଏ କାମ ଯୋଗୁଁ ଅନେକ ଗୋରାଙ୍କ ସଙ୍ଗରେ ମୋର ଭଲ ପରଚୟ ହୋଇଯାଇଥିଲା । କିନ୍ତୁ ଯୁଦ୍ଧରେ ଥିବା ସୈନ୍ୟ ଦଳ ଗୋଟାଏ ଜାଗାରେ ବସି ରହନ୍ତି ନାହିଁ । ଯେଉଁଠି ବିପଦର ସମ୍ବାଦ ଆସେ, ସେଠିକି ଦୌଡ଼ି ଯା’ନ୍ତି-। ଏ ସୈନ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଘୋଡ଼ସଓ୍ୟାର ଥିଲେ । ଆମ ସୈନ୍ୟଙ୍କ ଛାଉଣି ଉଠିବା ସାଙ୍ଗେ ସାଙ୍ଗେ ଆମକୁ ଡୋଲି ସବୁ କାନ୍ଧରେ ବୋହି ଚାଲି ଚାଲି ଯିବାକୁ ପଡ଼ୁଥିଲା । ଦୁଇ ତିନିଥର ଆମକୁ ଦିନକୁ କୋଡ଼ିଏ କୋଶ ବାଟ ଚାଲିବାକୁ ପଡ଼ିଥିଲା । କିନ୍ତୁ ଯେଉଁଠିକି ଆମେ ଯାଇଥିଲୁ, ଆମକୁ କେବଳ ଭଗବାନଙ୍କ କାମ କରିବାକୁ ପଡ଼ୁଥିଲା । ଯେଉଁ ଜୁଲୁ ମିତ୍ରମାନେ ଭୁଲ୍‌ କ୍ରମେ ଆହତ ହେଉଥିଲେ, ସେମାନଙ୍କୁ ଆମେ ଡୋଲିରେ ଛାଉଣିକୁ ଆଣୁଥିଲୁ ଓ ସେମାନଙ୍କର ସେବା ଶୁଶ୍ରୂଷା କରୁଥିଲୁ ।

 

‘ହୃଦୟ ମନ୍ଥନ’

 

ଅନ୍ତର ନିରୀକ୍ଷଣ

 

ଏ ଜୁଲୁ ‘ବିଦ୍ରୋହ’ ରେ ମତେ ବହୁତ ଅଭିଜ୍ଞତା ମିଳିଥିଲା ଓ ବହୁତ ଚିନ୍ତା କରିବାକୁ ଅବସର ମିଳିଥିଲା । ଏଇ ‘ବିଦ୍ରୋହ’ ଯୁଦ୍ଧର ବିଭୀଷିକା ମତେ ଯେମିତି ସ୍ପଷ୍ଟ ଭାବରେ ହୃଦୟଙ୍ଗମ କରେଇ ଦେଇଥିଲା, ବୁଅର ଯୁଦ୍ଧ ସେମିତି ପାରି ନ ଥିଲା । ଏଠାରେ ଲଢ଼େଇ ନ ହୋଇ କେବଳ ମଣିଷ ଶିକାର ହୋଇଥିଲା । ଏହ କେବଳ ମତେ ନୁହେଁ ବରଂ କେତେକ ଇଂରେଜ, ଯେଉଁମାନଙ୍କ ସଙ୍ଗରେ କଥାବାର୍ତ୍ତା ହୋଇଥିଲା, ସେମାନଙ୍କୁ ମଧ୍ୟ ସେହିପରି ଜଣା ପଡ଼ିଥିଲା । ସକାଳ ପରେ ନିର୍ଦ୍ଦୋଷ ଜୁଲୁ ଗ୍ରାମରୁ ଫଟକା ଫୁଟାଇବାଭଳି ସୈନ୍ୟମାନଙ୍କ ବନ୍ଧୁକର ଆବାଜ ଆମେ ଦୂରରେ ରହିବାବାଲାଙ୍କୁ ଶୁଭୁଥିଲା । ଏ ଆଓ୍ୟାଜ ଶୁଣିବା ଓ ଏଥିରେ ରହିବା ମତେ ଦୁଃଖ ଲାଗୁଥିଲା । କିନ୍ତୁ ମୁଁ ପିତା ଔଷଧ ବିଚାରି ପିଇ ଯାଇଥିଲି ଏବଂ ଭାଗ୍ୟରେ ଯାହା କାମ ଜୁଟିଥିଲା ତାହା କେବଳ ଜୁଲୁଙ୍କର ସେବା ଜୁଟିଥିଲା । ସ୍ପଷ୍ଟ ଦେଖିପାରିଥିଲି ଯେ ମୁଁ ଯୋଗ ଦେଇ ନ ଥିଲେ ଜୁଲୁମାନଙ୍କର ଏତକ ସେବା କେହି କରି ନ ଥାନ୍ତେ । ସେଥିପାଇଁ ଏହି ବିଚାରରେ ମୋର ଅନ୍ତରାତ୍ମାକୁ ଶାନ୍ତ କରିଥିଲି ।

 

ଏଠାରେ ବସ୍ତି ବହୁତ କମ୍ ଥିଲା । ଏହି ବିଚାରା ସରଳ ଓ ତଥାକଥିତ ଜଙ୍ଗଲୀ ଜୁଲୁମାନଙ୍କର କୁଡ଼ିଆଗୁଡ଼ିକ ଛଡ଼ା ଏ ପାହାଡ଼ ଉପତ୍ୟକାରେ ଆଉ କିଛି ନ ଥିଲା । ତେଣୁ ଏ ଦୃଶ୍ୟ ମନୋରମ ଲାଗୁଥିଲା । ମାଇଲ ମାଇଲ ଧରି ବସବାସ ନ ଥିବା ଅଞ୍ଚଳରେ ଆମେ ଆହତଙ୍କୁ କାନ୍ଧେଇ କରି ହେଉ ବା ଖାଲି ହେଉ, ଯିବା ଆସିବା ବେଳେ ଅନେକ ସମୟରେ ମୁଁ ଚିନ୍ତାମଗ୍ନ ହେଉଥିଲି ।

 

ଏହିଠାରେ ବ୍ରହ୍ମଚର୍ଯ୍ୟ ସମ୍ବନ୍ଧରେ ମୋର ବିଚାର ପରିପକ୍ୱ ହୋଇଥିଲା । ମୁଁ ମୋର ସାଥୀମାନଙ୍କ ସଙ୍ଗେ ସେ ବିଷୟରେ କେତେକ ଆଲୋଚନା କରିଥିଲି । ଈଶ୍ୱର ଦର୍ଶନ ପାଇଁ ବ୍ରହ୍ମଚର୍ଯ୍ୟ କିପରି ନ ହେଲେ ନ ଚଳେ; ତାହା ମୁଁ ସେତେବେଳଯାଏ ପ୍ରତ୍ୟକ୍ଷ ବୁଝି ନ ଥିଲି ସତ, କିନ୍ତୁ ସେବାପାଇଁ ତାହା ଯେ ଆବଶ୍ୟକ, ଏତକ ମୁଁ ସ୍ପଷ୍ଟ ଦେଖିପାରିଥିଲି । ମତେ ଲାଗିଲା ଯେ, ଏଭଳି ସେବା ତ ମୋ କପାଳକୁ ବେଶୀ ବେଶୀ ଜୁଟିବ ଏବଂ ମୁଁ ଯଦି ଭୋଗବିଳାସରେ, ସନ୍ତାନ ଉତ୍ପତ୍ତିରେ, ପିଲା ପାଳିବାରେ ଲାଗି ରହେ, ତେବେ ମୋଦ୍ୱାରା ପୂରା ସେବା ହୋଇ ପାରିବ ନାହିଁ । ମୋ ଦେହାତି ଦି’ ଡଙ୍ଗାରେ ଚଢ଼ି ହେବ ନାହିଁ ।

 

ଯଦି ମୋର ସ୍ତ୍ରୀ ଗର୍ଭବତୀ ଥାନ୍ତା, ତା’ ହେଲେ ମୁଁ ଏ ସେବାରେ ଯୋଗ ଦେଇପାରି ନ ଥାନ୍ତି । ବ୍ରହ୍ମଚର୍ଯ୍ୟ ପାଳନ ବିନା ପରିବାର ବୃଦ୍ଧି ସମାଜର ଉନ୍ନତି ପାଇଁ ସେବା ଉଦ୍ୟମର ବିରୋଧୀ ହୋଇପଡ଼ନ୍ତା । କେବଳ ବ୍ରହ୍ମଚର୍ଯ୍ୟ ପାଳନ କଲେ ପରିବାର ସେବା ସମାଜ ସେବାର ବିରୁଦ୍ଧ ହୋଇ ନ ଥାଏ । ଏହିଭଳି ବିଚାର ଭଉଁରୀରେ ପଡ଼ିଗଲି ଏବଂ ବ୍ରହ୍ମଚର୍ଯ୍ୟ ପ୍ରତିଜ୍ଞା ଗ୍ରହଣ କରିବାପାଇଁ ଅଧୀର ହୋଇପଡ଼ିଥିଲି । ଏହି ବିଚାର ଫଳରେ ମନରେ ଗୋଟାଏ ଆନନ୍ଦ ହୋଇଥିଲା ଏବଂ ମୋର ଉତ୍ସାହ ବଢ଼ିଥିଲା । କଳ୍ପନା ସେବାକ୍ଷେତ୍ରକୁ ଅତି ବିଶାଳ କରି ଦେଇଥିଲା-

 

ଯେତେବେଳେ ଏହିସବୁ ବିଚାର ମନରେ ଗଢ଼ି ଉଠିଥିଲା ଏବଂ ଦେହ ମଧ୍ୟ କସି ହୋଇ ଯାଉଥିଲା, ସେତେବେଳେ ଏକ ଉଡ଼ାଖବର ମିଳିଲା ଯେ, ବିଦ୍ରୋହ ଦମନର କାମ ପ୍ରାୟ ସରିଆସିଲାଣି ଏବଂ ଆମକୁ ଛୁଟି ମିଳିଯିବ । ତହିଁ ପରଦିନ ଛୁଟି ହୁକୁମ ଆସିଗଲା ଏବଂ ଅଳ୍ପଦିନ ପରେ ଆମେ ଆପଣା ଆପଣା ଘରେ ପହଞ୍ଚି ଯାଇଥିଲୁ ।

 

ତା’ର କିଛିଦିନ ପରେ, ଲାଟସାହେବ ମୋର ଏ ସେବା ପାଇଁ ମତେ ଧନ୍ୟବାଦ ଦେଇ ଖଣ୍ଡେ ଖାସ୍ ଚିଠି ପଠେଇଥିଲେ ।

 

ଫିନିକ୍‌ସରେ ପହଞ୍ଚି ମୁଁ ବ୍ରହ୍ମଚର୍ଯ୍ୟ ବିଷୟ ଛଗନଲାଲ, ମଗନଲାଲ, ଉଏଷ୍ଟ ଓ ଅନ୍ୟାନ୍ୟମାନଙ୍କ ଆଗରେ ବଡ଼ ଆନନ୍ଦରେ ପକାଇଥିଲି । ସମସ୍ତେ କଥାଟାକୁ ପସନ୍ଦ କରିଥିଲେ । ସମସ୍ତେ ବ୍ରତ ନେବାର ଆବଶ୍ୟକତା ସ୍ୱୀକାର କରିଥିଲେ । କିନ୍ତୁ ସମସ୍ତଙ୍କୁ ଏ ବ୍ରତ ପାଳିବା କଷ୍ଟକର ହେବ ବୋଲି ଜଣା ପଡ଼ିଥିଲା । କେତେଜଣ ଚେଷ୍ଟା କରିବାକୁ ସାହସ କରିଥିଲେ । କେତେଜଣ ସେଥିରେ ସଫଳ ମଧ୍ୟ ହୋଇଥିଲେ ବୋଲି ମୋର ବିଶ୍ୱାସ ।

 

ମୁଁ ବ୍ରତ ନେଇଥିଲି ଯେ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବି । ମୁଁ ସେତେବେଳେ ଏ ବ୍ରତର ଗୁରୁତ୍ୱ ଓ ସେଥିର ବାଧାବିଘ୍ନ ପୂରା ବୁଝିପାରି ନ ଥିଲି । ଆଜିପର୍ଯ୍ୟନ୍ତ ସେ ସମସ୍ତ ବାଧାବିଘ୍ନ ଅନୁଭବ କରୁଛି । ତାହାର ମହତ୍ତ୍ୱ ମୁଁ ପ୍ରତ୍ୟହ ବେଶୀ ବେଶୀ ଉପଲବ୍ଧି କରୁଛି । ବ୍ରହ୍ମଚର୍ଯ୍ୟ ବିନା ଜୀବନ ମତେ ଶୁଖିଲା ଓ ପଶୁଙ୍କପରି ଲାଗୁଛି । ପଶୁ ସ୍ୱଭାବରେ ଅସଂଯତ । ମନୁଷ୍ୟ ସ୍ୱେଚ୍ଛାରେ ଆତ୍ମସଂଯମ କରିବାରେ ତାର ମଣିଷପଣିଆ । ଆମ ଧର୍ମଶାସ୍ତ୍ରରେ ବ୍ରହ୍ମଚର୍ଯ୍ୟର ଯେ ପ୍ରଶଂସା ଦେଖାଯାଏ, ତାହା ଆଗେ ଅତି ବଡ଼େଇ କରି କରାଯାଇଛି ବୋଲି ମୋର ମନେ ହେଉଥିଲା । ମାତ୍ର ଏବେ ମତେ ତାହା ଉପଯୁକ୍ତ ଏବଂ ଅନୁଭୂତିସିଦ୍ଧ ବୋଲି ଦିନକୁ ଦିନ ଅଧିକ ସ୍ପଷ୍ଟ ଜଣା ପଡ଼ୁଛି ।

 

ଯେଉଁଭଳି ବ୍ରହ୍ମଚର୍ଯ୍ୟରେ ଏଭଳି ଫଳ ହୋଇଥାଏ, ସେ ବ୍ରହ୍ମଚର୍ଯ୍ୟ ସହଜ ନୁହେଁ । ତାହା କେବଳ ଗୋଟିଏ ଦୈହିକ ବିଷୟ ନୁହେଁ । ଶାରୀରିକ ସଂଯମରୁ ବ୍ରହ୍ମଚର୍ଯ୍ୟ ଆରମ୍ଭ ହୋଇଥାଏ; କିନ୍ତୁ ଶୁଦ୍ଧ ବ୍ରହ୍ମଚର୍ଯ୍ୟରେ ଅପବିତ୍ର ଚିନ୍ତାର ସୁଦ୍ଧା ସ୍ଥାନ ନାହିଁ । ପୂର୍ଣ୍ଣ ବ୍ରହ୍ମଚାରୀର ସ୍ୱପ୍ନରେ ସୁଦ୍ଧା କାମଚିନ୍ତା ଆସେ ନାହିଁ ଏବଂ ସେ ପର୍ଯ୍ୟନ୍ତ ଏ ବିକାରଯୁକ୍ତ ସ୍ୱପ୍ନ ସମ୍ଭବ ହେଉଥିବ, ସେ ପର୍ଯ୍ୟନ୍ତ ସେ ବ୍ରହ୍ମଚର୍ଯ୍ୟ ନିତାନ୍ତ ଅପୂର୍ଣ୍ଣ ବୋଲି ଜାଣିବାକୁ ହେବ ।

 

ମୋ ପାଇଁ ତ ଶାରୀରିକ ବ୍ରହ୍ମଚର୍ଯ୍ୟ ପାଳନରେ ମତେ ମହା କଷ୍ଟ ସହିବାକୁ ପଡ଼ିଛି । ଅବଶ୍ୟ ଆଜି ମୁଁ ସେ ବିଷୟରେ ନିର୍ଭୟ ହୋଇଛି ବୋଲି କହିପାରେ । କିନ୍ତୁ ଚିନ୍ତା ଉପରେ ଯେ ବିଜୟ ମତେ ମିଳିବା ଉଚିତ୍, ତାହା ମତେ ଏ ପର୍ଯ୍ୟନ୍ତ ମିଳିନାହିଁ । ମୋର ଉଦ୍ୟମରେ କମ୍ ହେଉଛି ବୋଲି ମତେ ଲାଗୁନାହିଁ । କିନ୍ତୁ ଖରାପ ଚିନ୍ତା ଯେ କେଉଁଠୁ ଆସି କିପରି ଭାବରେ ଆମର ଅନିଚ୍ଛାସତ୍ତ୍ୱେ ହଠାତ୍ ଆକ୍ରମଣ କରିଥାନ୍ତି, ତାହା ମୁଁ ଏ ପର୍ଯ୍ୟନ୍ତ ବୁଝିପାରୁ ନାହିଁ । ଏହି ସବୁ ଚିନ୍ତାକୁ ମନରୁ ଦୂରରେ ରଖିବା ପାଇଁ ଉପାୟ ମଣିଷ ପାଖରେ ଅଛି । ସେଥିରେ ମୋର ସନ୍ଦେହ ନାହିଁ ଏବଂ ପ୍ରତ୍ୟେକ ଲୋକ ଆପଣା ଆପଣା ବାଟ ଖୋଜି ନେବାକୁ ହେବ, ଆଜି ମୁଁ ଏହି ସିଦ୍ଧାନ୍ତରେ ପହଞ୍ଚିଅଛି । ମହାପୁରୁଷମାନେ ତାଙ୍କର ଅନୁଭୂତି ଆମ ପାଇଁ ରଖି ଯାଇଛନ୍ତି, ତାହା ବାଟ କଢ଼େଇବ । ତାହା ପୂର୍ଣ୍ଣ ନୁହେଁ । ପୂର୍ଣ୍ଣତା କେବଳ ଭଗବତ୍ ପ୍ରସାଦରୁ ମିଳିଥାଏ ଏବଂ ଭକ୍ତମାନେ ଆମପାଇଁ ‘ରାମନାମ’ ପ୍ରଭୃତି ମନ୍ତ୍ର ରଖି ଯାଇଛନ୍ତି । ସେହି ମନ୍ତ୍ର ସବୁ ତାଙ୍କର ତପଶ୍ଚର୍ଯ୍ୟା ଦ୍ୱାରା ପୂତ ହୋଇଛନ୍ତି ଏବଂ ଆମକୁ ମଧ୍ୟ ପବିତ୍ର କରନ୍ତି । ଭଗବାନଙ୍କ ପାଖରେ ପୂର୍ଣ୍ଣ ଆତ୍ମସମର୍ପଣ ବିନା ଚିନ୍ତା ଉପରେ ପୂର୍ଣ୍ଣ ବିଜୟ ଅସମ୍ଭବ । ଏ କଥା ସବୁ ଧର୍ମଗ୍ରନ୍ଥରେ ପଢ଼ିଛୁ ଏବଂ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟର ସୂକ୍ଷ୍ମତମ ପାଳନର ଉଦ୍ୟମରେ ମୁଁ ତାର ସତ୍ୟ ବୁଝିପାରୁଛି ।

 

କିନ୍ତୁ ମୋର ସେହି ବୃଥା ଉଦ୍ୟମର ଇତିହାସର କେତେକ ଅଂଶ ପର ଅଧ୍ୟାୟ ମାନଙ୍କରେ କହିବି । ଅଧ୍ୟାୟ ଶେଷରେ ଏତିକି କହି ଦେଉଛି ଯେ, ମୋର ଉତ୍ସାହରେ ପ୍ରଥମେ ବ୍ରହ୍ମଚର୍ଯ୍ୟ ପାଳନ ମତେ ଖୁବ୍ ସହଜ ଲାଗିଥିଲା । ବ୍ରତ ନେବା ସଙ୍ଗେ ମୁଁ ଏକ ପରିବର୍ତ୍ତନ କରି ଦେଇଥିଲି । ମୋ ସ୍ତ୍ରୀ ସହିତ ମୁଁ ଏକ ବିଛଣାରେ ଶୋଇବା କିମ୍ବା ତାହା ସହିତ ଏକାନ୍ତରେ ରହିବା ଛାଡ଼ି ଦେଇଥିଲି ।

 

ଏହିପରି ଯେଉଁ ବ୍ରହ୍ମଚର୍ଯ୍ୟକୁ ମୁଁ ୧୯୦୦ ସାଲରୁ ଇଚ୍ଛା ଅନିଚ୍ଛାରେ ପାଳି ଆସୁଥିଲି, ତାହାର ବ୍ରତ ଆରମ୍ଭ ୧୯୦୬ ସାଲର ମଧ୍ୟଭାଗକୁ ହୋଇଥିଲା ।

 

ସତ୍ୟାଗ୍ରହର ଜନ୍ମ

 

ଜୋହାନ୍‌ସବର୍ଗରେ ମୋ ପାଇଁ ଏମିତି ଘଟଣା ସବୁ ତିଆରି ହୋଇ ରହିଥିଲା । ସେଥିରୁ ଜଣା ପଡ଼ୁଥିଲା, ସତେ ଯେମିତି ମୋର ଆତ୍ମଶୁଦ୍ଧି କରିବା କେବଳ ସତ୍ୟାଗ୍ରହ ପାଇଁ ଆରମ୍ଭ ହୋଇଥିଲା । ଏବେ ମୁଁ ଦେଖିପାରୁଛି ଯେ, ବ୍ରତ ନେବା ପର୍ଯ୍ୟନ୍ତ ମୋ ଜୀବନର ସବୁ ପ୍ରଧାନ ପ୍ରଧାନ ଘଟଣାମାନ ମତେ ସତ୍ୟାଗ୍ରହ ପାଇଁ ପ୍ରଚ୍ଛନ୍ନ ଭାବରେ ପ୍ରସ୍ତୁତ କରୁଥିଲେ ।

 

‘ସତ୍ୟାଗ୍ରହ’ ନାମର ସୃଷ୍ଟି ହେବା ପୂର୍ବରୁ, ସତ୍ୟାଗ୍ରହ ଜନ୍ମ ହୋଇ ସାରିଥିଲା । ପ୍ରକୃତରେ ତାର ଜନ୍ମବେଳେ, ସେ ଜିନିଷଟା କଣ ଥିଲା ମୁଁ ମଧ୍ୟ ଚିହ୍ନି ନ ଥିଲି ।

 

ଗୁଜୁରାଟୀରେ ମଧ୍ୟ ଆମେ ସମସ୍ତେ ତା’ର ଇଂରେଜୀ ନାମ ‘ପ୍ୟାସିଭ୍ ରେଜିଷ୍ଟ୍ରାନ୍‌ସ’ ବ୍ୟବହାର କରୁଥିଲୁ । ଯେତେବେଳେ ଗୋରାଙ୍କର ଏକ ସଭାରେ ମୁଁ ଦେଖିଲି ଯେ ‘ପ୍ୟାସିଭ୍ ରେଜିଷ୍ଟାନ୍‌ସ’ କଥାଟି ବଡ଼ ସଂକୀର୍ଣ୍ଣ ଅର୍ଥରେ ବୁଝୁଛନ୍ତି, ତାକୁ ଦୁର୍ବଳର ଅସ୍ତ୍ର ବୋଲି ମନେ କରୁଛନ୍ତି, ଏଥିରେ ଦ୍ୱେଷ ହୋଇପାରେ ଓ ଶେଷରେ ଏହା ହିଂସାର ଆକାରରେ ବିକାଶ ପାଇପାରେ । ସେତେବେଳେ ଏହିପରି ଅର୍ଥର ମତେ ବିରୋଧ କରିବାକୁ ପଡ଼ିଥିଲା ଏବଂ ଭାରତୀୟ ଆନ୍ଦୋଳନର ପ୍ରକୃତ ଅର୍ଥ କଣ, ତାହା ମତେ ବୁଝେଇବାକୁ ପଡ଼ିଥିଲା । ସେତେବେଳେ ଭାରତୀୟଙ୍କର ଏ ନିଜର ଲଢ଼େଇକୁ ଚିହ୍ନିବାପାଇଁ ତାଙ୍କର ଗୋଟିଏ ନୂଆ ଶବ୍ଦ ଗଢ଼ିବା ଦରକାର ପଡ଼ିଥିଲା ।

 

କିନ୍ତୁ ସେମିତି ନୂଆ ଶବ୍ଦ କେମିତି ବାହାର କରିବି ମତେ ସୁଝି ନ ଥିଲା । ତେଣୁ ଯେ ସବୁଠାରୁ ଗୋଟିଏ ଭଲ ନାଁର ସୂଚନା ଦେଇପାରିବ, ତାହା ପାଇଁ ପୁରସ୍କାର ଘୋଷଣା କରି ‘ଇଣ୍ଡିଆନ ଓପିନିୟନ’ର ପାଠକଙ୍କ ଭିତରେ ଏପ ପ୍ରତିଯୋଗିତା କରେଇଥିଲି । ଏହାରି ଫଳରେ ମଗନଲାଲ ଗାନ୍ଧୀ ସଦାଗ୍ରହ (ସତ୍‌+ଆଗ୍ରହ) ଶବ୍ଦଟି ପଠାଇଥିଲେ । ସେ ପୁରସ୍କାର ପାଇଥିଲେ । କିନ୍ତୁ ମୁଁ ଶବ୍ଦଟିକୁ ବେଶୀ ସ୍ପଷ୍ଟ କରିବାପାଇଁ ମଝିରେ ‘ୟ’ ଅକ୍ଷର ଯୋଡ଼ି ସତ୍ୟାଗ୍ରହ କରି ଦେଇଥିଲି ଏବଂ ଆଜିଯାଏ ଗୁଜୁରାଟୀରେ ସେହି ନାମ ପ୍ରଚଳିତ ଅଛି ।

 

ଏହି ଆନ୍ଦୋଳନର ଇତିହାସ ହେଉଛି ଦକ୍ଷିଣ ଆଫ୍ରିକାରେ ମୋର ଜୀବନର ଇତିହାସ ଏବଂ ବିଶେଷ କରି ମୋର ସତ୍ୟର ପ୍ରୟୋଗର ଇତିହାସ, ଏହା କୁହା ଯାଇପାରେ । ମୁଁ ଏରଓ୍ୟାଡ଼ା ଜେଲରେ ଏହି ଇତିହାସର ବେଶୀ ଭାଗ ଲେଖିଥିଲି ଏବଂ ଖଲାସ ହେବାପରେ ତାକୁ ପୂର୍ଣ୍ଣ କରିଥିଲି । ‘ନବଜୀବନ’ରେ ଏହା ପ୍ରଥମେ ପ୍ରକାଶିତ ହୋଇଥିଲା ଏବଂ ପରେ ପୁସ୍ତକାକାରରେ ବାହାରିଥିଲା । ଶ୍ରୀଯୁକ୍ତ ଓ୍ୟାଲଜୀ ଗୋବିନ୍ଦଜୀ ଦେଶାଇ ତାକୁ ‘କରେଣ୍ଟଥଟ୍‌’ ଖବରକାଗଜ ପାଇଁ ଇଂରେଜୀରେ ଅନୁବାଦ କରିଥିଲେ ଏବଂ ମୁଁ ତାକୁ ଏବେ * ପୁସ୍ତକାଗାରରେ ଶୀଘ୍ର ଛାପିବାପାଇଁ ଆୟୋଜନ କରୁଅଛି । ତା’ହେଲେ ଯେଉଁମାନେ ଇଚ୍ଛା କରିବେ, ସେମାନେ ସେ ବହିରୁ ଦକ୍ଷିଣ ଆଫ୍ରିକାରେ ମୋର ବଡ଼ ବଡ଼ ପ୍ରୟୋଗ ସବୁ ବୁଝିପାରିବେ । ଯେଉଁ ଗୁଜୁରାଟୀ ପାଠକମାନେ ତାକୁ ଦେଖି ନାହାନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରେ, ସେମାନେ ମୋର ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହର ଇତିହାସ ପଢ଼ନ୍ତୁ । ମୋର ଦକ୍ଷିଣ ଆଫ୍ରିକାର ଜୀବନର ଯେ କେତୋଟି ବ୍ୟକ୍ତିଗତ ଘଟଣା ସେଥିରେ ବାଦ ପଡ଼ିଯାଇଛି, ତାରି ବର୍ଣ୍ଣନା ପରବର୍ତ୍ତୀ ଅଧ୍ୟାୟମାନଙ୍କରେ କରିବି-। ସେତକ ସରିଗଲେ ମୁଁ ଭାରତବର୍ଷର ଆସି କି କି ପ୍ରୟୋଗ କରିଥିଲି, ତାର ଟିକିଏ ସୂଚନା ପାଠକମାନଙ୍କୁ ଦେବାର ମୋର ଇଚ୍ଛା ଅଛି । ସେଥିଯୋଗୁଁ ଯେଉଁ ପାଠକମାନେ ଏସବୁ ପ୍ରୟୋଗକୁ ତା’ର ଯଥାର୍ଥ ସମୟାନୁକ୍ରମରେ ଜାଣିବାକୁ ଚାହାନ୍ତି, ସେମାନେ ଆପଣା ଆଗରେ ଦକ୍ଷିଣ ଆଫ୍ରିକାର ସତ୍ୟାଗ୍ରହ ଇତିହାସର ସେହି ଅଧ୍ୟାୟଗୁଡ଼ିକ ରଖିଲେ ଭଲ ହେବ ।

 

* ଏ ଇଂରେଜୀ ଅନୁବାଦ ମାନ୍ଦ୍ରାଜ ଟ୍ରିପ୍ଲିକେନ୍ ଗଣେଶନ୍ କମ୍ପାନୀଙ୍କ ଦ୍ୱାରା ପ୍ରକାଶିତ ।

 

ଖାଦ୍ୟ ପେୟରେ ନୂଆ ନୂଆ ପ୍ରୟୋଗ

 

କାୟମନୋବାକ୍ୟରେ ବ୍ରହ୍ମଚର୍ଯ୍ୟ ପାଳନ କେମିତି ହେବ ଏ ଏକ ଚିନ୍ତା ଏବଂ ସତ୍ୟାଗ୍ରହ ଲଢ଼େଇପାଇଁ ଅଧିକରୁ ଅଧିକ ସମୟ କେମିତି ବହିଯିବ ଏବଂ ସତ୍ୟାଗ୍ରହ ଆନ୍ଦୋଳନରେ ଅଧିକ ଆତ୍ମଶୁଦ୍ଧି କେମିତି ହେବ, ଏହା ଦ୍ୱିତୀୟ ଚିନ୍ତା । ଖାଦ୍ୟପେୟର ଅଧିକ ସଂଯମ ଓ ଅଧିକ ପରିବର୍ତ୍ତନ କରିବାପାଇଁ ଏ ଦୁଇ ଚିନ୍ତାରୁ ମତେ ପ୍ରେରଣା ମିଳିଥିଲା । ପୁଣି ଆଗରୁ ଯେ ସବୁ ପରିବର୍ତ୍ତନ ମୁଁ ମୁଖ୍ୟତଃ ସ୍ୱାସ୍ଥ୍ୟଦୃଷ୍ଟିରୁ କରିଥିଲି ଏବେ ସେସବୁ ଧର୍ମ ଦୃଷ୍ଟିରୁ କରିବାକୁ ଲାଗିଥିଲି ।

 

ଏଥିରେ ଉପବାସ ଓ ଅଳ୍ପାହାର ଅଧିକ ସ୍ଥାନ ଦଖଲ କରିଥିଲେ । ଯାହାଠାରେ କାମପ୍ରବୃତ୍ତି ଥାଏ, ତାହାଠାରେ ଜିହ୍ୱାର ସ୍ୱାଦ ମଧ୍ୟ ଭଲରକମ ଥାଏ । ମୋର ସେହି ଅବସ୍ଥା ଥିଲା । ଜନନ ଇନ୍ଦ୍ରିୟ ତଥା ସ୍ୱାଦ ଇନ୍ଦ୍ରିୟ ଏ ଉଭୟଙ୍କୁ ଆୟତ୍ତରେ ଆଣିବାକୁ ମତେ ବହୁତ ବାଧାବିଘ୍ନ ସହିବାକୁ ପଡ଼ିଛି ଏବଂ ଏବେ ଯେ ଏ ଦୁଇଟିକୁ ମୁଁ ସମ୍ପୂର୍ଣ୍ଣରୂପେ ଆୟତ୍ତ କରିଛି, ଏ କଥା ମୁଁ ଦାବି କରିପାରିବି ନାହିଁ । ମୁଁ ଗୋଟିଏ ବୃଦ୍ଧ ପେଟୁ ବୋଲି ନିଜକୁ ମନେକରେ । ଯାହାକୁ ବନ୍ଧୁମାନେ ମୋର ସଂଯମ ବୋଲି ମନେ କରନ୍ତି, ମତେ ତାହା ସଂଯମ ବୋଲି ଜଣାପଡ଼େ ନାହିଁ । ଯେତେଦୂର ସଂଯମ ମୁଁ ଶିଖିପାରିଛି, ତାହା ଯଦି କରିପାରି ନ ଥାନ୍ତି, ତେବେ ମୁଁ ପଶୁଠାରୁ ଅଧମ ହୋଇ ଯାଆନ୍ତିଣି ଏବଂ ଅନେକଦିନୁ ମୁଁ ଶେଷ ହୋଇ ଯାଆନ୍ତିଣି । ଯାହାହେଉ ମୁଁ ମୋର ଦୁର୍ବଳତା ସବୁ ଭଲରକମ ବୁଝିପାରୁଥିବାରୁ ସେ ସବୁରୁ ମୁକ୍ତ ହେବାକୁ ପ୍ରବଳ ଉଦ୍ୟମ କରିଛି ବୋଲି କହିପାରେ ଏବଂ ଫଳରେ ମୁଁ ଏତେବର୍ଷ ଯାଏ ଏ ଦେହକୁ ସମ୍ଭାଳି ରଖିଛି ଏବଂ ତାହାଠାରୁ କିଛି କାମ ଆଦାୟ କରିପାରିଛି ।

 

ମୋର ଦୁର୍ବଳତା ଜାଣିଥିବାରୁ ଏବଂ ବିନା ଉଦ୍ୟମରେ ସେମିତି ସାଙ୍ଗ ମିଳିଯିବାରୁ ମୁଁ ଏକାଦଶୀର ଫଳାହାର ବା ଉପବାସ ଆରମ୍ଭ କରିଥିଲି । ଜନ୍ମାଷ୍ଟମୀ ପ୍ରଭୃତି ତିଥିମାନି ପାଳିବାକୁ ଆରମ୍ଭ କରିଥିଲି, କିନ୍ତୁ ସଂଯମ ଦୃଷ୍ଟିରୁ ଫଳାହାର ତଥା ଅନ୍ୟ ଶସ୍ୟାହାର ମଧ୍ୟରେ ବିଶେଷ ପ୍ରଭେଦ ଦେଖି ନ ଥିଲି । ବରଂ ମୁଁ ଦେଖିଥିଲି ଯେ, ଯାହାକୁ ଆମେ ଶାସ୍ତ୍ର କହୁ ସେଥିରୁ ଯେ ରସ ସ୍ୱାଦ ଆମେ ନେଉ, ସେ ରସ ଫଳାହାରରୁ ମଧ୍ୟ ମିଳେ ଏବଂ ଫଳାହାର ଅଭ୍ୟାସ ହୋଇଗଲେ, ସେଥିରେ ବେଶୀ ରସାସ୍ୱାଦ ମିଳିଥାଏ । ସେଥିପାଇଁ ମୁଁ ପୂରା ଉପବାସ କରିବା କଥା ତଥା ଓଳିଏ ଖାଇବା ଉପରେ ବେଶୀ ଜୋର ଦେଇଥିଲି, ପୁଣି କୌଣସି ପ୍ରାୟଶ୍ଚିତ୍ତ କରିବାର ଅବସର ଆସିଲେ ମୁଁ ଓଳିକିଆ ଉପବାସ କରି ପକାଉଥିଲି ।

 

ଏଥିରୁ ମୋର ଏହା ମଧ୍ୟ ଅଭିଜ୍ଞତା ହେଲା ଯେ, ଶରୀର ଅଧିକ ସୁସ୍ଥ ବା ନିର୍ମଳ ରହୁଥିବାରୁ ସ୍ୱାଦ ବଢ଼ିଥିଲା । ବେଶି ଭଲ ଭୋକ ହୋଇଥିଲା । ଉପବାସ ପ୍ରଭୃତି ଯେତିକି ସଂଯମର ସାଧନ ଅଟେ, ସେତିକି ଭୋଗର ସାଧନ ମଧ୍ୟ ହୋଇପାରେ ବୋଲି ମୁଁ ଦେଖି ପାରିଥିଲି-। ଏହି ଜ୍ଞାନ ହେବାପରେ ତାର ପ୍ରମାଣସ୍ୱରୂପ ମୋର ତଥା ଅନ୍ୟମାନଙ୍କର ସେହିଭଳି କେତେକ ଅଭିଜ୍ଞତା ହୋଇଛି । ଯେଉଁଠି ମୁଁ ଶରୀରର ଅଧିକ ଭଲ ଓ ଅଧିକ କଷିଦେବାକୁ ଇଚ୍ଛା କରୁଥିଲି, ସେଠି ଏବେ ମୋର ପ୍ରଧାନ ଉଦ୍ଦେଶ୍ୟ ହେଲା ସଂଯମ ଲାଭ କରିବା, ରସକୁ ଜୟ କରିବା । ତେଣୁ ମୁଁ ଖାଦ୍ୟଦ୍ରବ୍ୟର ପ୍ରକାରରେ ଏବଂ ତାର ପରିମାଣରେ ଫେର୍‌ଫାର୍‌ ଆରମ୍ଭ କଲି । ତଥାପି ରସ ମୋ ପଛେ ପଛେ ଗୋଡ଼େଇଥାଏ । ମୁଁ ଗୋଟିଏ ଛାଡ଼ିଦେଇ ଯେମିତି ଆଉ ଗୋଟିଏ ଧରେ, ସେଥିରେ ପୂର୍ବଠାରୁ ନୂଆ ବେଶୀ ବେଶୀ ସ୍ୱାଦ ମିଳୁଥିଲା ।

 

ଏହିସବୁ ପ୍ରୟୋଗରେ ମୋର କେତେକ ସାଥି ଥିଲେ । ୟାଙ୍କ ମଧ୍ୟରେ ପ୍ରଧାନ ଥିଲେ ହରମ୍ୟାନ କେଲେନ୍‌ବାକ୍ । ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହରେ ଇତିହାସରେ ଏ ବନ୍ଧୁଙ୍କ ପରିଚୟ ଦେଇସାରିଛି । ସେଥିପାଇଁ ମୁଁ ଆଉ ଏଠି ଦେଉ ନାହିଁ । କି ଉପବାସ, କି ଓଳିକିଆ ଖିଆ, କି ଖାଦ୍ୟପେୟର ପରିବର୍ତ୍ତନ, ସବୁଥିରେ କେଲେନ୍‌ବାକ୍ ମୋର ସାଥୀ ହେଉଥିଲେ । ଯେତେବେଳେ ସତ୍ୟାଗ୍ରହ ଲଢ଼େଇ ଜମି ଯାଇଥିଲା, ସେତେବେଳେ ମୁଁ ତାଙ୍କ ଘରଠାରେ ରହୁଥିଲି । ଆମେ ଦୁହେଁ ଖାଦ୍ୟ ପେୟର ପରିବର୍ତ୍ତନ ସମ୍ବନ୍ଧରେ ଆଲୋଚନା କରୁଥିଲୁ ଏବଂ ପୁରୁଣା ଖାଦ୍ୟଠାରୁ ନୂଆ ଖାଦ୍ୟରେ ବେଶି ଆନନ୍ଦ ପାଉଥିଲୁ । ସେତେବେଳେ ଏହିଭଳି କଥାବାର୍ତ୍ତା ବଡ଼ ମିଠା ଲାଗୁଥିଲା । ତାହା ଅନ୍ୟାୟ ବୋଲି ମତେ ଆଦୌ ଜଣା ପଡ଼ୁ ନ ଥିଲା । କିନ୍ତୁ ଏବେ ଅଭିଜ୍ଞତାରୁ ଶିଖିଲି ଯେ, ଏପରି ସ୍ୱାଦ ଖୋଜି ବୁଲିବା ଅନ୍ୟାୟ ହେଉଥିଲା । ମଣିଷ ସ୍ୱାଦପାଇଁ ଖାଇବାର ନୁହଁ, କିନ୍ତୁ ଶରୀରକୁ ବଞ୍ଚେଇ ରଖିବାପାଇଁ ଖାଇବାର କଥା । ଯେତେବେଳେ ପ୍ରତ୍ୟେକ ଇନ୍ଦ୍ରିୟ କେବଳ ଦେହର ସେବା କରନ୍ତି ଏବଂ ଦେହ ଜରିୟାରେ ଆର୍ମଦର୍ଶନ ପାଇଁ କାମ କରନ୍ତି, ସେତେବେଳେ ସେ ଇନ୍ଦ୍ରିୟର ବିଷୟ ସ୍ୱାଦ ଲୋପ ପାଇଯାଏ ଏବଂ ସେତେବେଳେ ପ୍ରକୃତି ତାକୁ ଯେଉଁଥିପାଇଁ ଗଢ଼ିଛି, ସେ ସେଇଥିପାଇଁ ତିଷ୍ଠି ରହେ ବୋଲି କୁହାଯିବ ।

 

ଏହା ସ୍ୱାଭାବିକ ଅବସ୍ଥା ପାଇବାପାଇଁ ଯେତେ ପ୍ରୟୋଗ କଲେ ମଧ୍ୟ ତାହା ଅତି ଅଳ୍ପ ବୋଲି ଧରିବାକୁ ହେବ ଏବଂ ସେଥିପାଇଁ ବହୁତ ଶରୀର ଆହୂତି ଦେଲେ ସୁଦ୍ଧା ତାହା ମଧ୍ୟ ତୁଚ୍ଛ ମଣିବାକୁ ହେବ । ଏବେ ସ୍ରୋତ ଓଲଟା ଦିଗରେ ଧାଉଁଛି । ଏହି ନଶ୍ୱର ଦେହକୁ ସୁନ୍ଦର କରିବାପାଇଁ ଏବଂ ଏହାର ଆୟୁଷ ବଢ଼େଇବାପାଇଁ ଆମେ ଅସଂଖ୍ୟ ପ୍ରାଣୀଙ୍କୁ ବଳି ଦେଉଛୁ । ତଥାପି ଆତ୍ମା ଓ ଶରୀର ଉଭୟଙ୍କୁ ନାଶ କରୁଛୁ । ଗୋଟାଏ ପୁରୁଣା ରୋଗକୁ ଭଲ କରିବାକୁ ଯାଇ ଅନେକ ନୂଆ ରୋଗ ଜନ୍ମାଇଥାଉ । ଇନ୍ଦ୍ରିୟସୁଖ ଭୋଗ କରିବାକୁ ଚେଷ୍ଟା କରି କରି ଶେଷରେ ସୁଖଭୋଗର କ୍ଷମତା ହରେଇ ବସିଥାଉ । ଏ ସବୁ ଘଟଣା ଆମ ଆଖି ଆଗରେ ଘଟି ଯାଉଛି; ଅଥଚ ତାହା ଦେଖିବାକୁ ଆମେ ନାରାଜ ।

 

ଏସବୁ ଖାଦ୍ୟପେୟର ପ୍ରୟୋଗ କେଉଁ ଉଦ୍ଦେଶ୍ୟରେ ଏବଂ କେଉଁ ଚିନ୍ତାସ୍ରୋତରେ ପଡ଼ି ମୁଁ କରିଛି, ତାହା ତ କହିଦେଲି । ଏବେ ସେ ସବୁ ପ୍ରୟୋଗଗୁଡ଼ିକୁ ବିଶଦଭାବରେ ବର୍ଣ୍ଣନା କରିବାକୁ ଚାହୁଁଚି ।

 

କସ୍ତୁର୍‍ବାଈର ସାହସ

 

କସ୍ତୁର୍‍ବାଈ ତିନିଥର ବିଷମ ପୀଡ଼ାରେ ପଡ଼ିଛି ଏବଂ ତିନିଥର ସେ ଘରେଇ ଚିକିତ୍ସାରେ ବଞ୍ଚିଯାଇଛି । ତାର ପ୍ରଥମ ପୀଡ଼ା ସମୟରେ ସତ୍ୟାଗ୍ରହ ଯୁଦ୍ଧ ଚାଲିଥାଏ । ତାର ଘନ ଘନ ରକ୍ତସ୍ରାବ ହେଉଥିଲା । ଜଣେ ଡାକ୍ତର ବନ୍ଧୁ ଅସ୍ତ୍ରପ୍ରୟୋଗ ପରାମର୍ଶ ଦେଇଥିଲେ । ଅନେକ ଦ୍ୱିଧା ପରେ କସ୍ତୁର୍‍ବାଈ ରାଜି ହୋଇଥିଲା । ଦେହ ବଡ଼ ଦୁର୍ବଳ ଥିଲା ଏବଂ କ୍ଲୋରୋଫର୍ମ ନ ଦେଇ ଡାକ୍ତର ଅସ୍ତ୍ର ପ୍ରୟୋଗ କରିଥିଲେ । ଅସ୍ତ୍ର କଲାବେଳେ ତାକୁ ବହୁତ କଷ୍ଟ ହୋଇଥିଲା । କିନ୍ତୁ ସେ ଯେମିତି ଧୈର୍ଯ୍ୟର ସହିତ ସବୁ ସହିଥିଲା, ମୁଁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି । ଅସ୍ତ୍ରପ୍ରୟୋଗ ନିର୍ବିଘ୍ନରେ ହୋଇ ଯାଇଥିଲା । ଡାକ୍ତର ଏବଂ ତାଙ୍କର ସ୍ତ୍ରୀ କସ୍ତୁର୍‍ବାଈର ଖୁବ୍ ସେବା କରିଥିଲେ । ଏ ଘଟଣା ଡରବାନରେ ଘଟିଥିଲା । ଜୋହାନ୍‌ସବର୍ଗ ଯିବାକୁ ଦୁଇ ତିନିଦିନ ପରେ ଡାକ୍ତର ମତେ ଅନୁମତି ଦେଇଥିଲେ । ମୁଁ ଚାଲିଯାଇଥିଲି । କିନ୍ତୁ ମୁଁ ଅଳ୍ପ କେତେଦିନ ପରେ ଚିଠି ପାଇଲି ଯେ, କସ୍ତୁର୍‍ବାଈର ଦେହ ବାଟକୁ ଆସୁ ନ ଥିଲା ଏବଂ ବିଛଣାରେ ଉଠିବସିପାରୁ ନ ଥିଲା । ଥରେ ଅଚେତ ମଧ୍ୟ ହୋଇଯାଇଥିଲା । ମୋର ବିନା ଅନୁମତିରେ ଯେ ତାକୁ ମଦ ବା ମାଂସ ଦେଇହେବ ନାହିଁ, ଏହା ଡାକ୍ତର ଜାଣିଥିଲେ । ଡାକ୍ତର ମତେ ଜୋହାନ୍‌ସବର୍ଗକୁ ଟେଲିଫୋନ୍‌ କରିଥିଲେ, ‘‘ତମ ସ୍ତ୍ରୀକୁ ମୁଁ ମାଂସ ସୁରୁଆ ବା ‘ବିଟଫି’ ଦେବା ଆବଶ୍ୟକ ବିଚାରୁଛି । ମତେ ଅନୁମତି ଦେବା ଉଚିତ-।’’

 

ମୁଁ ଉତ୍ତର ଦେଇଥିଲି, ‘‘ମୁଁ ଅନୁମତି ଦେଇପାରିବି ନାହିଁ । କିନ୍ତୁ କସ୍ତୁର୍‌ବାଈ ସ୍ୱାଧୀନ ଅଟେ । ତାକୁ ପଚାରିବା ଭଳି ଅବସ୍ଥା ଯଦି କସ୍ତୁର୍‌ବାଈର ଥିବ, ତେବେ ତାକୁ ପଚାରନ୍ତୁ ଓ ସେ ଖାଇବାକୁ ରାଜି ହେବ ତ ନିଃସନ୍ଦେହରେ ଦିଅନ୍ତୁ । ଡାକ୍ତର କହିଥିଲେ, ‘‘ମୁଁ ଏସବୁ ବିଷୟରେ ରୋଗୀର ମତାମତ ପଚାରିବାକୁ ଚାହେଁ ନାହିଁ । ତମେ ନିଜେ ଆସିବା ଉଚିତ । ତମେ ଯଦି ମୋର ଇଚ୍ଛା ଅନୁସାରେ ପଥ୍ୟ ଦେବାକୁ ମତେ ଅନୁମତି ନ ଦିଅ, ମୁଁ ତମର ସ୍ତ୍ରୀପାଇଁ ଦାୟୀ ନୁହଁ ।’’

 

ସେହିଦିନ ମୁଁ ରେଳରେ ଡରବାନ୍ ଗଲି ଏବଂ ଡାକ୍ତରଙ୍କ ସାଙ୍ଗରେ ଦେଖା ହେଲା । ଡାକ୍ତର ଧୀରସ୍ଥିର ଭାବରେ ମତେ ଖବର ଦେଇଥିଲେ, ‘‘ତମକୁ ଟେଲିଫୋନ୍‌ କରିବା ପୂର୍ବରୁ ମୁଁ ମିସେସ୍ ଗାନ୍ଧୀଙ୍କୁ ମାଂସ ସୁରୁଆ ଦେଇ ସାରିଥିଲି ।’’

 

ମୁଁ କହିଥିଲି, ‘‘ଡାକ୍ତର, ମୁଁ ଏହାକୁ ଧପ୍‌ପା ଦେବା ବୋଲି ମନେ କରୁଛି ।’’

 

ଦୃଢ଼ତାର ସହିତ ଡାକ୍ତର କହିଥିଲେ, ‘‘ଔଷଧ ଦେଲାବେଳେ ମୁଁ ଧପ୍‌ପା, ଫପା ବୁଝେ ନାହିଁ । ଆମେ ଡାକ୍ତରମାନେ ଏପରି ସମୟ ରୋଗୀ ବା ସେମାନଙ୍କର ବନ୍ଧୁ ବାନ୍ଧବମାନଙ୍କୁ ଠକେଇବାଟାକୁ ପୁଣ୍ୟ ମନେ କରୁଁ । ଯାହା ଖୁସି କରି ରୋଗୀକୁ ବଞ୍ଚେଇ ଦେବା ଆମର କର୍ତ୍ତବ୍ୟ-।’’

 

ମତେ ଭାରି ଦୁଃଖ ହୋଇଥିଲା, କିନ୍ତୁ ମୁଁ ଧୈର୍ଯ୍ୟ ଧରି ରହିଥିଲି । ଡାକ୍ତର ମୋର ବନ୍ଧୁ ଥିଲେ ଏବଂ ଭଲ ମଣିଷ ଥିଲେ । ସେ ଏବଂ ତାଙ୍କର ସ୍ତ୍ରୀ ମୋର ବହୁତ ଉପକାର କରିଥିଲେ । କିନ୍ତୁ ମୁଁ ସେଭଳି କାର୍ଯ୍ୟକୁ ସହିବାକୁ ପ୍ରସ୍ତୁତ ନ ଥିଲି ।

 

ମୁଁ କହିଥିଲି, ‘‘ଡାକ୍ତର, ଏବେ ସଫା ସଫା କହ ମୋର ସ୍ତ୍ରୀର ଇଚ୍ଛା ନ ହେଲେ ମୁଁ ତାକୁ କେବେହେଁ ମାଂସ ଦିଆଇଦେବି ନାହିଁ । ତାହା ନ ଖାଇ ତାର ମୃତ୍ୟୁ ହେଲେ ବି ମୁଁ ତାହା ସହିବାକୁ ପ୍ରସ୍ତୁତ ଅଛି ।’’

 

ସେ କହିଥିଲେ, ‘‘ତମର ଦର୍ଶନ ମୋ ଘରେ ଚଳିବ ନାହିଁ । ମୁଁ ଯେପର୍ଯ୍ୟନ୍ତ ତମ ସ୍ତ୍ରୀକୁ ମୋ ଘରେ ରଖିଥିବି, ମାଂସ ହେଉ ବା ଅନ୍ୟ ଯାହା ଚାହିଁବ ତା ମୁଁ ଦେବି । ଏହା ଯଦି କରିହେବ ନାହିଁ, ତେବେ ତମେ ତମର ସ୍ତ୍ରୀକୁ ନେଇଯାଅ । ମୋ ଘରେ ମୁଁ ସ୍ୱେଚ୍ଛାରେ ମରିବାକୁ ଦେବି ନାହଁ-।’’

 

ମୁଁ କହିଲି—‘‘ତେବେ କଣ ତମେ କହୁଛ ଯେ, ମୁଁ ଏଇକ୍ଷଣି ତାକୁ ନେଇଯିବି ?’’

 

‘‘ମୁଁ ତୁମକୁ ତାକୁ ଏଠୁ ନେଇଯିବାକୁ କେତେବେଳେ କହିଲି ? ମୁଁ ଏତିକି ଚାହେଁ ଯେ, ମତେ ସ୍ୱାଧୀନତା ଦିଅ । ସେତକ ଯଦି କରିବ ମୁଁ ଓ ମୋର ସ୍ତ୍ରୀ ଆମ ଶକ୍ତିରେ ଯାହା ସମ୍ଭବ ତାଙ୍କ ଯତ୍ନ ନେବୁଁ । କିନ୍ତୁ ଏ ସହଜ କଥାଟା ଯଦି ତମ ମୁଣ୍ଡରେ ନ ପଶୁଛି, ତେବେ ମୋ ଘରୁ ତମ ସ୍ତ୍ରୀଙ୍କୁ ନେଇଯିବାକୁ ମତେ ନାଚାର ହୋଇ କହିବାକୁ ହେବ ।’’

 

ମୋର ମନେପଡ଼ୁଛି, ମୋର ଗୋଟିଏ ପୁଅ ମୋ ସଙ୍ଗରେ ଥିଲା । ତାକୁ ମୁଁ ପଚାରିଥିଲି-। ସେ କହିଲା, ‘‘ତମେ ଯା କହୁଛ ମୁଁ ମାନୁଛି । ମା’ଙ୍କୁ କେଭେଁ ମାଂସ ସୁରୁଆ ଦିଆଯିବ ନାହିଁ ।’’ ତା’ ପରେ ମୁଁ ନିଜେ କସ୍ତୁର୍‌ବାଈକୁ ପଚାରିଥିଲି । ସେ ଭାରି ଦୁର୍ବଳ ଥିଲା । ତାକୁ କିଛି ପଚାରିବାଟା ମତେ ବଡ଼ ଦୁଃଖଦାୟକ ଥିଲା । କିନ୍ତୁ କର୍ତ୍ତବ୍ୟ ମନେ କରି, ମୁଁ ତାକୁ ସବୁକଥା ଅଳ୍ପରେ ଶୁଣେଇଥିଲି । ସେ ଦୃଢ଼ ଜବାବ ଦେଇଥିଲା, ‘‘ମୁଁ ମାଂସ ସୁରୁଆ ଖାଇବି ନାହିଁ । ମନୁଷ୍ୟ ଦେହ ବାରମ୍ବାର ମିଳେ ନାହିଁ । ଏ ସବୁ କଦର୍ଯ୍ୟ ଜିନିଷ ଖାଇ ମୋର ଦେହ କଳୁଷିତ କରିବାଠାରୁ ବରଂ ତମ କୋଳରେ ମରିବା ଶ୍ରେୟସ୍କର ।’’

 

ମୁଁ ତାକୁ ଅନେକ କରି ବୁଝେଇଥିଲି ଏବଂ କହିଥିଲି, ତୁ ମୋ ମତରେ ଚାଲିବାକୁ ବାଧ୍ୟ ନୋହୁଁ । ଆମର କେତେକ ଜଣା ହିନ୍ଦୁ ଔଷଧ ପାଇଁ ମଦ ମାଂସ ଖାଇଥାନ୍ତି ବୋଲି ଶୁଣାଇଥିଲି । କିନ୍ତୁ ସେ ଅଟଳ ରହିଥିଲା । ସେ କହିଥିଲା, ‘‘ନା, ମତେ ଏଠୁ ନେଇଯାଅ ।’’

 

ମୁଁ ଭାରି ଖୁସି ହୋଇଥିଲି । ନେଇଯିବାକୁ ଅଡ଼ୁଆ ଲାଗିଥିଲା, କିନ୍ତୁ ସ୍ଥିର କରିଥିଲି । ସ୍ତ୍ରୀର ନିଷ୍ପତ୍ତି କଥା ଡାକ୍ତରଙ୍କୁ ଶୁଣେଇଥିଲି । ରାଗିଯାଇ ଡାକ୍ତର କହିଥିଲେ, ‘‘ତମେ ତ ଏକ ନିଷ୍ଠୁର ସ୍ୱାମୀ ଜଣାପଡ଼ୁଛି । ଏମିତି ଅବସ୍ଥାରେ ସେ ବିଚାରୀକୁ ଏଭଳି କଥାଟା ପଚାରିବାକୁ ତମକୁ ଲାଜ ମାଡ଼ିଲା ନାହିଁ ? ମୁଁ ତମକୁ ଜଣେଇ ଦେଉଛି ଯେ, ତମ ସ୍ତ୍ରୀକୁ ଅନ୍ୟତ୍ର ନେଇଯିବା ଭଳି ଅବସ୍ଥାରେ ସେ ନାହାନ୍ତି । ଅତି ସାମାନ୍ୟ ଧକଚକ ବି ସେ ସହି ପାରିବେ ନାହିଁ । ସେ ବାଟରେ ମରିଗଲେ ମୁଁ ଆଶ୍ଚର୍ଯ୍ୟାନ୍ୱିତ ହେବିନାହିଁ । ତଥାପି ତମେ ଯଦି ଜିଦ୍ କରୁଛ, ତମ କଥା ତମେ ବୁଝିବ । ତମେ ଯଦି ତାଙ୍କୁ ମାଂସ ସୁରୁଆ ଖାଇବାକୁ ନ ଦିଅ, ମୁଁ ରାତିଟାଏ ବି ମୋ ଘରେ ତାଙ୍କୁ ରଖିବାର ବିପଦ ମୁଣ୍ଡେଇବି ନାହିଁ ।’’

 

ଝିପି ଝିପି ପାଣି ବର୍ଷୁ ଥାଏ । ଷ୍ଟେସନ ଟିକେ ଦୂର ଥିଲା । ଡରବାନ୍‌ରୁ ଫିନିକ୍‌ସ ଯାଏ ରେଳରେ ଯିବାକୁ ପଡ଼େ । ସେଠୁ ଆମ ଆଶ୍ରମ ଅଢ଼େଇ ମାଇଲି ଚଲାବାଟ । ଭଲରକମ ବିପଦ ଥିଲା । କିନ୍ତୁ ଭଗବାନ ସହାୟ ହେବେ ବୋଲି ମୁଁ ଧରି ନେଇଥିଲି । ଫିନିକ୍‌ସକୁ ଆଗରୁ ଜଣେ ମଣିଷ ପଠେଇ ଦେଇଥିଲି । ଫିନିକ୍‌ସଠାରେ ଆମର * ‘ହେମକ’ ଥିଲା । ଷ୍ଟେସନକୁ ଏହି ହେମକ, ବୋତଲେ ଗରମ ଦୁଧ, ବୋତଲରେ ଗରମପାଣି ଏବଂ ଝୁଲାରେ କସ୍ତୁର୍‌ବାଈକୁ ବୋହି ନେବାକୁ ଛ’ ଜଣ ମଣିଷ ନେଇ ଆସିବାକୁ ଉଏଷ୍ଟକୁ ସମ୍ବାଦ ଦେଇଥିଲି । ଆମର ଗାଡ଼ିକୁ ଯିବା ବେଳ ହେବାରୁ ଖଣ୍ଡେ ରିକ୍‌ସା ଡକେଇଥିଲି । ସେଥିରେ ଏହି ଭୟଙ୍କର ଅବସ୍ଥାରେ ସ୍ତ୍ରୀକୁ ନେଇ ମୁଁ ବାହାରିପଡ଼ିଥିଲି ।

 

କସ୍ତୁର୍‌ବାଈକୁ ଆଶ୍ୱାସନା ଦେବାର ଆବଶ୍ୟକତା ନ ଥିଲା । ଓଲଟି ସେ ମତେ ସାହସ ଦେଉଥିଲା । ‘‘ମୋର କିଛି ହେବ ନାହିଁ, ଚିନ୍ତା କର ନାହିଁ ।’’

 

ତାର ହାଡ଼ ପଞ୍ଜରରେ ଓଜନ ନ ଥିଲା । ଖୋରାକ ତ କିଛି ଖାଉ ନ ଥିଲା । ଅନେକଦିନ ହେଲା କିଛି ନ ଖାଇ ତାର ଖାଲି ହାଡ଼ ଚର୍ମ ଦେଖା ଯାଉଥିଲା । ଷ୍ଟେସନ ପ୍ଲାଟ୍‌ଫର୍ମଟା ଭାରି ଲମ୍ବା ଥିଲା । ଏଣେ ରେଲ ଡବାଯାଏ ଯିବାକୁ ବଡ଼ ପ୍ଲାଟ୍‌ଫର୍ମ ଉପରେ ବହୁତ ଲମ୍ବା ବାଟ ଯିବାକୁ ପଡ଼େ । ମୁଁ କସ୍ତୁର୍‌ବାଈକୁ କାଖେଇ ଡବାଯାଏ ନେଇ ଯାଇଥିଲି । ଫିନିକ୍‌ସରୁ ଖୁଲା ଆସିଥିଲା । ସେଥିରେ ଆମେ ରୋଗୀକୁ ଆରାମରେ ନେଇ ଯାଇଥିଲୁ । ଆଶ୍ରମରେ ସେ ଜଳଚିକିତ୍ସାରେ ଆସ୍ତେ ଆସ୍ତେ ଟିକିଏ ସବଳ ହେବାକୁ ଲାଗିଥିଲା ।

 

ଫିନିକ୍‍ସରେ ପହଞ୍ଚିବାର ଦି’ ତିନି ଦିନ ପରେ ଜଣେ ସ୍ୱାମୀ ଆସିଥିଲେ । ଆମେ କେମିତି ଦୃଢ଼ଭାବରେ ଡାକ୍ତରଙ୍କ ପରାମର୍ଶ ପ୍ରତ୍ୟାଖ୍ୟାନ କରିଥିଲୁ, ସେ ଆମର ଜିଦ୍ କଥା ଶୁଣି ତାଙ୍କ ମନରେ ଦୟା ହୋଇଥିଲା ଏବଂ ସେ ଆମକୁ ବୁଝେଇବାକୁ ଲାଗିଥିଲେ । ମୋର ଯେତେଦୂର ମନେପଡ଼େ ସ୍ୱାମୀ ଆସିଲା ବେଳେ ମୋର ଦ୍ୱିତୀୟ ପୁତ୍ର ମଣିଲାଲ ଓ ତୃତୀୟ ପୁତ୍ର ରାମଦାସ ସେଠାରେ ଉପସ୍ଥିତ ଥିଲେ । ସ୍ୱାମୀଜୀ ‘ମନୁସ୍ମୃତି’ରୁ ଶ୍ଳୋକ ଉଦ୍ଧାର କରି ମାଂସ ଖାଇବା ଯେ ଧର୍ମତଃ ଦୋଷଯୁକ୍ତ ନହେଁ, ତାହା ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ମୋର ସ୍ତ୍ରୀର ଉପସ୍ଥିତିରେ ଏ ସବୁ ଆଲୋଚନା କରିବା ମତେ ଭଲ ଲାଗୁ ନ ଥିଲା । କିନ୍ତୁ ଭଦ୍ରତା ଖାତିରରେ ତାହା କରିବାକୁ ଦେଇଥିଲି । ମନୁସ୍ମୃତିର ମାଂସାହାର ସପକ୍ଷରେ ସେ ସବୁ ଶ୍ଲୋକ ମତେ ବୁଝେଇବାର ଆବଶ୍ୟକତା ନ ଥିଲା । ମୁଁ ସେ ସବୁ ଜାଣିଥିଲି । ମୁଁ ଏହା ମଧ୍ୟ ଜାଣିଥିଲି ଯେ, ଦଳେ ଲୋକ ଏ ସବୁ ଶ୍ଲୋକକୁ ପ୍ରକ୍ଷିପ୍ତ ବୋଲି ମନେକରନ୍ତି ।

 

କିନ୍ତୁ ସେ ସବୁ ଶ୍ଲୋକ ପ୍ରକ୍ଷିପ୍ତ ନ ହେଲେ ସୁଦ୍ଧା ନିରାମିଷାହାର ସମ୍ବନ୍ଧରେ ମୋର ମତ ସ୍ୱତନ୍ତ୍ର ଭାବରେ ଗଢ଼ା ହୋଇଥିଲା । ତଦୁପରି କସ୍ତୁର୍‌ବାଈ ବିଶ୍ୱାସ ଅଟଳ ଥିଲା । ଶାସ୍ତ୍ର କଥା ସେ କ’ଣ ବୁଝନ୍ତା ? ତା’ର ବାପ, ଅଜାଙ୍କ ପ୍ରଥା ତା ପାଇଁ ଧର୍ମ ଥିଲା । ପିଲାଯାକ ବାପର ଧର୍ମକୁ ମାନୁଥିଲେ । ସେଥିପାଇଁ ସେମାନେ ସ୍ୱାମୀଜୀଙ୍କ ସଙ୍ଗେ କୌତୁକ କରୁଥିଲେ । କିନ୍ତୁ କସ୍ତୁର୍‌ବାଈ ଏ ସବୁ କଥାବାର୍ତ୍ତାକୁ ହଠାତ୍ ଏୟା କହି ବନ୍ଦ କରି ଦେଇଥିଲା, ‘‘ସ୍ୱାମୀଜୀ, ଆପଣ ଯାହା କହନ୍ତୁ ପଛେ, ମୁଁ ମାଂସ ସୁରୁଆ ଖାଇ ଆରୋଗ୍ୟ ଲାଭ କରିବାକୁ ଚାହେଁ ନାହିଁ । ମୋର ପ୍ରାର୍ଥନା, ଅନୁଗ୍ରହ କରି ମତେ ଆଉ ବିରକ୍ତ କରନ୍ତୁ ନାହିଁ । ଆପଣଙ୍କର ଖୁସି ହେଉଛି ତ; ଆପଣ ମୋର ସ୍ୱାମୀ ଓ ପିଲାଙ୍କ ସହିତ ସେ ବିଷୟରେ ପରେ ଆଲୋଚନା କରନ୍ତୁ । ମୋର ନିଷ୍ପତ୍ତି ମୁଁ ଆପଣଙ୍କୁ ଜଣାଇଦେଲି ।’’

 

* ‘ହେମକ’ ଏକ ପ୍ରକାର ଝୁଲା ବା ଦୋଳା । ତାର ମୁଣ୍ଡ ବାଉଁଶରେ ବନ୍ଧା ହୁଏ; ଫଳରେ ରୋଗୀ ସେଥିରେ ଆରାମରେ ଝୁଲୁଥାଏ ।

 

Unknown

ଘରେଇ ସତ୍ୟାଗ୍ରହ

 

ମୋର ପ୍ରଥମ ଜେଲ ଅନୁଭୂତି ୧୯୦୮ରେ ହୁଏ । ସେତିକିବେଳେ ମୁଁ ଦେଖିଲି ଯେ, ଜେଲରେ କେତେକ ନିୟମ ଯାହା ଆମକୁ ପାଳିବାକୁ ପଡ଼େ, ଜଣେ ବ୍ରହ୍ମଚାରୀ ସ୍ୱେଚ୍ଛାରେ ତାହା ପାଳନ କରିବା ଉଚିତ । ଦୃଷ୍ଟାନ୍ତସ୍ୱରୂପ ବନ୍ଦୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ପାଞ୍ଚଟା ବେଳକୁ ଖାଆନ୍ତି । କି ଭାରତୀୟ କି ଆଫ୍ରିକାବାସୀ କୌଣସି କଏଦୀଙ୍କୁ ଚା’ ବା କଫି ମିଳେ ନାହିଁ । ଲୁଣ ଖାଇବେ ତ ଅଲଗା ଖାଇବେ । ସୁଆଦ ଲାଗି କିଛି ଖିଆଯାଏ ନାହିଁ । ଜେଲର ଡାକ୍ତରଙ୍କୁ ମୁଁ ଯେତେବେଳେ ତରକାରୀରେ ପକେଇବାକୁ ମସଲାମସଲି ଟିକିଏ ମାଗିଥିଲି ଏବଂ ରାନ୍ଧିବାବେଳେ ଲୁଣ ପକେଇବାକୁ ଅନୁମତି ଚାହିଁଥିଲି, ସେ ଜବାବ ଦେଇଥିଲେ, ‘‘ତମର ପାଟି ସୁଆଦ କରିବାକୁ ଏଠିକି ଆସି ନାହିଁ । ସ୍ୱାସ୍ଥ୍ୟଦୃଷ୍ଟିରୁ ମସଲାର ଲୋଡ଼ା ନାହିଁ । ସ୍ୱାସ୍ଥ୍ୟଦୃଷ୍ଟିରୁ ଲୁଣ ରନ୍ଧା ପରେ ଖାଅ ବା ରୋଷେଇ ବେଳେ ପକାଅ ଏକା କଥା ଅଟେ ।’’

 

ପରିଶେଷରେ ଏ ସବୁ ନିୟମର ପରିବର୍ତ୍ତନ ବହୁତ କଷ୍ଟରେ କରେଇ ପାରିଥିଲୁ । କିନ୍ତୁ ସଂଯମ ଦୃଷ୍ଟିରୁ ଦେଖିଲେ ଦିଓଟିଯାକ ନିୟମ ବଡ଼ ଭଲଥିଲା । ବାହାରୁ ଯେଉଁ ନିୟମ ଲଦାଯାଏ, ତାହା ସଫଳ ହୁଏ ନାହିଁ । କିନ୍ତୁ ଯେତେବେଳେ ତାହାକୁ ହିଁ ସ୍ୱେଚ୍ଛାରେ ପାଳନ କରାଯାଏ, ସେତେବେଳେ ତାହା ବହୁତ କାମରେ ଆସିଥାଏ । ତେଣୁ ମୁଁ ଜେଲରୁ ବାହାରିବା ପରେ ଶୀଘ୍ର ଏ ଦୁଇଟି ପରିବର୍ତ୍ତନ କରିଥିଲି । ଯେତେଦୂର ସମ୍ଭବ ମୁଁ ଚାହା ଖାଇବା ବନ୍ଦ କରିଦେଇଥିଲି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଖାଇବା ଅଭ୍ୟାସ କରିଥିଲି । ଏବେ ସେ ଦିଓଟିଯାକ ସ୍ୱାଭାବିକ ହୋଇ ପଡ଼ିଲେଣି-

 

କିନ୍ତୁ ଏମିତି ଗୋଟିଏ ଘଟଣା ଘଟିଥିଲା, ଯେଉଁଥିରେ କି ମୁଁ ଲୁଣ ମଧ୍ୟ ଛାଡ଼ିଥିଲି ଏବଂ ତାହା ପ୍ରାୟ ଦଶବର୍ଷ କାଳ ନିରବଚ୍ଛିନ୍ନ ଭାବରେ ପାଳିଥିଲି । ନିରାମିଷାହାର ସମ୍ବନ୍ଧୀୟ କେତେକ ବହିରେ ମୁଁ ପଢ଼ିଥିଲି ଯେ, ମଣିଷ ଲୁଣ ଖାଇବା ଦରକାର ନାହିଁ । ବରଂ ସ୍ୱାସ୍ଥ୍ୟଦୃଷ୍ଟିରୁ ଅଲଣା ଖାଇବାରେ ଲାଭ । ବ୍ରହ୍ମଚାରୀର ମଧ୍ୟ ଲାଭ ହେବ ବୋଲି ମୁଁ ଆଗରୁ ବିଚାରିଥାଏ । ମୁଁ ବହିରେ ପଢ଼ିଥିଲି ଏବଂ ନିଜେ ପରୀକ୍ଷା କରି ଦେଖିଥିଲି ଯେ, ଦୁର୍ବଳ ଲୋକଙ୍କର ଡାଲି ଖାଇବା ଉଚିତ ନୁହେଁ । ଦୁଇଟିଯାକ ଚିଜ ମୋର ଭାରି ପ୍ରିୟ ଥିଲା ।

 

ଅସ୍ତ୍ର ପ୍ରୟୋଗ ପରେ କସ୍ତୁର୍‌ବାଈ ଅଳ୍ପ ସମୟ ପାଇଁ ଭଲ ଥିଲା । ପୁଣି ତାର ରକ୍ତସ୍ରାବ ଲେଉଟିଥିଲା । କେଉଁଥିରେ ବନ୍ଦ ହୋଇ ନ ଥିଲା । ଜଳଚିକିତ୍ସା ମଧ୍ୟ ବ୍ୟର୍ଥ ହୋଇଥିଲା । ମୋ ଚିକିତ୍ସାରେ ତାର ବିଶେଷ ବିଶ୍ୱାସ ନ ଥିଲେ ମଧ୍ୟ ତଥାପି ସେ ସେଥିରେ ବାଧା ଦେଉ ନ ଥିଲା । ଅନ୍ୟ ଚିକିତ୍ସା ପ୍ରତି ତାର ଆଗ୍ରହ ମଧ୍ୟ ନ ଥିଲା । ତେଣୁ ମୋର ସବୁ ଚିକିତ୍ସା ଯେବେ ସରି ଯାଇଥିଲା; ମୁଁ ତାକୁ ଡାଲି ଓ ଲୁଣ ଛାଡ଼ିଦେବାକୁ ଅନୁରୋଧ କରିଥିଲି । ମୁଁ ଯେତେ ଶାସ୍ତ୍ର ଦେଖେଇ ତାକୁ ବୁଝେଇଲି ସେ ରାଜି ହେଲା ନାହିଁ । ଶେଷରେ ସେ କହିଥିଲା, ‘‘ଲୁଣ ଓ ଡାଲି ଛାଡ଼ିବାକୁ ତମକୁ କେହି କହିଲେ ତମେ ତ ଛାଡ଼ିବ ନାହିଁ ।’’

 

ମୋର ଦୁଃଖ ହେଲା ଏବଂ ଆନନ୍ଦ ମଧ୍ୟ ହେଲା । ତା ପ୍ରତି ମୋର ସ୍ନେହ ଦେଖାଇବାର ସୁଯୋଗ ମିଳିଥିଲା । ମୁଁ ତାକୁ ଆନନ୍ଦରେ କହିଥିଲି, ‘‘ତୁ ଭୁଲ ବୁଝୁଛୁ, ମୁଁ ଯଦି ବେମାର ଥାନ୍ତି ଓ ଡାକ୍ତର ମତେ ଏ ସବୁ ଅନ୍ୟ କିଛି ଜିନିଷ ଛାଡ଼ିବାକୁ କହନ୍ତା, ମୁଁ ତାକୁ ନିଶ୍ଚୟ ଛାଡ଼ିଦିଅନ୍ତି । କିନ୍ତୁ ହେଇ ଦେଖ, ମୁଁ ଆଜିଠାରୁ ବର୍ଷକଯାଏ ଲୁଣ ଓ ଡାଲି ଛାଡ଼ିଦେଲି । ତୁ ଛାଡ଼ ବା ନ ଛାଡ଼ ଯାଏ ଆସେ ନାହିଁ ।’’ ତାହାର ଅନୁତାପ ଆସିଥିଲା, ସେ କହିଲା, ‘‘ମତେ କ୍ଷମା କର । ତମର ସ୍ୱଭାବ ଜାଣୁ ଜାଣୁ ତମକୁ ମୋର ଟିହାଇବା ଉଚିତ ହେଉ ନାହିଁ । ଏବେ ମୁଁ ଏ ଦୁଇଟି ଜିନିଷ ଖାଇବି ନାହିଁ-। କିନ୍ତୁ ତମେ ତମର ପ୍ରତିଜ୍ଞା ଫେରେଇ ନିଅ । ଏଇଟା ମୋ ପ୍ରତି ବଡ଼ ଶାସ୍ତି ହେବ-।’’

 

ମୁଁ ଉତ୍ତର ଦେଇଥିଲି, ‘‘ତୁ ଏ ସବୁ ଜିନିଷ ଛାଡ଼ି ଦେବୁ, ବଡ଼ ଭଲ କଥା । ସେଥିରେ ତୋର ଲାଭ ହେବ ବୋଲି ମୋର ବିଶ୍ୱାସ । କିନ୍ତୁ ମୁଁ ତ ନେଇଥିବା ପ୍ରତିଜ୍ଞା ଛାଡ଼ିପାରିବି ନାହିଁ । ସେଥିରେ ମୋର ନିଶ୍ଚୟ ମଙ୍ଗଳ ହେବ । ଯେଉଁ କାରଣରୁ ହେଉ ନା କାହିଁକି, ସଂଯମ କଲେ ମଣିଷର ଲାଭ ହୋଇଥାଏ । ସେଥିପାଇଁ ତୁ ମତେ ଆଉ ବଳା ନାହିଁ । ସେଥିରେ ନିଜର ପରୀକ୍ଷା ହୋଇଯିବ ଏବଂ ତୋର ସେ ଦୁଇ ଚିଜ ଛାଡ଼ିବା ପ୍ରତିଜ୍ଞା ପାଳନରେ ତତେ ସାହାଯ୍ୟ ମିଳିବ ।’’

 

ଏତକ ପରେ ଆଉ ମତେ ମନେଇବାର କିଛି ନ ଥିଲା । ‘‘ତମେ ଭାରି ଜିଦଖୋର, କାହାରି କଥା ଶୁଣିବ ନାହିଁ’’—ଏହା କହି ଅସରାଏ କାନ୍ଦି ସେ ତୁନିପଡ଼ିଥିଲା ।

 

ମୁଁ ଏ ଘଟଣାଟିକୁ ସତ୍ୟାଗ୍ରହ କହିବାକୁ ଚାହୁଁଛି । ଏହା ମଧ୍ୟ ମୋର ଜୀବନର ମଧୁର ସ୍ମୃତିମାନଙ୍କ ମଧ୍ୟରୁ ଗୋଟିଏ ବୋଲି ମୁଁ ବିଚାରେ ।

 

ଏହାପରଠାରୁ ବଡ଼ ଶୀଘ୍ର ଶୀଘ୍ର କସ୍ତୁର୍‌ବାଈର ଦେହ ଖୁବ୍ ଭଲ ହୋଇଥିଲା । ଲୁଣ, ଡାଲି ଛାଡ଼ିବା ଯୋଗୁଁ, ଖାଇବାରେ ଅନ୍ୟ ଆନୁସଙ୍ଗିକ ପରିବର୍ତ୍ତନ ଯୋଗୁଁ କିମ୍ବା ଜୀବନର ଅନ୍ୟାନ୍ୟ ନିୟମ ପାଳିବା ପ୍ରତି ମୋର କଡ଼ା ନଜର ଯୋଗୁଁ କିମ୍ବା ଏ ଘଟଣାରୁ ଜନ୍ମିଥିବା ମାନସିକ ଉଲ୍ଲାସ ଯୋଗୁଁ ସ୍ୱାସ୍ଥ୍ୟର ଉନ୍ନତି ଘଟିଥିଲା; ତାହା ମୁଁ ଠିକ୍ କହିପାରିବି ନାହିଁ । କିନ୍ତୁ ତାର ଦୁର୍ବଳ ଦେହରେ ଶୀଘ୍ର ଶୀଘ୍ର ବଳ ଆସିଥିଲା । ରକ୍ତସ୍ରାବ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଏବଂ ‘ବୈଦ୍ୟରାଜି’ ବୋଲି ମୋର ଯଶ ବଢ଼ିଯାଇଥିଲା ।

 

ଏ ଦୁଇଟି ତ୍ୟାଗରେ ମୋର ଢେର ଉପଚାର ହୋଇଥିଲା, ଛାଡ଼ିବା ପରେ ସେଥିପାଇଁ ଆଉ ମନ ଡାକି ନ ଥିଲା । ବର୍ଷଟା ଅନଉ ଅନଉ ଚାଲିଗଲା ଏବଂ ଇନ୍ଦ୍ରିୟ ଶାନ୍ତି ଆଗଠାରୁ ଅଧିକ ଅନୁଭବ କରିଥିଲି ଏବଂ ସଂଯମ ଆଡ଼କୁ ମନ ଅଧିକ ଦୌଡ଼ିଥିଲା । ଭାରତ ବର୍ଷକୁ ଫେରିବା ପରେ ଦୀର୍ଘକାଳଯାଏ ମୁଁ ଡାଲି ଲୁଣ ଛାଡ଼ି ରହିଥିଲି । ଥରେ କେବଳ ୧୯୧୪ରେ ବିଲାତରେ ଥିଲାବେଳେ ଏ ଦୁଇଟି ଜିନିଷ ଖାଇଥିଲି । ମାତ୍ର ସେଥର କେମିତି ଖାଇଥିଲି ଏବଂ ସେ ଦୁଇ ଜିନିଷ ପୁଣି ଦେଶକୁ ଫେରିବା ପରେ କେମିତି ଖାଇଲି, ସେ ସବୁ କଥା ପରବର୍ତ୍ତୀ ଗୋଟିଏ ଅଧ୍ୟାୟରେ କହିବି । ଦକ୍ଷିଣ ଆଫ୍ରିକାରେ ମୁଁ ଏ ଡାଲି ଲୁଣ ଛାଡ଼ିଦେବା ପ୍ରୟୋଗ ମୋର ଅନେକ ସାଥୀଙ୍କ ଉପରେ କରି ଦେଖିଛି ଏବଂ ଦକ୍ଷିଣ ଆଫ୍ରିକାରେ ତାର ବେଶ୍‌ ଭଲ ଫଳ ହୋଇଛି । ଚିକିତ୍ସା ଶାସ୍ତ୍ରରେ ଏ ଦୁଇ ଜିନିଷ ଛାଡ଼ିବାର ଫଳାଫଳ ନେଇ ମତଦ୍ୱୈଧ ଥାଇପାରେ, କିନ୍ତୁ ସଂଯମ ଦୃଷ୍ଟିରୁ ଏ ଦୁଇଟିର ତ୍ୟାଗରେ ଯେ ଲାଭ ଅଛି, ଏଥିରେ ମୋର ତିଳେ ହେଲେ ସନ୍ଦେହ ନାହିଁ । ଭୋଗୀ ଓ ସଂଯମୀର ଖାଦ୍ୟ ଭିନ୍ନ; ତାଙ୍କର ରାସ୍ତାହିଁ ଭିନ୍ନ ହେବା ଉଚିତ ।

 

ଅନେକ ସମୟରେ ବ୍ରହ୍ମଚର୍ଯ୍ୟ ପାଳିବାକୁ ଇଚ୍ଛା କରୁଥିବା ଲୋକେ ଭୋଗୀ ଜୀବନ ଗ୍ରହଣ କରି ବ୍ରହ୍ମଚର୍ଯ୍ୟକୁ କଠିନ ଏବଂ ଅନେକ ଥର ପ୍ରାୟ ଅସମ୍ଭବ କରିପକାଇଥାନ୍ତି ।

 

ଆତ୍ମସଂଯମ ପଥରେ

 

କସ୍ତୁର୍‌ବାଈର ବେମାର ଯୋଗୁଁ ଖାଇବା ପିଇବାରେ କିପରି କେତେକ ପରିବର୍ତ୍ତନ ହୋଇଥିଲା, ତାହା ମୁଁ ଗତ ଅଧ୍ୟାୟରେ କହିସାରିଛି । ଏଣିକି ଦିନକୁ ଦିନ ତହିଁରେ ବ୍ରହ୍ମଚର୍ଯ୍ୟ ଦୃଷ୍ଟିରୁ ପରିବର୍ତ୍ତନ ହେବାକୁ ଲାଗିଥିଲା ।

 

ତହିଁରେ ପ୍ରଥମ ଥିଲା ଦୁଧ ଛାଡ଼ିବା । ଦୁଧ ଯେ ଇନ୍ଦ୍ରୟବିକାର ବଢ଼ାଏ—ଏ କଥା ମୁଁ ପ୍ରଥମେ ରାଏଚାନ୍ଦ ଭାଇଙ୍କଠାରୁ ଶୁଣିଥିଲି । ନିରାମିଷ ଆହାର ସମ୍ବନ୍ଧରେ ଇଂରାଜୀ ବହି ପଢ଼ିଲାରୁ ମୋର ସେ ଧାରଣା ଦୃଢ଼ତର ହୋଇଥିଲା । ମାତ୍ର ଯେ ପର୍ଯ୍ୟନ୍ତ ମୁଁ ବ୍ରହ୍ମଚର୍ଯ୍ୟ ବ୍ରତ ନେଇ ନ ଥିଲି, ସେ ପର୍ଯ୍ୟନ୍ତ ଦୁଧ ଛାଡ଼ିବାକୁ ବା ମନ ଟାଣ କରିପାରୁ ନ ଥିଲି । ଶରୀରର ପୋଷଣ ପାଇଁ ଦୁଧ ଯେ ଏକାନ୍ତ ଆବଶ୍ୟକ ନ ଥିଲା, ଏହା ମୁଁ କେବେଠୁଁ ବୁଝିପାରିଥିଲି । ମାତ୍ର ଦୁଧ ଶୀଘ୍ର ଛାଡ଼ିଦେବା ବସ୍ତୁ ନ ଥିଲା । ସଂଯମ ପାଇଁ ଦୁଧ ଛାଡ଼ିବା ଉଚିତ ବୋଲି ଅଧିକ ଉପଲବ୍‌ଧ କରୁଥିଲି, ଏତିକିବେଳେ ଗାଈ, ମଇଁଷିଙ୍କ ଉପରେ ଗାଈଆଳମାନେ କିପରି ନିଷ୍ଠୁରତା କରିଥାନ୍ତି; ସେ ସମ୍ବନ୍ଧରେ କେତେକ ଲେଖା କଲିକତାରୁ ମୋ ହାତରେ ପଡ଼ିଥିଲା । ଏହାର ପ୍ରଭାବ ମୋ ଉପରେ ଆଶ୍ଚର୍ଯ୍ୟ ରକମର ହୋଇଥିଲା । ମୁଁ କେଲେନ୍‌ବାଙ୍କ ସଙ୍ଗେ ସେ ବିଷୟ ଆଲୋଚନା କରିଥିଲି । ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ ଇତିହାସରେ ପାଠକମାନଙ୍କ ସଙ୍ଗେ ମୁଁ କେଲେନ୍‌ବାକ୍‌ଙ୍କ ପରିଚୟ କରାଇ ଦେଇଛି ଏବଂ ଏ ବହିର ଗୋଟିଏ ପୂର୍ବ ଅଧ୍ୟାୟରେ ତାଙ୍କ କଥା ଟିକିଏ କହିଯାଇଛି । ତଥାପି ଏଠାରେ ତାଙ୍କ ସମ୍ବନ୍ଧରେ ଦି’ପଦ କିଛି କହିବା ଆବଶ୍ୟକ ବୋଲି ମନେ କରୁଛି । ତାଙ୍କ ସଙ୍ଗେ ପରିଚୟ ହଠାତ୍ ହୋଇଯାଇଥିଲା । ସେ ମିଷ୍ଟର୍‌ ଖାନ୍‌ଙ୍କର ବନ୍ଧୁ ଥିଲେ ଏବଂ ଖାନ୍ କେଲେନ୍‌ବାକ୍‌ଙ୍କର ଅନ୍ତରର ବୈରାଗ୍ୟଭାବ ଦେଖିପାରିଥିବାରୁ ମୋ ସହିତ ତାଙ୍କର ପରିଚୟ କରାଇ ଦେଇଥିଲେ ।

 

ପରିଚୟ ହେବାପରେ ତାଙ୍କର ସୌଖୀନ୍ କଥା ଏବଂ ଖର୍ଚ୍ଚୀପଣିଆ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । କିନ୍ତୁ ଆମର ପ୍ରଥମ ସାକ୍ଷତରେ ସେ ମତେ ଧର୍ମ ବିଷୟରେ କେତେଗୁଡ଼ିଏ ପ୍ରଶ୍ନ ପଚାରିଥିଲେ । କଥାବାର୍ତ୍ତାରେ ଗୌତମ ବୁଦ୍ଧଙ୍କର ତ୍ୟାଗ କଥା ଆପଣା ମନକୁ ଉଠିଥିଲା । ଏ କଥାବାର୍ତ୍ତା ପରେ ଆମର ପରିଚୟ ବଢ଼ିଥିଲା । ଏତେଦୂର ହେଲା ଯେ, ଯାହା ମୁଁ କରିବି, ତାହା ତାଙ୍କର ନିଶ୍ଚୟ କରିବା ଉଚିତ—ଏଭଳି ଧାରଣା ତାଙ୍କ ମନରେ ଦୃଢ଼ ହୋଇଯାଇଥିଲା ।

 

ସେତେବେଳେ ସେ ଏକୁଟିଆ ପଟେ (ଅବିବାହିତ) ଥିଲେ । ନିଜେ, ଜଣକ ପାଇଁ, ସେ ଘରଭଡ଼ା ଛଡ଼ା ମାସକୁ ପ୍ରାୟ ଟ୧୨୦୦ଙ୍କା ଖର୍ଚ୍ଚ କରୁଥିଲେ । ସେଥିରୁ ସେ ଏତେ ସାଧାସିଧା ଆଡ଼କୁ ଆସିଥିଲେ ଯେ, ଦିନେ ତାଙ୍କର ମାସିକ ଖର୍ଚ୍ଚ ମାତ୍ର ଟ୧୨୦ଙ୍କାରେ ଆସି ରହିଥିଲା । ମୋର ଘର ସଂସାର ଛିନଛତ୍ର ହୋଇଯିବା ପରେ ଓ ମୋର ପ୍ରଥମ ଜେଲ ପରେ ଆମେ ଦୁହେଁ ଏକତ୍ର ବାସ କରିଥିଲୁ । ସେତେବେଳେ ଆମ ଦୁହିଁଙ୍କର ବେଶ୍ କଠୋର ଜୀବନ କଟୁଥିଲା ।

 

ଏହି ଏକାଠି ରହିବା ସମୟରେ ଦୁଧ ସମ୍ବନ୍ଧରେ ଆମର ସେ ଆଲାଚନା ହୋଇଥିଲା । କେଲେନ୍‌ବାକ୍ କହିଥିଲେ, ‘‘ଆମେ ତ ଦୁଧର ମନ୍ଦ ଫଳ ସମ୍ବନ୍ଧରେ ଅନେକ କଥାବାର୍ତ୍ତା କରୁଛୁ, ତେବେ ଦୁଧ ଛାଡ଼ି ନଦେବା କାହିଁକି ? ଏହା ତ ଏକାନ୍ତ ଆବଶ୍ୟକ ନୁହେଁ ।’’ ତାଙ୍କର ଏ ମତ ଶୁଣି ମୁଁ ଟିକିଏ ଖୁସି ହେଲି ଓ ଆଶ୍ଚର୍ଯ୍ୟ ବି ହୋଇଥିଲି । ମୁଁ ଏ ପ୍ରସ୍ତାବକୁ ସ୍ୱାଗତ କରିଥିଲି । ଟଲଷ୍ଟୟ ଫାରମରେ ସେତିକିବେଳେ ଦୁହେଁ ଦୁଧ ଛାଡ଼ିଥିଲୁ । ୧୯୧୨ରେ ଏହା ଘଟିଥିଲା ।

 

ଏତିକି ତ୍ୟାଗରେ ଶାନ୍ତି ନ ଥିଲା । ଏହାର ଅଳ୍ପକାଳ ପରେ କେବଳ ଫଳାହାର କରି ରହିବୁ ବୋଲି ସ୍ଥିର କରିଥିଲୁ । ଏ ଫଳାହାରରେ ମଧ୍ୟ ସବୁଠାରୁ ଶସ୍ତା ଫଳରେ ଚଳେଇବାର ବିଚାର ଥାଏ । ସବୁଠାରୁ ଦରିଦ୍ରଙ୍କ ପରି ଜୀବନଯାପନ କରିବା ଆମର ଆଗ୍ରହ ଥିଲା ।

 

ଫଳାହାର ମଧ୍ୟ ବଡ଼ ସୁବିଧାଜନକ ହୋଇଥିଲା । ରୋଷେଇ କରିବା ଏକପ୍ରକାର ବନ୍ଦ ହୋଇଥିଲା । ଭଜା ନ ହୋଇଥିବା ଚିନାବାଦମ, କଦଳୀ, ଲେମ୍ବୁ ଓ ଅଲିଭ୍ ତେଲ, ଏୟା ଥିଲା ଆମର ସାଧାରଣ ଖାଦ୍ୟ ।

 

ବ୍ରହ୍ମଚର୍ଯ୍ୟ ପାଳିବାକୁ ଇଚ୍ଛା ଥିବା ଲୋକଙ୍କୁ ମୁଁ ଏଠି ପଦେ ସତର୍କବାଣୀ ଶୁଣେଇ ଦେବାକୁ ଚାହେଁ । ବ୍ରହ୍ମଚର୍ଯ୍ୟ ସଙ୍ଗେ ଖାଦ୍ୟପେୟ ଓ ଉପବାସର ଘନିଷ୍ଠ ସମ୍ବନ୍ଧ ଥିବାର ଯଦ୍ୟପି ମୁଁ କହୁଛି; ତଥାପି ଏତକ ଯଥାର୍ଥ କଥା ଯେ, ମନ ଏହାର ମୁଖ୍ୟ ଆଧାର । ମଇଳା ମନ ଉପବାସରେ ଶୁଦ୍ଧ ହୁଏ ନାହିଁ । ଖାଦ୍ୟର ପ୍ରଭାବ ତା ଉପରେ ପଡ଼େ ନାହିଁ । ଆତ୍ମଚିନ୍ତା, ଭଗବାନଙ୍କଠାରେ ଧ୍ୟାନ ଏବଂ ଶେଷରେ ତାଙ୍କରି କୃପାରେ ହିଁ ମନର ମଇଳା ଛାଡ଼ିଯାଏ । କିନ୍ତୁ ମନ ଓ ଶରୀରର ଘନିଷ୍ଠ ସମ୍ବନ୍ଧ ଅଛି ଏବଂ ବିଷୟୀ ମନ ସବୁବେଳେ ବିଷୟୀ ଖାଦ୍ୟ ଖୋଜେ, ସବୁବେଳେ ସ୍ୱାଦ ଓ ବିଳାସ ପାଇଁ ଧାଇଁଥାଏ । ଏପରି ଖାଦ୍ୟ ଓ ଭୋଗ ବିଳାସର ପ୍ରଭାବ ପୁଣି ମନ ଉପରେ ପଡ଼ିଥାଏ । ତେଣୁ ସେତିକି ପରିମାଣରେ ଖାଦ୍ୟ-ସଂଯମ ଓ ଉପବାସ ଆବଶ୍ୟକ ହୋଇଥାଏ । ବିଷୟୀ ମନ ଇନ୍ଦ୍ରିୟମାନଙ୍କୁ ଆୟତ୍ତରେ ରଖିବା ବଦଳରେ ଦେହର ଓ ଇନ୍ଦ୍ରିୟମାନଙ୍କର ଦାସ ହୋଇପଡ଼େ । ସେଥିପାଇଁ ଶରୀରର ଶୁଦ୍ଧ ଓ ସବୁଠାରୁ କମ୍ ବିଷୟୀ ଖାଦ୍ୟ ତଥା ସାମୟିକ ନିରାହାର ଆବଶ୍ୟକ-

 

ଅତଏବ ଯେଉଁମାନେ କହନ୍ତି ଯେ, ସଂଯମୀର ଖାଦ୍ୟ-ସଂଯମ ବା ଉପବାସ ଲୋଡ଼ା ନାହିଁ, ସେମାନେ ଯେତିକି ଭୁଲ କରନ୍ତି, ଯେଉଁମାନେ ଉପବାସ ଓ ଖାଦ୍ୟ-ସଂଯମୀକୁ ସର୍ବସ୍ୱ ବୋଲି ପୂରା ଧରି ବସିଥାଆନ୍ତି, ସେମାନେ ବି ସେତିକି ଭୁଲ କରନ୍ତି । ମୋର ଅନୁଭୂତି ଯେ ଯେଉଁମାନଙ୍କର ମନ ସଂଯମ ଆଡ଼କୁ ଯାଇଥାଏ; ସେମାନଙ୍କୁ ଉପବାସ ଓ ଖାଦ୍ୟ-ସଂଯମ ସାହାଯ୍ୟ କରିଥାନ୍ତି । ସେମାନଙ୍କ ସାହାଯ୍ୟ ବିନା ମନରୁ କାମ ଶୂନ୍ୟ କରି ହେବନାହିଁ ।

 

ଉପବାସ

 

ମୁଁ ଶସ୍ୟ ଓ ଦୁଧ ଖାଇବା ଛାଡ଼ି ଫଳାହାରରେ ଚଳିବା ଆରମ୍ଭ କରିବା ସଙ୍ଗେ ସଙ୍ଗେ ସଂଯମ ଉଦ୍ଦେଶ୍ୟରେ ଉପବାସ ମଧ୍ୟ ଆରମ୍ଭ କରିଥିଲି । ଏଥିରେ କେଲେନ୍‌ବାକ୍ ବି ପଡ଼ିଥିଲେ । ପୂର୍ବରୁ ଉପବାସ କରୁଥିଲି । କିନ୍ତୁ ସେତକ କେବଳ ସ୍ୱାସ୍ଥ୍ୟଦୃଷ୍ଟିରୁ କରିଥିଲି । ଦେହ ଦମନ ପାଇଁ ଉପବାସ ଆବଶ୍ୟକ ବୋଲି ମୁଁ ଜଣେ ବନ୍ଧୁଙ୍କ ପ୍ରେରଣାରୁ ବୁଝିଥିଲି ।

 

ବୈଷ୍ଣବ ପରିବାରରେ ଜନ୍ମିଥିଲି; ପୁଣି ମା’ ସବୁପ୍ରକାର କଠୋର ବ୍ରତ ଉପବାସ ପାଳୁଥିଲା । ଫଳରେ ଦେଶରେ ଥିଲାବେଳେ ମୁଁ ଏକାଦଶୀ ଇତ୍ୟାଦି ପାଳୁଥିଲି । କିନ୍ତୁ ସେତକ ଅନୁକରଣ କରିବାକୁ କିମ୍ବା ବାପ ମା’ଙ୍କୁ ସନ୍ତୁଷ୍ଟ କରିବାକୁ କରୁଥିଲି ।

 

ସେତେବେଳେ ଉପବାସରୁ କ’ଣ ମିଳେ, ତାହା ବୁଝି ନ ଥିଲି ବା ସେଥିରେ ବିଶ୍ୱାସ କରୁ ନ ଥିଲି । କିନ୍ତୁ ଉକ୍ତବନ୍ଧୁଙ୍କ ଉପବାସ କରିବା ଦେଖି ବ୍ରହ୍ମଚର୍ଯ୍ୟ ବ୍ରତର ସାହାଯ୍ୟ ପାଇଁ ମୁଁ ତାଙ୍କୁ ଅନୁକରଣ କରି ଏକାଦଶୀ ଉପବାସ କରିବାକୁ ଆରମ୍ଭ କରିଥିଲି । ସାଧାରଣତଃ ଲୋକେ ଏକାଦଶୀ ଉପବାସରେ ଦୁଧ ଓ ଫଳ ଖାଇ ରହନ୍ତି । କିନ୍ତୁ ସେମିତି ଫଳାହାର ଉପବାସ ମୋର ପ୍ରତିଦିନ ହେଉଥିଲା । ସେଥିଯୋଗଁ ନିରାହାର ଉପବାସ ଆରମ୍ଭ କରିଥିଲି । କେବଳ ପାଣି ପିଉଥିଲି ।

 

ମୁଁ ଏ ପ୍ରୟୋଗ ଆରମ୍ଭ କଲାବେଳେ ଶ୍ରାବଣ ମାସ ଆସୁଥାଏ । ସେ ବର୍ଷ ରମଜାନ୍ ଓ ଶ୍ରାବଣ ମାସ ଏକାଠି ପଡ଼ିଥିଲା । ଗାନ୍ଧୀ ପରିବାରରେ ବୈଷ୍ଣବ ବ୍ରତ ସଙ୍ଗେ ଶୈବ ବ୍ରତମାନ ମଧ୍ୟ ପାଳୁଥିଲେ । ସେମାନେ ବିଷ୍ଣୁ ଓ ଶିବ ମନ୍ଦିରମାନ ଦର୍ଶନ କରୁଥିଲେ । ପରିବାରର କେତେକ ପ୍ରତିବର୍ଷ ଶ୍ରାବଣ ମାସର ‘ପ୍ରଦୋଷ’ ବ୍ରତ ପାଳି ସନ୍ଧ୍ୟାଯାଏ ଉପବାସ କରୁଥିଲେ । ଏ ଶ୍ରାବଣ ମାସରେ ମୁଁ ସେମିତି କରିବାକୁ ସ୍ଥିର କରିଥିଲି ।

 

ଏ ସବୁ ଗୁରୁତର ପ୍ରୟୋଗ ଟଲଷ୍ଟୟ ଆଶ୍ରମରେ ଆରମ୍ଭ କରିଥିଲୁ । ସେଠାରେ କେତେଗୁଡ଼ିଏ ସତ୍ୟାଗ୍ରହୀ ପରିବାରଙ୍କୁ ଜଗାରଖା କରିବାକୁ ମୁଁ ଓ କେଲେନ୍‌ବାକ୍‌ ରହୁଥିଲୁ । ସେଥିରେ ସାନପିଲା ଓ ଯୁବକ ମଧ୍ୟ ଥିଲେ । ତାଙ୍କ ପାଇଁ ଗୋଟିଏ ବିଦ୍ୟାଳୟ ଚାଲୁଥିଲା । ଏ ଯୁବକଙ୍କ ମଧ୍ୟରେ ଚାରି ପାଞ୍ଚ ଜଣ ମୁସଲମାନ ଥିଲେ । ତାଙ୍କର ଧର୍ମର ନିୟମ ପାଳିବାପାଇଁ ମୁଁ ସେମାନଙ୍କୁ ସବୁବେଳେ ସାହାଯ୍ୟ କରୁଥିଲି ଓ ଉତ୍ସାହ ଦେଉଥିଲି । ନମାଜ ପ୍ରଭୃତିର ସୁବିଧା ମୁଁ କରି ଦେଉଥିଲି । ଆଶ୍ରମରେ ଖ୍ରୀଷ୍ଟିୟାନ ତଥା ପାର୍ଶୀ ପିଲା ମଧ୍ୟ ଥିଲେ ଏବଂ ସମସ୍ତଙ୍କୁ ନିଜ ନିଜର ଧର୍ମଆଚାର ପାଳିବାକୁ ପ୍ରବର୍ତ୍ତେଇବା ନିୟମ ଥିଲା ।

 

ଅତଏବ ଏ ମାସରେ ମୁସଲମାନ ପିଲାଙ୍କୁ ରମଜାନ୍ ପାଳିବାକୁ ପ୍ରବର୍ତ୍ତେଇଥିଲି । ମୁଁ ତ ନିଜେ ‘ପ୍ରଦୋଷ’ ପାଳିବାକୁ ସ୍ଥିର କରିଥାଏ । ଏବେ ମୁଁ ହିନ୍ଦୁ ପାର୍ଶୀ, ଖ୍ରୀଷ୍ଟିୟାନ ପିଲାଙ୍କୁ ମୋ ସଙ୍ଗେ ଯୋଗ ଦେବାଙ୍କୁ କହିଥିଲି । କୌଣସି ସଂଯମ କାମରେ ଅନ୍ୟମାନଙ୍କ ସଙ୍ଗେ ଯୋଗ ଦେବା ଗୋଟିଏ ଭଲକାମ ବୋଲି ତାଙ୍କୁ ବୁଝାଇଥିଲି ।

 

ଅନେକ ଗୁଡ଼ିଏ ଆଶ୍ରମବାସୀ ମୋ କାମକୁ ପସନ୍ଦ କରିଥିଲେ । ହିନ୍ଦୁ ଓ ପାର୍ଶୀ ପିଲାଯାକ ମୁସଲମାନ ପିଲାଙ୍କୁ ଟିକିନିଖି କରି ସବୁ କାମରେ ଅନୁକରଣ କରୁ ନ ଥିଲେ—କରିବା ଆବଶ୍ୟକ ମଧ୍ୟ ନ ଥିଲା । ମୁସଲମାନ ପିଲାମାନେ ସୂର୍ଯ୍ୟାସ୍ତକୁ ଅନେଇ ବସୁଥିଲେ । ମାତ୍ର ଅନ୍ୟମାନେ ତାହା ଆଗରୁ ଖାଇ ନେଉଥିଲେ ଏବଂ ଫଳରେ ମୁସଲମାନ ପିଲାଙ୍କ ପାଇଁ ଭଲ ଭଲ ରୋଷେଇ କରି ତାଙ୍କୁ ପରଷୁ ଥିଲେ । ପୁଣି ମୁସଲମାନ ପିଲାମାନେ ସୂର୍ଯ୍ୟୋଦୟ ପୂର୍ବରୁ ତାଙ୍କର ଶେଷ ଖାଇବା ଖାଉଥିଲେ । ସେଥିରେ ଅନ୍ୟମାନେ ଯୋଗ ଦେଇପାରୁ ନଥିଲେ ଏବଂ ମୁସଲମାନମାନେ ଦିନରେ ପାଣି ପିଉ ନ ଥିଲେ, ଅନ୍ୟମାନେ ପାଣି ପିଉଥିଲେ ।

 

ଏ ସବୁ ପ୍ରୟୋଗ ଫଳରେ ସମସ୍ତେ ଉପବାସର ମୂଲ୍ୟ ବୁଝିପାରିଥିଲେ । ତାଙ୍କ ଭିତରେ ପରସ୍ପର ପ୍ରତି ଉଦାରତା ଓ ପ୍ରେମ ଭାବ ବଢ଼ିଥିଲା ।

 

ଟଲଷ୍ଟୟ ଆଶ୍ରମରେ ନିରାମିଷ ନିୟମ ଥିଲା । ମୁଁ କୃତଜ୍ଞତାର ସହିତ ସ୍ୱୀକାର କରୁଛି ଯେ, ମୋ ପ୍ରତି ସମସ୍ତଙ୍କର ସ୍ନେହ ଯୋଗୁଁ ଏ ନିୟମକୁ ସମସ୍ତେ ମାନୁଥିଲେ । ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ମୁସଲମାନ ପିଲାଙ୍କୁ ରମଜାନ୍ ମାସରେ ମାଂସ ଛାଡ଼ିବା ଖରାପ ଲାଗିଥିବ । ମାତ୍ର ଯୁବକଙ୍କୁ ଭିତରୁ କେହି ମତେ କେବେହେଲେ ସେ କଥା ଜଣାଇ ନାହାନ୍ତି । ସେମାନେ ନିରାମିଷ ଖାଦ୍ୟ ଆନନ୍ଦ ଓ ତୃପ୍ତିର ସହିତ ଖାଉଥିଲେ । ହିନ୍ଦୁ ପିଲାମାନେ ମଧ୍ୟ ଆଶ୍ରମକୁ ଯେମିତି ଅସୁନ୍ଦର ନ ଦିଶେ ସେମିତିକା ସୁଆଦିଆ ଜିନିଷ ସବୁ ତାଙ୍କୁ ରାନ୍ଧି ଦେଉଥିଲେ ।

 

ଏ ଉପାସ ଅଧ୍ୟାୟରେ ମୁଁ ଜାଣିଶୁଣି ଟିକିଏ ଅନ୍ୟ ବିଷୟକୁ ଚାଲିଗଲି । କାରଣ ମୁଁ ଏସବୁ ମଧୁର ସ୍ମୃତି ଅନ୍ୟତ୍ର କହିପାରି ନ ଥାନ୍ତି । ସେ ବିଷୟାନ୍ତରକୁ ଯାଇ ମୁଁ ମୋର ଗୋଟାଏ ଅଭ୍ୟାସ କଥା କହି ପକେଇଛି । ଯେଉଁ କାର୍ଯ୍ୟଟା ମତେ ଭଲ ଲାଗୁଥିଲା, ସେଥିରେ ସାଥୀମାନଙ୍କୁ ମୋ ସାଙ୍ଗକୁ ଟାଣି ଆଣିବାକୁ ମୁଁ ଚେଷ୍ଟା କରୁଥିଲି । ଉପବାସ ଓ ଓଳିକିଆ କଥାଟା ତାଙ୍କୁ ନୂଆ ଥିଲା; ମାତ୍ର ‘ପ୍ରଦୋଷ’ ଓ ରମଜାନ ଉପବାସରେ ସମସ୍ତଙ୍କୁ ସାମିଲ କରେଇଥିଲି ।

 

ଫଳରେ ଆଶ୍ରମରେ ସଂଯମର ଗୋଟିଏ ବାତାବରଣ ସହଜରେ ସୃଷ୍ଟି ହୋଇଥିଲା । ଏଣିକି ଆଶ୍ରମବାସୀମାନେ ଅନ୍ୟାନ୍ୟ ପୂରା ବା ଅଧା ଉପବାସ କରିବାରେ ଆମ ସଙ୍ଗେ ଯୋଗ ଦେଇଥିଲେ । ଏହାର ଫଳ ଶୁଭ ହୋଇଥିଲା ବୋଲି ମୋର ମତ । ସଂଯମର ପ୍ରଭାବ ତାଙ୍କ ହୃଦୟ ଉପରେ କେତେଦୂର ପଡ଼ିଥିଲା ଏବଂ ଉପବାସ ପ୍ରଭୃତି କେତେ ଦୂର ସମସ୍ତଙ୍କର କାମ ବାସନାକୁ ଦବେଇବାରେ ସାହାଯ୍ୟ କରୁଥିଲା, ତାହା ମୁଁ ଠିକ୍ କରି କହିପାରିବି ନାହିଁ । କିନ୍ତୁ ସ୍ୱାସ୍ଥ୍ୟ ଓ ସଂଯମ ଦୃଷ୍ଟିରୁ ମୋ ଉପରେ ବଡ଼ ଭଲ ପ୍ରଭାବ ହୋଇଥିଲା ବୋଲି ମୁଁ ଜାଣି ପାରିଥିଲି । ତଥାପି ମୁଁ ଜାଣେ ଯେ ଉପବାସ ଏବଂ ସେହିଭଳି ଅନ୍ୟ ବ୍ରତ ନିୟମମାନ ସମସ୍ତଙ୍କ ପାଇଁ ସମାନ ଫଳପ୍ରଦ ହୁଏ ନାହିଁ ।

 

ଇନ୍ଦ୍ରିୟ ଦମନ ଉଦ୍ଦେଶ୍ୟରେ ଯେ ଉପବାସ କରା ହୋଇଥାଏ, ତାହା କାମ ପ୍ରବୃତ୍ତି ଦମନ କରିବାରେ ସାହାଯ୍ୟ କରିଥାଏ । କେତେକ ବନ୍ଧୁଙ୍କର ଏଭଳି ଅଭିଜ୍ଞତା ମଧ୍ୟ ହୋଇଛି ଯେ, ଉପବାସର ଫଳରେ କାମଲାଳସା ତଥା ଜିହ୍ୱା ଲାଳସା ଉଭୟ ତେଜି ଉଠିଛନ୍ତି । ଏହାର ଅର୍ଥ ଉପବାସ ଭିତରେ ଇନ୍ଦ୍ରିୟ ଦମନପାଇଁ ତଥା ସ୍ୱାଦକୁ ଜିତିବା ପାଇଁ ସର୍ବଦା ଚିନ୍ତା ଥିଲେ, ତାର ଫଳ ଭଲ ହୋଇଥାଏ । ଉଦ୍ଦେଶ୍ୟ ନଥାଇ, ମନ ନଥାଇ, କାମନାକୁ ଦାବିଦେବ ଏହା ବିଚାରିବା ଭୁଲ । ଏହି ସମ୍ପର୍କରେ ଭଗବତଗୀତାର ଦ୍ୱିତୀୟ ଅଧ୍ୟାୟର ସେହି ଶ୍ଲୋକ ବିଚାର କରିବାଯୋଗ୍ୟ ଅଟେ ।

 

‘‘ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହୀନଃ

ରାସବର୍ଜଂ ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତ୍ତତେ ।’’

 

ଉପବାସୀର ବିଷୟ (ଉପବାସ ଭିତରେ) ଶାନ୍ତ ଥାଏ, ତାର ରସ ଯାଇ ନଥାଏ । ରସ ତ କେବଳ ଈଶ୍ୱର ଦର୍ଶନରେ ଈଶ୍ୱର କୃପାରୁ ଯାଇଥାଏ । ଅର୍ଥାତ୍ ଉପବାସ ପ୍ରଭୃତି ସଂଯମୀର ମାର୍ଗରେ ଗୋଟିଏ ସାଧନ ମାତ୍ର । କିନ୍ତୁ ତାହା ସବୁ ସାଧନ ନୁହେଁ । ଦୈହିକ ନିରାହାର ସଙ୍ଗେ ସଙ୍ଗେ ଯଦି ମାସିକ ନିରାହାର ନ ଥାଏ, ତେବେ ମିଥ୍ୟାଚାର ବଢ଼େ ଓ ଅନିଷ୍ଟ କରେ ।

 

ସ୍କୁଲ ମାଷ୍ଟର

 

ଯେଉଁସବୁ ବିଷୟ ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ ଇତିହାସରେ ବର୍ଣ୍ଣିତ ହୋଇ ନାହିଁ ବା ଆଂଶିକ ବର୍ଣ୍ଣିତ ହୋଇଅଛି, ସେହିସବୁ ବିଷୟ ମୁଁ ଏ ସବୁ ଅଧ୍ୟାୟରେ ବର୍ଣ୍ଣନା କରୁଛି । ଏତକ ପାଠକ ମନେ ରଖିଲେ ଏ ଅଧ୍ୟାୟ ଗୁଡ଼ିକର ପରସ୍ପର ସମ୍ବନ୍ଧ ବୁଝି ପାରିବେ ।

 

ଟଲଷ୍ଟୟ ଆଶ୍ରମର ବାଳକ ବାଳିକାମାଙ୍କର ଶିକ୍ଷାର ବନ୍ଦୋବସ୍ତ କରିବାକୁ ପଡ଼ିଥିଲା । ମୋ ସଙ୍ଗରେ ହିନ୍ଦୁ, ମୁସଲମାନ, ପାର୍ଶୀ ଓ ଖ୍ରୀଷ୍ଟିୟାନ ଯୁବକ ଥିଲେ ଏବଂ କେତେଜଣ ହିନ୍ଦୁ ବାଳିକା ମଧ୍ୟ ଥିଲେ । ସେମାନଙ୍କ ପାଇଁ ଖାସ ଶିକ୍ଷକ ନିଯୁକ୍ତ କରିବା ସମ୍ଭବ ନ ଥିଲା ଓ ମୁଁ ମଧ୍ୟ ଆବଶ୍ୟକ ମନେ କରି ନ ଥିଲି । କାରଣ ଉପଯୁକ୍ତ ଭାରତୀୟ ଶିକ୍ଷକ ମିଳୁଥିଲେ, ମିଳିଲେ ମଧ୍ୟ ଜୋହାନ୍‌ସବର୍ଗରୁ ୧୨୧ ମାଇଲ ଦୂରକୁ ବେଶୀ ଦରମା ନ ପାଇଲେ କିଏ ଆସିବ ? ମୋ ପାଖରେ ପଇସା କଉଡ଼ି ବି ଉଛୁଳି ପଡ଼ୁ ନ ଥିଲା । ମୁଁ ବାହାରୁ ଶିକ୍ଷକ ଆଣିବା ଆବଶ୍ୟକ ବିଚାରୁ ନଥିଲି । କାରଣ ପ୍ରଚଳିତ ଶିକ୍ଷା ପଦ୍ଧତିରେ ମୋର ବିଶ୍ୱାସ ନ ଥିଲା ଏବଂ ଅନୁଭୂତି ଦ୍ୱାରା ଶିକ୍ଷା ପଦ୍ଧତି ବାହାର କରିବାର ଇଚ୍ଛା ମୋର ଥିଲା । ମୁଁ କେବଳ ଏତିକି ବୁଝୁଥିଲି ଯେ, ଆଦର୍ଶ ଅବସ୍ଥାରେ କେବଳ ମା, ବାପ ପ୍ରକୃତ ଶିକ୍ଷା ଦେଇପାରନ୍ତି । ଆଦର୍ଶ ଅବସ୍ଥାରେ ବାହାର ସାହଯ୍ୟ ଯେତେ କମ୍ ହୋଇପାରେ ସେତେ ହେବା ଉଚିତ । ଟଲଷ୍ଟୟ ଫାରମ ଗୋଟିଏ ପରିବାର ସ୍ୱରୂପ ଏବଂ ମୁଁ ସେଥିରେ ପିତା ଅଟେ; ଅତଏବ ପିଲାଙ୍କୁ ଗଢ଼ିବାର ଦାୟିତ୍ୱ ଯେତେଦୂର ସମ୍ଭବ ମତେ ମୁଣ୍ଡଇବାକୁ ପଡ଼ିବ, ଏହା ମୁଁ ସ୍ଥିର କରିଥିଲି ।

 

ଏ ବିଚାରରେ ବହୁତ ଦୋଷ ନିଶ୍ଚୟ ଥିଲା । ଯୁବକମାନେ ଜନ୍ମରୁ ମୋ ପାଖରେ ନଥିଲେ । ସମସ୍ତେ ଭିନ୍ନ ଭିନ୍ନ ବାତାବରଣରେ ବଢ଼ିଥିଲେ; ପୁଣି ସମସ୍ତେ ଏକା ଧର୍ମର ବି ନଥିଲେ-। ଏପରି ଅବସ୍ଥାରେ ବାଳକ ବାଳିକାଙ୍କର ମୁଁ ପିତୃସ୍ଥାନ ଅଧିକାର କଲେ ସୁଦ୍ଧା ସମସ୍ତଙ୍କୁ ତାଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେଇପାରନ୍ତି ନାହିଁ ।

 

କିନ୍ତୁ ମୁଁ ହୃଦୟର ଶିକ୍ଷା ଅର୍ଥାତ୍ ଚରିତ୍ର ଗଠନକୁ ସବୁବେଳେ ପ୍ରଥମ ସ୍ଥାନ ଦେଉଛି ଏବଂ ପିଲାମାନଙ୍କ ବୟସ ବା ମୂଳରୁ ଲାଳନ ପାଳନର ବାୟୁମଣ୍ଡଳରେ ସମତା ନ ଥିଲେ ସୁଦ୍ଧା ସେଭଳି ହୃଦୟର ଶିକ୍ଷା ସମସ୍ତଙ୍କୁ ଅଳ୍ପ ବହୁତ ଦିଆଯାଇ ପାରିବ-ଏୟା ବିଚାରି ମୁଁ ସେମାନଙ୍କ ମଧ୍ୟରେ ଦିନରାତି ତାଙ୍କ ପିତାଭଳି ରହୁଥିଲି । ମୋ ବିଚାରରେ ଚରିତ୍ରହିଁ ତାଙ୍କ ଶିକ୍ଷାର ପ୍ରକୃତ ମୂଳଭିତ୍ତି ଥିଲା । ଏ ମୂଳଦୁଆ ପକ୍‌କା ହୋଇଗଲେ, ସେମାନେ ଅନ୍ୟ ବିଷୟରେ ଶିକ୍ଷା ନିଜ ବଳରେ ବା ଅନ୍ୟ ସାହାଯ୍ୟରେ ଜୁଟେଇ ନେବେ ।

 

ତଥାପି ଅକ୍ଷର ଜ୍ଞାନ ଅଳ୍ପ ବହୁତ ହେବା ଦରକାର, ଏହା ମୁଁ ବୁଝିଥିଲି ଏବଂ ତା ପାଇଁ କେତେକ ଶ୍ରେଣୀ ଚଳେଇଥିଲି । ମୁଁ ସେଥିରେ କେଲେନ୍‌ବାକ୍ ତଥା ପ୍ରାଣଜୀ ଦେଶାଇଙ୍କ ସାହାଯ୍ୟ ନେଇଥିଲି । ଶାରୀରିକ ଶିକ୍ଷାର ଆବଶ୍ୟକତା ମଧ୍ୟ ବୁଝୁଥିଲି । ସେ ଶିକ୍ଷା ତାଙ୍କୁ ସହଜରେ ମିଳିଯାଉଥିଲା । ଆଶ୍ରମରେ ଚାକର ତ ନ ଥିଲେ । ରୋଷେଇ, ପାଇଖାନା ସଫେଇଠାରୁ ଆରମ୍ଭ କରି ସମସ୍ତ କାମ ଆଶ୍ରମବାସୀମାନେ କରୁଥିଲେ । ବହୁତ ଗୁଡ଼ିଏ ଫଳଗଛ ଥିଲା । ନୂଆ ଚାଷ ମଧ୍ୟ ଯଥେଷ୍ଟ କରାଯାଉଥିଲା । କେଲେନ୍‌ବାକ୍‌ଙ୍କର ଚାଷର ସୌକ ଥିଲା ଏବଂ ଗୋଟିଏ ସରକାରୀ ଆଦର୍ଶ ଫାରମରେ ସେ କିଛି ମଧ୍ୟ ଶିଖି ଆସିଥିଲେ । ବଡ଼ କ’ଣ ସାନ କ’ଣ, ରୋଷେଇ କାମ ନ ଥିଲେ, ସମସ୍ତଙ୍କୁ ବଗିଚାକାମ କରିବାକୁ ପଡ଼ୁଥିଲା । ଏ କାମ ବାରପଣ ପଡ଼ୁଥିଲା ପିଲାଙ୍କ ଉପରେ । ସେ ବଡ଼ ବଡ଼ ଗାତ ଖୋଳୁଥିଲେ, ଗଛ ହାଣୁଥିଲେ ଓ ବୋଝ ଉଠଉଥିଲେ । ଏଥିରେ ତାଙ୍କର ଦେହ ଟାଣ ହୋଇଯାଉଥିଲା । କାମରେ ସେମାନେ ଆନନ୍ଦ ପାଉଥିଲେ ଏବଂ ତାଙ୍କର ଅନ୍ୟ କୌଣସି ଖେଳ କସରତ୍ ଆବଶ୍ୟକ ହେଉ ନ ଥିଲା । ଅବଶ୍ୟ ତାଙ୍କ ଭିତରୁ କେତେକ କିମ୍ବା ବେଳେ ବେଳେ ସମସ୍ତେ ଚଗଲାମି କରୁଥିଲେ, ଅଳସ କରୁଥିଲେ । ମୁଁ ଅଧିକାଂଶ ସମୟରେ ଏ ସବୁ ଦେଖି ନ ଦେଖିଲାଭଳି ରହି ଯାଉଥିଲି; କିନ୍ତୁ ବେଳେବେଳେ ତାଙ୍କଠୁଁ କଡ଼ା କାମ ନେଉଥିଲି । କଡାକଡ଼ି ବେଳେ ସେମାନେ ଚିଡ଼ି ଚିଡ଼ି ହେବାର ଦେଖୁଥିଲି । କିନ୍ତୁ ସେମାନେ କେବେହେଁ ବିରୋଧ କରିଥିବାର ମୋର ମନେ ପଡ଼ୁନାହିଁ । ଯେତେବେଳେ ମୁଁ କଠୋର ହେଉଥିଲି, ସେତେବେଳେ ତାଙ୍କୁ ବୁଝାଉଥିଲି ଏବଂ ତାଙ୍କୁ ମନେଇ ନେଉଥିଲି ଯେ କାମ ବେଳେ ଖେଳିବା ଭଲ ଅଭ୍ୟାସ ନୁହଁ । ସେମାନେ କ୍ଷଣକେ ବୁଝୁଥିଲେ ପୁଣି ଆର କ୍ଷଣକେ ଭୁଲି ଯାଉଥିଲେ । ଏମିତି ଆମର କାମ ଚାଲିଯାଉଥିଲା ଏବଂ ତାଙ୍କର ଦେହଗୁଡ଼ିକ ଗଢ଼ି ଉଠୁଥିଲା । ଆଶ୍ରମରେ ବେମାରୀ କ୍ୱଚିତ ହୁଏ । ସେଥିପାଇଁ ଜଳବାୟୁ ଏବଂ ଭଲ ଓ ନିୟନ୍ତ୍ରିତ ଖାଇବା ବେଶୀ ଭାଗରେ ଦାୟୀ ଥିଲା ବୋଲି କହିବା ଉଚିତ । ଶାରୀରିକ ଶିକ୍ଷାରେ ଶାରୀରିକ ବ୍ୟବସାୟ ଧନ୍ଦାର ଶିକ୍ଷା ମଧ୍ୟ ଧରାଯାଉଥିଲା । ସମସ୍ତଙ୍କୁ କିଛି ଦରକାରୀ ହସ୍ତଶିଳ୍ପ ଶିକ୍ଷା ଦେବା ମୋର ଉଦ୍ଦେଶ୍ୟ ଥିଲା । ତେଣୁ କେଲେନ୍‌ବାକ୍‌ଙ୍କୁ ଗୋଟାଏ ପାଦ୍ରୀଙ୍କ ମଠକୁ ପଠାଇ ଜୋତା ସିଲାଇ କାମ ଶିଖାଇ ଆଣିଥିଲି । ମୁଁ ତାଙ୍କଠାରୁ ସେ କାମ ଶିଖିଥିଲି ଏବଂ ଅନ୍ୟ ଯେଉଁମାନେ ଶିଖିବାକୁ ରାଜି ଥିଲେ, ତାଙ୍କୁ ଶିଖାଉଥିଲି-। କେଲନ୍‌ବାକ୍‌ଙ୍କର ବଢ଼େଇ କାମର କିଛି ଅଭିଜ୍ଞତା ଥିଲା ଏବଂ ଆଶ୍ରମରେ ଆଉ ଜଣେ ସାଥି ମଧ୍ୟ ସେ କାମ ଜାଣିଥିଲେ । ତେଣୁ ଆମେ ସେ କାମ ମଧ୍ୟ ଅଳ୍ପ ବହୁତ ଶିଖାଉଥିଲୁ । ପ୍ରାୟ ସବୁ ପିଲାଯାକ ରୋଷେଇ ଶିଖିଯାଇଥିଲେ ।

 

ଏସବୁ କାମ ପିଲାଙ୍କ ପାଇଁ ନୂଆ ଥିଲା । ସେମାନେ ଏ ଏସବୁ କାମ ଶିଖିବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । କାରଣ ଆଫ୍ରିକାରେ ଭାରତୀୟ ପିଲାମାନେ ଯାହା ଟିକିଏ ଶିକ୍ଷା ପାଉଥିଲେ, ତାହା କେବଳ ପ୍ରାଥମିକ ଅକ୍ଷର ଜ୍ଞାନରେ ସରିଯାଉଥିଲା ।

 

ଟଲଷ୍ଟୟ ଆଶ୍ରମରେ ମୂଳରୁ ଏକ ପ୍ରଥା ପଡ଼ି ଯାଇଥିଲା ଯେ ଆମେ ଶିକ୍ଷକମାନେ ନିଜେ ଯାହା କରୁ ନ ଥିଲୁ, ତାହା ପିଲାଙ୍କୁ କରିବାକୁ କହିବୁ ନାହିଁ ଏବଂ ପିଲାଙ୍କ ସଙ୍ଗେ ସବୁବେଳେ ସେହି କାମ କରୁଥିବା ଜଣେ ଶିକ୍ଷକ ରହୁଥିଲେ । ଫଳରେ ପିଲାମାନେ ତାହା ଖୁବ୍ ଉତ୍ସାହରେ ଶିଖୁଥିଲେ । ଅକ୍ଷର ଜ୍ଞାନ ତଥା ଚରିତ୍ର ଗଠନ ସମ୍ବନ୍ଧରେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରାଯିବ ।

 

ଅକ୍ଷର ଜ୍ଞାନ

 

ଟଲଷ୍ଟୟ ଫାର୍ମରେ ଆମେ ଶରୀର ଗଠନ ତଥା ହାତ କାରିଗରି ଶିକ୍ଷା କେମିତି ଆରମ୍ଭ କରିଥିଲୁ, ସେ କଥା ଗଲା ଅଧ୍ୟାୟରେ ଆମେ କେତେକ ପରିମାଣରେ ଦେଖିସାରିଛୁ । ଯଦ୍ୟପି ମୋ ମନ ମାନିଲାଭଳି ସେ କାମ ହୋଇନପାରି ନ ଥିଲା, ତାହା ଅଳ୍ପ ବହୁତ ସଫଳ ହୋଇଥିଲା ।

 

କିନ୍ତୁ ଅକ୍ଷର ଜ୍ଞାନ ହେବା ଅଧିକ କଠିନ ବିଷୟ ଥିଲା । ସେ କାମ ତୁଲେଇବାକୁ ମୋ ପାଖରେ ଆବଶ୍ୟକୀୟ ସାଧନ ନ ଥିଲା । ଯେତେ ସମୟ ଦେବାକୁ ଇଚ୍ଛା ହେଉଥିଲା, ସେତେ ସମୟ ମୋ ପାଖରେ ନ ଥିଲା, ସେତେ ଜ୍ଞାନ ମଧ୍ୟ ମୋର ନ ଥିଲା । ଦିନଯାକ ଶରୀରଶ୍ରମ କରି ଥକିପଡ଼ୁଥିଲି ଏବଂ ଯେତେବେଳେ ଟିକିଏ ବିଶ୍ରାମ ପାଇଁ ମନ ଡାକେ, ସେତିକିବେଳେ ପିଲାଙ୍କୁ ପଢ଼େଇବାକୁ ପଡ଼ୁଥିଲା । ଫଳରେ ପାଠ ପଢ଼େଇବାପାଇଁ ସତେଜ ରହିବା ପରିବର୍ତ୍ତେ ଜୋର କରି ଆପଣାକୁ ଚିଆଇଁ ରଖୁଥିଲି । ସକାଳଟା ଚାଷବାସ କାମ ତଥା ଘରଧନ୍ଦାରେ କଟୁଥିଲା । ଅତଏବ ଦି’ପହରେ ଖାଇସାରି ପାଠଶାଳା ବସୁଥିଲା । ଏହାଛଡ଼ା ପାଠଶାଳା ପାଇଁ ଅନ୍ୟ ସୁବିଧାର ସମୟ ନ ଥିଲା ।

 

ଆମେ ଲେଖାପଢ଼ା ପାଇଁ ଗୁଜୁରାତୀ ଖୁବ୍‌ ବେଶୀ ହେଲେ ତିନିଘଣ୍ଟା ରଖିଥିଲୁ । ପୁଣି ଶ୍ରେଣୀରେ ହିନ୍ଦୀ, ତାମିଲ, ଗୁଜୁରାତୀ ଓ ଉର୍ଦ୍ଦୁ ଶିଖାଇବାକୁ ପଡ଼ୁଥିଲା । ପତ୍ୟେକ ପିଲାକୁ ତାହାର ମାତୃଭାଷା ଶିକ୍ଷା ଦିଆଯିବାର ଇଚ୍ଛା ଥାଏ । ଅଧିକନ୍ତୁ ଇଂରେଜୀ ମଧ୍ୟ ସମସ୍ତଙ୍କୁ ଶିଖାଉଥିଲୁ । ପୁଣି ଗୁଜୁରାତୀ ହିନ୍ଦୁ ପିଲାଙ୍କୁ ଟିକିଏ ସଂସ୍କୃତ ଓ ସମସ୍ତଙ୍କୁ କିଛି ହିନ୍ଦୀର ପରିଚୟ କରାଇ ଦେବା, ଇତିହାସ, ଭୂଗୋଳ ତଥା ପାଟିଗଣିତ ସମସ୍ତଙ୍କୁ ଶିଖାଇବା, ଏହା ଥିଲା ପାଠ୍ୟକ୍ରମ ।

 

ମୁଁ ତାମିଲ୍‌ ଓ ଉର୍ଦ୍ଦୁ ପଢ଼େଇବା ଭାର ନେଇଥିଲି । ମୋର ତାମିଲ ଜ୍ଞାନ ଜାହାଜରେ ଓ ଜେଲରେ ମିଳିଥିଲା । ପୋପ୍‌ଙ୍କ ‘ତାମିଲ ସ୍ୱୟଂଶିକ୍ଷକ’ ବହି ଉପରକୁ ମୁଁ ଯାଇ ନଥିଲି । ଥରେ ଜାହାଜଯାତ୍ରାରେ ଯାହା ଉର୍ଦ୍ଦୁ ଅକ୍ଷର ଶିଖିଥିଲି, ମୋର ଉର୍ଦ୍ଦୁଜ୍ଞାନ ସେତିକିରେ ରହିଥିଲା ଏବଂ ମୁସଲମାନ ବନ୍ଧୁମାନଙ୍କ ସଙ୍ଗେ ମିଶିବାକୁ ବିଶେଷ ଆରବୀ ପାର୍ସୀ ଯେତିକି ଶବ୍ଦ ଶିଖିଥିଲି ସେହିଥିରେ ବନ୍ଦ । ହାଇସ୍କୁଲରେ ଯେତିକି ସଂସ୍କୃତ ଶିଖିଥିଲି ସେତିକି । ଗୁଜୁରାତୀ ମଧ୍ୟ ଚାଟଶାଳୀ ଯାଏ ।

 

ଏତିକି ମୂଳପାଣ୍ଠିରେ ମତେ କାମ ଚଳେଇବାକୁ ହେଉଥିଲା ଏବଂ ସେଥିରେ ମୋର ସହକର୍ମୀମାନେ ମୋଠାରୁ କମ ପଣ୍ଡିତ ଥିଲେ । କିନ୍ତୁ ଦେଶର ଭାଷାମାନଙ୍କ ପ୍ରତି ମୋର ପ୍ରେମ, ମୋର ଶିକ୍ଷକତା ଶକ୍ତିରେ ଆତ୍ମବିଶ୍ୱାସ, ମୋର ଛାତ୍ରମାନଙ୍କ ମୂର୍ଖପଣିଆ ତଥା ତେଣୁ ବଢ଼ିଯାଉଥିବା ଉଦାରତା—ଏ ସବୁ ମୋର ଭାରି କାମରେ ଆସିଥିଲା । ତାମିଲ ପିଲାଗୁଡ଼ିକ ଦକ୍ଷିଣ ଆଫ୍ରିକାରେ ଜନ୍ମ । ତେଣୁ ତାମିଲ ଭାଷା ଅଳ୍ପ ଜାଣିଥିଲେ । ତାମିଲ ଅକ୍ଷର ତ ଆଦୌ ଚିହ୍ନି ନ ଥିଲେ । ଅତଏବ ମତେ ତାଙ୍କୁ ବର୍ଣ୍ଣପରିଚୟ ତଥା ପ୍ରାଥମିକ ବ୍ୟାକରଣ ଶିଖାଇବାକୁ ହୋଇଥିଲା । ସେତକ ସହଜ ଥିଲା । ମୋର ଛାତ୍ରମାନେ ଜାଣିଥିଲେ ଯେ, ସେମାନେ ତାମିଲ୍‌ କଥାବାର୍ତ୍ତାରେ ମତେ ସହଜରେ ହରେଇ ଦେବେ ଏବଂ ତାମିଲମାନେ କେହି ଯେତେବେଳେ ମୋ ପାଖକୁ ଆସୁଥିଲେ, ମୋ ପିଲାଏ ମୋର ଦୋଭାଷୀ କାମ କରୁଥିଲେ । ମୁଁ କାମ ବେଶ୍‍ ଚଳେଇଥିଲି, କାରଣ ମୁଁ ମୋର ଅଜ୍ଞତା କେବେ ପିଲାଙ୍କଠାରୁ ଲୁଚେଇବାକୁ ଚେଷ୍ଟା କରୁନଥିଲି । ସବୁ ବିଷୟରେ ମୁଁ ପ୍ରକୃତରେ ଯେମିତି ଥିଲି, ଠିକ୍‌ ସେମିତି ମୋର ପିଲାମାନେ ମତେ ଜାଣିଥିଲେ-। ସେଥିଯୋଗୁଁ ତାମିଲ୍‌ ଭାଷାରେ ମୋର ଗଭୀର ଅଜ୍ଞତା ସତ୍ତ୍ୱେ ମୁଁ କେବେହେଁ ତାଙ୍କର ସ୍ନେହ ଓ ଆଦରରୁ ବଞ୍ଚିତ ହୋଇ ନ ଥିଲି । ମୁସଲମାନ୍‌ ପିଲାଙ୍କୁ ଉର୍ଦ୍ଦୁ ଶିଖାଇବା ଅପେକ୍ଷାକୃତ ସହଜ ଥିଲା-। ସେମାନେ ଅକ୍ଷର ଚିହ୍ନିଥିଲେ । କେବଳ ପଢ଼ିବାରେ ତାଙ୍କର ଉତ୍ସାହ ବଢ଼େଇବାରେ ଓ ତାଙ୍କର ହସ୍ତାକ୍ଷର ଭଲ କରିବାରେ ମତେ ଉଦ୍ୟମ କରିବାକୁ ପଡ଼ୁଥିଲା ।

 

ପିଲାଗୁଡ଼ିକ ତ ଅଧିକାଂଶ ନିରକ୍ଷର ଥିଲେ । ଚାଟଶାଳୀ ମାଡ଼ି ନ ଥିଲେ । ତାଙ୍କର ଅଳସୁଆମୀ ଛଡ଼େଇବା ଓ ତାଙ୍କୁ ନିଜେ ପଢ଼ି ଶିଖେଇବା ଓ ତାଙ୍କର ପଢ଼ାପଢ଼ିରେ ପହରା ଦେବା ହିଁ ବେଶୀ କାମ ଥିଲା । ମୁଁ ଏତିକିରେ ସନ୍ତୁଷ୍ଟ ଥିଲି ଓ ସେଥିପାଇଁ ଭିନ୍ନ ଭିନ୍ନ ପାଠ ପଢ଼ୁଥିବା ପିଲାଙ୍କୁ ଏକାଘରେ ବସେଇ କାମ ନେଇ ପାରୁଥିଲି ।

 

ପାଠ୍ୟପୁସ୍ତକ କଥା ତ ଆମେ ବହୁତ ଶୁଣିଥାଉଁ, କିନ୍ତୁ ସେ ଅଭାବ ଦିନେ ହେଲେ ମୁଁ ଅନୁଭବ କରି ନ ଥିଲି । ଯେତକ ବହି ଥିଲା, ତହିଁରୁ ମଧ୍ୟ ବହୁତ ବ୍ୟବହାର କରିଥିବା ମୋର ମନେ ପଡ଼ୁନାହିଁ । ମୁଁ ପ୍ରତ୍ୟେକ ପିଲାକୁ ଗୁଡ଼ିଏ ବହି ଦେବାର ଆବଶ୍ୟକତା ଅନୁଭବ କରୁ ନ ଥିଲି-। ପିଲାଙ୍କର ପ୍ରକୃତ ପାଠ୍ୟପୁସ୍ତକ ‘ସ୍ୱୟଂଶିକ୍ଷକ’ ଏହା ମୁଁ ଉପଲବ୍‌ଧି କରିଛି । ମୋ ଶିକ୍ଷକମାନେ ମତେ ଯାହା ବହିରୁ ପଢ଼ାଇଥିଲେ, ସେଥିରୁ ଅତି ଅଳ୍ପ ମୋର ମନେଅଛି । ମାତ୍ର ମୁହଁରୁ ଯାହା ଶିଖେଇଥିଲେ, ତାହାର ସ୍ମୃତି ଆଜି ମଧ୍ୟ ରହିଛି ।

 

ପିଲାମାନେ ଆଖିଠାରୁ କାନ ସାହାଯ୍ୟରେ ଅଧିକ କଥା ଅଳ୍ପ ଶ୍ରମରେ ଗ୍ରହଣ କରିଥାନ୍ତି-। ମୁଁ ପିଲାଙ୍କ ସାଙ୍ଗରେ କୌଣସି ଖଣ୍ଡେ ବହି ଏ ମୁଣ୍ଡରୁ ସେ ମୁଣ୍ଡଯାଏ ପଢ଼ିଥିବାର ମନେ ହେଉନାହିଁ । କିନ୍ତୁ ଅନେକ ବହିରୁ ଯାହା ସାର ଗ୍ରହଣ କରିଥିଲି, ସେହି ସବୁ ବିଷୟ ମୁଁ ଆପଣା ଭାଷାରେ ତାଙ୍କୁ ଶୁଣାଉଥିଲି ଏବଂ ମୋର ବିଚାର, ସେମାନେ ସେ ସବୁ ବିଷୟ ଏବେ ମନେ ରଖିଥିବେ । ସେମାନେ ବହିରୁ ଯାହା ଶିଖୁଥିଲେ ତାହା ମନେ ରଖିବା ତାଙ୍କ ପକ୍ଷରେ କଷ୍ଟକର ଥିଲା; ଅଥଚ ମୋ ମୁହଁରୁ ଯାହା ଶୁଣୁଥିଲେ ତାହା ସେହିକ୍ଷଣି ମନରୁ ମତେ କହି ଶୁଣାଉଥିଲେ ।

 

ବହି ପଢ଼ିବାଟା ତାଙ୍କୁ ବିରକ୍ତିକର ଲାଗେ; ମାତ୍ର ମୁଁ ଯଦି ନିଜେ ଥକି ଯାଇ ନଥାଏ ବା ଅନ୍ୟ କାରଣରୁ ମାନ୍ଦା ବା ନୀରସ ହୋଇ ପଡ଼େ, ତେବେ ମୋ ଶୁଣେଇବାରେ ସେମାନେ ଆନନ୍ଦ ପାନ୍ତି ଓ ଶୁଣନ୍ତି । ସେଥିରେ ଯେ ପ୍ରଶ୍ନ ଉଠେ, ତାର ଜବାବ ଦେବାରେ ତାଙ୍କର ବୋଧଶକ୍ତି ମୁଁ କଳିପାରୁଥିଲି ।

 

ଆତ୍ମିକ ଶିକ୍ଷା

 

ପିଲାମାନଙ୍କର ଶରୀର ଓ ମନର ଶିକ୍ଷାଠାରୁ ସେମାନଙ୍କର ଆତ୍ମାର ଶିକ୍ଷାରେ ମତେ ବହୁତ ପରିଶ୍ରମ ପଡ଼ିଥିଲା । ଆତ୍ମାର ବିକାଶ କରାଇବାରେ ମୁଁ ଧର୍ମପୁସ୍ତକ ଉପରେ କମ୍ ନିର୍ଭର କରୁଥିଲି । ମୋ ମତରେ ପ୍ରତ୍ୟେକ ଛାତ୍ର ତାର ଆପଣା ଧର୍ମର ମୂଳତତ୍ତ୍ୱ ଜାଣିବା ଉଚିତ, ଧର୍ମଶାସ୍ତ୍ରମାନଙ୍କର ସାଧାରଣଜ୍ଞାନ ଥିବା ଆବଶ୍ୟକ । ତେଣୁ ମୁଁ ଯଥା ସମ୍ଭବ ସେଭଳି ଜ୍ଞାନ ଦେବାର ସୁବିଧା କରିଦେଇଥିଲି । କିନ୍ତୁ ମୋ ମତରେ ସେତକ ବୌଦ୍ଧିକ ଶିକ୍ଷାର ଗୋଟିଏ ଅଙ୍ଗ । ଟଲ୍‌ଷ୍ଟୟ ଆଶ୍ରମ ପିଲାମାନଙ୍କ ଶିକ୍ଷାର ଭାର ନେବାର ବହୁ ପୂର୍ବରୁ ମୁଁ ବୁଝାଇଥିଲି ଯେ, ଆତ୍ମାର ଶିକ୍ଷା ଏକ ସ୍ୱତନ୍ତ୍ର ବିଭାଗ । ଆତ୍ମାର ବିକାଶ କରିବାର ଅର୍ଥ ଚରିତ୍ର ଗଢ଼ିବା, ଈଶ୍ୱରଙ୍କ ଜ୍ଞାନଦେବା ଏବଂ ଆତ୍ମଜ୍ଞାନ ଦେବା ।

 

ମୋ ମତରେ ଏ ଜ୍ଞାନ ପାଇବାରେ ବାଳକର ବହୁତ ସାହାଯ୍ୟ ଦରକାର ଏବଂ ସେ ଜ୍ଞାନ ବିନା ଅନ୍ୟ ସବୁ ଶିକ୍ଷା ବ୍ୟର୍ଥ ହୁଏ; ବରଂ କ୍ଷତିକାରକ ହୋଇଥାଏ ।

 

ଆତ୍ମଜ୍ଞାନ ଯେ କେବଳ ମନୁଷ୍ୟର ଚତୁର୍ଥାବସ୍ଥାରେ ମିଳେ, ଏ କୁସଂସ୍କାର ମୁଁ ଶୁଣିଥାଏ-। ଯେଉଁମାନେ ଏହି ଅମୂଲ୍ୟଜ୍ଞାନ ପ୍ରାପ୍ତି ପାଇଁ ପ୍ରସ୍ତୁତ ନ ହୋଇ ସେହି ଶେଷାବସ୍ଥା ପାଇଁ ଅପେକ୍ଷା କରିଥାନ୍ତି, ସେମାନେ ଆତ୍ମଜ୍ଞାନ ତ ପା’ନ୍ତି ନାହିଁ, ବରଂ ତା ବଦଳରେ ବାର୍ଦ୍ଧକ୍ୟ ଓ ପୁଣି ଏକ ଅତି ଶୋଚନୀୟ ଶୈଶବାବସ୍ଥା ଭୋଗ କରି ଦୁନିଆକୁ ବୋଝ ହୋଇଥାନ୍ତି; ଏଭଳି ଅଭିଜ୍ଞତା ସର୍ବତ୍ର ମିଳିଥାଏ । ମୋର ସଂପୂର୍ଣ୍ଣ ମନେଅଛି ଯେ ମୁଁ ୧୯୧୧-୧୨ରେ ଯେତେବେଳେ ପାଠ ପଢ଼ାଉଥିଲି; ଯେତେବେଳେ ଏହିପରି ମତ ପୋଷଣ କରୁଥିଲି । ଅବଶ୍ୟ ସେତେବେଳେ ଏହିପରି ଭାଷାରେ ପ୍ରକାଶ କରିବା ସମ୍ଭବ ନ ଥିଲା ।

 

ଆତ୍ମାର ଶିକ୍ଷା କେମିତି ଦିଅନ୍ତି ? ମୁଁ ପିଲାଙ୍କୁ ଭଜନ ବୋଲାଉଥିଲି । ତାଙ୍କୁ ନୀତି କଥା ପଢ଼ି ଶୁଣାଉଥିଲି । ମାତ୍ର ସେଥିରେ ମୋର ତୃପ୍ତି ହେଉ ନ ଥିଲା । ମୁଁ ତାଙ୍କର ଯେତିକି ଅଧିକ ଘନିଷ୍ଠ ସମ୍ପର୍କରେ ଆସୁଥିଲି, ସେତିକି ଅଧିକ ବୁଝୁଥିଲି ଯେ, ଆତ୍ମାର ଶିକ୍ଷା ବହି ସାହାଯ୍ୟରେ ଦେବାର ନୁହେଁ । ଯେମିତି ଶରୀର ଶିକ୍ଷା କେବଳ ଦେହର କସରତ୍‌ ଦ୍ୱାରା, ଯେମିତି ବୁଦ୍ଧିର ଶିକ୍ଷା କେବଳ ବୁଦ୍ଧିର ଚାଳନା ଦ୍ୱାରା ଦେଇହେବ, ସେମିତି ଆତ୍ମାର ଶିକ୍ଷା କେବଳ ଆତ୍ମାର କସରତ୍‌ଦ୍ୱାରା ସମ୍ଭବ । ଏ ଚାଳନା କେବଳ ଶିକ୍ଷକଙ୍କର ଚରିତ୍ରରୁ ମିଳିପାରିବ । ପିଲା ଉପସ୍ଥିତ ଥାଆନ୍ତୁ ବା ନ ଥାନ୍ତୁ, ଶିକ୍ଷକଙ୍କର ସବୁବେଳେ ସାବଧାନ ରହିବା ଉଚିତ ।

 

ଶିକ୍ଷକ ଲଙ୍କାରେ ବସି ନିଜର ଚରିତ୍ର ବଳରେ ଆପଣାର ଶିଷ୍ୟମାନଙ୍କର ଆତ୍ମାକୁ ପ୍ରଭାବିତ କରିପାରନ୍ତି । ମୁଁ ମିଛ କହିବି ଏବଂ ପିଲାଙ୍କୁ ସତ କୁହାଇବାକୁ ଚେଷ୍ଟା କରିବି—ତାହା ବୃଥା ହେବ । ଭୀରୁ ଶିକ୍ଷକ କେବେ ଆପଣା ଛାତ୍ରଙ୍କୁ ବୀରତ୍ୱ ଶିଖେଇପାରିବ ନାହିଁ । ବ୍ୟଭିଚାରୀ ଶିକ୍ଷକ ପିଲାଙ୍କୁ କୁଆଡ଼ୁ ସଂଯମ ଶିଖାଇପାରିବ ? ତେଣୁ ମତେ ସାଥୀ ଯୁବକ ଯୁବତୀମାନଙ୍କ ପାଇଁ ସବୁବେଳେ ଗୋଟିଏ ଆଦର୍ଶ ପାଠ ହୋଇ ରହିବାକୁ ପଡ଼ିବ, ଏ କଥା ମୁଁ ସ୍ପଷ୍ଟ ବୁଝି ପାରିଥିଲି । ଫଳରେ ମୋର ଶିଷ୍ୟମାନେ ମୋର ଶିକ୍ଷକ ହୋଇ ଯାଇଥିଲେ ।

 

ଏବଂ ନିଜ ପାଇଁ ନୁହେଁ, ତାଙ୍କରି ପାଇଁ ଯେ ମତେ ସତ୍‌ ହେବାକୁ ପଡ଼ିବ, ସତ୍‌ଜୀବନ ଯାପନ କରିବାକୁ ପଡ଼ିବ; ଏତକ ମୁଁ ଶିଖିଥିଲି । ଟଲଷ୍ଟୟ ଆଶ୍ରମରେ ମୁଁ ଯେତେକ ଅଧିକ ସଂଯମ କରିଥିଲି, ସେଥିପାଇଁ ମୁଁ ଏ ଯୁବକ ଯୁବତୀଙ୍କ ପାଖରେ ଋଣୀ ବୋଲି କହିପାରେ । ଆଶ୍ରମରେ ଗୋଟିଏ ପିଲା ଭାରି ଅବାଗିଆ ଥିଲା, ମିଛ କହେ, କାହାକୁ ମାନେ ନାହିଁ । ଅନ୍ୟ ପିଲାଙ୍କ ସଙ୍ଗେ କଳିକରେ । ଥରେ ସେ ଅତି ମାତ୍ରାରେ ମାତି ଉଠିଥିଲା । ମୁଁ ତ ଘାବରା ହୋଇ ଯାଇଥିଲି । କେବେ ପିଲାଙ୍କୁ ମୁଁ ଶାନ୍ତି ଦେଉ ନଥିଲି । ଏଥର ମୋ ମୁଣ୍ଡରେ ଭାରି ରାଗି ଚଢ଼ିଯାଇଥିଲା । ତାକୁ ବୁଝାଇବାକୁ ଚେଷ୍ଟା କଲି; କିନ୍ତୁ ସେ କିଛି ବୁଝିଲା ନାହିଁ; ବରଂ ମତେ ଓଲଟି ଠକିବାକୁ ବସିଥିଲା । ପାଖରେ ଗୋଟିଏ ରୁଲ ବାଡ଼ି ପଡ଼ିଥିଲା । ମୁଁ ତାହା ଉଠାଇ ନେଇ ତାହାର ବାହା ଉପରେ ପାହାରେ ଦେଇଥିଲି । ତାକୁ ପିଟିଲାବେଳେ ମୁଁ ଥରୁଥିଲି । କୌଣସି ପିଲା ପ୍ରତି ମୋର ଏପରି ବ୍ୟବହାର ପୂର୍ବରୁ କେବେ ହୋଇ ନ ଥିଲା । ସେ ଏହା ଲକ୍ଷ୍ୟ କରିଥିଲା । ସେମାନଙ୍କର ପାଇଁ ଏହା ଗୋଟିଏ ନୂଆ କଥା ଥିଲା । ପିଲାଟି କାନ୍ଦି ଉଠିଥିଲା । ମୋ ଆଗରେ କ୍ଷମା ପ୍ରାର୍ଥନା କରିଥିଲା । ମାତ୍ର କାଟିଲା ବୋଲି ଯେ ସେ କାନ୍ଦିଥିଲା, ତାହା ନୁହେଁ । ଇଚ୍ଛା କରିଥିଲେ ମୋତେ ସେ ଓଲଟି କାବୁକରି ଦେଇଥାନ୍ତା, ଏତେ ବଳ ତାର ଥିଲା । ତାର ବୟସ ୧୭ ବର୍ଷ ହୋଇଥିବ । ଖୁବ୍‌ ମଜବୁତ୍‌ ଥିଲା । ମୋର ରୁଲ୍‌ ବାଡ଼ିରେ ସେ ମୋର ଦୁଃଖ ଦେଖି ପାରିଥିଲା । ଏ ଘଟଣା ପରେ ସେ ଆଉ କେବେ ମୋର ଅବାଧ୍ୟ ହୋଇ ନ ଥିଲା । କିନ୍ତୁ ଆଜିଯାଏ ସେ ରୁଲ୍‌ବାଡ଼ିରେ ମାରିଥିବା ଯୋଗୁଁ ମୁଁ ଦୁଃଖ କରୁଛି । ମୋର ଆଶଙ୍କା, ମୁଁ ସେଦିନ ତାକୁ ମୋ ଆତ୍ମାର ଦର୍ଶନ କରେଇ ନ ଥିଲି ବରଂ ମୋ ଭିତରେ ଯେ ପଶୁ ପ୍ରକୃତି ଅଛି, ତାହା ଦେଖାଇଥିଲି ।

 

ମୁଁ ସବୁଦିନେ ପିଲାଙ୍କୁ ମାଡ଼ଦେଇ ପଢ଼େଇବାର ବିରୋଧ କରିଥାଏ । କେବଳ ଥରେ ମୁଁ ମୋର ଗୋଟିଏ ପୁଅକୁ ମାରିଥିବାର ମନେପଡ଼େ । ରୁଲ୍‌ବାଡ଼ିରେ ମାରିବାଟା ନ୍ୟାୟ କି ଅନ୍ୟାୟ ହୋଇଥିଲା, ତାହା ମୁଁ ଆଜିସୁଦ୍ଧା ଠିକ୍‌ କରିପାରି ନାହିଁ । ସେ ମାରିବାର ନାଯ୍ୟତା ସମ୍ବନ୍ଧରେ ମୋର ସନ୍ଦେହ ଅଛି । କାରଣ ସେଥିରେ କ୍ରୋଧ ପୂରା ରହିଥିଲା ଏବଂ ଦଣ୍ଡ ଦେବାର ଭାବ ଥିଲା । ସେଥିରେ ଯଦି କେବଳ ମୋର ମନକଷ୍ଟ ଜଣା ପଡ଼ୁଥାନ୍ତା, ତେବେ ମୁଁ ସେ ଶାସ୍ତି ଦେବାକୁ ନ୍ୟାଯ୍ୟ ମାନିଥାନ୍ତି; କିନ୍ତୁ ସେଥିରେ ମୋର ମନର ଭାବ ମିଶାମିଶି ଥିଲା ।

 

ଏ ଘଟଣା ପରେ ପିଲାଙ୍କୁ ସୁଧାରିବାର ଭଲ ଉପାୟ ମୁଁ ଶିଖିଥିଲି । ସେ ଘଟଣାରେ ଏ ଉପାୟ କେତେଦୂର କାମ କରିଥାନ୍ତା, ତାହା ମୁଁ କହିପାରିବି ନାହିଁ । ପିଲାଟି ତ ସେ ଦିନର ଘଟଣା ଶୀଘ୍ର ପାଶୋରି ପଳେଇଥିଲା । ତା’ର ବେଶୀ କିଛି ଉନ୍ନତି ହୋଇଥିଲା ବୋଲି ମୋର ମନେ ହେଉ ନାହିଁ । କିନ୍ତୁ ଏ ଘଟଣା ଫଳରେ ଛାତ୍ରଙ୍କ ପ୍ରତି ଶିକ୍ଷକଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ମୁଁ ବହୁତ ଚିନ୍ତା କରିଥିଲି ।

 

ଏହାପରେ ପିଲାଏ ଏପରି ଦୋଷ ଅନେକ ଥର କରିଛନ୍ତି; ମାତ୍ର ମୁଁ କେବେହେଁ ଦଣ୍ଡ ଦେଇନାହିଁ । ଏହିପରି ଆଧ୍ୟାତ୍ମିକ ଶିକ୍ଷା ଦେବାର ଉଦ୍ୟମ କରୁ କରୁ ମୁଁ କ୍ରମେ କ୍ରମେ ନିଜର ଆତ୍ମାର ଗୁଣ ଅଧିକରୁ ଅଧିକ ବୁଝିବାକୁ ଲାଗିଥିଲି ।

 

ଧାନ ଭିତରେ ବାଳୁଙ୍ଗା

 

ଟଲଷ୍ଟୟ ଆଶ୍ରମରେ କେଲେନ୍‌ବାକ୍‌ ମୋ ଆଗରେ ଏକ ପ୍ରଶ୍ନ ଉଠାଇଥିଲେ । ତା ପୂର୍ବରୁ ପ୍ରଶ୍ନଟି ମୋ ମନରେ କେବେହେଁ ସ୍ଥାନ ପାଇ ନ ଥିଲା । ଆଶ୍ରମରେ କେତେକ ଦୁଷ୍ଟ ଓ ଅବାଧ୍ୟ ପିଲା ଥିଲେ । ତାଙ୍କ ଭିତରେ କେତେକ ଚଗଲା ପିଲା ଥିଲେ । ମୋ ତିନି ପୁଅଯାକ ତାଙ୍କରି ସାଙ୍ଗରେ ରହୁଥିଲେ । ଏଥିରେ କେଲେନ୍‌ବାକ୍‌ ବଡ଼ ଚିନ୍ତିତ ହୋଇପଡ଼ିଥିଲେ ଏବଂ ମୋର ପିଲା ଏଭଳି ଚଗଲା ପିଲାଙ୍କ ସଙ୍ଗେ ଏକାଠି କେମିତି ରହିବେ, ସେଥିପ୍ରତି ତାଙ୍କର ଦୃଷ୍ଟି ପଡ଼ିଥିଲା-

 

ଦିନେ ସେ କହି ପକେଇଥିଲେ—‘‘ଆପଣଙ୍କର ଏଭଳି ସ୍ୱଭାବ ମୋ ମନକୁ ପାଉ ନାହିଁ-। ଏ ପିଲାଙ୍କ ସଙ୍ଗେ ଆପଣାଙ୍କ ପୁଅକୁ ମିଶିବାକୁ ଦେବାରେ କେବଳ ଗୋଟିଏ ଫଳ ହେବ, ସେମାନେ ଏ ଚଗଲା ପିଲାଙ୍କ ଦ୍ୱାରା ପ୍ରଭାବିତ ହେବେ ଏବଂ ସେମାନେ ନ ବିଗିଡ଼ି ରହିବେ କିମିତି-?’’ ମୁଁ ମୁହୂର୍ତ୍ତକ ପାଇଁ ଚିନ୍ତିତ ହୋଇପଡ଼ିଗଲି କି ନାହିଁ ମୋର ମନେ ନାହିଁ । ତେବେ ମୁଁ ତାଙ୍କୁ କଣ ଉତ୍ତର ଦେଇଥିଲି ତାହା ମୋର ମନେପଡ଼ୁଛି । ମୁଁ କହିଥିଲି—

 

‘‘ଚଗଲା ପିଲା ଓ ମୋର ପୁଅମାନଙ୍କ ମଧ୍ୟରେ ମୁଁ ଭେଦ କିପରି କରିବି ? ଏକେ ତ ମୁଁ ଉଭୟଙ୍କ ପାଇଁ ଦାୟୀ, ପିଲାଗୁଡ଼ିଙ୍କୁ ଡାକି ଆଣିଛି ବୋଲି ସିନା ସେମାନେ ଆସିଛନ୍ତି । ମୁଁ କିଛି ପଇସା ଦେଇ ତାଙ୍କୁ ଯଦି ବିଦାୟ କରିଦେବି, ସେମାନେ ସଙ୍ଗେ ସଙ୍ଗେ ଜୋହାନ୍‌ସବର୍ଗକୁ ଫେରିଯିବେ ଓ ପୂର୍ବପରି ଚଳିବେ । ସେମାନେ ଏଠାକୁ ଆସି ଆମର କିଛି ଉପକାର କରିଛନ୍ତି ବୋଲି ସେମାନେ ତଥା ସେମାନଙ୍କର ଅଭିଭାବକମାନେ ମନେ କରୁଥିବେ ତ ସେଥିରେ ଆଶ୍ଚର୍ଯ୍ୟ କିଛି ନାହିଁ । ଏଠାକୁ ଆସି ସେମାନଙ୍କୁ ବହୁତ ଅସୁବିଧା ସହିବାକୁ ପଡ଼ୁଛି, ଏ କଥା ଆପଣ ଓ ମୁଁ ଉଭୟ ଦେଖିପାରୁଛୁ । କିନ୍ତୁ ମୋର କର୍ତ୍ତବ୍ୟ ସ୍ପଷ୍ଟ ଦେଖାଯାଉଛି ଯେ, ସେମାନଙ୍କୁ ମୋର ଏଠାରେ ରଖିବା ଉଚିତ ଏବଂ ତେଣୁ ମୋ ପିଲାମାନେ ମଧ୍ୟ ତାଙ୍କ ସଙ୍ଗେ ରହିବେ । ମୋର ପିଲାମାନେ ଅନ୍ୟମାନଙ୍କଠୁ ବଡ଼, ଏ ଭେଦଭାବ ମୁଁ କାହିଁକି ମୋର ପିଲାଙ୍କୁ ଶିଖେଇବି । ତାଙ୍କ ମୁଣ୍ଡରେ ବଡ଼ ସାନ ଭାବ ପୂରେଇଦେବା ଅର୍ଥ ତାଙ୍କୁ ଖରାପ ବାଟରେ ଚଳେଇଦେବା । ଏପରି ଅବସ୍ଥାରେ ରହିଲେ ସେମାନଙ୍କର ବିକାଶ ହେବ ଏବଂ ଆପଣା ଛାଏଁ ଭଲ ମନ୍ଦ ବାରିଦେବା ଶିଖିଯିବେ । ଆଚ୍ଛା, ଆମେ ଏ କଥା କାହିଁକି ଓଲଟ ବିଶ୍ୱାସ ନ କରିବା ଯେ, ମୋ ପିଲାଙ୍କ ଭିତରେ ଯଦି କିଛି ଭଲ ଥିବ, ତାହା କାହିଁକି ତାଙ୍କର ସାଥୀମାନଙ୍କୁ ପ୍ରଭାବିତ ନ କରିବ ? ସେ ଯାହା ହେଉ, ସେମାନଙ୍କୁ ନ ରଖି ମୋର ଉପାୟ ନାହିଁ ଏବଂ ସେଥିରେ ଯଦି କିଛି ବିପଦ ଥାଏ, ସେତକି ମୁଣ୍ଡେଇବାକୁ ହେବ ।’’

 

କେଲେନ୍‌ବାକ୍‌ ତାଙ୍କ ମୁଣ୍ଡ ହଲେଇଥିଲେ । ମୋ ମତରେ ଫଳ ମଧ୍ୟ ଖରାପ ହୋଇ ନ ଥିଲା । ଏ ପ୍ରୟୋଗ ଫଳରେ ମୋର ପୁଅମାନଙ୍କ କ୍ଷତି ହୋଇଥିଲା ବୋଲି ମୁଁ ମନେ କରେ ନାହିଁ । ବରଂ ସେମାନେ ତାଦ୍ୱାରା କିଛି ଲାଭ କରିବାର ମୁଁ ଦେଖିପାରିଥିଲି । ତାଙ୍କଠାରେ ଯାହା ଟିକିଏ ବଡ଼ ସାନ ଭାବ ଥିଲା, ତାହା ମୂଳରୁ ଯାଇଥିଲା ଏବଂ ସବୁରି ସଙ୍ଗେ ମିଶିବାକୁ ସୋମନେ ଶିଖି ଯାଇଥିଲେ । ସେମାନେ ସେକି ହୋଇଯାଇଥିଲେ । ଏହିଭଳି ଅଭିଜ୍ଞତାରୁ ମୁଁ ବୁଝିଛି ଯେ ମା, ବାପଙ୍କ ତତ୍ତ୍ୱାବଧାନ ଠିକ୍‍ ଠିକ୍‍ ହେଉଥିବ ତ ଭଲ ପିଲାମାନଙ୍କୁ ଖରାପ ପିଲାମାନଙ୍କ ସଙ୍ଗେ ଏକାଠି ଶିକ୍ଷା ଦେଲେ ଭଲ ପିଲାଙ୍କର କୌଣସି ହାନି ହୋଇ ନ ଥାଏ । ନିଜ ପିଲାଙ୍କୁ ସବୁବେଳେ ପଣତ ଘୋଡ଼େଇ ରଖିଲେ ଭଲ ରହିବେ ଏବଂ ବାହାରକୁ କାଢ଼ିଲେ ଖରାପ ହୋଇଯିବେ, ଏମିତି କିଛି ନିୟମ ନାହିଁ । ଯାହା ହେଉ, ଏତକ ଏକଦମ୍‌ ସତ୍ୟ ଯେ ଯେଉଁଠାରେ ନାନା ରକମର ବାଳକ ବାଳିକାମାନଙ୍କୁ ଏକାଠି ରଖି ଶିକ୍ଷା ଦିଆଯାଏ, ସେଠାରେ ଅଭିଭାବକମାନଙ୍କର ବଡ଼ କଠିନ ପରୀକ୍ଷା ହୋଇଥାଏ ଓ ସେମାନଙ୍କୁ ସଦା ସର୍ବଦା ସାବଧାନ ରହିବାକୁ ପଡ଼ିଥାଏ ।

 

ପ୍ରାୟଶ୍ଚିତ୍ତ ପାଇଁ ଉପବାସ

 

ବାଳକ ବାଳିକାମାନଙ୍କୁ ଠିକ୍‌ ଭାବରେ ପାଳିବା ଓ ଶିକ୍ଷା ଦେବା ଯେ କିଭଳି କଷ୍ଟକର କାମ, ତାହାର ଅନୁଭବ ଦିନକୁ ଦିନ ଅଧିକ ହୋଇଥିଲା । ଶିକ୍ଷକ ଓ ଅଭିଭାବକ ଭଳି ତାଙ୍କର ହୃଦୟରେ ପ୍ରବେଶ କରିବାକୁ ପଡ଼ୁଥିଲା । ତାଙ୍କର ସବୁ ସୁଖ ଦୁଃଖରେ ଭାଗୀ ହେବାକୁ ପଡ଼ୁଥିଲା । ତାଙ୍କର ବିକଶିତ ହୃଦୟର ତରଙ୍ଗକୁ ଠିକ୍‍ ବାଟରେ ବାଗେଇ ଦେବାକୁ ହେଉଥିଲା ।

 

ଜେଲ୍‌ରୁ କେତେକ ସତ୍ୟାଗ୍ରହ ବାହାରିଆସିବାରୁ ଟଲଷ୍ଟୟ ଆଶ୍ରମରେ ଅଳ୍ପ ଲୋକ ରହିଥିଲେ । ସେମାନେ ଅଧିକାଂଶ ଫିନିକ୍‌ସବାସୀ ଥିଲେ । ସେଥିପାଇଁ ଆଶ୍ରମ ଫିନିକ୍‌ସକୁ ନେଇ ଯାଇଥିଲେ । ଫିନିକ୍‌ସଠାରେ ମୋର ଏକ ଅଗ୍ନିପରୀକ୍ଷା ହୋଇଥିଲା ।

 

ଟଲଷ୍ଟୟ ଆଶ୍ରମରେ ଥିବା ଆଶ୍ରମବାସୀଙ୍କୁ ଫିନିକ୍‌ସ ପଠାଇ ଦେଇ ମୁଁ ଜୋହା୍ନସବର୍ଗ ଯାଇଥିଲି । ଜୋହା୍ନସବର୍ଗରେ ଦିନାକେତେ ରହିଛି, ହଠାତ୍‌ ଦୁଇଜଣ ଆଶ୍ରମବାସୀଙ୍କ ଭୟଙ୍କର ନୈତିକ ପତନର ସଂବାଦ ପାଇଲି । ସତ୍ୟାଗ୍ରହ ଲଢ଼େଇରେ ପରାଜୟ ଭଳି କିଛି ଦେଖିଲେ ମୋତେ ବାଧୁ ନ ଥିଲା, ମାତ୍ର ଏ ଘଟଣାରେ ମୋ ଉପରେ ବଜ୍ରସମ ପାହାର ପଡ଼ିଥିଲା । ମତେ ଭାରି ଆଘାତ ଲାଗିଥିଲା । ମୁଁ ସେହିଦିନ ଫିନିକ୍‌ସ ଗାଡ଼ି ଧରିଥିଲି । କେଲେନ୍‌ବାକ୍‌ ମୋ ସଙ୍ଗେ ଯିବା ପାଇଁ ଜିଦ୍‌ଧରିଥିଲେ । ସେ ମୋର ଶୋଚନୀୟ ଅବସ୍ଥା ବୁଝି ପାରିଥିଲେ । ସେ ମତେ ଏକା ଯିବାକୁ ସଫା ବନ୍ଦ କରିଥିଲେ । ପତନର ଖବର ମୋତେ ସେହି ଦେଇଥିଲେ ।

 

ବାଟରେ ମୋର କର୍ତ୍ତବ୍ୟ ସ୍ପଷ୍ଟ ଦେଖା ଯାଉଥିଲା କିମ୍ବା ସ୍ପଷ୍ଟ ଦେଖାଗଲା ବୋଲି ବିଶ୍ୱାସ ହୋଇଥିଲା । ନିଜର ତତ୍ତ୍ୱାବଧାନରେ ଥିବା ଲୋକଙ୍କ ପତନ ପାଇଁ ଶିକ୍ଷକ ଓ ଅଭିଭାବକ ବହୁତ ଅଂଶରେ ଯେ ଦାୟୀ, ଏତକ ମୁଁ ବୁଝିପାରିଥିଲି । ଉକ୍ତ ଘଟଣାରେ ମୋର ଦାୟିତ୍ୱ ମୋତେ ସ୍ପଷ୍ଟ ଦେଖାଯାଇଥିଲା । ମୋର ସ୍ତ୍ରୀ ଏ ବିଷୟରେ ମତେ ଆଗରୁ ସତର୍କ କରିସାରିଥିଲା; କିନ୍ତୁ ମୋର ସବୁ କଥାରେ ବିଶ୍ୱାସ କରିବା ପ୍ରକୃତି ଥିବାରୁ ମୁଁ ତାର ସତର୍କବାଣୀରେ କାନ ଦେଇନଥିଲି-। ମୁଁ ଏ ପତନ ପାଇଁ କୌଣସି ପ୍ରାୟଶ୍ଚିତ୍ତ କଲେ ଯାଇ ସେ ଦୋଷୀ ଦୁଇଜଣ ମୋର ଦୁଃଖର ଗଭୀରତା ତଥା ତାଙ୍କର ପତନର ଗୁରୁତ୍ୱ କଳିପାରିବେ, ଏହା ମୁଁ ଉପଲବ୍‌ଧି କରିଥିଲି । ସେଥିପାଇଁ ମୁଁ ସାତଦିନ ଉପବାସ ଓ ସାଢ଼େ ଚାରିମାସ ଯାଏ ଦିନରେ ବେଳାଏ ଖାଇବି ବୋଲି ସ୍ଥିର କରିଥିଲି । କେଲେନ୍‌ବାକ୍‌ ମତେ ନିବର୍ତ୍ତେଇବାକୁ ଚେଷ୍ଟା କରିଥିଲେ; ମାତ୍ର ତାହା ବ୍ୟର୍ଥ ହୋଇଗଲା । ଶେଷରେ ସେ ପ୍ରାୟଶ୍ଚିତ୍ତର ଆବଶ୍ୟକତା ମାନିଥିଲେ ଏବଂ ସେଥିରେ ମୋ ସାଙ୍ଗରେ ସାଥୀ ହେବେ ବୋଲି ଜିଦ୍‌ ଧରିଥିଲେ । ମୁଁ ମଧ୍ୟ ତାଙ୍କର ଏ ନିର୍ମଳ ସ୍ନେହ ଏଡ଼ିପାରି ନ ଥିଲି ।

 

ମୋର ଏ ନିଷ୍ପତ୍ତି ସଙ୍ଗେ ସଙ୍ଗେ ମତେ ହାଲୁକା ଲାଗିଥିଲା । ଭାରି ଶାନ୍ତ ହୋଇଥିଲି । ଦୋଷୀମାନଙ୍କ ପ୍ରତି ମୋର କ୍ରୋଧ ଖସିଯାଇଥିଲା ଏବଂ ସେମାନଙ୍କ ପ୍ରତି କେବଳ କରୁଣଭାବ ମନରେ ସ୍ଥାନ ପାଇଥିଲା । ଏହିପରି ରେଲ୍‌ଗାଡ଼ିରେ ହିଁ ମନକୁ ହାଲୁକା କରି ଫିନିକ୍‌ସରେ ପହଞ୍ଚିଲି-। ସେଠି ମୁଁ ଅନୁସନ୍ଧାନ କରି ଅଧିକା ଯାହା କିଛି ସମ୍ବାଦ ଜାଣିବାର ଥିଲା, ତାହା ଜାଣି ନେଇଥିଲି-

 

ମୋର ଉପବାସରେ ସମସ୍ତଙ୍କର ଦୁଃଖ ହୋଇଥିଲା ସତ୍ୟ; ମାତ୍ର ତାହା ଫଳରେ ବାୟୁମଣ୍ଡଳ ଶୁଦ୍ଧ ହୋଇଯାଇଥିଲା । ପାପ କରିବା କି ଭୟଙ୍କର କତା, ତାହା ସମସ୍ତେ ବୁଝି ପାରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସଙ୍ଗେ ମୋର ସ୍ନେହ ବନ୍ଧନ ଅଧିକ ଦୃଢ଼ ଓ ସରଳ ହୋଇଥିଲା ।

 

ଅଳ୍ପଦିନ ପରେ ଏ ଘଟଣାର ଆଉ ଏକ ସମ୍ପର୍କରେ ମତେ ୧୪ ଦିନ ଉପବାସ କରିବାକୁ ପଡ଼ିଥିଲା ଏବଂ ତାର ଫଳ ମଧ୍ୟ ଆଶାର ଅତୀତ ହୋଇଥିଲା ବୋଲି ମୋର ବିଶ୍ୱାସ ।

 

ଏ ସବୁ ଘଟଣାରୁ ଏହା ପ୍ରମାଣ କରିବା ମୋର ଉଦ୍ଦେଶ୍ୟ ନୁହେଁ ଯେ, ପିଲାଙ୍କ ପ୍ରତ୍ୟେକ ଦୋଷ ପାଇଁ ଶିକ୍ଷକର ସବୁବେଳେ ଉପବାସ ପ୍ରଭୃତି କରିବା ଉଚିତ । ମାତ୍ର ମୁଁ ଏତିକି କହେ ଯେ, କେତେକ ଘଟଣାରେ ଏପରି ପ୍ରାୟଶ୍ଚିତ୍ତ ପାଇଁ ଉପବାସ ଲୋଡ଼ା ହୋଇଥାଏ । କିନ୍ତୁ ଏହା କରିବାପାଇଁ ବିବେକ ଓ ଯୋଗ୍ୟତା ଥିବା ଆବଶ୍ୟକ । ଯେଉଁଠାରେ ଶିକ୍ଷକ ଓ ଛାତ୍ର ମଧ୍ୟରେ ଶୁଦ୍ଧ ପ୍ରେମର ବନ୍ଧନ ନାହିଁ, ଯେଉଁଠାରେ ଛାତ୍ରର ଦୋଷ ଶିକ୍ଷକର ପ୍ରାଣକୁ ନ ବାଧିଛି ଏବଂ ଯେଉଁଠାରେ ଶିକ୍ଷକ ପ୍ରତି ଛାତ୍ରର ସମ୍ମାନ ନାହିଁ, ସେଠାରେ ଉପବାସର ଅର୍ଥ ନାହିଁ; ବରଂ କ୍ଷତି କରିପାରେ । ଏହିପରି ଉପବାସ ଓ ଓଳିକିଆ ସମ୍ବନ୍ଧରେ ଥାଇପାରେ, ମାତ୍ର ଛାତ୍ରର ଦୋଷ ତ୍ରୁଟି ପାଇଁ ଶିକ୍ଷା ଯେ ବହୁ ପରିମାଣରେ ଦାୟୀ—ସେଥିରେ ତିଳେହେଳେ ସନ୍ଦେହ ନାହିଁ ।

 

ସାତଦିନର ଉପବାସ ଓ ଓଜନିଆ ଆମ ଦୁହିଁଙ୍କ ମଧ୍ୟରୁ କାହାକୁ କଷ୍ଟଦାୟକ ହୋଇ ନ ଥିଲା । ତା ଭିତରେ ମୋର ନିତ୍ୟ ନୈମିତ୍ତିକ କାମ କିଛି ବନ୍ଦ ହୋଇ ନଥିଲା ବା ମାନ୍ଦା ପଡ଼ି ନଥିଲା । ଏ ସମୟରେ ମୁଁ କେବଳ ଫଳହାରୀ ଥିଲି ।

 

ମାତ୍ର ଚଉଦ ଦିନର ଉପବାସ ଶେଷରେ ମତେ ଭାରି କଷ୍ଟ ହୋଇଥିଲା । ମୁଁ ସେ ପର୍ଯ୍ୟନ୍ତ ରାମନାମର ଅଦ୍‌ଭୁତ ଶକ୍ତି ପୁରାପୂରି ବୁଝି ନଥିଲି ଏବଂ ତେଣୁ ମୋର କଷ୍ଟ ସହିବା ଶକ୍ତି କମ୍‌ ଥିଲା । ଉପବାସ ଭିତରେ ଯେତେଦୂର ସମ୍ଭବ ଚେଷ୍ଟା କରି ଖୁବ୍‌ ପାଣି ପଇବା ଉଚିତ । ଏତକ ବାହାର କଥା ମତେ ଜଣା ନ ଥିବା ଫଳରେ ମତେ ଏ ଉପବାସ କଷ୍ଟ ଲାଗିଥିଲା । ପହିଲି ଉପବାସଟି ଅତି ସୁଖ ଶାନ୍ତିରେ କଟି ଯାଇଥିବାରୁ, ଦ୍ୱିତୀୟଟି ବେଳକୁ ମୁଁ ଟିକିଏ ବେପରଓ୍ୟା ହୋଇଯାଇଥିଲି । ପ୍ରଥମ ଉପବାସ ବେଳେ ମୁଁ ପ୍ରତ୍ୟହ କ୍ୟୁନେଙ୍କର ନାଭିସ୍ନାନ କରୁଥିଲି । ମାତ୍ର ଦ୍ୱିତୀୟ ଉପବାସ ବେଳେ ୨/୩ ଦିନ ପରେ ତାହା ବନ୍ଦ କରି ଦେଇଥିଲି । ପାଣି ସ୍ୱାଦ ଖରାପ ଲାଗୁଥିବାରୁ ଓ ବାନ୍ତି ମାଡ଼ୁଥିବାରୁ ମୁଁ ପାଣି ବହୁତ କମ୍‌ ପିଉଥିଲି । ଏହା ଫଳରେ ମୋ ତଣ୍ଟି ଶୁଖିଯାଇ ଦୁର୍ବଳ ହୋଇ ପଡ଼ିଥିଲା ଏବଂ ଶେଷ କେତେଦିନ ମୁଁ ଅତି କ୍ଷୀଣ ସ୍ୱରରେ କଥା କହି ପାରୁଥିଲି । ଏହା ସତ୍ତ୍ୱେ ମୋର ଲେଖାଲେଖି କାମ ବନ୍ଦ ନଥିଲା । ରାମାୟଣ ପ୍ରଭୃତି ଶେଷଯାଏ ଶୁଣୁଥିଲି । କୌଣସି ଜରୁରୀ ବିଷୟରେ ପରାମର୍ଶ ଦେବା କାମ ମଧ୍ୟ କରି ପାରୁଥିଲି ।

 

ଗୋଖଲେଙ୍କୁ ଭେଟିବା ପାଇଁ !

 

ଦକ୍ଷିଣ ଆଫ୍ରିକାରେ ସ୍ମୃତି ମତେ ଛାଡ଼ିଦେଇ ଯିବାକୁ ହେବ । ୧୯୧୪ରେ ସତ୍ୟାଗ୍ରହ ଆନ୍ଦୋଳନ ଶେଷରେ ବିଲାତବାଟେ ଘରକୁ ଫେରିବାକୁ ଆଦେଶ ଶ୍ରୀଯୁକ୍ତ ଗୋଖଲେଙ୍କଠାରୁ ପାଇଥିଲି । ତେଣୁ ଜୁଲାଇ ମାସରେ କେଲେନ୍‌ବାକ୍‌ ଓ କସ୍ତୁର ବାଈଙ୍କ ସଙ୍ଗେ ମୁଁ ବିଲାତ ଯାତ୍ରା କରିଥିଲି ।

 

ସତ୍ୟାଗ୍ରହ ସମୟରେ ମୁଁ ତୃତୀୟ ଶ୍ରେଣୀରେ ଯା’ଆସ ଆରମ୍ଭ କରି ଦେଇଥିଲି । ସେଥିପାଇଁ ଏ ସମୁଦ୍ର ଯାତ୍ରାରେ ତୃତୀୟ ଶ୍ରେଣୀ ଟିକେଟ୍‌ କଟେଇଥିଲି । କିନ୍ତୁ ଏ ତୃତୀୟ ଶ୍ରେଣୀ ଏବଂ ଆମ ତୃତୀୟ ଶ୍ରେଣୀ ମଧ୍ୟରେ ବହୁତ ପ୍ରଭେଦ ଥିଲା । ଆମଥିରେ ଶୁଆବସା ପାଇଁ ସ୍ଥାନ କଷ୍ଟରେ ମିଳିଥାଏ । ସଫା ସୁତୁରା ହୁଅନ୍ତା କୁଆଡ଼ୁ ? କିନ୍ତୁ ସେ ଜାହାଜରେ ଯଥେଷ୍ଟ ଜାଗା ଥାଏ ଓ ଭଲ ସଫା ସୁତୁରା ଥାଏ । ଜାହାଜ କୋମ୍ପାନୀ ଆମ ପାଇଁ ବିଶେଷ ସୁବିଧା ମଧ୍ୟ କରି ଦେଇଥିଲେ । କେହି ଆମକୁ କଷ୍ଟ ଦେବ ନାହିଁ ବୋଲି ଆମପାଇଁ ଗୋଟିଏ ସ୍ୱତନ୍ତ୍ର ପାଇଖାନା ଓ ଗାଧୁଆଘର ତାଲା ପକେଇ ଆମକୁ ଦେଇଥିଲେ ଏବଂ ଆମେ ସବୁ ଫଳାହାରୀ ଥିବାରୁ ଜାହାଜର ଗୋଦାମୀକୁ କଞ୍ଚା ଶୁଖିଲା ସବୁ ଫଳ ଯୋଗାଇବାର ହୁକୁମ ଥିଲା । ନିୟମାନୁସାରେ ତ ତୃତୀୟ ଶ୍ରେଣୀ ଯାତ୍ରୀଙ୍କୁ ପାଚିଲା ଫଳ କମ୍ ମିଳିଥାଏ । ଶୁଖିଲା ଫଳ ତ ଆଦୌ ମିଳେ ନାହିଁ । ଏହି ସବୁ ସୁବିଧା ଯୋଗୁଁ ସମୁଦ୍ରରେ ଅଠର ଦିନ ବଡ଼ ସୁଖରେ କଟିଗଲା ।

 

ସମୁଦ୍ର ଯାତ୍ରାର କେତେକ ଘଟଣା ଉଲ୍ଲେଖଯୋଗ୍ୟ । କେଲେନ୍‌ବାକ୍‌ଙ୍କର ‘ଦୂରବୀନ୍’ (ଦୂରବୀକ୍ଷଣ ଯନ୍ତ୍ର) ଭାରି ପ୍ରିୟ ଥିଲା ଏବଂ ତାଙ୍କର ଗୋଟିଏ ଦିଓଟି ଦାମୀ ‘ଦୂରବୀନ୍‌’ ଥିଲା । ଏ ସମ୍ବନ୍ଧରେ ଆମର ପ୍ରତ୍ୟହ ଆଲୋଚନା ହେଉଥିଲା । ଏ ଜିନିଷଟି ରଖିବା ଯେ ଆମର ସରଳତାର ଆଦର୍ଶ ସଙ୍ଗେ ଖାପ୍ ଖାଉ ନାହିଁ; ଏକଥା ମୁଁ ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲି । ଆମେ ଦିନେ ଆମ କୋଠରୀର ଜଳାକବାଟି ପାଖେ ଠିଆ ହୋଇଥିଲୁ, ସେତିକିବେଳେ ଆମର ଏ ଆଲୋଚନାର ଚୂଡ଼ାନ୍ତ ହୋଇଯାଇଥିଲା ।

 

ମୁଁ କହିଥିଲି, ‘‘ଏ ଜିନିଷଟା ଆମ ଦୁହିଙ୍କ ଭିତରେ କଳିମଞ୍ଜି ହୋଇ ରହିବାଠାରୁ ଏଇଟାକୁ ପାଣିକୁ ପକେଇଦେଇ ଓ ତା କଥା ଆଉ ନ ଉଠେଇ ଆମେ ନିଶ୍ଚିନ୍ତ କାହିଁକି ନ ହେବୁ-?’’

 

କେଲେନ୍‌ବାକ୍ ଶୀଘ୍ର ଜବାବ ଦେଇଥିଲେ, ‘‘ନିଶ୍ଚୟ, ଏ ବଣା କରୁଥିବା ଜିନିଷ ଗୁଡ଼ିକ ପାଣିକୁ ପକେଇଦିଅ ।’’ ମୁଁ କହିଲି, ‘‘ମୁଁ ପକେଇ ଦେଉଛି ।’’ ସଙ୍ଗେ ସଙ୍ଗେ ଉତ୍ତର ପାଇଥିଲି, ‘‘ମୁଁ ସତ କହିଛି, ନିଶ୍ଚୟ ପକେଇ ଦିଅ ।’’ ସଙ୍ଗେ ସଙ୍ଗେ ମୁଁ ‘ଦୂରବୀନ୍’ ସମୁଦ୍ରକୁ ପକେଇ ଦେଇଥିଲି । ତାହାର ଦାମ ପ୍ରାୟ ଶହେ ପାଞ୍ଚ ଟଙ୍କା ଥିଲା; କିନ୍ତୁ ତା’ର ଆର୍ଥିକ ମୂଲ୍ୟରେ ତା’ର ଦାମ ଯାହା ନ ଥିଲା, କେଲେନ୍‌ବାକ୍‌ଙ୍କର ତା’ ପ୍ରତି ଆଶକ୍ତିରେ ତା’ର ଦାମ୍ ବେଶୀ ଥିଲା । ତଥାପି ସେ ତା ପାଇଁ କେବେହେଁ ଦୁଃଖ କରି ନ ଥିଲେ ।

 

କେଲେନ୍‌ବାକ୍‌ ଓ ମୋ ଭିତରେ ଏମିତି ଘଟଣା ଅନେକ ଘଟୁଥିଲା । ସେଥିରୁ ଏହା ଗୋଟିଏ ନମୁନା । ଆମ୍ଭେମାନେ ଉଭୟ ସତ୍ୟର ପଥ ଅନୁସରଣ କରିବାକୁ ଚେଷ୍ଟା କରୁଥିଲୁ, ସେଥିପାଇଁ ଆମର ସହବାସରୁ ଏହିପରି ପ୍ରତ୍ୟହ ନୂଆ ନୂଆ କଥା ଶିଖୁଥିଲୁ ।

 

ସତ୍ୟକୁ ଅନୁସରଣ କଲେ କ୍ରୋଧ, ଅହଂକାର, ଘୃଣା ପ୍ରଭୃତି ଶାନ୍ତ ପଡ଼ିଯାନ୍ତି; ନଚେତ୍ ସତ୍ୟକୁ ପାଇବା ଅସମ୍ଭବ । ରୋଗ ଦ୍ୱେଷରେ ଭରପୁର ମଣିଷ ଖୁବ୍ ସରଳ ହୋଇପାରେ, କଥାରେ ସତ୍ୟ ପାଳିପାରେ; ତଥାପି ଶୁଦ୍ଧ ସତ୍ୟ ତାକୁ ମିଳିବ ନାହିଁ । ଶୁଦ୍ଧ ସତ୍ୟର ଅନୁସନ୍ଧାନ ଅର୍ଥ ରାଗଦ୍ୱେଷ ଇତ୍ୟାଦି ସମସ୍ତପ୍ରକାର ଦ୍ୱନ୍ଦମୋହରୁ ମୁକ୍ତି ପାଇବା ।

 

ଆମ୍ଭେମାନେ ଜାହାଜଯାତ୍ରା ଆରମ୍ଭ କଲାବେଳକୁ ମୋର ଉପାସ ସରିବାର ବେଶୀ ଦିନ ହୋଇ ନଥାଏ । ମୋର ପୂରା ବଳ ଫେରି ଆସି ନଥାଏ । ପରିଶ୍ରମ କଲେ ଭୋକ ହେବ ଏବଂ ଯାହା ଖାଉଚି ହଜମ ପାଇବ ବୋଲି ମୁଁ ଜାହାଜ ଡେକ୍ ଉପରେ ପ୍ରତ୍ୟହ ଟିକେ ବୁଲୁଥିଲି । କିନ୍ତୁ ସେତିକିରେ ମୋ ଗୋଡ଼ ଭଣ୍ଡା ଦରଜ ହୋଇଯାଉଥିଲା । ବିଲାତରେ ପହଞ୍ଚିଲାବେଳକୁ ମୋ ଅବସ୍ଥା ଭଲ ହେବ କ’ଣ ଅଧିକ ଖରାପ ହୋଇଯାଇଥିଲା । ସେଇଠି ମୋର ଡାକ୍ତର ଜୀବରାଜ ମେହେତାଙ୍କ ସଙ୍ଗେ ପରିଚୟ ହେଲା । ମୁଁ ତାଙ୍କୁ ମୋର ଉପବାସ କଥା ଓ ଗୋଡ଼ ଦରଜ କଥା କହିଥିଲି । ସେ କହିଥିଲେ, ‘‘ଆପଣ ଯଦି କିଛିଦିନ ପୂର୍ଣ୍ଣ ବିଶ୍ରାମ ନ ନିଅନ୍ତି, ତେବେ ଆପଣଙ୍କ ଗୋଡ଼ ଦୁଇଟି ଏକଦମ ବେକାର ହୋଇଯିବାର ଆଶଙ୍କା ରହିଛି ।’’

 

ସେତେବେଳେ ଯାଇ ମୁଁ ଶିଖିଥିଲି ଯେ, ଦୀର୍ଘକାଳ ଉପବାସ ପରେ ମଣିଷର ନଷ୍ଟବଳ ଫେରିପାଇବାକୁ ତର ତର ହେବା ଉଚିତ ନୁହେଁ ଏବଂ କିଛିଦିନ ପାଇଁ ବେଶି ଖାଇବାର ଲୋଭ କରିବା ଉଚିତ ନୁହେଁ । ଉପବାସ କରିବାଠାରୁ ଉପବାସ ଭାଙ୍ଗିବାରେ ଅଧିକ ସତର୍କତା ଲୋଡ଼ା ଏବଂ ସମ୍ଭବତଃ ସେଥରେ ଅଧିକ ସଂଯମ ଲୋଡ଼ା ।

 

ମଦିରାଠାରେ ଆମେ ଶୁଣିଲୁ ଯେ, ଯେ କୌଣସି ମୁହୂର୍ତ୍ତରେ ମହାସମର ଲାଗିଯିବ । ଯେମିତି ଆମ୍ଭେମାନେ ଇଂଲଣ୍ଡ ଉପକୂଳରେ ପଶିଲୁ, ସେମିତି ଆମ୍ଭେମାନେ ଯୁଦ୍ଧ ଆରମ୍ଭ ହୋଇଯିବାର ଖବର ପାଇଲୁ । ବାଟରେ ଆମକୁ କିଛିଦିନ ପାଇଁ ଅଟକେଇ ଦେଇଥିଲେ । ଇଂଲିଶ୍ ଚ୍ୟାନେଲଯାକ ଏତେ ବୁଡ଼ାବୋମା ସବୁ ଯୋଖା ହୋଇଥିଲା ଯେ; ତାହା ଭିତରେ ଜାହାଜକୁ ନେବା ବଡ଼ କଠିନ କାମ ଥିଲା ଏବଂ ସାଉଦାମ୍ପଟନ୍ ପହଞ୍ଚିବାକୁ ଆମକୁ ଦିନେ ଦୁଇଦିନ ଡେରିହେଲା ।

 

୪ ତାରିଖ ଅଗଷ୍ଟରେ ଯୁଦ୍ଧ ଘୋଷଣା ହୋଇଥିଲା । ଆମେ ୬ ତାରିଖ ଅଗଷ୍ଟରେ ବିଲାତରେ ପହଞ୍ଚିଥିଲୁ ।

 

ଯୁଦ୍ଧରେ ସାହାଯ୍ୟ

 

ବିଲାତରେ ଯାଇ ଶୁଣିଲି ଯେ, ଗୋଖଲେ ସ୍ୱାସ୍ଥ୍ୟଦୃଷ୍ଟିରୁ ପ୍ୟାରିସ ଯାଇଥିଲେ ଏବଂ ସେଠି ଅଟକି ଯାଇଅଛନ୍ତି । ପ୍ୟାରିସ୍ ଓ ଇଂଲଣ୍ଡ ଭିତରେ ବାଟ ଘାଟ ବନ୍ଦ ହୋଇଯାଇଥିବାରୁ, ସେ କେବେ ଫେରିବେ କିଛି ଜଣା ନ ଥିଲା । ତାଙ୍କୁ ନ ଦେଖି କରି ଘରକୁ ଫେରିବାର ନ ଥିଲା । ଏଣେ ସେ କେବେ ଫେରିବେ ତାହା କେହି ସ୍ଥିର କରି କହିପାରୁ ନ ଥିଲେ ।

 

ଇତ୍ୟବସରରେ ମୁଁ କରନ୍ତି କ’ଣ ? ଯୁଦ୍ଧ ସମ୍ବନ୍ଧରେ ମୋର କର୍ତ୍ତବ୍ୟ କ’ଣ ? ମୋର ଜେଲସାଥୀ ଓ ସତ୍ୟାଗ୍ରହୀ ସୋରାବ୍‌ଜୀ ଆଦାଜାନୟା ସେ ସମୟରେ ବାରିଷ୍ଟରୀ ପଢ଼ୁଥିଲେ । ସବୁଠାରୁ ଭଲ ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ ସେ ଜଣେ ଥିବାରୁ ତାଙ୍କୁ ବାରିଷ୍ଟର ହେବାପାଇଁ ବିଲାତ ପଠାଯାଇଥିଲା ଏବଂ ତେଣୁ ଫେରିଲେ ଦକ୍ଷିଣ ଆଫ୍ରିକାରେ ମୋର ସ୍ଥାନ ସେ ଅଧିକାର କରିବେ ବୋଲି ଆଶା କରାଯାଇଥିଲା । ଡାକ୍ତର ପ୍ରାଣଜୀବନ ରାମ ମେହେତା ତାଙ୍କର ସମସ୍ତ ଖର୍ଚ୍ଚ ତୁଲାଉଥିଲେ । ତାଙ୍କ ସଙ୍ଗରେ ଓ ତାଙ୍କ ସାହାଯ୍ୟରେ ମୁଁ ଡାକ୍ତର ମୁଁ ବରାଜ ମେହେତା ପ୍ରଭୃତି ଯେଉଁମାନେ ବିଲାତରେ ପାଠ ପଢ଼ୁଥିଲେ, ସେମାନଙ୍କ ସଙ୍ଗେ ପରାମର୍ଶ କରିଥିଲି । ବିଲାତରେ ଯେତେ ଭାରତବାସୀ ଥିଲେ, ସେମାନଙ୍କର ଗୋଟିଏ ସଭା ଡକରା ହୋଇଥିଲା ଓ ତାଙ୍କ ଆଗରେ ମୁଁ ମୋର ମତ ପେଶ୍ କରିଥିଲି ।

 

ଇଂଲଣ୍ଡରେ ବାସ କରୁଥିବା ଭାରତବାସୀଙ୍କର ଯୁଦ୍ଧରେ ଯଥାଶକ୍ତି ସାହାଯ୍ୟ କରିବା ଉଚିତ ବୋଲି ମତେ ଲାଗିଥିଲା । ଇଂରେଜ ଛାତ୍ରମାନେ ସୈନ୍ୟବିଭାଗରେ କାମ କରିବେ ବୋଲି ନିଜର ଇଚ୍ଛା ପ୍ରକାଶ କରିଥିଲେ । ଭାରତୀୟ ଛାତ୍ରମାନେ ମଧ୍ୟ ସେୟା କରିପାରନ୍ତେ । ମାତ୍ର ଏ ଯୁକ୍ତି ବିରୁଦ୍ଧରେ ନାନାରକମ ଆପତ୍ତି ଉଠିଥିଲା । କେହି କେହି କହିଥିଲେ, ଭାରତୀୟ ଓ ଇଂରେଜମାନଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ସେମାନେ ଥିଲେ ପ୍ରଭୁ । ଆମେ ଥିଲୁ ଦାସ-। ଏପରି ଅବସ୍ଥାରେ ପ୍ରଭୁର ବିପଦ ବେଳେ ଦାସ ସ୍ୱେଚ୍ଛାରେ କିପରି ସାହାଯ୍ୟ କରିପାରିବ ? ଯେଉଁ ଦାସ ମୁକ୍ତ ହେବାକୁ ଇଚ୍ଛା କରୁଛି, ପ୍ରଭୁର ବିପଦବେଳେ ତା’ର ନିଜର ସୁବିଧା କରିନେବା ଉଚିତ ନୁହେଁ କି ? ସେତେବେଳେ ଏ ଯୁକ୍ତି ମୋ ମନକୁ କୁଆଡ଼ୁ ପା’ନ୍ତା ? ଯଦ୍ୟପି ଦୁଇଟି ଅବସ୍ଥାର ପ୍ରଭେଦ ମୁଁ ବୁଝିପାରିଥାଏ; ତଥାପି ମତେ ଆମ ଅବସ୍ଥା ଏକଦମ ପୂରା ଗୋଲାମୀ ଅବସ୍ଥା ନ ଥିଲା ବୋଲି ମୋର ବିଶ୍ୱାସ ଥିଲା । ମୋର ମତରେ ବ୍ରିଟିଶ ଶାସନ ପଦ୍ଧତିର ଦୋଷ ତ ଥିଲା । କିନ୍ତୁ ବ୍ୟକ୍ତିଗତ ଇଂରେଜ କର୍ମଚାରୀଙ୍କର ବେଶୀ ଦୋଷ ଥିଲା । ସେ ଦୋଷ ଆମର ପ୍ରେମ ଦ୍ୱାରା ଜୟ କରିହେବ । ଇଂରେଜମାନଙ୍କ ଦ୍ୱାରା ଓ ତାଙ୍କରି ସାହାଯ୍ୟ ଦ୍ୱାରା ଯଦି ଅବସ୍ଥାର ଉନ୍ନତି କରିବାର କଥା, ତେବେ ତାଙ୍କ ବିପଦ ସମୟରେ ସହଯୋଗ କରି ଅବସ୍ଥା ସୁଧାରିନେବା ଆମର ଉଚିତ । ଶାସନ ନୀତି ଦୋଷଯୁକ୍ତ ଥିଲେ ସୁଦ୍ଧା ଏବେ ମୋତେ ତାହା ଯେପରି ଅସହ୍ୟ ବୋଧ ହେଉଛି, ସେତେବେଳେ ସେପରି ଅସହ୍ୟ ବୋଧ ହେଉ ନ ଥିଲା । କିନ୍ତୁ ଯେମିତି ଆଜି ଏ ଶାସନରୁ ମୋର ବିଶ୍ୱାସ ତୁଟି ଯାଇଛି ଏବଂ ଆଜି ଇଂରାଜୀକୁ ସାହାଯ୍ୟ କରୁନାହିଁ, ସେମିତି ସେଠାରେ ଯେଉଁ ବନ୍ଧୁମାନେ କେବଳ ଶାସନ ନୀତିରୁ ନୁହଁ, ବରଂ ଇଂରେଜୀ କର୍ମଚାରୀଙ୍କ ଉପରୁ ବିଶ୍ୱାସ ହରେଇ ବସିଥିଲେ, ସେମାନେ ଇଂରେଜଙ୍କୁ ସାହାଯ୍ୟ କରିବାକୁ କିପରି ରାଜି ହୋଇଥାନ୍ତେ-? ସେମାନେ ତ ଏତିକିବେଳେ ଭାରତର ଦାବିକୁ ଦୃଢ଼ଭାବରେ ଜଣାଇ ଦେବାରେ ଓ ସେଥିରେ ଉନ୍ନତି କରି ନେବାରେ ଦେଶର ସୁଯୋଗ ଆସିଛି ବୋଲି ବିଚାରୁଥିଲେ ।

 

ମାତ୍ର ମୋ ବିଚାରରେ ଇଂଲଣ୍ଡର ବିପଦ ସମୟରେ ଆମ ଦାବି ପେଶ କରିବା ଉଚିତ ନ ଥିଲା ଏବଂ ଯୁଦ୍ଧ ଭିତରେ ତାକୁ ମୁଲତବୀ ରଖିବା ଅଧିକ ସୁନ୍ଦର ଓ ଦୂରଦୃଷ୍ଟିରୁ ଲାଭଦାୟକ ବୋଲି ମୁଁ ଦେଖିପାରୁଥିଲି । ତେଣୁ ମୋର ପରାମର୍ଶରେ ଦୃଢ଼ ରହିଥିଲି ଏବଂ ଯେଉଁମାନେ ସ୍ୱେଚ୍ଛାସେବକ ହେବାକୁ ରାଜି ଥିଲେ, ସେମାନଙ୍କର ନାମ ଦେବାକୁ ଆହ୍ୱାନ କରିଥିଲି । ବେଶ୍ ଭଲ ସଂଖ୍ୟାରେ ନାମ ଆସିଥିଲା । ସେଥିରେ ସବୁ ପ୍ରଦେଶର ତଥା ସବୁ ଧର୍ମର ଲୋକଙ୍କର ନାମ ଥିଲା-

 

ମୁଁ ଲର୍ଡ଼ କ୍ରୁ’ଙ୍କ ପାଖକୁ ଏହି ବିଷୟରେ ଖଣ୍ଡେ ଚିଠି ଲେଖିଥିଲି ଯେ, ଯଦି ଭାରତୀୟଙ୍କର ଏ ମାଗୁଣୀ ସ୍ୱୀକାର କରିବା ଉଦ୍ଦେଶ୍ୟରେ ଜଖମୀ ସିପେଇଙ୍କର ସେବା କରିବାପାଇଁ ତାଲିମ ପାଇବାର ଆବଶ୍ୟକତା ଜଣାପଡ଼େ, ତେବେ ସେ ତାଲିମ ନେବାକୁ ଆମର ଇଚ୍ଛା ଥିଲା ଓ ଆମେ ପ୍ରସ୍ତୁତ ଥିଲୁ ।

 

ବିଖ୍ୟାତ ଡାକ୍ତର କେଣ୍ଟଲିଙ୍କ ଅଧୀନରେ ଯେଉଁମାନେ ନାମ ଲେଖାଇଥିଲେ, ସେମାନେ ଆହତମାନଙ୍କୁ ଶୁଶ୍ରୂଷା କରିବାର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ମାତ୍ର ଛ’ ସପ୍ତାହର ଛୋଟିଆ ଶିକ୍ଷାକ୍ରମ ଥିଲା, କିନ୍ତୁ ସେ ସମୟ ମଧ୍ୟରେ ପ୍ରାଥମିକ ଶୁଶ୍ରୂଷା ସମ୍ବନ୍ଧରେ ଯାବତୀୟ ଶିକ୍ଷା ପୂର୍ଣ୍ଣ ହୋଇ ଯାଇଥିଲା ।

 

ଆମ୍ଭେମାନେ ପ୍ରାୟ ଅଶୀଜଣ ଏଥିରେ ଯୋଗ ଦେଇଥିଲୁ । ଛ’ ସପ୍ତାହ ପରେ ଆମର ପରୀକ୍ଷା ହୋଇଥିଲା ଓ କେବଳ ଜଣେ ଉତୁରିପାରି ନ ଥିଲା । ଯେଉଁମାନେ ପାଶ୍ କରିଥିଲେ ସେମାନଙ୍କ ପାଇଁ ସରକାର ପରେ ସାମରିକ କସରତ ପ୍ରଭୃତି ଶିଖାଇବାର ବନ୍ଦୋବସ୍ତ କରିଥିଲେ-। କର୍ଣ୍ଣେଲ ବେକରଙ୍କ ଉପରେ ଏ କାର୍ଯ୍ୟର ଭାର ଥିଲା ଏବଂ ଏ ଦଳର ସରଦାର ସେହି ସାହେବ ନିଯୁକ୍ତ ହୋଇଥିଲେ-

 

ସେ ସମୟରେ ଲଣ୍ଡନର ଦୃଶ୍ୟ ଗୋଟିଏ ଦେଖିବାର ଜିନିଷ ହୋଇଥିଲା । କୌଣସି ରକମର ଆତଙ୍କ ନଥିଲା । ମାତ୍ର ସମସ୍ତେ ଯଥାସାଧ୍ୟ ସାହାଯ୍ୟ କରିବାରେ ଲାଗିପଡ଼ିଥିଲେ । ବଳୁଆ ଯୁବକମାନେ ତ ଯୁଦ୍ଧ ଶିକ୍ଷା କରୁଥିଲେ; ମାତ୍ର ଅକ୍ଷମ ମାଇପେ, ବୁଢ଼ା କରନ୍ତେ କଣ ? ଯେଉଁମାନେ ଇଚ୍ଛା କରୁଥିଲେ, ସେମାନଙ୍କ ପାଇଁ ଯଥେଷ୍ଟ କାମ ଥିଲା । ସେମାନେ ଲୁଗା କାଟି ଆହତମାନଙ୍କ ପାଇଁ ପୋଷାକ ପ୍ରଭୃତି ସିଲେଇ କରୁଥିଲେ । ସେଠାରେ ଲିସୀଅମ୍ ନାମକ ଗୋଟିଏ ମହିଳାସମିତି ଥିଲା । ତାର ସଭ୍ୟାମାନେ ତାଙ୍କ ପାରୁପର୍ଯ୍ୟନ୍ତ ଜଖମୀଙ୍କ ପୋଷାକ ତିଆରି କରିବା ଦାୟିତ୍ୱ ମୁଣ୍ଡାଇଥିଲେ । ଶ୍ରୀମତୀ ସରୋଜିନୀ ଦେବୀ (ନାଇଡ଼ୁ) ଏ ସମିତିର ଜଣେ ସଭ୍ୟା ଥିଲେ ଓ ମନପ୍ରାଣ ଦେଇ ଏ କାମରେ ଲାଗି ପଡ଼ିଥିଲେ । ତାଙ୍କ ସହିତ ମୋର ଏହି ପ୍ରଥମ ପରିଚୟ ଥିଲା । ସେ ଜାମା କୁର୍ତ୍ତା ପାଇଁ ପୁଳାଏ କନା କାଟି ମୋ ପାଖରେ ଜମା କରି ଦେଇ, ସିଲେଇ କରିସାରି ତାଙ୍କୁ ଫେରାଇ ଦେବାକୁ ମତେ କହିଥିଲେ । ତାଙ୍କର ଏ ଅନୁରୋଧକୁ ମୁଁ ଆନନ୍ଦର ସହିତ ସ୍ୱାଗତ କରିଥିଲି ଏବଂ ପ୍ରାଥମିକ ଶୁଶ୍ରୂଷା ପାଇବା ସମୟରେ ମଧ୍ୟ ଯେତେପାରେ ସିଲେଇ କରି ଦେଇଥିଲି ।

 

ଆଧ୍ୟାତ୍ମିକ ସମସ୍ୟା

 

ମୁଁ ଅନ୍ୟାନ୍ୟ ଭାରତବାସୀଙ୍କ ସହିତ ଯୁଦ୍ଧରେ ସାହାଯ୍ୟ ଦେବାକୁ ବାହାରିଛି,—ଏ ସମ୍ବାଦ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଲାଣି ସେଠୁ ମୁଁ ଦୁଇଟି ତାର ସମ୍ବାଦ ପାଇଥିଲି । ଖଣ୍ଡିଏ ମି: ପୋଲକଙ୍କ ପାଖରୁ ଆସିଥିଲା, ‘‘ଆପଣଙ୍କର ଏ କାମ ଆପଣଙ୍କ ଅହିଂସା ନୀତିର ବିରୁଦ୍ଧ ନୁହେଁ କି-?’’

 

ଏପରି ଆପତ୍ତି ଉଠିବ ବୋଲି ମୁଁ ଆଗରୁ ଆଶା କରିଥିଲି । କାରଣ ମୋର ‘ହିନ୍ଦୁ ସ୍ୱରାଜ’ ବହିରେ ମୁଁ ସେ ବିଷୟରେ ଆଲୋଚନା କରିସାରିଥିଲି ଏବଂ କି ଦିନ କି ରାତି ଦକ୍ଷିଣ ଆଫ୍ରିକାର ବନ୍ଧୁମାନଙ୍କ ସଙ୍ଗରେ ସେ ବିଷୟରେ ଆଲୋଚନା କରୁଥିଲି । ଆମ୍ଭେମାନେ ସମସ୍ତେ ଯୁଦ୍ଧର ଅନ୍ୟାୟ ଅନୁଭବ କରୁଥିଲୁ । ମୁଁ ଯେତେବେଳେ ମତେ ମାରିଥିବା ଲୋକ ବିରୁଦ୍ଧରେ ମକଦ୍ଦମା କରିବାକୁ ରାଜି ନ ଥିଲି, ସେତେବେଳେ ଯେଉଁ ଯୁଦ୍ଧରେ ପ୍ରତିପକ୍ଷମାନଙ୍କର ଦାବିର ସତ୍ୟାସତ୍ୟ ମତେ ଜଣା ନ ଥିଲା, ସେ ଯୁଦ୍ଧରେ ମୁଁ କେମିତି ଯୋଗ ଦିଅନ୍ତି ? ଯଦ୍ୟପି ବନ୍ଧୁମାନେ ଆଗରୁ ଜାଣିଥିଲେ ଯେ, ମୁଁ ପୂର୍ବେ ବୁଅର ଯୁଦ୍ଧରେ ଥରେ ଯୋଗଦେଇଥିଲି; କିନ୍ତୁ ତା’ପରେ ମତ ବଦଳି ଯାଇଥିବ ବୋଲି ସେମାନେ ଧରି ନେଇଥିଲେ ।

 

କିନ୍ତୁ ପ୍ରକୃତରେ ଯେଭଳି ଯୁକ୍ତିବଳରେ ମୁଁ ବୁଅର ଯୁଦ୍ଧରେ ଯୋଗ ଦେଇଥିଲି; ସେହି ଯୁକ୍ତିର ଆଶ୍ରୟ ଏବେ ମଧ୍ୟ ନେଉଥିଲି । ଯୁଦ୍ଧରେ ଯୋଗ ଦେବା ଯେ କେଭେ ଅହିଂସା ସାଙ୍ଗରେ ଖାପ ଖାଇବ ନାହିଁ, ସେ ବିଷୟରେ ମୁଁ ନିଃସନ୍ଦେହ ଥିଲି । ମାତ୍ର ତାହାସତ୍ତ୍ୱେ ନିଜର କର୍ତ୍ତବ୍ୟ ବିଷୟରେ ଲୋକ ସବୁବେଳେ ନିଃସନ୍ଦେହ ହୋଇ ପାରେ ନାହିଁ । ଯେ ସତ୍ୟର ପୂଜାହାରୀ, ତାକୁ ଅନେକ ସମୟରେ ଝୁଣ୍ଟିବାକୁ ପଡ଼ିଥାଏ ।

 

ଅହିଂସା ଏକ ବ୍ୟାପକ ଜିନିଷ । ଆମେ ଅଧମ ପ୍ରାଣୀ ହିଂସା ଜାଲରେ ଜଡ଼ିତ ହୋଇ ରହିଛୁ । ‘‘ଜୀବ ଯେ ଜୀବର ଆହାର’’ ଏହା ଭୁଲବାକ୍ୟ ନୁହେଁ । ମଣିଷ ମୁହୂର୍ତ୍ତେ ସୁଦ୍ଧା ବାହ୍ୟ ହିଂସା ନ କରି ବଞ୍ଚିପାରିବ ନାହିଁ । ଖାଇବା, ପିଇବା, ବସିବା, ଉଠିବା ସବୁ କାମରେ ଇଚ୍ଛାରେ ହେଉ ଅନିଚ୍ଛାରେ ହେଉ ସେ କିଛି ନା କିଛି ହିଂସା କରୁଛି । ସେ ଯଦି ହିଂସାରୁ ମୁକ୍ତ ହେବାକୁ ପ୍ରବଳ ଉଦ୍ୟମ କରୁଥାଏ ଓ ତାର ମନରେ କେବଳ ଦୟା ଥାଏ, ସେ ଅତି ସୂକ୍ଷ୍ମପ୍ରାଣୀକୁ ବିନାଶ କରିବାକୁ ଚାହେଁ ନାହିଁ; ବରଂ ତାକୁ ରକ୍ଷା କରିବାକୁ ଚେଷ୍ଟା କରେ, ତେବେ ସେ ଅହିଂସାର ଉପାସକ ଅଟେ । ପ୍ରତି ମୁହୂର୍ତ୍ତରେ ତା’ର ସବୁକାମରେ ସଂଯମ ବଢ଼ୁଥିବ । ତାଠାରେ ସବୁବେଳେ ଦୟାଭାବ ବଢ଼ୁଥିବ-। ମାତ୍ର କୌଣସି ଲୋକ କେବେହେଲେ ବାହ୍ୱିକ ହିଂସାରୁ ପୂରାପୂରି ମୁକ୍ତ ହୋଇପାରିବ ନାହିଁ-

 

ଉପରନ୍ତୁ ଅହିଂସାର ପେଟରେ ଅଦ୍ୱୈତ ଭାବନା ରହିଛି ଏବଂ ଯଦି ପ୍ରାଣୀମାନଙ୍କ ଭିତରେ ଭେଦ ନାହିଁ, ତେବେ ଜଣକର ପାପର ପ୍ରଭାବ ଅନ୍ୟ ଉପରେ ପଡ଼ିଥାଏ ଏବଂ ଫଳରେ ମଣିଷ କେବେ ହିଂସାରୁ ମୁକ୍ତ ହୋଇ ରହିପାରେ ନାହିଁ । ସମାଜରେ ରହୁଥିବା ମଣିଷ, ସମାଜର ଅନ୍ୟାୟରେ ଅନିଚ୍ଛାରେ ମଧ୍ୟ ଅଂଶୀଦାର ହୋଇଥାଏ । ଯେତେବେଳେ ଦୁଇ ଜାତି ଯୁଦ୍ଧ କରୁଛନ୍ତି, ସେତେବେଳେ ଅହିଂସା ମାନୁଥିବା ବ୍ୟକ୍ତିର କର୍ତ୍ତବ୍ୟ ହୋଇପଡ଼େ ଯେ ସେ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିବ । ସେ କର୍ତ୍ତବ୍ୟ କରିବାକୁ ଯାହାର ବଳ ନାହିଁ, ଯୁଦ୍ଧର ପ୍ରତିରୋଧ କରିବାକୁ ଯାହାର ଶକ୍ତି ନାହିଁ, ଯୁଦ୍ଧର ପ୍ରତିରୋଧ କରିବାର ଯେ ଯୋଗ୍ୟତା ହାସଲ କରିନାହିଁ, ସେ ଯୁଦ୍ଧରେ ଯୋଗ ଦେଇଥାଏ; ଯୋଗ ଦେଇ ସୁଦ୍ଧା ଆପଣାକୁ, ତାର ଜାତିକୁ ତଥା ସମସ୍ତ ଜଗତକୁ ଯୁଦ୍ଧରୁ ମୁକ୍ତ କରିବାକୁ ହାର୍ଦ୍ଦିକ ଚେଷ୍ଟା କରିଥାଏ ।

 

ବ୍ରିଟିଶ ରାଜ୍ୟ ଜରିୟାରେ ମୋର ତଥା ମୋର ଜାତିର ଅବସ୍ଥା ସୁଧାରିବାର କଥା । ମୁଁ ଇଂଲଣ୍ଡରେ ବସି ଇଂଲଣ୍ଡର ନୌସେନାର ଆଶ୍ରୟରେ ଥିଲି ଏବଂ ତା’ର ସେ ଶକ୍ତି ତଳେ ଆଶ୍ରୟ ନେଇଥିବାରୁ ସେଥିରେ ଥିବା ହଂସାରେ ମୁଁ ସିଧାସିଧି ଭାଗୀଦାର ହେଉଥିଲି । ସେଥିଯୋଗୁଁ ଯଦି ବ୍ରିଟିଶ ସାମ୍ରାଜ୍ୟ ସଙ୍ଗେ ମୋର ସମ୍ପର୍କ ରଖିବାର କଥା ଓ ତାର ପତାକା ତଳେ ରହିବାର କଥା, ତେବେ ମୋ ଆଗରେ ତିନୋଟି ବାଟ ଥିଲା—(୧) ହୁଏତ ମୁଁ ଯୁଦ୍ଧ ବିରୁଦ୍ଧରେ ଖୋଲାଖୋଲି ବିରୋଧ କରି ସତ୍ୟାଗ୍ରହ ନୀତି ଅନୁସାରେ ସାମ୍ରାଜ୍ୟ ତାର ଯୁଦ୍ଧନୀତି ନ ବଦଳେଇବାଯାଏ ତାକୁ ବର୍ଜନ କରିବି, କିମ୍ବା (୨) ଯେ ସବୁ ଆଇନ ଅମାନ୍ୟ କରିବାଯୋଗ୍ୟ, ସେ ସବୁ ଆଇନର ସବିନୟ ଭଙ୍ଗ କରି ମୁଁ ଜେଲ୍‌ ବରଣ କରିବି, କିମ୍ବା (୩) ମୁଁ ତାର ଯୁଦ୍ଧ ଆୟୋଜନରେ ଯୋଗ ଦେଇ ତାର ବିରୋଧ କରିବାର ଶକ୍ତି ଓ ଯୋଗ୍ୟତା ଅର୍ଜନ କରିବି । ଏଭଳି ଶକ୍ତି ମୋର ନ ଥିଲା । ସେଥିପାଇଁ ଯୁଦ୍ଧରେ ଯୋଗଦେବା ଛଡ଼ା ମୋର ଅନ୍ୟ ବାଟ ନ ଥିଲା ବୋଲି ମୁଁ ବିଚାରୁଥିଲି ।

 

ଅହିଂସା ଦୃଷ୍ଟିରୁ ବନ୍ଧୁକ ଚଳାଉଥିବା ଲୋକ ବା ତାହାର ସାହାଯ୍ୟକାରୀ ମଧ୍ୟରେ ମୁଁ କୌଣସି ପ୍ରଭେଦ ଦେଖେ ନାହିଁ । ଯେ ଦଳେ ଡକେଇତଙ୍କର ଚାକିରି କରିବାକୁ ବାହାରେ ଓ ସେମାନେ ଡକେଇତି କଲାବେଳେ ତାଙ୍କର ପହରା ଦିଏ ବା ଜିନିଷ ବୁହେ କିମ୍ବା ସେମାନେ ଆହତ ହେଲାବେଳେ ସେମାନଙ୍କର ଶୁଶ୍ରୂଷା କରେ, ସେ ମଧ୍ୟ ଡକେଇତମାନଙ୍କ ଭଳି ଡକେଇତିରେ ଦୋଷୀ । ସେହିପରି ଯୁଦ୍ଧରେ ମଧ୍ୟ ଯେଉଁମାନେ କେବଳ ଆହତମାନଙ୍କର ଶୁଶ୍ରୂଷାରେ ନିଯୁକ୍ତ ଥାନ୍ତି, ସେମାନେ ସୁଦ୍ଧା ଯୁଦ୍ଧର ପାପରୁ ମୁକ୍ତ ହୋଇ ପାରିବେ ନାହିଁ ।

 

ପୋଲକଙ୍କର ତାର ଖବର ପାଇବା ପୂର୍ବରୂ ମୁଁ ଉପରୋକ୍ତ ଭାବରେ ସମସ୍ତ କଥାଟା ମନରେ ଆଲୋଚନା କରିସାରିଥିଲି । ଉକ୍ତ ଖବର ପାଇବା ପରେ ମୁଁ ସେ ବିଷୟରେ କେତେକ ବନ୍ଧୁଙ୍କ ସଙ୍ଗରେ ଆଲୋଚନା କରିଥିଲି । ଯୁଦ୍ଧରେ ଯୋଗଦେବା ମୋର କର୍ତ୍ତବ୍ୟ ବୋଲି ଠିକ୍‌ କରିଥିଲି ଏବଂ ଆଜି ମଧ୍ୟ ସେ ଯୁକ୍ତିଧାରାରେ କୌଣସି ଭୁଲ୍‌ ଦେଖୁ ନାହିଁ । ସେତେବେଳେ ବ୍ରିଟିଶସାମ୍ରାଜ୍ୟ ସମ୍ବନ୍ଧରେ ମୋର ଯାହା ମତ ଥିଲା, ସେହି ଅନୁସାରେ ମୁଁ ଯୁଦ୍ଧରେ ସାହାଯ୍ୟ କରିଥିଲି ଏବଂ ତେଣୁ ସେଥିପାଇଁ ମୋର ଅନୁତାପ ମଧ୍ୟ ନାହିଁ ।

 

ମୁଁ ଜାଣେ, ସେତେବେଳେ ମୁଁ ମୋର ଯୁକ୍ତି ସମସ୍ତ ବନ୍ଧୁମାନଙ୍କୁ ବୁଝାଇ ମଧ୍ୟ ପାରୁ ନ ଥିଲି । ପ୍ରଶ୍ନଟି ବଡ଼ ସୂକ୍ଷ୍ମ । ଏଥିରେ ମତ ଭେଦର ସ୍ଥାନ ଅଛି । ସେଥିଯୋଗୁଁ ଯେଉଁମାନେ ଅହିଂସାରେ ବିଶ୍ୱାସ କରନ୍ତି ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତାକୁ ସୂକ୍ଷ୍ମଭାବରେ ପାଳିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ଆଗରେ ମୁଁ ମୋର ମତ ଯେତେଦୂର ସମ୍ଭବ ସଫା ସଫା ଜଣାଇଦେଲି । ସତ୍ୟର ଉପାସକ ସବୁବେଳେ ପ୍ରଚଳିତ କଥାକୁ ମାନି ଚଳିଯିବା ଠିକ୍‌ ନୁହେଁ । ନିଜର ମତକୁ ଜିଦ୍‌ଧରି ବସିବ ନାହିଁ, ନିଜର ଭୁଲ ହେବା ସମ୍ଭବ ବୋଲି ସବୁବେଳେ ମନେ କରୁଥିବ ଏବଂ ନିଜର ଭୁଲ ଦେଖିଲେ ହଜାର ବିପଦ ସତ୍ତ୍ୱେ ତାକୁ ମାନିଯିବ ଏବଂ ସେଥିପାଇଁ ପ୍ରାୟଶ୍ଚିତ୍ତ କରିବ ।

 

ଛୋଟିଆ ସତ୍ୟାଗ୍ରହ

 

ଏମିତି କର୍ତ୍ତବ୍ୟ ବିଚାରି ଯୁଦ୍ଧରେ ତ ପଡ଼ିଲି । କିନ୍ତୁ ଯୁଦ୍ଧରେ ସିଧା ଯୋଗଦେବା ମୋ କପାଳରେ ନ ଥିଲା । ଏତିକି ନୁହଁ । ଉପରନ୍ତୁ ଏଭଳି ସୂକ୍ଷ୍ମ ପରିସ୍ଥିତିରେ ମତେ ସତ୍ୟାଗ୍ରହ କରିବାକୁ ପଡ଼ିଥିଲା ।

 

ମୁଁ ପୂର୍ବରୁ କହିଛି, ଯେମିତି ଆମ ନାଁ ସବୁ ମଞ୍ଜୁର ହେଲା ଓ ତାଲିକାଭୁକ୍ତ ହେଲା, ଆମକୁ ଡ୍ରିଲ ଶିଖାଇବା ପାଇଁ ଜଣେ କର୍ମଚାରୀ ନିଯୁକ୍ତ କରାଯାଇଥିଲେ । ଆମର ସମସ୍ତଙ୍କର ଧାରଣା ଥିଲା ଯେ, କେବଳ ଶିକ୍ଷା ଦେବା ସମ୍ପର୍କରେ ସେ ଆମ୍ଭମାନଙ୍କ ଉପରିସ୍ଥ କର୍ତ୍ତା ହୋଇ ରହିବେ ଏବଂ ଅନ୍ୟାନ୍ୟ ବିଷୟରେ ମୁଁ ଦଳଟିର ନେତା ହୋଇ ରହିବି । ମୋର ସାଥୀଙ୍କ ପାଇଁ ଦାୟିତ୍ୱ ମୋ ମୁଣ୍ଡରେ ଥିଲା ଏବଂ ମୋ ପାଇଁ ତାଙ୍କ ଉପରେ ଥିଲା । ଅର୍ଥାତ୍‌ ଦଳର ଲୋକଙ୍କ ସଙ୍ଗରେ ଉପରିସ୍ଥ କର୍ମଚାରୀ ମୋ ଜରିୟାରେ ସମସ୍ତ କାରବାର କରିବେ, କିନ୍ତୁ ଘରେ ପଶୁ ପଶୁ ଚାଳ ବାଜିଥିଲା, ପହିଲି ଦିନୁ କର୍ମଚାରୀଙ୍କ ରଙ୍ଗଢଙ୍ଗ ଆମର ଭୁଲ ଧାରଣା ଦୂର କରି ଦେଇଥିଲା ।

 

ସୋରାବଜୀ ବଡ଼ ସିଆଣା ଲୋକ ଥିଲା । ସେ ମତେ ସତର୍କ କରାଇ ଦେଇଥିଲା ଏବଂ କହିଥିଲା, ‘‘ଭାଇ ଦେଖିବ, ଏ ଲୋକଟିର ଆମ ଉପରେ ହାକିମୀ କରିବାକୁ ମନ ଆଉ ଆମେ ତାର ହୁକୁମ ଶୁଣିବୁ ନାହିଁ । ତାକୁ ଆମର ମାଷ୍ଟର ସ୍ୱରୂପ ଦେଖିବାକୁ ଆମେ ପ୍ରସ୍ତୁତ । ସେ ଯେଉଁ ଟୋକା ପଞ୍ଝାଙ୍କୁ ଆମକୁ ଶିଖେଇବାକୁ ନିଯୁକ୍ତି କରିଛି, ସେମାନେ ବି ଆମ ଉପରେ ହୁକୁମ ଚଳାଇବାକୁ ବସିଛନ୍ତି ।’’

 

ଏ ଟୋକାଯାକ ଅକ୍‌ସଫୋର୍ଡ଼ର ଛାତ୍ର ଥିଲେ । ଆମମାନଙ୍କୁ ଶିଖେଇବାକୁ ଆସିଥିଲେ ଏବଂ ଆମର କର୍ମଚାରୀ ସେମାନଙ୍କୁ ଆମ ଉପରେ ଛୋଟ ହାକିମ ନିଯୁକ୍ତି କରିଥିଲେ ।

 

ମୁଁ ସୋରାବଜୀଙ୍କ କହିବା କଥା ଆଗରୁ ଲକ୍ଷ୍ୟକରି ସାରିଥିଲି । ମୁଁ ସୋରାବଜୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲି ଏବଂ ଚିନ୍ତିତ ନ ହେବାକୁ ଅନୁରୋଧ କରିଥିଲି । କିନ୍ତୁ ସେ ସହଜରେ ବିଶ୍ୱାସ କରିଯିବା ଲୋକ ନଥିଲେ ।

 

ସେ ହସିକରି କହିଥିଲେ, ‘‘ତମେ ଅତି ଅଳ୍ପରେ ବିଶ୍ୱାସ କରିଯାଅ । ଏ ଲୋକେ ତମକୁ ଅତି ବାଜେ କଥା କହି ଠକେଇଦେବେ ଏବଂ ଶେଷରେ ତେମେ ଯେତେବେଳେ ଆମକୁ ସତ୍ୟାଗ୍ରହ କରିବାକୁ କହିବ ଓ ନିଜେ ଦୁଃଖରେ ପଡ଼ିବ, ଆମକୁ ବି ଦୁଃଖରେ ପକେଇବ ।’’ ମୁଁ ମଧ୍ୟ କହିଥିଲି, ‘‘ମୋ ସାଙ୍ଗରେ ପଡ଼ି ତେମେ ଦୁଃଖ ଛଡ଼ା ଆଉ କିଛି କେବେ ଭୋଗିଛି କି ? ସତ୍ୟାଗ୍ରହୀ ତ ଅନ୍ୟଦ୍ୱାରା ପ୍ରତାରିତ ହେବ ବୋଲି ଜନ୍ମ ହୋଇଛି । ଆମର କର୍ମଚାରୀ ମହାଶୟ ଆମକୁ ଧପାନ୍ତୁ । ମୁଁ କ’ଣ ତମକୁ ହଜାର ଥର କହି ନାହିଁ କି, ଯେ ଅନ୍ୟକୁ ଠକିଥାଏ ସେ ଶେଷରେ ନିଜେ ଠକେ ।’’

 

ସୋରାବଜୀ ଠୋ ଠୋ କରି ହସିଉଠିଥିଲେ । ସେ କହିଥିଲେ, ‘‘ହଉ ଭଲକଥା, ପ୍ରତାରିତ ହେଉଥାଅ । ଦିନେ ସତ୍ୟାଗ୍ରହରେ ଏହିପରି ମରିବ ଏବଂ ଆମ ଭଳିଆ କେତେକଙ୍କୁ ତମ ପଛରେ ଘୋଷାଡ଼ି ମାରିବ ।’’

 

ଏହି କଥା ଶୁଣି ମିସ୍‌ ଏମିଲ ହୋବ ହାଉସ୍‌ ଅସହଯୋଗ ସମୟରେ ମତେ ଯାହା ଲେଖିଥିଲେ, ସେ କଥା ମନେପଡ଼ିଗଲା । ‘‘ସତ୍ୟ ପାଇଁ ଆପଣ କେଉଁଦିନ ଫାଶୀ କାଠରେ ଝୁଲିପାରନ୍ତି, ସେଥିରେ ମୁଁ ଟିକିଏ ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ଭଗବାନ ଆପଣଙ୍କୁ ସିଧା ବାଟେ ନିଅନ୍ତୁ ଓ ରକ୍ଷା କରନ୍ତୁ ।’’

 

ସୋରାବଜୀଙ୍କର ଓ ମୋର ଏ କଥାବାର୍ତ୍ତା କର୍ମଚାରୀଙ୍କ ନିଯୁକ୍ତି ପରେ ଆରମ୍ଭରେ ହୋଇଥିଲା । ଆରମ୍ଭ ଓ ଶେଷ ଭିତରେ ଅଳ୍ପ ଦିନ କେତେଟା ଅନ୍ତର ଥିଲା । କିନ୍ତୁ ତାରି ଭିତରେ ମୋର ଫୁସ୍‌ଫୁସରେ କଠିନ ଫୁଲା ବେମାର ଆରମ୍ଭ ହୋଇଥିଲା । ଚଉଦ ଦିନ ଉପାସ ପରେ ମୋର ବଳ ଆସିଛି କି ନ ଆସିଛି, ଏହିପରି ସମୟରେ ମୁଁ ଡ୍ରିଲ କସରତରେ ଯୋଗ ଦେବାକୁ ଆରମ୍ଭ କରିଥିଲି । ଅଧିକାଂଶ ସମୟରେ ମତେ ଘରଠାରୁ ଡ୍ରିଲ ପଡ଼ିଆକୁ ଚାଲିଯିବାକୁ ପଡ଼ୁଥିଲା । ଏତକ ବାଟ ପକ୍‌କା ଦୁଇମାଇଲ ଥିଲା । ଏହା ଫଳରେ ଶେଷକୁ ମୋତେ ବିଛଣା ଧରିବାକୁ ପଡ଼ିଥିଲା । ଏହିପରି ଅବସ୍ଥାରେ ଆମର ସାପ୍ତାହିକ ଗସ୍ତ ପାଳି ପଡ଼ିଥିଲା । ଅନ୍ୟମାନେ ଯାଇ ସେଠାରେ ରହୁଥିଲେ, ମୁଁ ସଞ୍ଜକୁ ଫେରି ଆସୁଥିଲି । ଏହିଠାରେ ସତ୍ୟାଗ୍ରହ କରିବାର ଅବସର ଆସିଥିଲା । କର୍ମଚାରୀ ତାଙ୍କର ହାକିମୀ ଦେଖେଇବାକୁ ଆରମ୍ଭ କରିଥିଲେ । ସେ ଆମ୍ଭମାନଙ୍କୁ ସ୍ପଷ୍ଟ କହିଥିଲେ ଯେ, ସେ ସବୁ ବିଷୟରେ ଆମର କର୍ତ୍ତା ଥିଲେ । ସଙ୍ଗେ ସଙ୍ଗେ ତାଙ୍କର କର୍ତ୍ତୃତ୍ୱର ଟିକିଏ ଟିକିଏ ପରିଚୟ ଦେଉଥିଲେ । ସୋରାବଜୀ ମୋ ପାଖକୁ ଦଉଡ଼ି ଆସିଥିଲେ । ସେ ଏଭଳି ଯଥେଚ୍ଛାଚାରିତା ସହ୍ୟ କରିବାକୁ ପ୍ରସ୍ତୁତ ନଥିଲେ । ସେ କହିଥିଲେ, ‘‘ସବୁ ହୁକୁମ ଆମ ପାଖକୁ ତମରି ଜରିଆରେ ଆସିବା ଉଚିତ । ଆମ୍ଭେମାନେ ତ ଏ ପର୍ଯ୍ୟନ୍ତ ଶିକ୍ଷାଶିବିରରେ ଅଛୁ, କିନ୍ତୁ ଆମ ଉପରେ ସବୁ ରକମ ହୁକୁମ ଜାରି ହେଉଛି । ଯେଉଁ ଟୋକାଙ୍କୁ ଆମର ଶିକ୍ଷକ ନିଯୁକ୍ତି କରାହୋଇଛି, ସେମାନଙ୍କ ଓ ଆମ ଭିତରେ ଅନ୍ୟାୟ ଭାବରେ ପୃଥକ ବ୍ୟବହାର କରାହେଉଛି । ଏହା ସହି ହେବ ନାହିଁ । ଏ କଥାଟା ସାଫ କରି ଦେବାକୁ ହେବ । ନାହିଁ ତ ତମର ସବୁ କାମ ଭାଙ୍ଗିପଡ଼ିବ । ସବୁ ଛାତ୍ରଯାକ ଏବଂ ଅନ୍ୟମାନେ ଆମ ସ୍ୱେଚ୍ଛାସେବକ ଦଳରେ ଯୋଗ ଦେଇଛନ୍ତି-। ସେମାନେ ଏ ଅନ୍ୟାୟ ହୁକୁମ ତାମିଲ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଆତ୍ମସମ୍ମାନକୁ ବଢ଼ାଇବା ଉଦ୍ଦେଶ୍ୟରେ ଯେ ପନ୍ଥା ଅବଲମ୍ବନ କରାଯାଇଛି, ସେଥିରେ ଆତ୍ମସମ୍ମାନର ହାନି ବରଦାସ୍ତ କରିବା ସମ୍ଭବ ନୁହେଁ ।’’

 

ମୁଁ କର୍ମଚାରୀଙ୍କ ପାଖକୁ ଯାଇଥିଲି ଏବଂ ମୋ ପାଖରେ ଯେଉଁ ସବୁ ଅଭିଯୋଗ ହୋଇଥିଲା, ତାହା ସବୁ ଜଣାଇଥିଲି । ସେ ଉତ୍ତରରେ କହୁଥିଲେ ଯେ, ଅଭିଯୋଗ ସବୁ ଲେଖିକରି ଦିଆଯାଉ । ସଙ୍ଗେ ସଙ୍ଗେ ଆପଣା ଅଧିକାର କଥା କହିଥିଲେ, ‘‘ଆପତ୍ତି ଓଜର ଆପଣଙ୍କ ଜରିଆରେ ଆସିବ ନାହିଁ । ସିଧା ମୋ ପାଖକୁ ତାଙ୍କ ଉପରିସ୍ଥ ହାକିମଙ୍କ ଜରିଆରେ ଆସିବ ।’’ ଏଥିରେ ମୁଁ ଜବାବ ଦେଇଥିଲି, ‘‘ମୋର କୌଣସି କ୍ଷମତା ଦାବି କରିବାର ନାହିଁ । ସୈନିକ ଦୃଷ୍ଟିରେ ମୁଁ ଜଣେ ସାମାନ୍ୟ ସିପାହୀ ମାତ୍ର । ମୁଁ ମନେ କରୁଥିଲି ଯେ, ଆପଣ ଦଳର କର୍ତ୍ତାସ୍ୱରୂପ, ମତେ ତାଙ୍କର ପ୍ରତିନିଧି ଭଳି ଦେଖିବା ଉଚିତ ।’’ ମୁଁ ସେମାନଙ୍କର ଅଭାବ ଅଭିଯୋଗ ସବୁ ଜଣାଇଥିଲି, ‘‘ସ୍ୱେଚ୍ଛାସେବକମାନଙ୍କର ମତାମତ ନ ପଚରାଯାଇ ସେମାନଙ୍କ ଉପରେ ଛୋଟ ହାକିମ ନିଯୁକ୍ତି କରାଯାଇଛନ୍ତି ଏବଂ ସେଥିରେ ବହୁତ ଅସନ୍ତୋଷ ବଢ଼ିଛି । ଅତଏବ ସେ ଦଳପତିମାନଙ୍କୁ ଦୂର କରାଯାଉ । ସ୍ୱେଚ୍ଛାସେବକମାନଙ୍କୁ ଆପଣା ଆପଣା ଦଳପତି ବାଛିବାର ଅଧିକାର ଦିଆଯାଉ ।’’

 

ଏ କଥା କର୍ମଚାରୀଙ୍କ ମନକୁ ପାଇ ନ ଥିଲା । ସେ କହିଥିଲେ, ‘‘ସ୍ୱେଚ୍ଛାସେବକମାନଙ୍କୁ ତାଙ୍କ ଦଳପତି ନିର୍ବାଚନ କରିବାକୁ ଦେବା ଯୁଦ୍ଧ ନିୟମର ବିରୋଧୀ ଏବଂ ଯେଉଁମାନଙ୍କୁ ନିଯୁକ୍ତ କରାଯାଇଛି, ସେମାନଙ୍କୁ ଦୂର କରିଦେଲେ ଆଉ ନିୟମ କାନୁନର ନାଁ ଗନ୍ଧ ରହିବ ନାହିଁ ।’’

 

ଆମେ ଗୋଟିଏ ସଭା କରି ବସିଥିଲୁ । ସତ୍ୟାଗ୍ରହର ଗୁରୁତର ପରିଣାମ ମୁଁ ସମସ୍ତଙ୍କୁ ଭଲକରି ବୁଝାଇ ଦେଇଥିଲି । ପ୍ରାୟ ସମସ୍ତେ ସତ୍ୟାଗ୍ରହର ପ୍ରତିଜ୍ଞା ନେଇଥିଲେ । ଆମର ପ୍ରସ୍ତାବ ଏୟା ଥିଲା ଯେ, ଯେ ସବୁ ଦଳପତି ନିଯୁକ୍ତ ହୋଇଛନ୍ତି, ସୋମନଙ୍କୁ ବାହାର କରି ଦିଆ ନ ଗଲେ ଏବଂ ସ୍ୱେଚ୍ଛାସେବକମାନଙ୍କୁ ସେମାନଙ୍କର ଆପଣା ଦଳପତି ନିଯୁକ୍ତ କରିବାକୁ ଦିଆ ନ ଗଲେ, ସ୍ୱେଚ୍ଛାସେବକମାନେ ଆଉ ଡ୍ରିଲ କରିବାକୁ ଏବଂ ସାପ୍ତାହିକ ଗସ୍ତ ମଧ୍ୟ କରିବାକୁ ଯିବେ ନାହିଁ ।

 

ମୁଁ ଆମ କର୍ମଚାରୀଙ୍କୁ ଖଣ୍ଡେ ଚିଠି ଲେଖି ମୋର ଗଭୀର ଅସନ୍ତୋଷ ଜଣାଇ ଦେଇଥିଲି ।

 

ସେଥିରେ ମୁଁ ଲେଖିଥିଲି ଯେ କୌଣସି କର୍ତ୍ତୃତ୍ୱ କରିବାର ଇଚ୍ଛା ମୋର ନ ଥିଲା ଏବଂ କେବଳ ସେବା କରିବାର ଥିଲା ଏବଂ କାମଟି ପୂରା କରିବାର ଥିଲା । ମୁଁ ତାଙ୍କୁ ଏହା ମଧ୍ୟ ଜଣାଇଥିଲି ଯେ ବୁଅର ଯୁଦ୍ଧରେ ମୋର କୌଣସି ପଦ ନଥିଲା; ତଥାପି କେବେହେଲେ କର୍ଣ୍ଣେଲ ଗାଲୁଏ ଓ ମୋର ଦଳଙ୍କ ମଧ୍ୟରେ କୌଣସି କଳି ହୋଇ ନଥିଲା ଏବଂ ସେ କର୍ମଚାରୀ ମହାଶୟ ଦଳର ମତାମତ ମୋ ଜରିଆରେ ପଚାରି ବୁଝିଲାପରେ ସବୁ କାମ କରୁଥିଲେ । ମୁଁ ଆମରି ଦଳର ପ୍ରସ୍ତାବର ଏକପ୍ରସ୍ତ ନକଲ ଚିଠି ସଙ୍ଗେ ପଠାଇ ଦେଇଥିଲି ।

 

କର୍ମଚାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା । ସେ ମନେ କରିଥିଲେ ଯେ, ଦଳର ଏ ସଭା ଓ ପ୍ରସ୍ତାବଦ୍ୱାରା ସାମରିକ ଆଇନର ଗୁରୁତର ନିୟମ ଭଙ୍ଗ କରାଯାଇଅଛି । ଏହା ପରେ ମୁଁ ସମସ୍ତ ବିଷୟ ଏବଂ ପ୍ରସ୍ତାବର ଏକ ନକଲ ଦେଇ ଭାରତସଚିବଙ୍କ ପାଖକୁ ଖଣ୍ଡିଏ ଚିଠି ଦେଇଥିଲି । ସେ ଜବାବ ଦେଇଥିଲେ ଯେ, ଦକ୍ଷିଣ ଆଫ୍ରିକା କଥା ସ୍ୱତନ୍ତ୍ର ଥିଲା ଏବଂ ନିୟମ ଅନୁସାରେ କର୍ମଚାରୀମାନଙ୍କର ଦଳପତି ନିଯୁକ୍ତ କଲାବେଳେ କର୍ମଚାରୀ ମୋର ସୁପାରିଶ ବିଚାର କରିବେ ବୋଲି ପତ୍ରରେ ମତେ ନିଶ୍ଚିତ ଜବାବ ଦିଆ ହୋଇଥିଲା ।

 

ଏହାପରେ ଆମ୍ଭମାନଙ୍କ ଭିତରେ ବହୁତ ଲେଖାପଢ଼ି ଚାଲିଥିଲା । ମାତ୍ର ସେ ଅପ୍ରୀତିକର କାହାଣୀ ଆଉ ଲେଖି ଏ ଅଧ୍ୟାୟକୁ ବଢ଼େଇବାକୁ ଚାହେଁ ନାହିଁ । କିନ୍ତୁ ଏତକ ନ କହିଲେ ଚଳିବ ନାହିଁ ଯେ, ଭାରତବର୍ଷରେ ଆମର ଯାହା ଦୈନିକ ଅଭିଜ୍ଞତା ହୋଇଥାଏ, ତାହାହିଁ ଏଠି ଘଟିଥିଲା । କର୍ମଚାରୀ ମହାଶୟ ଧମକେଇ, ଭୁଲେଇ ଭାଲେଇ ଆମ ଦଳ ଭିତରେ ଦୁଇ ଫାଙ୍କ କରି ଦେଇଥିଲେ । କେତେଜଣ ପ୍ରତିଜ୍ଞା ନେଇ ସୁଦ୍ଧା ଛଳ ବଳରେ ତାଙ୍କ କଥାରେ ପଡ଼ିଯାଇଥିଲେ ।

 

ଏହି ସମୟରେ ନେଟଲେ ଡାକ୍ତର ଖାନାରେ ହଠାତ୍‌ ଅପ୍ରତ୍ୟାଶିତ ଭାବରେ ବହୁ ସଂଖ୍ୟକ ଆହତ ସୈନିକ ଆସି ପହଞ୍ଚିଯିବାରୁ ଆମ ସ୍ୱେଚ୍ଛାସେବକ ଦଳକୁ ଡକରା ପଡ଼ିଥିଲା । କର୍ମଚାରୀ ମହାଶୟ ଯେଉଁମାନଙ୍କୁ ଟାଣିନେଇ ପାରିଥିଲେ, ସେମାନେ ନେଟଲେ ଯାଇଥିଲେ । ଅନ୍ୟମାନେ ଯିବାକୁ ମନା କରିଥିଲେ । ଏହା ଇଣ୍ଡିଆ ଅଫିସକୁ ରୁଚି ନ ଥିଲା । ମୁଁ ତ ବିଛଣାରେ ପଡ଼ିଥାଏ, ମାତ୍ର ଦଳର ଲୋକଙ୍କ ସଙ୍ଗେ ଦେଖା ହେଉଥାଏ ।

 

ମିଷ୍ଟର ରବର୍ଟସ୍‌ଙ୍କ ସଙ୍ଗେ ମୋର ଭଲ ପରିଚୟ ହୋଇଯାଇଥାଏ । ସେ ମତେ ଦେଖିବାକୁ ଆସୁଥିଲେ ଏବଂ ଯେଉଁମାନେ କାମ କରିବାକୁ ମନା କରୁଥିଲେ, ସେମାନଙ୍କୁ ପଠାଇବାକୁ ଜିଦ୍‌ କରୁଥିଲେ । ସେମାନଙ୍କୁ ଗୋଟିଏ ସ୍ୱତନ୍ତ୍ର ଦଳ କରି ଦିଆଯିବ ବୋଲି ତାଙ୍କର ସୂଚନା ଥିଲା । ନେଟଲେ ଡାକ୍ତରଖାନାରେ ଏ ଦଳଯାକ ସେଠାକାର ସ୍ୱତନ୍ତ୍ର କର୍ମଚାରୀ ତଳେ ରହିବେ । ଅତଏବ ଆତ୍ମସମ୍ମାନ ହାନିର କୌଣସି ପ୍ରଶ୍ନ ଉଠିବ ନାହିଁ । ସରକାର ମଧ୍ୟ ସନ୍ତୁଷ୍ଟ ହେବେ ଏବଂ ଯେଉଁ ବହୁସଂଖ୍ୟକ ଜଖମୀ ଆସି ପହଞ୍ଚିଛନ୍ତି, ସୋମନଙ୍କର ସେବା ହୋଇପାରିବ । ଏ ପ୍ରସ୍ତାବ ମୋର ତଥା ମୋ ସଙ୍ଗୀମାନଙ୍କର ମନକୁ ପାଇଥିଲା ଏବଂ ବାକି ରହିଥିବା ଛାତ୍ରମାନେ ନେଟଲେ ଯାଇଥିଲେ । ମୁଁ କେବଳ କପାଳକୁ ଆଦରି ବିଛଣାରେ ପଡ଼ି ରହିଥିଲି ।

 

ଗୋଖଲେଙ୍କ ଉଦାରତା

 

ବିଲାତରେ ମୋର ଯେ ପଞ୍ଜରାଫୁଲା ରୋଗ ହୋଇଥିଲା, ସେ କଥା ମୁଁ ଆଗରୁ କହିଛି-। ଏ ବେମାରୀ ସମୟରେ ଗୋଖଲେ ବିଲାତକୁ ଫେରି ଆସିଥିଲେ । କେଲେନ୍‌ବାକ୍‌ ଓ ମୁଁ ସବୁବେଳେ ତାଙ୍କ ପାଖକୁ ଯାଉଥିଲୁ । ଅଧିକାଂଶ ସମୟରେ ଯୁଦ୍ଧ କଥାବାର୍ତ୍ତା ହେଉଥିଲା । ଜର୍ମାନୀର ଭୂଗୋଳ କେଲେନ୍‌ବାକ୍‌ଙ୍କ ତୁଣ୍ଡରେ ଥାଏ । ସେ ମଧ୍ୟ ୟୁରୋପ ଖୁବ୍‌ ବୁଲିଥିଲେ । ସେଥିପାଇଁ ସେ ଗୋଖେ୍‌ଲଙ୍କୁ ନକ୍‌ସା କାଢ଼ି ଯୁଦ୍ଧକ୍ଷେତ୍ର ଦେଖାଉଥିଲେ ।

 

ମୋର ଯେତେବେଳେ ପ୍ଲୁରିଶି ହେଲା, ସେତେବେଳେ ସେ କଥା ମଧ୍ୟ ଏକ ଚର୍ଚ୍ଚାର ବିଷୟ ହୋଇଥିଲା । ମୋର ଆହାର ପ୍ରୟୋଗ ସେତେବେଳ ସୁଦ୍ଧା ଚଳୁଥାଏ । ମୋର ଦୈନିକ ଖାଦ୍ୟ ଅନ୍ୟାନ୍ୟ ଜିନିଷ ମଧ୍ୟରେ ଚିନାବାଦାମ୍‌, କଞ୍ଚା ପାଚଲା କଦଳୀ, ଲେମ୍ବୁ, ଅଲିଭ୍‌ ତେଲ, ବିଲାତି ବାଇଗଣ ଓ ଅଙ୍ଗୁରରେ ଚଳିଯାଉଥିଲା । ମୁଁ ଦୁଧ, ଶସ୍ୟ, ଡାଲି ପ୍ରଭୃତି ଖାଉ ନ ଥିଲି ।

 

ଜୀବରାଜ ମେହେତା ମୋର ଚିକିତ୍ସା କରୁଥିଲେ । ଦୁଧ, ବାର୍ଲି ଓ ଶସ୍ୟ ଖାଇବାକୁ ସେ ମତେ ଖୁବ୍‌ ବଳେଇଥିଲେ । ସେ ଗୋଖଲେଙ୍କ ପାଖରେ ଫେରାଦ୍‌ ହୋଇଥିଲେ । ଫଳାହାର ସପକ୍ଷରେ ମୋର ଯୁକ୍ତି ପ୍ରତି ତାଙ୍କର ବିଶେଷ ଆଦର ନ ଥିଲା ଏବଂ ସ୍ୱାସ୍ଥ୍ୟରକ୍ଷା ପାଇଁ ଡାକ୍ତର ଯାହା କହୁଥିଲେ, ତାହା ଖାଇବାକୁ ସେ ମତେ ଉପଦେଶ ଦେଉଥିଲେ ।

 

ଗୋଖଲେଙ୍କ କଥା ଏଡ଼ିଯିବା ମୋ ପକ୍ଷରେ ସହଜ ନ ଥିଲା । ସେ ଯେତେବେଳେ ବେଶୀ ଜିଦ୍‌ କରିଥିଲେ, ସେତେବେଳେ ମୁଁ ଭାବି ଦେଖିବାକୁ ଚବିଶ ଘଣ୍ଟା ସମୟ ମାଗି ନେଇଥିଲେ । ସେ ଦିନ ସନ୍ଧ୍ୟାବେଳେ କେଲେନ୍‌ବାକ୍‌ ଓ ମୁଁ ଘରକୁ ଫେରିଲା ବେଳେ ମୋର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲୁ । ମୋର ପ୍ରୟୋଗରେ କେଲେନ୍‌ବାକ୍‌ ମୋର ସାଥୀ ଥିଲେ । ସେ ତାହା ପସନ୍ଦ କରୁଥିଲେ; ମାତ୍ର ତାଙ୍କର ମନର ଭାବ ଦେଖିଲି ଯେ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ମୁଁ ତାହା ଛାଡ଼ିଦେଲେ ସେ ଖୁସି ହେବେ । ଫଳରେ ମୋତେ ନିଜେ ନିଜେ ମୋର ଅନ୍ତର୍ଧ୍ୱନିର ଆଦେଶ ଖୋଜିବାକୁ ପଡ଼ିଥିଲା ।

 

ରାତି ତମାମ ସେହି ବିଚାରରେ କଟିଥିଲା । ମୁଁ ସେହି ବିଷୟ ଚିନ୍ତା କରିଥିଲି । ପ୍ରୟୋଗକୁ ପୂରାପୁରି ଛାଡ଼ିଦେବା ଅର୍ଥ ମୋର ସେ ଦିଗର ସମସ୍ତ ବିଚାରକୁ ତଳିତଳାନ୍ତ କରିଦେବା ହେବ । ମାତ୍ର ମୋର ଚିନ୍ତାଧାରାରେ ମୁଁ କୌଣସି ଭୁଲ ଦେଖୁ ନ ଥିଲି । ଗୋଖଲେଙ୍କ ସସ୍ନେହ ଅନୁରୋଧକୁ କେତେଦୂର ଓ କେଉଁଯାଏ ମାନିବା ମୋର କର୍ତ୍ତବ୍ୟ କିମ୍ବା ଶରୀର ରକ୍ଷା ପାଇଁ ମୋର ପ୍ରୟୋଗକୁ କେତେଦୂର ଛାଡ଼ିବା ଉଚିତ ? ଏୟା ଥିଲା ପ୍ରଶ୍ନ । ଶେଷରେ ମୁଁ ଏୟା ସ୍ଥିର କରିଥିଲି ଯେ, ପ୍ରୟୋଗରୁ ଯେତେକ ଧର୍ମ ଦୃଷ୍ଟିରେ କରୁଥିଲି, ସେତକ ବଜାୟ ରଖିବି; ମାତ୍ର ଅନ୍ୟ ବାବତରେ ଡାକ୍ତରଙ୍କ ଉପଦେଶ ମାନି ଚଳିବି । ଦୁଧ ଛାଡ଼ିବାରେ ଧର୍ମଭାବନା ମୁଖ୍ୟ ଥିଲା । କଲିକତାରେ ଗୋରୁ ମଇଁଷଙ୍କ ପ୍ରତି ଯେ କଦର୍ଯ୍ୟ କାମ କରାଯାଇଥାଏ, ସେ ସବୁ ମୋ ଆଖି ଆଗରେ ନାଚି ଯାଉଥାଏ । ମାଂସ ଭଳି ପଶୁର ଦୁଧ ମଧ୍ୟ ମଣିଷର ଖାଦ୍ୟ ହୋଇପାରେ ନାହିଁ, ଏ ଭାବ ମଧ୍ୟ ମୋ ମନରେ ଥିଲା । ତେଣୁ ଦୁଧ ଛାଡ଼ିବା ପ୍ରତିଜ୍ଞାକୁ ମୁଁ ବଜାୟ ରଖିବି ବୋଲି ସ୍ଥିର କରି ସକାଳେ ଉଠିଥିଲି । ଏ ନିଷ୍ପତ୍ତିରେ ମୋ ମନ ହାଲୁକା ହୋଇ ଯାଇଥିଲା । ଗୋଖଲେଙ୍କୁ ଭୟ ହେଉଥିଲା । ମାତ୍ର ମୋ ନିଷ୍ପତ୍ତିକୁ ସେ ମାନିଯିବେ ବୋଲି ବିଶ୍ୱାସ ହେଉଥିଲା ।

 

ସନ୍ଧ୍ୟାବେଳେ ନ୍ୟାସନାଲ ଲିବରଲ କ୍ଲବରେ ଆମେ ଗୋଖଲେଙ୍କୁ ଦେଖା କରିବାକୁ ଯାଇଥିଲୁ । ସେ ତୁରନ୍ତ ପ୍ରଶ୍ନ ପଚାରିଥିଲେ, ‘‘କଣ ? ଡାକ୍ତରଙ୍କର ଉପଦେଶ ମାନିବା ଠିକ୍‌ କରିଛ-?’’

 

ମୁଁ ଧୀରେ ଜବାବ ଦେଇଥିଲି, ‘‘ମୁଁ ସବୁ କରିବି; କିନ୍ତୁ ମୋତେ ଗୋଟିଏ ବିଷୟରେ ବଳେଇବେ ନାହିଁ । ମୁଁ ଦୁଧ ବା ଦୁଧ ତିୟାରି ଜିନିଷ ଓ ମାଂସ ଖାଇବି ନାହିଁ । ଏ ସବୁ ଜିନିଷ ନ ଖାଇଲେ ଯଦି ମତେ ମରିବାକୁ ପଡ଼େ, ତେବେ ସେ ମରିବା ମୋର ଧର୍ମ ବୋଲି ମତେ ଲାଗୁଛି ।’’

 

ଗୋଖଲେ ପଚାରିଥିଲେ, ‘‘ଏହା କଣ ତମର ଶେଷ ନିଷ୍ପତ୍ତି ?’’ ମୁଁ କହିଥିଲି, ‘‘ମୋର ଆଶଙ୍କା, ମୁଁ ଅନ୍ୟରକମ ନିଷ୍ପତ୍ତି କରିପାରିବି ନାହିଁ । ମୁଁ ଜାଣେ ମୋର ନିଷ୍ପତ୍ତି ଆପଣଙ୍କୁ କଷ୍ଟ ଦେବ, ମାତ୍ର ମୁଁ ଆପଣଙ୍କର କ୍ଷମା ପ୍ରାର୍ଥନା କରେ ।’’ ଗୋଖେଲ ଟିକିଏ ଦୁଃଖର ସହିତ ମାତ୍ର ଅତି ସ୍ନେହରେ କହିଥିଲେ, ‘‘ମୁଁ ତମର ବିଚାରକୁ ପସନ୍ଦ କରୁନାହିଁ । ସେଥିରେ ଧର୍ମର କଥା କିଛି ଦେଖୁ ନାହିଁ । ମାତ୍ର ମୁଁ ତମକୁ ଆଉ ବଳେଇବି ନାହିଁ ।’’ ଏତିକି କହି ସେ ଡାକ୍ତର ଜୀବରାଜ ମେହେତାଙ୍କ ଆଡ଼କୁ ଅନେଇ କହିଥିଲେ, ‘‘ଏବେ ଆଉ ଗାନ୍ଧୀଙ୍କୁ ବିରକ୍ତି କରନ୍ତୁ ନାହିଁ । ସେ ନିଜ ପାଇଁ ଯେଉଁ ସୀମା ନିର୍ଦ୍ଦେଶ କରିଛନ୍ତି, ସେହି ସୀମା ମଧ୍ୟରେ ଯାହା ପାରିବେ ପଥ୍ୟ ବରାଦ କରନ୍ତୁ ।’’

 

ଡାକ୍ତର ଅସନ୍ତୋଷ ଜଣେଇଥିଲେ; କିନ୍ତୁ ସେ ନାଚାର ଥିଲେ । ସେ ବହୁତ ହିଙ୍ଗ ଦେଇ ମୁଗ ପାଣି ଖାଇବାକୁ କହିଥିଲେ । ମୁଁ ସେଥିରେ ରାଜି ହୋଇଥିଲି । ଦିନେ ଦି ଦିନ ମୁଁ ତାହା ଖାଇଥିଲି । ସେଥିରେ ମୋର ଯନ୍ତ୍ରଣା ବଢ଼ିଥିଲା । ମୋ ଦେହରେ ତାହା ନ ଚଳିବାରୁ ମୁଁ ପୁଣି ଫଳାହାର କରିବାକୁ ଲାଗିଲି । ଡାକ୍ତର ତାଙ୍କର ବାହାର ଚିକିତ୍ସା ଚଳେଇଥାନ୍ତି, ସେଥିରେ ମୋର ଯନ୍ତ୍ରଣା କେତେକ ଉପଶମ ହୋଇଥିଲା । ମାତ୍ର ମୋର ଖାଇବା ନିୟମରେ ସେ ବଡ଼ ବ୍ୟସ୍ତ ହେଉଥିଲେ ।

 

ଇତ୍ୟବସରରେ ଅକ୍ଟୋବର ମାସରେ ବିଲାତର କୁହୁଡ଼ି ସହ୍ୟ ହେବ ନାହିଁ ବୋଲି ଗୋଖେଲ ଭାରତକୁ ଯାତ୍ରା କରିଥିଲେ ।

 

ରୋଗର ଚିକିତ୍ସା

 

ପଞ୍ଜରାର କଷ୍ଟ କମି ନ ଯିବାରୁ ଟିକିଏ ଚିନ୍ତିତ ହୋଇଥିଲି । ପେଟକୁ ଔଷଧ ଖାଇଲେ ରୋଗ ଯାନ୍ତା ନାହିଁ; ମାତ୍ର ବାହାରର ଔଷଧ ସଙ୍ଗେ ପଥ୍ୟର ପରିବର୍ତ୍ତନରେ ଯାଆନ୍ତା ବୋଲି ମୁଁ ଜାଣିଥିଲି ।

 

ବିଖ୍ୟାତ ନିରାମିଷାହାରୀ ଡାକ୍ତର ଏଲିସନ୍‌ଙ୍କୁ ମୁଁ ଡକେଇଥିଲି । ସେ କେବଳ ପଥ୍ୟ ପରିବର୍ତ୍ତନ ଦ୍ୱାରା ରୋଗ ଭଲ କରୁଥିଲେ । ତାଙ୍କ ସଙ୍ଗରେ ମୋର ୧୯୮୦ ରେ ଦେଖା ହୋଇଥିଲା । ସେ ଆସିଥିଲେ । ମୋ ଦେହ ତାଙ୍କୁ ଦେଖାଇଥିଲି ଏବଂ ମୋର ଦୁଧ ନ ଖାଇବା ତାଙ୍କୁ ବୁଝେଇ ଦେଇଥିଲି । ସେ ମତେ ସଙ୍ଗେ ସଙ୍ଗେ ସାହସ ଦେଖେିଇଥିଲେ ଏବଂ କହିଥିଲେ, ‘‘ଆପଣଙ୍କର ଦୁଧ ଖାଇବା ଆବଶ୍ୟକ ନାହିଁ । ବରଂ ମୁଁ ଚାହେଁ ଯେ, ଆପଣ ଦିନାକେତେ କୌଣସି ଚର୍ବିଯୁକ୍ତ ଖାଦ୍ୟ ନ ଖାନ୍ତୁ ।’’

 

ଏୟା କହି ମତେ ଶୁଖିଲା ରୁଟି ଏବଂ କଞ୍ଚା ପରିବାପତ୍ର ଓ ଫଳ, କଞ୍ଚା ପରିବାରେ ମୂଳା, ପିଆଜ ଓ ସେହିଭଳି ମୂଳ ଓ ଶାକସବଜି ଏବଂ ଫଳରେ ବିଶେଷକରି କମଳା ଖାଇବାକୁ କହିଥିଲେ । ପରିବାକୁ ପତଳେଇ କୋରିବାକୁ ହେବ ବା କାଟିବାକୁ ହେବ ।

 

ମୁଁ ଏ ପଥ୍ୟ ତ୍ୟାଗ ତିନିଦିନ ଚଳେଇଥିଲି । ମାତ୍ର କଞ୍ଚାପରିବା ମୋ ଦେହରେ ଗଲା ନାହିଁ । ପ୍ରୟୋଗକୁ ପୂରା ଦସ୍ତୁର ଚଳେଇବା ଭଳି ଅବସ୍ଥାରେ ମୋର ଶରୀର ନ ଥିଲା ଏବଂ ସେଥିରେ ମୋର ଶ୍ରଦ୍ଧା ମଧ୍ୟ ନଥିଲା ।

 

ଡାକ୍ତର ଏଲିନ୍‌ସନ୍‌ ମୋ ଶୋଇବା ଘରର ଝରକା ୨୪ ଘଣ୍ଟା ଖୋଲା ରଖିବାକୁ, ଉଷୁମ ପାଣିରେ ଗାଧୋଇବାକୁ, ଦରଜ ହୋଇଥିବା ସ୍ଥାନରେ ତେଲ ମାଲିଶ କରିବାକୁ ଏବଂ ଅଧଘଣ୍ଟାଏ ପନ୍ଦର ମିନିଟ୍‌ ବାହାରେ ବୁଲିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଏ ସବୁ ସୂଚନା ମତେ ଭାରି ଭଲ ଲାଗିଥିଲା ।

 

ମୋର ଝରକାଗୁଡ଼ିକ ଫରାସୀ ଢଙ୍ଗର ଥିଲା । ଖୋଲିଲେ ଘର ଭିତରକୁ ବର୍ଷା ପାଣି ଛାଟିବ । ଉପରେ ଆଲୁଅ ପାଇଁ ଯେ ଜଳାକବାଟି ଥିଲା, ସେ ଆଦୌ ଖୋଲା ହେଉ ନ ଥିଲା । ତାର ସବୁ କାଚକୁ ଭାଙ୍ଗି ପବନ ଆସିବା ବାଟକୁ ଖୋଲି ଦେଇଥିଲି । ପାଣି ନ ଛୁଟିବାଭଳି ଫରାସୀ ଝରକାକୁ ଖୋଲି ରଖୁଥିଲି । ଏହିସବୁ ଉପାୟରେ ମୋର ସ୍ୱାସ୍ଥ୍ୟ କିୟତ୍‌ ପରିମାଣରେ ଭଲ ହୋଇଥିଲା । ମୁଁ ପୂରାପୂରି ରୋଗମୁକ୍ତ ହୋଇ ନ ଥିଲି ।

 

ଶ୍ରୀମତୀ ସିସିଲିଆ ରବର୍ଟସ୍‌ ମଧ୍ୟେ ମଧ୍ୟେ ମୋତେ ଦେଖିବାକୁ ଆସୁଥିଲେ । ମୋର ଭଲ ପରିଚୟ ହୋଇଯାଇଥିଲା । ସେ ମତେ ଦୁଧ ପିଆଇବାକୁ ବଡ଼ ଇଚ୍ଛୁକ ଥିଲେ; ମାତ୍ର ମତେ ଅଟଳ ଦେଖି ସେ ଦୁଧର ଗୁଣ ଥିବା ଗୋଟାଏ ଜିନିଷ ଖୋଜି ବାହାର କରିବାକୁ ବ୍ୟସ୍ତ ହୋଇପଡ଼ିଥିଲେ । କେହି ବନ୍ଧୁ ତାଙ୍କୁ ମଲ୍‌ଟ ଦୁଧ କଥା କହି ସେଥିରୁ ଦୁଧ ଏକଦାମ ନାହିଁ ବୋଲି ଅଜାଣତରେ ତାଙ୍କୁ କହିଥିଲେ । ଉପରନ୍ତୁ ତାହା ଦୁଧର ସମସ୍ତ ଗୁଣଯୁକ୍ତ ଗୋଟିଏ ରାସାୟନିକ ଔଷଧ ଦ୍ରବ୍ୟବୋଲି ତାଙ୍କୁ କହିଥିଲେ । ମୋର ଧର୍ମବିଶ୍ୱାସ ପ୍ରତି ଶ୍ରୀମତୀ ସିସିଲିଆଙ୍କର ଶ୍ରଦ୍ଧା ଥିଲା ବୋଲି ମୁଁ ଜାଣିଥିଲି । ତେଣୁ ମୁଁ ସେ ଦୁଧକୁ ପାଣିରେ ଗୋଳାଇ ଖାଇ ଦେଖିଲି, ଠିକ୍‌ ଦୁଧ ପରି ଲାଗିଲା । ପାଣି ପିଇସାରି ଜାତି ପଚାରିବା ଭଳି ମୁଁ କରିଥିଲି । ମୁଁ ବୋତଲ ଉପରେ ଥିବା ଟିକଟ ପଢ଼ି ଦେଖିଲି ଯେ, ତାହା ଦୁଧରୁ ତିଆରି ହୋଇଥିଲା । ଅତଏବ ଥରେ ପିଇବା ପରେ ତାକୁ ପରିତ୍ୟାଗ କରୁବାକୁ ମୋତେ ପଡ଼ିଲା ।

 

ମୁଁ ଏ କଥା ଶ୍ରୀମତୀ ସିସିଲିଆଙ୍କୁ ଜଣେଇ ଦେଇଥିଲି ଏବଂ ଆଦୌ ବ୍ୟସ୍ତ ନ ହେବାପାଇଁ ଅନୁରୋଧ କରିଥିଲି । ସେ ଅସ୍ତବ୍ୟସ୍ତ ହୋଇ ଦଉଡ଼ି ଆସିଥିଲେ ଓ ନିଜର ଅନୁତାପ ଜଣାଇ ଦେଇଥିଲେ । ତାଙ୍କର ବନ୍ଧୁ ବୋତଲ ଉପର ଟିକଟକୁ ଆଦୌ ପଢ଼ି ନ ଥିଲେ । ମୁଁ ତାଙ୍କୁ ଆଶ୍ୱସ୍ତ କରିଥିଲି ଏବଂ ସେ ଏତେ କଷ୍ଟରେ ଯେଉଁ ଜିନିଷ ଆଣି ଦେଇଥିଲେ; ତାକୁ ଖାଇପାରିଲି ନାହିଁ ବୋଲି ତାଙ୍କୁ କ୍ଷମା ମାଗିଥିଲି । ମୁଁ ମଧ୍ୟ ଭୁଲକ୍ରମେ ଦୁଧ ଖାଇଥିବାରୁ ଅନୁତାପ ବା ପ୍ରାୟଶ୍ଚିତ୍ତର କାରଣ ନ ଥିଲା ବୋଲି ଜଣାଇ ଦେଇଥିଲି ।

 

ମୁଁ ଶ୍ରୀମତୀ ସିସିଲିଆଙ୍କ ଅନ୍ୟ ଅନେକ ମଧୁର ସ୍ମୃତି ବାଧ୍ୟହୋଇ ଛାଡ଼ିଦେଇ ଯାଉଛି । ମୋର ଏହି ବିପଦ ଓ ବିରୋଧ ସମୟରେ ଯେଉଁମାନଙ୍କର ମହତ୍‌ ଆଶ୍ରୟ ମତେ ମିଳିଥିଲା ସେମାନଙ୍କର ବହୁତ କଥା ମୋର ମନେପଡ଼େ । ଭଗବତ୍‌ବିଶ୍ୱାସୀ ଏ ସବୁ ମଧୁର ସ୍ମୃତିରୁ ଦେଖିଥାଏ ଯେ, ଭଗବାନ କେମିତି ଦୁଃଖ ଭଳି ପିତା ଔଷଧ ଖାଇବାକୁ ଦେଇଥାନ୍ତି, ତାହା ସଙ୍ଗେ ସେ ବନ୍ଧୁତ୍ୱର ମିଠା ଅନୁପାନ ମଧ୍ୟ ଦେଇଥାନ୍ତି ।

 

ଡାକ୍ତର ଏଲିନ୍‌ସନ ପୁଣି ଯେଉଁ ଦିନ ଆସିଥିଲେ, ତାଙ୍କର ନିୟମ ଟିକେ ଢିଲା କରି ଦେଇଥିଲେ ଏବଂ ଚର୍ବିପାଇଁ ମତେ ଅଲିଭ୍‌ ତେଲ କିମ୍ବା ଚିନାବାଦାମ ଭଳି ଶୁଖିଲା ଫଳର ମଖନ ଖାଇବାକୁ କହିଥିଲେ ଏବଂ କଞ୍ଚା ପରିବା ନ ରୁଚିଲେ ଭାତ ସଙ୍ଗେ ରନ୍ଧା ତରକାରୀ ଖାଇବାକୁ ଅନୁମତି ଦେଇଥିଲେ । ଏ ସବୁ ପରିବର୍ତ୍ତନ ମତେ ଭାରି ଭଲ ଲାଗି ଥିଲା । କିନ୍ତୁ ସେଥିରେ ମୋର ବେମାର ପୂରା ଯାଇ ନ ଥିଲା । ତଥାପି ଯତ୍ନ ନେବା ଆବଶ୍ୟକ ହେଉଥିଲା ଏବଂ ବିଛଣା ଛାଡ଼ିପାରି ନ ଥିଲି ।

 

ଡାକ୍ତର ମେହେତା ମତେ ବରାବର ପରୀକ୍ଷା କରି ଯାଉଥିଲେ ଏବଂ ତାଙ୍କ କଥା ମାନିଲେ ସେ ମତେ ତୁରନ୍ତ ସମ୍ପୂର୍ଣ୍ଣ ଭଲକରିଦେବେ ବୋଲି ସବୁବେଳେ କହୁଥିଲେ ।

 

ଏହି ସମୟରେ ଦିନେ ମିଷ୍ଟର ରବର୍ଟସ ମତେ ଦେଖିବାକୁ ଆସିଥିଲେ ଏବଂ ମତେ ଘରକୁ ଚାଲିଯିବାକୁ ବଳେଇଥିଲେ । ସେ କହିଥିଲେ, ‘‘ଏପରି ଅବସ୍ଥାରେ ଆପଣଙ୍କର ନେଟାଲକୁ ଯିବା ଅସମ୍ଭବ । ଆମର ଏଠି ଆହୁରି ବେଶି ଶୀତ ପଡ଼ିବ । ମୁଁ ଆପଣଙ୍କୁ ପରାମର୍ଶ ଦେଉଛି, ଦେଶକୁ ଯାନ୍ତୁ, ପୂରା ଭଲ ହୋଇଯିବେ । ସେତେବେଳଯାଏ ଯଦି ଯୁଦ୍ଧ ଚାଲୁଥାଏ, ତେବେ ସାହାଯ୍ୟ କରିବାକୁ ଅନେକ ସୁଯୋଗ ଆପଣଙ୍କୁ ସେହିଠାରେ ମିଳିଯିବ । ପ୍ରକୃତରେ ମଧ୍ୟ ଆପଣା ଯାହା କରିଛନ୍ତି, ସେତକ କିଛି କମ୍‌ ନୁହେ ବୋଲି ମୋର ମତ ।’’

 

ମୁଁ ତାଙ୍କର ପରାମର୍ଶ ଗ୍ରହଣ କରିଥିଲି ଏବଂ ଭାରତକୁ ଫେରିଯିବାର ଆୟୋଜନ କରିଥିଲି ।

 

ଗୃହାଭିମୁଖେ

 

ମିଷ୍ଟର କେଲେନ୍‌ବାକ୍‌ ଭାରତକୁ ଆସିବେ ବୋଲି ମୋ ସଙ୍ଗରେ ଇଂଲଣ୍ଡ ଯାଇଥିଲେ । ଆମେ ବିଲାତରେ ଏକାଠି ରହୁଥିଲୁ । ମାତ୍ର ଜର୍ମାନ୍‌ମାନଙ୍କ ଉପରେ ସେତେବେଳେ ଏତେ କଡ଼ା ନଜର ରହୁଥିଲା ଯେ; କେଲେନ୍‌ବାକ୍‌ଙ୍କୁ ଅନୁମତି ମିଳିବା ସମ୍ବନ୍ଧରେ ଆମର ସମସ୍ତଙ୍କର ବିଶେଷ ସନ୍ଦେହ ଥାଏ । ମୁଁ ଅନୁମତି ଯୋଗାଡ଼ କରିବାକୁ ଚେଷ୍ଟା କରୁଥିଲି । ମିଷ୍ଟର ରବର୍ଟସ ନିଜେ ତାଙ୍କୁ ଖଣ୍ଡେ ପାଶ୍‌ କରେଇ ଦେଇପାରିଥିଲେ ଖୁବ୍‌ ଖୁସି ହୋଇଥାନ୍ତେ । ସବୁ ବିଷୟ ଜଣାଇ ସେ ଭାରତର ବଡ଼ଲାଟଙ୍କ ପାଖକୁ ଗୋଟିଏ ତାର ମଧ୍ୟ କରିଥିଲେ । ମାତ୍ର ବଡ଼ଲାଟ ଲର୍ଡ଼ ହାର୍ଡ଼ିଞ୍ଜଙ୍କର ସିଧା ସିଧା ଜବାବ ଆସିଥିଲା—‘‘ଦୁଃଖର ସହିତ ଜଣାଉଛି, ଭାରତ ସରକାର ସେପରି କୌଣସି ବିପଦ ମୁଣ୍ଡକୁ ନେବାକୁ ପ୍ରସ୍ତୁତ ନୁହେଁ ।’’ ଆମେ ସମସ୍ତେ ଜବାବର ଜୋର ବୁଝି ପାରିଥିଲୁ ।

 

ମିଷ୍ଟର କେଲେନ୍‌ବାକ୍‌ଙ୍କଠାରୁ ବିଦାୟ ନେବା ମତେ ବଡ଼ କଷ୍ଟକର ହୋଇଥିଲା । ମାତ୍ର ତାଙ୍କର କଷ୍ଟ ମୋଠାରୁ ବଳି ବେଶୀ ହୋଇଥିଲା । ସେ ଯଦି ଭାରତକୁ ଆସି ପାରିଥାନ୍ତେ, ଆଜି ଗୋଟିଏ ଚାଷୀ ଓ ତନ୍ତୀର ସରଳ ଜୀବନ କଟାଉଥାନ୍ତେ । ଏବେ ଦକ୍ଷିଣ ଆଫ୍ରିକାରେ ସେ ତାଙ୍କର ପୂର୍ବ ଜୀବନ ଯାପନ କରୁଛନ୍ତି ଏବଂ ରାଜମିସ୍ତ୍ରୀ ଧନ୍ଦା ଜୋରସୋରରେ ଚଳେଇଛନ୍ତି ।

 

ଜାହାଜରେ ତୃତୀୟ ଶ୍ରେଣୀ ଟିକଟ କଟେଇବାକୁ ଚେଷ୍ଟା କରିଥିଲୁ । ମାତ୍ର ପି.ଏଣ୍ଡ. ଓ. ଜାହାଜରେ ତୃତୀୟ ଶ୍ରେଣୀ ମିଳୁ ନ ଥିବାରୁ ବାଧ୍ୟ ହୋଇ ଦ୍ୱିତୀୟ ଶ୍ରେଣୀରେ ଯାଇଥିଲୁ । ଆଫ୍ରିକାରେ ଆମେ ଯେଉଁ ଶୁଖିଲା ଫଳ ସାଙ୍ଗରେ ବାନ୍ଧିଥିଲୁ, ତାହା ଜାହାଜରେ ସାଙ୍ଗରେ ନେଇଥିଲି । ଅନ୍ୟସବୁ ଫଳ ଜାହାଜରେ ସହଜରେ ମିଳୁଥିଲା ।

 

ଡାକ୍ତର ଜୀବରାଜ ମେହେତା ମୋ ପଞ୍ଜରାକୁ ‘ମିଡ଼ଜ୍‌ପ୍ଲାଷ୍ଟର’ ଦେଇ ବାନ୍ଧି ଦେଇଥିଲେ ଏବଂ ଲୋହିତ ସାଗରରେ ନ ପହଞ୍ଚିବା ଯାଏ ଖୋଲିବାକୁ ମନା କରିଥିଲେ । ଦି ଦିନକାଳ ଏ କଷ୍ଟ ସହିଥିଲି; କିନ୍ତୁ ପରେ ମୋର ଅସହ୍ୟ ହୋଇଥିଲା । ବହୁକଷ୍ଟରେ ମୁଁ ସେ ପ୍ଲାଷ୍ଟରକୁ ଛଡ଼େଇଥିଲି ଏବଂ ମନକୁ ମନ ଭଲ ରକମ ଧୋଇଧାଇ ହୋଇ ଗାଧୋଇ ପଡ଼ିଥିଲି ।

 

ମୋର ଖାଦ୍ୟ ବି ପ୍ରଧାନତଃ ଶୁଖିଲା ଓ ତଟକା ଫଳ ଚଳେଇଥିଲି । ଦିନକୁ ଦିନ ମୋର ଉନ୍ନତି ହେଉଥିଲା । ସୁୟେଜ କେନାଲରେ ପଶିଲା ବେଳକୁ ମତେ ବହୁତ ଭଲ ଲାଗୁଥିଲା-। ଖୁବ୍‌ ଦୁର୍ବଳ ଥିଲେ ସୁଦ୍ଧା ମୋର ଭୟ ଯାଇଥିଲା । ମୁଁ ମଧ୍ୟ ଧୀରେ ଧୀରେ ମୋର ପ୍ରତିଦିନର ପରିଶ୍ରମ ଟିକିଏ ବଢ଼େଇବାକୁ ଆରମ୍ଭ କରିଥିଲି । ସମକଟୀ ବନ୍ଧର ଶୁଦ୍ଧ ସମଶୀତୋଷ୍ମ ବାୟୁ ମୋର ଏ ଉନ୍ନତିର ପ୍ରଧାନ କାରଣ ଥିଲା ବୋଲି ମୁଁ ଅନୁମାନ କରିଥିଲି ।

 

ମୋର ପୂର୍ବ ଅନୁଭୂତି ଯୋଗୁ ହେଉ ବା ଅନ୍ୟ କାରଣରୁ ହେଉ ଜାହାଜରେ ଇଂରେଜ ଯାତ୍ରୀ ତଥା ଆମ ଭିତରେ ଯେ ଭେଦ ଲକ୍ଷ୍ୟ କରିଥିଲି, ତାହା ମୁଁ ଦକ୍ଷିଣ ଆଫ୍ରିକାରୁ ଆସିଲାବେଳେ ସୁଦ୍ଧା ଲକ୍ଷ୍ୟ କରି ନ ଥିଲି । ସେଠି ମଧ୍ୟ ଭେଦ ଥିଲା । କିନ୍ତୁ ଏଠା ଭେଦଟା ଭିନ୍ନ ପ୍ରକାରର ଜଣା ପଡ଼ିଥିଲା ।

 

ମୁଁ କେତେଜଣ ଇଂରେଜଙ୍କ ସଙ୍ଗେ କଥାବାର୍ତ୍ତା କରିଥିଲି; ମାତ୍ର ତାହା ଅତ୍ୟନ୍ତ ‘ସାହେବ ସଲାମ’ ଭଳି ମାମୁଲି ଥିଲା । ହୃଦୟର ମିଳନ ନ ଥିଲା । ଦକ୍ଷିଣ ଆଫ୍ରିକା ଜାହାଜରେ ତଥା ଦକ୍ଷିଣ ଆଫିକାରେ ହୃଦୟର ମିଳନ ହେଉଥିଲା । ମୋର ମନେହୁଏ, ସମ୍ଭବତଃ ଏହାର କାରଣ ଏୟା ଥିଲା ଯେ, ଜାଣତରେ ହେଉ ବା ଅଜାଣତରେ ହେଉ, ଇଂରେଜମାନଙ୍କ ମନରେ ଆମେ ଶାସକ, ଭାରତବାସୀଙ୍କ ମନରେ ‘ଆମେ ପରାଧୀନ’ ଏହି ଭାବ ଖେଳୁଥିଲା ।

 

ଶୀଘ୍ର ଘରେ ପହଞ୍ଚି ଏ ବାତାବରଣରୁ ମୁକ୍ତ ହେବାପାଇଁ ମୁଁ ଆତୁର ହୋଇ ପଡ଼ିଥିଲି ।

 

ଏଡ଼େନ୍‌ଠାରେ ପହଞ୍ଚି ଟିକେ ଘରେ ପହଞ୍ଚିଲାପରି ଲାଗିଥିଲା । ଏଡ଼େନ୍‌ବାସୀଙ୍କ ସହିତ ମୋର ଭଲ ପରିଚୟ ଦକ୍ଷିଣ ଆଫ୍ରିକାରେ ହୋଇଯାଇଥିଲା । କାରଣ କୋକୋବାଦ କଓ୍ୟାସ୍‌ଜୀ ଦିନାସା ଡରବାନ୍‌ ଯାଇଥିଲେ ଏବଂ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କ ସଙ୍ଗେ ମୋର ପରିଚୟ ହୋଇଥିଲା ।

 

ଦିନ କେଇଟା ପରେ ବମ୍ବେରେ ପହଞ୍ଚିଥିଲି । ଯେଉଁ ଦେଶକୁ ୧୯୦୫ରେ ଫେରିବି ବୋଲି ଆଶା କରିଥିଲି, ସେହି ଦେଶକୁ ଦଶବର୍ଷ ପରେ ଫେରିବାରେ କେଡ଼େ ଆନନ୍ଦ ହୋଇଥିଲା-। ଗୋଖଲେ ତାଙ୍କର ଦୁର୍ବଳ ସ୍ୱାସ୍ଥ୍ୟ ସତ୍ତ୍ୱେ ବମ୍ବେ ଆସିଥିଲେ । ସେ ସେଠାରେ ମୋ ପାଇଁ ଗୋଟିଏ ଅଭ୍ୟର୍ଥନାର ଯୋଗାଡ଼ କରିଥିଲେ ।

 

ମୁଁ ତାଙ୍କୁ ଭେଟିଥିଲି । ତାଙ୍କଠାରେ ନିଜକୁ ଲୀନ କରିଦେଇ ଝଞ୍ଜଟରୁ ମୁକ୍ତି ହୋଇଯିବା ଆଶା ବାନ୍ଧି ଭାରତବର୍ଷକୁ ଫେରିଥିଲି । କିନ୍ତୁ ବିଧାତାର ବିଚାର ଆନ ଥିଲା ।

 

ଓକିଲାତି ସ୍ମୃତି

 

ଭାରତବର୍ଷରେ ମୋର ଜୀବନର ଗତି କେଉଁଆଡ଼େ ଯାଇଥିଲା, ତାହା କହିବା ଆଗରୁ ମୋର ଦକ୍ଷିଣ ଆଫ୍ରିକାରେ ଅନ୍ୟ କେତେକ ସ୍ମୃତି ଯାହା ମୁଁ ଜାଣିଶୁଣି ଛାଡ଼ିଯାଇଛି, ତାହା କହିଦେବା ଆବଶ୍ୟକ ମନେକରେ । କେତେକ ଓକିଲ ବନ୍ଧୁ ମୋର ଓକିଲାତି ସମୟର ଓ ଓକିଲାତିର କି ଅନୁଭୂତି ଲେଖିବାକୁ ଅନୁରୋଧ କରିଛନ୍ତି । ଏ ସବୁ ଅନୁଭୂତି ଏତେ ବେଶି ଯେ, ସେ ସବୁ ବର୍ଣ୍ଣନା କରିବାକୁ ଗଲେ ଗୋଟିଏ ସ୍ୱତନ୍ତ୍ର ବହି ହୋଇଯିବ । ଏ କାହାଣୀର ଯେ ସୀମା ମୁଁ ନିର୍ଦ୍ଦେଶ କରିଛି, ତାହା ବାହାରକୁ ଚାଲିଯିବ । କିନ୍ତୁ ଯେ କେତେଟାରେ ମୋର ସତ୍ୟର ଅନୁସନ୍ଧାନ ସଙ୍ଗେ ସମ୍ପର୍କ ଅଛି, ସେ କେତେଟା ଏଠି ବର୍ଣ୍ଣନା କରିବାରେ ଅନ୍ୟାୟ ହେବ ନାହିଁ ବୋଲି ମୁଁ ମନେକରେ । ମୋର ଯେତେଦୂର ମନେ ହୁଏ ମୁଁ ଆଗରୁ କହିଚି ଯେ, ମୁଁ କେଭେ ଓକିଲାତି ବ୍ୟବସାୟରେ ମିଥ୍ୟାର ଆଶ୍ରୟ ନେଇନାହିଁ । ମୋର ଓକିଲାତି ବ୍ୟବସାୟର ଅଧିକାଂଶ ଭାଗ କେବଳ ସେବାପାଇଁ କରିଛି ଏବଂ ସେଥିରେ ମୁଁ ହାତଖର୍ଚ୍ଚ ଛଡ଼ା ଆଉ କିଛି ନେଇନାହିଁ । କେତେବେଳେ ମଧ୍ୟ ହାତଖର୍ଚ୍ଚ ନିଜ ହାତରୁ କରିଛି । ମୁଁ ବିଚାରିଥିଲି ଯେ ମୋର ଓକିଲାତି ବ୍ୟବସାୟ ସମ୍ବନ୍ଧରେ ଏତିକି ପ୍ରତିଜ୍ଞା କଥା କହିଲେ ଯଥେଷ୍ଟ ହେବ; ମାତ୍ର ବନ୍ଧୁମାନେ ବେଶି କିଛି ଜାଣିବାକୁ ଚାହାନ୍ତି । ସେମାନେ ବିଚାରୁଛନ୍ତି ଯେ, ସତ୍ୟର ପାଳନ ପାଇଁ ଯେତେ ଘଟଣା ଘଟିଛି ସେ ସବୁ ଅଳ୍ପ ବହୁତ ଲେଖିଲେ ଓକିଲଙ୍କର କାମରେ ଆସିବ ।

 

ଛାତ୍ର ଜୀବନରେ ଦିନେ ମୁଁ ଶୁଣିଥିଲି ଯେ ଓକିଲାତି ପେଶାରେ ମିଛ ନ କହିଲେ ନ ଚଳେ; କିନ୍ତୁ ମିଛ କଥା କହି ମୋର କୌଣସି ପ୍ରତିଷ୍ଠାର ଆଶା ନ ଥିଲା ବା ଧନ ଲାଭର ଇଚ୍ଛା ନ ଥିଲା । ଅତଏବ ସେ କଥାର ପ୍ରଭାବ ମୋ ଉପରେ କିଛି ପଡ଼ି ନ ଥିଲା ।

 

ଦକ୍ଷିଣ ଆଫ୍ରକିାରେ ମୋର ଏହି ନୀତି ବହୁବାର ପରୀକ୍ଷିତ ହୋଇଛି । ଅନେକ ଥର ମୁଁ ଜାଣି ପାରୁଥିଲି ଯେ, ମୋର ପ୍ରତିପକ୍ଷମାନେ ତାଙ୍କ ସାକ୍ଷୀମାନଙ୍କୁ ଶିଖେଇଛନ୍ତି ଏବଂ ମୁଁ ଯଦି ମୋର ମହକିଲ ବା ସାକ୍ଷୀମାନଙ୍କୁ ଟିକିଏ ହେଲେ ମିଛକଥା କହିବାକୁ ଉତ୍ସାହ ଦିଅନ୍ତି, ତେବେ ଆମେ ମକଦ୍ଦମା ଜିତିଯାନ୍ତୁ । ମାତ୍ର ମୁଁ ସଦାସର୍ବଦା ଏ ପ୍ରଲୋଭନକୁ ସମ୍ଭାଳି ଯାଇଛି । କେବଳ ଗୋଟିଏ ଘଟଣା ମୋର ମନେପଡ଼େ—ଯେଉଁଥିରେ ମକଦ୍ଦମା ଜିତିଲା ପରେ ମୋର ସନ୍ଦେହ ହୋଇଥିଲା ଯେ ମୋ ମହକିଲ ମତେ ଧପେଇଛି । ମୋର ମନରେ ସବୁବେଳେ ଏୟା ଥାଏ ଯେ ମୋର ମହକିଲର ମକଦ୍ଦମା ସତ ହୋଇଥିଲେ ଜୟ ହେବ, ମିଛ ଥିଲେ ହାର ହେବ । ମକଦ୍ଦମା ଫିସ୍ ଧାର୍ଯ୍ୟ କଲାବେଳେ ମୁଁ କେବେହେଁ ହାର ଜିତ ଉପରେ ଫିସ ଦର ଠିକ୍‌ କରୁଥିଲି ବୋଲି ମୋ ମନେ ପଡ଼ୁନାହିଁ । ମୋର ମହକିଲ ହାରୁ ବା ଜିତୁ, ମୁଁ ସବୁବେଳେ କେବଳ ମେହେନ୍ତାନା (ପାରିଶ୍ରମିକ) ନେଉଥାଏ ଏବଂ ଜିତ୍‌ ହେଲେ ବି ସେତିକି ଆଶା କରିଥାଏ ।

 

ମୁଁ ମହକିଲଙ୍କୁ ମୂଳରୁ କହିଦିଏ, ‘‘ଯଦି ମକଦ୍ଦମା ମିଥ୍ୟା ହୋଇଥିବ, ମୋ ପାଖକୁ ଆସିବ ନାହିଁ । ସାକ୍ଷୀମାନଙ୍କୁ ଶିଖେଇବା କଥା ମୋଠୁ ଆଶାକରିବ ନାହିଁ ।’’ ଶେଷରେ ମୋର ଏମିତି ଖ୍ୟାତି ହୋଇଯାଇଥିଲା ଯେ ପାଖକୁ କେଭେ କୌଣସି ମିଛ ମକଦ୍ଦମା ଆସୁ ନ ଥିଲା । ମୋର ଏମିତି ଅନେକ ମହକିଲ ଥିଲେ, ଯେ କେବଳ ସତ ମକଦ୍ଦମାତକ ମତେ ଦେଇ ତାଙ୍କର ଅନ୍ୟ ଗୋଳମାଳିଆ ମକଦ୍ଦମା ଗୁଡ଼ିକ ଆଉ ଆଉ ଓକିଲଙ୍କୁ ଦେଉଥିଲେ ।

 

ଗୋଟିଏ ମକଦ୍ଦମାରେ ମୋର କଠିନ ପରୀକ୍ଷା ହୋଇଥିଲା । ମୋର ଜଣେ ସବୁଠାରୁ ଭଲ ମହକିଲର ସେ ମକଦ୍ଦମାଟି ଥିଲା । ମକଦ୍ଦମାରେ ହିସାବପତ୍ରର ଅନେକ ଅଡ଼ୁଆ ଥିଲା । ତାହା ଅନେକ ଦିନ ଚାଲିଥିଲା । ମକଦ୍ଦମାଟି ଖଣ୍ଡ ଖଣ୍ଡ ହୋଇ ଅନେକ ଗୁଡ଼ିଏ ହାକିମଙ୍କ ପାଖରେ ବିଚାର ହୋଇଥିଲା । ଅବଶେଷରେ ମକଦ୍ଦମାର ହିସାବପତ୍ର ଅଂଶଟିକୁ ହାକିମ ଗୋଟିଏ ହିସାବପତ୍ର ଜାଣିଥିବା ପଞ୍ଚାୟତ ହାତରେ ସମର୍ପି ଦେଇଥିଲେ । ପଞ୍ଚମାନେ ମୋ ମହକିଲଙ୍କ ସପକ୍ଷରେ ରାୟ ଦେଇଥିଲେ । ପଞ୍ଚମାନେ ଭୁଲମାତ୍ରେ ହିସାବରେ ଗୋଟିଏ ଭୁଲ କରି ଦେଇଥିଲେ । ଭୁଲଟି ଅତିକ୍ଷୁଦ୍ର ହେଲେ ମଧ୍ୟ ବଡ଼ ଗୁରୁତର ରକମର ଥିଲା । କାରଣ ହିସାବରେ ଗୋଟିଏ ସଂଖ୍ୟା ଜମା ଆଡ଼େ ନ ଚଢ଼ି ଖର୍ଚ୍ଚ ଆଡ଼େ ଚଢ଼ି ଯାଇଥିଲା । କିନ୍ତୁ ପ୍ରତିପକ୍ଷମାନେ ପଞ୍ଚଙ୍କ ରାୟଙ୍କୁ ରଦ୍‌ କରିବାକୁ ଦରଖାସ୍ତ କରିଥିଲେ । ମୁଁ ମହକିଲ ପକ୍ଷର ସାନ ଓକିଲ ଥିଲି । ମୋ ବଡ଼ ଓକିଲ ଯେତେବେଳେ ଭୁଲ କଥା ଜାଣି ପାରିଥିଲେ, କହିଥିଲେ ଯେ, ଆମ ମହକିଲ ତାକୁ ମାନିବାକୁ ବାଧ୍ୟ ନ ଥିଲା । ପ୍ରତିପକ୍ଷର ସତ ଘଟଣାକୁ ମାନିନେବାକୁ ଓକିଲ ବାଧ୍ୟ ନୁହେଁ ବୋଲି ତାଙ୍କର ସ୍ପଷ୍ଟ ମତ ଥିଲା । କିନ୍ତୁ ଭୁଲଟି ମାନିଯିବା ଆମର ଉଚିତ ବୋଲି ମୁଁ କହିଥିଲି ।

 

ମାତ୍ର ବଡ଼ ଓକିଲ ଯୁକ୍ତି କରିଥିଲେ, ‘‘ତା ହେଲେ ତ ଖୁବ୍‌ ସମ୍ଭବ ହାକିମ ପଞ୍ଚଙ୍କ ପୂରା ରାୟକୁ ରଦ୍‌ କରି ଦେଇପାରନ୍ତି ଏବଂ କୌଣସି ବୁଦ୍ଧିମାନ ଓକିଲ କେଭେ ତାର ମହକିଲକୁ ସେଭଳି ବିପଦରେ ପକେଇବ ନାହିଁ । ଅନ୍ତତଃ ମୁଁ ସେପରି କୌଣସି ବିପଦ ମୁଣ୍ଡକୁ ଟାଣିଆଣିବି ନାହିଁ । ଧର,ପୁଣି ଯଦି ମକଦ୍ଦମା ସାନି ବିଚାର ପାଇଁ ଯାଏ, ପୁଣି ମହକିଲକୁ କେତେ ଖର୍ଚ୍ଚ କରିବାକୁ ପଡ଼ିବ, ଫଳ ବା କ’ଣ ହେବ—କିଏ କହିବ ?’’

 

ଏ କଥାବାର୍ତ୍ତା ହେଲାବେଳେ ମହକିଲ ସେଠି ଉପସ୍ଥିତ ଥିଲେ । ମୁଁ କହିଥିଲି. ‘‘ମୋ ମତରେ ଆମେ ଏବଂ ଆମର ମହକିଲ ଉଭୟ ଏ ବିପଦକୁ ବରଣ କରିନେବା ଉଚିତ । ଆମେ ଭୁଲଟାକୁ ନ ମାନିଲେ ଯେ ହାକିମ ପଞ୍ଚଙ୍କ ଭୁଲ ରାୟକୁ ଭୁଲ ଜାଣି ବଜାୟ ରଖିବେ, ଏଥିରେ ବା ସ୍ଥିରତା କଣ ? ଏବଂ ଯଦି ମାନିଗଲେ ମହକିଲ ଟିକେ କଷ୍ଟରେ ପଡ଼େ, ସେଥିରେ କ୍ଷତି କଣ ?’’ ବଡ଼ ଓକିଲ କହିଥିଲେ, ‘‘ଆମେ ଭୁଲଟାକୁ ମୂଳରୁ ମାନିବା କାହିଁକି ?’’ ‘‘ହାକିମ ବା ଅନ୍ୟ ପକ୍ଷ ଯେ ଭୁଲଟାକୁ ଧରି ନ ପାରିବେ ତା’ର ଠିକଣା କଣ ?’’ ବଡ଼ ଓକିଲ ଦୃଢ଼ତାର ସହିତ ଜବାବ ଦେଇଥିଲେ, ‘‘ତମେ ତା’ ହେଲେ ମକଦ୍ଦମାର ସୁଆଲ ଜବାବ କର, ତମ ସର୍ତ୍ତ ଅନୁସାରେ ମୁଁ ହାଜର ହେବାକୁ ପ୍ରସ୍ତୁତ ନୁହେଁ ।’’ ମୁଁ ନମ୍ରତାର ସହିତ ଜବାବ ଦେଇଥିଲି, ‘‘ଆପଣ ଯଦି ସୁଆଲ ଜବାବ ନ କରିବେ, ମହକିଲ ରାଜି ହେଲେ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି,—ଭୁଲଟିକୁ ନ ମାନିଲେ ମୁଁ ମଧ୍ୟ ମକଦ୍ଦମା ସହିତ କୌଣସି ସମ୍ପର୍କ ରଖିବି ନାହିଁ ।’’

 

ଏହା କହି ମୁଁ ମହକିଲଙ୍କ ଆଡ଼କୁ ଅନେଇଲି । ସେ ଟିକେ ଅଡ଼ୁଆରେ ପଡ଼ି ଯାଇଥିଲେ-। ମୁଁ ମୂଳରୁ ମକଦ୍ଦମାରେ ଥିଲି । ମହକିଲ ମତେ ପୂରା ବିଶ୍ୱାସ କରୁଥିଲେ ଏବଂ ମୋର ସ୍ୱଭାବ ଭଲକରି ଜାଣିଥିଲେ । ସେ କହିଲେ, ‘‘ହଉ ତେବେ, ଆପଣ ମକଦ୍ଦମାଟିର ସୁଆଲ ଜବାବ କରନ୍ତୁ ଏବଂ ଭୁଲଟିକି ମାନିଯାନ୍ତୁ । କପାଳରେ ଥିବ ତ ଆମେ ହାରିଯିବା । ସତ୍ୟକୁ ରକ୍ଷା କରିବାକୁ ସୁବବେଳେ ଭଗବାନ କ’ଣ ନାହାନ୍ତି ?’’

 

ମୋର ଭାରି ଆନନ୍ଦ ହୋଇଥିଲା । ମୋ ମହକିଲଙ୍କଠାରୁ ମୁଁ ଏହାହିଁ ଆଶା କରିଥିଲି । ବଡ଼ ଓକିଲ ମତେ ପୁଣି ସତର୍କ କରି ଦେଇଥିଲେ । ମୋର ଜିଦ୍‌ ଦେଖି ମୋ ପ୍ରତି ତାଙ୍କର ମନ ବିକଳ ହୋଇଥିଲା । ତେବେ ସୁଦ୍ଧା ମତେ ଧନ୍ୟବାଦ ଦେଇଥିଲେ । କଚେରୀରେ କ’ଣ ହେଲା ପର ଅଧ୍ୟାୟରେ ।

 

ଚାଲାଖି

 

ମୋର ପରାମର୍ଶର ସତ୍ୟତା ସମ୍ବନ୍ଧରେ ମୋର ଲେଶ୍‌ମାତ୍ର ସନ୍ଦେହ ନ ଥିଲା, ମାତ୍ର ମକଦ୍ଦମା ଚଳେଇବା ପାଇଁ ଆପଣାର ଯୋଗ୍ୟତା ସମ୍ବନ୍ଧରେ ସନ୍ଦେହ ଥିଲା । ବଡ଼ ଅଦାଲତ ଆଗରେ ଏପରି କଠିନ ମକଦ୍ଦମା ସୁଆଲ ଜବାବ କରିବା ମତେ ବଡ଼ ବିପଜ୍ଜନକ ଲାଗିଥିଲା । ତେଣୁ ମନରେ ଥରି ଥରି ହାଜର ହୋଇଥିଲି ।

 

ମୁଁ ଯେମିତି ଭୁଲ୍‌କଥା ଉଲ୍ଲେଖ କରିଛି, ସେମିତି ଜଣେ ବିଚାରକ କହି ପକେଇ ଥିଲେ, ‘‘ମିଷ୍ଟର ଗାନ୍ଧୀ, ଏଇଟା କ’ଣ ଧପ୍‌ପାବାଜୀ ନୁହେଁ ?’’

 

ଏ ଦୋଷାରୋପ ଶୁଣି ମୁଁ ତ ରାଗରେ ଜଳିଯାଇଥିଲି । ଯେଉଁଠାରେ ଧପେଇବାର ଲେଶମାତ୍ର ପ୍ରମାଣ ନାହିଁ, ମୋର ସେଭଳି ସନ୍ଦେହ କରିବା ଅସହ୍ୟ ହୋଇଥିଲା । ମନେ ମନେ ବିଚାରିଥିଲି, ମୂଳରୁ ଯଦି ବିଚାରପତି ଆଗରୁ ଏପରି ଗୋଟାଏ ଆଡ଼େ ମତ ପ୍ରକାଶ କରନ୍ତି, ତା’ ହେଲେ ଏଭଳି କଠିନ ମକଦ୍ଦମାରେ କେମିତି ଜିତିବି ? ମାତ୍ର ନିଜ ରାଗକୁ ସଂଯତ କରି ମୁଁ କହିଥିଲି, ‘‘ମୋର କଥା ସବୁ ନ ଶୁଣି ମତେ ଧପ୍‌ପାବାଜୀରେ ସନ୍ଦେହ କରୁଛନ୍ତି ଦେଖି, ମୁଁ ବଡ଼ ଆଶ୍ଚର୍ଯ୍ୟାନ୍ୱିତ ହେଲି ।’’ ବିଚାରପତି କହିଥିଲେ, ମୁଁ ଅଭିଯୋଗ କରୁନାହିଁ । ମୁଁ ସୂଚନା ଦେଇଥିଲି ମାତ୍ର ।’’

 

ମୁଁ ଉତ୍ତର ଦେଇଥିଲି, ‘‘ଏ ସୂଚନା ମତେ ଅଭିଯୋଗ ପରି ଲାଗୁଛି । ମୋର ଅନୁରୋଧ ହଜୁର୍‌ ମୋ କଥା ପୂରାପୂରି ଶୁଣନ୍ତୁ ଏବଂ ଯଦି କାରଣ ଥିବ, ମତେ ପୂରାପୂରି ଦୋଷୀ କରନ୍ତୁ ।’’ ବିଚାରପତି ଜବାବ ଦେଇଥିଲେ, ‘‘ଆପଣଙ୍କ କଥା ମଝିରେ ବାଧା ଦେଇଥିବା ଯୋଗୁଁ ମୁଁ ଦୁଃଖିତ । କେମିତି ଭୁଲଟି ବୁଝାଉଛନ୍ତି କହିଯାନ୍ତୁ ।’’

 

ମୋ କୈଫିୟତ୍‌ ସପକ୍ଷରେ ମୋ ପାଖରେ ବହୁତ ପ୍ରମାଣ ଥିଲା । ବିଚାରପତି ମୂଳରୁ ପ୍ରଶ୍ନ ଉଠେଇ ବଡ଼ ଭଲ କରିଥିଲେ । ତା ଫଳରେ ମୁଁ ମୋର ଯୁକ୍ତିପ୍ରତି ହାକିମମାନଙ୍କ ଦୃଷ୍ଟି ମୂଳରୁ ଆକର୍ଷିତ କରିପାରିଥିଲି । ମୋର ଟିକିଏ ସାହସ ହୋଇଯାଇଥିଲା, ମୁଁ ଟିକିଏ ଭଲକରି ବିଶଦ ରୂପରେ ବୁଝେଇ ପାରିଥିଲି । ହାକିମମାନେ ବଡ଼ ଧୀର ସ୍ଥିର ଭାବରେ ମୋ କଥାଟି ଶୁଣିଥିଲେ ଏବଂ ହିସାବର ଭୁଲଟି ଅଜାଣତରେ ହୋଇଯାଇଛି ବୋଲି ସେମାନେ ବୁଝି ପାରିଥିଲେ ଏବଂ ବହୁତ ପରିଶ୍ରମରେ ତିୟାରି ହିସାବକୁ ପୂରା ରଦ୍‌ କରିବାକୁ ବିଚାରପତିମାନେ ଇଚ୍ଛା କରି ନ ଥିଲେ-। ତେଣେ ପ୍ରତିପକ୍ଷର ଓକିଲ ଏକ ରକମ ନିଶ୍ଚିତ ହୋଇ ବସିଲାପରି ଜଣା ପଡ଼ୁଥିଲା ଯେ, ଏ ଭୁଲ ମାନିବା ପରେ ପରେ ଆଉ ବେଶୀ କିଛି ଜବାବ ସୁଆଲ କରିବାକୁ ପଡ଼ିବ ନାହିଁ । ମାତ୍ର ବିଚାରପତିମାନଙ୍କର ବିଶ୍ୱାସ ହୋଇଯାଇଥିଲା ଯେ, ଭୁଲଟା ଅଜାଣତରେ ହୋଇଯାଇଛି ଏବଂ ସହଜରେ ସଂଶୋଧନ କରାଯାଇପାରିବ । ସେମାନେ ପଞ୍ଚଙ୍କ ନିଷ୍ପତ୍ତିକୁ ରଦ୍‌ କରିବାକୁ ଆଦୌ ରାଜି ନ ଥିଲେ । ଓକିଲ ପଞ୍ଚଙ୍କ ରାୟ ବିରୁଦ୍ଧରେ ଖୁବ୍‌ କହିଲେ, ମାତ୍ର ଯେଉଁ ବିଚାରପତି ମୂଳରୁ ମତେ ସନ୍ଦେହ କରିଥିଲେ, ସେହି ଏବେ ମୋର ପକ୍ଷ ସମର୍ଥନ କରିଥିଲେ । ସେ ପଚାରିଥିଲେ; ‘‘ଯଦି ଆଜି ମିଷ୍ଟର ଗାନ୍ଧୀ ଭୁଲ ମାନି ନ ଥାନ୍ତେ, ଆପଣ କଣ କରିଥାନ୍ତେ ? ଆମେ ଯେଉଁ ହିସାବରକ୍ଷକ ପଞ୍ଚ ନିଯୁକ୍ତ କରିଥିଲୁ, ତାଠାରୁ ଅଧିକ ଦକ୍ଷ ଓ ସତ୍‌ଲୋକ ପାଇବା ଆମ ପକ୍ଷରେ ସମ୍ଭବ ନ ଥିଲା । ଅଦାଲତ ଧରି ନେବ ଯେ ଆପଣ ଆପଣଙ୍କ ମକଦ୍ଦମା ଭଲ ଜାଣନ୍ତି । ଏ ସାମାନ୍ୟ ଭୁଲ ହିସାବରକ୍ଷକ ସାଧାରଣତଃ କରିଥାଏ, ତାହାଠାରୁ ବେଶି ଯଦି ଦେଖେଇ ନ ପାରିବେ, ତେବେ ଏ ସାମାନ୍ୟ ଭୁଲଯୋଗୁଁ ଅଦାଲତ କେବେ ପକ୍ଷମାନଙ୍କୁ ସାନି ବିଚାର ଓ ସାନି ଖର୍ଚ୍ଚ କରିବାକୁ ବାଧ୍ୟ କରିବେ ନାହିଁ । ସେତେବେଳେ ଆମେ ସାନି ବିଚାରର ହୁକୁମ ଦେଇ ନ ପାରୁ-।’’ ଏହିପରି ଅନେକ ଯୁକ୍ତି ଦେଖାଇ ବିଚାରପତି ସେ ପକ୍ଷ ଓକିଲଙ୍କୁ ଚୁପ୍‌କରି ଦେଇଥିଲେ ।

 

ଫଳରେ ପ୍ରତିପକ୍ଷଙ୍କ ଆପତ୍ତି ନାମଞ୍ଜୁର ହୋଇଥିଲା । ମୋର ଠିକ୍‌ମନେ ନାହିଁ; ଅଦାଲତ ହୁଏତ ଭୁଲକୁ ସଂଶୋଧନ କରି ଦେଇ ପଞ୍ଚଙ୍କ ରାୟ ବାହେଲ କରିଥିଲେ କିମ୍ବା ଭୁଲ୍‌କୁ ସଂଶୋଧନ କରିବାକୁ ପଞ୍ଚମାନଙ୍କୁ ହୁକୁମ ଦେଇଥିଲେ ।

 

ମୋର ଭାରି ଆନନ୍ଦ ହୋଇଥିଲା । ମୋର ଓକିଲ ଓ ବଡ଼ ଓକିଲ ଉଭୟେ ମଧ୍ୟ ଖୁସି ହୋଇଥିଲେ ଏବଂ ସତ୍ୟକୁ ମାନି ଓକିଲାତି ବ୍ୟବସାୟ ଯେ କରିହେବ, ମୋର ଏ ଧାରଣା ଦୃଢ଼ ହୋଇଥିଲା । ତେବେ ସୁଦ୍ଧା ପାଠକମାନେ ମନେରଖନ୍ତୁ, ଆଇନ ବ୍ୟବସାୟକୁ ସତ୍‌ଭାବରେ ଚଳେଇବା ସମ୍ଭବ ବୋଲି ସେ ବ୍ୟବସାୟ ମୂଳରେ ଯେଉଁ ଦୋଷ ରହିଛି, ତାହା ଘୁଞ୍ଚିଯିବ ନାହିଁ ।

 

ମହକିଲ ସାଥୀ ପାଲଟିଲେ

 

ନେଟାଲ ଓ ଟ୍ରାନ୍‌ସଭାଲର ଓକିଲାତି ବ୍ୟବସାୟରେ ପ୍ରଭେଦ ଏୟା ଥିଲା ଯେ, ନେଟାଲରେ ବାରିଷ୍ଟର ଏଟର୍ଣ୍ଣୀ କାମ ମଧ୍ୟ କରି ପାରୁଥିଲେ । ମାତ୍ର ଟ୍ରାନ୍‌ସଭାଲରେ ବମ୍ବେ ଭଳି ବାରିଷ୍ଟର ଓ ଏଟର୍ଣ୍ଣୀ ଅଲଗା ଅଲଗା ଥିଲେ । ସେଠାରେ ମହକିଲ ସଙ୍ଗେ ସବୁ କଥାବାର୍ତ୍ତା ତଦବୀର ଏଟର୍ଣ୍ଣୀଙ୍କ ଜାରିଆରେ ବାରିଷ୍ଟର କରି ପାରୁଥିଲେ । ଲାଇସେନ୍‌ସ ନେଲାବେଳେ ବାରିଷ୍ଟର ଇଚ୍ଛା ଅନୁସାରେ କାମ ବାଣ୍ଟି ନେଉଥିଲେ । ନେଟାଲରେ ମୁଁ ବାରିଷ୍ଟର ହୋଇଥିଲି, ଟ୍ରାନ୍‌ସଭାଲରେ ଏଟର୍ଣ୍ଣୀ ହେବା ପାଇଁ ଦରଖାସ୍ତ ଦେଇଥିଲି । କାରଣ ବାରିଷ୍ଟର ହୋଇଥିଲେ ମୁଁ ଭାରତୀୟ ମହକିଲମାନଙ୍କର ସିଧା ସମ୍ପର୍କରେ ଆସି ନ ଥାନ୍ତି ଏବଂ ଦକ୍ଷିଣ ଆଫ୍ରିକାରେ ବାୟୁମଣ୍ଡଳରେ ଗୋରା ଏଟର୍ଣ୍ଣୀଯାକ ମତେ କେବେହେଁ ମକଦ୍ଦମା ଦେଇ ନ ଥାନ୍ତେ ।

 

ମାତ୍ର ଟ୍ରାନ୍‌ସଭାଲରେ ଏଟର୍ଣ୍ଣୀମାନେ ଫୌଜଦାରୀ ମକଦ୍ଦମା ମଧ୍ୟ ଚଳେଇ ପାରୁଥିଲେ-। ଥରେ ମୋର ମକଦ୍ଦମା ଚଳାଉ ଚଳାଉ ମୋର ମହକିଲ ମତେ ଠକେଇଛି ବୋଲି ମୁଁ ଜାଣିପାରିଥିଲି । କାରଣ କାଠଗଡ଼ାରେ ଠିଆ ହେଲା ବେଳକୁ ସେ ପୂରାପୂରି ବଣା ହୋଇ ଯାଇଥିଲା । ଫଳରେ ମୁଁ କୌଣସି ସୁଅଲ ଜବାବ ନ କରି ମକଦ୍ଦମା ଖାରଜ କରବାକୁ ହାକିମଙ୍କୁ କହିଥିଲି ଏବଂ ବସି ଯାଇଥିଲି । ପ୍ରତିପକ୍ଷର ଓକିଲ ବିସ୍ମିତ ହୋଇଥିଲେ ଏବଂ ହାକିମ ଖୁସି ହୋଇଗଲେ ।

 

ମହକିଲକୁ ମୁଁ ଗାଳି ଦେଇଥିଲି । ମୁଁ ଯେ କେଭେ ମିଛ ମକଦ୍ଦମା ନିଏ ନାହିଁ, ସେ କଥା ତାକୁ ଜଣା ଥିଲା । ସେ ତାର ଭୁଲ ମାନିଥିଲା ଏବଂ ମୋର ମନେ ପଡ଼େ, ମୁଁ ମକଦ୍ଦମା ଡିସ୍‌ମିସ୍‌ କରିବାକୁ ହାକିମଙ୍କୁ କହିଥିବା ଯୋଗୁଁ ସେ ମୋ ଉପରେ ବିରକ୍ତ ହୋଇ ନଥିଲା । ଏହା ଫଳରେ ମୋର ବ୍ୟବସାୟର କୌଣସି କ୍ଷତି ହୋଇ ନ ଥିଲା, ବରଂ ମୋ କାମ ସରଳ ହୋଇଯାଇଥିଲା । ମୁଁ ଦେଖିପାରିଥିଲି ଯେ ଓକିଲ ଭାଇମାନଙ୍କ ମଧ୍ୟରେ ମୋର ସତ୍ୟନିଷ୍ଠାଯୋଗୁଁ ମୋର ଖ୍ୟାତି ବଢ଼ି ଯାଇଥିଲା । ବିଚିତ୍ର ପରିସ୍ଥିତି ସତ୍ତ୍ୱେ ମୁଁ ତାଙ୍କ ଭିତରୁ କେତେକଙ୍କର ସ୍ନେହ ଓ ସୌହାର୍ଦ୍ୟ ଲାଭ କରିଥିଲି ।

 

ମୋର ଓକିଲାତିରେ ଏକ ଅଭ୍ୟାସ କରିଥିଲି ଯେ, ମହକିଲ ବା ସାଥୀ ଓକିଲଙ୍କ ପାଖରେ ମୋର ଅଜ୍ଞତା ମୁଁ କେଭେ ଲୁଚେଇବାକୁ ଚେଷ୍ଟା କରୁ ନ ଥିଲି । ଯେତେବେଳେ ମତେ ବୁଦ୍ଧି ଦିଶେ ନାହିଁ, ମୋର ମହକିଲକୁ ଅନ୍ୟ ଓକିଲ ପାଖକୁ ଯିବାକୁ ପରାମର୍ଶ ଦେଉଥିଲି; କିନ୍ତୁ ତେବେ ସୁଦ୍ଧା ଯଦି ସେ ମୋତେ ନିଯୁକ୍ତ କରିବାକୁ ଚାହୁଁଥିଲେ, ଜଣେ ବଡ଼ ଓକିଲର ପରାମର୍ଶ ନେବାକୁ କହୁଥିଲି । ଏହି ନିଷ୍କପଟ ସ୍ୱଭାବ ଯୋଗୁଁ ମୁଁ ମୋର ମହକିଲମାନଙ୍କର ଅସୀମ ଶ୍ରଦ୍ଧା ଓ ବିଶ୍ୱାସ ଅର୍ଜନ କରୁଥିଲି । ବଡ଼ ଓକିଲଙ୍କ ପରାମର୍ଶ ନେବାପାଇଁ ମହକିଲମାନେ ସବୁବେଳେ ତାଙ୍କ ଫିସ୍‌ ଦେବାକୁ ରାଜି ହେଉଥିଲେ । ଏହି ସ୍ନେହ ଓ ବିଶ୍ୱାସ ମୋର ସାଧାରଣ କର୍ମକ୍ଷେତ୍ରରେ ସୁଦ୍ଧା କାର୍ଯ୍ୟରେ ଆସିଥିଲା ।

 

ପୂର୍ବ ଅଧ୍ୟାୟମାନଙ୍କରେ ମୁଁ କହିସାରିଛି ଯେ, ଦକ୍ଷିଣ ଆଫ୍ରିକାରେ ମୋର ଓକିଲାତି କରିବାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକ ସେବା । ଏଥିପାଇଁ ମଧ୍ୟ ଲୋକଙ୍କର ବିଶ୍ୱାସଭାଜନ ହେବା ଆବଶ୍ୟକ ହୋଇଥିଲା । ପଇସା ନେଇ ମୁଁ ଯେଉଁ ଓକିଲାତି କରୁଥିଲି, ଉଦାର ହୃଦୟ ଭାରତବାସୀମାନେ ତାକୁ ସେବା ବୋଲି ମାନି ନେଇଥିଲେ ଏବଂ ସେମାନଙ୍କ ନିଜର ଅଧିକାର ପାଇଁ ଯେତେବେଳେ ସେମାନଙ୍କୁ ଜେଲ ଦୁଃଖ ଭୋଗ କରିବାକୁ ମୁଁ ଉପଦେଶ ଦେଇଥିଲି, ସେତେବେଳେ ସେମାନଙ୍କ ମଧ୍ୟରୁ ଅନେକ ମୋର ଉପଦେଶ ବୁଝିସୁଝି ଗ୍ରହଣ କରିବାଠାରୁ ମୋ ପ୍ରତି ତାଙ୍କର ଶ୍ରଦ୍ଧା ଓ ବିଶ୍ୱାସ ଯୋଗୁଁ ସେ ଉପଦେଶକୁ ମାନି ନେଉଥିଲେ ।

 

ଏହାକୁ ଲେଖୁ ଲେକୁ ମୋ ମନରେ ଓକିଲାତିର ଏହିପରି ଅନେକ ମଧୁର ସ୍ମୃତି ଜାଗିଉଠୁଛି । ଶହ ଶହ ଲୋକ ମହକିଲରୁ ବନ୍ଧୁ ପାଲଟିଥିଲେ, ସାଧାରଣ ସେବାରେ ମୋର ସଚ୍ଚା ସାଥୀ ହୋଇଥିଲେ ଏବଂ ମୋର କଠିନ ଜୀବନକୁ ସେମାନେ ସରସ କରି ଦେଇଥିଲେ ।

 

ମହକିଲ କିପରି ରକ୍ଷା ପାଇଲା ?

 

ପାଠକେ ପାର୍ସୀ ରୁସ୍ତମଜୀଙ୍କ ନାମ ଭଲକରି ଜାଣିଗଲେଣି । ପାର୍ସୀ ରୁସ୍ତମଜୀ ଏକା ସଙ୍ଗେ ମୋର ମହକିଲ ତଥା ଦେଶ କାମରେ ସାଥୀ ହୋଇଥିଲେ । ବରଂ ଏହା କହିବା ଅଧିକ ସତ୍ୟ ହେବ ଯେ, ସେ ପ୍ରଥମେ ସହକର୍ମୀ ହୋଇଥିଲେ ଏବଂ ପରେ ମହକିଲ । ମୁଁ ତାଙ୍କର ଏତେଦୂର ବିଶ୍ୱାସଭାଜନ ହୋଇଥିଲି ଯେ, ତାଙ୍କର ଘରେଇ କଥାରେ ମଧ୍ୟ ମୋର ପରାମର୍ଶ ଲୋଡ଼ୁଥିଲେ ଓ ପରାମର୍ଶରେ ଚଳୁଥିଲେ । ବେମାର ପଡ଼ିଲେ ବି ମୋର ପରାମର୍ଶ ଲୋଡ଼ୁଥିଲେ ଏବଂ ଆମ ଦୁହିଁଙ୍କ ଜୀବନର ଚାଳିଚଳନ ମଧ୍ୟରେ ବହୁତ ପ୍ରଭେଦ ଥିଲେ ସୁଦ୍ଧା, ସେ ମୋ ଚିକିତ୍ସା ନିଜେ ଚଳଉଥିଲେ ।

 

ଏହି ବନ୍ଧୁ ଥରେ ବଡ଼ ବିପଦରେ ପଡ଼ିଯାଇଥିଲେ । ଯଦିଓ ସେ ମତେ ତାଙ୍କର ସମସ୍ତ ବିଷୟ ଜଣାଉଥିଲେ । ଗୋଟିଏ କଥା ସେ ମୋଠୁଁ ଲୁଚେଇ ରଖିଥିଲେ । ପାର୍ସୀ ରୁସ୍ତମଜୀ ଶୁଳ୍କ ନ ଦେଇ ଲୁଚେଇ ଜିନିଷ ଆମଦାନୀ କରୁଥିଲେ । ସେ ବମ୍ବେ ଓ କଲିକତାରୁ ବହୁତ ଜିନିଷ ଏମିତି ଆମଦାନୀ କରୁଥିଲେ । ଶୁଳ୍କବିଭାଗର ସବୁ କର୍ମଚାରୀମାନଙ୍କ ସହିତ ତାଙ୍କର ଭଲ ବନ୍ଧୁତ୍ୱ ଥିବାରୁ ତାଙ୍କୁ ସନ୍ଦେହ କରିବା କଥା କେହି ମନକୁ ଆଣୁ ନ ଥିଲେ । କର୍ମଚାରୀମାନେ ଶୁଳ୍କ ହିସାବ କଲାବେଳେ ତାଙ୍କରି ହିସାବ ଉପରେ ବିଶ୍ୱାସ କରୁଥିଲେ । କେହି କର୍ମଚାରୀ ଏ ଚୋରୀ ଜାଣିସୁଦ୍ଧା ଆଖି ବୁଜିଦେଉଥିଲେ । ଗୁଜୁରାଟ କବି ଅଖାଙ୍କ କଥା କ’ଣ ମିଛ ହେବ ? —‘କଞ୍ଚା ପାରା (ପାରଦ) ଭଳି ଚୋରୀ କେଭେ ଛପି ରହିବ ନାହିଁ । ’ ପାର୍ସୀ ରୁସ୍ତମଜୀଙ୍କ ଚୋରୀ ଧରା ପଡ଼ିଥିଲା । ବନ୍ଧୁବର ସଙ୍ଗେ ସଙ୍ଗେ ମୋ ପାଖକୁ ଦଉଡ଼ି ଆସିଥିଲେ । ଆଖିରୁ ଝର ଝର ଲୁହ ବୁହାଇ ମତେ କହିଥିଲେ, ‘‘ଭାଇ, ମୁଁ ତମକୁ ଠକେଇଛି । ମୋର ପାପ ଆଜି ପଦାରେ ପଡ଼ିଛି । ମୁଁ ଲୁଚେଇ ମାଲ ଆମଦାନୀ କରିଛି । ଏବେ ମୁଁ ଜେଲକୁ ଯିବି ଓ ମୋର ସର୍ବନାଶ ହେବ । ତମେ ଏକା କେବଳ ମତେ ଏ ବିପଦରୁ ରକ୍ଷା କରିପାର । ମୁଁ ଅନ୍ୟ କୌଣସି କଥା ତମ କତିରେ ଲୁଚେଇ ନାହିଁ । ମାତ୍ର ମୁଁ ବ୍ୟବସାୟର ଏ ସବୁ ଚାଲବାଜୀ କଥା ନେଇ ତମକୁ ବିରକ୍ତ କରିବାକୁ ଉଚିତ ମଣି ନ ଥିଲି ଏବଂ ସେଥିପାଇଁ ଏ ଚୋରୀ କଥା କହି ନ ଥିଲି । ମାତ୍ର ଏବେ ମୁଁ କି ଅନୁତାପ କରୁଛି !’’

 

ମୁଁ ତାଙ୍କୁ ଶାନ୍ତ କରିଥିଲି ଏବଂ କହିଥିଲି, ‘‘ତମକୁ ରକ୍ଷା କରିବା ନ କରିବା ଭଗବାନଙ୍କ ହାତରେ । ମୋ ବାଟ ତ ତମକୁ ଜଣା । କେବଳ ଦୋଷ ସ୍ୱୀକାର ଦ୍ୱାରା ତମକୁ ମୁଁ ବଞ୍ଚେଇପାରିବି ତ ବଞ୍ଚେଇବି ।’’

 

ଫାର୍ଶୀ ବିଚରାର ମୁହଁ ଫିକା ପଡ଼ିଯାଇଥିଲା । ସେ ପଚାରିଥିଲେ, ‘‘ତମ ପାଖରେ ମାନିଗଲେ ଯଥେଷ୍ଟ ନୁହେଁ କି ?’’

 

ମୁଁ ଧୀରେ ଜବାବ ଦେଇଥିଲି, ‘‘ତମେ ସରକାରଙ୍କ ପାଖରେ ଦୋଷୀ, ମୋ ପାଖରେ ମାନିଲେ କେମିତି ଚଳିବ ?’’

 

ପାର୍ସୀ ରୁସ୍ତମଜୀ କହିଥିଲେ, ‘‘ତମେ ଯେମିତି କହୁଛ ନିଶ୍ଚୟ ମୁଁ ସେମିତି କରିବି, କିନ୍ତୁ ଥରେ ତମେ ମୋର ପୁରୁଣା ଓକିଲ ମିଷ୍ଟର—ଙ୍କ ସହ ପରାମର୍ଶ କରିବ କି ? ସେ ମଧ୍ୟ ମୋର ଜଣେ ବନ୍ଧୁ ।’’

 

ଅନୁସନ୍ଧାନରେ ଜଣାଗଲା, ଏ ଚୋରୀ ବହୁତ ଦିନୁ ଚଳୁଥିଲା । ଧରା ଯାହା ପଡ଼ିଥିଲା, ତାହା ଅତି ସାମାନ୍ୟ । ଆମେ ତାଙ୍କ ଓକିଲଙ୍କ ପାଖକୁ ଯାଇଥିଲୁ । ସେ କାଗଜପତ୍ର ଦେଖିଲେ, ଏବଂ କହିଥିଲେ, ‘‘ମକଦ୍ଦମା ତ ଜୁରୀରେ ବିଚାର ହେବ । ନେଟାଲ ଜୁରୀ କ’ଣ ଭାରତବାସୀଙ୍କୁ ଖଲାସ ଦେବେ ? ତଥାପି ମୁଁ ନିରାଶ ହେଉ ନାହିଁ ।’’

 

ଏ ଓକିଲଙ୍କ ସଙ୍ଗେ ମୋର ଘନିଷ୍ଠ ପରିଚୟ ନ ଥିଲା । ପାର୍ସୀ ରୁସ୍ତମଜୀ ଜବାବ ଦେଇଥିଲେ, ‘‘ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି; ମାତ୍ର ଏ ମକଦ୍ଦମାରେ ମୁଁ ମିଷ୍ଟର ଗାନ୍ଧୀଙ୍କ ପରାମର୍ଶରେ ଚଳିବାକୁ ଚାହେଁ । ସେ ମତେ ବେଶୀ ଜାଣନ୍ତି । ଅବଶ୍ୟ ଆବଶ୍ୟକ ପଡ଼ୁଥିଲେ ଆପଣ ତାଙ୍କୁ ପରାମର୍ଶ ଦେଉଥିବେ ।’’ ସେଠୁ ଆମେ ପାର୍ସୀ ରୁସ୍ତମଜୀ ଦୋକାନକୁ ଯାଇଥିଲୁ ।

 

ମୁଁ ତାଙ୍କୁ ବୁଝେଇଥିଲି, ‘‘ଏ ମକଦ୍ଦମାକୁ ଆଦୌ କଚେରୀକୁ ଦେବା ଉଚିତ ନୁହେଁ । ତମ ନାଁରେ ମକଦ୍ଦମା କରିବା ବା ଛାଡ଼ିଦେବା ଶୁଳ୍କବିଭାଗର କର୍ମଚାରୀଙ୍କ ହାତରେ ଏବଂ ସେ ମଧ୍ୟ ସରକାରୀ ଓକିଲଙ୍କ ପରାମର୍ଶରେ ଚଳିବେ । ମୁଁ ଦୁହିଙ୍କ ସଙ୍ଗେ ଦେଖା କରିବାକୁ ପ୍ରସ୍ତୁତ । ମୋର ମତ, ସେମାନେ ଯାହା ଜୋରିମାନା ଦାବି କରିବେ, ତମେ ଦେଇଦେବ । ସମ୍ଭବତଃ ସୋମନେ ରାଜି ହୋଇଯିବେ । ମାତ୍ର ତାହା ଯଦି ନ ହୁଏ, ତମେ ଜେଲ ଯିବାକୁ ପ୍ରସ୍ତୁତ ଥିବ । ମୁଁ ତ ମନେକରେ, ଜେଲ୍‌ ଯିବାରେ ଯେତେ ଲଜ୍ଜା ନୁହେଁ, ବେଶି ଲଜ୍ଜା ଚୋରୀ କରିବାରେ । ଲଜ୍ଜାର କାମ ତ କରିସାରିଛ, ଜେଲ୍‌ଦଣ୍ଡଟାକୁ ପ୍ରାୟଶ୍ଚିତ୍ତ ପରି ମଣିବା ଦରକାର । ମାତ୍ର ଭବିଷ୍ୟତରେ ପୁଣି କେଭେ ଏ କାମ କରିବ ନାହିଁ, ଏହା ଯଦି ପ୍ରତିଜ୍ଞା କରିବ, ତେବେ ପ୍ରକୃତ ପ୍ରାୟଶ୍ଚିତ ହେବ ।

 

ଏ ସବୁ କଥା ପାର୍ସୀ ରୁସ୍ତମଜୀ ଠିକ୍‌ ଠିକ୍‌ ବୁଝି ପାରିଥିଲେ କି ନାହିଁ ମୁଁ କହି ପାରିବି ନାହିଁ । ସେ ବଡ଼ ସାହସୀ ଲୋକ ଥିଲେ । କିନ୍ତୁ ଏତେବେଳେ ସେ ଦବି ଯାଇଥାନ୍ତି । ତାଙ୍କର ଇଜ୍ଜତ୍‌ ପଦାରେ ପଡ଼ିବାର ସମୟ ଆସିଥିଲା ଏବଂ ସେ ଆପଣା ପରିଶ୍ରମରେ ଯେ ସଂସାର ଗଢ଼ି ଆସିଥିଲେ, ତାହା ଯଦି ଚୂନା ହୋଇଯାଏ ତ କ’ଣ ହେବ ?

 

ସେ କହିଥିଲେ, ‘‘ମୁଁ ତ ତମକୁ କହିଛି ଯେ, ମୋ ମୁଣ୍ଡ ତୁମକୁ ସମର୍ପି ଦେଇଛି । ତମେ ଯାହା ଖୁସି ତା’ କର ।’’

 

ଏ ମକଦ୍ଦମାରେ ଅନୁନୟ ବିନୟ କରିବାରେ ମୋର ସମସ୍ତ ଶକ୍ତି ମୁଁ ପ୍ରୟୋଗ କରିଥିଲି । ଶୁଳ୍କ ବିଭାଗର କର୍ମଚାରୀଙ୍କ ସଙ୍ଗେ ମୁଁ ଦେଖା କରିଥିଲି । ସବୁ ଚୋରୀ କଥା ମୁଁ ନିର୍ଭୟରେ କହିଥିଲି । ମୁଁ ପାର୍ସୀ ରୁସ୍ତମଜୀଙ୍କର ସମସ୍ତ ହିସାବ ଖାତାପତ୍ର ତାଙ୍କୁ ଦେଖାଇବାକୁ କହିଥିଲି ଏବଂ ପାର୍ସୀ ରୁସ୍ତମଜୀ ବର୍ତ୍ତମାନ କେତେଦୂର ଅନୁତପ୍ତ, ତାହା ମଧ୍ୟ ଜଣାଇଥିଲି । ଶୁଳ୍କ ବିଭାଗର କର୍ମଚାରୀ ମହାଶୟ କହିଥିଲେ, ମୁଁ ପୁରୁଣା ପାର୍ସୀକୁ ଭଲ ପାଏ । ସେ ତ ବେକୁବ୍‌ କାମ କରିଛି; ମୋର କର୍ତ୍ତବ୍ୟ କ’ଣ ଆପଣ ଜାଣନ୍ତି । ସରକାରୀ ଓକିଲ ଯାହା କହିବେ, ‘‘ମୁଁ ସେୟା କରିବି । ଅତଏବ ତାଙ୍କୁ ବୁଝାଇବାରେ ସବୁ ବୁଦ୍ଧି ଲଗାଉଥାଅ ।’’

 

ମୁଁ କହିଥିଲି, ‘‘ଆପଣ ଯଦି ତାଙ୍କୁ କଚେରୀକୁ ଘୋଷାଡ଼ିବାକୁ ଜିଦ୍‌ ନ କରନ୍ତି, ତାହାହେଲେ ମୁଁ ଧନ୍ୟବାଦ ଦେବି ।’’

 

ତାଙ୍କଠାରୁ ଏତକ ଅଭୟଦାନ ପାଇ ମୁଁ ସରକାରୀ ଓକିଲଙ୍କ ସଙ୍ଗେ ଚିଠିପତ୍ର ଲେଖାଲେଖି କରିଥିଲି । ମୁଁ ତାଙ୍କ ସଙ୍ଗରେ ଦେଖା କରିଥିଲି । ମୋର ଖୋଲାଖୋଲି କଥାରେ ସେ ଖୁସି ହୋଇଥିଲେ ଏବଂ ମୁଁ ଯେ କିଛି ଲୁଚାଉ ନାହିଁ, ତାହା ତାଙ୍କୁ ବିଶ୍ୱାସ କରେଇ ପାରିଥିଲି । ମୁଁ ଏବେ ଭୁଲି ଯାଇଛି, ଏହି ଘଟଣାରେ ବା ଅନ୍ୟ କୌଣସି ଘଟଣାରେ ସେ ମତେ ଏତକ ପ୍ରଶଂସା କରିଥିଲେ, ‘‘ମୁଁ ଦେଖୁଛି, ଆପଣ କେଭେ ହଁ ନ କୁହାଇ ଛାଡ଼ିବେ ନାହିଁ ।’’

 

ପାର୍ସୀ ରୁସ୍ତମଜୀଙ୍କ ବିରୁଦ୍ଧରେ ମକଦ୍ଦମା ଚଳି ନ ଥିଲା । ଯେତେ ଟଙ୍କା ସେ ଲୁଚେଇ ଫାଙ୍କି ଦେଇଥିଲେ, ତାର ଦ୍ୱିଗୁଣ ଟଙ୍କା ତାଙ୍କୁ ଜୋରାମନା ଦେବାକୁ ପଡ଼ିଥିଲା । ରୁସ୍ତମଜୀ ନିଜର ଏ ଚୋରୀ କାହାଣୀକୁ ଲେଖି ତାକୁ କାଚରେ ବନ୍ଧେଇଥିଲେ ଏବଂ ଅଫିସ ଘରେ ତାଙ୍କର ଉତ୍ତରାଧିକାରୀ ତଥା ସାଥୀବେପାରୀଙ୍କୁ ଚେତେଇ ଦେବା ପାଇଁ ଟାଙ୍ଗି ରଖିଥିଲେ । ତାଙ୍କର ବନ୍ଧୁମାନେ ମତେ ସାବଧାନ କରିଦେଇ କହିଥିଲେ, ‘‘ଏହା ସଚ୍ଚା ବୈରାଗ୍ୟ ନୁହେଁ, ଏହା ଶ୍ମଶାନ ବୈରାଗ୍ୟ ।’’ ମୁଁ ଏ ସତର୍କ ବାଣୀ କଥା ରୁସ୍ତମଜୀଙ୍କୁ କହିଥାଏ । ସେ କହୁଥିଲେ, ‘‘ତମକୁ ଠକିଲେ ମୋ ଦଶା କଣ ହେବ ?’’

 

 

 

 

 

 

 

 

 

 

 

 

ସତ୍ୟର ପ୍ରୟୋଗ ବା ଆତ୍ମ-କଥା

ପଞ୍ଚମ ଭାଗ

 

ପ୍ରଥମ ଅନୁଭୂତି

 

ଯେଉଁ ପଞ୍ଝାଟି ଫିନିକ୍‌ସରୁ ବାହାରିଥିଲେ, ସେମାନେ ମୋ ଆଗରୁ ଘରେ ପହଞ୍ଚି ସାରିଥିଲେ । ଆମ ବିଚାର ଅନୁସାରେ ସେମାନଙ୍କ ଆଗରୁ ମୋର ପହଞ୍ଚିବାର କଥା ଥିଲା; ମାତ୍ର ଇଂଲଣ୍ଡରେ ଯୁଦ୍ଧ ସମ୍ପର୍କରେ ଅଟକି ଯାଇଥିଲି ଏବଂ ଫିନିକ୍‌ସ ପଞ୍ଝାଙ୍କ ରହିବା ସ୍ଥାନ ଠିକ୍‌ କରିବା ମୋ ମୁଣ୍ଡ ଉପରେ ଆସି ପଡ଼ିଥିଲା । ମୋର ଇଚ୍ଛା ଥିଲା, ସମ୍ଭବ ହେବ ତ ସେମାନେ ଭାରତରେ ସମସ୍ତେ ଏକାଠି ରହିବେ ଓ ଯେମିତି ଫିନିକ୍‌ସରେ ଜୀବନ କଟାଉଥିଲେ, ସେମିତି ଜୀବନ କଟାଇବେ । କିନ୍ତୁ ଏମିତି କୌଣସି ଆଶ୍ରମ ପରିଚାଳକ ମତେ ଜଣା ନ ଥିଲେ—ଯାହାଙ୍କ ପାଖକୁ ଯିବାକୁ ତାଙ୍କୁ କହିଥାନ୍ତି, ସେଥିଯୋଗୁଁ ଆଣ୍ଡୃଜଙ୍କ ସଙ୍ଗେ ଦେଖା କରି ତାଙ୍କ ଉପଦେଶ ନେଇ କାର୍ଯ୍ୟ କରିବାକୁ ମୁଁ ଲେଖି ଦେଇଥିଲି ।

 

ସେମାନେ ପ୍ରଥମେ କାଙ୍ଗାଡ଼ୀ ଗୁରୁକୁଳଠାରେ ରହିଥିଲେ । ସେଠି ସ୍ୱର୍ଗୀୟ ସ୍ୱାମୀ ଶ୍ରଦ୍ଧାନନ୍ଦ ଆପଣା ପିଲାଙ୍କ ପରି ତାଙ୍କର ଯତ୍ନ ନେଉଥିଲେ । ତା’ପରେ ଶାନ୍ତିନିକେତନ ଯାଇ ସେଠା ଆଶ୍ରମରେ ରହିଥିଲେ । ସେଠାରେ ମଧ୍ୟ କବିବର ଓ ତାଙ୍କର ଲୋକେ ସେମିତି ସ୍ନେହ ଦେଖାଇଥିଲେ । ସେମାନେ ଏ ଦୁଇ ଜାଗାରେ ଯେଉଁ ଅନୁଭୂତି ଲାଭ କରିଥିଲେ, ତାହା ସେମାନଙ୍କର ଓ ମୋର ବହୁତ କାମରେ ଲାଗିଥିଲା ।

 

ମୁଁ ଆଣ୍ଡୃଜଙ୍କୁ ସବୁବେଳେ କହିଥାଏ ଯେ, କବି ରବୀନ୍ଦ୍ରନାଥ, ସ୍ୱର୍ଗୀୟ ସ୍ୱାମୀ ଶ୍ରଦ୍ଧାନନ୍ଦ ଓ ଅଧକ୍ଷ ସୁଶୀଳ ରୁଦ୍ର ଏ ତିନିହେଁ ଆଣ୍ଡୃଜଙ୍କର ‘ତ୍ରିନାଥ’ ଥିଲେ । ଦକ୍ଷିଣ ଆଫ୍ରିକାରେ ଆଣ୍ଡୃଜ ଏ ତିନିଙ୍କ କଥା କହି କହି ଟିକିଏ ହେଲେ ଥକି ପଡ଼ୁ ନ ଥିଲେ । ସେଠାକର ମଧୁର ସ୍ମୃତି ଭିତରୁ ଯାହା ମୋ ଆଖି ଆଗରେ ଉଠୁଛି, ତାହା ହେଉଛି ଏୟା ଯେ ଆଣ୍ଡୃଜଙ୍କ ତୁଣ୍ଡରେ ତଥା ମନରେ ଏହି ମହାପୁରୁଷଙ୍କ ନାମ ସବୁବେଳେ ରହିଥିଲା । ଆଣ୍ଡୃଜ ସାହେବ ଫିନିକ୍‌ସ ଦଳଙ୍କୁ ସୁଶୀଳ ରୁଦ୍ରଙ୍କ ପାଖରେ ବି ନେଇ ପହଞ୍ଚେଇ ଦେଇଥିଲେ । ରୁଦ୍ରଙ୍କର କୌଣସି ଆଶ୍ରମ ନ ଥିଲା, ଆପଣାର ଘର ଥିଲା । ସେହିଟିକୁ ସେ ମୋର କୁଟୁମ୍ବଙ୍କୁ ପୁରାପୂରି ଦଖଲ ଦେଇଥିଲେ ଏବଂ ପହଞ୍ଚିବାର ଦିନକ ଭିତରେ ରୂଦ୍ରଙ୍କ ପୁଅ ଝିଅମାନେ ଏମାନଙ୍କ ସଙ୍ଗେ ଏମିତି ମିଶିଯାଇଥିଲେ ଯେ, ଏମାନେ ଫିନିକ୍‌ସ କଥା ପାସୋରି ପକେଇଥିଲେ ।

 

ମୁଁ ବମ୍ବେ ବନ୍ଦରରେ ପହଞ୍ଚି ଜାଣିଲି ଯେ, ମୋର କୁଟୁମ୍ବ ଦଳଟି ଶାନ୍ତି ନିକେତନରେ ଅଛନ୍ତି । ସେଥିଯୋଗଁ ମୁଁ ଗୋଖଲେଙ୍କ ସଙ୍ଗରେ ଦେଖା କରିସାରି ସେଠାକୁ ଯିବାକୁ ଅଥୟ ହୋଇପଡ଼ିଥିଲି ।

 

ବମ୍ବେଠାରେ ମତେ ଯେଉଁ ଅଭ୍ୟର୍ଥନା କରା ହୋଇଥିଲା, ସେଥିରେ ମତେ ଗୋଟିଏ ଛୋଟିଆ ସତ୍ୟାଗ୍ରହ କରିବାକୁ ପଡ଼ିଥିଲା ।

 

ମତେ ସ୍ୱାଗତ କରିବାକୁ ଜାହାଙ୍ଗୀର ପେଟିଟଙ୍କ ଘରେ ଯେଉଁ ବୈଠକ ହୋଇଥିଲା, ସେଥିରେ ଗୁଜୁରାତୀରେ ଜବାବ ଦେବାକୁ ମୋର ସାହସ ପାଇ ନ ଥିଲା । ମୁଁ ତ ଜୀବନର ଭଲ ସମୟ ଟିକି କୁଲିଙ୍କ ଭିତରେ କଟେଇଥିଲି, ସେଥିଯୋଗୁଁ ଏ ରାଜପ୍ରାସାଦରେ ଓ ଆଖି ନ ଦେଖା ଜାକଜକମ ଭିତରେ ନିଜକୁ ନିତାନ୍ତ ମଫସଲିଆ ବୋଧ କରୁଥିଲି । ଅବଶ୍ୟ ମୋର କାଥିଆଓ୍ୟାଡ଼ୀ ପଗଡ଼ି ଓ ଧୋତିରେ ମୁଁ ଆଜି-କାଲିକାଠାରୁ ଅଧିକ ସଭ୍ୟ ଦିଶୁଥିଲି, କିନ୍ତୁ ସେଠା ସମାଜର ସାଜସଜା ଭିତରେ ମୁଁ ଅଲଗା ବାରିହୋଇ ପଡ଼ୁଥିଲି । ଯାହାହେଉ କୌଣସିମତେ ମୋ କାମ ସାରିଥିଲି ଏବଂ ଫିରୋଜସାହା ମେହେତାଙ୍କ ଆଶ୍ରୟ ନେଇଥିଲି ।

 

ତା’ପରେ ହୋଇଥିଲା ଗୋଟିଏ ଗୁଜୁରାତୀ ଅଭ୍ୟର୍ଥନା ଉତ୍ସବ । ଅଭ୍ୟର୍ଥନାରେ ବ୍ୟବସ୍ଥା ସ୍ୱର୍ଗୀୟ ଉତ୍ତମଲାଲ ତ୍ରିବେଦୀ କରିଥିଲେ । ସେଥିରେ ଯାହା ଯାହା ହେବାର ଥିଲା, ମୁଁ ଆଗରୁ ବୁଝି ନେଇଥିଲି । ଝୀଣା ମହୋଦୟ ଜଣେ ଗୁଜୁରାତୀ ଥିବାରୁ ସେଠାରେ ଉପସ୍ଥିତ ଥିଲେ । ମୋର ଠିକ୍‌ ମନେ ପଡ଼ୁ ନାହିଁ, ସେ ସଭାପତି ହୋଇଥିଲେ ବା ପ୍ରଧାନ ବକ୍ତା ହୋଇଥିଲେ । ସେ ଇଂରାଜୀରେ ଛୋଟିଆ ବକ୍ତୃତାଟିଏ ଦେଇଥିଲେ । ଯେତେଦୂର ମନେପଡ଼େ; ଅନ୍ୟାନ୍ୟ ବକ୍ତୃତା ଅଧିକାଂଶ ଇଂରାଜୀରେ ହୋଇଥିଲା । ମୋ ପାଳି ପଡ଼ିବାରୁ ମୁଁ ଜବାବ ଗୁଜୁରାତୀରେ ଦେଇଥିଲି । ମୁଁ ଗୁଜୁରାତୀ ଓ ହିନ୍ଦୁସ୍ଥାନୀ ପ୍ରତି ମୋର ପକ୍ଷପାତିତା ଅଳ୍ପ କଥାରେ ବୁଝାଇ ଦେଇଥିଲି ଏବଂ ଏଭଳି ଗୁଜୁରାତୀଙ୍କର ସଭାରେ ଇଂରାଜୀଭାଷାର ବ୍ୟବହାର ବିରୋଧରେ ମୋର ପ୍ରତିବାଦ ନମ୍ରଭାବରେ ଜଣାଇ ଦେଇଥିଲି । ଏହା କରିବାପାଇଁ ମୋ ମନରେ ସଂଙ୍କୋଚ ମଧ୍ୟ ହୋଇଥିଲା । ବହୁତଦିନ ବିଦେଶରେ ରହି ଘରକୁ ଲେଉଟିଥିବା ଜଣେ ଅନଭିଜ୍ଞ ଲୋକ ପକ୍ଷରେ ପ୍ରଚଳିତ ପ୍ରଥାର ପ୍ରତିବାଦ କରିବାଟା କାଳେ ନିତାନ୍ତ ଅଭଦ୍ରତା ହେବ, ଏହି ଡର ମୋ ମନରେ ଥିଲା; ମାତ୍ର ମୁଁ ଯେ ଜାଣିଶୁଣି ଗୁଜୁରାତୀରେ ଉତ୍ତର ଦେଇଥିଲି, ତାକୁ କେହି ଭୁଲ୍‌ବୁଝି ନ ଥିଲେ; ବରଂ ପ୍ରକୃତରେ ମୁଁ ଦେଖି ଖୁସି ହେଲି ଯେ, ସମସ୍ତେ ମୋ ପ୍ରତିବାଦକୁ ସହିଯାଇଥିଲେ ଏବଂ ମୋର ନୂଆ ନୂଆ ମତକୁ ଦେଶର ଲୋକଙ୍କ ଆଗରେ ଉପସ୍ଥିତ କରିବାରେ କଠିନ ହେବ ନାହିଁ, ଏତକ ସାର ମୁଁ ଏ ସଭାରୁ ବୁଝିଥିଲି ।

 

ଏମିତି ବମ୍ବେଠାରେ ଦିନେ ରହି ପ୍ରାରମ୍ଭିକ କିଛି ଲାଭକରି, ଗୋଖଲେଙ୍କ ହୁକୁମ୍‌ ପାଇଁ ମୁଁ ପୁନା ଯାଇଥିଲି ।

 

ପୁନାରେ ଗୋଖଲେଙ୍କ ସଙ୍ଗେ

 

ବମ୍ବେରେ ଗୋଡ଼ ଦେଲାକ୍ଷଣି ଗୋଖଲେଙ୍କଠାରୁ ଖବର ଆସିଲା, ଲାଟସାହେବ ତମ ସହିତ ଦେଖା କରିବାକୁ ଇଚ୍ଛା କରିଛନ୍ତି ଏବଂ ପୁନା ଆସିବା ପୂର୍ବରୁ ତାଙ୍କ ସଙ୍ଗେ ଦେଖା କରିବା ଉଚିତ । ସେହି ଅନୁସାରେ ମୁଁ ଲାଟସାହେବଙ୍କ ସହିତ ଦେଖା କରିଥିଲି । ମାମୁଲି ପଚରାପଚରି ପରେ ସେ କହିଥିଲେ—

 

‘‘ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଯେତେବେଳେ ଆପଣ ସରକାରଙ୍କ ସମ୍ପର୍କରେ କୌଣସି କାର୍ଯ୍ୟ କରିବାକୁ ଯିବେ, ସେତେବେଳେ ଆପଣ ମୋ ପାଖକୁ ଆସି ଥରେ ମୋ ସହିତ ଆଗ ଦେଖାକରିବେ ଓ ମତେ କହିବେ—ଏତିକି ମୁଁ ଚାହେଁ ।’’

 

ମୁଁ ଉତ୍ତର ଦେଇଥିଲି, ‘‘ମୁଁ ତ ଏତକ ଜବାବ ସହଜରେ ଦେଇପାରେ । କାରଣ ସତ୍ୟାଗ୍ରହୀସ୍ୱରୂପ ଏତକ ନିୟମ ମୁଁ ମାନେ ଯେ, ଯେଉଁ ଲୋକ ବିରୁଦ୍ଧରେ ପ୍ରତିକାର ଲୋଡ଼ିବ, ତାହାର ମତ ଭଲକରି ବୁଝିବା ଦରକାର ଏବଂ ଯେତେଦୂର ସମ୍ଭବ ତାହା ସହିତ ଏକମତ ହେବାକୁ ଚେଷ୍ଟା କରିବ । ଦକ୍ଷିଣ ଆଫ୍ରିକାରେ ମୁଁ ସୁବବେଳେ ଏହି ନିୟମ ପାଳୁଥିଲି ଏବଂ ଏଠି ମଧ୍ୟ ପାଳିବାର କଥା ।’’

 

ଲର୍ଡ ଉଇଲିଂଡନ୍‌ ମତେ ଧନ୍ୟବାଦ ଦେଇଥିଲେ ଏବଂ କହିଥିଲେ, ‘‘ଆପଣଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ମୋ ପାଖକୁ ଆସିପାରନ୍ତି ଏବଂ ଆପଣ ଦେଖିପାରିବେ ଯେ ଆମ ସରକାର ଜାଣି ଶୁଣି କୌଣସି ଅନ୍ୟାୟ କରିବାକୁ ଚାହାନ୍ତି ନାହିଁ ।’’

 

ଉତ୍ତରରେ ମୁଁ କହିଥିଲି, ‘‘ସେହି ବିଶ୍ୱାସ ତ ମତେ ବଞ୍ଚେଇ ରଖିଛି ।’’

 

ମୁଁ ପୁନା ଯାଇଥିଲି । ସେଠାକାର ସମସ୍ତ ସ୍ମୃତି ମନେ ପକାଇବା ମୋ ପକ୍ଷରେ ଅସମ୍ଭବ-। ପୁନାରେ ଗୋଖଲେ ଓ ଭାରତସେବକ ସମିତିର ସଭ୍ୟମାନେ ମତେ ସ୍ନେହରେ ବୁଡ଼େଇ ଦେଇଥିଲେ । ଯେତେଦୂର ମନେପଡ଼େ, ମୋହରି ସହିତ ଦେଖା କରିବାପାଇଁ ଗୋଖଲେ ସବୁ ସଭ୍ୟଙ୍କୁ ଡକେଇ ଆଣିଥିଲେ । ସମସ୍ତଙ୍କ ସଙ୍ଗେ ଅନେକ ବିଷୟରେ ବେଶ୍‌ ମନଖୋଲା କଥାବାର୍ତ୍ତା ହୋଇଥିଲା । ମତେ ଭାରତ-ସେବକ-ସମିତିର ସଭ୍ୟ କରେଇବାପାଇଁ ଗୋଖଲେ ଭାରି ବ୍ୟଗ୍ର ଥିଲେ । ମୁଁ ମଧ୍ୟ ବ୍ୟଗ୍ର ଥିଲି, ମାତ୍ର ସଭ୍ୟମାନେ ଅନ୍ୟଥା ଭାବିଥିଲେ । ତାଙ୍କୁ ଲାଗିଥିଲା ଯେ, ତାଙ୍କର ଓ ମୋର ଆଦର୍ଶ ଓ କର୍ମପ୍ରଣାଳୀରେ ବହୁତ ପ୍ରଭେଦ ରହିଛି । ସେଥିଯୋଗୁଁ ସମିତିରେ ଯୋଗଦେବା ମୋ ପକ୍ଷେ ଉଚିତ କି ନା ସେମାନଙ୍କର ସନ୍ଦେହ ଥିଲା । କିନ୍ତୁ ଗୋଖଲେଙ୍କର ବିଶ୍ୱାସ ଥିଲା ଯେ ମୋର ଆପଣା ଆଦର୍ଶ ବଜାୟ ରଖିବାକୁ ମୋର ଯେତିକି ଆଗ୍ରହ ଥାଏ, ଅନ୍ୟର ଆଦର୍ଶକୁ ସହିଯିବା ଓ ତାଙ୍କ ସଙ୍ଗେ ମିଳିମିଶି ଯିବାର ସ୍ୱଭାବ ସେତିକି ମୋର ଥାଏ ।

 

ସେ କହିଥିଲେ, ତମର ସବୁ କଥାକୁ ସହିଯିବା ମୋର ସଭ୍ୟମାନେ ଏ ପର୍ଯ୍ୟନ୍ତ ଜାଣି ନାହାନ୍ତି । ସେମାନେ ଆପଣା ଆଦର୍ଶ ଧରି ବସନ୍ତି ଏବଂ ସେମାନେ ସ୍ୱାଧୀନ ଓ ଦୃଢ଼ ବିଚାରର ଲୋକ । ମୋର ଆଶା ସେମାନେ ତମକୁ ଗ୍ରହଣ କରିବେ । ଯଦି ଗ୍ରହଣ ନ କରନ୍ତି, ତେବେ ତମେ କ୍ଷଣେ ସୁଦ୍ଧା ଭାବିବ ନାହିଁ ଯେ, ତମ ପ୍ରତି ସୋମନଙ୍କର ସ୍ନେହ ବା ସମ୍ମାନର ଅଭାବ । ତମ ପ୍ରତି ସୋମନଙ୍କର ଯେଉଁ ସ୍ନେହ ଅଛି, କାଳେ ସେଥିରେ ଆଞ୍ଚ ଲାଗିବ, ସେଥିପାଇଁ ସେମାନେ ଆଗ ପଛ ନ ବିଚାର କିଛି ହେଲେ କରିବାକୁ ଡରନ୍ତି । କିନ୍ତୁ ତମେ ନିୟମନୁଯାୟୀ ସଭ୍ୟ ହୁଅ ବା ନ ହୁଅ ମୁଁ ତମକୁ ସବୁବେଳେ ଜଣେ ସଭ୍ୟଭଳି ଦେଖୁଥିବି ।

 

ମୁଁ ମୋର ସବୁ ମନକଥା ଗୋଖଲେଙ୍କୁ ଜଣାଇଥିଲି । ସମାଜର ସଭ୍ୟ ହୁଏ ବା ନ ହୁଏ ଗୋଟିଏ ଆଶ୍ରମ କରିବା ମୋର ଇଚ୍ଛା ଥିଲା, ଯେଉଁଥିରେ ମୁଁ ମୋର ଫିନିକ୍‌ସ କୁଟୁମ୍ବଙ୍କ ସଙ୍ଗେ ରହନ୍ତି । ମୁଁ ଗୁଜୁରାତୀ ଥିବାରୁ ଗୁଜୁରାତର ସେବା କରିବାପାଇଁ ମୋର ସବୁଠୁଁ ବେଶୀ ଶକ୍ତି ଥିବ ବୋଲି ବିଚାରୁଥିଲି ଏବଂ ସେଥିପାଇଁ ଗୁଜୁରାତ ଭିତରେ କୌଣସି ଠାରେ ବସିଯିବାକୁ ମୋର ଇଚ୍ଛା ହେଲା । କଥାଟି ଗୋଖଲେଙ୍କ ମନକୁ ପାଇଥିଲା ଓ ସେ କହିଥିଲେ, ସେତକ କରିବା ତମର ଏକାନ୍ତ ଉଚିତ । ସଭ୍ୟମାନଙ୍କ ସଙ୍ଗରେ ଯେ କଥାବାର୍ତ୍ତା କରୁଛ, ତାହାର ଫଳ ଯାହା ହେଉ ପଛକେ, ଆଶ୍ରମର ସମସ୍ତ ଖର୍ଚ୍ଚ ତମେ ମୋ’ଠାରୁ ପାଇବ । ମୁଁ ସେ ଆଶ୍ରମକୁ ଆପଣାର ବୋଲି ମଣିବି ।’’

 

ମୋ ମନ ଆନନ୍ଦରେ ଉଛୁଳି ଉଠିଲା । ଏଣେ ଟଙ୍କା ଉଠାଇବା ଦାୟିତ୍ୱରୁ ମୁକ୍ତି ତେଣେ ବିପଦ ବେଳେ ଏକା ନିଜ ଉପରେ ନିର୍ଭର କରି ପ୍ରତ୍ୟେକ ଅଡ଼ୁଆରେ ଜଣେ ଦକ୍ଷ ପରିଚାଳକଙ୍କ ସାହାଯ୍ୟ ମିଳିବାର ସମ୍ଭାବନା, ଏ ଦୁଇଟି କଥା ମତେ ବିଶେଷ ଆନନ୍ଦ ଦେଇଥିଲା । ଏଥିରେ ମୋ ମୁଣ୍ଡରୁ ଗୁଡ଼ାଏ ବୋଝ ଖସିଯାଇଥିଲା ।

 

ସ୍ୱର୍ଗୀୟ ଡାକ୍ତର ଦେବଙ୍କୁ ଡକରା ପଡ଼ିଥିଲା ଏବଂ ସମିତି ଖାତାରେ ମୋ ନାଁରେ ହିସାବ ଖୋଲିବାକୁ ଓ ଆଶ୍ରମ ଖର୍ଚ୍ଚ ହେଉ ବା ସାଧାରଣ କାର୍ଯ୍ୟ ପାଇଁ ହେଉ, ଯେତେବେଳେ ଯାହା ଲୋଡ଼ା ତାହା ଦେବାପାଇଁ ତାଙ୍କୁ ହୁକୁମ ହୋଇଥିଲା ।

 

ମୁଁ ଶାନ୍ତିନିକେତନ ଯିବାପାଇଁ ପ୍ରସ୍ତୁତ ହେଲି । ଯିବା ଆଗଦିନ ମୋ ସଙ୍ଗେ ଭଲ ଭାବ ଥିବା କେତେକ ବଛା ବଛା ବନ୍ଧୁଙ୍କୁ ଡକାଇ ଗୋଟିଏ ବୈଠକର ଆୟୋଜନ କରିଥିଲି । ଫଳ ପ୍ରଭୃତି ଯେଉଁ ଜଳଖିଆ ମୁଁ ଭଲ ପାଏଁ, କେବଳ ସେହି ସବୁ ବରାଦ ହୋଇଥିଲା । ଗୋଖଲେଙ୍କ ଶୋଇବା ଘରର ଅଳ୍ପ କେତେ ପାଦ ଦୂରରେ ଏ ବୈଠକ ବସିଥିଲା, ତେବେ ସୁଦ୍ଧା ଘର ଦୁଆର ଡେଇଁ ବୈଠକରେ ଆସି ବସିବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା । ଶେଷକୁ ମୋ ପ୍ରତି ତାଙ୍କ ସ୍ନେହ ବଳେଇପଡ଼ିଥିଲା ଏବଂ ଜିଦ୍‌କରି ସେ ଭୋଜି ସ୍ଥାନକୁ ଆସିଥିଲେ; କିନ୍ତୁ ଆସିଲେ ସିନା, ସେ ମୂର୍ଚ୍ଛା ଯାଇଥିଲେ । ତାଙ୍କୁ ଉଠେଇ ନେଇ ଯିବାକୁ ହୋଇଥିଲା । ମୂର୍ଚ୍ଛା ଯିବାଟା ତାଙ୍କର ନୂଆ ନ ଥିଲା ଏବଂ ତାଙ୍କର ହୋସ ହେବା ସଙ୍ଗେ ସଙ୍ଗେ ସେ କହିପଠେଇଥିଲେ ଯେ ବୈଠକ କାମ ଯେମିତି ପୂରା କରି ଦିଆଯାଏ ।

 

ସେବକ ସମାଜର ଅତିଥିଶାଳା ଆଗରେ ଯେତକ ଖୋଲାଜାଗା ଥିଲା, ସେଥିରେ ଗାଲିଚା ପାରି ବନ୍ଧୁ ସମ୍ମିଳନୀ ବସିଥିଲା । ସମସ୍ତେ ଚିନାବାଦାମ, ଖେଜୁର ପ୍ରଭୃତି ଫଳ ଜଳଖିଆ କରୁ କରୁ ପରସ୍ପର ସଙ୍ଗେ ସ୍ନେହାଳାପ ଓ ମନଖୋଲା କଥାବାର୍ତ୍ତା କରିଥିଲେ ।

 

କିନ୍ତୁ ଏ ମୂର୍ଚ୍ଛା ଯିବାଟା ମୋ ଜୀବନରେ ସାଧାରଣ ଅନୁଭୂତି ହୋଇ ରହି ନ ଥିଲା ।

 

Unknown

ଏଟା କ’ଣ ଧମକ ?

 

ମୋର ବିଧବା ଭାଉଜ ଓ ଅନ୍ୟ ବନ୍ଧୁବାନ୍ଧବଙ୍କ ସଙ୍ଗେ ଦେଖା କରିବାପାଇଁ ମୁଁ ବମ୍ବେଠାରୁ ରାଜକୋଟ ତଥା ପୋରବନ୍ଦର ଯାଇଥିଲି ।

 

ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ଲଢ଼େଇବେଳେ ଗିରିମିଟିଆ ମଜଦୁରଙ୍କ ସଙ୍ଗେ ଯଥାସମ୍ଭବ ମିଶିଯିବାପାଇଁ, ଆପଣା ପୋଷାକ ବଦଳାଇ ଦେଇଥିଲି । ଇଂଲଣ୍ଡରେ ଘର ଭିତରେ ସେହି ପୋଷାକ ପିନ୍ଧୁଥିଲି । ବମ୍ବେରେ ଓହ୍ଲାଇବା ପରେ ମୁଁ ସାରେ କାଥିଆଓ୍ୟାଡ଼ୀ ପୋଷାକ ପିନ୍ଧୁଥିଲି । ଦକ୍ଷିଣ ଆଫ୍ରିକାରୁ ମୋ ସଙ୍ଗେ ସେ ପୋଷାକ ରଖିଥିଲି । ତେଣୁ ତାକୁ ପିନ୍ଧି ବମ୍ବେଠାରେ ଓହ୍ଲେଇଥିଲି । ସେ ସାରଟିରେ କୁର୍ତ୍ତା, ଧୋତି, କୋଟ ଓ ଗୋଟାଏ ଧଳା ପଗଡ଼ି—ଏତକ ଥାଏ । ସବୁଯାକ ଭାରତୀୟ କଳ ତିଆରି । ବମ୍ବେଠାରୁ ରେଲର ତ ତୃତୀୟ ଶ୍ରେଣୀ ଡବାରେ ଯିବାର ଥିଲା, ସେଥିଯୋଗୁଁ ପଗଡ଼ି ଓ କୋଟ, ଏ ଦୁଇଟା ମତେ ଅଯଥା ବୋଝ ଜଣାପଡ଼ିଲା । ତେଣୁ କେବଳ କୁର୍ତ୍ତା, ଧୋତି ଓ ଆଠ ଦଶଅଣାର ଏକ କାଶ୍ମିରୀ ଟୋପି ରଖିଥିଲି । ଏମିତି ପୋଷାକ ପିନ୍ଧିବାବାଲା ଗରିବ ଲୋକଙ୍କ ଭିତରେ ମିଶିଯାନ୍ତି ।

 

ସେ ସମୟରେ ଓ୍ୱିରମଗାଓଁ ବା ଓ୍ୱଢ଼ଓ୍ୱାଣଠାରେ ପ୍ଲେଗ ଲାଗିଥିବାରୁ ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କୁ ଡାକ୍ତରମାଇନା କରାଯାଉଥିଲା । ମତେ ଟିକିଏ ଜର ହୋଇଥିଲା । ଇନସ୍ପେକ୍ଟର ଯେତେବେଳେ ଦେଖିଲେ ଯେ, ମୋ ଦେହରେ ତାତି ଅଛି, ମୋ ନାଁ ଲେଖି ନେଇଥିଲେ ଏବଂ ରାଜକୋଟରେ ଡାକ୍ତରଙ୍କୁ ଦେଖା କରିବାକୁ ମୋତେ ହୁକୁମ ଦେଇଥିଲେ ।

 

ବମ୍ବେରୁ କେହି ହୁଏତ ତାର କରି ଦେଇଥିଲେ, ତେଣୁ ଓ୍ୱଢ଼ଓ୍ୱାଣ ଷ୍ଟେସନରେ ଖ୍ୟାତନାମା ଦେଶସେବକ ଦରଜୀ ମୋତିଲାଲ ମୋ ସହିତ ଦେଖା କରିବାକୁ ଆସିଥିଲେ । ଓ୍ୱିରମଗାଓଁ ଶୁଳ୍କ ଯୋଗୁଁ ରେଲଯାତ୍ରୀମାନେ କି କଷ୍ଟ ଭୋଗୁଛନ୍ତି, ସେ ସବୁ କଥା ମୋତେ କହିଥିଲେ । ଜର ଯୋଗୁଁ ବେଶୀ ଗପିବାକୁ ମୋର ଇଚ୍ଛା ନ ଥିଲା—ଚୁମ୍ବକରେ ନିମ୍ନଲିଖିତ ପ୍ରଶ୍ନଟି ପଚାରିଥିଲି—‘‘ତମ କ’ଣ ଜେଲ ଯିବାକୁ ପ୍ରସ୍ତୁତ ?’’

 

ନ ବୁଝି ନ ବିଚାରି କଥାଗୁଡ଼ାଏ ଯେ କହିପକାନ୍ତି, ମୋତିଲାଲ ଯୁବକଟିଏ ବୋଲି ମୁଁ ଭାବୁଥିଲି । ମାତ୍ର ସେ ବେଶ୍‌ ଧୀରସ୍ଥିର ଭାବରେ ଦୃଢ଼ ବିଚାରର ସହିତ ଜବାବ ଦେଇଥିଲେ, ‘‘ଆମେ ନିଶ୍ଚୟ ଜେଲକୁ ଯିବୁ; କିନ୍ତୁ ଆପଣ ଆମର ନେତା ହେବେ । ଆପଣ କାଥିଆଓ୍ୟାଡ଼ୀ, ସେଥିଯୋଗୁଁ ଆପଣଙ୍କ ଉପରେ ଆମର ଦାବି ଆଗ । ଅବଶ୍ୟ ଆମେ ଆପଣଙ୍କୁ ବର୍ତ୍ତମାନ ଅଟକାଇବାକୁ ଚାହୁଁ ନାହୁଁ । କିନ୍ତୁ ଫେରିଲାବେଳକୁ ଆପଣଙ୍କୁ ଏଠି ରହିବାକୁ ପଡ଼ିବ । ଆମ ଯୁବକମାନଙ୍କ ଉତ୍ସାହ ଓ କାମ ଦେଖିଲେ ଖୁସି ହୋଇଯିବେ । ଆପଣ ବିଶ୍ୱାସ କରନ୍ତୁ, ଆପଣ ଡାକିବା ମାତ୍ରେ ଆମେ ସେନାରେ ଭର୍ତ୍ତି ହୋଇଯିବୁ ।’’

 

ଏତିକିରେ ମୋତିଲାଲ ମୋତେ ମୁଗଧ୍‌କରି ଦେଇଥିଲେ । ତାଙ୍କର ଅନ୍ୟ ସାଥୀମାନେ ତାଙ୍କର ପ୍ରଶଂସା କରି କହିଥିଲେ, ‘‘ଆମ ବନ୍ଧୁଟି ଜଣେ ଦରଜୀ । ଆପଣା ବ୍ୟବସାୟରେ ପଟୁ । ସେ ସହଜରେ ମାସକୁ ପନ୍ଦର ଟଙ୍କା କମାନ୍ତି । ମାସକୁ ତାଙ୍କର ସେତିକି ଲୋଡ଼ା । ସେ ଦିନରେ ଘଣ୍ଟାଟିଏ ଆପଣା ବ୍ୟବସାୟ କରନ୍ତି ଓ ବାକି ସମୟତକ ସାଧାରଣ କାମରେ ଲଗାନ୍ତି । ସେ ଆମ ପାଠୁଆଙ୍କର ନେତା, ତାଙ୍କ ଆଗରେ ଆମକୁ ଲାଜମାଡ଼େ ।’’

 

ମୁଁ ପରେ ମୋତିଲାଲଙ୍କ ସଙ୍ଗେ ଅଧିକ ଘନିଷ୍ଠ ସମ୍ପର୍କରେ ଆସିଥିଲି ଏବଂ ବୁଝି ପାରିଥିଲି ଯେ, ଉପରୋକ୍ତ ପ୍ରଶଂସା ଟିକିଏ ହେଲେ ଅତ୍ୟୁକ୍ତି ନ ଥିଲା । ସତ୍ୟାଗ୍ରହାଶ୍ରମ ଗଢ଼ାହେବା ପରେ ସେ ନିୟମ କରି ମାସକେ କିଛିଦିନ ଆମ ନୂଆ ଆଶ୍ରମରେ କଟାଉଥିଲେ । ପିଲାଙ୍କୁ ଦରଜୀ କାମ ଶିଖାଉଥିଲେ ଓ ଆଶ୍ରମର ସିଲେଇ କାମ କିଛି କରିଦେଇ ଯାଉଥିଲେ । ସେ ମୋ ଆଗରେ ନିତି ଓ୍ୱିରମଗାଓଁ କଥା କହନ୍ତି; ରେଲ ଯାତ୍ରୀଙ୍କ ଦୁଃଖ କଷ୍ଟ କଥା ନିତି ମୋତେ ଶୁଣାନ୍ତି । ତାହା ତାଙ୍କୁ ନିତାନ୍ତ ଅସହ୍ୟ ହେଉଥିଲା । ସେ ହଠାତ୍‌ ଗୋଟିଏ ରୋଗରେ ଭରା ଯୌବନରେ ମରିଯାଇଥିଲେ ଏବଂ ତାଙ୍କ ବିନା ଓ୍ୟାଡ଼୍‌ଓ୍ୟାଣ ଶୂନ୍ୟ ଲାଗିଥିଲା ।

 

ରାଜକୋଟରେ ପହଞ୍ଚି ପରଦିନ ଡାକ୍ତରଙ୍କ ପାଖେ ହାଜିରା ଦେଇଥିଲି । ମୁଁ ସେଠି ଅଜଣା ନ ଥିଲି, ଡାକ୍ତରଙ୍କୁ ଲାଜ ମାଡ଼ିଥିଲା । ସେ ଇନସ୍ପେକ୍ଟରଙ୍କ ଉପରେ ଭାରି ରାଗିଗଲେ । ରାଗିବାଟା ତାଙ୍କର ଉଚିତ ନ ଥିଲା, କାରଣ ଇନସ୍ପେକ୍ଟରଟି କେବଳ ତାଙ୍କର କର୍ତ୍ତବ୍ୟ କରି ଯାଇଥିଲେ । ସେ ତ ମତେ ଜାଣି ନ ଥିଲେ, ଜାଣିଥିଲେ ପାଖକୁ ସୁଦ୍ଧା ଅନ୍ୟଥା କରିବା ତାଙ୍କର ଉଚିତ ନ ଥିଲା । ଡାକ୍ତର ଆଉ ଇନସ୍ପେକ୍ଟରଙ୍କ ପାଖକୁ ଯିବାକୁ ମତେ ଛାଡ଼ି ନ ଥିଲେ । ବରଂ ଓଲଟା ମୋ ପାଖକୁ ଜଣେ ଇନସ୍ପେକ୍ଟର ପଠାଇ ଦେଇଥିଲେ ।

 

ଏଭଳି ସମୟରେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କର ଡାକ୍ତରମାଇନା ଦରକାର । ବଡ଼ ବଡ଼ ଲୋକେ ଯଦି ତୃତୀୟ ଶ୍ରେଣୀରେ ଯିବାକୁ ରାଜି ହୁଅନ୍ତି, ତେବେ ଗରିବ ଲୋକଙ୍କ ଯେ ସବୁ ଆଇନ୍‌କାନୁନ୍‌ ମାନିବାକୁ ପଡ଼େ, ସେ ସବୁ ସ୍ୱେଚ୍ଛାରେ ମାନିଯିବା ବଡ଼ଲୋକଙ୍କର ଉଚିତ । ରେଲ କର୍ମଚାରୀମାନଙ୍କର ମଧ୍ୟ ନିରପେକ୍ଷ ହେବା ଉଚିତ । ମୋର ଅନୁଭୂତି, ରେଲ କର୍ମଚାରୀମାନେ ତୃତୀୟ ଶ୍ରେଣୀ ଯାତ୍ରୀଙ୍କୁ ମଣିଷ ବିଚାରନ୍ତି ନାହିଁ ବରଂ ପଶୁପରି ଦେଖନ୍ତି । ‘ତୁ ତା’ ଛଡ଼ା କଥା କହନ୍ତି ନାହିଁ । ତୃତୀୟଶ୍ରେଣୀ ଯାତ୍ରୀଙ୍କଠୁ ଟିକିଏ ଜବାବ ବା ଯୁକ୍ତି ଶୁଣିଲେ ସହିପାରନ୍ତି ନାହିଁ । ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କୁ କର୍ମଚାରୀଙ୍କ ହୁକୁମକୁ ଚାକରଭଳି ମାନିବାକୁ ପଡ଼େ । କର୍ମଚାରୀ ଯାତ୍ରୀଙ୍କୁ ମାରନ୍ତି, ତାଙ୍କୁ ଲୁଟ କରନ୍ତି ଏବଂ ଗାଡ଼ି ଫେଲ୍‌ କରେଇ ଦିଅନ୍ତି, ଟିକେଟ ଖଣ୍ଡେ ଦେବାରେ ହରବର କରନ୍ତି । ମୁଁ ସବୁ ନିଜେ ଅନୁଭବ କରିଛି । ଯଦି କେତେକ ଶିକ୍ଷକ ଓ ଧନୀଲୋକ ସ୍ୱେଚ୍ଛାରେ ଗରିବଙ୍କ ଅବସ୍ଥାକୁ ବରଣ କରିନେଇ ତୃତୀୟ ଶ୍ରେଣୀରେ ଯିବା ଆସିବା କରିବେ, ଗରିବଙ୍କୁ ଯେ ସବୁ ସୁବିଧା ମିଳେ ନାହିଁ ସେ ସବୁ ନେବାକୁ ମନ କରିବେ ଏବଂ ଅସୁବିଧା, ଅଭଦ୍ରତା, ଅନ୍ୟାୟ ତଥା ବୀଭତ୍ସତାକୁ ସହି ନ ଯାଇ ତା’ର ବିରୋଧ କରିବେ ଓ ନ୍ୟାୟ ପାଇବାକୁ ଚେଷ୍ଟା କରିବେ, ତେବେ ଯାଇ ଏ ଦିଗରେ ସଂସ୍କାର ସମ୍ଭବ ହୋଇପାରେ ।

 

ମୁଁ କାଥିଆୱ୍ୟାଡ଼ରେ ଯେଉଁଠିକି ଗଲି, ସେଠି ଏ ଓ୍ୱିରମଗାଓଁ ଶୁଳ୍କ ସମ୍ବନ୍ଧରେ ଆପତ୍ତି ଶୁଣିଲି । ଲର୍ଡ଼ ଇଉଲିଂଡନ ମତେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ଏହି ସୁଯୋଗରେ କାମରେ ଲଗାଇବାକୁ ସ୍ଥିର କରିଥିଲି । ଏ ସମ୍ବନ୍ଧରେ ଯେତେସବୁ ଲେଖାଲେଖି ବାହାରିଥିଲା, ମୁଁ ସେ ସବୁ ଏକାଠି କରି ପଢ଼ିଥିଲି ଏବଂ ଅଭିଯୋଗରେ ଯଥେଷ୍ଟ ସତ୍ୟ ଦେଖିପାରିଲି । ମୁଁ ବମ୍ବେ ସରକାରଙ୍କ ସଙ୍ଗେ ଚିଠି ଲେଖାଲେଖି ଆରମ୍ଭ କରିଥିଲି । ମୁଁ ଲର୍ଡ ଉଇଲିଂଡନ୍‌ଙ୍କ ଘରୋଇ ସେକ୍ରେଟାରୀଙ୍କ ସଙ୍ଗେ ଦେଖା କରିଥିଲି । ଲାଟସାହେବ ସହାନୁଭୂତି ଦେଖାଇଥିଲେ, ମାତ୍ର ସବୁ ଦୋଷ ଦିଲ୍ଲୀର ଭାରତ ସରକାରଙ୍କ ଉପରେ ପକାଇ ଦେଇଥିଲେ । ତାଙ୍କ ସେକ୍ରେଟେରୀ କହିଥିଲେ, ‘‘ଆମ ହାତରେ ଥିଲେ ତ ଆମେ କେତେଦିନୁ ସେଟାକୁ ଉଠାଇ ଦିଅନ୍ତୁଣି । ତମେ ଭାରତ ସରକାରଙ୍କ ପାଖକୁ ଯାଅ ।’’

 

ମୁଁ ଭାରତ ସରକାରଙ୍କୁ ଚିଠି ଲେଖିଥିଲି; ମାତ୍ର ଚିଠିର ପ୍ରାପ୍ତିସ୍ୱୀକାର ପତ୍ର ଛଡ଼ା ଅନ୍ୟ କୌଣସି ଜବାବ ପାଇ ନ ଥିଲି । ପରେ ଯେତେବେଳେ ଲର୍ଡ଼ ଚେମସଫୋର୍ଡଙ୍କ ଦେଖା ମିଳିବାର ସୁବିଧା ଘଟିଥିଲା, ଯେତେବେଳେ ଯାଇଁ ପ୍ରାୟ ଦୁଇ ବର୍ଷ ଚିଠି ଲେଖାଲେଖି ପରେ ଏହାର ପ୍ରତିକାର ହୋଇଥିଲା । ତାଙ୍କ ଆଗରେ ସବୁ କଥା କହିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ସେ ସବୁ ବିଷୟ ତାଙ୍କୁ କିଛି ଜଣା ନ ଥିଲା । ସେ ମୋ କଥାକୁ ଧୀରସ୍ଥିର ହୋଇ ଶୁଣିଥିଲେ ଓ ସଙ୍ଗେ ସଙ୍ଗେ ଓ୍ୱିରମଗାଓଁ ସମ୍ବନ୍ଧୀୟ କାଗଜପତ୍ର ଟେଲିଫୋନରେ ମଗେଇ ପଠାଇଥିଲେ । ସ୍ଥାନୀୟ କର୍ତ୍ତାମାନଙ୍କର ଓଜର ଆପତ୍ତି କିଛି ନ ଥିଲେ ସେ ଅସୁବିଧାକୁ ଉଠାଇ ଦେବେ ବୋଲି ଜବାବ ଦେଇଥିଲେ । ଲାଟଙ୍କ ସଙ୍ଗେ ଦେଖା ହେବାର ଅଳ୍ପଦିନ ମଧ୍ୟରେ ମୁଁ କାଗଜରେ ପଢ଼ିଲି ଯେ, ଓ୍ୱିରମଗାଓଁ ଶୁଳ୍କ ନିୟମ ରଦ୍ଦ କରାଯାଇଅଛି । ମୁଁ ଏ ବିଷୟଟିକୁ ଭାରତର ସତ୍ୟାଗ୍ରହର ଆରମ୍ଭ ବୋଲି ମଣିଥିଲି, କାରଣ ବମ୍ବେ ଲାଟଙ୍କ ସେକ୍ରେଟେରୀଙ୍କ ସଙ୍ଗେ ଦେଖା କଲାବେଳେ ବଗସରାଠାରେ ମୋର ବକ୍ତୁତାର ସତ୍ୟାଗ୍ରହ ବିଷୟ କହିଥିବା କଥା ରିପୋର୍ଟ ପାଇ ସେ ଟିକିଏ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ପଚାରିଲେ, ‘‘ଏହା କ’ଣ ଧମକ ନୁହେଁ ? ଆପଣ କ’ଣ ଭାବୁଛନ୍ତି ଯେ, ଗୋଟିଏ ଶକ୍ତିଶାଳୀ ସରକାର ଏପରି ଧମକରେ ନଇଁପଡ଼ିବ ?’’

 

ମୁଁ ଜବାବ ଦେଇଥିଲି, ‘‘ଏହା ଆଦୌ ଧମକ ନୁହେଁ । ଏହାଦ୍ୱାରା ଲୋକଙ୍କୁ ଶିକ୍ଷା ଦିଆ ଯାଉଛି । ଲୋକଙ୍କର ଦୁଃଖର ପ୍ରତିକାର ପାଇଁ ସମସ୍ତ ବାସ୍ତବ ଉପାସ ତାଙ୍କୁ ଜଣାଇ ଦେବା ମୋଭଳି ଲୋକଙ୍କର କର୍ତ୍ତବ୍ୟ । ଯେଉଁ ଜାତି ସ୍ୱାଧୀନତା ଚାହେଁ, ତାହା ପାଖରେ ନିଜର ରକ୍ଷା ପାଇଁ ଚରମ ଉପାୟ ଥିବା ଦରକାର । ସାଧାରଣତଃ ଏ ସବୁ ଉପାୟ ହିଂସାଯୁକ୍ତ ହୋଇଥାଏ । ମାତ୍ର ସତ୍ୟାଗ୍ରହଟା ସଂପୂର୍ଣ୍ଣରୂପେ ଅହିଂସାର ପଥ । ଏହାର ପ୍ରୟୋଗ ଓ ସୀମା ବୁଝାଇଦେବା ମୋର କର୍ତ୍ତବ୍ୟ ବୋଲି ମୁଁ ମନେ କରେ । ବ୍ରିଟିଶ୍ ସରକାର ଗୋଟିଏ ଶକ୍ତିଶାଳୀ ସରକାର—ସେଥିରେ ସନ୍ଦେହ ନାହିଁ; କିନ୍ତୁ ଏଣେ ସତ୍ୟାଗ୍ରହ ଯେ ସବୁରି ଉପରେ ବଡ଼ ଅସ୍ତ୍ର, ସେଥିରେ ମଧ୍ୟ ମୋର ସନ୍ଦେହ ନାହିଁ ।’’

 

ଚତୁର ସେକ୍ରେଟାରୀ ମହୋଦୟ ବିଶ୍ୱାସ ନ କଲାଭଳି ମୁଣ୍ଡଟି ହଲାଇ କହିଥିଲେ, ‘‘ହଉ, ଦେଖିବା ।’’

 

‘ଶାନ୍ତିନିକେତନ’

 

ମୁଁ ରାଜକୋଟରୁ ଶାନ୍ତିନିକେତନ ଯାଇଥିଲି । ସେଠାକାର ଶିକ୍ଷକ ଓ ଶିକ୍ଷାର୍ଥୀମାନେ ମତେ ସ୍ନେହରେ ବୁଡ଼ାଇ ଦେଇଥିଲେ । ସେମାନେ ଯେଉଁ ଅଭ୍ୟର୍ଥନା ଦେଇଥିଲେ, ତାହା ସରଳତା, ସ୍ନେହ ଓ କୁଶଳତାର ମନୋହର ସମିଶ୍ରଣ ହୋଇଥିଲା । କାକାସାହେବ କାଲେଲ୍‌କାରଙ୍କ ସଙ୍ଗେ ଏହିଠାରେ ମୋର ପରିଚୟ ହୋଇଥିଲା ।

 

ମୁଁ ସେତେବେଳକୁ ଜାଣି ନ ଥିଲି, କାଲେଲ୍‌କାରଙ୍କୁ କାହିଁକି କାକାସାହେବ ବୋଲି ଡାକୁଥିଲେ । ମୁଁ ପରେ ଜାଣିପାରିଥିଲି ଯେ, ଶ୍ରୀଯୁକ୍ତ କେଶବରାଓ ଦେଶପାଣ୍ଡେ, ଯେ ମୋ ସମୟରେ ବିଲାତରେ ଥିଲେ ଏବଂ ଯାହାଙ୍କ ସଙ୍ଗେ ମୋର ଭଲ ପରିଚୟ ଥିଲା, ସେ ବରୋଦା ରାଜ୍ୟରେ ଗଙ୍ଗାନାଥ ବିଦ୍ୟାଳୟ ନାମରେ ଗୋଟିଏ ସ୍କୁଲ ଚଳାଉଥିଲେ । ତାଙ୍କର ନାନାପ୍ରକାର ଭାବନାରୁ ଏ ଏକ ଥିଲା ଯେ, ବିଦ୍ୟାଳୟରେ ଗୋଟିଏ ପାରିବାରିକ ହାଓ୍ୟା ସୃଷ୍ଟି କରିବା ଉଚିତ । ସେଥିଯୋଗୁଁ ଅନେକ ଶିକ୍ଷକଙ୍କୁ ଘରୋଇ ନାଁ ସବୁ ଦିଆ ହୋଇଥିଲା । କାଲେଲ୍‌କାର ସେଠାରେ ଶିକ୍ଷକ ଥିଲେ; ତାଙ୍କୁ କାକା ଡାକୁଥିଲେ; ଫାଡ୍‌କେଙ୍କୁ ମାମା ଓ ହରିହର ଶର୍ମାଙ୍କୁ ଆନା ଡାକୁଥିଲେ । ଅନ୍ୟମାନଙ୍କୁ ମଧ୍ୟ ସେମିତି ନାଁ ଦିଆହୋଇଥିଲା । ସ୍ୱାମୀ ଆନନ୍ଦାନନ୍ଦ କାକାଙ୍କ ବନ୍ଧୁଭଳି ଓ ଅପ୍‌ପା ପଟ୍ଟବର୍ଦ୍ଧନ ମାମାଙ୍କ ବନ୍ଧୁ ସ୍ୱରୂପ ଏହି ପରିବାରରେ ଯୋଗ ଦେଇଥିଲେ । ଏହି କୁଟୁମ୍ବର ଉପରୋକ୍ତ ପାଞ୍ଚଜଣ ପରେ ଗୋଟି ଗୋଟି ହୋଇ ମୋର ସହକର୍ମୀ ହୋଇଥିଲେ । ଶ୍ରୀଯୁକ୍ତ ଦେଶପାଣ୍ଡେଙ୍କୁ ‘ସାହେବ’ ବୋଲି ଡାକୁଥିଲେ । ବିଦ୍ୟାଳୟଟି ଭାଙ୍ଗିଯିବାରୁ ଏ ପରିବାରଟି ଖେଳେଇ ହୋଇ ଯାଇଥିଲା; କିନ୍ତୁ ଏମାନେ ନିଜର ଏ ନାଁ ବା ପରସ୍ପର ସହିତ ଆଧ୍ୟାତ୍ମିକ ସମ୍ପର୍କ କେବେହେଁ ଛାଡ଼ି ନ ଥିଲେ ।

 

କାକାସାହେବ ନାନାପ୍ରକାର ଅଭିଜ୍ଞତା ସଂଗ୍ରହ କରି ବୁଲିଥିଲେ । ମୁଁ ଶାନ୍ତି ନିକେତନ ଗଲାବେଳକୁ କାକାସାହେବ ସେଠି ଥିଲେ । ସେହି ପରିବାରର ଆଉ ଜଣେ—ଶ୍ରୀ ଚିନ୍ତାମଣି ଶାସ୍ତ୍ରୀ ମଧ୍ୟ ସେହିଠାରେ ଥିଲେ । ଉଭୟ ସଂସ୍କୃତ ପଢ଼ାଇବାରେ ସାହାଯ୍ୟ କରୁଥିଲେ ।

 

ଶାନ୍ତିନିକେତନରେ ଫିନିକ୍‌ସ ଦଳଙ୍କୁ ରହିବାପାଇଁ ସ୍ୱତନ୍ତ୍ର ଘର ଦିଆ ହୋଇଥିଲା । ମଗନଲାଲ ଗାନ୍ଧୀ ତାଙ୍କର କର୍ତ୍ତା ଥିଲେ ଏବଂ ଫିନିକ୍‌ସ ଆଶ୍ରମର ସବୁ ନିୟମ ଠିକ୍ ଠିକ୍ ପାଳିବା ପ୍ରତି ଖୁବ ଦୃଷ୍ଟି ଦେଉଥିଲେ । ମୁଁ ଦେଖିଲି ଯେ, ମଗନଲାଲ ତାଙ୍କର ସ୍ନେହ, ଜ୍ଞାନ ଓ ଅଧ୍ୟବସାୟ ଦ୍ୱାରା ନିଜର ସୁବାସ ଚହଟେଇ ଦେଇଥିଲେ ।

 

ଆଣ୍ଡୃଜ ଓ ପିଅର୍‌ସନ ମଧ୍ୟ ସେହିଠାରେ ଥିଲେ । ଜଗଦାନନ୍ଦବାବୁ, ନେପାଳବାବୁ, କ୍ଷୀତିମୋହନବାବୁ, ନଗେନବାବୁ, ଶାରଦାବାବୁ ଓ କାଳିବାବୁଙ୍କ ସଙ୍ଗେ ଭଲ ପରିଚୟ ହୋଇଯାଇଥିଲା ।

 

ମୁଁ ଆପଣା ସ୍ୱଭାବ ଅନୁସାରେ ଶୀଘ୍ର ଶିକ୍ଷକ ଓ ଛାତ୍ରମାନଙ୍କ ସହିତ ମିଶିଥିଲି ଏବଂ ପରିଶ୍ରମ କରିବା ସମ୍ବନ୍ଧରେ ସେମାନଙ୍କ ସଙ୍ଗେ ଆଲୋଚନା ଆରମ୍ଭ କରି ଦେଇଥିଲି । ମୁଁ ପ୍ରସ୍ତାବ କରିଥିଲି ଯେ, ଦରମାଦିଆ ରୋଷେୟାକୁ ବିଦାୟ ଦେଇ ଯଦି ଶିକ୍ଷକ ଓ ଛାତ୍ରମାନେ ନିଜେ ନିଜେ ରାନ୍ଧନ୍ତେ, ତେବେ ଭଲ ହୁଅନ୍ତା । ପିଲାଙ୍କର ଶାରୀରିକ ଓ ନୈତିକ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶିକ୍ଷକମାନେ ରୋଷେଇର ତତ୍ତ୍ୱାବଧାନ କରିପାରନ୍ତେ ଏବଂ ସଙ୍ଗେ ସଙ୍ଗେ ସ୍ୱାଶ୍ରୟ ସ୍ୱପାକର ଗୋଟିଏ ଶିକ୍ଷା ପିଲାମାନଙ୍କୁ ମିଳନ୍ତା । ଜଣେ ଦି’ଜଣ ଏ ପ୍ରସ୍ତାବରେ ମୁଣ୍ଡ ହଲେଇଥିଲେ; କେତେଜଣ କଥାଟାକୁ ବିଶେଷ ପସନ୍ଦ କରିଥିଲେ । ପିଲାଙ୍କର ତ ନୂଆ କଥା ପାଇଁ ସ୍ୱଭାବତଃ ଖୁବ୍ ଆଗ୍ରହ ଥାଏ, ସେଥିପାଇଁ ସେମାନେ କଥାଟାରେ ରାଜି ହୋଇ ଯାଇଥିଲେ । ଆମେ ପରୀକ୍ଷାଟା ଆରମ୍ଭ କରିଦେଇଥିଲୁ । ମୁଁ କବିବରଙ୍କ ମତ ପଚାରିବାରୁ ସେ କହିଥିଲେ ଯେ, ଶିକ୍ଷକମାନେ ରାଜି ହେଲେ ତାଙ୍କର ଆଉ କିଛି କହିବାର ନ ଥିଲା । ସେ ପିଲାମାନଙ୍କୁ କହିଥିଲେ, ‘‘ଏହି ପରୀକ୍ଷାଟିରେ ସ୍ୱରାଜ୍ୟର ଚାବି ରହିଛି ।’’

 

ପିଅର୍‌ସନ୍ ପରୀକ୍ଷାଟିକୁ ସଫଳ କରିବାପାଇଁ ଖଟି ଖଟି ଝଡ଼ିଗଲେ । ତାଙ୍କୁ ତାହା ଭାରି ଭଲ ଲାଗୁଥିଲା । ପଞ୍ଝାକୁ ପରିବା କାଟିବା କାମ, ପଞ୍ଝାକୁ ଚାଉଳଧୁଆ ବାଣ୍ଟି ଦିଆ ହୋଇଥିଲା । ନଗେନବାବୁ ପ୍ରଭୃତି ରୋଷେଇଘର ଓ ତାହାର ଚାରିପାଖ ସଫାସୁତୁରା ରଖିବା ଭାର ନେଇଥିଲେ-। କୋଡ଼ି ଧରି କାମ କରିବା ଦେଖି ମତେ ଭାରି ଆନନ୍ଦ ଲାଗୁଥିଲା ।

 

କିନ୍ତୁ ଏ ଶହେ ପଚିଶଜଣ ପିଲା ଓ ଶିକ୍ଷକମାନେ କାୟିକ ଶ୍ରମଟାକୁ ସହଜରେ ଯେ ଆଦରିଯିବେ, ଏହା ଆଶା କରିବା ଉଚିତ ନ ଥିଲା । ଏ ବିଷୟରେ ନିତି ନିତି ଯୁକ୍ତିତର୍କ ହେଉଥିଲା-। କେତେକ ଥକି ପଡ଼ୁଥିଲେ । କିନ୍ତୁ ପିଅର୍‌ସନ୍ ଥକିଯିବା ଲୋକ ନ ଥିଲେ । ସବୁବେଳେ ଦେଖିବ, ସେ ରୋଷଇଘରେ ବା ଆଖପାଖରେ କିଛି ନା କିଛି ଗୋଟାଏ କାମ ହସି ହସି କରୁଛନ୍ତି । ବଡ଼ ବଡ଼ ବାସନ ସବୁ ମାଜିବା ତାଙ୍କରି କାମ ଥିଲା । ବାସନମଜା ପଞ୍ଝାଙ୍କର କାମର କଷ୍ଟ ଭୁଲାଇବାଲାଗି ଆଉ ଦଳେ ତାଙ୍କ ଆଗରେ ବସି ସୀତାର ବଜାଉଥିଲେ । ସମସ୍ତେ କଥାଟାକୁ ବଡ଼ ଉତ୍ସାହର ସହିତ ଗ୍ରହଣ କରିଥିଲେ ଏବଂ ଶାନ୍ତିନିକେତନ ମହୁବସାଭଳି ଗୁଣୁ ଗୁଣୁ କରୁଥିଲା-

 

ଏଭଳି ପରିବର୍ତ୍ତନ ଥରେ ଆରମ୍ଭ ହେଲେ ପରେ ବନ୍ଦ ହୋଇ ନ ଥାଏ । ଫିନିକ୍‌ସ ଦଳଙ୍କର ରୋଷଇ କେବଳ ଯେ ହାତେ ହେଉଥିଲା ସେତିକି ନୁହେଁ, ଯାହା ରନ୍ଧା ହେଉଥିଲା, ତାହା ଖୁବ୍ ସାଦାସିଧା ହେଉଥିଲା; ମସଲା ପଡ଼ୁ ନ ଥିଲା । ଭାତ, ଡ଼ାଲି, ତରକାରୀ ଏପରି କି ଗହମ ଦଲିୟା ବାମ୍ପ ସାହାଯ୍ୟରେ ଏକାସଙ୍ଗେ ରନ୍ଧା ହେଉଥିଲା । ବଙ୍ଗାଳୀ ରୋଷେଇର ସସ୍କାର କରିବା ଉଦ୍ଦେଶ୍ୟରେ ସେଠା ପିଲାଙ୍କର ଗୋଟିଏ ଅଲଗା ରୋଷେଇ ବି ଆରମ୍ଭ କରିଥିଲୁ । ଜଣେ ଦି’ଜଣ ଶିକ୍ଷକ ଓ କେତେଜଣ ପିଲା ମିଶି ଏ ରୋଷେଇଟିକୁ ଚଳାଇଥିଲେ । ଏହି ପ୍ରୟୋଗଟିରୁ ସେଠା ସାଧାରଣ ରୋଷେଇ ବି ସେମିତି ସ୍ୱାଶ୍ରୟୀ ହେବା ପ୍ରୟୋଗ ହୋଇପାରିଥାନ୍ତା ।

 

କିନ୍ତୁ ପରୀକ୍ଷାଟା କେତେକ କାରଣରୁ ବନ୍ଦ କରି ଦିଆଗଲା । ମୋ ମତରେ ଅଳ୍ପଦିନ ପାଇଁ ଏପରି ପରୀକ୍ଷାଟା ଚଳାଇ ଏ ବିଖ୍ୟାତ ଅନୁଷ୍ଠାନର କୌଣସି କ୍ଷତି ହୋଇ ନାହିଁ ଏବଂ ଶିକ୍ଷକମାନେ ସେଥିରୁ ଯେତେକ ଅଭିଜ୍ଞତା ଲାଭ କରିଥିଲେ, ତାହା ସେମାନଙ୍କର ଯଥେଷ୍ଟ କାମରେ ଲାଗିଥିଲା ।

 

ଶାନ୍ତିନିକେତନରେ ଆଉ ଦିନାକେତେ ରହିବାର ଇଚ୍ଛା ଥିଲା; କିନ୍ତୁ ଦୈବ କରେଇ ଦେଇ ନ ଥିଲା । ଦିନ ସାତଟା ରହିଛି କି ନାହିଁ, ପୁନାରୁ ଗୋଖଲେଙ୍କ ମୃତ୍ୟୁ ସମ୍ବାଦ ପାଇଥଇଲି । ଶାନ୍ତିନିକେତନ ତମାମ ଶୋକରେ ବୁଡ଼ି ଯାଇଥିଲା; ସମସ୍ତେ ମତେ ସମବେଦନା ଜଣାଇବାକୁ ଆସିଥିଲେ, ମନ୍ଦିରରେ ଗୋଟିଏ ବିଶେଷ ସଭା ହୋଇଥିଲା । ସଭାଟି ବଡ଼ ମର୍ମସ୍ପର୍ଶୀ ହୋଇଥିଲା-। ସେହିଦିନ ମୁଁ, ମୋ ସ୍ତ୍ରୀ ଓ ମଗନଲାଲଙ୍କ ସଙ୍ଗେ ପୁନା ବାହାରିଥିଲି । ବାକି ସମସ୍ତେ ଶାନ୍ତିନିକେତନରେ ରହିଥିଲେ ।

 

ଆଣ୍ଡୃଜ ବର୍ଦ୍ଧମାନଯାଏ ମୋ ସଙ୍ଗରେ ଆସିଥିଲେ । ସେ ମତେ ପଚାରିଥିଲେ, ‘‘ତମକୁ କ’ଣ ଲାଗୁଛି ଯେ ଭାରତରେ ସତେ ଦିନେ ସତ୍ୟାଗ୍ରହର ବେଳ ଆସିବ ? କେବେ ସେ ଦିନ ଆସିବ କିଛି ଧାରଣା ଅଛି କି ?’’

 

ମୁଁ ଉତ୍ତର ଦେଇଥିଲି, ‘‘ସହଜରେ କିଛି କହି ହେବ ନାହିଁ । ମୁଁ ବର୍ଷେଯାଏ କିଛି କରିବି ନାହିଁ । କାରଣ ମୁଁ ଗୋଖଲେଙ୍କୁ ଜବାବ ଦେଇଛି ଯେ, ଅଭିଜ୍ଞତା ଲାଭ ପାଇଁ ବର୍ଷଟା ଭାରତ ତମାମ ବୁଲିବି । ସାଧାରଣ ବିଷୟରେ କିଛି ମତ ଦେବି ନାହିଁ । ଏହାକୁ ମୁଁ ଅକ୍ଷରେ ଅକ୍ଷରେ ପାଳିବି । ପରେ ଯଦି କେଉଁ ବିଷୟରେ ମତେ କହିବାକୁ ପଡ଼ିବ, ତେବେ ନିଶ୍ଚୟ କହିବି । ସେଥିଯୋଗୁଁ ପାଞ୍ଚବର୍ଷ ଭିତରେ ସତ୍ୟାଗ୍ରହର କୌଣସି ସମ୍ଭାବନା ଅଛି ବୋଲି ମୋର ମନେ ହେଉନାହିଁ ।’’

 

ମୁଁ ଏହି ସମ୍ପର୍କରେ ଏତକ ଉଲ୍ଲେଖ କରିପାରେ ଯେ ‘ହିନ୍ଦ୍ ସ୍ୱରାଜ’ ବହିରେ ମୋର ଅନେକ ମତାମତ ବିଷୟରେ ଗୋଖଲେ ମତେ ଥଟ୍ଟା କରୁଥିଲେ ଏବଂ କହୁଥିଲେ, ‘‘ତମେ ଭାରତରେ ବର୍ଷେ ରହିଗଲେ, ତେଣିକି ତମ ମତ ଆପେ ଆପେ ବାଟ ଧରିଯିବ ।’’

 

ତୃତୀୟ ଶ୍ରେଣୀ ଯାତ୍ରୀଙ୍କ ଦୁଃଖ

 

ବର୍ଦ୍ଧମାନଠାରେ ଆମର ତୃତୀୟ ଶ୍ରେଣୀ ଟିକଟ ନେବାର ଥାଏ । କିନ୍ତୁ ପାଇବାରେ ବହୁତ ବାଧା ମିଳିଥିଲା । ‘‘ଏତେ ଆଗରୁ ତୃତୀୟ ଶ୍ରେଣୀ ଟିକେଟ ମିଳେ ନାହିଁ’’—ପ୍ରଥମେ ଏୟା ଜବାବ ପାଇଥିଲୁ । ବହୁତ କଷ୍ଟରେ ଷ୍ଟେସନ ମାଷ୍ଟରଙ୍କ ପାଖକୁ ଯାଇଥିଲି । ତାଙ୍କ ପାଖକୁ ଯିବାକୁ ବି କିଏ ଛାଡ଼ନ୍ତା ? ଜଣେ ଦୟା କରି ମତେ ଷ୍ଟେସନ ମାଷ୍ଟରଙ୍କୁ ଦେଖାଇ ଦେଇଥିଲେ । ମୁଁ ତାଙ୍କୁ ଆମର ସବୁ ଅସୁବିଧା କଥା କହିଥିଲି । ସେ ମଧ୍ୟ ସେହି ଉତ୍ତର ଦେଇଥିଲେ । ଟିକଟ ଘର ଝରକା ଯେମିତି ଖୋଲିଲା, ମୁଁ ଟିକଟ କିଣିବାକୁ ଯାଇଥିଲି । ମାତ୍ର ଟିକଟ ପାଇବା ସହଜ କଥା ନଥିଲା । ବଳୁଆ ଯାତ୍ରୀମାନେ ଗୋଟିଏ ପରେ ଗୋଟିଏ ମୋ ଭଳି ଲୋକଙ୍କୁ ଠେଲିଠାଲି ଆଗ ଟିକଟ ନେଇ ଯାଇଥିଲେ । ଶେଷରେ ମୁଁ ଟିକଟ ଖଣ୍ଡେ ପାଇଥିଲି ।

 

ଗାଡ଼ି ଆସିଲା । ସେଠି ବି ଯେ ବଳୁଆ ସେ ପଶିଗଲେ । ଗାଡ଼ିରେ ଥିବା ଯାତ୍ରୀ ଏବଂ ପଶିବା ଲୋକ, ଏମାନଙ୍କ ମଧ୍ୟରେ ଧକମ୍‌ଧକା ଚାଲିଥାଏ । ମୁଁ ଏଥିରେ କୁଆଡ଼ୁ ପଶିବି ? ଆମେ ତିନିଜଣ ଏ ପାଖ ସେପାଖ ହେଉଥିଲୁ । ମାତ୍ର ସବୁଠାରୁ ଏକା ଜବାବ ପାଇଥିଲୁ, ‘‘ଏଠି ଜାଗା ନାହିଁ ।’’

 

ମୁଁ ଗାର୍ଡଙ୍କ ପାଖକୁ ଯାଇଥିଲି । ସେ ଜବାବ ଦେଇଥିଲେ, ‘‘ଜାଗା ପାଇବ ତ ବସ, ନଚେତ୍ ଆର ଗାଡ଼ି ଧରିବ ।’’

 

ମୁଁ ନମ୍ର ଭାବରେ କହିଥିଲି, ‘‘ମାତ୍ର ମୋର ଜରୁରୀ କାମ ଅଛି ।’’ ମୋ କଥା ଶୁଣିବାକୁ ତାଙ୍କୁ ବେଳ ନ ଥିଲା । ମୁଁ ହତାଶ ହୋଇଥିଲି । ମଗନଲାଲକୁ ଯେଉଁଠି ପାରିବ ସେଠି ପଶିଯିବାକୁ କହି ମୋର ସ୍ତ୍ରୀ ସହିତ ଗୋଟିଏ ଦେଢ଼ା ମାହାସୁଲ ଗାଡ଼ିରେ ପଶିଥିଲି । ଗାଡ଼ି ଚଢ଼ିବାବେଳେ ଆମକୁ ଗାର୍ଡ଼ ସାହେବ ଦେଖିଥିଲେ । ଆସାନସୋଲ ଷ୍ଟେସନଠାରେ ସେ ଆମଠୁ ଅଧିକା ମାହାସୁଲ ଅସୁଲ କରିବାକୁ ଆସି ପହଞ୍ଚିଥିଲେ । ମୁଁ ତାଙ୍କୁ କହିଥିଲି, ଆମକୁ ଜାଗା ଦେବା ଆପଣଙ୍କର କର୍ତ୍ତବ୍ୟ ଥିଲା । ଆମକୁ ଜାଗା ମିଳିଲା ନାହିଁ, ସେଥିଯୋଗୁଁ ଏଠି ଆସି ବସିଛୁ । ତୃତୀୟଶ୍ରେଣୀ ଗାଡ଼ିରେ ଆମକୁ ଜାଗା କରାଇଦେବେ ତ ଆମେ ଅତି ଆନନ୍ଦରେ ସେଠାକୁ ଚାଲିଯିବୁ ।

 

ଗାର୍ଡ କହିଥିଲେ, ‘‘ଯୁକ୍ତିତର୍କ କରି ଲାଭ ନାହିଁ—ମୁଁ ଆପଣଙ୍କୁ ଜାଗା କରେଇ ଦେଇପାରିବି ନାହିଁ । ଅଧିକା ମାସୁଲ ଦେବାକୁ ପଡ଼ିବ କିମ୍ବା ବାହାରିଯିବାକୁ ହେବ ।’’

 

ମୋର ତ ଯେ କୌଣସି ମତେ ପୁନା ପହଞ୍ଚିବାର ଥିଲା, ସେଥିଯୋଗୁଁ ଗାର୍ଡଙ୍କ ସଙ୍ଗେ ଲଢ଼ିବାକୁ ମୁଁ ପ୍ରସ୍ତୁତ ନ ଥିଲି । ଫଳରେ ଅଧିକା ମାହାସୁଲ ପୁନାଯାଏ ଯାହା ମାଗିଥିଲେ ଦେଇଥିଲି, କିନ୍ତୁ ଏ ଅନ୍ୟାୟ ମତେ ବାଧିଥିଲା ।

 

ସକାଳେ ଆମେ ମୋଗଲ-ସରାଇରେ ପହଞ୍ଚିଥିଲୁ । ମଗନଲାଲ ଗୋଟିଏ ତୃତୀୟଶ୍ରେଣୀ ଡବାରେ ଜାଗା ଯୋଗାଡ଼ କରିଥିଲା; ଆମେ ସେଠାକୁ ଉଠିଯାଇଥିଲୁ । ମୁଁ ଟିକଟ ପରୀକ୍ଷକଙ୍କୁ ସବୁକଥା ବୁଝାଇ କହିଥିଲି ଏବଂ ଆମେ ଯେ ମୋଗଲସରାଇଠୁ ତୃତୀୟଶ୍ରେଣୀକୁ ଚାଲିଆସିଛୁ, ଏ କଥା ଲେଖିଦେବାକୁ କହିଥିଲି । ସେ ସେତକ କରିବାକୁ ମନାକରିଥିଲେ । ମୁଁ ରେଳ କର୍ତ୍ତୃପକ୍ଷଙ୍କୁ ଅଧିକ ଭଡ଼ା ଫେରି ପାଇବା ପାଇଁ ଲେଖିଥିଲି ଏବଂ ନିମ୍ନଲିଖିତ ଜବାବ ପାଇଥିଲି, ସାର୍ଟିଫିକେଟ ନ ଦେଖାଇଲେ ଆମେ ଅଧିକା ମାହାସୁଲ ଓ୍ୟାପସ୍ ଦେଉନାହିଁ; ମାତ୍ର ଆପଣଙ୍କ ପାଇଁ ବିଶେଷ ବିଚାର କରୁଛୁ । ତେବେ ବର୍ଦ୍ଧମାନଠାରୁ ମୋଗଲସରାଇଯାଏ ଅଧିକ ମାସୁଲ ଓ୍ୟାପସ ଦେବା ସମ୍ଭବ ନୁହେଁ ।

 

ଏହାପରେ ତୃତୀୟ ଶ୍ରେଣୀରେ ମୁଁ ଯେତେ ଅଭିଜ୍ଞତା ଅର୍ଜିଛି, ସେ ସବୁ ଲେଖି ବସିଲେ ଖଣ୍ଡିଏ ବହି ହୋଇଯିବ । ଏ ବହିରେ ସେ ସବୁ ଅଭିଜ୍ଞତା କଥା କେବଳ ଏଠି ସେଠି ଟିକିଏ ଟିକିଏ ଉଲ୍ଲେଖ କରିଯିବା ଛଡ଼ା ଜାଗା ଅଣ୍ଟିବ ନାହିଁ । ଶାରୀରିକ ଅକ୍ଷମତା ଯୋଗୁଁ ମୁଁ ତୃତୀୟ ଶ୍ରେଣୀରେ ଯିବା ଆସିବା ଛାଡ଼ିବାକୁ ବାଧ୍ୟ ହେଲି । ସେଥିପାଇଁ ମୋର ଗଭୀର ଦୁଃଖ ରହିଛି ଓ ରହିଯିବ ।

 

ରେଳକର୍ତ୍ତୃପକ୍ଷମାନଙ୍କ ଯଥେଚ୍ଛାଚାରିତା ଯୋଗୁଁ ତୃତୀୟ ଶ୍ରେଣୀ ଯାତ୍ରୀମାନଙ୍କର ସବୁ କଷ୍ଟ ହୋଇଥାଏ । ମାତ୍ର ତା’ ବୋଲି କେବେ ତୃତୀୟ ଯାତ୍ରୀଙ୍କର ଅଭଦ୍ରତା, ଅସନା ଅଭ୍ୟାସ, ସ୍ୱାର୍ଥପରତା ତଥା ଅଜ୍ଞତା ଏଥିପାଇଁ କିଛି କମ୍ ଦାୟୀ ନୁହେଁ । ଦୁଃଖର କଥା ହେଉଛି, ସେମାନେ ନିଜେ ବୁଝନ୍ତି ନାହିଁ ଯେ ସେମାନେ ଅଭଦ୍ର, ଅପରିଷ୍କାର ବା ସ୍ୱାର୍ଥପର ଭାବରେ ବ୍ୟବହାର କରୁଛନ୍ତି-। ସେମାନେ ଯାହା କରନ୍ତି, ତାହା ତାଙ୍କୁ ସ୍ୱାଭାବିକ ଜଣାପଡ଼େ । ଆମେ ଶିକ୍ଷିତ ଲୋକେ ତାଙ୍କର ଯତ୍ନ ନେଇ ନ ଥାଉ ।

 

ଆମେ ଅତି କ୍ଳାନ୍ତ ହୋଇ କଲ୍ୟାଣରେ ପହଞ୍ଚିଥିଲୁ । ଗାଧୋଇବା ପାଇଁ ପ୍ରସ୍ତୁତ ହେଲୁ-। ମୁଁ ଓ ମଗନଲାଲ ଷ୍ଟେସନ କଳରୁ ପାଣି ଆଣି ଗାଧୋଇଥିଲୁ । ମୋର ସ୍ତ୍ରୀର ସ୍ନାନର ବନ୍ଦୋବସ୍ତ କରିବାକୁ ଯାଉଛି, ଭାରତ ସେବକ ସମାଜର ଶ୍ରୀଯୁକ୍ତ କାଲେ ଆମକୁ ଦେଖି ପାରିଥିଲେ । ସେ ପୁନା ଯାଉଥିଲେ । ସେ ଦ୍ୱିତୀୟ ଶ୍ରେଣୀର ଗାଧୁଆ ଘରକୁ ମୋ ସ୍ତ୍ରୀକୁ ନେଇଯିବାକୁ ପ୍ରସ୍ତାବ କରିଥିଲେ । ତାଙ୍କର ଏ ଆମନ୍ତ୍ରଣ ରକ୍ଷା କରିବାକୁ ମୁଁ ଦ୍ୱିଧା ବୋଧ କରିଥିଲି-। ଦ୍ୱିତୀୟ ଶ୍ରେଣୀ ଗାଧୁଆଘର ବ୍ୟବହାର କରିବାର ଅଧିକାର ମୋ ସ୍ତ୍ରୀର ନଥିଲା; ମାତ୍ର ଅବଶେଷରେ ମୁଁ ଏ ଅନଧିକାରକୁ ଆଖି ବୁଜିଦେଇଥିଲି ।

 

ମୁଁ ଜାଣେ, ଏ ସବୁ ସତ୍ୟର ଉପାସକକୁ ଶୋଭାପାଏ ନାହିଁ । ମୋର ସ୍ତ୍ରୀ ସେଠାକୁ ଯିବାକୁ ବ୍ୟଗ୍ର ନ ଥିଲା, କିନ୍ତୁ ସ୍ୱାମୀର ମୋହରୂପୀ ସୁବର୍ଣ୍ଣ ପାତ୍ର ସତ୍ୟକୁ ଘୋଡ଼ାଇ ପକେଇଥିଲା ।

 

‘ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟାପିହିତଂ ମୁଖଂ ।’

 

ମୋର ଚେଷ୍ଟା

 

ପୁନାରେ ପହଞ୍ଚି ଶ୍ରାଦ୍ଧକ୍ରିୟା ପରେ ସମାଜର ଭବିଷ୍ୟତ ସମ୍ବନ୍ଧରେ ଓ ମୁଁ ସମାଜର ସଭ୍ୟ ହେବି କି ନାହିଁ, ସେ ସମ୍ବନ୍ଧରେ ଆମେ ସମସ୍ତେ ଆଲୋଚନା କରିବାକୁ ଲାଗିଲୁ । ମୋ ଉପରେ ଏକ ବଡ଼ ବୋଝ ଆସି ପଡ଼ିଗଲା । ଗୋଖଲେ ବଞ୍ଚିଥିଲାବେଳେ ମୁଁ ସଭ୍ୟ ହେବାକୁ କହୁ ନ ଥିଲି । ସେତେବେଳେ ମୋତେ କେବଳ ତାଙ୍କ ହୁକୁମ ଓ ଇଚ୍ଛା ମାନି ଚଳିବାକୁ ହେଉଥିଲା । ସେ ଅବସ୍ଥା ମତେ ଭାରି ଭଲ ଲାଗୁଥିଲା । ଭାରତର ଝଡ଼ତୋଫାନ-ସମୁଦ୍ରରେ ଡେଇଁପଡ଼ି ମୋର ଜଣେ ସୁକାନୀ ଲୋଡ଼ାଥିଲା ଏବଂ ଗୋଖଲେଙ୍କ ଭଳି ଜଣେ ସୁକାନୀଙ୍କ ଆଶ୍ରୟରେ ମୁଁ ନିରାପଦ ଥିଲି ।

 

ଏବେ ମତେ ଲାଗିଲା ଯେ, ସଭ୍ୟ ହେବାପାଇଁ ମୋର ଚେଷ୍ଟା କରିବା ଉଚିତ । ଗୋଖଲେଙ୍କ ଆତ୍ମା ମଧ୍ୟ ଏହା ଚାହୁଁଥିବ ବୋଲି ମୋର ବିଶ୍ୱାସ ହୋଇଥିଲା । ମୁଁ ବିନା ସଂକୋଚରେ ଓ ଦୃଢ଼ଭାବରେ ଉଦ୍ୟମ ଆରମ୍ଭ କରିଥିଲି ।

 

ସେତେବେଳେ ପ୍ରାୟ ସବୁ ସଭ୍ୟ ପୁନାରେ ଥିଲେ । ମୁଁ ସେମାନଙ୍କୁ ଅନୁନୟ ବିନୟ କରିବାକୁ ଲାଗିଥିଲି ଏବଂ ମୋ ସମ୍ବନ୍ଧରେ ତାଙ୍କ ମନରେ ଯେ ସବୁ ଆଶଙ୍କା ଥିଲା, ସେ ସବୁ ଦୂର କରିବାକୁ ଉଦ୍ୟମ କରିଥିଲି । ମୁଁ ଦେଖିଲି, ସେମାନେ ଦୁଇ ଦଳ ହୋଇଥିଲେ । ଦଳେ ମତେ ସଭ୍ୟ କରିବାକୁ ରାଜି ଥିଲେ, ଅନ୍ୟ ଦଳେ ଦୃଢ଼ଭାବରେ ତା’ର ବିରୋଧ କରୁଥିଲେ । ମୋ ପ୍ରତି ଉଭୟ ଦଳର ସ୍ନେହ ମୁଁ ଦେଖିପାରୁଥିଲି । କିନ୍ତୁ ମୋ ପ୍ରତି ସ୍ନେହଠାରୁ ସମାଜ ପ୍ରତି ତାଙ୍କର ଶ୍ରଦ୍ଧା ବେଶୀ ଥିଲା । ଅନ୍ତତଃ କମ୍ ନ ଥିଲା ।

 

ସେଥିପାଇଁ ଆମର ସବୁ ଚର୍ଚ୍ଚା ବଡ଼ ମଧୁର ହୋଇଥିଲା । କେବଳ ନୀତି ସମ୍ପର୍କରେ କଥାବାର୍ତ୍ତା ହେଉଥିଲା । ବିରୋଧୀ ଦଳଙ୍କ ମତରେ ଅନେକ କଥାରେ ତାଙ୍କ ମୋ ଭିତରେ ଆକାଶ ପାତାଳ ପ୍ରଭେଦ ଥିଲା । ତାଙ୍କ ମତରେ ମୁଁ ସଭ୍ୟ ହେଲେ, ଯେଉଁ ଉଦ୍ଦେଶ୍ୟରେ ଗୋଖଲେ ସମାଜ ଗଢ଼ିଥିଲେ, ସେ ଉଦ୍ଦେଶ୍ୟରେ ହାନି ଘଟିବା ସମ୍ଭବ ଥିଲା । ସ୍ୱଭାବତଃ ଏତକ ସେମାନେ ସହିପାରୁ ନ ଥିଲେ ।

 

ବହୁତ ଆଲୋଚନା ପରେ ଆମେ ଯେ ଯୁଆଡ଼େ ଗଲୁ । ଶେଷ ନିଷ୍ପତ୍ତି ଅନ୍ୟ ସଭା ଯାଏ ବନ୍ଦ ରହିଥିଲା ।

 

ଘରେ ପହଞ୍ଚିଲାବେଳକୁ ମୁଁ ଚିନ୍ତାଜାଲରେ ପଡ଼ିଥିଲି । ଅଧିକସଂଖ୍ୟାକ ସଭ୍ୟଙ୍କ ଭୋଟରେ ସଭ୍ୟ ହେବା ମୋର ଭଲ ହେବ କି ? ଗୋଖଲେଙ୍କ ପ୍ରତି ମୋର ଶ୍ରଦ୍ଧା ସେଥିରେ ପ୍ରକାଶ ପାଇବ କି ? ମୁଁ ଦେଖିପାରିଥିଲି ଯେ, ମତେ ସଭ୍ୟ କରିବା ସମ୍ପର୍କରେ ଦିଓଟି ମତ ଥିବାଯାଏ, ସଭ୍ୟ ହେବା ଇଚ୍ଛା ଛାଡ଼ି, ବିରୋଧୀ ପକ୍ଷର ସଭ୍ୟମାନଙ୍କୁ ଏକ ଅଡୁଆରେ ପଡ଼ିବାରୁ ରକ୍ଷା କରିନେବା ଉଚିତ ଏବଂ ସେଥିରେ ସୋସାଇଟି ଓ ଗୋଖଲେଙ୍କ ପ୍ରତି ମୋର ନିଷ୍ଠା ଠିକ୍ ରହିବ । ଅନ୍ତରାତ୍ମାରୁ ଏ ନିଷ୍ପତ୍ତି ହେବା ସଙ୍ଗେ ସଙ୍ଗେ ମୁଁ ଶାସ୍ତ୍ରୀ ମହୋଦୟଙ୍କୁ ଲେଖିପଠାଇଥିଲି ଯେ, ମତେ ସଭ୍ୟ କରିବା ସମ୍ବନ୍ଧରେ ଆଉ ସଭା ଡାକିବାର ଦରକାର ନ ଥିଲା । ଯେଉଁମାନେ ମୋ ଦରଖାସ୍ତର ବିରୋଧ କରୁଥିଲେ, ସେମାନେ ମୋର ଏ ସିଦ୍ଧାନ୍ତ ପସନ୍ଦ କରିଥିଲେ । ସେମାନେ ଏକ କର୍ତ୍ତବ୍ୟ-ସଂକଟରୁ ଉତୁରି ଯାଇଥିଲେ । ଫଳରେ ଆମ ଭିତରେ ବନ୍ଧୁତା ଦୃଢ଼ତର ହୋଇଥିଲା । ମୁଁ ସଭ୍ୟ ହେବାପାଇଁ ଦରଖାସ୍ତ ଉଠାଇ ନେଇ ସମାଜର ପ୍ରକୃତ ସଭ୍ୟ ହୋଇଥିଲି ।

 

ମୁଁ ଏବେ ଅଭିଜ୍ଞତାରୁ ଜାଣୁଛି ଯେ, ମୁଁ ସଭ୍ୟ ନ ହୋଇ ଭଲ ହୋଇଛି ଏବଂ ଯେଉଁ ସଭ୍ୟମାନେ ବିରୋଧ କରୁଥିଲେ, ସେମାନେ ବାସ୍ତବ ଘଟଣା ବୁଝିବା ଲୋକ ଥିଲେ । ତାଙ୍କ ସିଦ୍ଧାନ୍ତ ଓ ମୋ ସିଦ୍ଧାନ୍ତ ଭିତରେ ଯେ ଭେଦ ଥିଲା, ତାହା ଅଭିଜ୍ଞତାରୁ ମଧ୍ୟ ଜଣାପଡ଼ିଛି । କିନ୍ତୁ ଆମେ ଏହି ମତଭେଦଟାକୁ ମାନିନେଇଛୁ ବୋଲି ଆମ ଭିତରେ ଆତ୍ମାର ଭେଦ ହୋଇନାହିଁ ବା ମନ ଖଟା କେବେ ହୋଇ ନାହିଁ । ଆମେ ଭାଇବନ୍ଧୁ ଭଳି ଅଛୁ, ପୁନା ସମାଜଘର ସବୁବେଳେ ମୋ ପାଇଁ ଗୋଟିଏ ତୀର୍ଥ ହୋଇ ରହିଛି ।

 

ମୁଁ କାଗଜ କଲମରେ ସମାଜରେ ସଭ୍ୟ ହୋଇ ନାହିଁ । ମାତ୍ର ମନରେ, ଆଧ୍ୟାତ୍ମିକ ଦୃଷ୍ଟିରେ ମୁଁ ସବୁବେଳେ ସଭ୍ୟ ହୋଇ ରହିଛି । ଆଧ୍ୟାତ୍ମିକ ସମ୍ୱନ୍ଧଟା ଲୌକିକ ସମ୍ବନ୍ଧଠାରୁ ଢେର ମୂଲ୍ୟବାନ୍ । ଆଧ୍ୟାତ୍ମିକ ସମ୍ବନ୍ଧଟାକୁ ଛାଡ଼ିଦେଲେ ଲୌକିକ ସମ୍ବନ୍ଧ ପ୍ରାଣହୀନ ସଙ୍ଗେ ସମାନ ।

 

କୁମ୍ଭମେଳା

 

ଡାକ୍ତର ମେହେତାଙ୍କୁ ଦେଖା କରିବାପାଇଁ ମୋର ରେଙ୍ଗୁନ ଯିବାର ଥିଲା । ବାଟରେ କଲିକତାରେ ଶ୍ରୀ ଭୂପେନ୍ଦ୍ରନାଥ ବସୁଙ୍କ ନିମନ୍ତ୍ରଣରେ ତାଙ୍କର ଅତିଥି ହୋଇଥିଲି । ମୋ ସାଙ୍ଗରେ ମୋ ପୁଅ ରାମଦାସ ଥିଲା । ଏହିଠାରେ ବଙ୍ଗାଳୀ ଅତିଥିସେବା ଚରମ ହୋଇ ଯାଇଥିଲା । ସେ ସମୟରେ ମୁଁ କେବଳ ଫଳାହାର କରୁଥିଲି । କଲିକତାରେ ଯେତେପ୍ରକାର ପାଚିଲା, ଶୁଖିଲା ଫଳ ମିଳେ, ସବୁ ମୋ ପାଇଁ ଅଣାଯାଇଥିଲା । ଘରର ମାଇପେ ରାତିତମାମ ପେସ୍ତା ଇତ୍ୟାଦିକୁ ତିନ୍ତେଇ ଚୋପା ଛଡ଼େଇଥିଲେ । ତଟକା ଫଳଗୁଡ଼ିକ ଯେତେଦୂର ସଫାସୁତରା କରି କଟାଯାଇପାରେ ତାହା କରି ରଖାଯାଇଥିଲା । ମୋ ସାଥୀମାନଙ୍କ ପାଇଁ ନାନାପ୍ରକାର ଜିନିଷ ରନ୍ଧା ହୋଇଥିଲା । ଏ ସ୍ନେହ ଓ ଅତିଥିସତ୍କାର ମୁଁ ବୁଝିପାରିଥିଲି, କିନ୍ତୁ ଜଣେ ଦି’ଣ ଅତିଥିଙ୍କ ପାଇଁ ସମସ୍ତ ପରିବାରଟା ଦିନଯାକ ଏପରି ନିଯୁକ୍ତି ରହିବାଟା ମୋର ସହ୍ୟ ହୋଇ ନ ଥିଲା । ମାତ୍ର ଏଭଳି କଷ୍ଟରୁ ରକ୍ଷା ପାଇବାର ଉପାୟ ମୋ ପାଖରେ ନ ଥିଲା ।

 

ରେଙ୍ଗୁନକୁ ଯାଉଥିବା ଜାହାଜରେ ଆମେ ଖୋଲା ଛାତର ଯାତ୍ରୀ ହୋଇଥିଲୁ । ଶ୍ରୀଯୁକ୍ତ ବସୁଙ୍କ ଘରେ ସ୍ନେହ ଯୋଗୁଁ ଯେତେ ଦୁଃଖ ହୋଇଥିଲା, ଜାହାଜରେ ଅସ୍ନେହ ଯୋଗୁଁ ସେତେ ଦୁଃଖ ହୋଇଥିଲା । ଛାତ ଯାତ୍ରୀଙ୍କ ଦୁଃଖ କଷ୍ଟ ଖୁବ୍ ଭୋଗିଥିଲୁ । ଗାଧୁଆଘର ପାଖରେ ଠିଆହୋଇ ହେବ ନାହିଁ, ଏତେ ମଇଳା ଥିଲା । ପାଇଖାନାଗୁଡ଼ିକ ନରକକୁଣ୍ଡ । ପାଇଖାନାକୁ ଗଲେ, ବାଟଯାକ ଗୁହମୂତ ଚକଟି ବା ଡେଇଁ ଡେଇଁ ଯିବାକୁ ପଡ଼ୁଥିଲା ।

 

ମୋ ପାଇଁ ଏ ଅସୁବିଧା ବଡ଼ ଅସହ୍ୟ ଥିଲା । ମୁଁ ଜାହାଜର ବଡ଼ ହାକିମଙ୍କୁ ଦେଖା କରିଥିଲି; ମାତ୍ର ପ୍ରତିକାର କିଏ କରିବ ? ଯାତ୍ରୀମାନେ ନିଜର କଦର୍ଯ୍ୟ ଅଭ୍ୟାସରୁ ଛାତଟିକୁ ଖରାପ କରି ଦେଇଥାନ୍ତି । ଯେଉଁଠି ବସୁଥିଲେ ସେଠି ସେମାନେ ଛେପ ପକାଉଥିଲେ, ସେଇଠି ଧୂଆଁ ପତ୍ର ଛେପ ପିଚକାରୀ ପରି ପକାଉଥିଲେ, ସେହିଠାରେ ଅଇଁଠା ପକାଉଥିଲେ । ପାଟିଗୋଳାରେ ସୀମା ନ ଥିଲା ଏବଂ ପ୍ରତ୍ୟେକେ ଯେତେ ପାରିବେ ସେତେ ଜାଗା ମାଡ଼ି ବସୁଥିଲେ । କେହି କାହାରି ସୁବିଧା ଅସୁବିଧା କଥା ବିଚାରୁ ନ ଥିଲେ । ନିଜେ ଯେତେ ଜାଗା ନେଉଥିଲେ, ଜିନିଷ ତା’ଠୁ ବେଶୀ ମାଡ଼ି ବସୁଥିଲା । ଏହିପରି ଅତି କଠୋର ପରୀକ୍ଷା ଭିତର ଦେଇ ଦୁଇ ଦିନ କଟେଇଥିଲୁ ।

 

ମୁଁ ରେଙ୍ଗୁନରେ ପହଞ୍ଚି ଜାହାଜ କମ୍ପାନୀର ଏଜେଣ୍ଟଙ୍କ ପାଖକୁ ସବୁ ହାଲ ଜଣାଇ ପତ୍ର ଲେଖିଲି । ସେହି ଛାତରେ ଲେଉଟିଥିଲୁ । ଏ ଚିଠି ଯୋଗୁଁ ତଥା ଡାକ୍ତର ମେହେତାଙ୍କ ଉଦ୍ୟମ ଯୋଗୁଁ, ଅପେକ୍ଷାକୃତ ଅଧିକ ସୁବିଧା ହୋଇଥିଲା ।

 

ରେଙ୍ଗୁନଠାରେ ମଧ୍ୟ ଫଳାହାର ଜଞ୍ଜାଳ ଅପେକ୍ଷାକୃତ ବେଶୀ ହୋଇଥିଲା । ମାତ୍ର ଡାକ୍ତର ମେହେତାଙ୍କ ଘର ଆପଣା ଘର ପରି ଥିବାରୁ, ମୁଁ ସେଠାକାର ଖିଆପିଆର ପ୍ରକାରକୁ ଟିକିଏ ଆୟତ୍ତରେ ରଖିପାରିଥିଲି । ମୁଁ କେତେଟା ଜିନିଷ ଖାଇବି, ସେ ସମ୍ପନ୍ଧରେ କୌଣସି ନିୟମ ନ ରଖିଥିବାରୁ ବହୁତ ପ୍ରକାର ଫଳ ଆସୁଥିଲା, ମୁଁ ତା’ର ବିରୋଧ କରିପାରୁ ନ ଥିଲି । ଆଖିକୁ ଓ ଜିଭକୁ ରୁଚିକରି ବହୁତ ପ୍ରକାର ହେଉଥିଲା । ଖାଇବା ସମୟରେ ମଧ୍ୟ କିଛି ନିୟମ ନ ଥିଲା । ବ୍ୟକ୍ତିଗତ ଭାବେ ମତେ ବେଳହୁଁ କାମ ସାରିଦେବାକୁ ଭଲ ଲାଗେ, ତେଣୁ ବେଶୀ ଡେରି ହେଉ ନଥିଲା । ତଥାପି ରାତି ୮ଟା, ୯ଟା ସହଜରେ ବାଜି ଯାଉଥିଲା ।

 

ଏହି ବର୍ଷ ୧୯୧୫, ହରଦ୍ୱାରରେ କୁମ୍ଭମେଳା ପଡ଼ିଥିଲା । ମେଳା ଦେଖିବାକୁ ମୋର ସେତେ ଆଗ୍ରହ ନ ଥିଲା । ତେବେ ମହାତ୍ମା ମୁନସୀରାମଙ୍କ ଦର୍ଶନକୁ ତ ଯିବାର ଥିଲା । ଗୋଖଲେଙ୍କ ସେବକ-ସମାଜ କୁମ୍ଭମେଳାରେ ସେବା କରିବାକୁ ବଡ଼ ଦଳେ ସ୍ୱଚ୍ଛାସେବକ ପଠାଇଥିଲେ । ପଣ୍ଡିତ ହୃଦୟନାଥ କୁଞ୍ଜରୁ ତାଙ୍କର ନେତା ଥିଲେ ଓ ସ୍ୱର୍ଗୀୟ ଡାକ୍ତର ଦେବ ବି ସେଥିରେ ଥିଲେ । ସେମାନଙ୍କ ସାହାଯ୍ୟ ସକାଶେ ମୋ ଦଳକୁ ମଧ୍ୟ ନେବା ସ୍ଥିର ହୋଇଥିଲା । ମଗନଲାଲ ଗାନ୍ଧୀ ଶାନ୍ତିନିକେତନରେ ଥିବା ଦଳଙ୍କୁ ନେଇ ମୋଠୁଁ ଆଗ ହରଦ୍ୱାରରେ ପହଞ୍ଚି ଯାଇଥିଲା । ମୁଁ ରେଙ୍ଗୁନରୁ ଫେରି ସେ ଦଳ ସଙ୍ଗେ ମିଳିଥିଲି ।

 

କଲିକତାରୁ ଯାତ୍ରାଟି ବିଶେଷ କଷ୍ଟକର ହୋଇଥିଲା । ମଧ୍ୟେ ମଧ୍ୟେ ରେଳଗାଡ଼ିରେ ଆଦୌ ଆଲୁଅ ରହୁ ନ ଥିଲା । ସାହାରନପୁରଠାରୁ ମାଲଗାଡ଼ି ଡବା ବା ଗୋରୁଗାଈଙ୍କ ଡବାରେ ଆମେ ଖୁନ୍ଦା ହୋଇଥିଲୁ । ଏ ସବୁ ଡବାରେ ଛାତ ନ ଥାଏ । ଏଣେ ଉପରେ ମଧ୍ୟାହ୍ନ ଖରା, ତେଣେ ତଳେ ତତଲା ଲୁହା ତକ୍ତା; ଆଉ କଷ୍ଟକଥା ପଚାରୁଛ କ’ଣ ? ତଥାପି ନିଷ୍ଠାପର ହିନ୍ଦୁମାନେ ମୁସଲମାନୀ ପାଣି ଆସିଲା ତ ତାହା ପିଉ ନଥିଲେ । ହିନ୍ଦୁ ପାଣି ଆସିଲେ ପିଉଥିଲେ । କିନ୍ତୁ ବୁଝି ରଖିବା ଦରକାର ଯେ, ଏହି ହିନ୍ଦୁଯାକ ବେମାରୀ ବେଳେ ଡାକ୍ତର ତାଙ୍କୁ ମଦ ଦେଲେ, ଗୋରୁ ମାଂସ ସୁରୁଆ ଦେଲେ ବା ମୁସଲମାନ ଖ୍ରୀଷ୍ଟାନ କମ୍ପାଉଣ୍ଡର ପାଣି ଦେଲେ, ତାହା ଗ୍ରହଣ କରିବାକୁ ଦ୍ୱିଧା କରନ୍ତି ନାହିଁ, ଏପରି କି ଗ୍ରହଣ କରିବା ପୂର୍ବରୁ ଟିକିଏ ହେଲେ ପଚାରନ୍ତି ନାହିଁ ।

 

ଆମେ ଶାନ୍ତିନିକେତନରେ ରହି ଏତକ ଦେଖି ପାରିଥିଲୁ ଯେ, ଭାରତବର୍ଷରେ ମେହେନ୍ତର କାମଟା ଆମର ପ୍ରଧାନ ଧନ୍ଦା ହେବ । ହରଦ୍ୱାରରେ ସ୍ୱେଚ୍ଛାସେବକମାନଙ୍କ ପାଇଁ ଗୋଟିଏ ଧର୍ମଶାଳାରେ କେତେଗୁଡ଼ିଏ ରାଉଟି ଟଣା ହୋଇଥିଲା ଏବଂ ଡାକ୍ତର ଦେବ ପାଇଖାନା ପାଇଁ କେତେଟା ଗାତ ମଧ୍ୟ ଖୋଳେଇଥିଲେ । କିନ୍ତୁ ସେ ସବୁ ଗାତ ପାଇଖାନାର ବ୍ୟବସ୍ଥା କେବଳ କେତେକ ଦରମାଦିଆ ମେହେନ୍ତର ମିଳିଥିଲେ ସିନା ହୋଇପାରିଥାନ୍ତା ? ଏହିଠାରେ ଫିନିକ୍‌ସ ଦଳଙ୍କୁ କାମ ଜୁଟି ଯାଇଥିଲା । ମଇଳାକୁ ମାଟି ପକେଇ ଘୋଡ଼ାଇବା ତଥା ଅନ୍ୟ ପ୍ରକାରେ ସଫା କରିବା କାମ ଫିନିକ୍‌ସ ଦଳ ନେବାକୁ ପ୍ରସ୍ତାବ କରିଥିଲେ । ମାମୁଲି ଢଙ୍ଗରେ ମୁଁ ଏ ପ୍ରସ୍ତାବ ସିନା କରିଥିଲି, ମାତ୍ର ମଗନଲାଲ ଗାନ୍ଧୀ ଏ କାମ ତୁଲେଇଥିଲେ । ମୋ କାମର ବେଶୀ ଭାଗ ଥିଲା, ରାଉଟିରେ ବସି ବସି ଦର୍ଶନ ଦେବା ଏବଂ ମୋ ପାଖକୁ ବହୁ ସଂଖ୍ୟାରେ ଆସୁଥିବା ଯାତ୍ରୀମାନଙ୍କ ସହିତ ଧର୍ମ ସମ୍ବନ୍ଧୀୟ ତଥା ଅନ୍ୟ ଆଲୋଚନା କରିବା । ଦର୍ଶନ ଦେଇ ମୁଁ ବ୍ୟସ୍ତ ହୋଇ ଯାଉଥିଲି, ମତେ ମିନିଟିଏ ଫୁରସତ୍ ମିଳୁ ନ ଥିଲା । ଏପରି କି ମୋର ଦର୍ଶନ ଅଭିଳାଷୀ ଲୋକେ ମୋତେ ଗାଧୁଆ ତୁଠଯାଏ ଗୋଡ଼ାଉଥିଲେ ଏବଂ ଖାଇଲା ବେଳେ ସୁଦ୍ଧା ମତେ ଟିକିଏ ଏକାନ୍ତରେ ଛାଡ଼ୁ ନ ଥିଲେ । ତମ୍ବୁରେ କେତେବେଳେ କ୍ଷଣେହେଲେ ମୁଁ ଏକୁଟିଆ ବସିପାରୁ ନ ଥିଲି ।

 

ଦକ୍ଷିଣ ଆଫ୍ରିକାରେ ମୋର ସାମାନ୍ୟ ସେବାର ଏତେ ଗଭୀର ପ୍ରଭାବ ସମସ୍ତ ଭାରତବର୍ଷ ଉପରେ ପଡ଼ିଥିଲା ବୋଲି ମୁଁ ହରଦ୍ୱାରରେ ଜାଣିପାରିଥିଲି ।

 

ମୁଁ ତ ଚକିର ଦୁଇଫାଳ ଭିତରେ ପେଷି ହେବାକୁ ଲାଗିଥିଲି । ଚିହ୍ନା ନ ପଡ଼ିଲେ ତୃତୀୟ ଶ୍ରେଣୀ ଯାତ୍ରୀଙ୍କ କଷ୍ଟ ଭୋଗିଥାଏ, ଯେଉଁଠି ଓହ୍ଲାଏ ସେଠି ଦର୍ଶନ ପାଇବା ଲୋକଙ୍କ ସ୍ନେହରେ ଅସ୍ତବ୍ୟସ୍ତ ହୋଇଯାଏ । ଏ ଦୁଇ ଅବସ୍ଥାରେ କେଉଁଟି ଅଧିକ ଶୋଚନୀୟ ମୁଁ ଅନେକ ସମୟରେ ଠିକ୍ କରିପାରେ ନାହିଁ । ତେବେ ମୁଁ ଏତିକି ଜାଣେ ଯେ, ଦର୍ଶନ ଅଭିଳାଷୀଙ୍କ ଅନ୍ଧ ପ୍ରେମରେ ମୁଁ ଅନେକ ସମୟରେ ରାଗିଯାଇଥାଏ ଓ ସେଥିପାଇଁ ମନରେ ବହୁତ ଥର ଜଳି ମରିଥାଏ । ମାତ୍ର ରେଳ ଯାତ୍ରାଟା କଷ୍ଟକର ହେଲେ ମଧ୍ୟ କ୍ୱଚିତ୍ ରାଗିବାର ଅବସର ଘଟୁଥିଲା ଏବଂ ସେଥିରେ ମୋର ଉନ୍ନତି ହୋଇଥାଏ ।

 

ସେତେବେଳେ ବୁଲିବାକୁ ମୋର ଯଥେଷ୍ଟ ବଳ ଥିଲା । ମୁଁ ଏଣେ ତେଣେ ବୁଲୁଥିଲି । ଭାଗ୍ୟକୁ ବେଶୀ ଜଣାଶୁଣା ହୋଇ ନ ଥିବାରୁ ମୁଁ ବାଟରେ ଘାଟରେ ବେଶୀ ଗୋଳମାଳ ନ ଘଟେଇ ବୁଲି ପାରୁଥିଲି । ଏହି ବୁଲାବୁଲିରେ ମୋ ଆଖିରେ ଯାତ୍ରୀଙ୍କ ଧର୍ମଭାବଠାରୁ ତାଙ୍କର ଡରକୁଳା ପ୍ରକୃତି, ଚପଳତା, ମିଥ୍ୟାଚାର, ଅବ୍ୟବସ୍ଥା ବେଶୀ ପଡ଼ୁଥିଲା । ସେଠି ସାଧୁ ବାବାଜୀଙ୍କ ପାଲ ମନ୍ଦା ଉଠିଥାନ୍ତି । ଜଣାପଡ଼ୁଥିଲେ, ସତେ ଯେମିତି କ୍ଷୀରି ମାଲପୁଆ ଖାଇବାକୁ ସେ ଜନ୍ମ ପାଇଛନ୍ତି ।

 

ଏହିଠାରେ ମୁଁ ଗୋଟିଏ ପାଞ୍ଚ ଗୋଡ଼ିଆ ଗାଈ ଦେଖିଲି । ମୁଁ ତ ଦେଖି ଅବାକ୍ ହୋଇ ଯାଇଥିଲି । ମାତ୍ର ଜାଣିବା ଲୋକେ ମୋର ଭ୍ରମ ଶୀଘ୍ର ଦୂର କରି ଦେଇଥିଲେ । ବିଚାରୀ ପାଞ୍ଚ ଗୋଡ଼ିଆଟି ବଦମାସ ଲୋକଙ୍କ ଲୋଭ ପାଖରେ ବଳି ଦିଆ ହୋଇଥିଲା । ଜୀଅନ୍ତା ବାଛୁରୀର ଗୋଟିଏ ଗୋଡ଼ କଟାହୋଇ ଗାଈ ପିଠିରେ ଯୋଡ଼ା ହୋଇଥିଲା ବୋଲି ମୁଁ ଶୁଣିଲି । ମୂର୍ଖ ଲୋକଙ୍କଠାରୁ ଠକେଇ ପଇସା ନେବାପାଇଁ ଏ ଦୋହରି ନିଷ୍ଠୁର କର୍ମ କରାଯାଇଥାଏ । ଏ ପାଞ୍ଚ ଗୋଡ଼ିଆ ଗାଈ ଦେଖିବାକୁ କେଉଁ ହିନ୍ଦୁର ମନ ନ ବଳେଇବ ? ସେ ଗାଈର ଦର୍ଶନ ପାଇଁ ଯେତେ ଦାନ ଦେଲେ ବି ବାଧିବ ନାହିଁ ।

 

ମେଳାଦିନ ନିକଟ ହୋଇ ଆସିଥିଲା । ମୋ ପାଇଁ ସେ ଏକ ଅମୃତ ଘଡ଼ି ଥିଲା । ମୁଁ ତ ଯାତ୍ରୀ ଭାବନାରେ ହରଦ୍ୱାରକୁ ଯାଇ ନଥିଲି, ମୁଁ ତ ଧର୍ମ ଅର୍ଜିବାକୁ ତୀର୍ଥ ଭ୍ରମଣ କରୁ ନ ଥିଲି । ମାତ୍ର ସତର ଲକ୍ଷ ଲୋକ ସମସ୍ତେ ଭଣ୍ଡ ନ ଥିଲେ । ମେଳାକୁ ସତର ଲକ୍ଷ ଲୋକ ଆସିଥିଲେ ବୋଲି କହୁଥାନ୍ତି । ସେଠାକୁ ଯେ ଅସଂଖ୍ୟ ଲୋକ ଧର୍ମ ଅର୍ଜିବାକୁ ଯାଇଥିଲେ, ଆତ୍ମଶୁଦ୍ଧି ପାଇଁ ଯାଇଥିଲେ, ଏଥିରେ ମୋର ସନ୍ଦେହ ନଥିଲା । ଏଭଳି ବିଶ୍ୱାସ କେତେଦୂର ଆତ୍ମାକୁ ଉନ୍ନତି ପଥରେ ନେଇଥାଏ, ତାହା କହିବା ଅସମ୍ଭବ ନ ହେଲେ ମଧ୍ୟ କହିବା କଠିନ ଅଟେ ।

 

ବିଛଣାରେ ପଡ଼ି ପଡ଼ି ମୁଁ ଚିନ୍ତା ସାଗରରେ ବୁଡ଼ିଯାଇଥିଲି । ଚାରିଆଡ଼େ ଭଣ୍ଡଙ୍କ ଭିତରେ ଧର୍ମପ୍ରାଣ ଲୋକମାନେ ମଧ୍ୟ ଥିଲେ । ପ୍ରଭୁଙ୍କ ବିଚାରରେ ସେମାନେ ନିର୍ଦ୍ଦୋଷ ରହିଥିବେ-। ହରଦ୍ୱାରକୁ ଆସିବାଟା ଯଦି ପାପ, ତେବେ ତ ସାଧାରଣରେ ତାହାର ପ୍ରତିବାଦ କରିବା ମୋର କର୍ତ୍ତବ୍ୟ ଓ କୁମ୍ଭଦିନ ସେଠା ଛାଡ଼ିଯିବା ମୋର କର୍ତ୍ତବ୍ୟ । ଯଦି ହରଦ୍ୱାର ଆସିବା ଓ କୁମ୍ଭମେଳା ଦିନ ରହିବା ପାପ ନ ଥିଲା, ତେବେ ସେଠି ଯେ ପାପ ଚାରିଆଡ଼େ ଚାଲିଥିଲା, ତାର ପ୍ରାୟଶ୍ଚିତ୍ତ କରିବା ଉଚିତ, ଆତ୍ମଶୁଦ୍ଧି କରିବା ମୋର କର୍ତ୍ତବ୍ୟ । ବ୍ରତ ନିୟମ ଉପରେ ମୋର ଜୀବନଟା ଗଢ଼ା । ତେଣୁ କିଛି କଠୋର ବ୍ରତ ନେବା ସ୍ଥିର କରିଥିଲି । କଲିକତାରେ ଓ ରେଙ୍ଗୁନରେ ମୁଁ ଯାହାଙ୍କ ଆତିଥ୍ୟ ଗ୍ରହଣ କରିଥିଲି ଏବଂ ଯେ ମୋର ଏତେ ଚର୍ଚ୍ଚା କରିଥିଲେ, ତାଙ୍କୁ ଯେ କି ଅଯଥା ପରିଶ୍ରମରେ ମୁଁ ପକେଇ ଥିଲି, ତାହା ମୋର ମନେପଡ଼ିଥିଲା ଏବଂ ସେଥିଯୋଗୁଁ ମୁଁ ମୋର ଖାଇବା ଜିନିଷର ସଂଖ୍ୟାକୁ ସୀମାବଦ୍ଧ କରିବାକୁ ଓ ଦିନର ଶେଷ ବଖତକ ଅନ୍ଧାର ପୂର୍ବରୁ ଖାଇଦେବା ନିୟମ କରିବାକୁ ସ୍ଥିର କରିଥିଲି । ମୁଁ ଦେଖିଥିଲି ଯେ, ଏ ନିୟମ ମୁଁ ନ ପାଳିଲେ ଭବିଷ୍ୟତରେ ଯାହାଙ୍କର ଅତିଥି ହେବି, ତାଙ୍କୁ ମୁଁ ବହୁତ ହଇରାଣ କରିବି ଓ ମୁଁ ନିଜେ ସେବା କରିବା ପରିବର୍ତ୍ତେ ସମସ୍ତଙ୍କୁ ମୋରି ସେବାରେ ଲଗାଇବି । ଫଳରେ ଏହି ପ୍ରତିଜ୍ଞା କରିଥିଲି ଯେ, ଦିନ ରାତି ଚବିଶ ଘଣ୍ଟା ଭିତରେ ପାଞ୍ଚଟା ଜିନିଷରୁ ବେଶୀ ଖାଇବି ନାହିଁ ଏବଂ ରାତିରେ କେବେହେଁ ଖାଇବି ନାହିଁ । ଏହା ଫଳରେ ଯେଉଁ ଅସୁବିଧା ହେବ, ତାହା ମୁଁ ଭଲରକମ ବିଚାର କରିଥିଲି । କିନ୍ତୁ ଭବିଷ୍ୟତରେ ଫାଙ୍କି ଦେବାର ବାଟ ନ ରଖିବାକୁ ସ୍ଥିର କରିଥିଲି । ବେମାର ପରେ ଔଷଧଭଳି ବେଶୀ ଦ୍ରବ୍ୟ ଖାଇବି କି ନାହିଁ, ଔଷଧକୁ ଦ୍ରବ୍ୟ ଭିତରେ ଗଣିବି କି ନାହିଁ । ଏସବୁ ବିଷୟ ମନରେ ବିଚାରି ନେଇଥିଲି ଏବଂ ଶେଷରେ ସ୍ଥିର କରିଥିଲି ଯେ, ଖାଇବାର କୌଣସି ଜିନିଷ ପାଞ୍ଚଟାଠୁ ବେଶୀ ଖାଇବି ନାହିଁ ।

 

ମୁଁ ଏବେ ତେରବର୍ଷ ହେଲା ଏ ଦୁଇ ବ୍ରତ ପାଳିଆସୁଛି । ସେଥିଯୋଗୁଁ କଠିନ ପରୀକ୍ଷାରେ ପଡ଼ିଛି ସତ, ମାତ୍ର ମୁଁ ଏତକ କହିପାରେ ଯେ ସେହି ନିୟମଗୁଡ଼ିକ ମତେ ଅନେକ ବିପଦରୁ ରକ୍ଷା କରିଛନ୍ତି । ମୋର ବିଶ୍ୱାସ, ସେ ନିୟମଯାକ ମୋର ପରମାୟୁ ବଢ଼େଇ ଦେଇଚନ୍ତି, ମତେ ଅନେକ ଗୋରାମୁହଁରୁ ବଞ୍ଚେଇ ଦେଇଚନ୍ତି ।

 

ଲଛମନ ଝୁଲା

 

ପାହାଡ଼ପରି ସେହି ମହାତ୍ମା ମୁନସୀରାମଙ୍କ ଦର୍ଶନ ଓ ଗୁରୁକୁଳ ଦେଖିବା କାମ ସାରିଲାରୁ ମତେ ବିଶେଷ ଶାନ୍ତି ମିଳିଥିଲା । ହରଦ୍ୱାର ଗୋଳମାଳ ଓ ଗୁରୁକୁଳର ଶାନ୍ତି ମଧ୍ୟରେ କି ପ୍ରଭେଦ, ତାହା ମୁଁ ସଙ୍ଗେ ସଙ୍ଗେ ଅନୁଭବ କରିଥିଲି । ମହାତ୍ମା ମତେ ସ୍ନେହରେ ବୁଡ଼େଇ ଦେଇଥିଲେ । ବ୍ରହ୍ମଚାରୀଯାକ ମୋ ପାଖ ଛାଡ଼ି ଯାଉ ନ ଥିଲେ । ଏଇଠି ମୁଁ ଆଚାର୍ଯ୍ୟ ରାମଦେବଙ୍କ ସଙ୍ଗେ ପରିଚିତ ହେଲି ଏବଂ ଶୀଘ୍ର ତାଙ୍କ ଶକ୍ତିର ପରିଚୟ ମଧ୍ୟ ପାଇ ଯାଇଥିଲି । କେତେକ ବିଷୟରେ ଆମର ମତଭେଦ ଥିଲେ ସୁଦ୍ଧା ଆମର ବନ୍ଧୁତ୍ୱ ଜମି ଯାଇଥିଲା ।

 

ଗୁରୁକୁଳର ଶିଳ୍ପଶିକ୍ଷା ଆରମ୍ଭ କରିବା ସମ୍ବନ୍ଧେ ଆଚାର୍ଯ୍ୟ ରାମଦେବ ଓ ଅନ୍ୟାନ୍ୟ ଶିକ୍ଷକମାନଙ୍କ ସଙ୍ଗେ ଦୀର୍ଘ ଆଲୋଚନା ହୋଇଥିଲା । ଗୁରୁକୁଳକୁ ଶୀଘ୍ର ଛାଡ଼ି ଆସିବାକୁ ମୋର କଷ୍ଟ ହୋଇଥିଲା ।

 

ଲଛମନ ଝୁଲାର ପ୍ରଶଂସା ମୁଁ ବହୁତ ଶୁଣିଥିଲି । ହୃଷୀକେଶ ନ ଦେଖି ହରଦ୍ୱାରରୁ ନଯିବାକୁ ଅନେକେ ପରାମର୍ଶ ଦେଇଥିଲେ । ମୁଁ ଚାଲିକରି ତୀର୍ଥ ଯାତ୍ରାଟି କରିବି ବୋଲି ଇଚ୍ଛା କରିଥିଲି ଏବଂ ଗୋଟିଏ ରହଣି ହୃଷୀକେଶରେ କରି ପରଟିରେ ଲଛମନ ଝୁଲାରେ ପହଞ୍ଚିଲି ।

 

ହୃଷୀକେଶରେ ଅନେକ ସନ୍ନ୍ୟାସୀ ମୋ ସଙ୍ଗେ ଦେଖା କରିବାକୁ ଆସିଥିଲେ । ଜଣେ ବିଶେଷ କରି ମୋ ଆଡ଼କୁ ଆକୃଷ୍ଟ ହୋଇଥିଲେ । ଫିନିକ୍‌ସ ଦଳ ମୋ ସଙ୍ଗେ ଥିଲେ ଏବଂ ସେମାନଙ୍କୁ ଦେଖି ସେ ସ୍ୱାମୀ ଅନେକ ପ୍ରଶ୍ନ ପଚାରିଥିଲେ ।

 

ଧର୍ମ ସମ୍ବନ୍ଧେ ଆମର ଚର୍ଚ୍ଚା ହୋଇଥିଲା ଏବଂ ମୋର ଧର୍ମପ୍ରତି ଗଭୀର ଶ୍ରଦ୍ଧା ଥିବାର ସେ ବୁଝିପାରିଥିଲେ । ମୁଁ ଗଙ୍ଗାସ୍ନାନ କରି ଆସିଥାଏ, ତେଣୁ ମୋ ଦେହ ଖାଲି ଥାଏ । ମୋ ମୁଣ୍ଡରେ ଶିଖା ଓ ଗଳାରେ ପଇତା ନ ଦେଖି ସେ ଦୁଃଖିତ ହୋଇଥିଲେ । ସେ କହିଥିଲେ, ତମେ ଈଶ୍ୱର ବିଶ୍ୱାସ କର; ଅଥଚ ପଇତା ଓ ଶିଖା ଧାରଣ କରୁନାହିଁ, ଏହା ଦେଖି ମୋର କଷ୍ଟ ହେଉଛି । ଏ ଦୁଇଟି ହିନ୍ଦୁ ଧର୍ମର ବାହାର ଚିହ୍ନ ଏବଂ ପ୍ରତ୍ୟେକ ହିନ୍ଦୁ ତାହା ଧାରଣା କରିବା ଉଚିତ ।

 

ଦଶବର୍ଷ ବୟସରେ ପୋରବନ୍ଦରଠାରେ ବ୍ରାହ୍ମଣଙ୍କ ପଇତାରେ ବନ୍ଧା ଚାବି ପେନ୍ଥାରେ ଝଣଝଣ ଶୁଣି ମୋର ଈର୍ଷା ହେଉଥିଲା । ମୋର ସେମିତି କରିବାକୁ ମନ ହେଉଥିଲା । ସେତେବେଳେ କାଥିଆବାଡ଼ର ବୈଶ୍ୟମାନଙ୍କ ଭିତରେ ପଇତା ଚଳି ନ ଥିଲା । ଠିକ୍ ସେତିକିବେଳେ ପ୍ରଥମ ତିନିବର୍ଣ୍ଣଙ୍କ ପାଇଁ ପଇତା ପକାଇବା ଉଚିତ ଏଭଳି ଏକ ନୂଆ ପ୍ରଚାର ଆରମ୍ଭ ହୋଇଥାଏ । ତା’ରି ଫଳରେ ଗାନ୍ଧୀ କୁଟୁମ୍ବରୁ କେତେଜଣ ପଇତା ପକେଇଥିଲେ । ଯେ ବ୍ରାହ୍ମଣ ଆମ ଦି ତିନିଜଣ ପିଲାଙ୍କୁ ରାମରକ୍ଷା ପଢ଼ାଉଥିଲେ, ସେ ଆମକୁ ପଇତା ପିନ୍ଧେଇଥିଲେ ଏବଂ ମୋର ଚାବିର ଦରକାର ନ ଥିଲେ ସୁଦ୍ଧା ମୁଁ ଦୁଇ ତିନିଟା ଚାବି ଯୋଗାଡ଼ କରିଥିଲି । ପଇତା ଛିଣ୍ଡିଗଲା ପରେ ମୋର ସେ ମୋହ ଥିଲା କି ନାହିଁ ମନେ ପଡ଼ୁନାହିଁ, କିନ୍ତୁ ଏତକ ମନେପଡ଼େ, ମୁଁ ଆଉ ନୂଆ ପଇତା କରି ନ ଥିଲି ।

 

ମୁଁ ବଡ଼ ହୋଇଗଲାରୁ ଅନ୍ୟମାନେ ମତେ ପୁଣି ଏ ପଇତା ପିନ୍ଧେଇବାକୁ ଭାରତରେ ଓ ଦକ୍ଷିଣ ଆଫ୍ରିକାରେ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଯୁକ୍ତି ମତେ କାଫି ନ ଥିଲା । ଶୂଦ୍ରମାନେ ଯଦି ତାହା ପିନ୍ଧି ନ ପାରିବେ, ଅନ୍ୟ ବର୍ଣ୍ଣଙ୍କର ତାହା ପିନ୍ଧିବାର କି ଅଧିକାର ଅଛି ? ଯେ ବାହାର ଜିନିଷର ଆଚାର ଆମ କୁଟୁମ୍ବରେ ନ ଥିଲା, ତାକୁ ଚଳେଇବାକୁ ମୁଁ କିଛି ଟାଣ କାରଣ ଦେଖି ନ ଥିଲି । ପଇତା ପ୍ରତି ମୋର ସେମିତି କୌଣସି ଆପତ୍ତି ନ ଥିଲା, ପିନ୍ଧିବାର କୌଣସି କାରଣ ନ ଥିଲା ।

 

ମୁଁ ବୈଷ୍ଣବ ଥିବାରୁ ସ୍ୱଭାବତଃ କଣ୍ଠି ବା ମାଳି ନାଇଥିଲି ଏବଂ ଗୁରୁଜନମାନେ ଆମ ଭାଇମାନଙ୍କୁ ଶିଖା ରଖିବାକୁ ବାଧ୍ୟ କରିଥିଲେ । ମାତ୍ର ବିଲାତ ଗଲେ ଖାଲିମୁଣ୍ଡ ହେଲାବେଳେ ଗୋରାମାନେ ମୋ ଚୁଟି ଦେଖି ହସିବେ ଓ ମତେ ଅସଭ୍ୟ ମଣିବେ । ଏହି ଲାଜରେ ଚୁଟି କାଟିପକେଇଥିଲି । ମୋର ପୁତୁରା ଛଗନଲାଲ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବଡ଼ ନିଷ୍ଠାର ସହିତ ଶିଖା ରଖୁଥିଲା । କାଳେ ଶିଖାଟି ତାହାର ସାଧାରଣ କାର୍ଯ୍ୟରେ ବାଧାଦେବ ଏହି ଭୁଲ ଧାରଣାରେ ମୁଁ ତାହା ମନରେ ସନ୍ଦେହ ଜାତ କରଇ ତାକୁ ଶିଖା ଛଡ଼େଇଥିଲି; ଏମିତି ଚୁଟିପ୍ରତି ମୋର ଲାଜ ଥିଲା ।

 

ମୁଁ ଏସବୁ ବିଷୟ ସ୍ୱାମୀଜୀଙ୍କୁ ସ୍ପଷ୍ଟ ଜଣାଇ କହିଲି, ଅସଂଖ୍ୟ ହିନ୍ଦୁ ବିନା ପଇତାରେ ଚଳୁଛନ୍ତି, ଅଥଚ ହିନ୍ଦୁ ଅଛନ୍ତି । ତେଣୁ ତାହା ପିନ୍ଧିବାର ଆବଶ୍ୟକତା ଦେଖୁନାହିଁ । ମୁଁ ତାହା ଘେନିବି ନାହିଁ । ଅଧିକନ୍ତୁ ପଇତା ପୁନର୍ଜନ୍ମର ଚିହ୍ନ ହେବାର କଥା । ଯେ ପିନ୍ଧେ, ତା ପକ୍ଷରେ ଅଧିକ ଉନ୍ନତ ଓ ପବିତ୍ର ଜୀବନ ଯାପନ କରିବାପାଇଁ ଆନ୍ତରିକ ଚେଷ୍ଟା ଥିବାର ବୁଝାଏ । ଏବେ ହିନ୍ଦୁଧର୍ମ ତଥା ଭାରତ ପଡ଼ିଯାଇଛି । ସେଥିରେ ପଇତା ଧାରଣ କରିବାପାଇଁ ଆମର ଅଧିକାର କାହିଁ ? ହିନ୍ଦୁଧର୍ମ ଅସ୍ପୃଶ୍ୟତା ପାପରୁ ମୁକ୍ତ ହେଲେ, ବଡ଼ସାନ ଭେଦଭାବ ଭୁଲିଗଲେ ଏବଂ ଅନ୍ୟାନ୍ୟ ଯେଉଁ ସବୁ ଦୋଷ ପଶିଛି, ତାକୁ ବାହାର କଲେ, ଚାରିଆଡ଼େ ବ୍ୟାପିଥିବା ପାପ ଓ ମିଥ୍ୟାଚାରକୁ ଦୂରକରି ସାରିଲେ, ସେ ଅଧିକାର ହିନ୍ଦୁମାନଙ୍କର ଆସି ପାରେ । ସେଥିପାଇଁ ପଇତା ପିନ୍ଧିବା କଥାଟା ମୋ ତଣ୍ଟିରେ ଗଳୁନାହିଁ । କିନ୍ତୁ ଶିଖା ସମ୍ବନ୍ଧରେ ଆପଣଙ୍କର ପ୍ରସ୍ତାବ ଅବଶ୍ୟ ବିଚାରଯୋଗ୍ୟ । ମୁଁ ଦିନେ ତାହା ରଖିଥିଲି ଏବଂ ଲାଜ ଓ ଭୟରେ ତାକୁ ପରିତ୍ୟାଗ କରିଛି । ସେଥିପାଇଁ ମୁଁ ବୋଧକରୁଛି ପୁଣି ଶିଖାଟି ରଖିବା ଉଚିତ । ଏ ବିଷୟ ମୋର ସାଥୀମାନଙ୍କ ସଙ୍ଗେ ପରାମର୍ଶ କରିବି ।’’

 

ସାଧୁବାବା ପଇତା ସମ୍ବନ୍ଧେ ମୋର ମତାମତ ପସନ୍ଦ କଲେନାହିଁ । ମୁଁ ପଇତା ପିନ୍ଧିବା ବିରୋଧରେ ଯେ ସବୁ ଯୁକ୍ତି ଦେଖାଇଥିଲି, ସେହିଗୁଡ଼ିକ ପିନ୍ଧିବା ସପକ୍ଷରେ ଖାଟେ ବୋଲି ସେ ମନେକରୁଥିଲେ । ଏବେ ମଧ୍ୟ ମୋର ମତ ହୃଷୀକେଶଠାରେ ଯାହା ଥିଲା, ପ୍ରାୟ ସେୟା ଅଛି । ଯେ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଧର୍ମ ଅଛି, ସେ ପର୍ଯ୍ୟନ୍ତ ପ୍ରତ୍ୟକକୁ ଚିହ୍ନେଇଦେବା ପାଇଁ ପ୍ରତ୍ୟକଙ୍କର ଗୋଟିଏ ସୁସ୍ପଷ୍ଟ ବାହ୍ୟିକ ଚିହ୍ନ ରହିବା ଆବଶ୍ୟକ ହୋଇପାରେ, ମାତ୍ର ସେ ଚିହ୍ନଟା ଯେତେବେଳେ ଗୋଟାଏ ଆଡ଼ମ୍ବରେ ହୋଇଯାଏ ଏବଂ ନିଜ ଧର୍ମକୁ ଅନ୍ୟଠାରୁ ବଡ଼ ବୋଲି ଦେଖାଇବାରେ ବ୍ୟବହୃତ ହୋଇଥାଏ, ସେତେବେଳେ ସେଟା ତ୍ୟାଜ୍ୟ । ଆଜି ପଇତାଟା ହିନ୍ଦୁ ଧର୍ମକୁ ଉନ୍ନତ କରିବାର ଗୋଟିଏ ଉପାୟ ଭଳି ମତେ ଦିଶୁ ନାହିଁ ମୁଁ ସେଥିପାଇଁ ସେ ବିଷୟ ପ୍ରତି ମନ ଦେଉନାହିଁ-

 

ମାତ୍ର ଶିଖା ସମ୍ବନ୍ଧରେ—ସେଟା ମୁଁ ଲାଜଯୋଗୁଁ ଛାଡ଼ିଥିବାରୁ ବନ୍ଧୁମାନଙ୍କ ସଙ୍ଗେ ପରାମର୍ଶ କରି ପୁଣି ରଖିବାର ସ୍ଥିର କଲି ।

 

ଏବେ ଲଛମନଝୁଲା କଥା ପଡ଼ୁ । ହୃଷୀକେଶ ଓ ଲଛମନଝୁଲା ପାଖର ପ୍ରାକୃତିକ ଦୃଶ୍ୟ ମତେ ମୁଗ୍‌ଧ କରିଦେଲା । ଆମର ପୂର୍ବପୁରୁଷମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟବୋଧ ଓ ପ୍ରକୃତିର ଏଭଳି ସୁନ୍ଦର ବିକାଶକୁ ଯେ ଧାର୍ମିକ ପ୍ରାଧାନ୍ୟ ଦେଇଛନ୍ତି, ସେଥିରେ ତାଙ୍କର ଯେ ଦୂରଦୃଷ୍ଟି ପ୍ରକାଶ ପାଇଛି, ସେଥିପାଇଁ ମୋ ମନରେ ସମ୍ମାନ ଜନ୍ମିଥିଲା । କିନ୍ତୁ ଲୋକଙ୍କ କର୍ମ ଦେଖି ମନରେ ଶାନ୍ତି ରହି ନ ଥିଲା । ହରଦ୍ୱାର ଭଳି ହୃଷୀକେଶଠାରେ ଲୋକେ ରାସ୍ତା ଓ ଗଙ୍ଗାର ମନୋରମ ସ୍ଥାନଗୁଡ଼ିକ ମଇଳା କରୁଥିଲେ । ଏପରି କି ଗଙ୍ଗାର ପବିତ୍ର ଜଳକୁ ମଧ୍ୟ କଳୁଷିତ କରିବାରେ ସେମାନେ ଦ୍ୱିଧା କରୁ ନ ଥିଲେ । ନିତ୍ୟକର୍ମ ପାଇଁ ଟିକିଏ ଦୂରକୁ ନ ଯାଇ ଯେଉଁଠି ଲୋକଙ୍କର ଯା’ଆସ ବାଟ, ସେଠାରେ ନିତ୍ୟକର୍ମ ସାରୁଥିଲେ । ଏହା ଦେଖି ହୃଦୟରେ ଦାରୁଣ ଦୁଃଖ ହୋଇଥିଲା ।

 

ଲଛମନଝୁଲା ଯାଇ ଲୁହାର ଝୁଲା ପୋଲ ଦେଖିଲି । ମତେ କହିଲେ, ପ୍ରଥମେ ଗୋଟିଏ ଦଉଡ଼ି ପୋଲ ଅଥଚ୍ ଖୁବ୍ ମଜବୁତ୍ ଥିଲା । ମାତ୍ର ଜଣେ ବଦାନ୍ୟ ମାରୁଓ୍ୟାଡ଼ି ମୁଣ୍ଡରେ ପଶିଲା ଯେ, ଦଉଡ଼ି ପୋଲଟି ଉଠାଇ ଦେଇ ଗୋଟାଏ ଲୁହା ପୋଲ ବହୁତ ଖର୍ଚ୍ଚ କରି ଗଢ଼ିବେ । ତା’ ଗଢ଼ିସାରି ପୁଣି ଚାବିଟାକୁ ସରକାରଙ୍କ ଜିମାଦେଲେ । ସେ ଦଉଡ଼ି ପୋଲ ମୁଁ ଦେଖିନାହିଁ । କିନ୍ତୁ ଲୁହାପୋଲଟା ଚାରିପାଖର ଦୃଶ୍ୟ ସଙ୍ଗେ ଖାପ ଖାଉନାହିଁ ଏବଂ ବିରକ୍ତିର ଲାଗୁଛି । ସେ ସମୟରେ ମୋର ଯେତେ ରାଜଭକ୍ତି ଥିଲା, ସେଥିରେ ବି ଚାବିଟା ସରକାରଙ୍କୁ ଦେବା ମୋର ଅସହ୍ୟ ହୋଇଥିଲା ।

 

ତହୁଁ ବେଶୀ ଦୁଃଖ ସ୍ୱର୍ଗାଶ୍ରମ ଦେଖି ହୋଇଥିଲା । ଦସ୍ତାପତ୍ର ଅସ୍ତାବଲ ଭଳି କେତେଗୁଡ଼ିଏ ଟିଣ କୁଡ଼ିଆକୁ ସ୍ୱର୍ଗାଶ୍ରମ ନାଁ ଦିଆହୋଇଛି । ଏଗୁଡ଼ିକ ସାଧକମାନଙ୍କ ପାଇଁ ହୋଇଛି ବୋଲି ମୋତେ କହିଲେ । ସେତେବେଳେ ସେଠି ପ୍ରାୟ କେହି ନଥିଲେ । ୟାକୁ ଲାଗି ବଡ଼ କୋଠାରେ ଯେଉଁମାନେ ଥିଲେ, ସେମାନଙ୍କ ପ୍ରତି ମୋର ଧାରଣା ମଧ୍ୟ ହେଲା ନାହିଁ ।

 

କିନ୍ତୁ ଏ ହରଦ୍ୱାର ଅନୁଭୂତି ମୋପାଇଁ ଅମୂଲ୍ୟ ଥିଲା । ମୁଁ କେମିତି ଜୀବନ କଟାଇବି ଏବଂ କେଉଁଠି ରହିବି, ଏହା ସ୍ଥିର କରିବାରେ ସେ ଅନୁଭୂତି କମ ସାହାଯ୍ୟ କରିନାହିଁ ।

 

ଆଶ୍ରମ ପ୍ରତିଷ୍ଠା

 

କୁମ୍ଭମେଳାକୁ ତୀର୍ଥଯାତ୍ରାଟି ମୋର ହରଦ୍ୱାରର ଦ୍ୱିତୀୟ ଦର୍ଶନ ।

 

ସତ୍ୟାଗ୍ରହ ଆଶ୍ରମ ୧୯୧୫ ମେ ୨୫ ତାରିଖରେ ପ୍ରତିଷ୍ଠା ହୁଏ । ଶ୍ରଦ୍ଧାନନ୍ଦଜୀ ଚାହୁଁଥିଲେ, ମୁଁ ହରଦ୍ୱାରରେ ରହେ । କେତେକ କଲିକତା ବନ୍ଧୁ ବୈଦ୍ୟନାଥ ଧାମ ପ୍ରସ୍ତାବ କରିଥିଲେ । ଅନ୍ୟମାନେ ରାଜକୋଟକୁ ଜିଦ୍ ଧରି ବସିଥିଲେ । କିନ୍ତୁ ମୁଁ ଅହମଦାବାଦ ଦେଇ ଯିବାବେଳେ ସେଠାକାର ବନ୍ଧୁମାନେ ସେଠି ରହିବାକୁ ମତେ ଲଗାଇଥିଲେ ଏବଂ ସେମାନେ ଆଶ୍ରମ ଖର୍ଚ୍ଚ ଉଠେଇଦେବାକୁ ଦାୟିତ୍ୱ ମୁଣ୍ଡାଇଥିଲେ । ଆମକୁ ଘରଟିଏ କରେଇଦେବେ ବୋଲି ଜବାବ ଦେଇଥିଲେ । ମୋର ଆଗରୁ ଅହମଦାବାଦ ପାଇଁ ଗୋଟାଏ ମୋହ ଥିଲା । ମୁଁ ଗୁଜରାତୀ ଥିବାରୁ ଗୁଜରାତୀଭାଷା ଜରିଆରେ ଦେଶର ସବୁଠାରୁ ବେଶୀ ସେବା କରିପାରିବି ବୋଲି ମୋର ବିଶ୍ୱାସ ଥିଲା । ଅହମଦାବାଦ ହାତବୁଣା ତନ୍ତର ଗୋଟିଏ ପୂରାତନ କେନ୍ଦ୍ର ଥିବାରୁ ଏଠି ଅରଟକାମ ବେଶୀ ଭଲରକମ ହେବାର ସମ୍ଭାବନା ଥିଲା । ଏ ଆଶା ମଧ୍ୟ ଥିଲା ଯେ, ସହର ଗୁଜରାତର ରାଜଧାନୀ ଥିବାରୁ, ସେଠାର ଧନୀ ଲୋକଙ୍କଠାରୁ ବେଶୀ ସାହାଯ୍ୟ ମିଳିବ ।

 

ଅହମଦାବାଦ ବନ୍ଧୁମାନଙ୍କ ସଙ୍ଗେ ଅସ୍ପୃଶ୍ୟତା କଥାଟା ଅନ୍ୟାନ୍ୟ ବିଷୟ ସହିତ ଆଲୋଚନା କରିଥିଲି । ମୁଁ ତାଙ୍କୁ ସଫା କହି ଦେଇଥିଲି ଯେ, ଜଣେ ଅସ୍ପୃଶ୍ୟ ଭାଇ ଆଶ୍ରମରେ ରହିବାକୁ ଚାହିଁଲେ ମୁଁ ତାଙ୍କୁ ନିଶ୍ଚୟ ନେବି ।

 

‘‘ଆପଣଙ୍କ ସର୍ତ୍ତ ଅନୁସାରେ ସେମିତି ଜଣେ ଅସ୍ପୃଶ୍ୟ କ’ଣ ପଦାରେ ପଡ଼ିଛନ୍ତି ?’’ ଜଣେ ବୈଷ୍ଣବ ବନ୍ଧୁ ଏହିପରି କହି ଆତ୍ମସନ୍ତୋଷ ଲାଭ କରିଥିଲେ ।

 

ଅହମଦାବାଦରେ ଆଶ୍ରମ କରିବାର ଶେଷ ସିଦ୍ଧାନ୍ତ କଲି ।

 

ଘର ଖୋଜିବାରେ ଓ ମତେ ଅହମଦାବାଦରେ ବସେଇବାରେ ବାରିଷ୍ଟର ଶ୍ରୀଯୁକ୍ତ ଜୀବନଲାଲ ଦେଶାଇ ପ୍ରଧାନ ଥିଲେ । ତାଙ୍କର କୋଚରାବଠାରେ ବଙ୍ଗଳା ଭଡ଼ାନେବା ସ୍ଥିର ହେଲା ।

 

ଆଶ୍ରମର ନାଁ ଦେବାକଥା ଶୀଘ୍ର ଉଠିଥିଲା । ବନ୍ଧୁମାନଙ୍କ ପରାମର୍ଶ ନେଲି । ‘ସେବାଶ୍ରମ’, ‘ତପୋବନ’ ପ୍ରଭୃତି ନାମର ପ୍ରସ୍ତାବ ହେଲା । ମୁଁ ‘ସେବାଶ୍ରମ’ ନାଁଟା ପସନ୍ଦ ନ କରିବାର କଥା, କାରଣ ତପଶ୍ଚର୍ଯ୍ୟା ଆମର ପ୍ରିୟ ଥିଲେ ମଧ୍ୟ ସେ ନାଟା ମାଡ଼ିପଡ଼ୁଥିଲା । ଆମର କାର୍ଯ୍ୟ ଥିଲା, ସତ୍ୟର ପୂଜା, ସତ୍ୟର ଅନ୍ୱେଷଣ ଓ ସତ୍ୟାଗ୍ରହ । ମୋର ଇଚ୍ଛା ଥିଲା, ଦକ୍ଷିଣ ଆଫ୍ରିକାରେ ଯେ ନୀତି ମୁଁ ପରୀକ୍ଷା କରିଥିଲି, ତା’ର ପରିଚୟ ଭାରତକୁ ଦେବା ଏବଂ ଭାରତରେ ତାହାର ଶକ୍ତି କେଉଁଯାଏ ବ୍ୟାପକ ହୋଇପାରିବ, ତାହା ଦେଖିବା । ସେଥିପାଇଁ ମୁଁ ଓ ମୋର ସାଥୀମାନେ ‘ସତ୍ୟାଗ୍ରହ’ ନାଁଟି ବାଛିଲୁ; କାରଣ ସେହି ନାଁରୁ ଆମର ଲକ୍ଷ୍ୟ ଓ ସେବାନୀତି ଉଭୟ ପ୍ରକାଶ ପାଉଥିଲା ।

 

ଆଶ୍ରମ ପରିଚାଳନା ପାଇଁ ଗୋଟିଏ ନିୟମାବଳୀ ଥିଲା । ଗୋଟିଏ ଚିଠା ହେଲା ଏବଂ ତା’ ଉପରେ ବନ୍ଧୁମାନଙ୍କ ମତ ଲୋଡ଼ା ହେଲା । ଯେ ସବୁ ମତ ଆସିଥିଲା; ତନ୍ମଧ୍ୟରେ ସାର ଗୁରୁଦାସ ବାନାର୍ଜୀଙ୍କ ମତ ଏପର୍ଯ୍ୟନ୍ତ ମୋର ମନରେ ଅଛି । ସେ ନିୟମଗୁଡ଼ିକ ପସନ୍ଦ କରିଥିଲେ; ମାତ୍ର ବ୍ରତମାନଙ୍କ ସଙ୍ଗେ ‘ବିନୟ’ ବ୍ରତ ଗୋଟିଏ ରଖାଯାଉ ବୋଲି ମତ ଦେଇଥିଲେ । ଆମକୁ ପୂଜକମାନଙ୍କ ମଧ୍ୟରେ ବିନୟର ଅଭାବ ଘଟୁଛି ବୋଲି ତାଙ୍କ ଚିଠିରୁ ଜଣା ପଡ଼ୁଥିଲା । ଏ ଦୋଷ ମୁଁ ଲକ୍ଷ୍ୟ କରିଥିଲି; କିନ୍ତୁ ମୋର ଆଶଙ୍କା ହେଲା ବିନୟଟାକୁ ଗୋଟାଏ ବ୍ରତ କଲେ, ପ୍ରତିଜ୍ଞାର କଥା କଲେ—ତାହା ଆଉ ବିନୟ ହୋଇ ରହିବ ନାହିଁ । ବିନୟର ପୂରା ଅର୍ଥ—‘ଶୂନ୍ୟତା’ ଅଟେ । ଶୂନ୍ୟତା ପାଇବା ପାଇଁ ଅନ୍ୟ ବ୍ରତ ଦରକାର । ଶୂନ୍ୟତା ମୋକ୍ଷର ଅବସ୍ଥା । ମୁମୂର୍ଷୁ ବା ସେବକର ପ୍ରତ୍ୟେକ କାର୍ଯ୍ୟରେ ବିନୟ, ନିରଭିମାନତା ନ ଥିଲେ, ସେ ମୁମୂର୍ଷୁ ନୁହଁ, ସେବକ ନୁହଁ । ସେ ସ୍ୱାର୍ଥୀ ଅଟେ, ଅହଂକାରୀ ଅଟେ ।

 

ଏତେବେଳେ ଆମ ଦଳରେ ୧୩ ଜଣ ତାମିଲ ଦେଶବାସୀ ଥିଲେ । ଦକ୍ଷିଣ ଆଫ୍ରିକାରୁ ପାଞ୍ଚଟି ତାମିଲ ପିଲା ଆସିଥିଲେ ଏବଂ ଅନ୍ୟମାନେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିଲେ । ଆମେ ସ୍ତ୍ରୀ, ପୁରୁଷ ମିଶି ମୋଟରେ ୨୫ ଜଣ ଥିଲୁ ।

 

ଏମିତି ଆଶ୍ରମ ଆରମ୍ଭ ହେଲା । ଗୋଟିଏ ରୋଷେଇରେ ସମସ୍ତେ ଖାଉଥିଲୁ ଏବଂ ପରିବାର ଭଳି ରହିବାକୁ ଚେଷ୍ଟା କରୁଥିଲୁ ।

 

ପରୀକ୍ଷାରେ ପଡ଼ିଲୁ !

 

ସାମାନ୍ୟ କେତେ ମାସ ଆଶ୍ରମ ଚଳିଛି, ଆମେ ଏମିତି ଗୋଟିଏ ପରୀକ୍ଷାରେ ପଡ଼ି ଗଲୁ, ଯାହା ମୁଁ କେବେହେଁ ଆଶା କରି ନ ଥିଲି । ଭାଇ ଅମୃତଲାଲ ଠକ୍‌ରଙ୍କଠାରୁ ଖଣ୍ଡେ ଚିଠି ଏହି ମର୍ମରେ ପାଇଲି, ‘‘ଗୋଟିଏ ଗରିବ ଓ ସତ୍ ଅସ୍ପୃଶ୍ୟ ପରିବାର ଆପଣଙ୍କ ଆଶ୍ରମରେ ରହିବାକୁ ଇଚ୍ଛୁକ । ଆପଣ ତାଙ୍କୁ ଗ୍ରହଣ କରିବେ କି ?’’

 

ମୁଁ ପ୍ରକୃତରେ ବିବ୍ରତ ହୋଇପଡ଼ିଲି । ମୁଁ ଆଦୌ ଆଶା କରି ନ ଥିଲି ଯେ, ଗୋଟିଏ ଅସ୍ପୃଶ୍ୟ ପରିବାର, ସେ ପୁଣି ଆଉ କାହାଠୁଁ ନୁହଁ ଠକ୍‌କର ବାପାଙ୍କ ଭଳି ଲୋକଙ୍କଠାରୁ ପରିଚୟପତ୍ର ଆଣି ଏତେ ଶୀଘ୍ର ଆମ ଆଶ୍ରମରେ ରହିବାକୁ ପ୍ରାର୍ଥୀ ହେବେ । ମୁଁ ଚିଠିଟି ବନ୍ଧୁମାନଙ୍କୁ ଦେଖାଇଲି । ସେମାନେ ଭାରି ଆନନ୍ଦ ପ୍ରକାଶ କଲେ ।

 

ମୁଁ ଅମୃତଲାଲଙ୍କୁ ଲେଖି ଜଣାଇଲି ଯେ, ଆଶ୍ରମ ନିୟମ ମାନି ଚଳିବାକୁ ପ୍ରସ୍ତୁତ ଥିବେ ତ ଆମେ ତାଙ୍କୁ ନେବାକୁ ପ୍ରସ୍ତୁତ ଅଛୁ ।

 

ଦୁଦା ଭାଇ, ତାଙ୍କ ସ୍ତ୍ରୀ ଦାନୀ ବେନ୍ ଓ ଗୁରୁଣ୍ଡୁଥିବା ଦୁଧଖିଆ ଲକ୍ଷୀ ଆସି ପହଞ୍ଚିଥିଲେ-। ଦୁଦାଭାଇ ବମ୍ବେରେ ଶିକ୍ଷକ କାମ କରୁଥିଲେ । ସେମାନେ ଆଶ୍ରମ ନିୟମ ମାନି ଚଳିବାକୁ ରାଜି ହୋଇଥିଲେ । ତାଙ୍କୁ ଆଶ୍ରମରେ ନେବାକୁ ଆମେ ରାଜି ହୋଇଥିଲୁ ।

 

ସାହାଯ୍ୟକାରୀ ବନ୍ଧୁମାନଙ୍କ ମଧ୍ୟରେ ଗୋଟାଏ ଚହଳ ପଡ଼ିଗଲା । ପ୍ରଥମ ଅଡ଼ୁଆ ତ ହେଲା, ଆଶ୍ରମ କୂଅ ନେଇ । କାରଣ ସେ କୂଅରେ ମାଲିକଙ୍କର ଭାଗ ଥିଲା । ସେ ଲୋକ ପାଣି ତେଣ୍ଡାରେ ଉଠାଏ, ସେ ଆପତ୍ତି କଲା ଯେ, ଆମ ପାଣି ପଡ଼ିଲେ ତା’ ଜାତି ଯିବ । ସେ ଆମକୁ ଗାଳି ଦେଲା; ଦୁଦାଭାଇଙ୍କୁ କଷ୍ଟ ଦେଇଥିଲା । ଦୃଢ଼ ହୋଇ ସେ ସବୁ ଗାଳି ସହି ପାଣି ଆଣିବାକୁ ମୁଁ ସମସ୍ତଙ୍କୁ କହିଥିଲି । ସେ ଯେତେବେଳେ ଦେଖିଲା ଯେ, ଆମେ ଓଲଟା ଗାଳି ଦେଲୁ ନାହିଁ—ତାକୁ ଲାଜ ମାଡ଼ିଲା ଓ ସେ ଆମକୁ ବିରକ୍ତ କଲା ନାହିଁ ।

 

କିନ୍ତୁ ସବୁ ଆର୍ଥିକ ସାହାଯ୍ୟ ବନ୍ଦ ହୋଇଗଲା । ଯେଉଁ ବନ୍ଧୁ ପଚାରିଥିଲେ ଯେ ଆଶ୍ରମ ନିୟମ ମାନିଲାଭଳି ଅସ୍ପୃଶ୍ୟ ମିଳିବେ କି ନାହିଁ, ସେ ଆଶା କରି ନ ଥିଲେ ସେମିତିକିଆ ଜଣେ ସହଜେ ମିଳିଯିବେ ।

 

ଅର୍ଥ ସାହାଯ୍ୟ ବନ୍ଦ ସଙ୍ଗେ ସଙ୍ଗେ ଉଡ଼ାଖବର ମିଳିଲା ଯେ, ଆମକୁ ସମାଜ ବାସନ୍ଦର ପ୍ରସ୍ତାବ ଚାଲିଛି । ଆମେ ସେଥିପାଇଁ ପ୍ରସ୍ତୁତ ଥିଲୁ । ମୁଁ ସାଥୀମାନଙ୍କୁ କହି ରଖିଥିଲି, ଯଦି ଆମକୁ ବାସନ୍ଦ କରନ୍ତି ଏବଂ ଆମକୁ କିଛି ସାହାଯ୍ୟ ନ ମିଳେ, ତଥାପି ଆମେ ଅହମଦାବାଦ ଛାଡ଼ିବୁ ନାହିଁ-। ଆମେ ଯାଇ ଅସ୍ପୃଶ୍ୟ ପଡ଼ାରେ ରହିବୁ ଏବଂ ଯାହା ମିଳିବ ସେଥିରେ ଚଳିବୁ କିମ୍ବା ମୂଲ ଖଟି ବଞ୍ଚିବୁ ।

 

ଅବସ୍ଥା ଏମିତି ହେଲା ଯେ, ମଗନଲାଲ ଗାନ୍ଧୀ ମତେ ଦିନେ ନୋଟିସ ଦେଲେ, ‘‘ଆମର ଟଙ୍କା ନାହିଁ—ଆର ମାସକୁ କିଛି ନାହିଁ ।’’

 

ମୁଁ ଧୀରସ୍ଥିର ଭାବରେ ଜବାବ ଦେଇଥିଲି, ‘‘ତେବେ ତ ଆମେ ଅସ୍ପୃଶ୍ୟ ସାହିକୁ ଯିବା-।’’

 

ଏମିତି ପରୀକ୍ଷା ମୋ ଉପରେ ଆସି ପଡ଼ିବା ଏହା ପ୍ରଥମ ନ ଥିଲା । ଏଭଳି ଅବସ୍ଥାରେ ଭଗବାନ ଶେଷ ମୁହୂର୍ତ୍ତରେ ସାହାଯ୍ୟ ପଠେଇ ଦେଇଥାନ୍ତି । ମଗନଲାଲ ମତେ ଅର୍ଥସଙ୍କଟ ଜଣାଇବା ପରେ ପରେ ଦିନେ ସକାଳେ ଗୋଟିଏ ପିଲା ଆସି କହିଲା, ‘‘ଜଣେ ଶେଠ ମଟରରେ ବାହାରେ ଅପେକ୍ଷା କରିଛନ୍ତି ଓ ମତେ ଦେଖା କରିବାକୁ ଚାହାନ୍ତି ।’’ ମୁଁ ତାଙ୍କ ପାଖକୁ ଉଠିଗଲି ।

 

ସେ ପଚାରିଥିଲେ, ‘‘ମୁଁ ଆଶ୍ରମକୁ କିଛି ସାହାଯ୍ୟ ଦେବାକୁ ଚାହେଁ, ଆପଣ ଗ୍ରହଣ କରିବେ କି ?’’

 

ମୁଁ କହିଲି ନିଶ୍ଚୟ ! ଏ ମୁହୂର୍ତ୍ତରେ ଆମର ଭାରି ଟାଣଟୁଣ ପଡ଼ିଛି—ସେ କଥା ମଧ୍ୟ ଜଣାଉଛି ।’’

 

ସେ କହିଲେ, ‘‘ମୁଁ କାଲି ଏହି ସମୟରେ ଆସିବି । ଆପଣ ଏଠି ଥିବେ ତ ?’’ ମୁଁ ‘‘ହଁ’’ କଲି ଓ ଶେଠ ଗଲେ ।

 

ପରଦିନ ଠିକ୍ ସେତିକିବେଳେ ମଟରଗାଡ଼ି ଆସି ଶିଙ୍ଗା ବଜେଇଲା । ପିଲାଏ ଖବର ନେଇ ଆସି ମତେ ଦେଲେ । ଶେଠଜୀ ଭିତରକୁ ଆସିଲେ ନାହିଁ । ମୁଁ ବାହାରକୁ ଗଲି । ମୋ ହାତରେ ସେ ତେର ହଜାର ଟଙ୍କାର ନୋଟ ଦେଇ ମଟର ଚଳାଇ ଚାଲିଗଲେ ।

 

ମୁଁ ଏ ସାହାଯ୍ୟ ଆଶା କରି ନଥିଲି । ସାହାଯ୍ୟ ଦେବାର କି ନୂତନ ଧରଣ । ଭଦ୍ରଲୋକ ଆଶ୍ରମରେ ଆଗରୁ କେବେ ଗୋଡ଼ ପକେଇ ନ ଥିଲେ । ମୋର ଯେତେଦୂର ମନେ ପଡ଼ୁଥାଏ, ମୁଁ ତାଙ୍କୁ ପୂର୍ବରୁ ଥରେ ଭେଟିଥିଲି । ଦେଖିବା ନାହିଁ, ପଚାରିବା ନାହିଁ, କେବଳ ସାହାଯ୍ୟ ଦେଇ ଚାଲିଯିବା । ମୋର ଗୋଟିଏ ଅଭିନବ ଅନୁଭୂତି ହେଲା । ଏତକ ସାହାଯ୍ୟ ପାଇ ଅସ୍ପୃଶ୍ୟପଡ଼ାକୁ ଉଠିଯିବା ବନ୍ଦ ରହିଲା । ପ୍ରାୟ ବର୍ଷକ ପାଇଁ ଆମେ ନିରାପଦ ମଣିଲୁ ।

 

ବାହାରେ ଯେମିତି ଗୋଟିଏ ଝଞ୍ଜା ବହୁଥିଲା, ଆଶ୍ରମ ଭିତରେ ସେମିତି ଗୋଟିଏ ଝଡ଼ ବହୁଥିଲା । ଦକ୍ଷିଣ ଆଫ୍ରିକାରେ ଅସ୍ପୃଶ୍ୟ ପ୍ରଭୃତି ମୋ ଘରକୁ ଆସୁଥିଲେ, ରହୁଥିଲେ ଓ ଖାଉଥିଲେ-। ତଥାପି ଏଠି ଅସ୍ପୃଶ୍ୟ ପରିବାରଟି ଆସିବା ମୋ ସ୍ତ୍ରୀ ଓ ଅନ୍ୟ ସ୍ତ୍ରୀମାନଙ୍କୁ ଭଲ ଲାଗୁ ନଥିଲା । ଦାନୀବେନଙ୍କ ପ୍ରତି ଘୃଣା ନ ହେଉ ପଛକେ, ସେମାନଙ୍କ ଅବହେଳାଟା ମୋ ସୂକ୍ଷ୍ମ ଦୃଷ୍ଟିରେ ଓ ପତଳା କାନରେ ସହଜରେ ପଡ଼ୁଥିଲା । ଅର୍ଥାଭାବର ଡର ମତେ ବ୍ୟସ୍ତ କରି ନ ଥିଲା, ମାତ୍ର ଏ ଆଭ୍ୟନ୍ତରୀଣ ଝଡ଼ ଦୁଃଖଦାୟକ ହୋଇଥିଲା । ଦାନୀବେନ୍ ଗୋଟିଏ ସାଧାରଣ ସ୍ତ୍ରୀ ଲୋକ ଥିଲେ-। ଦୁଦାଭାଇଙ୍କର ଅଳ୍ପ ଶିକ୍ଷା ଥିଲା; ମାତ୍ର ଭଲ ବୁଦ୍ଧି ଥିଲା । ତାଙ୍କର ଧୈର୍ଯ୍ୟ ମୁଁ ପସନ୍ଦ କରୁଥିଲି । ମଧ୍ୟେ ମଧ୍ୟେ ସେ ଜଳି ଉଠୁଥିଲେ; କିନ୍ତୁ ମୋଟ ଉପରେ ତାଙ୍କର ସହିବା ଶକ୍ତି ମୁଁ ଦେଖି ପାରିଥିଲି-। ସାମାନ୍ୟ ସାମାନ୍ୟ ଅପମାନକୁ ସହିଯିବାକୁ ମୁଁ ତାଙ୍କୁ ନେହୁରା ହେଉଥାଏ । ସେଥିରେ ସେ ଯେ କେବଳ ରାଜି ହେଉଥିଲେ ତା’ ନୁହେଁ, ବରଂ ତାଙ୍କ ସ୍ତ୍ରୀଙ୍କୁ ସେହିଭଳି କରିବାକୁ ରାଜି କରାଉଥିଲେ-

 

ଏ ପରିବାରଟିର ପ୍ରବେଶରେ ଆଶ୍ରମର ଭଲ ଶିକ୍ଷା ହୋଇଥିଲା । ମୂଳରୁ ଆମେ ଦୁନିଆକୁ ଜଣେଇ ଦେଇଥିଲୁ ଯେ, ଆଶ୍ରମ ଅସ୍ପୃଶ୍ୟତା ମାନିବ ନାହିଁ । ଆଶ୍ରମର ସୀମା ଜଣା ପଡ଼ିଗଲା ଏବଂ ଏ ଦିଗରେ ଆଶ୍ରମର କାମ ସରଳ ହୋଇ ଯାଇଥିଲା । ଏହା ସତ୍ତ୍ୱେ ଏବଂ ଆଶ୍ରମର ଖର୍ଚ୍ଚ ବଢ଼ୁଥିବା ସତ୍ତ୍ୱେ ଯେଉଁମାନେ ଖର୍ଚ୍ଚ ଯୋଗାଉଛନ୍ତି, ସେମାନେ ଅଧିକାଂଶ ପ୍ରକୃତ ରକ୍ଷଣଶୀଳ ହିନ୍ଦୁ ଅଟନ୍ତି; ଏହା ସମ୍ଭବତଃ ସ୍ପଷ୍ଟ ଜଣାଇଦେଇଛି ଯେ ଅସ୍ପୃଶ୍ୟତାର ମୂଳ ହଲିଯାଇଛି-। ଏହାର ଅବଶ୍ୟ ଅନେକ ଭଲ ପ୍ରମାଣ ଅଛି, କିନ୍ତୁ ଯେଉଁ ଆଶ୍ରମରେ ଆମେ ଅସ୍ପୃଶ୍ୟଙ୍କ ସଙ୍ଗେ ଖାଇବାଯାଏ ଯାଉ, ସେ ଆଶ୍ରମକୁ ସେ ସନାତନୀ ବୋଲଉଥିବା ହିନ୍ଦୁମାନେ ସାହାଯ୍ୟ ଦେଉଛନ୍ତି–ଏ ପ୍ରମାଣ କିଛି କମ୍ ନୁହେଁ ।

 

ମୋର ଦୁଃଖ ହେଉଛି ଏ ବିଷୟରେ ଅନେକ ଘଟଣା ମତେ ଡେଇଁଯିବାକୁ ହେବ—କେମିତି ଆଶ୍ରମରେ ଅନ୍ୟାନ୍ୟ ଅନେକ ବିଷୟ ସଫା ହୋଇଥିଲା, ସେ ସମ୍ବନ୍ଧରେ କେତେ ସୂକ୍ଷ୍ମ ପ୍ରଶ୍ନ ସମାଧାନ ହୋଇଥିଲା, କେତେ ଅଚାନକ ଅସୁବିଧାକୁ ବରଣ କରିନେଲୁ, ଇତ୍ୟାତି ସତ୍ୟର ଅନୁସନ୍ଧାନ ସମ୍ପର୍କରେ କରାଯାଇଥିବା ପ୍ରୟୋଗ କଥା ସୁସଙ୍ଗୀତ ହେଲେ ବି ଛାଡ଼ିଯିବାକୁ ପଡ଼ିବ । ପରବର୍ତ୍ତୀ ଅଧ୍ୟାୟ ଗୁଡ଼ିକରେ ମଧ୍ୟ ସେହି ଦୋଷ ରହିଯିବ । ମତେ ଅନେକ ପ୍ରଧାନ କଥା ବାଦ ଦେବାକୁ ପଡ଼ିବ, କାରଣ ସେ ସବୁ ଘଟଣାରେ ସଂପୃକ୍ତ ଲୋକ ଆଜିଯାଏ ଜୀବିତ ଏବଂ ତାଙ୍କର ଅନୁମତି ନ ନେଇ ତାଙ୍କ ନାମ ଦେବା ବା ତାଙ୍କ ବିଷୟ ଲେଖିବା ଉଚିତ ହେବନାହିଁ । ତାଙ୍କ ଅନୁମତି ଆଣିବା ବା ତାଙ୍କ ସମ୍ବନ୍ଧୀୟ ଲେଖା ତାଙ୍କ ପାଖକୁ ପଠାଇ ସଂଶୋଧନ କରାଇ ଆଣିବା ସମ୍ଭବ ନୁହେଁ । ଅଧିକନ୍ତୁ ସେଭଳି କରିବା ଏ ଆତ୍ମଜୀବନୀର ସୀମାର ବାହାରେ । ସେଥିପାଇଁ ମୋର ଆଶଙ୍କା ଯେ, ଏଣିକି ଅନେକ କଥା ସତ୍ୟକୁ ଖୋଜିବା ଲୋକଙ୍କ ପାଇଁ ମୂଲ୍ୟବାନ ହେଲେ ବି ବାଦ୍ ରହିଯିବ । ତଥାପି ମୋର ଆଶା ଓ ଇଚ୍ଛା, ଭଗବାନ ଇଚ୍ଛାକଲେ ଏ କାହାଣୀ ଅସହଯୋଗ ସମୟଯାଏ କହିଯିବି ।

 

ବିଦେଶକୁ କୁଲି ନେବା ବନ୍ଦ

 

ନୂଆ ବସିଥିବା ଓ ବାହାରେ ଭିତରେ ଝଡ଼ରୁ ଉତୁରି ଯାଇଥିବା ଆଶ୍ରମରୁ ବିଦାୟ ନେଇ ଏବେ ଗିରିମିଟିଆ ପ୍ରଥାର ଟିକିଏ ଆଲୋଚନା କରିନେବା ।

 

ଗିରିମିଟିଆ ଅର୍ଥାତ୍ ପାଞ୍ଚବର୍ଷ ବା କମ୍ ସମୟପାଇଁ ଚୁକ୍ତି ଲେଖି ଦେଇ ବିଦେଶକୁ ମଜୁରୀ ଖଟିବାକୁ ଯାଉଥିବା ମୂଲିଆ । ନେଟାଲକୁ ଯାଉଥିବା ଗିରିମିଟିଆମାନଙ୍କ ଉପରେ ଟ୪୫ଙ୍କାର ବାର୍ଷିକ କର ୧୯୧୪ରେ ରଦ୍ଦ ହୋଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଗିରିମିଟିଆ ପ୍ରଥା ବନ୍ଦ ହୋଇ ନ ଥିଲା ।

 

୧୯୧୬ ମାର୍ଚ୍ଚରେ ବଡ଼ଲାଟ ସଭାରେ ଭାରତଭୂଷଣ ପଣ୍ଡିତ ମାଲବ୍ୟଜୀ ଏ ପ୍ରଶ୍ନ ଉଠାଇଥିଲେ ଏବଂ ଲର୍ଡ ହାର୍ଡିଂଜ ପ୍ରସ୍ତାବଟିକୁ ଗ୍ରହଣ କରି ଘୋଷଣା କରିଥିଲେ ଯେ, ସେ ସାମ୍ରାଜ୍ୟ ସରକାରଙ୍କ ଜବାବ ପାଇଛନ୍ତି, ଏ ପ୍ରଥା ‘ଯଥା ସମୟରେ’ ଉଠାଇ ଦିଆଯିବ । କିନ୍ତୁ ଏ ପ୍ରଥା ସଙ୍ଗେ ସଙ୍ଗେ ସେତିକିବେଳେ ବନ୍ଦ ହୋଇଯିବା ଉଚିତ ଥିଲା ବୋଲି ମତେ ସ୍ପଷ୍ଟ ଦେଖାଯାଉଥିଲା । କେବଳ ଅବହେଳାରୁ ଭାରତ ଏତେକାଳ ଏ ପ୍ରଥାକୁ ସହିଆସିଥିଲା । ଏବେ ଏହାକୁ ବନ୍ଦ କରେଇଲାଭଳି ଜାଗରଣ ଭାରତବାସୀଙ୍କର ଆସିଥିବାର ମୋର ବିଶ୍ୱାସ ହୋଇଥିଲା-। ମୁଁ କେତେକ ନେତାଙ୍କୁ ଦେଖା କରିଥିଲି, କେତେକ ଖବରକାଗଜରେ ଲେଖିଥିଲି । ଏହାକୁ ତୁରନ୍ତ ଉଠାଇ ଦେବା ସପକ୍ଷରେ ଲୋକମତ ଥିବାର ଦେଖିପାରିଥିଲି । ଏହା କଣ ସତ୍ୟାଗ୍ରହ ପାଇଁ ଉପଯୁକ୍ତ ବିଷୟ ହୁଅନ୍ତା ନାହିଁ ? ହୁଅନ୍ତାବୋଲି ମୋର ସନ୍ଦେହ ନ ଥିଲା । ମାତ୍ର କି ଉପାୟରେ କରାଯିବ, ତା’ ମତେ ଜଣା ନ ଥିଲା । ଇତ୍ୟବସରରେ ବଡ଼ଲାଟ ତାଙ୍କର ‘ଯଥା ସମୟରେ’, ଦି ପଦକୁ ବୁଝେଇବାର ସୁଯୋଗ ନେଇଥିଲେ । ଏହାର ଅର୍ଥ ସେ କରିଦେଲେ–‘‘ସେ କାମ ଚଳେଇବାପାଇଁ ଅନ୍ୟ କୌଣସି ବନ୍ଦୋବସ୍ତ କରିବା ତକ ଯେତେ ସମୟ ବିତିଯିବ, ତାହାରି ମଧ୍ୟରେ ଏ ପ୍ରଥା ଉଠିଯିବ ।’’

 

୧୯୧୭ ଫେବୃଆରୀରେ ଭାରତଭୂଷଣ ପଣ୍ଡିତ ମାଲବ୍ୟଜୀ ପ୍ରଥାଟିକୁ ସଙ୍ଗେ ସଙ୍ଗେ ଉଠାଇ ଦେବାପାଇଁ ଗୋଟିଏ ଆଇନ୍ ଆଗତ କରିଥିଲେ । ମାତ୍ର ବଡ଼ଲାଟ ଅନୁମତି ଦେଲେ ନାହିଁ-। ତେଣୁ ଏହି ବିଷୟରେ ମୁଁ ଭାରତବର୍ଷ ଚାରିଆଡ଼େ ବୁଲିବାକୁ ଆରମ୍ଭ କରିଥିଲି-

 

ଗସ୍ତ ଆରମ୍ଭ କରିବା ପୂର୍ବରୁ ଥରେ ବଡ଼ଲାଟଙ୍କ ସଙ୍ଗେ ମୋର ଦେଖା କରିବା ଉଚିତ ବିଚାରିଥିଲି । ସେ ମୋତେ ଦେଖା କରିବାକୁ ତୁରନ୍ତ ଦିନ ଠିକ୍ କରି ପଠାଇଥିଲେ । ତାଙ୍କର ସେକ୍ରେଟେରୀ ସେତେବେଳେ ମିଷ୍ଟର ମାଫି ଥିଲେ—ଏବେ ସେ ସାର ଜନ୍ ମାଫି । ମୋର ତାଙ୍କ ସହିତ ଖୁବ ଘନିଷ୍ଠ ସମ୍ପର୍କ ହୋଇ ଯାଇଥିଲା । ଲର୍ଡ଼ ଚେମସ୍‌ଫୋର୍ଡଙ୍କ ସଙ୍ଗେ ବେଶ ସନ୍ତୋଷଜନକ କଥାବାର୍ତ୍ତା ହେଲା । ସେ ନିର୍ଦ୍ଦିଷ୍ଟ କରି କିଛି ନ କହି ସାହାଯ୍ୟ କରିବେ ବୋଲି ଆଶା ଦେଇଥିଲେ ।

 

ମୁଁ ମୋର ଗସ୍ତ ବମ୍ବେରୁ ଆରମ୍ଭ କଲି । ସାଧାରଣ ସଭା ଡାକିବାକୁ ଶ୍ରୀ ଜାହାଙ୍ଗୀର ପେଟିଟ୍ ଭାର ନେଇଥିଲେ । ‘ସାମ୍ରାଜ୍ୟ ନାଗରିକ ସଭା’ ତରଫରୁ ଏ ସଭା ହୋଇଥିଲା । ଏ ସଭାର କାର୍ଯ୍ୟକାରୀ ସମିତି ପ୍ରଥମେ ବସି ସାଧାରଣ ସଭାପାଇଁ କେତୋଟି ପ୍ରସ୍ତାବ ଚିଠା କରିଥିଲେ । ଡାକ୍ତର ଷ୍ଟାନ୍‌ଲି ରୀଡ଼୍, ଶ୍ରୀଯୁକ୍ତ (ଏବେ ସାର୍) ଲାଲୁଭାଇ ସାମଲଦାସ, ଶ୍ରୀ ନଟରାଜନ ଓ ମି. ପେଟିଟ୍—ଏମାନେ ଏ ସମିତ ବୈଠକରେ ଥିଲେ । ଏ ଗିରିମିଟି ପ୍ରଥା ଉଠାଇ ଦିଆଯିବାକୁ ସରକାରଙ୍କୁ ଅନୁରୋଧ କରିବାର ପ୍ରସ୍ତାବ ହୋଇଥିଲା । ମାତ୍ର କେବେ ଉଠିବ, ସେହି ସମ୍ବନ୍ଧେ ଆଲୋଚନା ହୋଇଥିଲା । ତିନୋଟି ସୂଚନା ଥିଲା, ଯଥା—‘‘ଯେତେଶୀଘ୍ର ସମ୍ଭବ’’, ‘‘ଜୁଲାଇ ୩୧ ତାରିଖ ଭିତରେ’’ ଏବଂ ‘‘ସଙ୍ଗେ ସଙ୍ଗେ’’ । ‘‘ଜୁଲାଇ ୩୧ ତାରିଖ’’ ମୋର ସୂଚନା ଥିଲା । ମୋର ନିର୍ଦ୍ଦିଷ୍ଟ ତାରିଖ ଲୋଡ଼ାଥିଲା, କାରଣ ଆମର ପ୍ରାର୍ଥନା ନ ଶୁଣିଲେ ଆମେ କ’ଣ କରିବା ବା କ’ଣ କରିହେବ ତା’ ବିଚାରିବା । ସାର୍ ଲାଲୁଭାଇ ‘‘ସଙ୍ଗେ ସଙ୍ଗେ’’ ସପକ୍ଷରେ ଥିଲେ । ସେ କହୁଥିଲେ, ‘‘ସଙ୍ଗେ ସଙ୍ଗେ’’ କହିଲେ ଜୁଲାଇ ୩୧ ତାରିଖଠାରୁ ଆହୁରି କମ୍ ସମୟ ମଧ୍ୟରେ ବୋଲି ବୁଝାଇବ । ଲୋକେ ଯେ ସଙ୍ଗେ ସଙ୍ଗେ କଥାକୁ ବୁଝିବେ ନାହିଁ, ଏ କଥା ମୁଁ ଦର୍ଶାଇଥିଲି । ଆମେ ଯଦି ଲୋକଙ୍କୁ କାମରେ ଲଗାଇବୁ ଚାହୁଁ, ତେବେ ତାଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ଦେବାକୁ ହେବ । ‘ସଙ୍ଗେ ସଙ୍ଗେ’କୁ ପ୍ରତ୍ୟେକ ନିଜ ନିଜର ମାନେ କରିବେ—ସରକାର ଗୋଟିଏ ପ୍ରକାରେ, ଲୋକେ ମଧ୍ୟ ଅନ୍ୟ ପ୍ରକାରର କରିବେ । କିନ୍ତୁ ୩୧ ତାରିଖ ଜୁଲାଇରେ ଆଉ ଭୁଲ ବୁଝିବାର କିଛି ନ ଥିବ ଏବଂ ସେ ତାରିଖ ମଧ୍ୟରେ କିଛି ନ ହେଲେ ଆମେ କଣ କରିବୁ ଏହା ବୁଝିବା । ଡାକ୍ତର ରୀଡ୍ ଯୁକ୍ତିର ତାପର୍ଯ୍ୟ ବୁଝିଥିଲେ । ପରେ ଲାଲୁଭାଇ ମଧ୍ୟ ରାଜି ହୋଇଥିଲେ । ଶେଷରେ ଆମେ ଜୁଲାଇ ୩୧ ତାରିଖ ପ୍ରସ୍ତାବରେ ଦେଲୁ । ସାଧାରଣ ସଭାରେ ଏ ପ୍ରସ୍ତାବ ପଡ଼ିଥିଲା ଏବଂ ସମସ୍ତେ ୩୧ତାରିଖ ଧାର୍ଯ୍ୟ କରିଥିଲେ ।

 

ଶ୍ରୀମତୀ ଜେର୍ଜୀ ପେଟିଟ୍‌ ବଡ଼ଲାଟଙ୍କ ନିକଟକୁ ବମ୍ବେରୁ ଗୋଟିଏ ମହିଳା ଡେପୁଟେସନ୍‌ ପଠାଇବା ପାଇଁ ତାଙ୍କର ସମସ୍ତ ଶକ୍ତି ଲଗେଇ ଉଦ୍ୟମ କରିଥିଲେ । ଡେପୁଟେସନରେ ଶ୍ରୀମତୀ (ଲେଡ଼ା) ଟାଟା ଓ ସ୍ୱର୍ଗୀୟା ଦିଲ୍‌ଶାଦ୍ ବେଗମ୍‌ ପ୍ରଭୃତି ଥିଲେ । ସବୁ ଭଉଣୀଙ୍କ ନା ମନେ ନାହିଁ; କିନ୍ତୁ ଡେପୁଟେସନ୍‌ର ପ୍ରଭାବ ଭଲ ହୋଇଥିଲା । ବଡ଼ଲାଟ ବଡ଼ ଉତ୍ସାହ ଜନକ ଜବାବ ଦେଇଥିଲେ ।

 

ମୁଁ କରାଚୀ, କଲିକତା ଓ ଅନ୍ୟାନ୍ୟ ସ୍ଥାନ ବୁଲିଥିଲି । ସବୁଠାରେ ଭାରି ଭଲ ସଭା ହୋଇଥିଲା ଏବଂ ଅସୀମ ଉତ୍ସାହ ଦେଖା ଯାଇଥିଲା । ଆନ୍ଦୋଳନ ଆରମ୍ଭ କଲାବେଳେ ଏତେଟା ଆଶାକରି ନ ଥିଲି ।

 

ସେ ସମୟରେ ମୁଁ ରେଳରେ ଏକା ଯା ଆସ କରୁଥିଲି । ସେଥିପାଇଁ ମୋତେ ବଡ଼ ଅଦ୍ଭୁତ ଅନୁଭୂତି ମିଳୁଥିଲା । ଗୁଇନ୍ଦାପୁଲିସ୍‌ ସବୁବେଳେ ମୋ ପିଛା ଧରୁଥିଲେ । ଏମାନଙ୍କ ସଙ୍ଗେ ମୋର କଳିର କୌଣସି କାରଣ ନଥାଏ । ମୋର ତ ଲୁଚାଇବାର କିଛି ନ ଥିଲା, ମତେ ସେମାନେ କଷ୍ଟ ଦେଉ ନ ଥିଲେ—ମୁଁ ମଧ୍ୟ ସେମାନଙ୍କୁ କିଛି କଷ୍ଟ ଦେଉ ନ ଥିଲି । ଭାଗ୍ୟକୁ ସେତେବେଳଯାଏ ମହାତ୍ମା ଛାପା ମୋଠାରେ ନ ଥିଲା । ତଥାପି ମତେ ଯେଉଁଠି ଜାଣିଥିଲେ, ସେଠି ପ୍ରାୟ ସବୁଠାରେ ଲୋକେ ସେହି ଚିତ୍‌କାର କରୁଥିଲେ ।

 

ଥରେ ଗୁପ୍ତ ପୁଲିସମାନେ ମତେ ଅନେକ ଷ୍ଟେସନରେ ବ୍ୟସ୍ତ କଲେ, ମୋ ଟିକେଟ ମାଗିଲେ ଓ ସେ ସବୁ ନମ୍ବର ଟିପିନେଲେ । ମୁଁ ତାଙ୍କର ସବୁ ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ଦେଉଥିଲି । ସହଯାତ୍ରୀମାନେ ମତେ ଗୋଟିଏ ସାଧୁ ବା ଫକୀର ବୋଲି ଭାବିଥିଲେ । ଦି ଚାରିଟା ଷ୍ଟେସନରେ ଗୁଇନ୍ଦା ପୁଲିସ ଆସିଥିଲେ । ସେଥିରେ ଯାତ୍ରୀମାନେ ଚିଡ଼ିଗଲେ ଓ ପୁଲିସ୍‌ବାଲାଙ୍କୁ ଗାଳିଦେଇ ଧମକେଇଥିଲେ । ‘‘କାହିଁକି ବିଚରା ସାଧୁଟିକୁ ହଇରାଣ କରୁଛ ?’’ କହି ଏଣେ ମତେ କହିଥିଲେ ବଦମାସ୍‌ଗୁଡ଼ାଙ୍କୁ ଟିକଟ ଦେଖାନ୍ତୁ ନାହିଁ ।’’

 

ମୁଁ ତାଙ୍କୁ ଧୀରେ କହିଥିଲି, ‘‘ଟିକଟ ଦେଖାଇବା ତ ମୋ ପକ୍ଷରେ କଷ୍ଟର କଥା ନୁହେଁ–ସେମାନେ ତାଙ୍କ କର୍ତ୍ତବ୍ୟ କରୁଛନ୍ତି । ସେଥିରେ ମୋର ଦୁଃଖ ନାହିଁ ।’’

 

ଯାତ୍ରୀମାନେ ଏଥିରେ ସନ୍ତୁଷ୍ଟ ହେଲେ ନାହିଁ । ଅଧିକ ଅଧିକ ସହାନୁଭୂତି ଦେଖେଇଥିଲେ ଏବଂ ନିର୍ଦ୍ଦୋଷ ଲୋକଙ୍କ ପ୍ରତି ଏଭଳି ମନ୍ଦ ବ୍ୟବହାର କାହିଁକି ହୋଇଥାଏ ବୋଲି ପରସ୍ପରରେ କଥାବାର୍ତ୍ତା କରିଥିଲେ ।

 

ମାତ୍ର ଗୁପ୍ତ ପୋଲିସଙ୍କ ଏ ଜୁଲମ ତ କିଛି ନଥିଲା । ରେଲ ଭିଡ଼ରେ ସବୁଠାରୁ ତିକ୍ତ ଅନୁଭୂତି ଦିଲ୍ଲୀରୁ ଲାହୋରଯାଏ ହୋଇଥିଲା । ମୁଁ କରାଚୀରୁ ଲାହୋରବାଟେ କଲିକତା ଯାଉଥିଲି, ସେଠି ଗାଡ଼ି ବଦଳାଇବାର କଥା । ଗାଡ଼ିରେ ଟିକିଏ ସ୍ଥାନ ପାଇବା ଅସମ୍ଭବ ଥିଲା । ଯାତ୍ରୀମାନେ କେବଳ ଜୋରଜବରଦସ୍ତି କରି ନିଜ ବାଟ କରି ନେଇଥିଲେ—କବାଟ ବନ୍ଦ ଥିଲେ ମଧ୍ୟ ଝରକାବାଟେ ଗଳି ପଶୁଥିଲେ । ମୋର ତ କଲିକତାରେ ନିର୍ଦ୍ଦିଷ୍ଟ ତାରିଖରେ ପହୁଞ୍ଚିବାର କଥା ଥିଲା, ଏ ଗାଡ଼ି ଛାଡ଼ିଥିଲେ ଆଉ ପହଞ୍ଚିପାରି ନ ଥାନ୍ତି । ଗାଡ଼ିରେ ପଶିବା ଆଶା ତ ପ୍ରାୟ ଛାଡ଼ିଦେଇଥିଲି । ମତେ କେହି ପୂରାଇ ଦେଉ ନ ଥିଲେ । ଶେଷରେ ଗୋଟିଏ ବୋଝିଆ ମୋର ଦୁରବସ୍ଥା ଦେଖି ମତେ କହିଲା, ‘‘ବାରଅଣା ଦେବ ତ ସ୍ଥାନ କରେଇ ଦେବି ।’’ ମୁଁ କହଲି, ‘‘ହଁ, ଯଦି ସ୍ଥାନ କରିଦେବ ବାରଅଣା ଦେବି ।’’ ଯୁବକଟି ଏ ଦରଜାରୁ ସେ ଦରଜାକୁ ଗାଡ଼ି ତମାମ୍‌ଯାତ୍ରୀଙ୍କୁ ନିବେଦନ କରିଗଲା, କେହି ଶୁଣିଲେ ନାହିଁ । ଗାଡ଼ି ଛାଡ଼ୁଛି, କେତେଜଣ ଯାତ୍ରୀ କହିଲେ, ‘‘ଏଠି ସ୍ଥାନ ତ ନାହିଁ, ତେବେ ଇଚ୍ଛା ହେଉଛି ତ ତାଙ୍କୁ ଠେଲି ପୂରେଇ ଦିଅ । ଛିଡ଼ା ହେବାକୁ ପଡ଼ିବ ।’’ ବୋଝିଆଟି ପଚାରିଲା, ‘‘କଣ ରାଜି ?’’ ମୁଁ ରାଜି ହୋଇଗଲି ଏବଂ ସେ ମତେ ଟେକି ଝରକାବାଟେ ଭିତରକୁ ପକେଇ ଦେଲା । ମୁଁ ଭିତରକୁ ପଶିଲି ଏବଂ ବୋଝିଆ ତାର ବାରଅଣା ଅରଜିଲା ।

 

ରାତିଟିଯାକ ଗୋଟିଏ ପରୀକ୍ଷା । ଅନ୍ୟଯାତ୍ରୀମାନେ କୌଣସି ରକମ ବସିଥିଲେ । ଉପର ଝୁଲା ବେଞ୍ଚରେ ଜଞ୍ଜିରକୁ ଧରି ମୁଁ ଦୁଇଟି ଘଣ୍ଟାଏ ଛିଡ଼ାହୋଇ ରହିଲି । ଇତ୍ୟବସରେ କେତେକ ଯାତ୍ରୀ ମତେ ଅନବରତ ବିରକ୍ତ କରୁଥାନ୍ତି, ‘‘ତମେ ବସୁନାହଁ କାହିଁକି ?’’ ମୁଁ ତାଙ୍କୁ ବୁଝାଉଥାଏ ଯେ ଜାଗା ନ ଥିଲା । କିନ୍ତୁ ସେମାନେ ଉପର ବେଞ୍ଚରେ ଲମ୍ବ ହୋଇ ଶୋଇଥିଲେ ସୁଦ୍ଧା ମୋ ଛିଡ଼ା ହେବାଟାକୁ ବି ସହିପାରୁ ନଥାନ୍ତି ମତେ ବାରମ୍ବାର ବିରକ୍ତ କରୁଥାନ୍ତି, ମୁଁ ମଧ୍ୟ ତାଙ୍କୁ ଧୀରସ୍ଥିର ଭାବରେ ଜବାବ ଦେଉଥାଏ । ସେଥିରେ ସେ ଟିକିଏ ଶାନ୍ତ ହେଲେ । ମୋ ନାଁ ପଚାରିଲେ । ମୋ ନାମ ଶୁଣି ଟିକିଏ ଲଜ୍ଜିତ ହେଲେ । କ୍ଷମାଭିକ୍ଷା କରି ଆପଣା ପାଖରେ ମତେ ସ୍ଥାନ କରିଦେଲେ । ‘‘ଧୈର୍ଯ୍ୟର ପୁରସ୍କାର ମିଳେ’’ ଏ ପ୍ରବାଦ ମୋର ମନେପଡ଼ିଲା । ମୁଁ ଖୁବ୍‌ ଥକିପଡ଼ିଥିଲି । ମୋ ମୁଣ୍ଡ ବୁଲାଉଥିଲା । ଠିକ୍‌ ଯେତେବେଳେ ବସିବା ବେଶୀ ଲୋଡ଼ା ଥିଲା, ସେତିକିବେଳେ ଭଗବାନ ଜାଗା ଦେଲେ ।

 

ଏମିତି କ୍ଲାନ୍ତ ହୋଇ ମୁଁ ଠିକ୍‌ ସମୟରେ କଲିକତାରେ ପହଞ୍ଚିଲି । କଲିକତା ସଭାର ସଭାପତି କାଶିମ୍‌ବଜାରର ମହାରାଜାଙ୍କ ନିମନ୍ତ୍ରଣରେ ତାଙ୍କର ଅତିଥି ହୋଇଥିଲି । କରାଚୀଭଳି ଏଠାରେ ମଧ୍ୟ ଲୋକଙ୍କର ଉତ୍ସାହ ଉଛୁଳିଉଠିଥିଲା । ସଭାରେ ଅନେକ ଇଂରେଜ ଲୋକ ଯୋଗ ଦେଇଥିଲେ ।

 

୩୧ ତାରିଖ ଜୁଲାଇ ପୂର୍ବୁରୁ କୁଲି ନେବା ପ୍ରଥା ବନ୍ଦ ହେବାର ସରକାରୀ ଘୋଷଣା ବାହାରିଥିଲା ।

 

ଏ ପ୍ରଥା ବିରୋଧରେ ପ୍ରଥମ ଦରଖାସ୍ତ ମୁଁ ୧୮୯୪ ରେ ଚିଠା କରିଥିଲି ଏବଂ ଦିନେ ଏ ‘ଅଧାଗୋଲାମୀ’ ପ୍ରଥା ଉଠିଯିବ ବୋଲି ଆଶା କରିଥିଲି ।

 

୧୮୯୪ରୁ ଆରମ୍ଭ ହୋଇଥିବା ଏ ଆନ୍ଦୋଳନରେ ଅନେକେ ସାହାଯ୍ୟ କରିଥିଲେ । କିନ୍ତୁ ଏହା ପଛରେ ଶୁଦ୍ଧ ସତ୍ୟାଗ୍ରହ ଥିଲା ବୋଲି ମୁଁ ନ କହି ରହିପାରୁନାହିଁ ।

 

ସେ ଆନ୍ଦୋଳନ ଓ ସେଥିରେ ଯୋଗ ଦେଇଥିବା ଲୋକଙ୍କର ସବିଶେଷ ସଂବାଦ ପାଠକମାନଙ୍କୁ ମୋର ‘ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ’ ପୁସ୍ତକରୁ ଅଧିକ ମିଳିବ ।

 

ନୀଳବଡ଼ିର କଳଙ୍କ

 

ଚମ୍ପାରଣ ଜନକ ରାଜାଙ୍କ ଦେଶ । ଯେମିତି ସେଠି ଆମ୍ବତୋଟା ପ୍ରଚୁର, ସେମିତି ୧୯୧୭ ଯାଏ ସେଠି ନୀଳ ଚାଷ ମଧ୍ୟ ପ୍ରଚୁର ଥିଲା । ଚମ୍ପାରଣର ପ୍ରଜା ତା’ର ଜମିରେ କୋଡ଼ିଏ ଭାଗରୁ ତିନି ଭାଗରେ ତା’ର ଜମିଦାର ପାଇଁ ନୀଳ ଚାଷ କରିବାକୁ ଆଇନତଃ ବାଧ୍ୟ ଥିଲା । ଏହି ପ୍ରଥାକୁ ତିନିକାଠିଆ ପ୍ରଥା କହୁଥିଲେ, କାରଣ ସେଠି ମାଣକ କୋଡ଼ିଏ କାଠା ଏବଂ ସେଥିରୁ ତିନି କାଠାରେ ନୀଳଚାଷ କରିବାକୁ ପଡ଼ୁଥିଲା ।

 

ମୁଁ ମାନୁଛି, ସେତେବେଳେ ମୁଁ ଚମ୍ପାରଣର ନାମଗନ୍ଧ ଜାଣି ନ ଥିଲି । ନୀଳଚାଷ ହୁଏ, ଏ ଧାରଣା ମୋର ଏକରକମ ନ ଥିଲା । ମୁଁ ନୀଳବଡ଼ି ଦେଖିଥିଲି, ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ଯେ, ଏସବୁ ଚମ୍ପାରଣରୁ ଆମଦାନୀ ହେଉଥିଲା ଏବଂ ସେଥିଯୋଗୁଁ ହଜାର ହଜାର ଚାଷୀ କଷ୍ଟ ଭୋଗୁଥିଲେ ।

 

ରାଜକୁମାର ଶୁକ୍ଳ ନାମକ ଜଣେ ଚାଷୀ ଚମ୍ପାରଣରେ ଥିଲେ । ତାଙ୍କୁ ଏହି କଷ୍ଟ ଖୁବ୍‌ ଭୋଗିବାକୁ ପଡ଼ୁଥିଲା । ତାହାରି ଫଳସ୍ୱରୂପ ସମସ୍ତଙ୍କ ପାଇଁ ଏ ନୀଳବଡ଼ିର କଳଙ୍କକୁ ଧୋଇ ସଫା କରିବାର ସଂକଳ୍ପ (ଉତ୍ସାହ) ତାଙ୍କ ମନରେ ଆସିଥିଲା ।

 

୧୯୧୬ରେ ଲକ୍ଷ୍ନୌ କଂଗ୍ରେସକୁ ମୁଁ ଯାଇଥିଲି । ସେଠି ଏ ଚାଷୀ ମୋ ପିଛା ଧରିଥିଲେ । ଓକିଲବାବୁ ଆମ ଦୁଃଖ କଥା ସବୁ ଆପଣଙ୍କୁ କହିବେ, ଏହା କହି ସେ ମତେ ଚମ୍ପାରଣକୁ ଯିବାକୁ ଲଗାଇଲେ । ଓକିଲବାବୁ ଥିଲେ ଚମ୍ପାରଣର ମୋର ପ୍ରିୟସାଥୀ, ବିହାରର ସାଧାରଣ କାମର ପ୍ରାଣ ସ୍ୱରୂପ, ବ୍ରଜକିଶୋର ବାବୁ । ରାଜକୁମାର ଶୁକ୍ଲ ତାଙ୍କୁ ମୋ ତମ୍ବୁକୁ ଡାକି ଆଣିଲେ । ସେ ଗୋଟିଏ କଳା ଅଲପକ୍‌କା ଅଚକନ ଓ ପାଇଜାମା ପିନ୍ଧିଥିଲେ । ମୋ ଉପରେ ତାଙ୍କର ଭଲ ପ୍ରଭାବ ପଡ଼ି ନ ଥିଲା । ମୋର ଧାରଣା ହେଲା ଯେ, ସରଳ ଚାଷୀଙ୍କୁ ଲୁଟି କରୁଥିବା କେହି ଓକିଲ ହୋଇଥିବେ । ଚମ୍ପାରଣ ସମ୍ବନ୍ଧେ ତାଙ୍କଠାରୁ କିଛି ଶୁଣିଥିଲି । ମୋର ସ୍ୱାଭାବିକ ଢଙ୍ଗରେ ମୁଁ କହିଥିଲି, ‘‘ନିଜେ ନ ଦେଖିଲେ ମୁଁ କିଛି ମତ ଦେଇପାରିବି ନାହିଁ । କଂଗ୍ରେସରେ ଆପଣ କହନ୍ତୁ ଏବଂ ବର୍ତ୍ତମାନ ପାଇଁ ଆପଣ ମତେ ଛାଡ଼ିଦିଅନ୍ତୁ ।’’

 

ରାଜକୁମାର ଶୁକ୍ଳ ଅବଶ୍ୟ କଂଗ୍ରେସର ସାହାଯ୍ୟ ଲୋଡ଼ୁଥିଲେ । ଚମ୍ପାରଣ ବିଷୟରେ ବ୍ରଜକିଶୋର ବାବୁ କହିଥିଲେ ଏବଂ ସହାନୁଭୂତି ପ୍ରସ୍ତାବ ଗୃହୀତ ହୋଇଥିଲା ।

 

ରାଜକୁମାର ଶୁକ୍ଳ ଖୁସି ହୋଇଥିଲେ । କିନ୍ତୁ ସେତିକିରେ ସନ୍ତୁଷ୍ଟ ହୋଇ ନ ଥିଲେ । ସେ ମତେ ଚମ୍ପାରଣରେ ପ୍ରଜାଙ୍କ ଦୁଃଖ ଦେଖାଇବାକୁ ଚାହୁଁଥିଲେ । ମୋର ଗସ୍ତରେ ମୁଁ ଚମ୍ପାରଣ ରଖିବି ଏବଂ ଦିନେ ଦି ଦିନ ଦେବି ବୋଲି କହିଥିଲି । ସେ କହିଲେ ଦିନଟାଏ ଯଥେଷ୍ଟ ହେବ, ଆଖିରେ ଥରେ ଦେଖନ୍ତୁ ।

 

ମୁଁ ଲକ୍ଷ୍ନୌରୁ କାନପୁର ଗଲି । ରାଜକୁମାର ଶୁକ୍ଳ ପଛେ ପଛେ ହାଜର । ‘‘ଚମ୍ପାରଣ ଏଠୁ ଖୁବ୍ ପାଖ—ଦିନଟାଏ ଚାଲନ୍ତୁ ।’’

 

ମୁଁ କହିଲି, ଏଥରଟା ମତେ କ୍ଷମାକର, କିନ୍ତୁ ମୁଁ ଜବାବ ଦେଇଛି ମୁଁ ଆସିବି । ଏୟା କହି ମୁଁ ବେଶୀ ବନ୍ଧାପଡ଼ିଲି । ମୁଁ ଆଶ୍ରମକୁ ଫେରିଗଲି । ରାଜକୁମାର ସେଠି ମଧ୍ୟ ପହୁଞ୍ଚିଥିଲେ ଏବଂ କହିଥିଲେ ‘‘ଏବେ ଦିନ ଠିକ୍ କରନ୍ତୁ ।’’

 

ମୁଁ କହିଥିଲି, ‘‘ହଉ ଅମୁକ ଦିନ’’ ମୁଁ କଲିକତାରେ ଥିବି । ସେଠାକୁ ଯିବ ଏବଂ ମତେ ସେଠୁ ସାଙ୍ଗରେ ନେଇଯିବ । ମୁଁ ଜାଣି ନ ଥିଲି ମତେ କେଉଁଠାକୁ ଯିବାକୁ ହେବ, କ’ଣ କରିବାକୁ ହେବ ବା କ’ଣ ଦେଖିବାକୁ ହେବ ।

 

ମୁଁ କଲିକତାରେ ଭୂପେନବାବୁଙ୍କ ଘରେ ପହଞ୍ଚିବା ପୂର୍ବରୁ ରାଜକୁମାର ସେଠି ଆସ୍ଥାନ ଜମେଇଥିଲେ । ଏମିତି ଏ ସରଳ ଅପାଠୁଆ ମାତ୍ର ଦୃଢ଼ପ୍ରତିଜ୍ଞ ଚାଷୀଟି ମତେ ଜିତି ଯାଇଥିଲା ।

 

୧୯୧୭ ଆରମ୍ଭରେ ଆମେ ଦିଜଣ କଲିକତାରୁ ବାହାରିଲୁ । ଦୁହେଁ ଯୋଡ଼ି ଜୁଟିଥିଲୁ, ଦି ଜଣଯାକ ଚାଷୀପରି ଦେଖାଯାଉଥିଲୁ । ରାଜକୁମାର ଶୁକ୍ଳ ଯେଉଁ ଗାଡ଼ିକୁ ନେଲା, ସେଥିରେ ବସିଲୁ । ସକାଳୁ ପାଟନାରେ ପହଞ୍ଚିଲୁ ।

 

ପାଟନାକୁ ଏହି ମୋର ପ୍ରଥମ ଗସ୍ତ । ପାଟନାରେ କାହା ଘରେ ରହିବି, ଏମିତି ମୋର କେହି ଚିହ୍ନା ସେଠି ନଥିଲେ । ମୋର ଧାରଣା ଥିଲା, ରାଜକୁମାର ଶୁକ୍ଳ ସରଳ ଚାଷୀ ହେଲେ ମଧ୍ୟ ତାଙ୍କର କିଛି ପ୍ରତିପତ୍ତି ଥିବ । ବାଟରେ ତାଙ୍କୁ ଅଧିକ ଜାଣିବାର ସୁଯୋଗ ପାଇଥିଲି । ପାଟନାରେ ସବୁ ଗୁଣ ଜଣାପଡ଼ିଗଲା । ସେ ବିଚରା କିଛି ଜାଣି ନ ଥିଲେ । ଯେଉଁ ଓକିଲମାନଙ୍କୁ ସେ ନିଜର ବନ୍ଧୁ ବୋଲି ମନେ କରୁଥିଲେ, ସେମାନେ ପ୍ରକୃତରେ ତାଙ୍କର ବନ୍ଧୁ ନ ଥିଲେ । ବିଚରା ରାଜକୁମାର ତାଙ୍କର ଜାଗିରି ପ୍ରଜା ଭଳି ଜଣା ପଡ଼ୁଥିଲେ । ଏ ଚାଷୀ ମହକିଲ ଓ ଓକିଲଙ୍କ ଭିତରେ ଅନ୍ତର ଚତୁର୍ମାସ୍ୟାରେ ଗଙ୍ଗାର ଓସାର ଭଳି ।

 

ରାଜକୁମାର ମତେ ପାଟଣାରେ ରାଜେନ୍ଦ୍ରବାବୁଙ୍କ ଘରକୁ ନେଇଗଲେ । ରାଜେନ୍ଦ୍ରବାବୁ ପୁରୀ କିମ୍ବା ଅନ୍ୟ କେଉଁଠିକି ଯାଇଥିଲେ । ଜଣେ ଦିଜଣ ଚାକର ବଙ୍ଗଳାରେ ଥିଲେ । ମୋ ସାଙ୍ଗରେ ଖାଇବା ଜିନିଷ କିଛି ଥିଲା । ମୁଁ କିଛି ଖଜୁର ଆବଶ୍ୟକ କରିଥିଲି । ରାଜକୁମାର ଶୁକ୍ଳ ତାହା ବଜାରରୁ କିଣିଆଣି ଦେଇଥିଲେ । ବିହାରରେ ଅସ୍ପୃଶ୍ୟତା ଭାରି ଜୋର ଥିଲା । ମୋର ବାଲଟିର ପାଣି ପଡ଼ିଲେ ଚାକରମାନଙ୍କୁ ମାରା କରିଦେବ । ଚାକର କ’ଣ ଜାଣେ ମୁଁ କେଉଁ ଜାତିର ହୋଇଥିବି ? ରାଜକୁମାର ମତେ ଭିତର ପାଇଖାନା ବାଟ ଦେଖେଇ ଦେବାରୁ ଚାକରମାନେ ତତ୍‍କ୍ଷଣାତ ବାହାର ପାଇଖାନାକୁ ବାଟ ଦେଖାଇଦେଲେ । ଏଥିରେ ବ୍ୟସ୍ତ ଚିନ୍ତିତ ହେବାର କିଛି ନ ଥିଲା । କାରଣ ଏଭଳି ଅଭିଜ୍ଞତା ମୋର ଦେହଘଷିଆ ହୋଇଯାଇଥିଲା । ଚାକରମାନେ ତାଙ୍କର କର୍ତ୍ତବ୍ୟ କରୁଥିଲେ ଏବଂ ମନେ କରୁଥିଲେ, ରାଜେନ୍ଦ୍ରବାବୁଙ୍କ ପ୍ରତି କର୍ତ୍ତବ୍ୟ ବଜାୟ ରଖୁଛନ୍ତି ।

 

ଏହିସବୁ ମନୋହର ଅନୁଭୂତିରୁ ରାଜକୁମାରଙ୍କ ପ୍ରତି ମୋର ଶ୍ରଦ୍ଧା ବଢ଼ିଗଲା ଏବଂ ତାଙ୍କୁ ଭଲକରି ଜାଣିବାର ସୁବିଧା ମିଳିଗଲା । ପାଟନାରୁ ମୁଁ ଲଗାମ (ବାଗଡ଼ୋରି) ନିଜ ହାତକୁ ନେଲି ।

 

ବିହାରୀ ସରଳତା

 

ମୌଲନା ମଜହରୁଲ୍‌ ହକ୍‌ ଓ ମୁଁ ବିଲାତରେ ଏକା ସମୟରେ ପଢ଼ୁଥିଲୁ । ତା’ପରେ ୧୯୧୫ରେ ବମ୍ବେ କଂଗ୍ରେସ ସମୟରେ ସେ ଯେତେବେଳେ ମୁସ୍‌ଲିମ୍‍ଲୀଗ୍‌ର ସଭାପତି ହୋଇଥିଲେ, ମୁଁ ତାଙ୍କୁ ପୁଣି ଭେଟିଥିଲି । ପୁରୁଣା ପରିଚୟରୁ ପାଟନା ଗଲେ ତାଙ୍କ ଘରେ ରହିବାକୁ ସେ ମତେ ନିମନ୍ତ୍ରଣ କରିଥିଲେ । ଏ ନିମନ୍ତ୍ରଣ ଉପରେ ନିର୍ଭର କରି ମୁଁ ମୋ ଆସିବା ଉଦ୍ଦେଶ୍ୟ ଜଣାଇ ତାଙ୍କୁ ଖଣ୍ଡେ ଚିଠି ଲେଖି ପଠାଇଲି । ସେ ସଙ୍ଗେ ସଙ୍ଗେ ମଟରରେ ଆସି ମତେ ତାଙ୍କ ଘରକୁ ନେଇ ଯିବାକୁ ବଳେଇଲେ । ମୁଁ ତାଙ୍କୁ ଧନ୍ୟବାଦ ଦେଇଥିଲି ଏବଂ ଯେଉଁଠିକି ଯିବାର କଥା ସେଠାକୁ ପହିଲି ଗାଡ଼ିରେ ପଠାଇଦେବାକୁ କହିଥିଲେ । ରେଲୱେ ଗାଇଡ଼୍‌ରୁ ମତେ ଠିକ ଜଣା ପଡ଼ନ୍ତା ନାହିଁ । ସେ ରାଜକୁମାର ଶୁକ୍ଳ ସଙ୍ଗେ କଥାବାର୍ତ୍ତା ହେଲେ ଏବଂ ସେ ମୋର ମୁଜାଫରପୁର ଯିବା ପ୍ରସ୍ତାବ କଲେ । ସେହି ସନ୍ଧ୍ୟାରେ ସେଠାକୁ ଗୋଟିଏ ରେଲଗାଡ଼ି ଥିଲା ଏବଂ ସେ ମତେ ସେଥିରେ ପଠାଇ ଦେଲେ ।

 

ଆଚାର୍ଯ୍ୟ କୃପାଲାନୀ ସେତେବେଳେ ମୁଜାଫରପୁରଠାରେ ରହୁଥିଲେ । ମୁଁ ତାଙ୍କୁ ଜାଣିଥିଲି । ମୁଁ ହାଇଦ୍ରାବାଦ ଯାଇଥିଲି । ସେଠି ତାଙ୍କର ବଡ଼ ତ୍ୟାଗ, ସରଳ ଜୀବନ କଥା ଓ ତାଙ୍କ ପଇସାରେ ଚଳୁଥିବା ଆଶ୍ରମ କଥା ମୁଁ ଡାକ୍ତର ଚୈତରାମଙ୍କ ମୁହଁରୁ ଶୁଣିଥିଲି । ସେ ମୁଜାଫରପୁର କଲେଜର ଅଧ୍ୟାପକ ଥିଲେ; ମାତ୍ର ତାକୁ ଛାଡ଼ିଦେଇ ବସିଥାନ୍ତି । ମୁଁ ତାଙ୍କୁ ତାର କରିଥିଲି । ମୁଜାଫରପୁରଠାରେ ରେଲ ଅଧରାତିରେ ପହଞ୍ଚେ । ସେ ପଲେ ଛାତ୍ରଙ୍କ ସହିତ ହାଜର ଥିଲେ । ତାଙ୍କର ନିଜ ଘର ନ ଥିଲା; ସେ ପ୍ରଫେସର ମାଲକାନୀଙ୍କ ଘରେ ରହୁଥିଲେ । ମତେ ତାଙ୍କ ଘରକୁ ନେଇଯାଇଥିଲେ । ମାଲକାନୀ ସେଠା କଲେଜରେ ଅଧ୍ୟାପକ ଥିଲେ ଏବଂ ସେତେବେଳର ଯୁଗରେ ସରକାରୀ କଲେଜର ଅଧ୍ୟାପକ ମତେ ଘରେ ରଖିବେ, ଏହା ଏକ ଅସାଧାରଣ କଥା ଥିଲା ।

 

କୃପାଲାନୀଜୀ ମତେ ବିହାରର ଓ ତହିଁରେ ତ୍ରିହୁତ ବିଭାଗର ଦୀନଦରିଦ୍ରଙ୍କ କଥା କହିଥିଲେ ଓ ମୋର କାମର ଅସୁବିଧାର ଟିକିଏ ଆଭାସ ଦେଇଥିଲେ । ବିହାରୀଙ୍କ ସଙ୍ଗେ ସେ ଖୁବ୍‌ ଘନିଷ୍ଠ ସମ୍ପର୍କ ରଖୁଥିଲେ । ମୁଁ ଯେଉଁ ଉଦ୍ଦେଶ୍ୟରେ ବିହାରକୁ ଆସିଥିଲି, ସେ କଥା ତାଙ୍କୁ କହି ରଖିଥିଲେ ।

 

ସକାଳୁ ଅଳ୍ପ କେତେଜଣ ଓକିଲ ମୋ ସଙ୍ଗେ ଦେଖା କରିବାକୁ ଆସିଥିଲେ । ତାଙ୍କ ମଧ୍ୟରୁ ରାମନବମୀ ପ୍ରସାଦ ମୋର ମନେ ପଡ଼ନ୍ତି; କାରଣ ତାଙ୍କର ଆଗ୍ରହ ମୋ ଦୃଷ୍ଟି ଆକର୍ଷଣ କରିଥିଲା । ସେ କହିଥିଲେ, ‘‘ଯେଉଁ କାମରେ ଏଠାକୁ ଆସିଛନ୍ତି, ସେ କାମ ଏଠି ରହି କରିବା ସମ୍ଭବ ହେବନାହିଁ । ଆପଣ ଚାଲନ୍ତୁ ଆମର କାହାରି ଘରେ ରହିବେ । ଗୟାବାବୁ ଏଠାକାର ଜଣେ ସୁପରିଚିତ ଓକିଲ । ଆପଣଙ୍କୁ ତାଙ୍କ ଘରେ ରହିବାପାଇଁ ତାଙ୍କ ତରଫରୁ ମୁଁ ଆମନ୍ତ୍ରଣ କରୁଛି । ମୁଁ ମାନୁଛି, ଆମେ ସମସ୍ତେ ସରକାରକୁ ଡରୁ; କିନ୍ତୁ ଯାହା ପାରିବୁ ଆମେ ସାହାଯ୍ୟ କରିବୁ । ରାଜକୁମାର ଶୁକ୍ଳ ଯାହା କହିଛନ୍ତି ତାହା ଅଧିକାଂଶ ସତ୍ୟ । ଦୁଃଖର କଥା, ଆମ ନେତାମାନେ ଏଠି ନାହାନ୍ତି । ଯାହା ହେଉ ମୁଁ ବ୍ରଜକିଶୋର ବାବୁ ଓ ରାଜେନ୍ଦ୍ର ବାବୁଙ୍କୁ ତାର କରିଛି । ଦୁହେଁ ଶୀଘ୍ର ପହଞ୍ଚିବାର ଆଶା ଏବଂ ସେ ଆପଣଙ୍କୁ ପୂରା ସମ୍ବାଦ ଓ ସାହାଯ୍ୟ ଦେଇପାରିବେ । ଅନୁଗ୍ରହ କରି ଗୟାବାବୁଙ୍କ ଘରକୁ ଚାଲନ୍ତୁ ।’’

 

ଏ ବକ୍ତୃତା ଶୁଣି ମୋର ଲୋଭ ହୋଇଥିଲା । କାଳେ ଗୟାବାବୁଙ୍କୁ ଅସୁବିଧାରେ ପକେଇବି, ଏ ଡର ଯୋଗୁଁ ସଂକୋଚ ହେଉଥାଏ । କିନ୍ତୁ ଗୟାବାବୁ ମତେ ନିଶ୍ଚିନ୍ତ କରି ଦେଇଥିଲେ । ମୁଁ ତାଙ୍କ ଘରକୁ ଗଲି । ସେ ନିଜେ ଓ ତାଙ୍କର ଲୋକେ ମତେ ସ୍ନେହରେ ବୁଡ଼େଇ ଦେଇଥିଲେ ।

 

ବ୍ରଜକିଶୋର ବାବୁ ଦରଭଙ୍ଗାରୁ ଓ ରାଜେନ୍ଦ୍ର ବାବୁ ପୁରୀରୁ ଆସିଥିଲେ । ଏଠି ଦେଖିଲି, ସେ ଲକ୍ଷ୍ନୌ ବ୍ରଜକିଶୋର ବାବୁ ନୁହଁନ୍ତି । ତାଙ୍କଠାରେ ବିହାରୀଙ୍କର ନମ୍ରତା, ସରଳତା, ସାଧୁତା ଓ ଅସାଧାରଣ ନିଷ୍ଠା ଦେଖି ମୋ ମନ ଆନନ୍ଦରେ ପୂରିଉଠିଥିଲା । ବିହାର ଓକିଲମାନଙ୍କର ବ୍ରଜକିଶୋର ବାବୁଙ୍କ ପ୍ରତି ଶ୍ରଦ୍ଧା ଦେଖି ମୁଁ ବିସ୍ମିତ ହୋଇଥିଲି, ଖୁସି ବି ହୋଇଥିଲି ।

 

ଏ ବନ୍ଧୁ ଗୋଷ୍ଠୀ ଓ ମୋ ଭିତରେ ଏକ ଜୀବନବ୍ୟାପୀ ସ୍ନେହର ଗଣ୍ଠି ପଡ଼ିଯାଇଥିଲା । ବ୍ରଜକିଶୋର ବାବୁ ସମସ୍ତ କଥା ମତେ ଜଣାଇଥିଲେ । ଏ ଗରିବ ପ୍ରଜାଙ୍କ ମକଦ୍ଦମା ସେ ଲଢ଼ୁଥିଲେ । ଦିଓଟି ଏମିତି ମକଦ୍ଦମା ଚଳୁଥାଏ । ଏହିଭଳି ମକଦ୍ଦମା କରି ତାଙ୍କୁ ଟିକିଏ ବ୍ୟକ୍ତିଗତ ସନ୍ତୋଷ ମିଳୁଥାଏ । କେତେ ଥର ବିଫଳ ବି ହେଉଥିଲେ । ଏ ସରଳ ଚାଷୀଙ୍କଠାରୁ ଫିସ୍‌ କିନ୍ତୁ ନେଉଥିଲେ । ତ୍ୟାଗୀ ହେଲେ ବି ବ୍ରଜକିଶୋର ବାବୁ ବା ରାଜେନ୍ଦ୍ର ବାବୁ ଫିସ୍‌ ନେବାରେ ସଙ୍କୋଚ କରୁ ନ ଥିଲେ । ତାଙ୍କର ଯୁକ୍ତି ଥିଲା, ସେମାନେ ଫିସ୍‌ ନ ନେଲେ ତାଙ୍କର ଘର ଚଳିବ ନାହିଁ ଏବଂ ଗରିବ ଲୋକଙ୍କୁ ଯଥାର୍ଥ ସାହାଯ୍ୟ କରିପାରିବେ ନାହିଁ । ସେମାନେ ଯେ ଫିସ୍‌ ନିଅନ୍ତି ପଶ୍ଚିମବଙ୍ଗ ଓ ବିହାରରେ ବାରିଷ୍ଟରମାନଙ୍କ ଅସମ୍ଭବ ପରିମାଣ ଫିସ୍‌ କଳ୍ପନା କରିହେବ ନାହିଁ । ଏଭଳି ଫିସ୍‌ର ହାର ଦେଖି ମୁଁ ବଣା ହୋଇ ଯାଇଥିଲି ।

 

ମତେ କହିଲେ—‘‘ଅମୁକଙ୍କୁ ତାଙ୍କର ‘ଓପିନିୟନ’ ପାଇଁ ଆମେ ଦଶ ହଜାର ଟଙ୍କା ଦେଇଥିଲୁ ।’’ ହଜାର ଛଡ଼ା କଥା ନ ଥିଲା । ଏଥିପାଇଁ ବନ୍ଧୁ ମାନେ ମୋର ମିଠା ଗାଳିକୁ ସ୍ନେହର ସହିତ ଶୁଣିଥିଲେ । ସେମାନେ ମତେ ଭୁଲ ବୁଝି ନଥିଲେ ।

 

ମୁଁ କହିଥିଲି, ‘‘ଏ ସବୁ ଘଟଣା ବିଚାର କରି, ମୋର ଏହି ସିଦ୍ଧାନ୍ତ ଯେ ମକଦ୍ଦମା ବନ୍ଦ ରଖିବାକୁ ହେବ । ମକଦ୍ଦମାରୁ ଅଳ୍ପ ବହୁତ ଲାଭ ହୋଇଥାଏ । ଯେଉଁଠି ପ୍ରଜାମାନେ ଏତେ କଚେରିଆ, ଯେଉଁଠି ପ୍ରଜାମାନେ ଏତେ ଭୟଭୀତ, ସେଠି ଅଦାଲତ ଦ୍ୱାରା ପ୍ରତିକାର କରିହେବ ନାହିଁ । ଲୋକଙ୍କ ଡରକୁ ବାହାର କରିଦେବା ତାଙ୍କ ପାଇଁ ପ୍ରକୃତ ଔଷଧ । ବିହାରରୁ ତିନିକାଠିଆ ପ୍ରଥାକୁ ବିଦାୟ ନ ଦେବାଯାଏ, ଆମେ ସ୍ଥିର ହୋଇ ବସିପାରିବା ନାହିଁ । ଦି’ଦିନରେ ଯାହା ଦେଖିବି, ସେତିକି ଦେଖିବାକୁ ଆସିଥିଲି । କିନ୍ତୁ ଦେଖୁଛି ଏ କାମ ଦି’ବର୍ଷ ଲାଗିପାରେ । ଆବଶ୍ୟକ ହେବ ତ ମୁଁ ସେତେ ସମୟ ଦେବାକୁ ପ୍ରସ୍ତୁତ । ବର୍ତ୍ତମାନ ମତେ ବାଟ ଦିଶୁଛି । ମୁଁ ଆପଣମାନଙ୍କ ସାହାଯ୍ୟ ଚାହେଁ ।’’

 

ବ୍ରଜକିଶୋର ବାବୁ ଜଣେ ଆଗପଛ ବିଚାର କରିବା ଲୋକ ଥିବାରୁ ମୁଁ ଦେଖି ପାରିଥିଲି-। ସେ ଧୀରସ୍ଥିର ହୋଇ ଉତ୍ତର ଦେଇଥିଲେ, ‘‘ଆମେ ଯାହା ପାରିବୁ, ସାହାଯ୍ୟ ଦେବୁ; ମାତ୍ର ତାହା କିଭଳି ସାହାଯ୍ୟ, ଆମକୁ ବୁଝାଇଦିଅନ୍ତୁ ।’’

 

ଆମେ କଥାବାର୍ତ୍ତାରେ ରାତିଟି କଟେଇଲୁ । ମୁଁ ତାଙ୍କୁ କହିଥିଲି, ‘‘ଆପଣଙ୍କ ଆଇନଜ୍ଞାନ ମୋର କିଛି କାମରେ ଆସିବ ନାହିଁ । ମୁଁ ଆପଣଙ୍କ ଭଳି ଲୋକଙ୍କଠାରୁ ଲେଖାଲେଖି ଓ ଦୋଭାଷୀ କାମ ଚାହେଁ । ଜେଲ ଯିବା ଆବଶ୍ୟକ ହୋଇପାରେ; କିନ୍ତୁ ଆପଣମାନେ ସେ ବିପଦ ମୁଣ୍ଡେଇଲେ ମତେ ଭଲ ଲାଗିବ । କିନ୍ତୁ ଯଦି ଆପଣ ମୁଣ୍ଡାଇବାକୁ ନ ଚାହାଁନ୍ତି, ତାହା ନ କରନ୍ତୁ । ଓକିଲ ବଦଳରେ କିରାନୀ ହେବା ଏବଂ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟବସାୟ ଛାଡ଼ି ରହିବା ଆପଣଙ୍କ ପକ୍ଷରେ କମ୍ କଥା ନୁହେଁ । ସ୍ଥାନୀୟ ହିନ୍ଦୀଭାଷା ବୁଝିବାରେ ମୋର କଷ୍ଟ ହୁଏ ଏବଂ କାଈଥୀ ବା ଉର୍ଦ୍ଦୁରେ ଲେଖା କାଗଜ ମୁଁ ପଢ଼ିପାରିବି ନାହିଁ । ଆପଣଙ୍କଦ୍ୱାରା ସେ ସବୁ ତର୍ଜମା ମୁଁ ଆଶାକରେ । ଏ କାମ ଟଙ୍କା ଦେଇ କଲେ ପାଇବ ନାହିଁ । ଏ ସବୁ ସ୍ନେହ ଓ ସେବାଭାବରେ ଓ ବିନା ପଇସାରେ ହେବା ଉଚିତ ।’’

 

ବ୍ରଜକିଶୋରବାବୁ ବୁଝିପାରୁଥିଲେ ଏବଂ ମତେ ଓ ତାଙ୍କର ସାଥୀମାନଙ୍କୁ ଜେରା କରିବାକୁ ଲାଗିଥିଲେ । ସେ ମୋ କଥାର ପ୍ରକୃତ ମର୍ମ ବୁଝିବାକୁ ଚେଷ୍ଟା କରିଥିଲେ—କେତେଦିନ ସେମାନଙ୍କ ସେବା ଦରକାର, କେତେ ଜଣ ଦରକାର, ସେମାନେ ଦଫା ଦଫା ଅଦଳବଦଳ କରି ଆସିବେ ନାଁ କ’ଣ ? ଇତ୍ୟାଦି ସେ ଓକିଲମାନଙ୍କୁ ସେମାନଙ୍କର ତ୍ୟାଗର ଶକ୍ତି ସମ୍ବନ୍ଧରେ ପଚାରିଥିଲେ ।

 

ଶେଷରେ ସେମାନେ ମୋତେ ଏହି ଦୃଢ଼ ଜବାବ ଦେଇଥିଲେ, ‘‘ଆମେ ଏତେ ଜଣ, ଆପଣ ଯାହା କହିବେ—ତାହା କରିବୁ । ଆମ ଭିତରୁ କେତେଜଣ ଯେତେକାଳ ପର୍ଯ୍ୟନ୍ତ ଆପଣ ଚାହାଁନ୍ତି, ଆପଣଙ୍କ ସଙ୍ଗେ ସଙ୍ଗେ ରହିବେ । ଜେଲ ଯିବା କଥାଟା ଆମକୁ ନୂଆ ଲାଗୁଛି । ସେଟାକୁ ଆଦରି ନେବାକୁ ଆମେ ଚେଷ୍ଟା କରିବୁ ।’’

 

Unknown

ଅହିଂସା ଦେବୀଙ୍କ ଦର୍ଶନ

 

ଚମ୍ପାରଣ ଚାଷୀମାନଙ୍କର ଅବସ୍ଥା ଅନୁସନ୍ଧାନ କରିବା ମୋର କାମ ଥିଲା । ନୀଳକୋଠିବାଲାଙ୍କ ବିରୋଧରେ ଯେ ସବୁ ଅଭିଯୋଗ ସେଥିରୁ କେତେ ସତ, ତାହା ମୋର ଦେଖିବାର ଥିଲା । ଏଥିପାଇଁ ମତେ ହଜାର ହଜାର ପ୍ରଜାଙ୍କୁ ଭେଟିବାକୁ ହେବ । କିନ୍ତୁ ଅନୁସନ୍ଧାନ ଆରମ୍ଭ କରିବା ପୂର୍ବରୁ କୋଠିବାଲାଙ୍କ (ଜମିଦାର) ତରଫର କଥା ବୁଝିବା ଓ ଡିଭିଜନର କମିଶନରଙ୍କ ସଙ୍ଗେ ଦେଖାକରିବା ଆବଶ୍ୟକ ମନେହେଲା । ଉଭୟଙ୍କ ସଙ୍ଗେ ଦେଖା ପାଇଁ ଚେଷ୍ଟା କଲି ଓ ଦେଖା ପାଇଲି ।

 

କୋଠିବାଲାଙ୍କ ସମିତିର ସମ୍ପାଦକ ମତେ ସ୍ପଷ୍ଟ କହିଲେ ଯେ, ମୁଁ ଜଣେ ବାହାରର ଲୋକ ଏବଂ ଜମିଦାର ପ୍ରଜାଙ୍କ ମଝିରେ ଆସି ମୁଣ୍ଡ ପୂରେଇବା ମୋର ଉଚିତ ନ ଥିଲା; ମାତ୍ର ମୋର ଯଦି କିଛି କହିବାର ଥିଲା, ମୁଁ ଲେଖି ତାହା ଜଣାଇଥାନ୍ତି । ମୁଁ ତାଙ୍କୁ ଭଦ୍ରଭାବରେ କହିଲି ଯେ, ମୁଁ ନିଜକୁ ବାହାରର ଲୋକ ବୋଲି ମନେ କରୁନାହିଁ ଏବଂ ପ୍ରଜାମାନେ ଚାହିଁଲେ ସେମାନଙ୍କ ଅବସ୍ଥା ଅନୁସନ୍ଧାନ କରିବାର ମୋର ପୂର୍ଣ୍ଣ ଅଧିକାର ଅଛି ।

 

କମିଶନର ତ ମତେ ଧମକେଇଥିଲେ ଓ ସଙ୍ଗେ ସଙ୍ଗେ ତ୍ରିହୁତ ଛାଡ଼ି ଚାଲି ଯିବାକୁ ଉପଦେଶ ଦେଇଥିଲେ । ସହକର୍ମୀମାନଙ୍କୁ ଏ ସବୁ କଥା ଜଣାଇଲି ଏବଂ କହିଲି ଯେ, ଆଉ ଆଗକୁ ବଢ଼ିବାରେ ସରକାର ମତେ ବାଧା ଦେବା ସମ୍ଭାବନା ଏବଂ ଯେତେ ଶୀଘ୍ର ଧରାହେବି ବୋଲି ମୁଁ ଆଶା କରିଥିଲି, ହୁଏତ ତାହା ଆଗରୁ ଧରା ହୋଇଯିବି ଏବଂ ଯଦି ଧରାହେବି ତେବେ ମୋତିହାରୀ କିମ୍ବା ସମ୍ଭବ ହେବ ତ ବେତିୟାରେ ଧରା ହେବା ଉଚିତ । ସେଥିପାଇଁ ଯତେ ଶୀଘ୍ର ସମ୍ଭବ ମୋର ଏ ଦୁଇ ସ୍ଥାନକୁ ଯିବା ଉଚିତ ।

 

ଚମ୍ପାରଣ ତ୍ରିହୁତ ଡିଭିଜନର ଗୋଟିଏ ଜିଲା ଏବଂ ମୋତିହାରୀ ତା’ର ସଦର ମହକୁମା-। ରାଜକୁମାର ଶୁକ୍ଳଙ୍କ ଘର ବେତିଆ ପାଖରେ ଏବଂ ସେଠାକାର କୋଠିର ପ୍ରଜାଯାକ ଜିଲାରେ ସବୁଠାରୁ ଦରିଦ୍ର । ମତେ ତାଙ୍କରି ଅବସ୍ଥା ଦେଖାଇବାକୁ ରାଜକୁମାର ଶୁକ୍ଳ ଚାହୁଁଥିଲେ ଏବଂ ମୁଁ ମଧ୍ୟ ଦେଖିବାକୁ ବ୍ୟଗ୍ର ଥିଲି ।

 

ସେହିଦିନ ସହକର୍ମୀଙ୍କ ସଙ୍ଗେ ମୋତିହାରୀ ଯାତ୍ରାକଲି । ବାବୁ ଗୋରଖ ପ୍ରସାଦ ତାଙ୍କ ଘରେ ଆମକୁ ରଖିଲେ,—ଘରଟା ଗୋଟିଏ ଧର୍ମଶାଳା ହୋଇଗଲା । ସେଥିରେ ଆମକୁ ଥାନ ଟାଣିଟୁଣି ହେଉଥିଲା । ସେହିଦିନ ଶୁଣିଲୁ ଯେ, ମୋତିହାରୀଠାରୁ ପାଞ୍ଚମାଇଲ ଦୂରରେ ଜଣେ ପ୍ରଜା ପ୍ରତି ଅତ୍ୟାଚାର ହୋଇଛି । ସ୍ଥିର ହେଲା ଧରଣୀଧର ବାବୁଙ୍କ ସଙ୍ଗେ ମୁଁ ଯିବି ଓ ପରଦିନ ସକାଳେ ତାକୁ ଦେଖିବି । ସକାଳୁ ଆମେ ହାତୀ ଚଢ଼ି ଉଭୟେ ବାହାରିଲୁ । ଗୁଜୁରାଟରେ ଯେମିତି ବଳଦଗାଡ଼ିଟା ସାଧାରଣ କଥା, ଚମ୍ପାରଣରେ ହାତୀଟା ସେମିତି । ଆମେ ଅଧବାଟ ଯାଇଛୁ, ପୁଲିସ ସାହେବଙ୍କ ପାଖରୁ ଜଣେ ଲୋକ ଆସି କହିଲେ ଯେ, ସାହେବ ସଲାମ ଦେଇଛନ୍ତି । ତା’ର ଅର୍ଥ କ’ଣ ମୁଁ ତାହା ବୁଝିପାରିଥିଲି । ଗନ୍ତବ୍ୟ ସ୍ଥାନକୁ ଧରଣୀଧର ବାବୁଙ୍କୁ ଏକା ପଠେଇ ଲୋକଟି ଆଣିଥିବା ଭଡ଼ାଗାଡ଼ିରେ ମୁଁ ଫେରିଲି । ସେ ତତ୍ପରେ ଚମ୍ପାରଣ ଛାଡ଼ିଯିବାକୁ ନୋଟିସଟିଏ ମତେ ଦେଲେ । ମତେ ବସାକୁ ନେଇଗଲେ ଏବଂ ମୋ ସହି ମାଗିଲେ । ମୁଁ ଲେଖିଦେଲି ଯେ, ମୁଁ ଚମ୍ପାରଣ ଛାଡ଼ି ଯାଇପାରିବି ନାହିଁ । ମୋ କାମରେ ମୁଁ ଆଗେଇବି ଓ ଅନୁସନ୍ଧାନ କରିବି । ତା’ପରେ ଚମ୍ପାରଣ ଛାଡ଼ିଯିବା ହୁକୁମ ଅମାନ୍ୟ କରିଥିବା ଯୋଗୁଁ ପରଦିନ କଚେରୀରେ ହାଜର ହେବାକୁ ଏକ ସମନ ମତେ ମିଳିଲା ।

 

ରାତି ତମାମ ଚେଇଁ ଚିଠିପତ୍ର ଯାହା ଲେଖିବାର ଥିଲା ଲେଖିଲି ଓ ବ୍ରଜକିଶୋର ବାବୁଙ୍କୁ ସବୁ ଉପଦେଶ ଦେଲି । ଏ ସମନ ଖବର କ୍ଷଣକେ ଚାରିଆଡ଼େ ଖେଳିଗଲା ଏବଂ ଲୋକେ କହିଥିଲେ ଯେ, ସେଦିନ ମୋତିହାରୀରେ କେବେ ଦେଖା ନଥିବା ଘଟଣା ଘଟିଗଲା । ଗୋରଖବାବୁଙ୍କ ଘର ଓ କଚେରୀ ଘର ଲୋକାରଣ୍ୟ ହୋଇଗଲା । ଭାଗ୍ୟକୁ ରାତିକ ଭିତରେ ସବୁକାମ ସାରିଥିଲି । ସେଥିପାଇଁ ଏ ଜନତାକୁ ସମ୍ଭାଳି ପାରିଥିଲି । ସାଥୀମାନଙ୍କ ମୂଲ୍ୟ ଭଲ ରକମ ଜଣା ପଡ଼ିଥିଲା । ସେମାନେ ଲୋକଙ୍କୁ ସମ୍ଭାଳିବାରେ ଲାଗି ପଡ଼ିଥିଲେ । ମୁଁ ଯେଉଁଆଡ଼େ ଯାଉଥିଲି, ଜନତା ମୋ ପଛେ ପଛେ ଲାଗି ରହିଥିଲା ।

 

କିଲଟର, ମାଜିଷ୍ଟ୍ରେଟ୍‌ ଓ ପୁଲିସ ସାହେବଙ୍କ ସଙ୍ଗେ ମୋର ଏକ ପ୍ରକାର ବନ୍ଧୁତା ଜନ୍ମିଗଲା । ମୋ ଉପରେ ଯେ ନୋଟିସ ଜାରି ହୋଇଥିଲା, ମୁଁ ତାର ଆଇନଗତ ପ୍ରତିକାର କରିପାରିଥାନ୍ତି । ଓଲଟି ମୁଁ ସେ ସବୁ ମାନି ନେଉଥିବା ଯୋଗୁଁ ଏବଂ ହାକିମମାନଙ୍କ ସହିତ ବ୍ୟକ୍ତିଗତ ପରିଚୟରେ ମୋର ମଧୁର ବ୍ୟବହାର ଯୋଗୁ ସେମାନେ ବି ବୁଝିପାରିଥିଲେ ଯେ ମୁଁ ତାଙ୍କର ବିରୋଧ କରୁ ନଥିଲି କିନ୍ତୁ ତାଙ୍କର ହୁକୁମର ସବିନୟ ବିରୋଧ କରିବାକୁ ଚାହୁଁଥିଲି । ଏହା ଫଳରେ ସେମାନେ ଟିକିଏ ନିଶ୍ଚିନ୍ତ ହୋଇଯାଇଥିଲେ ଏବଂ ମତେ ହରକତ ନ କରି ସେମାନେ ଜନତାକୁ ଆୟତ୍ତରେ ରଖିବାକୁ ଆମର ସାହାଯ୍ୟ ଖୁସିରେ ଗ୍ରହଣ କରିଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ବୁଝି ଯାଇଥିଲେ ଯେ, ତାଙ୍କର କ୍ଷମତା ଆଜିଠୁଁ ଲୋପ ପାଇଛି । ମୁହୂର୍ତ୍ତକ ପାଇଁ ଲୋକେ ଶାସ୍ତି ଭୟ ତ୍ୟାଗ କରିଥିଲେ ଏବଂ ତାଙ୍କର ନୂତନ ବନ୍ଧୁର ପ୍ରେମବଳର ଅଧୀନ ହୋଇଥିଲେ ।

 

ମନେରଖିବା ଦରକାର ଯେ, ଚମ୍ପାରଣରେ ମତେ କେହି ଜାଣି ନ ଥିଲେ । ଚାଷୀ ଗୁଡ଼ିକ ସବୁ ମୂର୍ଖ ଥିଲେ । ଗଙ୍ଗାର ସେପାରିରେ, ଏକଦମ୍‌ ହିମାଳୟର ପାଦଦେଶରେ ନେପାଳକୁ ଲାଗିକରି ଥିବାରୁ ତାହା ଏକ ନୂଆ ଦୁନିଆ ଥିଲା । ସେ ଅଞ୍ଚଳରେ କଂଗ୍ରେସ ନା ନ ଥିଲା । କଂଗ୍ରେସର ସଭ୍ୟ କେହି ନ ଥିଲେ । ଯେ କଂଗ୍ରେସ ନାଁ ଶୁଣିଥିଲେ, ସେମାନେ ମଧ୍ୟ ସେଥିରେ ଯୋଗ ଦେବାକୁ ବା ନାଁ ଧରିବାକୁ ଡରୁଥିଲେ । ଏବେ ସେହି କଂଗ୍ରେସର ନାଁ ଧରି କଂଗ୍ରେସ ଓ କଂଗ୍ରେସର ଲୋକେ ଏ ଦେଶରେ ପଶିଥିଲେ ଏବଂ କଂଗ୍ରେସର ହୁକୁମ ଚଳିଥିଲା ।

 

ସହକର୍ମୀଙ୍କ ପରାମର୍ଶରେ ସ୍ଥିର ହୋଇଥିଲା ଯେ, କଂଗ୍ରେସ ନାଁରେ କିଛି କରାଯିବ ନାହିଁ । ନାଁ ନୁହେଁ, କାମ ଲୋଡ଼ା ଥିଲା । ଅସଲ ଜିନିଷ ଦରକାର, ଛାୟା ଦରକାର ନ ଥିଲା । କଂଗ୍ରେସ ନାଁକୁ ପସନ୍ଦ କରୁ ନ ଥିଲେ । ଏ ପ୍ରଦେଶରେ କଂଗ୍ରେସର ଅର୍ଥ ଓକିଲଙ୍କ ଟଣାଓଟରା, ଆଇନଗତ ବାଟ ଦେଖି ଆଇନକୁ ଫାଙ୍କିଦେବା । କଂଗ୍ରେସର ଅର୍ଥ ବୋମା ଓ ହତ୍ୟାକାଣ୍ଡ । କଂଗ୍ରେସ ଅର୍ଥ କହିବ ଗୋଟାଏ, କରିବ ଆଉ ଗୋଟାଏ । ଏ ସବୁ ଭ୍ରମ ସରକାର ଓ ସରକାରଙ୍କର ସରକାର ନୀଳକୋଠି ମାଲିକମାନଙ୍କ ମନରୁ ଦୂର କରିବା ଆମର କାମ ହୋଇଥିଲା । ସେଥିପାଇଁ ଆମେ ସ୍ଥିର କରିଥିଲୁ ଯେ, କଂଗ୍ରେସର ନାମ ଧରିବୁ ନାହିଁ । କିମ୍ବା ପ୍ରଜାଙ୍କୁ କଂଗ୍ରେସର ଭୌତିକ ଦେହର କଥା ଜଣେଇବୁ ନାହିଁ । ଆମେ ଭାବିଥିଲୁ ଲୋକେ କଂଗ୍ରେସକୁ କାଗଜ କଲମରେ ନ ମାନି ଯଦି ତାର ଆତ୍ମାକୁ ବୁଝନ୍ତି ଓ ମାନନ୍ତି, ତେବେ ଯଥେଷ୍ଟ ହେବ । ତାହାହିଁ ଠିକ୍‌ହେବ ।

 

ତେଣୁ କ୍ଷେତ୍ର ପ୍ରସ୍ତୁତ କରିବାପାଇଁ ଆଗରୁ କଂଗ୍ରେସ ତରଫରୁ ଲୁଚେଇକରି ବା ପ୍ରକାଶ୍ୟରେ କୌଣସି ଲୋକ ଆସି ନ ଥିଲେ । ଏ ହଜାର ହଜାର ଚାଷୀଙ୍କୁ ଖବର ଦେବା ରାଜକୁମାର ଶୁକ୍ଳଙ୍କ ପକ୍ଷରେ ଅସମ୍ଭବ ଥିଲା । ଏମାନଙ୍କ ମଧ୍ୟରେ ସେ ପର୍ଯ୍ୟନ୍ତ କୌଣସି ରାଜନୈତିକ କାମ ହୋଇ ନ ଥିଲା । ଚମ୍ପାରଣର ବାହାରର ଦୁନିଆ ତାଙ୍କୁ ଜଣା ନଥିଲା । ତଥାପି ତାଙ୍କର ମୋର ଭେଟ ପୁରୁଣା ବନ୍ଧୁଙ୍କ ଭଳି ହୋଇଥିଲା । ତାଙ୍କରିଠାରେ ମୋର ଭଗବାନଙ୍କର, ଅହିଂସା ତଥା ସତ୍ୟର ସାକ୍ଷାତ୍‌ ଦର୍ଶନ ହୋଇଥିଲା—ଏହା ଅତ୍ୟୁକ୍ତି ନୁହେଁ ବରଂ ନିରାଟ ସତ୍ୟ ।

 

ଏହି ସାକ୍ଷାତ୍‌ ଦର୍ଶନ ପାଇଁ ମୋର କି ଅଧିକାର ଅଛି, ତାହା ଯେତେବେଳେ ମୁଁ ଖୋଜୁଛି, ଲୋକଙ୍କ ପ୍ରତି ସ୍ନେହ ଛଡ଼ା ମୁଁ ଆଉ କିଛି ଦେଖୁନାହିଁ । ଏ ସ୍ନେହର ଅର୍ଥ ଅହିଂସାରେ ମୋର ଅଟଳ ବିଶ୍ୱାସ ।

 

ଚମ୍ପାରଣର ସେ ଦିନଟା ମୋ ଜୀବନରେ ଭୁଲିବି ନାହିଁ ଏବଂ ଚାଷୀକୁଳ ତଥା ମୋ ପାଇଁ ତାହା ଏକ ଉତ୍ସବର ଦିନ ଥିଲା ।

 

ଆଇନ ଅନୁସାରେ ମୋ ବିରୁଦ୍ଧରେ ମକଦ୍ଦମା ଚଳିବାର ଥିଲା; କିନ୍ତୁ ସତ କହିଲେ, ଓଲଟା ସରକାରଙ୍କ ବିରୋଧରେ ମକଦ୍ଦମା ଚାଲୁଥିଲା । କମିଶନର ଯେ ଜାଲ ମୋ ପାଇଁ ପାତିଥିଲେ, ସେଥିରେ ସେ ସରକାରଙ୍କୁ ପକେଇଥିଲେ ।

 

ମକଦ୍ଦମା ଉଠାଇନେଲେ

 

ବିଚାର ଆରମ୍ଭ ହେଲା । ସରକାରୀ ଓକିଲ, ମାଜିଷ୍ଟ୍ରେଟ ଓ ଅନ୍ୟାନ୍ୟ କର୍ମଚାରୀମାନେ ବଣା ହେଉଥାନ୍ତି । କ’ଣ କରିବେ ବୁଝି ପାରୁ ନ ଥାନ୍ତି । ମକଦ୍ଦମା ମୁଲତବୀ ରଖିବାକୁ ସରକାରୀ ଓକିଲ ହାକିମଙ୍କୁ କହୁଥାନ୍ତି; କିନ୍ତୁ ମୁଁ ମଝିରେ ବାଧା ଦେଇ ମାଜିଷ୍ଟ୍ରେଟଙ୍କୁ ମକଦ୍ଦମା ନ ଘୁଞ୍ଚାଇବାକୁ ଅନୁରୋଧ କଲି । କାରଣ ଚମ୍ପାରଣ ଛାଡ଼ିଯିବା ହୁକୁମ ଅମାନ୍ୟ କରି ମୁଁ ଦୋଷ କରୁଥିବା ସ୍ୱୀକାର କରୁଥିଲି । ମୁଁ ନିମ୍ନ ଲିଖିତମତେ ଗୋଟିଏ କ୍ଷୁଦ୍ର ‘କୈଫିୟତ୍‌’ ଦେଇଥିଲି ।

 

‘‘ଫୌଜଦାରୀ କାର୍ଯ୍ୟବିଧି ଆଇନର ୧୪୪ ଧାରା ଅନୁସାରେ ହୁକୁମକୁ ଅମାନ୍ୟ କରୁଥିବାଭଳି ଗୋଟିଏ ଗୁରୁତର କାର୍ଯ୍ୟ ମୁଁ କାହିଁକି କରିଛି, ତାହାର କାରଣ ଦର୍ଶାଇ ମୁଁ ଗୋଟିଏ କ୍ଷୁଦ୍ର କୈଫିୟତ ଅଦାଲତଙ୍କ ଅନୁମତି ନେଇ ଦେବାକୁ ଚାହେଁ । ମୋର କ୍ଷୁଦ୍ର ମତେ ଏହା ଅମାନ୍ୟ ପ୍ରଶ୍ନ ନୁହେଁ; ବରଂ ସ୍ଥାନୀୟ ସରକାର ଓ ମୋ ମଧ୍ୟରେ ଗୋଟିଏ ମତଭେଦର ପ୍ରଶ୍ନ । ଜନସେବା ତଥା ଦେଶସେବା କରିବା ଉଦ୍ଦେଶ୍ୟରେ ମୁଁ ଏ ପ୍ରଦେଶକୁ ଆସିଛି । ଏଠାକୁ ଆସି ପ୍ରଜାମାନଙ୍କୁ ସାହାଯ୍ୟ କରିବା ପାଇଁ ନିମନ୍ତ୍ରଣ ପାଇଥିବାରୁ ମୁଁ ଏହା କରିଛି । ରୟତଙ୍କ ସଙ୍ଗେ ନୀଳକୋଠିବାଲାମାନେ ନ୍ୟାୟ ବ୍ୟବହାର କରୁନାହାନ୍ତି । କଥାଟା କ’ଣ ଭଲକରି ନ ଜାଣିଲେ ମୁଁ ତାଙ୍କର କିଛି ସାହାଯ୍ୟ କରିପାରିବି ନାହିଁ । ସେଥିପାଇଁ ସମ୍ଭବ ହେବ ତ ସରକାର ଓ କୋଠିବାଲାଙ୍କ ସାହଯ୍ୟ ନେଇ ତାହା ଜାଣିବାକୁ ଆସିଛି । ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ଏବଂ ମୁଁ ବିଶ୍ୱାସ କରିପାରୁ ନାହିଁ ଯେ, ମୋର ଏଠାକୁ ଆସିବାଟା କୌଣସି ପ୍ରକାରେ ଶାନ୍ତିଭଙ୍ଗ କରିବ ବା ହାଣକାଟ ଘଟାଇବ । ଏ ଦିଗରେ ମୋର ଅଭିଜ୍ଞତା ଅଛି ବୋଲି ମୁଁ ଦାବି କରେ । ସରକାର କିନ୍ତୁ ଅନ୍ୟ ରକମ ଭାବିଛନ୍ତି । ମୁଁ ତାଙ୍କର ଅସୁବିଧା ବୁଝିପାରୁଛି ଏବଂ ମୁଁ ମାନୁଛି ଯେ, ସେମାନେ ଯାହା ସମ୍ବାଦ ପାଇଛନ୍ତି, ତା’ରି ଉପରେ ସେମାନେ କାର୍ଯ୍ୟ କରିଛନ୍ତି । ମୋ ଉପରେ ଜାରି ହୋଇଥିବା ହୁକୁମକୁ ଆଇନ ମାନୁଥିବା ନାଗରିକଭଳି ମାନିବାକୁ ମୋର ମନ ହୋଇଥାନ୍ତା ଏବଂ ମନ ମଧ୍ୟ ହୋଇଥିଲା । କିନ୍ତୁ ତା’ କରିଥିଲେ ଯେଉଁମାନଙ୍କ ପାଇଁ ଆସିଛି, ସେମାନଙ୍କ ପାଇଁ ମୋର ଯାହା କର୍ତ୍ତବ୍ୟ, ସେଥିରେ ଖିଲାପ କରିଥାନ୍ତି । ଆଜି ତାଙ୍କ ଭିତରେ ରହିଲେ ତାଙ୍କର ସେବା କରିପାରିବି ବୋଲି ମତେ ଲାଗୁଛି । ସେଥିପାଇଁ ମୁଁ ସ୍ୱେଚ୍ଛାରେ ଫେରି ଯାଇପାରିଲି ନାହିଁ । ଏପରି ଧର୍ମସଙ୍କଟରେ ଚମ୍ପାରଣରୁ ବାହାର କରିଦେବା କାମଟା ସରକାରଙ୍କ ଉପରେ ନ ପକାଇ ରହିପାରିବି ନାହିଁ ।

 

ଭାରତର ସାଧାରଣ ଜୀବନରେ ମୋର ଯେ ସ୍ଥାନ, ସେ ଅବସ୍ଥାର ଲୋକ କୌଣସି କାମ କରି ଆଦର୍ଶ ଦେଖାଇବାରେ ଯେ ଖୁବ୍‌ ସାବଧାନ ହେବା ଉଚିତ, ଏ କଥା ମୁଁ ପୂରା ହୃଦୟଙ୍ଗମ କରିଛି । କିନ୍ତୁ ମୋର ବିଶ୍ୱାସ ଯେ, ଯେଭଳି ପରିସ୍ଥିତିରେ ଆମକୁ ପକାଯାଇଛି, ସେଥିରେ ଯେଭଳି ଅବସ୍ଥାରେ ମୁଁ ପଡ଼ିଛି, ସେ ଅବସ୍ଥାରେ କୌଣସି ଆତ୍ମସମ୍ମାନବିଶିଷ୍ଟ ବ୍ୟକ୍ତି ପାଇଁ ଏକମାତ୍ର ନିରାପଦ ଓ ସମ୍ମାନସୂଚକ ପନ୍ଥା ହେଉଛି, ଆଇନ ଅମାନ୍ୟର ଶାସ୍ତିକୁ ବିନା ପ୍ରତିବାଦରେ ମୁଣ୍ଡ ପତେଇ ବରଣ କରିନେବା ।

 

ମତେ ଯାହା ଶାସ୍ତି ଦିଆଯିବ, ତାହାକୁ କମ୍ କରାଇବା ଆଶାରେ ମୁଁ ଏ କୈଫିୟତ୍‌ ପେଶ କରୁନାହିଁ; କିନ୍ତୁ ଏହାଦ୍ୱାରା ମୁଁ ଜଣାଇଦେବାକୁ ଚାହେଁ ଯେ, ‘‘ବିଧିବଦ୍ଧ ସରକାରଙ୍କ ପ୍ରତି ଅପମାନ ପାଇଁ ମୁଁ ଏ ହୁକୁମ ଅମାନ୍ୟ କରିନାହିଁ; ବରଂ ଅନ୍ତରାତ୍ମାଙ୍କର କଥାଭଳି ଯେ ବହୁତ ବଡ଼ ଆଇନକୁ ମୋ ହୃଦୟ ମାନୁଛି, ତାକୁହିଁ ମାନି ଏ କାମ କରୁଛି ।’’

 

ବର୍ତ୍ତମାନ ମକଦ୍ଦମା ଶୁଣାଣୀ ମୁଲତବୀ ରଖିବାର କାରଣ ଆଉ ରହି ନ ଥିଲା । କିନ୍ତୁ ଉଭୟ ମାଜିଷ୍ଟ୍ରେଟ ଓ ସରକାରୀ ଓକିଲ ଏଭଳି ଘଟିବାର ଆଶା କରିନଥିଲେ ଏବଂ ତେଣୁ ମାଜିଷ୍ଟ୍ରେଟ ରାୟ ମୁଲତବୀ ରଖିଲେ । ଇତ୍ୟବସରରେ ମୁଁ ସବୁ ବିବରଣ ବଡ଼ ଲାଟଙ୍କୁ ତାର କରିଥିଲି । ପାଟଣା ବନ୍ଧୁବର୍ଗ ଓ ପଣ୍ଡିତ ମାଲବ୍ୟଜୀ ପ୍ରଭୃତିଙ୍କୁ ତାର ଯୋଗେ ସବୁ ଜଣାଇ ଦେଇଥିଲି । ଦଣ୍ଡ ଗ୍ରହଣ ପାଇଁ ଅଦାଲତରେ ହାଜର ହେବା ପୂର୍ବରୁ ମାଜିଷ୍ଟ୍ରେଟ ଲେଖି ପଠାଇଲେ ଯେ, ଛୋଟଲାଟ ମୋ ବିରୋଧରେ ହୋଇଥିବା ମକଦ୍ଦମା ଉଠାଇ ନେବାକୁ ହୁକୁମ ଦେଇଛନ୍ତି ଏବଂ କିଲଟର ଲେଖି ପଠାଇଲେ ଯେ, ମୁଁ ପ୍ରସ୍ତାବିତ ଅନୁସନ୍ଧାନ କରିପାରେ ଏବଂ ସରକାରୀ ଚାକରମାନଙ୍କଠାରୁ ଯାହା ସାହାଯ୍ୟ ଲୋଡ଼ିବି ତାହା ପାଇପାରିବି । ଏତେ ଶୀଘ୍ର ଓ ଏଭଳି ଶୁଭ ଫଳ ପାଇବା କେହି ଆଶା କରି ନ ଥିଲୁ ।

 

ମୁଁ ମି: ହେ. କକ୍‌ କିଲଟରଙ୍କ ସଙ୍ଗେ ଦେଖାକଲି । ସେ ବଡ଼ ଭଲ ମଣିଷ ଓ ନ୍ୟାୟ ପାଇଁ ପ୍ରସ୍ତୁତ ଜଣା ପଡ଼ିଥିଲେ । ସେ କହିଥିଲେ ଯେ, କାଗଜପତ୍ର ଯାହା ମୁଁ ଦେଖିବାକୁ ଚାହେଁ, ତାହା ଦେଖିପାରିବି ଏବଂ ଯେତେବେଳେ ଇଚ୍ଛା ତାଙ୍କୁ ଦେଖା କରିପାରିବି ।

 

ଅନ୍ୟ ଦିଗରେ ସମସ୍ତ ଭାରତବର୍ଷକୁ ସତ୍ୟାଗ୍ରହ ବା ସବିନୟ ଆଇନ ଅମାନ୍ୟରେ ଏକ ସ୍ଥାନୀୟ ପଦାର୍ଥପାଠ ମିଳିଗଲା । ସେଠାରେ ତଥା ଖବରକାଗଜରେ ବିଷୟଟା ଖୁବ୍‌ ଆଲୋଚିତ ହେଲା ଏବଂ ଚମ୍ପାରଣ ଓ ମୋର ଅନୁସନ୍ଧାନକୁ ଅପ୍ରତ୍ୟାଶିତ ଭାବରେ ଖ୍ୟାତି ମିଳିଯାଇଥିଲା ।

 

ସରକାରଙ୍କ ନିରପେକ୍ଷ ରହିବା ମୋ ଅନୁସନ୍ଧାନ ପାଇଁ ଏକାନ୍ତ ଆବଶ୍ୟକ ଥିଲା । ତଥାପି ସମ୍ବାଦଦାତା ବା ଖବରକାଗଜର ସମାଲୋଚନାର ଦରକାର ନ ଥିଲା । ଏତିକି ନୁହେଁ; ବରଂ ସମାଲୋଚନା ବା ଅନୁସନ୍ଧାନର ବଡ଼ ବଡ଼ ରିପୋର୍ଟରୁ କ୍ଷତି ହେବାର ଆଶଙ୍କା ଥିଲା । ତେଣୁ ମୁଁ ପ୍ରଧାନ ଖବରକାଗଜର ସମ୍ପାଦକମାନଙ୍କୁ ଅନୁରୋଧ କଲି ଯେ ସେମାନେ ସମ୍ବାଦଦାତା ପଠାଇ ଖର୍ଚ୍ଚାନ୍ତ ହେବେ ନାହିଁ । ଯାହା ପ୍ରକାଶର ଆବଶ୍ୟକ, ତା’ ମୁଁ ବରାବର ସେମାନଙ୍କ ପାଖକୁ ପଠାଇ ଖବର ଦେଉଥିବି ।

 

ଚମ୍ପାରଣର ନୀଳ କୋଠିବାଲାମାନେ ଖୁବ୍‌ ରାଗିଥିଲେ ବୋଲି ମୁଁ ଜାଣି ପାରିଥିଲି । ସରକାରୀ କର୍ମଚାରୀମାନେ ମଧ୍ୟ ମନେ ମନେ ଖୁସି ନ ଥିବାର ମୁଁ ବୁଝି ପାରିଥିଲି । ସେଥିପାଇଁ ସତମିଛ ସମ୍ବାଦ ତାଙ୍କୁ ବେଶୀ ଚିଡ଼େଇ ଦେଇଥାନ୍ତା ଏବଂ ତାଙ୍କର ରାଗଟା ମୋ ଉପରେ ନ ପଡ଼ି ନିଶ୍ଚୟ ଗରିବ ଭୀତତ୍ରସ୍ତ ପ୍ରଜାଙ୍କ ଉପରେ ପଡ଼ିଥାନ୍ତା ଏବଂ ଏହା ଫଳରେ ବିଷୟଟାର ସତ୍ୟ ଅନୁସନ୍ଧାନରେ ବିଶେଷ ବାଧା ଘଟାଇଥାନ୍ତା ।

 

କୋଠିବାଲାଙ୍କ ତରଫରୁ ଏକ ବିଷାକ୍ତ ଆନ୍ଦୋଳନ ଆରମ୍ଭ ହୋଇଥିଲା । ମୋର ସହକର୍ମୀ ଓ ମୋ ନିଜ ସମ୍ବନ୍ଧରେ ଖିୁବ୍‌ ମିଥ୍ୟା ପ୍ରଚାର ଚଳେଇଥିଲେ । କିନ୍ତୁ ମୋର ସାତିଶୟ ସାବଧାନତା ଓ ନିତାନ୍ତ ସୂକ୍ଷ୍ମ ବିଷୟରେ ସତ୍ୟ ପ୍ରତି ଆଗ୍ରହ ଯୋଗୁଁ ତାଙ୍କର ଆକ୍ରମଣ ବ୍ୟର୍ଥ ହୋଇଥିଲା ।

 

ବ୍ରଜକିଶୋର ବାବୁଙ୍କୁ ଗାଳି ଦେବାରେ କୋଠିବାଲାମାନେ କିଛି ବାକି ରଖି ନ ଥିଲେ; କିନ୍ତୁ ସେମାନେ ଯେତିକି ତାଙ୍କୁ ଗାଳି ଦେଉଥିଲେ, ତାଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ସେତିକି ବଢ଼ୁଥିଲା ।

 

ଏପରି ସୂକ୍ଷ୍ମ ଅବସ୍ଥାରେ ମୁଁ ସମ୍ବାଦଦାତାଙ୍କୁ ଆସିବାରେ ପ୍ରଶ୍ରୟ ଦେଉ ନ ଥିଲି । ନେତାମାନଙ୍କୁ ଡ଼ାକି ନ ଥିଲି । ମାଲବ୍ୟଜୀ ମୋତେ ଜବାବ ଦେଇ ପଠେଇଥିଲେ ଯେ, ଯେତେବେଳେ ଲୋଡ଼ା ତାଙ୍କୁ ସମ୍ବାଦ ଦେଲେ ସେ ଆସିଯିବେ; କିନ୍ତୁ ମୁଁ ତାଙ୍କୁ କଷ୍ଟ ଦେଇନଥିଲି । ଏମିତି ଏ ଆନ୍ଦୋଳନଟାକୁ ରାଜନୈତିକ ଆକାର ଧାରଣ କରିବାରେ ମୁଁ ବାଧା ଦେଇଥିଲି । ଯେତିକି ପାରୁଥିଲି ସେତିକି ଜରୁରୀ ସମ୍ବାଦ ପ୍ରଧାନ ଖବରକାଗଜକୁ ପଠାଉଥିଲି । ମୁଁ ବହୁତ ଅଭିଜ୍ଞତାରୁ ଦେଖିଛି ଯେ, ରାଜନୈତିକ କାମରେ ମଧ୍ୟ ଯେଉଁଠି ରାଜନୀତିର ଦରକାର ନାହିଁ, ସେଠାରେ ରାଜନୈତିକ ଆହାର ଦେଇ ଉଭୟ କୁଳ ନଷ୍ଟ କରିଥାଉଁ ଏବଂ ସେ ବିଷୟକୁ ସୀମା ଭିତରେ ରଖି ସେଥିରେ ଉଭୟଙ୍କୁ ସାହାଯ୍ୟ କରିଥାଉଁ । ଚମ୍ପାରଣର ଆନ୍ଦୋଳନ ପ୍ରମାଣ କରିଦେଲା ଯେ, ଶୁଦ୍ଧ ଲୋକସେବାରେ ପ୍ରତ୍ୟକ୍ଷରେ ନୁହଁ ପରୋକ୍ଷରେ ରାଜନୀତି ନିଶ୍ଚୟ ରହିଥାଏ ।

 

କାର୍ଯ୍ୟ ପ୍ରଣାଳୀ

 

ଚମ୍ପାରଣ ଅନୁସନ୍ଧାନର ପୂର୍ଣ୍ଣ ବିବରଣ ଦେବା ଅର୍ଥ ସେ ସମୟର ଚମ୍ପାରଣ ପ୍ରଜାର ଇତିହାସ ବର୍ଣ୍ଣନା କରିବା । ତାହା ଏ ଅଧ୍ୟାୟମାନଙ୍କରେ ଦେବା ଅସମ୍ଭବ । ଉପରନ୍ତୁ ଚମ୍ପାରଣ ଅନୁସନ୍ଧାନଟି ସତ୍ୟ ଓ ଅହିଂସାର ଗୋଟିଏ ବଡ଼ ପରୀକ୍ଷା ଥିଲା ଏବଂ ସେହି ଦୃଷ୍ଟିରୁ ଯାହା ମତେ ଦେଖାଯାଉଛି, ତାହା ମୁଁ ପ୍ରତି ସପ୍ତାହରେ ଲେଖିଯାଉଛି । ଅଧିକ ବୃତ୍ତାନ୍ତ ଯଦି ପାଠକମାନେ ଚାହାଁନ୍ତି, ସେମାନେ ଶ୍ରୀ ରାଜେନ୍ଦ୍ରପ୍ରସାଦଙ୍କ ହିନ୍ଦୀ ‘ଚମ୍ପାରଣ ସତ୍ୟାଗ୍ରହ’, କିମ୍ବା ‘ଯୁଗଧର୍ମ’ ଛାପାଖାନା କରିଥିବା ତର୍ଜମା ପଢ଼ନ୍ତୁ ।

 

ଏ ଅଧ୍ୟାୟର ବିଷୟ ଆସିବା ଗୋରଖବାବୁଙ୍କ ଘରେ ରହି ଅନୁସନ୍ଧାନ ଚଳେଇଥିଲେ, ଗୋରଖ ବାବୁଙ୍କୁ ତାଙ୍କ ଘର ଛାଡ଼ିବାକୁ ପଡ଼ିଥାନ୍ତା । ନିଜର ଘର ଝ’ଟ ଏଥିପାଇଁ ଭଡ଼ା ଦେବେ, ଏତକ ସାହାସ ମୋତିହାରୀ ଲୋକଙ୍କର ସେ ପର୍ଯ୍ୟନ୍ତ ହୋଇ ନ ଥାଏ । ଯାହାହେଉ ବ୍ରଜକିଶୋରବାବୁ ବୁଦ୍ଧି କରି ଗୋଟିଏ ଘର ଭଡ଼ା ନେଇଥିଲେ; ତା ସାମନାରେ ବହୁତ ଖୋଲାଯାଗା ଥିଲା । ଆମେ ସେଠାକୁ ଉଠିଯାଇଥିଲୁ ।

 

ଏକଦମ ବିନା ଟଙ୍କାରେ କାମ ଚଳେଇବା ଅବସ୍ଥା ନ ଥିଲା । ସାଧାରଣ କାମପାଇଁ ସାଧାରଣଙ୍କୁ ଟଙ୍କା ମାଗିବା ପ୍ରଥା ସେ ପର୍ଯ୍ୟନ୍ତ ଚଳି ନ ଥିଲା । ବ୍ରଜକିଶୋରବାବୁ ଓ ତାଙ୍କ ବନ୍ଧୁମାନେ ଅଧିକାଂଶ ଓକିଲ ଥିଲେ । ସେମାନେ ନିଜେ ଦେଉଥିଲେ କିମ୍ବା ବନ୍ଧୁ ମାନଙ୍କ ଠାରୁ ଅସୁଲ କରୁଥିଲେ । ସବଳ ଲୋକେ ଥିଲେ କେଉଁ ମୁହଁରେ ଅନ୍ୟ ଲୋକଙ୍କୁ ଟଙ୍କା ମାଗିବେ ? ସେହି ଯୁକ୍ତି ସେମାନେ ଖଟାଉଥିବାର ଜଣା ପଡ଼ୁଥିଲା । ଚମ୍ପାରଣ ପ୍ରଜାଙ୍କ ଠାରୁ କିଛି ଗ୍ରହଣ ନ କରିବାକୁ ମୁଁ ସ୍ଥିର କରିଥିଲି । ଲୋକେ ତାହା ଭୁଲ ବୁଝିଥାନ୍ତେ । ମୁଁ ମଧ୍ୟ ଟଙ୍କା ପାଇଁ ଦେଶର ଜନସାଧାରଣଙ୍କୁ ମାଗିବି ନାହିଁ ବୋଲି ସ୍ଥିର କରିଥିଲି । କାରଣ ତାହା କରିଥିଲେ ତାହାର ଗୋଟିଏ ନିଖିଳଭାରତ ତଥା ରାଜନୈତିକ ଆକାର ହୋଇଯାଇଥାନ୍ତା । ବମ୍ବେର ବନ୍ଧୁମାନେ ୧୫ହଜାର ଟଙ୍କା ତାର ଖବରରେ ଯାଚିଥିଲେ; କିନ୍ତୁ ଧନ୍ୟବାଦ ଦେଇ ମୁଁ ତାହା ମନାକରି ପଠେଇଥିଲି । ବ୍ରଜକିଶୋର ବାବୁଙ୍କ ସାହାଯ୍ୟରେ ଚମ୍ପାରଣ ବାହାରେ ଥିବା ସରଳ ବିହାରୀଙ୍କଠାରୁ ଯେତେଦୂର ସମ୍ଭବ ସଂଗ୍ରହ କରିବା ସ୍ଥିର କରିଥିଲି ଏବଂ ଯାହା ନିଅଣ୍ଟ ହେବ, ତାହା ରେଙ୍ଗୁନରେ ଡାକ୍ତର ପ୍ରାଣଜୀବନ ଦାସ ମେହେତାଙ୍କୁ ମାଗିବି ବୋଲି ବିଚାରିଥିଲି । ଡାକ୍ତର ମେହେତା ମଧ୍ୟ ଯାହା ଦରକାର ହେବ ଯୋଗେଇ ଦେବାକୁ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ । ସେଥିପାଇଁ ସେ ଦିଗରେ ଆମେ ନିଶ୍ଚିନ୍ତ ହୋଇଥିଲୁ । ଗରିବଙ୍କ ପରି ଯେତେ ପାରୁ କମ ଖର୍ଚ୍ଚକରି ଲଢ଼େଇ ଚଳେଇଥିଲୁ । ବହୁତ ଟଙ୍କା ଦରକାର ପଡ଼ିବାର ସମ୍ଭାବନା ନ ଥିଲା । ଶେଷରେ ମଧ୍ୟ ପଡ଼ି ନ ଥିଲା । ମୋର ମନେହୁଏ ଆମେ ତିନିହଜାର ଟଙ୍କାରୁ ବେଶୀ ଖର୍ଚ୍ଚ କରି ନ ଥିଲୁ ଏବଂ ଯେତେଦୂର ମନେପଡ଼େ, ଯାହା ପାଣ୍ଠି ଜମା କରିଥିଲୁ, ସେଥିରୁ ପାଞ୍ଚଶହ ବା ହଜାରେ ବଞ୍ଚିଥିଲା ।

 

ପ୍ରଥମେ ଆମର ଚାଲିଚଳନ ବିଚିତ୍ର ଥିଲା ଏବଂ ଥଟା କରିବା ପାଇଁ ମତେ ରୋଜ ଖାଦ୍ୟ ମିଳୁଥିଲା । ପ୍ରତ୍ୟେକ ଓକିଲଙ୍କର ଚାକର ଓ ରୋଷେଇଆ ଏବଂ ପ୍ରତ୍ୟେକଙ୍କର ଅଲଗା ରୋଷେଇ ଥିଲା । ସେମାନେ ରାତି ବାରଟାରେ ଖାଉଥିଲେ । ଅବଶ୍ୟ ନିଜ ଖର୍ଚ୍ଚରେ ଚଳୁଥିଲେ, ତଥାପି ତାଙ୍କର ଏ ଢଙ୍ଗଢାଙ୍ଗ ମତେ ଏକ ଉପଦ୍ରବ ଭଳି ହୋଇଥିଲା । କିନ୍ତୁ ଆମ ଭିତରେ ଘନିଷ୍ଠ ବନ୍ଧୁତ୍ୱ ହୋଇଯାଇଥିବାରୁ ଭୁଲ ବୁଝିବାର ସମ୍ଭାବନା ନ ଥିଲା । ସେମାନେ ମୋର ଶବ୍ଦ ବାଣକୁ ସ୍ନେହରେ ସହୁଥିଲେ । ଶେଷରେ ସ୍ଥିର ହେଲା ଯେ, ଚାକର ଗୁଡ଼ିଙ୍କୁ ବିଦାୟ ଦିଆଯିବ । ଗୋଟାଏ ରୋଷେଇ ହେବ ଏବଂ ବେଳ ଧରି ଖିଆପିଆ ହେବ । ସମସ୍ତେ ନିରାମିଷାଶୀ ନ ଥିଲେ; ମାତ୍ର ଯୋଡ଼ାଏ ରୋଷଇରେ ଖର୍ଚ୍ଚ ବେଶୀ ହେବ, ସେଥିପାଇଁ ଗୋଟାଏ ନିରାମିଷ ରୋଷେଇ ହେବାର ସ୍ଥିର ହେଲା । ସଙ୍ଗେ ସଙ୍ଗେ ସାଦାସିଧା ଖାଇବା ପ୍ରତି ଦୃଷ୍ଟିଦେବା ଆବଶ୍ୟକ ବିବେଚିତ ହେଲା ।

 

ଏଥିରେ ବହୁତ ଖର୍ଚ୍ଚ କମିଗଲା ଓ ଆମର ବହୁତ ସମୟ ଓ ଶକ୍ତି ବଞ୍ଚିଗଲା । ଆମର ବେଶୀ ଶକ୍ତି ଦରକାର ଥିଲା । କାରଣ ପ୍ରଜାମାନେ ପଲ ପଲ ହୋଇ ନିଜ କାହାଣୀ ଲେଖେଇବାକୁ ଆସୁଥିଲେ । କାହାଣୀ ଲେଖେଇଲାବାଲାଙ୍କ ସାଥିରେ ପଲ ପଲ ହୋଇ ଗୋଡ଼ାଇ ଆସୁଥିଲେ । ଏଣୁ ହତାଟି ଭର୍ତ୍ତି ହୋଇ ଯାଉଥିଲା । ଦର୍ଶନ ଚାହୁଁ ଥିବା ଲୋକଙ୍କଠୁ ମତେ ବଞ୍ଚେଇବାକୁ ମୋର ସାଥୀମାନେ ଖୁବ୍‌ ଚେଷ୍ଟା କରିଥିଲେ ଏବଂ ବିଫଳ ହେଉଥିଲେ । ମଝିରେ ମଝିରେ ଦର୍ଶନ ପାଇଁ ମୋତେ ବାହାରକୁ ଆଣୁଥିଲେ ଯାଇ ମୁକ୍ତି ମିଳୁଥିଲା । ୫ ରୁ ୭ ଜଣ ସ୍ୱେଚ୍ଛା ସେବକ ଇଜାହାର ଲେଖିବାକୁ ସବୁବେଳେ ରହୁଥିଲେ ଏବଂ ତଥାପି ସଂଧ୍ୟା ବେଳକୁ ସମସ୍ତଙ୍କର ଇଜାହାର ସରି ନ ଥାଏ । ଏତେ ଇଜାହାର ଆବଶ୍ୟକ ନ ଥିଲା । ତଥାପି ଲୋକେ ସନ୍ତୁଷ୍ଟ ହେଉ ନ ଥିଲେ ଏବଂ ତାଙ୍କର ମନୋଭାବ ମୁଁ ଜାଣି ପାରୁଥିଲି ।

 

ଯେଉଁମାନେ ଇଜାହାର ଲେଖୁଥିଲେ, ସେମାନଙ୍କୁ କେତେକ ନିୟମ ମାନିବାକୁ ପଡ଼ୁଥିଲା । ପ୍ରତ୍ୟେକ ଚାଷୀକୁ ଜେରା କରାହେଉଥିଲା । ଜେରାରେ ଯେ ବଣା ହୋଇଯାଉଥିଲେ, ଯାହାଙ୍କ କଥା ମନକୁ ଭିତ୍ତିହୀନ ଲାଗୁଥିଲା, ତାହା ଲେଖା ଯାଉ ନ ଥିଲା । ଏଥିରେ ଅନେକ ବାଜେ ସମୟ ଯାଉଥିଲେ ସୁଦ୍ଧା ଏହାଦ୍ୱାରା ଅଧିକାଂଶ ଇଜାହାର ସତ ଓ ଅକାଟ୍ୟ ହୋଇଯାଉଥିଲା ।

 

ଏ ଇଜାହାର ନେଲାବେଳେ ଜଣେ ଗୁପ୍ତ ପୁଲିସ କର୍ମଚାରୀ ସବୁବେଳେ ଉପସ୍ଥିତ ରହୁଥିଲେ । ତାଙ୍କୁ ଆମେ ମନାକରି ପାରିଥାନ୍ତୁ । ମାତ୍ର ମୂଳରୁ ଆମେ ସ୍ଥିର କରିଥିଲୁ, ଏମାନଙ୍କ ଉପସ୍ଥିତିକୁ କେବଳ ଯେ ଆମେ ବାଧା ଦେବୁନାହିଁ ସେତିକି ନୁହେଁ, ବରଂ ତାଙ୍କ ପ୍ରତି ଭଦ୍ରତା କରିବୁ ଓ ତାଙ୍କୁ ଯାହା ସମ୍ବାଦ ଦେଇପାରିବୁ ଦେବୁ । ଗୁପ୍ତ ପୁଲିସଙ୍କ ଉପସ୍ଥିତିରେ ଇଜାହାର ନିଆ ହେଉଥିଲା । ପ୍ରଜାକୂଳ ଅଧିକ ନିର୍ଭୟ ହେଉଥିଲେ । ଗୁପ୍ତ ପୁଲିସଙ୍କ ଅତ୍ୟଧିକ ଡର ପ୍ରଜାଙ୍କ ମନରୁ ଦୂର ହେଉଥିଲା ଏବଂ ସେମାନଙ୍କ ଆଗରେ ବଢ଼େଇ କରି କହିବାର ଡର ହେଉଥିଲା । ମିଛ କହିଲେ କର୍ମଚାରୀମାନେ ଲୋକଙ୍କୁ ଫାଶରେ ପକାଇଦେବେ, ଏହି ଡରରେ ପ୍ରଜାମାନେ ହୁସିଆର ହୋଇ କହୁଥିଲେ ।

 

ମୁଁ କୋଠିବାଲାଙ୍କୁ ଚିଡ଼େଇବାକୁ ଚାହୁଁ ନ ଥିଲି; ବରଂ ତାଙ୍କୁ ଭଦ୍ରତାରେ ଜିଣିବାକୁ ଚେଷ୍ଟା କରୁଥିଲି । ସେଥିପାଇଁ ଯେଉଁମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ହେଉଥିଲା, ମୁଁ ସେମାନଙ୍କୁ ବରାବର ଲେଖୁଥିଲି ଓ ଦେଖା କରିବାକୁ ଚେଷ୍ଟା କରୁଥିଲି । ମୁଁ କୋଠିବାଲାଙ୍କ ସହିତ ସାକ୍ଷାତ କରୁଥିଲି, ପ୍ରଜାଙ୍କ ଦୁଃଖ ତାଙ୍କ ଆଗରେ ଜଣାଉଥିଲି ଏବଂ ସେମାନଙ୍କ ମତ ଜାଣୁଥିଲି । କେତେକ କୋଠିବାଲା ମତେ ଘୃଣା କରୁଥିଲେ, କେତେକ ଉଦାସୀନ ରହୁଥିଲେ, ଅଳ୍ପ କେତେଜଣ ଭଦ୍ର ବ୍ୟବହାର କରୁଥିଲେ ।

 

ସାଥୀମାନେ

 

ବ୍ରଜକିଶୋର ବାବୁ ଓ ରାଜେନ୍ଦ୍ରବାବୁ ଦୁହେଁ ଗୋଟିଏ ନାହିଁ ନ ଦେଖା ଯୋଡ଼ି ଥିଲେ । ତାଙ୍କର ସ୍ନେହରେ ମତେ ଏମିତି ପଙ୍ଗୁ କରି ଦେଇଥିଲେ ଯେ, ତାଙ୍କର ସାହାଯ୍ୟ ବିନା କିଛି କରିବା ମୋ ପକ୍ଷେ ଅସମ୍ଭବ ଥିଲା । ତାଙ୍କର ଚେଲା କହନ୍ତୁ ବା ସାଥୀ କହନ୍ତୁଶମ୍ଭୁବାବୁ, ଅନୁଗ୍ରହବାବୁ, ଧରଣୀବାବୁ, ରାମନବମୀବାବୁଏହି ଓକିଲମାନେ ଆମ ସଙ୍ଗେ ପ୍ରାୟ ସବୁବେଳେ ଥିଲେ । ବିନ୍ଧ୍ୟବାବୁ ଓ ଜନକଧାରୀବାବୁ ମଧ୍ୟେ ମଧ୍ୟେ ରହୁଥିଲେ । ଏମାନେ ଥିଲେ ବିହାରୀ ପଞ୍ଝା । ରୟତମାନଙ୍କର ଇଜାହାର ଲେଖିବା ତାଙ୍କର ପ୍ରଧାନ କାମ ଥିଲା ।

 

ଅଧ୍ୟାପକ କୃପାଲାନୀଙ୍କର ଆମ ସଙ୍ଗରେ ରହିବା ଛଡ଼ା ଗତ୍ୟନ୍ତର ନ ଥିଲା । ଜାତିରେ ସିନ୍ଧୀ ହେଲେ ସୁଦ୍ଧା ସେ ବିହାରୀଙ୍କଠାରୁ ବଳି ବିହାରୀ ଥିଲେ । ଏଭଳି ମୁଁ କମ କର୍ମୀଙ୍କୁ ଜାଣେ, ଯେଉଁମାନେ କି ଯେଉଁ ପ୍ରଦେଶକୁ ଯାନ୍ତି, ସେ ପ୍ରଦେଶରେ ନିଜକୁ ଏକଦମ ମିଶେଇ ଦେଇ ପାରନ୍ତି ଏବଂ ନିଜେ ଅନ୍ୟ ପ୍ରଦେଶର ବୋଲି କାହାକୁ ଜଣେଇ ଦିଅନ୍ତି ନାହିଁ । କୃପାଲାନୀ ୟା’ଙ୍କର ଭିତରୁ ଜଣେ । ତାଙ୍କର ପ୍ରଧାନ କାମ ଥିଲା ମୋର ଦ୍ୱାରପାଳ ହେବା । ଦର୍ଶନ କରିବାକୁ ଆସୁଥିବା ଲୋକଙ୍କଠାରୁ ମତେ ରକ୍ଷା କରିବା, ସେତେବେଳେ ତାଙ୍କ ଜୀବନର ଲକ୍ଷ୍ୟକରି ନେଇଥିଲେ । ସେ କେତେବେଳେ ଥଟ୍ଟା ନକଲରେ, କେତେବେଳେ ବା ଅହିଂସ ଧମକରେ ମୋ ପାଖକୁ ଆସୁଥିବା ଲୋକଙ୍କୁ ଅଟକଉଥିଲେ । ରାତିରେ ସେ ଶିକ୍ଷକ କାମ କରନ୍ତି ଏବଂ ସବୁ ସାଥୀଙ୍କୁ ହସାନ୍ତି । କୌଣସି ଡରୁଆ ଆସିଗଲେ ତାଙ୍କୁ ସାହାସୀ କରିଦିଅନ୍ତି ।

 

ମୌଲାନା ମଜରୁଲ ହକ୍‌ ଯେତେବେଳେ ଲୋଡ଼ା ଆସି ସାହାଯ୍ୟ କରିବେ ବୋଲି କହି ରଖିଥାନ୍ତି ଏବଂ ମାସରେ ଥରେ ଦି’ଥର ମୁହଁମାରି ଦେଇ ଯାଉଥାନ୍ତି । ତାଙ୍କର ସେତେବେଳକାର ଜାକଜମକପୂର୍ଣ୍ଣ ଜୀବନ ଓ ଆଜିକାଲିର ସାଧାସିଧା ଜୀବନ ଭିତରେ ଆକାଶ ପାତାଳ ପ୍ରଭେଦ । ସେ ଆମ ଭିତରକୁ ଆସିଲେ ହୃଦୟର ସହିତ ମିଶି ଯାଉଥିଲେ; କିନ୍ତୁ ତାଙ୍କର ସାହେବୀ ରଙ୍ଗ ଦେଖିଲେ ବାହାର ଲୋକେ ତାଙ୍କୁ ଆମଠୁଁ ଅଲଗା ବିଚାରୁଥାନ୍ତି ।

 

ବିହାରର ଅଧିକ ଅଭିଜ୍ଞତା ହେବା ସଙ୍ଗେ ସଙ୍ଗେ ମୋର ଦୃଢ଼ ବିଶ୍ୱାସ ହେଲା ଯେ, ଚମ୍ପାରଣରେ ସ୍ଥାୟୀ କାମ କରିବାକୁ ହେଲେ ଗାଁ ଗଣ୍ଡାରେ ଶିକ୍ଷା ବିସ୍ତାର ଦରକାର । ଲୋକଙ୍କର ମୂର୍ଖତା ଶୋଚନୀୟ ଥିଲା । ଗାଁରେ ପିଲାମାନେ ବୁଲୁଥିଲେ କିମ୍ବା ଦି’ତିନି ପଇସା ପାଇଁ ସକାଳୁ ସଞ୍ଜଯାଏ ନୀଳ ଖେତରେ ଖଟୁଥିଲେ । ସେତେବେଳେ ଜଣେ ପୁରୁଷ ମୂଲିଆର ମଜୁରୀ ଦଶ ପଇସାରୁ ବେଶୀ ନ ଥିଲା । ସ୍ତ୍ରୀ ଲୋକର ଛ’ ପଇସା ଓ ପିଲାଙ୍କର ତିନି ପଇସା । ଦିନକୁ ଚାରିଅଣା ପାଇଲେ ଚାଷୀ ନିଜକୁ କପାଳିଆ ମଣୁଥିଲେ ।

 

ବନ୍ଧୁମାନଙ୍କ ପରାମର୍ଶରେ ଛ’ଟି ଗ୍ରାମରେ ପ୍ରଥମେ ବାଳକଙ୍କ ପାଇଁ ଚାଟଶାଳୀ ଖୋଲିବାର ସ୍ଥିରକଲି । ଗାଁ ବାଲାଙ୍କ ସଙ୍ଗେ ଗୋଟିଏ ସର୍ତ୍ତ ଥିଲା ଯେ, ଗାଁ ମୁଣ୍ଡିଆମାନେ ଘର ଓ ଶିକ୍ଷକଙ୍କର ଖାଇବା ଯୋଗେଇବେ, ଆମେ ଅନ୍ୟାନ୍ୟ ଖର୍ଚ୍ଚ ଦେବୁ । ଗାଁବାଲାଙ୍କ ହାତରେ ପଇସା କ୍ୱଚିତ୍‌ଥାଏ; କିନ୍ତୁ ଶସ୍ୟ ପ୍ରଭୃତି ଦେବାର ଶକ୍ତି ଥାଏ; ତେଣୁ ଲୋକେ ଶସ୍ୟ ପ୍ରଭୃତି ଦେବାକୁ ରାଜି ହୋଇଥିଲେ ।

 

କେଉଁଠି ଶିକ୍ଷକ ମିଳିବେସେଇ ହେଲା ବଡ଼ ପ୍ରଶ୍ନ । ବିନା ଦରମା ବା ଅଳ୍ପ ଦରମା ନେଇ ଭଲ ଶିକ୍ଷକ ବିହାରରୁ ମିଳିବା କଠିନ ଥିଲା । ପିଲାମାନଙ୍କୁ ସାଧାରଣ ଶିକ୍ଷକମାନଙ୍କ ଜିମାରେ ଛାଡ଼ିଦେବା ମୋର ମତ ନ ଥିଲା । ତାଙ୍କର ବିଦ୍ୟା ଯେତେ କମ୍‌ ହେଉପଛେ, କିନ୍ତୁ ତାଙ୍କର ଚରିତ୍ରବଳ ଏକାନ୍ତ ଲୋଡ଼ାଥିଲା ।

 

ମୁଁ ଏ କାମ ପାଇଁ ସ୍ୱେଚ୍ଛାସେବକ ସକାଶେ ସାଧାରଣରେ ନିବେଦନ କରିଥିଲି । ତା’ରି ଜବାବରେ ଗଙ୍ଗାଧର ରାଓ ଦେଶପାଣ୍ଡେ, ବାବାସାହେବ ସୋମନ ଓ ପୁଣ୍ଡଲିକଙ୍କୁ ପଠାଇଥିଲେ । ବମ୍ବେରୁ ଅବନ୍ତିକା ବାଈ ଗୋଖଲେ ଓ ଦକ୍ଷିଣରୁ ଆନନ୍ଦି ବାଈ ଆସିଥିଲେ । ମୁଁ ଛୋଟାଲାଲ, ସୁରେନ୍ଦ୍ରନାଥ ଓ ମୋ ପୁଅ ଦେବଦାସଙ୍କୁ ଡାକିଆଣିଥିଲି । ଏହି ସମୟରେ ମତେ ମହାଦେବ ଦେଶାଇ ଓ ନରହରି ପରୀଖ ଜୁଟି ଯାଇଥିଲେ । ମହାଦେବ ଦେଶାଇଙ୍କ ସ୍ତ୍ରୀ ଦୁର୍ଗା ବହେନ୍‌ ଓ ନରହରି ପରୀଖଙ୍କ ସ୍ତ୍ରୀ ମଣୀ ବହେନ୍‌ ମଧ୍ୟ ଆସିଥିଲେ । କସ୍ତୁରୀ ବାଈଙ୍କୁ ମଧ୍ୟ ଡକା ହୋଇଥିଲା । ଏତିକିରେ ଶିକ୍ଷକ ଶିକ୍ଷିକା ଦଳଟି ପୂରା ହୋଇଥିଲା । ଅବନ୍ତିକା ବାଈ ଓ ଆନନ୍ଦ ବାଈ ଯଥେଷ୍ଟ ଶିକ୍ଷିତା ଥିଲେ; କିନ୍ତୁ ଦୁର୍ଗା ବହେନ୍‌ ଦେଶାଇ ଓ ମଣୀ ବେନ୍‌ ପରୀଖଙ୍କର ସାମାନ୍ୟ ଗୁଜରାତୀ ଜ୍ଞାନ ଥିଲା ଏବଂ କସ୍ତୁରୀ ବାଈର ତ କିଛି ନ ଥିଲା ଭଳି । ଏମାନେ ହିନ୍ଦୀ ପିଲାଙ୍କୁ କେମିତି ଶିଖାଇବେ ?

 

ମୁଁ ସେମାନଙ୍କୁ ବୁଝେଇ ଦେଇଥିଲି ଯେ, ପିଲାଙ୍କୁ ବ୍ୟାକରଣ ନୁହଁ କିନ୍ତୁ ଭଲ ଚାଲିଚଳନ ଶିଖାଇବାର ଥିଲା । ତାଙ୍କୁ ଲେଖାପଢ଼ି ଶିଖାଇବାଠାରୁ ବେଶୀ ସଫାସୁତୁରା ରହିବା ନିୟମ ଶିଖାଇବାର ଥିଲା । ହିନ୍ଦୀ, ଗୁଜୁରାତୀ ବା ମରାଠୀ ଭିତରେ ବଡ଼ ପ୍ରଭେଦ ନାହିଁ ବୋଲି ଏବଂ ପ୍ରଥମ ଶ୍ରେଣୀରେ ତ ଅଙ୍କ ଆରମ୍ଭ କରିବା କଥା, ସେଥିପାଇଁ କିଛି ଅଡ଼ୁଆ ହେବ ନାହିଁ ବୋଲି ମୁଁ ତାଙ୍କୁ ବୁଝେଇଥିଲି । ଫଳରେ ଏ ମହିଳାମାନେ ଯେ ଶ୍ରେଣୀ ସବୁ ଖୋଲିଥିଲେ, ସେଗୁଡ଼ିକ ଖୁବ୍‌ ଭଲ ଚାଲିଥିଲା । ଏ ଭଉଣୀମାନଙ୍କର ଆତ୍ମବିଶ୍ୱାସ ଓ କାମରେ ଆନନ୍ଦ ବଢ଼ିଥିଲା-। ଅବନ୍ତିକା ବାଈଙ୍କର ତ ଗୋଟିଏ ଆଦର୍ଶ ବିଦ୍ୟାଳୟ ହୋଇଥିଲା । ସେ ମନପ୍ରାଣ ଦେଇ କାମରେ ଲାଗି ଯାଇଥିଲେ । ତାଙ୍କର କର୍ମକୁଶଳତା ମଧ୍ୟ ଯଥେଷ୍ଟ ଥିଲା । ଏହି ଭଉଣୀମାନଙ୍କ ଜରିଆରେ ଗ୍ରାମର ସ୍ତ୍ରୀ ଲୋକଙ୍କ ଭିତରେ ପଶି ପାରିଥିଲୁ ।

 

କିନ୍ତୁ ଏ ପାଠପଢ଼ାରେ ମୋ କାମ ସରିବାର ନ ଥିଲା । ଗାଁରେ ମଇଳାର ଅନ୍ତ ନ ଥିଲା-। ବାଟରେ ଅଳିଆଗଦା, କୂଅପାଖରେ କାଦୁଅ ଓ ଦୁର୍ଗନ୍ଧ ଏବଂ ଅଗଣାରେ ଗୋଡ଼ ପକାଇ ହେବ ନାହିଁ । ବଡ଼ ବଡ଼ ମଣିଷଙ୍କର ସଫାସୁତରା ରହିବା ଶିକ୍ଷା ଲୋଡ଼ା ଥିଲା । ଚମ୍ପାରଣର ଲୋକେ ନାନା ପ୍ରକାରର ରୋଗ ଭୋଗୁଥିଲେ । ସ୍ୱାସ୍ଥ୍ୟୋନ୍ନତି କାମ ଯେତେ ଦୂର ସମ୍ଭବ କରିବା ଏବଂ ତାଙ୍କର ଜୀବନର ପ୍ରତ୍ୟେକ ବିଭାଗରେ ପ୍ରବେଶ କରିବାର ବିଚାର ଥିଲା ।

 

ଏ କାମରେ ଡାକ୍ତରଙ୍କର ଲୋଡ଼ା ପଡ଼ିଲା । ତେଣୁ ଡାକ୍ତର ଦେବଙ୍କୁ ଉଧାର ଦେବାପାଇଁ ମୁଁ ଗୋଖଲେଙ୍କ ସମାଜକୁ ଲେଖିଲି । ଆମେ ଦୁହେଁ ଭାରି ବନ୍ଧୁ ଥିଲୁ ଏବଂ ଛଅମାସପାଇଁ ତାଙ୍କ ସେବା ମିଳିଥିଲା । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଅଧୀନରେ କାମ କରିବାକୁ ହେଉଥିଲା ।

 

ଏହି ସମସ୍ତଙ୍କୁ ଖାସ୍‌ କରି କୁହାଯାଇଥିଲା ଯେ, ସେମାନେ ରାଜନୀତି ବା କୋଠିବାଲାଙ୍କ ବିରୋଧରେ ଅଭିଯୋଗ ପ୍ରଭୃତି ସଙ୍ଗେ କୌଣସି ସମ୍ପର୍କ ରଖିବେ ନାହିଁ । ଅଭିଯୋଗକାରୀଙ୍କୁ ମୋ ପାଖକୁ ପଠାଇଦେବେ । କେହି ଆପଣା କାମର ଗଣ୍ଡି ବାହାରକୁ ଯେମିତି ପାଦେ ନ ଯାନ୍ତି । ଚମ୍ପାରଣର ଏହି ସହକର୍ମୀମାନେ ଅଦ୍ଭୁତ ଭାବେ ନିୟମ ମାନି ଚଳିଥିଲେ । ଏହା ଅମାନ୍ୟ କରିଥିବାର ଗୋଟିଏ ସୁଦ୍ଧା ଘଟଣା ମୋର ମନେ ପଡ଼ୁନାହିଁ ।

 

ଗ୍ରାମ ଭିତରକୁ ପଶିବା

 

ଅଧିକାଂଶ ସ୍ଥଳରେ ପ୍ରତ୍ୟେକ ବିଦ୍ୟାଳୟକୁ ଜଣେ ପୁରୁଷ ଓ ଜଣେ ସ୍ତ୍ରୀଙ୍କ ଜିମା ରଖିଥିଲୁ । ଏ ସ୍ୱୟଂସେବକମାନେ ସ୍ୱାସ୍ଥ୍ୟୋନ୍ନତି ଓ ଔଷଧ ଦେବା କାମ ମଧ୍ୟ କରୁଥିଲେ । ସ୍ତ୍ରୀଲୋକମାନଙ୍କ ଜରିଆରେ ମହିଳାମାନଙ୍କ ମଧ୍ୟରେ ପଶିବାକୁ ଚେଷ୍ଟା କରିଥିଲୁ ।

 

ଔଷଧ ଦେବା କାମଟାକୁ ଭାରି ସହଜ କରି ପକେଇଥିଲୁ । ଜଡ଼ାତେଲ, କୁଇନାଇନ୍‌ ଏବଂ ଗୋଟାଏ ମଲମ—ଏତିକି ପ୍ରତି ବିଦ୍ୟାଳୟରେ ରଖାଯାଉଥିଲା । ରୋଗୀର ଯଦି ଜିଭ ମଇଳା ଥାଏ ଏବଂ କୋଷ୍ଠକାଠିନ୍ୟ ଥାଏ, ତେବେ ଜଡ଼ାତେଲ ଖୁଆଇ ଦିଆହୁଏ ଏବଂ ବଥ, କାଛୁ ଇତ୍ୟାଦିରେ ଭଲକରି କ୍ଷତ ସ୍ଥାନ ଧୋଇ ମଲମ ଲଗାଇ ଦିଆହୁଏ । କୌଣସି ରୋଗୀକୁ ଖାଇବା ଘରକୁ ଔଷଧ ବା ମଲମ ନେବାକୁ ହୁଆହୁଏ ନାହିଁ । ଯେଉଁଠାରେ ବିପଜ୍ଜନକ ବା ଟିକିଏ ଗୋଳମାଳିଆ ରୋଗ ଥାଏ, ସେଠି ଡାକ୍ତର ଦେବଙ୍କ ପରାମର୍ଶ ନିଆଯାଏ । ଡାକ୍ତର ଦେବ ସପ୍ତାହରେ ପ୍ରତ୍ୟେକ ନିର୍ଦ୍ଧିଷ୍ଟ ଦିନ ପ୍ରତ୍ୟେକ କେନ୍ଦ୍ର ବୁଲି ଦେଖିଆସନ୍ତି ।

 

ବହୁତ ଲୋକ ଏ ସାଧାସିଧା ସୁବିଧାରୁ ଲାଭ ପାଉଥିଲେ । ସାଧାରଣ ରୋଗ ସଂଖ୍ୟା ଖୁବ୍‌ କମ୍‌ ଏବଂ ତାହା ପାଇଁ କେବେହେଁ ବଡ଼ ଡାକ୍ତର ଲୋଡ଼ାନାହିଁ, ଏତକ ମନେରଖିଲେ ଉପରୋକ୍ତ ଚିକିତ୍ସା ବନ୍ଦୋବସ୍ତ କାହାରିକୁ ହାସ୍ୟଜନକ ଲାଗିବ ନାହିଁ । ଲୋକଙ୍କୁ ତ କେବେ ସେମିତି ଲାଗି ନ ଥିଲା ।

 

ସଫାଇ କାମ ବଡ଼ କଠିନ ବ୍ୟାପାର ଥିଲା । ଲୋକେ ନିଜେ କିଛି କରିବାକୁ ନାରାଜ । ଯେ ରୋଜ କ୍ଷେତରେ ମୂଲ ଲାଗନ୍ତି, ସେମାନେ ସୁଦ୍ଧା ନିଜେ ନିଜର ସଫା-ସୁତୁରା କରିବାକୁ ପ୍ରସ୍ତୁତ ନ ଥିଲେ । ଡାକ୍ତର ଦେବ ଓ ଅନ୍ୟାନ୍ୟ ସ୍ୱୟଂସେବକମାନେ ଗୋଟାଏ ଗାଁରେ ରାସ୍ତା ସଫା କରିଥିଲେ, ଅଗଣାରୁ ଅଳିଆ କାଢ଼ିଥିଲେ, କୂଅଚାରିପାଖ ଖାତ ସବୁ ପୋତି ଦେଇଥିଲେ, କାଦୁଅ ଉଠାଇ ଦେଇଥିଲେ ଏବଂ ନିଜ ଭିତରୁ ସ୍ୱୟଂସେବକ ବାହାର କରିବାପାଇଁ ଲୋକଙ୍କୁ ପ୍ରେମପୂର୍ବକ ବୁଝାଉଥିଲେ । କେତେକ ଗାଁର ଲୋକେ ଲାଜରେ ନିଜେ କରିବା କାମ ଆରମ୍ଭ କରିଥିଲେ ଏବଂ ଅନ୍ୟ କେତେକ ଗ୍ରାମରେ ଲୋକେ ମୋ ମଟରଗାଡ଼ି ଯିବାକୁ ବାଟ ନିଜ ପରିଶ୍ରମରେ ସଫା କରି ଦେଇଥିଲେ । ଏସବୁ ସୁଖକର ଅନୁଭୂତି ସାଙ୍ଗକୁ ଲୋକଙ୍କର ଅଯତ୍ନର କଟୁ ଅନୁଭୁତି ଯେ ନ ଥିଲା, ତା ନୁହେଁ । ମୋର ମନେ ଅଛି, କେତେକ ଗ୍ରାମବାସୀ ଏ ସବୁ କାମପ୍ରତି ତାଙ୍କର ଅଶ୍ରଦ୍ଧା ସ୍ପଷ୍ଟ ଜଣାଇ ଦେଇଥିଲେ ।

 

ଏ ସବୁ ଅଭିଜ୍ଞତା ଭିତରେ ଗୋଟିଏ ଅନୁଭବ କଥା, ଯାହା ମୁଁ ସ୍ତ୍ରୀଲୋକଙ୍କ ସଭାରେ ଅନେକଥର କହିଛି, ତାହା ଏଠି ଉଲ୍ଲେଖ କଲେ ଅପ୍ରାସଙ୍ଗିକ ହେବ ନାହିଁ ।

 

ଭୀତିହରବା ଗୋଟିଏ ଛୋଟ ଗାଁ । ତା ପାଖରେ ତାଠୁଁ ଛୋଟିଆ ଗାଁ’ମାନ ଥାଏ । ସେଠାରେ କେତେଗୁଡ଼ିଏ ସ୍ତ୍ରୀ ଲୋକଙ୍କୁ ଭାରି ମଇଳା ଲୁଗା ପିନ୍ଧିଥିବାର ଦେଖିଥିଲି । ସେ ଲୁଗାକୁ ପାଲଟି ଧୋଇବାକୁ ବୁଝେଇବାକୁ ମୁଁ ମୋର ସ୍ତ୍ରୀକୁ କହିଥିଲି । ସେ ତାଙ୍କୁ ପଚାରିଥିଲେ । ଜଣେ ସ୍ତ୍ରୀ ଲୋକ ତା’ କୁଡ଼ିଆକୁ ତାଙ୍କୁ ଡାକିନେଇ କହିଲା, ‘‘ଦେଖ, ଏଠି ତ ପେଟରା ସିନ୍ଦୁକ କିଛି ନାହିଁ–ଯେଉଁଥିରେ କି ଲୁଗାପଟା ଥିବ । ଯେ ଶାଢ଼ୀ ଖଣ୍ଡି ପିନ୍ଧିଛି, ସେ ଖଣ୍ଡିକ ମୋର ସର୍ବସ୍ୱ । ତାକୁ ମୁଁ ଧୋଇବି କିପରି ? ମହାତ୍ମାଜୀଙ୍କୁ କହନ୍ତୁ ମତେ ଖଣ୍ଡେ ଶାଢ଼ୀ ଦେବେ ଏବଂ ତେବେ ମୁଁ ରୋଜ ଗାଧୋଇ ସଫାଲୁଗା ପିନ୍ଧିବା ଜବାବ ଦେବି ।’’

 

ଏ ଘରଟି ଅସାଧାରଣ ନୁହେଁ; ବରଂ ଭାରତର ଅନେକ ଗାଁରେ ଯାହା ଅଛି, ତାର ନମୁନା ମାତ୍ର । ଭାରତର ଅସଂଖ୍ୟ ଘରେ ଲୋକଙ୍କର ଆସବାସ ପତ୍ର, ପେଡ଼ିପେଟରା, ଲୁଗାପଟା ନ ଥାଏ ଏବଂ ଅସଂଖ୍ୟ ଲୋକ ଖଣ୍ଡେ ଲୁଗାରେ ଚଳୁଥାନ୍ତି । ଆଉ ଗୋଟିଏ ଅନୁଭୂତି କଥା ଉଲ୍ଲେଖ କରିବି । ଚମ୍ପାରଣରେ ବାଉଁଶ, ବେଣାଘାସର ଅଭାବ ନାହିଁ । ଲୋକେ ଭୀତିହରବାର ଚାଟଶାଳୀ ଘରର ଚାଳ ଏଇଥିରେ ଛପର କରିଥିଲେ । କେହି ଦିନେ ରାତିରେ ନିଆଁ ଲଗାଇଦେଲା-। ଆଖପାଖ ନୀଳକୋଠିବାଲାଙ୍କ ଉପରେ ସନ୍ଦେହ ହୋଇଥିଲା । ଆଉ ବାଉଁଶ ଛଣରେ କୁଡ଼ିଆ କରିବା ସମୀଚୀନ ମନେହେଲା ନାହିଁ । ସେ ଚାଟଶାଳୀ ଶ୍ରୀଯୁକ୍ତ ସୋମନ ଓ କସ୍ତୁର ବାଈ ଜିମାରେ ଥିଲା । ସୋମନ ଇଟାର ପକ୍‌କାଘର କରିବା ସ୍ଥିର କଲେ ଏବଂ ସେ ନିଜେ ଏମିତି ପରିଶ୍ରମ କରିଥିଲେ ଯେ, ତାହା ରୋଗ ଡେଇଁଲାଭଳି ଅନେକଙ୍କୁ ତାଙ୍କ ସଙ୍ଗେ ଜୁଟେଇ ଦେଇଥିଲା ଏବଂ ଖୁବ୍‌ ଶୀଘ୍ର ଗୋଟିଏ ଇଟାଘର ଠିଆ ହୋଇ ଯାଇଥିଲା । ଆଉ ପୋଡ଼ି ଯିବାର ଡ଼ର ରହି ନ ଥିଲା-

 

ଏମିତି ବିଦ୍ୟାଳୟ, ଔଷଧ ଦେବା ଓ ସ୍ୱାସ୍ଥ୍ୟୋନ୍ନତି କାର୍ଯ୍ୟ ଯୋଗୁଁ ସ୍ୱୟଂସେବକଙ୍କ ପ୍ରତି ଗାଁ ଲୋକଙ୍କର ବିଶ୍ୱାସ ଓ ଆଦର ବଢ଼ିଥିଲା । ଗାଁ ଲେକଙ୍କ ଉପରେ ଭଲ ପ୍ରଭାବ ମଧ୍ୟ ପଡ଼ିଥିଲା ।

 

କିନ୍ତୁ ଦୁଃଖର ସହିତ ମୋର ଜଣାଇବା ଉଚିତ ଯେ, ଏହି କାମକୁ ସ୍ଥାୟୀ କରିବା ପାଇଁ ମୋର ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇ ନ ଥିଲା । ସ୍ୱୟଂସେବକମାନେ ନିର୍ଦ୍ଦିଷ୍ଟ ସମୟ ପାଇଁ ଆସିଥିଲେ । ଆଉ ନୂଆ ବାହାରୁ ଯୋଗାଡ଼ କରିପାରିଲି ନାହିଁ ଏବଂ ସ୍ଥାୟୀ କର୍ମୀ ବିହାରରେ ମିଳିଲେ ନାହିଁ । ଚମ୍ପାରଣରେ ମୋ କାମ ସରିଲାବେଳକୁ ବାହାରେ ଅନ୍ୟ କାମ ତିଆର ଥିଲା, ମୁଁ ସେଥିରେ ଯାଇ ପଡ଼ିଥିଲି । ଯାହାହେଉ ଚମ୍ପାରଣରେ ଏହି ଛ’ମାସର କାମ ଏତେ ଚେର ଧରିଯାଇଥିଲା ଯେ, ତା’ର ପ୍ରଭାବ କୌଣସି ନା କୌଣସି ଆକାରରେ ଆଜି ସୁଦ୍ଧା ଅନୁଭୂତ ହେଉଛି ।

 

ଭଲ ପାଖ (ଦିଗ)

 

ଯେତେବେଳେ ଏକଆଡ଼େ ପୂର୍ବୋକ୍ତ ସମାଜସେବା କାମ ଚାଲିଥାଏ, ସେତେବେଳେ ଅନ୍ୟଆଡ଼େ ରୟତଙ୍କ ଦୁଃଖ କାହାଣୀ ଲେଖା କାମ ଅଧିକ ଜୋରରେ ଚାଲୁଥାଏ । ହଜାର ହଜାର ଇଜାହାର ନିଆ ଯାଇଥିଲା ଏବଂ ତା’ର ଫଳ ନ ହୋଇ ରହିବ କୁଆଡ଼େ ? ଯେମିତି ମୋ ବସାକୁ ଲୋକଙ୍କ ଯା’ଆସ ବଢ଼ିବାକୁ ଲାଗିଲା, ସେମିତି କୋଠିବାଲାଙ୍କ ରାଗ ବଢ଼ିଲା ଏବଂ ମୋର ଅନୁସନ୍ଧାନ ବନ୍ଦ କରାଇବାକୁ ତାଙ୍କର ଉଦ୍ୟମ ବଢ଼ିଥିଲା ।

 

ଦିନେ ମୁଁ ଖଣ୍ଡିଏ ଚିଠି ବିହାର ସରକାରଙ୍କଠାରୁ ପାଇଥିଲି । ତା’ର ମର୍ମ ଏୟା ଥିଲା–‘‘ଆପଣଙ୍କର ଅନୁସନ୍ଧାନ ବହୁତ ଦିନ ହେଲା ଚାଲିଲାଣି; ବର୍ତ୍ତମାନ ଆପଣ ତାକୁ ସାରି ବିହାର ଛାଡ଼ିଯିବା ଉଚିତ ।’’ ଚିଠି ଖଣ୍ଡି ବଡ଼ ଭଦ୍ରଭାଷାରେ ଲେଖା ହୋଇଥିଲା: ମାତ୍ର ତା’ର ଅର୍ଥ ସ୍ପଷ୍ଟ ଜଣା ପଡ଼ୁଥିଲା ।

 

ମୁଁ ଜବାବରେ ଲେଖିଲି ଯେ, ତଦନ୍ତ ତ ଲମ୍ବେଇବ, ଏବଂ ତାହା ସତ୍ତ୍ୱେ ଲୋକଙ୍କର ଦୁଃଖନିବାରଣ ନ ହେବାଯାଏ, ମୋର ବିହାର ଛାଡ଼ିଯିବା ଉଚିତ ନୁହେଁ । ମୋର ଏ ତଦନ୍ତ ବନ୍ଦ କରିବାପାଇଁ ସରକାରଙ୍କ ହାତରେ କେବଳ ଗୋଟିଏ ଉପାୟ ଅଛି ଯେ, ରୟତମାନଙ୍କ ଅଭିଯୋଗ ସତ୍ୟ ବୋଲି ମାନି ନ୍ୟାୟ ବିଚାର କରନ୍ତୁ କିମ୍ବା ଅଭିଯୋଗକୁ ଉପଯୁକ୍ତ ବିଚାରି ନିଜର ଗୋଟିଏ ତଦନ୍ତ କମିଟି ଅବିଳମ୍ବେ ବସାନ୍ତୁ ।

 

ଛୋଟଲାଟ୍ ସାର ଏର୍ଡ଼ଓ୍ୟାର୍ଡ଼ ଗେଟ୍ ମୋତେ ଦେଖା କରିବାକୁ ଡକାଇ ପଠାଇଥିଲେ । ସେ ଗୋଟିଏ ତଦନ୍ତ କମିଟି ବସାଇବାକୁ ରାଜି ହୋଇଥିଲେ ଏବଂ ସେଥିରେ ମତେ ଜଣେ ସଭ୍ୟ ହେବାକୁ ଅନୁରୋଧ କରିଥିଲେ । କମିଟିର ଅନ୍ୟ ସଭ୍ୟମାନଙ୍କ ନାଁ ସବୁ ବୁଝି ଏବଂ ସହକର୍ମୀମାନଙ୍କ ପରାମର୍ଶ ନେଇ କମିଟିରେ ସଭ୍ୟ ହେବାକୁ ରାଜି ହୋଇଥିଲି; କିନ୍ତୁ ଏହି ସର୍ତ୍ତ ରଖିଥିଲି, ଯେ, ତଦନ୍ତ ବେଳେ ମୁଁ ମୋର ସହକର୍ମୀମାନଙ୍କ ସଙ୍ଗେ ପରାମର୍ଶ କରିପାରିବି ଏବଂ ସରକାର ମଧ୍ୟ ଜାଣି ରଖିବେ ଯେ, ମୁଁ ସଭ୍ୟ ହେଲି ବୋଲି ମୁଁ ରୟତଙ୍କ ଓକିଲାତି କରିବା ଛାଡ଼ିବି ନାହିଁ । ଯଦି ତଦନ୍ତର ଫଳ ମତେ ସନ୍ତୁଷ୍ଟ କରିପାରିବ ନାହିଁ, ତେବେ ପ୍ରଜାମାନେ ତେଣିକି କ’ଣ କରିବେ, ସେ ବିଷୟରେ ମୁଁ ସେମାନଙ୍କୁ ଉପଦେଶ ଦେଇପାରିବି ।

 

ଏ ସର୍ତ୍ତକୁ ନ୍ୟାଯ୍ୟ ବିଚାରି ସର୍ ଏର୍ଡଓ୍ୟାର୍ଡ ଗେଟ୍ ରାଜି ହୋଇଗଲେ । ସ୍ୱର୍ଗୀୟ ସର୍ ପ୍ରାଙ୍କସ ଲାଇ ସଭାପତି ହୋଇଥିଲେ ।

 

କମିଟି ପ୍ରଜାଙ୍କର ସବୁ ଅଭିଯୋଗକୁ ସତ ସାବ୍ୟସ୍ତ କଲେ ଏବଂ ପରାମର୍ଶ ଦେଲେ ଯେ, କମିଟି ଯେଉଁସବୁ ଆଦାୟ ଅସୁଲକୁ ବେ-ଆଇନ୍ ଧାର୍ଯ୍ୟ କରିଥିଲ, ସେ ସବୁର ଗୋଟିଏ ଅଂଶ କୋଠିବାଲାମାନେ ଫେରାଇଦେବେ ଏବଂ ତିନିକାଠିଆ ପ୍ରଥା ଉଠିଯିବ ।

 

ଏ ରିପୋର୍ଟକୁ ସର୍ବ ସର୍ବସମ୍ମତ କରିବାରେ ଏବଂ ଶେଷରେ ଆଇନଟି ପାସ୍ କରାଇବାରେ ସର୍ ଏଡ଼ଓ୍ୟାଡ଼ ଗେଟ୍‌ଙ୍କର ଯଥେଷ୍ଟ ହାତ ଥିଲା । ସେ ଟିକିଏ ଟାଣ ଧରି ବସି ନ ଥିଲେ ଏବଂ ତାଙ୍କର ସମସ୍ତ ବୁଦ୍ଧି କେବଳ ଏ ବିଷୟରେ ନ ଖଟେଇଥିଲେ, ରିପୋର୍ଟଟି ସର୍ବସମ୍ମତ ହୋଇ ନ ଥାନ୍ତା ଏବଂ ଚାଷୀଙ୍କ ଆଇନଟି ଗୃହୀତ ହୋଇ ନ ଥାନ୍ତା । କୋଠିବାଲାଙ୍କର ପ୍ରବଳ କ୍ଷମତା ଥିଲା । କମିଟିଙ୍କ ରିପୋର୍ଟ ସତ୍ତ୍ୱେ ସେମାନଙ୍କ ଭିତରୁ କେତେ ଆଇନର ଘୋର ବିରୋଧ କରିଥିଲେ; ମାତ୍ର ଶେଷ ପର୍ଯ୍ୟନ୍ତ ସର୍ ଏଡ଼ଓ୍ୟାର୍ଡ ଗେଟ୍ ଟାଣ ହୋଇ ବସିଥିଲେ ଏବଂ କମିଟିର ପରାମର୍ଶଗୁଡ଼ିକ ପୂରାପୂରି କାର୍ଯ୍ୟରେ ପରିଣତ କରିଥିଲେ ।

 

ସେ ତିନିକାଠିଆ ପ୍ରଥା ଶହ ଶହ ବର୍ଷ ଧରି ଚଳିଆସୁଥିଲା, ତାହା ଏମିତି ରଦ୍ଦ ହେଲା ଏବଂ ତା ସଙ୍ଗେ ସଙ୍ଗେ କୋଠିବାଲାଙ୍କ ରାଜତ୍ୱ ସରିଲା । ଯେଉଁ ପ୍ରଜାମାନେ ଦଳି ହୋଇ ପଡ଼ିଥିଲେ, ସେମାନେ ଆପଣା ଶକ୍ତି ବୁଝି ପାରିଥିଲେ ଏବଂ ନୀଳବଡ଼ିର କଳଙ୍କ ଲିଭିବ ନାହିଁ ବୋଲି ଯେ କୁସଂସ୍କାର ଥିଲା, ତାହା ଦୂର ହୋଇଗଲା ।

 

ଆଉ କିଛି ବର୍ଷ ଏ ଗଠନମୂଳକ କାର୍ଯ୍ୟ ଚଳେଇବାକୁ, ଆହୁରି ଚାଟଶାଳୀ ବସେଇବାକୁ ଏବଂ ଆହୁରି ଭଲକରି ଗ୍ରାମଗୁଡ଼ିକରେ ପଶିବାକୁ ମୋର ଇଚ୍ଛା ଥିଲା । ଜମି ପ୍ରସ୍ତୁତ ଥିଲା । ମାତ୍ର ଭଗବାନ ମୋର ବାସନାକୁ ଅନେକ ଥର ପୂର୍ଣ୍ଣ କରେଇ ଦେଇ ନାହାନ୍ତି । ମୁଁ ବିଚାରିଥିଲି ଗୋଟାଏ ମାତ୍ର ଦୈବ ମତେ ଆନ କାମକୁ ଟାଣି ନେଇଥିଲା ।

 

ଶ୍ରମଜୀବୀଙ୍କ ସମ୍ପର୍କ

 

ଚମ୍ପାରଣରେ ମୁଁ କମିଟିର କାମ ସାରୁଥିଲି, ଏହି ସମୟରେ ଖେଡ଼ା ଜିଲାରେ ଫସଲ ନଷ୍ଟ ଓ ଖଜଣାଛାଡ଼ି ସମ୍ବନ୍ଧରେ ମୋହନଲାଲ ପଣ୍ଡ୍ୟା ଓ ଶଙ୍କରଲାଲ ପରୀଖଙ୍କଠାରୁ ପତ୍ର ପାଇଲି-। ସେଠାକୁ ଯାଇ ଲୋକଙ୍କୁ ବାଟ ଦେଖାଇବାକୁ ସେମାନେ ମୋ ସଙ୍ଗେ ଲଗେଇଥିଲେ । ସରଜମିନ୍‌ରେ ତଦନ୍ତ ନ କରି ଉପଦେଶ ଦେବାପାଇଁ ମୋର ଇଚ୍ଛା, ସାମର୍ଥ ବା ସାହସ ନ ଥିଲା । ସେହି ସମ୍ବୟରେ ଶ୍ରୀମତୀ ଅନସୂୟା ବେନ୍‌ଙ୍କଠାରୁ ତାଙ୍କର ମଜଦୂର ସଙ୍ଘ (ମୂଲିଆ ସଭା) ସମ୍ବନ୍ଧ ଖଣ୍ଡେ ଚିଠି ଆସିଲା । ମଜୁରୀ ବହୁତ କମ୍ ଥିଲା, ଶ୍ରମଜୀବୀମାନେ ବହୁତ ଦିନ ହେଲା ମଜୁରୀ ବଢ଼େଇବାକୁ ଦାବି କରୁଥିଲେ । ଏଥିରେ ସେମାନଙ୍କୁ ବାଟ ଦେଖେଇବାକୁ ମୋର ବିଶେଷ ଇଚ୍ଛା ଥିଲା । କିନ୍ତୁ ଅପେକ୍ଷାକୃତ କ୍ଷୁଦ୍ର ବିଷୟଟିକୁ ମଧ୍ୟ ଏତେ ଦୂରକୁ ଚଳେଇବା ମୋ ଦ୍ୱାରା ହୋଇପାରୁ ନ ଥିଲା । ସେଥିପାଇଁ ଯେମିତି ସୁବିଧା ମିଳିଲା, ମୁଁ ଅହମଦାବାଦ୍ ଗଲି । ମୁଁ ଆଶା କରିଥିଲି ଯେ, ଏ ଦୁଇଟିଯାକ କାମ ଶୀଘ୍ର ସାରିଦେଇ ମୁଁ ଚମ୍ପାରଣ ଫେରିବି ଓ ସେଠାକାର ଗଠନମୂଳକ କାର୍ଯ୍ୟର ତତ୍ତ୍ୱ ନେବି ।

 

କିନ୍ତୁ ଅହମଦାବାଦ ପହୁଞ୍ଚିବା ପରେ ପରେ ଏମିତି କାମ ସବୁ ବାହାରିପଡ଼ିଲା ଯେ, ଅନେକ ଦିନଯାଏ ମୁଁ ଚମ୍ପାରଣକୁ ଫେରିପାରିଲି ନାହିଁ ଏବଂ ବିଦ୍ୟାଳୟଗୁଡ଼ିକ ଗୋଟି ଗୋଟି ହୋଇ ବନ୍ଦ ହୋଇଗଲା । ମୁଁ ଓ ସହକର୍ମୀମାନେ ଆକାଶକୁସୁମ ତୋଳିଥିଲୁ; କିନ୍ତୁ ସେ ସବୁ କ୍ଷଣକେ ଉଭେଇଗଲା ।

 

ଗ୍ରାମ ସ୍ୱାସ୍ଥ୍ୟୋନ୍ନତି ଓ ଶିକ୍ଷା ଛଡ଼ା ଚମ୍ପାରଣରେ ଗୋ-ରକ୍ଷା କାମ ବି ମୁଁ ହାତକୁ ନେଇଥିଲି । ମୋର ଗସ୍ତ ସମୟରେ ମୁଁ ଦେଖିଥିଲି ଯେ, ଗୋ-ରକ୍ଷା ଓ ହିନ୍ଦୀ ପ୍ରଚାର କାମର ଇଜରା ମାରଓ୍ୟାଡ଼ୀ ଭାଇମାନେ ନେଇଥାନ୍ତି । ବେତିୟାରେ ମାରଓ୍ୟାଡ଼ୀଭାଇ ତାଙ୍କ ଧର୍ମଶାଳାରେ ମତେ ଆଶ୍ରୟ ଦେଇଥିଲେ । ଅନ୍ୟାନ୍ୟ ମାରଓ୍ୟାଡ଼ୀମାନେ ତାଙ୍କର ଗୋଶାଳାରେ ଲଗେଇ ଦେଉଥିଲେ । ଗୋ-ରକ୍ଷା ସମ୍ବନ୍ଧରେ ଏବେ ମୋର ଯେ ମତାମତ, ସେତେବେଳକୁ ତାହା ସେ ଆକାର ଧାରଣ କରିସାରିଥାଏ । ସେ କାମର ଧାରଣା ଏବେ ଯାହା ଅଛି, ସେ ସମୟରେ ସେୟା ଥିଲା । ମୋ ମତରେ ଗୋ-ରକ୍ଷା ବୋଇଲେ ଗୋବଂଶ ବୃଦ୍ଧି, ଗୋ-ଜାତିର ଉନ୍ନତି କରିବା, ବଳଦଙ୍କଠାରୁ ଶକ୍ତି ଅନୁଯାୟୀ କାମ ନେବା, ଗୋଶାଳାକୁ ଆଦର୍ଶ ଦୁଗ୍‌ଧଭଣ୍ଡାର କରିବା ଇତ୍ୟାଦି ସବୁ ବୁଝାଏ । ମାରଓ୍ୟାଡ଼ୀମାନେ ଏ କାମରେ ପୂରା ସାହାଯ୍ୟ ଦେବାକୁ ବଚନ ଦେଇଥିଲେ; କିନ୍ତୁ ମୁଁ ତ ଚମ୍ପାରଣରେ ରହିପାରିଲି ନାହିଁ, ସେଥିପାଇଁ ସେ କାମ ଅଧା ରହିଲା । ବେତିୟାରେ ସେ ଗୋଶାଳା ଏବେ ମଧ୍ୟ ଅଛି; କିନ୍ତୁ ତାହା ଆଦର୍ଶ ଦୁଗ୍‌ଧଭଣ୍ଡାର ହୋଇନାହିଁ । ଏପର୍ଯନ୍ତ ଚମ୍ପାରଣରେ ବଳଦଗୁଡ଼ିକୁ ତାଙ୍କର ଶକ୍ତିଠୁଁ ବେଶୀ ଖଟାନ୍ତି ଏବଂ ହିନ୍ଦୁମାନେ ଏପର୍ଯ୍ୟନ୍ତ ବଳଦଙ୍କୁ ନିର୍ଦ୍ଦୟଭାବରେ ମାରନ୍ତି ଓ ନିଜ ଧର୍ମର ଅପମାନ କରନ୍ତି ।

 

ଏ ଦୁଃଖ କାଳକାଳକୁ ମୋର ମନରେ ରହିଗଲା ଏବଂ ଯେତେବେଳେ ମୁଁ ଚମ୍ପାରଣ ଯାଏ, ସେତେବେଳେ ବାଧ୍ୟହୋଇ ଅଧା ପଡ଼ିଥିବା କାମ କଥା ମନେ ପକେଇ ଦୀର୍ଘନିଃଶ୍ୱାସ ପକେଇଥାଏ ଏବଂ ଅଧା ପକେଇଥିବା ଯୋଗୁଁ ମାରଓ୍ୟାଡ଼ୀ ଓ ବିହାରୀ ଭାଇଙ୍କର ମଧୁର ଗାଳି ଶୁଣିଥାଏ ।

 

ଶିକ୍ଷାକାର୍ଯ୍ୟ କୌଣସି ନା କୌଣସି ପ୍ରକାରରେ ଅନେକ ସ୍ଥଳରେ ଚଳୁଛି; କିନ୍ତୁ ଗୋରକ୍ଷା କାମ ଚେର ଧରି ନ ଥିଲା, ସେଥିପାଇଁ ଆବଶ୍ୟକ ଦିଗରେ ବଢ଼ିପାରିନାହିଁ ।

 

ଅହମଦାବାଦଠାରେ ଖେଡ଼ା କାମ ସମ୍ପର୍କରେ ପରାମର୍ଶ ଚାଲିଥିଲାବେଳେ ମୁଁ ମଜୁରିଆଙ୍କ ବିଷୟ ହାତକୁ ନେଇଥିଲି ।

 

ମୁଁ ବଡ଼ ଆଡ଼ୁଆରେ ପଡ଼ିଥିଲି । ମଜୁରିଆଙ୍କ ଦାବି ମତେ ବଡ଼ ମଜବୁତ ଜଣାପଡ଼ିଥିଲା-। ଶ୍ରୀମତୀ ଅନସୂୟା ବାଈଙ୍କୁ ତାଙ୍କ ଆପଣା ଭାଇଙ୍କ ବିରୋଧରେ ଲଢ଼ିବାକୁ ପଡ଼ୁଥିଲା । ମୂଲିଆ ମାଲିକଙ୍କ ଏ ଲଢ଼େଇ ଭିତରେ ତ ଅମ୍ବାଲାଲ ସରାଭାଇ ଅଗ୍ରଣୀ ଥିଲେ । ମାଲିକମାନଙ୍କ ସଙ୍ଗେ ମୋର ମଧୁର ସମ୍ପର୍କ ଥିଲା । ସେମାନଙ୍କ ସଙ୍ଗେ ଲଢ଼ିବା ବଡ଼ ବିଷମ କାମ ଥିଲା । ମୁଁ ସେମାନଙ୍କ ସଙ୍ଗେ ପରାମର୍ଶ କରିଥିଲି ଏବଂ ମଜୁରିଆଙ୍କ ଦାବିଟାକୁ ପଞ୍ଚାୟତରେ ପକେଇ ଦେବାକୁ ଅନୁରୋଧ କରିଥିଲି । ମାତ୍ର ମୂଲିଆ ମାଲିକଙ୍କ ଭିତରେ ପଞ୍ଚାୟତଙ୍କର ମୁଣ୍ଡ ପୂରେଇବାର ଅଧିକାର ନାହିଁ ବୋଲି ସେମାନେ ଦାବି କରୁଥିଲେ ।

 

ମୁଁ ମଜୁରିଆମାନଙ୍କୁ ହରତାଳ କରିବାକୁ ଉପଦେଶ ଦେଇଥିଲି । ଏତକ କରିବା ପୂର୍ବରୁ ମୁଁ ସେମାନଙ୍କୁ ଓ ସେମାନଙ୍କ ନେତାମାନଙ୍କ ସଙ୍ଗେ ଖୁବ୍ ପରିଚୟ କରିନେଇଥିଲି । ହରତାଳର ସର୍ତ୍ତ ସବୁ ସେମାନଙ୍କୁ ବୁଝେଇ ଦେଇଥିଲି—(୧) କଦାପି ଶାନ୍ତିଭଙ୍ଗ କରିବ ନାହିଁ । (୨) ଯେଉଁମାନେ ହରତାଳରେ ଯୋଗଦେବେ ନାହିଁ, ସେମାନଙ୍କ ପ୍ରତି କଦାପି ଜୋରଜବରଦସ୍ତି କରିବାକୁ ହେବ ନାହିଁ । (୩) ଭିଖ (ଚାନ୍ଦା) ଉପରେ କଦାପି ନିର୍ଭର କରିବାକୁ ହେବ ନାହିଁ ଏବଂ (୪) ଯେତେକାଳ ହରତାଳ ଚାଲୁ ପଛକେ, ବରାବର ଟାଣିଧରି ରହିବାକୁ ହେବ ଏବଂ ନିଜ ପଇସା ସରିଗଲେ ଅନ୍ୟ ମଜୁରୀ କରି ପେଟ ପୋଷିବାକୁ ହେବ ।

 

ନେତାମାନେ ଏ ସର୍ତ୍ତ ସବୁ ବୁଝିପାରିଥିଲେ ଏବଂ ତାହା ଗ୍ରହଣ କରିଥିଲେ । ଗୋଟିଏ ସାଧାରଣ ସଭାରେ ମଜୁରିଆମାନେ ତାଙ୍କର ଦାବି ପୂରା ନ ହେବାଯାଏ କିମ୍ବା ଦାବିର ନ୍ୟାଯ୍ୟ ବିଚାର କରିବାକୁ ପଞ୍ଚାୟତ ନ ମାନିବାଯାଏ, କାମକୁ ଯିବେ ନାହିଁ ବୋଲି ପ୍ରସ୍ତାବ କରିଥିଲେ ।

 

ଏହି ହରତାଳ ସମୟରେ ମୁଁ ବଲ୍ଲଭଭାଇ ପଟେଲ ଓ ଶଙ୍କରଲାଲ ବ୍ୟାଙ୍କରଙ୍କୁ ଭଲ କରି ଚିହ୍ନିଥିଲି । ଶ୍ରୀମତୀ ଅନସୂୟା ବାଈଙ୍କୁ ଏଥିପୂର୍ବରୁ ଭଲକରି ଜାଣିଥିଲି ।

 

ସାବରମତୀ ନଈକୂଳରେ ଗୋଟିଏ ଗଛମୂଳେ ହରତାଳକାରୀଙ୍କ ସଭା ରୋଜ୍ କରୁଥିଲୁ । ସେମାନେ ସେଥିରେ ହଜାର ହଜାର ସଂଖ୍ୟାର ଯୋଗ ଦେଉଥିଲେ ଏବଂ ମୋର ବକ୍ତୃତାରେ ମୁଁ ସେମାନଙ୍କୁ ତାଙ୍କର ପ୍ରତିଜ୍ଞା କଥା ମନେପକେଇ ଦେଉଥିଲି ଏବଂ ଶାନ୍ତି ଓ ଆତ୍ମସମ୍ମାନ ବଜାୟ ରଖିବା ବିଷୟ ବୁଝାଉଥିଲି । ନିଜର ପତାକା ଧରି ସେମାନେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ପ୍ରତ୍ୟହ ରାସ୍ତାଯାକ ବୁଲୁଥିଲେ ଏବଂ ସଭାରେ ପହଞ୍ଚୁଥିଲେ । ତାଙ୍କର ପତାକାରେ ଲେଖା ଥିଲା-‘ଏକ ଟେକ’ (ପ୍ରତିଜ୍ଞା ରକ୍ଷାକର) ।

 

ହରତାଳଟି ୨୧ ଦିନ ଚାଲିଥିଲା । ହରତାଳ ସମୟରେ ମଧ୍ୟେ ମଧ୍ୟେ ମୁଁ କଳମାଲିକମାନଙ୍କ ସହିତ ପରାମର୍ଶ କରୁଥିଲି ଏବଂ ନିଶାପ କରିବାକୁ ମୁଁ ଅନୁନୟ ବିନୟ କରୁଥିଲି । ସେମାନେ କହୁଥାନ୍ତି, ‘‘ଆମର ମଧ୍ୟ ପ୍ରତିଜ୍ଞା ଅଛି । ଶ୍ରମଜୀବୀଙ୍କ ସଙ୍ଗେ ଆମର ବାପପୁଅ ସମ୍ପର୍କ, ଆମେ କେମିତି ଜଣେ ତୃତୀୟ ପକ୍ଷର ହସ୍ତକ୍ଷେପ ସହ୍ୟ କରିବୁ ? ଏଠି ପଞ୍ଚାୟତର ସ୍ଥାନ କାହିଁ ?’’

 

ଥରେ ଆଶ୍ରମ ଦର୍ଶନ

 

ଏହି ଶ୍ରମଜୀବୀମାନଙ୍କର ଆନ୍ଦୋଳନ କଥା ଅଧିକ ବର୍ଣ୍ଣନା କରିବା ପୂର୍ବରୁ ଥରେ ଆଶ୍ରମ ଭିତରକୁ ଅନେଇଦେଇ ଆସିବା ଦରକାର । ଚମ୍ପାରଣରେ ରହିଲେ ସୁଦ୍ଧା ଆଶ୍ରମ କଥା ଭୁଲିପାରୁ ନ ଥିଲି ଏବଂ ମଧ୍ୟେ ମଧ୍ୟେ ସେଠୁ ବୁଲି ଆସୁଥିଲି ।

 

ଅହମଦାବାଦ ନିକଟରେ କୋଚରାବ ଗୋଟିଏ ଛୋଟିଆ ଗାଁ । ସେହି ଗାଁରେ ଆଶ୍ରମ ଥିଲା । ସେ ଗାଁରେ ପ୍ଲେଗ ଲାଗିଲା । ଆଶ୍ରମ ପିଲାଙ୍କୁ ସେ ବସ୍ତି ଭିତରେ ନିରାପଦ ରଖିବା ସମ୍ଭବ ନ ଥିଲା । ଆଶ୍ରମ ଭିତରେ ଆମେ ହଜାରେ ସଫାସୁତୁରା ରହିଲେ ସୁଦ୍ଧା ଚାରିଆଡ଼ର ଅସ୍ୱାସ୍ଥ୍ୟକର ଅବସ୍ଥାର ପ୍ରଭାବରୁ ନିଜକୁ ରକ୍ଷା କରିବା ଅସମ୍ଭବ ଥିଲା । ସେତେବେଳଯାଏ କୋଚରାବର ଲୋକଙ୍କୁ ଏସବୁ ସ୍ୱାସ୍ଥ୍ୟରକ୍ଷା ନିୟମ ମନେଇଲାଭଳି ଶକ୍ତି ଆମର ନ ଥିଲା କିମ୍ବା ସେ ବିପଦ ସମୟରେ ତାଙ୍କର ସେବା କରିବାର ଶକ୍ତି ମଧ୍ୟ ଆମର ନ ଥିଲା ।

 

ଗାଁ ଓ ସହରଠାରୁ ଆଶ୍ରମକୁ ଅଲଗା ରଖିବୁ, ଅଥଚ ଏତେଦୂର ନୁହେଁ ଯେ ସେଠାକୁ ଯିବାକୁ କଠିନ ହେବ-ସେତେବେଳେ ଆମର ଏହି ଆଦର୍ଶ ଥିଲା ଏବଂ ଦିନେ ଆଶ୍ରମ ଆଶ୍ରମଭଳି ଶୋଭାପାଇବା ପୂର୍ବରୁ ଆମେ ନିଶ୍ଚୟ ଯାଇ ଆପଣା ଜମିରେ ଖୋଲା ଜାଗାରେ ବସିବୁଁ ।

 

ପ୍ଳେଗଟାକୁ ମୁଁ କୋଚରାବ ଛାଡ଼ିବାପାଇଁ ନୋଟିସ୍ ଭଳି ବିଚାରିଥିଲି । ଅହମଦାବାଦରେ ଜଣେ ବେପାରୀ ଶ୍ରୀ ପୁଞ୍ଜାଭାଇ ହୀରାଚାନ୍ଦ ଆମ ଆଶ୍ରମର ଘନିଷ୍ଠ ସମ୍ପର୍କରେ ଆସିଥିଲେ ଏବଂ ନିଃସ୍ୱାର୍ଥ ଓ ଶୁଦ୍ଧଭାବରେ ସେ ସାନବଡ଼ ଅନେକ ବିଷୟରେ ଆମର ସେବା କରୁଥିଲେ । ଅହମଦାବାଦର ଆଖପାଖର ପୂରା ଅଭିଜ୍ଞତା ତାଙ୍କର ଥିଲା ଏବଂ ଆଶ୍ରମ ପାଇଁ ସୁବିଧାଜନକ ଜମି ଆମକୁ ଯୋଗାଇ ଦେବେ ବୋଲି ସେ ଦାୟିତ୍ୱ ମୁଣ୍ଡାଇଥିଲେ । କୋଚରାବର ଉତ୍ତର ଦକ୍ଷିଣକୁ ମୁଁ ତାଙ୍କ ସଙ୍ଗେ ଜମି ଖୋଜିଥିଲି । ତିନିଚାରି ମାଇଲ ଉତ୍ତରକୁ ଖଣ୍ଡେ ମିଳିବ ତ ଯୋଗାଡ଼ କରିବାକୁ ମୁଁ କହିଥିଲି । ବର୍ତ୍ତମାନ ଯେ ଜମିରେ ଆଶ୍ରମ ଅଛି, ସେ ଖଣ୍ଡ ତାଙ୍କ ଆଖିରେ ପଡ଼ିଥିଲା । ସେ ଖଣ୍ଡି ଯେ ସାବରମତୀ ସେଣ୍ଟ୍ରାଲ ଜେଲର ପାଖରେ ଥିଲା, ସେଥିରେ ମୋ ମନ ବେଶୀ ଲୋଭେଇଥିଲା । ସତ୍ୟାଗ୍ରହୀଙ୍କର ଭାଗ୍ୟରେ ଜେଲ ଯିବାଟା ଲେଖା, ଏ ବିଶ୍ୱାସ ଥିବାରୁ ଜେଲର ପଡ଼ୋଶୀ ହେବାକୁ ମୁଁ ପସନ୍ଦ କରିଥିଲି । ସାଧାରଣତଃ ଜେଲ ପାଇଁ ଯେଉଁ ସ୍ଥାନ ବଛା ହୋଇଥାଏ; ତା’ର ଚାରିପାଖ ବଡ଼ ସଫାସୁତୁରା ଥାଏ ବୋଲି ମୁଁ ଜାଣିଥିଲି ।

 

ଆଠଟି ଦିନରେ କବଲା ହୋଇଗଲା । ଜମି ଉପରେ ଗଛଟିଏ ବା ଘର ଖଣ୍ଡେ ନ ଥିଲା; କିନ୍ତୁ ନଈ ଉପରେ ନିଛାଟିଆ ସ୍ଥାନରେ ଥିବାରୁ ସେଥିରେ ସୁବିଧା ବହୁତ ଥିଲା ।

 

ଆମେ ତମ୍ବୁରେ ଚଳିବାକୁ ସ୍ଥିର କରିଥିଲୁ । ଖଣ୍ଡେ ଟିଣଚାଳିରେ ରୋଷେଇ କରିବାକୁ ଓ ଘରକାମ ଆରମ୍ଭ କରିବାକୁ ବିଚାର କରିଥିଲୁ । ଏତେବେଳକୁ ଆଶ୍ରମର ସଭ୍ୟ ସଂଖ୍ୟା ବଢ଼ିଯାଇଥାଏ । ସେତେବେଳକୁ ଆମେ ବଡ଼ ସାନ, ପୁରୁଷ ସ୍ତ୍ର ମିଶି ୪୦ ଜଣ ଉପରେ ଥିଲୁ । ଗୋଟିଏ ରୋଷେଇରେ ଖାଉଥିଲୁ । ଏତକ ସୁବିଧା ଥିଲା । ନୂଆ ବ୍ୟବସ୍ଥା ମୋ ମୁଣ୍ଡରୁ ବାହାରିଥିଲା ଏବଂ ତାକୁ କାର୍ଯ୍ୟରେ ପରିଣତ କରିବା ବ୍ୟବସ୍ଥା ଯେମିତି ହୋଇଥାଏ ତାହା ସ୍ୱର୍ଗୀୟ ମଗନଲାଲର ଥିଲା ।

 

ସ୍ଥାୟୀ ରହିବା ଘର ହେବା ପୂର୍ବରୁ ଆମର ଅସୁବିଧାର ସୀମା ନ ଥିଲା । ବର୍ଷା ମୁଣ୍ଡ ଉପରେ ଥାଏ । ୪ ମାଇଲ ଦୂର ସହରରୁ ଆମ ରସଦ ଆଣିବାକୁ ପଡ଼ୁଥିଲା । ଜମିଟା ବହୁତ ଦିନୁ ପଡ଼ିଆ ଥିବାରୁ ସାପ ଭର୍ତ୍ତି ହୋଇଥିଲେ ଏବଂ ସେଥିରେ ସାନ ସାନ ପିଲାଙ୍କୁ ନେଇ ଚଳିବା କମ୍ ବିପଦର କଥା ନ ଥିଲା । ଯଦ୍ୟପି ସାପ ନ ମାରିବା ନିୟମ ଥାଏ; ତଥାପି ସାପ ଡରରୁ ଆମେ କେହି ସେତେବେଳେ ମୁକ୍ତ ନ ଥିଲୁ । ଏବେ ମଧ୍ୟ ହୋଇନାହୁଁ ।

 

ହିଂସ୍ର ଜନ୍ତୁଙ୍କୁ ନ ମାରିବା ନିୟମ ସାଧାରଣତଃ ଫିନିକ୍‌ସ, ଟଲଷ୍ଟୟ ଫାର୍ମ ଓ ସାବରମତୀ, ସବୁଠାରେ ଚଳିଆସିଛି । ତିନି ଜାଗାରେ ଆମକୁ ପଡ଼ିଆ ଜମି ଉପରେ ଘର କରିବାକୁ ପଡ଼ିଥିଲା । ତିନି ଜାଗାରେ ସାପ ଉପଦ୍ରବ ବହୁତ ଥିଲା । ଯାହାହେଉ ସାପ କାମୁଡ଼ାରେ କେହି ମରିନାହାନ୍ତି । ଏ ଘଟଣାରେ ମୋ ଭଳି ବିଶ୍ୱାସୀ ଭଗବାନଙ୍କ କୃତ୍ୟ ତାଙ୍କରି କୃପା ଦେଖିପାରୁଛି । ଭଗବାନ ପକ୍ଷପାତ କରନ୍ତି ନାହିଁ ଏବଂ ମଣିଷର ଦୈନନ୍ଦିନ ସାଧାରଣ କାମରେ ହସ୍ତକ୍ଷେପ କରି ସେ ବେକାର ବସନ୍ତି ନାହିଁ, ଏ କଥା ଯେମିତି କେହି ମନରେ ଆଶଙ୍କା ନ କରନ୍ତି । ଏ ବିଷୟକୁ ଅଭିଜ୍ଞତାର ଅନ୍ୟ ଭାଷାରେ କହିବା ମତେ ଆସୁ ନାହିଁ । ଭଗବାନଙ୍କର କାର୍ଯ୍ୟକଳାପ ମଣିଷର ଭାଷାରେ ବର୍ଣ୍ଣିପାରିଲେ ସୁଦ୍ଧା, ମୁଁ ଜାଣେ ତାଙ୍କର ମହିମା ଅବର୍ଣ୍ଣନୀୟ । କିନ୍ତୁ ନଶ୍ୱର ମନୁଷ୍ୟକୁ ତାହା ବର୍ଣ୍ଣନା କରିବାକୁ ହେଲେ ତାର ଦଦରା (ଦରୋଟି) ଭାଷା ଛଡ଼ା ଆଉ ଉପାୟ ନାହିଁ । ସାପ ନ ମାରିବାର ସାଧାରଣ ନିୟମ ସତ୍ତ୍ୱେ ପଚିଶ ବର୍ଷ କାଳ ସମସ୍ତେ ନିରାପଦ ଅଛନ୍ତି । ଏହାକୁ ଆକସ୍ମିକ ଘଟଣା ନ କହି ଭଗବାନଙ୍କ କୃପା କହିବା ଯଦି କୁସଂସ୍କାର ବୋଲି ଧରାଯାଏ, ତେବେ ସେ କୁସଂସ୍କାର ମଧ୍ୟ ଧରିରଖିବା ଯୋଗ୍ୟ ।

 

ଅହମଦାବାଦର କଳ ମଜୁରିଆଙ୍କ ହରତାଳବେଳେ ଆଶ୍ରମର ନିଅଁ ପଡ଼ୁଥିଲା । ଆଶ୍ରମର ପ୍ରଧାନ କାମ ସେତେବେଳେଯାଏ ତନ୍ତବୁଣା ଥିଲା । ସୂତାକଟା ଆମପାଇଁ ସେତେବେଳେ ସମ୍ଭବ ହୋଇନଥିଲା । ତେଣୁ ଆଗ ତନ୍ତଶାଳାଟି ଠିଆ କରିଦେବାର ଥିଲା । ତା’ର ମୂଳଦୁଆ ଦିଆ ହେଉଥିଲା ।

 

ଉପବାସ

 

ପ୍ରଥମ ଦୁଇ ସପ୍ତାହ କୁଲିମାନେ ଭାରି ସାହସ ଦେଖାଇଥିଲେ ଓ ଶାନ୍ତିରେ କଟେଇଥିଲେ ଏବଂ ରୋଜିନା ସଭାରେ ବହୁତ ସଂଖ୍ୟାରେ ଯୋଗ ଦେଉଥିଲେ । ମୁଁ ପ୍ରତ୍ୟହ ତାଙ୍କୁ ତାଙ୍କ ପ୍ରତିଜ୍ଞା କଥା ମନେ ପକେଇ ଦେଉଥାଏ ଏବଂ ସେମାନେ ମଧ୍ୟ ପାଟିକରି ଜବାବ ଦେଉଥାନ୍ତି, ‘‘ଆମେ ମରିଯିବୁ ପଛେ ପ୍ରତିଜ୍ଞା ଭାଙ୍ଗିବୁ ନାହିଁ ।’’

 

କିନ୍ତୁ ଅବଶେଷରେ ସେମାନେ ଥକିପଡ଼ିଥିଲେ ଏବଂ ଯେମିତି ମଣିଷ ଦୁର୍ବଳ ହେଲେ ଚିଡ଼ି ଚିଡ଼ି ହୁଏ, ସେମିତି ଏମାନଙ୍କ ବଳ କମିବାରୁ, ଯେଉଁମାନେ କାମକୁ ଯାଉଥିଲେ, ତାଙ୍କ ପ୍ରତି ଏମାନଙ୍କର ଦ୍ୱେଷ ବଢ଼ିବାକୁ ଲଗିଥିଲା ଏବଂ କାହାରି ଉପରେ କେତେବେଳେ କାଳେ ଜୋରଜବରଦସ୍ତି ଏବଂ ମାରପିଟ କରିବେ ବୋଲି ମୋର ଡର ହୋଇଥିଲା । ଦୈନିକ ସଭାରେ ତାଙ୍କ ସଂଖ୍ୟା କ୍ରମେ କମିବାକୁ ଲାଗିଲା ଏବଂ ଯେତେକ ଆସୁଥିଲେ ତାଙ୍କୁ ମୁହଁରେ ନୈରାଶ୍ୟର ଛାୟା ସ୍ପଷ୍ଟ ଦେଖାଯାଉଥିଲା । ଶେଷରେ ଖବର ଆସିଥିଲା ଯେ, ଧର୍ମଘଟକାରୀମାନେ ଟଳମଳ ହେଲେଣି । ମୁଁ ବ୍ୟସ୍ତ ହୋଇପଡ଼ିଥିଲି । ଏପରିସ୍ଥଳେ ମୋର କର୍ତ୍ତବ୍ୟ କ’ଣ ତାହା ଚିନ୍ତା କରିଥିଲି । ଦକ୍ଷିଣ ଆଫ୍ରିକାରେ ଗୋଟିଏ ଖୁବ ବଡ଼ ଧର୍ମଘଟର ଅଭିଜ୍ଞତା ମୋର ଥିଲା; କିନ୍ତୁ ଏଠାକାର ଅବସ୍ଥା ସ୍ୱତନ୍ତ୍ର ଥିଲା । ମୋର ପ୍ରେରଣାରେ ଯେଉଁ ପ୍ରତିଜ୍ଞା କରିଥିଲେ, ପ୍ରତିଦିନ ଯାହାକୁ ଦୋହରେଇବାରେ ମୁଁ ସାକ୍ଷୀ ହେଉଥିଲି, ସେ ପ୍ରତିଜ୍ଞା ଭଙ୍ଗ କେମିତି ହେବ ? ଏପରି ବିଚାର ଅହଂକାର ହୋଇପାରେ କିମ୍ବା କୁଲିଙ୍କ ପ୍ରତି ଓ ସତ୍ୟ ପ୍ରତି ଶ୍ରଦ୍ଧାର ଫଳ ହୋଇପାରେ ।

 

ସକାଳେ ବେଳ ଥାଏ । ମୁଁ ସଭାରେ ଥିଲି । କ’ଣ କରିବି ମତେ କିଛି ଜଣା ନ ଥାଏ । ହଠାତ୍ ମତେ ଆଲୋକ ଦେଖାଗଲା । ସଭାରେ ମୋ ମୁହଁରୁ ହଠାତ୍ ବାହାରିଲା, ‘‘ମଜୁରିଆମାନେ ଯଦି ପୁଣି ପ୍ରସ୍ତୁତ ନ ହୁଅନ୍ତି ଏବଂ ନିଷ୍ପତ୍ତି ହେବାଯାଏ ଯଦି ଧର୍ମଘଟ ଚଳେଇ ନ ପାରନ୍ତି, ତେବେ ସେ ଯାଏ ମତେ ଉପବାସ କରିବାକୁ ପଡ଼ିବ ।’’

 

ସଭାରେ ଥିବା ମଜରିବାଲାଙ୍କ ମୁଣ୍ଡରେ ବଜ୍ରପାତ ହେଲା । ଅନସୂୟା ବାଈଙ୍କ ଆଖିରୁ ଲୁହ ଝର ଝର ବୋହିପଡ଼ିଲା । ମଜୁରିଆମାନେ ପାଟି କରି ଉଠିଲେ, ‘‘ଆପଣ କରିବେ ନାହିଁ ଆମେ ଉପାବସ କରିବୁ । ଆପଣଙ୍କର ଉପବାସ କରିବାର ନୁହଁ । ଆମକୁ ମାଫ କରନ୍ତୁ, ଏବେ ଆମେ ପ୍ରତିଜ୍ଞା ପାଳନ କରିବୁ ।’’

 

ମୁଁ ଉତ୍ତର ଦେଇଥିଲି, ‘‘ତମର ଉପବାସ କରିବା ଦରକାର ନାହିଁ । ତମେ ଯଦି ପ୍ରତିଜ୍ଞା ବଜାୟ ରଖିପାର, ତମର ଯଥେଷ୍ଟ ହେବ । ଆମର ଟଙ୍କା ପାଣ୍ଠି ନାହିଁ ଏବଂ ମୂଲିଆମାନଙ୍କ ଭିକ୍ଷାନ୍ନ ଖୁଆଇ ହରତାଳ ଚଳେଇବାକୁ ଚାହୁଁ ନାହୁଁ । ସେଥିପାଇଁ କୌଣସି ଗୋଟିଏ ପ୍ରକାର ମୂଲ ଲାଗ ଏବଂ ଖୋରାକଟା ପାଇଁ ପଇସା କମାଅ; ତାହାହେଲେ ହରତାଳ ଯେତେଦିନ ଲାଗୁ ତମର ଚିନ୍ତାର କାରଣ କିଛି ନଥିବ । ଆଉ ମୋ ଉପବାସ କଥା; ତାହା ହରତାଳ ନିଷ୍ପତ୍ତି ପୂର୍ବରୁ ବନ୍ଦ ହେବ ନାହିଁ-।’’ ଇତ୍ୟବସରରେ ବଲ୍ଲଭଭାଇ କୁଲିଙ୍କ ପାଇଁ ମ୍ୟୁନିସିପାଲିଟିରେ କିଛି କାମର ଚେଷ୍ଟା କରୁଥିଲେ-। କିନ୍ତୁ ସେଠି କିଛି ହେବାର ଆଶା ନଥିଲା । ମଗନଲାଲ ପ୍ରସ୍ତାବ କରିଥିଲେ ଯେ, ଆଶ୍ରମର ତନ୍ତଘର ନିଅଁ ପାଇଁ ବାଲି ଦରକାର, ସେଥିରେ ଅନେକ ଲଗାଯାଇ ପାରନ୍ତି । କୁଲିମାନେ ସେଟାକୁ ଆଦରରେ ଗ୍ରହଣ କରିଥିଲେ । ଅନସୂୟା ବେନ ନିଜେ ଟୋକେଇଏ ବାଲି ମୁଣ୍ଡେଇ ଆଗ ବାହାରିଲେ ଏବଂ ତାଙ୍କ ପଛେ ପଛେ ନଈରୁ ବାଲି ଟୋକେଇ ମୁଣ୍ଡେଇ କୁଲିଙ୍କର ଧାଡ଼ି ଲାଗି ଯାଇଥିଲା । ସେଟା ଦେଖିବାର ଦୃଶ୍ୟ ଥିଲା । ମୂଲିଆଙ୍କର ନୂଆ ବଳ ଆସିଥିଲା ଏବଂ ତାଙ୍କ ମଜୁରୀ ଦେବାରେ ଦେବାବାଲା ଥକିପଡ଼ିଥିଲେ ।

 

ମୋ ଉପବାସରେ ଗୋଟିଏ ବଡ଼ ଦୋଷ ରହି ଯାଇଥିଲା । ମୁଁ ଆଗରୁ କହିଛି, କଳ ମାଲିକମାନଙ୍କ ସଙ୍ଗେ ମୋର ମଧୁର ସମ୍ପର୍କ ଥିଲା । ଅତଏବ ମୋ ଉପବାସଟା ନିଶ୍ଚୟ ତାଙ୍କୁ ବାଧୁଥିବ । ସତ୍ୟାଗ୍ରହୀ ସ୍ୱରୂପ ଯେ ତାଙ୍କ ବିରୋଧରେ ମୋର ଉପବାସ ଉଚିତ ନଥିଲା, ଏହା ମୁଁ ଜାଣିଥିଲି । ତାଙ୍କ ଉପରେ ଯାହା ପ୍ରଭାବ ପଡ଼ିବ ତାହା କେବଳ ହରତାଳର ପ୍ରଭାବ ପଡ଼ିବା ଉଚିତ ଥିଲା । କଳ ମାଲିକମାନଙ୍କ ଦୋଷ ଯୋଗୁଁ ମୁଁ ଉପବାସ କରି ନଥିଲି, ମାତ୍ର ମଜଦୂରମାନଙ୍କ ଦୋଷ ଯୋଗୁ କରିଥିଲି । ମଜଦୂରମାନଙ୍କ ପ୍ରତିନିଧି ଥିଲି ଏବଂ ତାଙ୍କ ଦୋଷରେ ମୁଁ ଦୋଷୀ ଥିଲି-। କଳ ମାଲିକମାନଙ୍କୁ ମୁଁ କେବଳ ଅନୁନୟ ବିନୟ କରିପାରେ । ତାଙ୍କ ବିରୁଦ୍ଧରେ ଉପବାସ କରିବା ଜବରଦସ୍ତି ହେବ । ମୁଁ ଜାଣିଥିଲି, ଯେ ତଥାପି ମୋର ଉପବାସ ତାଙ୍କ ଉପରେ ପ୍ରଭାବ ନ ପକେଇ ରହିପାରିବ ନାହିଁ । ପ୍ରକୃତରେ ମଧ୍ୟ ପ୍ରଭାବ ପଡ଼ିଥିଲା । କିନ୍ତୁ ମୁଁ ଉପବାସ ବନ୍ଦ କରି ପାରିନଥିଲି । ଏ ଦୋଷଯୁକ୍ତ ଉପବାସ କରିବାଟା ମୋର ସ୍ପଷ୍ଟ କର୍ତ୍ତବ୍ୟ ବୋଲି ମୁଁ ଦେଖି ପାରିଥିଲି-

 

ମୁଁ ମାଲିକମାନଙ୍କୁ ବୁଝାଇଥିଲି, ‘‘ମୋ ଉପବାସ ଯୋଗୁ ଆପଣମାନଙ୍କର ନିଜ ବାଟ ଛାଡ଼ିଦେବାର ତିଳେମାତ୍ର ଆବଶ୍ୟକତା ନାହିଁ ।’’ କିନ୍ତୁ ସେମାନେ ମତେ ଅନେକ କଡ଼ାମିଠା ଖୁଣ୍ଟା ଦେଇଥିଲେ । ଏପରି କି ମତେ ତୀକ୍ଷ୍ଣ ଉପହାସ କରିଥିଲେ । ସେଭଳି କରିବାରେ ତାଙ୍କର ପୂର୍ଣ୍ଣ ଅଧିକାର ଥିଲା ।

 

ଶେଠ ଅମ୍ବାଲାଲ ହରତାଳ ବିରୁଦ୍ଧରେ ଟାଣ ହୋଇ ରହିବାରେ ଅଗ୍ରଣୀ ଥିଲେ । ତାଙ୍କର ଦୃଢ଼ତା ଆଶ୍ଚର୍ଯ୍ୟଜନକ ଥିଲା । ତାଙ୍କର ନିଷ୍କପଟତା ମତେ ଭାରି ପସନ୍ଦ ହେଉଥିଲା । ତାଙ୍କ ବିରୁଦ୍ଧରେ ଲଢ଼ିବା ମତେ ବଡ଼ ସୁଖ ଲାଗୁଥିଲା । ଯେଉଁଠାରେ ପ୍ରତିପକ୍ଷଙ୍କର ତାଙ୍କଭଳି ଅଗ୍ରଣୀ ଥିଲେ, ସେଠାରେ ତାଙ୍କ ଉପରେ ମୋ ଉପବାସ ଯୋଗୁଁ ଯେ ବିରୁଦ୍ଧ ପ୍ରଭାବ ପଡ଼ିଥିଲା, ସେଥିରେ ମତେ ଭାରି ବାଧିଲା ଏବଂ ତଦୁପରି ତାଙ୍କର ସ୍ତ୍ରୀ ସରଳାଦେବୀ, ମୋର ସହୋଦରା ଭଉଣୀ ଭଳି ମୋ ସଙ୍ଗେ ସ୍ନେହରେ ବନ୍ଧା ଥିଲେ ଏବଂ ମୋ ଯୋଗୁ ତାଙ୍କର କଷ୍ଟ ମୁଁ ସହ୍ୟ କରିପାରୁନଥିଲି ।

 

ଅନସୂୟା ବେନ, ଅନ୍ୟାନ୍ୟ କେତେକ ବନ୍ଧୁ ଓ ଶ୍ରମଜୀବୀ ମୋ ସଙ୍ଗେ ପ୍ରଥମ ଦିନ ଉପବାସ କରିଥିଲେ । ମାତ୍ର ଆଉ ଉପାବସ ନ କରିବାକୁ ବହୁ କଷ୍ଟରେ ତାଙ୍କୁ ମୁଁ ପ୍ରବର୍ତ୍ତେଇ ଥିଲି ।

 

ଏହାର ଫଳ ଏତିକି ହୋଇଥିଲା ଯେ, ଚାରିଆଡ଼େ ଗୋଟାଏ ପ୍ରେମପୂର୍ଣ୍ଣ ବାୟୁମଣ୍ଡଳ ଗଢ଼ିଉଠିଥିଲା । ମାଲିକମାନେ କେବଳ ଦୟାପରବଶ ହୋଇ ନିଷ୍ପତ୍ତିର ଗୋଟାଏ ବାଟ ବାହାର କରିବାକୁ ଉଦ୍ୟମ କରିଥିଲେ । ଅନସୂୟା ବେନ୍‌ଙ୍କ ଘରେ ଏମାନଙ୍କର ପରାମର୍ଶ ଚାଲୁଥିଲା । ଶ୍ରୀଯୁକ୍ତ ଆନନ୍ଦଶଙ୍କର ଧ୍ରୁବ ଏଥିରେ ମୁଣ୍ଡ ପୂରେଇଥିଲେ । ଶେଷରେ ସେହି ମଧ୍ୟସ୍ଥ ନିଯୁକ୍ତ ହୋଇଥିଲେ ଏବଂ ଧର୍ମଘଟ ବନ୍ଦ ହୋଇଥିଲା । ମତେ ତିନିଦିନ ଉପବାସ କରିବାକୁ ପଡ଼ିଥିଲା । ଶ୍ରମଜୀବୀଙ୍କ ମଧ୍ୟରେ କଳମାଲିକମାନେ ମିଠେଇ ବାଣ୍ଟିଥିଲେ । ୨୧ ଦିନରେ ସମାଧାନ ହୋଇଥିଲା । ନିଷ୍ପତ୍ତି ଉତ୍ସବ ଲାଗି ଯେ ସଭା ହୋଇଥିଲା, ସେଥିରେ କଳମାଲିକମାନେ ଓ ଉତ୍ତର ବିଭାଗର କମିଶନର ଉପସ୍ଥିତ ଥିଲେ । କମିଶନର କୁଲିମାନଙ୍କୁ ଉପଦେଶ ଦେଇଥିଲେ–‘ଗାନ୍ଧୀଜୀ ତମକୁ ଯେମିତି ଉପଦେଶ ଦେଉଥିବେ, ସେମିତି ସବୁବେଳେ କାମ କରୁଥିବ ।’ ଏହିସବୁ ଘଟଣାର ପ୍ରାୟ ଠିକ୍‍ ପରେ ପରେ ଉକ୍ତ ଭଦ୍ରଲୋକଙ୍କ ସଙ୍ଗେ ମତେ ଲଢ଼ିବାକୁ ପଡ଼ିଥିଲା-। ମାତ୍ର ଅବସ୍ଥା ବଦଳିଯାଇଥିଲା ଏବଂ ତା’ ସଙ୍ଗେ ସଙ୍ଗେ ସେମାନେ ବଦଳିଯାଇଥିଲେ । ସେତେବେଳେ ମୋ ଉପଦେଶ ନ ମାନିବାକୁ ସେ ଖେଡ଼ାର ପାଟୀଦାରମାନଙ୍କୁ ସତର୍କ କରୁଥିଲେ ।

 

ଗୋଟିଏ ଘଟଣା ଉଲ୍ଲେଖ ନ କରି ଏ ଆଧ୍ୟାୟ ଶେଷ କରିପାରୁ ନାହିଁ—ସେଟି ଯେମିତି ମଜାର ଥିଲା, ସେମିତି କରୁଣ ମଧ୍ୟ ଥିଲା । କଳମାଲିକମାନେ ପ୍ରଚୁର ମିଠେଇ ବରାଦ କରିଥିଲେ ଏବଂ ହଜାର ହଜାର ଶ୍ରମଜୀବୀଙ୍କୁ କିପରି ବଣ୍ଟାହେବ ସେୟା ପଡ଼ିଥିଲା ପ୍ରଶ୍ନ । ସେହି ଗଛମୂଳେ ବାଣ୍ଟିଲେ ଠିକ୍ ହେବ, ମୂଲିଆଙ୍କୁ ଅନ୍ୟତ୍ର ଏକାଠି କରିବା ଅସୁବିଧାଜନକ ହେବ ବିଚାରି ସେ ଗଛପାଖ ପଡ଼ିଆରେ ବାଣ୍ଟିବାର ସ୍ଥିରହେଲା ।

 

ମୁଁ ଧରିନେଇଥିଲି ଯେ, ଏହି ଲୋକେ ୨୧ ଦିନ କାଳ ବେଶ୍ କଠୋର ସଂଯମ ଦେଖାଇ ପାରିଛନ୍ତି । ସେମାନେ ବିନା ଚେଷ୍ଟାରେ ଧାଡ଼ିହୋଇ ଠିଆହେବେ ମିଠେଇ ନେବେ ଏବଂ ଅଧୀର ହୋଇ ଛଡ଼ାଛଡ଼ି ହେବେ ନାହିଁ । କିନ୍ତୁ ପଡ଼ିଆରେ ମିଠେଇ ବାଣ୍ଟିବା ପାଇଁ ଦୁଇ ତିନି ପ୍ରକାର ବ୍ୟବସ୍ଥା ବ୍ୟର୍ଥ ହୋଇଗଲା । ଦୁଇ ତିନି ମିନିଟ୍ ଠିକ୍ ଚାଲିଲା ତ ସେଠୁ ଧାଡ଼ିଭାଙ୍ଗି ଦେଉଥିଲେ । ଶ୍ରମଜୀବୀ ନେତାମାନେ ବହୁତ ଉଦ୍ୟମ କରୁଥାନ୍ତି; ମାତ୍ର ସବୁ ବୃଥା । ଶେଷରେ ଗୋଳମାଳ, ଭିଡ଼ ଓ ଛଡ଼ାଛଡ଼ି ଏତେବେଶୀ ହେଲା ଯେ, ବହୁତ ମିଠେଇ ଗୋଡ଼ରେ ଦଳିହୋଇ ନଷ୍ଟ ହୋଇଗଲା । ପଦାରେ ମିଠେଇ ବାଣ୍ଟିବାର ଉଦ୍ୟମ ବ୍ୟର୍ଥ ହେଲା । ବହୁତ କଷ୍ଟରେ ଆମେ ବଳିଥିବା ମିଠେଇଯାକ ନେଇ ମିର୍ଜାପୁର ଶେଠ ଅମ୍ବାଲାଲଙ୍କ ବଙ୍ଗଳାରେ ପହଞ୍ଚିଲୁ । ପରଦିନ ବଙ୍ଗଳା ହତାରେ ବଣ୍ଟା ହୋଇଥିଲା ।

 

ଏଥିରେ ମଜାର କଥା ତ ସ୍ପଷ୍ଟ ଜଣାପଡୁଛି, ପରେ ତଦନ୍ତ କଲାରୁ ଜଣାପଡ଼ିଲା ଯେ ‘ଏକ ଟେକ’ ଗଛମୂଳେ ମିଠେଇ ବଣ୍ଟାହେବା ସୁଖବର ପାଇ ଅହମଦାବାଦର ସବୁ ଭିଖାରୀଯାକ ଜମା ହୋଇଥିଲେ ଏବଂ ଧାଡ଼ି ଭାଙ୍ଗି ଛଡ଼ାଛଡ଼ି କରିବା ଉଦ୍ୟମ କରିଥିଲେ । ଏତକ ଥିଲା କରୁଣ ରସ ।

 

ଆମ ଦେଶରେ ଅନାହାର ଏମିତି ଲୋକଙ୍କୁ ପେଷି ଦେଇଛି ଯେ, ଭିଖାରୀ ସଂଖ୍ୟା ବଢ଼ୁଛନ୍ତି ଏବଂ ସେମାନେ ଦାନା ଗଣ୍ଡାକ ପାଇଁ ଆପଣାର ମର୍ଯ୍ୟାଦା ହରେଇ ବସୁଛନ୍ତି । ଆମ ଲୋକେ ବିନା ବିଚାରରେ ସେମାନଙ୍କୁ କାମ ଯୋଗେଇଦେବା ବଦଳରେ ଭିଖ ଦେଉଛନ୍ତି ।

 

ଖେଡ଼ା ସତ୍ୟାଗ୍ରହ

 

କୁଲି ଧର୍ମଘଟ ସରିବାପରେ ମତେ ଦମ ମାରିବାକୁ ବେଳ ନ ଥିଲା ଏବଂ ମତେ ଖେଡ଼ାଜିଲା ସତ୍ୟାଗ୍ରହ ଯୁଦ୍ଧରେ ପଶିବାକୁ ହୋଇଥିଲା ।

 

ଖେଡ଼ାଜିଲାରେ ଦୁର୍ଭିକ୍ଷ ଭଳି ଅବସ୍ଥା ଉପସ୍ଥିତ ହୋଇଥିବାରୁ ଖଜଣା ମାଫ୍ ପାଇଁ ଖେଡ଼ାର ପାଟୀଦାରମାନେ ଉଦ୍ୟମ କରୁଥାନ୍ତି ।

 

ଶ୍ରୀଯୁକ୍ତ ଅମୃତଲାଲ ଠକ୍‌କର ସେ ବିଷୟ ତଦନ୍ତ କରିସାରିଥିଲେ ଏବଂ ମୁଁ କୌଣସି ନିର୍ଦ୍ଦିଷ୍ଟ ପରାମର୍ଶ ଦେବାପୂର୍ବରୁ କମିଶନରଙ୍କୁ ଦେଖା କରିଥିଲି । ଶ୍ରୀଯୁକ୍ତ ମୋହନଲାଲ ପଣ୍ଡ୍ୟା ଓ ଶଙ୍କରଲାଲ ପରୀଖ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରୁଥିଲେ ଏବଂ ଶ୍ରୀଯୁକ୍ତ ବିଠଲଭାଇ ପଟେଲ ଓ ସ୍ୱର୍ଗୀୟ ଗୋକୁଳଦାସ କହାନଦାସ ପରୀଖଙ୍କ ଦ୍ୱାରା ବମ୍ବେ ଲାଟସଭାରେ ଆନ୍ଦୋଳନ ଆରମ୍ଭ କରେଇ ଦେଇଥିଲେ । ଗୋଟିକରୁ ବେଶୀ ଡେପୁଟେସନ ଲାଟଙ୍କ ପାଖକୁ ଯାଇ ସାରିଥିଲା ।

 

ଏହି ସମୟରେ ମୁଁ ଗୁଜୁରାତ ସଭାର ସଭାପତି ଥିଲି । ସଭା କମିଶନର ଓ ଲାଟଙ୍କ ପାଖକୁ ଦରଖାସ୍ତ ଓ ତାର ଖବର ପଠାଉଥିଲା ଏବଂ ଅପମାନ ମଧ୍ୟ ସହୁଥିଲା । ସେତେବେଳକାର ସରକାରୀ କର୍ମଚାରୀମାନଙ୍କର ଗଉଁ ଦେଖିଲେ ହସଲାଗେ । ସେମାନଙ୍କର ସେତେବେଳକାର ନିତାନ୍ତ ହାଲୁକା ଆଚରଣ ଅସମ୍ଭବ ଭଳି ଲାଗୁଛି ।

 

ଚାଷୀମାନଙ୍କର ଦାବି ଏତେ ସୁସ୍ପଷ୍ଟ ଥିଲା ଏବଂ ଏତେ କମ୍ ଥିଲା ଯେ, ସେଥିପାଇଁ ଲଢ଼େଇ ଲଢ଼ିବାର ଆବଶ୍ୟକତା ନ ଥିଲା । ଯଦି ଫସଲ ଚାରିଅଣା ବା ତା’ଠାରୁ କମ୍ ହୁଏ, ତେବେ ସେ ବର୍ଷର ରାଜସ୍ୱ ମାଫ ହେବା ଉଚିତ ବୋଲି ସରକାରୀ ନିୟମ ଥିଲା । ସରକାରୀ କର୍ମଚାରୀଙ୍କ ହିସାବରେ ଫସଲ ଚାରିଅଣାରୁ ଊର୍ଦ୍ଧ୍ୱ ହୋଇଥିବାର କହୁଥିଲେ । ଅନ୍ୟ ପକ୍ଷରେ ପ୍ରଜାମାନେ ଦାବି କରୁଥିଲେ ଯେ, ଫସଲ ଚାରିଅଣାରୁ କମ୍ ହୋଇଥିଲା । ସରକାର କ’ଣ ମାନନ୍ତେ ? ଲୋକେ ପଞ୍ଚାୟତର ନିଷ୍ପତ୍ତି ପାଇଁ କରୁଥିଲେ । ତାହା ସରକାର ସହିପାରୁ ନ ଥିଲେ । ଶେଷରେ ସବୁ ଆବେଦନ ନିବେଦନ ବୃଥା ହେବାରୁ, ସହକର୍ମୀମାନଙ୍କର ପରାମର୍ଶ ନେଇ ମୁଁ ସତ୍ୟାଗ୍ରହ କରିବାକୁ ପଟୀଦାରମାନଙ୍କୁ ଉପଦେଶ ଦେଇଥିଲି ।

 

ଖେଡ଼ାର ସ୍ୱେଚ୍ଛାସେବାକମାନଙ୍କ ଛଡ଼ା ଶ୍ରୀ ବଲ୍ଲଭଭାଇ ପଟେଲ, ଶ୍ରୀ ଶଙ୍କରଲାଲ ବ୍ୟାଙ୍କର, ଶ୍ରୀମତୀ ଅନସୂୟା ବେନ, ଶ୍ରୀ ଇନ୍ଦୁଲାଲ ଯାଜ୍ଞିକ ଓ ଶ୍ରୀ ମହାଦେବ ଦେଶାଇ ପ୍ରମୁଖ ଥିଲେ । ବଲ୍ଲଭଭାଇ ତାଙ୍କର ବଡ଼ ଓ ବଢ଼ୁଥିବା ଓକିଲାତି ଛାଡ଼ି ଆସିଥିଲେ । ପରେ ସେ ସ୍ଥିର ହୋଇବସି ଆଉ ଓକିଲାତି କରିପାରି ନ ଥିଲେ ।

 

ସମସ୍ତଙ୍କୁ ଜାଗା ହେଲାଭଳି ଅନ୍ୟ କୌଣସି ସ୍ଥାନ ନ ମିଳିବାରୁ ଆମେ ନଦିଆଦ ଅନାଥାଶ୍ରମରେ ଆମର ସଦର ମହକୁମା ଜମେଇଥିଲୁ ।

 

ସତ୍ୟାଗ୍ରହୀମାନେ ନିମ୍ନଲିଖିତ ପ୍ରତିଜ୍ଞାପତ୍ରରେ ଦସ୍ତଖତ କରିଥିଲେ:—

 

‘‘ଆମ ଗାଁର ଫସଲ ଚାରିଅଣାରୁ କମ୍ ହୋଇଥିବାର ଜାଣିପାରୁଛୁ । ଆସନ୍ତା ବର୍ଷ ପର୍ଯ୍ୟନ୍ତ ଖଜଣା ଅସୁଲ ବନ୍ଦ ରଖିବା ପାଇଁ ଆମେ ସରକାରଙ୍କୁ ଗୁହାରି କରିଥିଲୁ । ମାତ୍ର ସରକାର ଆମ ଗୁହାରି ଶୁଣିଲେ ନାହିଁ । ଫଳରେ ଆମେ ନିମ୍ନ ସ୍ୱାକ୍ଷରକାରୀମାନେ ପ୍ରତିଜ୍ଞା କରୁଛୁ ଯେ, ଆମେ ଏ ବର୍ଷର ପୂରା ରାଜସ୍ୱ ବା ବାକିଥିବା ରାଜସ୍ୱ ସରକାରଙ୍କୁ ଦେବୁନାହିଁ । କିନ୍ତୁ ଖଜଣା ଅସୁଲ କରିବାକୁ ଆଇନ ଅନୁସାରେ ସରକାର ଯାହା କରିବେ, ତାହା ତାଙ୍କୁ କରିବାକୁ ଦେବୁ ଏବଂ ସେଥିରେ ଯାହା ଦୁଃଖ କଷ୍ଟ ହେବ ତାହା ସହିବୁ । ଆମର ସବୁ ଜମି ବାଜ୍ୟାପ୍ତି ହେବାକୁ ପଛେ ଦେବୁ; କିନ୍ତୁ ଆମେ ଆପେ ଆପେ ଖଜଣା ଦେଇ ଆମର ଦାବି ମିଛ ବୋଲି ବିଚାରିବାକୁ ଦେବୁନାହିଁ କିମ୍ବା ନିଜର ଆତ୍ମସମ୍ମାନ ହରେଇବୁ ନାହିଁ । କିନ୍ତୁ ଯଦି ସରକାର ଜିଲା ତମାମ ଦ୍ୱିତୀୟ କିସ୍ତି ଆଦାୟ ବନ୍ଦ ରଖିବାକୁ ରାଜି ହୁଅନ୍ତି, ତେବେ ଆମ ମଧ୍ୟରେ ଯେଉଁମାନେ ଦେବାକୁ କ୍ଷମ, ସେମାନେ ତାଙ୍କର ଦେୟ ସମସ୍ତ ବାକି ରାଜସ୍ୱଟା ଦେଇଦବୁଁ । ଯେଉଁମାନେ ଦେଇପାରିବେ ସେମାନେ ନ ଦେବାର କାରଣ, ସକ୍ଷମ ଲୋକେ ଯଦି ଦେଇଦିଅନ୍ତି, ତେବେ ଅକ୍ଷମ ଲୋକେ ତରଛରେ ଜିନିଷପତ୍ର ବିକି ବା କରଜ ଧାର କରି ରାଜସ୍ୱ ଦେଇ ପକାଇ ଉପରକୁ ଦୁଃଖକଷ୍ଟ ଟାଣିଆଣିବେ । ଏ ଅବସ୍ଥାରେ ଆମର ମନେହୁଏ ଗରିବଙ୍କ ରକ୍ଷାପାଇଁ ସକ୍ଷମ ଲୋକଙ୍କର ନ ଦେବା କର୍ତ୍ତବ୍ୟ ଅଟେ ।’’

 

ଏ ଯୁଦ୍ଧ ପାଇଁ ମୁଁ ଅଧିକ ଅଧ୍ୟାୟ ଲେଖିପାରିବି ନାହିଁ । ଫଳରେ ଏହାର ଅନେକ ମଧୁର ସ୍ମୃତି ବାଦ୍‌ ଦେବାକୁ ପଡ଼ିବ । ଏ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧର ଭିତର କଥା ଯେଉଁମାନେ ଜାଣିବାକୁ ଚାହାନ୍ତି, ସେମାନେ ଶ୍ରୀ ଶଙ୍କରଲାଲ ପରୀଖଙ୍କର ଲିଖିତ ‘ଖେଡ଼ା ସତ୍ୟାଗ୍ରହ’ର ବିଶଦ ଓ ବିଶ୍ୱାସଯୋଗ୍ୟ ଇତିହାସ ପଢ଼ନ୍ତୁ ।

 

Unknown

ପିଆଜ ଚୋର

 

ଚମ୍ପାରଣଟା ଭାରତର ଗୋଟାଏ ସୁଦୂର କୋଣରେ ଥିବାରୁ ଏବଂ ଖବରକାଗଜ ବାଲାଙ୍କୁ ଆନ୍ଦୋଳନ ବାହାରେ ରଖାଯାଇଥିବାରୁ ବାହାରୁ ବେଶୀ ଦର୍ଶକ ସେଠାକୁ ଯାଇ ନ ଥିଲେ-। ମାତ୍ର ଖେଡ଼ା ଆନ୍ଦୋଳନ କଥା ଖବରାକଗଜରେ ବାହାରୁଥିଲା ।

 

ଗୁଜୁରାତୀମାନେ ଏ ନୂଆ କଥାରେ ଖୁବ୍‌ ଆନନ୍ଦ ପାଉଥିଲେ । ସେମାନେ ଅଜସ୍ର ଧନ ଢାଳିଦେବାକୁ ପ୍ରସ୍ତୁତ ଥିଲେ । ସତ୍ୟାଗ୍ରହ ଆନ୍ଦୋଳନ ଧନଦ୍ୱାରା ଚଳିପାରିବ ନାହିଁ, ସେଥିରେ ପଇସା ସବୁଠାରୁ କମ ଲୋଡ଼ା, ଏତକ ବୁଝିବା ତାଙ୍କ ପକ୍ଷରେ ସହଜ ନ ଥିଲା । ମୋର ଆପତ୍ତି ସତ୍ତ୍ୱେ ଆମର ଦରକାରଠାରୁ ବେଶୀ ଧନ ବମ୍ବେ ଶେଠମାନେ ପଠେଇ ଦେଇଥିଲେ । ସେଥିପାଇଁ ଆନ୍ଦୋଳନ ଶେଷର ଟଙ୍କା ବଳିପଡ଼ିଥିଲା ।

 

ସଙ୍ଗେ ସଙ୍ଗେ ସତ୍ୟାଗ୍ରହୀ ସ୍ୱେଚ୍ଛାସେବକମାନଙ୍କୁ ସାଦାସିଧାଭାବରେ ଚଳିବା ନୂଆକରି ଶିଖିବାକୁ ପଡ଼ିଥିଲା । ସେମାନେ ଯେ ଏ ନୂଆ କଥାକୁ ଶିଖିଥିଲେ ତାହା ମୁଁ କହିପାରିବି ନାହିଁ । କିନ୍ତୁ ସୋମନଙ୍କର ଚାଳିଚଳଣ ବହୁ ପରିମାଣରେ ବଦଳେଇ ପକେଇ ଥିଲେ ।

 

ପାଟୀଦାରମାନଙ୍କ ପାଇଁ ମଧ୍ୟ ଏ ଯୁଦ୍ଧଟା ନୂଆ କଥା ଥିଲା । ସେଥିପାଇଁ ସତ୍ୟାଗ୍ରହ ନୀତି ବୁଝେଇବାକୁ ଆମକୁ ଗାଁକୁ ଗାଁ ଯିବାକୁ ହୋଇଥିଲା ।

 

ହାକିମମାନେ ମାଲିକ ନୁହଁନ୍ତି, ସେମାନେ ଚାକର । ପ୍ରଜାଙ୍କ ପଇସାରେ ଦରମା ଖାଉଛନ୍ତି, ଏକଥା ବୁଝାଇ ଚାଷୀମାନଙ୍କର ଡର ଭଙ୍ଗେଇବା ମୁଖ୍ୟ କାମ ଥିଲା । ନିଡର ହେବା ସଙ୍ଗେ ସଙ୍ଗେ ଯେ ନମ୍ରତା ଆବଶ୍ୟକ, ଏତକ ତାଙ୍କୁ ବୁଝେଇବା ଏକରକମ ଅସମ୍ଭବ ହେଉଥିଲା । ହାକମଙ୍କ ଡର ଥରେ ଛାଡ଼ିଗଲେ ହାକିମଙ୍କର ଅପମାନର ପ୍ରତିଶୋଧ ନେବାରେ ତାଙ୍କୁ ଅଟକେଇବ କିପରି ? ଅଥଚ ସେମାନେ ଯଦି ଅଭଦ୍ର ହେଲେ,ତେବେ ଦୁଧରେ ବୁନ୍ଦାଏ ଜହରଭଳି ହୋଇଯିବ । ମୁଁ ପରେ ଯାଇ ବୁଝିଥିଲି ଯେ ମୁଁ ଯେତେଦୂର ଆଶା କରୁଥିଲି, ପାଟୀଦାରମାନେ ତା’ଠାରୁ ଢେର କାମ ବିନୟର ପାଠ ଶିଖିଥିଲେ । ଅଭିଜ୍ଞତାରୁ ମୁଁ ଶିଖିଛି ଯେ ସତ୍ୟାଗ୍ରହରେ ‘ବିନୟ’ଟା ସବୁଠାରୁ କଠିନ କଥା । ଏଠି ବିନୟର ଅର୍ଥ କଥାରେ ବାହ୍ୟିକ ଉଦାରତା ନୁହଁ । ଏଠାରେ ବିନୟର ଅର୍ଥ ବିରୁଦ୍ଧପକ୍ଷ ପ୍ରତି ମନରେ ଆଦର, ନିଷ୍କପଟତା, ତାର ଶୁଭଇଚ୍ଛା ଓ ସେହି ଅନୁସାରେ ଆଚରଣ ।

 

ଆରମ୍ଭରେ ଲୋକେ ଖୁବ ସାହସ ଦେଖାଇଥିଲେ । ପ୍ରଥମଥର ସରକାରଙ୍କ ତରଫରୁ ଢଲାଢାଲି ଚାଲିଥିଲା । ମାତ୍ର ଲୋକଙ୍କ ଟାଣ ବଢ଼ବାକୁ ଲାଗିଥିଲା । ସେତେବେଳେ ସରକାରଙ୍କର କଡ଼ାକଡ଼ି ଆରମ୍ଭ ହୋଇଥିଲା । କୋରଖୀ କର୍ମଚାରୀମାନେ ଲୋକଙ୍କ ଗୋରୁଗାଈ ନିଲାମ କରୁଥିଲେ ଏବଂ ଘରୁ ମନଖୁସି ଚଳନ୍ତି ମାଲ କୋରଖ କରୁଥିଲେ । ଚଉଥ ଜୋରିମାନା ପରଓ୍ୟାନା ଜାରି ହେଉଥିଲା, କେଉଁ ଗାଁରେ ସବୁ ଫସଲ କୋରଖ ହେଉଥିଲା । ଲୋକେ ବଣା ହୋଇଗଲେ, କେତେକ ପାଉଣା ଦେଇପକେଇଲେ, ଆଉ କେତେକ ନିଜର ଚଳନ୍ତି ସମ୍ପତ୍ତିରୁ କିଛି କର୍ମଚାରୀ ନିଲାମ କରି ପାଉଣା ଆଦାୟ କରିନେଲେ, ରକ୍ଷା ପାଇଯିବେ ବୋଲି ବିଚାରୁଥିଲେ । ଅନ୍ୟ ଦିଗରେ କେତେକ ମରିବାଯାଏ ଲଢ଼ିବାକୁ ପ୍ରସ୍ତୁତ ଥିଲେ ।

 

ଏତିକିବେଳେ ଶଙ୍କରଲାଲ ପରୀଖଙ୍କର ଜଣେ ପ୍ରଜା ତାଙ୍କର ଜମିର କର ଦେଇପକେଇଥିଲେ । ଏଥିରେ ଚହଳ ପଡ଼ିଯାଇଥିଲା । ଶଙ୍କରଲାଲ ସେ ଜମିକୁ ଦେଶକୁ ଦେଇ ପକେଇ ପ୍ରକାର ଭୁଲର ପ୍ରାୟଶ୍ଚିତ କରିଥିଲେ । ଏମିତି ସେ ନିଜର ମାନ ରକ୍ଷା କରିଥିଲେ ଏବଂ ଅନ୍ୟମାନଙ୍କୁ ଆଦର୍ଶ ଦେଖେଇଥିଲେ ।

 

ଗୋଟିଏ ଜମିରେ ପିଆଜ କ୍ଷେତ ଅନ୍ୟାୟ ଭାବରେ କୋରଖ ହୋଇଥିଲା । ମୁଁ ଲୋକଙ୍କ ମନରେ ସାହସ ଆଣି ଦେବାପାଇଁ, ମୋହନଲାଲ ପଣ୍ଡ୍ୟାଙ୍କ ନେତୃତ୍ୱରେ ସେ ପିଆଜ ଫସଲ ଉଠେଇ ଆଣିବାକୁ ଲୋକଙ୍କୁ କହିଥିଲି । ମୋ ବିଚାରରେ ସେଥିରେ ଆଇନଭଙ୍ଗ ହେଉ ନ ଥିଲା । କିନ୍ତୁ ଯାହାହେଉ ପଛକେ ସାମାନ୍ୟ ଖଜଣା ପାଇଁ କ୍ଷେତର ସବୁ ଫସଲ କୋରଖ କରିବା ଆଇନସମ୍ମତ ହୋଇଥିଲେ ସୁଦ୍ଧା ତାହା ରୀତିବିରୁଦ୍ଧ ଏବଂ ତାହା ସାଫ୍‌ ଲୁଟ କରିବା ଥିଲା ଏବଂ ସେଭଳି କୋରଖର ଅମାନ୍ୟ କରିବା ଲୋକଙ୍କର କର୍ତ୍ତବ୍ୟ ଥିଲା ବୋଲି ମୁଁ କହିଥିଲି । ଏଭଳି କରିବାରେ ଯେ ଜୋରିମାନା ବା ଜେଲର ବିପଦ ଥିଲା, ତାହା ଲୋକଙ୍କୁ ସାଫ୍‌ କହି ଦେଇଥିଲି । ମୋହନଲାଲ ପଣ୍ଡ୍ୟାଙ୍କ ମନକୁ କଥାଟା ଭାରି ପାଇଥିଲା ।

 

ସତ୍ୟାଗ୍ରହ ନୀତି ଅବଲମ୍ବନ କରି କେହି ଜେଲ ନ ଯାଇ ଆନ୍ଦୋଳନ କରିଯିବାଟା ତାଙ୍କୁ ଭଲ ଲାଗୁ ନ ଥିଲା । ସେଥିପାଇଁ ସେ କ୍ଷେତରୁ ପିଆଜ ଉଠାଇ ଆଣିବାକୁ ବାହାରି ଥିଲେ ଏବଂ ସେଥିରେ ସାତ ଆଠଜଣ ବନ୍ଧୁ ତାଙ୍କ ସହିତ ଯୋଗ ଦେଇଥିଲେ ।

 

ସରକାର ଏମାନଙ୍କୁ ନ ଧରି ରହନ୍ତା କେମିତି ? ମୋହନଲାଲ ଓ ତାଙ୍କ ବନ୍ଧୁମାନେ ଧରାହେଲେ ଏବଂ ଲୋକଙ୍କୁ ଉତ୍ସାହ ବଢ଼ି ଯାଇଥିଲା । କେଉଁଠି ଜେଲ ଡର ଭାଙ୍ଗିଯାଏ, ଦମନନୀତି ଲୋକଙ୍କୁ ଦବେଇବା ପରିବର୍ତ୍ତରେ ସାହସୀ କରିଦିଏ । ମକଦ୍ଦମା ଦେଖିବାକୁ ଲୋକେ ପଲ ପଲ ହୋଇ ଜମା ହୋଇଥିଲେ । ପଣ୍ଡ୍ୟା ଓ ତାଙ୍କ ସାଥୀଙ୍କୁ ଅଳ୍ପଦିନ ପାଇଁ ଜେଲ ଦିଆ ହୋଇଥିଲା । ଦଣ୍ଡଟା କିନ୍ତୁ ମୋ ମତରେ ଅନ୍ୟାୟ ଥିଲା, କାରଣ ପିଆଜ ଫସଲଟା ଉଠାଇ ଆଣିବା ଦଣ୍ଡବିଧି ଆଇନରେ ଚୋରି ଦଫାରେ ପଡ଼ିବ ନାହିଁ । ମାତ୍ର ଅପିଲ କରିବାକୁ କାହାରି ମନ ନ ଥିଲା ।

 

ଦଣ୍ଡିତମାନଙ୍କୁ ଶୋଭାଯାତ୍ରା କରି ଜେଲକୁ ନେଇଯାଇଥିଲେ ଏବଂ ସେହିଦିନ ଠାରୁ ମୋହନଲାଲ ପଣ୍ଡ୍ୟା ‘ପିଆଜ ଚୋର’ ପଦ ପାଇଲେ । ଆଜିଯାଏ ସେ ତାହା ଭୋଗ କରୁଛନ୍ତି ।

 

ଖେଡ଼ା ସତ୍ୟାଗ୍ରୟର ଉପସଂହାର ପର ଅଧ୍ୟାୟରେ କରିବି ।

 

ଖେଡ଼ା ସତ୍ୟାଗ୍ରହର ଶେଷ

 

ଆନ୍ଦୋଳନଟା ଅପ୍ରତ୍ୟାଶିତ ଭାବରେ ସରିଗଲା, ଲୋକେ ଯେ ଥକିପଡ଼ିଥିଲେ ତାହା ସ୍ପଷ୍ଟ ଜଣା ପଡ଼ିଥିଲା ଏବଂ ଯେତେକ ଟାଣ ଥିଲେ, ତାଙ୍କୁ ଏକଦମ ସର୍ବସ୍ୱାନ୍ତ କରେଇବାକୁ ସଙ୍କୋଚ ହୋଇଥିଲା । ମୁଁ ଲଢ଼େଇ ଶେଷ କରିବା ପାଇଁ ସତ୍ୟାଗ୍ରହର ଯୋଗ୍ୟ ଗୋଟିଏ ଭଲ ଉପାୟ ଖୋଜିଥିଲି । ହଠାତ୍‌ ସେମିତି ଉପାୟଟିଏ ଜୁଟି ଯାଇଥିଲା । ନଦିୟାଦ୍ ତାଲୁକାର ମାମଲତଦାର କହି ପଠାଇଥିଲେ ଯେ, ଧନୀ ପ୍ରଜାମାନେ ଯଦି ରାଜସ୍ୱ ଦେଇ ଦେବେ ତେବେ ଗରିବ ପ୍ରଜାଙ୍କ ଖଜଣା ମକୁବ ରହିବ । ସେଇ କଥା ଲେଖି ଦେବାପାଇଁ ମୁଁ ଚାହୁଁଥିଲି ଏବଂ ତାହାମିଳି ଯାଇଥିଲା । କିନ୍ତୁ ମାମଲତଦାର କେବଳ ତା’ ତାଲୁକା ପାଇଁ ଦାୟୀ, କିଲଟର ସବୁ ଜିଲା ପାଇଁ ଦାୟୀ, ତେଣୁ ମୁଁ କିଲଟରଙ୍କୁ ପଚାରିଥିଲି । ସେ କହିଥିଲେ ଯେ, ମାମଲତଦାରଙ୍କ କହିବା ମୁତାବକ ହୁକୁମ ବାହାରି ସାରିଛି । ମୋତେ ଜଣା ନ ଥିଲା । ମାତ୍ର ହୁକୁମ ବାହାରିଥିବା ତ ଲୋକଙ୍କ ପୂରଣ ହୋଇଥିଲା ବୋଲି ଧରାଯିବାର କଥା । ମନେ ଥିବ, ପ୍ରତିଜ୍ଞାରେ ଏହି କଥା ଥିଲା-। ସେଥିଯୋଗୁଁ ଏ ହୁକୁମରେ ଆମେ ସନ୍ତୁଷ୍ଟ ହୋଇଥିଲୁ ।

 

ଏହା ସତ୍ତ୍ୱେ ଏଭଳି ପରିଣାମରେ ଆମେ କେହି ବିଶେଷ ଖୁସି ହୋଇ ନ ଥିଲୁ । ସତ୍ୟାଗ୍ରହ ଯୁଦ୍ଧ ଶେଷରେ ଗୋଟାଏ ମଧୁରତା ଥାଏ, ତାହା ଏଥିରେ ନ ଥିଲା । କିଲଟର ଜାଣିଲେ ସତେ ଯେମିତି ନୂଆ କଥା କିଛି କହିନାହାନ୍ତି । ଗରିବଙ୍କୁ ଛାଡ଼ି ହେବାର କଥା, ମାତ୍ର କେହି ସେଥିରୁ କିଛି ଉପକାର ପାଇ ନ ଥିଲେ । କିଏ ଗରିବ ତାହା ସ୍ଥିର କରିବା ପ୍ରଜାଙ୍କର ଅଧିକାରର ଥିଲା; ମାତ୍ର ସେ ଅଧିକାର ସେମାନେ କାର୍ଯ୍ୟରେ ଖଟେଇ ପାରିଲେ ନାହିଁ । ପ୍ରଜାଙ୍କର ସେତକ ବଳ ନ ଥିବାରୁ ମୋର ଦୁଃଖ ହୋଇଥିଲା । ଯଦ୍ୟପି ଶେଷରେ ସତ୍ୟାଗ୍ରହର ବିଜୟ ଉତ୍ସବ କରାହୋଇଥିଲା; ତଥାପି ଏହି କାରଣରୁ ମୋତେ ତାହା ନୀରସ ଲାଗିଥିଲା । ଯେତେବେଳେ ଆରମ୍ଭଠୁଁ ଶେଷରେ ପ୍ରଜାଙ୍କଠାରେ ବେଶୀ ତେଜ, ବେଶୀ ବଳ ଦେଖାଯାଇଥାଏ, ସେତେବେଳେ ସତ୍ୟାଗ୍ରହର ଶୁଦ୍ଧ ପରିଣାମ ହୋଇଛି ବୋଲି କୁହା ଯାଇଥାଏ । ମୁଁ ଏତକ ଦେଖିପାରି ନଥିଲି । ଅବଶ୍ୟ ଏ ଆନ୍ଦୋଳନର ଅନେକ ପରୋକ୍ଷ ଫଳ ହୋଇଥିଲା, ଏବଂ ଆଜି ସେ ସବୁ ଫଳ ଆମେ ଦେଖିପାରୁଛୁ ଏବଂ ଭୋଗ କରୁଛୁ । ଖେଡ଼ା ସତ୍ୟାଗ୍ରହରେ ଗୁଜୁରାତ ଚାଷୀମାନଙ୍କ ମଧ୍ୟରେ ଜାଗରଣ ତଥା ରାଜନୈତିକ ଶିକ୍ଷାର ଆରମ୍ଭ ହୋଇଥିଲା ।

 

ବିଦୂଷୀ ଡାକ୍ତର ବେସାନ୍ତଙ୍କର ସେହି ଚମତ୍କାର ‘ହୋମରୁଲ୍’ ଆନ୍ଦୋଳନ ଅବଶ୍ୟ ଚାଷୀମାନଙ୍କୁ ସ୍ପର୍ଶ କରିଥିଲା । କିନ୍ତୁ ଚାଷୀମାନଙ୍କ ଜୀବନ ସଙ୍ଗେ ଶିକ୍ଷିତବର୍ଗର ଓ କର୍ମୀଙ୍କର ସମ୍ପର୍କ ସ୍ଥାପନ ଏଇ ଯୁଦ୍ଧରୁ ହୋଇଥିଲା ବୋଲି କୁହାଯାଇପାରେ । କର୍ମୀମାନେ ପାଟୀଦାରଙ୍କ ଜୀବନ ସଙ୍ଗେ ଓତଃପ୍ରୋତ ହୋଇ ଯାଇଥିଲେ । ସେମାନେ ଆପଣା କର୍ମକ୍ଷେତ୍ରରେ ସୀମା ବୁଝି ପାରିଥିଲେ । ତାଙ୍କର ତ୍ୟାଗ ଶକ୍ତି ବଢ଼ିଥିଲା । ବଲ୍ଲଭଭାଇ ଏ ଆନ୍ଦୋଳନରେ ନିଜର ପରିଚୟ ପାଇଥିଲେ । ଏହି ଗୋଟିକ କିଛି କାମ ଲାଭ ନଥିଲା, ଏହା ଗତବର୍ଷ ବନ୍ୟା ସାହାଯ୍ୟ କାର୍ଯ୍ୟ ସମ୍ବନ୍ଧରେ ଓ ଏବର୍ଷ ବାରଡୋଲି ସତ୍ୟାଗ୍ରହରେ ଆମେ ଦେଖିପାରିଛୁ । ଗୁଜୁରାତର ସାଧାରଣ ଜୀବନର ନୂତନ ତେଜ ଆସିଥିଲା ଓ ନୂଆ ଉତ୍ସାହ ଖେଳି ଯାଇଥିଲା । ପାଟୀଦାରୀ ଚାଷୀ ତା’ର ନିଜର ଶକ୍ତି ବୁଝି ପାରିଥିଲା ଏବଂ ସେ ତା’ କେବେ ଭୁଲିବ ନାହିଁ । ଲୋକଙ୍କ ମୁକ୍ତି ଯେ ତାଙ୍କ ହାତରେ, ନିଜର ତ୍ୟାଗଶକ୍ତି ଉପରେ ନିର୍ଭର କରେ, ତାହା ସମସ୍ତେ ବୁଝି ପାରିଥିଲେ । ଖେଡ଼ା ଆନ୍ଦୋଳନ ଦ୍ୱାରା ସତ୍ୟାଗ୍ରହ ଗୁଜୁରାତରେ ଚେର ମାଡ଼ିଥିଲା ।

 

ଅତଏବ ଯଦ୍ୟପି ସତ୍ୟାଗ୍ରହର ନିଷ୍ପତ୍ତିରେ ମୋର ଆନନ୍ଦ ହେବାର କିଛି ନ ଥିଲା, ତଥାପି ଖେଡ଼ା ଚାଷୀମାନେ ଭାରି ଖୁସି ହୋଇଥିଲେ; କାରଣ ସେମାନେ ବୁଝିଥିଲେ ଯେ ଆପଣା ଉଦ୍ୟମ ତୁଳନାରେ ବେଶୀ ଫଳ ମିଳିଥିଲା ଏବଂ ଭବିଷ୍ୟତରେ ରାଜଦୁଃଖ ଦୂର କରିବାର ଏକ ଉପାୟ ଶିଖିଥିଲେ । ତାଙ୍କର ଆନନ୍ଦ ପାଇଁ ଏତକ ଜ୍ଞାନ ଯଥେଷ୍ଟ ଥିଲା । ସେ ଯାହାହେଉ, ଖେଡ଼ା ଚାଷୀମାନେ ସତ୍ୟାଗ୍ରହର ସ୍ୱରୂପ ପୂରାପୂରି ବୁଝି ନ ଥିଲେ ଏବଂ ତାଙ୍କର କିପରି ଅଭିଜ୍ଞତା ହୋଇଥିଲା, ତାହା ଆମେ ପରେ ଦେଖି ପାରିବା ।

 

ଐକ୍ୟ କାମନା

 

ୟୁରୋପରେ ମହାଯୁଦ୍ଧ ଲାଗିଥିଲାବେଳେ ଖେଡ଼ା ଆନ୍ଦୋଳନ ଚାଲିଥିଲା । ଯୁଦ୍ଧ ସମ୍ପର୍କରେ ବଡ଼ଲାଟ୍‌ ଦିଲ୍ଲୀକୁ ନେତାମାନଙ୍କୁ ଡକାଇଥିଲେ । ବଡ଼ଲାଟ ଲର୍ଡ ଚେମସଫୋର୍ଡଙ୍କ ସଙ୍ଗେ ମୋର ବନ୍ଧୁଭାବ ଥିଲା ବୋଲି ମୁଁ ଆଗରୁ ଉଲ୍ଲେଖ କରିଛି ।

 

ମୁଁ ନିମନ୍ତ୍ରଣ ଗ୍ରହଣ କରିଥିଲି ଏବଂ ଦିଲ୍ଲୀ ଯାଇଥିଲି । କିନ୍ତୁ ସମ୍ମିଳନୀରେ ଯୋଗ ଦେବାରେ ମୋର ଗୋଟିଏ ଆପତ୍ତି ଥିଲା । ପ୍ରଧାନ ଆପତ୍ତି—ସେ ବୈଠକକୁ ସୌକତ ଆଲି, ଲୋକମାନ୍ୟ ପ୍ରଭୃତି ନେତାମାନଙ୍କୁ ନିମନ୍ତ୍ରଣ ଦିଆ ହୋଇ ନ ଥିଲା । ସେତେବେଳେ ଆଲିଭାଇମାନେ ଜେଲରେ ଥିଲେ । ସେତେବେଳକୁ ତାଙ୍କ ସାଙ୍ଗରେ ମୋର ମାତ୍ର ଥରେ କି ଦି’ଥର ଦେଖା ହୋଇଥାଏ । କିନ୍ତୁ ତାଙ୍କ କଥା ମୁଁ ବହୁତ ଶୁଣିଥାଏ । ତାଙ୍କର ସେବାଭାବ ଓ ବୀରତ୍ୱର ପ୍ରଶଂସା ସମସ୍ତେ କରିଥାନ୍ତି । ସେତେବେଳଯାଏ ହାକିମ ସାହେବଙ୍କ ସଙ୍ଗେ ମୋର ପରିଚୟ ହୋଇ ନ ଥିଲା । ମାତ୍ର ଆଚାର୍ଯ୍ୟ ରୁଦ୍ର ଓ ଦୀନବନ୍ଧୁ ଏଣ୍ଡୃଜ ତାଙ୍କ କଥା ମତେ କହିଥାନ୍ତି । କଲିକତାର ମୁସଲିମଲିଗ ବୈଠକ ବେଳେ ମିଷ୍ଟର ଶୋଏବ୍‌ କୁରେସି ଓ ବାରିଷ୍ଟର ଖାଜାଙ୍କ ସଙ୍ଗେ ଦେଖା ହୋଇଥିଲା । ଡାକ୍ତର ଆନସାରୀ ଓ ଡାକ୍ତର ଅଦ୍‌ଦୂର ରହମନଙ୍କ ସଙ୍ଗେ ବନ୍ଧୁତା କରିସାରିଥିଲି । ଭଲ ମୁସଲମାନଙ୍କ ବନ୍ଧୁତ୍ୱ ମୁଁ ଲୋଡ଼ୁଥିଲି ଏବଂ ସେମାନଙ୍କର ସବୁଠାରୁ ପବିତ୍ରମନା ଓ ଦେଶପ୍ରେମୀ ପ୍ରତିନିଧିମାନଙ୍କ ସଙ୍ଗେ ମିଶି ସେମାନଙ୍କର ମନୋଭାବ ଜାଣିବାକୁ ଭାରି ଉତ୍ସୁକ ହୋଇପଡ଼ିଥିଲି । ତେଣୁ ସେମାନେ ତାଙ୍କ ସମାଜର ଯେଉଁଠାକୁ ମୋତେ ନେଉଥିଲେ, ସେଠାକୁ ଯିବାପାଇଁ ମତେ ଆଉ ବଳେଇବାକୁ ପଡ଼ୁ ନ ଥିଲା ।

 

ଦକ୍ଷିଣ ଆଫ୍ରିକାରେ ବହୁତ ଜଲଦି ମୁଁ ଜାଣିପାରିଲି ଯେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଚ୍ଚା ବନ୍ଧୁତ୍ୱ ନ ଥିଲା । ଉଭୟଙ୍କ ଭିତରେ ମନ ଫଟାଫଟି ଦୂର କରିବାପାଇଁ ମୁଁ କୌଣସି ସୁଯୋଗ ଛାଡ଼ୁ ନ ଥିଲି । ଖୁସାମଦ କରି କିମ୍ବା ନିଜର ବ୍ୟକ୍ତିତ୍ୱ ହରେଇ ତାଙ୍କୁ ବା କାହାକୁ ସନ୍ତୁଷ୍ଟ କରିବା ମୋର ପ୍ରକୃତିରେ ନଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକାରୁ ମୁଁ ବୁଝିସାରିଥିଲି ଯେ, ଏହି ବିଷୟରେ ମୋର ଅହିଂସାର ପରଖ ହେବ ଏବଂ ତା’ର ପ୍ରୟୋଗ ପାଇଁ ବିଶାଳ କ୍ଷେତ୍ର ମିଳିଯିବ । ସେ ମତ ଏ ପର୍ଯ୍ୟନ୍ତ ଅଛି । ଭଗବାନ ପ୍ରତି ମୁହୂର୍ତ୍ତରେ ମତେ ପରୀକ୍ଷାରେ ପକାଉଛନ୍ତି । ମୋର ପ୍ରୟୋଗ ମଧ୍ୟ ଚାଲିଛି ।

 

ଏହିଭଳି ଧାରଣା ନେଇ ବମ୍ବେଇ ବନ୍ଦରଠାରେ ଉତୁରିଥିବାରୁ ଆଲିଭାଇମାନଙ୍କ ସମ୍ପର୍କ ମତେ ବଡ଼ ଭଲ ଲାଗୁଥିଲା । ଆମର ସ୍ନେହ ବଢ଼ୁଥିଲା । କିନ୍ତୁ ଆମର ପରିଚୟ ପରେ ପରେ ସରକାର ସେମାନଙ୍କୁ ଜୀଅନ୍ତା କବର ଦେଇଥିଲେ । ବେବଲା ଓ ଛିନ୍ଦ୍ଓ୍ୟାଡ଼ା ଜେଲରୁ ମହମ୍ମଦ ଅଲି ସରକାରୀ ଅନୁମତି ନେଇ ମତେ ଲମ୍ବା ଚିଠି ଲେଖୁଥିଲେ । ମୁଁ ଦି’ଭାଇଙ୍କ ସଙ୍ଗେ ଦେଖା କରିବାକୁ ଅନୁମତି ପ୍ରାର୍ଥନା କରିଥିଲି; କିନ୍ତୁ ତାହା ମିଳି ନ ଥିଲା ।

 

ଆଲିଭାଇଙ୍କୁ ଧରିନେବା ପରେ ମୁସଲମାନ ବନ୍ଧୁମାନେ କଲିକତା ମୁସଲିମଲିଗ୍‌ ବୈଠକକୁ ମତେ ନେଇଯାଇଥିଲେ । ମତେ କହିବାକୁ ଅନୁରୋଧ କରିଥିଲେ । ମୁଁ କହିଥିଲି, ଆଲିଭାଇଙ୍କୁ ମୁକ୍ତ କରିବା ପାଇଁ ମୁସଲମାନଙ୍କ କର୍ତ୍ତବ୍ୟ ବୁଝାଇଥିଲି । ଏହାର ଅଳ୍ପଦିନ ପରେ ସେହି ବନ୍ଧୁମାନେ ମତେ ଆଲିଗଡ଼ ମୁସଲିମ କଲେଜକୁ ନେଇଯାଇ ଥିଲେ । ସେଠାରେ ମାତୃଭୂମିର ସେବାପାଇଁ ଫକୀର ହେବାକୁ ମୁଁ ମୁସଲମାନଙ୍କୁ ଆହ୍ୱାନ କରିଥିଲି ।

 

ମୁଁ ଆଲିଭାଇଙ୍କ ମୁକ୍ତିପାଇଁ ସରକାରଙ୍କ ସଙ୍ଗେ ଚିଠିପତ୍ର ଚଳାଇଥାଏ । ସେହି ସମ୍ପର୍କରେ ମୁଁ ଖିଲାଫତ୍ ସମ୍ବନ୍ଧେ ଆଲିଭାଇଙ୍କ ମତାମତ ଭଲକରି ଅଧ୍ୟୟନ କରିଥିଲି । ମତେ ଜଣାଗଲା ଯେ, ମୁଁ ମୁସଲମାନଙ୍କ ପ୍ରକୃତ ବନ୍ଧୁହେବାକୁ ଇଚ୍ଛା କରୁଥିଲେ ଆଲିଭାଇଙ୍କୁ ମୁକ୍ତ କରେଇବାରେ ଓ ଖିଲାଫତ୍ ସମସ୍ୟାର ନ୍ୟାଯ୍ୟ ସମାଧାନ କରିବାରେ ମତେ ପୂରା ସାହାଯ୍ୟ କରିବାକୁ ପଡ଼ିବ । ଖିଲାଫତ୍ ପ୍ରଶ୍ନ ମୋ ପାଇଁ ସହଜ ଥିଲା । ସେ ସମସ୍ୟାର ଦୋଷଗୁଣ ଦେଖିବା ମୋର ଦରାକର ନ ଥିଲା । ସେ ସମ୍ପର୍କରେ ମୁସଲମାନଙ୍କ ଦାବି ନୀତିବିରୁଦ୍ଧ ହୋଇ ନ ଥିଲେ, ମୋର ସାହାଯ୍ୟ ଦେବା ଉଚିତ ଥିଲା । ଧାର୍ମିକ ପ୍ରଶ୍ନରେ ବିଶ୍ୱାସ ବା ଶ୍ରଦ୍ଧା ସବୁଠାରୁ ବଡ଼ କଥା । ଗୋଟାଏ ବିଷୟରେ ସମସ୍ତଙ୍କର ଯଦି ସମାନ ବିଶ୍ୱାସ ଥାନ୍ତା, ତେବେ ଦୁନିଆରେ କେବଳ ଗୋଟିଏ ଧର୍ମ ରହିଯାନ୍ତା । ମୁଁ ଦେଖି ପାରୁଥିଲି ଯେ, ମୁସଲମାନଙ୍କ ଦାବିରେ କିଛି ନୀତିବିରୁଦ୍ଧ ନଥିଲା, ଏତିକି ନୁହେଁ, ବରଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲଏଡ୍‍ ଜର୍ଜ ମୁସଲମାନଙ୍କ ଦାବିକୁ ମାନି ସାରିଥିଲେ । ତେଣୁ ପ୍ରଧାନମନ୍ତ୍ରୀଙ୍କ ଜବାବକୁ ପାଳନ କରେଇବାରେ ମୋର ଯଥାସାଧ୍ୟ ସାହାଯ୍ୟ କରିବା ଉଚିତ ଥିଲା । ଜବାବ ଏତେ ସ୍ପଷ୍ଟ ଭାଷାରେ ଥିଲା ଯେ, ତେଣିକି କେବଳ ମୋର ଆତ୍ମସନ୍ତୋଷ ପାଇଁ ମତେ ଦାବିର ଗୁଣଦୋଷ ବିଚାର କରିବାକୁ ପଡ଼ିଥିଲା ।

 

ଖିଲାଫତ୍‌ ପ୍ରଶ୍ନରେ ମୁଁ ମୁସଲମାନଙ୍କୁ ସାହାଯ୍ୟ କରିଥିବାରୁ ବନ୍ଧୁ ଓ ସମାଲୋଚକମାନେ ମୋର କଡ଼ା ସମାଲୋଚନା କରିଛନ୍ତି । ସେ ସବୁ ସମାଲୋଚନାର ବିଚାର କଲେ ସୁଦ୍ଧା ମୋର ଯେଉଁ ମତ ଥିଲା ମୁଁ ଯେ ସାହାଯ୍ୟ ଦେଇଥିଲି ବା ଦିଆଉଥିଲି, ସେଥିପାଇଁ ମୋର ଦୁଃଖ କରିବାର କୌଣସି ମାତ୍ର କାରଣ ନାହିଁ । ସେଥିରେ ମୋର କିଛି ବଦଳେଇାବର ବି ନାହିଁ । ପୁଣି ଯଦି ସେମିତି ଅବସର ଆସେ, ମୁଁ ଠିକ୍‌ ସେହିପରି କରିବି । ଏହିପରି ଚିନ୍ତା ମନରେ ନେଇ ମୁଁ ଦିଲ୍ଳୀ ଯାଇଥିଲି । ମୁସଲମାନଙ୍କ ଦୁଃଖ ସମ୍ବନ୍ଧରେ ବଡ଼ଲାଟଙ୍କ ସଙ୍ଗେ ଆଲୋଚନା କରିବାର ଥିଲା । ସେତେବେଳଯାଏ ଖିଲାଫତ୍ ପ୍ରଶ୍ନ ଆପଣାର ପୂର୍ଣ୍ଣ ରୂପ ଧାରଣ କରି ନଥିଲା ।

 

ଦିଲ୍ଲୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଦୀନବନ୍ଧୁ ଆଣ୍ଡୃଜ ଏକ ନୈତିକ ପ୍ରଶ୍ନ ଉଠାଇଥିଲେ । ସେତେବେଳେ ଇଂଲଣ୍ଡ ଇଟାଲୀ ଗୁପ୍ତସନ୍ଧି ସମ୍ବନ୍ଧରେ ଇଂଲଣ୍ଡର ଖବର କାଗଜମାନଙ୍କରେ ଯେ ଆଲୋଚନା ଚାଲିଥିଲା, ସେ କଥା ସେ ମତେ କହିଥିଲେ । ସେ ପଚାରିଥିଲେ ଇଂଲଣ୍ଡ ଯଦି ଅନ୍ୟ ୟୁରୋପୀୟ ଶକ୍ତି ସଙ୍ଗେ ଗୁପ୍ତସନ୍ଧି କରିଥାଏ, ତେବେ ମୁଁ କେମିତି ସମ୍ମିଳନୀରେ ଯୋଗଦେବି । ମୁଁ ସେ ସନ୍ଧି କଥା କିଛି ଜାଣି ନଥିଲି । ଦୀନବନ୍ଧୁ ଆଣ୍ଡୃଜଙ୍କ କଥା ମୋ ପାଇଁ ଯଥେଷ୍ଟ ଥିଲା । ତେଣୁ ସମ୍ମିଳନୀରେ ଯୋଗ ଦେବାରେ ମୋର ଯେ ଦ୍ୱିଧା ହେଉଥିଲା, ତାହା ଜଣାଇ ମୁଁ ଲର୍ଡ ଚେମସ୍‌ଫୋର୍ଡ଼ଙ୍କୁ ଖଣ୍ଡେ ଚିଠି ଲେଖିଥିଲି । ସେ ବିଷୟ ଆଲୋଚନା କରିବା ପାଇଁ ସେ ମୋତେ ଡକାଇ ପଠାଇଥିଲେ । ତାଙ୍କ ସହିତ ଓ ତାଙ୍କ ଘରେଇ ସମ୍ପାଦକ ମି: ମାଫିଙ୍କ ସହିତ ବହୁତ କଥାବାର୍ତ୍ତା ହୋଇଥିଲା । ତା ଫଳରେ ମୁଁ ସମ୍ମିଳନୀରେ ଯୋଗଦେବାକୁ ରାଜି ହୋଇଥିଲି । ଚୁମ୍ବକରେ ବଡ଼ଲାଟଙ୍କ ଯୁକ୍ତି ଏୟା ଥିଲା,‘‘ବଡ଼ଲାଟ ଯେ ବିଲାତ ମନ୍ତ୍ରୀସଭାର ସବୁକାମର ଖବର ରଖନ୍ତି, ଏକଥା ଆପଣ ନିଶ୍ଚୟ ବିଶ୍ୱାସ କରନ୍ତି ନାହିଁ । ବ୍ରିଟିଶ ସରକାର କୌଣସି ଦୋଷ ଯେ ନ କରି ପାରନ୍ତି, ଏ କଥା ମୁଁ ଦାବି କରି ପାରୁନାହିଁ ବା କେହି ଦାବି କରୁ ନାହାନ୍ତି । କିନ୍ତୁ ଆପଣ ଯଦି ଏତକ ମାନନ୍ତି ଯେ ମୋଟ ଉପରେ ବ୍ରିଟିଶ ସାମ୍ରାଜ୍ୟ ଜଗତର ଭଲପାଇଁ ହୋଇଛି ଏବଂ ବ୍ରିଟିଶ ସମ୍ପର୍କରେ ଭାରତର ମୋଟ ଉପରେ ଉପକାର ହୋଇଛି, ତେବେ ସାମ୍ରାଜ୍ୟର ବିପଦବେଳେ ପ୍ରତ୍ୟେକ ଭାରତୀୟ ନାଗରିକ ସାହାଯ୍ୟ କରିବା ଉଚିତ ନୁହେଁ କି ? ଇଂଲଣ୍ଡର ଖବରକାଗଜମାନେ ଗୁପ୍ତ ସନ୍ଧି ସମ୍ବନ୍ଧେ ଯାହା କହୁଛନ୍ତି, ମୁଁ ମଧ୍ୟ ତାହା ପଢ଼ିଛି । ମୁଁ ଆପଣଙ୍କୁ ନିର୍ଭର ଜବାବ ଦେଉଛି ଯେ, ଏ କାଗଜର ଖବର ଛଡ଼ା ମୁଁ ଆଉ ଅଧିକା କିଛି ଜାଣେ ନାହିଁ ଏବଂ ଆପଣ ମଧ୍ୟ ଜାଣନ୍ତି କାଗଜ ସବୁ କେମିତି ଜନରବ ରଟେଇ ଦିଅନ୍ତି । ଖବର କାଗଜରେ ଗୋଟିଏ ମିଥ୍ୟା ଜନରବ ନିର୍ଭର କରି ଆପଣ ଏ ସଂକଟ ସମୟରେ ସାମ୍ରାଜ୍ୟକୁ ସାହାଯ୍ୟ କରିବାକୁ ମନା କରିବେ କି ? ଯୁଦ୍ଧପରେ ଆପଣ ଯେତେ ପାରେ ସେତେ ନୈତିକ ପ୍ରଶ୍ନ ଉଠେଇ ପାରନ୍ତି ଏବଂ କଳିଗୋଳ କରିପାରନ୍ତି ।’’

 

ଏ ଯୁକ୍ତି ନୂଆ ନ ଥିଲା । ଯେଉଁ ପ୍ରକାରେ ଏବଂ ଯେଉଁ ସମୟରେ ଏ ଯୁକ୍ତି ବଢ଼ା ହୋଇଗଲା, ସେଥିରେ ମତେ ଏହା ନୂଆପରି ଲାଗିଥିଲା ଏବଂ ମୁଁ ସମ୍ମିଳନୀରେ ଯୋଗଦେବାକୁ ରାଜି ହୋଇଥିଲି । ମୁସଲମାନଙ୍କ ଦାବି ସମ୍ବନ୍ଧେ ବଡ଼ଲାଟଙ୍କୁ ଖଣ୍ଡେ ଚିଠି ଲେଖିବି ବୋଲି ସ୍ଥିର କରିଥିଲି ।

 

ସୈନ୍ୟ ସଂଗ୍ରହ

 

ମୁଁ ସମ୍ମିଳନୀରେ ଯୋଗ ଦେଇଥିଲି । ସୈନ୍ୟ ସଂଗ୍ରହ ପ୍ରସ୍ତାବକୁ ମୁଁ ସମର୍ଥନ କରେ, ସେଥିପାଇଁ ବଡ଼ଲାଟ ବେଶୀ ଉତ୍ସୁକ ଥିଲେ । ମୁଁ ହିନ୍ଦୀରେ କହିବା ଅନୁମତି ମାଗିଥିଲି । ବଡ଼ଲାଟ ମୋର ଅନୁରୋଧ ରକ୍ଷା କରିଥିଲେ; ମାତ୍ର ପୁଣି ଇଂରେଜୀରେ କହିବାକୁ ମୋତେ କହିଥିଲେ । ମୋର ବକ୍ତୃତା ଦେବାର କିଛି ନ ଥିଲା । ମୁଁ ଏହି ମର୍ମରେ କେବଳ ଗୋଟିଏ ବାକ୍ୟ କହିଥିଲି, ‘‘ଦାୟିତ୍ୱଜ୍ଞାନ ମୋର ଅଛି ଏବଂ ସେ ଦାୟିତ୍ୱ ଜାଣୁ ଜାଣୁ ମୁଁ ଏ ପ୍ରସ୍ତାବ ସମର୍ଥନ କରୁଛି ।’’

 

ମୁଁ ହିନ୍ଦୀରେ କହିଥିଲି ବୋଲି ମୋତେ ଅନେକେ ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ, ଏ ଯୁଗରେ ବଡ଼ଲାଟଙ୍କ ସଭାରେ ହିନ୍ଦୀରେ କହିବା ତା ପ୍ରଥମ ଥିଲା, ପ୍ରଶଂସା ଏବଂ ମୋର ଏଭଳି ପ୍ରଥମ ଦୃଷ୍ଟାନ୍ତ ହେବାଟା ମତେ ବାଧିଥିଲା । ମତେ ଲାଜ ମାଡ଼ିଥିଲା । ଆମ ଦେଶରେ ଆମରି କାମପାଇଁ ସଭାରେ ଦେଶର ଭାଷା ବର୍ଜନ ଓ ତାର ଅପମାନ କେଡ଼େ ଦୁଃଖର କଥା ! ଏବଂ ମୋଭଳି କେହି ଜଣେ ହିନ୍ଦୀରେ ଦି’ଧାଡ଼ି କହିଲା ବୋଲି ସେଥିପାଇଁ ପ୍ରଶଂସା କାହିଁକି-? ଏଭଳି ଘଟଣା ଆମର ପତନ ମନେ ପକାଇଦିଏ ।

 

ସମ୍ମିଳନୀରେ ଯେ ଧାଡ଼ିକ କହିଥିଲି, ମୋ ପାଇଁ ତାର ବହୁତ ଅର୍ଥ ଥିଲା । ଏ ସମ୍ମିଳନୀକୁ କିମ୍ବା ଏ ପ୍ରସ୍ତାବର ସମର୍ଥନକୁ ଭୁଲିଯିବା ମୋ ପକ୍ଷରେ ଅସମ୍ଭବ ଥିଲା । ଦିଲ୍ଲୀରେ ଥାଉ ଥାଉ ଗୋଟିଏ ଦାୟିତ୍ୱ ପୂରଣ କରିବା ବାକି ଥିଲା । ବଡ଼ଲାଟକୁ ଖଣ୍ଡେ ଚିଠି ଲେଖିବା ମୋତେ ସହଜ ଜଣାପଡ଼ି ନଥିଲା । ସଭାକୁ ଯିବାରେ ମୋର ଦ୍ୱିଧା, ତାହାର କାରଣ । ଭବିଷ୍ୟତ ଆଶା ପ୍ରଭୃତି ଅନେକ ବିଷୟ ସାଫ୍‌ କରିଦେବା, ମୋପାଇଁ, ସରକାରଙ୍କ ପାଇଁ, ତଥା ଲୋକଙ୍କ ପାଇଁ ଆବଶ୍ୟକ ଥିଲା ।

 

ବଡ଼ଲାଟଙ୍କୁ ଚିଠିପତ୍ର ଲୋକମାନ୍ୟ ତିଲକ ଓ ଆଲିଭାଇଙ୍କ ଭଳି ନେତାମାନଙ୍କର ଗରହାଜିର ପାଇଁ ମୋର ଦୁଃଖ ଜଣାଇଥିଲି ଏବଂ ଲୋକଙ୍କର ରାଜନୈତିକ ଦାବି ଓ ଯୁଦ୍ଧଜନିତ ଅବସ୍ଥାରେ ମୁସଲମାନଙ୍କ ଦାବି କଥା ଉଲ୍ଲେଖ କରିଥିଲି । ଚିଠି ଖଣ୍ଡି ପ୍ରକାଶ କରିବାକୁ ମୁଁ ଅନୁମତି ପ୍ରାର୍ଥନା କରିଥିଲି ଏବଂ ବଡ଼ଲାଟ ଅନୁମତି ଦେଇଥିଲେ ।

 

ସମ୍ମିଳନୀ ପରେ ପରେ ବଡ଼ଲାଟ ସିମଳା ଚାଲିଯାଇଥିବାରୁ ଚିଠି ଖଣ୍ଡି ସିମଳା ପଠାଇବାକୁ ପଡ଼ିଥିଲା । ଡାକରେ ପଠାଇଲେ ଡେରି ହୋଇଥାଏ । ମତେ ଚିଠି ଖଣ୍ଡ ବଡ଼ ଜରୁରୀ ଥିଲା । ମୁଁ ଶୀଘ୍ର ପଠେଇବାକୁ ଚାହୁଁଥିଲି । ଯେ ସେ ଲୋକ ହାତରେ ପଠାଇବାକୁ ଚାହୁଁ ନ ଥିଲି । ଜଣେ ଶୁଦ୍ଧ ପବିତ୍ର ଲୋକଙ୍କ ହାତରେ ଗଲେ ଭଲ ହୁଅନ୍ତା ବୋଲି ମନେ ହୋଇଥିଲା । ଦୀନବନ୍ଧୁ ଏଣ୍ଡୃଜ ଓ ଆଚାର୍ଯ୍ୟ ରୁଦ୍ର କେମ୍ବ୍ରିଜ୍ କମିଶନର ରେଭରେଣ୍ଡ୍ ଆୟାର୍‌ଲାଣ୍ଡଙ୍କ ନାମ ପ୍ରସ୍ତାବ କରିଥିଲେ । ସେ ଭାରି ଭଲଲୋକ ଥିଲେ । ଚିଠିଟି ପଢ଼ି ତାଙ୍କୁ ଯଦି ଭଲ ଲାଗିବ, ସେ ତାହା ନେଇ ଯିବାକୁ ରାଜି ହୋଇଥିଲେ । ଚିଠି ଖଣ୍ଡି କୌଣସି ପ୍ରକାର ଗୋପନୀୟ ନ ଥିଲା । ସେ ଖଣ୍ଡି ସେ ପଢ଼ିଥିଲେ, ପସନ୍ଦ କରିଥିଲେ ଏବଂ କାମଟି କରିଦେବାକୁ ହଁ ଭରିଥିଲେ । ମୁଁ ତାଙ୍କୁ ଦ୍ୱିତୀୟ ଶ୍ରେଣୀ ରେଲଭଡ଼ା ଯାଚିଥିଲି । କିନ୍ତୁ ସେ ତାହା ଗ୍ରହଣ କରି ନ ଥିଲେ ଏବଂ ରାତିରେ ଯିବାକୁ ପଡ଼ିଥିଲେ ସୁଦ୍ଧା ଦେଢ଼ା ଟିକଟ କଟାଇଥିଲେ । ତାଙ୍କର ସରଳତା, ସାଧାସିଧା ଚାଲିଚଲଣ ଓ ସଫା ସଫା କଥା କହିବା ସ୍ୱଭାବ ମତେ ମୁଗଧ୍‌ କରିଥିଲା । ଏହିଭଳି ଜଣେ ଶୁଦ୍ଧ ପବିତ୍ର ଲୋକଙ୍କ ହାତରେ ପଠାଯାଇଥିବାରୁ ତାର ଫଳ ଭଲ ହୋଇଥିଲା ବୋଲି ମୁଁ ମନେ କରିଥିଲି । ମୋ ବାଟ ସଫା ହୋଇଯାଇଥିଲା ।

 

ମୋର ଅନ୍ୟ ଦାୟିତ୍ୱ ଥିଲା ସୈନ୍ୟ ସଂଗ୍ରହ କରିବା । ଖେଡ଼ା ଛଡ଼ା ଅନ୍ୟତ୍ର କେଉଁଠି ଆରମ୍ଭ କରିବି ? ମୋ ନିଜ ସହକର୍ମୀଙ୍କ ଛଡ଼ା ଅନ୍ୟ କାହାକୁ ପ୍ରଥମେ ଏଥିରେ ଯୋଗଦେବାକୁ ଡାକିବି ? ସେଥିପାଇଁ ଖେଡ଼ାରେ ପହଞ୍ଚି ବଲ୍ଲଭଭାଇ ପ୍ରଭୃତିଙ୍କ ସହିତ ପରାମର୍ଶ କରିଥିଲି । ଏ ପ୍ରସ୍ତାବ କିନ୍ତୁ କେତେକଙ୍କ ତଣ୍ଟିରେ ସହଜରେ ଗଳି ନ ଥିଲା । ଯେଉଁମାନେ ପ୍ରସ୍ତାବ କରିଥିଲେ, ସେମାନେ ମଧ୍ୟ ତା’ର ସଫଳତା ସମ୍ବନ୍ଧରେ ସନ୍ଦେହ ପ୍ରକାଶ କରିଥିଲେ । ଯେଉଁ ଶ୍ରେଣୀର ଲୋକଙ୍କୁ ସଂଗ୍ରହ କରାଯାନ୍ତା, ସେମାନଙ୍କର ସରକାର ପ୍ରତି ସଦ୍‌ଭାବ ନ ଥିଲା । ସରକାରୀ କର୍ମଚାରୀମାଙ୍କର କଟୁ ବ୍ୟବହାର କଥା ତାଙ୍କ ମନରେ ବେଶ୍‌ ତାଜା ଥିଲା । ତଥାପି ସମସ୍ତେ କାର୍ଯ୍ୟ ଆରମ୍ଭ କରିବା ସପକ୍ଷରେ ଥିଲେ । ଯେମିତି କାମରେ ଲାଗିଗଲି, ମୋ ଆଖି ଫିଟି ଯାଇଥିଲା । ଖେଡ଼ା ଲଢ଼େଇରେ ଲୋକେ ମାଗଣା ଗାଡ଼ି ଯୋଗେଇ ଦେଉଥିଲେ ଏବଂ ଯେଉଁଠି ଜଣେ ସ୍ୱେଚ୍ଛାସେବକ ଦରକାର, ସେଠି ତିନି ଚାରି ବାହାରି ପଡ଼ୁଥିଲେ । ଏବେ ଗାଡ଼ିଖଣ୍ଡେ ଭଡ଼ାରେ ମିଳିବା କଠିନ ହୋଇଥିଲା । କିନ୍ତୁ ସେଥିରେ ଆମେ ଦବି ନ ଥିଲୁ । ଗାଡ଼ି ଛାଡ଼ିଦେଇ ପୈଦଲ ଯା ଆସ ସ୍ଥିର କରିଥିଲୁ । ଆମକୁ ଦିନକୁ ଦଶକୋଶ ଚାଲିବାକୁ ପଡ଼ୁଥିଲା । ଗାଡ଼ି ମିଳୁ ନଥିଲା, ଖାଇବାକୁ କେଉଁଠୁ ମିଳନ୍ତା ? ଖାଇବାପାଇଁ ମାଗିବା ଉଚିତ ନଥିଲା । ତେଣୁ ପ୍ରତ୍ୟେକ ସ୍ୱେଚ୍ଛାସେବକ ଯେଝା ମୁଣିରେ ଆପଣା ଖୋରାକ ନେଇଯିବା ସ୍ଥିର ହୋଇଥିଲା । ଖରାଦିନ ଥିବାରୁ ଘୋଡ଼ି ହେଲା ଦରକାର ନଥିଲା ।

 

ଯେଉଁଠାକୁ ଯାଉଥିଲୁ ସଭା କରୁଥିଲୁ । ଲୋକେ ଆସୁଥିଲେ, ମାତ୍ର ବଡ଼ କଷ୍ଟରେ ଜଣେ ଦି ଜଣ ନାଁ ଲେଖଉଥିଲେ । ‘‘ଆପଣ ଅହିଂସାର ସେବକ, ଆପଣ ଆମକୁ ଅସ୍ତ୍ର ଧରିବାକୁ କେମିତି କହୁଛନ୍ତି ? ସରକାର ଭାରତର କ’ଣ ଭଲ କରିଛନ୍ତି ଯେ, ଆମେ ସହଯୋଗ କରିବୁ ?’’ ଏହିଭଳି ପ୍ରଶ୍ନ ମୋତେ ପଚାରୁଥିଲେ । ଯାହାହେଉ ଆମର ଲାଗି ରହିବାରେ ଫଳ ହେଲା । ବେଶ୍‌ ଗୁଡ଼ିଏ ଲୋକ ନାଁ ଲେଖେଇଥିଲେ ଏବଂ ପ୍ରଥମ ଦଳଟି ପଠାସରିଲେ ଅନ୍ୟମାନଙ୍କ ପାଇଁ ବାଟ ଫିଟିଯିବ ବୋଲି ଆମର ଆଶା ହୋଇଥିଲା । ଏ ପ୍ରାର୍ଥୀମାନଙ୍କୁ ନେଇ କେଉଁଠାରେ ରଖିବାକୁ ହେବ, ସେ ବିଷୟରେ ମୁଁ କମିଶନରଙ୍କ ସଙ୍ଗେ ପରାମର୍ଶ ଆରମ୍ଭ କରିଦେଇଥିଲି ।

 

ପ୍ରତ୍ୟେକ ବିଭାଗର କମିଶନରମାନେ ଦିଲ୍ଲୀ ସମ୍ମିଳନୀ ଢାଞ୍ଚାରେ ଜାଗାଏ ଜାଗାଏ ସମ୍ମିଳନୀ କରାଉଥିଲେ । ଗୁଜୁରାତରେ ଏମିତି ଗୋଟିଏ ସମିଳନୀ ହୋଇଥିଲା । ମତେ ଓ ସହକର୍ମୀମାନଙ୍କୁ ସେଠାକୁ ନିମନ୍ତ୍ରଣ ହୋଇଥିଲା । ଆମେ ଯୋଗ ଦେଇଥିଲୁ; ମାତ୍ର ସେଠାରେ ମୋ ପାଇଁ କମ ସ୍ଥାନ ଥିଲା । ସେଠା ଯୋ ହୁକୁମ ହାଉଆରେ ମୋତେ ବଡ଼ ଅସ୍ୱସ୍ତି ବୋଧ ହୋଇଥିଲା । ଏଠି ମୁଁ ଟିକିଏ ଲମ୍ବେଇକରି କହିଥିଲି । ସରକାରୀ କର୍ମଚାରୀଙ୍କୁ ଖୋସାମଦ କରି ମୁଁ କିଛି କହି ପାରିନଥିଲି, ବରଂ ପଦେ ଦି’ପଦ କଡ଼ାକଥା କହିବାକୁ ପଡ଼ିଥିଲା । ଲୋକଙ୍କୁ ସୈନ୍ୟବିଭାଗ ପାଇଁ ପ୍ରାର୍ଥୀ ହେବାକୁ ପ୍ରବର୍ତ୍ତେଇବା ନିମନ୍ତେ ମୁଁ କ୍ଷୁଦ୍ର କ୍ଷୁଦ୍ର ପୁସ୍ତକମାନ ପ୍ରକାଶ କରିଥିଲି । ସେଥିରେ ମୁଁ ଯେଉଁ ଯୁକ୍ତିସବୁ ଦେଖାଇଥିଲି, ସେଥିରୁ ଗୋଟିଏ ଯୁକ୍ତି କମିଶନରଙ୍କୁ ବାଧୁଥିଲା । ଯେଉଁ ଆଇନ ବଳରେ ସମସ୍ତେ ଜାତିଟାଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇଛନ୍ତି, ତା’ର ଇତିହାସ ଭାରତରେ ଇଂରେଜ ଶାସନର ଅଗଣିତ କୁକାର୍ଯ୍ୟମାନଙ୍କ ମଧ୍ୟରେ ସବୁଠାରୁ କଦର୍ଯ୍ୟ । ଯଦି ଆମେ ଅସ୍ତ୍ର ଆଇନକୁ ଉଠେଇଦେବାକୁ ଚାହୁଁ ବା ଅସ୍ତ୍ର ବ୍ୟବହାର ଶିଖିବାକୁ ଚାହୁଁ, ତେବେ ଏହାହିଁ ସୁବର୍ଣ୍ଣ ସୁଯୋଗ । ମଧ୍ୟବିତ୍ତ ଶ୍ରେଣୀର ଲୋକେ ସରକାରଙ୍କ ଏ ସଂକଟ ସମୟରେ ତାଙ୍କୁ ସ୍ୱେଚ୍ଛାରେ ସାହାଯ୍ୟ କଲେ ଅବିଶ୍ୱାସ ତୁଟିଯିବ ଏବଂ ହତିଆର ରଖିବାର ଯେ ମନା ଅଛି ତାହା ଉଠେଇ ନିଆଯିବ । କମିଶନର ସାହେବ ଏ କଥାକୁ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଆମର ମତଭେଦ ସତ୍ତ୍ୱେ ମୁଁ ଯେ ସେଠାକୁ ଯାଇଥିଲି ତାହା ତାଙ୍କର ପସନ୍ଦ ହୋଇଥିଲା ଏବଂ ମୁଁ ମଧ୍ୟ ନିଜ ମତକୁ ମିଠା କଥାରେ ପାରେ ସମର୍ଥନ କରିଥିଲି ।

 

ବଡ଼ଲାଟଙ୍କୁ ଯେ ଚିଠି ଦେଇଥିଲି ବୋଲି କହିଥିଲି, ତା’ର ସାରମର୍ମ ଏଇୟା;—‘‘ଯୁଦ୍ଧ ସମ୍ମିଳନୀରେ ଯୋଗଦେବାପାଇଁ ମୋର ମନରେ ଦ୍ୱିଧା ହୋଇଥିଲା । କିନ୍ତୁ ଆପଣଙ୍କ ସଙ୍ଗେ ସାକ୍ଷାତ୍‍ ପରେ ତାହା ଦୂର ହୋଇଥିଲା । ଆପଣଙ୍କ ପ୍ରତି ମୋର ବିଶେଷ ସମ୍ମାନ ତାହାର ଏକ କାରଣ ଥିଲା । ଯୋଗ ନ ଦେବାର ସବୁଠୁ ବଡ଼ କାରଣ ଏୟା ଥିଲା ଯେ, ସେଠାକୁ ଲୋକମାନ୍ୟ ତିଳକ, ଶ୍ରୀମତୀ ବେସାନ୍ତ, ଆଲିଭାଇଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଏମାନଙ୍କୁ ମୁଁ ଲୋକଙ୍କର ବଡ଼ ଶକ୍ତିଶାଳୀ ନେତା ବୋଲି ମନେ କରେ । ମୁଁ ମନେକରୁଛି ଯେ, ସେମାନଙ୍କୁ ନ ଡାକିବା ସରକାରଙ୍କର ବଡ଼ ଗୁରୁତର ଭୁଲ ହୋଇଛି ଏବଂ ପ୍ରସ୍ତାବ କରେ ଯେ ସେମାନଙ୍କୁ ପ୍ରାଦେଶିକ ସମ୍ମିଳନୀମାନଙ୍କୁ ନିମନ୍ତ୍ରଣ କରାଯାଉ । ମୋର କ୍ଷୁଦ୍ର ମତରେ ସେମାନଙ୍କ ସଙ୍ଗେ ଯେତେ ମତଭେଦ ଥିଲେ ସୁଦ୍ଧା ତାଙ୍କ ଭଳି ପୋଖତ ନେତାଙ୍କୁ କୌଣସି ସରକାର ଉପେକ୍ଷା କରିପାରିବ ନାହିଁ । ଏହିଭଳି ଅବସ୍ଥାରେ ମୁଁ ସମ୍ମିଳନୀର ସମିତି ବୈଠକମାନଙ୍କରେ ଯୋଗ ଦେଇପାରି ନଥିଲି ଏବଂ ସମ୍ମିଳନୀରେ କେବଳ ସମର୍ଥନଟି କରି ନିଶ୍ଚିନ୍ତ ରହିଥିଲି । ସରକାରଙ୍କୁ ଯେ ପ୍ରସ୍ତାବ ଦେଲି, ତାହା ଗୃହୀତ ହେଲେ ମୋର ସମର୍ଥନକୁ ଶୀଘ୍ର କାମରେ ଲଗାଇବାର ଆଶା କରୁଛି । ଭବିଷ୍ୟତରେ ଯେଉଁ ସାମ୍ରାଜ୍ୟର ପୂରାପୂରି ଜଣେ ସରିକ୍‌ଦାର ହେବାର ଆଶା ପୋଷୁଛି, ସେ ସାମ୍ରାଜ୍ୟର ବିପଦ ସମୟରେ ପୂରା ସାହାଯ୍ୟ ଦେବା ଆମର କର୍ତ୍ତବ୍ୟ ଅଟେ । କିନ୍ତୁ ଏତକ ମୋର କହିଦେବା ଉଚିତ ଯେ, ତାହା ସଙ୍ଗେ ଏ ଆଶା ମଧ୍ୟ ରହିଛି ଯେ ଏ ସାହାଯ୍ୟ ଫଳରେ ଆମେ ଆମ ଲକ୍ଷ୍ୟରେ ଶୀଘ୍ର ପହଞ୍ଚିବୁ । ତେଣୁ ଲୋକଙ୍କର ଏତକ ବିଶ୍ୱାସ କରିବାର ଅଧିକାର ଅଛି, ଯେଉଁ ଶାସନ ସଂସ୍କାର ଶୀଘ୍ର ହେବ ବୋଲି ଆପଣ ସୂଚନା ଦେଇଛନ୍ତି, ସେଥିରେ କଂଗ୍ରେସ ଓ ମୁସଲିମଲିଗ୍‌ ଉଭୟଙ୍କର ପ୍ରଧାନ ଦାବି ଗୃହୀତ ହେବ ।

 

ମୁଁ ପାରନ୍ତି ତ ଏଭଳି ସୁଯୋଗରେ ‘ହୋମରୁଲ୍‌’ ପ୍ରଭୃତି ଶବ୍ଦ ଉଚ୍ଚାରଣ ସୁଦ୍ଧା କରନ୍ତି ନାହିଁ ଏବଂ ସାମ୍ରାଜ୍ୟର ବିପଦବେଳେ ସମସ୍ତ ଶକ୍ତିଶାଳୀ ଭାରତବାସୀଙ୍କୁ ସାମ୍ରାଜ୍ୟ ରକ୍ଷାପାଇଁ ଚୁପଚାପ୍‌ ବଳି ଦେବାକୁ ପଠାଇଦିଅନ୍ତି । ଏତକ କଲେ ଆମେ ନିଶ୍ଚୟ ଏ ସାମ୍ରାଜ୍ୟଠାରୁ ବଡ଼ ଓ ସମ୍ମାନିତ ସରିକ୍‌ଦାର ହୋଇଯାନ୍ତୁ ଏବଂ ରଙ୍ଗଭେଦ ଓ ଦେଶ ଭେଦ ସବୁ ଲୋପ ପାଇଯାନ୍ତା ।

 

କିନ୍ତୁ ଶିକ୍ଷିତ ଲୋକେ ଏମିତି ବାଟ ଧରୁଛନ୍ତି, ଯାହା କମ୍‌ ଫଳପ୍ରଦ । ସମାଜରେ ଏମାନଙ୍କର ବେଶ୍‌ ପ୍ରତିଷ୍ଠା ଅଛି । ଭାରତକୁ ଫେରିଲା ଦିନଠାରୁ ମୁଁ ଜନସାଧାରଣଙ୍କ ସଙ୍ଗେ ଖୁବ୍‌ ଘନିଷ୍ଠ ଭାବେ ମିଶୁଛି । ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ, ସ୍ୱାୟତ୍ତ ଶାସନର ଇଚ୍ଛା ସେମାନଙ୍କ ଭିତରେ ପ୍ରବଳ ହୋଇଛି, ‘ହୋମରୁଲ୍‌’ ବିନା ତାଙ୍କର କେବେ ସନ୍ତୋଷ ହେବ ନାହିଁ । ସେମାନେ ଏ ଉଦ୍ଦେଶ୍ୟ ସାଧନ ପାଇଁ ସବୁ ବଳି ଦେବାକୁ ପ୍ରସ୍ତୁତ । ସାମ୍ରାଜ୍ୟ ରକ୍ଷା ପାଇଁ ଯେତେ ସ୍ୱେଚ୍ଛାସେବକ ଯୋଗାଇବା ଉଚିତ, କିନ୍ତୁ ଟଙ୍କାପଇସା ସାହାଯ୍ୟ ସମ୍ବନ୍ଧରେ ମୁଁ ତାହା କହିପାରିବି ନାହିଁ । ଭାରତର ଅବସ୍ଥା ମୁଁ ଜାଣିଛି ଏବଂ ମୁଁ କହିପାରେ ସେ ଦିଗରେ ଭାରତ ଯାହା ସାହାଯ୍ୟ କରିସାରିଛି ତାହା ତାର କ୍ଷମତାକୁ ବଳେଇପଡ଼ିଛି । କିନ୍ତୁ ମୁଁ ଏତକ ପର୍ଯ୍ୟନ୍ତ ମଧ୍ୟ ବୁଝୁଛି ଯେ, ସଭାରେ ଯେଉଁମାନେ ସମର୍ଥନ କରିଛନ୍ତି ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ସାହାଯ୍ୟ ଦେବାକୁ ସ୍ଥିର କରିଛନ୍ତି । ଆମର ସାହାଯ୍ୟର ବୁନିଆଦି ଭବିଷ୍ୟତ ଆଶା ଉପରେ ଗଢ଼ା ହୋଇଛି ଏବଂ ଏଭଳି ଆଶା କେତେକ ଅଛି ବୋଲି ଆପଣଙ୍କୁ ବିଶେଷକରି ଜଣେଇଦେବା ଉଚିତ । ମୁଁ କିଛି ଚୁକ୍ତି କରିବାକୁ ଚାହେଁ ନାହିଁ । କିନ୍ତୁ ମୋର ଏତକ କହିଦେବା ଉଚିତ ଯେ ସେ ବିଷୟରେ ଆଶା ଭାଙ୍ଗିଲେ ସାମ୍ରାଜ୍ୟ ଉପରେ ଆଜିକାର ବିଶ୍ୱାସ ତୁଟିଯିବ ।

 

ଘରକଳି ତୁଟେଇ ଦେବାକୁ ଆପଣ ଆମକୁ ନିବେଦନ କରିଛନ୍ତି । ତାହାଦ୍ୱାରା ଆପଣ ଯଦି ଚାହାଁନ୍ତି ଯେ, ସରକାରୀ କର୍ମଚାରୀମାନଙ୍କର ଜୁଲମ ଓ ଅତ୍ୟାଚାର ଆମେ ସହିଯିବୁ, ତେବେ ତାହା ଅସମ୍ଭବ । ପାରୁପର୍ଯ୍ୟନ୍ତ ପ୍ରତିରୋଧ କରିବାକୁ ମୁଁ ମୋର କର୍ତ୍ତବ୍ୟ ମଣୁଛି । ତେଣୁ ଆପଣ କର୍ମଚାରୀମାନଙ୍କୁ ଜଣାଇ ଦିଅନ୍ତୁ, ସେମାନେ କୌଣସି ପ୍ରାଣୀ ପ୍ରତି ଯେମିତି ଦୁର୍ବ୍ୟବହାର ନ କରନ୍ତି ଏବଂ ଆଗେ ଲୋକମତକୁ ଯେତିକି ସମ୍ମାନ ଦେଇ ନ ଥିଲେ, ଏବେ ଲୋକମତକୁ ସେତିକି ସମ୍ମାନ ଦିଅନ୍ତୁ । ଚମ୍ପାରଣର ଶହ ଶହ ବର୍ଷର ଅତ୍ୟାଚାରର ପ୍ରତିରୋଧ କରି ମୁଁ ବ୍ରିଟିଶ ନ୍ୟାୟର କର୍ତ୍ତୃତ୍ୱ ପ୍ରମାଣ କରିଦେଇଛି । ଖେଡ଼ାର ଲୋକେ ଦେଖିସାରିଛନ୍ତି ଯେ ଲୋକେ ସତ୍ୟ ପାଇଁ କଷ୍ଟ ସହିବାକୁ ପ୍ରସ୍ତୁତ ହେଲେ; ପ୍ରକୃତ ଶକ୍ତି ରାଜଶକ୍ତି ନୁହେଁ, ପ୍ରକୃତ ଶକ୍ତି ଲୋକଶକ୍ତି । ତେଣୁ ସେମାନଙ୍କ ସରକାର ପ୍ରତି ଯେ କଟୁଭାବ ଥିଲା, ତାହା କମିଯାଇଛି ଏବଂ ସେମାନଙ୍କର ବିଶ୍ୱାସ ହୋଇଛି ଯେ ଯେଉଁ ରାଜଶକ୍ତି ସବିନୟ ଆଇନ ଅମାନ୍ୟକୁ ଏବଂ ସେମାନଙ୍କର ବିଶ୍ୱାସ ହୋଇଛି ଯେ ଯେଉଁ ରାଜଶକ୍ତି ସବିନୟ ଆଇନ ଅମାନ୍ୟକୁ ମାନି ନେଇଛି, ସେ ରାଜଶକ୍ତି କେବେହେଁ ଲୋକମତକୁ ଏକଦମ ଏଡ଼ିଦେବ ନାହିଁ । ତେଣୁ ମୋର ବିଶ୍ୱାସ ହୋଇଛି, ଚମ୍ପାରଣ ଓ ଖେଡ଼ାରେ ମୁଁ ଯାହା କରିଛି, ତାହା ଯୁଦ୍ଧରେ ମୋର ସେବା ଅଟେ । ସେଭଳି କାର୍ଯ୍ୟକୁ ବନ୍ଦ କରିବାକୁ କହିବାର ଅର୍ଥ ମୋର ନିଶ୍ୱାସକୁ ରୁନ୍ଧିଦେବା । ପଶୁବଳର ବଦଳରେ ମୁଁ ଯଦି ଆତ୍ମବଳ ବା ପ୍ରେମବଳକୁ ଲୋକପ୍ରିୟ କରିପାରେ, ତେବେ ମୁଁ ଜାଣୁଛି, ସମସ୍ତ ଦୁନିଆର ଆତ୍ୟାଚାର ବିରୁଦ୍ଧରେ ଭାରତବର୍ଷ ଯୁଝିପାରିବ । ସେଥିପାଇଁ ସବୁବେଳେ ମୋ ଜୀବନରେ ଏହି ସନାତନ ତ୍ୟାଗ ଧର୍ମକୁ ଓତଃପ୍ରୋତ କରି ରଖିବାକୁ ମୁଁ ନିଜର ମନକୁ ଦୃଢ଼ କରିବି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ନୀତି ଗ୍ରହଣ କରିବାକୁ ଡାକିଦେବି । ଯଦିବା ମୁଁ ଅନ୍ୟ କୌଣସି କାମ କରୁଛି, ତାହା ମଧ୍ୟ ସେଇ ନୀତିର ଶ୍ରେଷ୍ଠତ୍ୱ ପ୍ରମାଣ କରିବାପାଇଁ କରୁଛି ।

 

ଶେଷରେ ମୁସଲମାନ ରାଜ୍ୟ ସମ୍ପର୍କରେ ପକ୍‌କା ଜବାବ ଦେବାପାଇଁ ସମ୍ରାଟଙ୍କର ମନ୍ତ୍ରିମଣ୍ଡଳକୁ କହିବାକୁ ମୁଁ ଆପଣଙ୍କୁ ଅନୁରୋଧ କରେ । ଆପଣ ଜାଣନ୍ତି, ପ୍ରତ୍ୟେକ ମୁସଲମାନ ଏ ବିଷୟରେ କିପରି ଚିନ୍ତା କରୁଛି । ମୁଁ ହିନ୍ଦୁ ଥାଇ ସେମାନଙ୍କର ଭାବନା ଚିନ୍ତାରେ କେବେହେଁ ଅନାସ୍ଥା ପ୍ରକାଶ କରି ନ ପାରେ । ସେମାନଙ୍କର ଦୁଃଖ ଆମର ଦୁଃଖ ହେବା ଉଚିତ । ଏ ମୁସଲମାନ ରାଜାମାନଙ୍କର ଅଧିକାର ବଜାୟ ରଖିବା ଏବଂ ସେମାନଙ୍କର ପୂଜା ପୀଠ ସମ୍ବନ୍ଧରେ ତାଙ୍କର ଭାବନା ଚିନ୍ତା ପ୍ରତି ଆପଣଙ୍କର ସମ୍ମାନ ଦେଖାଇବା ଓ ସ୍ୱାୟତ୍ତ ଶାସନ ପାଇଁ ଭାରତର ଦାବି ଗ୍ରହଣ କରିବା ଉପରେ ସାମ୍ରାଜ୍ୟର ମଙ୍ଗଳ ନିର୍ଭର କରେ । ମୁଁ ଇଂରେଜ ଜାତିକୁ ଭଲପାଏ ଏବଂ ଇଂରେଜଙ୍କଠାରେ ଯେ ରାଜଭକ୍ତି ଅଛି, ସେହିପରି ରାଜଭକ୍ତି ପ୍ରତ୍ୟେକ ଭାରତୀୟ ପ୍ରାଣରେ ଜାଗ୍ରତ କରିଦେବାକୁ ଚାହେଁ । ସେଥିପାଇଁ ଏ ଚିଠିଖଣ୍ଡ ଲେଖୁଛି ।

 

ମୃତ୍ୟୁ ଶଯ୍ୟାରେ

 

ସୈନ୍ୟ ସଂଗ୍ରହ କରୁ କରୁ ମୋର ସ୍ୱାସ୍ଥ୍ୟ ନଷ୍ଟ ହୋଇ ଯାଇଥିଲା । ଭଜା ଓ ବଟା ଚିନାବାଦାମ ସଙ୍ଗେ ଗୁଡ଼ କଦଳୀ ପ୍ରଭୃତି ଫଳ ଏବଂ ଦୁଇ ତିନୋଟି ଲମ୍ବୁର ରସ ମୋର ପ୍ରଧାନ ଖାଦ୍ୟ ଥିଲା । ଚିନାବାଦାମ ବେଶୀ ଖାଇଲେ ଅନିଷ୍ଟ କରେ, ଏହା ମୁଁ ଜାଣିଥିଲି । ତଥାପି ଏହାକୁ ବେଶୀ ଖାଇ ଦେଉଥିଲି । ତେଣୁ ସହଜରେ ଆମାଶୟ ହୋଇଥିଲା । ମତେ ମଧ୍ୟେ ମଧ୍ୟେ ଆଶ୍ରମକୁ ଆସିବାକୁ ପଡ଼ୁଥାଏ । ଏ ଆମାଶୟ ମତେ ସେମିତ ଗୁରୁତର ଜଣା ପଡ଼ୁ ନ ଥିଲା । ରାତିରେ ଆଶ୍ରମରେ ପହଞ୍ଚିଥିଲି । ସେତେବେଳେ ମୁଁ କ୍ୱଚିତ୍‌ ଔଷଧ ଖାଉଥିଲି । ବିଚାରିଥିଲି ଯେ, ଓଳିଏ ନ ଖାଇଲେ ଭଲ ହୋଇଯିବ । ପରଦିନ ସକାଳଓଳି ନ ଖାଇବାରୁ ପ୍ରାୟ ଭଲ ହୋଇଗଲା ପରି ଲାଗିଥିଲା । କିନ୍ତୁ ମୁଁ ଜାଣି ପାରିଥିଲି ଯେ, ପୂରାପୂରି ଆରୋଗ୍ୟ ହେବାପାଇଁ ମତେ ଉପବାସକୁ ଳମ୍ବେଇବାକୁ ହେବ ଏବଂ ଫଳରସ ଭଳି କିଛି ଖାଇବାକୁ ହେବ ।

 

ସେଦିନ ଗୋଟିଏ କିଛି ପର୍ବ ଥିଲା । ଦିନରେ କିଛି ଖାଇବି ନାହିଁ ବୋଲି କସ୍ତୁରୀବାଈକୁ କହି ଦେଇଥିଲି ବୋଲି ମନେ ପଡ଼ୁଛି । ସେ ଟିକିଏ ପ୍ରଲୋଭନ ଦେଖାଇିଥିଲା ଏବଂ ମୁ୍ଁ ସେଥିରେ ପଡ଼ିଯାଇଥିଲି । ସେତେବେଳେ ମୁଁ ପଶୁର ଦୁଧ କିମ୍ବା ଦୁଧରେ ତିଆରି କିଛି ଜିନିଷ ଖାଉ ନ ଥିଲି । ତେଣୁ ଘିଅ ଘୋଳ ସବୁ ଛାଡ଼ିଥିଲି । ସେ ମୋ ପାଇଁ ଖାସକରି ଏକପ୍ରକାର ମିଠା ଗହମ ଜାଉ ତିଆରି କରିଥିଲା ଏବଂ ସେଥିରେ ଘିଅ ବଦଳରେ ତେଲ ଦେଇଥିଲା । ମୋଟା ମୁଗ ଡାଲି ମଧ୍ୟ ମୋ ପାଇଁ ରଖିଥିଲା ବୋଲି କହିଥିଲା ଏବଂ ସ୍ୱାଦୁ ଲୋଭରେ ମୁଁ ଢଳି ପଡ଼ିଥିଲି । ତଥାପି ଇଚ୍ଛା ଥିଲା ଯେ, କସ୍ତୁରିବାଈକୁ ଖୁସି କରିବାକୁ ଅଳ୍ପ କିଛି ଖାଇବି, ସ୍ୱାଦଟା ଚାଖିବି ଓ ଦେହକୁ ମଧ୍ୟ ବଞ୍ଚେଇବି । କିନ୍ତୁ ସଇତାନ ବେଳ ଉଣ୍ଡି ବସିଥିଲା । ଖାଇ ବସିଲି, ଅଳ୍ପ କ’ଣ ଖାଇବି, ପେଟ ପୂରାଇ ଖାଇଥିଲି । ସ୍ୱାଦ ପୁରା ହେଲା; କିନ୍ତୁ ସଙ୍ଗେ ସଙ୍ଗେ ଯମକୁ ନିମନ୍ତ୍ରଣ ଦେଇ ପଠେଇଥିଲି । ଖାଇବାର ଘଣ୍ଟାଏ ହୋଇ ନ ଥିବ ପୁଣି ଆମାଶୟ ଖୁବ ଜୋରରେ ବାହାରି ପଡ଼ିଥିଲା ।

 

ସେହିଦିନ ସନ୍ଧ୍ୟାକୁ ନଦିୟାଦ ଫେରିବାର ଥିଲା । ସାବରମତୀ ରେଳ ଷ୍ଟେସନକୁ ଚାଲି ଚାଲି ଯାଇଥିଲି କିନ୍ତୁ ଏ ପାଞ୍ଚ ପା’ ବାଟ କଟିବା ମୁସ୍କିଲ ହୋଇଥିଲା । ଅହମଦାବାଦଠାରୁ ବଲ୍ଲଭଭାଇଙ୍କର ଗାଡ଼ି ଚଢ଼ିବାର ଥିଲା । ସେ ଆସିଥିଲେ ଓ ମୋର ରୋଗ କଥା ଜାଣି ପାରିଥିଲେ-। କିନ୍ତୁ ମତେ ଯେ ବ୍ୟାଧି ଅସହ୍ୟ ହେଇଥିଲା, ତାଙ୍କୁ ବା ଅନ୍ୟ ସାଙ୍ଗକୁ ଜଣେଇ ନ ଥିଲି-

 

ନଦିୟାଦରେ ପହଞ୍ଚିଥିଲୁ । ଅନାଥାଶ୍ରମ ଷ୍ଟେସନରୁ ଅଧମାଇଲକ ଭିତରେ; କିନ୍ତୁ ମତେ ସେତକ ଦଶମାଇଲ ଭଳି ଲାଗିଥିଲା । କୌଣସି ରକମ ବସାରେ ପହଞ୍ଚିଥିଲି, ମାତ୍ର ପେଟଶୂଳା ବଢ଼ୁଥିଲା । ପ୍ରତି ପା’ଘଣ୍ଟାରେ ବାହାରକୁ ଯାଉଥିଲି । ଶେଷରେ ମୁଁ ହାରିଥିଲି । ମୋର ଅସହ୍ୟ କଷ୍ଟ କଥା କହି ବିଛଣା ଧରିଥିଲି । ଆଶ୍ରମରେ ସାଧାରଣ ପାଇଖାନାକୁ ଯିବା ବଦଳରେ କୋଠା ଉପରକୁ ଗୋଟିଏ ପେଡ଼ି ପାଇଖାନା ମଗାଇଥିଲି । ଭାରି ଲାଜ ମାଡ଼ିଥିଲା; ମାତ୍ର ମୋର ଚାରା ନ ଥିଲା । ଫୁଲଚାନ୍ଦ ବାପୁଜୀ ବିଜୁଳି ପରି ଯାଇ ପେଡ଼ିଟିଏ ଆଣି ଦେଇଥିଲେ । ବଡ଼ ଚିନ୍ତିତ ଭାବରେ ବନ୍ଧୁଯାକ ମତେ ଘେରି ବସିଥିଲେ । ମତେ ସ୍ନେହ ଯତ୍ନରେ ବୁଡ଼ାଇ ସିନା ଦେଇଥିଲେ; ମାତ୍ର ସେମାନେ ଯନ୍ତ୍ରଣା କୁଆଡ଼ୁ ବୁଝନ୍ତେ ? ମୋର ଜିଦ୍‌ର ପୁଣି ଅନ୍ତ ନ ଥିଲା । ଡାକ୍ତର ଡକାଇବାକୁ ମନା କରିଥିଲି । ଔଷଧ ତ ଖାଇବି ନାହିଁ, ନିଜ ପାପର ଶାସ୍ତି ଭୋଗିବାକୁ ପ୍ରସ୍ତୁତ ହୋଇଥିଲି । ତେଣୁ ସେମାନେ ନାଚାର ହୋଇ ମୁହଁ ଶୁଖେଇ ବସି ରହିଥିଲେ । ୨୪ଘଣ୍ଟା ମଧ୍ୟରେ ୩୦ରୁ ୪୦ଥର ଝାଡ଼ାଫେରି ଯାଇଥିଲି । ମୁଁ ଉପବାସ କରିଥିଲି । ପ୍ରଥମ ଦିନ ଫଳରସ ମଧ୍ୟ ଖାଇ ନ ଥିଲି । ଖାଇବାକୁ ରୁଚି ଆଦୌ ନ ଥିଲା । ଆଜିଯାଏ ଯେଉଁ ଦେହକୁ ମୁଁ ପଥର ପରି ଭାବୁଥିଲି, ସେହି ଦେହ କାଦୁଅ ମେଞ୍ଜାପରି ହୋଇ ଯାଇଥିଲା । ବଳ କୁଆଡ଼େ ଉଭେଇ ଯାଇଥିଲା । ଡାକ୍ତର କାନୁଗାନ୍ଧୀ ଆସି ଔଷଧ ଖାଇବାକୁ ମତେ ଅନୁରୋଧ କରିଥିଲେ । ମୁଁ ମନା କରିଥିଲି । ଗୋଟିଏ ପିଚକାରୀ (ଇଞ୍ଜେକ୍‌ସନ) ନେବାକୁ ଅନୁରୋଧ କରିଥିଲେ । ତାହା ମଧ୍ୟ ମନା କରିଥିଲି । ସେତେବେଳେ ପିଚକାରୀ ସମ୍ବନ୍ଧରେ ମୋର ଅଜ୍ଞତା ବଡ଼ ହାସ୍ୟକର ଥିଲା । ମୋର ଧାରଣା ଥିଲା, ଇଞ୍ଜେକ୍‌ସନ ଜନ୍ତୁର ରସରୁ ତିଆରି ହୁଏ । ପରେ ଜାଣିଲି ଯେ, ଡାକ୍ତର ଯେଉଁ ପିଚକାରୀ କଥା କହୁଥିଲେ ତାହା ଗୋଟିଏ ଉଦ୍ଭିଦ ରସରୁ ପ୍ରସ୍ତୁତ । ମାତ୍ର ତାହା ଜାଣିଲା ବେଳକୁ ବେଳ ଗଡ଼ିଯାଇଥିଲା । ଝାଡ଼ା ତଥାପି ହେଉଥାଏ । ବହୁତ ପରିଶ୍ରମ ଫଳରେ ଗୋଟିଏ ପ୍ରକାର ପ୍ରଳାପ ସହ ଜର ହୋଇଥିଲା । ବନ୍ଧୁମାନେ ବଣା ହୋଇଥିଲେ । ଅନ୍ୟ ଡାକ୍ତରମାନଙ୍କୁ ଡକାଇଥିଲେ । କିନ୍ତୁ ଯେ ରୋଗୀ ଡାକ୍ତରଙ୍କ କଥା ଶୁଣିବ ନାହିଁ, ତାକୁ ସେମାନେ କ’ଣ କରିବେ ?

 

ଶେଠ ଅମ୍ବାଲାଲ ଓ ତାଙ୍କର ସ୍ତ୍ରୀ ନଦିୟାଦକୁ ଆସିଥିଲେ । ମୋର ସହକର୍ମୀମାନଙ୍କ ସହିତ ପରାମର୍ଶ କରି ଖୁବ୍‌ ଯତ୍ନରେ ମତେ ତାଙ୍କର ମିର୍ଜାପୁର ବଙ୍ଗଳାକୁ ନେଇ ଯାଇଥିଲେ । ଏ ବେମାର ସମୟରେ ମୁଁ ଯେତେ ଶୁଦ୍ଧ ନିଃସ୍ୱାର୍ଥ ସେବା ପାଇଥିଲି, ସେତେ କାହାରି ଭାଗ୍ୟରେ ଘଟିବା ସମ୍ଭବ ନୁହେଁ ବୋଲି କହିପାରେ । ଅଳ୍ପ ଜ୍ୱର ଲାଗି ରହିଥିଲା । ମୋର ଦେହ ଦିନକୁ ଦିନ କ୍ଷୟ ହେବାକୁ ଲାଗିଥିଲା । ମତେ ଲାଗିଥିଲା ରୋଗ ବେଶୀ ଦିନ ରହିବ ଓ ଶେଷରେ ଆଉ ମୁଁ ବିଛଣାରୁ ଉଠି ପାରିବି ନାହିଁ । ଅମ୍ବାଲାଙ୍କ ଘରେ ମୁଁ ସବୁ ସ୍ନେହ ଓ ଯତ୍ନ ମଧ୍ୟରେ ଥିଲେ ସୁଦ୍ଧା ମୁଁ ଟିକିଏ ଅସ୍ଥିର ହୋଇ ପଡ଼ିଥିଲି ଏବଂ ମତେ ଆଶ୍ରମକୁ ନେଇଯିବାକୁ ଲଗେଇଥିଲି । ମୋର ଏ ପ୍ରବଳ ଇଚ୍ଛା ଦେଖି ସେ ମତେ ଆଶ୍ରମକୁ ନେଇ ଯାଇଥିଲେ । ଆଶ୍ରମରେ ଏମିତି ବେମାର ଥିଲାବେଳେ ବଲ୍ଲଭଭାଇ ଖବର ଆଣି ଦେଲେ ଯେ, ଜର୍ମାନୀ ପୂରାପୂରି ହାରି ଯାଇଥିଲା ଏବଂ ସୈନ୍ୟ ସଂଗ୍ରହ ଆଉ ଦରକାର ନାହିଁ ବୋଲି କମିଶନର ସମ୍ବାଦ ଦେଇଥିଲେ । ସୈନ୍ୟସଂଗ୍ରହ ଚିନ୍ତାରୁ ମୁଁ ମୁକ୍ତ ହୋଇଥିଲି ଏବଂ ମତେ ଟିକିଏ ଶାନ୍ତି ମିଳିଥିଲା ।

 

ମୁଁ ସେତେବେଳକୁ ଜଳଚିକିତ୍ସା କରୁଥିଲି, ସେଥିରେ ଦେହଟା କୌଣସି ରମକ ତିଷ୍ଠି ରହିଥିଲା; କିନ୍ତୁ କୌଣସି ପ୍ରକାରେ ପୂରି ଉଠୁ ନଥିଲା । ଯେତକ ଡାକ୍ତର ବା ବୈଦ୍ୟ ବନ୍ଧୁ ଆସୁଥିଲେ, ସମସ୍ତେ ମତେ ନାନାପ୍ରକାର ପରାମର୍ଶ ଦେଉଥିଲେ । କିନ୍ତୁ ମୁଁ ଔେଷଧ ଖାଇବାକୁ ରାଜି ନ ଥିଲି । ଦୁଧ ଖାଇବି ନାହିଁ ବୋଲି ପ୍ରତିଜ୍ଞା ଥିବାରୁ ମତେ ଦି’ ତିନିଜଣ ମାଂସଝୋଳ ଖାଇବାକୁ ଶାସ୍ତ୍ରର ପ୍ରମାଣ ଦେଖାଇଥିଲେ । ଜଣେ ତ ଅଣ୍ଡା ଖାଇବାକୁ ଜୋର ପରାମର୍ଶ ଦେଇଥିଲେ; କିନ୍ତୁ ସେମାନଙ୍କର କାହାରି ପରାମର୍ଶ ମୁଁ ଗ୍ରହଣ କରିପାରି ନ ଥିଲି । ସମସ୍ତଙ୍କୁ ମୁଁ ଏକା ‘ନା’ ଉତ୍ତର ଦେଉଥିଲି ।

 

ଖାଇବା କଥାଟା ମୋ ପାଇଁ ଶାସ୍ତ୍ରରେ ଶ୍ଳୋକ ଉପରେ ସିଦ୍ଧ ହବୋ ବିଷୟ ନ ଥିଲା । ତାହା ମୋ ଜୀବନ ସଙ୍ଗେ ସ୍ୱତନ୍ତ୍ରଭାବେ ଗଢ଼ିଉଠିଥିଲା । ଯାହା ଖସି ଚିକିତ୍ସା ମକରି ବଞ୍ଚିରହିବା ମୋର ଆଦୌ ଇଚ୍ଛା ନ ଥିଲା । ଯେଉଁ ନୀତିକୁ ମୁଁ, ମୋର ସ୍ତ୍ରୀ, ମୋର ପୁଅ ମୋର ସେହୀ ବନ୍ଧୁମାନଙ୍କ ଉପରେ ପ୍ରୟୋଗ କରିଥିଲି, ଆପଣାବେଳକୁ ମୁଁ ତାକୁ ଛାଡ଼ନ୍ତି କେମିତି ?

 

ଏମିତି ମୋ ଜୀବନର ପ୍ରଥମ ଦୀର୍ଘକାଳବ୍ୟାପୀ ବଡ଼ ରୋଗ, ମୋର ନିଜ ନୀତିକୁ ପରଖ କରି ଦେଖିବାର ଗୋଟିଏ ଅପୂର୍ବ ସୁଯୋଗ ଜୁଟାଇ ଦେଇଥିଲା । ଦିନେ ରାତିରେ ମୁଁ ନିରାଶ ହୋଇପଡ଼ିଥିଲି । ମୃତ୍ୟ ନିକଟ ବୋଲି ମତେ ଲାଗିଥିଲା । ମୁଁ ଅନୁସୂୟା ବେନଙ୍କୁ ଖବର ଦେଇଥିଲି । ସେ ଆଶ୍ରମକୁ ଆସିଥିଲେ । ବଲ୍ଲଭଭାଇ ଡାକ୍ତର କାନୁଗାନ୍ଧୀଙ୍କୁ ସଙ୍ଗରେ ନେଇ ଆସିଥିଲେ । ଡାକ୍ତର ନାଡ଼ି ଦେଖି କହିଥଲେ, ‘‘ଆପଣଙ୍କ ନାଡ଼ି ଖୁବ୍‌ ଭଲ ଅଛି । ମରିବାର କୌଣସି ଚିହ୍ନ ମୁଁ ଦେଖୁନାହିଁ । ନିତାନ୍ତ ଦୁର୍ବଳତାରୁ ମନରେ ଗୋଳମାଳ ହେଉଛି ।’’ କିନ୍ତୁ ଏଥିରେ ମୋ ମନ ନ ଥିଲା । ରାତି ତ କଟିଥିଲା । ମୁଁ ସେ ରାତିରେ ଆଖିପତା ପକାଇ ନ ଥିଲି । ସକାଳ ହେଲା । ମୃତ୍ୟ ହେଲା ନାହିଁ । ତଥାପି ବଞ୍ଚିବାର ଆଶା କରିପାରି ନ ଥିଲି । ମରଣ ନିକଟ ହେଲାଣି ବୋଲି ଯେତେ ସମୟ ସମ୍ଭବ ଗୀତା ଶୁଣି ଦିନ କଟାଉଥିଲି । କୌଣସି କାମ କରିବାକୁ ବଳ ନ ଥାଏ । ପଢ଼ିବାକୁ ସୁଦ୍ଧା ବଳ ପାଉ ନ ଥାଏ । କାହାରିକୁ କଥା କହିବାକୁ ଇଚ୍ଛା ହେଉ ନଥାଏ । ସାମାନ୍ୟ ଟିକିଏ ଗପିଲେ ମସ୍ତିଷ୍କ ଥକି ପଡ଼ୁଥିଲା । ତେଣୁ ଜୀବନରେ ଆଉ ରସ ନ ଥିଲା । ଖାଲି ବଞ୍ଚିରହିବି ବୋଲି ବଞ୍ଚି ରହିବା ମତେ ସବୁଦିନେ ଭଲ ଲାଗୁ ନ ଥିଲା । କିଛି ନ କରି, ବନ୍ଧୁ ଓ ସହକର୍ମୀଙ୍କର ସେବା ଭୋଗ କରି ଏବଂ ପ୍ରତି ମୁହୂର୍ତ୍ତରେ ଦେହଟା କ୍ଷୟ ହେଉଥିବାର ଦେଖି ଦେଖି ବଞ୍ଚି ରହିବା ବଡ଼ ଯନ୍ତ୍ରଣାଦାୟକ ଥିଲା ।

 

ଏମିତି ଯେତେବେଳେ ମୃତ୍ୟକୁ ଅନେଇ ପଡ଼ିରହିଥିଲି, ଡାକ୍ତର ତାଳବଲେକର ଦିନେ ଗୋଟିଏ ଅଦ୍ଭୁତ ଜୀବ ସଙ୍ଗେ ଘେନି ଆସି ପହଞ୍ଚିଥିଲେ । ସେ ଲୋକଟି ମହାରାଷ୍ଟ୍ରବାସୀ । ଭାରତବର୍ଷ ତାକୁ ଚିହ୍ନି ନ ଥିଲା । ମାତ୍ର ଯେଉଁ ମୁହୂର୍ତ୍ତରେ ତାଙ୍କୁ ମୁଁ ଦେଖିଥିଲି, ସେ ମୋରିପରି ଗୋଟିଏ ପାଗଳ ବୋଲି ମନେକରି ଜାଣିପାରିଥିଲି । ତାଙ୍କର ନିଜର ଚିକିତ୍ସା ସେ ମୋ ଉପରେ ପରୀକ୍ଷା କରିବାପାଇଁ ଆସିଥିଲେ । ଡାକ୍ତର ତାଳବଲେକର ଯାହାଙ୍କୁ ପରାମର୍ଶ ପାଇଁ ଆଣିଥିଲେ, ସେ ଗ୍ରାଣ୍ଡ୍ ଡାକ୍ତରୀ କଲେଜରେ ପଢ଼ୁଥିଲେ, ମାତ୍ର ଦ୍ୱାରିକାର ଛାପା ପାଇ ନ ଥିଲେ । ସେ ଜଣେ ବ୍ରାହ୍ମ ଥିଲେ ବୋଲି ପରେ ଜାଣିପାରିଥିଲି । ତାଙ୍କ ନାମ ଥିଲା କେଲ୍‌କର । ସେ ବଡ଼ ସ୍ୱାଧୀନଚେତା ଥିଲେ । ସେ ବରଫ ଚିକିତ୍ସା ବଡ଼ ସମର୍ଥକ ଥିଲେ । ମୋ ବେମାରୀ କଥା ଶୁଣି ମୋ ଉପରେ ବରଫ ଚିକିତ୍ସା ପ୍ରୟୋଗ କରିବାକୁ ଚାହୁଁଥିଲେ । ସେହିଦିନଠୁଁ ଆମେ ତାଙ୍କୁ ବରଫଡାକ୍ତର ନାମ ଦେଇଥିଲୁ । କେତକ ତଥ୍ୟ, ଯାହା ଛାପାମରା ଡାକ୍ତରଙ୍କୁ ଜଣା ନ ଥିଲା, ତାହା ସେ ଆବିଷ୍କାର କରିଥିଲେ ବୋଲି ତାଙ୍କର ବିଶ୍ୱାସ ଥିଲା । କିନ୍ତୁ ତାଙ୍କର ଓ ମୋର ଉଭୟଙ୍କର ଦୁଃଖ ରହିଗଲା ଯେ, ସେ ତାଙ୍କର ବିଶ୍ୱାସ ମୋଠାରେ ଜମେଇ ପାରି ନ ଥିଲେ । ଥୋଡ଼ା ଦୂରଯାଏ ମୁଁ ତାଙ୍କର ପ୍ରଣାଳୀରେ ବିଶ୍ୱାସ କରେ; କିନ୍ତୁ ମୋର ଆଶଙ୍କା କେତକ ସିଦ୍ଧାନ୍ତ କରି ପକେଇବାରେ ସେ ତରବର ହେଉଥିଲେ ।

 

ତାଙ୍କର ଆବିଷ୍କାରର ଗୁଣ ଯାହା ହୋଇଥାଉ ପଛେ, ମୋ ଦେହ ଉପରେ ପରୀକ୍ଷା କରି ଦେଖିବାକୁ ମୁଁ ତାଙ୍କୁ ଅନୁମତି ଦେଇଥିଲି । ବାହ୍ୟିକ ପ୍ରୟୋଗରେ ସୁସ୍ଥ ହେବା ମୋତେ ଭଲଲାଗେ ଏବଂ ତା’ ମଧ୍ୟ ବରଫର ଅର୍ଥାତ ପାଣିର ପ୍ରୟୋଗ । ସେ ମୋ ଦେହ ତମାମ ବରଫ ଘଷିଥିଲେ । ସେ ଯେତେ ବିଶ୍ୱାସ କରୁଥିଲେ ସେତେ ଫଳ ହୋଇ ନ ଥିଲେ ମଧ୍ୟ ତାଙ୍କ ଚିକିତ୍ସା ଫଳରେ ମୁଁ ଯେ ରୋଜ୍ ମୃତ୍ୟୁକୁ ଟାକି ବସିଥିଲି, ତାହା ବଦଳରେ ଏବେ ମୋ ମନରେ ଟିକିଏ ବଞ୍ଚିବାର ଆଶା ହୋଇଥିଲା । ମନରେ ଟିକିଏ ତେଜ ଆସିଥିଲା । ତେଜ ସଙ୍ଗେ ସଙ୍ଗେ ଶକ୍ତି ଅନୁଭବ କରିଥିଲି । ଟିକିଏ ବେଶୀ ଖାଇବାକୁ ଲାଗିଥିଲି । ରୋଜ୍‌ ପାଞ୍ଚ ଦଶ ମିନିଟ୍‌ ବୁଲୁଥିଲି । ସେ କହିଥିଲେ, ‘‘ଆପଣ ଯଦି କଞ୍ଚା ଡିମ୍ବ ଖାଇବେ ମୁଁ ଯାମିନ ହେଉଛି ବଳ ଆହୁରି ବେଶୀ ବଢ଼ିବ ଏବଂ ଶୀଘ୍ର ପୂର୍ବବଳ ଫେରି ପାଇବେ । ଡିମ୍ବ ତ ଦୁଧଭଳି ନିର୍ଦୋଷ । ଡିମ୍ବ କେବେ ମାଂସ ନୁହେଁ । ପ୍ରତ୍ୟେକ ଡିମ୍ବରୁ କୁକୁଡ଼ା ହେବ, ଏଭଳି ନିୟମ ନାହିଁ । ଯେଉଁଥିରେ ଛୁଆ ନ ଥାଏ, ଏଭଳି ନିର୍ଜୀବ ଡିମ୍ବ କୁକୁଡ଼ା ଦେଇଥାନ୍ତି ।’’ ମୁଁ ଏଭଳି ଡିମ୍ବ ସୁଦ୍ଧା ଖାଇବାକୁ ପ୍ରସ୍ତୁତ ନ ଥିଲି । ତଥାପି ସେତିକିରେ ମୋର କାମ ଟିକିଏ ଟିକିଏ ଚାଲିଥିଲା ଏବଂ ଚାରିଆଡ଼ର କାମ ଦାମରେ ମୁଁ ଅଳ୍ପ ଅଳ୍ପ ତତ୍ତ୍ୱ ନେବାକୁ ଆରମ୍ଭ କରିଥିଲି ।

 

ରୋଲେଟ ଆଇନ୍‌ ଓ ମୋର ସମସ୍ୟା

 

ମାଥେରନ୍‌ ଗଲେ ଆହୁରି ଶୀଘ୍ର ମୋର ସ୍ୱାସ୍ଥ୍ୟ ଫେରିପାଇବି ବୋଲି ମତେ ବନ୍ଧୁମାନେ ପରାମର୍ଶ ଦେବାରୁ ମୁଁ ସେଠାକୁ ଯାଇଥିଲି । କିନ୍ତୁ ସେଠା ପାଣି ମୋଟା ଥିବାରୁ ମୋ ଭଳି ରୋଗୀର ରହିବା କଷ୍ଟ ହେଲା । ଆମାଶୟ ଯୋଗୁ ମୋର ମଳଦ୍ୱାର ବଡ଼ ଦରଜ ରହିଥିଲା ଏବଂ ସେଠି ଚିରି ହୋଇଯାଇଥିବାରୁ ଝାଡ଼ା ଫେରିଲାବେଳେ ଭୟଙ୍କର ଯନ୍ତ୍ରଣା ହେଉଥିଲା । ତେଣୁ ଖାଇବା କଥା ମନେ ପଡ଼ିଲେ ମୋର ଆତଙ୍କ ହେଉଥିଲା । ସପ୍ତାହେ ନ ପୁରୁଣୁ ମୁଁ ମାଥେରନ୍‌ରୁ ପଳେଇ ଆସିଲି । ଏତିକିବେଳେ ଶଙ୍କରଲାଲ ବ୍ୟାଙ୍କର ମୋର ସ୍ୱାସ୍ଥ୍ୟର ତତ୍ତ୍ୱାବଧାନ ହାତକୁ ନେଇଥିଲେ ଏବଂ ଡାକ୍ତର ଦଲାଲଙ୍କର ପରାମର୍ଶ ନେବାକୁ ସେ ମତେ ବଳେଇଥିଲେ । ତାଙ୍କୁ ଡକା ହୋଇଥିଲା । ତୁରନ୍ତ ନିଷ୍ପତ୍ତି କରିବାରେ ତାଙ୍କର ଅଦ୍ଭୁତ ଶକ୍ତି ଦେଖି ମୁଁ ମୁଗଧ ହୋଇଥିଲି ।

 

ସେ କହିଥିଲେ, ‘‘ଆପଣ ଦୁଧ ନ ଖାଇଲେ ମୁଁ ଆପଣଙ୍କ ସ୍ୱାସ୍ଥ୍ୟ ଗଢ଼ିଦେଇ ପାରିବି ନାହିଁ । ଆପଣ ଯଦି ଦୁଧ ଖାଇବେ ଏବଂ ଲୌହ ଓ ଶଙ୍ଖୁଆର ଇଞ୍ଜେକ୍‌ସନ ନେବେ, ତେବେ ଆପଣଙ୍କ ସ୍ୱାସ୍ଥ୍ୟକୁ ନୂଆ କରି ଦେବିବୋଲି ମୁଁ ଆପଣଙ୍କୁ ଦୃଢ଼ ଜବାବ ଦେଉଛି ।’’ ମୁଁ କହିଲି, ‘‘ଆପଣ ମୋତେ ଇଞ୍ଜେକ୍‌ସନ ଦେଇପାରନ୍ତି । କିନ୍ତୁ ଦୁଧ ଖାଇପାରିବି ନାହିଁ ।’’ ସେ ପଚାରିଥିଲେ, ‘‘ଆପଣଙ୍କର ଦୁଧ ସମ୍ବନ୍ଧରେ ପ୍ରତିଜ୍ଞା କ’ଣ ?’’ ଗାଈ ମଇଁଷିଙ୍କ ଉପରେ ‘ଫୁକା’ ଚଳା ହୋଇଥାଏ-। ତାହା ଜାଣିବା ଦିନୁ ଦୁଧ ପ୍ରତି ମୋର ଘୃଣା ଜନ୍ମିଯାଇଥିଲା । ଉପରନ୍ତୁ ମୋର ସବୁଦିନେ ବିଶ୍ୱାସ ଯେ ଦୁଧ ମନୁଷ୍ୟର ସ୍ୱାଭାବିକ ଖାଦ୍ୟ ନୁହେଁ । ସେଥିପାଇଁ ମୁଁ ତା’ର ବ୍ୟବହାର ଏକଦମ୍‌ ବନ୍ଦକରି ଦେଇଥିଲି । କସ୍ତୁରୀବାଈ ଖଟପାଖରେ ଠିଆହୋଇ ସବୁ ଶୁଣୁଥିଲା, ସେ ମଝିରେ କହିଉଠିଲା, ‘‘ତେବେ ତ ତମର ଛେଳି ଦୁଧ ଖାଇବାରେ କିଛି ଆପତ୍ତି ଥାଇ ନ ପାରେ ?’’

 

ଡାକ୍ତର ସେହି କଥାକୁ ଧରିବସି କହିଥିଲେ, ‘‘ଆପଣ ଯଦି ଛେଳି ଦୁଧ ଖା’ନ୍ତି ମୋର ଯଥେଷ୍ଟ ହେବ ।’’ ମୁଁ ପ୍ରଲୋଭନରେ ପଡ଼ିଗଲି । ସତ୍ୟାଗ୍ରହ ଯୁଦ୍ଧ ଚଳେଇବାକୁ ଆଗ୍ରହ ଯୋଗୁଁ ବଞ୍ଚିରହିବା ପାଇଁ ମୋର ପ୍ରବଳ ଇଚ୍ଛା ଜନ୍ମିଥିଲା । ସେଥିପାଇଁ ମୋର ପ୍ରତିଜ୍ଞାର ଆତ୍ମାକୁ ମାରି ତା’ର ଅକ୍ଷରକୁ ପାଳି ସନ୍ତୁଷ୍ଟ ହୋଇଥିଲି । କାରଣ, ବ୍ରତ ଗ୍ରହଣ କଲାବେଳେ ମୋର ମନରେ କେବଳ ଗାଈ ମଇଁଷିଙ୍କ କଥା ଥିବାସତ୍ତ୍ୱେ, ମୋର ପ୍ରତିଜ୍ଞାରେ ସବୁ ଦୁଧର କଥା ଧରାଯିବା ଉଚିତ ଥିଲା । ଅଧିକନ୍ତୁ ଯେପର୍ଯ୍ୟନ୍ତ ମୋର ଧାରଣା ଥିଲା ଯେ, ପଶୁର ଦୁଧ ମଣିଷର ସ୍ୱାଭାବିକ ଖାଦ୍ୟ ନୁହେଁ, ସେ ପର୍ଯ୍ୟନ୍ତ ଦୁଧ ବ୍ୟବହାର କରିବାରେ ମୋର ଅଧିକାର ନ ଥିଲା । ଏହା ଜାଣୁ ଜାଣୁ ମୁଁ ଛେଳିଦୁଧ ଖାଇବାକୁ ରାଜିହୋଇ ଯାଇଥିଲି । ବଞ୍ଚିରହିବା ପାଇଁ ଇଚ୍ଛା ସତ୍ୟ ପ୍ରତି ନିଷ୍ଠାଠାରୁ ବଳିପଡ଼ିଥିଲା ଏବଂ ସତ୍ୟାଗ୍ରହ ଯୁଦ୍ଧପାଇଁ ବଞ୍ଚିରହିବାକୁ ଇଚ୍ଛା କରି ସତ୍ୟର ଉପାସକ ନିଜର ସତ୍ୟରେ ଦାଗ ଲଗେଇ ଦେଇଥିଲା । ଆଜିସୁଦ୍ଧା ମନରୁ ଏ ଘା’ ଶୁଖିନାହିଁ ଏବଂ କେମିତି ଛେଳିଦୁଧ ଛାଡ଼ିବି ତାହା ଅନବରତ ଭାବୁଛି । ଛେଳିଦୁଧ ପିଉଛି, ରୋଜ ଦୁଃଖ ଅନୁଭବ କରୁଛି । କିନ୍ତୁ ସେବା କରିବାପାଇଁ ମହାସୁଖ ମୋହ ମତେ ଘୋଟି ରହିଛି, ମତେ ଛାଡ଼ୁ ନାହିଁ ।

 

ଅହିଂସା ଦୃଷ୍ଟିରୁ ଖାଦ୍ୟ ସମ୍ବନ୍ଧରେ ମୋର ପରୀକ୍ଷାଗୁଡ଼ିକ ମୋର ଭାରି ପ୍ରିୟ ଅଟନ୍ତି । ସେଥିରୁ ମୁଁ ଆନନ୍ଦ ପାଇଥାଏ । ମୋର ସେ ଖେଳ ଅଟେ । କିନ୍ତୁ ମୋର ଛେଳିଦୁଧ ବ୍ୟବହାରଟି ଅହିଂସାଦିଗରୁ ମତେ ଯେତେ କଷ୍ଟ ନ ଦିଏ, ସେତେ ମତେ ସତ୍ୟପାଳନ ଦିଗରୁ ପ୍ରତିଜ୍ଞା ସ୍ୱରୂପ କଷ୍ଟଦିଏ । ମତେ ଲାଗୁଛି ମୁଁ ଅହିଂସାକୁ ଯାହା ଚିହ୍ନିଛି, ତା’ଠୁ ସତ୍ୟକୁ ବେଶୀ ଚିହ୍ନିଛି । ମୁଁ ସତ୍ୟକୁ ଛାଡ଼ିଲେ ଅହିଂସାର ସମସ୍ୟା ସମାଧାନ କରିପାରିବି ନାହିଁ ବୋଲି ମୋର ଅଭିଜ୍ଞତା । ସତ୍ୟ ପାଳିବାର ଅର୍ଥ, କରିଥିବା ପ୍ରତିଜ୍ଞାର ଶରୀର ଓ ଆତ୍ମାର ରକ୍ଷା, ତାହାର ଶବ୍ଦାର୍ଥ ଓ ଭାବାର୍ଥର ପାଳନ । ଏଠି ମୁଁ ପ୍ରତିଜ୍ଞାର ଭାବକୁ, ତାର ଆତ୍ମାକୁ ମାରି ଦେଇଥିଲି । ସେଇକଥାଟା ମତେ ରୋଜ କଷ୍ଟ ଦେଉଛି । ଏ ସ୍ପଷ୍ଟଜ୍ଞାନ ସତ୍ତ୍ୱେ ମୋର କର୍ତ୍ତବ୍ୟ କ’ଣ ତାହା ମୁଁ ଜାଣିପାରୁ ନାହିଁ । ଅନ୍ୟ ଭାଷାରେ କହିବାକୁ ଗଲେ, ପ୍ରତିଜ୍ଞା ପାଳିବାକୁ ମୋର ସାହସ ନାହିଁ । ଉଭୟର ଅର୍ଥ ଏକା, କାରଣ ସନ୍ଦେହ ମୂଳରେ ଶ୍ରଦ୍ଧା ବା ବିଶ୍ୱାସର ଅଭାବ ଥାଏ । ପ୍ରଭୁ ମତେ ବିଶ୍ୱାସ ଦିଅ ।

 

ଛେଳିଦୁଧ ଖାଇବାର ଅଳ୍ପଦିନ ପରେ ଡାକ୍ତର ଦଲାଲ୍‍ ମୋର ମଳଦ୍ୱାରରେ ଯେ ଚିରିହୋଇ ଯାଇଥିଲା, ସେଥିରେ ସଫଳତାର ସହିତ ଅସ୍ତ୍ରୋପଚାର କରିଥିଲେ । ବିଛଣାରୁ ଉଠିବାକୁ ଟିକିଏ ଆଶା କରୁଥାଏ ଏବଂ ଖବର କାଗଜ ପ୍ରଭୃତି ପଢ଼ୁଥାଏ । ଏମିତି ସମୟରେ ରୋଲେଟ୍ କିମିଟି ରିପୋର୍ଟ ମୋ ହାତରେ ପଡ଼ିଥାଏ । ସେ କମିଟିର ପରାମର୍ଶମାନ ଦେଖି ମୁଁ ଚମକିପଡ଼ିଲି । ସେ ଦିଗରେ କିଛି ଜବରଦସ୍ତ ପ୍ରତିକାର କରିବାକୁ ଶଙ୍କରଲାଲ ବ୍ୟାଙ୍କର ଓ ଓମର୍‍ ମତେ ଅନୁରୋଧ କରିଥିଲେ । ମାସେ ଖଣ୍ଡେ ପରେ ମୁଁ ଅହମଦାବାଦ୍‌ ଯାଇଥିଲି । ବଲ୍ଲଭଭାଇ ମତେ ପ୍ରାୟ ପ୍ରତିଦିନ ଦେଖିବାକୁ ଆସୁଥାନ୍ତି । ମୁଁ ତାଙ୍କ ସଙ୍ଗେ କଥାବାର୍ତ୍ତା କରିଥିଲି ଏବଂ ଏ ବିଷୟରେ କିଛି ଗୋଟାଏ ହେବା ଉଚିତ ବୋଲି କହିଥିଲି । ସେ ପଚାରିଥିଲେ, ଆମେ କ’ଣ କରିପାରୁ ? ମୁଁ ଜବାବ ଦେଇଥିଲି, ‘‘ଯଦି ଏହାର ପ୍ରତିରୋଧ କରିବା ପାଇଁ ଅନ୍ୟ କେତେଜଣ ପ୍ରତିଜ୍ଞା ଗ୍ରହଣ କରିବାକୁ ବାହାରନ୍ତି ଏବଂ କମିଟିର ପ୍ରସ୍ତାବ ଯଦି ଆଇନ୍‍ ହୋଇଯାଏ, ତେବେ ଆମର ସଙ୍ଗେ ସଙ୍ଗେ ସତ୍ୟାଗ୍ରହ କରିବା ଉଚିତ । ମୁଁ ଯଦି ଏଭଳି ଶଯ୍ୟାଗତ ନ ଥାନ୍ତି, ମୁଁ ଏକା ତା’ର ବିରୋଧ କରନ୍ତି ଏବଂ ଅନ୍ୟମାନେ ମୋ ପଛକୁ ବାହାରନ୍ତେ ବୋଲି ଆଶା କରନ୍ତି । କିନ୍ତୁ ମୋର ଏଭଳି ନାଚାର ଅବସ୍ଥାରେ ଏକା ଲଢ଼ିବାକୁ ମୋର ଆଦୌ ଶକ୍ତି ନାହିଁ ।’’

 

ଏହି କଥାବାର୍ତ୍ତା ଫଳରେ ଯେଉଁମାନେ ମୋର ନିକଟ ସମ୍ପର୍କରେ ଥିଲେ, ସେମାନଙ୍କୁ ନେଇ ଗୋଟିଏ ଛୋଟିଆ ବୈଠକ ଡାକିବାର ଠିକ ହୋଇଥିଲା । ରୋଲେଟ୍ କମିଟି ଆଗରେ ଦିଆ ହୋଇଥିବା ସାକ୍ଷୀ ଜମାନବନ୍ଦୀର ଏଭଳି ଆଇନ କରିବା ଦରକାର ନଥିଲା ବୋଲି ସଫା ଜଣା ପଡ଼ିଥିଲା ଏବଂ କୌଣସି ଆତ୍ମସମ୍ମାନ ବିଶିଷ୍ଟ ଲୋକର ସେଭଳି ଆଇନକୁ ମାନିବା ଉଚିତ ନୁହେଁ ବୋଲି ମତେ ସେତିକି ସଫା ଜଣା ପଡ଼ିଥିଲା ।

 

ସେ ସଭା ବସିଥିଲା । କୋଡ଼ିଏ ଜଣ ସରିକି ଡକା ହୋଇଥିଲେ । ମୋର ଯେତେଦୂର ମନେପଡ଼େ, ବଲ୍ଲଭ ଭାଇଙ୍କ ଛଡ଼ା ଶ୍ରୀମତୀ ସରୋଜିନୀ ନାଇଡ଼ୁ, ମି ହର୍ଣ୍ଣମ୍ୟାନ, ମର୍‍ହୁମ, ଓମର ସୋବାଜୀ, ଶ୍ରୀ ଶଙ୍କରଲାଲ ବ୍ୟାଙ୍କର ଓ ଶ୍ରୀମତୀ ଅନସୂୟା ବେନ୍‌ ପ୍ରଭୃତି ଉପସ୍ଥିତ ଥିଲେ । ସତ୍ୟାଗ୍ରହ ପ୍ରତିଜ୍ଞାପତ୍ର ଏଇଠି ଚିଠା ହୋଇଥିଲା ଏବଂ ଯେତେକ ଉପସ୍ଥିତ ଥିଲେ, ସମସ୍ତେ ଦସ୍ତଖତ କରିଥିଲେ । ସେତେବେଳେ ମୁଁ କୌଣସି କାଗଜର ସମ୍ପାଦକ ନ ଥିଲି; ମାତ୍ର ମୋର ମତାମତ ଅନ୍ୟାନ୍ୟ ଦୈନିକ ଖବରକାଗଜରେ ପ୍ରକାଶ କରୁଥିଲି । ସେମିତି ଲେଖା ଆରମ୍ଭ କରିଥିଲି । ଶଙ୍କରଲାଲ ବ୍ୟାଙ୍କର ଏ ଆନ୍ଦୋଳନରେ ମନପ୍ରାଣ ଦେଇ ଲାଗିପଡ଼ିଥିଲେ ଏବଂ ତାଙ୍କର କିପରି କାମ କରିବାର ଓ ସଂଗଠନ କରିବାର ଶକ୍ତି ଥିଲା, ତାହା ମୁଁ ଏହି ଘଟଣାରୁ ଭଲକରି ଜାଣିଥିଲି ।

 

ସେତେବେଳକାର କୌଣସି ଚଳନ୍ତି ଅନୁଷ୍ଠାନ ସତ୍ୟାଗ୍ରହ ଭଳି ଏ ନୂଆ ଅସ୍ତ୍ରକୁ ଗ୍ରହଣ କରିବା ମତେ ଅସମ୍ଭବ ଜଣା ପଡ଼ିଥିଲା । ତେଣୁ ସତ୍ୟାଗ୍ରହ ସଭା ଗଢ଼ା ହୋଇଥିଲା । ତା’ର ବିଶିଷ୍ଟ ସଭ୍ୟମାନେ ବମ୍ବେର ଲୋକ ଥିଲେ । ସଭାର ସଦର ମହକୁମା ବମ୍ବେରେ ରଖାଯାଇଥିଲା । ଏହାର ପ୍ରତିଜ୍ଞାପତ୍ରରେ ବହୁତ ଦସ୍ତଖତ କରିବାକୁ ଲାଗିଥିଲେ । ଖେଡ଼ା ଲଢ଼େଇ ଭଳି କ୍ଷୁଦ୍ର କ୍ଷୁଦ୍ର ପୁସ୍ତିକାମାନ ପ୍ରକାଶିତ ହୋଇଥିଲା ଏବଂ ସ୍ଥାନେ ସ୍ଥାନେ ସାଧାରଣ ସଭା ହୋଇଥିଲା । ମୁଁ ସତ୍ୟାଗ୍ରହ ସଭାର ସଭାପତି ହୋଇଥିଲି । ସଭାର ଅନ୍ୟାନ୍ୟ ଶିକ୍ଷିତ ସଭ୍ୟଙ୍କ ସହିତ ମୋର ମତ ନ ମିଳିବାର ବିଶେଷ ସମ୍ଭାବନା ଯେ ନ ଥିଲା, ତାହା ମୁଁ ଶୀଘ୍ର ଦେଖିପାରିଥିଲି । ସଭାରେ ଗୁଜୁରାତି ଭାଷା ବ୍ୟବହାର କରିବାକୁ ମୋର ବଳେଇବା ତଥା ଅନ୍ୟାନ୍ୟ କାର୍ଯ୍ୟପ୍ରଣାଳୀ ସେମାନଙ୍କୁ ଅଡ଼ୁଆ ଲାଗୁଥିଲା । କିନ୍ତୁ ଯାହାହେଉ ଏତନ ତାଙ୍କର ଉଦାରତା, ସେମାନେ ମୋର କାମ କରିବାର ଏସବୁ ଢଙ୍ଗ ସହ୍ୟକରି ଯାଇଥିଲେ । କିନ୍ତୁ ମୂଳରୁ ମତେ ଜଣା ଯାଇଥିଲା, ଏ ସଭାଟି ବେଶୀଦିନ ଟେକିବ ନାହିଁ । ସତ୍ୟ ଓ ଅହିଂସା ଉପରେ ମୋର ଜୋର ଦେବାଟାକୁ ଅନେକ ସଭ୍ୟ ନାପସନ୍ଦ କରିବାକୁ ଆରମ୍ଭ କରିଦେଲେ । ତଥାପି ଏ ପ୍ରାରମ୍ଭିକ ଅବସ୍ଥାରେ ନୂଆ କାମଟା ଖୁବ ଧୁମ୍‍ଧାମ୍‍ ଚାଲିଥିଲା ।

 

ସେହି ଅଦ୍ଭୁତ ଦୃଶ୍ୟ

 

ଏମିତି ଯେତେବେଳେ ରୋଲେଟ କମିଟିଙ୍କ ରିପୋର୍ଟ ବିରୋଧରେ ଆନ୍ଦୋଳନ ବଢ଼ୁଥିଲା, ଅନ୍ୟ ଦିଗରେ ସରକାର କମିଟିଙ୍କ ପ୍ରସ୍ତାବ ଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବାକୁ ଦୃଢ଼ପ୍ରତିଜ୍ଞ ହେଉଥିଲେ । ରୋଲେଟ୍‌ ଆଇନର ବିଲ ପ୍ରକାଶିତ ହୋଇଥିଲା । ଥରେ ମାତ୍ର ମୁଁ ବଡ଼ଲାଟ ସଭାର ବୈଠକରେ ଯୋଗଦେଇଛି । ରୋଲେଟ୍‌ ବିଲ୍‌ର ଆଲୋଚନା ଶୁଣିବାକୁ ଯାଇଥିଲି । ଶାସ୍ତ୍ରୀଜୀ ତାଙ୍କର ଜ୍ୱାଳାମୟୀ ବକ୍ତୃତା ଦେଇଥିଲେ ଏବଂ ସରକାରଙ୍କୁ ସାବଧାନ କରିଦେଇଥିଲେ । ଶାସ୍ତ୍ରୀଜୀଙ୍କର ବକ୍ତୃତାର ସ୍ରୋତ ଚାଲିଥିଲାବେଳେ ବଡ଼ଲାଟ ଶାସ୍ତ୍ରୀଙ୍କ ମୁହଁକୁ ଅନେଇ ରହିଥିଲେ । ମତେ ଲାଗିଥିଲା, ବକ୍ତୃତାର ପ୍ରଭାବ ବଡ଼ଲାଟଙ୍କ ଉପରେ ପଡ଼ିଥିବ । ଶାସ୍ତ୍ରୀଜୀ ଭାଗବଦ୍‌ଗଦ୍‌ ହୋଇଯାଇଥିଲେ । କିନ୍ତୁ ଶୋଇଥିବା ଲୋକକୁ ନିଦରୁ ଉଠାଇ ହେବ, ଯେ ଚେଇଁ ଶୋଇଥିବ ତା କାନ ପାଖରେ ଢୋଲ ବଜାଇଲେ କ’ଣ ସେ ଶୁଣିବ ? ବଡ଼ଲାଟ ସଭାରେ ବିଲ୍‌ଚର୍ଚ୍ଚାର ଫାର୍ସ (ସୁଆଙ୍ଗ) କରିବା ନିତାନ୍ତ ଦରକାର ଥିଲା । ସରକାର ସେତକ ସୁଆଙ୍ଗ କରୁଥିଲେ । ନଚେତ୍‌ ଯାହା କରିବାର ତାହା ଆଗରୁ ଠିକ ହୋଇ ସାରିଥିଲା । ଏ ଅବସ୍ଥାରେ ମୋର ‘ସିମିଳିତୁଳା କଥା’ କିଏ ଶୁଣୁଛି ? ମୁଁ ବଡ଼ଲାଟଙ୍କୁ ଦେଖାକରି ଖୁବ ଅନୁନୟ ବିନୟ କରିଥିଲି । ମୁଁ ତାଙ୍କୁ ଉଭୟ ଘରୋଇ ଓ ପ୍ରକାଶ୍ୟ ଚିଠିମାନ ଲେଖିଥିଲି । ସେଥିରେ ସ୍ପଷ୍ଟ ଜଣାଇ ଦେଇଥିଲି ଯେ, ସତ୍ୟାଗ୍ରହ ଛଡ଼ା ମୋର ଆଉ ଅନ୍ୟ ଉପାୟ ନଥିଲା । କିନ୍ତୁ ସବୁ ବ୍ୟର୍ଥ ହୋଇଥିଲା ।

 

ବିଲ୍‌ଟି ଗେଜେଟରେ ଆଇନ ବୋଲି ପ୍ରକାଶିତ ହୋଇନଥାଏ । ମୋର ଦେହ ଦୁର୍ବଳ ଥାଏ । ତଥାପି ଦୂରବାଟକୁ ଯିବା ବିପଦକୁ ମୁଣ୍ଡେଇବାକୁ ସ୍ଥିର କରିଥିଲି । ସେତେବେଳେ ସଭା ସମିତିରେ ବଡ଼ପାଟିରେ ମୁଁ କହିପାରୁ ନଥାଏ । ଠିଆହୋଇ କହିବା କ୍ଷମତା ଏକଦମ ଯାଇଥାଏ, ତାହା ଆଜିଯାଏ ବି ଫେରି ଆସିନାହିଁ । ବେଶିକ୍ଷଣ ଠିଆହୋଇ କହିବାକୁ ଗଲାକ୍ଷଣି ସମସ୍ତ ଦେହ ଥରେ ଏବଂ ଛାତିପେଟରେ ଅସ୍ୱସ୍ତି ବୋଧହୁଏ । ତଥାପି ମାନ୍ଦ୍ରାଜରୁ ଆସିଥିବା ଡାକରାକୁ ଗ୍ରହଣ କରିବା ଉଚିତବୋଲି ବିଚାରିଥିଲି । ସେତେବେଳେ ଦାକ୍ଷିଣାତ୍ୟ ପ୍ରଦେଶ ମତେ ଘରଭଳି ଲାଗୁଥିଲା । ମୋର ଦକ୍ଷିଣ ଆଫ୍ରିକାର କାର୍ଯ୍ୟଯୋଗୁ ତାମିଲ ଓ ତେଲୁଗୁମାନଙ୍କ ଉପରେ ମୋର ଏକ ବିଶେଷ ଦାବି ଥିଲା ବୋଲି ଜଣା ଯାଉଥିଲା ଏବଂ ସେ ବିଶ୍ୱାସରେ ଭୁଲ ଥିଲା ବୋଲି ଆଜିଯାଏ ଜଣାଯାଇ ନାହିଁ । ସ୍ୱର୍ଗୀୟ କସ୍ତୁର୍‌ ରଙ୍ଗ ଆୟରଙ୍କ ଦସ୍ତଖତରେ ନିମନ୍ତ୍ରଣଟି ଆସିଥିଲା । କିନ୍ତୁ ପରେ ମାନ୍ଦ୍ରାଜ ଗଲାରୁ ଜାଣିଲି ଯେ ଏହାପଛରେ ରାଜଗୋପାଳାଚାର୍ଯ୍ୟ ଥିଲେ । ତାଙ୍କ ସହିତ ଏହା ମୋ ପ୍ରଥମ ପରିଚୟ ବୋଲି କୁହାଯାଇ ପାରେ । ତାଙ୍କୁ ଦେଖିଲେ ଚିହ୍ନିପାରିବା ଏହି ସମୟରେ ହୋଇଥିଲା ।

 

ସ୍ୱର୍ଗୀୟ କସ୍ତୁର୍‌ରଙ୍ଗ ଆୟର ପ୍ରଭୃତି ବନ୍ଧୁମାନଙ୍କ ଜୋର ଅନୁରୋଧରେ ଏବଂ ସାଧାରଣ କାମରେ ବେଶୀ ଯୋଗଦେବା ଇଚ୍ଛାରେ ରାଜଗୋପାଳାଚାର୍ଯ୍ୟ ସାଲେମ୍‌ ଛାଡ଼ି ମାନ୍ଦ୍ରାଜରେ ଓକିଲାତି କରୁଥାନ୍ତି । ମାନ୍ଦ୍ରାଜରେ ତାଙ୍କରି ଘରେ ମୋର ରହିବାର ବ୍ୟବସ୍ଥା ହୋଇଥାଏ । ସେଠି ଦିନେ ଦୁଇଦିନ ରହିବା ପରେ ମୁଁ ଜାଣିଲି ଯେ, ମୁଁ ତାଙ୍କରି ଘରେ ଅତିଥି ହୋଇଥିଲି । କାରଣ ଆମେ ଯେ ଘରେ ଥିଲୁ, ସେଠି କସ୍ତୁର୍‌ ରଙ୍ଗ ଆୟରଙ୍କ ବଙ୍ଗଳା ଥିବାରୁ ମୋର ଧାରଣା ଥିଲା, ମୁଁ କସ୍ତୁର୍‌ ରଙ୍ଗ ଆୟରଙ୍କ ଅତିଥି ହୋଇଥିଲି । ମହାଦେବ ଦେଶାଇ ମୋର ଭ୍ରମ ତୁଟାଇ ଦେଇଥିଲେ । ରାଜଗୋପାଳାଚାର୍ଯ୍ୟ ସବୁବେଳେ ପଛେଇ ପଛେଇ ହୋଇ ରହନ୍ତି । କିନ୍ତୁ ମହାଦେବ ମତେ ଚେତେଇ ଦେଇଥିଲେ, ‘‘ଏ ଲୋକଟି ସଙ୍ଗେ ଆପଣଙ୍କର ପରିଚୟ କରିବା ଉଚିତ ।’’ ମୁଁ ପରିଚୟ କରିଥିଲି । ଆନ୍ଦୋଳନ କିପରି ଚଳେଇବାକୁ ହେବ ରୋଜ ବିଚାର କରୁଥିଲୁ-। ସାଧାରଣ ସଭାସମିତି କରେଇବା ଛଡ଼ା ଅନ୍ୟ କିଛି ମୋ ଆଖିକୁ ଦେଖାଯାଉନଥିଲା-। ରୋଲେଟ୍ ବିଲ ଯଦି ଆଇନ ହୋଇଯାଏ, ତେବେ ତା ବିରୋଧରେ କେମିତି ଆଇନ ଅମାନ୍ୟ କରିବୁ ? ସରକାର ସିନା ତାକୁ ଅମାନ୍ୟ କରିବାର ସୁବିଧା କାହାକୁ ଦେଲେ କେହି ତା’ ଅମାନ୍ୟ କରିବ ? ତା’ ନ ହେଲେ ଅନ୍ୟ କେଉଁ ଆଇନର ସବିନୟ ଅମାନ୍ୟ କରିପାରିବୁ ? ତାହା ବି ସମ୍ଭବ ହେଲେ ତାର ସୀମା କେଉଁଠି ରହିବ ? ଏମିତି ବହୁତ ପ୍ରଶ୍ନ ଆମେ ଆଲୋଚନା କରୁଥିଲୁ । କସ୍ତୁର୍‍ ରଙ୍ଗ ଆୟାର ନେତାମାନଙ୍କର ଗୋଟିଏ ଛୋଟିଆ ବୈଠକ ଡକାଇଥିଲେ । ସେଥିରେ ମଧ୍ୟ ଖୁବ୍ ଆଲୋଚନା ହୋଇଥିଲା । ଆଲୋଚନାରେ ଶ୍ରୀ ବିଜୟ ରାଘବାଚାର୍ଯ୍ୟ ପୂରା ଯୋଗ ଦେଇଥିଲେ । ଟିକିନିକି କରି ସବୁ ବିଷୟ ଲେଖି ଖଣ୍ଡିଏ ସତ୍ୟାଗ୍ରହ ଶାସ୍ତ୍ର ବାହାର କରିବାକୁ ସେ ପ୍ରସ୍ତାବ କରିଥିଲେ । ଏହା ମୋର କ୍ଷମତାର ବାହାର ବୋଲି ମୁଁ ଜଣାଇ ଦେଇଥିଲି ।

 

ଏମିତି କଳ୍ପନା ଜଳ୍ପନା କରୁଥିବା ବେଳେ ଖବର ମିଳିଲା ଯେ, ରୋଲେଟ୍‌ ବିଲ୍‌ ଆଇନ ଆକାରରେ ଗେଜଟରେ ପ୍ରକାଶିତ ହେଲାଣି । ଏ ଖବର ପାଇ ସେହି ବିଷୟ ଚିନ୍ତା କରୁକରୁ ସେଦିନ ମୁଁ ଶୋଇପଡ଼ିଲି । ସକାଳୁ ବେଳସୁଁ ନିଦ ଭାଙ୍ଗିଗଲା । ଅଧାନିଦ ଅବସ୍ଥାରେ ମୁଁ ଥିଲି, ହଠାତ୍‌ ମୋତେ ସ୍ୱପ୍ନରେ ଏକ ବିଚାର ସୁଝିଥିଲା । ଭୋରରୁ ମୁଁ ରାଜଗୋପାଳାଚାର୍ଯ୍ୟଙ୍କୁ ଡକାଇ କହିଥିଲି, ‘‘ମତେ ରାତିରେ ସ୍ୱପ୍ନରେ ଏ ବିଚାର ସୁଝିଛି ଯେ, ଏ ଆଇନର ପ୍ରତିବାଦରେ ଆମେ ଦେଶକୁ ଗୋଟିଏ ହରତାଳ ପାଳିବାକୁ ନିବେଦନ କରିବା । ସତ୍ୟାଗ୍ରହ ଆତ୍ମଶୁଦ୍ଧିର ଯୁଦ୍ଧ । ଏହା ଧର୍ମଯୁଦ୍ଧ । ଧର୍ମକାର୍ଯ୍ୟ ଶୁଦ୍ଧିରୁ ଆରମ୍ଭ କରିବା ଠିକ୍‌ ହେବ ବୋଲି ଜଣାପଡ଼ୁଛି । ସେଦିନ ସମସ୍ତେ କାମଧନ୍ଦା ବନ୍ଦ କରିବେ ଏବଂ ଉପବାସ କରିବେ । ମୁସଲମାନମାନେ ରୋଜାଠାରୁ ବେଶୀ ଉପବାସ କରିବେ ନାହିଁ । ସେଥିପାଇଁ ଉପବାସଟା ୨୪ଘଣ୍ଟା ରହୁବୋଲି ପରାମର୍ଶ ଦିଆଯିବ । ସବୁ ପ୍ରଦେଶମାନେ ଆମର ଏ ନିବେଦନ ଶୁଣିବେ କି ନାହିଁ କହିବା କଠିନ; କିନ୍ତୁ ବମ୍ବେ, ମାନ୍ଦ୍ରାଜ, ବିହାର ଓ ସିନ୍ଧୁ, ଏମାନଙ୍କଠାରେ ମୋର ପୂର୍ଣ୍ଣ ଆଶା—ଏହି କେତେ ଜାଗାରେ ଯଦି ହରତାଳଟା ଠିକ୍‌ ଠିକ୍‌ ହୁଏ, ତେବେ ଆମର ସନ୍ତୁଷ୍ଟ ହେବା ଉଚିତ ।’’ ରାଜଗୋପାଳାଚାର୍ଯ୍ୟଙ୍କୁ ଏ ପ୍ରସ୍ତାବ ପସନ୍ଦ ହୋଇଥିଲା । ଅନ୍ୟାନ୍ୟ ବନ୍ଧୁମାନଙ୍କୁ ମଧ୍ୟ ତାହା ଶୀଘ୍ର ଶୁଣାଇ ଦିଆହୋଇ ଥିଲା ଏବଂ ସମସ୍ତେ ତାହା ପସନ୍ଦ କରିଥିଲେ । ମୁଁ ଗୋଟିଏ ଛୋଟିଆ ନିବେଦନ ଚିଠା କରି ଦେଇଥିଲି । ପ୍ରଥମେ ଏ ହରତାଳ ୧୯୧୯ ମାର୍ଚ୍ଚ ୩୦ ତାରିଖକୁ ରଖାଯାଇଥିଲା । ମାତ୍ର ପରେ ଏପ୍ରିଲ୍‌ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ତେଣୁ ଲୋକଙ୍କୁ ଜଣାଇବାକୁ ଖୁବ୍ କମ ସମୟ ମିଳିଥିଲା । କାମଟି ଖୁବ୍ ଶୀଘ୍ର ଆରମ୍ଭ କରିବାର କଥା । ସେଥିପାଇଁ ଅଧିକ ସମୟ ଦେବାକୁ ବେଳ ନଥିଲା । କିନ୍ତୁ କିଏ ଜାଣେ କେମିତି ସବୁ ବ୍ୟବସ୍ଥା ହୋଇ ଯାଇଥିଲା । ଭାରତର ଏମୁଣ୍ଡୁ ସେମୁଣ୍ଡଯାଏ, ସବୁ ଗାଁ, ସବୁ ସହର ସେଦିନ ହରତାଳ ପାଳିଥିଲେ । ସେଇଟା ବଡ଼ ଅଦ୍ଭୁତ ଦୃଶ୍ୟ ଥିଲା ।

 

ସେହି ସପ୍ତାହ ! (୧)

 

ଦକ୍ଷିଣରେ ଥୋଡ଼ାଏ ଗସ୍ତ ପରେ ସମ୍ଭବତଃ ଏପ୍ରିଲ୍ ୪ ତାରିଖକୁ ବମ୍ବେ ପହଞ୍ଚିଥିଲି । ୬ ତାରିଖ ଉତ୍ସବରେ ବମ୍ବେଠାରେ ଉପସ୍ଥିତ ରହିବାକୁ ହେବବୋଲି ଶଙ୍କରଲାଲ ବ୍ୟାଙ୍କରଙ୍କଠାରୁ ତାର ଖବର ପାଇଥିଲି । କିନ୍ତୁ ତା ପୂର୍ବରୁ ମାର୍ଚ୍ଚ ୩୦ ତାରିଖରେ ଦିଲ୍ଲୀସହର ହରତାଳ ପାଳିସାରିଥିଲା । ସେଠିକା ଲୋକେ ସ୍ୱର୍ଗୀୟ ଶ୍ରଦ୍ଧାନନ୍ଦଜୀ ଓ ହାକିମ ଆଜମଲ୍ ଖାଁଙ୍କ କଥାକୁ ଆଇନ ଭଳି ମାନୁଥିଲେ । ଛ’ତାରିଖ ଏପ୍ରିଲକୁ ହରତାଳ ଘୁଞ୍ଚେଇଦେବା ଖବର ସେଠାରେ ବିଳମ୍ବରେ ପହଞ୍ଚିଥିଲା । ସେଦିନ ଯେମିତି ହରତାଳ ହୋଇଥିଲା, ସେମିତି ଦିଲ୍ଲୀରେ କେବେ ଦେଖା ନଥିଲା । ହିନ୍ଦୁ, ମୁସଲମାନ ଦୁଇ ସମାଜ ଏକପ୍ରାଣ ହେଲାଭଳି ଜଣାପଡ଼ୁଥିଲେ । ଜୁମା ମସଜିଦ୍‌କୁ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କୁ ନିମନ୍ତ୍ରଣ ହୋଇଥିଲା, ସେ ସେଠାରେ ବକ୍ତୃତା ଦେଇଥିଲେ । ଏହା ସେଠା ହାକିମମାନେ ସହ୍ୟ କରିପାରି ନଥିଲେ । ଶୋଭାଯାତ୍ରା ରେଲଷ୍ଟେସନ ଆଡ଼କୁ ଯିବାବେଳେ ପୁଲିସ ଗୁଳି ଚଳେଇଥିଲା । ଅନେକ ଲୋକ ଆହତ ହୋଇଥିଲେ, କେତେକ ମରିଥିଲେ । ଦିଲ୍ଲୀରେ ଦମନନୀତି ଆରମ୍ଭ ହୋଇଥିଲା । ଶ୍ରଦ୍ଧାନନ୍ଦଜୀ ମତେ ଦିଲ୍ଲୀକୁ ଡକେଇ ପଠେଇଥିଲେ । ୬ ତାରିଖ ଉତ୍ସବ ସାରି ତୁରନ୍ତ ଦିଲ୍ଲୀ ଯିବି ବୋଲି ମୁଁ ତାରରେ ଜବାବ ଦେଇଥିଲି । ଦିଲ୍ଲୀରେ ଯେମିତି ଘଟଣା ଘଟିଥିଲା, ଠିକ୍‍ ସେମିତି ଲାହୋର ଓ ଅମୃତସରରେ ଘଟିଥିଲା । ଅମୃତସରରୁ ଡାକ୍ତର ସତ୍ୟପାଳ ଓ ଡାକ୍ତର କିଚଲୁ ମତେ ସେଠାକୁ ଜରୁର ଯିବାକୁ ଡକେଇ ପଠେଇ ଥିଲେ । ସେତେବେଳଯାଏ ତାଙ୍କ ସଙ୍ଗେ ମୋର ପରିଚୟ ନ ଥିଲା; କିନ୍ତୁ ଦିଲ୍ଲୀରୁ ଅମୃତସର ଯିବାର ଇଚ୍ଛା ଥିଲା ବୋଲି ମୁଁ ତାଙ୍କୁ ଜବାବ ଦେଇଥିଲି ।

 

ଛ’ ତାରିଖ ସକାଳେ ହଜାର ହଜାର ସହରବାସୀ ଚଉପାଠୀରେ ଗାଧୋଇବାକୁ ଜମା ହୋଇଥିଲେ । ସେଠୁ ଶୋଭାଯାତ୍ରା କରି ମାଧବବାଗ ଆଡ଼କୁ ଯାଇଥିଲେ । ଶୋଭାଯାତ୍ରାରେ ସ୍ତ୍ରୀ, ବାଳକ ମଧ୍ୟ ଥିଲେ । ମୁସଲମାନମାନେ ମଧ୍ୟ ବହୁସଂଖ୍ୟାରେ ଥିଲେ । ଏ ଶୋଭାଯାତ୍ରାରୁ କେତେଜଣ ମୁସଲମାନ ଆମକୁ ଗୋଟିଏ ମସ୍‌ଜିଦକୁ ନେଇ ଯାଇଥିଲେ ଏବଂ ସେଠାରେ ଶ୍ରୀମତୀ ନାଇଡ଼ୁ ଓ ମତେ ବକ୍ତୃତା ଦିଆଇଥିଲେ । ଶ୍ରୀ ବିଠଲ ଦାସ ଜେରାଜାଣି ପ୍ରସ୍ତାବ କରିଥିଲେ ଯେ, ସେହି ସଭାରେ ହିନ୍ଦୁ ମୁସଲମାନ ଏକତା ଓ ସ୍ୱଦେଶୀ ପ୍ରତିଜ୍ଞା ଦିଆଯାଉ । ଏତେ ତରତରରେ ପ୍ରତିଜ୍ଞା କରେଇବାକୁ ମୁଁ ମନା କରିଥିଲି । ଲୋକେ ଯେତିକି କରିଥିଲେ, ସେତିକିରେ ସନ୍ତୁଷ୍ଟ ରହିବାକୁ ମୁଁ ପରାମର୍ଶ ଦେଇଥିଲି । ପ୍ରତିଜ୍ଞା ଥରେ ନେଲେ ଭାଙ୍ଗିବା ଉଚିତ ନୁହେଁ । ସ୍ୱଦେଶୀର ଅର୍ଥ ଆମର ବୁଝିବା ଉଚିତ । ହିନ୍ଦୁ ମୁସଲମାନ ଏକତାର ବିପଦ କଥା ମନେ ରଖିବା ଦରକାର, ଇତ୍ୟାଦି ଯୁକ୍ତି ମୁଁ ଦେଖାଇ ଦେଇଥିଲି । ମୁଁ ପ୍ରସ୍ତାବ କରିଥିଲି ଯେ, ଯେଉଁମାନେ ବ୍ରତ ଗ୍ରହଣ କରିବାକୁ ଇଚ୍ଛୁକ, ସେମାନେ ପରଦିନ ସକାଳୁ ପୁଣି ଚଉପାଠୀ ମଇଦାନରେ ଏକତ୍ର ହୁଅନ୍ତୁ ।

 

ବମ୍ବେ ହରତାଳ ପୂରା ହୋଇଥିଲା । ସେଠାରେ ସବିନୟ ଆଇନ ଅମାନ୍ୟ ଆରମ୍ଭ କରିବାକୁ ପୂରା ଆୟୋଜନ ହୋଇ ସାରିଥିଲା । ଭାଙ୍ଗିବା ଭଳି ଦୁଇ ତିନୋଟି ବିଷୟ ଥିଲା । ଯେଉଁ ଆଇନ ସବୁ ଅମାନ୍ୟ କରିବାଯୋଗ୍ୟ ଥିଲା ଏବଂ ଯାହାର ଭଙ୍ଗ ସମସ୍ତେ ସହଜରେ କରିପାରିବେ, ସେହି ଆଇନ ଭିତରୁ ଗୋଟିକ ଅମାନ୍ୟ କରିବା କଥା ସ୍ଥିର ହୋଇଥିଲା । ଲୁଣଟିକସ ସମ୍ବନ୍ଧରେ ଆଇନଟା ବଡ଼ ଅପ୍ରିୟ ଥିଲା ଏବଂ କେତେଦିନ ହେଲା ତାକୁ ରଦ୍ଦ କରିବାପାଇଁ ବଡ଼ ତୀବ୍ର ଆନ୍ଦୋଳନ ଚଳୁଥିଲା । ମୁଁ ସେଥିପାଇଁ ପ୍ରସ୍ତାବ କରିଥିଲି ଯେ, ଲୋକେ ଲୁଣ ଆଇନକୁ ନ ମାନି ଲୁଣାପାଣି ସମୁଦ୍ରରୁ ଆଣି ଘରେ ଘରେ ଲୁଣ ମାରନ୍ତୁ । ଯେ ସବୁ ବହି ପ୍ରକାଶ କରିବାକୁ ସରକାର ମନା କରିଛନ୍ତି, ସେ ସବୁକୁ ଛାପି ବିକିବା ମୋର ଆଉ ଗୋଟିଏ ପ୍ରସ୍ତାବ ଥିଲା । ମୋର ଦୁଇଖଣ୍ଡି ବହି ହିନ୍ଦ୍ ସ୍ୱରାଜ ଓ ସର୍ବୋଦୟ ଆଗରୁ ସରକାର ବାଜ୍ୟାପ୍ତ କରିଥିଲେ । ସେ ଦୁଇଖଣ୍ଡି ଛପାଇ ବିକ୍ରୀ କରିବା ଆଇନ୍ ଅମାନ୍ୟର ସବୁଠାରୁ ସହଜବାଟ ଜଣା ପଡ଼ିଥିଲା । ସେ ବହି ଯଥେଷ୍ଟ ସଂଖ୍ୟାରେ ଛପା ହୋଇଥିଲା ଏବଂ ସଞ୍ଜକୁ ଉପବାସ ପରେ ଚଉପାଠୀରେ ବିରାଟ ସଭା ଶେଷରେ ତା ବିକ୍ରୀ କରିବା ସ୍ଥିର ହୋଇଥିଲା ।

 

ସଞ୍ଜକୁ ବହି ବିକିବାପାଇଁ ବହୁସଂଖ୍ୟକ ସ୍ୱେଚ୍ଛାସେବକ ବାହାରି ପଡ଼ିଥିଲେ । ମୁଁ ଓ ସରୋଜିନୀ ଦେବୀ ଗୋଟିଏ ଗୋଟିଏ ମଟରରେ ଯାଇଥିଲୁ । ଯେତେ ଖଣ୍ଡ ଛପା ହୋଇଥିଲା ଶୀଘ୍ର ସରି ଯାଇଥିଲା । ବିକ୍ରୀର ସବୁ ପଇସା ଆଇନ୍ ଅମାନ୍ୟ ଆନ୍ଦୋଳନରେ ଲାଗିବାର ସ୍ଥିର ହୋଇଥିଲା । ପ୍ରତ୍ୟେକ ବହିର ଦାମ ଚାରିଅଣା ରଖା ଯାଇଥାଏ, କିନ୍ତୁ ମତେ ଓ ସରୋଜିନୀ ଦେବୀଙ୍କୁ କେହି କ୍ୱଚିତ ଚାରିଅଣା ଦେଇଥିବ । ବହୁ ସଂଖ୍ୟକ ଲୋକ ଖଣ୍ଡେ ଖଣ୍ଡେ ବହି କିଣିବାକୁ ତାଙ୍କ ପାଖେ ଯାହା ନଗଦ ଥିଲା, ସବୁ ଅଜାଡ଼ି ଦେଇଥିଲେ । କେହି ପାଞ୍ଚଟଙ୍କିଆ, କେହି ଦଶଟଙ୍କିଆ ନୋଟ ମଧ୍ୟ ଦେଉଥିଲେ; ଜଣକୁ ତ ୫୦ ଟଙ୍କାରେ ଖଣ୍ଡେ ବହି ବିକିଥିବାର ମୋର ମନେପଡ଼େ । ଲୋକଙ୍କୁ ବୁଝେଇ ଦିଆ ହୋଇଥିଲା ଯେ, ଏ ବହି କିଣିଲା ବାଲାଙ୍କର ଜେଲ ବିପଦ ଥିଲା । କିନ୍ତୁ ସେ ଘଡ଼ିକ ପାଇଁ ସେମାନେ ସମସ୍ତେ ଡରକୁ ଏକଦମ୍ ଛାଡ଼ିଥିଲେ ।

 

ସାତ ତାରିଖ ଦିନ ଜଣାଗଲା ଯେ, ସରକାର ଅଭିମତ ପ୍ରକାଶ କରିଛନ୍ତି, ଯେଉଁ ବହି ଆମେ ବିକିଥିଲୁ ସେ ବହି ନିଷିଦ୍ଧ ହୋଇ ନ ଥିଲା । ସେ ଗୁଡ଼ିକ ନିଷିଦ୍ଧ ବହିର ଅନ୍ୟ ସଂସ୍କରଣ ଥିଲା । ଅତଏବ ଏ ନୂଆ ସଂସ୍କରଣକୁ ଛାପିବା, ବିକିବା, କିଣିବା କୌଣସି ଦୋଷ ନୁହଁ ବୋଲି ସରକାରଙ୍କ ତରଫରୁ କୁହା ହୋଇଥିଲା । ଏ ଖବର ପାଇ ଲୋକଙ୍କ ମନ ବଡ଼ ଫିକା ପଡ଼ିଯାଇଥିଲା ।

 

ଏହି ତାରିଖ ସକାଳୁ ଚୌପାଠୀଠାରେ ସ୍ୱଦେଶୀର ଓ ହିନ୍ଦୁ ମୁସଲମାନ ଏକତାର ପ୍ରତିଜ୍ଞା ଗ୍ରହଣ କରାଇବାପାଇଁ ଗୋଟିଏ ସଭା ହେବାର ଥିଲା । ବିଠଲ ଦାସ ଜେରାଜାଣି ପ୍ରଥମଥର ପାଇଁ ଦେଖି ପାରିଥିଲେ ଯେ, ଯାହା ଚକ୍ ଚକ୍ ଦିଶେ ତାହା ସବୁବେଳେ ସୁନା ନୁହଁ । ବହୁତ କମ୍ ଲୋକେ ସଭାକୁ ଆସିଥିଲେ । ତାଙ୍କ ଭିତରୁ ଦୁଇ ଚାରିଜଣ ଭଉଣୀଙ୍କ ନାଁ ମୋ ମନରେ ପଡ଼ିଯାଉଛି । ପୁରୁଷ ସଂଖ୍ୟା ମଧ୍ୟ ଖୁବ୍ ଅଳ୍ପ ଥିଲା । ମୁଁ ପ୍ରତିଜ୍ଞାଟି ଚିଠାକରି ରଖିଥିଲି । ସେମାନଙ୍କୁ ଗ୍ରହଣ କରିବାକୁ କହିବା ପୂର୍ବରୁ ସେଗୁଡ଼ିକୁ ଭଲକରି ବୁଝାଇ ଦେଇଥିଲି । କମ୍ ଲୋକ ଆସିବାରେ ମତେ ଆଶ୍ଚର୍ଯ୍ୟ ଲାଗି ନ ଥିଲା କିମ୍ବା ଦୁଃଖ ହୋଇ ନଥିଲା; କିନ୍ତୁ ଧୁମ୍‍ଧାମ୍ କାମ ଓ ଧୀରସ୍ଥିର ଗଠନମୂଳକ କାମ ଭିତରେ ଖୁବ୍ ପ୍ରଭେଦ ଏବଂ ପ୍ରଥମଟି ପ୍ରତି ଲୋକଙ୍କର ଆଗ୍ରହ ଓ ଦ୍ୱିତୀୟଟି ପ୍ରତି ଅଶ୍ରଦ୍ଧା ସେହିଦିନରୁ ମୁଁ ଅନୁଭବ କରି ଆସୁଛି ।

 

ଏ ବିଷୟ ପାଇଁ ଗୋଟିଏ ସ୍ୱତନ୍ତ୍ର ଅଧ୍ୟାୟ ଦେବାକୁ ଦେବ । ସାତ ତାରିଖ ରାତିରେ ମୁଁ ଦିଲ୍ଲୀ କଥା ଅମୃତସର ବାହାରିଥିଲି । ୮ ତାରିଖ ଦିନ ମଥୁରା ପହଞ୍ଚି ମୋ ଧରାହେବା ସମ୍ଭାବନାର ଖବର ମୋ କାନରେ ପଡ଼ିଥିଲା । ମଥୁରା ପରେ ଯେଉଁଠି ଗାଡ଼ି ରହେ, ସେଠି ଆଚାର୍ଯ୍ୟ ଗିଡ଼ବାଜୀ ମୋ ସଙ୍ଗେ ଦେଖା କରିଥିଲେ ଏବଂ ମୋର ଧରାହେବାର ନିଶ୍ଚିତ ଖବର ଦେଇଥିଲେ ଏବଂ ତାଙ୍କର ସେବା ଲୋଡ଼ାଥିଲେ ସେ ତା’ ଦେବାକୁ କହିଥିଲେ । ମୁଁ ତାଙ୍କୁ ଧନ୍ୟବାଦ ଦେଇ କହିଥିଲି, ‘‘ଦରକାର ହେଲେ ମୁଁ ତା ଗ୍ରହଣ କରିବାରେ ଦ୍ୱିଧା କରିବି ନାହିଁ ।’’ ପଲ୍‌ବାଲ୍ ରେଲ୍ ଷ୍ଟେସନ ପହଁଞ୍ଚିବା ପୂର୍ବରୁ ପୁଲିସ ଅଫିସର ମୋ ଉପରେ ଗୋଟିଏ ଲେଖା ପରଓ୍ୟାନା ଜାରି କରିଥିଲେ । ‘‘ତମର ପଞ୍ଜାବ ଯିବାରେ ଶାନ୍ତିଭଙ୍ଗର ଆଶଙ୍କା ଥିବାରୁ ତମକୁ ପଞ୍ଜାବ ସୀମା ଭିତରକୁ ପଶିବାକୁ ମନା’’ ଏହିଭଳି ନୋଟିସ୍ ଥିଲା । ରେଲ୍‌ରୁ ଓହ୍ଲାଇ ଆସିବାକୁ ମତେ ପୁଲିସବାଲା କହିଥିଲେ । ମୁଁ ତାଙ୍କୁ ଏୟା କହି ଓହ୍ଲାଇବାକୁ ନାରାଜ ହୋଇଥିଲି, ‘‘ମୁଁ ସେଠି ଶାନ୍ତିଭଙ୍ଗ କରିବାକୁ ଯାଉନାହିଁ, ବରଂ ଅଶାନ୍ତି ଦୂର କରିବାକୁ ନିମନ୍ତ୍ରଣ ପାଇ ଯାଉଛି । ତେଣୁ ମୁଁ ଏ ହୁକୁମ ମାନ ନ ପାରି ଦୁଃଖିତ ହେଉଛି ।’’

 

ଶେଷରେ ଗାଡ଼ି ପଲ୍‌ବାଲ୍‌ରେ ପହଞ୍ଚିଲା । ମହାଦେବ ମୋ ସଙ୍ଗେ ଯାଇଥିଲେ । ଦିଲ୍ଲୀକୁ ଯାଇ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କୁ ସବୁ ଘଟଣା ଜଣେଇବାକୁ ଏବଂ ଲୋକଙ୍କୁ ଧୀରସ୍ଥିର ରହିବାକୁ ଉପଦେଶ ଦେବାପାଇଁ ମହାଦେବଙ୍କୁ କହିଥିଲି । ମୁଁ ପରଓ୍ୟାନାର ଅମାନ୍ୟ କରି ସେଥିର ଦଣ୍ଡ ଭୋଗପାଇଁ ପ୍ରସ୍ତୁତ ହୋଇଥିଲି ଏବଂ ମୋ ଉପରେ ଦଣ୍ଡ ହେବା ସତ୍ତ୍ୱେ ଆମେ ପୂରାପରି ଶାନ୍ତ ରହିଲେ ଆମର କାହିଁକି ଜିତ୍ ହେବ, ସେ କଥା ବୁଝାଇ ଦେବାକୁ କହିଥିଲି ।

 

ପଲ୍‌ବାଲ୍ ରେଲ୍ ଷ୍ଟେସନରେ ମତେ ଗାଡ଼ିରୁ ଓହ୍ଲାଇ ନେଇ ପୁଲିସ ପହରାରେ ରଖା ହୋଇଥିଲା । ଦିଲ୍ଲୀରୁ ଆସୁଥିବା ଗୋଟିଏ ଗାଡ଼ିର ତୃତୀୟ ଶ୍ରେଣୀ ଡବାରେ ମତେ ଚଢ଼େଇ ଥିଲେ-। ସାଙ୍ଗରେ ପୁଲିସଦଳ ବସିଥିଲେ । ମଥୁରାରେ ପହଞ୍ଚି ମତେ ପୁଲିସ ଲାଇନକୁ ନେଇ ଯାଇଥିଲେ-। କିନ୍ତୁ ଏହାପରେ ମତେ ନେଇ କ’ଣ କରିବେ ବା କେଉଁଠାକୁ ନେବେ, ସେ କଥା କୌଣସି ପୁଲିସ କର୍ମଚାରୀ କହିପାରି ନ ଥିଲେ । ପରଦିନ ଭୋର ୪ଟା ବେଳକୁ ମୋତେ ଉଠେଇ ବମ୍ବେକୁ ଯାଉଥିବା ଗୋଟିଏ ମାଲ ଗାଡ଼ିରେ ଚଢ଼େଇଥିଲେ । ବାରଟାବେଳେ ସଓ୍ୱାଇ ମାଧପୁର ଷ୍ଟେସନରେ ମତେ ପୁଣି ଓହ୍ଳେଇ ଦେଇଥିଲେ । ଲାହୋରରୁ ବମ୍ବେ ଗାଡ଼ିରେ ଇନ୍‌ସପେକ୍‌ଟର ବୋରିଂ ଆସି ପହଞ୍ଚିଲେ ଏବଂ ମତେ ଜିମା ନେଇଥିଲେ । ଏବେ ମତେ ତାଙ୍କ ସଙ୍ଗେ ଗୋଟିଏ ପ୍ରଥମଶ୍ରେଣୀ ଡବାରେ ଚଢ଼ାଇଥିଲେ । ସାଧାରଣ କୟେଦୀରୁ ମୁଁ ଗୋଟିଏ ଭଦ୍ରଲୋକ କୟେଦୀ ହୋଇଥିଲି । ଲାଟ୍ ସାର ମାଇକେଲ ଓଡେୟାରଙ୍କ କଥା ବୋରିଂ ସାହେବ ଆରମ୍ଭ କରିଥିଲେ । ଲାଟଙ୍କର ମୋ ବିରୁଦ୍ଧରେ କିଛି ନାହିଁ । କିନ୍ତୁ ମୋର ପଞ୍ଜାବ ଯିବାରେ ଅଶାନ୍ତି ହେବ ବୋଲି ତାଙ୍କର ଆଶଙ୍କା ଥିଲା ଇତ୍ୟାଦି ଇତ୍ୟାଦି ବିଷୟ ମତେ କହି ନିଜ ଇଚ୍ଛାରେ ଫେରି ଯିବାକୁ ଓ ପଞ୍ଜାବର ସୀମା ନ ଡେଇଁବାକୁ ମତେ ଅନୁରୋଧ କରିଥିଲେ । ମୁଁ ତାଙ୍କୁ କହି ଦେଇଥିଲି ଯେ, ସେ ହୁକୁମ ମାନିବା ମୋ ପକ୍ଷରେ ସମ୍ଭବ ନ ଥିଲା ଏବଂ ନିଜ ଇଚ୍ଛାରେ ମୁଁ ଫେରିବି ନାହିଁ ବୋଲି ଜଣାଇ ଦେଇଥିଲି । ତେଣୁ କର୍ମଚାରୀ ମହାଶୟ ଅନନ୍ୟୋପାୟ ହୋଇ ମୋ ପ୍ରତି ଆଇନ ପ୍ରୟୋଗ କରିବେ ବୋଲି କହିଥିଲେ । ମୁଁ ପଚାରିଥିଲି, ‘‘ଆପଣ ମତେ ନେଇ କ’ଣ କରିବାକୁ ଚାହାନ୍ତି ?’’ ଜବାବ ପାଇଲି, ‘‘ମୁଁ ନିଜେ କିଛି ଜାଣେନାହିଁ, ମତେ ଅନ୍ୟ ହୁକୁମ ମିଳିବାର କଥା । ବର୍ତ୍ତମାନ ପାଇଁ ମୁଁ ଆପଣଙ୍କୁ ବମ୍ବେ ନେଇଯାଉଛି ।’’ ଏମିତି ଆମେ ସୁରାତରେ ପହଞ୍ଚିଲୁ । ଏଠି ଆଉ ଜଣେ ପୁଲିସ କର୍ମଚାରୀଙ୍କ ଜିମାରେ ମତେ ଛାଡ଼ି ଦିଆଯାଇଥିଲା । ବାଟରେ ସେ ମତେ କହିଥିଲେ, ‘‘ଆପଣ ବର୍ତ୍ତମାନ ମୁକ୍ତ । ତେବେ ମେରିନ ଲାଇନ ଷ୍ଟେସନରେ ମୁଁ ଗାଡ଼ି ଆପଣଙ୍କ ପାଇଁ ଅଟକେଇଦେବି, ସେଠାରେ ଆପଣ ଓହ୍ଲାଇଗଲେ ଭଲ ହେବ । କୋଲାବାରେ ବହୁତ ଭିଡ଼ ହୋଇଥିବା ସମ୍ଭବ ।’’ ତାହା ସୁବିଧାଜନକ ହେବ ବୋଲି ମୁଁ ଖୁସି ହେଲି । ସେ ମଧ୍ୟ ଖୁସି ହୋଇ ମତେ ଧନ୍ୟବାଦ ଦେଇଥିଲେ । ମେରିନ ଲାଇନ୍ ଷ୍ଟେସନରୁ ମୁଁ ଓହ୍ଲାଇଥିଲି । ସେଠି ଜଣେ ଚିହ୍ନା ଲୋକଙ୍କର ଘୋଡ଼ାଗାଡ଼ି ଦେଖିଥିଲି । ସେ ମତେ ନେଇଯାଇ ରେବାଶଙ୍କର ଯାବେରୀଙ୍କ ଘରେ ଛାଡ଼ି ଦେଇଥିଲେ । ସେ ଖବର ଦେଇଥିଲେ ତମର ଗିରଫଦାରରେ ଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି ଓ ଏକଦମ ପାଗଳ ହୋଇ ପଡ଼ିଛନ୍ତି । ପାଇଧୁନୀ ନିକଟରେ ଶାନ୍ତିଭଙ୍ଗର ଆଶଙ୍କା ଅଛି । ମାଜିଷ୍ଟ୍ରଟ ଓ ପୁଲିସ ସେଠାରେ ପହଞ୍ଚି ଗଲେଣି ।

 

ମୁଁ ଘରେ ପହଞ୍ଚିବା ପରେ ପରେ ଓମର ଶୋଭନୀ ଓ ଅନସୂୟା ବେନ ମୋଟରରେ ପହଞ୍ଚିଥିଲେ ଏବଂ ମତେ ସଙ୍ଗେ ସଙ୍ଗେ ପାଇଧୂନୀକୁ ନେଇଯିବାକୁ କହିଥିଲେ । ‘‘ଲୋକେ ଭାରି ଅଧୀର ଓ ଉତ୍ତେଜିତ ହୋଇଛନ୍ତି । ଆମେ ତାଙ୍କୁ ଶାନ୍ତ କରିପାରିଲୁ ନାହିଁ । ଆପଣଙ୍କ ଉପସ୍ଥିତି କେବଳ ତାହା କରିପାରିବ ।’’ ମୁଁ ମଟରରେ ଚଢ଼ିଥିଲି । ପାଇଧୂନୀ ବାଟରେ ପ୍ରକାଣ୍ଡ ଲୋକସମାଗମ ଦେଖିଥିଲି । ଲୋକେ ମତେ ଦେଖି ଆନନ୍ଦରେ ପାଗଳ ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ଗୋଟିଏ ଶୋଭାଯାତ୍ରା ବାହାରିଥିଲା । ବନ୍ଦେ ମାତରଂ ଓ ଆଲ୍ଲା ହୋ ଆକବର ଧ୍ୱନିରେ ଆକାଶ ଫାଟି ପଡ଼ୁଥିଲା । ପାଇଧୂନୀଠାରେ ଦଳେ ଘୋଡ଼ାସବାର ପୁଲିସ ଦେଖିଥିଲୁ । ଉପରୁ ଟେକା ପଥର ଅଜାଡ଼ି ହୋଇ ପଡ଼ୁଥିଲା । ଲୋକଙ୍କୁ ଶାନ୍ତ ରହିବାକୁ ମୁଁ ହାତ ଯୋଡ଼ି ନେହୁରା ହୋଇଥିଲି । କିନ୍ତୁ ଆମେ ବି ପଥର ବର୍ଷାରୁ ରକ୍ଷା ପାଇବୁ ନାହିଁ ବୋଲି ଆଶଙ୍କା ହୋଇଥିଲା । ଯେମିତି ଶୋଭାଯାତ୍ରା ଅବଦୁଲ୍ ରହମନ ରାସ୍ତାରୁ ବାହାରି କ୍ରଫୋଡ଼ ମାର୍କେଟ୍ ଆଡ଼କୁ ଯାଇଥିଲା, ତାକୁ ଅଟକେଇବାକୁ ଦଳେ ଘୋଡ଼ାସବାର ପୁଲିସ ଆଗରେ ଆସି ପହଞ୍ଚିଥିଲେ-। ଲୋକ ଉଛୁଳି ପଡ଼ୁଥିଲେ । ମୋ ପାଟି ଶୁଣାଯାଉ ନ ଥିଲା । ଫଳରେ ଘୋଡ଼ାସବାରଙ୍କ ନାୟକ ଭିଡ଼ ଭାଙ୍ଗି ଦେବାକୁ ହୁକୁମ ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ ସବାରମାନେ ବର୍ଚ୍ଛା ହଲେଇ ଲୋକଙ୍କ ଉପରେ ଘୋଡ଼ା ଚଳେଇ ଦେଇଥିଲେ । ତାଙ୍କର ବର୍ଚ୍ଛା ମୋର ରଫାଦଫା କରିଦେବ ବୋଲି ଭୟ ହୋଇଥିଲା । କିନ୍ତୁ ବର୍ଚ୍ଛାଧାରୀମାନେ ପାଖରେ ଘଷିହୋଇ ରେଲଗାଡ଼ି ବେଗରେ ମାଡ଼ି ଯାଇଥିଲେ । ଲୋକଙ୍କ ଭିଡ଼ ଭାଙ୍ଗି ଯାଇଥିଲା । ସେମାନେ ଛତ୍ରଭଙ୍ଗ ଦେଇଥିଲେ । କେତେକ ଖଣ୍ଡିଆ ଦଣ୍ଡିଆ ହୋଇ ଯାଇଥିଲେ । ସେ ଭିତରେ ଘୋଡ଼ା ଯିବାର ବାଟ ନ ଥିଲା କିମ୍ବା ଲୋକଙ୍କର ଚାଲିଯିବାର ରାହା ନଥିଲା । ଲାକେ ଲେଉଟି ପଡ଼ିଲା ବେଳକୁ ସାମନାରେ ହଜାର ହଜାର ଲୋକ ଖୁନ୍ଦା ଖୁନ୍ଦି । ଲୋକେ ଓ ଘୋଡ଼ସବାର ଉଭୟ ପାଗଳ ପରି ହୋଇ ଯାଇଥିଲେ । ଘୋଡ଼ସବାର କିଛି ଦେଖୁନଥିଲେ, ଦେଖିପାରୁ ବି ନଥିଲେ । ସେମାନେ ନଇଁପଡ଼ି ଘୋଡ଼ା ଦୌଡ଼େଇ ଦେଇଥିଲେ । ଏ ହଜାର ହଜାର ଲୋକଙ୍କ ଭିଡ଼ ଭାଙ୍ଗିଦେବାକୁ ଯେତେକ୍ଷଣ ଲାଗିଥିଲା, ସେତକ ସମୟ ସେମାନେ କିଛି ଦେଖିପାରୁ ନ ଥିଲେ ବୋଲି ମୁଁ ବୁଝି ପାରିଥିଲି । ଲୋକେ ଏମିତି ଖେଳେଇ ହୋଇଗଲେ ଓ ଅଟକି ଗଲେ । ମୋ ମଟରକୁ ଆଗକୁ ଯିବାକୁ ଦିଆ ହୋଇଥିଲା । ମୁଁ କମିସନରଙ୍କ ଅଫିସ ସାମନାରେ ମଟର ଅଟକେଇଥିଲି ଏବଂ ପୁଲିସର ବ୍ୟବହାର ସମ୍ବନ୍ଧରେ ଅଭିଯୋଗ କରିବାକୁ ଓହ୍ଲେଇଥିଲି ।

 

ସେହି ସପ୍ତାହ (୨)

 

ମୁଁ କମିଶନର ମି: ଗ୍ରିଫିଥ୍‌ଙ୍କ ଅଫିସକୁ ଯାଇଥିଲି । ସିଡ଼ି ପାଖରେ ଯୁଆଡ଼େ ଦେଖେ, ସିଆଡ଼େ ସଶସ୍ତ୍ର ସୈନିକମାନେ ବସି ରହିଥିଲେ, ସତେ ଯେମିତି ଯୁଦ୍ଧ ପାଇଁ ତିଆରି । ପିଣ୍ଡାଟି ଲୋକ ଭର୍ତ୍ତି । ମୁଁ ଅଫିସକୁ ଯାଇ ମି: ବୋରିଂଙ୍କୁ ଗ୍ରିଫିଥ୍‌ଙ୍କ ସଙ୍ଗେ ବସିଥିବାର ଦେଖିଥିଲି । ମୁଁ ଦେଖିଥିବା ଦୃଶ୍ୟ କମିଶନରଙ୍କ ଆଗେ ବର୍ଣ୍ଣନା କରିଥିଲି । ସେ ଅଳ୍ପରେ ଜବାବ ଦେଇଥିଲେ, ‘‘ଫୋର୍ଟ ଆଡ଼କୁ ଶୋଭାଯାତ୍ରା ଆମର ଯିବାକୁ ନ ଦେବାର କଥା । ସେଠି ନିଶ୍ଚୟ ଶାନ୍ତିଭଙ୍ଗ ହୋଇଥାନ୍ତା । ମୁଁ ଯେତେବେଳେ ଦେଖିଲି ଯେ ଲୋକେ କଥା ଶୁଣିବେ ନାହିଁ, ସେତେବେଳେ ଚଢ଼ଉ କରିବା ଛଡ଼ା ଆଉ ବାଟ କିଛି ନ ଥିଲା ।’’ ମୁଁ କହିଥିଲି, ‘‘ମାତ୍ର ତା’ର ଫଳାଫଳ ତ ଆପଣଙ୍କୁ ଜଣାଥିଲା । ଘୋଡ଼ାଗୁଡ଼ିକ ନିଶ୍ଚୟ ଲୋକଙ୍କ ଉପରେ ଚଢ଼ି ଯାଇଥାନ୍ତେ । ଘୋଡ଼ସଓ୍ୟାର ଦଳକୁ ପଠେଇବା ଆବଶ୍ୟକ ନଥିଲା ବୋଲି ମୁଁ ମନେକରେ ।’’ ମି: ଗ୍ରିଫିଥ୍‌କହିଥିଲେ, ‘‘ଆପଣ ତା’ର ବିଚାର କରିପାରିବେ ନାହିଁ । ଆପଣଙ୍କ ଶିକ୍ଷାରେ କି ପ୍ରଭାବ ଲାକଙ୍କ ଉପରେ ହୋଇଛି, ତା’ ଆମେ ପୁଲିସବାଲା ଆପଣଙ୍କଠୁଁ ଭଲ ଜାଣୁ । ମୂଳରୁ ଯଦି ଆମେ କଡ଼ା ପ୍ରତିକାର ନ କରିଥାନ୍ତୁ, ତେବେ ବେଶୀ କ୍ଷତି ହୋଇଥାନ୍ତା । ମୁଁ ଆପଣଙ୍କୁ କହୁଛି, ଲୋକେ ଆପଣଙ୍କ ଆୟତ୍ତରେ ରହିବେ ନାହିଁ । ଆଇନ ଅମାନ୍ୟ କଥାଟା ଖୁବ ଶୀଘ୍ର ବୁଝିଯିବେ । କିନ୍ତୁ ଶାନ୍ତ ରହିବା କଥାଟା ତାଙ୍କର କ୍ଷମତା ବାହାରେ । ଆପଣଙ୍କ ସଦିଚ୍ଛାରେ ମୋର ସନ୍ଦେହ ନାହିଁ । ମାତ୍ର ଲୋକେ ତାହା ବୁଝିବେ ନାହିଁ । ସେମାନେ ଆପଣା ସ୍ୱଭାବକୁ ମାନି ଚଳିବେ ।’’ ମୁଁ ଉତ୍ତର ଦେଇଥିଲି, ‘‘ସେଠି ଆପଣଙ୍କର ମୋର ମତଭେଦ । ଲୋକେ ସ୍ୱାଭାବିକ କଳିପ୍ରିୟ ନୁହନ୍ତି; ସେମାନେ ଶାନ୍ତିପ୍ରିୟ ।’’ ଆମେ ଯୁକ୍ତିତର୍କ କରିଥିଲୁ । ଶେଷରେ ମି: ଗ୍ରିଫିଥ୍ କହିଥିଲେ, ‘‘ହଉ, ଆପଣଙ୍କର ଯଦି ବିଶ୍ୱାସ ହେବ ଯେ, ଲୋକେ ଆପଣଙ୍କ କଥା ମାନିବେ ନାହିଁ ତେବେ ଆପଣ କ’ଣ କରିବେ ?’’ ‘‘ସେଭଳି ବିଶ୍ୱାସ ହେଲେ ମୁଁ ଲଢ଼େଇ ମୁଲତବି କରିଦେବି ।’’ ‘‘ମୁଲତବୀ କରିବେ ଅର୍ଥ କ’ଣ ? ବୋରିଂକୁ କହିଛନ୍ତି ଯେ, ଆପଣଙ୍କୁ ମୁକ୍ତି ଦେଲାକ୍ଷଣି ଆପଣ ପୁଣି ପଞ୍ଜାବକୁ ବାହାରିବେ ?’’ ‘‘ହଁ, ପରବର୍ତ୍ତୀ ଗାଡ଼ିରେ ଯିବାକୁ ଇଚ୍ଛା କରୁଥିଲି । କିନ୍ତୁ ତାହା ଆଉ ଏବେ ସମ୍ଭବନାହିଁ ।’’ ‘‘ଆପଣ ଯଦି ଧୈର୍ଯ୍ୟ ଧରିବେ, ଆପଣଙ୍କୁ ବହୁତ ଖବର ମିଳିବ । ଅହମଦାବାଦରେ କ’ଣ ଘଟିଛି ଆପଣ ଜାଣନ୍ତି ? ସବୁଠାରେ ଲୋକେ ପାଗଳ ପରି ହୋଇଯାଇଛନ୍ତି । ମୁଁ ମଧ୍ୟ ପୂରା ଖବର ପାଇନାହିଁ । କେତେକ ସ୍ଥାନରେ ତାର ମଧ୍ୟ କଟିଛି । ମୁଁ ଆପଣଙ୍କୁ କହେ, ଏ ସବୁ ଗୋଳମାଳର ଦାୟିତ୍ୱ ଆପଣଙ୍କ ମୁଣ୍ଡରେ ।’’

 

‘‘ମୁଁ ଆପଣଙ୍କୁ ଜବାବ ଦେଉଛି, ଯେଉଁଠି ମୋର ଦାୟିତ୍ୱ ଥିବ, ମୁଁ ତାକୁ ନିଶ୍ଚୟ ମୁଣ୍ଡେଇନେବି । କିନ୍ତୁ ଅହମଦାବାଦରେ ଲୋକେ କିଛି କରିଥିଲେ ମୋର ଦୁଃଖ ହେବ ଏବଂ ମୁଁ ଆଶ୍ଚର୍ଯ୍ୟ ବି ହେବି । ମୁଁ ଅମୃତ ସହରର କିଛି ଜାଣେ ନାହିଁ । ମୁଁ ସେଠାକୁ କେବେ ଯାଇନାହିଁ କି ମତେ ସେଠାରେ କେହି ଜାଣନ୍ତି ନାହିଁ । ମାତ୍ର ମୁଁ ଏତିକି ଜାଣେ ଯେ, ପଞ୍ଜାବକୁ ଯିବାରେ ଯଦି ସେଠା ସରକାର ମତେ ବାଧା ଦେଇ ନ ଥାନ୍ତେ, ମୁଁ ସେଠି ଶାନ୍ତିରକ୍ଷା କରିବାରେ ଯଥେଷ୍ଟ କରିପାରିଥାନ୍ତି । ମତେ ବାଧା ଦେଇ ସେମାନେ ଲୋକଙ୍କୁ ଚିଡ଼େଇ ଦେଇଛନ୍ତି ।’’

 

ଏମିତି ଆମର କଥାବାର୍ତ୍ତା ଚାଲିଥିଲା । ଉଭୟେ ଏକମତ ହେବା ଅସମ୍ଭବ ଥିଲା । ବମ୍ବେରେ ଗୋଟିଏ ସଭା କରି ଲୋକଙ୍କୁ ଶାନ୍ତିରକ୍ଷା ପାଇଁ ବୁଝାଇବାକୁ ମୋର ଇଚ୍ଛା ଥିଲା । ତାଙ୍କୁ ତାହା ଜଣାଇ ଦେଇଥିଲି ଏବଂ ତାଙ୍କଠାରୁ ବିଦାୟ ନେଇଥିଲି । ଚଉପାଟୀରେ ସଭା ହୋଇଥିଲା । ଅହିଂସା ଓ ସତ୍ୟାଗ୍ରହର ମର୍ମ ବୁଝାଇ କହିଥିଲି, ‘‘ସତ୍ୟାଗ୍ରହ ସତ୍ ଲୋକଙ୍କର ଅସ୍ତ୍ର । ଲୋକେ ଯଦି ଶାନ୍ତି ରକ୍ଷା ନ କରନ୍ତି, ତେବେ ମୋଦ୍ୱାରା ସତ୍ୟାଗ୍ରହ ଯୁଦ୍ଧ ଚଳେଇହେବ ନାହିଁ ।’’

 

ଅନସୂୟା ବେନ୍ ମଧ୍ୟ ଅହମଦାବାଦର ଦଙ୍ଗା ହେଙ୍ଗାମା କଥା ଶୁଣିଥିଲେ । ସେ ଧରାହୋଇଛନ୍ତି ବୋଲି କିଏ ଜନରବ ରଟେଇ ଦେଇଥିଲା । ସେଥିରେ କୁଲିମାନେ ପାଗଳ ହୋଇଯାଇଥିଲେ, କାମ ବନ୍ଦ କରି ଦେଇଥିଲେ ଏବଂ ହିଂସା କାର୍ଯ୍ୟ କରି ପକାଇଥିଲେ । ଜଣେ ସିପାହୀକୁ ମାରି ଦେଇଥିଲେ । ମୁଁ ଅହମଦାବାଦ ଯାଇଥିଲି ଶୁଣିଲି, ନଦିୟାଦ ପାଖେ ରେଲ୍‌ଲାଇନ୍‌କୁ ଉଠାଇ ଦେବାର ଚେଷ୍ଟା ହୋଇଥିଲା । ଭୀରମ୍ ଗାଁରେ ଜଣେ ସରକାରୀ କର୍ମଚାରୀ ଖୁନ୍ ହୋଇଥିଲେ । ଅହମଦାବାଦରେ ପହଁଞ୍ଚିବା ବେଳକୁ ସେଠି ସାମରିକ ଆଇନ୍ ଜାରି ହୋଇଥାଏ । ଲୋକଙ୍କ ଭିତରେ ଆତଙ୍କ ପଡ଼ିଯାଇଥିଲା । ସେମାନେ ଯାହା କରିଥିଲେ, ତାହାର ଫଳ ଭୋଗିଥିଲେ, ସୁଧ ବି ପାଇଥିଲେ ।

 

କମିଶନର ମି: ପ୍ରାଟ୍‌ଙ୍କ ପାଖକୁ ମତେ ନେଇଯିବାକୁ ଷ୍ଟେସନରେ ଜଣେ ଲୋକ ଅପେକ୍ଷା କରିଥିଲେ । ମୁଁ ତାଙ୍କ ପାଖକୁ ଯାଇଥିଲି । ସେ ଭାରି ରାଗିଥିବାର ଦେଖିଥିଲି । ମୁଁ ଶାନ୍ତଭାବରେ ଜବାବ ଦେଇଥିଲି । ଗୋଳମାଳ ପାଇଁ ଦୁଃଖ ପ୍ରକାଶ କରିଥିଲି । ସାମରିକ ଆଇନ୍ ଆବଶ୍ୟକ ନ ଥିଲା ଏବଂ ଶାନ୍ତି ଫେରେଇ ଆଣିବାକୁ ମୁଁ ସମସ୍ତପ୍ରକାର ଉଦ୍ୟମରେ ସହଯୋଗ କରିବାକୁ ପ୍ରସ୍ତୁତ ଥିଲି ବୋଲି ତାଙ୍କୁ ଜଣାଇଥିଲି । ସାଧାରଣ ସଭାପାଇଁ ଅନୁମତି ଲୋଡ଼ିଥିଲି । ଆଶ୍ରମ ପଡ଼ିଆରେ ସେହି ସଭା କରିବାପାଇଁ ଇଚ୍ଛା ପ୍ରକାଶ କରିଥିଲି । ପ୍ରସ୍ତାବଟା ତାଙ୍କ ମନକୁ ପାଇଥିଲା । ସେହି ଅନୁସାରେ ତେର ତାରିଖ ରବିବାର ଦିନ ସଭା ହୋଇଥିଲା । ସେହିଦିନ କିମ୍ବା ତା ପରଦିନ ସାମରିକ ଆଇନ ଉଠାଇ ନିଆଯାଇଥିଲା । ଏ ସଭାରେ ମୁଁ ଲୋକଙ୍କୁ ତାଙ୍କର ଦୋଷ ବୁଝାଇଥିଲି । ମୁଁ ତିନିଦିନ ଉପାସ କରି ପ୍ରାୟଶ୍ଚିତ୍ତ କରିଥିଲି । ଦିନକ ପାଇଁ ଉପାସ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲି ଏବଂ ଯେଉଁମାନେ ଖୁନ୍‌ ପ୍ରଭୃତି ହିଂସା କରିଥିଲେ, ସେମାନଙ୍କୁ ଦୋଷ ମାନିଯିବାକୁ କହିଥିଲି ।

 

ମୋର କର୍ତ୍ତବ୍ୟ ମତେ ସଫା ଦେଖାଯାଇଥିଲା । ଯେଉଁ ମୂଲିଆ ପ୍ରଭୃତିଙ୍କ ସଙ୍ଗେ ମୁଁ ଏତେକାଳ କଟେଇଛି, ଯାହାଙ୍କ ସେବା କରିଛି ଓ ଯାହାଙ୍କଠାରୁ ଭଲ ଆଚରଣ ଆଶା କରିଥିଲି, ସେମାନେ ଯେ ଦଙ୍ଗାରେ ଯୋଗ ଦେଇଥିଲେ, ତାହା ମୋତେ ଅସହ୍ୟ ହୋଇଥିଲା ଏବଂ ସେମାନଙ୍କ ଦୋଷ ପାଇଁ ମୁଁ ନିଜକୁ ଦୋଷୀ ମଣିଥିଲି । ଦୋଷ ମାନିଯିବାକୁ ଯେମିତି ଲୋକଙ୍କୁ କହିଥିଲି, ସେମିତି ଦୋଷ ମାଫ୍‍ ଦେବାକୁ ସରକାରଙ୍କୁ କହିଥିଲି । ଦୁହିଙ୍କ ଭିତରୁ କେହି ମୋ କଥା ମାନି ନ ଥିଲେ; ନା ଲୋକ ଦୋଷ ମାନିଥିଲେ, ନା ସରକାର ମାଫ୍ ଦେଇଥିଲେ ।

 

ସ୍ୱର୍ଗୀୟ ଭାଇ ରମନ୍ ପ୍ରଭୃତି ସହରବାସୀମାନେ ଆସି ସତ୍ୟାଗ୍ରହ ବନ୍ଦ କରିବାକୁ ମୋତେ ଅନୁରୋଧ କରିଥିଲେ । ଅନୁରୋଧ ଦରକାର ନ ଥିଲା । ଲୋକେ ଶାନ୍ତିରକ୍ଷା ନ ଶିଖିବାଯାଏ ସତ୍ୟାଗ୍ରହ ବନ୍ଦ ରଖିବାକୁ ମୁଁ ଆଗରୁ ସ୍ଥିର କରି ସାରିଥିଲି । ଏଥିରେ ବନ୍ଧୁମାନେ ଖୁସି ହୋଇଥିଲେ । କିନ୍ତୁ କେତେକ ବନ୍ଧୁ ଏଥିରେ ନାରାଜ ମଧ୍ୟ ହୋଇଥିଲେ । ସବୁ ଜାଗାରେ ମୁଁ ଯଦି ଶାନ୍ତିର ଆଶା କରେ ଏବଂ ସତ୍ୟାଗ୍ରହରେ ଏଭଳି ସର୍ତ୍ତ ରଖେ, ତେବେ ବଡ଼ ଆକାରରେ ସତ୍ୟାଗ୍ରହ କେବେ ଚଳିପାରିବ ନାହିଁ—ଏହିପରି ସେମାନେ ମନେ କରୁଥିଲେ । ମୁଁ ମୋର ମତଭେଦ ଜଣାଇଥିଲି । ଯାହାଙ୍କ ମଧ୍ୟରେ ମୁଁ କାମ କରୁଥିଲି ଏବଂ ଯାହାଙ୍କ ଜରିଆରେ ସତ୍ୟାଗ୍ରହ ଚଳେଇବାର ଆଶା ପୋଷିଥିଲି, ସେମାନେ ଯଦି ଅହିଂସ ନ ରହିବେ, ତେବେ ସତ୍ୟାଗ୍ରହ ଅସମ୍ଭବ-। ଏତକ ସୀମାବଦ୍ଧ ଶାନ୍ତିରକ୍ଷା କରେଇବା ଶକ୍ତି ସତ୍ୟାଗ୍ରହୀ ନେତାଙ୍କର ଥିବା ଉଚିତ, ଏହା ମୋର ଯୁକ୍ତି ଥିଲା । ଆଜି ମଧ୍ୟ ସେ ମତକୁ ମୁଁ ବଦଳେଇ ପାରିନାହିଁ ।

 

ପାହାଡ଼ ପରି ଭୁଲ

 

ଅହମଦାବାଦ ସଭାର ପରେ ପରେ ମୁଁ ନଦିୟାଦ ଯାଇଥିଲି । ‘ହିମାଳୟପରି ଭୁଲ’ ଏହି ଯେ କଥାଟା ବିଖ୍ୟାତ ହୋଇଥିଲା, ତାହା ମୁଁ ପହିଲେ ନଦିୟାଦରେ ବ୍ୟବହାର କରିଥିଲି । ଅହମଦାବାଦଠାରେ ମୋର ଭୁଲ ମତେ ଦେଖାଯିବାକୁ ଆରମ୍ଭ ହୋଇଥିଲା । କିନ୍ତୁ ନଦିୟାଦରେ ପହଞ୍ଚି ଯେତେବେଳେ ସେଠାକାର ଅବସ୍ଥା ବୁଝିଥିଲି ଏବଂ ଖେଡ଼ା ଜିଲାରୁ ବହୁତ ଲୋକେ ଧରାହେବାର ସମ୍ବାଦ ପାଇଥିଲି, ଯେଉଁ ସଭାରେ ମୁଁ ସେହିସବୁ ଘଟଣା ଉପରେ ବକ୍ତୃତା ଦେଉଥିଲି, ସେହି ସଭାରେ ମତେ ହଠାତ୍ ଜଣାପଡ଼ିଯାଇଥିଲା ଯେ ଜିଲାର ତଥା ଅନ୍ୟ ଲୋକଙ୍କୁ ଆଇନ ଅମାନ୍ୟ କରିବାକୁ ତରତର ହୋଇ ଡାକ ଦେଇ ମୁଁ ଭୁଲ କରିଛି । ସେ ଭୁଲ ମତେ ପାହାଡ଼ ପରି ଜଣାପଡ଼ିଥିଲା । ମୁଁ ଦୋଷ ମାନିଯିବାରୁ ଲୋକେ ମତେ ଭଲରକମ ଥଟ୍ଟା କରିଥିଲେ । କିନ୍ତୁ ଦୋଷ ସ୍ୱୀକାର କରିଥିବାରୁ ମୋର କେବେ ଅନୁତାପ ହୋଇନାହିଁ । ମୋର ସବୁଦିନେ ବିଶ୍ୱାସ ଯେ ଯେତେବେଳେ ଜଣେ ପରର ହାତୀପରି ଭୁଲକୁ ଧୂଳିକଣା ପରି ବିଚାରିବ ଏବଂ ନିଜର ସୋରିଷଭଳି ଭୁଲକୁ ପାହାଡ଼ପରି ଦେଖିବ, ସେତେବେଳେ ଯାଇ ସେ ଆପଣାର ଓ ପରର ଦୋଷର ଯଥାର୍ଥ କଳନା କରି ପାରିବ । ଉପରନ୍ତୁ ଯେ ସତ୍ୟାଗ୍ରହୀ ହେବାକୁ ଚାହେଁ, ତାହାର ଏ ନିୟମକୁ ବହୁତ ବେଶୀ ସୂକ୍ଷ୍ମଭାବରେ ମାନିବା ଉଚିତ ବୋଲି ମୋର ମତ ।

 

ବର୍ତ୍ତମାନ ଦେଖାଯାଉ ହିମାଳୟ ପରି ଭୁଲଟା କ’ଣ ଥିଲା । ଯେଉଁଲୋକ ଆଇନକୁ ନମ୍ରଭାବରେ ସ୍ୱେଚ୍ଛାରେ ମାନଆସିଛି, ସେହି ଲୋକ ଆଇନର ସବିନୟ ଭଙ୍ଗ କରିପାରେ । ସାଧାରଣତଃ ଆଇନ ଲଙ୍ଘନ ପାଇଁ ଥିବା ଦଣ୍ଡର ଡରରେ ଆମେସବୁ ଆଇନକୁ ମାନିଥାଉ । ଯେଉଁସବୁ ଆଇନରେ ନୀତି ଅନୀତି ପ୍ରଶ୍ନ ନାହିଁ, ସେଭଳି ଆଇନ ସମ୍ପର୍କରେ ଏହା ବିଶେଷ ଘଟିଥାଏ । ଆଇନ ଥାଉ ନ ଥାଉ ଜଣେ ସାଧୁବ୍ୟକ୍ତି କେବେହେଁ ହଠାତ୍ ଚୋରିକରିବାକୁ ଯିବେନାହିଁ; କିନ୍ତୁ ଅନ୍ଧାରରେ ଆଲୁଅ ଲଗାଇ ସାଇକେଲ୍ ଚଢ଼ିବା ନିୟମକୁ ଭାଙ୍ଗିବାରେ ଜଣେ ସାଧୁଲୋକ ଟିକିଏ ହେଲେ ମନରେ କଷ୍ଟ କରିବ ନାହିଁ । ଏ ସମ୍ବନ୍ଧରେ ଅଧିକ ସାବଧାନ ହେବାକୁ ଯଦି ଉପଦେଶ ଦିଆଯାଏ, ସେ ଉପଦେଶକୁ ବି ହଠାତ୍ ଭଲଭାବରେ ଗ୍ରହଣ କରିବେ କି ନାହିଁ, ସେଥିରେ ସନ୍ଦେହ । କିନ୍ତୁ ଯେତେବେଳେ ସେ ଆଇନରେ ପଡ଼େ ଓ ତାକୁ ଭାଙ୍ଗିଥିବାରୁ ଦଣ୍ଡ ହେବାର ଡର ହୁଏ, ସେତବେଳେ ଦଣ୍ଡର ଅସୁବିଧା ବା କଷ୍ଟର ରକ୍ଷାପାଇଁ ସେ ରାତିରେ ସାଇକେଲରେ ଆଲୁଅ ଜଳେଇଥାଏ । ମାତ୍ର ନିୟମର ଏଭଳି ପାଳନକୁ କେବେହେଁ ସ୍ୱେଚ୍ଛାରେ ପାଳିବା ବୋଲି କୁହାଯିବ ନାହିଁ । ସତ୍ୟାଗ୍ରହୀ ସମାଜର ଯେ ଆଇନ୍‌କୁ ମାନିଥାଏ, ସେ ବୁଝି ସୁଝି, ସ୍ୱେଚ୍ଛାରେ ଓ ମାନିବା ଉଚିତ ବୋଲି ଜାଣି ମାନିଥାଏ । ଏମିତି ଯେଉଁ ବ୍ୟକ୍ତି ନିୟମକୁ ସ୍ୱେଚ୍ଛାରେ ମାନେ, ସେହି ବ୍ୟକ୍ତିର ନିୟମର ନୀତି ଅନୀତି ଭେଦ ବୁଝିବାର ଶକ୍ତି ଆସିଥାଏ ଏବଂ ତାକୁହିଁ କେତେକ ବିଶିଷ୍ଟ ଅବସରରେ ନିର୍ଦ୍ଦିଷ୍ଟ ଆଇନର ଅମାନ୍ୟ କରିବାର ଅଧିକାର ମିଳିଥାଏ । ଲୋକେ ଆଇନ ଅମାନ୍ୟ ପାଇଁ ଏଭଳି ଉପଯୁକ୍ତ ହେବା ପୂର୍ବରୁ ମୁଁ ସେମାନଙ୍କୁ ଡାକ ଦେଇଥିଲି । ମୋର ଭୁଲଟା ମତେ ପାହାଡ଼ପରି ଜଣାପଡ଼ିଥିଲା । ଖେଡ଼ାଜିଲାରେ ପ୍ରବେଶ କଲାମାତ୍ରକେ ଖେଡ଼ା ସତ୍ୟାଗ୍ରହର ସବୁ ସ୍ମୃତି ମୋ ମନରେ ଜାଗିଉଠିଥିଲା ଏବଂ ମତେ ଲାଗିଥିଲା ଯେ ମୁଁ ଆଖି ଥାଉଁ ଥାଉଁ ଅନ୍ଧ ହୋଇଥିଲି । ମୁଁ ବୁଝିପାରିଥିଲି ଯେ ଲୋକେ ଆଇନ ଅମାନ୍ୟ ପାଇଁ ଉପଯୁକ୍ତ ହେବା ପୂର୍ବରୁ ତାହାର ଗଭୀର ମର୍ମ ସେମାନଙ୍କର ବୁଝିବା ଦରକାର । ଯେ ଆଇନକୁ ପ୍ରତ୍ୟହ ମନେ ମନେ ଭାଙ୍ଗୁଥିବ, ଯେ ଲୁଚେଇ ଚୋରେଇ ବହୁତ ଥର ଆଇନ୍ ଭାଙ୍ଗେ ସେ କିପରି ହଠାତ୍ ସବିନୟ ଆଇନ୍‌ଭଙ୍ଗ କ’ଣ ତା’ ବୁଝି ପାରିବ ? ତା’ର ସୀମା କେଉଁଠି ରହିବ ? ଉପରୋକ୍ତ ଆଦର୍ଶ ଅନୁସାରେ ଲକ୍ଷଲକ୍ଷ ଲୋକଙ୍କର ପହଁଞ୍ଚିବା ଅସମ୍ଭବ, ଏହା ସହଜରେ ବୁଝାଯାଉଛି । ଏପରି ସ୍ଥଳେ ଭବିଷ୍ୟତରେ ଆଇନ୍‌ ଅମାନ୍ୟ ଆରମ୍ଭ କରିବା ପୂର୍ବରୁ ଏମିତି ଦଳେ ପବିତ୍ର ଶୁଦ୍ଧ ସ୍ୱେଚ୍ଛାସେବକ ଗଢ଼ିବାକୁ ହେବ, ଯେଉଁମାନେ କି ଲୋକଙ୍କୁ ବୁଝାଉଥିବେ ଓ ଲୋକଙ୍କୁ ଠିକ୍‍ ବାଟରେ ଚଳଉଥିବେ ଏବଂ ଏ ଦଳ ମଧ୍ୟ ସବିନୟ ଭଙ୍ଗ ଓ ତାହାର ସୀମାକୁ ଭଲରକମ ନିଜେ ବୁଝିଥିବେ ।

 

ମୁଁ ଏହିଭଳି ଚିନ୍ତା କରୁ କରୁ ବମ୍ବେ ପହଞ୍ଚି ସତ୍ୟାଗ୍ରହ ସଭା ସାହାଯ୍ୟରେ ସେଠି ଦଳେ ସତ୍ୟାଗ୍ରହୀ ସ୍ୱେଚ୍ଛାସେବକ ଗଢ଼ିଥିଲି ଏବଂ ସେମାନଙ୍କ ଜରିଆରେ ଲୋକଙ୍କୁ ସତ୍ୟାଗ୍ରହ ଶିକ୍ଷା ଦେବାକୁ ଆରମ୍ଭ କରିଥିଲି । ଏହି ଶିକ୍ଷାପାଇଁ କେତେକ ପୁସ୍ତିକା ବି ପ୍ରକାଶ କରିଥିଲି । ଏ କାମ ଠିକ୍ ଚାଲିଲା, କିନ୍ତୁ ତାକୁ ମୁଁ ଚିତ୍ତାକର୍ଷକ କରିପାରି ନ ଥିଲି । ବହୁ ସଂଖ୍ୟାରେ ସ୍ୱେଚ୍ଛାସେବକ ମଧ୍ୟ ମିଳି ନ ଥିଲେ । ଯେଉଁମାନେ ଯୋଗଦେଇ ଥିଲେ, ସେମାନେ ମଧ୍ୟ ନିୟମିତ ତାଲିମ ନେଇଥିଲେ ବୋଲି କହିହେବ ନାହିଁ । ଯେଉଁମାନେ ନାଁ ଲେଖେଇଥିଲେ ସେମାନେ କ୍ରମେ ଦୃଢ଼ ହେବା ପରିବର୍ତ୍ତେ ଖସିଯିବାକୁ ଲାଗିଥିଲେ । ମୁଁ ବୁଝିପାରିଥିଲି ଯେ, ଆଇନ ଅମାନ୍ୟ ଯେତେ ଶୀଘ୍ର ଆଗେଇବା ଆଶା କରିଥିଲି; ତା’ଠୁ ଧୀରେ ଧୀରେ ଆଗେଇବାର ଥିଲା ।

 

ନବଜୀବନ ଓ ୟଙ୍ଗ ଇଣ୍ଡିଆ

 

ଯେତେ ଧୀରେ ହେଉପଛେ ଶାନ୍ତି ସ୍ଥାପନର ଆନ୍ଦୋଳନ ଏ ଦିଗରେ ଚାଲିଥାଏ, ଅନ୍ୟଦିଗରେ ସରକାରଙ୍କର ଦମନ ପୂରାଦମରେ ଚାଲିଥାଏ । ତା’ର ଏକାନ୍ତ ନଗ୍ନମୂର୍ତ୍ତି ପଞ୍ଜାବରେ ପ୍ରକାଶ ପାଇଥିଲା । ନେତାମାନେ ଧରା ହୋଇଥିଲେ । ସାମରିକ ଆଇନ ଅର୍ଥାତ୍ ଯାହା ଖୁସି କରିବା ଆରମ୍ଭ ହୋଇଯାଇଥିଲା । ବିଶେଷ ଅଦାଲତ ଗୁଡ଼ିକ ଅଦାଲତ ନ ଥିଲା, କିନ୍ତୁ ଏ ଜଣେ ଲାଟଙ୍କ ହୁକୁମ ତାମିଲ କରିବା ଯନ୍ତ୍ର ଥିଲା । ବିନା ସାକ୍ଷୀ ପ୍ରମାଣରେ ଦଣ୍ଡ ଦିଆ ହେଉଥିଲା । ସୈନ୍ୟମାନେ ନିର୍ଦ୍ଦୋଷ ସ୍ତ୍ରୀ ପୁରୁଷଙ୍କୁ ଜିଆଭଳି ପେଟରେ ଘୁଷୁଡ଼ି ଘୁଷୁଡ଼ି ଚଳଉଥିଲେ । ଯଦ୍ୟପି ଜାଲିଆନାଓ୍ୱାଲାବାଗ୍ ହତ୍ୟାକାଣ୍ଡ ଲୋକଙ୍କ ତଥା ଜଗତର ଦୃଷ୍ଟି ଆକର୍ଷଣ କରିଥିଲା, ତଥାପି ଉପରୋକ୍ତ ଘଟଣା ଆଗରେ ସେ ହତ୍ୟାକାଣ୍ଡ ମତେ ତୁଚ୍ଛ ଜଣାପଡ଼ିଥିଲା ।

 

ଯେ କୌଣସି ମତେ ପଞ୍ଜାବକୁ ଶୀଘ୍ର ଯିବାକୁ ବନ୍ଧୁମାନେ ମତେ ବଳେଇଥିଲେ । ମୁଁ ବଡ଼ଲାଟଙ୍କୁ ଚିଠି ଲେଖିଥିଲି, ତାର ମଧ୍ୟ କରିଥିଲି; କିନ୍ତୁ ଅନୁମତି ମିଳି ନଥିଲା । ଅନୁମତି ନ ନେଇ ଗଲେ ମତେ ପଞ୍ଜାବସୀମା ଡେଇଁବାକୁ ଦେଇ ନ ଥାନ୍ତେ ଏବଂ ଆଇନ୍ ଅମାନ୍ୟରୁ ଯେତିକି ସନ୍ତୋଷ ମିଳିଥାନ୍ତା, ସେତିକିରେ ମତେ ସନ୍ତୁଷ୍ଟ ରହିବାକୁ ପଡ଼ିଥାନ୍ତା । ତେଣୁ ଏ ଧର୍ମସଙ୍କଟରେ କ’ଣ କରିବି ସେହି ବିଷମ ସମସ୍ୟା ମୋ ନିକଟରେ ଆସି ଉପସ୍ଥିତ ହୋଇଥିଲା । ମୁଁ ପଞ୍ଜାବ ପ୍ରବେଶ ନିଷେଧ ହୁକୁମ ଅମାନ୍ୟ କରି ପଞ୍ଜାବ ଯାଇଥିଲେ ସବିନୟ ଭଙ୍ଗ ହୋଇ ନ ଥାନ୍ତା । ଯେଭଳି ଶାନ୍ତିପୂର୍ଣ୍ଣ ବାୟୁମଣ୍ଡଳ ମୁଁ ଚାହୁଁ ଥିଲି, ତାହା ସେତେବେଳଯାଏ ଦେଖିପାରି ନଥିଲି । ପଞ୍ଜାବର ନାଦିରଶାହୀ ଶାସନ ଲୋକଙ୍କ ମନରେ ଅଶାନ୍ତି ବଢ଼ାଇ ଦେଇଥିଲା । ସେତେବେଳେ ମୋର ଆଇନ ଅମାନ୍ୟ କରିବା ନିଆଁରେ ଆହୂତି ଦେଲାଭଳି ହୋଇଥାନ୍ତା । ତେଣୁ ହଠାତ୍ ପଞ୍ଜାବ ଯିବାପାଇଁ ପ୍ରସ୍ତାବମାନ ମୁଁ ଶୁଣି ନ ଥିଲି । ମୋର ଏ ନିଷ୍ପତ୍ତି ମତେ ମଧ୍ୟ ପିତା ଔଷଧ ପିଇଲା ପରି ଲାଗିଥିଲା । ପ୍ରତ୍ୟହ ପଞ୍ଜାବରୁ ଅତ୍ୟାଚାରର ଖବର ଆସୁଥାଏ, ମୁଁ ସେ ସବୁ ଶୁଣୁଥାଏ ଏବଂ ଦାନ୍ତ କଡ଼ମଡ଼ କରି ଚୁପ ରହିଥାଏ ।

 

ସେତିକିବେଳେ ଯେଉଁ ହର୍ଣ୍ଣିମ୍ୟାନ ସାହେବ ‘ବମ୍ବେକ୍ରନିକ୍ଲ’ ଖବରକାଗଜକୁ ଏକ ପ୍ରଚଣ୍ଡ ଶକ୍ତିର ଆଧାର କରି ଦେଇଥିଲେ; ତାଙ୍କୁ ସରକାର ଚୋରି କରି ନେଇ ଯାଇଥିଲା । ଏ ଚୋରି ଏତେ କଦର୍ଯ୍ୟ ଥିଲା ଯେ, ତାର ଦୁର୍ଗନ୍ଧ ଏ ପର୍ଯ୍ୟନ୍ତ ନାକରେ ଲାଗିରହିଛି । ମୁଁ ଜାଣେ ହର୍ଣ୍ଣିମ୍ୟାନ କେବେହେଁ ଅରାଜକତା ଚାହୁଁ ନ ଥିଲେ । ସତ୍ୟାଗ୍ରହ ସଭାର ବିନାନୁମତିରେ ମୁଁ ପଞ୍ଜାବ ସରକାରଙ୍କ ହୁକୁମ ଅମାନ୍ୟ କରିଥିଲି, ତାହା ସେ ପସନ୍ଦ କରିଥିଲେ । ସତ୍ୟାଗ୍ରହ ବନ୍ଦ କରିବା ପ୍ରସ୍ତାବକୁ ସେ ପୂରାପୂରି ସମର୍ଥନ କରିଥିଲେ । ବନ୍ଦ କରିବାକୁ ମୋର ଇଚ୍ଛା ପ୍ରକାଶ କରିବା ପୂର୍ବରୁ ସେ ମତେ ବନ୍ଦ କରିବାକୁ ପରାମର୍ଶ ଦେଇ ଖଣ୍ଡେ ଚିଠି ଲେଖିଥିଲେ । କିନ୍ତୁ ବମ୍ବେଠାରୁ ଅହମଦାବାଦ ଦୂରରେ ଥିବାରୁ ସେ ଚିଠିଖଣ୍ଡି ମୋର ଇଚ୍ଛା ପ୍ରକାଶ କରିବା ପରେ ମୋ ହାତରେ ପଡ଼ିଥିଲା । ଏହିସବୁ ଘଟଣାଯୋଗୁ ତାଙ୍କୁ ଦେଶ ବାହାର କରି ଦେବାରେ ମୁଁ ଯେତିକି ଦୁଃଖିତ ହୋଇଥିଲି, ସେତିକି ଆଶ୍ଚର୍ଯ୍ୟ ବି ହୋଇଥିଲି । ବମ୍ବେ ‘କ୍ରନିକ୍ଲ’ର କର୍ତ୍ତାମାନେ କାଗଜଟି ଚଳେଇବା ବୋଝ ମୋ ଉପରେ ଲଦି ଦେଇଥିଲେ । ସେଠି ମି: ବ୍ରେଲଭି ଥିବାରୁ ମତେ ବେଶୀ କିଛି କରିବାକୁ ପଡ଼ି ନଥିଲା । ନଚେତ୍ ମୋର ସ୍ୱଭାବ ଯେମିତି ଏ ନୂଆବୋଝ ମତେ ବଳେଇ ପଡ଼ିଥାନ୍ତା । କିନ୍ତୁ ଏ ଦାୟିତ୍ୱ ମତେ ବେଶୀଦିନ ମୁଣ୍ଡାଇବାକୁ ପଡ଼ି ନଥିଲା । ଶେଷରେ ସରକାରଙ୍କ ଦୟାରୁ କାଗଜଟି ସାମୟିକ ଭାବେ ବନ୍ଦ ହୋଇଥିଲା ।

 

ଉମର ଶୋବାନୀ ଓ ଶଙ୍କରଲାଲ ବ୍ୟାଙ୍କର କାଗଜଟିର ପରିଚାଳକ ଥିଲେ ଏବଂ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାଟି ବାହାରିବାରେ ତାଙ୍କର ହାତ ଥିଲା । ଏ ଦୁଇ ବନ୍ଧୁ ‘ୟଙ୍ଗ୍ ଇଣ୍ଡିଆ’ ର ଭାର ଗ୍ରହଣ କରିବାକୁ ମୋତେ ଅନୁରୋଧ କରିଥିଲେ । ‘କ୍ରନିକ୍ଲ’ର ଅଭାବ କିଛି ମାତ୍ରାରେ ପୂରଣ କରିବା ଉଦ୍ଦେଶ୍ୟରେ ସାପ୍ତାହିକ ‘ୟଙ୍ଗ ଇଣ୍ଡିଆ’କୁ ସପ୍ତାହରେ ଦୁଇଥର ପ୍ରକାଶ କରିବା ପ୍ରସ୍ତାବ ତାଙ୍କୁ ଓ ମତେ ପସନ୍ଦ ହୋଇଥିଲା । ସତ୍ୟାଗ୍ରହର ତତ୍ତ୍ୱ ବୁଝାଇବାପାଇଁ ମୁଁ ବଡ଼ ବ୍ୟଗ୍ର ଥିଲି । ପଞ୍ଜାବ ପାଇଁ କିଛି ନ କଲେ ସରକାରଙ୍କୁ ସମାଲୋଚନା ଟିକିଏ ତ କରିପାରିଥାନ୍ତି ଏବଂ ତା’ ପଛରେ ସତ୍ୟାଗ୍ରହରେ ଶକ୍ତି ଅଛି ବୋଲି ସରକାର ଜାଣି ପାରିଥାନ୍ତେ । ତେଣୁ ବନ୍ଧୁମାନଙ୍କ ପ୍ରସ୍ତାବରେ ରାଜି ହୋଇଥିଲି । କିନ୍ତୁ ଇଂରେଜୀ ଭାଷାରେ ସାଧାରଣ ଲୋକ ସତ୍ୟାଗ୍ରହ ଶିକ୍ଷା ପାଆନ୍ତେ କିପରି ? ମୋର ପ୍ରଧାନ କର୍ମକ୍ଷେତ୍ର ଗୁଜୁରାତ ଥିଲା । ସେତେବେଳେ ଭାଇ ଇନ୍ଦୁଲାଲ ଯାଜ୍ଞିକ ମଧ୍ୟ ସେହି ଦଳରେ ଥିଲେ । ସେ ଗୁଜୁରାତି ପତ୍ରିକା ‘ନବଜୀବନ’ ଚଳାଉଥିଲେ । ଆର ବନ୍ଧୁ ଦୁଇଜଣ ତାର ଖର୍ଚ୍ଚ ଦେଉଥିଲେ । ସେମାନେ ଏହି ମାସିକ ପତ୍ରିକାକୁ ମତେ ସମର୍ପି ଦେଇଥିଲେ ଏବଂ ସେହି ଯାଜ୍ଞିକ ସେଥିରେ କାମକରିବାକୁ ରାଜିହୋଇଥିଲେ । ଏ ମାସିକ ପତ୍ରିକାକୁ ସାପ୍ତାହିକ କରି ଦିଆ ହୋଇଥିଲା ।

 

ଇତ୍ୟବସରରେ ‘କ୍ରନିକ୍‌ଲ’ ପୁଣି ଜୀଇଁ ଉଠିଥିଲା ଏବଂ ‘ୟଙ୍ଗ ଇଣ୍ଡିଆ’କୁ ପୂର୍ବପରି ସାପ୍ତାହିକ କରା ହୋଇଥିଲା । ଦୁଇଟି ଜାଗାରୁ ଦୁଇଟି ସାପ୍ତାହିକ ଚଳାଇବା ମତେ ଅଡ଼ୁଆ ପଡ଼ିଥାନ୍ତା ଏବଂ ଅଧିକ ଖର୍ଚ୍ଚ ହୋଇଥାନ୍ତା । ନବଜୀବନ ଆଗରୁ ଅହମଦାବାଦରେ ଛାପା ହେଉଥିବାରୁ ମୋ ପ୍ରସ୍ତାବ ଅନୁସାରେ ‘ୟଙ୍ଗ ଇଣ୍ଡିଆ’କୁ ସେଠାକୁ ନିଆ ଯାଇଥିଲା ।

 

ଇଣ୍ଡିଆନ ଓପିନିୟନ କାଗଜ ଚଳେଇବା ଅଭିଜ୍ଞତାରୁ ମୁଁ ଜାଣିଥିଲି ଯେ, ଏଭଳି କାଗଜପାଇଁ ନିଜର ଛାପାଖାନା ଆବଶ୍ୟକ । ଅଧିକନ୍ତୁ ଭାରତରେ ସେ ବେଳର ଛାପାଖାନା ଏମିତି ଥିଲା ଯେ, ବ୍ୟବସାୟ ପାଇଁ ଚଳୁଥିବା ଛାପାଖାନାମାନେ ମୋ ଲେଖା ଛାପିବାକୁ ସଂକୋଚ କରୁଥିଲେ । ଏହାହିଁ ଛାପାଖାନାଟିଏ ବସେଇବାର ପ୍ରଧାନ କାରଣ ଥିଲା ଏବଂ ଅହମଦାବାଦରେ ଏହା ସହଜରେ ହୋଇପାରନ୍ତା ବୋଲି ‘ୟଙ୍ଗ ଇଣ୍ଡିଆ’ କୁ ସେଠାକୁ ନେଇ ଯାଇଥିଲୁ ।

 

ଏହି କାଗଜ ଦିଖଣ୍ଡ ସାହାଯ୍ୟରେ ଜନସାଧାରଣଙ୍କୁ ସତ୍ୟାଗ୍ରହ ବିଷୟରେ ଶିକ୍ଷା ଦେବାକୁ ଆରମ୍ଭ କରିଥିଲି । ପହିଲେ ଉଭୟେ ବହୁତ କମ୍ ବିକ୍ରୀ ହେଉଥିଲେ । ନବଜୀବନର ବିକ୍ରୀ ହୁ ହୁ କରି ବଢ଼ିଥିଲା, ମାତ୍ର ୟଙ୍ଗ୍ ଇଣ୍ଡିଆର ବିକ୍ରୀ ଧୀରେ ଧରେ ବଢ଼ୁଥିଲା । ମୋର ଜେଲଦଣ୍ଡ ପରେ ଉଭୟ କାଗଜର କାଟତି କମି ଯାଇଥିଲା । ଏବଂ ଏବେ ଆଠ ହଜାର ତଳକୁ ପଡ଼ି ଯାଇଛି । ମୁଁ ମୂଳରୁ ବିଜ୍ଞାପନ ଛାପିବା ପସନ୍ଦ କରି ନ ଥିଲି । ସେଥିରେ କିଛି କ୍ଷତି ହୋଇ ନାହିଁ ବୋଲି ମୋର ମତ । ବରଂ ପକ୍ଷାନ୍ତରେ ମୋର ବିଶ୍ୱାସ, ସେଇଥିପାଇଁ କାଗଜ ଦିଓଟି ନିଜର ବିଶେଷତ୍ୱ ବଜାୟ ରଖିଛନ୍ତି ।

 

ଅଧିକନ୍ତୁ ଏ ଦୁଇଟି ପତ୍ରିକା ଯୋଗୁ କେତେକ ପରିମାଣରେ ମୋ ଭିତରେ ଟିକିଏ ଶାନ୍ତି ଆସିଥିଲା । କାରଣ ସଙ୍ଗେ ସଙ୍ଗେ ଆଇନ ଅମାନ୍ୟ ଆରମ୍ଭ ନ କରିପାରିଥିଲେ ମଧ୍ୟ ମୁଁ ମୋର ମତାମତ ଅବାଧରେ ପ୍ରକାଶ କରୁଥିଲି ଏବଂ ଯେଉଁମାନେ ପରାମର୍ଶ ପାଇଁ ମତେ ଅନେଇ ବସୁଥିଲେ, ତାଙ୍କୁ ଟିକିଏ ଦମ୍ଭ ବି ଦେଇ ପାରୁଥିଲି । ଏଥିପାଇଁ ମୁଁ ମନେକରେ ଏ ସଙ୍କଟ ସମୟରେ କାଗଜ ଦୁଇଟି ଲୋକଙ୍କର ଭଲ ସେବା କରିଛନ୍ତି ଏବଂ ସାମରିକ ଆଇନର ଜୁଲମକୁ ହାଲୁକା କରିବାରେ ଯତ୍‌ସାମାନ୍ୟ ସାହାଯ୍ୟ କରିଛନ୍ତି ।

 

Unknown

ପଞ୍ଜାବରେ

 

ସାର୍‌ ମାଇକେଲ୍ ଓଡ଼ାୟାର ପଞ୍ଜାବର ଘଟଣା ପାଇଁ ମତେ ଦାୟୀ କରିଥିଲେ ଏବଂ ସେଠାକାର କେତେକ ଯୁବକ ମଧ୍ୟ ସାମରିକ ଆଇନପାଇଁ ମତେ ଦୋଷ ଦେବାକୁ କୁଣ୍ଠିତ ହୋଇ ନ ଥିଲେ । ମୁଁ ସତ୍ୟାଗ୍ରହ ବନ୍ଦ ନ କରିଥିଲେ ଜାଲିୟାନାଓ୍ୱାଲାବାଗ୍ ହତ୍ୟାକାଣ୍ଡ ଘଟି ନ ଥାନ୍ତା, ସାମରିକ ଆଇନ ଜାରି ହୋଇ ନ ଥାନ୍ତା ବୋଲି ସେହି କ୍ରୋଧାନ୍ଧ ଯୁବକମାନେ ଯୁକ୍ତି କରୁଥିଲେ । ଏପରି କି ମୁଁ ପଞ୍ଜାବ ଗଲେ ଲୋକେ ମତେ ହତ୍ୟା କରିବେ ବୋଲି କେତେକ ଧମକାଉଥିଲେ । କିନ୍ତୁ ମୋ ମତରେ ମୋର କାମ ଏଭଳି ପୂରାପୂରି ନର୍ଦୋଷ ଥିଲା ଯେ, କୌଣସି ବୁଝିବା ସୁଝିବା ବ୍ୟକ୍ତି ତାହାକୁ କେବେହେଁ ଭୁଲ ବୁଝନ୍ତେ ନାହିଁ ।

 

ମୁଁ ପଞ୍ଜାବ ଯିବାକୁ ଅଧୀର ହୋଇ ପଡ଼ିଥିଲି । ମୁଁ ପଞ୍ଜାବ କେବେ ଦେଖି ନ ଥିଲି । ନିଜ ଆଖିରେ ସବୁ କଥା ଦେଖିବାପାଇଁ ମୋର ପ୍ରବଳ ଇଚ୍ଛା ହୋଇଥିଲା । ଡାକ୍ତର ସତ୍ୟପାଲ, ଡାକ୍ତର କିଚଲୁ ଓ ପଣ୍ଡିତ ରାମଭଜ ଦତ୍ତ ଚୌଧୁରୀ ମତେ ପଞ୍ଜାବକୁ ଡାକିଥିଲେ । ସେମାନଙ୍କୁ ଦେଖିବାର ଇଚ୍ଛା ହୋଇଥିଲା । ସେମାନେ ଜେଲରେ ଥିଲେ; କିନ୍ତୁ ମୋର ବିଶ୍ୱାସ ଥିଲା ସରକାର ବେଶୀଦିନ ତାଙ୍କୁ ବନ୍ଦୀ ରଖିପାରି ନଥାନ୍ତେ । ବମ୍ବେଠାରେ ବହୁସଂଖ୍ୟକ ପଞ୍ଜାବୀ ଆସି ମୋ ସଙ୍ଗେ ଦେଖା କରୁଥିଲେ । ଏ ସୁଯୋଗରେ ମୁଁ ସେମାନଙ୍କୁ ଅଧେ ଆଶ୍ୱାସନା ବାଣୀ ଦେଉଥିଲି ଏବଂ ସେଥିରେ ତାଙ୍କର ଆନନ୍ଦ ହେଉଥିଲା । ସେତେବେଳେ ମୋର ଆତ୍ମବିଶ୍ୱାସ ବହୁତ ଥିଲା । କିନ୍ତୁ ମୋର ପଞ୍ଜାବ ଯିବା ପଛକୁ ଘୁଞ୍ଚି ଘୁଞ୍ଚି ଯାଉଥାଏ । ବଡ଼ଲାଟ ବରାବର ଉତ୍ତର ଦେଉଥାନ୍ତି, ‘‘ଏବେ ନୁହେଁ ।’’ ଇତ୍ୟବସରରେ ହଣ୍ଟର କମିଟି ଆସିଲେ । ସେମାନେ ସାମରିକ ଆଇନ ଅମଳରେ ପଞ୍ଜାବ ସରକାରୀ ଲୋକଙ୍କ କାର୍ଯ୍ୟ ତଦନ୍ତ କରିବାକୁ ନିଯୁକ୍ତ ହୋଇଥିଲେ । ଏତେବେଳକୁ ମିଃ ଏଣ୍ଡୃଜ ପଞ୍ଜାବରେ ପହଞ୍ଚିଯାଇଥାନ୍ତି । ତାଙ୍କ ଚିଠିରୁ ହୃଦୟବିଦାରକ ଖବର ମିଳୁଥିଲା । ଖବର କାଗଜରେ ଯାହା ବାହାରୁଥିଲା, ତାହାଠାରୁ ଢେର ବେଶୀ ଅତ୍ୟାଚାର ହୋଇଥିଲା ବୋଲି ତାଙ୍କ ଚିଠିରୁ ଜଣାପଡ଼ୁଥିଲା । ଜରୁର ଯାଇ ତାଙ୍କ ସଙ୍ଗେ ଯୋଗ ଦେବାକୁ ସେ ଲଗେଇଥିଲେ । ଅନ୍ୟଆଡ଼ୁ ଅବିଳମ୍ବେ ପଞ୍ଜାବ ଯିବାକୁ ମାଲବ୍ୟଜୀଙ୍କ ପାଖରୁ ତାର ଉପରେ ତାର ଆସୁଥାଏ । ମୁଁ ଲାଟଙ୍କୁ ପୁଣି ତାର କରିଥିଲି । ଅମୁକ ତାରିଖ ପରେ ପଞ୍ଜାବ ଯାଇପାରିବ ବୋଲି ସେ ତାରରେ ଜବାବ ଦେଇଥିଲେ । ସେ ତାରିଖଟି ମୋର ମନେ ନାହିଁ, ସମ୍ଭବତଃ ଅକ୍ଟୋବର ୧୭ ତାରିଖ ଥିଲା ।

 

ଲାହୋରରେ ପହଞ୍ଚି ଯାହା ଦୃଶ୍ୟ ଦେଖିଥିଲି, ତା’ ମୋ ମନରୁ ଯିବ ନାହିଁ । ରେଲଓ୍ୱେ ଷ୍ଟେସନ ଏମୁଣ୍ଡୁ ସେମୁଣ୍ଡ ଯାଏ ମଣିଷରେ ପୂର୍ଣ୍ଣ ରହିଥିଲା । ସତେ ଯେମିତି ବହୁଦିନ ବିଚ୍ଛେଦ ପରେ ଜଣେ ପ୍ରିୟ ବନ୍ଧୁଙ୍କ ସଙ୍ଗେ ଦେଖା କରିବାକୁ ଆପଣାର ଲୋକେ ଆସିଛନ୍ତି । ଲୋକେ ଆନନ୍ଦରେ ପାଗଳ ହୋଇ ଯାଇଥିଲେ । ମତେ ସ୍ୱର୍ଗୀୟ ରାମଭଜ ଦତ୍ତଙ୍କ ବଙ୍ଗଳାରେ ରଖେଇଥିଲେ ଏବଂ ମୋର ଚର୍ଚ୍ଚାର ଭାର ମୋର ପରିଚିତା ଶ୍ରୀମତୀ ସରଳା ଦେବୀ ଚୌଧୁରାଣୀଙ୍କ ଉପରେ ପଡ଼ିଥିଲା । ମୁଁ ଚର୍ଚ୍ଚା ଶବ୍ଦ ଜାଣିଶୁଣି ବ୍ୟବହାର କରୁଛି । କାରଣ ଆଜିକାଲିକା ଭଳି ସେତେବେଳେ ମୁଁ ଯେଉଁଠି ରହେ, ସେଠି ଗୃହସ୍ଥଙ୍କ ଘରଟି ଧର୍ମଶାଳା ପାଲଟିଯାଏ । ପଞ୍ଜାବରେ ଦେଖିଲି ଯେ, ପଞ୍ଜାବର ନେତା ଅଧିକାଂଶ ଜେଲରେ ଥିବାରୁ ତାଙ୍କ ସ୍ଥାନ ମାଲବ୍ୟଜୀ, ମୋତିଲାଲଜୀ ଓ ଶ୍ରଦ୍ଧାନନ୍ଦଜୀ ଦଖଲ କରିଥାନ୍ତି । ମାଲବ୍ୟଜୀ ଓ ଶ୍ରଦ୍ଧାନନ୍ଦଜୀଙ୍କୁ ମୁଁ ପୂର୍ବରୁ ଘନିଷ୍ଠ ଭାବରେ ଜାଣିଥିଲି । ମାତ୍ର ଏହିଥର ଲାହୋରରେ ପ୍ରଥମେ ମୋତିଲାଲଙ୍କ ସଙ୍ଗେ ବ୍ୟକ୍ତିଗତ ସମ୍ପର୍କ ସ୍ଥାପିତ ହୋଇଥିଲା । ଏହି ନେତାମାନେ ତଥା ଯେତେକ ସ୍ଥାନୀୟ ନେତା ଜେଲ ସମ୍ମାନରୁ ବଞ୍ଚିତ ହୋଇଥିଲେ, ସେମାନେ ମତେ ଶୀଘ୍ର ଆପଣାର କରି ପକେଇଥିଲେ । ମୁଁ କେଉଁଠି ନିଜକୁ ଅପରିଚିତ ବୋଲି ଭାବିପାରୁ ନ ଥିଲି ।

 

ଆମେ ସମସ୍ତେ ହଣ୍ଟର କମିଟି ଆଗରେ ସାକ୍ଷ୍ୟ ଦେବୁନାହିଁ ବୋଲି ଏକମତ ହୋଇ ନିଷ୍ପତ୍ତି କରିଥିଲୁ । ସେ ନିଷ୍ପତ୍ତିର କାରଣମାନ ସେତେବେଳେ ପ୍ରକାଶିତ ହୋଇଥିଲା ଏବଂ ବର୍ତ୍ତମାନ ମୁଁ ଏଥିରେ ଆଉ ପଡ଼ୁନାହିଁ । ଆଜି ମଧ୍ୟ ମୋର ମତ ଯେ, ଏସବୁ କାରଣ ବଡ଼ ଜବର ଥିଲା ଏବଂ ହଣ୍ଟର କମିଟି ବର୍ଜନ ଏକଦମ ଠିକ୍‍ ଥିଲା ।

 

କିନ୍ତୁ ଯଦି ହଣ୍ଟର କମିଟି ବର୍ଜନ ହେଲା, ତେବେ ଲୋକଙ୍କ ତରଫରୁ ଅର୍ଥାତ୍ କଂଗ୍ରେସ ତରଫରୁ ଆଉ ଗୋଟିଏ ତଦନ୍ତ କମିଟି ନିଯୁକ୍ତ କରିବା ସ୍ଥିର ହୋଇଥିଲା । ପଣ୍ଡିତ ମୋତିଲାଲ ନେହେରୁ, ସ୍ୱର୍ଗୀୟ ଦେଶବନ୍ଧୁ ସି. ଆର. ଦାସ, ଶ୍ରୀଯୁକ୍ତ ଆବାସ ତୟାବଜୀ, ଶ୍ରୀଯୁକ୍ତ ଏମ. ଆର. ଜୟକର ଏବଂ ମତେ ପଣ୍ଡିତ ମାଲବ୍ୟଜୀ ଏହି କମିଟିର ସଭ୍ୟ ନିଯୁକ୍ତ କରିଥିଲେ । ତଦନ୍ତ ପାଇଁ ଆମେ ଭିନ୍ନ ଭିନ୍ନ ଅଞ୍ଚଳକୁ ବାଣ୍ଟି ହୋଇ ଯାଇଥିଲୁ । କମିଟିର କାର୍ଯ୍ୟକୁ ଚଳେଇବା ଦାୟିତ୍ୱ ମୋରି ଉପରେ ସହଜରେ ଆସି ପଡ଼ିଥିଲା ଏବଂ ଗାଁ ଗହଳରେ ତଦନ୍ତ କରିବା ମୋରି ଭାଗରେ ବେଶୀ ପଡ଼ିଥିବାରୁ ମୁଁ ଘନିଷ୍ଠ ଭାବରେ ପଞ୍ଜାବ ଓ ପଞ୍ଜାବର ଗାଁ ଗହଳ ଦେଖିବାର ଅମୂଲ୍ୟ ସୁଯୋଗ ପାଇଥିଲି ।

 

ତଦନ୍ତ ସମୟରେ ପଞ୍ଜାବର ସ୍ତ୍ରୀ ଲୋକମାନଙ୍କ ସଙ୍ଗେ ପରିଚିତ ହୋଇଥିଲି । ସତେ ଯେମିତି ପରସ୍ପରକୁ କେତେ ଯୁଗରୁ ଜାଣିଥିଲୁ । ଯେଉଁଠାକୁ ମୁଁ ଯାଉଥିଲି, ସେମାନେ ପଲ ପଲ ହୋଇ ଆସୁଥିଲେ ଏବଂ ମୋ ଆଗରେ ଅରଟ ସୂତା ଗଦା କରି ଦେଉଥିଲେ । ଏ ତଦନ୍ତ କାର୍ଯ୍ୟ ମତେ ଭଲ କରି ବିଶ୍ୱାସ କରେଇଦେଲା ଯେ, ଖଦି କାମ ପାଇଁ ପଞ୍ଜାବ ଖୁବ୍ ପ୍ରଶସ୍ତ କ୍ଷେତ୍ର ହୋଇପାରିବ ।

 

ଲୋକଙ୍କ ଉପରେ ଅତ୍ୟାଚାର ତଦନ୍ତ କରୁ କରୁ ଯେତିକି ଗହୀଡ଼ାକୁ ଯାଇଥିଲି, ସେତିକି ନାହିଁ ନ ଥିବା ସରକାରୀ ଅରାଜକତା, କର୍ମଚାରୀଙ୍କ ନାଦିରସାହୀ ଜୁଲମ ତଥା ସ୍ୱେଚ୍ଛାଚାରିତାର କାହାଣୀ ଏତେ ଶୁଣିଥିଲି ଯେ, ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି, ଦୁଃଖ ବି ପାଇଥିଲି-। ସେତେବେଳେ ମତେ ଏଡ଼େ ଆଶ୍ଚର୍ଯ୍ୟ ଲାଗିଥିଲା ଏବଂ ଏବେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଯେଉଁ ପ୍ରଦେଶରୁ ସରକାରଙ୍କୁ ସବୁଠାରୁ ବେଶୀ ସୈନ୍ୟ ମିଳୁଛନ୍ତି, ସେ ପ୍ରଦେଶର ଲୋକେ କେମିତି ଏତେ ଜୁଲମକୁ ସହିଯାଇଥିଲେ ।

 

କମିଟିଙ୍କ ରିପୋର୍ଟ ଚିଠା କରିବା ମୋରି ଉପରେ ପଡ଼ିଥିଲା । ପଞ୍ଜାବ ଲୋକଙ୍କ ଉପରେ କେତେ ପ୍ରକାରର ଅତ୍ୟାଚାରର ହୋଇଥିଲା, ତାହାର ଧାରଣା ଯେ କରିବାକୁ ଚାହାନ୍ତି, ତାଙ୍କର ଏ ରିପୋର୍ଟ ପଢ଼ିବା ଉଚିତ । ଏଠି ସେ ରିପୋର୍ଟ ସମ୍ବନ୍ଧରେ ମୁଁ ଏତିକି କହିବାକୁ ଚାହେଁ ଯେ, ସେଥିରେ କୌଣସିଠାରେ ଟିକିଏ ହେଲେ ଜାଣିଶୁଣି ଅତ୍ୟୁକ୍ତି କରାଯାଇନାହିଁ । ସେଥିରେ ଯେତେକ ଘଟଣା ଦିଆଯାଇଛି, ସେ ସମସ୍ତ ପାଇଁ ସେଥିରେ ସାକ୍ଷୀ ପ୍ରମାଣ ପେଶ କରାଯାଇଛି । ରିପୋର୍ଟରେ ଯେତେକ ପ୍ରମାଣ କରାଯାଇଛି, ତାଠୁଁ ଢେର ବେଶୀ ପ୍ରମାଣ କମିଟିଙ୍କ ହାତରେ ଜମା ଥଲା । ଯେଉଁ କଥାର ସତ୍ୟତା ସମ୍ବନ୍ଧରେ ଟିକିଏ ହେଲେ ସନ୍ଦେହ ଥିଲା, ସେଭଳି ଘଟଣା ରିପୋର୍ଟରେ ସ୍ଥାନ ପାଇନାହିଁ । ଏମିତି ସତ୍ୟକୁ ଆଗରେ ରଖି ଲେଖା ହୋଇଥିବା ରିପୋର୍ଟର ପାଠକ ଦେଖିପାରିବେ ଯେ, ନିଜର କ୍ଷମତା ବଜାୟ ରଖିବାପାଇଁ ବ୍ରିଟିଶ ସରକାର କେଉଁଯାଏ ଯାଇଛନ୍ତି ଓ କିପରି ଅମାନୁଷିକ କାମ କରିଛନ୍ତି । ମୁଁ ଯେତେଦୂର ଜାଣେ, ଏ ରିପୋର୍ଟର ଗୋଟିଏ ସୁଦ୍ଧା ବିଷୟ ଏ ପର୍ଯ୍ୟନ୍ତ ମିଥ୍ୟା ବୋଲି ପ୍ରମାଣିତ ହୋଇ ନାହିଁ ।

 

ଖିଲାଫତ ବଦଳରେ ଗୋରକ୍ଷା

 

ବର୍ତ୍ତମାନ କିଛି ସମୟ ପାଇଁ ଆମେ ପଞ୍ଜାବର ହତ୍ୟାକାଣ୍ଡରୁ ବିଦାୟ ନେବା ।

 

ପଞ୍ଜାବରେ ଡାୟାର ଅତ୍ୟାଚାରର ତଦନ୍ତ ଚାଲିଥିବା ବେଳେ ମୋ ହାତରେ ଖଣ୍ଡେ ସାଧାରଣ ନିମନ୍ତ୍ରଣପତ୍ର ପଡ଼ିଥିଲା । ସେଥିରେ ମରହୁମ୍ ହକିମ୍ ସାହେବ ଓ ଭାଇ ଅସଫ ଅଲିଙ୍କ ନାମ ଥିଲା । ସ୍ୱର୍ଗୀୟ ସ୍ୱାମୀ ଶ୍ରଦ୍ଧାନନ୍ଦଜୀ ସେଥିରେ ଯୋଗ ଦେବେ ବୋଲି ଲେଖା ହୋଇଥିଲା ଏବଂ ମୋର ଯଦି ଠିକ୍ ମନେଥାଏ, ସେ ସେଥିର ଉପସଭାପତି ଥିଲେ । ଯେତେ ଦୂର ମନେପଡ଼େ ସେହିବର୍ଷ ନଭେମ୍ବର ମାସରେ ଏ ସମ୍ମିଳନୀ ହେବାର ଥିଲା । ଖିଲାଫତ୍ ଜବାବ ଭାଙ୍ଗିବା ଯୋଗୁ ଯେ ଅବସ୍ଥା ଘଟିଛି ଏବଂ ହିନ୍ଦୁ ମୁସଲମାନମାନେ ଶାନ୍ତି ଉତ୍ସବରେ ଯୋଗ ଦେବେ କି ନାହିଁ, ଏହି ବିଷୟମାନ ଆଲୋଚନା କରିବାପାଇଁ ଦିଲ୍ଲୀଠାରେ ହିନ୍ଦୁ ମୁସଲମାନମାନଙ୍କର ଏକ ସମ୍ମିଳନୀକୁ ଏ ନିମନ୍ତ୍ରଣ ଥିଲା । ଅନ୍ୟାନ୍ୟ କଥା ସଙ୍ଗେ ଚିଠିରେ ଏତକ ମଧ୍ୟ ଉଲ୍ଲେଖ ଥିଲା ଯେ, କେବଳ ଖିଲାଫତ୍ ସମସ୍ୟା ବିଚାର ହେବନାହିଁ, ତା ସାଙ୍ଗେ ଗୋରକ୍ଷା କଥା ମଧ୍ୟ ଆଲୋଚିତ ହେବ ଏବଂ ଗୋରକ୍ଷା ପ୍ରଶ୍ନ ସମାଧାନର ଏହା ଗୋଟିଏ ସୁବର୍ଣ୍ଣ ସୁଯୋଗ । ଗୋରକ୍ଷା ପ୍ରଶ୍ନର ଉଲ୍ଲେଖ କରିବାଟା ମତେ ଭଲ ଲାଗି ନ ଥିଲା । ନିମନ୍ତ୍ରଣର ଜବାବରେ ମୁଁ ଲେଖିଥିଲି ଯେ, ଯୋଗଦେବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି କିନ୍ତୁ ଏ ଦୁଇଟି ପ୍ରଶ୍ନର ଏକାଠି ଗୋଳେଇଦେବା କିମ୍ବା ଗୋଟାଏ ପରସ୍ପର ଅଦଳ ବଦଳ ଚୁକ୍ତି ଭାବରେ ବିଚାର କରିବା ଉଚିତ ନ ଥିଲା; ବରଂ ଦୁଇଟିର ସ୍ୱତନ୍ତ୍ର ଭାବରେ ଯେଝା ଯେଝା ଦୋଷଗୁଣ ଉପରେ ବିଚାର ହେବା ଉଚିତ ।

 

ମୁଁ ସଭାରେ ଯୋଗ ଦେଇଥିଲି । ସଭାରେ ବେଶ୍ ବହୁତ ଲୋକ ଯୋଗ ଦେଇଥିଲେ । କିନ୍ତୁ ପରେ ଯେମିତି ହଜାର ହଜାର ଲୋକ ଉଠିଆସିଥିଲେ, ସେମିତିକା ଦୃଶ୍ୟ ନଥିଲା । ସ୍ୱାମୀ ଶ୍ରଦ୍ଧାନନ୍ଦଜୀ ସମ୍ମିଳନୀରେ ଉପସ୍ଥିତ ଥିଲେ । ଉପରୋକ୍ତ ବିଷୟ ମୁଁ ତାଙ୍କ ସଙ୍ଗେ ଆଲୋଚନା କରିଥିଲି । ସେ ମୋର ଯୁକ୍ତି ପସନ୍ଦ କରିଥିଲେ ଏବଂ ସମ୍ମିଳନୀରେ ତା’ ଆଗତ କରିବାକୁ ମୋ ଉପରେ ପକେଇ ଦେଇଥିଲେ । ମରହୁମ୍ ହକିମ୍ ସାହେବଙ୍କ ସଙ୍ଗେ ମଧ୍ୟ ଆଲୋଚନା କରିଥିଲି । ମୋର ଯୁକ୍ତି ଏଇୟା ଥିଲା ଯେ, ଉଭୟ ପ୍ରଶ୍ନକୁ ଆପଣା ଆପଣା ଦୋଷଗୁଣ ଦେଖି ବିଚାର କରିବା ଉଚିତ । ଯଦି ଖିଲାଫତ୍ ପ୍ରଶ୍ନରେ ସତ୍ୟ ଥିବ ଏବଂ ଯଦି ସରକାର ଅନ୍ୟାୟ ବିଚାର କରିଥିବେ, ତେବେ ମୁସଲମାନମାନଙ୍କ ସଙ୍ଗେ ହିନ୍ଦୁମାନେ କାନ୍ଧ ପକାଇ ଠିଆ ହେବା ଉଚିତ ଏବଂ ଏ ସମ୍ପର୍କରେ ଗୋରକ୍ଷା କଥା ଉଠାଇବା ଉଚିତ ନୁହେଁ । ହିନ୍ଦୁମାନେ ଏମିତି ସର୍ତ୍ତ କଲେ ସୁନ୍ଦର ହେବ ନାହିଁ । ମୁସଲମାନମାନେ ଖିଲାଫତରେ ମିଳିଥିବା ସାହାଯ୍ୟ ବଦଳରେ ଗୋବଧ ବନ୍ଦ କରିବେ ଏହା ମଧ୍ୟ ତାଙ୍କୁ ଶୋଭା ପାଇବ ନାହିଁ । ପଡ଼ୋଶୀ ଏବଂ ଏକା ଦେଶର ଲୋକ ଥିବାରୁ, ହିନ୍ଦୁଙ୍କ ମନୋଭାବ ପ୍ରତି ସମ୍ମାନ ଦେଖାଇବା ପାଇଁ ଯଦି ଗୋବଧ ବନ୍ଦ କରନ୍ତି, ତାହା ମୁସଲମାନମାନଙ୍କୁ ଶୋଭା ପାଇବ ଏବଂ ତାହା ତାଙ୍କର କର୍ତ୍ତବ୍ୟ ଅଟେ । କିନ୍ତୁ ଏହା ଏକ ସ୍ୱତନ୍ତ୍ର ପ୍ରଶ୍ନ । ଯଦି ଏହା ତାଙ୍କର କର୍ତ୍ତବ୍ୟ ହୋଇଥିବ ଏବଂ ତାହା ସେମାନେ କର୍ତ୍ତବ୍ୟ ମଣୁଥିବେ, ତେବେ ହିନ୍ଦୁମାନେ ଖିଲାଫତରେ ସାହାଯ୍ୟ ଦିଅନ୍ତୁ ବା ନ ଦିଅନ୍ତୁ, ମୁସଲମାନମାନଙ୍କର ଗୋବଧ ବନ୍ଦ କରିବା ଉଚିତ । ଏହିପରି ପ୍ରଶ୍ନକୁ ଅଲଗା ଅଲଗା ଆଲୋଚନା କରିବା ଆବଶ୍ୟକ । ତେଣୁ ସଭାରେ କେବଳ ଖିଲାଫତ କଥା ବିଚାର କରିବା ଉଚିତ । ମୁଁ ଏହି ଯୁକ୍ତି ପେଶ କରିଥିଲି । ସଭା ମନକୁ ଏ ଯୁକ୍ତି ପାଇଥିଲା ଏବଂ ଗୋରକ୍ଷା ବିଷୟ ସମ୍ମିଳନୀରେ ବିଚାର ହୋଇ ନ ଥିଲା । ତଥାପି ମୌଲାନା ଅବ୍‌ଦୁଲ୍ ବାରୀ ସାହେବ କହି ପକାଇଥିଲେ, ‘‘ହିନ୍ଦୁ ମାନେ ଆମକୁ ସାହାଯ୍ୟ କରନ୍ତୁ ନ କରନ୍ତୁ, ଆମେ ହିନ୍ଦୁମାନଙ୍କର ଏକା ଦେଶବାସୀ ଭଳି, ସେମାନଙ୍କର ଧର୍ମବିଶ୍ୱାସ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରି, ଗୋହତ୍ୟା ବନ୍ଦ କରିଦେବା ।’’ ଏକ ସମୟରେ ଏମିତି ଲାଗିଥିଲା, ସତେ ଯେମିତି ମୁସଲମାନମାନେ ଗୋହତ୍ୟା ବନ୍ଦ ଏକଦମ୍ ବନ୍ଦ କରିଦେବେ ।

 

ଗୋଟିଏ ମହଲରୁ ପ୍ରସ୍ତାବ ଉଠିଥିଲା ଯେ, ପଞ୍ଜାବ ବିଷୟକୁ ମଧ୍ୟ ଖିଲାଫତ ସଙ୍ଗେ ଯୋଡ଼ିଦିଆଯାଉ । ମୁଁ ଏ ପ୍ରସ୍ତାବର ବିରୋଧ କରିଥିଲି । ପଞ୍ଜାବ କଥା ସ୍ଥାନୀୟ ଅଟେ । ପଞ୍ଜାବ ଦୁଃଖ ଯୋଗୁ ଶାନ୍ତି ଉତ୍ସବରୁ ଅଲଗା ରହିବାର ନୁହଁ । ଖିଲାଫତ୍ ପ୍ରଶ୍ନ ସଙ୍ଗେ ପଞ୍ଜାବକୁ ଏପରି ଯୋଡ଼ିଦେଲେ ଆମେ ଅବିଚାର ଦୋଷ ମୁଣ୍ଡେଇ ଆଣିବୁ । ସମସ୍ତେ ମୋର ଯୁକ୍ତି ମାନି ଯାଇଥିଲେ-

 

ଏ ସଭାରେ ମୌଲାନା ହସରତ୍ ମୋହାନୀ ଉପସ୍ଥିତ ଥିଲେ । ତାଙ୍କୁ ଆଗରୁ ଜାଣିଥିଲେ ସୁଦ୍ଧା ସେ କେଡ଼େ ଲଢ଼ୁଆ ବୀର ମୁଁ ଏଇଥିରୁ ଜାଣିଥିଲି । ଆମର ଯେ ମତଦ୍ୱୈଧ ଏଠି ହୋଇଥିଲା, ତାହା ଅନେକ ବିଷୟରେ ଶେଷ ପର୍ଯ୍ୟନ୍ତ ରହିଥିଲା । ଅନେକ ପ୍ରସ୍ତାବ ଭିତରୁ ଗୋଟିକରେ ହିନ୍ଦୁ ମୁସଲମାନ ସମସ୍ତେ ସ୍ୱଦେଶୀ ବ୍ରତ ପାଳନ୍ତୁ ଏବଂ ସେଥିପାଇଁ ବିଦେଶୀ ବସ୍ତ୍ର ବର୍ଜନ କରନ୍ତୁ ବୋଲି ଅଣାଯାଇଥିଲା । ସେତେବେଳକୁ ଖଦିର ପୁନର୍ଜନ୍ମ ହୋଇ ନ ଥାଏ; କିନ୍ତୁ ଏ ପ୍ରସ୍ତାବ ହସରତ୍ ସାହେବ ଗ୍ରହଣ କରି ନଥିଲେ । ଯଦି ଖିଲାଫତ୍ ବିଷୟରେ ନ୍ୟାୟ ବିଚାର ନ ହେବ ତ ବ୍ରିଟିଶ ସାମ୍ରାଜ୍ୟ ଉପରେ ପ୍ରତିଶୋଧ ନେବା ତାଙ୍କର ଉଦ୍ଦେଶ୍ୟ ଥିଲା । ସେଥିପାଇଁ ଯଥା ସମ୍ଭବ ବ୍ରିଟିଶ ଜିନିଷ ବର୍ଜନ କରିବା ପାଇଁ ସେ ପ୍ରସ୍ତାବ ଆଣିଥିଲେ । ନୀତି ଓ ସମ୍ଭବପରତା ଦୃଷ୍ଟିରୁ ମୁଁ ତା’ର ବିରୋଧ କରିଥିଲି । ମୋର ଯେଉଁ ଯୁକ୍ତିଗୁଡ଼ିକ ଆଜିକାଲି ଜଣାଶୁଣା, ସେହି ସବୁ ଯୁକ୍ତି ମୁଁ ପେଶ୍ କରିଥିଲି । ସମ୍ମିଳନୀ ଆଗରେ ଅହିଂସା ସମ୍ବନ୍ଧରେ ମୋର ମତ ମଧ୍ୟ ଆଗତ କରିଥିଲି । ଦେଖିଥିଲି ଯେ ସଭା ଉପରେ ମୋର ଯୁକ୍ତିର ଗଭୀର ପ୍ରଭାବ ପଡ଼ିଥିଲା । ହସରତ୍ ମୋହନୀଙ୍କ ବକ୍ତୃତା ଶୁଣି ଲୋକେ ଏତେ ଆନନ୍ଦଧ୍ୱନି କରୁଥିଲେ ଯେ, ମୁଁ ଭାବିଥିଲି ମୋ ସାନକୁହା କେହି ଶୁଣିବେ ନାହିଁ । ମାତ୍ର ମୋର କର୍ତ୍ତବ୍ୟରେ ତ୍ରୁଟି କରିବାର ନୁହଁ, ମୋର ମତ ଲୁଚେଇବାର ନୁହଁ, ଏୟା ବିଚାରି ମୁଁ କହିବାକୁ ଉଠିଥିଲି । ଲୋକେ ମୋ ବକ୍ତୃତାକୁ ଖୁବ୍ ମନଦେଇ ଶୁଣିଥିଲେ ଏବଂ ମଞ୍ଚ ଉପରେ ଯେଉଁମାନେ ବସିଥିଲେ, ସେମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ବକ୍ତାପରେ ବକ୍ତା ଉଠି ମୋ ସପକ୍ଷରେ କହିଥିଲେ । ସେମାନେ ବୁଝିପାରିଥିଲେ ଯେ ବ୍ରିଟିଶ୍ ଜିନିଷ ବର୍ଜନରେ କୌଣସି ଉଦ୍ଦେଶ୍ୟ ସିଦ୍ଧ ହେବ ନାହିଁ; ବରଂ ଲୋକହସା ସାର ହେବ । ସେ ସଭାରେ ଏମିତି ଲୋକ ନ ଥିଲେ; ଯାହାଙ୍କ ଦେହରେ ବ୍ରିଟିଶ ଜିନିଷ କିଛି ନ ଥିଲା । ସେଥିପାଇଁ ଯେଉଁ ପ୍ରସ୍ତାବକୁ ସଭାର ଲୋକେ କାର୍ଯ୍ୟରେ ପରିଣତ କରିପାରିବେ ନାହିଁ, ସେଭଳି ପ୍ରସ୍ତାବ ଗୃହୀତ ହେଲେ ଅନିଷ୍ଟ ଛଡ଼ା ଇଷ୍ଟ ହେବନାହିଁ, ଏହା ଅଧିକାଂଶ ବ୍ୟକ୍ତି ବୁଝିପାରି ଥିଲେ ।

 

‘‘କେବଳ ବିଦେଶୀ ଲୁଗା ବର୍ଜନ ଆମକୁ ସନ୍ତୁଷ୍ଟ କରିପାରିବ ନାହିଁ । କିଏ ଜାଣେ ଆମର ଦରକାର ମୁତାବକ ସ୍ୱଦେଶୀ ଲୁଗା ଆମେ କେତେ ଦିନେ କରିପାରିବୁ ? କେତେଦିନେ ବା ବିଦେଶୀ ବସ୍ତ୍ରକୁ ବହିଷ୍କାର କରିପାରିବୁ ? ଯେଉଁଥିରେ ବ୍ରିଟିଶ୍‌ମାନଙ୍କ ଉପରେ ନଗଦ ପ୍ରଭାବ ପଡ଼ିପାରିବ, ସେମିତି କିଛି ଆମର ଲୋଡ଼ା । ଆପଣଙ୍କ ବିଦେଶୀ ବସ୍ତ୍ର ବର୍ଜନ ରହୁ, ଆମର ଆପତ୍ତି ନାହିଁ, କିନ୍ତୁ ତା’ଛଡ଼ା ଆମକୁ କିଛି ଜଲ୍‌ଦି ଫଳ ଦେବା ଉପାୟ ବତାନ୍ତୁ’’ ଏହି ମର୍ମରେ ମୌଲାନା ହସ୍‌ରତ୍ ମୋହାନୀ କହିଥିଲେ । ମୁଁ ତାଙ୍କର ଏ ବକ୍ତୃତା ଶୁଣୁଥିଲି । ମତେ ଲାଗିଲା ଯେ ବିଦେଶୀ ବସ୍ତ୍ର ବର୍ଜନ ଛଡ଼ା ନୂଆ କିଛି ଲୋଡ଼ା ହେବ । ସେ ସମୟରେ ବିଦେଶୀଲୁଗା ବର୍ଜନ ଯେ ଶୀଘ୍ର ହେବା ସମ୍ଭବ ନଥିଲା, ତାହା ମୁଁ ସ୍ପଷ୍ଟ ଦେଖିପାରିଥିଲି । ସେତେବେଳେକୁ ମୁଁ ଜାଣି ନଥିଲି ଯେ, ଇଚ୍ଛା କଲେ ଆମେ ଯେତେ ପାରୁ ସେତେ ଖଦି ଉତ୍ପନ୍ନ କରିପାରିବୁ । ସେଟା ପରେ ଜାଣି ପାରିଥିଲି । ସେତେବେଳେ ଏତକ ମଧ୍ୟ ଜାଣିଥିଲି ଯେ, ଏକା ମିଲ୍ ଆମକୁ ଦଗା ଦେଇଦେବ । ମୌଲାନା ସାହେବ ତାଙ୍କ ବକ୍ତୃତା ସାରିଲାବେଳକୁ ମୁଁ ଜବାବ ଦେବାପାଇଁ ପ୍ରସ୍ତୁତ ହେଉଥିଲି ।

 

ହିନ୍ଦୀ ଉର୍ଦ୍ଦୁଶବ୍ଦ ମତେ ପଇଟୁ ନଥାଏ । ଏଭଳି ମୁସଲମାନମାନଙ୍କ ସଭାରେ ଯୁକ୍ତି ସହ ବକ୍ତୃତା କରିବା ମୋର ଏହା ପ୍ରଥମ ଥିଲା । କଲିକତା ମୁସଲିମ୍‌ଲିଗ ସଭାରେ ମୁଁ କହିଥିଲି ସତ; ମାତ୍ର ତାହା ଅଳ୍ପ କେତେ ମିନିଟ୍‌ ପାଇଁ ଜନତାଙ୍କ ହୃଦୟକୁ ନିବେଦନ କରିବା ଉଦ୍ଦେଶ୍ୟରେ କହିଥିଲି । କିନ୍ତୁ ଏଠି ମୋର ବିରୁଦ୍ଧ ମତର ଲୋକଙ୍କୁ ବୁଝେଇବା ଦରକାର ଥିଲା । ମୁଁ ଲାଜ ଛାଡ଼ିଥିଲି । ଦିଲ୍ଲୀ ମୁସଲମାନଙ୍କ ଆଗରେ ଶୁଦ୍ଧ ଉର୍ଦ୍ଦୁରେ ସୁନ୍ଦର ଭାବରେ ବକ୍ତୃତାଦେବା ମୋର ଲୋଡ଼ା ନଥିଲା; ବରଂ ମୋ ଭଙ୍ଗା ଦଦରା ହିନ୍ଦୀରେ ମୋର ମତ ବୁଝେଇଦେବା ଉଦ୍ଦେଶ୍ୟ ଥିଲା । ଏଥିରେ ମୁଁ ସଫଳ ହୋଇଥିଲି । ହିନ୍ଦୀ-ଉର୍ଦ୍ଦୁ ଯେ ଭାରତର ରାଷ୍ଟ୍ରଭାଷା ହୋଇପାରେ, ତା’ର ପ୍ରତ୍ୟକ୍ଷ ପ୍ରମାଣ ମୁଁ ଏହି ସଭାରେ ପାଇଥିଲି । ଇଂରେଜୀରେ କହିଥିଲେ ଶ୍ରୋତାମାନଙ୍କ ଉପରେ ସେଭଳି ପ୍ରଭାବ ପଡ଼ି ନଥାନ୍ତା । ମୌଲାନାଙ୍କୁ ବି ଆଉ ଗର୍ଜନ କରିବାକୁ ପଡ଼ି ନଥାନ୍ତା ଏବଂ ସେ କହିଥିଲେ ବି ମୁଁ ଆଉ ଜବାବ ଦେଇପାରି ନ ଥାନ୍ତି । ଉର୍ଦ୍ଦୁ ବା ଗୁଜରାତୀ ଶବ୍ଦ ପଇଟି ନଥିଲା । ତେଣୁ ଲାଜ ମାଡ଼ିଥିଲା; ତଥାପି ଜବାବ ଦେଇଥିଲି । ମୋ ତୁଣ୍ଡକୁ ନନକୋଅପରେସନ ଶବ୍ଦଟା ଆସିଯାଇଥିଲା । ମୌଲାନା ସାହେବ କହୁଥାନ୍ତି ଏବଂ ମୁଁ ଭାବୁଥାଏ ଯେ, ଯେଉଁ ସରକାରଙ୍କ ସଙ୍ଗେ ଆମେ ବହୁତ କଥାରେ ସହଯୋଗ କରିଛୁ, ସେ ସରକାରଙ୍କର ବିରୋଧ କରିବା ପ୍ରସ୍ତାବ ନିରର୍ଥକ । ତରବାରୀରେ ବିରୋଧ କରିବାର ନୁହଁ, ଅତଏବ ସରକାରଙ୍କ ସଙ୍ଗେ ସହଯୋଗ ବନ୍ଦ କରିଦେବା ଯଥାର୍ଥ ହେବ ବୋଲି ମତେ ଜଣାପଡ଼ିଥିଲା ଏବଂ ‘ନନ୍‌କୋଅପରେସନ’ ଶବ୍ଦର ବ୍ୟବହାର ପ୍ରଥମେ ଏହି ସଭାରେ କରିଥିଲି । ମୋ ବକ୍ତୃତାରେ ତାହାର ସମର୍ଥନ କରି ଯୁକ୍ତି ବାଢ଼ିଥିଲି । ତାହାର ଯେ ଅନେକ ଅର୍ଥ ଥିଲା, ସେତେବେଳଯାଏ ମୋର ସେ ସ୍ପଷ୍ଟ ଧାରଣା ହୋଇନଥିଲା । ତେଣୁ ମୁଁ ବିଶଦଭାବରେ କଥାଟାକୁ ଆଲୋଚନା କରି ନଥିଲି । ମୁଁ କେବଳ ଏତିକି କହିଥିଲି—

 

‘‘ମୁସଲମାନମାନେ ଏକ ବଡ଼ ଗୁରୁତର ନିଷ୍ପତ୍ତି କରିଛନ୍ତି । ଭଗବାନ ନ କରନ୍ତୁ, ଶାନ୍ତିସର୍ତ୍ତ ଯଦି ସେମାନଙ୍କ ବିରୋଧରେ ଯାଏ, ତେବେ ସେମାନେ ସରକାରଙ୍କୁ ସବୁ ସହଯୋଗ ଦେବା ବନ୍ଦ କରିଦେବେ । ମୋ ମତରେ ଏହା ଜନସାଧାରଣଙ୍କର ଗୋଟିଏ ଅଧିକାର । ସରକାରୀ ପଦପଦବୀ ଗ୍ରହଣ କରିବାକୁ ବା ସରକାରୀ ଚାକିରି କରିବାକୁ ଆମେ ବାଧ୍ୟ ନୋହୁ । ଯେତେବେଳେ ଖିଲାଫତ୍ ଭଳି ଜରୁରୀ ଧାର୍ମିକ ପ୍ରଶ୍ନରେ ସରକାରଙ୍କ ଦ୍ୱାରା ଆମର କ୍ଷତି ହୁଏ, ସେତେବେଳେ ଆମେ ତାଙ୍କୁ କେମିତି ସାହାଯ୍ୟ ଦେବା ? ତେଣୁ ଖିଲାଫତ୍ ନିଷ୍ପତ୍ତି ଆମ ବିରୁଦ୍ଧରେ ଗଲେ ଅସହଯୋଗ କରିବାରେ ଆମର ଅଧିକାର ଅଛି ।’’

 

କିନ୍ତୁ ତା’ପରେ ସେ ଜିନିଷର ପ୍ରଚାର ହେବାକୁ ଅନେକ ମାସ ବିତିଯାଇଥିଲା । କେତେ ମାସକାଳ ଏ ଶବ୍ଦ ଏହି ସମ୍ମିଳନୀ ଭିତରେ ପୋତିହୋଇ ରହିଯାଇଥିଲା । ମାସକ ପରେ ଅମୃତସର କଂଗ୍ରେସରେ ସହଯୋଗ ପ୍ରସ୍ତାବ ସମର୍ଥନ କଲାବେଳେ ମୁଁ ଆଶା କରିଥିଲି ଯେ, ଅସହଯୋଗର ବେଳ ଆଉ ଆସିବାର ନ ଥିଲା ।

 

ଅମୃତସର କଂଗ୍ରେସ

 

ସାମରିକ ଆଇନ ଅମଳରେ ଯେ ଶହଶହ ପଞ୍ଜାବୀ ଭାଇ ବିନାଦୋଷରେ ନାଁକୁ ଗୋଟିଏ ଗୋଟିଏ ଅଦାଲତରେ ସେମିତି ନାଁକୁ ସାକ୍ଷୀ ପ୍ରମାଣ ନିଆଯାଇ ଜେଲରେ ବନ୍ଦୀ ହୋଇଥିଲେ, ସେମାନଙ୍କୁ ପଞ୍ଜାବ ସରକାର ବନ୍ଦ କରିପାରି ନଥିଲେ । ଏ ସୁସ୍ପଷ୍ଟ ଅବିଚାର ବିରୋଧରେ ଚାରିଆଡ଼େ ଏମିତି ଚହଳ ପଡ଼ିଥିଲା ଯେ, ସେମାନଙ୍କୁ ବେଶୀଦିନ ବନ୍ଦ କରି ରଖିବା ଆଉ ସମ୍ଭବ ହୋଇ ନ ଥିଲା । କଂଗ୍ରେସ ବୈଠକ ଆରମ୍ଭ ହେବାପୂର୍ବରୁ ଅଧିକାଂଶ ଖଲାସ ହୋଇଥିଲେ । ଲାଲ ହରକିଶନ୍‌ଲାଲ ଓ ଅନ୍ୟ ନେତାମାନେ ଛାଡ଼ ପାଇଥିଲେ, ଆଲିଭାଇମାନେ ସିଧା ଜେଲ୍‌ରୁ ଆସି କଂଗ୍ରେସ ବୈଠକରେ ପହଞ୍ଚିଥିଲେ । ଲୋକଙ୍କର ଆନନ୍ଦର ସୀମା ରହି ନଥିଲା । ପଣ୍ଡିତ ମୋତିଲାଲ ଆପଣାର ବ୍ୟବସାୟ ଛାଡ଼ି ପଞ୍ଜାବକୁ ନିଜର କର୍ମକେନ୍ଦ୍ର କରିଥିଲେ । ସେ କଂଗ୍ରେସର ସଭାପତି ହୋଇଥିଲେ । ସ୍ୱାମୀ ଶ୍ରଦ୍ଧାନନ୍ଦ ଅଭ୍ୟର୍ଥନା ସମିତିର ସଭାପତି ଥିଲେ । ଏତେଦିନଯାଏ କଂଗ୍ରେସର ବାର୍ଷିକ ବୈଠକରେ ମୋର କାମ ଥିଲା ହିନ୍ଦୀରେ ଛୋଟ ଛୋଟ ବକ୍ତୃତା ଦେଇ ହିନ୍ଦୀ ପ୍ରଚାର କରିବା ଏବଂ ଉପନିବେଶବାସୀ ଭାରତୀୟମାନଙ୍କ ଦାବି ପେଶ୍‌ କରିବା । ଅମୃତସରଠାରେ ମତେ ଯେ କିଛି ଅଧିକା କରିବାକୁ ପଡ଼ିବ, ତା ମୁଁ ଆଶା କରି ନଥିଲି । କିନ୍ତୁ ମୋ କପାଳରେ ସବୁଦିନେ ଯେମିତି ଘଟିଥାଏ, ସେମିତି ଏକ ଦାୟିତ୍ୱ ହଠାତ୍ ଆସି ମୋ ଉପରେ ପଡ଼ିଥିଲା ।

 

ନୂତନ ଶାସନସଂସ୍କାର ସମ୍ବନ୍ଧରେ ସମ୍ରାଟଙ୍କ ଘୋଷଣା ବାହାରିଥାଏ । ମତେ ତାହା ପୂରାପୂରି ସନ୍ତୋଷ ଦେଇ ନଥିଲା । ଅନ୍ୟ ସମସ୍ତଙ୍କୁ ମଧ୍ୟ ପସନ୍ଦ ହୋଇ ନଥିଲା । କିନ୍ତୁ ସେତେବେଳେ ମୋର ଏହି ଭାବ ହୋଇଥିଲା ଯେ, ଉପରୋକ୍ତ ଘୋଷଣାରେ ଥିବା ସଂସ୍କାର ଦୋଷଯୁକ୍ତ ଥିଲେ ସୁଦ୍ଧା ଗ୍ରହଣ କରାଯାଇ ପାରିଥାନ୍ତା । ସମ୍ରାଟ୍‌ଙ୍କ ଘୋଷଣାରେ ମୁଁ ଲର୍ଡ଼ ସିଂହଙ୍କ ହାତର ଚିହ୍ନ ଦେଖିଥିଲି । ତା’ର ଭାଷାରେ ମତେ ସେତେବେଳେ ଟିକିଏ ଆଶାର ଆଲୋକ ଦିଶିଥିଲା । ମାତ୍ର ଲୋକମାନ୍ୟ ଓ ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ଭଳି ଅନୁଭବୀ ବୀରମାନେ ମୁଣ୍ଡ ହଲେଇଥିଲେ । ପଣ୍ଡିତ ମାଲବ୍ୟଜୀ ନିରପେକ୍ଷ ଥିଲେ ।

 

ପଣ୍ଡିତ ମାଲବ୍ୟଜୀ ତାଙ୍କରି ଘରେ ମତେ ରଖିଥାନ୍ତି । କାଶୀଠାରେ ହିନ୍ଦୁ ବିଶ୍ୱବିଦ୍ୟାଳୟ ମୂଳଦୁଆ ଦିଆଗଲାବେଳେ ମୁଁ ତାଙ୍କର ସରଳ ଜୀବନର ଟିକିଏ ଆଭାସ ପାଇଥିଲି । କିନ୍ତୁ ଏଥର ଏକାଘରେ ଥିବାରୁ ତାଙ୍କ ଦୈନିକ କାର୍ଯ୍ୟକ୍ରମ ଖୁବ ତନ୍ନ ତନ୍ନ କରି ଲକ୍ଷ୍ୟ କରିବାର ସୁବିଧା ମିଳିଥିଲା । ଯାହା ଦେଖିଥିଲି, ସେଥିରେ ମୋର ଯେତିକି ବିଷୟ, ସେତିକି ଆନନ୍ଦ ହୋଇଥିଲା । ତାଙ୍କ କୋଠରୀ ବୋଇଲେ ଗରିବଙ୍କର ଏକ ଧର୍ମଶାଳା । ଘର ଭିତରେ ଯା’ଆସ କରିବାକୁ ବାଟ ନଥାଏ । ଯେଉଁଠି ସେଠି ଲୋକେ ପଡ଼ଥାନ୍ତି । ନ ଥାଏ ସେଠି ସ୍ୱାତନ୍ତ୍ର୍ୟ, ନ ଥାଏ ଏକାନ୍ତତା । ଯେ ପାରେ ସେ ଯେତେବେଳେ ସେତେବେଳେ ଆସନ୍ତି ଏବଂ ଯେତେ ଇଚ୍ଛା ସେତେ ସମୟ ତାଙ୍କ ସଙ୍ଗେ କଟାଇଯାନ୍ତି । ଏହି ଅନ୍ଧାରିଆ ସଂକୀର୍ଣ୍ଣ ଘରର ଗୋଟିଏ କଣରେ ମୋର ଚାରିପାଇ ଖଟିଆ ଖଣ୍ଡି ପଡ଼ିଥାଏ । କିନ୍ତୁ ଏ ଅଧ୍ୟାୟରେ ମାଲବ୍ୟଜୀଙ୍କ ଚାଲିଚଳଣ ବର୍ଣ୍ଣନା କରିବା କାମ ନୁହଁ । ଅତଏବ ଆପଣା ବିଷୟକୁ ଲେଉଟି ଆସିବି ।

 

ଏହିପରି ଅବସ୍ଥାରେ ମାଲବ୍ୟଜୀଙ୍କ ସଙ୍ଗେ ପ୍ରତ୍ୟହ ଆଲୋଚନା ହେଉଥାଏ । ସେ ବଡ଼ ସ୍ନେହରେ ବଡ଼ଭାଇ ଭଳି ବିଭିନ୍ନ ଦଳଙ୍କର ମତାମତ ମତେ ବୁଝାଉଥାନ୍ତି । ସଂସ୍କାର ସମ୍ବନ୍ଧେ ପ୍ରସ୍ତାବ ଆଲୋଚନାରେ ମୋର ଯୋଗଦେବା କର୍ତ୍ତବ୍ୟ ବୋଲି ମୁଁ ବୁଝୁଥିଲି । ପଞ୍ଜାବ ଅତ୍ୟାଚାର ସମ୍ବନ୍ଧରେ କଂଗ୍ରେସର ରିପୋର୍ଟର ଦାୟିତ୍ୱରେ ମୋର ଭାଗ ଥିଲା । ସରକାରଙ୍କଠାରୁ ପଞ୍ଜାବ ସମ୍ବନ୍ଧେ କିଛି କାମ କରେଇ ନେବାର ଥିଲା, ପୁଣି ଖିଲାଫତ୍ ବିଷୟ ଥିଲା । ସେତେବେଳେ ମୋର ବିଶ୍ୱାସ ଥିଲା, ମଣ୍ଟେଗୁସାହେବ ଭାରତକୁ ଦଗା ଦିଅନ୍ତେ ନାହିଁ । ଆଲିଭାଇ ଓ ଅନ୍ୟାନ୍ୟ ବନ୍ଦୀମାନଙ୍କ ମୁକ୍ତି ମତେ ବଡ଼ ଶୁଭଚିହ୍ନ ଜଣାପଡ଼ିଥିଲା; ଅତଏବ ଶାସନ ସଂସ୍କାରକୁ ଗ୍ରହଣ କରିବା ମୋର ମତ ଥିଲା । ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ଦୃଢ଼ ମତ ଥିଲା ଯେ, ସଂସ୍କାରକୁ ନିତାନ୍ତ ଅସନ୍ତୋଷଜନକ ଓ ଅପୂର୍ଣ୍ଣ ବିଚାରି ପ୍ରତ୍ୟାଖ୍ୟାନ କରିବା ଉଚିତ୍ । ସ୍ୱର୍ଗୀୟ ଲୋକମାନ୍ୟ ଅଳ୍ପ ବହୁତ ନିରପେକ୍ଷ ଥିଲେ; ମାତ୍ର ଦେଶବନ୍ଧୁ ଯେଉଁ ପ୍ରସ୍ତାବ ପସନ୍ଦ କରନ୍ତେ ତା’ରି ସପକ୍ଷରେ ନିଜର ମତ ଦେବେ ବୋଲି ସ୍ଥିର କରିଥିଲେ । ଏଭଳି ପୁରୁଣା ଅନୁଭବୀ, ପରୀକ୍ଷିତ ଓ ସର୍ବସମ୍ମାନିତ ଜନନେତାମାନଙ୍କଠାରୁ ଭିନ୍ନମତ ହେବା ମତେ ଅସହ୍ୟ ଲାଗୁଥିଲା । ଏଣେ ମୋର ଅନ୍ତରର ଆଓ୍ୟାଜ ସଫା ଥିଲା । ମୁଁ କଂଗ୍ରେସ ବୈଠକରୁ ପଳେଇଯିବାକୁ ବିଚାରିଥିଲି । କଂଗ୍ରେସର ବାକି ଦିନତକ ମୁଁ ଅନୁପସ୍ଥିତ ରହିଲେ ସମସ୍ତଙ୍କର ଭଲ ହେବ ବୋଲି ପଣ୍ଡିତ ମାଲବ୍ୟ ଓ ପଣ୍ଡିତ ମୋତିଲାଲଙ୍କୁ ପ୍ରସ୍ତାବ ଦେଇଥିଲି । ତାହାହେଲେ ମୁଁ ଏଭଳି ଶ୍ରଦ୍ଧେୟ ନେତାମାନଙ୍କଠାରୁ ଭିନ୍ନମତ ହେବାରୁ ରକ୍ଷା ପାଇଥାନ୍ତି; ମାତ୍ର ଦୁଇଜଣ ଯାକ ଗୁରୁଜନଙ୍କୁ କଥାଟା ଭଲ ଲାଗି ନଥିଲା । ଲାଲା ହରିକିଶନ୍‌ଙ୍କ କାନରେ ଏ କଥା ପଡ଼ିବାରୁ ସେ କହିଥିଲେ, ‘‘ତାହା କେବେ ହେବ ନାହିଁ । ସେଥିରେ ପଞ୍ଜାବୀଙ୍କ ମନରେ ଆଘାତ ଲାଗିବ ।’’ ବିଷୟଟି ଲୋକମାନ୍ୟ ଓ ଦେଶବନ୍ଧୁଙ୍କ ସଙ୍ଗେ ଆଲୋଚନା କରିଥିଲି । ମି: ଝୀଣାଙ୍କୁ ଦେଖା କରିଥିଲି । କିନ୍ତୁ କୌଣସି ବାଟ ବାହାରି ନ ଥିଲା । ମୋର ମନର ଦୁଃଖ ମାଲବ୍ୟଜୀଙ୍କୁ ଜଣାଇଥିଲି, ‘‘ରଫାର ଆଶା ତ ମୁଁ ଦେଖୁନାହିଁ ଏବଂ ମୁଁ ଯଦି ମୋର ପ୍ରସ୍ତାବ ଆଣେ ତେବେ ନିଶ୍ଚୟ ସେଥିରେ ଭୋଟ ନିଆଯିବ । କିନ୍ତୁ ଏଠାରେ ତା’ର କୌଣସି ବନ୍ଦୋବସ୍ତ ଦେଖୁନାହିଁ । ସଭାବେଳେ ଆଜିଯାଏ ଭୋଟ ହାତଟେକି ନିଆଯାଏ । ହାତଟେକାବେଳେ ଦର୍ଶକ ଓ ପ୍ରତିନିଧିଙ୍କ ମଧ୍ୟରେ କୌଣସି ପ୍ରଭେଦ ରହେ ନାହିଁ । ଏଭଳି ବଡ଼ ସଭାର ଭୋଟ ଗଣିବାରେ ଆମର କୌଣସି ବନ୍ଦୋବସ୍ତ ନାହିଁ । ଅତଏବ ସେ ରୀତିରେ ଭୋଟ ନିଆଯିବାର ହେଲେ ତା’ର ସୁବିଧା କିଛି ନାହିଁ ।’’ ଲାଲ ହରିକିଶନ୍‌ଲାଲ ଏଭଳି ସୁବିଧା ଭଲରକମ କରିଦେବାର ଭାର ନେଇଥିଲେ । ସେ କହିଲେ, ‘‘ଭୋଟ ନେବା ଦିନ ଆମେ କଂଗ୍ରେସ ମଣ୍ଡପକୁ ଦର୍ଶକ ଆସିବାକୁ ଦେବୁ ନାହିଁ । କେବଳ ସଭ୍ୟମାନେ ଆସିବେ । ପରନ୍ତୁ ଭୋଟ ଗଣିବା ବିଷୟ ମୋ କାମ । ଆପଣ କଂଗ୍ରସରୁ ଅନୁପସ୍ଥିତି ହେବେ ନାହିଁ ।’’

 

ଶେଷରେ ମୁଁ ତାଙ୍କ କଥା ମାନିଥିଲି । ମୋର ପ୍ରସ୍ତାବ ଚିଠା କରିଥିଲି । ମୁଁ ଅତି ସଂକୋଚର ସହିତ ପ୍ରସ୍ତାବ ପେଶ୍‌ କରିବାକୁ ରାଜି ହୋଇଥିଲି । ପଣ୍ଡିତ ମାଲବ୍ୟ ଓ ମି: ଖୀନା ତାହା ସମର୍ଥନ କରିଥାନ୍ତି । ବକ୍ତୃତା ସବୁ ହେଲା । ମୁଁ ଦେଖିପାରିଥିଲି ଯେ, ମତଭେଦରେ କଟୁତାର ଗନ୍ଧ ନ ଥିଲା । ବକ୍ତୃତାରେ କେବଳ ନୀରସ ଯୁକ୍ତିତର୍କ ଛଡ଼ା ଆଉ କିଛି ନ ଥିଲା । ତଥାପି ସଭାର ଲୋକେ ମତଭେଦ କଥାଟାକୁ ସହ୍ୟ କରିପାରି ନ ଥିଲେ । ନେତାମାନଙ୍କ ମତଭେଦ ତାଙ୍କୁ କଷ୍ଟ ଦେଉଥିଲା । ସେମାନେ ଏକମତ ଚାହୁଁଥିଲେ ।

 

ବକ୍ତୃତା ହେଲାବେଳେ ମଧ୍ୟ ମଞ୍ଚ ଉପରେ ସାଲିସ କରିବାର ଚେଷ୍ଟା ଚାଲିଥିଲା ଏବଂ ନେତାମାନଙ୍କ ମଧ୍ୟରେ ଚିଠି ଲେଖାଲେଖି ଚାଲିଥିଲା । କୌଣସି ମତେ ଏମାନଙ୍କୁ ଯୋଡ଼ିଦେବାକୁ ମାଲବ୍ୟଜୀ ବହୁତ ଚେଷ୍ଟା କରିଥିଲେ । ଠିକ୍‌ ସେତିକିବେଳେ ଜୟରାମ ଦାସ ତାଙ୍କ ସଂଶୋଧନ ପ୍ରସ୍ତାବ ମୋ ହାତକୁ ବଢ଼େଇ ଦେଇଥିଲେ ଏବଂ ପ୍ରତିନିଧିମାନଙ୍କୁ ମତଦେବା ସଙ୍କଟରୁ ରକ୍ଷା କରିବାପାଇଁ ତାଙ୍କର ସ୍ୱାଭାବିକ ମଧୁର କଥାରେ ମତେ ଅନୁରୋଧ କରିଥିଲେ । ତାଙ୍କର ସଂଶୋଧନ ପ୍ରସ୍ତାବ ମୋ ମନକୁ ପାଇଥିଲା । ଆଶାର ଆଲୋକ ପାଇଁ ମାଲବ୍ୟଜୀଙ୍କ ଆଖି ଚାରିଆଡ଼େ ସବୁବେଳେ ବୁଲୁଥିଲା । ମୁଁ କହିଥିଲି, ‘‘ଜୟରାମ ଦାସଙ୍କ ସଂଶୋଧନ ପ୍ରସ୍ତାବ ଉଭୟ ପକ୍ଷରୁ ସମ୍ମତି ପାଇବା ଭଳି ମୋତେ ଲାଗୁଛି ।’’ ମୁଁ ଲୋକମାନଙ୍କୁ ତାହା ଦେଖାଇଥିଲି । ସେ କହିଥିଲେ, ‘‘ଦାସ ତାହା ଗ୍ରହଣ କଲେ ମୋର ଆପତ୍ତି ନାହିଁ ।’’ ଶେଷରେ ଦେଶବନ୍ଧୁ ଟିକିଏ ତରଳି ଯାଇଥିଲେ ଏବଂ ବିପିନଚନ୍ଦ୍ର ପାଲଙ୍କ ମୁହଁଙ୍କୁ ଅନେଇଥିଲେ । ମାଲବ୍ୟଜୀ ଆଶାରେ ପୂରି ଉଠିଥିଲେ । ସେ ସଂଶୋଧନ ପ୍ରସ୍ତାବର କାଗଜଖଣ୍ଡି ଛଡ଼େଇ ନେଇ ଦେଶବନ୍ଧୁ ସଫା ହଁ କହିବା ପୂର୍ବରୁ, ଚିତ୍କାର କରି ଉଠିଥିଲେ, ‘‘ଭାଇ ପ୍ରତିନିଧି ବୃନ୍ଦ, ଆପଣମାନେ ଶୁଣି ଖୁସିହେବେ, ଗୋଟିଏ ରଫା ହୋଇଯାଇଛି ।’’ ତହିଁ ଉତ୍ତାରୁ ଯାହା ଘଟିଥିଲା ତାହା ବର୍ଣ୍ଣନା କରିହେବ ନାହିଁ । ମଣ୍ଡପଟି କରତାଳି ଧ୍ୱନିରେ ଫାଟିପଡ଼ିଥିଲା ଏବଂ ଲୋକଙ୍କ ମୁହଁ ଯାହା ଟିକିଏ ଆଗରୁ ଚିନ୍ତିତ ଥିଲା, ତାହା ପୁଣି ଆନନ୍ଦରେ ସରସ ହୋଇଉଠିଥିଲା । ସଂଶୋଧନ ପ୍ରସ୍ତାବଟିକୁ ଏଠି ଆଲୋଚନା କରିବା ଦରକାର ନାହିଁ । ଏ ପ୍ରସ୍ତାବ କେମିତି ହେଲା, ଏଠାରେ ସେତିକି କହିବା ମୋର ସତ୍ୟର ସାଧନାର ବିଷୟ ।

 

ଏହି ସାଲିସରେ ମୋର ଦାୟିତ୍ୱ ବଢ଼ି ଯାଇଥିଲା ।

 

କଂଗ୍ରେସ ଦୀକ୍ଷା

 

ଅମୃତସରଠାରେ କଂଗ୍ରେସରେ ଯୋଗଦେବାଟାକୁ ମୁଁ ମୋର କଂଗ୍ରେସ ପ୍ରବେଶ ବୋଲି ମନେକରେ ନାହିଁ । ପୂର୍ବ କଂଗ୍ରେସ ବୈଠକମାନଙ୍କରେ ମୁଁ ଯେ ଯୋଗ ଦେଉଥିଲି, ତାହା କେବଳ କଂଗ୍ରେସ ପ୍ରତି ମୋର ଭକ୍ତି ଦେଖାଇବାର ଚିହ୍ନ ଥିଲା । ସେସବୁ ଅବସରରେ ଜଣେ ଛୋଟିଆ ସିପାହୀର କାମଛଡ଼ା ମୋପାଇଁ ଆଉ କିଛି ଅଧିକ ଥିବାର ଜଣା ପଡ଼ୁ ନ ଥିଲା, ମୁଁ ମଧ୍ୟ ତା’ଠାରୁ ଅଧିକ ଇଚ୍ଛା କରୁ ନ ଥିଲି ।

 

ଅମୃତସର ଅନୁଭୂତି ମତେ ଜଣେଇ ଦେଇଥିଲା ଯେ, ମୋର ଗୋଟିଏ ବିଶେଷ ଶକ୍ତି କଂଗ୍ରେସର କାମରେ ଆସନ୍ତା । ମୁଁ ଦେଖି ପାରିଥିଲି ଯେ ଲୋକମାନ୍ୟ, ଦେଶବନ୍ଧୁ, ମୋତିଲାଲଜୀ ପ୍ରଭୃତି ନେତାମାନେ ମୋର ପଞ୍ଜାବ ତଦନ୍ତ କାର୍ଯ୍ୟରେ ସନ୍ତୁଷ୍ଟ ହୋଇଥିଲେ । ତେଣୁ ସେମାନେ ତାଙ୍କର ଘରୋଇ ପରାମର୍ଶ ବୈଠକକୁ ମତେ ଡାକୁଥିଲେ । ସେହିଠାରେ ବିଷୟ ନିର୍ବଚନ ସମିତିର ଅସଲ କାମ ସବୁ ଫଏସଲା ହେଉଥିବାର ମୁଁ ଦେଖିଥିଲି । ଏସବୁ ପରାମର୍ଶ ବୈଠକରେ ନେତାମାନଙ୍କ ଖାସ ବିଶ୍ୱାସୀ ବା ଦାୟିତ୍ୱପୂର୍ଣ୍ଣ ଲୋକେ ଏବଂ ଯେଉଁମାନେ ଯେକୌଣସି ଉଦ୍ଦେଶ୍ୟରେ ଲୁଚି ପଶି ଯାଉଥିଲେ, ସେହିମାନେ ରହୁଥିଲେ ।

 

ଆସନ୍ତା ବର୍ଷପାଇଁ ଦିଓଟି ବିଷୟ ମୋର ମନ ଆକର୍ଷଣ କରିଥିଲା । କାରଣ ସେଥିରେ ମୋର ଥଣ୍ଟ ଟିକିଏ ଚଳୁଥିଲା । ଏକ ଥିଲା ଜାଲିୟାନାଓ୍ୟାଲାବାଗ୍‌ ହତ୍ୟାକାଣ୍ଡର ସ୍ମୃତିରକ୍ଷା । ସେଥିପାଇଁ ଖୁବ୍‌ ଜାକଜମକରେ କଂଗ୍ରେସ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ । ତା’ପାଇଁ ପାଞ୍ଚଲକ୍ଷ ଟଙ୍କା ଉଠେଇବାର ସ୍ଥିର ହୋଇଥିଲା । ମୁଁ ସେ ଟଙ୍କାର ଜଣେ ରକ୍ଷକ ନିଯୁକ୍ତ ହୋଇଥିଲି । ସାଧାରଣ କାମ ପାଇଁ ଭିକ ମାଗିବାର ‘ରାଜା’ ବୋଲି ପଣ୍ଡିତ ମାଲବ୍ୟଙ୍କର ସୁଖ୍ୟାତି ଥିଲା । ମୁଁ ଜାଣିଥିଲି ଯେ, ସେ ଦିଗରେ ମୋ ପାହିଆ ବି ତାଙ୍କଠୁଁ ବେଶୀ ତଳକୁ ନ ଥିଲା । ଦକ୍ଷିଣ ଆଫ୍ରିକାରେ ଥିଲାବେଳେ ଏ ଦିଗରେ ମୋର ଶକ୍ତି ମୁଁ ଜାଣିପାରିଥିଲି । ରାଜାମହାରାଜାଙ୍କ ଠାରୁ କିମିଆ କଲାଭଳି ଲକ୍ଷ ଟଙ୍କା ବାହାର କରି ଆଣିବା ଶକ୍ତି ମୋର ନ ଥିଲା, ଆଜି ବି ନାହିଁ । ଏଥିରୁ ମାଲବ୍ୟଜୀଙ୍କ ସଙ୍ଗେ ଟକ୍‌କର ଦେବାଭଳି ମୁଁ କାହାରିକି ଦେଖିନାହିଁ । କିନ୍ତୁ ଜାଲିୟାନାଓ୍ୟାଲାବାଗ୍‌ ସ୍ମୃତିରକ୍ଷା ପାଇଁ ସେମାନଙ୍କୁ ମାଗିବାକୁ ହେବନାହିଁ ବୋଲି ମୁଁ ଜାଣିଥିଲି । ତେଣୁ ଏ ସ୍ମୃତିରକ୍ଷା ପାଇଁ ଟଙ୍କା ଉଠେଇବା କାମ ମୋରି ଉପରେ ମୁଖ୍ୟତଃ ପଡ଼ିବ ବୋଲି ମୁଁ ରକ୍ଷକ ହେବାପାଇଁ ରାଜି ହେବାବେଳେ ଜାଣିପାରିଥିଲି । ସେଇଆ ବି ହୋଇଥିଲା । ବମ୍ୱେର ବଦାନ୍ୟ ନଗରବାସୀମାନେ ଖୁବ୍‌ ମୁକ୍ତହସ୍ତରେ ଦାନ କରିଥିଲେ ଏବଂ ସ୍ମୃତିରକ୍ଷା ଟ୍ରଷ୍ଟିଙ୍କ ହାତରେ ଆଜି ଯେତେ ଲୋଡ଼ା ସେତେ ଟଙ୍କା ଜମା ଅଛି । ଯେଉଁ ଭୂମିକୁ ପବିତ୍ର କରିବାପାଇଁ ହିନ୍ଦୁ ମୁସଲମାନ, ଶିଖ୍‌ ସମସ୍ତେ ନିଜ ରକ୍ତ ଏକାଠି ଢାଳି ଦେଇଥିଲେ, ତାର ସ୍ମୃତିରକ୍ଷା ପାଇଁ କିଭଳି ସ୍ମାରକ ଗଢ଼ିବାକୁ ହେବ, ଏ ପଇସାର କିପରି ବ୍ୟବହାର କରିବାକୁ ହେବ ଏବେ ତା’ର ଏଇ ବିକଟ ପ୍ରଶ୍ନଉଠିଛି । ଏ ତିନିଙ୍କ ଭିତରେ; ବରଂ କହନ୍ତୁ ଦୁଇ ସଂମ୍ପ୍ରଦାୟଙ୍କ ଭିତରେ ଆଜି ବନ୍ଧୁତା ବଦଳରେ ଶତ୍ରୁତା ବଢ଼ିଛି ବୋଲି ଜଣାପଡ଼ୁଛି ।

 

ମୋର ଅନ୍ୟ ଯେ ଗୁଣଟି କଂଗ୍ରେସ କାମରେ ଲଗାଯାଇ ପାରନ୍ତା, ସେଟି ଥିଲା ଚିଠା କରିବା ଶକ୍ତି । କଂଗ୍ରେସ ନେତାମାନେ ଦେଖିଥିଲେ ଯେ ଖୁବ୍‌ ଅଳ୍ପ ଶବ୍ଦରେ, ଅଭଦ୍ର ଭାଷା ନ ଥାଇ କଥାଟାକୁ ପ୍ରକାଶ କରିବାର କ୍ଷମତା ମୋର ଥିଲା । ତାହା ମୁଁ ବହୁକାଳର ଅଭ୍ୟାସ ଫଳରେ ହାସଲ କରିଥିଲି । ସେତେବେଳେ କଂଗ୍ରେସ ପାଇଁ ଯେ ନିୟମାବଳୀ ଥିଲା, ତାହା ଗୋଖଲେଙ୍କର ଦାନ ଥିଲା । ସେ କେତୋଟି ନିୟମ ଗଢ଼ି ଦେଇଥିଲେ । ତାହାରି ଉପରେ ନିର୍ଭର କରି ସମସ୍ତ କଂଗ୍ରେସ କଳ ଚଳୁଥିଲା । ଏହି ନିୟମଗୁଡ଼ିକ ଗଢ଼ାହେବାର ସୁନ୍ଦର କାହାଣୀ ମୁଁ ଗୋଖଲେଙ୍କର ନିଜ ମୁହଁରୁ ଶୁଣିଥିଲି । କିନ୍ତୁ ସେ ସମୟରେ ସମସ୍ତେ ଅନୁଭବ କରୁଥିଲେ ଯେ, କଂଗ୍ରେସର କାମ ସେତିକି ନିୟମରେ ଚଳୁ ନ ଥିଲା । କଂଗ୍ରେସର ବିଧିବିଧାନ ଗଢ଼ିବା ବିଷୟ ବର୍ଷକୁ ବର୍ଷ କଂଗ୍ରେସରେ ପଡ଼ି ଆସୁଥିଲା । ବର୍ଷକଯାକ କାମ କରିବାକୁ କିମ୍ୱା ଭବିଷ୍ୟତରେ ବିଚାର କରିବାକୁ କଂଗ୍ରେସର କୌଣସି ବ୍ୟବସ୍ଥା ନଥିଲା । ତିନିଜଣ ସମ୍ପାଦକ ରହୁଥିଲେ । କିନ୍ତୁ ପ୍ରକୃତରେ ଜଣେ କାମକଲା ସମ୍ପାଦକ ଥିଲେ । ଜଣେ ବା କେମିତି ଏକା କଂଗ୍ରେସ ଅଫିସ ଚଳାନ୍ତେ, ଭବିଷ୍ୟତର କଥା ଭାବନ୍ତେ ଏବଂ କଂଗ୍ରେସର ଦାୟିତ୍ୱ ତୁଟାନ୍ତେ ? ସେ ବର୍ଷ ଏ ବିଷୟଟା ସମସ୍ତଙ୍କ ମତରେ ବେଶୀ ଜରୁରୀ ହୋଇପଡ଼ିଥିଲା । କଂଗ୍ରେସରେ ହଜାର ହଜାର ଲୋକଙ୍କ ଭିଡ଼ ହୋଇଥାଏ । ସେଠାରେ ସେମାନଙ୍କର କାମ ହୁଅନ୍ତା କିପରି ? କଂଗ୍ରେସ ପ୍ରତିନିଧି ସଂଖ୍ୟାର କୌଣସି ସୀମା ନଥିଲା । ପ୍ରତ୍ୟେକ ପ୍ରଦେଶରୁ ଯେତେ ଇଚ୍ଛା ସେତେ ଆସି ପାରୁଥିଲେ । ତେଣୁ କୌଣସି ବ୍ୟବସ୍ଥା ଆବଶ୍ୟକ ବୋଲି ସମସ୍ତେ ବୁଝି ପାରିଥିଲେ । ନିୟମାବଳୀ ଚିଠା କରିଦେବା ଦାୟିତ୍ୱ ମୁଣ୍ଡାଇବାକୁ ମୁଁ ରାଜି ହୋଇଥିଲି । ମୋର ଗୋଟିଏ ସର୍ତ୍ତ ଥିଲା । ଉପରେ ଦୁଇଜଣ ନେତାଙ୍କ କର୍ତ୍ତୃତ୍ୱ ଥିବାର ମୁଁ ଦେଖିପାରିଥିଲି । ତେଣୁ ସେମାନଙ୍କ ପ୍ରତିନିଧି ଦୁଇଜଣ ମୋ ସାଙ୍ଗକୁ ମାଗିଥିଲି । ସେମାନେ ନିଜେ ଏ ନିୟମ ଚିଠା କାମରେ ବସିବାକୁ ସମୟ ଦେଇ ପାରି ନ ଥାନ୍ତେ, ଏହା ମୁଁ ସ୍ପଷ୍ଟ ଦେଖି ପାରୁଥିଲି-। ସେଥିଯୋଗୁଁ ଲୋକମାନଙ୍କଠାରୁ ଓ ଦେଶବନ୍ଧୁଙ୍କଠାରୁ ତାଙ୍କର ବିଶ୍ୱାସୀ ଦୁଇ ଜଣଙ୍କ ନାମ ମୁଁ ଚାହୁଁଥିଲି । ଏ କମିଟି ସଭ୍ୟସଂଖ୍ୟା ତିନି ଜଣରୁ ବେଶୀ ନ ହେଉ ବୋଲି ପ୍ରସ୍ତାବ କରିଥିଲି-। ଏ ପ୍ରସ୍ତାବ ଗୃହୀତ ହୋଇଥିଲା । ଲୋକମାନ୍ୟ ଓ ଦେଶବନ୍ଧୁ ନିଜ ନିଜର ପ୍ରତିନିଧି ସ୍ୱରୂପ ଯଥାକ୍ରମେ ଶ୍ରୀଯୁକ୍ତ କେଲ୍‌କାର୍‌ ଓ ଶ୍ରୀଯୁକ୍ତ ଆଇ.ବି. ସେନଙ୍କ ନାମ ଦେଇଥିଲ । ଏ କମିଟି ଥରେ ସୁଦ୍ଧା ଏକାଠି ବସିପାରି ନ ଥିଲା । ତଥାପି ଚିଠିଦ୍ୱାରା ପରସ୍ପର ପରାମର୍ଶ ସଂଗ୍ରହ କରିଥିଲୁ ଏବଂ ଶେଷରେ ଏକମତ ହୋଇ କାମଟି ତୁଲେଇ ଦେଇଥିଲୁ । ମୁଁ ଟିକିଏ ଗର୍ବର ସହିତ ଏ ନିୟମାବଳୀକୁ ଦେଖୁଥାଏ । ମୋର ମତ ଏ ନିୟାମାବଳୀକୁ ଆମେ ଯଦି ପୂରାପୂରି କାର୍ଯ୍ୟରେ ପରିଣତ କରିପାରିବା; ସେତିକିରେ ଆମର ସ୍ୱରାଜ୍ୟ ହୋଇଯିବ । ଏହି ଦାୟିତ୍ୱ ଗ୍ରହଣ କରି ମୁଁ କଂଗ୍ରେସର ପ୍ରକୃତ ଦୀକ୍ଷା ନେଇଥିଲି ବୋଲି ମୋର ବିଶ୍ୱାସ ।

 

ଖଦିର ଜନ୍ମ

 

୧୯୦୮ ସାଲଯାଏ ମୁଁ ଆଖିରେ ତନ୍ତ ବା ଅରଟ ଦେଖିଥିଲି ବୋଲି ମନେ ପଡ଼ୁନାହିଁ । ତଥାପି ହିନ୍ଦ୍ ସ୍ୱରାଜ୍ୟରେ ଅରଟ ଦ୍ୱାରା ଭାରତର ଦାରିଦ୍ର୍ୟ ମେଣ୍ଟିବ ବୋଲି ମୁଁ ମତ ଦେଇଥିଲି । ଯେଉଁ ଉପାୟରେ ଖାଲି ପେଟ ପୂରିବ, ସେହି ଉପାୟରେ ସ୍ୱରାଜ୍ୟ ଆସିବ, ଏହା ସମସ୍ତଙ୍କର ବୁଝିପାରିବା ଭଳି କଥା । ୧୯୧୫ ରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିଲି । ସେ ଯାଏ ମୁଁ ଅରଟଟିଏ ଦେଖି ନ ଥିଲି । ଆଶ୍ରମ ବସେଇଥିଲୁ, ତେଣୁ ତନ୍ତ ପକେଇଥିଲୁ । କିନ୍ତୁ ତନ୍ତ ପକେଇବା ସଙ୍ଗେ ସଙ୍ଗେ ବହୁତ ଅଡ଼ୁଆରେ ପଡ଼ିଥିଲୁ । ଆମେ ସମସ୍ତେ ବେପାରୀ କିମ୍ବା କଲମ ଚଳେଇବାବାଲା ଥିଲୁ । ଆମ ଭିତରୁ କେହି କାରିଗର ନଥିଲେ । ତନ୍ତ ପକାଇବା ପରେ ଜଣେ ବୁଣା ଶିଖାଇବା ଲୋକ ଲୋଡ଼ା ହୋଇଥିଲା । କାଠିଆବାଡ଼ ଓ ପାଲନ୍‌ପୁରରୁ ତନ୍ତ ମିଳିଥିଲା ଏବଂ ଶିଖାଇବା ଲୋକ ଆସିଥିଲେ । ମାତ୍ର ସେ ତାଙ୍କର ସବୁ ବିଦ୍ୟା ଆମକୁ ଶିଖେଇ ନଥିଲେ । କିନ୍ତୁ ମଗନଲାଲ ଗାନ୍ଧୀ ସହଜରେ ହଟିବା ଲୋକ ନଥିଲା । ତାଙ୍କ ହାତରେ କାରିଗରୀକଳା ଥିବାରୁ ବୁଣା ବିଦ୍ୟାଟାକୁ ପୂରା ଶିଖି ନେଇଥିଲେ ଏବଂ ଜଣକ ପରେ ଜଣେ ଅନେକ ନୂଆ ତନ୍ତୀ ଆଶ୍ରମରେ ତାଲିମ ହୋଇଥିଲେ ।

 

ଆମେ ନିଜେ ହାତରେ ବୁଣା ଲୁଗା ପିନ୍ଧୁଥିଲୁ । ସେଥିପାଇଁ ମିଲବୁଣା ଲୁଗାକୁ ଛାଡ଼ିଥିଲୁ ଏବଂ ସମସ୍ତ ଆଶ୍ରମବାସୀ ଦେଶୀ କଳର ସୂତାରେ ହାତତନ୍ତରେ ବୁଣା ଲୁଗା ପିନ୍ଧିବାକୁ ପ୍ରତିଜ୍ଞା କରିଥିଲୁ । ଏହା ଫଳରେ ଆମର ବହୁତ ଅନୁଭୂତି ହୋଇଥିଲା । ଭାରତର ତନ୍ତୀଙ୍କ ଜୀବନ, ତାଙ୍କର ଉତ୍ପନ୍ନ ଦ୍ରବ୍ୟ, ସୂତା ପାଇବାରେ ତାଙ୍କର ଅସୁବିଧା, ସେମାନେ କେମିତି ଠକାମିରେ ପଡ଼ନ୍ତି, ସେମାନେ ଦିନକୁ ଦିନ କେମିତି ବେଶି ବେଶି କରଜଦାର ହେଉଛନ୍ତି ଇତ୍ୟାଦି ସବୁ ବିଷୟ ଜାଣିପାରିଥିଲୁ । ଆମେ ନିଜର ଦରକାରୀ ଲୁଗାତକ ସଙ୍ଗେ ସଙ୍ଗେ ବୁଣି ପାରି ନ ଥିଲୁ । ତେଣୁ ବାହାର ତନ୍ତୀଙ୍କଠାରୁ ଲୁଗା ବୁଣେଇ ନେଇଥିଲୁ; ଦେଶୀ ସୂତାରେ ତିଆରି ଲୁଗା ତନ୍ତୀଙ୍କଠାରୁ ଝଟ୍‌ ମିଳୁ ନ ଥିଲା । ତନ୍ତୀ ଯେତେକ ଭଲ ଲୁଗା ବୁଣୁଥିଲେ, ସବୁ ବିଦେଶୀ ସୂତାରେ ବୁଣୁଥିଲେ । କାରଣ ଆମର ଦେଶୀ କଳଯାକ ସରୁ ସୂତା କାଟୁ ନ ଥିଲେ । ଆଜି ମଧ୍ୟ ଭାରତର କଳଯାକ ସାଧାରଣ ସରୁ ସୂତା ଅଳ୍ପ କାଟନ୍ତି, ଅତି ସରୁ ସୂତା ତ ଆଦୌ କାଟି ପାରନ୍ତି ନାହିଁ । ବହୁ ଚେଷ୍ଟାରେ କେତେକ ତନ୍ତୀ ମିଳିଥିଲେ, ଯେ ଦେଶୀ ସୂତାରେ ଲୁଗା ବୁଣି ଦେବାକୁ ଦୟା କରିଥିଲେ-। କିନ୍ତୁ ତାଙ୍କର ସବୁ ଲୁଗା ଆଶ୍ରମ ତରଫରୁ କିଣି ନେବୁ ବୋଲି ଜବାବ ଦିଆ ହୋଇଥିଲା-। ଫଳରେ ଦେଶୀ କଳସୂତା ଲୁଗା ବୁଣେଇଥିଲୁ ଓ ପିନ୍ଧିଥିଲୁ ଏବଂ ବନ୍ଧୁମାନଙ୍କ ମଧ୍ୟରେ ପ୍ରଚାର କରିଥିଲୁ । ଆମେ ଦେଶୀ ସୂତାକଟା କଳମାନଙ୍କର ଅବୈତନିକ ଏଜେଣ୍ଟ ଭଳି ହୋଇ ପଡ଼ିଥିଲୁ । ଏହାଫଳରେ କଳଗୁଡ଼ିକ ସଙ୍ଗେ ଆମରି ସମ୍ପର୍କ ଜନ୍ମିଥିଲା ଏବଂ ଆମେ ସେଗୁଡ଼ିକର ପରିଚାଳନା ତଥା ସେମାନଙ୍କର ଅସହାୟ ଅବସ୍ଥା ଅନେକ ଜାଣିପାରିଥିଲୁ । ଆମେ ଦେଖିଥିଲୁ ଯେ, ନିଜେ କାଟି ବୁଣିବା ମାଲିକମାନଙ୍କର ଲକ୍ଷ୍ୟ ଥିଲା । ସେମାନେ ସ୍ୱେଚ୍ଛାରେ ହାତ ତନ୍ତକୁ ସାହାଯ୍ୟ କରୁ ନ ଥିଲେ । ମାତ୍ର ଅନିଚ୍ଛାରେ କରୁଥିଲେ ।

 

ଏସବୁ ଦେଖି ଆମେ ନିଜ ସୂତା କାଟିବାକୁ ଅଧୀର ହୋଇପଡ଼ିଥିଲୁ । ହାତରେ ନ କାଟିବାଯାଏ ଆମେ ପରାଧୀନ ଥିବୁ ବୋଲି ସ୍ପଷ୍ଟ ଦେଖିପାରିଥିଲୁ । ମିଲ୍‌ର ଏଜେଣ୍ଟ ହୋଇ ଦେଶସେବା କରୁଛୁ ବୋଲି ଆମକୁ ଜଣା ପଡ଼ୁ ନଥିଲା । ନା ଆମକୁ ଅରଟ ମିଳିଥିଲା, ନା ଜଣେ କଟାଳୀ ମିଳିଥିଲା । କଣ୍ଡା ବଳିବା ଅରଟ ତ ଆମ ପାଖରେ ଥିଲା କିନ୍ତୁ ସେଥିରେ ସୂତା କାଟିପାରିବୁ ବୋଲି ଆମର ଧାରଣା ନ ଥିଲା । ଥରେ କାଳିଦାସ ଓକିଲ ଜଣେ ସ୍ତ୍ରୀ ଲୋକଙ୍କୁ ଖୋଜିଆଣି ଦେଇଥିଲେ । ସେ ଆମକୁ ସୂତାକଟା ଦେଖେଇ ଦେବେ ବୋଲି କହିଥିଲେ । ନୂଆକଥା ଶିଖିବାରେ ଭାରି ପଟୁ ବୋଲି ଖ୍ୟାତ ଜଣେ ଆଶ୍ରମବାସୀଙ୍କୁ ସେ ମହିଳାଙ୍କ ପାଖକୁ ପଠାଇଥିଲୁ । ମାତ୍ର ସେ ବିଦ୍ୟା ହାସଲ ହୋଇ ନଥିଲା । ଏମିତି ଦିନ ଗଡ଼ିଯାଉଥାଏ ଏବଂ ମୋର ଅଧୈର୍ଯ୍ୟ ବଢ଼ୁଥାଏ । କିଛି ସମ୍ବାଦ ଦେଇପାରିବେ ଏମିତି ଲୋକ କେହି ଆଶ୍ରମକୁ ଆସିଲେ ମୁଁ ତାଙ୍କୁ ପଚାରୁଥିଲି । ମାତ୍ର ସୂତାକଟା ସ୍ତ୍ରୀ ଲୋକଙ୍କ ଭିତରେ ଏକଚାଟିଆ ଥିଲା । ତେଣୁ ଅନ୍ଦିସନ୍ଧିରେ ସୂତାକଟା ଜାଣିଥିବା ସ୍ତ୍ରୀ ଲୋକ କେବଳ ସ୍ତ୍ରୀ ଲୋକଙ୍କୁ ମିଳନ୍ତେ ।

 

୧୯୧୭ରେ ବ୍ରୋଚ ଶିକ୍ଷା ସମ୍ମିଳନୀକୁ ଗୁଜୁରାତୀ ଭାଇମାନେ ମତେ ନେଇଥିଲେ । ସେଠାରେ ସେଇ ମହା ସାହାସୀ ବିଧବା ଭଉଣୀ ଗଙ୍ଗାବାଈଙ୍କୁ ପାଇଥିଲି । ତାଙ୍କର ଶିକ୍ଷା ବେଶି ନ ଥିଲା । ମାତ୍ର ତାଙ୍କର ସାହସ ଓ ବୁଝିବା ଶକ୍ତି ଆମର ସାଧାରଣ ଶିକ୍ଷିତ ସ୍ତ୍ରୀ ଲୋକଙ୍କଠାରୁ ବେଶୀ ଥିଲା । ସେ ଅସ୍ପୃଶ୍ୟତା ପାପରୁ ନିଜକୁ ମୁକ୍ତ କରିସାରିଥିଲେ ଏବଂ ନିର୍ଭୟରେ ଅନ୍ତ୍ୟଜଙ୍ଗ ସଙ୍ଗେ ମିଶି ତାଙ୍କର ସେବା କରୁଥିଲେ । ତାଙ୍କର ନିଜର କିଛି ସମ୍ପତ୍ତି ଥିଲା, କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଖୁବ୍‌ ଟାଣ ଥିଲା ଏବଂ ଯେଉଁଠାକୁ ସେଠାକୁ ଏକୁଟିଆ ଯିବାକୁ ସେ ଆଦୌ ଡରୁନଥିଲେ । ସେ ଘୋଡ଼ା ଚଢ଼ିବାକୁ ମଧ୍ୟ ପ୍ରସ୍ତୁତ ଥାନ୍ତି । ଗୋଧରା ସଭାରେ ମୁଁ ତାଙ୍କର ବିଶେଷ ପରିଚୟ ପାଇଥିଲି । ଅରଟ ସମ୍ୱନ୍ଧେ ମୋର ଦୁଃଖ କାହାଣୀ ତାଙ୍କୁ ଶୁଣାଇଥିଲି ଏବଂ ଦମୟନ୍ତୀ ଯେମିତି ନଳଙ୍କ ପଛେ ପଛେ ବୁଲିଥିଲେ, ସେମିତି ଅରଟକୁ ଖୋଜି ବୁଲିବାକୁ ପ୍ରତିଜ୍ଞା କରି ସେ ମୋର ବୋଝ ହାଲୁକା କରିଦେଇଥିଲେ ।

 

ମିଳିଲା

 

ଗଙ୍ଗାବେନ ଗୁଜୁରାତ ତମାମ ବୁଲିସାରିବା ପରେ ବରୋଦା ରାଜ୍ୟର ବିଜାପୁରଠାରେ ଅରଟ ପାଇଥିଲେ । ସେଠି ବହୁତ ଲୋକଙ୍କଠାରେ ଅରଟ ଥିଲା । ମାତ୍ର ସେମାନେ ସେ ଗୁଡ଼ିକ ସଙ୍ଗାରେ ରଖିଦେଇଥିଲେ । କେହି ଯଦି ସେମାନଙ୍କୁ ବଳଣା ଯୋଗେଇବାକୁ ଏବଂ ସୂତା କିଣିନେବାକୁ ଜବାବ ଦିଅନ୍ତି, ସେମାନେ ପୁଣି ସୂତା କାଟିବାକୁ ରାଜି । ଗଙ୍ଗାବେନ ମତେ ଏ ଖବର ଦେଇଥିଲେ ଏବଂ ମୋର ଆନନ୍ଦର ସୀମା ରହି ନ ଥିଲା । ବଳଣା ଯୋଗାଇବା ବଡ଼ କଷ୍ଟ କାମ ଥଲା । ମର୍‌ହୁମ ଉମର ସୋବାନୀଙ୍କୁ ଏ ଅସୁବିଧା କଥା ଜଣାଇବାରୁ ସେ ତାଙ୍କ କଳରୁ ଯଥେଷ୍ଟ ବଳଣା ପୁଡ଼ା ପଠାଇବାକୁ ଜବାବ ଦେଇ ସମସ୍ୟାର ସମାଧାନ କରି ଦେଇଥିଲେ । ମୁଁ ସେ ସବୁ ପୁଡ଼ାକୁ ଗଙ୍ଗାବେନଙ୍କୁ ଦେଇ ପଠାଇଥିଲି । ସୂତା ଏତେ ଶୀଘ୍ର ଆସିଥିଲା ଯେ, ମୁଁ ବଣା ହୋଇ ଯାଇଥିଲି ।

 

ଭାଇ ଉମର ସୋବାନୀଙ୍କର ବିଶାଳ ଉଦାରତା ଥିଲା ସତ; କିନ୍ତୁ ତା’ର ପୁଣି ସୀମା ଥିଲା । ତାଙ୍କଠାରୁ ବଳଣା କିଣି ଆଣିବା ମତେ ଅଡ଼ୁଆ ଲାଗିଥିଲା । ଉପରନ୍ତୁ କଳ ବଳଣା ବ୍ୟବହାର କରିବାରେ ମତେ ବିଶେଷ ଅନ୍ୟାୟ ଜଣାପଡ଼ିଥିଲା । ଯଦି କଳ ବଳଣା ବ୍ୟବହାର କରିବ, ତେବେ କଳସୂତା ବ୍ୟବହାର କରିବ ନାହିଁ କାହିଁକି ? ପୂର୍ବକାଳରେ କ’ଣ କଳକଳଣା ଥିଲା-? ସେତେବେଳେ ବଳଣା କୌଣସି ପ୍ରକାରେ କରୁଥିବେ ତ ? ମୁଁ ଗଙ୍ଗାବେନଙ୍କୁ ତୁଳାଭିଣା ଖୋଜି ବାହାର କରିବାକୁ ଅନୁରୋଧ କରିଥିଲି । ସେ କାମଟି ମୁଣ୍ଡକୁ ନେଇଥିଲେ । ସେ ଜଣେ ତୁଳା ଭିଣା ଖୋଜି ବାହାର କରିଥିଲେ । ତାଙ୍କୁ ମାସକୁ ୩୫ ଟଙ୍କା ମୋଟା ଦରମାରେ ନିଯୁକ୍ତ କରିଥିଲି । ବଳଣା କରିବା ପିଲାଙ୍କୁ ଶିଖାଇଥିଲି ମୁଁ ତୁଳା ଭିକ ମାଗି ଆଣିଥିଲି । ଭାଇ ଯଶୋବନ୍ତ ପ୍ରସାଦ ଦେଶାଇ ତୁଳାଗାଣ୍ଠି ଯୋଗାଇବାର ଭାର ନେଇଥିଲେ । ଗଙ୍ଗାବେନଙ୍କ କାମ ହଠାତ୍‌ ବଢ଼ିଯାଇଥିଲା । ସେ କଟା ସୂତା ବୁଣାଇବା ପାଇଁ ତନ୍ତ ବସାଇଥିଲେ । ବିଜାପୁର ଖଦିର ଖ୍ୟାତି ହୋଇ ଯାଇଥିଲା । ଅନ୍ୟ ଦିଗରେ ଆଶ୍ରମରେ ଏବେ ଅରଟ ଜମା ହୋଇଯିବାରେ ଆଉ ବାଧା ନଥିଲା । ମଗନଲାଲ ଗାନ୍ଧୀ ତାଙ୍କର ଆବିଷ୍କାର ଶକ୍ତି ଖଟେଇ ଅରଟରେ ଅନେକ ଉନ୍ନତି କରିଥିଲେ ଏବଂ ଆଶ୍ରମରେ ଅରଟ ଓ ତାକୁଡ଼ି ତିଆରି ହେବାକୁ ଲାଗିଲା । ଆଶ୍ରମରେ ତିଆରି ପ୍ରଥମ ଖଦଡ଼ ଥାନ ଗଜକୁ ସତର ଅଣା ପଡ଼ିଥିଲା । ମୁଁ ଏହି ମୋଟା ଅପାକଳ ସୂତାର ଖଦିକୁ ବନ୍ଧୁମାନଙ୍କୁ ସତରଅଣା ଗଜରେ ବିକିଥିଲି । ସେମାନେ ମଧ୍ୟ ଉତ୍ସାହରେ ଦାମ ଦେଇଥିଲେ ।

 

ମୁଁ ବମ୍ୱେଠାରେ ବିଛଣାରେ ପଡ଼ିଥାଏ । କିନ୍ତୁ ସମସ୍ତଙ୍କୁ ପଚାରୁଥାଏ । ହଠାତ୍‌ ଦି’ଜଣ କଟାଳୀ ମତେ ମିଳି ଯାଇଥିଲେ । ତାଙ୍କ ସୂତା ପାଉଣ୍ଡକୁ ଟଙ୍କାଏ ଲେଖାଏଁ ଦେଇଥିଲି । ସେତେବେଳେଯାଏ ଖଦି ଶାସ୍ତ୍ରରେ ମୁଁ ଅନ୍ଧପରି ହେଉଥିଲି । ମୋର ହାତକଟା ସୂତା ଲୋଡ଼ା ଥିଲା-। କଟାଳୀ ଦରକାର ଥିଲେ । ଗଙ୍ଗାବେନ ଯେ ଦର ଦେଉଥିଲେ, ତାହା ସହିତ ତୁଳନା କରି ଦେଖିବାରୁ ଜଣାଯାଇଥିଲା ଯେ, ସେମାନେ ମତେ ଠକୁଥିଲେ । ସ୍ତ୍ରୀ ଲୋକ ଦୁଇଟି କମ୍‌ ଦରରେ ରାଜି ନ ଥିଲେ । ତେଣୁ ମୁଁ ସେମାନଙ୍କୁ ଛଡ଼େଇ ଦେଇଥିଲି । କିନ୍ତୁ ତାଙ୍କର କାମ ହୋଇ ଯାଇଥିଲା-। ସେମାନେ ଶ୍ରୀମତୀ ଅବନ୍ତୀକା ବାଈ, ରାମା ବାଈ, କାମଦାର, ଶଙ୍କରଲାଲ ବ୍ୟାଙ୍କରଙ୍କର ବୃଦ୍ଧା ବିଧବା ମା ଓ ଶ୍ରୀମତୀ ବସୁମତୀ ବେନଙ୍କୁ ସୂତାକଟା ଶିଖେଇ ଦେଇଥିଲେ । ମୋ ଘରେ ଅରଟର ମଧୁର ଧ୍ୱନି ହେବାକୁ ଲାଗିଥିଲା । ସେହି ଶବ୍ଦ ମୋ ସ୍ୱାସ୍ଥ୍ୟ ଫେରିପାଇବାରେ ସାହାଯ୍ୟ କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଁ ମାନୁଛି, ଏହାର ପ୍ରଭାବ ଦୈହିକଠାରୁ ଅଧିକ ମାନସିକ ଥିଲା । ମଣିଷକୁ ରୋଗୀ ନୀରୋଗ କରିବାରେ ମନ କଣ କମ୍‌ କାମ କରେ ? ମୁଁ ମଧ୍ୟ ଅରଟରେ ହାତ ଦେଇଥିଲି ତା ଉପରକୁ ଆଉ ବେଶୀ କିଛି କରିପାରି ନ ଥିଲି ।

 

ଏଠି ହାତତିଆରି ବଳଣା କୁଆଡ଼ୁ ଆଣିବି ? ଶ୍ରୀ ରେବାଶଙ୍କର ଝାବେରିଙ୍କ ଘରବାଟେ ରୋଜ ଜଣେ ତୁଳାଭିଣା ତାର ଭିଣା ଟଙ୍ଗ୍‌ ଟାଙ୍ଗ୍‌ କରି ଯା’ଆସ କରୁଥିଲା । ମୁଁ ତାକୁ ଡାକିଥିଲି, ସେ ଗଦି ପାଇଁ ତୁଳା ଭିଣେ । ସେ ବଳଣା କରି ଦେବାକୁ ରାଜି ହୋଇଥିଲା । ସେ ଚଢ଼ା ଦାମ୍‌ ଦାବି କରିଥିଲା । ମୁଁ ତାହା ଦେଇଥିଲି । ସୂତା ଯାହା ହୋଇଥିଲା, ମୁଁ ତାକୁ ପଇତା କରିବାକୁ କେତେକ ବୈଷ୍ଣବ ବନ୍ଧୁଙ୍କୁ ବିକିଥିଲି । ଭାଇ ଶିବାଜୀ ସୂତାକଟା ଶିଖେଇବାକୁ ଗୋଟିଏ ଶ୍ରେଣୀ ବମ୍ୱେଠାରେ ଖୋଲିଥିଲେ । ଏସବୁ ପରୀକ୍ଷାରେ ବହୁତ ଖର୍ଚ୍ଚ ହେଉଥିଲା । ମାତ୍ର ବିଶ୍ୱାସୀ ହିତୈଷୀ ବନ୍ଧୁମାନେ ଟଙ୍କା ଦେଉଥିଲେ ଓ ମୁଁ ଖର୍ଚ୍ଚ କରୁଥିଲି । ମୋର କ୍ଷୁଦ୍ର ମତରେ ଏ ଖର୍ଚ୍ଚ ସବୁ ବୃଥା ହୋଇ ନ ଥିଲା-। ସେଥିରୁ ଆମେ ବହୁତ ଶିଖିଥିଲୁ । ସେ କାମରେ ଅଟକଳ ପାଇଥିଲୁ ।

 

ଏବେ ମୁଁ କେବଳ ଖଦିର ସବୁ ଲୁଗାପଟା କରିବା ପାଇଁ ଅଧୀର ହୋଇପଡ଼ିଲି । ମୋ ଧୋତି ଦେଶୀ କଳବୁଣା ଲୁଗା ଥାଏ । ଆଶ୍ରମ ବା ବିଜାପୁରରେ ଯେ ଖଦି ବୁଣା ହୋଇଥିଲା, ତାହା ବହୁତ ମୋଟା ଓ ମାତ୍ର ୩୦ ଇଞ୍ଚି ଓସାରର ଥିଲା । ମୁଁ ଗଙ୍ଗାବେନ୍‌ଙ୍କୁ ଚେତେଇ ଦେଇଥିଲି ଯେ, ମାସକ ଭିତରେ ସେ ମତେ ୪୫ ଇଞ୍ଚ ଓସାରର ଧୋତି ନ ଯୋଗାଇ ଦେଲେ, ମୁଁ ସେହି ଅଳ୍ପ ଓସାରର ମୋଟା ଖଦି ପିନ୍ଧିବି । ଏ ଖବର ତାଙ୍କୁ ଚିନ୍ତାରେ ପକେଇ ଦେଇଥିଲା । ମାସେ ସମୟ ତାଙ୍କୁ କମ୍‌ ଲାଗିଥିଲା । କିନ୍ତୁ ସେଥିକି ସେ ମଜବୁତ ଥିଲେ । ମାସକ ଭିତରେ ସେ ମତେ ୫୦ ଇଞ୍ଚ ଓସାରର ଧୋତି ପଠେଇ ଦେଇ ମୋର ଗଭୀର ଦୁଃଖ ମେଣ୍ଟେଇ ଦେଇଥିଲେ । ସେହି ସମୟରେ ଭାଇ ଲକ୍ଷ୍ମୀଦାସ ଲାଠୀ ନାମକ ସ୍ଥାନରୁ ଅନ୍ତ୍ୟଜ ଭାଇ ରାମଜୀ ଓ ତାଙ୍କ ସ୍ତ୍ରୀ ଗଙ୍ଗାବେନଙ୍କୁ ଆଶ୍ରମକୁ ଆଣିଥିଲେ ଏବଂ ତାଙ୍କ ଦ୍ୱାରା ବେଶୀ ଓସାର ଖଦି ବୁଣେଇଥିଲେ । ଖଦିର ପ୍ରସାର ପାଇଁ ଏ ଦମ୍ପତି କିଛି କମ୍‌ କାମ କରି ନାହାନ୍ତି । ହାତକଟା ସୂତାକୁ ବୁଣାଇବାରେ ସେ ଗୁଜୁରାତରେ ଓ ଗୁଜୁରାତର ବାହାରେ ଅନେକ ଲୋକଙ୍କୁ ତାଲିମ କରି ଦେଇଥିଲେ । ଯେତେବେଳେ ଏ ଅଶିକ୍ଷତା ଅଥଚ ମାର୍ଜିତା ଭଉଣୀ ତନ୍ତ ଚଳାଉଥିଲେ, ସେତେବେଳେ ସେଥିରେ ସେ ଏତେ ତନ୍ମୟ ହୋଇ ଯାଉଥିଲେ ଯେ, ଏଣେ ତେଣେ ଅନାଇବାକୁ ବା କାହାକୁ କଥା କହିବାକୁ ତାଙ୍କୁ ଫୁର୍‌ସତ୍‌ ହୋଇ ନ ଥିଲା ।

 

ଏକ ଆଲୋଚନା

 

ଯେତେବେଳେ ଖଦି ଆନ୍ଦୋଳନକୁ ସ୍ୱଦେଶୀ ବୋଲି କହିବାକୁ ଆରମ୍ଭ କରିଥିଲେ, ସେତେବେଳେ କଳମାଲିକମାନଙ୍କ ଆଡ଼ୁ ମୋର ସମାଲୋଚନା ହୋଇଥିଲା । ଭାଇ ଉମର ସୋବାନୀ ନିଜେ ଜଣେ ଦକ୍ଷ କଳମାଲିକ ଥିବାରୁ ସେ ତାଙ୍କର ଅଭିଜ୍ଞତାର ସାହାଯ୍ୟ ମତେ ଦେଇଥିଲେ । ଉପରନ୍ତୁ ଅନ୍ୟାନ୍ୟ କଳମାଲିକଙ୍କ ମତ ମତେ ଜଣାଉଥିଲେ । ସେମାନଙ୍କ ମଧ୍ୟରୁ ଜଣକ ଯୁକ୍ତି ତାଙ୍କ ମନକୁ ଭାରି ପାଇଯାଇଥିଲା ଏବଂ ତାଙ୍କ ସଙ୍ଗେ ଦେଖା କରିବାକୁ ସେ ମତେ ବଳେଇଥିଲେ । ମୁଁ ରାଜି ହୋଇଥିଲି । ଆମେ ତାଙ୍କ ପାଖକୁ ଯାଇଥିଲୁ । ସେ ମହାଶୟ କଥାବାର୍ତ୍ତା ଆରମ୍ଭ କରିଥିଲେ, ‘‘ଆପଣ ଜାଣନ୍ତି, ଆପଣଙ୍କ ସ୍ୱଦେଶୀ ଆନ୍ଦୋଳନ ପ୍ରଥମ ଆନ୍ଦୋଳନ ନୁହେଁ-?’’ ମୁଁ ଉତ୍ତର ଦେଇଥିଲି, ‘‘ହଁ, ମୁଁ ଜାଣେ ।’’ ‘‘ଆପଣ କ’ଣ ଜାଣନ୍ତି ଯେ ବଙ୍ଗବିଚ୍ଛେଦ ସମୟରେ ସ୍ୱଦେଶୀ ଆନ୍ଦୋଳନ ଖୁବ୍‌ ଜୋର୍‌ରେ ଚାଲିଥିଲା ଏବଂ ଆମେ କଳଯାକ ବହୁତ ଲାଭ ଉଠେଇଥିଲୁ-? ଲୁଗାର ଦାମ୍‌ ଚଢ଼େଇ ଦେଇଥିଲୁ, କେତେକ ନ କରିବା କାମ ବି କରିଥିଲୁ ?’’ ‘‘ହଁ, ସେ କଥା ମୁଁ କିଛି କିଛି ଶୁଣିଛି ଏବଂ ସେଥିରେ ମୋର ଦୁଃଖ ହୋଇଛି ।’’ ‘‘ମୁଁ ଆପଣଙ୍କ ଦୁଃଖର କଥା ବୁଝିଛି । ମାତ୍ର ତାର କାରଣ କିଛି ଦେଖୁନାହିଁ । ଆମେ ତ ପରୋପକାର ପାଇଁ ବେପାର କରୁନାହୁଁ ? ଆମେ ଲାଭପାଇଁ କରୁଛୁ । ଅଂଶୀଦାରମାନଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼େ । ଜିନିଷର କାଟତି ଅନୁସାରେ ତାର ଦାମ ହୁଏ । ଏ ନିୟମର ପ୍ରତିରୋଧ କିଏ କରି ପାରିବ ? ବଙ୍ଗାଳୀମାନଙ୍କର ଜାଣିବା ଉଚିତ ଥିଲା ଯେ, ତାଙ୍କର ଆନ୍ଦୋଳନ ଫଳରେ ସ୍ୱଦେଶୀ ଲୁଗାର ଦାମ ଚଢ଼ି ଯାଇଥାନ୍ତା ।’’ ମୁଁ କହିଥିଲି, ‘‘ବଙ୍ଗାଳୀମାନେ ମୋରି ଭଳି ବିଶ୍ୱାସ କରୁଥିଲେ । ସେମାନେ ବିଶ୍ୱାସ କରିଥିଲେ ଯେ, କଳମାଲିକମାନେ ପୂରା ସ୍ୱାର୍ଥପର ହେବେ ନାହିଁ, ଦେଶକୁ କେବେ ଦଗା ଦେବେ ନାହିଁ କିମ୍ବା ବିଲାତି ଲୁଗାକୁ ସ୍ୱଦେଶୀ ବୋଲି ଚଳେଇଦେବେ ନାହିଁ ।’’ ସେ ଉତ୍ତର ଦେଇଥିଲେ, ‘‘ଆପଣଙ୍କର ସେଭଳି ମତ ମତେ ଜଣା । ତେଣୁ ମୁଁ ଆପଣଙ୍କୁ ଚେତେଇ ଦେବାକୁ ବିଚାରିଥିଲି ଏବଂ ଏଠାକୁ ଡକେଇ କଷ୍ଟ ଦେଇଛି; ଆପଣ ଯେମିତି ବଙ୍ଗଳୀଙ୍କ ଭଳି ଆଉ ଭୁଲ ନ କରନ୍ତି ।’’

 

ଏଇଆ କହି ସେ ତାଙ୍କ କଳରେ ଯେ ଲୁଗା ତିଆରି ହୁଏ, ତା’ର ନମୁନା ଆଣି ଦେଖେଇବାକୁ ତାଙ୍କ କିରାନୀକୁ କହିଥିଲେ । ଛିଣ୍ଡାକନାରୁ ତିଆରି କମ୍ୱଳର ନମୁନା ଆସିଥିଲା । ସେ ସବୁ ଦେଖାଇ ସେ କହିଥିଲେ, ‘‘ଏ ସବୁ ଜିନିଷ ଦେଖନ୍ତୁ । ଆମେ ଏ ମାଲ ନୂଆ କରୁଛୁଁ । ଏ ଭଲ କଟୁଛି । ଆମେ ରଦି ଜିନିଷରୁ ଏହାକୁ ତୟାର କରିଛୁ, ତେଣୁ ଏହା ଶସ୍ତା । ଆମେ ଏକଦମ୍‌ ଉତ୍ତରକୁ ଏହାକୁ ପଠାଇଥାଉ । ଆମର ଏଜେଣ୍ଟ ଚାରିଆଡ଼େ ବିଛେଇ ହୋଇ ଅଛନ୍ତି । ତେଣୁ ଆପଣ ବୁଝୁଥିବେ ଯେ, ଆପଣଙ୍କ ଭଳି ଏଜେଣ୍ଟ ଲୋଡ଼ା ନାହାନ୍ତି । ସତ କଥା ଏୟା ଯେ, ଯେଉଁଠାରେ ଆପଣଙ୍କ କଥା ଶୁଭିବ ନାହିଁ, ସେଠି ଆମର ଏଜେଣ୍ଟ ଓ ମାଲ ପହଞ୍ଚିଯାଉଛି । ଉପରନ୍ତୁ ଆପଣଙ୍କର ଜାଣିବା ଉଚିତ ଯେ, ଭାରତର ଯେତେ ଲୁଗା ଆବଶ୍ୟକ, ଆମେ ତା’ଠାରୁ କମ୍‌ ଉତ୍ପନ୍ନ କରୁ । ଅତଏବ ସ୍ୱଦେଶୀ ସମସ୍ୟା ମୁଖ୍ୟତଃ ଅଧିକ ଉତ୍ପନ୍ନ କରିବା ଉପରେ ନିର୍ଭର କରେ । ଯେଉଁ ମୁହୂର୍ତ୍ତରେ ଆମେ ଉତ୍ପନ୍ନ ଯଥେଷ୍ଟ ବଢ଼େଇ ଦେଇପାରିବୁ ଏବଂ ଜିନିଷ ଭଲ କରିପାରିବୁ, ବିଦେଶୀଲୁଗାର ଆମଦାନୀ ଆପଣା ମନକୁ ବନ୍ଦ ହୋଇଯିବ । ସେଥିପାଇଁ ଆପଣଙ୍କୁ ମୋର ଉପଦେଶ, ଯେଉଁ ଦିଗରେ ଆପଣ ଆନ୍ଦୋଳନ ଚଳାଉଛନ୍ତି ସେ ଦିଗରେ ନ ଚଳାଇ ନୂଆ ମିଲ୍‌ ବସାଇବା ଦିଗରେ ଉଦ୍ୟମ କରନ୍ତୁ । ଆମ ଜିନିଷର କାଟତି ବଢ଼ାଇବାକୁ ଆମେ ପ୍ରଚାର ଚାହୁଁ ନାହୁଁ । ମାତ୍ର ଆମେ ଅଧିକ ଉତ୍ପନ୍ନ ଚାହୁଁ ।’’

 

ମୁଁ ପଚାରିଥିଲି, ‘‘ମୁଁ ଯଦି ସେହି କାମରେ ଆଗରୁ ଲାଗିଥାଏ, ତେବେ ଆପଣ ଆଶୀର୍ବାଦ କରିବେ ତ ?’’ ସେ କହିଥିଲେ, ‘‘ତାହା କିପରି ହେବ ? ଯଦି ଆପଣ ନୂଆ କଳ ବସାଇବାକୁ ଚେଷ୍ଟା କରୁଛନ୍ତି, ତେବେ ତ ନିଶ୍ଚୟ ଆପଣଙ୍କର ଉଦ୍ୟମ ପ୍ରଶଂସନୀୟ ।’’ ମୁଁ ବୁଝାଇ ଦେଇଥିଲି, ‘‘ମୁଁ ଠିକ୍ ତାହା କରୁନାହିଁ; ମାତ୍ର ମୁଁ ଅରଟ କାମରେ ଲାଗିଛି ।’’ ‘‘ସେଟାକ’ଣ ?’’ ମୁଁ ଅରଟ କଥା ଶୁଣାଇଥିଲି ଏବଂ ଶେଷରେ ଯୋଡ଼ି ଦେଇଥିଲି, ‘‘ମୁଁ ଆପଣଙ୍କ ସଙ୍ଗେ ସଂପୂର୍ଣ୍ଣ ଏକମତ । ମିଲ୍‌ମାନଙ୍କର ଏଜେଣ୍ଟ ହୋଇ ଲାଭନାହିଁ । ସେଥିରେ ଲାଭଠାରୁ କ୍ଷତି ହେବ । ମିଲ୍‌ର ମାଲ ପଡ଼ିରହୁନାହିଁ । ମୋର ଲୁଗା ଆମଦାନୀ କରିବା ଉଚିତ ଓ ଯାହା ଖଦି ଉତ୍ପନ୍ନ ହେବ ତାହା କଟେଇବାରେ ବନ୍ଦୋବସ୍ତରେ ଲାଗିବା ଉଚିତ । ତେଣୁ ମୁଁ ଉତ୍ପନ୍ନ କରିବାରେ ଲାଗିଯାଇଛି । ମୁଁ ଏଭଳି ସ୍ୱଦେଶୀରେ ବିଶ୍ୱାସ କରୁଛି; କାରଣ ଏହାଦ୍ୱାରା ମୁଁ ଭାରତର ଉପାସରେ ମରୁଥିବା ଓ ଅଧେ ବେକାର ବସୁଥିବା ନାରୀଜାତିଙ୍କୁ କାମ ଜୁଟେଇ ଦେଇପାରିବି । ସେମାନେ ଯେ ସୂତା କାଟିବେ, ତାକୁ ବୁଣେଇବା ଓ ସେ ଲୁଗା ଲୋକଙ୍କୁ ପିନ୍ଧାଇବା ମୋର କାମ ଓ ମୋର ଆନ୍ଦୋଳନ-। ମୁଁ ଜାଣେନାହିଁ ସେ କେତେ ଦୂର ସଫଳ ହେବ । ବର୍ତ୍ତମାନ ଏହାର ଆରମ୍ଭ ମାତ୍ର ହୋଇଛି । କିନ୍ତୁ ଏଥିରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ଯାହାହେଉ ଏଥିରେ କୌଣସି ପ୍ରକାର କ୍ଷତି ହେବନାହିଁ । ପକ୍ଷାନ୍ତରରେ ଏ ଆନ୍ଦୋଳନରେ ଯେତେକ ଉତ୍ପନ୍ନ ବେଶୀ ହେବ, ସେତକ ତ ନିଦା ଲାଭ ହେବ । ଅତଏବ ଯେଉଁସବୁ ଦୋଷ ଆପଣ ଦେଖାଇଲେ, ସେ ସବୁ ଏ ଉଦ୍ୟମରେ ନାହିଁ ।’’ ସେ ଉତ୍ତର ଦେଇଥିଲେ, ‘‘ଯଦି ଆପଣ ଏହି ପ୍ରକାର ଆନ୍ଦୋଳନ ଚଳାଇଥାନ୍ତି, ତେବେ ମୋର କହିବାର କିଛି ନାହିଁ । ଏ ଯୁଗରେ ଅରଟ କେତେଦୂର ମୁଣ୍ଡ ଟେକିବ, ସେ କଥା ସ୍ୱତନ୍ତ୍ର । କିନ୍ତୁ ମୁଁ ଆପଣଙ୍କ ସଫଳତା କାମନା କରେ ।’’

 

ଅସହଯୋଗର ସ୍ରୋତ

 

ଖଦିକାମ କିପରି ଉନ୍ନତି କଲା ତା’ର ବର୍ଣ୍ଣନା ମୁଁ ଏଥିରେ କରିପାରିବି ନାହିଁ । ସେ ସେସବୁ ବିଷୟ କେମିତି ଲୋକଙ୍କ ଆଗକୁ ଆସିଲା ସେତିକି କହିଦେବା ପରେ, ଆଉ ତା’ର ଇତିହାସରେ ପଶିବା କ୍ଷେତ୍ର ଏ ନୁହେଁ । ସେଥିରେ ପଶିଲେ ଗୋଟିଏ ସ୍ୱତନ୍ତ୍ର ପୁସ୍ତକ ହୋଇଯିବ । ସତ୍ୟର ସାଧନା କରୁ କରୁ ନାନା ବିଷୟ ଗୋଟିକ ପରେ ଗୋଟିଏ କେମିତି ମୋ ଜୀବନରେ ଆସି ପଡ଼ିଥିଲା, ସେତିକି ବର୍ଣ୍ଣନା କରିବା ମୋ ଜୀବନର ଉଦ୍ଦେଶ୍ୟ ।’’

 

ତେଣୁ ସେହି ନନ-କୋଅପରେସନ୍‌ ଆନ୍ଦୋଳନ କଥାକୁ ଫେରିଯିବା । ଅଲିଭାଇଙ୍କ ପ୍ରବର୍ତ୍ତିତ ପ୍ରବଳ ଖିଲାଫତ୍‌ ଆନ୍ଦୋଳନ ପୂରା ଜୋରରେ ଚାଲିଥିଲା । ମୁଁ ମର୍‌ହମ ମୌଲାନା ଅବଦୁଲ୍‌ ବାରୀ ଓ ଅନ୍ୟାନ୍ୟ ଉଲେମାମାନଙ୍କ ସଙ୍ଗେ ସେ ସମ୍ୱନ୍ଧରେ ବହୁତ ଆଲୋଚନା କରିଥିଲି-। ମୁସଲମାନ କେତେଦୂର ଶାନ୍ତି ଓ ଅହିଂସା ପାଳିପାରେ, ସେ ବିଷୟରେ ଆଲୋଚନା କରିଥିଲି । ଶେଷରେ ସ୍ଥିର ହୋଇଥିଲା ଯେ, ଏକ ନିର୍ଦ୍ଦିଷ୍ଟ ସୀମାଯାଏ କୌଶଳ ଭଳି ତାକୁ ପାଳିବାରେ କୌଣସି ବାଧା ନାହିଁ ଏବଂ ଥରେ ଅହିଂସାର ପ୍ରତିଜ୍ଞା କରିସାରିଲେ, ତାହାକୁ ପାଳିବାକୁ ବାଧ୍ୟ ଥିଲେ । ଅବଶେଷରେ ଖିଲାଫତ ସମ୍ମିଳନୀରେ ଅସହଯୋଗ ପ୍ରସ୍ତାବ ଅଣାଯାଇଥିଲା ଏବଂ ବହୁତ ବିଚାର ପରେ ଗୃହୀତ ହୋଇଥିଲା । ଆଲାହାବାଦଠାରେ ଥରେ କେମିତି ଏହି ବିଷୟ ବିଚାର କରୁକରୁ ରାତି ପାହିଯାଇଥିଲା, ତାହା ମୋର ସ୍ପଷ୍ଟ ମନେ ଅଛି । ହାକିମ୍‌ ସାହେବଙ୍କର ଅହିଂସା ଅସହଯୋଗର ସମ୍ଭବପରତା ସମ୍ବନ୍ଧେ ସନ୍ଦେହ ଥିଲା । କିନ୍ତୁ ତାଙ୍କ ଅବିଶ୍ୱାସ ତୁଟିଯିବା ପରେ ସେ ସେଥିରେ ଲାଗିପଡ଼ିଥିଲେ ଏବଂ ତାଙ୍କର ସାହାଯ୍ୟ ଅମୂଲ୍ୟ ଥିଲା ।

 

ତାହାପରେ ଗୁଜୁରାତ ରାଜନୈତିକ ସମ୍ମିଳନୀରେ ମୁଁ ଅସହଯୋଗ ପ୍ରସ୍ତାବ ଆଣିଥିଲି । ବିରୋଧୀମାନେ ପ୍ରଥମେ ଏହି ଆପତ୍ତି ଉଠାଇଥିଲେ ଯେ କଂଗ୍ରେସ ଅସହଯୋଗ ପ୍ରସ୍ତାବ ନ କରିବାଯାଏ କୌଣସି ପ୍ରଦେଶିକ ସମ୍ମିଳନୀ ଏ ପ୍ରସ୍ତାବ ଗ୍ରହଣ କରିବାର କ୍ଷମତା ନ ଥିଲା । ମୁଁ କହିଥିଲି ଯେ, ପ୍ରାଦେଶିକ ସଭା ପଛକୁ ହଟିପାରିବ ନାହିଁ; କିନ୍ତୁ ଆଗକୁ ମାଡ଼ିଯିବା ସମ୍ବନ୍ଧେ ତଳ ଅନୁଷ୍ଠାନମାନଙ୍କର କ୍ଷମତା ନ ଥିଲା, ସେତିକି ନୁହେଁ, କିନ୍ତୁ ଆଗକୁ ମାଡ଼ିଯିବା ସମ୍ବନ୍ଧେ ତଳ ଅନୁଷ୍ଠାନମାନଙ୍କର କ୍ଷମତା ନ ଥିଲା, ସେତିକି ନୁହେଁ ବରଂ ସେମାନଙ୍କ ସାହସ ଥିବ ତ ତାହା ତାଙ୍କର କର୍ତ୍ତବ୍ୟ ଥିଲା । ସେଥିରେ ଉପର ଅନୁଷ୍ଠାନର ଶୋଭା ବଢ଼ିଥାଏ । ସେ ବିଷୟରେ ଦୋଷ ଗୁଣ ସମ୍ବନ୍ଧରେ ଭଲ ମିଠା ଆଲୋଚନା ହୋଇଥିଲା । ଭୋଟ ଗଣାଗଲା । ପ୍ରସ୍ତାବଟି ବହୁତ ସଂଖ୍ୟକ ଭୋଟରେ ମଞ୍ଜୁର ହେଲା । ଏ ପ୍ରସ୍ତାବ ଗ୍ରହଣରେ ଆବାସ୍‌ ତୟାବ୍‌ଜୀ ଓ ବଲ୍ଲଭଭାଇ ଖୁବ୍‌ ସାହାଯ୍ୟ କରିଥିଲେ । ଆବାସ୍‌ ସାହେବ ସଭାପତି ଥିଲେ ଏବଂ ଅସହଯୋଗ ପ୍ରସ୍ତାବ ଆଡ଼କୁ ତାଙ୍କୁ ମନ ଢାଳୁଥିଲା ।

 

ନିଖିଳ ଭାରତ କଂଗ୍ରେସ କମିଟି ଏହି ବିଷୟ ବିଚାର କରିବାପାଇଁ ୧୯୨୦ ସେପ୍ଟେମ୍ୱର ମାସରେ କଲିକତାରେ କଂଗ୍ରେସର ଗୋଟିଏ ବିଶେଷ ବୈଠକ ବସାଇବାକୁ ସ୍ଥିର କରିଥିଲେ । ଖୁବ୍‌ ବଡ଼ରକମର ଆୟୋଜନ ହୋଇଥିଲା । ଲାଲା ଲଜପତ୍‌ରାୟ ସଭାପତି ନିର୍ବାଚନ ହୋଇଥିଲେ । ବମ୍ୱେରୁ କଂଗ୍ରେସ ସ୍ପେଶାଲ ଓ ଖିଲାଫତ୍‌ ସ୍ପେଶାଲ ଗାଡ଼ି ଚାଲିଥିଲା । କଲିକତାରେ ପ୍ରତିନିଧି ଓ ଦର୍ଶକମାନଙ୍କର ଗୋଟିଏ ବିରାଟ ଜନତା ଜମା ହୋଇଥିଲା ।

 

ମୌଲାନା ସୌକତଅଲିଙ୍କ ଅନୁରୋଧକ୍ରମେ ରେଲରେ ମୁଁ ଅସହଯୋଗ ପ୍ରସ୍ତାବଟି ଚିଠା କରିଥିଲି । ଏପର୍ଯ୍ୟନ୍ତ ମୋର ସବୁ ଚିଠାରେ ଶାନ୍ତିପୂର୍ଣ୍ଣ ଶବ୍ଦର ବ୍ୟବହାର ବେଶୀ ହୋଇ ତ ଥିଲା; ମାତ୍ର ମୋର ସବୁ ବକ୍ତୃତାରେ ଏ ଶବ୍ଦ ମୁଁ ବ୍ୟବହାର କରୁଥିଲି । କେବଳ ମୁସଲମାନ ଭାଇଙ୍କ ସଭାରେ ଏହି ‘ଶାନ୍ତିପୂର୍ଣ୍ଣ’ ଶବ୍ଦରେ ବୁଝାଇବା କଥା ମୁଁ ବୁଝାଇପାରୁ ନଥିଲି । ମତେ ଆଉ ଗୋଟିଏ ଶବ୍ଦ ଯୋଗାଇ ଦେବାକୁ ମୌଲନା ଅବୁଲ୍‌କଲାମ୍‌ ଆଜାଦଙ୍କୁ ଅନୁରୋଧ କରିଥିଲି । ସେ ‘ବା-ଅମନ୍‌’ ଶବ୍ଦ କହିଥିଲେ ଏବଂ ‘ନନକୋଅପରେସନ୍‌’ ଶବ୍ଦ ପାଇଁ ‘ତରକ୍‌-ଏ-ମୋଓ୍ୟଲତ୍‌’ ଶବ୍ଦ ଦେଇଥିଲେ । ଏମିତି ଯେତେବେଳେ ହିନ୍ଦୀ, ଗୁଜୁରାତି ଓ ଉର୍ଦ୍ଦୁରେ ଅସହଯୋଗ ପାଇଁ ଶବ୍ଦ ମୋ ମୁଣ୍ଡ ଭିତରେ ଗଢ଼ା ହୋଇଥିଲା, ସେତିକିବେଳେ କଂଗ୍ରେସ ପାଇଁ ପ୍ରସ୍ତାବ ଚିଠା କରିବା କାମ ଉପରଲିଖିତ ଅନୁରୋଧ ଅନୁସାରେ ମୋ ଉପରେ ଆସି ପଡ଼ିଥିଲା । ଚିଠାରେ ମୁଁ ‘ଶାନ୍ତିପୂର୍ଣ୍ଣ’ ଶବ୍ଦଟି ଛାଡ଼ିଯାଇଥିଲି । ମୁଁ ରେଲରେ ମୌଲନା ସୌକତଅଲ୍ଲିଙ୍କୁ ଚିଠାଟା ଦେଇଥିଲି । ରାତିରେ ଭୁଲ୍‌ଟା ମନେପଡ଼ିଗଲା । ମୁଁ ମହାଦେବଙ୍କୁ ଦଉଡ଼େଇଥିଲି ଏବଂ କହି ପଠେଇଥିଲି ଯେ, ‘ଶାନ୍ତପୂର୍ଣ୍ଣ’ ଶବ୍ଦଟା ଛପାରେ ଯୋଡ଼ି ଦେବେ । କିନ୍ତୁ ମୋର ମନେପଡ଼େ ସଂଶୋଧନଟା ହେବା ପୂର୍ବରୁ ଚିଠାଟା ଛପା ହୋଇଯାଇଥିଲା । ସେହିଦିନ ସନ୍ଧ୍ୟାକୁ ବିଷୟ ନିର୍ବାଚିକା ସମିତି ବସିଥିଲା । ସେଥିରେ ମତେ ସେ ଶବ୍ଦ ପରେ ଯୋଡ଼ିବାକୁ ପଡ଼ିଥିଲା । ପରେ ମୁଁ ଦେଖିଥିଲି ଯେ, ଚିଠା ତୟାର ନ ଥିଲେ ବହୁତ ଅଡ଼ୁଆ ହୋଇଥାନ୍ତା । ମୋର ଅବସ୍ଥା ନିତାନ୍ତ ଶୋଚନୀୟ ହୋଇଥିଲା । କିଏ ପ୍ରସ୍ତାବ ସପକ୍ଷରେ ଓ କିଏ ବିରୁଦ୍ଧରେ, ସେ କଥା ମୁଁ ଆଦୌ ଜାଣିପାରି ନଥିଲି କିମ୍ୱା ଲାଲାଜୀଙ୍କ ମତ ବିଷୟରେ ବି କିଛି ଜାଣି ନ ଥିଲି । ପୋଖତ ଯୋଦ୍ଧାମାନେ କଲିକତାରେ ଜମା ହୋଇଥିଲେ-। ତାଙ୍କ ଭିତରେ ମାଲବ୍ୟଜୀ, ଶ୍ରୀଯୁକ୍ତ ବିଜୟ ରାଘବାଚାର୍ଯ୍ୟ, ବିଦୁଷୀ ଆନୀବେସାନ୍ତ, ପଣ୍ଡିତ ମୋତିଲାଲ ଓ ଦେଶବନ୍ଧୁ ଅନ୍ୟତମ ଥିଲେ । ମୁଁ ଚିଠାରେ ପଞ୍ଜାବ ଓ ଖିଲାଫତ୍‌ ଅନ୍ୟାୟମାନଙ୍କର ପ୍ରତିକାର ପାଇଁ ଅସହଯୋଗର ପ୍ରସ୍ତାବ କରିଥିଲି । ତାହା ବିଜୟ ରାଘବଚାର୍ଯ୍ୟଙ୍କ ମନକୁ ପାଇ ନ ଥିଲା । ସେ କହିଥିଲେ, ‘‘ଯଦି ଅସହଯୋଗ କରିବା କଥା, ତେବେ ତାହା ନିର୍ଦ୍ଦିଷ୍ଟ ଅନ୍ୟାୟ ପାଇଁ କାହିଁକି କରାହେବ ? ସ୍ୱରାଜ୍ୟର ଅଭାବଟା ତ ସବୁଠାରୁ ବଡ଼ ଅନ୍ୟାୟ, ଯାହା ଦେଶ ଭୋଗୁଛି, ତା’ରି ବିରୋଧରେ ଅସହଯୋଗ ଚଳାଇବାକୁ ହେବ ।’’ ମୋତିଲାଲଜୀ ମଧ୍ୟ ଏହିଯୁକ୍ତି କରୁଥିଲେ । ମୁଁ ଏ ପ୍ରସ୍ତାବ ସଙ୍ଗେ ସଙ୍ଗେ ଗ୍ରହଣ କରି ନେଇଥିଲି ଏବଂ ମୋ ଚିଠାରେ ସ୍ୱରାଜ୍ୟ ଦାବି ପୂରାଇ ଦେଇଥିଲି । ବହୁ ଦୀର୍ଘକାଳବ୍ୟାପୀ ତଥା ଗମ୍ଭୀର ଓ କିୟତ୍‌ ପରିମାଣରେ ଗରମ ଗରମ ଆଲୋଚନା ପରେ ପ୍ରସ୍ତାବଟି ଗୃହୀତ ହୋଇଥିଲା ।

 

ଆନ୍ଦୋଳନରେ ଯୋଗ ଦେବାରେ ମୋତିଲାଲଜୀ ପ୍ରଥମ ଥିଲେ । ପ୍ରସ୍ତାବ ସମ୍ବନ୍ଧେ ତାଙ୍କ ସଙ୍ଗେ ମୋର ଯେ ମଧୁର ଆଲୋଚନା ହୋଇଥିଲା, ତାହା ମୋର ଏ ପର୍ଯ୍ୟନ୍ତ ମନେ ଅଛି । ତା’ର ଶବ୍ଦ ରଚନାରେ ସେ କେତେକ ପରିବର୍ତ୍ତନ ପ୍ରସ୍ତାବ କରିଥିଲେ । ସେ ସବୁ ମୁଁ ଗ୍ରହଣ କରିଥିଲି । ଦେଶବନ୍ଧୁଙ୍କ ହୃଦୟ ଅସହଯୋଗ ସପକ୍ଷରେ ଥିଲା । କିନ୍ତୁ ତାଙ୍କର ବୁଦ୍ଧି କହୁଥିଲା ଯେ, ଲୋକେ ଏହାକୁ ଧରିବେ ନାହିଁ । ନାଗପୁରରେ ଯାଇ ସେ ଲାଲାଜୀ ଅସହଯୋଗରେ ପୂରା ଯୋଗ ଦେଇଥିଲେ ।

 

ଏହି ବିଶେଷ ବୈଠକରେ ଲୋକମାନଙ୍କ ଅଭାବରେ ମୋର ବଡ଼ ଦୁଃଖ ହୋଇଥିଲା । ଆଜିଯାଏ ମୋର ଏହି ମତ, ଲୋକମାନ୍ୟ ସେତେବେଳେ ବଞ୍ଚିଥିଲେ ସେ ନିଶ୍ଚୟ କଲିକତା ନିଷ୍ପତ୍ତିକୁ ଆଶୀର୍ବାଦ କରିଥାନ୍ତେ । ତାହା ନ କରି ସେ ଆନ୍ଦୋଳନର ବିରୋଧ କରିଥିଲେ ମଧ୍ୟ ତାହା ମତେ ଭଲ ଲାଗିଥାନ୍ତା । ମୁଁ ସେଥିରୁ ଶିଖିଥାନ୍ତି । ସବୁବେଳେ ଆମର ମତଭେଦ ଥିଲା; କିନ୍ତୁ ସେ ସବୁ ବଡ଼ ମଧୁର ଥିଲା । ଆମ ଭିତରେ ଘନିଷ୍ଠ ସମ୍ୱନ୍ଧ ଥିଲା ବୋଲି ସେ ମୋ ମନରେ ବିଶ୍ୱାସ କରେଇ ଦେଇଥିଲେ । ଏସବୁ ଲେଖିଲାବେଳେ ତାଙ୍କର ମୃତ୍ୟୁର ଚିତ୍ର ମୋ ଆଖି ଆଗରେ ନାଚିଯାଉଛି । ସେତେବେଳକୁ ପ୍ରାୟ ଅଧରାତି, ମୋର ସାଥୀ ପଟ୍ଟବର୍ଦ୍ଧନ ଟେଲିଫୋନରେ ମତେ ତାଙ୍କ ସମ୍ବାଦ ଦେଇଥିଲେ । ସେତିକିବେଳେ ମୋର ସାଥୀମାନଙ୍କ ଆଗରେ ମୋ ପାଟିରୁ ବାହାରି ପଡ଼ିଥିଲା, ‘‘ମୋର ବଡ଼ ଆଶ୍ରୟ ଟଳିପଡ଼ିଲା ।’’ ସେତେବେଳକୁ ଅସହଯୋଗ ଆନ୍ଦୋଳନ ପୂରାମାତ୍ରାରେ ଚାଲିଥାଏ ଏବଂ ତାଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇବି ବୋଲି ବଡ଼ ଆଶା କରି ବସିଥିଲି । ଅସହଯୋଗର ପୂରା ରୂପ ପ୍ରକାଶ ପାଇଲାବେଳେ ତାଙ୍କର ମତ କ’ଣ ହୋଇଥାନ୍ତା ତା’ ବିଧାତାଙ୍କୁ ଜଣା । କିନ୍ତୁ ଏତକ ମୁଁ ଜାଣେ ଯେ, ଦେଶର ଇତିହାସର ଏ ସଙ୍କଟ ସମୟରେ ତାଙ୍କର ଅନୁପସ୍ଥିତି ସମସ୍ତଙ୍କୁ ବାଧିଥିଲା ।

 

ନାଗପୁର ଠାରେ

 

କଲିକତା ବିଶେଷ ବୈଠକର ଅସହଯୋଗ ପ୍ରସ୍ତାବ ନାଗପୁର ବାର୍ଷିକ ବୈଠକରେ ବାହାଲ ହେବା କଥା । କଲିକତା ଭଳି ନାଗପୁର ବୈଠକରେ ବହୁତ ଭିଡ଼ ହୋଇଥିଲା । ସେତେବେଳଯାଏ ପ୍ରତିନିଧି ସଂଖ୍ୟା ନିର୍ଦ୍ଦିଷ୍ଟ ନ ଥାଏ । ତେଣୁ ପ୍ରାୟ ଚଉଦ ହଜାରଯାଏ ପ୍ରତିନିଧି ଜମା ହୋଇଥିଲେ । ଲାଲାଜୀ ବିଦ୍ୟାଳୟ ବର୍ଜନ ସମ୍ବନ୍ଧେ ଟିକିଏ ସଂଶୋଧନ ପ୍ରସ୍ତାବ କରିଥିଲେ ଏବଂ ମୁଁ ତାକୁ ଗ୍ରହଣ କରିଥିଲି । ସେମିତି ଦେଶବନ୍ଧୁ କେତେକ ସଂଶୋଧନ କରେଇଥିଲେ । ଶେଷରେ ଅସହଯୋଗ ପ୍ରସ୍ତାବଟି ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । କଂଗ୍ରେସ ନିୟମାବଳୀ ସଂଶୋଧନ ମଧ୍ୟ ଏହି ବୈଠକରେ ହେବାର ଥିଲା । ସେ କମିଟିଙ୍କ ଚିଠାଟା କଲିକତା ବିଶେଷ ବୈଠକରେ ପେଶ୍‌ ହୋଇଥିଲା । ତେଣୁ ବିଷୟଟି ପ୍ରକାଶ ପାଇସାରିଥିଲା ଓ ଭଲକରି ଆଲୋଚିତ ହୋଇ ଯାଇଥିଲା । ଶ୍ରୀଯୁକ୍ତ ବିଜୟରାଘବାଚାର୍ଯ୍ୟ ସଭାପତି ଥିଲେ । ଚିଠାରେ ଗୋଟିଏ ପ୍ରଧାନ ପରିବର୍ତ୍ତନ କରି ବିଷୟ ନିର୍ବାଚନ ସମିତି ତାକୁ ମଞ୍ଜୁର କରିଥିଲେ । ମୋ ଚିଠାରେ ପ୍ରତିନିଧି ସଂଖ୍ୟା ମୁଁ ପନ୍ଦରଶହ ରଖିଥିଲି । ବିଷୟ ନିର୍ବାଚିକା ସମିତି ତାକୁ ଛଅ ହଜାର କରିଥିଲେ । ମୋ ମତରେ ଏହା ବିଚାର ନ କରି ନିଷ୍ପତ୍ତି କରିବାର ଫଳ ଥିଲା । ଏ କେତେବର୍ଷର ଅଭିଜ୍ଞତାରୁ ମତେ ଜଣାପଡ଼ୁଛି, ବହୁତ ବେଶୀ ପ୍ରତିନିଧି ହେଲେ କାମ ଭଲ ହୁଏ ବା ପ୍ରଜାତନ୍ତ୍ରର ନୀତି ବେଶୀ ସୁରକ୍ଷିତ ହୁଏ, ଏହା ଭାବିବା ନିତାନ୍ତ ଭୁଲ । ଯଥା ତଥା ବଛା ହୋଇଥିବା ଛ ହଜାର ଦାୟିତ୍ୱଶୂନ୍ୟ ଲୋକଙ୍କଠାରୁ ପ୍ରକୃତରେ ଉଦାରମନା ସତ୍‌ଚରିତ୍ର ଓ ଲୋକଙ୍କ ଅଧିକାରକୁ ଜଗି ରହୁଥିବା ପନ୍ଦରଶହ ପ୍ରତିନିଧି ଯେ କୌଣସି ସମୟରେ ବେଶୀ ଭଲଭାବରେ ପ୍ରଜାତନ୍ତ୍ରର ରକ୍ଷା କରିପାରିବେ । ପ୍ରଜାତନ୍ତ୍ର ଭାବକୁ ପ୍ରକୃତରେ ରକ୍ଷା କରିବା ପାଇଁ ଲୋକଙ୍କ ଭିତରେ ସ୍ୱାଧୀନତା, ଆତ୍ମସମ୍ମାନ ଓ ଏକତାର ଭାବ ଥିବା ଦରକାର ଏବଂ ସବୁଠାରୁ ଭଲ ସଚ୍ଚା ପ୍ରତିନିଧି ବାଛିବା ଆଗ୍ରହ ଥିବା ଆବଶ୍ୟକ । କିନ୍ତୁ ବିଷୟ ନିର୍ବାଚିକା ସମିତି ବହୁ ସଂଖ୍ୟାର ମୋହରେ ପଡ଼ି ପ୍ରତିନିଧି ସଂଖ୍ୟା ଛ ହଜାରରୁ ବେଶୀ ରଖିବାକୁ ବସିଥିଲେ । ଛ’ହଜାର ବଡ଼ କଷ୍ଟରେ ଧାର୍ଯ୍ୟ ହୋଇଥିଲା ।

 

କଂଗ୍ରେସର ସ୍ୱରାଜ୍ୟ ଲକ୍ଷ୍ୟ ନେଇ ତୁମୂଳ ଆଲୋଚନା ହୋଇଥିଲା । ନିୟମାବଳୀର ଏକଦଫାରେ ସାମ୍ରାଜ୍ୟ ଭିତରେ ହେଉ ବା ବାହାରେ ହେଉ ସ୍ୱରାଜ୍ୟ ହାସଲ କରିବାକୁ ହେବ—ଏୟା ଥିଲା । ଗୋଟିଏ ଦଳ ବ୍ରିଟିଶ ସାମ୍ରାଜ୍ୟ ଭିତରେ ରହି ସ୍ୱରାଜ୍ୟ ପ୍ରାପ୍ତି ସପକ୍ଷରେ ଥିଲେ । ଏ ପକ୍ଷର ସମର୍ଥନ ମାଲବ୍ୟଜୀ ଓ ମି:ଝୀଣା କରୁଥିଲେ । କିନ୍ତୁ ସେମାନେ ବେଶୀ ଭୋଟ ପାଇ ନ ଥିଲେ । ଶାନ୍ତିପୂର୍ଣ୍ଣ ଓ ସତ୍‌ ଉପାୟରେ ସ୍ୱରାଜ୍ୟ ହାସଲ କରିବାକୁ ହେବ ବୋଲି ଚିଠାରେ ଥିଲା । ସେ ସର୍ତ୍ତରେ ଆପତ୍ତି ହୋଇଥିଲା, ମାତ୍ର କଂଗ୍ରେସରେ ଆପତ୍ତି ତିଷ୍ଠିଲା ନାହିଁ । ଶିକ୍ଷାପ୍ରଦ ଓ ସୁନ୍ଦର ଆଲୋଚନା ପରେ ପୂରା ଚିଠାଟି ଗୃହୀତ ହୋଇଥିଲା । ମୋର ମତ, ଏହି ବିଧିବିଧାନକୁ ଯଦି ସତ୍‌ଭାବରେ ଓ ଆଗ୍ରହର ସହିତ ଲୋକେ କାର୍ଯ୍ୟରେ ପରିଣତ କରିବାକୁ ଲାଗିଯାନ୍ତେ, ତେବେ ଏହାଦ୍ୱାରା ଲୋକେ ବହୁତ ଶିଖନ୍ତେ ଏବଂ କାର୍ଯ୍ୟରେ ପରିଣତ କରିବା ଉଦ୍ୟମରେ ସ୍ୱରାଜ୍ୟ ଆସି ପଡ଼ନ୍ତା । କିନ୍ତୁ ସେ ବିଷୟର ଆଲୋଚନା କରିବା ଏଠାରେ ଅପ୍ରାସଙ୍ଗିକ ହେବ ।

 

ହିନ୍ଦୁ ମୁସଲମାନ ଏକତା, ଅସ୍ପୃଶ୍ୟତା ତଥା ଖଦି ସମ୍ବନ୍ଧରେ ପ୍ରସ୍ତାବମାନ ଗୃହୀତ ହୋଇଥିଲା ଏବଂ ସେହିଦିନଠାରୁ କଂଗ୍ରେସର ହିନ୍ଦୁ ସଭ୍ୟମାନେ ହିନ୍ଦୁ ଧର୍ମରୁ ଅସ୍ପୃଶ୍ୟତା କଳଙ୍କ ପୋଛି ପକାଇବା ଦାୟିତ୍ତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି । ସେହିଦିନଠାରୁ ଖଦି ସଙ୍ଗେ ଭାରତର ନରକଙ୍କାଳମାନଙ୍କର ଏକ ଜୀବନ୍ତ ସମ୍ବନ୍ଧ ସ୍ଥାପିତ ହୋଇଛି । ଖିଲାଫତ୍ ପାଇଁ ଅସହଯୋଗ କରିବା ଦ୍ୱାରା କଂଗ୍ରେସ ହିନ୍ଦୁ ମୁସଲମାନ ଏକତା ଦିଗରେ ଏକ ମହାନ ଉଦ୍ୟମ ଆରମ୍ଭ କରିଥିଲା-

 

ପୂର୍ଣ୍ଣାହୂତି

 

ଏ ପୁସ୍ତକ ଶେଷ କରିବାର ସମୟ ଏବେ ଆସିଗଲା । ଏଣିକି ମୋର ଜୀବନ ସାଧାରଣରେ ଏତେ ବେଶୀ ଜଣାଶୁଣା ଯେ, ସେଥିରେ ଲୋକେ ନ ଜାଣନ୍ତି ଏମିତି କିଛି ନାହିଁ । ଅଧିକନ୍ତୁ ମୁଁ ସେମାନଙ୍କ ସହିତ ମୋର ସମ୍ପର୍କର ବର୍ଣ୍ଣନା ନ କରି କୌଣସି ଗୋଟିଏ ଘଟଣା ଲେଖିପାରିବି ନାହିଁ । ଯଦ୍ୟପି ଶ୍ରଦ୍ଧାନନ୍ଦଜୀ, ଦେଶବନ୍ଧୁ, ହାକିମ ସାହେବ ଓ ଲାଲାଜୀ ଆଉ ଆଜି ଆମ ସଙ୍ଗେ ନାହାନ୍ତି, ତଥାପି ଭାଗ୍ୟକୁ ଅନ୍ୟାନ୍ୟ ବହୁତ ପୁରୁଣା କଂଗ୍ରେସ ନେତା ବଞ୍ଚି ରହିଛନ୍ତି । କଂଗ୍ରେସ ମହା ପରିବର୍ତ୍ତନ ପର ଇତିହାସ ଏବେ ଗଢ଼ି ଉଠୁଛି । ମୁଁ ମୋର ମୁଖ୍ୟ ସାଧନା କଂଗ୍ରେସ ଜରିଆରେ କରିଛି, ତେଣୁ ସେ ସାଧନା ବା ପ୍ରୟୋଗ ବର୍ଣ୍ଣିବାକୁ ଗଲେ ନେତାମାନଙ୍କ ସଙ୍ଗେ ସମ୍ପର୍କ ଉଲ୍ଲେଖ କରିବାକୁ ପଡ଼ିବଇ ପଡ଼ିବ । ବିନୟ ଦୃଷ୍ଟି ସେ କଥା ମୁଁ ଏଠି କରିପାରିବି ନାହିଁ । ଶେଷରେ ଏବେ ଯେ ସବୁ ସାଧନା ଚାଲିଛି, ସେଥିରେ ମୋର ନିଷ୍ପତ୍ତି ପକ୍‌କା ହୋଇଛି ବୋଲି କହି ହେବ ନାହିଁ । ଅତଏବ ବର୍ତ୍ତମାନ ପାଇଁ ଏହିଠାରେ ଏ କାହାଣୀ ଶେଷ କରିବା ମୋର କର୍ତ୍ତବ୍ୟ ମଣେ । ମୋ କଲମଟା ମଧ୍ୟ ଆଉ ଆଗକୁ ଯିବାକୁ ନାରାଜ ବୋଲି କହିଲେ ଚଳେ ।

 

ପାଠକଙ୍କଠାରୁ ବିଦାୟ ନେବାକୁ ମତେ କଷ୍ଟ ହେଉଛି । ମୋର ଏ ସାଧନାଗୁଡ଼ିକୁ ମୁଁ ମୂଲ୍ୟବାନ ମଣେ । ମୁଁ ସେସବୁ ଠିକ୍‌ ଠିକ୍‌ ବର୍ଣ୍ଣନା କରିପାରିଛି କି ନାହିଁ ତାହା ମୁଁ ଜାଣେ ନାହିଁ । କିନ୍ତୁ ସଠିକ୍‌ କାହାଣୀ କହିବାରେ ମୁଁ ତ୍ରୁଟି କରିନାହିଁ । ସତ୍ୟ ମତେ ଯେମିତି ଦେଖାଯାଇଛି, ତାହା ବର୍ଣ୍ଣନା କରିବାକୁ ମୁଁ ସର୍ବଦା ଚେଷ୍ଟା କରୁଛି ଏବଂ ପାଠକଙ୍କୁ ସେସବୁ କହିଦେବାରେ ମତେ ମାନସିକ ଶାନ୍ତି ମିଳିଛି । କାରଣ, ମୋର ଆଶା ସେଥିରୁ ପାଠକଙ୍କର ସତ୍ୟ ଓ ଅହିଂସାରେ ବେଶୀ ବିଶ୍ୱାସ ଜନ୍ମିବ ।

 

ସତ୍ୟ ଛଡ଼ା ଭଗବାନ ଆଉ କେହି ଅଛନ୍ତି, ଏମିତି ମୁଁ କେବେ ଅନୁଭବ କରିନାହିଁ । ସତ୍ୟମୟ ହେବାର ଏକମାତ୍ର ମାର୍ଗ ଅହିଂସା ଅଟେ । ଏତକ ଯଦି ଏ ଲେଖାର ପ୍ରତି ପୃଷ୍ଠାରୁ ଜଣା ନ ପଡ଼େ, ତେବେ ମୋର ଶ୍ରମ ବୃଥା ଗଲା ବୋଲି ଜାଣିବି । ଚେଷ୍ଟା ବିଫଳ ହୋଇପାରେ, ମାତ୍ର ସେ ବଚନ ମିଥ୍ୟା ନୁହେଁ । ମୋର ଅହିଂସା ସଚ୍ଚା ହେଲେ ବି କଞ୍ଚା ଓ ଅପୂର୍ଣ୍ଣ ଅଛି । ଅତଏବ ସତ୍ୟର ଯେ ଟିକିଏ ଟିକିଏ ଉଡ଼ା ଆଭାସ ମୁଁ ପାଇଛି, ତାହା ହଜାର ସୂର୍ଯ୍ୟ ଏକାଠି କଲେ, ତଥାପି ଯେଉଁ ସତ୍ୟରୂପୀ ସୂର୍ଯ୍ୟ ତେଜର ଅଟକଳ ମିଳିବ ନାହିଁ, ସେହି ସୂର୍ଯ୍ୟର ଏକ କିରଣ ମାତ୍ର ଦେଖିବା ସଙ୍ଗେ ସମାନ; କିନ୍ତୁ ଆଜି ପର୍ଯ୍ୟନ୍ତ ମୋର ସାଧନାର ଶେଷରେ ଏତକ ନିଶ୍ଚୟ କହିପାରେ ଯେ ସଂପୂର୍ଣ୍ଣ ଅହିଂସା ବିନା ପୂର୍ଣ୍ଣ ସତ୍ୟର ଦର୍ଶନ ଅସମ୍ଭବ ।

 

ଏହି ବିଶ୍ୱବ୍ୟାପୀ ସତ୍ୟ ନାରାୟଣଙ୍କର ସାକ୍ଷାତ ଦର୍ଶନ ପାଇଁ ପ୍ରତ୍ୟେକ ଜୀବପ୍ରତି ଆତ୍ମବତ୍‌ ପ୍ରେମ ଏକାନ୍ତ ଆବଶ୍ୟକ ଏବଂ ଯେ ମଣିଷ ତାହା କରିବାକୁ ଇଚ୍ଛା କରେ, ସେ ଜୀବନରେ କୌଣସି କ୍ଷେତ୍ରରୁ ଅଲଗା ରହିପାରିବ ନାହିଁ । ତେଣୁ ମୋର ସତ୍ୟର ପୂଜା ମତେ ରାଜନୀତି କ୍ଷେତ୍ରକୁ ଟାଣିଆଣିଛି ଏବଂ ମୁଁ ତିଳେ ଦ୍ୱିଧା ନ କରି କହିପାରେ ଯେ, ଯେଉଁମାନେ କହନ୍ତି ଧର୍ମ ସଙ୍ଗରେ ରାଜନୀତିର କୌଣସି ସମ୍ପର୍କ ନାହିଁ, ସେମାନେ ଧର୍ମ କ’ଣ ଜାଣନ୍ତି ନାହିଁ । ଏହା କହିବାରେ ମୁଁ ଟିକିଏ ହେଲେ ଅହଂକାର କରୁନାହିଁ ।

 

ସମସ୍ତ ଜୀବଜଗତ ସହିତ ଐକ୍ୟ ବୋଧ ଆତ୍ମଶୁଦ୍ଧି ବିନା ଅସମ୍ଭବ । ଆତ୍ମଶୁଦ୍ଧି ବିନା ଅହିଂସା ଧର୍ମ ପାଳନ ଶୂନ୍ୟ ସ୍ୱପ୍ନ ହୋଇ ରହିବ । ଅଶୁଦ୍ଧ ଆତ୍ମା ପରମାତ୍ମାଙ୍କ ଦର୍ଶନ କରିପାରିବ ନାହିଁ । ଅତଏବ ଜୀବନର ସବୁ କ୍ଷେତ୍ରରେ ଶୁଦ୍ଧି ଲୋଡ଼ା । ଏ ଶୁଦ୍ଧି ସମ୍ଭବ ଅଟେ, କାରଣ ବ୍ୟକ୍ତି ଓ ସମଷ୍ଟି ଭିତରେ ଏତେ ନିକଟ ସମ୍ବନ୍ଧ ଅଛି ଯେ ଜଣକର ଶୁଦ୍ଧି ଅନେକଙ୍କର ଶୁଦ୍ଧିର ସମାନ ହୋଇପଡ଼ିଥାଏ ।

 

କିନ୍ତୁ ଆତ୍ମଶୁଦ୍ଧିର ବାଟ ବଡ଼ ବିକଟ, ଏହା ମୁଁ ପ୍ରତିକ୍ଷଣ ଅନୁଭବ କରିପାରୁଛି । ଶୁଦ୍ଧ ହେବା ଅର୍ଥ କାୟ ମନୋବାକ୍ୟରେ ବିକାରଶୂନ୍ୟ ବା ନିଷ୍କାମ ହେବା ଏବଂ ରାଗ, ଦ୍ୱେଷ ପ୍ରଭୃତିରୁ ମୁକ୍ତ ହେବା । ମୁଁ ଜାଣେ, ଆଜିଯାଏ ଅବିରତ ଚେଷ୍ଟା ସତ୍ତ୍ୱେ ମୁଁ ନିଷ୍କାମ ଅବସ୍ଥା ପାଇପାରିନାହିଁ । ତେଣୁ ଲୋକଙ୍କର ପ୍ରଶଂସା ମତେ ବିଚଳିତ କରେ ନାହିଁ, ବରଂ ତାହା ଅନେକ ସମୟରେ ମତେ ବାଧେ । ଅସ୍ତ୍ରଶସ୍ତ୍ର ଦ୍ୱାରା ଦୁନିଆଟାକୁ ଜିଣିବାଠାରୁ ବାସନାଟାକୁ ଜୟ କରିବା କଠିନ ବୋଲି ମତେ ଜଣାପଡ଼େ । ମୋ ଭିତରେ ଯେ ସମସ୍ତ ବାସନା ଲୁଚି ରହିଛନ୍ତି, ସେମାନଙ୍କର ପରିଚୟ ମୁଁ ଭାରତକୁ ଫେରିଲା ଦିନୁ ପାଉଛି । ମତେ ଲାଜ ମାଡ଼ୁଛି, କିନ୍ତୁ ମୁଁ ନିରାଶ ହୋଇନାହିଁ । ସତ୍ୟର ସାଧନା କରି ମୁଁ ଆନନ୍ଦ ପାଇଛି । ଆଜି ମଧ୍ୟ ପାଉଛି । କିନ୍ତୁ ମୁଁ ଜାଣେ, ମୋ ଆଗରେ ଦୁର୍ଗମ ପଥ ପଡ଼ିରହିଛି । ସେଥିପାଇଁ ମତେ ନିଜକୁ ଏକଦମ ଶୂନ୍ୟଭଳି କରିଦେବାକୁ ପଡ଼ିବ । ମନୁଷ୍ୟ ଯେ ପର୍ଯ୍ୟନ୍ତ ନିଜକୁ ସ୍ୱେଚ୍ଛାରେ ସବୁରି ତଳେ ନ ପକେଇ ପାରିଛି, ସେ ପର୍ଯ୍ୟନ୍ତ ତାର ମୁକ୍ତି ନାହିଁ । ଅହିଂସା ବିନୟର ପରାକାଷ୍ଠା, ଚରମ ପରିଣତି । ଏହି ନମ୍ରତା ବିନା କେବେ ମୁକ୍ତି ନାହିଁ, ଏହା ଅନୁଭବସିଦ୍ଧ କଥା । ଏହି ନମ୍ରତା ପାଇଁ ପ୍ରାର୍ଥନା କରି, ସେଥିପାଇଁ ଜଗତର ସାହାଯ୍ୟ ଲୋଡ଼ି, ଏହିଠାରେ ଏହି ଲେଖା ବନ୍ଦ କରୁଛି ।

Image